ପୃଥିଵୀପୃଷ୍ଠରୁ ଅତି ଅନ୍ଧକାର ସ୍ଥାନରେ ଦେଖିଲେ ଏଣ୍ଡ୍ରୋମେଡା ନକ୍ଷତ୍ରମଣ୍ଡଳ(ଦେଵଯାନୀ ନକ୍ଷତ୍ରମଣ୍ଡଳ)ରେ ଏକ ଧୂସର, ମେଘପରି ଦାଗ ଦେଖାଯାଏ, ଯାହା ଅତ୍ୟନ୍ତ ଦୂରତା ହେତୁ ଅସ୍ପଷ୍ଟ ପ୍ରତୀତ ହୁଏ। କିନ୍ତୁ ଯଦି ଆମ୍ଭମାନଙ୍କର ଆଖି ଏକ ଶକ୍ତିଶାଳୀ ଦୂରଵୀକ୍ଷଣ ଯନ୍ତ୍ର ଆକାରର ହୋଇଥାଆନ୍ତା, ତେବେ ଆମ୍ଭମାନେ ଆକାଶରେ ଚନ୍ଦ୍ରମାଠାରୁ ମଧ୍ୟ ଛଅ ଗୁଣ ବୃହତ୍ ଆକାରର ଏକ ଆକାଶଗଙ୍ଗାକୁ ଦେଖିପାରନ୍ତେ । ଏହି ଧୂସର ଦାଗଟି ପ୍ରକୃତରେ ଆମ ଆକାଶଗଙ୍ଗାର ପଡ଼ୋଶୀ ଆକାଶଗଙ୍ଗା ଆଣ୍ଡ୍ରୋମେଡା ଆକାଶଗଙ୍ଗା ଅଟେ ।
ଏଣ୍ଡ୍ରୋମେଡା ଆକାଶଗଙ୍ଗା ସମ୍ବନ୍ଧରେ ସର୍ଵପ୍ରଥମ ଲିଖିତ ଵର୍ଣ୍ଣନା ୯୬୪ ଖ୍ରୀଷ୍ଟାବ୍ଦରେ ଇରାନୀ ଖଗୋଳଵିତ୍ ଅବଦୁର ରହମାନ ଅଲ୍-ସୁଫୀଙ୍କ ପୁସ୍ତକ Book of Fixed Starsରେ ମିଳେ। ସେ ଏହାକୁ "ଏକ କୁହୁଡ଼ିଆ ମେଘ ପରି ଦାଗ" ବୋଲି ଵର୍ଣ୍ଣନା କରିଥିଲେ। ପରେ ୧୭୮୧ରେ ଫରାସୀ ଖଗୋଳଵିତ୍ ଚାର୍ଲ୍ସ ମେସିୟର ତାଙ୍କ ଖଗୋଳୀୟ ଵସ୍ତୁଗୁଡ଼ିକର ସୂଚୀରେ ଏହାକୁ Messier31 ଵା M31 ଭାବେ ଅଭିହିତ କରିଥିଲେ।ସେତେବେଳେ ମେସିୟରଙ୍କ ଏହି କାଟାଲଗ୍ ଖଗୋଳଵିଜ୍ଞାନୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ହୋଇଯାଇଥିଲା।
ଉନ୍ନବିଂଶ ଶତାବ୍ଦୀରେ ଦୂରଵୀକ୍ଷଣ ଯନ୍ତ୍ରର କ୍ଷମତା ବୃଦ୍ଧି ପାଇଵା ସହ ଏଣ୍ଡ୍ରୋମେଡାରେ ସର୍ପିଳାକାର ବାହୁ ଦେଖାଗଲା, ଯାହା ଆମ Milkyway ଵା ମନ୍ଦାକିନୀ ଆକାଶଗଙ୍ଗାର ଗଠନ ସହ ସମାନ। କିନ୍ତୁ ତତ୍କାଳୀନ ସମୟରେ ଏହି କୁହୁଡ଼ିଆ ଦାଗଗୁଡ଼ିକ ପ୍ରକୃତରେ କ’ଣ ଥିଲା, ତାହା ସେତେବେଳେ ସମ୍ପୂର୍ଣ୍ଣ ରହସ୍ୟ ହିଁ ରହିଥିଲା। ଏହା ଏକ ନେବୁଲା ନା ଅନ୍ୟ କିଛି, ତାହା ଜାଣିବା ସମ୍ଭଵ ନଥିଲା। ଵିଶ୍ଵର ଏହି ରହସ୍ୟମୟ ପ୍ରକୃତିକୁ ଦୃଷ୍ଟିରେ ରଖି ଆଲବର୍ଟ ଆଇନଷ୍ଟାଇନ କହିଥିଲେ “The most incomprehensible thing about the universe is that it is comprehensible.”
ଏହି କୁହୁଡ଼ିଆ ଦାଗଗୁଡ଼ିକ ମଧ୍ୟରେ ମଝିରେ ମଝିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିଲା ଯେତେବେଳେ ଏହା ଅସାଧାରଣ ଭାବେ ଚମକି ଉଠୁଥିଲା। ଏହି ପ୍ରଚଣ୍ଡ ଆଭା, ଯାହାକୁ ଆଜି ଆମେ ସୁପରନୋଵା ବୋଲି ଜାଣୁ, ଲକ୍ଷ ଲକ୍ଷ ସୂର୍ଯ୍ୟଙ୍କ ସମ୍ମିଳିତ ଆଲୋକ ପରି ଦୃଶ୍ୟ ହେଉଥିଲା। ସୁପରନୋଵା ଯୋଗୁଁ ଜାତ ଅସ୍ଥାୟୀ ଚମକ ରାତ୍ରି ଆକାଶରେ ଦେଖାଯାଉଥିଵା କୁହୁଡ଼ିଆ ଦାଗଗୁଡ଼ିକୁ ମାନଵ ଚକ୍ଷୁ ପାଇଁ ଦୃଶ୍ୟମାନ କରାଇ ଦେଉଥିଲା। ତତ୍କାଳୀନ ସମୟରେ ସୁପରନୋଵାର ଅସ୍ତିତ୍ୱ ଵିଷୟରେ କେହି ଜାଣି ନଥିଲେ, ଯାହା ଏହି ରହସ୍ୟକୁ ଆହୁରି ଗାଢ଼ କରିଥିଲା। ଭାରତରେ କେହି କେହି ଅନ୍ଧକାର ରାତ୍ରି ଆକାଶରେ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଦେଖି ତାକୁ ଵୈକୁଣ୍ଠ କଳ୍ପନା କରୁଥିଲେ । ଵିଶ୍ଵର ଅନ୍ୟାନ୍ୟ ପ୍ରାଚୀନ ସଭ୍ୟତାରେ ବି ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ସ୍ଵର୍ଗ ରୂପେ କଳ୍ପନା କରାଯାଇଥାଇପାରେ ।
ତେବେ ଏହି କୁହୁଡ଼ିଆ ଦାଗର ପ୍ରକୃତ ସ୍ୱରୂପ ଜାଣିଵା ପାଇଁ ସର୍ଵପ୍ରଥମେ ଏହାର ଦୂରତା ନିର୍ଣ୍ଣୟ କରିଵା ଆଵଶ୍ୟକ ଥିଲା। କିନ୍ତୁ ସେତେବେଳେ ଏପରି କୌଣସି ପଦ୍ଧତି ନଥିଲା, ଯାହା ଦ୍ୱାରା ବ୍ରହ୍ମାଣ୍ଡରେ ସୁଦୂର ଅଵସ୍ଥିତ କୌଣସି ଵସ୍ତୁର ଦୂରତା ମାପାଯାଇପାରୁଥାନ୍ତା। ତେବେ, ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ମିଳିଗଲା।
୧୯୧୨ ମସିହାରେ ଆମେରିକୀୟ ଖଗୋଳଵିତ୍ ହେନ୍ରିଏଟା ସ୍ୱାନ୍ ଲେଵିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାର କରିଥିଲେ। ସେ ସେଫିଡ୍ ଵେରିଏବଲ୍ ନାମକ ତାରାସମୂହ ଖୋଜି ପାଇଥିଲେ। ଏହି ତାରାଗୁଡ଼ିକ ସୂର୍ଯ୍ୟଠାରୁ ଅନେକ ଗୁଣ ଭାରୀ ଏଵଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କର ଆକାର ବୃଦ୍ଧି ଓ ହ୍ରାସ ପାଏ। ସ୍ପନ୍ଦନ (Pulsation) ପ୍ରକ୍ରିୟା ଯୋଗୁଁ ସେମାନଙ୍କର ଆଲୋକ ନିର୍ଗମନ ମଧ୍ୟ ନିୟମିତ ଭାବେ ବଦଳୁଥାଏ, ଯାହା ସେମାନଙ୍କୁ ଚିହ୍ନଟ କରିଵା ସହଜ କରିଥାଏ।
ସେଫିଡ୍ ତାରାଗୁଡ଼ିକର ସ୍ପନ୍ଦନ ଅଵଧି (Period) ଓ ସେଗୁଡି଼କର ମୋଟ ଆଲୋକ ନିର୍ଗମନ(Absolute Luminosity) ମଧ୍ୟରେ ଏକ ସୁସ୍ପଷ୍ଟ ସମ୍ପର୍କ ଥାଏ। ଲେଵିଟ୍ ଏହି ସମ୍ପର୍କକୁ ଆଵିଷ୍କାର କରିଥିଲେ, ଯାହା ଖଗୋଳଵିଜ୍ଞାନରେ ଏକ ମାଇଲଖୁଣ୍ଟ ସାଵ୍ୟସ୍ତ ହେଲା। ଏହା ଦ୍ୱାରା କୌଣସି ସେଫିଡ୍ ତାରାର ସ୍ପନ୍ଦନ ଅଵଧି ଜାଣି ତାହାର ମୋଟ ଆଲୋକ ନିର୍ଗମନ ନିର୍ଣ୍ଣୟ କରାଯାଇପାରୁଥିଲା। ଏହା ସହିତ,ପୃଥିଵୀରୁ ଦୃଶ୍ୟମାନ ଆଲୋକ(Apparent luminosity) ଫୋଟୋମେଟ୍ରି ଭଳି କୌଶଳ ଦ୍ୱାରା ମଧ୍ୟ ମାପାଯାଉଥିଲା। ଏହି ଦୁଇଟି ମୂଲ୍ୟ ଜାଣିଲେ, ଲୋଗାରିଦମିକ୍ ସୂତ୍ର ଵ୍ୟଵହାର କରି ତାରାର ଦୂରତା ନିର୍ଣ୍ଣୟ କରାଯାଇପାରୁଥିଲା।
ଏ ପ୍ରସଙ୍ଗରେ ଆମେରିକୀୟ ପ୍ରାବନ୍ଧିକ, କଵି ଏଵଂ ଵ୍ୟଵହାରିକ ଦାର୍ଶନିକ Henry David Thoreauଙ୍କ ଉକ୍ତି ମନେ ପଡ଼ିଯାଏ । ତାଙ୍କ ଭାଷାରେ - “The stars are the apexes of what wonderful triangles ! What distant and different beings in the various mansions of the universe are contemplating the same one at the same moment!”
ହଁ ମଣିଷଙ୍କ ପରି ହୁଏତ ଅନ୍ୟ କୌଣସି ଗ୍ରହର କେହି ଜୀଵ ଜାତି ମଧ୍ୟ ଏହିପରି ତାରାଗୁଡ଼ିକର ଦୂରତା ମାପୁନଥିଵ ବୋଲି କିଏ କହିପାରିଵ ?
ତେବେ ସେ ଯାହା ହେଉ ହେନ୍ରିଏଟା ଲେଵିଟ୍ଙ୍କ ପ୍ରୋକ୍ତ ଆଵିଷ୍କାର ଓ ଅଧିକ ଶକ୍ତିଶାଳୀ ଟେଲିସ୍କୋପ୍ର ସହାୟତାରେ ୧୯୨୩ ମସିହାରେ ଖଗୋଳଵିତ୍ ଏଡ଼ୱିନ୍ ହବ୍ଲ ଏକ ଐତିହାସିକ ଘୋଷଣା କରିଥିଲେ। ସେ ପ୍ରମାଣ କରିଥିଲେ ଯେ M31 କୌଣସି ନେବୁଲା ନୁହେଁ, ଵରଂ ଏକ ସ୍ୱତନ୍ତ୍ର ଆକାଶଗଙ୍ଗା, ଯାହା ଆମ ମନ୍ଦାକିନୀ ଆକାଶଗଙ୍ଗା ଵା Milkyway galaxyଠାରୁ ପ୍ରାୟ ୯ ଲକ୍ଷ ଆଲୋକଵର୍ଷ ଦୂରରେ ଅଵସ୍ଥିତ। ପରେ ଆହୁରି ଉନ୍ନତ ପ୍ରଯୁକ୍ତି ସାହାଯ୍ୟରେ ଏହାର ଦୂରତା ୨.୫୩୭ ମିଲିୟନ ଆଲୋକଵର୍ଷ ବୋଲି ନିର୍ଣ୍ଣୟ କରାଗଲା।
ଏଣ୍ଡ୍ରୋମେଡା ଆକାଶଗଙ୍ଗା ଆମର ସବୁଠାରୁ ନିକଟତର ପ୍ରମୁଖ ଆକାଶଗଙ୍ଗା ଏଵଂ ଏହାର ଆନୁମାନିକ ଵ୍ୟାସ ୨୨୦,୦୦୦ ଆଲୋକଵର୍ଷ। ଏଥିରେ ପ୍ରାୟ ୧ ଟ୍ରିଲିୟନ ତାରା ରହିଛି, ଯାହା ମିଲ୍କି ୱେ ଗ୍ୟାଲାକ୍ସୀର ତାରା ସଂଖ୍ୟାଠାରୁ ଅନେକ ଗୁଣ ଅଧିକ। ଏଣ୍ଡ୍ରୋମେଡା ଓ ମିଲ୍କି ୱେ ଆକାଶଗଙ୍ଗା ଏକ ସ୍ଥାନୀୟ ଆକାଶଗଙ୍ଗା ଗୋଷ୍ଠୀ "Local Group"ର ଅଂଶ। ଗଵେଷକମାନଙ୍କ ମତରେ ଆନୁମାନିକ ୪.୫ ବିଲିୟନ ଵର୍ଷ ପରେ ମିଲ୍କି ୱେ ସହ ଆଣ୍ଡ୍ରୋମେଡା ଆକାଶଗଙ୍ଗା ଆସି ମିଶିଯିଵ ଫଳତଃ ଏକ ନୂତନ ଵିଶାଳ ଆକାଶଗଙ୍ଗାର ସୃଷ୍ଟି ହୋଇପାରେ।
ପୂର୍ଵେ ଗ୍ରୀକ୍ ପଣ୍ଡିତମାନେ ତାରାଗୁଡ଼ିକୁ ଛୋଟ ଜ୍ୱଳନ୍ତ ପିଣ୍ଡ ବୋଲି ଭାବୁଥିଲେ ଏଵଂ ସେମାନଙ୍କ ଧାରଣାରେ ଏଗୁଡ଼ିକର ଆକାର କୌଣସି ଦ୍ୱୀପରୁ ଅଧିକ ନଥିଲା। ଆକାଶରୁ ପଡ଼ୁଥିଵା ଉଲ୍କାପିଣ୍ଡକୁ ଦେଖି ଏଭଳି ଧାରଣା ଜନ୍ମିଥିଵା ସମ୍ଭଵ । ଵୈଦିକ ଋଷିମାନେ ବ୍ରହ୍ମାଣ୍ଡର ଦୂରତାକୁ ଲକ୍ଷ ଲକ୍ଷ ଯୋଜନରେ ମାପୁଥିଲେ। ଆମ ପୂର୍ଵପୁରୁଷମାନଙ୍କ ଦୃଷ୍ଟିରେ ବ୍ରହ୍ମାଣ୍ଡ ଏତେ ସଂକୁଚିତ ଥିଲା ଯେ ଏହାକୁ ଲୋକଗାଥାର ଚରିତ୍ରମାନେ ଏକ ରାତିରେ ଉଡ଼ୁଥିଵା ପକ୍ଷୀ ଦ୍ୱାରା ଅତିକ୍ରମ କରାଯାଇପାରୁଥିଲେ। କିନ୍ତୁ ଏଣ୍ଡ୍ରୋମେଡାର ଆଵିଷ୍କାର ଏହି ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା ଏଵଂ ଏହା ଆମକୁ ଏକ ଅସୀମ ବ୍ରହ୍ମାଣ୍ଡ ସହ ଅଵଗତ କରାଇଛି ।
ଗଵେଷକ John Burdon Sanderson Haldaneଙ୍କ ଭାଷାରେ -“The universe is not only stranger than we imagine, it is stranger than we can imagine.”
ଏଣ୍ଡ୍ରୋମେଡା ଆକାଶଗଙ୍ଗାର ଆଵିଷ୍କାର ମାନଵ ଚେତନାକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିଛି। ଏହା ଆମକୁ ବ୍ରହ୍ମାଣ୍ଡର ଅସୀମତା ଏଵଂ ଏହାର ଅଜଣା ରହସ୍ୟ ସମ୍ପର୍କରେ ଅଵଗତ କରାଇଛି। ଏହା ଆମ ସଂକୁଚିତ ଚିନ୍ତାଧାରାକୁ ଭାଙ୍ଗି ଏକ ଅନନ୍ତ ଵିଶ୍ୱର ଚିତ୍ର ଆମ ସାମ୍ନାରେ ଉପସ୍ଥାପନ କରିଛି, ଯାହା ଆମର କଳ୍ପନାକୁ ଵିସ୍ତାର ଦେଇଛି ।
ଦୁର୍ଭାଗ୍ୟକୁ ଆଜିର ଆଲୋକ ଓ ଵାୟୁ ପ୍ରଦୂଷଣ ଯୁଗରେ ରାତ୍ରି ଆକାଶରେ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଖାଲି ଆଖିରେ ଦେଖିଵା କଷ୍ଟସାଧ୍ୟ ହୋଇଯାଇଛି । ତଥାପି କେତେକ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଆଣ୍ଡ୍ରୋମେଡା ଆକାଶଗଙ୍ଗା(Andromeda Galaxy)କୁ ଖାଲି ଆଖିରେ ଦେଖାଯାଇପାରେ। ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଖାଲି ଆଖିରେ ଦେଖିଵା ପାଇଁ ଵାୟୁପ୍ରଦୂଷଣ ଓ ଆଲୋକ ପ୍ରଦୂଷଣରୁ ମୁକ୍ତ ଏକ ଅନ୍ଧକାର ସ୍ଥାନ ଆଵଶ୍ୟକ। ସହରର ଆଲୋକ ଏହାକୁ ଦେଖିଵା କଷ୍ଟକର କରିପାରେ। ଆଜିକାଲି ତ ଗ୍ରାମାଞ୍ଚଳରେ ମଧ୍ୟ ଆଲୋକ ପ୍ରଦୂଷଣ ଯୋଗୁଁ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଖାଲି ଆଖିରେ ଦେଖି ହେଉନାହିଁ । ପୁଣି ଏହି ଆକାଶଗଙ୍ଗାକୁ ଦେଖିଵା ପାଇଁ ମେଘମୁକ୍ତ ଆକାଶ ଏଵଂ ଉପଯୁକ୍ତ ପାଗ ମଧ୍ୟ ଆଵଶ୍ୟକ। ଚନ୍ଦ୍ରର ଆଲୋକ ମଧ୍ୟ ଏହାକୁ ଦେଖିଵାରେ ବାଧା ସୃଷ୍ଟି କରିପାରେ, ତେଣୁ ଅମାଵାସ୍ୟା କିମ୍ବା ଚନ୍ଦ୍ରହୀନ ରାତି ସର୍ଵୋତ୍ତମ। ଉତ୍ତର ଗୋଲାର୍ଦ୍ଧରେ, ଆଣ୍ଡ୍ରୋମେଡା ଗ୍ୟାଲେକ୍ସି ଶରତ ଋତୁ (ସେପ୍ଟେମ୍ବରରୁ ନଭେମ୍ବର) ମାସରେ ରାତିରେ ଦେଖାଯାଏ। ଏହା ଆଣ୍ଡ୍ରୋମେଡା ଵା ଦେଵଯାନୀ ନକ୍ଷତ୍ରମଣ୍ଡଳରେ ଅଵସ୍ଥିତ, ଯାହାକୁ ସନ୍ଧ୍ୟା ପରେ ଆକାଶରେ ସନ୍ଧାନ କରାଯାଇପାରେ। ଖାଲି ଆଖିରେ ଏହା ଏକ ଧୂସର, ଅସ୍ପଷ୍ଟ ଧୂମକେତୁ ପରି ଦେଖାଯାଏ। ଏହାକୁ ସନ୍ଧାନ କରିଵା ପାଇଁ ଅଭ୍ୟାସ ଓ ଧୈର୍ଯ୍ୟ ଆଵଶ୍ୟକ ହୋଇପାରେ। ପ୍ରଥମେ ପେଗାସସ୍ ନକ୍ଷତ୍ରମଣ୍ଡଳର ଚତୁଷ୍କୋଣ ଆକୃତି ଖୋଜି ତା’ପରେ ଆଣ୍ଡ୍ରୋମେଡା ନକ୍ଷତ୍ରମଣ୍ଡଳ ଆଡ଼କୁ ଗଲେ ଆଣ୍ଡ୍ରୋମେଡା ଗ୍ୟାଲେକ୍ସିକୁ ରାତ୍ରି ଆକାଶରେ ଠାବ କରାଯାଇପାରେ ।
No comments:
Post a Comment