ଆଚ୍ଛା ଆଜିକାଲି WhatsApp Universityର ଏକ ଲେଖାରେ ଦାବି କରାଯାଉଛି ଯେ ୧୦୦-୧୫୦ ଵର୍ଷ ପୂର୍ଵେ ଇଂଲଣ୍ଡରେ ଵିଵାହ ଵିଚ୍ଛେଦ ଓ ଵିଧଵା ପୁନର୍ଵିଵାହ ଆଇନ ଅନୁମୋଦିତ ହୋଇଥିଲା ଏଵଂ ଦ୍ୱିତୀୟ ସ୍ୱାମୀ ପ୍ରଥମ ଵିଵାହରୁ ଜାତ ସନ୍ତାନଙ୍କୁ ଗ୍ରହଣ ନକରିଵାରୁ ଚର୍ଚ୍ଚ ପରିଚାଳିତ କନଭେଣ୍ଟଗୁଡ଼ିକ ଅନାଥ ଓ ପରିତ୍ୟକ୍ତ ପିଲାମାନଙ୍କୁ ଶିକ୍ଷା ଓ ପାଳନ କରୁଥିଲେ। ଏହି ଅନଥା ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଵାକୁ ଚାହୁଁଥିଵା ପିତାମାତାଙ୍କ ସହିତ ଭେଟାଇଵା ପାଇଁ ଚର୍ଚ୍ଚ ଦ୍ଵାରା କନଵେଣ୍ଟ ଵିଦ୍ୟାଳୟରେ ମଦର୍ସ ଡେ ଓ ଫାଦର୍ସ ଡେ ଭଳି ଆୟୋଜନ କରିଵାର ପରମ୍ପରା ଆରମ୍ଭ ହୋଇଥିଲା ଇତ୍ୟାଦି ଇତ୍ୟାଦି । ତେବେ ଏସବୁ ଅପପ୍ରଚାର ଓ ଐତିହାସିକ ତଥ୍ୟର ଅପଵ୍ୟାଖ୍ୟା ଅଟେ ।
ବ୍ରିଟେନରେ Matrimonial Causes Act, 1857 ଅନୁମୋଦିତ ହୋଇଥିଲା, କିନ୍ତୁ ଏହା ଅତ୍ୟନ୍ତ କଠୋର ଓ ସୀମିତ ଥିଲା। ସେତେବେଳେ ବ୍ରିଟେନର ସମାଜ ଅଧିକ ରକ୍ଷଣଶୀଳ ଥିଲା ତେଣୁ ଵିଵାହ ଵିଚ୍ଛେଦ ବହୁତ ଵିରଳ ଥିଲା । ଵିଵାହ ଵିଚ୍ଛେଦକୁ ବ୍ରିଟେନର ସାମାଜିକ କଳଙ୍କ ସହିତ ଜଡ଼ିତ କରି ଦେଖୁଥିଲେ। ଵିଧଵା ପୁନର୍ଵିଵାହ ସାମାଜିକ ଭାବେ ଗ୍ରହଣୀୟ ଥିଲା, କିନ୍ତୁ ଏହା ଅନାଥ ପିଲାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇନଥିଲା। ଏହି ଦାବିରେ କୌଣସି ଐତିହାସିକ ପ୍ରମାଣ ନାହିଁ ଯେ ଵିଵାହ ଵିଚ୍ଛେଦ ଵା ପୁନର୍ଵିଵାହ ହେତୁ କନଵେଣ୍ଟଗୁଡ଼ିକ ଅନାଥ ପିଲାଙ୍କୁ ପାଳନ କରୁଥିଲେ।
ଇଂଲଣ୍ଡରେ କନଵେଣ୍ଟଗୁଡ଼ିକ ମୁଖ୍ୟତଃ ଧାର୍ମିକ ସମ୍ପ୍ରଦାୟ (ନନ୍ମାନଙ୍କ) ଵାସସ୍ଥାନ ଥିଲା। କିଛି କନଵେଣ୍ଟ ଶିକ୍ଷା ଓ ଦାନଧର୍ମ କାର୍ଯ୍ୟ କରୁଥିଲେ କିନ୍ତୁ ଏହା ଅନାଥ ପିଲାଙ୍କୁ ପାଳନ କରିଵାର ମୁଖ୍ୟ ଉଦ୍ଦେଶ୍ୟ ନଥିଲା। ଅନାଥ ପିଲାଙ୍କ ପାଇଁ workhouses ଵା orphanages ଥିଲା, ଯାହା ଚର୍ଚ୍ଚ,ଅନ୍ୟ ସଂସ୍ଥା ଵା ଵ୍ୟକ୍ତି ଵିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା।
ଏଠାରେ ବୁଝିଵାକୁ ହେଵ ଯେ ଭାରତରେ, ଖ୍ରୀଷ୍ଟୀୟ ମିଶନାରୀମାନେ ୧୯ଶ ଶତାବ୍ଦୀରେ convent schools ପ୍ରତିଷ୍ଠା କରିଥିଲେ । ଏହି convent schools ପ୍ରତିଷ୍ଠା ପଛରେ ଇଂରାଜୀ ଭାଷା ଶିକ୍ଷାଦାନ ଓ ଖ୍ରୀଷ୍ଟିଆନ ଧର୍ମ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିଵା ମୂଳ ଉଦ୍ଦେଶ୍ୟ ଥିଲା । ଭାରତରେ ହିଁ ଧର୍ମାନ୍ତରୀକରଣ ପାଇଁ ଅନାଥ ହିନ୍ଦୁ ପଠାଣ ଶିଶୁଙ୍କୁ ଚର୍ଚ୍ଚ ଦ୍ଵାରା ପରିଚାଳିତ convent schoolsରେ ପଢ଼ା ଯାଉଥିଲା । ଇଂରେଜମାନେ ବୁଝିଥିଲେ ଯେ ଶାସନତନ୍ତ୍ରକୁ ସୁଦୃଢ଼ କରିଵା ପାଇଁ କିଛି ଭାରତୀୟଙ୍କୁ ଇଂରାଜୀ ଶିକ୍ଷା ଦେଇ ସେମାନଙ୍କ ଦ୍ଵାରା ଆପଣାର କାର୍ଯ୍ୟ ସମ୍ପାଦନ କରିଵା ଅଧିକ ଯୁକ୍ତିଯୁକ୍ତ ହେଵ । ସେମାନେ ଭାରତୀୟଙ୍କୁ ଇଂରାଜୀ ଭାଷାରେ ଶିକ୍ଷାଦାନ ଦେଲେ ଭାରତୀୟମାନେ ନିଜ ଧର୍ମ ସଂସ୍କୃତିଠାରୁ ଦୂରେଇ ଯିବେ ଏଵଂ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନେବେ । କିଛି ଭାରତୀୟ ମଧ୍ୟ ସେସମୟରେ ଧର୍ମାନ୍ତରୀତ ହୋଇଯାଇଥିଲେ । ତେବେ ଅଧିକରୁ ଅଧିକ ଭାରତୀୟଙ୍କୁ ଧର୍ମାନ୍ତରୀତ କରିଵା ପାଇଁ ଇଂରେଜମାନେ ଦଶରୁ ଅଧିକ ବଡ଼ ବଡ଼ କୃତ୍ରିମ ଦୁର୍ଭିକ୍ଷ ଓ ଅନେକାନେକ ମହାମାରୀ ଭିଆଇ ଭାରତୀୟମାନଙ୍କୁ ଆର୍ଥିକ ଦରିଦ୍ର କଲେ । ସେହିପରି ଭାରତରେ ଚର୍ଚ୍ଚ ଦ୍ଵାରା ଅନାଥାଶ୍ରମର ପରିଚାଳନା ଓ Convent schoolର ସ୍ଥାପନ ପୂର୍ଵକ ଧର୍ମାନ୍ତରୀକରଣ କରାଯାଇଥିଲା ।
ପୁଣି ଯେଉଁ ଦାବି କରାଯାଉଛି ଯେ ମଦର୍ସ ଡେ ଓ ଫାଦର୍ସ ଡେ'ର ଉତ୍ପତ୍ତି ଚର୍ଚ୍ଚ ପରିଚାଳିତ କନଵେର୍ଟ୍ ଵିଦ୍ୟାଳୟରେ ପୋଷ୍ୟ ସନ୍ତାନ ଚାହୁଁଥିଵା ପିତାମାତାଙ୍କୁ ଆକର୍ଷିତ କରିଵା ପାଇଁ ହୋଇଥିଲା ତାହା କଞ୍ଚା ମିଛ କଥା ଅଟେ ।
Mothers Dayର ଆରମ୍ଭ ୧୯୦୮ ମସିହାରେ ଆମେରିକାରେ ଆନା ଜାରିସ୍ (Anna Jarvis) ନାମକ ଜଣେ ମହିଳାଙ୍କ ଦ୍ୱାରା ହୋଇଥିଲା। ଆନା ତାଙ୍କ ମାଆ ଆନ ରୀଵସ୍ ଜାର୍ଵିସ୍ଙ୍କ ସ୍ମୃତିରେ ଏହି ଦିଵସ ପାଳନ ଆରମ୍ଭ କରିଥିଲେ, ଯିଏକି ଜଣେ ସାମାଜିକ କର୍ମୀ ଥିଲେ ଏଵଂ ଆମେରିକୀୟ ଗୃହଯୁଦ୍ଧ ସମୟରେ ମାତାମାନଙ୍କୁ ସହାୟତା କରିଵା ପାଇଁ “ମଦର୍ସ ଡେ ଓ୍ୱାର୍କ କ୍ଲବ” ଗଠନ କରିଥିଲେ। ୧୯୦୮ ମସିହାରେ ଆନା ଜାର୍ଵିସ୍ ତାଙ୍କ ମାଆଙ୍କ ସ୍ମୃତିରେ ପଶ୍ଚିମ ଭର୍ଜିନିଆର ଗ୍ରାଫ୍ଟନ୍ଠାରେ ଏକ ସ୍ମାରକୀ ସମାରୋହ ଆୟୋଜନ କରିଥିଲେ, ଯାହାକୁ ଆଧୁନିକ Mothers Dayର ଆରମ୍ଭ ବୋଲି ଗଣନା କରାଯାଏ। ଆନାଙ୍କ ପ୍ରୟାସ ଫଳରେ ୧୯୧୪ ମସିହାରେ ଆମେରିକୀୟ ରାଷ୍ଟ୍ରପତି ଉଡ୍ରୋ ଉଇଲ୍ସନ୍ Mothers Dayକୁ ଜାତୀୟ ଦିଵସ ଭାବେ ଘୋଷଣା କରିଥିଲେ, ଯାହା ମଇ ମାସର ଦ୍ୱିତୀୟ ରଵିଵାର ଦିନ ପାଳନ କରାଯାଏ। ଆନା ଜାର୍ଵିସ୍ ଚାହୁଁଥିଲେ ଯେ ଏହି ଦିଵସ ଏକ ଭାଵନାତ୍ମକ ଓ ଆନ୍ତରିକ ଉତ୍ସଵ ହେଉ, ଯହିଁରେ ସନ୍ତାନମାନେ ନିଜ ମାଆଙ୍କୁ କୃତଜ୍ଞତା ଜଣାଇ ପାରିବେ। ତେବେ, ପରଵର୍ତ୍ତୀ ସମୟରେ Mothers Dayର ଵାଣିଜ୍ୟିକରଣ ହେଵାରୁ ଆନା ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ ଏଵଂ ଏହାର ମୂଳ ଉଦ୍ଦେଶ୍ୟକୁ ରକ୍ଷା କରିଵା ପାଇଁ ସଂଘର୍ଷ କରିଥିଲେ।
Father's Dayର ଆରମ୍ଭ ୧୯୧୦ ମସିହାରେ ଆମେରିକାର ସୋନୋରା ସ୍ମାର୍ଟ ଡଡ୍ (Sonora Smart Dodd) ନାମକ ଜଣେ ମହିଳାଙ୍କ ଦ୍ୱାରା ପ୍ରସ୍ତାଵିତ ହୋଇଥିଲା। ସୋନୋରାଙ୍କ ପିତା ଉଇଲିୟମ ଜ୍ୟାକ୍ସନ୍ ସ୍ମାର୍ଟ ଜଣେ ଗୃହଯୁଦ୍ଧର ପ୍ରଵୀଣ ସୈନିକ ଥିଲେ, ଯିଏ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏକାକୀ ଛଅ ସନ୍ତାନଙ୍କୁ ପାଳନ କରିଥିଲେ। ତାଙ୍କ ପିତାଙ୍କ ତ୍ୟାଗ ଓ ନିଷ୍ଠାରୁ ପ୍ରେରିତ ହୋଇ ସୋନୋରା ପିତାମାନଙ୍କୁ ସମ୍ମାନ ଜଣାଇଵା ପାଇଁ ଏକ ଵିଶେଷ ଦିଵସ ପାଳନର ପ୍ରସ୍ତାଵ ଦେଇଥିଲେ। ୧୯୧୦ ମସିହା ଜୁନ୍ ୧୯ ତାରିଖରେ ଓ୍ୱାଶିଂଟନ୍ର ସ୍ପୋକେନ୍ଠାରେ ପ୍ରଥମ Father's Day ପାଳିତ ହୋଇଥିଲା।
ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ Father's Dayକୁ ଜାତୀୟ ଦିଵସ ଭାବେ ଗ୍ରହଣ କରିଵାରେ ଅଧିକ ସମୟ ଲାଗିଥିଲା। ୧୯୬୬ ମସିହାରେ ରାଷ୍ଟ୍ରପତି ଲିଣ୍ଡନ୍ ଜନ୍ସନ୍ ଏହାକୁ ଜାତୀୟ ସ୍ତରରେ ପାଳନ ପାଇଁ ଘୋଷଣା କରିଥିଲେ ଏଵଂ ୧୯୭୨ ମସିହାରେ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଏହାକୁ ସ୍ଥାୟୀ ଜାତୀୟ ଦିଵସ ଭାବେ ସ୍ଥାପନ କରିଥିଲେ। ଏହା ଜୁନ୍ ମାସର ତୃତୀୟ ରଵିଵାର ପାଳନ କରାଯାଏ।
ମୋଟ ଉପରେ କହିଵାକୁ ଗଲେ Convent school ସ୍ଥାପନର ଉଦ୍ଦେଶ୍ୟ ବ୍ରିଟେନ ଆଦି ଖ୍ରୀଷ୍ଟିଆନ ଦେଶରେ ଓ ଭାରତ ଭଳି ତତ୍କାଳୀନ ପରାଧୀନ ଦେଶରେ ଭିନ୍ନ ଭିନ୍ନ ଥିଲା । ବ୍ରିଟେନରେ ଅନାଥ ପିଲାଙ୍କୁ ପଢ଼ାଇଵା ଓ ବଢ଼ାଇଵା ପାଇଁ Convent school ସ୍ଥାପନ ହୋଇନଥିଲା କିନ୍ତୁ ଭାରତରେ ଭାରତୀୟଙ୍କୁ ଧର୍ମାନ୍ତରୀକରଣ କରିଵା ପାଇଁ ଇଂରେଜମାନଙ୍କ ଦ୍ଵାରା Convent school ସ୍ଥାପିତ ହୋଇଥିଲା।
No comments:
Post a Comment