ଚୀନଦେଶୀୟ ଭାଷାଗୁଡି଼କରେ ମାଆ ବାପାଙ୍କୁ ସମ୍ବୋଧନ ହେତୁ ଅନେକ ଶବ୍ଦ ରହିଛି । ଆଜିକାଲି ଵିଶ୍ଵର ଅନୁକରଣ କରିଵାକୁ ଯାଇ ଶିକ୍ଷିତ ଚୀନାଲୋକେ ମାଆଙ୍କୁ 妈妈(māmā) ତଥା ବାପାଙ୍କୁ 爸爸(bàbà) ଡାକନ୍ତି ।
ତେଵେ କିଛି ଶହ ଵର୍ଷ ପୂର୍ଵେ ସେମାନେ ମାଆଙ୍କୁ 母亲(mǔqīn) ଓ ବାପାଙ୍କୁ 父亲(fùqīn) ଡାକୁଥିଲେ । ଆଜି ବି ଏ ଶବ୍ଦ ଦ୍ଵୟ ପ୍ରଚଳିତ ତେଵେ ଚୀନଦେଶୀୟ ଲିଖିତ ସାହିତ୍ୟରେ ହିଁ ଏହାର ଵ୍ଯଵହାର ସୀମିତ ହୋଇଯାଇଛି । ସେଇଭଳି ଏଠାକାର ଗ୍ରାମୀଣ ଅଞ୍ଚଳରେ ମାଆଙ୍କୁ 娘(niáng)ଓ ବାପାଙ୍କୁ 爹(diē)ସମ୍ବୋଧନ କରାଯାଏ କିନ୍ତୁ ଧିରେ ଧିରେ ଏହି ପରମ୍ପରା ଦୃତ ସହରୀକରଣ ଯୋଗୁଁ ଲୁପ୍ତ ହେଵାକୁ ବସିଲାଣି ।
ଆମ ପୂର୍ଵାଞ୍ଚଳରେ ଯେମିତି ଅନ୍ଯର ମାତା ଓ ପିତାଙ୍କୁ ସମ୍ମାନର ସହିତ ମଉସା ଓ ମାଉସୀ ସମ୍ବୋଧନ କରାଯାଏ ସମାନ ପରମ୍ପରା ଚୀନଦେଶରେ ମଧ୍ୟରେ ରହିଛି । ତେଵେ ସେଠାକାର ଲୋକେ ଅଧିକ ଆଵଶ୍ଯକ ହେଲେ ହିଁ ଅନ୍ଯର ମାତାଙ୍କୁ 令堂(lìngtáng)ଓ ଆନର ପିତାଙ୍କୁ 令尊(lìngzūn) ସମ୍ବୋଧନ କରିଥାନ୍ତି । ଆମ ଗଞ୍ଜାମ ଅଞ୍ଚଳର ଲୋକେ ଆଉ ପାଦେ ଆଗେଇ ପରର ପିତାମାତାଙ୍କୁ ମଧ୍ୟ ଶ୍ରଦ୍ଧାରେ ମାଆ ଓ ବାପା ସମ୍ବୋଧନ କରୁଥିଵା ଦୃଷ୍ଟିଗୋଚର ହୁଏ । ତେଵେ ପୂର୍ଵାଞ୍ଚଳର ଲୋକେ ଵିଶେଷତଃ ପୁରୁଷମାନେ ନିଜ ଝିଅ,ଝିଆରୀ ଓ ଭାଣିଜୀମାନଙ୍କୁ ‘ମାଆ’ ତଥା ସ୍ତ୍ରୀଲୋକେ ଛୋଟ ବାଳକଙ୍କୁ ବାପ,ବାପା,ବାବା,ବାବୁ,
ପୁଅ,ପୋଅ ଆଦି ସମ୍ବୋଧନ କରୁଥିଵା ଦେଖାଯାଏ ।
ଚୀନଦେଶୀୟ ଲୋକେ ତାଙ୍କ ମାତାପିତାଙ୍କୁ ପତ୍ର ଲେଖିଲାଵେଳେ ତଥା ସାହିତ୍ୟରେ ମାଆଙ୍କ ପାଇଁ 家母(jiāmǔ)ଓ 家慈(jiācí)ଏଵଂ ପିତାଙ୍କ ପାଇଁ 家父(jiāfù)ଓ 家严(jiāyán)ଶବ୍ଦର ଵ୍ଯଵହାର କରିଥାନ୍ତି ଯାହା ଚୀନରେ ଅତ୍ୟନ୍ତ ଆଦରସୂଚକ ମାନାଯାଏ ।
ତେଵେ ଅତିପ୍ରାଚୀନ କାଳରେ ଚୀନଦେଶର ଲୋକେ
ଆଜିଭଳି ମାମା ବାବା ଶବ୍ଦ ଵ୍ଯଵହାର କରୁନଥିଲେ । ଏହି ଉଭୟ ଶବ୍ଦ ପଶ୍ଚିମ ଵିଶ୍ଵ ତଥା ଭାରତ ସହିତ ସାଂସ୍କୃତିକ ସଂପର୍କ ବୃଦ୍ଧି ପରେ ପରେ ପ୍ରଚଳିତ ହୋଇଥିଵା ଅନେକ ଚୀନୀ ଭାଷାଵିତ୍ ମତ ଦିଅନ୍ତି ।
ପ୍ରାୟ ୨୦୦୦ ଵର୍ଷ ପୂର୍ଵର ଅନେକ ପ୍ରାଚୀନ ଚୀନୀ ଗ୍ରନ୍ଥରେ ମାତାଙ୍କୁ 妣(bǐ)ଓ ପିତାଙ୍କୁ 考(kǎo) ସମ୍ବୋଧନ କରାଯାଉଥିଵାର ପୁରାତନ ଲିଖିତ ପ୍ରମାଣ ରହିଛି । ତେଵେ ଆଜିକାଲି 妣(bǐ)ଶବ୍ଦର ଵ୍ଯଵହାର ମରଣୋତ୍ତର ମାତାଙ୍କୁ ସମ୍ବୋଧନ ହେତୁ ସଭା ସମିତି ଦୂରଦର୍ଶନ ସମ୍ବାଦପତ୍ର ଆଦିରେ ଵ୍ଯଵହୃତ ହୋଇଥାଏ ।
ଆମ ଭାରତରେ ଯେମିତି ଭାଷା ଭେଦରେ ମାତାଙ୍କୁ ଭିନ୍ନ ଭିନ୍ନ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ଠିକ୍ ସେଇଭଳି ଚୀନଦେଶରେ ମଧ୍ୟ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । ନିମ୍ନରେ ସେଇଭଳି କିଛି ଉଦାହରଣ ଦିଅଗଲା ଯେଉଁ ଶବ୍ଦଗୁଡି଼କୁ ଚୀନଦେଶରେ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ କରାଯାଏ ।
✓母親 (móuhchàn)
✓媽媽 (màhmà)
✓阿母 (a mā)
✓母親 (mu1-cin1)
✓媽媽 (ma5-ma3)
✓阿母 (a1-me1)
✓母親 (mǔqīn)
✓妈妈 [媽媽] (māma)
✓母親 (bó-chhin)
✓阿母 (a-bó)
✓俺娘 (án-niâ)
ଏଠାରେ ପ୍ରଦତ୍ତ 阿母 (a-bó) ଶବ୍ଦଟି ଜାପାନୀ ଭାଷାରେ ମଧ୍ୟ ଚଳୁଅଛି ତେଵେ ଏହାର ଵ୍ଯଵହାର ଜାପାନର କେତେକ ଜନଜାତି ମଧ୍ୟରେ ସୀମିତ ରହିଯାଇଛି ।
ଚୀନଦେଶୀୟ ଭାଷାଗୁଡି଼କରେ ଏହି 阿母 (a-bó)
ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି ।
ଯଥା—
✓ଚୀନର Min Nanଭାଷାରେ 阿母 (a-bó) ଶବ୍ଦର ଅର୍ଥ ‘ମାଆ’
✓Cantonese ଭାଷାରେ ଭାଉଜଙ୍କୁ
阿母 (a-bó) କୁହାଯାଏ ।
✓Dongguan Cantonese ଉପଭାଷାରେ
ମାଇଁଙ୍କୁ 阿母 (a-bó) କୁହନ୍ତି ।
✓ଚୀନଦେଶର କେତେକ ଶୈଳୀରେ
ନର୍ସମାନଙ୍କୁ 阿母 (a-bó) କୁହାଯାଇଥାଏ ।
ଚୀନଦେଶରେ a-bó ଶବ୍ଦର ଅଞ୍ଚଳ ଭେଦରେ ଵିଭିନ୍ନ ଅର୍ଥ ରହିଛି ପୁଣି ମାଆଙ୍କୁ ସମ୍ବୋଧନାର୍ଥେ ଵିଭିନ୍ନ ଚୀନଦେଶୀୟ ଭାଷାରେ ଭିନ୍ନ ଭିନ୍ନ ଶବ୍ଦ ଚଳୁଅଛି । କିନ୍ତୁ ସେମାନେ ଆମ ଭାରତୀୟଙ୍କ ପରି ସମ୍ବୋଧନ ଵାଚକ ଶବ୍ଦକୁ ନେଇ ପରସ୍ପରରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିଵାର ଦେଖାଯାଏ ନାହିଁ ।
ଚୀନ ଦେଶ କଥା ଛାଡ଼ନ୍ତୁ ଆମ ଭାରତରେ ପ୍ରଚଳିତ ପଞ୍ଜାବୀ ଭାଷାରେ ପ୍ରଚଳିତ ଏମିତି କେତେଗୋଟି ଶବ୍ଦର ମଧ୍ୟ ଏଠାରେ ଉଦାହରଣ ଦିଆଯାଇପାରେ । ପଞ୍ଜାବୀମାନେ ତାଙ୍କ ମାତାଙ୍କୁ ਭਾੱਥੋ(BHÁBBO) ସମ୍ବୋଧନ କରନ୍ତି । ତେଵେ ପଞ୍ଜାବୀର କେତେକ ଶୈଳୀରେ ଭାଉଜଙ୍କୁ ସମ୍ବୋଧନ ପାଇଁ ବି ଏ ଶବ୍ଦ ଵ୍ଯଵହାର ହୋଇଥାଏ । ପଞ୍ଜାବୀର କେତେକ ଶୈଳୀରେ ਬੋਬੀ(BOBÍ) ଓ ਬੋਬੋ(BOBO) ଶବ୍ଦଦ୍ଵୟର ଅର୍ଥ ମାଆ ହୋଇଥିଵା ଵେଳେ ଅନ୍ୟତ୍ର ଏ ଶବ୍ଦ ଭଉଣୀମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୁଏ । “ଭାଇ ମାୟା ସିଂ” ଙ୍କ ଦ୍ଵାରା ସଂକଳିତ “the punjabi dictionary”ରେ ଏହି ତଥ୍ଯ ରହିଛି ।
ଓଡ଼ିଆ ଭାଷାରେ ଓ ଓଡ଼ିଶା ଭୂଇଁରେ ସେହିପରି ଵର୍ଗ୍ୟ ବ ଵର୍ଣ୍ଣ ଆଦ୍ୟରେ କେତେକ ସମ୍ପର୍କଵାଚକ ଶବ୍ଦ ପ୍ରଚଳିତ । ତନ୍ମଧ୍ୟରୁ ବୋଉ,ବଉ ଓ ଵୋହୂ ଵା ଵଉ ଶବ୍ଦକୁ ନେଇ ନିକଟ ଅତୀତରେ ଓଡ଼ିଶାର ବୁଦ୍ଧିଜୀଵିଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଗଠିତ ହୋଇଯାଇଥିଲା । ହେଲେ କିଛି ଵର୍ଷ ତଳେ ଆମ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ତଥାକଥିତ କଵି ଯେଉଁଭଳି ଭାବେ ଦାଣ୍ଡରେ ଡ଼ାକବାଜି ଲଗାଇ ଓଡ଼ିଆ ଭାଷାର ମୌଳିକ ବୋଉ ଶବ୍ଦର ଚୀରହରଣ କରିଥିଲେ ସେଭଳି ପାଗଳାମୀ ଚୀନା କି ପଞ୍ଜାବୀମାନେ କେବେ ବି କରିଥିଵା ଜଣାଯାଏ ନାହିଁ । ସେଠାରେ ମଧ୍ୟ ଓଡ଼ିଶାର ବେଈ,ଶଵଧୂ,ଵୋହୂ,ବୋଉ,ବଉ,ଆବୋଉ,ଆଉବୋଉ ଇତ୍ୟାଦି ଵିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଞ୍ଚଳରେ 阿母 (a-bó) ଓ ବେବ୍ଵୋ,ବେବ୍ଵେ,ବାବ୍ଵେ ଭଳି ଶବ୍ଦ ଵ୍ୟଵହୃତ ହୋଇଥାଏ କିନ୍ତୁ ସେଠାକାର ଲୋକ ଆମର ତଥାକଥିତ ମହାପେଣ୍ଡୁଳି କଵିରାଜଙ୍କ ପରି ଆଞ୍ଚଳିକଵାଦୀ ନୁହନ୍ତି କି ହୋଇନାହାନ୍ତି ।
କିନ୍ତୁ ତଥାକଥିତ ମହାକଵି ସମ୍ଭଵତଃ ଜାଣିନଥିଲେ ଯେ କେଵଳ ଓଡ଼ିଆ ଭାଷା ହିଁ ନୁହେଁ ଆସାମର ଆହମିୟା ଭାଷାରେ ମଧ୍ୟ ମାଆ ଶବ୍ଦର ଏକ ପ୍ରତିଶବ୍ଦ ‘ବୌ’ ଅଟଇ । ଅହମିୟା ଭାଷାର ଚନ୍ଦ୍ରାକାନ୍ତା ଅଭିଧାନରେ ଏହି କଥା ଉଲ୍ଲେଖ କରାଯାଇଛି । ଉକ୍ତ ଅଭିଧାନର ୭୦୪ ପୃଷ୍ଠାରେ ବୌ ଶବ୍ଦର ଯେଉଁ ଦୁଇଗୋଟି ଅର୍ଥ ମୁଦ୍ରିତ ହୋଇଅଛି ତାହା ଅକ୍ଷରସଃ ଏଠାରେ ଉଦ୍ଧାର କରାଗଲା...
ବୌ/ଵୌ
୧)ଵ।ଧୂ ଶବ୍ଦଜ ଵୌ — କକାଇର ଭାର୍ଯ୍ଯା
2)ବୌ/ବୌବି—ଆଇ; ପୁତ୍ରଇ ମାକକ କରା ସମ୍ବୋଧନ
ପ୍ରକାଶ ଥାଉକି ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ । ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି । ଏଠାରେ ଆଈ ଶବ୍ଦ ଵିଷୟରେ ସାମାନ୍ୟ ଆଲୋଚନା କରିଵା ଉଚିତ୍ ହେଵ । ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି ମାତ୍ର ଓଡ଼ିଶାର ଅନେକ ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ
🔰ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ
🔰ଓରାଓଁରେ ଆୟାଙ୍ ,
🔰କିସାନ୍ ଵା କୁଣାହାଁରେ ଆୟା/ଆୟାଂ ଓ ଆୟାଙ୍ଗ
🔰କୁଈ ତଥା କୁଭି ଭାଷାରେ ଆଜି
🔰କୋୟା ଭାଷାରେ ୟାୟା ଓ ୟାୱା
🔰ଗୋଣ୍ଡୀ ଭାଷାରେ ୟାୟା
🔰ଦେଶିଆ ଓଡ଼ିଆରେ ଆୟା
🔰ବଣ୍ଡା ଭାଷାରେ ୟଂ ଓ ଇୟଂ
🔰ଭୁଂଜିଆରେ ଓୟା
🔰ସଉରାରେ ୟାଙ୍
🔰ସାଦ୍ରୀରେ ଆୟୋ
🔰ସାନ୍ତାଳୀରେ ଏଙ୍ଗା ଓ ଅୟୋ
🔰ଡିଡାୟୀରେ ଇଆଁଙ୍ଗ୍
🔰ପରଜୀ ଭାଷାରେ ଇୟ୍'ୟା
🔰 ଭତ୍ରୀ ଓ ହଲଵୀ ଓଡ଼ିଆରେ ଆୟା
ଇତ୍ୟାଦି ଇତ୍ୟାଦି ...
ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି । ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା । ଉଦାହରଣ ସ୍ୱରୂପ...
କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି
“ଦଶରଥ ସୂତ, ଜଗତେ ଵିଦିତ,
କୈକେୟୀ ମୋହର ଆଈ।”
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ”
ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି ।
“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ ।
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ ।
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”
ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...
“ଏମନ୍ତେ ପାହିଲା ରଜନୀ
ଦେଵକୀ ମୁଖ ଚାହିଁ ଭଣି ।।୧୯୧।।
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ।।୧୯୨।।
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ।।୧୯୩।।
କଂସର ଭୟ ଛାଡ଼ ଆଈ ।
ଯାହାର ନାମେ ଦୁଃଖ ନାହିଁ ।।୧୯୪।।”
ଅର୍ଥାତ୍ ଏକ ସମୟରେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ ଏହି ଦୁଇଟି ଶବ୍ଦ ଚଳୁଥିଲା କିନ୍ତୁ ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ଵାଳକ ଵାଳିକାମାନେ ମାଆ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀଙ୍କ ପ୍ରତି ଵ୍ୟଵହୃତ ହେଵାକୁ ଲାଗିଲା ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଆଈ ଓ ମାତା ଇତ୍ୟାଦି ଶବ୍ଦ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଏ । କିନ୍ତୁ ବୋଉ ଶବ୍ଦଟି ତିନିଶହ ଵର୍ଷ ପୂର୍ଵଵର୍ତ୍ତୀ କୌଣସି ଓଡ଼ିଆ ସାହିତ୍ୟରେ ମାଆ ଅର୍ଥରେ ପ୍ରୟୋଗ ହୋଇଥିଵା ଦେଖାଯାଏ ନାହିଁ । ସମ୍ଭଵତଃ ଉକ୍ତ ସମୟରେ ଆଈ ଓ ମାଆ ଶବ୍ଦଦ୍ଵୟ ଓଡ଼ିଶାର ଅଧିକାଂଶ ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରୁଥିଲେ ଏଵଂ ବୋଉ ଶବ୍ଦଟି ଏକ ସୀମିତ ମାନଵଗୋଷ୍ଠୀ କିଂଵା ଅଞ୍ଚଳରେ ପ୍ରଚଳିତ ଥିଲା । ଯେତେବେଳେ ଆଈ ଶବ୍ଦଟି ମାଆଙ୍କର ମାଆଙ୍କୁ ସମ୍ବୋଧନାର୍ଥ ଚଳିଵାକୁ ଲାଗିଲା ସେତେବେଳେ ଏହି ବୋଉ ଶବ୍ଦଟି ଧୀରେ ଧୀରେ ଓଡ଼ିଶାରେ ତାହାର ସ୍ଥାନ ଅଧିକାର କରିନେଇଥାଇପାରେ । ସେତେବେଳେ କେତେକ ଅଞ୍ଚଳରେ ବେଈ ଶବ୍ଦର ଵ୍ୟଵହାରରେ ଜେଜେମା ଓ ଆଈଙ୍କୁ ସମ୍ବୋଧନ କରାଗଲା ଅନ୍ୟତ୍ର ଆପଣା କନ୍ୟାକୁ ବୁଈ ଡକାଗଲା ଏଵଂ ଆଉ କେତେକ ଅଞ୍ଚଳରେ ବୋଉ ଶବ୍ଦଟି ମାତାଙ୍କ ପ୍ରତି ପ୍ରୟୋଗ ହେଵାକୁ ଲାଗିଲା ।
ପଵର୍ଗର 'ମ' ଓ 'ବ' ଏହି ଦୁଇଟି ଵର୍ଣ୍ଣରେ ଓଡ଼ିଆ ଭାଷାରେ ଅନେକ ସମ୍ବୋଧନଵାଚକ ଶବ୍ଦ ରହିଛି କିନ୍ତୁ ଅନ୍ୟ ଵର୍ଣ୍ଣରେ ସେତେ ସମ୍ବୋଧନଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ ।
ଓଡ଼ିଆ ଭାଷାରେ ଵ୍ୟଵହୃତ ବୋଉ ଶବ୍ଦଟି ଅଯଥା ଵିଵାଦିତ ହୋଇଗଲା । କିଛିଲୋକ ଆପଣା ଆଞ୍ଚଳିକଵାଦୀ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଵାର ହୀନ ପ୍ରଚେଷ୍ଟାରେ ବୋଉ ଶବ୍ଦଟିକୁ
ଅଯଥା ଵିଵାଦୀୟ କରିଦେଲେ । ସେମାନଙ୍କ ପ୍ରଶ୍ନ ଥିଲା ଏହି ବୋଉ
ଶବ୍ଦଟି ଉପକୂଳିଆ କେଉଁଠୁ ଆଣିଲେ !!!
ଓଡ଼ିଶାର ବୁଦ୍ଧିଜୀଵୀମାନେ ଏହାର ଉତ୍ତର ଉଣ୍ଡିଵାରେ ଲାଗିପଡି଼ଲେ । ତହିଁପରେ ବୋଉ ଶବ୍ଦର ନାନାଦି ନିରୁକ୍ତିମତ ଵିଭିନ୍ନ ଲୋକେ ଉପସ୍ଥାପନ କରିଅଛନ୍ତି ।
କିଛି ଲୋକଙ୍କ ଅନୁସାରେ ଵଧୂ ଵା ଵୋହୂ ଶବ୍ଦରୁ ବୋଉ ଶବ୍ଦ ସୃଷ୍ଟି ହୋଇଅଛି । ସେମାନଙ୍କ ଅନୁସାରେ ପୂର୍ଵେ କୌଣସି ଵାଳକର ମାଆକୁ ଯେତେବେଳେ ତାହାର ଜେଜେମା ଵୋହୂ ବୋଲି ଡାକିଥିଵ ଉକ୍ତ ଵାଳୁତ ପିଲାଟି ସେହି ସମ୍ବୋଧନଵାଚକ ଶବ୍ଦର ଅନୁକରଣରେ ବୋଉ ଉଚ୍ଚାରଣ କରି ତା ମାଆକୁ ଡାକିଥିଵ । ଏଇଠାରୁ ବୋଉ ଶବ୍ଦଟି ପ୍ରଚଳିତ ହୋଇଅଛି ।
ତେବେ ଓଡ଼ିଆ ଭାଷାରେ ସିନା ଵୋହୂ ଓ ଵଧୂ ଶବ୍ଦ ବହୁପ୍ରଚଳିତ କିନ୍ତୁ ଅହମିଆ ଭାଷାରେ ତ ଏ ଉଭୟ ଶବ୍ଦ ଏତେ ଲୋକପ୍ରିୟ ନୁହେଁ ସେ ଭାଷାରେ ମାତା ପାଇଁ ପ୍ରଚଳିତ ବୌ ଶବ୍ଦ କୁଆଡୁ଼ ଆସି ପ୍ରଚଳିତ ହେଲା ?
ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ ଓଡ଼ିଶା ସହିତ ଆସାମର ରାଜନୈତିକ ସମ୍ପର୍କ ବଢି଼ଥିଲା ସମ୍ଭଵତଃ ସେ ସମୟରେ ଆସାମରୁ ବୌ ଶବ୍ଦଟି ଆସି ଓଡ଼ିଶାର କିଛି ଅଞ୍ଚଳର କେତେକ ପରିଵାରରେ ପ୍ରଚଳିତ ହୋଇଥିଲା ।
କିଛି ଲୋକଙ୍କ ଅନୁସାରେ ଆଗେ ମାଳୟ ଜାଭା ବୋର୍ଣ୍ଣିଓ ଇଣ୍ଡୋନେସିଆ ଫିଲିପାଇନସ ଆଦି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଓଡ଼ିଶାର ଉପନିଵେଶ ଗଢିଉଠିଥିଲା । ସେଠାକାର ଅନେକ ଭାଷାରେ ବୋଉ ଶବ୍ଦ ସମସାଦୃଶ୍ୟ ଅନେକ ସମ୍ବୋଧନଵାଚକ ଶବ୍ଦ ପ୍ରଚଳିତ । ଯଥା— ଇଣ୍ଡୋନେସିଆରେ ମାଆଙ୍କୁ ଆଜି ବି Ibu ଡକାଯାଇଥାଏ । ଜାଭାଭାଷାରେ ମଧ୍ୟ ଏହି ଇବୁ ଶବ୍ଦ ଚଳୁଅଛି । ମାଳୟ ଭାଷାରେ ସେହିପରି bu ଓ ibu ଏ ଉଭୟ ଶବ୍ଦ ମାତାଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର ହୋଇଥାଏ ।
ଆଉ କେତେକ ଲୋକ କୁହନ୍ତି ସଂସ୍କୃତ ବନ୍ଧୁ ଶବ୍ଦର ଏକ ଅର୍ଥ ମାତା ଏଵଂ ଏହି ଶବ୍ଦରୁ ବୋଉ ଶବ୍ଦଟି ସୃଷ୍ଟି ହୋଇଅଛି । କିନ୍ତୁ ଏହି ମତ ପ୍ରଦାତାମାନେ ବନ୍ଧୁ ଶବ୍ଦ କେମିତି କିପରି ବୋଉ ଶବ୍ଦରେ ପରିଣତ ହେଲା ତାହାର ନିରୁକ୍ତି ଇତିହାସ ପ୍ରଦାନ କରିଵାରେ ଅସମର୍ଥ ହୁଅନ୍ତି ।
ଏତଦଵ୍ୟତୀତ ଓଡ଼ିଶାର ବୁଦ୍ଧିଜୀଵୀଙ୍କ ମଧ୍ୟରେ ଏକ ଵର୍ଗ ବୋଉ ଶବ୍ଦର ଅନ୍ୟ ଏକ ନିରୁକ୍ତି ମତ ପ୍ରଦାନ କରନ୍ତି । ସେମାନଙ୍କ ଅନୁସାରେ ବୋଉ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ ‘ବୁ’ ର ଆଧୁନିକ ରୂପ ଏଵଂ ଆଷ୍ଟ୍ରୋଏସୀୟ ଭାଷାପରିଵାରର ଵିଭିନ୍ନ ଭାଷାରେ ମାତୃଜାତି ସମ୍ବନ୍ଧୀୟ ସମ୍ପର୍କଵାଚକ ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଵର୍ଗ ବ ଵର୍ଣ୍ଣ ଯୁକ୍ତ ହୋଇଥାଏ । ଇଣ୍ଡୋନେସିଆରେ ଭାରତରୁ ଯାଇ ଆଷ୍ଟ୍ରିକ ଜାତୀୟ ଲୋକେ ଵସଵାସ କଲାରୁ ସେଠାରେ ସେମାନଙ୍କ ଭାଷାରେ ଚଳୁଥିଵା ବୁ ଵା ବୋ ଶବ୍ଦଟି ଇବୁ ଓ ବୁ ରେ ପରିଣତ ହୋଇଛି ଏଵଂ ଏଯାଵତ୍ ପ୍ରଚଳିତ ଅଛି ।
କିନ୍ତୁ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା,ଦଦା,ଦାଦୀ,ମାଆ,ବୋଉ,ବୁଆ ଆଦି ଯେତେ ଯେତେ
ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଅଛି ।
ଶିଶୁମାନଙ୍କ ଦ୍ଵାରା ସୃଷ୍ଟି ହେଉଥିଵା ଧ୍ଵନିକୁ child babbling କୁହାଯାଏ । ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ
ଯଥା ―
■p(ପପ୍/ପାପା,ପିତା,ପା),
■b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେଈ/ବେବେ/ବାବ୍ୱେ/ବବା/ବନ୍ଧୁ-ସଂସ୍କୃତ/ବିଜୀ; ହିନ୍ଦୀ/ବା; ଗୁଜରାଟୀ/)
■t(ତାତ/ତାଉ)
■d(ଦଦା/ଦାଦା/ଦାଦୀ/ଦିଦି/ଦେଈ/ଦେଠେଇ/ଦଦେଇ)
■k(କାକା/କକା/କାକୀ/କକେଇ)
■g( ଜେଜେ,ଜେଜି/ଜେଈ/ଜେପା/ଜେଜ)
■m(ମାଆ/ମାତା/ମାଇଁ/ମମା/ମାମା/ମାମୁଁ)
■n(ନନା/ନାନା/ନାନୀ)
■s( ?)
■h (ହା ହା ―ଜାପାନୀ; ମାଆ)
■w ( ?)
■j (ଯା= ମାତା(ସଂ))
ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି
ଯଥା―
■/ f(ଫୁପା/ଫୁଫୀ-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■
ଅଦ୍ୟପି ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।
ତେଣୁ ସଂକ୍ଷେପରେ କହିଲେ ମାଆ,ବୋଉ,ନନା ଓ ଦଦା ଇତ୍ୟାଦି ଶବ୍ଦଗୁଡି଼କର ଆଦ୍ଯ ମୂଳ ଦ୍ରାଵିଡ଼,ଆଷ୍ଟ୍ରୋଏସୀୟ କି ସଂସ୍କୃତ ନୁହେଁ ଵରଂ child babbling ଅଟେ । ଅଵଶ୍ୟ ଏହା ସତ୍ୟ ଯେ ଵିଶ୍ଵରେ ପିଲାଏ ପ୍ରଥମେ ସ୍ଵରଵର୍ଣ୍ଣ ଓ ତତ୍ପରେ ପ ଵର୍ଗର ପ,ଭ,ମ ଓ ବ ଇତ୍ୟାଦି ଧ୍ଵନି ସହଜରେ ଉଚ୍ଚାରଣ କରିପାରନ୍ତି । ପିଲାଟିଏ ଜନ୍ମ ପରର ପ୍ରାରମ୍ଭିକ ମାସଗୁଡି଼କରେ ଯେଉଁ ଶିଶୁସୁଲଭ ଶବ୍ଦ ସୃଷ୍ଟି କରିଥାଏ ତନ୍ମଧ୍ୟରେ ସ୍ଵରଵର୍ଣ୍ଣ ପ୍ରଥମେ ଓ ପରେ ପଵର୍ଗର ମ ଓ ବ ଵର୍ଣ୍ଣ ହୋଇଥାଏ ।
ଭାରୋପୀୟ ଭାଷାପରିଵାରଟି ବଡ଼ ହୋଇଥିଵାରୁ ତଥା ଇଂରାଜୀ, ସଂସ୍କୃତ,ଲାଟିନ୍ ଇତ୍ୟାଦି କିଛି ଭାଷା ପୃଥିଵୀରେ ଵିଭିନ୍ନ ସମୟରେ ଅନ୍ୟାନ୍ୟ ଭାଷାପରିଵାର ଉପରେ ଆପଣା ପ୍ରଭାଵ ପକାଇଥିଵାରୁ ଏଵଂ ମ ଵର୍ଣ୍ଣ ପିଲାଏ ସହଜରେ ଉଚ୍ଚାରଣ କରିପାରୁଥିଵାରୁ ମ ଆଦ୍ଯର ମାତା ସମ୍ବୋଧନ ଵାଚକ ପ୍ରତିଶବ୍ଦ ଵିଶ୍ଵର ଅନେକ ଭାଷାରେ ଦୃଶ୍ୟ ହୋଇଥାଏ । ମାତ୍ର ଏହା ଏକ ଭ୍ରମ ଧାରଣା ଯେ ପୃଥିଵୀରେ ପ୍ରଚଳିତ ଅନ୍ୟାନ୍ୟ ଭାଷାଗୁଡି଼କରେ ମାଆଙ୍କୁ କେଵଳ ମ ଆଦ୍ୟ ଵର୍ଣ୍ଣର ସମ୍ବନ୍ଧଵାଚକ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ । ନିମ୍ନରେ ଵିଶ୍ଵରେ କେତେକ ଭାଷାରେ ମାଆଙ୍କୁ କ'ଣ ଡକାଯାଏ ତାହା ଉଲ୍ଲେଖ କରାଯାଉଛି ।
ଆରବୀରେ ମାଆଙ୍କୁ “Ahm” କୁହାଯାଏ Finnish ଭାଷାରେ “Aiti”,äiskä ଓ äippä ଶବ୍ଦଗୁଡ଼ିକର ଅର୍ଥ ମାତା ଅଟଇ ।
Hungarian ଭାଷାରେ ମାଆଙ୍କୁ “Anya” କୁହାଯାଏ ପୁଣି ଏଠାକାର ଲୋକ ମାଆଙ୍କୁ “Fu” ବି ସମ୍ବୋଧନ୍ତି । Turkish ଲୋକେ ତାଙ୍କର ମାତାଙ୍କୁ ସମ୍ବୋଧନ ହେତୁ “Anne,” “Ana” “Valide” ଆଦି ଶବ୍ଦ ଵ୍ଯଵହାର କରନ୍ତି । ସେହିପରି Azeriରେ Ana,Lao ଭାଷାରେ ແມ່(aem),Frisian ଭାଷାରେ Ã ଓ iti ଇତ୍ୟାଦି ଶବ୍ଦ ଵ୍ୟଵହାର ପୂର୍ବକ ମାତାଙ୍କୁ ସମ୍ବୋଧନ କରାଯାଏ ।
koreanରେ ମାଆଙ୍କୁ 어머니(eomeoni),Mangolianରେ ээж(eej),Yorubaରେ iya,Cebuanoରେ inahan,
Ilongo ଭାଷାରେ Iloy; Nanay ଓ Nay,Japanese: “Okaasan”, “Haha” ଓ abo ଶବ୍ଦ ଵ୍ଯଵହାର ହୁଏ ।
Hausa ଭାଷାରେ ମାଆଙ୍କୁ uwar ଡକାଯାଇଥାଏ ।
ଆଫ୍ରିକାର Zulu ଭାଷୀ ତାଙ୍କ ମାଆଙ୍କୁ unina ଡାକିଥାଆନ୍ତି ।
Tao ଭାଷାରେ କ ଵର୍ଣ୍ଣ ଆଦ୍ୟର ká,ká’ȕ,łá’ȕ ଆଦି ଶବ୍ଦ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । Ossetianରେ ମାଆଙ୍କୁ гыцци(gycci) ଡାକନ୍ତି । ଏ ଭାଷାରେ ମାଆଙ୍କୁ
нана(nana) ଓ мамӕ(mamæ) ଶବ୍ଦର ମଧ୍ୟ ଡକାଯାଏ । Samoan ଭାଷାରେ ମାଆଙ୍କୁ “Tina” ଓ Aymara ଭାଷାରେ Taica ସମ୍ବୋଧନ କରାଯାଏ । Caló ଭାଷାରେ ମାଆଙ୍କୁ Bata ଓ Dai ଡାକନ୍ତି । ଭାରତରେ ମଧ୍ୟ ଆୟାଙ୍କୁ ଦାଈମା ଡକାଯାଇଥାଏ । ସେହିପରି Georgian ଭାଷାରେ დედა(Deda),დედიკო(dediḳo) ଶବ୍ଦ ମାଆର ମୁଖ୍ୟ ପ୍ରତିଶବ୍ଦ ଅଟଇ । ପୃଥିଵୀର ଅନେକ ଭାଷାରେ ନ ଆଦ୍ୟର ଅନେକ ମାତା ସମ୍ବନ୍ଧିତ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି । ଯଥା Albanianରେ “Nene” ,Galician ରେ nai,Hmongରେ niam,Chechenରେ Nana ଓ ପାର୍ସୀରେ Nane ( ننه ) ଇତ୍ୟାଦି ଇତ୍ୟାଦି । ପୁଣି Hungerian ଭାଷାରେ ମାଆଙ୍କୁ fu
ଡକାଯାଇଥାଏ । ପୃଥିଵୀର ଅନେକ ଭାଷାରେ ପୁଂଵାଚକ ସମ୍ବୋଧନାର୍ଥକ ଶବ୍ଦ ରୂପେ ବାବା ଶବ୍ଦ ପ୍ରଚଳିତ କିନ୍ତୁ avar: ଭାଷାରେ ମାଆଙ୍କୁ баба (baba) ଡକାଯାଇଥାଏ । ଏ ଭାଷାରେ ମାଆଙ୍କୁ эбел(èbel) ମଧ୍ୟ ଡାକିଥାଆନ୍ତି । Malagasyରେ ମାଆଙ୍କୁ reny ସମ୍ବୋଧନ କରାଯାଏ ସେହିପରି Lunfardo ଭାଷାରେ Vieja ଡକାଯାଏ ସଂସ୍କୃତ ଭାଷାରେ ମଧ୍ୟ ମାତା ଶବ୍ଦର ଅଵର୍ଗ୍ୟ ଵ ଵର୍ଣ୍ଣ ଆଦ୍ୟର ଅନେକ ପ୍ରତିଶବ୍ଦ ପ୍ରଚଳିତ । ଏହିପରି ପୃଥିଵୀରେ ଅନେକ ଭାଷା ରହିଛି ଯହିଁରେ ମାଆଙ୍କୁ ସମ୍ବୋଧନ କରିଵା ପାଇଁ ମ ଵର୍ଣ୍ଣ ଛଡ଼ା ଅନ୍ୟ ଵର୍ଣ୍ଣ ଆଦ୍ୟର ପ୍ରତିଶବ୍ଦ ପ୍ରଚଳିତ।
ସେମାନେ ତାଙ୍କ ମାଆଙ୍କୁ ଏ ସବୁ ଶବ୍ଦ ପ୍ରୟୋଗ କରି ଡାକିଦେଇ ଛୋଟ ଵିଵେଚିତ ହେବେ କି ?
ସଂସ୍କୃତ ଭାଷା ଵିଶ୍ଵର ଶ୍ରେଷ୍ଠତମ ଵୈଜ୍ଞାନିକ ଭାଷା । ଏ ଭାଷା ମଧ୍ୟ ମାତୃ କିଂଵା ମାତା ଶବ୍ଦ ମଧ୍ୟରେ ସୀମିତ ରହିଯାଇନାହିଁ ଵରଂ ସଂସ୍କୃତଭାଷାରେ ଵିଭିନ୍ନ ଵର୍ଣ୍ଣ ଆଦ୍ୟର ମାତା ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି । ଅମ୍ବାଳୀ,ଅଜ୍ଜୂ,ଅରଣୀ,ଅମ୍ବା
,ଅମ୍ବାଳିକା,ଅମ୍ବାଦା,ଅମ୍ବିକା,ଅବ୍ବା,ଅମ୍ବି,ଅମ୍ବାଳା,ଅକ୍କା,ଅତ୍ତା
,ଅମ୍ବୟା,ଅଲ୍ଲା,ଅନସ୍ ,ଅର୍ଣ୍ଣୋଦ,କରଵୀରୀ,ଗୁର୍ଵୀ,ଗୋ,ଜନ୍ମପ୍ରତିଷ୍ଠା
,ଜନୀ,ଜନନୀ,ଜାତୃ,ଜାନୀ,ଜନିକା,ଜ୍ଯା,ଜନିତ୍ରୀ,ଜନ୍ମଦାତ୍ରୀ,
,ଜନିତ୍ଵା,ଜା,ଜନ୍ଯା,ଧାତ୍ରୀ,ନନା,ପ୍ରଂସଵିନୀ,ପ୍ରସଵିତ୍ରୀ,ପ୍ରସୂ
,ପ୍ରକୃତି,ପିଣ୍ଡଦା,ପ୍ରଜନିକା,ପ୍ରସଵସ୍ଥଳି,ବନ୍ଧୁ,ମାତୃ,ମାତୃକା,ଵିଜାତା
,ଵରାରଣି,ଵାଶ୍ର,ଶୁଶ୍ରୂ,ଶିଫ,ଶିଫା ,ସଵିତ୍ରୀ,ସୃତ୍ଵରୀ,ସୂ
ଓ ସଷଣା ଇତ୍ୟାଦି ଶତାଧିକ ଭାରତୀୟ ଶବ୍ଦ ସହସ୍ରାଧିକ ଵର୍ଷ ଧରି ଭାରତଵର୍ଷର ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତର ସାହିତ୍ୟରେ ପ୍ରୟୋଗ ହୋଇ ଆସିଛି ।
ସ୍ପଷ୍ଟ ହୁଏ ଯେ ଆମ ଭାରତୀୟ ପୂର୍ଵଜମାନେ କେବେ ବି କେଵଳ ମାତା ଶବ୍ଦ ଶ୍ରେଷ୍ଠ ବୋଲି ଵିଚାର କରି ବସିଯାଇନଥିଲେ କିଂଵା କେହି ସଂସ୍କୃତ ଭାଷାରେ ମାତା ଅର୍ଥରେ ଜନନୀ,ଧାତ୍ରୀ,ନନା,ଅମ୍ବା,ପ୍ରକୃତି କିଂଵା ଶିଫା ଇତ୍ୟାଦି ଶବ୍ଦ ଵ୍ୟଵହାର କଲେ ତାକୁ ହୀନ ନୀଚ କହି ତାତ୍ସଲ୍ୟ କରିନାହାନ୍ତି ।
ତାହେଲେ ଆମ୍ଭେମାନେ ତାଙ୍କରି ଵର୍ତ୍ତମାନ ଵଂଶଜ ହୋଇ ବି ବେବ୍ୱେ ,ବୋଉ,ବୌ,ବାଈ,ବେଈ ଭଳି ମାତୃଵାଚକ ଶବ୍ଦକୁ ଆଧାରକରି ପରସ୍ପରକୁ ଅପମାନିତ କରିଵା କେତେଦୂର ସମୀଚିନ ଓ ଯୁକ୍ତିସଙ୍ଗତ ଅଟଇ ?