ଓଡ଼ିଶାରେ ଵର୍ଗ୍ୟ ❝ବ❞ ଆଦ୍ୟର ଅନେକ ସମ୍ବନ୍ଧଵାଚକକ ସମ୍ବୋଧନାର୍ଥକ ଶବ୍ଦ ପ୍ରଚଳିତ ଯଥା—
•ବବା/ବାବା— ବଡ଼ବାପା(ଗଡ଼ଜାତ)
•ବୋଉମାଆ— ଦେଠେଇ,ଜେଠେଇ(ଗଞ୍ଜ,ଗଜ)
•ବଡ଼ମାଆ— ବଡ଼ବାପା ଵା ବବାଙ୍କ ସ୍ତ୍ରୀ
••ବଚା—ପୁଅ,ଛୋଟ ପିଲାକୁ ସମ୍ବୋଧନ (ଗଡ଼ଜାତ)
ଓଡ଼ିଆରେ ଢଗ ଅଛି...
“ଆଇଲେ ବାବା ଅମିନ ବଚା
କର ଚରଚା ଦେ ଖରଚା ନେ ପାରଚା।
ଅଇଲେ ଅମିନ ମାଇଲେ ମେଖ
ବାରହାଣ୍ଡିଆଙ୍କୁ କରୁଛି ଭୋକ।
ଅମିନ ଗାଆଁରେ ମାଇଲେ ମେଖ
ପୋଲା ଖିଆଙ୍କର ମଲାଟି ଭେକ।”
ବଚା ଶବ୍ଦ ହିନ୍ଦୀରେ ବଚ୍ଚା ରୂପେ ପ୍ରଚଳିତ ଏଵଂ ଏହା ମୂଳତଃ ତତ୍ସମ ଵତ୍ସ ସହିତ ସମୋଦ୍ଧୃତ। ସୀମାନ୍ତ ଗଡ଼ଜାତ ଅଞ୍ଚଳରେ ବଚା ଶବ୍ଦ ପ୍ରୟୋଗ କରାଯାଏ ତେବେ ଉପକୂଳରେ କେତେକ ନିର୍ଦ୍ଦିଷ୍ଟ ଜାତି ଓ ଵିଶେଷ ପରିସ୍ଥିତିରେ ଏହା ପ୍ରୟୋଗହେଉଥିଵା ଦେଖାଯାଏ ।
•ବଡ଼୍ମା—ମାଆଙ୍କ ବଡ଼ ଭଉଣୀ(ଦ.ପ. ଓ.)
•ବଡ଼ପା— ବଡ଼ବାପା/ବବା(ଗଞ୍ଜାମ)
•ବଡ଼ଦା— ବଡ଼ ଭାଇ(ନୂଆପଡ଼ା)
•ବଡ଼ବା— ଦଦେଇ,ବଡ଼ବାପା(କୋ)
•ବଡ଼ବୋଉ— ବଡ଼ମାଆ(ଗଞ୍ଜାମ)
•ବଡୁ—ବଡ଼ବାପା,ଦଦେଇ,ମଉସା,ସାନ ଭାଇର ପୁଅ,ପିଉସା(ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରଚଳିତ)
•ବଡୁ଼ପୁଅ— ସାନଭାଇର ପୁଅ(ବୌଦ୍ଧ)
•ବଡ଼େଇ—ବଡ଼ବାପାଙ୍କ ପତ୍ନୀ
•ବପା— ବାପା(ସୁ), ବାପାଙ୍କ ସାନଭାଇ(ନୂଆ)
•ବପ୍ପା— ବାପା(ମାଲକାନଗିରି)
•ବଫା—ବାପା(କଳାହାଣ୍ଡି)
•ବବା—ବାବାର ବଡ଼ ଭାଇ, ବାପାଙ୍କ ବଡ଼ଭାଇ,ଦଦେଇ(କ, ଢେ, ଗଡ଼ଜାତ)
•ବହନି— ଭଉଣୀ(ଗଡ଼ଜାତ)
•ବହିନ— ଭଉଣୀ(ସୁ,ମ)
•ବହ/ବହୂ(ବୋହୂ)—ପୁଅର ସ୍ତ୍ରୀ(ଗଡ଼ଜାତ)
•ବହେନ୍—ଭଉଣୀ(ଗଡ଼ଜାତ)
•ବାଆ/ବା— ବାପା
•ବାଇ— ବଡ଼ଭଉଣୀ,ଜେଜେମାଆ(ଗଡ଼ଜାତ),ଅଳ୍ପଵୟସ୍କା ବାଳିକା ଓ କନ୍ଯାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ବୋଧନ ଭାବେ ବାଇ ଶବ୍ଦ ପ୍ରୟୋଗ ହୁଏ ଏଵଂ ଏହା ଓଡ଼ିଶା ତଥା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ସ୍ତ୍ରୀଜାତିକୁ ଵିଭିନ୍ନ ଅର୍ଥରେ ସମ୍ବୋଧନ କରାଯାଉଥିଵା ଶବ୍ଦ ଅଟଇ ।
•ବାଵା— ବାପା(କଟକ)
•ବାୱା—ଭେଣୋଇ(ରାୟଗଡ଼ା; କଥିତ ଓଡ଼ିଆ ଶବ୍ଦକୋଷ)
•ବାପା—ପିତା, ଜେଜେବାପା(କେତେକ ଅଞ୍ଚଳରେ ପ୍ରଚଳିତ), ଗଞ୍ଜାମ ଜିଲ୍ଲାରେ ଵୟସ୍କ ଵୃଦ୍ଧଙ୍କୁ ସମ୍ମାନାର୍ଥେ ମଉସା ପରିଵର୍ତ୍ତେ ବାପା ସମ୍ବୋଧନ କରାଯାଏ,ପୁଅ ତଥା ଅଳ୍ପଵୟସ୍କ ବାଳକକୁ ସ୍ନେହ ସମ୍ବୋଧନ
•ବାବା—ବଡ଼ବାପା,ପୁଅକୁ ସ୍ନେହ ସମ୍ବୋଧନ
•ବାବୁ—ଅଳ୍ପଵୟସ୍କ ବାଳକ ତଥା ପୁଅଙ୍କୁ ସମ୍ବୋଧନ କରାଯାଇଥାଏ
ଯଥା— “ଆରେ ବାବୁ ଶ୍ୟାମଘନ” ...
•ବୁଆ— ବାପା,ଛୋଟ ବାଳକ ଓ ପୁତ୍ରକୁ କରାଯିଵା ସମ୍ବୋଧନ ।
•ବୁଆରି— ଵୋହୂ,ଵଧୂ(କୋରାପୁଟ, ନଵରଙ୍ଗପୁର)
•ବୁଇ— ସାନଝିଅକୁ ସମ୍ବୋଧନ (ଗଡ଼ଜାତ)
•ବୁଢ଼ା/ବୁଢ଼ୀ—ସାନପୁଅ ଓ ଝିଅମାନଙ୍କୁ କରାଯିଵା ସ୍ନେହ ସମ୍ବୋଧନ (ଉତ୍ତର ଓଡ଼ିଶା ତଥା ଉପାନ୍ତ ଓଡ଼ିଶାରେ ସାନପୁଅ ତଥା ସାନଝିଅମାନଙ୍କୁ ଲୋକେ ସ୍ନେହରେ ଯଥାକ୍ରମେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରିଥାନ୍ତି)
•ବୁପା— ବାପା(ଢେଙ୍କାନାଳ; କ୍ଵଚିତ୍ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ)
•ବୁବା— ବାପା(କେନ୍ଦୁ),ବଡ଼ବାପା(କନ୍ଧ)
•ବୁହାରି—ଵୋହୂ(କନ୍ଧମାଳ, ସୁଵର୍ଣ୍ଣପୁର)
•ବୁହିନ୍—ଭଉଣୀ(ଗଡ଼ଜାତ)
•ବୁହେନ—ଭଉଣୀ(ଗଡ଼ଜାତ)
•ବେଈ—ଜେଜେମାଆ,ଆଈ,ବଡ଼ଭଉଣୀ(ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହି ବେଈ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରଚଳିତ । କଥିତ ଓଡ଼ିଆ ଶବ୍ଦକୋଷରେ ବେଈ ଶବ୍ଦ କଳାହାଣ୍ଡି ଜିଲ୍ଲାରେ ଚଳୁଥିଵା ଉଲ୍ଲେଖ ଅଛି)
•ବେଟା— କେହି କେହି କୁହନ୍ତି ଵର୍ତ୍ତମାନ ଯୁଗରେ ହିନ୍ଦୀ ପ୍ରଭାଵିତ ନଗରଵାସୀ ଓଡ଼ିଆମାନେ ପୁଅ ,ଛୋଟ ବାଳକମାନଙ୍କୁ ବେଟା ସମ୍ବୋଧନ କରୁଛନ୍ତି । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଢଗରେ ମଧ୍ୟ ବେଟା ଶବ୍ଦର ପ୍ରୟୋଗ ଦେଖାଯାଏ ।
ଯଥା
“ଘରେ ନ ଥାଏ ଭୁର୍ଭୁଜା
ବେଟା କରୁଥାଏ ଦୁର୍ଗାପୂଜା ॥”
କଵି କୃଷ୍ଣ ସିଂହ ତାଙ୍କ କୃଷ୍ଣ ମହାଭାରତରେ
ବେଟା ଶବ୍ଦ ପ୍ରୟୋଗ କରିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗଳାମେଲିଵା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି ...
“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା
ରହ ରହ ବୋଇଲେ ମେଲିଣ ଗଳାଟା” ।
ଭାଷାକୋଷ ଅନୁସାରେ ବେଟା ଶବ୍ଦ ତତ୍ସମ ବଟୁ ଶବ୍ଦର ତଦ୍ଭଵ ରୂପ ଏଵଂ ବଟୁ ଶବ୍ଦର ଏକ ଅର୍ଥ ବାଳକ ।
•ବୋଉ— ଓଡ଼ିଶାର କେତେକ ପରିଵାରରେ ଵିଶେଷତଃ ବ୍ରାହ୍ମଣ ଓ ଖଣ୍ଡାୟତ ପରିଵାରରେ ମାଆଙ୍କୁ ବୋଉ ତଥା ଜେଜେମାଆଙ୍କୁ ମାଆ ଡାକିଵାର ପରମ୍ପରା ପ୍ରଚଳିତ । ଗଡ଼ଜାତରେ ଓଡ଼ିଆ ଭାଉଜ ଓ ଵଧୂ ଅର୍ଥଜ ଵୋହୂ ଶବ୍ଦ ପରିଵୃତ୍ତ ହୋଇ ଵହୂ,ଵଉ ଓ ଵୋଉ ରୂପେ ପ୍ରଚଳିତ । ଓଡ଼ିଆ ଭାଷାରୁ ଅଵର୍ଗ୍ୟ ‘ଵ’ର ଉଚ୍ଚାରଣ ଓ ଲିଖନ ଉଠିଯାଇଥିଵାରୁ ଵଧୂ ସହିତ ସମୋଦ୍ଧୃତ ଵୋହୂ ଅର୍ଥଜ ନୂଆଵୋଉ,ଵଉ,ଵୋଉ
ଆଦି ଶବ୍ଦଗୁଡ଼ିକୁ ନୂଆବୋଉ,ବଉ ଓ ବୋଉ ଲେଖାଯିଵାରୁ ମାତା ଅର୍ଥରେ ସମ୍ବୋଧନ ହେଉଥିଵା ଵର୍ଗ୍ୟ ବ ଯୁକ୍ତ ବୋଉ ଶବ୍ଦକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥାଏ । ଅହମିଆ ଭାଷାର ଚନ୍ଦ୍ରକାନ୍ତା ଅଭିଧାନରେ ‘ବୌ’ ଶବ୍ଦର ଏକ ଅର୍ଥ ମାତା ବୋଲି ଉଲ୍ଲେଖ ଅଛି(ବୋଉ ଶବ୍ଦ ସମ୍ବନ୍ଧୀୟ ଵିସ୍ତୃତ ଆଲେଖ୍ୟ ଆଗକୁ ଉପସ୍ଥାପନ କରାଯିଵ) ।
•ବୋପା—ବାପା(ଏ ଶବ୍ଦର ସମ୍ବୋଧନଵାଚକ ଶବ୍ଦରୂପରେ ପ୍ରୟୋଗ କେଵଳ ଅତି ସ୍ନେହ କିଂଵା କ୍ରୋଧାନ୍ୱିତ କାଳରେ ହୋଇଥାଏ । ବେଳେ ବେଳେ କେତେକ ଲୋକ ଛୋଟବାଳକଙ୍କୁ ସମ୍ବୋଧନାର୍ଥ ବୋପା ଶବ୍ଦ ପ୍ରୟୋଗ କରିଥାନ୍ତି)
ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ପିତାଙ୍କୁ ବୁଆ, ଦୁହିତା ଵା କନ୍ୟାକୁ ବୁଇ, ମାଁଙ୍କୁ ବୋଉ ଏଵଂ ଜେଜେମା ଆଈମାଆଙ୍କୁ ବେଈ ସମ୍ବୋଧନ ଏବେ ମଧ୍ୟ ପ୍ରଚଳିତ । ଏହି ଶବ୍ଦଗୁଡ଼ିକର ପ୍ରଥମ ଅକ୍ଷର 'ବ' ଅଟେ ଏଵଂ ଦ୍ୱିତୀୟ ଅକ୍ଷରଟି ସ୍ୱରଵର୍ଣ୍ଣ ଅଟେ l
ଓଷ୍ଠ୍ୟ ଵର୍ଗର ଘୋଷ, ଅଳ୍ପପ୍ରାଣ ଅକ୍ଷରଟି 'ବ' ଅଟେ, ଏହି ଵର୍ଗର ଅଧିକ ପ୍ରାଣ ଵା ନିଶ୍ୱାସ ଆଵଶ୍ୟକ କରୁଥିଵା ମହାପ୍ରାଣ 'ଭ' ଓ ଅନୁନାସିକ ଵର୍ଣ୍ଣ 'ମ' ଅଟେ, ପୁନଶ୍ଚ ପିତା ଶବ୍ଦର 'ତ' ଅକ୍ଷରଟି ଦନ୍ତ୍ୟ ଵର୍ଗର ହୋଇଥିଵାରୁ 'ବ' ଅକ୍ଷରରେ ଆରମ୍ଭ ହେଉଥିଵା ଉପରୋକ୍ତ ଓଡ଼ିଆ ସମ୍ବୋଧନଗୁଡ଼ିକରେ ଧ୍ୱନିତାତ୍ତ୍ୱିକ ମୌଳିକତା ଅଧିକ ରହିଛି ।
ତେଵେ, ଓଡ଼ିଆରେ ସମ୍ପର୍କଗୁଡ଼ିକର ନାମ ସଂସ୍କୃତ ପରି ହୋଇଥାଏ ଯଥା: ପିତା, ମାଁ/ମାଆ, ଦୁହିତା, ପୁଅ ଇତ୍ୟାଦି । କେଵଳ, ସମ୍ବୋଧନରେ ଉପରୋକ୍ତ ଧ୍ୱନିଵିଜ୍ଞାନ ଅନୁସାରେ ବ ଆରମ୍ଭରେ ରହେ ।
ଓଡ଼ିଆ ସମ୍ବୋଧନର ପ୍ରଥମ ଅକ୍ଷର ‘ବ’ ହେଵାର କାରଣ ରହିଛି । ଶିଶୁଟିଏ ପିଇଵା ପାଇଁ ଓଠକୁ ସଞ୍ଚାଳନ କରେ; ତେଣୁ ଓଷ୍ଠ୍ୟ ଵର୍ଗର ‘ବ’ ଅକ୍ଷର ସହ ସ୍ଵରଵର୍ଣ୍ଣର ପ୍ରୟୋଗରେ, ପରିବାର ସଦସ୍ୟଙ୍କୁ ଡାକେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାକୁ child babbling ଆଖ୍ୟା ଦେଇଛନ୍ତି । ଏହି ‘ବ’ ଅକ୍ଷରଟି ଅନୁନାସିକ ହେଲେ ‘ମ’ ଓ ‘ନ’ ଉତ୍ପନ୍ନ ହୁଏ । ଏଣୁ, ଧ୍ବନିତତ୍ତ୍ବରେ ‘ବୁଆ’, ‘ବୋଉ’ ଶବ୍ଦ ‘ପିତା’, ‘ମାଆ’ ତୁଳନାରେ ମୌଳିକ ଅଟେ । ଓଡ଼ିଆରେ ମାଁ ଓ ବୋଉ ଉଭୟ ଶବ୍ଦର ପ୍ରୟୋଗ ହୁଏ ପିତା, ମାତାଙ୍କ ସମ୍ବୋଧନର ଧ୍ବନିତତ୍ତ୍ବକୁ ନ ବୁଝି, ବୁଆ ଓ ବୋଉ ଶବ୍ଦକୁ ତାତ୍ସଲ୍ୟ କରିବା ଉଚିତ କି ?
•••••••••••••••••••••••••••
ମୂଳ ତଥ୍ୟ ଓ ଚିତ୍ର
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
ସମ୍ପାଦନା ଓ ଶବ୍ଦ ସଂଗ୍ରହ
ଶିଶିର ସାହୁ ମନୋଜ
ଶବ୍ଦ ସମ୍ବନ୍ଧୀୟ ତଥ୍ୟ ଉତ୍ସ
#ପୂର୍ଣ୍ଣଚନ୍ଦ୍ରଭାଷାକୋଷ
#କଥିତଓଡ଼ିଆଶବ୍ଦକୋଷ