ଆଦିତ୍ୟ ବଡ଼ ଉଦ୍ୟମୀ ଏଵଂ କେଵଳ ଚାଷ ଉପରେ ନିର୍ଭର ନକରି ସେ ତା ସହିତ ବେପାର କରିଵା ମଧ୍ୟ ଆରମ୍ଭ କରିଦେଇଥିଲା । ଆଦିତ୍ୟର ବଡ଼ ଭାଇ ଉଦୟ ବାହାର ଗାଆଁକୁ ଗଲେ ଅନ୍ୟ ଲୋକ ଆଗରେ ନିଜ ସାନ ଭାଇର ବହୁତ ପ୍ରଶଂସା କରେ କିନ୍ତୁ ତା ସ୍ତ୍ରୀକୁ ଏସବୁ ଭଲ ଲାଗୁନଥିଲା । ସେ ଚାହୁଁଥିଲା କେମିତି ଦୁଇଭାଇଙ୍କ ମଧ୍ୟରେ ଏତେ ଘୃଣା ଈର୍ଷା ଦ୍ଵେଷ ବଢ଼ୁ ଯେ ସେମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତୁ ।
କିଛି ଦିନ ପରେ ଦୁଇଭାଇଙ୍କର ଦୁଇ ଶଳା ନିଜ ନିଜର ଭଉଣୀଘରକୁ ଆସିଲେ । ବଡ଼ ଭାଇ ଉଦୟର ଶଳା ପ୍ରମୋଦ ସାଇକେଲରେ ଆସିଲା ,ସାନ ଭାଇ ଆଦିତ୍ୟର ଶଳା ବଟକୃଷ୍ଣ ମଟରରେ ଆସିଲା । ବଟକୃଷ୍ଣକୁ ଦେଖି ବଡ଼ ଭାଇ ଉଦୟ ତା ସହିତ ଆଦର ସହକାରେ କଥାଭାଷା ହେଲେ ଫଳତଃ ପ୍ରମୋଦ ମନରେ ଈର୍ଷା ଜାତ ହେଲା । ସେ ନିଜ ନାନୀକୁ ଯାଇ ସବୁକଥା କହିଲା । ସେଇଠୁ ଉଦୟର ସ୍ତ୍ରୀ ଆଉ ତା ଭାଇ ମିଶି କଳିଗୋଳ କରିଵାକୁ ସଯୋଗ ଉଣ୍ଡି ରହିଲେ । ଦୁଇ ଭାଇଙ୍କ ହାଣ୍ଡି ଗୋଟିଏ ଥିଲା,ମାଆମାଟି ବି ବଣ୍ଟା ହୋଇନଥିଲା । ପ୍ରମୋଦ ତା ନାନୀକୁ ଘରଭଙ୍ଗା ବୁଦ୍ଧି ଦେଲା । ଘର ବାଡ଼ି ଭାଗ ଭାଗ ହେଲେ କେମିତି ଅଧିକ ଉନ୍ନତି ହେଵ,କିଭଳି ଭିନ୍ନ ହେଲେ କାମଦାମର ଭାର କମିଵ ଏଵଂ ଅଯଥା କଳିଗୋଳରୁ ମୁକ୍ତି ମିଳିଵ ଇତ୍ୟାଦି ସବୁ କଥା ତା ନାନୀକୁ ବୁଝାଇ ଦେଲା ।
ତାହା ଥିଲା ପୁଷମାସ ସମୟ । ସବୁଆଡେ଼ ଧାନକଟା ଚାଲିଥାଏ । ଉଦୟ ଓ ଆଦିତ୍ୟ ବିଲରେ ଧାନକଟା କାମରେ ଲାଗିଥାନ୍ତି । କିନ୍ତୁ ସେଦିନ ଆଉ ଘରକୁ କଟା ହୋଇଥିଵା ଧାନ ଆଉ ଘରକୁ ନେଇପାରିଲେ ନାହିଁ ତେଣୁ ସେହି ବିଲରେ ହିଁ ବଦାଡ଼ି କରି ରଖିଦେଲେ ।
ରାତି ହୋଇଯିଵାରୁ ବଡ଼ ଭାଇ ଉଦୟ ତା ସାନଭାଇ ଆଦିତ୍ୟକୁ ଘରକୁ ଖାଇଵାକୁ ପଠାଇ ଦେଲା । ସାନଭାଇ ଗଲାପରେ ବଡ଼ ଭାଇ ଭାବିଵାକୁ ଲାଗିଲା ମୋ ଭାଇଟି ବେପାର କରୁଥିଵାରୁ ଚାଷଵାସରେ ଅଧିକ ଧ୍ୟାନ ଦେଇପାରୁ ନାହିଁ ପୁଣି ପିଲାଛୁଆ ପାଞ୍ଚୁଟା ମୋର ତ ଗୋଟେ ବୋଲି ପୁଅ ମୁଁ ଵରଂ ତାକୁ କିଛି ବିଡ଼ା ଧାନ ଦେବି ଫଳରେ ତାକୁ ଵର୍ଷଯାକ ଖାଇଵା ପିଇଵାରେ ଅସୁଵିଧା ନହେଵ । ସେ ସେଇଆ ହିଁ କଲା ।
ଏପଟେ ଆଦିତ୍ୟ ଘରକୁ ଖାଇଵାକୁ ଆସିଵା ବେଳେ ତା ବଡ଼ ଭାଇର ଶଳା ପ୍ରମୋଦ ମଧ୍ୟ ଖାଇବସିଲା । ଗମାତରେ ଆଦିତ୍ୟ ତା ବଡ଼ଭାଇର ଶଳାକୁ ”ହଇକିୟେ ଘରଆଡ଼ିଆ ଭାଇ" ଡାକିଦେଲା । ଏଇକଥାକୁ ନେଇ ଉଭୟଙ୍କ ମଧ୍ୟରେ ଟିକିଏ ଯୁକ୍ତିତର୍କ ହୋଇଗଲା ।
ସେ ଯାହା ହେଉ ଯେନ ତେନ ପ୍ରକାରେ କଥାକୁ ଚପାଇ ଦେଇ ଖାଇପିଇ ଆଦିତ୍ୟ ପୁଣି ବିଲକୁ ଫେରି ଆସିଲା ଏଵଂ ତା ବଡ଼ଭାଇ ଉଦୟକୁ ଘରକୁ ଖାଇଵାକୁ ପଠାଇଦେଲା ।
ତେବେ ଆଦିତ୍ୟ ଘରୁ ବିଲକୁ ଆସିଵା ମଧ୍ୟରେ ତେଣେ ତାଙ୍କ ଘରେ ଭୀଷଣ କଳିଗୋଳ ଲାଗିଗଲା । ଏ କଳି ଚାଲିଥିଲା ବେଳେ ଉଦୟ ଘରକୁ ଫେରିଲା । ଘରେ ଏମିତି ଝଗଡ଼ା ଲାଗିଥିଲା ଯେ ସେ ମଧ୍ୟ କେତେବେଳେ ସେହି କଳିଝଗଡା଼ରେ ଅଂଶ ହୋଇଗଲା ଜାଣିପାରିଲା ନାହିଁ । ଭାଇଵୋହୂ ଓ ସାନଭାଇର ଶଳାର ଅକଥାମାନ ଶୁଣି ସେ ଭୀଷଣ ରାଗିଗଲା । ଏମାନଙ୍କ ମୁହଁ ବଢି଼ଯାଇଛି ଏଵଂ ଏଥିପାଇଁ ତା ସାନ ଭାଇ ହିଁ ଦୋଷୀ ମନେକରି ସେ ନଖାଇନପିଇ ବିଲକୁ ଆଦିତ୍ୟ ସହିତ କଳି କରିଵାକୁ ଲେଉଟିଗଲା ।
ଏଣେ ସାନଭାଇ ଆଦିତ୍ୟ ବିଲରେ କଟା ହୋଇ ରଖାଯାଇଥିଵା 'ଧାନଗୋଚ୍ଛା'କୁ ଜଗି ବସିଥାଏ ଏଵଂ ଭାବୁଥାଏ ମୋର ତ ବଢ଼ିଆ ବେପାର ହେଉଛି କିନ୍ତୁ ବଡ଼ଭାଇଙ୍କର କେଵଳ ଚାଷଵାସରୁ କୁଟୁମ୍ବ ଚଳେ ତେଣୁ ବଡ଼ଭାଇଙ୍କୁ ମୁଁ କିଛି "ଧାନହଳା" ଦେଇଦେଲେ ସେ ଵର୍ଷଯାକ ସୁଖରେ ଚଳନ୍ତେ । ଏମନ୍ତ ଭାବି ସାନଭାଇ ଆଦିତ୍ୟ ନିଜ ବିଲର ଧାନଗଦାରୁ କିଛି "ଧାନ କଳେଇ" ଆଣି ତା ବଡ଼ଭାଇ ବିଲରେ ରଖିଦେଲା ।
ଭୋକଓପାସରେ ରାଗ ତମତମ ହୋଇ ଏଣେ ବିଲକୁ ଫେରୁଥାଏ ବଡ଼ଭାଇ ଉଦୟ କିନ୍ତୁ ସେ ଯେତେବେଳେ ନିଜ ସାନଭାଇକୁ ତା’ ବିଲରୁ ନିଜ ବିଲକୁ ନେଇ ଧାନବିଡ଼ା ରଖୁଥିଵା ଦେଖିଲା ତାହାର ରାଗ କୁଆଡେ଼ ଉଭେଇ ଗଲା । ସେ ଭୋ ଭୋ ହୋଇ କାନ୍ଦି ପକାଇଲା ଆଉ ନିଜ ସାନ ଭାଇକୁ ପୋଟଳେଇ'କି ଧରି ପକାଇଲା । ଦୁଇ ଭାଇ ଙ୍କ ମଧ୍ୟରେ କିଏ କେତେ କଳି ଲଗାଇଵାକୁ ଚେଷ୍ଟା କଲେ କିନ୍ତୁ ସେମାନଙ୍କ ଭାତୃଭାଵ ଆଦୌ ଊଣା ହେଲା ନାହିଁ ।
⦿⦿⦿⦿⦿⦿⦿⦿⦿⦿⦿⦿⦿⦿⦿
•••••••••••••••••••••••••••
ଶବ୍ଦାର୍ଥ
*ତିର୍ଲା = ସ୍ତ୍ରୀ,ମାଏଝି
*ଗମାତ = ଗେଲ,ଥଟା
*ଘରଆଡ଼ିଆ ଭାଇ = ଶଳାମାନଙ୍କୁ ଵ୍ୟଙ୍ଗ୍ୟ ସମ୍ବୋଧନ
*ଉଣ୍ଡିଵା = ଖୋଜିଵା
*ବଦାଡ଼ି= ଧାନ ଗୋଚ୍ଛାର ଗଦା
*ହଳା = ଗୋଚ୍ଛା,ବିଡ଼ା(ଧାନ)
*କେଳେଇ,କଳାଇ = ଗୋଚ୍ଛା
*ପୋଟଳାଇଵା/ପୁଟ୍ଲାଇଵା = ଛାତିରେ ଯାବୁଡ଼ି ଧରିଵା; ଆଲିଙ୍ଗନ କରିଵା
•••••••••••••••••••••••••••
⦿⦿⦿⦿⦿⦿⦿⦿⦿⦿⦿⦿⦿⦿⦿
(ଵି:ଦ୍ର :- ଆମ ଓଡ଼ିଶାରେ ମଧ୍ୟ ଘୃଣା ଦ୍ଵେଷ ଓ ଈର୍ଷା ବଳରେ ଘରବାଡ଼ି ମାଟିମାଆ ବାଣ୍ଟିଦେଵାର ଷଡ଼ଯନ୍ତ୍ର ଭାରତ ସ୍ଵାଧୀନ ହେଵା ପରଠାରୁ ଲାଗିରହିଛି । ଘରେ କଳି ଲଗାଉଛନ୍ତି ବାହାରୁ ଓଡ଼ିଶାରେ ଵର୍ଷ ଵର୍ଷ ପୀଢ଼ି ପୀଢ଼ି ଧରି ରହି ଆସୁଥିଵା କିଛି ସ୍ଵାର୍ଥପର ଅଣଓଡ଼ିଆ ଏଵଂ ତାଙ୍କ ହାତବାରିସୀ ସାଜୁଛନ୍ତି ଆମର କିଛି ଭାଇ । ତେବେ ଯଦି ଉଭୟ ଅଞ୍ଚଳର ଲୋକମାନେ ପରସ୍ପର ମଧ୍ୟରେ ସହସ୍ରାଧିକ ଵର୍ଷରୁ ରହିଥିଵା ସାମାଜିକ ସ୍ନେହ ସଦ୍ଭାଵକୁ ଅନୁଭଵ କରିପାରନ୍ତି ତାହେଲେ ହିନ୍ଦିଆ ବଙ୍ଗାଳୀ ମରାଠୀ ତେଲେଙ୍ଗା ସବୁ ମିଶି ମଧ୍ୟ ଆମକୁ, ଆମ ମନକୁ କି ଆମ ମାଟିମାଆକୁ କେବେ ବି ଆଞ୍ଚଳିକ ଵୈଷାମ୍ୟ ସୃଷ୍ଟି କରି ବାଣ୍ଟି ପାରିବେ ନାହିଁ । କାହାଣୀଟି ଏକ ଭାରତୀୟ ଲୋକକଥା ଆଧାରରେ ରଚିତ । ମୂଳ ଭାରତୀୟ ଲୋକକଥାଟି ହିନ୍ଦୀ ଜହ୍ନମାମୁଁରେ ୧୯୭୧ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ହୋଇଥିଲା । )
⟁⟁⟁⟁⟁⟁⟁⟁⟁⟁⟁⟁⟁⟁