Wednesday, April 12, 2023

କାହିଁକି ରାମଚରିତ ମାନସରେ ସୁଵନ ଶବ୍ଦ ଅପରିଵର୍ତ୍ତନୀୟ ?

ରାମଚରିତ ମାନସର ଗୋଟିଏ ପଦରେ ଏକ ନିର୍ଦ୍ଦିଷ୍ଟ ଶବ୍ଦକୁ ପରିଵର୍ତ୍ତିତ କରିଦେଵା ପାଇଁ ଜଣେ ବାବା ନିକଟରେ ଏକ ମନ୍ତଵ୍ୟ ଦେଇଥିଲେ । ସେହି ପଦଟି ହେଉଛି...

“ଶଙ୍କର ସୁଵନ କେସରୀ ନନ୍ଦନ, 
ତେଜ ପ୍ରତାପ ମହା ଜଗ ଵନ୍ଦନ”

ଏଠାରେ ଵ୍ୟଵହୃତ 'ସୁଵନ' ଶବ୍ଦର ଅର୍ଥ ପୁତ୍ର,ଅଂଶ ଓ ଅଵତାର ବୋଲି ଅନେକେ ମତଵ୍ୟକ୍ତ କରନ୍ତି । ହନୁମାନଙ୍କର ଜନ୍ମ ବୃତ୍ତାନ୍ତ ଵିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ତେବେ ତନ୍ମଧ୍ୟରୁ ଗୋଟିଏ କଥା ଅନୁସାରେ ମୋହିନୀ ରୂପୀ ଵିଷ୍ଣୁଙ୍କୁ ଦେଖି ଶିଵଙ୍କର ଯେଉଁ ରେତ ସ୍ଖଳିତ ହୋଇଥିଲା ତାହା ପଵନଦେଵଙ୍କ ଦ୍ଵାରା ଅଞ୍ଜନାଙ୍କୁ ପ୍ରାପ୍ତ ହୋଇଥିଲା । ଏ ଦୃଷ୍ଟିରୁ ହନୁମାନ ଶିଵଙ୍କର ପୁତ୍ର ଓ ଅଂଶ ହେଲେ ।‌ ତେଣୁ ରାମଚରିତ ମାନସରେ ହନୁମାନଙ୍କୁ “ଶଙ୍କର ସୁଵନ କେଶରୀ ନନ୍ଦନ” କୁହାଗଲା । 

ସୁଵନ ଶବ୍ଦଟି ଅଵଧି ଭାଷାର ଶବ୍ଦ କିନ୍ତୁ ଆଧୁନିକ ଅଵଧୀ ଶବ୍ଦକୋଷରେ ଏ ଶବ୍ଦ ଉଣ୍ଡିଲେ ମିଳେନାହିଁ କାରଣ ଵର୍ତ୍ତମାନର କଥିତ ଅଵଧୀ ଭାଷାରେ ଏ ଶବ୍ଦ ଚଳୁନାହିଁ । କିନ୍ତୁ ପ୍ରାଚୀନ କାଳରେ ଅଵଧୀ ଭାଷାରେ ଏ ଶବ୍ଦ ପ୍ରଚଳିତ ଥିଲା ସେଥିପାଇଁ ଏ ଶବ୍ଦ ତୁଳସୀ ଦାସ ଵ୍ୟଵହାର କରିଥିଲେ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଓଡ଼ିଆ ଭାଷାରେ ଵ୍ୟଵହୃତ ପ୍ରାଚୀନ ଶବ୍ଦଗୁଡି଼କୁ ଜାଣିଵାର ସୁଯୋଗ ମିଳେ କିନ୍ତୁ ଅଵଧୀ ଭାଷାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଲେକ୍ସିକନ୍ କେହି ସଂକଳନ କରିଥିଵା ଜଣାଯାଏ ନାହିଁ । ତେଣୁ ସୁଵନ ଓ ସୁଅନ୍ ଶବ୍ଦ ଵିଷୟରେ ଅନେକେ ଜାଣିପାରିନାହାନ୍ତି ‌ । ତେବେ "ହିନ୍ଦୀ ଶବ୍ଦ ସାଗର" କୋଷରେ ଏହି ସୁଵନ ଓ ଏହାର ଅନ୍ୟ ଏକ ରୂପ ସୁଅନ ଶବ୍ଦ ସ୍ଥାନିତ ହୋଇଅଛି। ସୁଵନ ଭଳି ସୁଅନ ଶବ୍ଦ ମଧ୍ୟ ଉତ୍ତର ଭାରତୀୟ ସାହିତ୍ୟରେ ପୁତ୍ର ଅର୍ଥରେ ଵ୍ୟଵହୃତ ହୋଇଅଛି । 
ଯଥା :

“ବହୁ ଦିନ ଧୌ କବ ଆଇହୈ ହ୍ଵୈହୈ ସୁଅନ ଵିଵାହ । 
ନିଜ ନୟନନ ହମ ଦେଖିହୈଂ ହେ ଵିଧି ୟହୁ ଉତ୍ସାହ ।”
(ସ୍ଵାମୀ ରାମକୃଷ୍ଣଙ୍କ ସାହିତ୍ୟରୁ) 

ତେବେ ଜନୈକ ଉତ୍ତର ଭାରତୀୟ ବାବା କହିଲେ "ଶଙ୍କର ସୁଵନ କେଶରୀ ନନ୍ଦନ" ଏ ପଦଟି ତ୍ରୁଟିପୂର୍ଣ୍ଣ ଵରଂ ଏହି ପଦରୁ ସୁଵନକୁ କାଟି 'ସ୍ଵୟଂ' କରିଦିଆଯାଉ । କିନ୍ତୁ ସେ ବାବା ସମ୍ଭଵତଃ ସୁଵନ ଓ ସୁଅନ ଶବ୍ଦର ନିରୁକ୍ତି ଇତିହାସ ଵିଷୟରେ ଜାଣିନଥିଵାରୁ ଏଭଳି ଅବାଞ୍ଛିତ ମତଟିଏ ଦେଇ ଦେଇଛନ୍ତି ବୋଲି ଅନୁମାନ କରାଯାଇପାରେ। 

ଅଵଧୀ ଭାଷାର ପୁତ୍ର ଅର୍ଥରେ ଵ୍ୟଵହୃତ 'ସୁଵନ' ତଥା 'ସୁଅନ' ଶବ୍ଦଦ୍ଵୟ ପ୍ରାଚୀନ ଶବ୍ଦ ଏଵଂ ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଏ ଉଭୟ ଶବ୍ଦର ଇଂରାଜୀ son ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । ହଁ ଆଧୁନିକ ପ୍ରାକ୍ ଭାରୋପୀୟ ଧାତୁରୂପ ନିର୍ଣ୍ଣୟ ପ୍ରଣାଳୀ ଦ୍ଵାରା ଏହା ସତ ଅଟେ ବୋଲି ପାଶ୍ଚାତ୍ୟ ଭାଷାଵିଦମାନଙ୍କର ଆକଳନରୁ ଜଣାପଡ଼ିଛି । 

ଆଜି ଆମେ ଜାଣୁ ଯେ ଇଂରାଜୀ ଭାଷାରେ Son ଶବ୍ଦର ଅର୍ଥ ପୁତ୍ର କିନ୍ତୁ ମଧ୍ୟଯୁଗୀୟ ଇଂରାଜୀ ଭାଷାରେ ଏହି ଶବ୍ଦକୁ sonn, sone, sun ଓ sune ଵିଭିନ୍ନ ରୂପେ ଲେଖାଯାଉଥିଲା । ସେହିପରି son ଶବ୍ଦର ପ୍ରାଚୀନ ଇଂରାଜୀ ରୂପ sunu (“son”) ଥିଲା ଏକ ପ୍ରାକ୍ ଜର୍ମାନିକ୍ ଶବ୍ଦ *sunuz (“son”)ରୁ ସୃଷ୍ଟି ହୋଇଛି । ଆଧୁନିକ ଭାଷାଵିଦମାନେ ଏହି son ଶବ୍ଦର ପ୍ରାକ୍ ଭାରୋପୀୟ ମୂଳ ଶବ୍ଦରୂପ *suHnús (“son”) ତଥା ମୂଳ ପ୍ରାକ୍ ଭାରୋପୀୟ ଧାତୁରୂପ *sewH- (“to bear; give birth”) ନିର୍ଣ୍ଣୟ କରିଛନ୍ତି । 


Son ଯେଉଁ ମୂଳ ଭାରୋପୀୟ ଶବ୍ଦ *suHnúsରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ମତଵ୍ୟକ୍ତ କରନ୍ତି ତହିଁରୁ ଅନ୍ୟ ଏକ ଦିଗରେ ଭାରତରେ ସୁଵନ ଓ ସୁଅନ୍ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି ‌। 

ତେବେ କେହି କେହି ପ୍ରଶ୍ନ କରିପାରନ୍ତି ଯଦି ମୂଳ ଭାରୋପୀୟ ଶବ୍ଦ *suHnúsରୁ ପୁତ୍ର ଅର୍ଥଜ ସୁଵନ ଓ ସୁଅନ ଶବ୍ଦ ଉତ୍ତର ଭାରତରେ ଅଵଧି ଭାଷାରେ ସୃଷ୍ଟି ହୋଇଛି ତାହେଲେ ସଗୋତ୍ରୀୟ ଭାଷା ହୋଇ ବି ଭାରତର ଦୁଇଗୋଟି ଵୈଜ୍ଞାନିକ ଶାସ୍ତ୍ରୀୟ ଭାଷା "ଓଡ଼ିଆ ତଥା ସଂସ୍କୃତ" ଭାଷାରେ ସେହିପରି ସମଗୋତ୍ରୀୟ ଶବ୍ଦ କାହିଁକି ନାହିଁ ? 

ହଁ ପ୍ରକୃତରେ ଏହିପରି ଦୁଇଗୋଟି ଶବ୍ଦ ଓଡ଼ିଆ ତଥା ସଂସ୍କୃତ ଭାଷାରେ ରହିଛି କିନ୍ତୁ ଉଭୟ ଶବ୍ଦର ପ୍ରୟୋଗ ବହୁତ ଅଳ୍ପ ଲୋକ କରିଛନ୍ତି ଓ କରୁଛନ୍ତି । ଏବେ ବି ହାତଗଣତି ଲୋକଙ୍କୁ ଓଡ଼ିଆ ତଥା ସଂସ୍କୃତ ଭାଷାରେ ପୁତ୍ର ଅର୍ଥରେ ପ୍ରଚଳିତ ସେହି ଶବ୍ଦ ଦୁଇଟି ଵିଷୟରେ ଜଣାଥିଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏକ ଓଡ଼ିଆ ଶବ୍ଦ ସୁନ ଵିଷୟରେ ତଥ୍ୟ ମିଳେ । ଏହାର ଦୁଇଗୋଟି ଅର୍ଥ ସେଠାରେ ଲେଖାଅଛି ଶୂନ୍ୟ ଓ ପୁତ୍ର ।‌

ପୀତାମ୍ବର ଦାସଙ୍କ ନୃସିଂହପୁରାଣରେ ”ଏତେ ବୋଲି କୋଠିକି କାଟିଲା ଇନ୍ଦ୍ରସୁନ” ପଦରେ ସୁନ ଶବ୍ଦଟି ପୁତ୍ର ଅର୍ଥରେ ପ୍ରୟୋଗ କରାଯାଇଛି ବୋଲି ଭାଷାକୋଷରେ ଲିଖିତ ହୋଇଅଛି । 

ସେହିପରି ପୁତ୍ର ଅର୍ଥଜ ସଂସ୍କୃତ ତତ୍ସମ ଶବ୍ଦଟି ହେଉଛି ସୂନୁ ଏଵଂ ଏହା ସାରଳା ମହାଭାରତ, ଓଡ଼ିଆ ଭାଗଵତ ଓ ଵୈଦେହୀଶ ଵିଳାସ ଆଦି କାଵ୍ୟରେ ଵ୍ୟଵହୃତ ହୋଇଅଛି । ସଂସ୍କୃତ ଭାଷାରେ କନ୍ୟା,ପୁତ୍ର,ଅନୁଜ, ସୂର୍ଯ୍ୟ ଓ ଅର୍କବୃକ୍ଷ ଅର୍ଥରେ ସୂନୁ ଶବ୍ଦ ଵ୍ୟଵହାର କରାଯାଏ । 

ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସ କାଵ୍ୟରେ ସୂନୁ ଶବ୍ଦ ଵ୍ୟଵହାର କରିଛନ୍ତି।

“ବାମା କାଳ ଭାନୁ ବାମା ପ୍ରସଵ ସୂନୁ ସୁଷମା ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା।
ଵରନ ଵସନ ଧରେ ନୀଳ ପୀତ ପରସ୍ପରେ ସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା।”


“ବୃନ୍ଦ ବୃନ୍ଦ ହୋଇ ତହିଁ ଜନନୀମାନେ। ବସୁଧାପତି ଦେଖିଲେ ସୂନୁ ସୁମନେ।”

ସେହିପରି ଓଡ଼ିଆ ଭାଗଵତରେ ବି ପୁତ୍ର ଅର୍ଥଜ ସୁନୁ ଆଦି କେତେକ ଶବ୍ଦ ଆଗପଛ ହୋଇ ଵ୍ୟଵହାର କରିଯାଇଛି 

“ହୃଦୀକ ତାହାର ନନ୍ଦନ । 
ତାହାର ତିନି ପୁତ୍ର ଜାଣ ॥
ଦେଵଵାହୁ ଯେ ଶତଧନୁ । 
ଆବର କୃତଵର୍ମା ସୂନୁ ॥
ଦେଵମୀଢ଼ ଯେ ଶୂର ସୁତ । 
ତା' ପତ୍ନୀ ମାରିଷା ଵିଖ୍ୟାତ ॥”

ଏମନ୍ତକି ଓଡ଼ିଶାର ସର୍ଵପ୍ରଥମ ମହାଭାରତ ଗ୍ରନ୍ଥ ସାରଳା ମହାଭାରତରେ ମଧ୍ୟ ସୂନୁ ଶବ୍ଦକୁ ସାରଳା ଦାସ ଵ୍ୟଵହାର କରିଥିଵା ଜଣାଯାଏ । 

“ସ୍କନ୍ଦ ଜନନୀ ନାମକୁ ବହିଲୁ ସେ ଦିନୁ ଦେଵଥାଟେ ସେନାପତି ହେଲା ତୋର ସୂନୁ । 
ତାରକ ଅସୁର ବଧ କଲା ତୋ କୁମର ଜନ୍ମେ ଜନ୍ମେ ମୁହିଂ ତୋର ଚରଣେ କିଙ୍କର ।”

ଓଡ଼ିଆ ତଥା ସଂସ୍କୃତ ଭାଷାରେ ପୂର୍ଵେ ସୁନ ଓ ସୂନୁ ଶବ୍ଦର ପୁତ୍ର ଅର୍ଥରେ ପ୍ରୟୋଗ ଥିଲା ସେହିପରି ଅଵଧୀ ତଥା ଅନ୍ୟାନ୍ୟ ଉତ୍ତର ଭାରତୀୟ ଭାଷାରେ ପୁତ୍ର ଅର୍ଥରେ ସୁଵନ ଓ ସୁଅନ ଶବ୍ଦ ଵ୍ୟଵହାର କରାଯାଉଥିଲା ‌। ପୁତ୍ର ଅର୍ଥରେ ପୂର୍ଵେ ପ୍ରଚଳିତ ଏ ସମସ୍ତ ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *suHnús(ପୁତ୍ର) ଅଟେ ଏଵଂ ଏସବୁ ଶବ୍ଦର‌ ସଗୋତ୍ରୀୟ ସମ୍ବନ୍ଧ ଇଂରାଜୀ-son,ଡାନିଶ୍ - søn,ଡଚ୍ - zoon, ଜର୍ମାନ୍ - Sohn, ଆଇସଲ୍ୟାଣ୍ଡିକ୍ - sonur , ଲିଥୁଆନିଆ - sūnus ,ନର୍ୱେଜିୟନ୍ - sønn,ପୋଲିଶ୍ - syn ଓ synek ,ରୁଷୀୟ ଭାଷା -сын(syn) ଓ сыно́к(synók) ଓ ପ୍ରାଚୀନ ଆଵେସ୍ତାନୀ ଭାଷାର 𐬵𐬎𐬥𐬎‎ (hunu) ଶବ୍ଦ ରହିଛି । 

ତେଣୁ ପ୍ରୋକ୍ତ ଆଲୋଚନାରେ ଆମେ ଜାଣିଲେ ଯେ କିପରି ଓଡ଼ିଆ ସୁନ ଓ ସଂସ୍କୃତ ସୂନୁ ତଥା ଅଵଧୀ ସୁଵନ ଆଉ ସୁଅନ ସହିତ ଇଂରାଜୀ son ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି । ଏ ସମସ୍ତ ଶବ୍ଦ କେମିତି ଏକ ମୂଳ ଭାରୋପୀୟ ଶବ୍ଦରୂପ *suHnús(ପୁତ୍ର)ରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ମତ ପ୍ରକାଶ କରିଛନ୍ତି ତାହା ମଧ୍ୟ ଆମେ ଏହି ଆଲେଖ୍ୟରୁ ଜାଣିପାରିଛନ୍ତି । 

ଅତଏଵ୍ ରାମଚରିତ ମାନସରେ ଵ୍ୟଵହୃତ 'ସୁଵନ' ତଥା ଅନ୍ୟାନ୍ୟ ଉତ୍ତର ଭାରତୀୟ ଗ୍ରନ୍ଥରେ ପ୍ରୟୋଗ କରାଯାଇଥିଵା 'ସୁଅନ' ଶବ୍ଦର ନିରୁକ୍ତି ଇତିହାସ ନଜାଣି ତାକୁ ପରିଵର୍ତ୍ତିତ କରି 'ସ୍ଵୟଂ' କରି ଦେଵାକୁ ମତ ଦେଵା ନିତାନ୍ତ ତ୍ରୁଟିପୂର୍ଣ୍ଣ ଓ ଅନ୍ୟାୟୋଚିତ କାର୍ଯ୍ୟ ନୁହେଁ କି ? 







No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...