Friday, April 7, 2023

ଗଦବାମାନଙ୍କର କୃଷିଭିତ୍ତିକ ଘୋଟନା(ଘଟ୍‌ନା) ପର୍ଵ ଓ ଗଞ୍ଜାମର ଦଣ୍ଡନାଚରେ ଏହାର ସ୍ବରୂପ

ଦଣ୍ଡନାଚରେ ଵିଶେଷତଃ ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତିର ଵିଶେଷ ପ୍ରଭାଵ ପଡ଼ିଛି । ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତି ସହିତ ଜଡ଼ିତ ଘୋଟଣା ନାଚ ଓ ଗୀତ ପରିଵେଷଣ କରାଯାଏ ‌ । ଅନ୍ୟ ଅଞ୍ଚଳର ଦଣ୍ଡନାଚରେ ଏଭଳି ପରମ୍ପରା ପ୍ରଚଳିତ ଥିଵା ଜଣାଯାଏ ନାହିଁ । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଓ ଵ୍ୟଵହାର ଭିନ୍ନ ଭିନ୍ନ ହୋଇଥାଏ । ଯେଉଁ ଦଣ୍ଡରେ ଘୋଟିଵା କାର୍ଯ୍ୟ ହୁଏ ତାକୁ ପୂର୍ଵାଞ୍ଚଳରେ ଘୋଟଣା କୁହାଯାଏ । ଓଡ଼ିଶାର କେତେକ ଉପକୂଳଵର୍ତ୍ତୀ ଅଞ୍ଚଳରେ ପଥର ଚକିକୁ ଲୋକେ ଘୋଟଣା କହିଥାନ୍ତି ।‌ କେତେକ ଅଞ୍ଚଳରେ ଶିଳ ଆଦି ବାଟଣା ୟନ୍ତ୍ରକୁ ଘୋଟଣା କୁହାଯାଏ । ଭାଙ୍ଗ ବଟା ଯାଉଥିଵା ଶିଳକୁ କିଛି ଅଞ୍ଚଳରେ ଘୋଟଣା କୁହାଯାଏ । କିନ୍ତୁ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଭିନ୍ନ ଅଟେ । ଏ ଅଞ୍ଚଳରେ ଆଗେ “ବିଲକୁ ସ୍ତ୍ରୀଲୋକମାନେ ଘରୁ ଖାଦ୍ୟ ନେଇଯିଵା” ପ୍ରଥାକୁ ଘୋଟଣା କୁହାଯାଉଥିଲା ‌ । କଥିତ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ଘୋଟଣା ଶବ୍ଦର ଅର୍ଥ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଲକୁ ନିଆଯିଵା ଭାତ ବୋଲି ଉଲ୍ଲେଖ ରହିଛି । 


ଓଡ଼ିଆ ଘୋଟିଵା କ୍ରିୟାରୁ ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ବାଟିଵା,ଘାଣ୍ଟିଵା,ବେଢି଼ଵା,
ଘେରିଵା,ଘୋଡ଼ାଇଵା,ଢାଙ୍କିଵା,ଆଚ୍ଛାଦିଵା,ଵ୍ୟାପିଵା,ଆକ୍ରମଣ କରିଵା, ଆକ୍ରାନ୍ତ କରିଵା ଆଦି ଅର୍ଥରେ ଓଡ଼ିଆ ଭାଷାରେ ଘୋଟିଵା କ୍ରିୟା ଵ୍ୟଵହୃତ ହୋଇଥାଏ । ଘୋଟିଵା କ୍ରିୟାରୁ ଆଚ୍ଛାଦିଵା,ଘୋଡ଼ାଇଵା ଅର୍ଥ ଘେନି ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ପ୍ରକୃତରେ ବିଲକୁ ଖାଦ୍ୟ ନେଇ ଗଲାବେଳେ ଏହା ଉପରେ କାହାର କୁଦୃଷ୍ଟି ନପଡ଼ୁ ସେଥିପାଇଁ ମହିଳାମାନେ ତାକୁ ଯତ୍ନରେ ଘୋଡ଼ାଇ ନେଇଥାନ୍ତି । ସେଥିପାଇଁ ଏହାର ନାମକରଣ ଘୋଟଣା କରାଯାଇଛି । ଗଞ୍ଜାମରେ ଘୋଟଣା ଶବ୍ଦ ଏକ ବହୁପ୍ରଚଳିତ ଶବ୍ଦ ଥିଲା ତେଣୁ ସାହିତ୍ୟରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଇଛି। 

“କେଉଁଠାରେ ପୁଣି କନ୍ଧ ବାମାଗଣ,
ହୋଇଥାନ୍ତି ଠିଆ ଘୋଟଣା ଘେନିଣ।”
(ତାରିଣୀଚରଣ. ଋଷିକୁଲ୍ୟା।)

ଗଞ୍ଜାମଵାସୀ ଆଜି ବି ଧୂଳିଦଣ୍ଡ ସମୟରେ ଘୋଟଣା ନାଚ ଓ ଘୋଟଣା ଗୀତ ଗାଇଥାନ୍ତି ‌। ଗଞ୍ଜାମ ଜିଲ୍ଲାରେ ଧୂଳିଦଣ୍ଡ ସମୟରେ ଦେଵୀ ମାଆଙ୍କ ଭୂମି ଚାଷ କରିଵା ଵିଧି ସବୁ ଅଭିନୀତ ହୋଇଥାଏ ଏଵଂ ତନ୍ମଧ୍ୟରେ “ଚଷା ପାଇଁ ବିଲକୁ ଘୋଟଣା ନେଇ ଯିଵା”, ମନ୍ଦିର ନିର୍ମାଣ କରିଵା, ହଳ ଚଳାଇଵା, ଲୁଗା ବୁଣିଵା, ହଳଦୀ ବାଟିଵା, କୂଅ ଖୋଳିଵା ଓ ଶସ୍ୟ ଅମଳ କରିଵା ଇତ୍ୟାଦି ଦୃଶ୍ୟକୁ ଟାହିଟାପରା ଦ୍ବାରା ପରିଵେଷଣ କରାହୁଏ ଯାହା ଦେଖିଵାକୁ ଆମୋଦକର ହୋଇଥାଏ । ଢେଙ୍କାନାଳ ଆଦି ଓଡ଼ିଶାର ଅନ୍ୟ ଅଞ୍ଚଳର ଧୂଳିଦଣ୍ଡରେ ଦେଵୀଙ୍କର ଚାଷାଵାସ ଵିଷୟରେ ଵର୍ଣ୍ଣନା ଥିଲେ ବି ତହିଁରେ ଘୋଟଣା ନୃତ୍ୟ ଓ ଗୀତ ନଥାଏ । ଏହା ଗଞ୍ଜାମ ଜିଲ୍ଲାର ଦଣ୍ଡର ଏକ ମୌଳିକତା । ପୂର୍ଵକାଳରେ ଗଞ୍ଜାମ ଜିଲ୍ଲାର ଧୂଳିଦଣ୍ଡରେ ପୁରୁଷମାନେ ମାଇପି ବେଶ ଧାରଣ କରି ବିଲକୁ ଖାଦ୍ୟ ନେଇ ଯିଵାର ଅଭିନୟ କରୁଥିଲେ । କ୍ରମଶଃ ଏଥିରେ କିନ୍ନରମାନେ ଭାଗ ନେଵାକୁ ଲାଗିଲେ । ଆଜିକାଲି ଷାଠିଏ ସତୁରୀ ଭାଗ ଦଣ୍ଡନାଚର ଘୋଟଣା ନୃତ୍ୟ ଓ ଗୀତ ପାଇଁ କିନ୍ନରମାନଙ୍କୁ ଦଣ୍ଡନାଚ ସମୟରେ ଡକାଯାଉଛି । ଧୂଳିଦଣ୍ଡ ସମୟରେ କିନ୍ନରମାନଙ୍କୁ ଯୋଡି଼ଵାକୁ ନେଇ ଏକପ୍ରକାରର ପ୍ରତିଯୋଗିତା ଲାଗିରହିଛି । କେତେକ ପାରମ୍ପରିକ ଘୋଟଣା ଗୀତକୁ ଛାଡ଼ି ଦେଲେ ଅଧିକାଂଶ ଘୋଟଣା ଗୀତ ପୂର୍ଵରୁ ଲେଖା ହୋଇନଥାଏ ଵରଂ ଗାୟକ ଦ୍ଵାରା ରଚିତ ହୋଇଥାଏ ଏଵଂ ଗାୟନ ସମୟରେ ଶବ୍ଦ ମନେ ନପଡି଼ଲେ ପରିଵର୍ତ୍ତିତ ମଧ୍ୟ ହୋଇପାରେ । ଅଧୁନା କେତେକ ଅଞ୍ଚଳରେ ଅଶ୍ଳୀଳ ଶବ୍ଦଯୁକ୍ତ କେତେକ ଘୋଟଣା ଗୀତ ଗାୟନ ଯୋଗୁଁ ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ଵିତର୍କ ଆରମ୍ଭ ହୋଇଯାଇଥିଲା । 

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଠିକ୍ ଏହି ସମୟରେ ଗଦବା ଜନଜାତିର ଲୋକେ ଏକ କୃଷିଭିତ୍ତିକ ପର୍ଵ ପାଳନ କରିଥାନ୍ତି 
ଯାହାକୁ “ଘୋଟନା ଵା ଘଟ୍‌ନା ପରଵ୍” କୁହାଯାଏ । ଚଇତି ପର୍ଵ ଚୈତ୍ର ପୂର୍ଣ୍ଣିମାରେ ସମାପନ ପରେ ଗାଦବାମାନେ ଚାଷକର୍ମ ଆରମ୍ଭ କରନ୍ତି । ଵର୍ଷର ପ୍ରଥମ କୃଷି କର୍ମ ପାଇଁ ଜମିକୁ ହଳ କରିଵା ସକାଶେ ପୁରୁଷମାନେ ବାହାରି ଯାଆନ୍ତି । ଖାଇଵାବେଳ ହେଲେ ସ୍ତ୍ରୀମାନେ ଏହି ଅନ୍ନ ଵ୍ୟଞ୍ଜନାଦି ନେଇ ସେମାନଙ୍କୁ ଜମି(ବେଡ଼ା)ରେ ଖୁଆଇଥାନ୍ତି । ଏହି ଅନ୍ନ ଵ୍ୟଞ୍ଜନକୁ ‘ ଘଟନା’ କୁହାଯାଏ । ଘଟନା ପରଵ୍ ହେଉଛି ଗଦବାମାନଙ୍କ ବିହନ ବୁଣା ପର୍ଵ । ଏହି ପର୍ଵରେ ଗାଦବାମାନେ ଚୈତ୍ର ଶେଷ ଵା ଵୈଶାଖ ଆରମ୍ଭରେ ପ୍ରତିଘରୁ ବିହନ ସଂଗ୍ରହ କରି ଜମିରେ ବୁଣନ୍ତି । ବୁଣିଵା ପର୍ଵ ସରିଲା ପରେ ଘଟନା ପରଵ ଆରମ୍ଭ ହୁଏ । ଏହି ପରଵରେ ଘଟନା (ଘୋଟନା ଵା ଘୋଟଣା) ଖାଇଵା ପାଇଁ ସ୍ତ୍ରୀଲୋକମାନେ ଭାତ, ସାଦା ତିଅଣ, ମାଂସ ତରକାରୀ, ମାଛ ତରକାରୀ ଆଦି ସ୍ତ୍ରୀଲୋକମାନେ ଯେଝା ମତେ ରାନ୍ଧି ଜମିକୁ ଧରି ଯାଆନ୍ତି । ଏହାକୁ ଘୋଟଣାଖିଆ ‌ମଧ୍ୟ କୁହାଯାଏ । ହଳ କରିସାରିଵା ପରେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କୁ ସେହି ‘ଘଟନା’କୁ ଭାଗବାଣ୍ଟି ଖୁଆଇଥାନ୍ତି । ଲଙ୍ଗଳକୁ ମଧ୍ୟ ଧୂଙ୍ଗିଆଧୂପ (ଧୂଆଁପତ୍ର) ଦ୍ଵାରା ପୂଜା କରି ଘଟନା ପରଵ ଶେଷ କରନ୍ତି । ଘଟନା ପର୍ଵରେ ବିଲକୁ ଯାଇ ଗଦବାମାନେ ମାଂସ ଭୋଜନ କରନ୍ତି । 

ଦକ୍ଷିଣ ଓଡ଼ିଶାରେ ଵିଶେଷତଃ ଗଞ୍ଜାମରେ “ବିଲକୁ ନିଆଯିଵା ଖାଦ୍ୟ”କୁ ଘୋଟଣା କୁହାଯାଏ ଏଵଂ ଦଣ୍ଡନାଚ ସମୟରେ ବିଲକୁ ଘୋଟଣା ନେଇଯିଵା ପ୍ରଥାକୁ ଅଭିନୟ ଦ୍ଵାରା ପ୍ରଦର୍ଶିତ କରିଯାଏ । ଏହି ଅଵସରରେ ଘୋଟଣା ନାଚ ଓ ଘୋଟଣା ଗୀତର‌ ଆୟୋଜନ କରାଯାଇଥାଏ । ଗଦବାମାନେ ମଧ୍ୟ ଏହି ଚୈତ୍ର ମାସ ଶେଷ ଓ ଵୈଶାଖ ମାସ ଆରମ୍ଭ ସମୟରେ ନିଜର କୃଷିଭିତ୍ତିକ ଘୋଟନା ଵା ଘଟ୍‌ନା ପର୍ଵ ପାଳନ୍ତି ଏଵଂ ଏଥିରେ ଗଦବା ଚାଷୀ ବିଲକୁ ବିହନ ବୁଣିଵାକୁ ଗଲାରୁ ସେମାନଙ୍କ ସ୍ତ୍ରୀମାନେ ଯେଉଁ ମାଂସ ମାଛ ଆଦି ରାନ୍ଧି ବିଲକୁ ନେଇ ଯାଆନ୍ତି ତାକୁ ସେମାନେ ଭକ୍ଷଣ କରିଥାନ୍ତି । ଅର୍ଥାତ୍ ଏ ଉଭୟ ପରସ୍ପର ସମ୍ବନ୍ଧିତ ଏଵଂ ଗଞ୍ଜାମଵାସୀ ନିଜ ଦଣ୍ଡନାଚ ମଧ୍ୟରେ ଗଦବାମାନଙ୍କର ଜନଜାତୀୟ ପର୍ଵକୁ ମନେ ରଖିଵାକୁ ଓ ଏହାର ମହତ୍ତ୍ଵକୁ ସମସ୍ତଙ୍କୁ ଜଣାଇଦେଵାକୁ ଯୋଡ଼ିଅଛନ୍ତି । ଦକ୍ଷିଣ ଓଡ଼ିଶାରେ ଅନେକ ଜନଜାତୀୟ ଲୋକେ ଵସଵାସ କରୁଥିଵାରୁ ଏହି ପରମ୍ପରା ଦଣ୍ଡନାଚରେ ମଧ୍ୟ ସ୍ଥାନ ପାଇପାରିଛି ।

(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ଦେଶିଆ‌ ଜ୍ଞାନକୋଷ ; ସାହାଯ୍ୟ: ସନ୍ତୋଷ ପଟ୍ଟନାୟକ )

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...