Friday, December 15, 2023

𐬽ଓଡ଼ିଶାର ଏକ ମନ୍ଦିର ଚୋରୀ ପ୍ରୟାସର ଇତିଵୃତ 𐬼




ଭୁବନେଶ୍ୱରର ଅନନ୍ତ ଵାସୁଦେଵ ମନ୍ଦିର ଏକ ପୁରାତନ ଵିଷ୍ଣୁ ମନ୍ଦିର

ଅଟେ  । ପୁରାତନ କାଳରେ ଭୂଵନେଶ୍ଵର ଶୈଵ କ୍ଷେତ୍ର ଭାବେ  ଖ୍ୟାତ ଥିଲା । ଭୁବନେଶ୍ୱର ନଗରରେ ଶିଵ ଭଗଵାନ ଲିଙ୍ଗରାଜ , ଭୁବନେଶ୍ୱର,ଲକ୍ଷ୍ମଣେଶ୍ବର ଓ ଚକ୍ରେଶ୍ବର ଆଦି ଵିଭିନ୍ନ ନାମରେ ସହସ୍ରାଧିକ ମନ୍ଦିରରେ ପୂଜା ପାଉଛନ୍ତି ‌।

ପ୍ରସିଦ୍ଧ କଳିଙ୍ଗ ରାଜା  ନରସିଂହ ଦେଵ ଦ୍ଵିତୀୟଙ୍କ ଭଗିନୀ ଚନ୍ଦ୍ରିକା ଦେଵୀ ଏହି ଭୁବନେଶ୍ୱରରେ ଭଗଵାନ ଵିଷ୍ଣୁଙ୍କର ଅନନ୍ତ ବାସୁଦେବ ମନ୍ଦିରର  ନିର୍ମାଣ କରାଇଥିଲେ । ଜନସୃତି ଅନୁସାରେ ଚନ୍ଦ୍ରିକା ଦେଵୀଙ୍କ ପତି ହୈହୟ ଵଂଶୀ ରାଜା ପରମର୍ଦ୍ଦୀ ଦେଵ ଵୈଷ୍ଣଵ ଥିଲେ ତେଣୁ ତାଙ୍କ ମୃତ୍ଯୁ ପରେ ପତି ସ୍ମୃତି ରକ୍ଷା ହେତୁ କଳିଙ୍ଗ ରାଜ କନ୍ଯା ଭୁବନେଶ୍ୱରଠାରେ ଏହି ମନ୍ଦିରଟି ନିର୍ମାଣ କରାଇଥିଲେ  ।

ଏହାର କେତେ ଶହ ଵର୍ଷ ପୂର୍ଵେ ଉଦ୍ୟୋତକେଶରୀଙ୍କ ମାତା କୋଳାଵତୀ ଭୁବନେଶ୍ୱରଠାରେ ଥିଵା ବ୍ରହ୍ମେଶ୍ଵର ମନ୍ଦିର ନିର୍ମାଣ କରାଇ ନିଜ ଵଂଶ ପ୍ରଶସ୍ତି କଥା ଲେଖି ୨୦ ପଂକ୍ତି ଵିଶିଷ୍ଟ ଏକ ଶିଳାଲେଖ ସେଥିରେ ସଂଯୋଗ କରିଥିଲେ ।

ତେବେ ଉଭୟ ଶିଳାଲେଖକୁ ଲୋକ ଆଗୋଚରରେ ଅପହରଣ କରାଯାଇ କଲିକତାସ୍ଥ Asiatic Reaserch Societyକୁ ୧୮୨୨ରେ ନିଆଯାଇଥିଲା । ମାତ୍ର ଏହି ଦୁଇଗୋଟି ଶିଳାଲେଖ ଆଉ ଫେରାଇ ନଦିଆଯିଵା ଯୋଗୁଁ ଭୁବନେଶ୍ୱରର ପୂଜାରୀ ଓ ପଣ୍ଡାମାନେ ଏହାର ପ୍ରତିଵାଦ କଲେ ଫଳତଃ ଅତି ଚତୁରତାର ସହିତ ବଙ୍ଗଳା ରାଜା ଭଵଦେଵ ଭଟ୍ଟଙ୍କ ଏକ ଶିଲାଲେଖ ଆଣି ରଖିଦିଆ ଗଲା  । ସେତେବେଳେ ଭୁବନେଶ୍ବରର ପୂଜାରୀମାନେ ଏହାର ରହସ୍ୟ ବୁଝିପାରିଲେ ନାହିଁ ।

କେତେକ ଵର୍ଷ ପରେ ବଙ୍ଗାଳୀ ପ୍ରାବନ୍ଧିକମାନେ ଅନନ୍ତ ବାସୁଦେବ ମନ୍ଦିରକୁ ଭଵଦେଵ ଭଟ୍ଟଙ୍କ କୀର୍ତ୍ତି ବୋଲି ସମ୍ପୂର୍ଣ୍ଣ ବଙ୍ଗରେ  ପ୍ରଚାର କଲେ  । କଥାରେ ଅଛି ସତ କେବେ ଲୁଚି ରହେନା  ! ନିଶ୍ଚୟ ଦିନେ ନା ଦିନେ ସତ୍ୟ ଦୃଶ୍ୟ ହୁଏ, ପ୍ରକଟ ହୋଇଯାଏ । ସତ୍ୟକୁ କେହି ବଦଳାଇ ପାରେନା କି ମାରି ପାରେନା !!!

ସେକାଳରେ ଓଡ଼ିଶାର ସୁଯୋଗ୍ଯ ପ୍ରତ୍ନତତ୍ତ୍ଵଵିତ୍ #ପରମାନନ୍ଦ_ଆଚାର୍ଯ୍ୟ ଏହି ଷଡ଼ଯନ୍ତ୍ର  ଵିଷୟରେ ଜାଣିପାରି ଏକ ତଥ୍ଯାତ୍ମକ ପ୍ରବନ୍ଧ  ଲେଖିଲେ । ସେ ପ୍ରବନ୍ଧ ତତ୍କାଳୀନ ସମ୍ଭ୍ରାନ୍ତ ରାଜନ୍ୟ ଶିକ୍ଷିତ ଵର୍ଗ ମଧ୍ୟରେ ଆଲୋଡ଼ନ ସୃଷ୍ଟି କଲା । କୁହାଯାଏ ମୟୂରଭଞ୍ଜ ମହାରାଜାଙ୍କ  ସହାୟତାରେ ଚନ୍ଦ୍ରିକାଦେଵୀଙ୍କ ସେହି ଶିଳାଲେଖ ଲଣ୍ଡନ ମ୍ଯୁଜିୟମରୁ ଓଡ଼ିଶାକୁ ଅଣା ଯାଇଥିଲା  । ଏହାପରେ  ପରେ ଏ ଵିଷୟକୁ ନେଇ  ଐତିହାସିକଙ୍କ ମଧ୍ୟରେ ବାଦଵିଵାଦ ତର୍କ ଵିତର୍କ ଲାଗିଲା । ଶେଷରେ ଅନୁସନ୍ଧାନରୁ ଜଣାଗଲା ଯେ ଜନୈକ ବଙ୍ଗାଳୀ ଵୈଷ୍ଣଵ ଦ୍ଵାରା ଚନ୍ଦ୍ରାଦେଵୀଙ୍କ  ଶିଳାଲେଖକୁ ଲଣ୍ଡନରେ ବିକି ଦିଆଯାଇଥିଲା ଯାହା ସେଠାକାର ପୋଲିସ ଜବତ କରି ତାକୁ ଲଣ୍ଡନର ମ୍ଯୁଜିୟମକୁ ଦେଇ ଦେଇଥିଲା । ତେବେ ଦୁଃଖର ଵିଷୟ ବ୍ରହ୍ମେଶ୍ବର ମନ୍ଦିରର ଶିଳାଲେଖଟି ଏବେ ବି ଲଣ୍ଡନର ମ୍ଯୁଜିୟମରେ ରହିଯାଇଛି ।
𐬽𐬼𐬽𐬼𐬽𐬼𐬽𐬼𐬽𐬼𐬽𐬼

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...