Christmasକୁ ସାଧାରଣତଃ ଓଡ଼ିଶାରେ ଖ୍ରୀଷ୍ଟମସ୍ ପର୍ଵ,ଖ୍ରୀଷ୍ଟମାସ୍ ପର୍ଵ,ଏକ୍ସ୍ମାସ୍ ,କ୍ରୀସମସ୍ ଓ କିସ୍ମାସ୍ ଆଦି କୁହାଯାଏ । ତେବେ
ଶହେ ଵର୍ଷ ତଳର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ Christmas ଶବ୍ଦର ଦୁଇଗୋଟି ଓଡ଼ିଆ ନାମ ମଧ୍ୟ ଯୋଡ଼ାଯାଇଥିଲା ।
ପ୍ରଥମତଃ ସାରା ଓଡ଼ିଶାରେ ୨୫ ଡିସେମ୍ବରକୁ ବଡ଼ଦିନ କୁହାଯାଏ। ତେଣୁ Christmasକୁ ବି କେହି କେହି ବଡ଼ଦିନ କହିଥାନ୍ତି । କେତେକ ବୁଦ୍ଧିଜୀଵିଙ୍କ ମତରେ ଏହି ଦିନଟି ଖ୍ରୀଷ୍ଟିଆନଙ୍କ ଗୋଟିଏ ବଡ଼ ଦିନ ବୋଲି ତାକୁ ବଡ଼ଦିନ କୁହାଗଲା ତେବେ ସମ୍ଭଵତଃ ଭାରତରେ ୨୫ ଡିସେମ୍ବରକୁ ଭିନ୍ନ କାରଣରୁ ବଡ଼ଦିନ କୁହାଯାଉଥାଇପାରେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଡ଼ଦିନ ତଳେ ଥିଵା ଦ୍ରଷ୍ଟଵ୍ୟରୁ ଜଣାଯାଏ ଯେ ଏହି ଦିନଠାରୁ ଅର୍ଥାତ୍ ୨୫ ଡିସେମ୍ବରଠାରୁ ଦିନମାନ କ୍ରମଶଃ ବଡ଼ ହେଵାର ଅନୁମିତ ହୁଏ, ସେଥିପାଇଁ ହୁଏତ ଖ୍ରୀଷ୍ଟଧର୍ମ ଆଗମନ ପୂର୍ଵରୁ ଏହାକୁ ଲୋକେ ବଡ଼ଦିନ କହୁଥିବେ । ଡିସେମ୍ବର ମାସ ୨୨ ତାରିଖରୁ ଦିନ କ୍ରମେ ବଡ ହୁଏ ଓ ରାତି କମେ। ତେଣୁ ହୁଏତ Christmas ସହିତ ବଡ଼ଦିନ ଶବ୍ଦର କୌଣସି ସମ୍ପର୍କ ନଥାଇପାରେ । ସେ ଯାହା ହେଉ ଆଜି ଖ୍ରୀଷ୍ଟମାସ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ବଡ଼ଦିନ ହୋଇସାରିଛି ।
ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୭୧୬ତମ ପୃଷ୍ଠା ଅନୁସାରେ ଆଗେ ଗଞ୍ଜାମ ଜିଲ୍ଲାରେ ଖ୍ରୀଷ୍ଟମାସ ଦିନରେ ଦିଆଯାଉଥିଵା ଛୁଟିକୁ ଶୀତ ସିଲ କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶିଲ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଗୋଟିଏ ଅର୍ଥ ଲେଖାଅଛି
"କାର୍ଯ୍ୟରୁ ଛୁଟି ଵା ଅବସର" । ଇଙ୍ଗ୍ରେଜମାନେ ଏ ଦେଶକୁ ପରାଧୀନ କରିଥିଵା ସମୟରେ ନିଜ ପର୍ଵ ଖ୍ରୀଷ୍ଟମାସ୍ ସମୟରେ ଭାରତୀୟଙ୍କୁ ଶୀତଛୁଟି ନାମରେ ଛୁଟି ଦେଉଥିଲେ । ଦକ୍ଷିଣ ଓଡ଼ିଶାରେ ତାହା ଶୀତସିଲ ଵା ଶୀତଶିଲ ଥିଲାବେଳେ ଓଡ଼ିଶାର ଆଉ କେତେକ ଅଞ୍ଚଳରେ ଧାନକଟା ଛୁଟି ଭାବେ ଜଣାଯାଉଥିଲା ।
No comments:
Post a Comment