ଵିଵାହ,ଯଜ୍ଞ,ଶ୍ରାଦ୍ଧ,ଉତ୍ସଵ,ଵିଦେଶଵାସ ଓ ଧାନସିଝା ସମୟରେ ପହଣି କରି ଅସ୍ଥାୟୀ ଲମ୍ବ ଚୁଲ୍ଲୀ ଖୋଳାଯାଏ । ଏଭଳି ଚୂଲିରେ ଉପରେ ଧାଡ଼ି ହୋଇ ବହୁତ ହାଣ୍ଡି ବସି ପାରେ। ଏ ଧରଣର ଅସ୍ଥାୟୀ ଲମ୍ବଚୂଲି,ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଆକାର ପ୍ରକାରର ଗଢ଼ାଯାଏ ଏଵଂ ସ୍ଥାନ ଵିଶେଷରେ ଏହାର ନାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଏହି ଜାତୀୟ ଅସ୍ଥାୟୀ ଲମ୍ବଚୂଲିର ଖନ୍ଦା,ଅହିଆ,
ଇଁଟଲା,ଝୁଲି ଓ ଝୁଲୁ ଇତ୍ୟାଦି ପାଞ୍ଚଗୋଟି ନାମ ପ୍ରାପ୍ତ ହୋଇଅଛି ।
ଓଡ଼ିଆ ଜାତି ପାଇଁ ଖନ୍ଦା ନୂଆ ନୁହେଁ। ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଲୋକେ ଖନ୍ଦା ଖୋଳି ତା’ଉପରେ ଛାମୁଣ୍ଡିଆ କରୁଥିଲେ ଏଵଂ
ଏହି ସ୍ଥାନକୁ ଖନ୍ଦାଶାଳ,ଖଞ୍ଚାଶାଳ ଓ ଖନ୍ଦାଘର କହୁଥିଲେ ।
ଗଞ୍ଜାମର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ଖନ୍ଦାଘର ଶବ୍ଦର ପ୍ରୟୋଗ ଏହି ଅର୍ଥରେ କରିଅଛନ୍ତି ...
”ଦ୍ରୌପଦୀ ଆସୁ ଆସୁ ଭୀମଙ୍କୁ ଦେଖିଲେ ବିରାଟ ଖନ୍ଦାଘରେ ଛିଡ଼ା ହୋଇଥିଲେ।” (କୃଷ୍ଣସିଂହ. କୃଷ୍ଣମହାଭାରତ. ଵିରାଟପର୍ଵ।)
ଖନ୍ଦା ଖୋଳା ସମୟରେ ଚାରି ଵା ଏକାଧିକ ହାଣ୍ଡି ବସିଵା ଭଳି ଚୂଲି ବସିଵା ଭଳି ଖନ୍ଦା ପ୍ରସ୍ତୁତ ହେଉଥିଲା । ଏହାର ପ୍ରମାଣ ସ୍ଵରୂପ ଫକୀରମୋହନ ସେନାପତିଙ୍କ ଗଳ୍ପସ୍ଵଳ୍ପର କିଛି ପଦ ଉଦାହରଣ ସ୍ୱରୂପ ଦିଆଯାଇପାରେ । ଯଥା:-
“କାଲି ବିଭା । ମଙ୍ଗନରାତିରେ ସବୁ କୁଣିଆ ପହଞ୍ଚିଗଲେ । ଖନ୍ଦା ଲାଗିଗଲା । ସେହି କୁଣିଆ ଭିତରୁ ଚାରି ଜଣ ରାନ୍ଧୁଣୀ ପରଷୁଣୀ ବାହାରି ପଡ଼ିଲେ ।”
ପଦରୁ ସ୍ପଷ୍ଟ ହୁଏ ଯେ ଖନ୍ଦାରେ ଚାରିଗୋଟି ଚୂଲି ଥିଵାରୁ ଚାରିଜଣ ରାନ୍ଧୁଣୀ ପରଷୁଣୀ ଲୋଡ଼ା ହେଲେ ଅନ୍ୟଥା ଗୋଟିଏ ଦୁଇଗୋଟି ଚୂଲି ହୋଇଥିଲେ ଜଣେ ଦୁଇଜଣରେ କାମ ପଟିଯାଇଥାନ୍ତା । ଏହି ଖନ୍ଦା ଶବ୍ଦର ମୂଳ ଇଂଣ୍ଡିକ୍ ରୂପ *khaḍḍa ଥିଲା । ପାରମ୍ପରିକ ଭାଷାଵିଦମାନେ ଏହି ଶବ୍ଦଗୁଡ଼ିକର କ୍ଷୁଦ୍ରରୂପ "ଖନ୍ ଧାତୁ(ଖଣି,ଖନନ,ଖନ୍ଦା) ନିର୍ଣ୍ଣୟ କରିଥିଲେ ।
ସେହିପରି ଦୁଇଧାଡ଼ି ହାଣ୍ଡି ବସିଵା ଅହ୍ୟା ଵା ଲମ୍ବଚୁଲିକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ 'ଝୁଲି' ଓ 'ଝୁଲୁ' କୁହାଯାଏ ଏଵଂ ଏହି ଶବ୍ଦଦ୍ଵୟ 'ଚୂଲି' ଶବ୍ଦର ପରିଵର୍ତ୍ତିତ ରୂପ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । ତେବେ ବହୁତ ଲୋକେ ଜାଣିନଥିବେ ଯେ ଓଡ଼ିଆ ଆଦି ଵିଭିନ୍ନ ଇଂଣ୍ଡିକ୍ ଭାଷାଗୁଡ଼ିକରେ ଵ୍ୟଵହୃତ 'ଚୁଲ୍ଲା','ଚୂଲି' ଓ 'चूल्हा' ଇତ୍ୟାଦି ଶବ୍ଦଗୁଡ଼ିକ ମୂଳତଃ ଦ୍ରାଵିଡ଼ ଭାଷାପରିଵାରରୁ ସଂସ୍କୃତ ଭାଷା ଦେଇ ପ୍ରଚଳିତ । ମୂଳ ଦ୍ରାଵିଡ଼ ଶବ୍ଦ cuḷḷ ଵା cuḷḷa ଶବ୍ଦଟି ସଂସ୍କୃତ ଭାଷାରେ ଚୁଲ୍ଲା,ଚୁଲ୍ଲି ଵା ଚୁଲ୍ଲୀ ରୂପେ ଚୁଲ୍ଲ ଧାତୁରୁ
ଵିଳାସ କରିଵା,କେଳି କରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ଗୃହୀତ ହୋଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖନ୍ଦାଚୂଲିର ଆଉ ଏକ ପ୍ରତିଶବ୍ଦ 'ଇଁଟଲା' ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଥିଵା କୁହାଯାଇଛି । ତେବେ ଏହି ଶବ୍ଦଟି ଆଷ୍ଟ୍ରୋଏସୀୟ ଭାଷାପରିଵାରର ଶବ୍ଦ ହୋଇଥିଵା ସମ୍ଭଵ କାରଣ ହୋ ଭାଷାରେ ଚୂଲିକୁ
ଇଟୁଲଃ ଓ ଇଟୁଲାଡ୍ କୁହାଯାଏ । ହୋ ଭାଷାରେ କୁହନ୍ତି "ଇଟୁଲଃରେ ଚାଟୁବୁ ଚନ୍ଦାୟା ।" ଅର୍ଥାତ୍ "ଚୁଲିରେ ହାଣ୍ଡି ବସାଇଵା ।" ଏଵଂ
"ଇଟୁଲାଡ୍ରେ ସେଙ୍ଗେଲ୍ ତୁମ୍ବୁଡେମ୍ ।" ଅର୍ଥାତ୍ "ଚୁଲିରେ ନିଆଁ ଲାଗାଇଵ ।"
ମାତ୍ର ଖନ୍ଦାଚୂଲିର ଅନ୍ୟତମ ଓଡ଼ିଆ ନାମ
ଅହ୍ୟା ଵା ଅହିଆ ଏକ ପ୍ରାଚୀନତମ ଓଡ଼ିଆ ଶବ୍ଦ । ଭୋଜି ଇତ୍ୟାଦିରେ ସାମୟିକ ରନ୍ଧନ ସମୟରେ ଏକାଧିକ ହାଣ୍ଡି ବସାଯିଵା ପାଇଁ ନିର୍ମିତ ଏହି ଵିଶେଷ ଧରଣର ଚୂଲିର ଅହିଆ ଵା ଅହ୍ୟା ନାମଟି ଅତି ପ୍ରାଚୀନ ।
ଅଵଶ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅହ୍ୟା ଵା ଅହିଆ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧିତ କୌଣସି ମତ ଦିଆଯାଇନାହିଁ ତେବେ Sir. Ralph Lilley Turnerଙ୍କ ଦ୍ଵାରା ସଂକଳିତ "A comparative dictionary of Indo-Aryan languages"ରୁ ଜଣାଯାଏ ଯେ ଓଡ଼ିଆ ଭାଷାର ଏହି ଅହିଆ ଵା ଅହ୍ୟା ଶବ୍ଦଟି ମୂଳ ପ୍ରାକ୍ ଇଣ୍ଡିକ୍ ādhí('deposit') ଶବ୍ଦ ମୂଳର ଶବ୍ଦ ଅଟେ । ଏହାର ମୂଳ ଧାତୁରୂପ 'ଧା ଧାତୁ' ବୋଲି Turner ମହାଶୟ ଉଲ୍ଲେଖ କରିଛନ୍ତି। ଋକଵେଦରେ ādhí ଶବ୍ଦ 'receptacle' ଅର୍ଥରେ ପ୍ରୟୋଗ କରାଯାଇଛି। ପରେ ସଂସ୍କୃତ ଭାଷାରେ ଅଧିକରଣ(receptacle) ଓ ଅଧିଶ୍ରୟ(receptacle) ଆଦି ଶବ୍ଦ ଏହି ମୂଳ ଇଂଣ୍ଡିକ୍ ଶବ୍ଦ ādhíର ଅର୍ଥ ଘେନି ପ୍ରଚଳିତ ହୋଇଥିଲା । ପ୍ରାକ୍ ଇଣ୍ଡିକ୍ ଭାଷାରେ ādhí ସହିତ ସମୋଦ୍ଧୃତ ā́dadhāti ବୋଲି ଆଉ ଏକ ଶବ୍ଦ ଥିଲା ଯାହା'adds fuel to fire' ଵା "ଅଗ୍ନିରେ ଘିଅ ଆଦି ଇନ୍ଧନ ପ୍ରଦାନ" ଅର୍ଥରେ ପ୍ରୟୋଗ କରାଯାଉଥିଲା । ଋକଵେଦରେ ଏହି ଶବ୍ଦଟି ପରେ ସାମାନ୍ୟ ପରିଵର୍ତ୍ତିତ ହୋଇ ā́hita ରୂପେ ସମ ଅର୍ଥରେ ଚଳିଲା । Sir. Ralph Lilley Turnerଙ୍କ ଅନୁସାରେ ଏହି ଵୈଦିକ ā́hita ଶବ୍ଦରୁ ଓଡ଼ିଆ ଭାଷାରେ ଅହିଆ ଓ ଅହ୍ୟା ଶବ୍ଦ ସୃଷ୍ଟି ହୋଇଛି । ପୁଣି ଓଡ଼ିଆ ଭାଷାରେ କୁମ୍ଭାରର ଚୁହ୍ଲୀ ତଥା କମାରମାନଙ୍କ ଲୁହା ଘଷିଵାର ଯନ୍ତ୍ର raspକୁ ଓଡ଼ିଆ ଭାଷାରେ ଉହା କୁହାଯାଏ ତେବେ ଏ ଶବ୍ଦଟି ପ୍ରାକ୍ ଇଂଣ୍ଡିକ୍ āpāka ସହିତ ସମୋଦ୍ଧୃତ ବୋଲି ପ୍ରୋକ୍ତ comparative dictionaryରୁ ଜଣାଯାଏ ।
ହୁଏତ ଆଜି ଆଉ ସେତେ ଖନ୍ଦା,ଝୁଲି ଵା ଝୁଲୁ,ଇଁଟାଲା ଓ ଅହ୍ୟା ଵା ଅହିଆ କରାଯାଉନାହିଁ କିନ୍ତୁ ଏହି ସବୁ ଶବ୍ଦ ଵିଶେଷତଃ ଅହ୍ୟା ଵା ଅହିଆ ଶବ୍ଦର ଇତିହାସ ଆମକୁ ଜଣାଇ ଦିଏ ଯେ ଆମ ଭାଷା କେତେ ପ୍ରାଚୀନ ଓ ଗୌରଵମୟ।
No comments:
Post a Comment