ସାରଳା ମହାଭାରତରେ କଵି ସାରଳା ଦାସ ରାଜା ଦୁର୍ଯ୍ୟୋଧନଙ୍କ ରାଜମୁକୁଟର ନାମ "ଅନର୍ଗଳ ମୁକୁଟ" ରଖିଛନ୍ତି ।
“ମାନଗୋଵିନ୍ଦ ପାଦେ ମୁଁ ହୋଇ ପରିଣାମୀ, ଅନର୍ଗଳ ମୁକୁଟ ମାଗିଲେ ଦେବୁ ସ୍ୱାମୀ॥”
( ସାରଳା, ମହାଭାରତ, ଭୀଷ୍ମ।)
ଉଲ୍ଲେଖଯୋଗ୍ୟ ଯେ ସାରଳା ଦାସ ତାଙ୍କ ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କ ମୁକୁଟକୁ ଅନର୍ଘ ମୁକୁଟ ମଧ୍ୟ ଵିଦିତ କରିଛନ୍ତି । ଅନର୍ଘ ଶବ୍ଦର ଅର୍ଥ ବହୁମୂଲ୍ୟ ଅଟେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦୁର୍ଯ୍ୟୋଧନଙ୍କ ମୁକୁଟର ନାମ ଅନର୍ଗଳ ମୁକୁଟ ବୋଲି ଲିଖିତ ହୋଇଛି ।
ତେବେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସମ୍ପାଦିତ ସାରଳା ମହାଭାରତ ଭୀଷ୍ମ ପର୍ଵ ଅନୁସାରେ ଏହି ପଦଟି ଭିନ୍ନ ଭାବେ ଲିଖିତ ଥିଵା ଦେଖାଯାଏ । ଯଥା :
“ମୁହିଁ ବୋଇଲି ଦ୍ରିଯୋଧନ ଚରଣେ ପରିଣାମି,
ଅନର୍ଘ ମଣି ମୁକୁଟ କାର୍ଯ୍ୟ ବେଳେ ଦେବାକ ମୋତେ ସ୍ୱାମୀ ॥”
ସମ୍ଭଵତଃ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସହଯୋଗୀ ଗଣ ଛାପା ବହି ଦେଖି "ଅନର୍ଗଳ ମୁକୁଟ " ଲେଖିଛନ୍ତି ।
ମାନଗୋଵିନ୍ଦ ଵା ଦୁର୍ଯ୍ୟୋଧନଙ୍କର ଏ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟକୁ ନେଇ ସାରଳା ମହାଭାରତରେ ଯୋଉ କାହାଣୀ ଅଛି ତାହା ଏହିପରି :
ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମ କୌରଵ ପକ୍ଷରୁ ସେନାପତି ଥାନ୍ତି। ଭୀଷ୍ମ ପ୍ରତ୍ୟହ ଏକ ଅକ୍ଷୌଣୀ ସେନ୍ୟ ମାରୁଥିଲେ ମଧ୍ୟ ପାଣ୍ଡଵ ପାଞ୍ଚ ଭାଇଙ୍କର କୌଣସି କ୍ଷତି କରୁ ନଥିଲେ। ଏହା ଅନୁଭଵ କରି ମହାମାନୀ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ପାଖରେ ପହଞ୍ଚି ଅଭିଯୋଗ କଲେ, ହସ୍ତିନାପୁର ସିଂହାସନ ପ୍ରତି ଉତ୍ତରଦାୟୀ ଥିଵାରୁ ପିତାମହ ଭୀଷ୍ମ କୌରଵ ସେନାର ସେନାପତି ହୋଇଛନ୍ତି ସତ, ମାତ୍ର ପାଣ୍ଡଵମାନଙ୍କ ପ୍ରତି ଥିଵା ଅତ୍ୟଧିକ ମୋହ ଯୋଗୁଁ ସେ ପାଣ୍ଡଵମାନଙ୍କର କୌଣସି କ୍ଷତି କରୁ ନାହାନ୍ତି। ଏହା ଶୁଣି ଵୀରଶ୍ରେଷ୍ଠ ଭୀଷ୍ମ ଵ୍ୟଥିତ ହେଲେ। ତେଣୁ ଭୀଷ୍ମ ରାଗି ଯାଇ ଆସନ୍ତା କାଲି ଯୁଦ୍ଧରେ ପୃଥିଵୀ ଅପାଣ୍ଡଵା ହେଵ ବୋଲି ଘୋଷଣା କରିଵା ସହିତ ପାଣ୍ଡଵ ପାଞ୍ଚ ଭାଇଙ୍କ ପାଇଁ ୫ଟି ସୁନା ନିର୍ମିତ ଶର ପ୍ରସ୍ତୁତ କରି ତାକୁ ଅଭିମନ୍ତ୍ରିତ କରି ରଖିଥିଲେ। ଏହା ଦେଖି ଦୁଯ୍ୟୋାଧନ ବଡ଼ ଉଷତ ହୋଇଥିଲେ। ତେବେ ଭୀଷ୍ମଙ୍କ ଏହି ପ୍ରତିଜ୍ଞା ସମ୍ପର୍କରେ ଶ୍ରୀକୃଷ୍ଣ ଜାଣି ପାରି ଚିନ୍ତିତ ହୋଇପଡ଼ିଲେ। ଶେଷରେ ଏହି ୫ ଶର କିପରି ଭୀଷ୍ମଙ୍କ ପାଖରେ ନ ରହିଵ ତାହାର ଵ୍ୟଵସ୍ଥା ପାଇଁ ଯୋଜନା ପ୍ରସ୍ତୁତ କଲେ।
ମହାଭାରତ ଯୁଦ୍ଧ ପୂର୍ଵରୁ ପାଣ୍ଡଵମାନେ ନିର୍ଵାସନ ଭୋଗୁଥିଵା ସମୟରେ ସେମାନଙ୍କୁ ନ୍ୟୂନ ଦେଖାଇଵା ପାଇଁ ଦୁର୍ଯ୍ୟୋଧନ ଜଙ୍ଗଲକୁ ଯାଇଥିଵା ବେଳେ ଚିତ୍ରସେନ ଗନ୍ଧର୍ଵଙ୍କ ପତ୍ନୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଚିତ୍ରସେନ ଗନ୍ଧର୍ଭ, ଦୁର୍ଯ୍ୟୋଧନ ସହିତ ଯୁଦ୍ଧ କରି ତାଙ୍କୁ ବନ୍ଦୀ କରିଥିଲେ। ଏହି ସୂଚନା ପାଇ ଅର୍ଜୁନ ଚିତ୍ରସେନ ଗନ୍ଧର୍ଵ ସହିତ ଯୁଦ୍ଧ କରି ଦୁର୍ଯ୍ୟୋଧନଙ୍କୁ ମୁକ୍ତି ଦେଇଥିଲେ। ସେ ସମୟରେ ଯେ କୌଣସି ଵର ମାଗି ନେଵା ପାଇଁ ଅର୍ଜୁନଙ୍କୁ ଦୁର୍ଯ୍ୟୋଧନ ପ୍ରସ୍ତାଵ ଦେଇଥିଲେ। ମାତ୍ର ଉପଯୁକ୍ତ ସମୟରେ ସେ ଏହି ଵର ମାଗିନେବେ ବୋଲି ଅର୍ଜୁନ କହିଥିଲେ। ତେଣୁ ଏହି ଭୀଷ୍ମଙ୍କ ପାଖରେ ଥିଵା ଏହି ପାଞ୍ଚ ଶର ଲାଭ କରିଵା ହେତୁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କର ଉକ୍ତ ଵରକୁ ଵ୍ୟଵହାର କରିଵାକୁ ଅର୍ଜୁନଙ୍କୁ କହିଲେ।
ଯୋଜନା ଅନୁଯାୟୀ ରାତିରେ ଅର୍ଜୁନ ଯାଇ ଦୁର୍ଯ୍ୟୋଧନଙ୍କୁ ତାଙ୍କ ରାଜମୁକୁଟ ରାତିକ ପାଇଁ ମାଗିଥିଲେ। ଅର୍ଜୁନଙ୍କୁ ଵର ଦେଇଥିଵା କଥା ସ୍ମରଣ କରି ରାତିକ ପାଇଁ ଦୁର୍ଯ୍ୟୋଧନ ତାଙ୍କ ରାଜମୁକୁଟ ଅର୍ଜୁନଙ୍କୁ ଦେଇଦେଲେ।
ଅର୍ଜୁନ ଦୁର୍ଯ୍ୟୋଧନଙ୍କ ରାଜମୁକୁଟ ପିନ୍ଧିି ଭୀଷ୍ମଙ୍କ ପାଖରେ ପହଞ୍ଚିଲେ। ଭୀଷ୍ମ ହସ୍ତିିନାପୁରର ସିଂହାସନ ପ୍ରତି ଉତ୍ତରଦାୟୀ ଥିଵାରୁ ସେ ଦୁର୍ଯ୍ୟୋଧନଙ୍କ ମୁଖକୁ ନ ଚାହିଁ କେଵଳ ତାଙ୍କ ମୁଣ୍ଡରେ ଶୋଭା ପାଉଥିଵା ରାଜମୁକୁଟକୁ ଦେଖୁଥଲେ। ଅର୍ଜୁନଙ୍କ ମୁଣ୍ଡରେ ଦୁର୍ଯ୍ୟୋଧନଙ୍କ ରାଜମୁକୁଟ ଦେଖି ଭୀଷ୍ମ ତାଙ୍କୁ ଦୁର୍ଯ୍ୟୋଧନ ବୋଲି ଭାବିଲେ। ଏତେ ରାତିରେ ପୁଣି କାହିଁକି ଆସିଲେ ବୋଲି ପଚାରିଵାରୁ ପାଣ୍ଡଵଙ୍କ ମୃତ୍ୟୁ ପାଇଁ ପ୍ରସ୍ତୁତ ପାଞ୍ଚ ଶର ସେ ନିଜ ସୁରକ୍ଷାରେ ରଖିଵାକୁ ଚାହାନ୍ତି ବୋଲି କହିଵାରୁ ଭୀଷ୍ମ ଵିରକ୍ତ ହୋଇ ସେହି ପାଞ୍ଚ ଶର ଦୁର୍ଯ୍ୟୋଧନ ଭାବି ଅର୍ଜୁନଙ୍କୁ ଦେଇଦେଲେ। ତହୁଁ ପରଦିନ ସକାଳେ ଯୁଦ୍ଧକୁ ଯିଵା ପୂର୍ଵରୁ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ତାଙ୍କ ୫ଟି ଶର ଫେରାଇ ଦେଵାକୁ କହିଵାରୁ ଦୁର୍ଯ୍ୟୋଧନ ଆାଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ନିଜ ରାଜମୁକୁଟ ପିନ୍ଧି ଗତକାଲି ଵିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ଆସି ତାଙ୍କ ଠାରୁ ୫ ଶର ମାଗିନେଇ ଥିଵା କଥା କହିଵାରୁ ଦୁର୍ଯ୍ୟୋଧନ ବୁଝିଗଲେ ଯେ ଗତକାଲି ରାତିରେ ଶ୍ରୀକୃଷ୍ଣଙ୍କ ମନ୍ତ୍ରଣାରେ ଅର୍ଜୁନ ତାଙ୍କ ରାଜମୁକୁଟ ପିନ୍ଧିି ଭୀଷ୍ମଙ୍କ ଠାରୁ ପାଞ୍ଚ ଶର ଲାଭ କରିନେଇଛନ୍ତି। ତେଣୁ ସେ ଏହା ଜାଣି ମ୍ରିୟମାଣ ହୋଇ ପଡ଼ିଥିଲେ। ସାରଳା ମହାଭାରତରେ ଦୁର୍ଯ୍ୟୋଧନଙ୍କ ମୁକୁଟକୁ "ଅନର୍ଗଳ ମୁକୁଟ" ନାମକରଣ କରାଯାଇଛି ।
ତେବେ ମନରେ ପ୍ରଶ୍ନ ଆସେ ଦୁର୍ଯ୍ୟୋଧନଙ୍କୁ ଅନର୍ଗଳ ମୁକୁଟ ଵା ଅନର୍ଘ ମୁକୁଟ କାହିଁକି ନାମକରଣ କରାଯାଇଛି ?
ଯଦି ଦୁର୍ଯ୍ୟୋଧନଙ୍କ ମୁକୁଟର ନାମ ଅନର୍ଗଳ ମୁକୁଟ ହୋଇଥାଏ ତେବେ ଅନର୍ଗଳ ଶବ୍ଦର ଅର୍ଥ ଆମକୁ ଜାଣିଵାକୁ ହେଵ ।
ସଂସ୍କୃତ ଭାଷାରେ ଅନର୍ଗଳ ଶବ୍ଦର ସ୍ତ୍ରୀଵାଚକ ରୂପ ଅନର୍ଗଳା ଏଵଂ
ବାଧାରହିତ,ଅଵିରାମ,ନିରଙ୍କୁଶ,ଅପ୍ରତିବନ୍ଧ,ସ୍ୱେଚ୍ଛାଚାରୀ,ସ୍ୱାଧୀନ ଓ ଯହିଁରେ କିଳିଣୀ ନ ଥାଏ ତାକୁ ସଂସ୍କୃତ ଭାଷାରେ ଅନର୍ଗଳ କୁହାଯାଏ । ମାତ୍ର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଅନର୍ଗଳ ଶବ୍ଦ ଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି ।
ଜଗନ୍ନାଥ ଦାସ ତାଙ୍କର ଓଡ଼ିଆ ଭାଗଵତର ଦଶମ ସ୍କନ୍ଦରେ "ଅତି ଦୃଢ଼" ଅର୍ଥରେ ଅନର୍ଗଳ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି
“ସାତ କବାଟ ମହାବଳ,
ଲୋହ କିଳଣୀ ଅନର୍ଗଳ।”
ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନର୍ଗଳ ଶବ୍ଦଟି ଏକ ଓଡ଼ିଆ କ୍ରିୟା ଵିଶେଷଣ ଶବ୍ଦ ଭାବେ ଆଗେ
ଅଵିଶ୍ରାନ୍ତଭାବରେ ଓ ଗଡ଼ ଗଡ଼ କରି କହିଵା ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଉଥିଲା ।
ଆମେ କହିଲାବେଳେ କୁହନ୍ତି "ଵକ୍ତା ଅନର୍ଗଳ କହି ଯାଉଥାନ୍ତି; ଆମେ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁଥାଉଁ।” ଏଠାରେ ଅନର୍ଗଳ ଶବ୍ଦଟି ଗଡ଼ଗଡ଼ କରି କହିଵା ଅର୍ଥରେ ଵ୍ୟଵହାର ହୋଇଛି ବୋଲି ଭାଷାକୋଷରେ ଉଦାହରଣ ସହ ଉଲ୍ଲେଖ କରାଯାଇଛି ।
ପୁଣି ସଂସ୍କୃତ ଭାଷାରେ ଅନର୍ଗଳା ଗୋଟିଏ ସ୍ତ୍ରୀଵାଚକ ଵିଶେଷଣ ଶବ୍ଦ ଓ ସଂସ୍କୃତର ଅନର୍ଗଳ ଶବ୍ଦ ଅର୍ଥଜ କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଅନର୍ଗଳା ଶବ୍ଦର ମଧ୍ୟ ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ ରହିଛି ।
ଆମର ପ୍ରାଚୀନ ସାହିତ୍ୟରେ ଅନର୍ଗଳା ଶବ୍ଦ ଅନର୍ଗଳ ପରି "ଅତି ଦୃଢ଼" ଅର୍ଥରେ ଵ୍ୟଵହାର ହୋଇଥିଵା ଭାଷାକୋଷରୁ ଜଣାଯାଏ । ଯଥା :
“ଠାବେ ଠାବେ କବାଟ ଲାଗିଛି ଅନର୍ଗଳା।” (ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।)
ପୁନଶ୍ଚ "ଅତିବଳିଷ୍ଠ" ଅର୍ଥରେ ମଧ୍ୟ ପୀତାମ୍ବରଙ୍କ ନୃସିଂହପୁରାଣରେ ଅନର୍ଗଳା ଶବ୍ଦ ଵ୍ୟଵହୃତ ହୋଇଛି ।
“ବୁଝିଲେ ତ ତୁମ୍ଭେ ସର୍ଵେ କ୍ଷତ୍ରି ଅନର୍ଗଳା”
ସାରଳା ମହାଭାରତରେ 'ଅଜେୟ' ଅର୍ଥରେ ବି ଅନର୍ଗଳା ଶବ୍ଦ ପ୍ରୟୋଗ କରାଯାଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ଯଥା :
“ରାଗରେ ଫାଲଗୁନୀ ତେଜରେ ଅନର୍ଗଳା”
ଅତଏଵ୍ ସମ୍ଭଵତଃ ଦୁର୍ଯ୍ୟୋଧନଙ୍କ ମୁକୁଟର ନାମକରଣ କ୍ଷେତ୍ରରେ ମଧ୍ୟ ସଂସ୍କୃତ ଅନର୍ଗଳ ନୁହେଁ ଵରଂ ଓଡ଼ିଆ ଅନର୍ଗଳ ଶବ୍ଦ ଵ୍ୟଵହାର କରାଯାଇଥାଇପାରେ । ହୁଏତ ସାରଳା ଦାସ ଅନର୍ଗଳ ମୁକୁଟ କ୍ଷେତ୍ରରେ ଅନର୍ଗଳ ଶବ୍ଦର ପ୍ରୟୋଗ ଅତି ଦୃଢ଼ ଅର୍ଥରେ କରିଅଛନ୍ତି ।
ମାତ୍ର ପ୍ରୋକ୍ତ ପଦଟିରେ ମୁକୁଟର ନାମ ଶ୍ରୀଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅନୁସାରେ ଅନର୍ଘ ମୁକୁଟ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନର୍ଘ ଶବ୍ଦର ମଧ୍ୟ ଉଲ୍ଲେଖ ଅଛି । ଅନର୍ଘ ଏକ ସଂସ୍କୃତ ଵିଶେଷଣ ଶବ୍ଦ । ଭାଷାକୋଷରେ ଏହାର ଅର୍ଥ ଲେଖାଅଛି ଅମୂଲ୍ୟ, ବହୁମୂଲ୍ୟ । ସେହିପରି ଵିଶେଷ୍ୟ ଶବ୍ଦ ଭାବେ ଏହା ବେଜାୟ ମୂଲ୍ୟ ଓ ଅମୂଲମୂଲ ଅର୍ଥରେ ପ୍ରୟୋଗ କରାଯାଏ ।
ଅସ୍ତୁ ଅନର୍ଘ ମୁକୁଟ ହେଉ କି ଅନର୍ଗଳ ମୁକୁଟ ହେଉ ସାରଳା ମହାଭାରତରେ ସାରଳା ଦାସ ଦୁର୍ଯ୍ୟୋଧନଙ୍କର ମୁକୁଟର ଯେଉଁ ନାମକରଣ କରିଛନ୍ତି ସେଭଳି ନାମକରଣ ଭାରତରେ ରଚିତ ଓ ଵିରଚିତ ଅନ୍ୟ ମହାଭାରତ ଗ୍ରନ୍ଥରେ ହୋଇଛି କି ନାହିଁ ତାହା ଗଵେଷଣାର ଵିଷୟ ଅଟେ ।
No comments:
Post a Comment