Thursday, November 30, 2023

ଜଳଖିଆ କିପରି ଏକ ଉପଯୁକ୍ତ ଶବ୍ଦ ?


ସାଧାରଣ ମଣିଷଙ୍କ ଅଳ୍ପ ଆହାରଯୁକ୍ତ 'ଲଘୁଭୋଜନ'କୁ ଓଡ଼ିଶାରେ ଜଳଖିଆ, ଜଳପାନ,ଜଳଯୋଗ,ପାଣିପିଆ,ପାଣିପଣା,ଭୁଜା ଵା ଭୋଜା,ଭୁଜାଖିଆ,ଭୁଜାଭୁଜି,ଭୁରିଭୁଜା,ଭୁରୁଭୁଜା ଓ କଲ୍ୟଵର୍ତ୍ତ ଆଦି କୁହନ୍ତି। ଯେଉଁ ଜଳଖିଆ ଘରେ ଵା ଜେମନାଳୟ(ହୋଟେଲ)ରେ ନଖାଇ ଲୋକେ ତାକୁ ପତ୍ରାଦିରେ ବାନ୍ଧି ଅନ୍ୟତ୍ର ନେଇ ଖାଉଥିଲେ ସେହି ଜାତୀୟ ଜଳଖିଆ ଦ୍ରଵ୍ୟକୁ ଆଗେ 'ଛନ୍ଦା' କୁହାଯାଉଥିଲା ବୋଲି ଭାଷାକୋଷରେ ଉଲ୍ଲେଖ ଅଛି ।‌ ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ସିଂହଭୂମି ଓଡ଼ିଆରେ ଜଳଖିଆକୁ ପାଣିଖିଆ ମଧ୍ୟ କୁହାଯାଉଥିଲା । ଆଜିକାଲି ଏ ପାଣିଖିଆ ଶବ୍ଦର ପ୍ରୟୋଗ ଉତ୍ତର ଓଡ଼ିଶାରେ କମିଗଲାଣି ତେବେ କର୍ପୂର ଉଡ଼ିଯାଇ ବାସ ରହିଯିଵା ଭଳି "ବାଘ ପାଣି ଖାଏ ଚାକୁଲ ଚାକୁଲ ଭାଲୁ ପାଣିଖାଏ ଚାକୁଲ..." ଆଦି ଲୋକଗୀତ ମଧ୍ୟରେ ତାହା ବଞ୍ଚି ରହିଛି । ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗର କେତେକ ଅଞ୍ଚଳରେ ସକାଳଓଳି ଶ୍ରମିକମାନେ ଵା କୃଷକମାନେ ବିଲରେ ଖାଉଥିଵା ବାସିପଖାଳକୁ ଡିବିଭାତ କୁହାଯାଏ । ସେହିପରି କଳାହାଣ୍ଡି ଜିଲ୍ଲାରେ ସକାଳ ଜଳଖିଆ ସମୟରେ ଶିଶୁମାନଙ୍କୁ ଛୋଟ ପାତ୍ରରେ ଖୁଆ ଯାଉଥିଵା ସଜଭାତକୁ ଡିବିଖିଆ କୁହାଯାଇଥାଏ ।

ମୟୂରଭଞ୍ଜ,ବାଲେଶ୍ବର, ସିଂହଭୂମି ଓ ଷଡ଼ୈକଳା ଖରସୁଆଁର ଓଡ଼ିଆମାନେ ସକାଳ ହେଲେ ଭୁଜା ଲୋଡ଼ନ୍ତି। ବାଲେଶ୍ଵର ମୟୂରଭଞ୍ଜ ଜିଲ୍ଲାର ପ୍ରତି ଜଳଖିଆ ଦୋକାନରେ ଭୁଜା/ମୁଢି଼-ତୁଣ ମିଳେ । ମାଉଁସମୁଢ଼ି ପାଇଁ ସେହିପରି ଆମ ଉତ୍ତର ଓଡ଼ିଶା ଜଣାଶୁଣା । ବାଲେଶ୍ବରର ପ୍ରତ୍ୟେକ ଗ୍ରାମାଞ୍ଚଳରେ ସକାଳ ଓ ସନ୍ଧ୍ୟାରେ ଲୋକମାନେ ଭୁଜାତୁଣ ଖାଇଥାନ୍ତି । ଭୁଜାର ଏମିତି ମୋହ ଯେ ବାଲେଶ୍ବରର ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ଅନ୍ୟ ସହରକୁ ଗଲାବେଳେ ସାଥିରେ ଭୁଜା ବସ୍ତାଟିଏ ନେବାକୁ ଭୁଲନ୍ତି ନାହିଁ । ଅଵଶ୍ୟ ଏ ପରମ୍ପରା ନଵ୍ୟ ଶିକ୍ଷିତ ଵର୍ଗଙ୍କ କ୍ଷେତ୍ରରେ କମି କମି ଗଲାଣି । ତଥାପି ପ୍ରଵାସୀ ଶ୍ରମିକମାନଙ୍କ ମଧ୍ୟରେ ଆଜି ବି ଅନେକ ନିଜ ସହିତ ଭୁଜାବସ୍ତାଟେ ନେଇ ଯାଆନ୍ତି ।
ଢେଙ୍କାନାଳ ସମ୍ବଲପୁର ଆଦି ଗଡ଼ଜାତ ଅଞ୍ଚଳରେ ଚ଼ା ସହିତ ମୁଢ଼ି ଖାଆନ୍ତି, ସମ୍ବଲପୁରରେ ଆଳୁମୁଢି଼ ଏକ ଜାତୀୟ ଜଳଖିଆ ମଧ୍ୟ ମିଳେ ‌। ସେଥିପାଇଁ ଗଡ଼ଜାତରେ ଜଳଖିଆକୁ କେବଳ 'ଭୁଜା' ବି କୁହାଯାଏ । ଓଡ଼ିଶାରେ ଲଘୁଭୋଜନ ରୂପେ ଭୁଜାଖିଆ ପରମ୍ପରାକୁ ନେଇ ତେଣୁ ଜଳଖିଆ ଅର୍ଥରେ ଭୁଜା,ଭୋଜା,ଭୁଜାଖିଆ,ଭୁଜାଭୁଜି,ଭୁରିଭୁଜା ଓ ଭୁରୁଭୁଜା ଆଦି ଶବ୍ଦ ସୃଷ୍ଟି ହୋଇଛି । 

ଆମ ଓଡ଼ିଶାରେ କେତେକ ନିର୍ଦ୍ଦିଷ୍ଟ ଦିନରେ ଵିଶିଷ୍ଟ ପ୍ରକାରର ଜଳଖିଆ ଦିଆଯାଏ ଏଵଂ ତହିଁର ସ୍ଵତନ୍ତ୍ର ନାମକରଣ ମଧ୍ୟ କରାଯାଇଛି । ଏକୋଇଶିଆ ଦିନ ପିଲାମାନଙ୍କୁ ଦିଆଯିଵା ଲଘୁ ଭୋଜନକୁ ବାଳଭୋଗ କୁହନ୍ତି । ଆଗେ ଏକୋଇଶିଆ ଦିନ ଉଖୁଡ଼ାଭୋଗ କରାଯାଉଥିଲା ଏଵଂ ପିଲାମାନେ ତାହା ଭକ୍ଷଣ କରୁଥିଲେ ଆଜିକାଲି ଓଡ଼ିଶାର ଲୋକେ ସମ୍ପନ୍ନ ହେଲେଣି ତେଣୁ ଉଖୁଡା଼ ପରିଵର୍ତ୍ତେ ନାନା ଦରଵ ପରଶୁଛନ୍ତି । 

ଅନ୍ତ୍ୟେଷ୍ଟିକ୍ରିୟା ଉପଲକ୍ଷେ ମୃତ୍ୟୁର ୪ର୍ଥ, ୭ମ, ୯ମ ଓ ୧୦ମ ଦିନ ସମଵେତ କୁଟୁମ୍ବ ବନ୍ଧୁ ଓ ବ୍ରାହ୍ମଣମାନଙ୍କୁ ଖାଇଵାକୁ ଦିଆଯିଵା ଚୁଡ଼ାଚକଟା, ମିଠେଇ,କଦଳୀ ଓ ରସଗୋଲା ଆଦି ଜଳଖିଆ ସାମଗ୍ରୀକୁ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ମଲାପଣା,ମାଲପଣା,ଶୀତଳ,
ସପତମ ଶୀତଳ,ନଵମ ଶୀତଳ ଓ ନଅଖାଇ ପଣା ଆଦି କୁହାଯାଏ। 

ମାତ୍ର ଉତ୍କଳର ରାଜା ଓ ପୁରୀଠାକୁରଙ୍କ ଜଳଖିଆକୁ ଶୀତଳ ଠା,ଶୀତଳ ଉପହାର ଓ ଶୀତଳ ମୁଣୋହି କହିଥାନ୍ତି ।‌ "ଶୀତଳ ଉପହାର" ଶବ୍ଦର ପ୍ରୟୋଗ ଭୂପତି ରାୟଙ୍କ ପ୍ରେମ ପଞ୍ଚାମୃତରେ ଜଳଖିଆ ଅର୍ଥରେ ପ୍ରୟୋଗ କରାଯାଇଛି

“ଶୀତଳ ଉପହାର ଦେଇ,
ଅମୃତ ଭୋଜନ କରାଇ ଭୂପତି”

ଵିଶେଷତଃ ରାଜା ଓ ପୁରୀଠାକୁରଙ୍କ ଜଳଖିଆକୁ ଶୀତଳ ମୁଣୋହି ଵା ଶୀତଳ ମଣୋହିଁ କୁହାଯାଏ । ଜଗନ୍ନାଥ ଦାସଙ୍କ ଭାଗଵତରେ ଏହାର ପ୍ରୟୋଗ ଦେଖିଵାକୁ ମିଳିଥାଏ । 

“ଶୀତଳ ମଣୋହି ସାରିଲା,
ସୁଖେ ପଲଙ୍କେ ବିଜେ କଲା।”

ଶ୍ରୀଜଗନ୍ନାଥଙ୍କ ଜଳଖିଆକୁ ଶୀତଳ ଭୋଗ,ଶୀତଳ ସଞ୍ଚା ଓ ଶୀତଳ ସାମଗ୍ରୀ ଆଦି ମଧ୍ୟ କୁହନ୍ତି । ଏହା ଠାକୁରମାନଙ୍କର ଅଳ୍ପ ଆହାରଯୁକ୍ତ ଜଳଖିଆ ଦ୍ରଵ୍ୟ ଵା ଶ୍ରୀମନ୍ଦିରର ନିସଙ୍ଖୁଡ଼ି ଅରନ୍ଧା
ଫଳଭୋଗ । ଯଥା- ଖଇ, କୋରା, କଦଳୀ,ପଇଡ଼, ଲଡୁ । ଏହି ଭୋଗ ନନ୍ଦଉତ୍ସଵ,ଶ୍ରୀକୃଷ୍ଣ ଲୀଳା, ଭାଦ୍ରଵ କୃଷ୍ଣ ନଵମୀ, ଜନ୍ମାଷ୍ଟମୀ, ଦିନଗୁଡ଼ିକରେ ଠାକୁରଙ୍କୁ ଲାଗି ହୁଏ । ତେଣୁ ଜଳଖିଆ ଓଡ଼ିଆମାନଙ୍କ ପାଇଁ କିଛି ନୂଆ କଥା ନୁହେଁ। ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଲୋକେ ଜଳଖିଆ କରୁଥିଲେ ଅତଃ ଆମର ଜଳଖିଆ ପାଇଁ ଅନେକ ପ୍ରତିଶବ୍ଦ ଅଛି ପୁଣି ସାଂସ୍କୃତିକ ଶବ୍ଦ ମଧ୍ୟ ରହିଛି । କିନ୍ତୁ ଆଧୁନିକ ଯୁଗରେ କାହିଁକି କେଜାଣି କିଛି ତଥାକଥିତ ସମାଜଵାଦୀ ମାନଵଵାଦୀ ମେଣ୍ଢାମାନେ ଇଂରେଜ ଓ ପଠାଣମାନଙ୍କୁ ମାତ୍ରାଧିକ ସ୍ନେହ ପ୍ରଦର୍ଶନପୂର୍ଵକ Tiffin ଓ ନାସ୍ତା ଶବ୍ଦ ଵ୍ୟଵହାର କରିଵାକୁ ଭଲ ପାଉଛନ୍ତି ଓ ଭାଷା ସମୃଦ୍ଧ କରୁଛନ୍ତି ତାହାର କାରଣ ସେମାନେ ହିଁ ଜାଣିଥିବେ । ଜଳଖିଆ ଶବ୍ଦ କିଛି ଅତି ଇଂରାଜୀପଢ଼ୁଆ ଲୋକଙ୍କୁ ଗନ୍ଧାଉଛି ସେମାନେ ଯୁକ୍ତି କରନ୍ତି ଜଳକୁ ଖାଇଵ କେମିତି ତେଣୁ ଏ ଜଳଖିଆ ଶବ୍ଦଟି ଗୋଟିଏ ଭୁଲ୍ ଶବ୍ଦ । ପୁଣି ସେମାନେ କୁହନ୍ତି ବଙ୍ଗାଳୀରେ ବି "ଜଲ୍ ଖାବାର୍" ଅଛି ତେଣୁ ଓଡ଼ିଆମାନେ ତାକୁ ଅନୁକରଣ କରି ଜଳଖିଆ ଶବ୍ଦ କହୁଛନ୍ତି । 


ତେବେ ପ୍ରକୃତରେ ଜଳ ପାନ ସହ ଅଳ୍ପ ଖାଦ୍ୟ ଗ୍ରହଣକୁ ଜଳଖିଆ କୁହାଯାଏ । ଜଳ ସହିତ ଖିଆ ଯାଏ ବୋଲି ଜଳଖିଆ । ଏହା ବଙ୍ଗଳା ପ୍ରଭାଵ କାହିଁକି ହେଵ ? ଆମର କ'ଣ ଜଳ ଓ ଖିଆ ନାହିଁ ନା ଖିଆ ଶବ୍ଦ ଲାଗି ଆଉ ଅନ୍ୟ ଓଡ଼ିଆ ଶବ୍ଦ ନାହିଁ ନା ଜଗନ୍ନାଥ ଓ ରାଜାଙ୍କ ଜଳଖିଆକୁ ଶୀତଳ ମଣୋହିଁ କୁହାଯାଉନାହିଁ ? ରାଜା ଓ ଦେଵତା ଆଦିଙ୍କ ଭୋଜନକ୍ରିୟାକୁ 
ମୁଣୋହିଁ ଓ ମଣୋହି କୁହାଯାଏ ଏଵଂ ଏହା ଏକ ପ୍ରାଚୀନ ମୌଳିକ ଓଡ଼ିଆ ଶବ୍ଦ । ତା ସହିତ ଯୁକ୍ତ ହୋଇଛି ଶୀତଳ ଶବ୍ଦ । ଦଶଦିନ ଵ୍ୟାପି ଅନ୍ତ୍ୟେଷ୍ଟି ସମୟରେ ଦିଆଯିଵା ଜଳଖିଆକୁ ବି ଶୀତଳ କୁହନ୍ତି । ଏହି ଶୀତଳ ଆଉ କିଛି ନୁହେଁ ଅଳ୍ପ ଖାଦ୍ୟ ସହିତ ଦିଆଯିଵା ଜଳକୁ ବୁଝେଇଵାକୁ ଵ୍ୟଵହୃତ ହୋଇଥିଵା ଶବ୍ଦ। ଜଳ ଶୀତଳ ଏଵଂ ମିଠା ଵା ଲୁଣିଆ ମିଷ୍ଟାନ୍ନ ତଥା ପିଠା ଖାଇଵା ପରେ ସାମାନ୍ୟ ଶୀତଳ ଜଳ ପାନ କରିଵାର ପରମ୍ପରା ବହୁ ପୁରୁଣା । ଆଗେ ଶୋଷ କଲେ ସାମାନ୍ୟ ଟିକିଏ ଲଘୁ ଖାଦ୍ୟ ଖାଇ ତା ଉପରେ ଜଳପାନ କରିବାର ବିଧି ଥିଲା । ଆଗ କାଳରେ ଖାଲି ପେଟରେ ପାଣି ପିଇଵାକୁ ବାରଣ ଥିଲା l ଅଳ୍ପ କିଛି ଖାଦ୍ୟ ଖାଇଵା ପରେ ଜଳ ପିଆ ଯାଉଥିଲା l ସାମାନ୍ୟ ଖାଦ୍ୟ ଖାଇ ଜଳ ପିଆ ଯାଉଥିଲା ତେଣୁ ଜଳ ସହିତ ବରା, ରସଗୋଲା ଖିଆଯାଉଥିଵାରୁ ତାକୁ ଜଳଖିଆ କୁହାଗଲା । ଏ ପରମ୍ପରା ସାରା ଭାରତରେ ଥିଲା ତେଣୁ ସଂସ୍କୃତ ଭାଷାରେ ଜଳଯୋଗ କୁହାଗଲା ଓଡ଼ିଆରେ ଜଳଖିଆ କୁହାଗଲା । ତେଣୁ ଓଡ଼ିଆ ଭାଷାରେ ଜଳଖିଆ ଶବ୍ଦର ଵ୍ୟଵହାର ବଙ୍ଗଳାର ପ୍ରଭାବ ତ ନୁହେଁ କିନ୍ତୁ କିଛି ଓଡ଼ିଆ ଲୋକଙ୍କ ଵିକୃତ ମସ୍ତିଷ୍କ ଯୋଗୁଁ ସେମାନଙ୍କୁ ଓଡ଼ିଆ ଶବ୍ଦ ଶବ୍ଦ ସବୁ ହିନ୍ଦୀ ବଙ୍ଗାଳୀରୁ ଆସିଥିଵା ଅନୁଭୁତ ହୁଏ । 

ତାଛଡ଼ା ଯୋଉ ଇଂରାଜୀ ପେଣ୍ଡୁଳିଙ୍କ ଅନୁସାରେ ଜଳ ଶବ୍ଦ ସହିତ ଖିଆ ଶବ୍ଦ ଥିଵାରୁ ଜଳଖିଆ ଶବ୍ଦ ତାଙ୍କ ପାଇଁ ଅଶୁଦ୍ଧ ସେମାନେ ତେବେ କୋଉ ଆଧାରରେ ଇଂରାଜୀ ଭାଷାର ଟିଫିନ୍ ଶବ୍ଦକୁ ଲଘୁଖାଦ୍ୟ ଅର୍ଥରେ ଵ୍ୟଵହାର କରୁଛନ୍ତି ? 

Tiffin ଶବ୍ଦର ଇଂରାଜୀ ଧାତୁରୂପ ହେଲା tiffing ଯାହାର ମୂଳ ଅର୍ଥ ସାମାନ୍ୟ ଜଳପାନ ଓ ଢୋକେ ଦୁଇ ଢୋକା ଜଳପାନ (to sip) । ଧୀରେ ଧୀରେ ଜଳୀୟ ଦ୍ରଵ୍ୟର ସ୍ଵାଦ ଆସ୍ଵାଦନକୁ ଇଂରାଜୀରେ to sip ଓ to tiff କୁହାଯାଏ । କିନ୍ତୁ ସାଧାରଣ ଶୁଦ୍ଧ ଜଳ ସ୍ଵାଦହୀନ ତେଣୁ 
ତେଣୁ ଚା ,ପଣା ଵା ସରଵତ ଓ ମଦ୍ୟ ଆଦି ଅଳ୍ପ ଅଳ୍ପ ମାତ୍ରାରେ ପାନ କରିଵା କ୍ଷେତ୍ରରେ to sip,to tiff ଶବ୍ଦର ଵ୍ୟଵହାର ହୋଇଥାଏ । ଇଂରାଜୀ ଭାଷାରେ ସେହିପରି tiff ଶବ୍ଦର ଅର୍ଥ ମଦ୍ୟପାନ । ତାପରେ ଏହି tiff ଶବ୍ଦର ଅର୍ଥ ହେଲା ସାମାନ୍ୟ ଝଗଡ଼ା ଵା ଯୁକ୍ତିତର୍କ । ମଦ୍ୟପାନ କଲେ ଝଗଡ଼ା ହେଵା ସ୍ଵାଭାଵିକ । ଇଂରାଜୀ ଶାସନକାଳରେ ସାହେବମାନଙ୍କୁ ଯେଉଁ ଚ଼ାଆ ସହ ବିସ୍କୁଟ ଇତ୍ୟାଦି ଦିଆଯାଉଥିଲା ତାକୁ ପାନ କରାଯାଉଥିଵାରୁ tiffin କୁହାଗଲା ଏଵଂ ପରେ ଏହି ଶବ୍ଦ ଲଘୁ ଭୋଜନ ଅର୍ଥରେ ଵ୍ୟଵହୃତ ହେଵାକୁ ଲାଗିଲା । ତେଣୁ ମୂଳ ଅର୍ଥ ଦୃଷ୍ଟିରୁ ଜଳପାନ ଵା ମଦ୍ୟପାନ ଅର୍ଥଜ tiffing ଶବ୍ଦରୁ ସୃଷ୍ଟି ହୋଇଥିଵାରୁ ଲଘୁଖାଦ୍ୟ ଅର୍ଥରେ ଵ୍ୟଵହୃତ tiffin ଶବ୍ଦ ମଧ୍ୟ ଗୋଟିଏ ଉପଯୁକ୍ତ ଶବ୍ଦ ନୁହେଁ । 

ଆଉ ଦଳେ ସମାଜଵାଦୀ ଅଛନ୍ତି ଜଳଖିଆ ଶବ୍ଦର ଅର୍ଥ ନବୁଝି କୁହନ୍ତି ଜଳ କ'ଣ ଖିଆ ଯାଏ ଵରଂ ପାର୍ସୀ ନାସ୍ତା ଶବ୍ଦ ବୋଲିଵା ଠିକ୍ ହେଵ । ପାର୍ସୀ ଭାଷାର ناشتا‎ (nāštā, nāšitā) ଶବ୍ଦ ମୂଳରୁ ବଙ୍ଗାଳୀରେ নাস্তা (nasta), ଗୁଜରାଟୀରେ નાસ્તો (nāsto), କନ୍ନଡ଼ରେ ನಾಷ್ಟಾ (nāṣṭā),ମରାଠୀରେ नाश्ता (nāśtā) ଓ ରାଜସ୍ଥାନୀରେ नास्तौ (nāstau) ଶବ୍ଦ ପ୍ରଚଳିତ ହୋଇଛି । କିନ୍ତୁ ମୂଳ ପାର୍ସୀ ناشتا‎ (nāštā, nāšitā) ଶବ୍ଦର ଅର୍ଥ ଥିଲା ଭୋକିଲା ଏଵଂ ସଂସ୍କୃତ ଭାଷାରେ ଵ୍ୟଵହୃତ ଅନାଶିତ(anāśita, “one who has not eaten, hungry”) Mazanderani ଭାଷାର انیشتا‎ (“hungry”) ସହିତ ଏହା ସଗୋତ୍ରୀୟ । ତେଣୁ ନାସ୍ତା ଶବ୍ଦର ମୂଳ ଅର୍ଥ ଭୋକିଲା ଥିଵାରୁ ଲଘୁ ଭୋଜନ ଅର୍ଥରେ ଏ ଶବ୍ଦ ପ୍ରୟୋଗ ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପ୍ରାଚୀନ ଉତ୍କଳରେ ଜଳଯୋଗର ପରମ୍ପରା ପ୍ରଚଳିତ ଥିଲା ଏଵଂ ଅଳ୍ପ ଜଳ ସହିତ ଖିଆ ଯାଉଥିଵାରୁ ଲଘୁଭୋଜନକୁ ଜଳଖିଆ କୁହାଗଲା । ଜଳଖିଆ ଵରଂ ଲଘୁଭୋଜନ ଅର୍ଥରେ ଵ୍ୟଵହୃତ ଏକ ଉପଯୁକ୍ତ ଶବ୍ଦ କିନ୍ତୁ ଭୋକିଲା ଅର୍ଥଜ ପାର୍ସୀ ନାସ୍ତା ଓ ଅଳ୍ପ ଜଳପାନ ଵା ମଦ୍ୟପାନ ଅର୍ଥଜ tiffin ଶବ୍ଦ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ସେତେଟା ଯୁକ୍ତିଯୁକ୍ତ ନୁହେଁ ।
ଏଣୁ ଆମ ଭାଷାରେ ଯୋଗ୍ୟ ଓ ଉପଯୁକ୍ତ ଅର୍ଥ ପ୍ରକାଶ କରୁଥିଵା ଶବ୍ଦ ଥାଉ ଥାଉ ଆମେ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଅନୁପଯୁକ୍ତ ଓ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିପାରୁନଥିବା ଵୈଦେଶିକ ଶବ୍ଦ କାହିଁକି ଵ୍ୟଵହାର କରିଵା ? 

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...