“ଦଳେ ଲୋକ ଜାଲ ଦ୍ଵାରା ଏକ ସମୟରେ ଝୁରି ଵା ମାଛ ମାରି ମାଲିକକୁ ଧରିଥିଵା ମାଛରୁ ଅଧେ ଦେଵା ପ୍ରକ୍ରିୟାର ନାମ ଗଡ଼ିଆଗୁଳାଣ ।”
•ଓଡ଼ିଆ ଭାଷାରେ ଗଡ଼ ଵା ନଗରର ଅଧିଵାସୀଙ୍କୁ ଗଡ଼ିଆ କୁହନ୍ତି।
•ଗଡ଼ଜାତର ଲୋକଙ୍କୁ ଗଡ଼ିଆ କୁହାଯାଏ।
•ଯେଉଁ ବଳଦ ଵା ଶଗଡ଼ରେ ଯୋଚା ହେଲେ ଭୂଇଁରେ ଶୋଇ ପଡ଼େ ଓ ଗଡ଼େ (ଚାଲେ ନାହିଁ) ତାକୁ ଗଡ଼ିଆ(ବଳଦ, ଶଗଡ଼) କୁହାଯାଏ ।
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ବାଲେଶ୍ଵର ଜିଲ୍ଲାରେ ହିଁ ବଡ଼ମାକଡ଼ସାଙ୍କୁ ଗଡ଼ିଆ କୁହାଯାଉଥିଲା ।
•ଗଡ଼ ହୋଇଥିଵା କାଠକୁ ଗଡ଼ିଆ କହିଥାନ୍ତି
•ଗଡ଼ ସମ୍ବନ୍ଧୀୟ ଵ୍ୟକ୍ତି,ସ୍ଥାନ ଓ ଦରଵ ଆଦିକୁ ମଧ୍ୟ ଗଡ଼ିଆ କୁହାଯାଏ
•ଗାଡ଼ିଆ ଵା ଛୋଟ ପୁଷ୍କରିଣୀକୁ ବି ଗଡ଼ିଆ କୁହାଯାଏ ।
ତେବେ ସମ୍ଭଵତଃ ଗଡ଼ିଆଗୁଳାଣ ଶବ୍ଦ କ୍ଷେତ୍ରରେ ପୁଷ୍କରିଣୀ ଅର୍ଥଜ ଗଡ଼ିଆ ଶବ୍ଦ ଗୃହୀତ ହୋଇଛି। କିନ୍ତୁ ଗୁଳାଣ ଶବ୍ଦର ଅର୍ଥ କ'ଣ?
ଆଗକାଳରେ ଏଵଂ ଆଜି ବି କେଉଁଠି କେଉଁଠି ଗୁଳ ପକେଇ ଭାଗବଣ୍ଟା ହୋଇଥାଏ । ଗୁଳ ଓ ଗୁଳା କହିଲେ ଗୋଲା ଵା ଗୋଟିକା । ଆଗେ ପ୍ରାୟତଃ ଏହାର ଵ୍ୟଵହାର ଅଧିକ ଥିଲା । ଲୋକେ ଗୁଳ ଵା ଗୁଳା ପକେଇ ଜମିବାଡ଼ି ଓ ଦରଵ ଆଦି ଭାଗ କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ "ଜୁଆ ଵା ଶୁର୍ତ୍ତି ଖେଳରେ ଓ ବଣ୍ଟରା ହେଉଥିଵା ପଦାର୍ଥ ଉପରେ ପକାଯିଵା ଲେଖା କାଗଜର ଗୁଟିକାକୁ 'ଗୁଳ' କୁହାଯାଉଥିଲା । ସେହିପରି
"ଗୁଳ ପଡ଼ି ଭୂମିବାଡ଼ି ବଣ୍ଟାହେଵା ନିରୂପଣ ପତ୍ର"କୁ ଲୋକେ ଗୁଳା କହୁଥିଲେ ।
ପୁଣି ଭାଷାକୋଷରେ ଗୁଳା ଦେଵା,ଗୁଳା ପଡ଼ିଵା କ୍ରିୟାଶବ୍ଦ ବି ଅଛି । "ଅଂଶ ଵା ଭାଗ ନିରୂପଣ କରିଵା ସକାଶେ ଗୁଳା ପକାଇଵାକୁ ଗୁଳାଦେଵା ଓ ଗୁଳା ପଡ଼ିଵା କୁହନ୍ତି" । ଆଉ ଏକ କ୍ରିୟାଶବ୍ଦ ଗୁଳା ପକାଇଵାର ଅର୍ଥ ମଧ୍ୟ ଭାଷାକୋଷରେ ଲିଖିତ ଅଛି । ଆଗେ "ବଣ୍ଟରାରେ ଭିନ୍ନ ଭିନ୍ନ କଚ୍ଛ ଉପରେ କାଗଜର ଗୁଳା ରଖି ଯେଉଁ କଛ ଯେଉଁ ଅଂଶୀଦାରର ଭାଗରେ ପଡ଼ୁଥିଲା ତାହା ଭାଗ୍ୟ ଅନୁସାରେ ସ୍ଥିର କରାଯାଉଥିଲା ଏଵଂ ତାକୁ ଗୁଳା ପକେଇଵା କହୁଥିଲେ”
ତେଣୁ ସମ୍ଭଵତଃ ବାଲେଶ୍ଵର ଜିଲ୍ଲାର "ଗଡ଼ିଆଗୁଳାଣ" ଶବ୍ଦଟି ଭାଗବଣ୍ଟା ଅର୍ଥରେ ଵ୍ୟଵହାର କରାଯାଏ ବୋଲି ଏହାର ସମ୍ବନ୍ଧ ଗୁଳ,ଗୁଳା,ଗୁଳା ଦେଵା,ଗୁଳା ପଡ଼ିବା ଓ ଗୁଳା ପକାଇଵା ଆଦି ଶବ୍ଦ ସହିତ ଥାଇପାରେ ।
କିନ୍ତୁ ଗୁଳାଣ ଶବ୍ଦଟି ଗୋଳେଇଵା ଶବ୍ଦ ସହିତ ମଧ୍ୟ ସମ୍ବନ୍ଧିତ ହୋଇଥାଇପାରେ। ଗଡ଼ିଆ ଗୋଳେଇ ଵା ବହୁଲୋକ ଗଡ଼ିଆ/ଗାଡ଼ିଆ ଜଳ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରି ମାଛ ଧରିଵାକୁ ହୁଏତ ଗଡ଼ିଆ ଗୁଳାଣ କୁହାଯାଉଥିଵ ।
(ତଥ୍ୟ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ତଥ୍ୟ ଓ ଚିତ୍ର : କଥିତ ଓଡ଼ିଆ ଶବ୍ଦକୋଷ)
No comments:
Post a Comment