“ବଡ଼ବଡ଼ୁଆ ହୋ !
ଗଙ୍ଗା ଯା ଗୟା ଯା ଶ୍ରୀପୁରୁଷୋତ୍ତମ ଯା
ଶରଧାବାଲିରେ ଗଡ଼ଗଡା଼ଉ ଥା
ବଡ଼ବଡ଼ୁଆ ହୋ…!
ଅନ୍ଧାରେ ଆସି ଆଲୁଏ ଯା ବାଇଶି ପାବଚ୍ଛେ ଗଡ଼ଗଡା଼ଉ ଥା”
ବଡ଼ବଡ଼ୁଆ ହୋ…! ”
ଘରେ ବନ୍ଦାପନା ପରେ ପରିଵାର ଵା କୁଟୁମ୍ବଜନମାନେ ଏକତ୍ର ଏକ ସ୍ଥାନକୁ କାଉଁରିଆ କାଠି ଧରି ଯାଆନ୍ତି ଓ ପ୍ରାଚୀନ ପୂର୍ଵଜ ଓ ହୁତାତ୍ମାମାନଙ୍କୁ ବଡ଼ବଡ଼ୁଆ ଭାବେ ସମ୍ବୋଧନ କରି ସେମାନଙ୍କୁ ଡାକିଥାନ୍ତି ତଥା ଆଲୋକ ଦେଖାଇ ବାଟ ଦେଖାଇଥାନ୍ତି । ତେଣୁ ଏହି ବଡ଼ବଡ଼ୁଆ ଡାକ ସାମାଜିକ ଐକ୍ୟର ତଥା ନିଜ ପୂର୍ଵଜ ଓ ପିତୃପୁରୁଷଙ୍କୁ ସମ୍ମାନ ଦେଵାର ଶିକ୍ଷା ଦେଇଥାଏ । ପୁଣି ଏହି ବଡ଼ବଡ଼ୁଆ ଡାକ ଆମକୁ ଆହୁରି ଗୋଟିଏ କଥା ଶିଖାଏ । ପ୍ରଥମତଃ ପୂର୍ଵଵର୍ତ୍ତୀ ପିଢ଼ିକୁ ଦିନେ ନା ଦିନେ ଫେରିଯିଵାକୁ ହିଁ ହୁଏ ଆଉ ସେତେବେଳେ ତାଙ୍କୁ ମୁଖାଗ୍ନି ଦିଅନ୍ତି ପରଵର୍ତ୍ତୀ ପିଢ଼ି । ଅର୍ଥାତ୍ ବଡ଼ବଡ଼ୁଆ ଡାକ ପଛରେ "ଜୀଵନ ନଶ୍ଵର" ଏହି ଗହନ ଵାର୍ତ୍ତା ରହିଛି !
କିନ୍ତୁ ଗଵେଷକମାନେ କୁହନ୍ତି ଏହା କୃଷିଭିତ୍ତିକ ପର୍ଵ ହୋଇଥିଵାରୁ ପୋକଜୋକ ନିୟନ୍ତ୍ରଣର ଏକ ସାଂସ୍କୃତିକ ଆୟୋଜନ । ଦେଖାଯାଏ କାର୍ତ୍ତିକ ମାସରେ ପୋକଜୋକ ସଂଖ୍ୟା ହଠାତ୍ ବଢ଼ିଯାଏ । ଏହାକୁ ନିୟନ୍ତ୍ରଣ କରିଵା ପାଇଁ କାର୍ତ୍ତିକ ମାସରେ
ଆକାଶଦୀପ ପୋତାଯାଏ ଏଵଂ ଦୀପାଵଳି ପର୍ଵକୁ ପାଳନ କରାଯାଏ ।
କେହି କେହି କୁହନ୍ତି ଏହି ସମୟରେ ଲଳିତା ଅମଳ ହୋଇଥାଏ ଏଵଂ ତାହାର କାଉଁରିଆ କାଠି ପ୍ରାୟତଃ ଅଲୋଡ଼ା ହୋଇଯାଏ । ଉକ୍ତ କାଉଁରିଆ କାଠିକୁ କାର୍ଯ୍ୟରେ ଲଗାଇ ବଡ଼ବଡ଼ୁଆ ଡାକରେ ଵ୍ୟଵହୃତ କରାଯାଇଛି ଫଳତଃ ଚାଷୀ ଓ ବେପାରୀର ଦୁଇ ପଇସା ଲାଭ ହୋଇଛି ।
ତେବେ ଉତ୍କଳରେ ସବୁ ଋତୁ ଆଗମନକୁ ସୂଚାଇଵା ପାଇଁ ଗୋଟିଏ ଗୋଟିଏ ପର୍ଵରେ
ତହିଁର ସୂଚନା ଦିଆଯାଇଛି ।
ମହାଵିଷୁଵ ପଣା ସଂକ୍ରାନ୍ତି ଗ୍ରୀଷ୍ମ ଆଗମନ ସମୟରେ ପାଳିତ ହୁଏ ଏଵଂ ଗ୍ରୀଷ୍ମ ଆଗମନକୁ ସୂଚାଇଵା ପାଇଁ ଏହି ଅଵସରରେ ତୁଳସୀ ବୃକ୍ଷକୁ ଜଳଦାନ ତଥା ପଣାପାନର ପରମ୍ପରା ରହିଛି ।
ବର୍ଷାଋତୁ ଆଗମନର ସୂଚନା ଦେଇ ଆସେ ରଜୋତ୍ସଵ । ରଜ ପର୍ଵ ପରେ ଵର୍ଷା ଋତୁର ଆଗମନ ହୋଇଯାଏ ଏଵଂ ଏହାକୁ ସୂଚାଇଵା ପାଇଁ ସାଧଵଵୋହୂ ପୋକଙ୍କୁ ପୂଜା କରାଯାଏ । ପୁଣି ରଜପର୍ଵ ସମୟରେ ପୃଥିଵୀ ରଜସ୍ୱଳା ହେଲାପରେ ଠାକୁରାଣୀ ଗାଧୁଆ ରୂପ ଜଳାଭିଷେକ ଵର୍ଷା ଋତୁ ଆରମ୍ଭ ହୋଇ ପୃଥିଵୀରେ ନୂତନ ଜୀଵ ଓ ପାଦପ ସୃଷ୍ଟିର ସଂକେତ ଦିଆଯାଇଛି ।
ସେହିପରି ଦୀପାଵଳି ସମୟରେ ବଡ଼ବଡ଼ୁଆ ଡାକି କାଉଁରିଆ କାଠିରେ ଅଗ୍ନି ସଂଯୋଗ କରିଵା ଆଗକୁ ଆସୁଥିଵା ଶୀତ ଋତୁରେ ଶୀତଠାରୁ ସତର୍କ ରହିଵାର ସଂକେତ ରୂପେ ପାଳିତ ହୋଇଅଛି ।
କଳିଙ୍ଗୋଡ୍ରୋ଼ତ୍କଳ ଏଥିପାଇଁ ଅନନ୍ୟ କାରଣ ଏହି ମାଟିର ପ୍ରତ୍ୟେକ ପର୍ଵ ପଛରେ ରହିଛି ଵୈଜ୍ଞାନିକ କାରଣ...
No comments:
Post a Comment