Sunday, November 12, 2023

ଉତ୍କଳୀୟ ଦୀପାଵଳି ଏଵଂ ଏହାର ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ସମ୍ବନ୍ଧ

ଆଲୋକର ପର୍ଵ ଦୀପାଵଳି ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ପାରମ୍ପରିକ ପର୍ଵ ଭାବେ ପାଳିତ ହୋଇଥାଏ । ନେପାଳରେ ଦୀପାଵଳିକୁ ନେୱାରୀ ଲୋକେ 'ସ୍ୱାନ୍ତୀ' ପର୍ଵ ନାମରେ ପାଳନ କରିଥାନ୍ତି । ଏହା ଏକ ପାଞ୍ଚ ଦିନିଆ ପର୍ଵ, ଯେଉଁଥିରେ ପ୍ରଥମ ଦିନରେ କାଉ, ଦ୍ୱିତୀୟ ଦିନରେ କୁକୁର ଓ ତୃତୀୟ ଦିନରେ ଗାଈମାନଙ୍କୁ ଯଥାକ୍ରମେ କାଗ୍ ତିହାର୍,କୁକୁର୍ ତିହାର୍ ଓ ଗାଏ ତିହାର୍ ଅଵସରରେ ଖାଇଵାକୁ ଦିଅନ୍ତି। ଦେଵୀ ଲକ୍ଷ୍ମୀଙ୍କୁ ତୃତୀୟ ଦିନରେ ପୂଜା କରାଯାଏ । ଚତୁର୍ଥ ଦିନକୁ ଗୋଵର୍ଦ୍ଧନ ପୂଜା ତଥା ନୂଆ ଵର୍ଷ ରୂପେ ପାଳନ କରାଯାଏ ଏଵଂ ତା’ପରେ ପଞ୍ଚମ ଦିନରେ ଭାଇ ଟିକା ତିହାର୍ ପାଳିତ ହୁଏ । ମାଲେସିଆରେ ମଧ୍ୟ ଦୀପାଵଳି ପାଳନ କରାଯାଏ। ଏହା ଵ୍ୟତୀତ ଦୀପାଵଳି ଅଵସରରେ ସିଙ୍ଗାପୁରରେ ଗୋଟିଏ ଦିନର ପ୍ରଶାସନିକ ଅଵକାଶ ଦିଆଯାଏ ତଥା ଏଠାରେ ଵିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଶ୍ରୀଲଙ୍କାରେ ବି ଦୀପାଵଳି ପାଳନ କରାଯାଏ। ଏଠାକାର ତାମିଲ ସମ୍ପ୍ରଦାୟର ଲୋକମାନେ ବି ଦୀପାଵଳି ଦିନ ତେଲ ସ୍ନାନ କରିଵା ପରେ ନୂତନ ପୋଷାକ ପିନ୍ଧନ୍ତି ଏଵଂ ପୂଜା କରନ୍ତି।


ଦୀପାଵଳି ପାଳନ କେବେଠାରୁ ଆରମ୍ଭ ହୋଇଛି ତାହା ଅସ୍ପଷ୍ଟ ତେବେ ଏହା ଯେ ଏକ ପ୍ରାଚୀନ ପର୍ଵ ଏଥିରେ କେହି ବି ଦ୍ଵିମତ ହେବେ ନାହିଁ । ପୌରାଣିକ କଥାନୁସାରେ ଦୀପାଵଳି ପର୍ଵ ସତ୍ୟଯୁଗରୁ ଏଯାଵତ୍ ପାଳିତ ହେଉଅଛି । ଦୀପାଵଳି ପାଳନ ସମ୍ବନ୍ଧୀୟ ଵିଭିନ୍ନ ପୌରାଣିକ କଥାଵସ୍ତୁ ରହିଛି । 

କୁହାଯାଏ ଏହିଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଅଵତରଣ କରିଥିଲେ ତେଣୁ ଦୀପାଵଳି ଦିନରେ ଲକ୍ଷ୍ମୀଙ୍କର ପୂଜା କରାଯାଏ । କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ଵଧ କରିଵା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏଵଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇଵା ପାଇଁ ତଳେ ଶୋଇ ପଡିଥିଲେ। ଏହି ଘଟଣା ଦୀପାଵଳି ତିଥିରେ ଘଟିତ ହୋଇଥିଲା ତେଣୁ ଦୀପାଵଳିରେ କାଳି ପୂଜା ଅନୁଷ୍ଠିତ ହୋଇଥାଏ । ପୁଣି ପୌରାଣିକ ଆଖ୍ୟାନ ଅନୁସାରେ ଏହିଦିନ ଭଗଵାନ ଶ୍ରୀଵିଷ୍ଣୁ ହିରଣ୍ୟକଶିପୁକୁ ଵଧ କରିଥିଲେ। ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଭଗଵାନ ଵିଷ୍ଣୁ ଵାମନ ଅଵତାର ଧାରଣ କରି ଦୀପାଵଳି ଦିନ ରାଜା ବଳିଙ୍କ ପାଖରୁ ମାତା ଲକ୍ଷ୍ମୀଙ୍କୁ ମୁକ୍ତ କରିଥିଲେ । ରାମାୟଣ ଅନୁସାରେ ଏହି ଦୀପାଵଳି ଦିନ ୧୪ ଵର୍ଷ ଵନଵାସ ଶେଷ କରି ଭଗବାନ ଶ୍ରୀରାମ,ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଵର୍ତ୍ତନ କରିଥିଲେ । ଏହି ଆନନ୍ଦ ଅଵସରରେ ସମ୍ପୂର୍ଣ୍ଣ ଅଯୋଧ୍ୟାରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଭଗଵାନ ଶ୍ରୀକୃଷ୍ଣ ନରକାସୁର ନାମକ ଅସୁରକୁ ଦୀପାଵଳି ଦିନରେ ଵଧକରି ୧୬୦୦୦ ସ୍ତ୍ରୀଙ୍କୁ ଉକ୍ତ ଅସୁର କଵଳରୁ ରକ୍ଷା କରିଥିଲେ । ଏଥିପାଇଁ ଦୀପାଵଳି ପର୍ଵକୁ ଵିଜୟ ପର୍ଵ ମଧ୍ୟ କୁହାଗଲା । ମହାଭାରତ ଅନୁସାରେ କୌରଵ ଓ ପାଣ୍ଡଵଙ୍କ ମଧ୍ୟରେ ଯେତେବେଳେ ପଶାଖେଳ ହୋଇଥିଲା ଉକ୍ତ ଖେଳରେ ପାଣ୍ଡବ ହାରି ୧୨ ଵର୍ଷ ପାଇଁ ଅଜ୍ଞାତ ବାସ ଗଲେ । ତେବେ ଏହି ଦୀପାଵଳି ଦିନ ପାଣ୍ଡଵ ଅଜ୍ଞାତ ବାସ ସମାପ୍ତ କରି ଘରବାହୁଡ଼ା ହୋଇଥିଲେ । ପାଣ୍ଡଵଙ୍କ ଲେଉଟାଣି ପରିପ୍ରେକ୍ଷୀରେ ଦୀପ ପ୍ରଜ୍ୱଳନ କରି ଦୀପାଵଳି ପାଳନ କରାଯାଇଥିଲା ।

ରାଜା ବିକ୍ରମାଦିତ୍ୟଙ୍କ ରାଜତିଳକ ମଧ୍ୟ ଦୀପାଵଳି ତିଥିରେ ସମ୍ପନ୍ନ ହୋଇଥିଲା ବୋଲି କିମ୍ବଦନ୍ତୀ ରହିଛି। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜର ସ୍ଥାପନା ମଧ୍ୟ ଏହି ଦୀପାଵଳି ଦିନ ହୋଇଥିଲା । 

ଜୈନ ଅନୁଗାମୀମାନଙ୍କ ପାଇଁ ଖ୍ରୀଷ୍ଟପୂର୍ଵ ୫୨୭ରେ ହୋଇଥିଵା ମହାଵୀରଙ୍କର ମୋକ୍ଷ ଵା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ଦୀପାଵଳିକୁ ପାଳନ କରାଯାଇଥାଏ । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାଵୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କ ପାଖରେ ବହୁ ଜୈନ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିଵୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେଵ, ଏହା ହିଁ ସେମାନେ ଚିନ୍ତାକଲେ । ତେଣୁ ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ଦିହୁଡ଼ି ଜଳାଇ ଦିଵ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେଇଵାର ପରମ୍ପରା ଜୈନମାନଙ୍କ ମଧ୍ୟରେ ଚାଳିଆସୁଛି । ଏହି ଅଵସରରେ ଜୈନମାନେ ଦୀପ ପ୍ରଜ୍ବଳନ ତଥା ମିଷ୍ଟାନ୍ନ ବଣ୍ଟନ କରିଥାନ୍ତି । ଜୈନ ଵ୍ୟଵସାୟୀମାନେ ହିସାବଖାତା ଓ ମୁଦ୍ରା ପୂଜାକରନ୍ତି । ସେହିଵର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରଵର୍ତ୍ତୀ ଆଠଦିନ କୌଣସି ଵ୍ୟଵସାୟ କରନ୍ତି ନାହିଁ । ଏହାର ନଵମଦିନରେ ଜୈନ ନଵଵର୍ଷ ପାଳିତ ହୁଏ ।

ପୁନଶ୍ଚ ଏହି ଦୀପାଵଳି ଦିନ ଭଗଵାନ ଗୌତମ ବୁଦ୍ଧ ୧୮ ଵର୍ଷ ପରେ ନିଜ ଜନ୍ମସ୍ଥାନ କପିଳଵସ୍ତୁକୁ ଫେରିଥିଲେ ବୋଲି ବୌଦ୍ଧମାନଙ୍କର ଲୋକଵିଶ୍ୱାସ ପ୍ରଚଳିତ । କୁହାଯାଏ କପିଳଵସ୍ତୁରେ ଗୌତମ ବୁଦ୍ଧଙ୍କ ସ୍ଵାଗତ ସତ୍କାର ପାଇଁ ଲକ୍ଷାଧିକ ଦୀପ ପ୍ରଜ୍ଵଳନ କରାଯାଇଥିଲା ଏଵଂ ସେହି ସମୟରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ "ଆପୋ ଦୀପୋ ଭଵ" ଉପଦେଶ ଦେଇଥିଲେ । ସେବେଠାରୁ ତାଙ୍କ ସ୍ମୃତିରେ ବୌଦ୍ଧମାନେ ଦୀପାଵଳି ପର୍ଵକୁ ମହତ୍ତ୍ଵ ଦେଇ ଆସିଛନ୍ତି ‌।

ସିଖ୍ ପନ୍ଥର ଲୋକେ ଦୀପାଵଳିକୁ ବନ୍ଦୀଛୋଡ଼୍ ଦିଵସ ରୂପେ ପାଳି ଥାଆନ୍ତି ।
ଔରଙ୍ଗଜେବଦ୍ୱାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋଵିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖମାନଙ୍କର ଦୃଢ଼ ସଂଗ୍ରାମ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ହରଗୋଵିନ୍ଦ ସିଂହଙ୍କୁ ସ୍ୱାଗତକରିଵା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାଵଳି ଦିନ କାରାମୁକ୍ତ ହୋଇ ଥିଵାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିଵସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି ।ପାରମ୍ପରିକ ଭାଵେ ଏହିଦିନରେ ଶିଖ‌୍‌ମାନେ ଗୋଇନ୍ଦଵାଲ୍ ସାହିଵ୍ ଗୁରୁଦ୍ୱାରାକୁ ତୀର୍ଥକରି ଯାଆନ୍ତି । 

କିଛି ଗଵେଷକ କୁହନ୍ତି ଦୀପାଵଳି ଏକ କୃଷିଭିତ୍ତିକ ପ୍ରାଚୀନ ପର୍ଵ ଏଵଂ ଭାରତର ଜଳଵାୟୁ ପ୍ରାୟତଃ ସମାନ ହୋଇଥିଵାରୁ ସର୍ଵଭାରତୀୟ ପର୍ଵ ରୂପେ ଏହା ପ୍ରତିଷ୍ଠିତ ହୋଇପାରିଛି ।  

ଦୀପାଵଳିକୁ ନେଇ ନାନା ଲୋକମତ ଥିଲେ ବି ଗଵେଷକମାନେ କୁହନ୍ତି ଏହା ପ୍ରକୃତରେ ଏକ କୃଷିଭିତ୍ତିକ ପର୍ଵ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନଵସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧିପାଏ। କାର୍ତ୍ତିକ ଅମାଵାସ୍ୟା ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଵା ଯୋଗୁଁ ଜନଜୀଵନ ଅସ୍ତଵ୍ୟସ୍ତ ହୋଇପଡ଼େ। ପ୍ରାଚୀନ କାଳରେ ଅମାଵାସ୍ୟା ପୂର୍ଵ ଓ ପରକୁ ମିଶାଇ ପାଞ୍ଚଦିନ ଦିହୁଡ଼ି, ଦୀପ ଓ ଅଗ୍ନି ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିଲା। କାର୍ତ୍ତିକ ମାସଯାକ ପୁଣି ଆକାଶଦୀପ ଜଳାଇଵାର ପରମ୍ପରା ରହିଛି । ଦୀପାଵଳି ରାତିରେ କାଉଁରିଆ କାଠି ଜଳାଇଵା ପଛରେ ମଧ୍ୟ ଏହି ଉଦ୍ଦେଶ୍ୟ ଥାଇପାରେ । 

ସେ ଯାହାବି ହେଉ ଦୀପାଵଳି ଆଲୋକର, ଦୀପଦାନର ପର୍ଵ ସେଥିପାଇଁ ଦୀପ ଓ ଆଵଳି ଶବ୍ଦକୁ ନେଇ ଦୀପାଵଳି ନାମକରଣ କରାଯାଇଛି । ଏହି ଦୀପାଵଳି ଶବ୍ଦର ଆକ୍ଷରିକ ଅର୍ଥ ଦୀପପୁଞ୍ଜ ଅଟେ । ଦୀପାଵଳି ଶବ୍ଦରେ ଯେଉଁ ଆଵଳି ଶବ୍ଦ ଅଛି ତହିଁର ଅନେକ ଅର୍ଥରେ ଵ୍ୟଵହାର ରହିଛି । ଯଥା―ଶ୍ରେଣୀ; ପଂକ୍ତି ଵା ଧାଡ଼ି,ସମୂହ,ଵଂଶ ଓ ଏକସାଜ ଇତ୍ୟାଦି । ତେବେ ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ୟଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ହୋଇଅଛି । ଆମଭାଷାରେ ଦୀପାଵଳି ଶବ୍ଦ ଛଡ଼ା ଦିପାଳୀ,ଦେଆଲୀ,ଦେଵାଲୀ ଓ ଦିଆଲି ଆଦି ଦେଶଜ ଶବ୍ଦର ଵ୍ୟଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି ।

ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା । ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ୟଵହାର ହୋଇଥିଵା ଦେଖାଯାଏ
                
“ଆରେ ଛତରା ! 
 ଦଶରା ଗଲା; ଦିଆଲି ଗଲା
 ବାକି ରହିଗଲା ବାଲିଯାତରା”                                             

କାର୍ତ୍ତିକ କୃଷ୍ଣ ଅମାଵାସ୍ୟା ତିଥିରେ ଆମ ଦେଶରେ ଦୀପାଵଳି ଅନୁଷ୍ଠିତ ହୋଇଥାଏ ଏଵଂ ଏହି ତିଥିର ଵିଭିନ୍ନ ନାମ ରହିଛି । ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାର ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା । ଦୀପାଵଳିରେ ଵାଣ ଫୁଟାଯାଉଥିଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାକୁ ଫଟାକି ଉଆଁସ କୁହାଯାଏ । ଆମ କଳିଙ୍ଗ ଦେଶରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟା ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ । ଫଳତଃ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାକୁ ଓଡ଼ିଶାରେ ପୟା ଅମାଵାସ୍ୟା ଵା ପିମ୍ପେଇ ଅମାଵାସ୍ୟା,ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଓଡ଼ିଶାରେ ଦୀପାଵଳି ସବୁଠାରୁ ନିଆରା ଏଵଂ ଏହାକୁ ଭିନ୍ନ ତଥା ସ୍ଵତନ୍ତ୍ର କରେ ପିମ୍ପେଇ ଅମାଵାସ୍ୟାରେ ବଡ଼ବଡ଼ୁଆ ଡକା ଆଉ ଅନ୍ୟାନ୍ୟ ଉତ୍କଳୀୟ ରୀତିନୀତି । 

ଦୀପାଵଳି ଦିନ ଓଡ଼ିଶାରେ କାର୍ତ୍ତିକ ଅମାଵାସ୍ୟାରେ ପୟାଶ୍ରାଦ୍ଧ ଆୟୋଜିତ ହୋଇଥାଏ ଏଵଂ ଏଥିରେ ଲୋଡ଼ାହୁଏ ପିମ୍ପେଇ କାଠି । ସାଧାରଣତଃ କାଉଁରିଆ କାଠି,ଝୋଟ,ବାଳୁଙ୍ଗା(ନୀଵାର ଧାନ୍ୟ)ଗଛ, ରାଶିଫୁଲ ଓ ସୁଆମ ଲଈ ଦେଇ ପ୍ରସ୍ତୁତ
ହୁଏ ଏହି ପିମ୍ପେଇ କାଠି । ପ୍ରଥମେ ଏହି ପିମ୍ପେଇ କାଠିକୁ ଦୁଆର କିଂଵା ଯେଉଁଠି ପୂର୍ଵପୁରୁଷଙ୍କୁ ପିଣ୍ଡ ବଢ଼ାଯାଇଥାଏ ସେଠାକୁ ଅଣାଯାଏ ଏଵଂ ତହିଁର ବନ୍ଦାପନା ପରେ ଗୃହର ଇଶାଣରେ ଵା ଇଷ୍ଟଦେଵଙ୍କ ନିକଟରେ ରଖି ମହିଳାମାନଙ୍କ ଦ୍ଵାରା ହୁଳହୁଳି ଆଦି ମଙ୍ଗଳଧ୍ଵନି ସହ ପୁଣି ବନ୍ଦାପନା କରାଯାଏ । ତହିଁ ପରେ ଭିତରଘରେ ଵା ଇଶାଣଘରେ ଜଳୁଥିଵା ଦୀପଦ୍ଵାରା ସେଥିରେ ଅଗ୍ନି ସଂଯୋଗ ହୋଇଥାଏ । ପରିଵାର ତଥା କୁଟମ୍ଵର ଆତ୍ମୀୟ ସ୍ଵଜନ ଏଥିରୁ ଗୋଟାଏ ଗୋଟାଏ ଧରି ଦାଣ୍ଡକୁ ନିଅନ୍ତି ଓ ଯାଉଥିଵା ସମୟରେ ବଡ଼ବଡୁ଼ଆ ଡାକି ଡାକି ଯାଆନ୍ତି । ପୁଣି ଦାଣ୍ଡରେ ସମସ୍ତେ ନିଜ ନିଜ ପିମ୍ପେଇ କାଠି ରଖି ପୁନଶ୍ଚ ବଡ଼ବଡୁ଼ଆଙ୍କୁ ଡାକିଥାଆନ୍ତି ।

“ବଡ଼ ବଡ଼ୁଆ ହୋ ...                  
ଅନ୍ଧାରରେ ଆସି ଆଲୁଅରେ ଯାଅ ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ”                                            

ଅଞ୍ଚଳ ଭେଦରେ ଏହି ପରମ୍ପରା ଭିନ୍ନ ଭିନ୍ନ ଭାବରେ ପାଳିତ ହୋଇଥାଏ । କେଉଁଠି କେଉଁଠି ଦେଖାଯାଏ ଯେ ଲୋକେ କାଉଁରିଆ କାଠି ବିଡ଼ାରେ ନିଆଁ ଧରାଇ ଗାଁ ବାହାରେ ଗୋବରରେ ଲିପା ହୋଇଥିଵା ଉଚ୍ଚସ୍ଥାନରେ ପଣସ ପତ୍ରରେ ନେଇ ପିଣ୍ଡ ବାଢି଼ଥାନ୍ତି । ସେଠାରେ ପିତୃପୁରୁଷଙ୍କୁ ଅତି ଶ୍ରଦ୍ଧାର ସହିତ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନୂଆଵସ୍ତ୍ର ପିନ୍ଧି ଵିଦାୟ ସମ୍ବର୍ଦ୍ଧନା ଜଣାଇଥାନ୍ତି । ଆଉ କେତେକ ଅଞ୍ଚଳରେ
ପିମ୍ପେଇ ଅମାଵାସ୍ୟା ଦିନ ସନ୍ଧ୍ଯା ପରେ ପିଣ୍ଡଵର୍ଜ୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୁପ ଦୀପ ଅର୍ଥାତ୍ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଏଵଂ ତହିଁ ପରେ ବଡ଼ବଡୁ଼ଆ ଡକାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିମ୍ପେଇ ଶ୍ରାଦ୍ଧର ଏହି ରୀତିଟି ଉଲ୍ଲେଖ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦର
ଅନ୍ୟ ଅନେକ ରୂପର ମଧ୍ୟ ଲେଖାଅଛି ଯଥା:ପିମ୍ପାଇ,ପିମ୍ପେଇ,ପିପାଇ,ପିପେଇ,ପିମ୍ପା ଶ୍ରାଦ୍ଧ,ପପୋଇ ଅମେଇସା, ପିମ୍ପା ଇଆଁଶ, ପିମ୍ପେଇ ଅମାସିଆ,
ଓ ପିମ୍ପାଇ ଅମାଇସା ଇତ୍ୟାଦି ଇତ୍ୟାଦି ।

ଭାଷାକୋଷ ଅନୁସାରେ ଏହି ପିପେଇ ଵା ପିମ୍ପେଇ ଶବ୍ଦଟି ତତ୍ସମ ପୂପାଳି କିଂଵା ପୂପଦୀପ ଶବ୍ଦ ସହିତ ସମୋଦ୍ଧୃତ । ପୂପ ଓ ଆଳୀ ଶବ୍ଦ ଯୁକ୍ତ ହୋଇ ପୂପାଳୀ ଶବ୍ଦର ସୃଷ୍ଟି । ପୂପ,ପୂପଳା ଓ ପୂପାଳୀ ଶବ୍ଦର ଅର୍ଥ ପିଠା ଏଵଂ ସାଧାରଣତଃ ଘିଅପିଠାକୁ ପୂପଳା ଓ ପୂପାଳୀ କୁହାଯାଏ । ଏହି ଜାତୀୟ ପିଠାକୁ ଆଜିକାଲି ଓଡ଼ିଶାରେ ପୁଳୀ ପିଠା କୁହାଯାଏ ଏଵଂ ପୁଳୀ ଶବ୍ଦଟି ପୂପାଳୀର ଓଡ଼ିଆ ସମୋଦ୍ଧୃତ ରୂପ ।ଓଡ଼ିଆମାନଙ୍କ ମଧ୍ୟରେ ଲୋକଵିଶ୍ବାସ ପ୍ରଚଳିତ ଯେ ପିତୃପୁରୁଷମାନେ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ଅମାଵାସ୍ୟା ପର୍ଯ୍ୟନ୍ତ ମର୍ତ୍ତ୍ୟଲୋକରେ ଵାସକରି ନିଜ ଵର୍ତ୍ତମାନ ଵଂଶଜମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଅଵଲୋକନ କରିଥାନ୍ତି । ପୟାଶ୍ରାଦ୍ଧ ଦିନ ଘରେ ପିତୃପୁରୁଷଙ୍କ ନିମନ୍ତେ ସ୍ଵତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ । ଶ୍ରାଦ୍ଧ ପାଇଁ କଦଳୀ, ନଡି଼ଆ ତଥା ଚାଉଳ ଆଦିରେ ନୈଵେଦ୍ୟ ପ୍ରସ୍ତୁତ ହୁଏ । ଉଲ୍ଲେଖ ଯୋଗ୍ୟ ଯେ ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ପିମ୍ପେଇ ଅମାଵାସ୍ୟାର ମଧ୍ୟ ସମ୍ବନ୍ଧ ରହିଛି । ସାଧଵମାନଙ୍କ ଵାଣିଜ୍ୟ ବେପାରର ଐତିହ୍ୟ ଅନୁଶୀଳନ କଲେ ଜଣାଯାଏ ଯେ ସେମାନେ ଵର୍ଷା ଚାରିମାସ ଆରମ୍ଭ ପୂର୍ଵରୁ ନୁହେଁ ଵରଂ ଵର୍ଷା ଚାରିମାସ ଚାଲିଗଲା ପରେ ଜଳପଥରେ ଵିଦେଶ ଯାଉଥିଲେ । କାରଣ ପୂର୍ଵକାଳରେ ଵର୍ଷା ଚାରିମାସ ଆରମ୍ଭ ପୂର୍ଵରୁ ସମୁଦ୍ରର ଜଳପଥ ଵିପଦପୂର୍ଣ୍ଣ ରହୁଥିଲା । ପୂର୍ଵକାଳରେ କାର୍ତ୍ତିକ ମାସରେ ମାଆ ଲକ୍ଷ୍ମୀଙ୍କୁ ଆରାଧନା କଲାପରେ କାର୍ତ୍ତିକ ଅମାଵାସ୍ୟା ଦିନ ସାଧଵ ଘରର ଵୋହୂମାନେ ବୋଇତ ପାଖକୁ ଯାଇ ତାହାର ବନ୍ଦାପନା କରୁଥିଲେ ‌। ଵାଣିଜ୍ୟପୋତ ଵ୍ୟଵସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିଵା ସମୟରେ ଓ ଵିଦେଶରୁ ଫେରିଆସିଵା ସମୟରେ ବଣିକଙ୍କ ସ୍ତ୍ରୀମାନେ ଦୁର୍ଵା,ପୁଷ୍ପ,ଶୁଭ ଫଳ ଓ ସାତଦୀପ ଆଦି ଦ୍ୱାରା ଵାଣିଜ୍ୟପୋତକୁ ବନ୍ଦାପନା କରୁଥିଲେ ସେହି ପରମ୍ପରାକୁ ବୋଇତ ବନ୍ଦାଣ ପରମ୍ପରା କୁହାଯାଉଥିଲା । ଏହି ଅଵସରରେ ଶୁଭ ମଙ୍ଗଳମୟ ବୋଇଯାତ୍ରା ସକାଶେ ଗଙ୍ଗାମାତା ଓ ମାଆମଙ୍ଗଳାଙ୍କର ଆରାଧନା କରାଯାଉଥିଲା । କାର୍ତ୍ତିକ ଅମାଵାସ୍ୟା ଦିନ ବୋଇତ ବନ୍ଦାଣ ହେଵା ପରେ ବୋଇତରେ ଵିଦେଶକୁ ଵିକ୍ରି ପାଇଁ ଯାଉଥିଵା ସୂକ୍ଷ୍ମ ଵସ୍ତ୍ର, ଭାରତୀୟ ଶସ୍ୟ ଓ ଔଷଧ ଆଦି ବୋଇତରେ ରଖାଯାଏ । କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୋଇତରେ ଦରଵ ଭରିଵା କାମ ଚାଲେ ଏଵଂ କାର୍ତ୍ତିକ ପୂର୍ଣ୍ଣିମା ଵା ତତ୍ପର ଦିନଠାରୁ ବୋଇତରେ ବସି ସାଧଵମାନେ ଵିଦେଶକୁ ଗମନ କରନ୍ତି । ସାଧଵମାନେ ଆଫ୍ରିକା,ଏସିଆର ଵିଭିନ୍ନ ଦେଶରେ ଵାଣିଜ୍ୟ କଲାପରେ ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ରଜସଂକ୍ରାନ୍ତି ମଧ୍ୟରେ ପୁଣି କଳିଙ୍ଗ ଅଭିମୁଖେ ବାହୁଡ଼ା ଯାତ୍ରା କରୁଥିଲେ । ଏହି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଶେଷ ପାଦଚିହ୍ନ ଓଡ଼ିଆ ଘରର କ୍ରମଶଃ ଲୁପ୍ତ ହେଵାକୁ ବସିଥିଵା ବୋଇତ ବନ୍ଦାଣ ଓ ବୋଇତ ଭସାଣି ପର୍ଵ ମଧ୍ୟରେ ରହିଯାଇଛି । ଅଵଶ୍ୟ ଆଜି ଅଧିକାଂଶ ଓଡ଼ିଆ ବୋଇତ ଭସାଣି ପର୍ଵ ପାଳନ କରୁଥିଲେ ବି ବହୁତ କମ୍ ଓଡ଼ିଆଙ୍କୁ ବୋଇତ ବନ୍ଦାଣ ଵିଷୟରେ ଜଣାଅଛି । ସାରା ଓଡ଼ିଶାର ଲୋକେ ବୋଇତ ବନ୍ଦାଣ କ'ଣ ଭୁଲିଯାଇଥିଵା ବେଳେ କେଵଳ ସାଧଵ କୁଳରେ କେତେକ ପରିଵାର ମଧ୍ୟରେ ବୋଇତ ବନ୍ଦାଣ ଏକ ସାଂସ୍କୃତିକ ଅନୁଷ୍ଠାନ ରୂପେ ବଞ୍ଚିରହିଯାଇଛି ‌ । ତେବେ ଆଗେ ଓଡ଼ିଶାର ଘରେ ଘରେ ବୋଇତ ବନ୍ଦାଣ ଓ ବୋଇତ ଭସାଣି ପର୍ଵ ଅନୁଷ୍ଠିତ ହେଉଥିଲା । ଶହେ ଵର୍ଷ ତଳର ଓଡ଼ିଆ ଭାଷାକୋଷ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"ରେ ଉଲ୍ଲେଖ ଅଛି ଯେ “ଆଗେ କାର୍ତ୍ତିକ ମାସରେ ଦୀପାଵଳି (ଦେବାଲୀ) ଅମାଵାସ୍ୟାର ରାତି ନ ପାହୁଣୁ ଓଡ଼ିଶାର ହିନ୍ଦୁ ଗୃହିଣୀମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ତହିଁ ଉପରେ ଘରର ବାକ୍ସ, ସିନ୍ଦୁକ, ପେଡ଼ି, ପେଟରା ଆଦି ରଖି ଲକ୍ଷ୍ମୀପୂଜା କରୁଥିଲେ । ପୂର୍ଵେ ଏହି ସମୟରେ ଉତ୍କଳର ସାଧଵ (ମହାଜନ) ମାନେ ଵାଣିଜ୍ୟାର୍ଥ ବୋଇତରେ ଵିଦେଶଯାତ୍ରା କରୁଥିଲେ। ସେହିପରି ରଜସଂକ୍ରାନ୍ତି ତୃତୀୟ ଦିନ ମଧ୍ୟ ସ୍ତ୍ରୀ ଲୋକମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ପୂଜା କରୁଥିଲେ। ଅର୍ଥାତ୍ ରଜ ସଂକ୍ରାନ୍ତି ସୁଦ୍ଧା ବୋଇତ ଵିଦେଶରୁ ବାହୁଡ଼ି ଆସୁଥିଲା।” ଵିଭିନ୍ନ ଲୋକଗୀତ ଓ ଲୋକଗଳ୍ପର ଅଧ୍ୟୟନରୁ ଜଣାଯାଏ ଯେ ଆଗକାଳରେ ଵଣିକ ପରିଵାରର ସ୍ତ୍ରୀମାନେ ଫୁଲ ଓ ଦ୍ଵୀପ ନେଇ ବୋଇତକୁ ବନ୍ଦାପନା କରିଵାକୁ ଯାଉଥିଲେ । ଅଧୁନା କେତେକ ସାଧଵ କୁଳରେ ହିଁ କେଵଳ ବୋଇତ ବନ୍ଦାଣ ପରମ୍ପରା ଏକ ସାଂସ୍କୃତିକ ଅନୁଷ୍ଠାନ ଭାବରେ ବଞ୍ଚିରହିଛି । ଏହି ଅନୁଷ୍ଠାନର ଆରମ୍ଭରେ ମୁରୁଜ ସାହାଯ୍ୟରେ ଗୋଟିଏ ବଡ଼ ବୋଇତ ଚିତ୍ର ଅଙ୍କନ କରାଯାଏ । ବୋଇତ ଚାରିପଟେ ୩/୪ ପିଢ଼ିର ସମସ୍ତ ପୁରୁଷ ବସନ୍ତି ; ଘରର ସଵୁ ଵୋହୂମାନେ ସେଠାରେ ବୋଇତକୁ ବନ୍ଦେଇ ସାଧଵଙ୍କୁ ପାଛୋଟି ନେଇଥାନ୍ତି । ବୋଇତକୁ ଘେରି ବସିଵା ପରେ ସାଧଵଙ୍କର ଆରମ୍ଭ ହୁଏ କଉଡ଼ି ଖେଳ ; ଯିଏ ଜିତେ , ସେ ହୁଏ ସେହି ଵର୍ଷର ସଵୁଠାରୁ ଉତ୍କୃଷ୍ଟ ସାଧଵ ! ତାପରେ ବୋଇତ ନିକଟରୁ କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡ଼ୁଆ ଵା ପୂର୍ଵପୁରୁଷଙ୍କୁ ଆଵାହନ କରାଯାଏ । ବୋଇତରେ ବସି ଦୂର ଦେଶକୁ ଵାଣିଜ୍ୟ ହେତୁକ ଯାତ୍ରାର ଏହା ଏକ ସାଂସ୍କୃତିକ ସନ୍ତକ । ଅଵଶ୍ୟ ଏହି ପରମ୍ପରା ଆଜି ଅନେକ ସାଧଵ ପରିଵାର ଛାଡ଼ି ସାରିଲେଣି କିନ୍ତୁ ଏହା ପ୍ରକୃତରେ ଓଡ଼ିଶାର ପ୍ରାଚୀନ ନୌଵାଣିଜ୍ୟର ସ୍ମୃତିଚିହ୍ନ ଅଟେ । ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଯେଉଁ ସବୁ ଦେଶରେ ଆଗେ କଳିଙ୍ଗର ନୌଵାଣିଜ୍ୟ ସମ୍ପର୍କ ଥିଲା ଫଳତଃ ତନ୍ମଧ୍ୟରେ ଅଧିକାଂଶ ଦେଶର ଭାଷାରେ ବୌଦ୍ଧ ଓ ସନାତନ ଧର୍ମ ଓ ପାଲି ଭାଷାର ପ୍ରଭାଵ ପଡ଼ିଥିଲା । ଏଥିପାଇଁ ଏହି ସବୁଦେଶରେ ଵୈଶାଖ ପୂର୍ଣ୍ଣିମା ଵା ମହାଵିଷୁଵ ପଣା ସଂକ୍ରାନ୍ତି ପରି ଦୀପାଵଳି ମଧ୍ୟ କେତେକ ଦେଶରେ ଜାତୀୟ ପର୍ଵ ଭାବରେ ପାଳନ କରାଯାଏ । ପୂର୍ଵେ ବୋଇତଯାତ୍ରାର ସବୁ ରୀତିନୀତିର ଆରମ୍ଭ ହେଉଥିଲା ପୟାଶ୍ରାଦ୍ଧଠାରୁ ଏଵଂ ଶେଷ ହେଉଥିଲା କାର୍ତ୍ତିକ ପୂର୍ଣ୍ଣିମା ପର ନୌଯାତ୍ରା ସମୟରେ ବୋଇତ ବନ୍ଦାଣ ଓ ବୋଇତ ଵିଦାରୁ ତେଣୁ ପ୍ରାଚୀନ ଓଡ଼ିଆ ନୌଵାଣିଜ୍ୟ ପରମ୍ପରାରେ କାର୍ତ୍ତିକ ଅମାଵାସ୍ୟା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଦିଵସ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ । ଅଵଶ୍ୟ ସାରା ଭାରତଵର୍ଷରେ ଦୀପାଵଳି ପର୍ଵକୁ ପାଳନ କରାଯାଏ କିନ୍ତୁ ଓଡ଼ିଶାର ଦୀପାଵଳି ପର୍ଵ ପ୍ରାଚୀନ ନୌଵାଣିଜ୍ୟ ସହିତ ସମ୍ବନ୍ଧିତ ଥିଵାରୁ ଏହା ସବୁଠାରୁ ନିଆରା ଓ ମୌଳିକ ହୋଇପାରିଛି । 

••••••••••••••••••••••••••
ତଥ୍ୟ: ଶିଶିର ସାହୁ ମନୋଜ ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
(ଆଲୋକ ଚିତ୍ର : ଶିଶିର ସାହୁ ମନୋଜ ଓ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ )
•••••••••••••••••••••••••

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...