ମୋହନ ମୁଦୁଲି ସାଙ୍ଗରେ ମୋର ଦେଖା ହୋଇଥିଲା ରାମଗିରି ଵନ ଵିଭାଗର ଡାକବଙ୍ଗଳାରେ । ସେ ସେଠାକାର ଚୌକିଦାର । ଵୟସ ତା'ର ଷାଠିଏ ଡେଇଁବଣି। ତେବେ ସରକାରୀ ଖାତାପତ୍ରରେ ଏବେ ବି ତା'ର ପାଞ୍ଚ ସାତ ଵର୍ଷ ଚାକିରୀ ରହିଚି । ଖାକୀ କନାର ଗୋଟିଏ ସାର୍ଟ, ତା' ତଳକୁ ଖଣ୍ଡେ ଅଧ ମଇଳା ଆଠହାତି ଧୋତି ପିନ୍ଧି, ମୁଣ୍ଡରେ ଠେକାଟିଏ ଭିଡ଼ି ସେ ଵିନୀତ ଭାଵରେ ମୋ ଆଗରେ ବସିଥିଲା । ସମୟଟା ଫଗୁଣ ମାସ ହେଵ । ସେଦିନ ଆମେ କୋରାପୁଟର ଜୟପୁର ସହରରୁ ଗୁପ୍ତେଶ୍ଵରଙ୍କର ଶିଵରାତ୍ରୀ ମେଳା ଦେଖିଵାକୁ ଯାଉଥାଉ । କୋଲବ୍ ନଦୀ କୂଳରେ ପାହାଡ଼ ଗୁମ୍ଫାରେ ଗୁପ୍ତେଶ୍ଵର ଶିଵଙ୍କର ଆସ୍ଥାନ । ଘଞ୍ଚ ଜଙ୍ଗଲ ଭିତରେ ବାଘ ଭାଲୁ ମେଳା ମେଳା । ତା’ରି ଭିତରେ ନିଜ ପାଇଁ ସ୍ଥାନ ବାଛି-ନେଇଛନ୍ତି ଦେଵ ଦେଵ ମହାଦେଵ । ଵର୍ଷସାରା କୁଆଡ଼େ ବାଘଟିଏ ତାଙ୍କୁ ଜଗି ରହିଥାଏ । ଏକମାତ୍ର ପୁରୋହିତଙ୍କ ଵ୍ୟତୀତ ଆଉ କେହି ତାଙ୍କ ପାଖକୁ ଯାଆନ୍ତି
ନାହିଁ । ଶିଵରାତ୍ରୀ ଦିନ କିନ୍ତୁ ସେଇ ନିକାଞ୍ଚନ ଜାଗା ଵିପୁଳ ଜନସମାଗମ ଯୋଗୁ କୋଳାହଳ ମୁଖରିତ ହୋଇଉଠେ । ନଦୀ ପାରିହୋଇ ଆସନ୍ତି ଆନ୍ଧ୍ର ଆଉ ମଧ୍ୟପ୍ରଦେଶର ଅନେକ ଭକ୍ତ । ତାଙ୍କ ସହିତ ଏ ପଟରୁ ମିଶନ୍ତି ଓଡ଼ିଶାର ଲେକେ । ଗୁପ୍ତେଶ୍ଵରଙ୍କ ମହିମାରୁ ଏଇ ଦିନ ବାଘଭାଲୁମାନେ ବି ଜଙ୍ଗଲ ଭିତରକୁ ପଳାଇଥାଆନ୍ତି । ଦୀର୍ଘ ସମୟଯାଏ ମେଳା ଚାଲେ । ଗୁପ୍ତେଶ୍ବର ଯିଵା ବାଟରେ ପଡ଼େ ରାମଗିରି ପାହାଡ଼ । କେତେକଙ୍କ ମତରେ ଏଇଠାରେ ମହାକଵି କାଳିଦାସ ତାଙ୍କର ପ୍ରସିଦ୍ଧ କାଵ୍ୟ ‘ମେଘଦୂତ’ ଲେଖିଥିଲେ । ସବୁଜ ଵନାନୀର ଦିଗନ୍ତଵିସ୍ତାରୀ କୋଳରେ କୂଟଜସୁରଭିତ ଵନ ଝରଣାର କୂଳେ କୂଳେ ଲମ୍ବି ଯାଇଚି ଏଇ ଛୋଟ ପାହାଡ଼ଟି । ତା'ରି ତଳେ ଵନ ଵିଭାଗର ଵିଶ୍ରାମାଗାର । ଗସ୍ତରେ ଆସିଲେ ହାକିମମାନେ ଏଇଠି ରହିଯାଆନ୍ତି । ସେଇଠି ବସି ସେଇ ମେଘୁଆ ଅପରାହ୍ନରେ ମୋହନ ମୁଦୁଲିଠାରୁ ଏ ବଣ ରାଇଜର
କାହାଣୀ ଶୁଣିଥିଲି, ଯାହା ସହିତ ମିଶିଯାଉଥିଲା ତା’ର ନିଜର ଜୀଵନ । ଜଙ୍ଗଲ ଵିଭାଗର ବଡ଼ ସାହେବ ମୋର ବନ୍ଧୁ । ତାଙ୍କରି ଜିପ୍ରେ ଗୁପ୍ତେଶ୍ୱର ଯାଉଁ ଯାଉଁ ଆମେ ଏଇଠି ଟିକିଏ ଅଟକି ଯାଇଛୁ । ସେପଟେ ଖାଇଵା
ପିଇଵାର ଉତ୍ତମ ଵ୍ୟଵସ୍ଥା । ତା' ଭିତରେ ମୁଦୁଲି ଯେ କେତେବେଳେ ମୋ
ଭିତରେ ଆଗ୍ରହୀ ଶ୍ରୋତାଟିଏ ଆଵିଷ୍କାର କରିନେଇ ଗପର ପେଡ଼ି ଖୋଲି ଦେଇଚି,ଏ କଥା ମୁଁ ନିଜେ ବି ଜାଣେ ନାହିଁ ।
'' ଧନ୍ୟ କହିଵ ସେ ବିଲେଇ ସାହାବକୁ ! କଲମ ଗାରରେ ମତେ ଏଇଠି
ମୁକରିର କରିଦେଲା।” ମୁଦୁଲି ଯାହାକୁ ‘ବିଲେଇ ସାହାବ' ବୋଲି କହିଲା-
ସେ ବୋଧହୁଏ ଉଇଲିୟମ୍ କି ଆର୍ଥର ବେଲୀ ହେବେ । ରାଜୁଡ଼ା ଶାସନରେ ବଣ ଵିଭାଗର ହାକିମ ଥିଲେ । ବଣ ଵିଭାଗର ହାକିମମାନଙ୍କର ଯେଉଁ ତାଲିକା
ସେ ପେଶ୍ କଲା, ସେଥିରୁ ମୋତେ ଧାରଣା ହେଲା ଯେ, ବେଲୀ ସାହେବ ନିଶ୍ଚେ
ଚଳିତ ଶତାବ୍ଦୀର ତୃତୀୟ ଦଶକ ଆଖପାଖର ହାକିମ ହୋଇଥିବେ । ମୁଁ ଏହାପରେ ମୁଦୁଲିକୁ ପଚାରିଲି, “ଆଚ୍ଛା ମୁଦୁଲି, ଏ ବଣ ଭିତରେ
ଏକୁଟିଆ ରହିଵାକୁ ତମକୁ ଡର ଲାଗେ ନାହିଁ ?” ''ଡର ?'' ମୁଦୁଲି ହୋ ହୋ ହସି ଉଠିଲା । ଶାଳ ବଣରୁ ଦଳେ ପକ୍ଷୀ ଉଡ଼ିଗଲେ । ସେ କହିଲା, ‘ଏମିତି ଦିନ ଯାଇଚି ସାର୍, ଯେତେବେଳେ କି ଏଇ ଡାକବଙ୍ଗଳା ହତା ଭିତରେ ମୋତେ ବାଘ ହାବୁଡ଼ିଚି । ହେଲେ ମୋର ଗୋଟାଏ ରଡ଼ିରେ ଛାନିଆ ହୋଇ ଲଙ୍ଗୁଡ଼ ଜାକି ପଳେଇଵାକୁ ବାଟ ପାଇ ନାହିଁ ! ସରକାରୀ ହୁଦା କାନ୍ଧରେ ପଡ଼ିଥିଲେ ବାଘ ତ ଛାର, ନିଜେ ଯମ ମଧ୍ୟ ଆମ ପାଖରେ ପଶିଵାକୁ 'ଡରିଵ ।'' ହୁଦାର ଏଭଳି କରାମତି ଥିଵାର କଥା ମୋତେ ଜଣା । ମୋହନ ମୁଦୁଲିକୁ କହିଲି, “ତମେ ତା’ହେଲେ ଏଇଠି ଅନେକ ଥର ବାଘ ହାବୁଡ଼ିଚ ?
ବଡ଼ ବଡ଼ ଆଖି କରି ମୁଦୁଲି ଆରମ୍ଭ କଲା, “ତମକୁ ମିଛ, ମତେ ସତ ବାବୁ! ହେଲେ କଥାଟା ପରା କାଲି ପରି ମୋ ଆଖି ଆଗରେ ନାଚି ଯାଉଚି । ଆଗେ କ’ଣ ଥିଲା ଏ ଜାଗା । ଏଠିକି କୋଉ ରାସ୍ତା ଥିଲା ନା ଘାଟ ଥିଲା । ଜଙ୍ଗଲରୁ ଶିକାର
କରିଵାକୁ, ମହାରାଜ ତାଙ୍କ ପିଲଝିଲା, ବନ୍ଧୁ ବାନ୍ଧବଙ୍କୁ ନେଇ କେବେ କେମିତି ଅସନ୍ତି ।
ଆଉ ଆସନ୍ତି ନାଲିଆ ମୁହାଁ ସାହାବମାନେ । ସେମାନଙ୍କ ମେମ୍ସାହାବ ଆଉ ବଡ଼ସାନ ବାବାମାନଙ୍କୁ ସାଙ୍ଗରେ ନେଇ । ଏଠି ଖୋଲା ମେଲା ଜାଗାରେ ଘରଟାଏ ତ ଠିଆ କରିଦେଲେ । ପାଚିରି ନା ଫାଚିରି ! ଘର ପଛପଟରୁ ଆରମ୍ଭ ହୋଇଚି
ଜଙ୍ଗଲ ପୁଣି ଏମିତି ସେମିତି ନୁହେଁ ।' ଦିନବେଳେ ବି ଖରପଡ଼ିଵା ମୁସ୍କିଲ୍ । ରାତି ତ ରାତି, ଦିନରେ ବି ବାଘର ରଡ଼ି ଶୁଣିଚି । ସାହାବମାନେ ହାତୀ ଚଢ଼ି ଆସନ୍ତି, ଦିନାକେତେ ଫୂର୍ତ୍ତି କରି ବାହୁଡ଼ି ଯାଆନ୍ତି । ମୁଁ ଯୋଉ ଏକାକୁ ସେଇ ଏକା ।ସେତେବେଳେ ନୂଆ ତ ! କୋଉ ଏ ଦେଶର ଭାଷା ମତେ ଜଣାଥାଏ ଯେ, ଏଠିକାର ଆଦିଵାସୀ ପରଜାମାନଙ୍କ ସାଙ୍ଗରେ କଥାଵର୍ତ୍ତା ହେବି !”
"କିଛିଦିନ ରହିଲା ପରେ ଏଇ ଜଙ୍ଗଲ ପାଇଁ ମନରେ ଗୋଟାଏ ମାୟା ଭରି ଗଲା । ଫଗୁଣ ଚଇତ ମାସରେ ଗଛେ ଗଛେ ନୂଆ ପତର ଭରି ହୋଇଯାଏ । ଶାଳ ଫୁଲର ମହକରେ ମନ ଉଲୁସି ଉଠେ । ସେତିକିବେଳେ ଚାଙ୍ଗୁ ମହୁରୀର ତାଳେ ତାଳେ ପାଦ ପକେଇ ବାହାରି ଆସନ୍ତି ପରଜୁଣୀମାନେ । ସେମାନଙ୍କ ଖୋଷାରେ ନାଲି ହଳଦିଆ ବଣୁଆ ଫୁଲ । ମୁଁ ଘଣ୍ଟା ଘଣ୍ଟା ଧରି ସେମାନଙ୍କ ନାଚ ଦେଖୁଥାଏ, ନିଜକୁ ଭୁଲିଯାଇ । ସତ କହୁଚି ବାବୁ ! କେବେ କେମିତି ଘରକୁ ଗଲେ ସେଠି ମୋର ମନ ମୋଟେ ଲାଗେ ନାହିଁ । ଛାଟିପିଟି ହୋଇସପୁଣି ଏଇଠିକି ପଳେଇ ଆସେ ।” ମୁଁ ଆଶ୍ଚର୍ଯ୍ୟ ହୋଇ ମୁଦୁଲି ଆଡ଼େ ଅନାଇଥିଲି । ବଣ ଵିଭାଗର ଏଇ ଅପାଠୁଆ ଚୌକିଦାରଟି ତେବେ ଜଣେ କବି ! ମୁଦୁଲି ପୁଣି ଆରମ୍ଭ କଲା
''ଚୌକିଦାରର ଘର ତ ତମେ ଦେଖୁଚ ବାବୁ ! ସେଇଠି ମୁଁ ରହୁଥାଏ । ଗାଁ'ରୁ ଆସି ପହଞ୍ଚି ଥାଆନ୍ତି ମୋର ଘରମଣିଷ ଆଉ ପିଲା ତିନୋଟି ।” ମୁଦୁଲି ହାତ ଉଠାଇ ପିଲାମାନଙ୍କର ଵୟସ ଜଣାଇ ଦେଲା । ମୁଁ ଅନୁମାନ କଲି, ବଡ଼ଟି ଆଠ,ଦଶ ଵର୍ଷର ହୋଇଥିଵ । ଆଉ ସାନଟିକୁ ଖୁବ୍ ବେଶିରେ ପାଞ୍ଚ ଛଅ । ମୁଦୁଲି ଆରମ୍ଭ କଲା, “ସେଦିନ ଛାଇ ନେଉଟାଣି ମୁଁ ହାଟରୁ ଫେରୁଥାଏ । ଭୋକରେ ମୋ ପେଟ କଁ କଁ ଡାକୁଥାଏ । କେମିତି ଘରେ ପହଞ୍ଚି ଆଗ ପଖାଳ କଂସା
ପାଖରେ ବସିବି । ଏଇ କଥା ଭାବୁ ଭାବୁ ମୋ କାନରେ ପଡ଼ିଲା ପିଲାମାନଙ୍କର ପାଟି । ସେମାନେ ମତେ ଦେଖି ଏକା ସାଙ୍ଗରେ ପାଟିକରି ଉଠିଲେ, “ବାପା,ଦେଖିଵ ଆସ, ଗୋଟାଏ ଘୋଡ଼ା କି କ'ଣ ଆମ ଦୁଆରେ ଆସି ବସିଚି ।” “ଘୋଡ଼ା" ମୁଁ ଚକିତ ହେଲି । ସେମାନେ ଗାଁ’ରେ ଥରେ ଅଧେ ଆମ ରଜାଙ୍କ ଘୋଡ଼ା ଅବା ଦେଖିଥିଲେ । ହେଲେ, ଏଠି ଘୋଡ଼ା କୁଆଡ଼ୁ ଆସିଲା ? ତେବେ କଣ ଘୋଡ଼ା ଚଢ଼ି କିଏ ଶିକାରୀ ଆସି ପହଞ୍ଚିଚି ?” “ମଝିଆଟା ତା' ବଡ଼ ଭାଇକି କହୁଥାଏ, "ଦେଖ୍, ତା' ଦିହରେ କେମିତି ଗାର ପଡ଼ିଚି । ଭାଇ, ଆମର ଆକୁ ଆଣିଵା ।” ସାନ ଝିଅଟା ପୁଣି କହୁଥାଏ, 'ମୁଁ
ଆ' ଉପରେ ବସିବି । ପିଲାଙ୍କର ଘୋଡ଼ାକୁ ଦେଖି ମୋ ରକତ ଏଣେ ପାଣି ଫାଟିଯିଵା ଉପରେ । ସତ କହୁଚି ବାବୁ ! ମୁଁ ସାହସ ହାରି ନାଇଁ । ମୋ ଆଖିରେ ଖାଲି ପିଲାମାନେ ନାଚୁଥାଆନ୍ତି । ସେମାନଙ୍କ ଆଡ଼କୁ ଅନାଇ ପଚାରିଲି, ତମ ବୋଉ କାଇଁ ? ବଡ଼ ପୁଅ ଜବାବ ଦେଲା—"ସିଏ ଯାଇଚି ତଳକୁ ପାଣି ଆଣିଵାକୁ” । “ଏତେ ବଡ଼ ବାଘ ଏତେ ଦିନ ଜଙ୍ଗଲରେ ରହିଵା ଭିତରେ ମୁଁ କେବେ ଦେଖିନାଇଁ । ଏଇଠୁ କୋଡ଼ିଏ ହାତ ଛାଡ଼ି, ସେଇ ନିମ ଗଛ ପଛେ, ଯୋଉଠି
ଏବେ ଗାରେଜ ହେଇଚି, ସେଇଠି ବସିଥାଏ ଜଙ୍ଗଲର ରାଜା । ଧୀରେ ଧୀରେ ଲଙ୍ଗୁଡ଼ ପିଟୁଥାଏ । ବାବୁ, ମୋର ତ ପିଳେହି ପାଣି ହୋଇଗଲା । କେମିତି ଛାତି ପଥର କରି ମୁଁ ପାଦେ ପାଦେ ଆଗେଇ ପିଲାମାନଙ୍କ ପାଖରେ ପହଞ୍ଚିଲି ଆଉ ସେମାନଙ୍କୁ ଘର ଆଡ଼କୁ ନେଇ ଘରେ ବନ୍ଦ କରିଦେଲି, ସେ କଥା ତମକୁ ବୁଝେଇ ପାରିବି ନାଇଁ । ମନେହେଉଥାଏ, ଯେମିତି ମୋ ଉପରେ ଗୋଟାଏ ଯୁଗ ବହିଗଲାଣି ! ଯାହାହଉ, ପିଲାମାନଙ୍କୁ ନିରାପଦରେ ରଖିଦେଵା ପରେ ମୋର ସାହସ ଫେରିଆସିଲା । ବାରଣ୍ଡାରେ ଡେରି ହୋଇଥିଲା ଫାର୍ଶାଟାଏ । ସେଇଟାକୁ ହାତରେ ଧରି ମୁଁ ନିଜେ ଏଥର ବାଘର ମୁହାଁମୁହିଁ ହୋଇ ଧରମ ଡାକ ମାରିଲି- ଦେଖ ମାମୁ, ତୁ ଜଙ୍ଗଲର ରାଜା । ଜଙ୍ଗଲକୁ ଚାଲିଯା' । ସେଠି ତୁ ତୋର ବୁଲ୍ ଖା', ପି' । ଏ ସରକାରୀ ବଙ୍ଗଳା । ମୁଁ ଚଉକିଦାର । ଡୁ’ଟୀ ଉପରେ ଅଛି । ଭଲଗତି ଅଛି ତ ଏଠୁ ଚାଲିଯା” ।” ମୁଁ ଜାଣେ, ବାଘ କେବେ ମୁଦୁଲିର କଥାକୁ ଖାତିର କରି ନ ଥିବ । ଆଇନ୍ ନମାନିଲେ ଯେ ଦଣ୍ଡ ଭୋଗିଵାକୁ ପଡ଼େ,ବାଘ ସେ କଥା ଵା ଜାଣିଵ କାହିଁକି । “ଗୋଟାଏ ରଡ଼ି ଛାଡ଼ି ବାଘ ମୋ
ଡାହାଣ ପଟକୁ ଡେଇଁ ପଡ଼ିଲା ।”
ମୁଦୁଲି ଏଥର ଆତ୍ମପ୍ରତ୍ୟୟର ହସ ହସି କହିଲା—"ପୁଅ ମନେ ମନେ ଏକା ସିଆଣା ! ଡାହାଣ ପଟରୁ ମାମୁଙ୍କୁ ଯେ ଶିକାର ଧରିଵାକୁ ସୁଵିଧା ହୁଏ, ସେ କଥା ଏତେଦିନ ଜଙ୍ଗଲରେ ରହି ମୁଁ କ'ଣ ଜାଣି ନ ଥିଲି । ମୁଁ ସାଙ୍ଗେ ସାଙ୍ଗେ ବୁଲି ପଡ଼ିଲି । ଏଥର ବାଘ ଠିକ୍ ମୋ ବାଁ ପଟରେ । କେତେବେଳେ ମୋର ଯବାନ୍ ବେଳ । କେତେବେଳଯାଏ ଆଉ ଏ ହରକତ ସହିଥାଆନ୍ତି । ଠିକ୍ କଲି ଏ ବାଘଟାକୁ ପାନେ ନ ଦେଲେ ଇଏ ଏଠୁ ଘୁଞ୍ଚିବ ନାଇଁ । ଦି ହାତରେ ଫାର୍ଶା ଉଠେଇ ଏଥର ଲଢ଼େଇ ପାଇଁ ତିଆର ହେଇଗଲି।” ମୁଦୁଲି ନିଜେ ଠିଆ ହୋଇପଡ଼ି,ତା'ର ସେତେବେଳର ସ୍ଥିତି ମୋତେ ବୁଝାଇ ଦେଇ କହିଲା–‘ମୋର ଭୀମ ରୂପ ଦେଖି ସେ ଘୁଡ଼ୁ ଘୁଡ଼ୁ ହୋଇ ରଡ଼ି ଛାଡ଼ି ମତେ ଡରାଇଵାକୁ ଲାଗିଲା । ଆରେ ହଟ୍ ! ମୁଁ ହେଲି ସର୍କାରୀ ଲୋକ । ଏଇଥିକି ମୋର ଡରାଣ ପଡ଼ିଚି ! ଠିକ୍ କରିନେଲି ବାବୁ,ଯାହା ହେଉ ପଛେ ବାଘ ସହିତ ମୁଁ ଲଢ଼ିବି । ତେଣୁ ଫାର୍ଶା ଉଠାଇ ତା’ ଆଡ଼କୁ ମାଡ଼ିଗଲି ।”
“ହଠାତ୍ ଢୋ’ କରି ଶବ୍ଦଟାଏ ହେଲା । ବାଘଟା କେମିତି ଚମକି ପଡ଼ିଲା ଆଉ ଆଖି ପିଛୁଡ଼ାକେ ଗୋଟାଏ କାନଫଟା ରଡ଼ି ଛାଡ଼ି ଜଙ୍ଗଲ ଭିତରକୁ ମାରିଲା କୁଦା । ମୁଁ” କଥାଟା ବୁଝିପାରିଲି ନାଇଁ । ମାତ୍ର ଦେଖିଲି ପାଣି ମାଠିଆଟେ ଛିନ୍ଛତର ହୋଇ ପଡ଼ିଛି । ପଛକୁ ବୁଲି ଦେଖିଲି,ବୁଲା ବୋଉ ଏଡ଼େ ଏଡ଼େ
ଆଖିରେ ବାଘ ଆଡ଼କୁ ଚାହିଁ ରହିଛି । ଜାଣିଲି, ଏଇଟା ବୁଲା ବୋଉର କାମ ।”
ବୁଲା ବୋଉ କହିଲା—“ତମେ ବାଘ ଆଡ଼କୁ ମାଡ଼ିଯିଵା ଦେଖି ମୁଁ” ଆଉ କ'ଣ କରିଥାନ୍ତି ! ମୁଁ ମୋ ବଳ ଖଟାଇ ବାଘ ଆଡ଼କୁ ଫୋପାଡ଼ିଲି ପାଣି ମାଠିଆଟା” !
“ଦେଖିଲ ବାବୁ, ବାଘ ମଧ୍ୟ ମଣିଷ ପାଖରେ କେମିତି ହାର୍ ମାନେ I”
(ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଏହି ଵିଷୟଟି ପୂର୍ଵେ ପଢ଼ାଯାଉଥିଲା । ଏହାର ଲେଖକ ଡକ୍ଟର ହେମନ୍ତ କୁମାର ଦାସ ଅଟନ୍ତି 🙏)