ଏଣ୍ଡୁଅ ଆଉ କାଳକୂଟ ଦୁଇଜଣ ଅନ୍ତରଙ୍ଗ ବନ୍ଧୁ ଥିଲେ । ଉଭୟଙ୍କର ଉଚ୍ଚ ଆଶା ଥିଲା ଯେ ସେମାନେ କେମିତି ଈଶ୍ଵରଙ୍କଠାରୁ ବର ପାଇ ଶକ୍ତିଶାଳୀ ହେବେ । ତେଣୁ ଉଭୟେ ଵର ପାଇଵାକୁ ଈଶ୍ୱରଙ୍କ ନିକଟକୁ ଗଲେ । ଈଶ୍ଵର ସେମାନଙ୍କ ନିଷ୍ଠା ପରୀକ୍ଷା କରିଵା ପାଇଁ କହିଲେ ମୋତେ ଭାରି ଶୋଷ ,ଯିଏ ପାଣି ଆଣି ଦଵ ତାକୁ ମୁଁ ଇଚ୍ଛା ଅନୁସାରେ ଶକ୍ତି ଦେବି । ଏଣ୍ଡୁଅ ଆଉ କାଳକୂଟ ଜଳ ଯୋଗାଡ଼ରେ ଲାଗିଗଲେ । ଏଣ୍ଡୁଅ ଅତି ବୁଦ୍ଧି ଖଟେଇ ଗୋଟେ ଚଉପତାରେ ନିଜ ମୁତ୍ରକୁ ସଂଗ୍ରହ କରି ତାକୁ ଆଣି ଈଶ୍ୱରଙ୍କୁ ଦେଲା । ଈଶ୍ଵର ତାହା ମୁତ୍ର ଜାଣିପାରି ଅଭିଶାପ ଦେଲେ ଏଣିକି ଏଣ୍ଡୁଅ ଆତ୍ମରକ୍ଷା ପାଇଁ ନିଜର ସବୁ ବୁଦ୍ଧି ଖଟେଇଵ । ଏଣ୍ଡୁଅ ସେଇ ଦିନଠାରୁ ଆଜି ଯାଏଁ ଵିପଦ ଦେଖିଲେ ସେଥିରୁ ମୁକୁଳିଵାକୁ ମୁଣ୍ଡ ଟୁଙ୍ଗାରି ବୁଦ୍ଧି ବାହାର କରୁଛି ।
ଏଣେ କାଳକୂଟ ଚାରି ଆଡ଼େ ବୁଲି ବୁଲି ଘାସ ଉପରେ ଓ ସାରୁଗଛ ପତ୍ର ଉପରେ ଥିଵା ଜଳକୁ ଚଉପତାରେ ସଂଗହ କରି ଆଣି ଈଶ୍ୱରଙ୍କୁ ପିଇଵାକୁ ଦେଲା । ଈଶ୍ଵର କାଳକୂଟର ସେଵାଭାଵ ଦେଖି ପ୍ରସନ୍ନ ହୋଇ ଵର ଯାଚିଲେ । କାଳକୂଟ କହିଲା ପ୍ରଭୁ ମୁଁ ଗୋଟିଏ ନିରୀହ ଜୀଵ ସମସ୍ତେ ମୋତେ ମାରି ଖାଇଯାଆନ୍ତି ତେଣୁ ଆପଣ ମୋର ସାରା ଶରୀର ଵିଷଵତ୍ କରିଦିଅନ୍ତୁ । ଭଗଵାନ ଟିକେ ଭାବି ତାକୁ ତଥାସ୍ତୁ କହି ଵର ଦେଇଦେଲେ । ତାପରେ କାଳକୂଟ ଦିନା କେତେ ଥିର୍ ଥାର୍ କରି ରହିଲା ତାପରେ ମଣିଷ ବିଲେଇ କୁକୁର ବାଘ ହରିଣ ମାଛ ଷଣ୍ଢ ଯାହାକୁ ପାଇଲା କାମୁଡି଼ ଗୋଡ଼ାଇଲା । କାଳକୂଟର ଏତେ ଅହଂକାର ହୋଇଗଲା ଯେ ସେ ଭାବିଲା ମୁଁ ହିଁ ହର୍ତ୍ତାକର୍ତ୍ତା ଦୈଵ ଵିଧାତା । କାଳକୂଟର ଏତାଦୃଶ ଅହଂ ଅସ୍ମିତା ଦେଖି ଭଗଵାନ ତାହାର ସ୍ମୃତି ଲୋପ କରାଇଦେଲେ ଏଵଂ ଗୁପ୍ତରେ ତା ଲାଙ୍ଗୁଡ଼ରେ 'କାଲି' ଏହି ଶବ୍ଦ ଲେଖି ଦେଲେ । କାଳକୂଟ ମର୍ତ୍ତ୍ୟଲୋକକୁ ଫେରି କାହାକୁ କାମୁଡ଼ିଵାକୁ ଗଲା ବେଳେ ପଛକୁ ଲାଙ୍ଗୁଡ଼ ଆଡ଼କୁ ଚାହିଁ ଦେଇ 'କାଲି କାମୁଡ଼ିଵି' ବୋଲି ଲେଖା ହୋଇଛି ଦେଖି କାମୁଡ଼ିଲା ନାହିଁ ଓ ପ୍ରତିଦିନ ଏହିପରି 'କାଲି' 'କାଲି' କରି ଆଦୌ କାହାକୁ କେବେବି କାମୁଡ଼ିପାରିଲା ନାହିଁ। କାଳକ୍ରମେ ସେଇ କାଳକୂଟର ଚମ୍ପେଇନେଉଳ,ତେଲଗୁଣି ସାପ ଆଦି ଅନେକ ଛୁଆ ହେଲେ କିନ୍ତୁ ପୂର୍ଵଜଙ୍କୁ ମିଳିଥିଵା ଅଭିଶାପ ଯୋଗୁଁ ଵିଷହୀନ ରହିଲେ ।
(ଏହି ଲୋକକଥା ଆଧାରରେ ଓଡ଼ିଆ ଭାଷାରେ ''ଚମ୍ପେଇ ନେଉଳି 'କାଲି' କରିଵା" ପ୍ରବଚନଟିଏ ଚଳୁଅଛି । ଯେକୈଣସି କାର୍ଯ୍ୟ କରିଵାକୁ ଯାଇଁ ପ୍ରତିଦିନ 'କାଲି' କରିବି 'କାଲି' କରିବି ବୋଲି ଯେ କହେ ଓ ଆଦୌ ସେ କରି ପାରେ ନାହିଁ ସେ କ୍ଷେତ୍ରରେ ଏହି ପ୍ରଵଚନ ପ୍ରୟୋଗ କରାଯାଏ ।)
•••••••••••••••••••••••••
ଚମ୍ପେଇନେଉଳ : ଇଂରାଜୀ ଭାଷାରେ ଚମ୍ପେଇନେଉଳକୁ skink କୁହନ୍ତି । ଚମ୍ପେଇନେଉଳ Scincidae କୁଳର ଜୀଵ ଏଵଂ ଏହି କୁଳରେ ଶହେରୁ ଅଧିକ ବଂଶ ତଥା ୧୫୦୦ରୁ ଅଧିକ ଜାତିର ଚମ୍ପେଇନେଉଳ ଅଛନ୍ତି। Scincidae ଚମ୍ପେଇନେଉଳ କୁଳକୁ ସାତୋଟି ଉପକୁଳରେ ଵିଭକ୍ତ କରାଯାଇଛି । ଏହି ଉପକୁଳଗୁଡ଼ିକ ମଧ୍ୟରେ Acontinae ଉପକୁଳରେ ପଦହୀନ ସର୍ପ ସାଦୃଶ୍ୟ ତେଲୁଗୁଣି ସାପ ଵା ତେଲୁଗୁଣିଆ ଚମ୍ପେଇ ଅଛନ୍ତି। Egerniinae ଉପକୁଳରେ ଵିଭିନ୍ନ ଜାତୀୟ ରୂପରଙ୍ଗର ଚମ୍ପେଇ ଅଛନ୍ତି। Eugongylinae ଉପକୁଳରେ ଲମ୍ବା ଲାଞ୍ଜଯୁକ୍ତ ଚମ୍ପେଇ ଅଛନ୍ତି।
Lygosominae ଉପକୁଳରେ ଆମ ଗାଆଁ ଗଣ୍ଡାରେ ଦେଖାଯାଉଥିଵା ଭାରତୀୟ ଚମ୍ପେଇନେଉଳ ଅଛନ୍ତି।
Mabuyinae ଓ Scincinae ଉପକୁଳରେ ନାନାରଙ୍ଗର ଚମ୍ପେଇ ଅଛନ୍ତି।Sphenomorphinae ଉପକୁଳରେ କାଳକୂଟ ନାମରେ ଜଣାଶୁଣା ଲାଲ ଲାଞ୍ଜିଆ ଚମ୍ପେଇ ଅଛନ୍ତି । ମୋଟ ଉପରେ କହିଵାକୁ ଗଲେ ଝିଟିପିଟି ଜାତୀୟ ଜୀଵଙ୍କ ମଧ୍ୟରେ ଚମ୍ପେଇନେଉଳ କୁଳରେ ସର୍ଵାଧିକ ଵିଵିଧତା ଦେଖାଯାଇଥାଏ।
ଵିଭିନ୍ନ ଓଡ଼ିଆ ନାମ : ଚମ୍ପେଇନେଉଳର ଓଡ଼ିଶାରେ ଅନେକ ନାମ ଅଛି ଯଥା : ଚମ୍ପେଇନୁଳି, ଚମ୍ପେଇନେଉଳି,ଚେମ୍ପରୁଳି,ଚମ୍ପେଇନଲି,ଚମ୍ପାନାଉଳି,ଚମ୍ପେଇନାଳୀ,ଚେମ୍ପେଇରୁଳି,ଘିର୍ଲିଖା,ହାଉଳି,ଆଉଲି,କାଳକୁଟ,କାଲକୁତ,ଗିରୋଳ,ଗେରୁଲ,ଗିଲର୍,ଗିଲ,ଗିହ୍ଲ,ଘିରଲୋ,ବଳଦଲୁକାନି,କେତରାଳି,କେତ୍ରା,କେତ୍ରି,କେଲ୍ କେତ୍ରା ଓ କେତେରା ଇତ୍ୟାଦି ଇତ୍ୟାଦି
ଵିଷାକ୍ତ ? : ପ୍ରକୃତରେ ମନୁଷ୍ୟମାନଙ୍କ ପାଇଁ ଚମ୍ପେଇନେଉଳି ଵିଷାକ୍ତ ନୁହେଁ ତେବେ ଏ ଜୀଵ ନିଜ ଶିକାରକୁ ସମ୍ପୂର୍ଣ୍ଣ ଗିଳିଵା ଆଗରୁ କାମୁଡ଼ିଥାଏ ବୋଧହୁଏ ସେଥିପାଇଁ ମନୁଷ୍ୟମାନଙ୍କ ମଧ୍ୟରେ ଏ ଜୀଵ ଵିଷାକ୍ତ ବୋଲି ଏକ ଭ୍ରମ ଧାରଣା ଜାତ ହୋଇଥିଲା ଏଵଂ ତତ୍ ଆଧାରରେ ପରେ ଏଭଳି ଏକ କାହାଣୀ ପ୍ରଚଳିତ ହୋଇଛି ।
ଏଣ୍ଡୁଅ କାହିଁକି ମୁଣ୍ଡ ଟୁଙ୍ଗାରିଥାଏ : ନିଜର ଦୃଷ୍ଟିଶକ୍ତିକୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ କେନ୍ଦ୍ରିତ କରିଵାକୁ, ଅନ୍ୟାନ୍ୟ ଏଣ୍ଡୁଅ ସହିତ ଯୋଗାଯୋଗ ସ୍ଥାପନ ପାଇଁ,ଗତି କଲାବେଳେ ଶରୀରର ସନ୍ତୁଳନ ରକ୍ଷା କରିଵା ତଥା ଶିକାର କିମ୍ବା ଶିକାରୀର ଦୂରତା ଆକଳନ ଆଦି ଅନେକ କାରଣ ହେତୁ ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରିଥାଏ ।
ଲୋକକଥା : କେରଳ, ତାମିଲନାଡୁ,କର୍ଣ୍ଣାଟକ,ଅଵିଭକ୍ତ ଆନ୍ଧ୍ର,ଓଡ଼ିଶା ଓ ଏହାର ହୃତ ଵିଚ୍ଛିନ୍ନାଞ୍ଚଳରେ ଏହି ଲୋକକଥାଟି ସାମାନ୍ୟ ସାମାନ୍ୟ ପରିଵର୍ତ୍ତନ ସହିତ ଲୋକମୁଖରେ ପ୍ରଚଳିତ। କେରଳରେ ଚମ୍ପେଇନେଉଳିକୁ 'ଅରଣ' କୁହନ୍ତି,ଏ ଅଞ୍ଚଳର ଲୋକକଥା ଅନୁସାରେ ଚମ୍ପେଇନେଉଳି ସମସ୍ତଙ୍କୁ କାମୁଡ଼ି ଗୋଡ଼ାଇଵାରୁ ଭଗଵାନ ତାହାର ସ୍ମୃତି ଲୋପ କରିଦେଲେ ଫଳତଃ ସେ କାମୁଡ଼ିଵା ହିଁ ଭୁଲିଗଲା ।
No comments:
Post a Comment