Wednesday, August 28, 2024

ଅୟଂ କଃ

ଦିନେ ପଣ୍ଡିତ “ସଦାଶିଵ ଶିରୋମଣି” ତାଙ୍କ ଗୃହରେ ସଂସ୍କୃତ ଜାଣିନଥିଵା “ହଳଧର” ନାମକ ଜଣେ ବ୍ରାହ୍ମଣଙ୍କ ସହ କଥୋପକଥନ କରୁଥାନ୍ତି । ଏମନ୍ତ ସମୟରେ “ଗଦାଧର ଭାରତୀ” ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷ୍ୟକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ” ? ( ଅର୍ଥାତ୍ ଏ କିଏ ?) !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ କଥା ହେଲା ଏଵଂ ଵିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର ଅର୍ଥ ବୁଝି ନ ପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣିଙ୍କୁ ପଚାରିଲେ 
ପଣ୍ଡିତେ “ଅୟଂ କଃ” କଥାର ଅର୍ଥ କଣ କି ?

ଶିରୋମଣି ଉତ୍ତର ଦେଲେ ସେ କଥାରୁ ତୁମକୁ କ’ଣ ମିଳିଵ ତୁନି ହୁଅ,ଯାଅ !

ହଳଧର-କାହିଁକି ? 

ଶିରୋମଣି- ସେ ବଡ଼ ମନ୍ଦକଥା ହଳଧର ! ଏପରି ମନ୍ଦ ଗାଳି ଆଉ ଜଗତେ ନାହିଁ । କିନ୍ତୁ ପଣ୍ଡିତ ଲୋକ କହି ତ ପକେଇଲେଣି,ସେ କଥା ଧଇଲେ ଆଉ କ'ଣ ହେଵ ?

ହଳଧର ରାଗି ପାଚି ଏକବାରେ ନାଲି । ସଦାଶିଵ ଶିରୋମଣିଙ୍କି କହିଲା, ଖୋ ରେ ! ତା ପଣ୍ଡିତପଣିଆ ତା ଘରେ ଥାଉ ମ ! ମୁଁ ତାକୁ ଛାଡ଼ିବି ? (ଏହା କହି ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼) ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!!!
•••••••••••••••••••••••••••
ଶିକ୍ଷା ନିତାନ୍ତ ଆଵଶ୍ୟକ,ଅନ୍ୟଥା ଅନେକ ସମୟରେ ହତାଦର ହେଵ । ଏହା ଗଳ୍ପର ମୂଳ ଶିକ୍ଷା । 


(ଵି.ଦ୍ର—ପୁରୁଣା ଉତ୍କଳ ସାହିତ୍ୟ ପତ୍ରିକ ଵଲ୍ୟୁମ୍ ୧,ଅଙ୍ଗରସ ଵିଭାଗରେ ଏଇ ହସକଥାଟି ପୂର୍ଵେ ପାଇଥିଲି ,ଏ ଗଳ୍ପରେ କେତେକ ଶବ୍ଦ ଓ ଵାକ୍ୟ ପରିଵର୍ତ୍ତନ କରାଯାଇଛି  ଉପସ୍ଥାପନ କରାଯାଉଛି )

No comments:

Post a Comment

ମାଧଵ ଭଗିଆ ସମ୍ବାଦ(ବାତରା ଓ ଆଳୁବାତରା) —୩

 ହାଟ ଆଡ଼ୁ ଭଗିଆ ଫେରିଲାବେଳେ ତା'ର ମାଧଵ ଓରଫ୍ ମାଧିଆ ସହିତ ଗାଆଁ ଚାନ୍ଦିନୀଠିଁ ଭେଟ ହୋଇଗଲା । ମାଧଵ ସେଠି ଇଲେକ୍ସନ ଖେଳ(ଏକ ଜାତୀୟ ତାସ୍ ଖେଳ)ରେ ବସି ଦି ଦଳଙ୍...