Wednesday, August 7, 2024

ଶିକାର

ବାଘର ଭଣଜା ଶୃଗାଳ ନୂଆ ନୂଆ ଭେଣ୍ଡିଆ ହେଇଥାଏ । ଯୁଵସୁଲଭ ଅହଂ ଭାଵ ଘେନି ସିଏ ବାଘମାମୁର ଆଗେ ଆଗେ ଚାଲିଵାକୁ ବଡ଼ ସୁଖ ପାଏ ହେଲେ ପଛରୁ ଅଵା ଏତଡ଼ୁ କି ସେତଡ଼ୁ କିଏ ଆସୁଛି ସେତ୍ତାକୁ ମୁଟେ ନିଘା କରେନି । ବାଘ ମାମୁ କେତେ ଥର ବୁଝେଇଲା “ବାପ ଇଏ ଜଙ୍ଗଲ ଭୁଇଁ ସଵଧାନ ହେଇକିରି ଚଳିବୁ ନୋହିଲେ କୋଉ ଜୀଵ କେତେବେଳେ ଡେଗି ପଡ଼ି ଶଙ୍ଖୀ କାମୁଡ଼ି ଦଵ କେ ଜାଣେ” ! ହେଲେ ୟେ ନୂଆ ନୂଆ ଭେଣ୍ଡା କୋଉ ଶୁଣୁଛି ଯେ ? ଶେଷକୁ ଦିନେ ବାଘମାମୁ ଅତିଷ୍ଠ ହୋଇ ଭଣଜା ଶୃଗାଳକୁ ପାନେ ଦଵ ବିଚାରି ନିଜ ମାମୁଁ ଝିଅ ଭଉଣୀ ଚିତାବାଘୁଣୀ ପାଖକୁ ଗଲା । 

କିଛି ଦିନ ପରେ ବାଘମାମୁଁ ଓ ଶୃଗାଳ ଭଣଜା ଦିହେଁ ଜଙ୍ଗଲରେ ଆଗ ପଛ ହେଇକି ଶିକାର ଉଣ୍ଡୁଥାନ୍ତି । ବାଘମାମୁ ପୁଣି ତା ଭଣଜାକୁ କହିଲା ବାବୁ ଏ ଥାନଟା ଭାରି କାନ୍ତାର,ଦେଖି ଚାହିଁ ଚାଲୁ ଥା । ଶୃଗାଳ ଭଣଜା ସବୁଥର ପରି ଏଥର ବି ମାମୁକୁ କହୁଥାଏ ”ମାମୁ ଗୋ ମୁଁ ପା ତମ ଭଣଜା , ମୁଁ ପୁଣି ପଛକୁ ଚାହିଁବି ? ତମ ନାଆଁ ପଡ଼ିଵନି ? ବାଘର ଭଣଜା ଫୁଣି ଡରି ମରି ପଛକୁ ଅନେଇ ଅନେଇ ଚାଲୁଛି ! ଜଙ୍ଗଲୀ ଜୀଵ ଏତା ଦେଖିଲେ କିୟଣ ଭାବିବେ ? ତାଛଡ଼ା ମାମୁ ତମେ ମତେ ବାଳୁତ କାଳରୁ ଶିକାର ଵିଷୟରେ ଏତେ କଥା ଶିଖେଇଛ ଯେ ମୁଁ ତୁମ କୃପାରୁ ଶିକାର କରିଵାରେ ଏକବାରେ ବେତ୍ତା ହେଇଗଲିଣି !”

ବାଘ ଦେଖିଲା ୟାକୁ ଆଉ ବୁଝେଇ ଲାଭ ନାହିଁ କି ସେ ବୁଝେଇଲେ ବି ୟେ ବୁଝିଵାର ନାହିଁ ତେଣୁ ଆଉ କିଛି ନକହି ମଉନ ରହିଗଲା । 

ଏ କଥାଵାର୍ତ୍ତା ମଧ୍ୟରେ ମାମୁ ଭଣଜା ଦିହେଁ ଜଙ୍ଗଲ ମଝାମଝି ହେଲାବେଳକୁ ଚିତାଟେ କୋଉଠି ଥିଲା କେଜାଣି ଶୃଗାଳ ଉପରକୁ ଗୋଟେ ପଟୁ ଆଡ଼ଚିରା ମାରିଦେଲା ଆଉ ଚାହୁଁ ଚାହୁଁ ତା ପଛରେ ଏମିତି ଆଣ୍ଠିକୁଣ୍ଠି ଧୁପିଲା ଯେ ଵିଚରା ଶୃଗାଳଟି ହଗି ମୁତି ପଳେଇଗଲା । 

(ଵି-ଦ୍ର: ମୁଁ ଶିକାର କରିଵାରେ ବେତ୍ତା ହେଇଗଲିଣି ମନେ କରି ଶୃଗାଳଟା ଶେଷରେ ଚିତାବାଘୁଣିର ଅତର୍କିତ ଆକ୍ରମଣର ସାମ୍ନା ନକରିପାରି ପଳାୟନ କଲା । ଶୃଗାଳ ଭଳି ଆମର ଏଠି କିଛି କଵି ଲେଖକ ବୁଦ୍ଧିଜୀଵୀ ବି ଅଛନ୍ତି ଯୋଉମାନେ ପଚାଶ ଶହେ କଵିତା ପ୍ରବନ୍ଧ ଲେଖି ଦେଲାପରେ କହି ଦିଅନ୍ତି “ମୁଁ ଅଭିଧାନ ଦେଖେନି ମ ! ଯାହା ମନରୁ ଆସିଲା ଲେଖିଦିଏ 😁” । ସେମାନେ ମନେ ମନେ ଭାବି ନେଇଛନ୍ତି ଯେ ଅଭିଧାନ ଵିଶେଷତଃ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ତଥା ଲୋକମୁଖରେ ପ୍ରଚଳିତ ସବୁ ଶବ୍ଦ ଜାଣି ଦେଇଛନ୍ତି 🤣। ଯୋଉ କଵି ଲେଖକ ବୁଦ୍ଧିଜୀଵୀ କହୁଛି ମୁଁ ଅଭିଧାନ ଦେଖୁନି ସେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନିତ୍ୟ ପଠନ ପାଠନ କରୁ , ଫଳତଃ ଓଡ଼ିଆ ଭାଷାର ହଜି ଯାଉଥିଵା ଦେଶୀୟ ଶବ୍ଦଗୁଡ଼ିକର ପ୍ରୟୋଗ ସାହିତ୍ୟରେ କରି ନିଜ ରଚନାର ମାନବୃଦ୍ଧି କରିଵା ସହିତ ଓଡ଼ିଆ ଭାଷାର ମହତ୍ତ୍ଵ ବଢ଼ାଇପାରିବେ । ଦି ଚାରିଟା ତତ୍ସମ ଶବ୍ଦ ଓ ଆଉ ଆଠ ଦଶୁଟା ଆରବୀ ପାର୍ସୀ ତୁର୍କ ଇଂରାଜୀ ପର୍ତ୍ତୁଗୀଜ୍ ଶବ୍ଦ ପୂରାଇ ସାହିତ୍ୟ ରଚନା କରି ଦେଲେ ଓଡ଼ିଆ ଭାଷାର କି ଲାଭ ? ମୂଳ ଶବ୍ଦଗୁଡ଼ିକ ତ ହଜି ହଜି ଯାଉଛି 🙄 )

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...