Monday, September 23, 2024

ଭାଷାକୋଷ ଵିଵାଦ : ଭାଷାକୋଷ ସଂକଳନ ସମୟରେ ଓଡ଼ିଆ କଵିମାନଙ୍କ ନିନ୍ଦା ଓ ବଙ୍ଗୀୟ ବୁଦ୍ଧିଜୀଵଙ୍କ ପ୍ରଶଂସା

ପ୍ରହରାଜ ଯେତେବେଳେ ଭାଷାକୋଷର ସଂକଳନ ଦାୟିତ୍ଵ ନେଲେ ସେତେବେଳେ ତାଙ୍କର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଭୟଙ୍କର ନିନ୍ଦା କରାଗଲା ଏଵଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ଚୋର ଠକ କହିଵାକୁ ବି ସେସମୟର ତଥାକଥିତ ମହାପୁରୁଷମାନେ କୁଣ୍ଠାବୋଧ କରିନଥିଲେ। 
 
ତଥାକଥିତ ମହାପୁରୁଷ ରାମପ୍ରସାଦ ସିଂହ ସହକାର : ୧୩୪୪ ସାଲ, ୧୧।୧୨ ସଂଖ୍ୟା-ପୃ. ୧୦୪୦-୪୧ରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସମାଲୋଚନା କରି ଲେଖିଛନ୍ତି —
‘‘ଭାଷାକୋଷକୁ ଦାନ କରିବା ଯେକୌଣସି ନୀତି ଦୃଷ୍ଟିରୁ ଦେଖ‌ିଲେ ମଧ୍ୟ ସରକାରଙ୍କ
ପକ୍ଷରେ ବୁଦ୍ଧି, ଵିଵେଚନାର ଓ ଦାୟିତ୍ଵ ଜ୍ଞାନର ଅଭାଵ ଛଡ଼ା ଆଉ କିଛି କହିହେଵ ନାହିଁ ।ଭାଷାକୋଷ ଜଣେ ବ୍ୟକ୍ତିର ଵ୍ୟକ୍ତିଗତ ସମ୍ପତ୍ତି । ବଙ୍ଗଳା ଭାଷାକୋଷ ଓ ହିନ୍ଦୀ ଶବ୍ଦସାଗରର ଏକତ୍ର ସମାବେଶ ସହିତ କେତେକ ଓଡ଼ିଆ ଶବ୍ଦର ଦଣ୍ଡଵୈଠକୀ ଓ କସରତର ସମାବେଶ ଏହାର ଆକାର ବୃଦ୍ଧି କରିଛି । କିନ୍ତୁ ଗୋଟାଏ ମାତ୍ର ବହି --ଏହା ପଛରେ,ଯେଉଁ କଦର୍ଯ୍ୟ
ଇତିହାସ ରହିଛି, ତାହା ଅନ୍ତତଃ କଂଗ୍ରେସ ଦଳ ଭୁଲିଯିଵା ଉଚିତ ନୁହେଁ । ମନେହୁଏ, ଏହାର ପ୍ରତ୍ୟେକ ପୃଷ୍ଠାରେ ନିରୀହ ସତ୍ୟାଗ୍ରହୀର ରକ୍ତଲିପ୍ତ ହୋଇ ରହିଛି । ଜଣେ ଲେଖକର ଵ୍ୟକ୍ତିଗତ ସ୍ଵାର୍ଥପାଇଁ ଅଯାଚିତ ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ଧନରୁ ଟଙ୍କାଟିଏ ମାତ୍ର ଵ୍ୟୟ କରିଵା ଯେ ସରକାରୀ ଦାୟିତ୍ୱ ଦୃଷ୍ଟିରୁ ଅସମୀଚୀନ, ଏହା ସ୍ୱତଃ ହିଁ ପ୍ରତିଭାତ ହେଵ । 

ପ୍ରହରାଜଙ୍କୁ ସର୍ଵାଧିକ କଟୁ ସମାଲୋଚନା ଗୋଦାବରୀଶ ମହାପାତ୍ର କରିଛନ୍ତି। ଉଦାହରଣ ସ୍ୱରୂପ ନିଆଁଖୁଣ୍ଟା ୨ୟ ଵର୍ଷ/୧୪ଶ ସଂଖ୍ୟା/ପୃ.୧୩ରେ ଗୋଦାବରୀଶ ମହାପାତ୍ର ଲେଖିଛନ୍ତି “ଓଡ଼ିଶାର ଉପର ମହଲରୁ କେତେ ଜଣ ବଛା ବଛା ବଡ଼ଲୋକ ସବୁ ତୀର୍ଥ କରି ବାହାରିଛନ୍ତି । ପ୍ରହରାଜେ ପାଳକୋଷ ନୈଵେଦ୍ୟ ଦେଇ ଯମୁନା କୂଳରେ ଲାଟ ଦେଵତାଙ୍କୁ ପୂଜା କରିଵାକୁ ଯାଉଛନ୍ତି । ଶାସ୍ତ୍ରରେ ତ ଅଛି, ସ୍ତ୍ରୀ ଅଭାଵରେ ସ୍ତ୍ରୀର ସ୍ଵର୍ଣ୍ଣମୂର୍ତ୍ତି ଧରି କାମ କରାଯାଇପାରେ । ଭାଗ୍ୟକୁ ସୁନାର ରଙ୍ଗଟା ପୀତଵର୍ଣ୍ଣ ।”

ମୁଖପୃଷ୍ଠାରେ ପ୍ରହରାଜଙ୍କ ଦିଲ୍ଲୀଯାତ୍ରାର ଛବି ରହିଛି ଓ ତଳେ ଲେଖାଯାଇଛି –
‘ଓଡ଼ିଶାରେ ପୁଣ୍ୟ ଅର୍ଜନ’ । ପତ୍ନୀଙ୍କ ଅନୁଜା ପୀତାମ୍ବରୀ ଦେଵୀଙ୍କୁ ପୀତବର୍ଣ୍ଣ
ଶବ୍ଦରେ ଵ୍ୟଙ୍ଗ କରାଯାଇଛି । 

ସେହିପରି ନିଆଁଖୁଣ୍ଟା : ୨ୟ ଵର୍ଷ / ୨୩ଶତମ
ସଂଖ୍ୟା/ପୂ. ୧୧ରେ ଗୋଦାବରୀଶ ମହାପାତ୍ର 
“ଓଡ଼ିଶାରେ ବିରାଟ ଅପମାନ : ପାଳକୋଷ” ବୋଲି ଉଲ୍ଲେଖ କରିଛନ୍ତି। ନିଆଁଖୁଣ୍ଟା ୨ୟ ଵର୍ଷ/୨୮ଶ ସଂଖ୍ୟା/ପୃ.୨ରେ ପୁଣି ଲେଖାଅଛି “ଆମ ନୂଆ ଵର୍ଷ : ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆଙ୍କୁ ଗଧ ବୋଲି କହି ମଧ୍ୟ ଚାନ୍ଦା ଆଦାୟ କରିପାରେ ।”

ନିଆଁଖୁଣ୍ଟା : ୨ୟ ଢର୍ଷ, ୨୮ଶତମ ସଂଖ୍ୟା ପୃ୧୩/୧୪ରେ ଗୋଦାବରୀଶ ମହାପାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ବିହାରୀ କୋଷ କହିଵାକୁ ସୁଦ୍ଧା ପଛାଇ ନାହାନ୍ତି। 

“ପ୍ରହରାଜଙ୍କ ବିହାରୀ କୋଷ : ଏ ନାଁ ରୁ ପାଠକମାନେ ହଠାତ୍ ମନେ କରିବେ ଯେ,ଓଡ଼ିଶାର ଶ୍ରଦ୍ଧେୟ ପାଳକୋଷ ଲେଖକ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷା ପରେ ବିହାରୀ ଭାଷା ଉପରେ ଏକ କୋଷ ଲେଖୁଛନ୍ତି; କିନ୍ତୁ ତାହା
ଠିକ୍ ନୁହେଁ । ଏ ହେଉଛି ପ୍ରହରାଜ + ଓଡ଼ିଶାର ପ୍ରଧାନ ଦସ୍ୟ ବିହାରୀ ନାଏକ + ତା’ର ଅର୍ଥ ଭଣ୍ଡାର ଵା କୋଷ = ପ୍ରହରାଜଙ୍କ ବିହାରୀ କୋଷ ।”

ଗୋଦାବରୀଶ ମହାପାତ୍ରଙ୍କ ପରି କାନ୍ତକଵି ଲକ୍ଷ୍ମୀକାନ୍ତ ମହାପାତ୍ର ଆପଣା ସମ୍ପାଦିତ ‘ଡଗର’ ପତ୍ରିକାର ଵିଭିନ୍ନ ସଂଖ୍ୟାରେ ଶ୍ରୀ ଶ୍ରୀ ହନୁମନ୍ତ କପିବର ନକଲ ନବିସ୍ ଛଦ୍ମନାମରେ ବହୁ ଶବ୍ଦର ଲାକ୍ଷଣିକ ଅର୍ଥ ଉଲ୍ଲେଖ କରିଛନ୍ତି । ସଂକଳିତ ଶବ୍ଦଗୁଡ଼ିକ ପାରୋଡ଼ି ଵା ଲାଳିକା ଶ୍ରେଣୀର । ସଂକଳନର ଶୀର୍ଷକ ରଖାଯାଇଛି ‘ଅର୍ଦ୍ଧଚନ୍ଦ୍ର ଦେଢ଼ିଆ ଭାଷାକୋଷ’ ।
ଏପରିକି ଶ୍ରୀମତୀ ସରଳାଦେଵୀ ସହକାର, ୧୩୪୪ ସାଲ, ୧୧/୧୨ ସଂଖ୍ୟା, ପୃଷ୍ଠା ୧୦୪୦-୪୫ରେ ପ୍ରହରାଜଙ୍କ ଭାଷା ଵିଚାର ପ୍ରତି କଟୁ ଟିପ୍‌ପଣ ଦେଇ ଆପଣାର ‘ଭାଷା ଵ୍ୟଵଧାନ’ ପ୍ରବନ୍ଧ ଲେଖିଛନ୍ତି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦି ଲକ୍ଷ ଶବ୍ଦ ଅଛି ତେଣୁ କେହି ବି ଯୋଗ୍ୟ ଵା ଅଯୋଗ୍ୟ ଵ୍ୟକ୍ତି ସେ ଶବ୍ଦ ସମ୍ଭାର ବଳରେ ଶ୍ଳୀଳ ଵା ଅଶ୍ଳୀଳ କଵିତା ଲେଖିପାରେ ଏହି ଭୟରେ ସମ୍ଭଵତଃ ତତ୍କାଳୀନ ତଥାକଥିତ ମହାପୁରୁଷ କଵିମାନେ ପ୍ରହରାଜଙ୍କ ଵିରୋଧାଚରଣ କରିଥିଲେ । 

ଅସ୍ତୁ ଆମ ତତ୍କାଳୀନ ମହାକଵିମାନେ ସିନା ଭାଷାକୋଷର ନିନ୍ଦାଗାନ କରିଵାରେ ଲିପ୍ତ ଥିଲେ କିନ୍ତୁ ଵିଦେଶୀମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ ବୁଝିପାରିଥିଲେ । ଇଟାଲୀ ଵିଶ୍ଵଵିଦ୍ୟାଳୟର ମୁଖପତ୍ରରେ ଗୁ
ସେଫଟକ୍ସି ଉଲ୍ଲେଖ କରିଛନ୍ତି – “The dictionary is an account of its size and
wealth of documentation, the most complete that could be designed. XX
Gopal Praharaj has highly deserved well of his country and the rebirth of vernacular studies in India. XX This work will facilitate literature which
has also many points of contact with the literature of Bengal and is not any mean, one of the least interesting in India.”

ସେହିପରି ଓଡ଼ିଶାର ତଥାକଥିତ ତତ୍କାଳୀନ ମହାକଵିମାନେ ସିନା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ ବୁଝିପାରିନଥିଲେ କିନ୍ତୁ ଆମ ପଡ଼ୋଶୀ ବଙ୍ଗାଳୀମାନେ ଏହି ଵିଶାଳ ଶବ୍ଦଗ୍ରନ୍ଥକୁ ଦେଖି ଆଶ୍ଚର୍ଯ୍ୟ ଅଭିଭୂତ ହେଉଥିଲେ । ସେମାନେ ମନେ ମନେ ଦୁଃଖ ବି କରିଥିବେ ଯେ ଗୋପାଳ ଚନ୍ଦ୍ର ପ୍ରହରାଜ ଆମ ବଙ୍ଗରେ କାହିଁକି ଜନମିଲେ ନାହିଁ। ବଙ୍ଗାଳୀ ଵିଶ୍ଵକୋଷ,ହିନ୍ଦୀ ଶବ୍ଦ ସାଗର, ଗୁଜରାଟୀ ଭଗଵତୋ ମଣ୍ଡଲ ଓ ତାମିଳ ଲେକ୍ସିକନ୍ ଭଳି କିଛି ବଡ଼ ଅଭିଧାନ ଭାରତଵର୍ଷରେ ସଂକଳିତ ହୋଇଛି ସତ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ସୁନ୍ଦର ରୂପେ ସଜ୍ଜିତ ଶବ୍ଦ ଓ ତଥ୍ୟାତ୍ମକ ସମ୍ଭାର ଯୁକ୍ତ କୌଣସି ଅଭିଧାନ କୋଷାଦି ହୋଇପାରି ନାହିଁ । ଏହା ହୃଦବୋଧ କରି ଵିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମଧ୍ଯ ଏକ ପତ୍ରରେ ପ୍ରହରାଜଙ୍କ ଶତମୁଖ ପ୍ରଶଂସା କରି ଲେଖିଛନ୍ତି —“The Purna Chandra Odia Bhasakosha is an encyclopaedic dictionary which has been useful for the
work of our research department in the Viswa-Bharati. The compiler Mr. G.C. Praharaj and his co-laborators deserve our sincere thanks for the excellent work they have done.”

ପୁଣି ଦେଶଵିଦେଶରେ ସୁପଣ୍ଡିତରୂପେ ପରିଚିତ କଲିକତା ଵିଶ୍ଵଵିଦ୍ୟାଳୟର ଆଚାର୍ଯ୍ୟ
ଡାକ୍ତର ସୁନୀତିକୁମାର ଚାଟାର୍ଜୀ, ଏମ୍.ଏ., ଡି.ଲିଟ୍., ମହୋଦୟ ମହୀଶୂର ରାଜ୍ୟରେ ଅନୁଷ୍ଠିତ ହୋଇଥିଵା ଗତ ଅଲ୍ ଇଣ୍ଡିଆ ଓରିଏଣ୍ଟାଲ୍ କନ୍‌ଫରେନ୍ସର ଭାରତୀୟ ଆର୍ଯ୍ୟଭାଷାଵିଷୟକ ଶାଖାର ସଭାପତିରୂପେ ତାଙ୍କ ଅଭିଭାଷଣରେ ଭାଷାକୋଷ ଵିଷୟ ଉଲ୍ଲେଖ କରିଥିଲେ । ସେ ପ୍ରହରାଜଙ୍କ ନିକଟକୁ ଖଣ୍ଡିଏ ପତ୍ର ମଧ୍ୟ ଲେଖିଥିଲେ ଏଵଂ ତହିଁରେ ଲେଖାଥିଲା—‘‘ଆପଣଙ୍କର ସୁଵୃହତ୍ ଅଭିଧାନକୁ ମୁଁ କଲିକତା ଵିଶ୍ୱଵିଦ୍ୟାଳୟ ଲାଇବ୍ରେରୀରେ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଅଛି ଓ ଆପଣଙ୍କ ଵିଦ୍ବତ୍ତାର ଓ ପ୍ରଗାଢ଼ ଅଧ୍ୟଵସାୟର ଭୂୟସୀ ପ୍ରଶଂସା କରୁଅଛି । ଭାରତୀୟ ଆର୍ଯ୍ୟଭାଷା ଅନୁଶୀଳନକାରୀଙ୍କ ପକ୍ଷରେ ଆପଣଙ୍କ ଅଭିଧାନ ଗୋଟିଏ ଅଦ୍ବିତୀୟ ଗ୍ରନ୍ଥ । ଏହି ବିଶାଳ ଗ୍ରନ୍ଥ ଉତ୍କଳୀୟ ମନୀଷାର ସ୍ମୃତିସ୍ତମ୍ଭରୂପେ ଵିରାଜୁଥ‌ିଵ । ସୁଖର ଵିଷୟ ଏହି ଯେ, ଉତ୍କଳ ଜନନୀ ସ୍ଵୀୟ ରାଜ୍ୟରେ ଅଧିଷ୍ଠାତ୍ରୀ ଦେଵୀରୂପେ ପ୍ରତିଷ୍ଠିତ ହେଵାର ସମକାଳରେ ଏହା ପ୍ରକାଶିତ ହୋଇଅଛି ।”

ତତ୍କାଳୀନ କଵିମାନଙ୍କର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମ୍ବନ୍ଧୀୟ କଟୁ ମନ୍ତଵ୍ୟମାନ ସହକାର,ଡଗର ଓ ନିଆଁଖୁଣ୍ଟାରୁ ପଢ଼ିଲେ ଯେତିକି ଦୁଃଖ ଲାଗେ ମନରେ ସେତିକି କ୍ରୋଧ ମଧ୍ୟ ଜାତ ହୁଏ । ଓଡ଼ିଆଙ୍କର କଙ୍କଡ଼ା ସମ ଗୋଡ଼ଟଣା ଗୁଣ ସେତେବେଳେ ବି ଥିଲା ଅନ୍ୟଥା ତତ୍କାଳୀନ ସେଇ ମହାକଵି-ମହାପୁରୁଷମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେଵଳ ନିନ୍ଦା ନକରି ତହିଁର ତ୍ରୁଟି ସଂଶୋଧନ କ୍ଷେତ୍ରରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତେ ।

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...