ହାଟ ଆଡ଼ୁ ଭଗିଆ ଫେରିଲାବେଳେ ତା'ର ମାଧଵ ଓରଫ୍ ମାଧିଆ ସହିତ ଗାଆଁ ଚାନ୍ଦିନୀଠିଁ ଭେଟ ହୋଇଗଲା । ମାଧଵ ସେଠି ଇଲେକ୍ସନ ଖେଳ(ଏକ ଜାତୀୟ ତାସ୍ ଖେଳ)ରେ ବସି ଦି ଦଳଙ୍କ ଖେଳ ଦେଖୁଥାଇ । ଭଗିଆକୁ ଦେଖି ମାଧଵ ପଚାରିଲା ବଡ଼ ଭାଇ କୁଆଡେ଼ ଯାଇଥିଲ ?
ହାତରେ ପରିବା ମୁଣା ଦେଖିପାରୁନୁ ? ମୁଁ ପା ହାଟକୁ ଯାଇଥିଲି ! ଭଗିଆ ସାମାନ୍ୟ ଵିରକ୍ତ ହୋଇ ଉତ୍ତର ଦେଲା...
ନିରୁତ୍ସାହିତ ନ ହୋଇ ମାଧିଆ ପୁଣି କହିଲା ଆଚ୍ଛା ଭାଇ ଆମେ ତ କେତେ ପରକାର ପନିପରିବା ଖାଆନ୍ତି ! ତେବେ ଏଇ ଯୋଉ ଗଛଆଳୁ ଵା ଫଳଆଳୁ ବୋଲି ଗୋଟେ ଦେଶୀଆଳୁ ଅଛି ସେଇଟାକୁ ଉପକୂଳରେ ଆଳୁବାତରା କାହିଁକି କୁହନ୍ତି? କ'ଣ ଏ ଆଳୁଗଛର ଡାଳରେ ଆଳୁ ଫଳେ ବୋଲି ସେ ଅଳୁଗଛକୁ ଉପକୂଳିଆ ଓଲା ବାତରା ଭାବି ଆଳୁବାତରା ନାଆଁ ଦେଇଛନ୍ତି ନା ଏ ଆଳୁ ଖାଇଵା ଲୋକ ବାତରା ବୋଲାନ୍ତି ସେଥିପାଇଁ ଆଳୁବାତରା କୁହନ୍ତି?
ଭଗିଆ ଏ ପ୍ରଶ୍ନ ଶୁଣି ମନେ ମନେ ହସିଲା କିନ୍ତୁ ହସ ଚାପି କହିଲା "ଏବେ ଉପକୂଳିଆଙ୍କ ଶବ୍ଦଗୁଡ଼ିକୁ ଧରି ତାଙ୍କୁ ଟାପରା କରିଵାର ଗୋଟେ ଫେସନ ଚାଲିଛି । କିନ୍ତୁ ତୁ ଏ ଆଳୁବାତରା ପଛରେ ଯୋଉ ବୁଦ୍ଧି ଖଟେଇଛୁ ତାକୁ ଦେଖି ମୁଁ ତାଟକା ହେଉଛି !"
ମାଧିଆ ଟିକେ ଵିରକ୍ତ ହୋଇ କହିଲା ନାଇଁ ଯେ ଆମର କାହାକୁ ଆକ୍ଷେପ କରିଵାର ଉଦ୍ଦେଶ୍ୟ ନାହିଁ କେଵଳ ଜାଣିଵା ପାଇଁ ପଚାରିଲି ନା ଆଉ !”
ଭଗିଆ କହିଲା “ଯଦି ଜାଣିଵାକୁ ଚାହୁଁଛୁ ତାହେଲେ ତ ଭଲ କଥା, କିନ୍ତୁ ତୁ ଯୋଉ ସବୁ ଅନୁମାନ କରୁଛୁ ସେସବୁ ପୂରା ଭୁଲ୍ ।”
“ତାହେଲେ ପ୍ରକୃତରେ ଆଳୁବାତରା ନାମକରଣ ପଛର କାହାଣୀ କ'ଣ ?” ମାଧିଆ ପଚାରିଲା ।
ଭଗିଆ କହିଲା “ଲୋକେ Dioscorea bulbuferaକୁ ଓଡ଼ିଶାରେ ଗଛଆଳୁ,ଫଳଆଳୁ,ମଶିଆ,ଛେଲଗୁଦୁରି,ଡାଙ୍ଗକନ୍ଦା,ଟୁଙ୍ଗାଆଳୁ,ଲାଠିକନ୍ଦା,ଲାଟିକନ୍ଦା,ପୀତଳୁଆଳୁ,ବୟାଁଆଳୁ,ଲାଏଟକନ୍ଦା ଓ ଗଣ୍ଡିକନ୍ଦା ଆଦି ଅନେକ ନାଆଁ ଦେଇଛନ୍ତି ହେଲେ ଏହାର ଆଳୁବାତରା,ଆଳୁ ମାନ୍ତରା,ଆଳୁ ମାନ୍ତେରା ଓ ଆଳୁମାନ୍ତଡ଼ା ଆଦି ନାଆଁ ପଛରେ ଏକ ରୋଚକ ଵ୍ୟୁତ୍ପତ୍ତି ଇତିହାସ ଅଛି । ଆମର ଓଡ଼ିଆ ମାତ୍ରା ମଧ୍ୟରେ ଉପରୁ ତଳକୁ ା,ୀ,େ,ୈ,ୋ,ଔ ଆଦି ମାତ୍ରା ଲେଖାଯାଏ ଠିକ୍ ସେହିପରି ି,ୁ,ୂ ,ୃ,ୄ,ୢ ଓ ୣ ଆଦି ମାତ୍ରା ଠିକ୍ ଅକ୍ଷର ତଳେ ଛୁଲେଇ ଦେଲା ପରି ଲେଖାଯାଏ । Dioscorea bulbufera ଵା ଗଛଆଳୁ ମଧ୍ୟ ଅକ୍ଷରର ମାତ୍ରା ପରି ଆଳୁ ଲତାରୁ ଝୁଲୁ ଥିଵାରୁ ଏହାକୁ ଲୋକେ ପ୍ରଥମେ ପ୍ରଥମେ ଆଳୁମାତ୍ରା କହିଥିବେ ଏଵଂ ପରେ ସେହି ଶବ୍ଦ ଆଳୁ ମାନ୍ତରା,ଆଳୁ ମାନ୍ତେରା ଓ ଆଳୁମାନ୍ତଡ଼ା ଓ ଆଳୁବାତରା ହୋଇଅଛି । ପ୍ରକୃତରେ ଏହା ଆଳୁ ଲତାର ଵାୟଵୀୟ ଚେର ଵା ଓହଳ। ଏଗୁଡ଼ିକ ଭୂମିରେ ପୋତିଲେ ଵା ଭୂମିରେ ଲାଗିଗଲେ ଆଳୁ ପରି ଭୂମି ଭିତରକୁ ଗଳି ପଡ଼ି ବଢ଼ି ଯାଏ। ଗୋଦର ଗୋଡ଼ରେ ବେଳେ ବେଳେ ଯେଉଁ ଆର୍ବୁଦଗୁଡ଼ିକ ବାହାରେ ସେଗୁଡ଼ିକ ଦେଖିଵାକୁ ଆଳୁ 'ମାତରା' ପରି ଥିଵାରୁ ଲୋକେ କହନ୍ତି 'ଗୋଦର ଗୋଡ଼ରେ ଆଳୁମାତରା” ହୋଇଛି ।
ଓହୋଃ ୟା ପଛରେ ଏତେ କଥା ଅଛି ତାହେଲେ? ଆଚ୍ଛା ଭାଇ ତାହେଲେ କିଛି ଲୋକଙ୍କୁ ଯୋଉ ବାତରା କୁହାଯାଉଛି ସେ ଶବ୍ଦ କୁଆଡ଼ୁ ଆସିଲା ?” - ମାଧିଆ ପ୍ରଶ୍ନ କଲା ।
ଭଗିଆ କହିଲା “ସଂସ୍କୃତ ଭାଷାରେ ବାତରାୟଣ ବୋଲି ଶବ୍ଦଟିଏ ଅଛି ଏଵଂ ତାହାର ଅନେକ ଅର୍ଥ ବି ରହିଛି। ସାଧାରଣତଃ ନିଷ୍ପ୍ରୟୋଜନ ଲୋକ,କାଣ୍ଡ ଵା ଶର,ଲୋଟା ଵା ଢାଳ,କୂଟ ଵା ପର୍ଵତାଦିର ଚୂଡ଼ା, ସିଧାସଳଖ ଥିଵା ଗଛ,ଉନ୍ମତ୍ତ ଵା ବାଇଆ ଲୋକ,ପାଇନ୍ ଭଳି ସରଳ ସଳଖ ଗଛ,କରତ,ଅଳସୁଆ ଵ୍ୟକ୍ତି ଓ ଵାଣ ଵାତୀର ଗତିକୁ ବାତରାୟଣ କୁହାଯାଉଥିଲା। ଏହି ସଂସ୍କୃତ ଶବ୍ଦଟି ଓଡ଼ିଆ ଭାଷାରେ ବାତରା ହୋଇଯାଇଛି ଏଵଂ ମୂଳ ବାତରାୟଣ ଶବ୍ଦର ପାଗଳ, ଉନ୍ମତ୍ତ,ଅଳସୁଆ ଓ ଅଲୋଡ଼ା ଲୋକ ଅର୍ଥ ଘେନି ଆମ ଭାଷାରେ ଚଳୁଅଛି ।”
ମାଧିଆ ଉତ୍ତର ପାଇ ଉଷତ ହେଇଗଲା ପୁଣି କ'ଣ ପଚାରିଵ ବୋଲି ଉଦ୍ୟତ ହେଲାରୁ ଭଗିଆ କହିଲା “ମୁଁ ଏବେ ହାଟରୁ ଫେରୁଛି ଗାଧୋଇ ପାଧୋଇ ବାଇଗଣ ପୋଡ଼ା ପଖାଳ ଖାଇ କାମକୁ ଯିବି ତୁ ବି ଯାଆ ପଖାଳ ଖାଇ ବାହାରିବୁ ତୋର କଲେଜ ବେଳ ହେଲାଣି। ଆଉ ଯାହା କଥା ପରେ ହେଵା ।” ଭଗିଆ ତା ବାଟରେ ଚାଲିଗଲା,ମାଧିଆ ବି ଭଗିଆ ଦେଇଥିଵା ବଡ୍ଡ ଭେଲୁଆ ବାଇଗଣ ଗୋଟେ ଧରି ଘରକୁ ଫେରିଲା । ବାଟରେ ଭାବୁଥାଏ ଏ ବଡ଼ ବାଇଗଣଗୁଡ଼ାକୁ ଲୋକେ ଭେଲୁଆ କାହିଁକି କୁହନ୍ତି କେଜାଣି...!
(ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)
No comments:
Post a Comment