Saturday, September 21, 2024

• ଭାଷାକୋଷ ଵିଵାଦ : ଉତ୍କଳ ଶବ୍ଦର ଅର୍ଥ ଭାରଵାହକ ଓ ଵ୍ୟାଧ କାହିଁକି? •


ଗୋଦାବରୀଶ ମହାପାତ୍ର ତାଙ୍କ ନିଆଁଖୁଣ୍ଟା ପତ୍ରିକାରେ ସବୁବେଳେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସମାଲୋଚନା କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ପାଇଵା ପରେ ଉତ୍କଳ ଶବ୍ଦର ‘ଭାରଵାହକ’ ଅର୍ଥ କାହିଁକି ଯୋଡ଼ାଯାଇଛି ସେ ପ୍ରସଙ୍ଗକୁ ନେଇ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଭୀଷଣ ଵିରୋଧ ହୋଇଥିଲା । ଏ ସଂକ୍ରାନ୍ତରେ ୨.୬. ୧୯୩୮ ତାରିଖ ଗୁରୁବାର ଦିନ ପ୍ରକାଶ ପାଇଥିଵା ନିଆଁଖୁଣ୍ଟା ପତ୍ରିକାର ଷଷ୍ଠ ପୃଷ୍ଠାରେ ଗୋଦାଵରୀଶ ମହାପାତ୍ରଙ୍କ ଟିପ୍ପଣୀ ଥିଲା —“ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କଦ୍ବାରା ସମ୍ପାଦିତ ‘ପାଳକୋଷ’ ଗ୍ରନ୍ଥରେ ଉତ୍କଳ
ଶବ୍ଦର ଅର୍ଥ ଭାରଵାହକ, ବେହେରା, Carrier ବୋଲି ଲେଖାଯାଇଛି । ଵେଦରୁ
ଆରମ୍ଭ କରି ସଂସ୍କୃତ ପୁରାଣ, ଶାସ୍ତ୍ର, ତନ୍ତ୍ର, କାଵ୍ୟରେ ଉତ୍କଳର ଏ କଦର୍ଥ ଲେଖା ନାହିଁ । କେଵଳ ପାଳକୋଷରେ ଅଛି । ପଡ଼ୋଶୀ ଜାତି ଉତ୍କଳର ଏ ଅର୍ଥ ସୃଷ୍ଟି କରିଛନ୍ତି ଏବଂ ଓଡ଼ିଶାର ଵିଜ୍ଞ ସାହିତ୍ୟିକ, ଅପମାନକୁ ବରଣ କରି ଓଡ଼ିଆ ଭାଷାର ପାଳକୋଷରେ ଗ୍ରହଣ କରିଚନ୍ତି । ଓଡ଼ିଆ ଜାତି ଏହା ମୁଣ୍ଡ ପାତି ସହିଛି । ଓଡ଼ିଆ ଯୁଵକ ଏ ଅର୍ଥ ପଢ଼ି ନିରଵ ରହିଛି ଓ ଓଡ଼ିଶାର ମନ୍ତ୍ରୀମଣ୍ଡଳ ଏ ଗ୍ରନ୍ଥପାଇଁ ଜାତିର କୋଷଭଣ୍ଡାରରୁ ଅର୍ଥଦାନ କରିଛନ୍ତି । ଏଥର କି ପ୍ରତିକାର ନାହିଁ ?”

ଉକ୍ତ ଦିନ ପ୍ରକାଶିତ ନିଆଁଖୁଣ୍ଟା ପତ୍ରିକାରେ ମୁଖପୃଷ୍ଠା ଓ ଷଷ୍ଠପୃଷ୍ଠାରେ ଏକ ଚିତ୍ର ରହିଛି । ତଳେ ଲେଖାଯାଇଛି, ଉତ୍କଳ ଭାରଵାହକ । ଚିତ୍ରରେ ଆଗରେ ରହିଛନ୍ତି ଭାରବାହକ ରୂପେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ପଛରେ ବାବୁ ପରି ଗାଡ଼ିରେ ବସିଛନ୍ତି ଗୋଦାବରୀଶ ମହାପାତ୍ର । 

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉତ୍କଳ ଶବ୍ଦର ଏକ ଅର୍ଥ ଭାରଵାହକ ବୋଲି କାହିଁକି ଯୋଡ଼ାଯାଇଛି ତହିଁର ଉତ୍ତର ୨୪ ଜୁଲାଇ ୧୯୩୫ରେ ପ୍ରକାଶିତ ସତ୍ୟସମାଚାରରେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ଏହିପରି ଦେଇଥିଲେ—“ଉତ୍କଳ ଶବ୍ଦର ଏହି (ଭାରଵାହକ) ଅର୍ଥ ଏକାଧିକ
ପ୍ରାମାଣିକ ସଂସ୍କୃତ ଶବ୍ଦକୋଷରେ ଦିଆଯାଇଥିଵାବେଳେ ‘ଭାରବାହକ’ ଅର୍ଥ ଓଡ଼ିଆ ଜାତିଙ୍କ ପ୍ରତି ଅସମ୍ମାନଜନକ ହେଵ ବୋଲି ଭାଷାକୋଷର ସଂଗ୍ରାହକ ଏ ଅର୍ଥଟାକୁ ବାଦ୍ ଦେଇପାରନ୍ତେ କି ? ‘ଉତ୍କଳ’ ଶବ୍ଦର ଆଉ ଗୋଟିଏ ଅର୍ଥ ଵ୍ୟାଧ ଵା ‘ଚଢ଼େଇମାରୁ’ । ‘ଭାରବାହକ’ ଅପେକ୍ଷା ‘ଵ୍ୟାଧ’ ଶବ୍ଦଟା ତ ଆହୁରି ଅପମାନଜନକ । (ଉତ୍କଳ ଶବ୍ଦର) ଏ (ଵ୍ୟାଧ) ଅର୍ଥଟି ପ୍ରାଚୀନ ଓଡ଼ିଶାର ରାଜା ପୁରୁଷୋତ୍ତମ ଦେଵ (ଖ୍ରୀଷ୍ଟ ପଞ୍ଚଦଶ ଶତାବ୍ଦୀ) ସଂକଳିତ ତ୍ରିକାଣ୍ଡ କୋଷ ନାମକ ସଂସ୍କୃତ ଅଭିଧାନରେ ଅଛି । ଏଥିପାଇଁ ସମାଲୋଚକଙ୍କର କି ଉତ୍ତର ଅଛି ? ଆପଣା ଜାତିର ଅପମାନସୂଚକ ହେଵ ବୋଲି ଅଭିଧାନରୁ ଗୋଟିଏ ପ୍ରାମାଣିକ ଓ ବହୁ ଅଭିଧାନ ଗୃହୀତ ଅର୍ଥକୁ ଉଡ଼ାଇ ଦେଵାକୁ ହେବ । ଯେବେ ଏ ଯୁକ୍ତି କରାଯାଏ, ତେବେ
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂଗ୍ରାହକ ନାଚାର ଓ ସେ ଅପରାଧୀ ସାଵ୍ୟସ୍ତ ହେବେ ।
ଏହିପରି ମେଦିନୀପୁରଵାସୀମାନେ ଓଡ଼ିଆ ଅର୍ଥରେ ଉଡ଼େ ଶବ୍ଦ ଵ୍ୟଵହାର କରନ୍ତି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଏହି ଉଡ଼େ ଶବ୍ଦକୁ ପ୍ରାଦେଶିକ:ମେଦିନୀପୁର
ଲେଖାଯାଇଛି । ଏ ଶବ୍ଦକୁ ମଧ୍ଯ ଭାଷାକୋଷ ସଂଗ୍ରାହକ କିଆଁ ଦେଲେ, ଏଥିପାଇଁ ତାଙ୍କୁ
ଦୋଷୀ କରାଯାଇଥିଵା ଆଶା କରାଯାଏ ।’’

ଉଲ୍ଲେଖଯୋଗ୍ୟ ଯେ ଉପକୂଳର କେତେକ ଅଞ୍ଚଳରେ ଆଜି ବି ଉତ୍ସୃଙ୍ଖଳ ଅର୍ଥରେ ଉତୁକୁଳ,ଉତ୍କୁଳିଆ ଶବ୍ଦ ଚଳୁଅଛି । ପ୍ରକୃତରେ ଏ ଓଡ଼ିଆ ଦେଶଜ ଶବ୍ଦର ତତ୍ସମ ଶାସ୍ତ୍ରୀୟ ଉତ୍କଳ ଶବ୍ଦ ସହିତ କୌଣସି ସଗୋତ୍ରୀୟ ସମ୍ପର୍କ ହିଁ ନାହିଁ । ମୂଳତଃ ଉତ୍ସୃଙ୍ଖଳ ଶବ୍ଦଟି ହିଁ ପରିଵର୍ତ୍ତିତ ହୋଇ ଉତୁକୁଳ ଓ ଉତୁକୁଳିଆ ହୋଇଅଛି ‌। ମାତ୍ର ଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଏ ଶବ୍ଦକୁ ହୁଏତ ସଂଗ୍ରହ କରି ନଥିବେ ତେଣୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉତୁକୁଳ କି ଉତ୍କୁଳିଆ ଶବ୍ଦ ସ୍ଥାନ ପାଇନାହିଁ ‌‌। ତେବେ ଯୋଉମାନେ ସେବେ ଓ ଏବେ ଉତ୍କଳ ଶବ୍ଦର ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାହିଁକି ଭାରଵାହକ ଓ ଵ୍ୟାଧ ଲେଖାଗଲା ବୋଲି ପ୍ରଶ୍ନ କରନ୍ତି ସେମାନେ ଗାଆଁଗଣ୍ଡାର ଓଡ଼ିଆ
ଗ୍ରାମଵାସୀଙ୍କୁ ବି ଯାଇ ପଚାରିଲେ ଭଲ ହୁଅନ୍ତା ଯେ ସେମାନେ କାହିଁକି ଉତ୍ପାତ, ଉତ୍ସୃଙ୍ଖଳ ଅର୍ଥରେ ଉତୁକୁଳ ଓ ଉତୁକୁଳିଆ ଶବ୍ଦ ଵ୍ୟଵହାର କରନ୍ତି?  

ସଂସ୍କୃତ କଳ୍ପଦ୍ରୁମ,ଵାଚସ୍ପତ୍ୟ ଆଦିରେ ଉତ୍କଳ ଶବ୍ଦର ଗୋଟିଏ ଅର୍ଥ ଭାରଵାହକ ଲେଖା ହୋଇଛି ଏଵଂ ଏ ଶବ୍ଦର ଏହି ଵିଶିଷ୍ଟ ଅର୍ଥ ରାମେଶ୍ବର ଶର୍ମାଙ୍କ ସଂସ୍କୃତ ଶବ୍ଦମାଳା ଶବ୍ଦକୋଷରୁ ଗୃହୀତ ହୋଇଛି ବୋଲି ଉଲ୍ଲେଖ ବି ଅଛି । ତେଣୁ ଗୋଦାଵରୀଶ ମହାପାତ୍ରଙ୍କ ସନ୍ଦେହ ଠିକ୍ ହୋଇଥାଇପାରେ ଯେ ଆମ ପଡ଼ୋଶୀମାନେ ଓଡ଼ିଆଙ୍କ ପ୍ରତି ଈର୍ଷା ହିଂସା ଭାଵ ରଖି ହୁଏତ ଉତ୍କଳ ଶବ୍ଦର ଗୋଟିଏ ଅର୍ଥ ଭାରଵାହକ ଯୋଡ଼ିଥିବେ କିନ୍ତୁ ସେ ପଡ଼ୋଶୀ ବଙ୍ଗାଳୀ କି ଉତ୍ତର ଭାରତୀୟ ଥିଲେ ତାହା ସ୍ପଷ୍ଟଭାବେ କୁହାଯାଇପାରେ ନପାରେ। ଏକାଦଶରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଉତ୍କଳ ଶବ୍ଦର ଭାରଵାହକ ଓ ଵ୍ୟାଧ ଅର୍ଥ ଯୋଡ଼ାଯାଇଥିଵା ଅଧିକ ସମ୍ଭଵପର । ଉତ୍ତର ଭାରତ,ବଙ୍ଗରେ ଏହି ସମୟକାଳରେ ପଠାଣମାନେ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ କିନ୍ତୁ ଓଡ଼ିଶାର ଲୋକେ ସୁଖ ଶାନ୍ତିରେ ରହୁଥିଲେ । ଅତଏଵ ଆମ ବିମାରୁ ପଡ଼ୋଶୀ ହୁଅନ୍ତୁ କି ବଙ୍ଗାଳୀ ପଡ଼ୋଶୀ ହୁଅନ୍ତୁ କେଵଳ ଈର୍ଷା ହିଂସା ରଖି ସଂସ୍କୃତ ଭାଷାର ଧାତୁ ପ୍ରୟୋଗ ପୂର୍ଵକ ଉତ୍କଳ ଶବ୍ଦର ଵ୍ୟାଧ ଓ ଭାରଵାହକ ଅର୍ଥ ପରେ ଯୋଡ଼ିଛନ୍ତି । ତଥାପି ଜଣେ ଉଦାରଵାଦୀ ଓଡ଼ିଆ ଭାବେ ଆମେ ସେ ଗାଳିକୁ ବି ଗ୍ରହଣ କରୁଛୁ । ହଁ ଆମ ଉତ୍କଳୀୟ ପୂର୍ବଜ ଏମିତି ଵ୍ୟାଧ ଥିଲେ ସେମାନେ ଶତ୍ରୁର ଏପରି ଶିକାର କରୁଥିଲେ ଯେ ସେ କୋଉଠି ତିଷ୍ଠି ହିଁ ପାରୁନଥିଲା । ସାତଶହ ଵର୍ଷ ପଠାଣ ଓ ଦେଢ଼ ଶହ ଵର୍ଷ ଧରି ଇଂରାଜ ଶାସନ ଵିପକ୍ଷରେ ସଶସ୍ତ୍ର ସଂଗ୍ରାମ କରିଥିଲେ କଳିଙ୍ଗଵାସୀ । ସେହିପରି ହଁ ଆମ ଓଡ଼ିଆ ଉତ୍କଳୀ କଳିଙ୍ଗୀ ପୂର୍ଵଜମାନେ ଭାରଵାହକ ଥିଲେ ! ମାଳଦ୍ଵୀପ, ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନସ, ଦକ୍ଷିଣ ପୂର୍ଵ ଏସିଆ ଓ ଦକ୍ଷିଣ ଚୀନକୁ ଜାହାଜରେ ଭାରତୀୟ ଭାଷା ଓ ସଂସ୍କୃତିକୁ ବୋହି ନେଇ ଯାଇଥିଲେ ‌। 



ଅସ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାଆଁ ବଦନାମ କରିଵାକୁ ଚେଷ୍ଟା କରି ମଧ୍ୟ ଈର୍ଷାଳୁ ଦ୍ଵେଷୀମାନେ ହାରିଯାଇଛନ୍ତି । ଭାଷାକୋଷକୁ ପାଳକୋଷ କହୁଥିଵା ଲୋକେ ତାଙ୍କ ଜୀଵନରେ ଭାଷାକୋଷ ସାଦୃଶ୍ୟ କୋଷଟିଏ କେବେହେଲେ ବି ସଂକଳନ କରିନାହାନ୍ତି କେଵଳ ସମାଲୋଚନା କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓଡ଼ିଆ ଜାତି ପାଇଁ କାଲି ଯେତିକି ଉପାଦେୟ ଥିଲା ଆଜି ବି ସେତିକି ଉପାଦେୟ ଅଛି ‌। 
××××××××××××××××××
✍️ ଶିଶିର ସାହୁ ମନୋଜ 
××××××××××××××××××

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...