Tuesday, October 28, 2025

ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କୁ ଚୀନରେ ମାରିଦେଵାର ଷଡ଼ଯନ୍ତ୍ର ହୋଇଥିଲା କି ?

ଵୈଦେଶିକ ଶକ୍ତି ସବୁବେଳେ ଭାରତୀୟ ରାଷ୍ଟ୍ରଵାଦୀ ନେତା,ଵୈଜ୍ଞାନିକ ଓ ଅନ୍ୟାନ୍ୟ ଵ୍ୟକ୍ତିଙ୍କ ହତ୍ଯା ଷଡ଼ଯନ୍ତ୍ର କରିଥାନ୍ତି । ଭାରତର ଅନେକ ଵୈଜ୍ଞାନିକ ଓ ନେତାଙ୍କୁ ଵିଦେଶୀ ଗୁପ୍ତଚର ସଂସ୍ଥା ହତ୍ୟା କରିଥିଵା ଜଣାଯାଏ । ତାସକେଣ୍ଡରେ ଭାରତୀୟ ପ୍ରଧାନମନ୍ତ୍ରୀ ୰ଲାଲ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା ତନ୍ମଧ୍ୟରେ ଉଲ୍ଲେଖନୀୟ । 

ନିକଟରେ ଶ୍ରୀନରେନ୍ଦ୍ର ମୋଦିଙ୍କର ହତ୍ୟା ଯୋଜନା ହୋଇଥିଵା କଥା ଶୁଣାଯାଉଛି । 

୨୦୨୫ ମସିହାର ଅଗଷ୍ଟ ୩୧। ଚାଇନାର ତିଆଞ୍ଜିନ୍ ସହରରେ ଶାଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ (SCO) ସମିଟ୍‌ର ପରିଵେଶ ଥିଲା ଉତ୍ତେଜନାପୂର୍ଣ୍ଣ। ଆକାଶରେ ମେଘ ଘେରି ରହିଥିଲା କିନ୍ତୁ ସମିଟ୍‌ ହଲ୍‌ରେ ରାଜନୈତିକ ଉଷ୍ଣତା ଅଧିକ ଅନୁଭୂତ ହେଉଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଓ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍ ଏକ ମଞ୍ଚରେ ଉପସ୍ଥିତ ଥିଲେ। ଏହି ସମିଟ୍ ଥିଲା ଵାଣିଜ୍ୟ, ସୁରକ୍ଷା ଓ ଆଞ୍ଚଳିକ ସ୍ଥିରତା ଉପରେ ଆଲୋଚନାର ଏକ ବଡ଼ ମଞ୍ଚ। କିନ୍ତୁ ଏହି ସମିଟ୍‌ ପଛରେ ଲୁଚି ରହିଥିଲା ଏକ ଅନ୍ଧକାର ଷଡ଼ଯନ୍ତ୍ର ଯାହା ମୋଦିଙ୍କ ଜୀଵନକୁ ଵିପଦରେ ପକାଇଥିଲା।
ଇଏ ଭୂ-ରାଜନୈତିକ ଵିଵାଦର ସମୟ ଥିଲା। ଯୁକ୍ତରାଷ୍ଟ୍ର ଅମେରିକା, ଭାରତୀୟ ରପ୍ତାନି ଦ୍ରଵ୍ୟଉପରେ ୫୦% ଟାରିଫ୍ ଲଗାଇଥିଲା,ଏଵଂ ଟ୍ରମ୍ପ ବାରମ୍ବାର ମୁଁ ସିଜ୍ ଫାୟର କରିଛି ବୋଲି କହି ଚାଲିଥିଲା କିନ୍ତୁ ଭାରତ ଏହାକୁ ଖଣ୍ଡନ କରି ଚାଲିଥିଲା । ଅନ୍ୟପଟେ, ପାକିସ୍ତାନ ସହ ଭାରତର ଯୁଦ୍ଧ ହୋଇଥିଲା । ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହଲଗାମ୍ (Baisaran Valley) ନିକଟରେ ଆତଙ୍କଵାଦୀମାନେ ୨୬ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ମାରିଥିଲେ। ଏହା ପରେ ଭାରତ ୨୩ ଏପ୍ରିଲରେ Indus Waters Treaty (୧୯୬୦) ସ୍ଥଗିତ କରିଥିଲା, Attari ସୀମା ବନ୍ଦ କରିଥିଲା ଏଵଂ SAARC Visa Exemption Scheme ଅଧୀନରେ ପାକିସ୍ତାନୀମାନଙ୍କର Visa ବାତିଲ୍ କରିଥିଲା। ପାକିସ୍ତାନ୍ ମଧ୍ୟ Simla Agreement (୧୯୭୨) ସ୍ଥଗିତ କରିଥିଲା ଏଵଂ ଭାରତୀୟ ରାଜଦୂତମାନଙ୍କୁ ନିର୍ଵାସିତ କରିଥିଲା । ଏହା ପରେ ଭାରତ ଅପରେସନ ସିନ୍ଦୂର ଚଳାଇ ଏୟାର୍‌ସ୍ଟ୍ରାଇକ୍ କରି ୯ଟି ଆତଙ୍କଵାଦୀ କ୍ୟାମ୍ପ୍ ଧ୍ଵଂସ କରିଥିଲା । ପାକିସ୍ଥାନର ଡ୍ରୋନ୍, ମିସାଇଲ୍, ସାଇବର୍ ଆକ୍ରମଣକୁ ଭାରତ ସମ୍ପୂର୍ଣ୍ଣ ନିଷ୍ଫଳ କରିଥିଲା । ଏହା ୪ ଦିନ (୭-୧୦ ମେ) ଚାଲିଥିଲା । ୧୦ ମେ ୨୦୨୫ର ପ୍ରତ୍ୟୁଷ୍କାଳୀନ ସମୟରେ IAF Rafale ଜେଟ୍‌ଗୁଡ଼ିକ ଵ୍ୟଵହାର କରି ୧୧ଟି ପାକିସ୍ତାନୀ ଏୟାର୍ବେସ୍ ଉପରେ ପ୍ରିସିଜନ୍ ଆକ୍ରମଣ (air-launched precision weapons) କରିଥିଲା। ଏହାରେ ରନ୍ୱେ, ହ୍ୟାଙ୍ଗାର୍, ଏଵଂ ଏୟାର୍ ଡିଫେନ୍ସ୍ ସିଷ୍ଟମ୍‌ଗୁଡ଼ିକୁ ଲକ୍ଷ୍ୟ କରାଯାଇଥିଲା। ପାକିସ୍ଥାନ ଏହି ଆକ୍ରମଣରେ ଡର ମରି ଭାରତର ପାଦ ଧରି ଯୁଦ୍ଧଵିରତି ପାଇଁ କାକୁତି ମିନତି କଲାରୁ ୧୦ ମେ ସକାଳେ ଯୁଦ୍ଧଵିରତି (ceasefire) ହୋଇଥିଲା । ଲାଲ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା ପୂର୍ଵରୁ ବି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେତେବେଳେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ତଥା ଆମେରିକାର ଗୁପ୍ତଚର ସଂସ୍ଥା CIA ମିଳିତ ଭାବେ ଶାସ୍ତ୍ରୀଙ୍କ ହତ୍ୟା ଯୋଜନା କରିଥିଲେ । ଏଥର ମଧ୍ୟ ଚୀନରେ ମୋଦିଙ୍କୁ ମାରିଵାର ଯୋଜନା ଏହି ଦୁଇ ଗୁପ୍ତଚର ସଂସ୍ଥା କରିଥିଵା କୁହାଯାଉଛି। 

ସମିଟ୍‌ର କିଛି ଦିନ ପୂର୍ଵେ, ରୁଷିଆର ଗୁପ୍ତଚର ସଂସ୍ଥା FSB (Federal Security Service) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା ବୋଲି କେତେକ ଉତ୍ସ ଦାବି କରନ୍ତି। ISI ଓ CIA ମଧ୍ୟରେ ଏକ ଗୁପ୍ତ ଯୋଜନା ଚାଲିଥିଲା, ଯାହାର ଲକ୍ଷ୍ୟ ଥିଲା ନରେନ୍ଦ୍ର ମୋଦିଙ୍କୁ ତିଆଞ୍ଜିନ୍‌ରେ ହତ୍ୟା କରିଵା। ଅମେରିକା ଭାରତର ରୁଷିଆ ଓ ଚାଇନା ସହ ନିକଟତାକୁ ପସନ୍ଦ କରୁନଥିଲା ଏଵଂ ପାକିସ୍ତାନ ଅପରେସନ ସିନ୍ଦୂରର ପ୍ରତିଶୋଧ ନେଵାକୁ ଚାହୁଁଥିଲା । ଏହି ଷଡ଼ଯନ୍ତ୍ର ଥିଲା ଏକ ଜଟିଳ ଯୋଜନା, ଯେଉଁଥିରେ ଜଳ ଵା ଖାଦ୍ୟରେ ଜହର ଦେଵା କିମ୍ବା ଏକ ଗୁପ୍ତ ଆକ୍ରମଣ ମାଧ୍ୟମରେ ମୋଦିଙ୍କ ଜୀଵନ ନାଶ କରାଯାଇଥିଵା ସୂଚନା ମିଳେ ।
FSBର ଏଜେଣ୍ଟମାନେ ଏହି ସୂଚନାକୁ ଗୁରୁତର ଭାବେ ନେଇଥିଲେ। ପୁତିନ୍ ତୁରନ୍ତ ଏହି ଵିଷୟରେ ଭାରତୀୟ ଗୁପ୍ତଚର ସଂସ୍ଥା RAW (Research and Analysis Wing) ଓ IB (Intelligence Bureau) ସହ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ସମିଟ୍‌ର ସମୟରେ ଏହି ସୂଚନାକୁ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା ଯେମିତି ଷଡ଼ଯନ୍ତ୍ରକାରୀମାନେ ସତର୍କ ନ ହୁଅନ୍ତି।

ସମିଟ୍‌ର ପ୍ରଥମ ଦିନ, ଅଗଷ୍ଟ ୩୧। ମୋଦି ତିଆଞ୍ଜିନ୍‌ରେ ପହଞ୍ଚିଥିଲେ ଏଵଂ ତାଙ୍କ ସୁରକ୍ଷା ଦଳ SPG (Special Protection Group) ସର୍ଵଦା ତାଙ୍କୁ ଘେରି ରହିଥିଲେ। ଚାଇନାର ସୁରକ୍ଷା ବାହିନୀ ମଧ୍ୟ ସମିଟ୍ ସ୍ଥାନରେ କଡ଼ା ନିରୀକ୍ଷଣ କରୁଥିଲେ। କିନ୍ତୁ ପରଦା ପଛରେ, ଏକ ଅଜଣା ଵିପଦ ଲୁଚି ରହିଥିଲା। ଷଡ଼ଯନ୍ତ୍ରକାରୀମାନେ ସମିଟ୍‌ର ଗହଳି ଓ ଆନ୍ତର୍ଜାତୀୟ ମଞ୍ଚରେ ମୋଦିଙ୍କୁ ଟାର୍ଗେଟ କରିଵାକୁ ଯୋଜନା କରିଥିଲେ। 
ଇଣ୍ଟରନେଟରେ ଅନେକ ଲେଖାରେ କୁହାଯାଉଛି ଯେ ଶି ଜିନ୍‌ପିଙ୍ଗ୍ ତାଙ୍କର ଗୁପ୍ତଚର ସଂସ୍ଥା MSS (Ministry of State Security) ମାଧ୍ୟମରେ ଏକ ସନ୍ଦେହଜନକ ଗତିଵିଧି ଵିଷୟରେ ସୂଚନା ପାଇଥିଲେ। ଶି-ଙ୍କ ନିର୍ଦ୍ଦେଶରେ MSS ଦ୍ଵାରା ସ୍ଥାନୀୟ ସୁରକ୍ଷା ଵ୍ୟଵସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ସମିଟ୍‌ରେ ଦିଆଯାଉଥିଵା ଜଳ ଓ ଖାଦ୍ୟ ଉପରେ କଡ଼ ନଜର ରଖାଯାଇଥିଲା ଏଵଂ ତହିଁର ପରିକ୍ଷଣ ପରେ ଅନୁମୋଦନ କରାଯାଉଥିଲା । ସେଦିନ ଏତେ କଡ଼ା ପହରା ମଧ୍ୟରେ ମୋଦିଙ୍କୁ ଜହର ଦେଇ ମାରିଵାର ଯୋଜନା ଵିଫଳ ହୋଇଥିଲା । 
ସମିଟ୍‌ର ଦ୍ୱିତୀୟ ଦିନ, ସେପ୍ଟେମ୍ବର ୧। ସମିଟ୍‌ର ଆଲୋଚନା ଚାଲିଥିଵାବେଳେ ପୁତିନ୍ ମୋଦିଙ୍କୁ ତାଙ୍କର ଆର୍ମଡ୍ Aurus କାରରେ ଏକ ଵୈଠକ ପାଇଁ ଆମନ୍ତ୍ରଣ କରିଥିଲେ। ଏହି କାର୍ ଅତ୍ୟାଧୁନିକ ସୁରକ୍ଷା ଵ୍ୟଵସ୍ଥାରେ ସଜ୍ଜିତ ଏଵଂ ଗୁପ୍ତ ତଥା ସୁରକ୍ଷିତ ପରିଵେଶ ପ୍ରଦାନ କରିଥିଲା। କୁହାଯାଏ ସେଦିନ ମୋଦିଙ୍କ ଉପରେ ଆତଙ୍କଵାଦୀ ଆକ୍ରମଣ ହେଵାର ଥିଲା ଯାହାକୁ ପୁତିନ୍ ଏଡ଼ାଇ ଦେଇଥିଲେ । ୪୫ ମିନିଟ୍‌ର ଵୈଠକ ନୁହେଁ ଵରଂ ତାହା ପୁତିନଙ୍କ ଦ୍ଵାରା ମୋଦିଙ୍କୁ ୪୫ମିନିଟ୍‌ର ସୁରକ୍ଷା ପ୍ରଦାନ ଥିଲା ବୋଲି
କୁହାଯାଉଛି । ପୁତିନ୍‌ଙ୍କର ସମୟୋଚିତ ହସ୍ତକ୍ଷେପ ଓ ରୁଷିଆ-ଭାରତ ମଧ୍ୟରେ ଦୀର୍ଘଦିନର ଵିଶ୍ୱାସ ମୋଦିଙ୍କ ଜୀଵନ ବଞ୍ଚାଇଵାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। 
ଷଡ଼ଯନ୍ତ୍ରକାରୀମାନେ ସମିଟ୍‌ରେ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଵାରେ ବିଫଳ ହୋଇଥିଲେ। FSB, MSS, ଓ RAWର ସମନ୍ୱୟ ଏଵଂ SPGର କଡ଼ା ସୁରକ୍ଷା ଵ୍ୟଵସ୍ଥା ଯୋଗୁଁ ଵିପଦକୁ ଆରମ୍ଭରେ ହିଁ ଅଟକେଇ ଦିଆଯାଇଥିଲା। ସମ୍ଭଵତଃ ଷଡ଼ଯନ୍ତ୍ରକାରୀମାନେ ସମିଟ୍ ସ୍ଥାନରେ ପହଞ୍ଚିଵା ପୂର୍ଵରୁ ଚିହ୍ନଟ ହୋଇଥିଲେ, କିମ୍ବା ତାଙ୍କର ଯୋଜନା କାର୍ଯ୍ୟକାରୀ ହେଵା ପୂର୍ଵରୁ ଭଣ୍ଡୁର ହୋଇଥିଲା। ମୋଦି ସମିଟ୍‌ରେ ନିଜର ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ ଏଵଂ ସେ ସୁରକ୍ଷିତ ଭାବେ ଭାରତ ଫେରିଥିଲେ।

ଭାରତ ଫେରିଵା ପରେ, ମୋଦି ଏକ ଜନସଭାରେ ଜନତାଙ୍କ ଉତ୍ସାହକୁ ଦେଖି ଏକ ରହସ୍ୟମୟ ମନ୍ତଵ୍ୟ ଦେଇ କହିଥିଲେ: "आप लोग तालियां मेरे जाने के लिए बजा रहे हैं, या मेरे (सुरक्षित) लौटने के लिए?"
 
ଏହି ମନ୍ତଵ୍ୟ ଆସିଲା ପରେ ତାଙ୍କର ଜୀଵନ ପ୍ରତି ଚୀନରେ ଵିପଦ ଥିଲା ବୋଲି ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା କିନ୍ତୁ ସେହି ସମୟରେ ତାହା ଅନ୍ୟ ପ୍ରସଙ୍ଗ ମଧ୍ୟରେ ହଜି ଯାଇଥିଲା । ୧୨ ଅକ୍ଟୋବରରେ ରାହୁଲ ଗାନ୍ଧୀର ଏକ ଟ୍ବିଟ୍‌ରୁ ପୁଣି ଗଣମାଧ୍ୟମରେ ଏହା ଚର୍ଚ୍ଚାର ଵିଷୟ ପାଲଟିଛି । ଇତି ମଧ୍ୟରେ ଏ ଵିଷୟରେ ଏ ପର୍ଯ୍ୟନ୍ତ ଟ୍ଵିଟରରେ ୫୦୦୦ରୁ ଅଧିକ ପୋଷ୍ଟ୍ ଓ YouTubeରେ ୧୦୦୦ରୁ ଅଧିକ ଭିଡ଼ିଓରେ ଚର୍ଚ୍ଚାରେ ରହିଛି। ଫେସବୁକରେ ମଧ୍ୟ ଅନେକେ ଏହା ଵିଷୟରେ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ତେବେ ଏହି ଵିଷୟ ପୁନଃ ଆଲୋଚନାର ଶ୍ରେୟ ବିଜେପିର ଷ୍ଟାର୍ ପ୍ରଚାରକ ରାହୁଲ ଗାନ୍ଧୀଙ୍କୁ ଦିଆଯାଉଛି। 

Monday, October 27, 2025

ଷ୍ଟୋନୱାଲ ଦଙ୍ଗା: ଏକ ଐତିହାସିକ ଆନ୍ଦୋଳନର କାହାଣୀ

ଷ୍ଟୋନୱାଲ ଦଙ୍ଗା ୧୯୬୯ ମସିହାରେ ଆମେରିକାର ନିଉୟର୍କ ସହରରେ ଘଟିଥିଲା ଏଵଂ ଏହା ଏକ ଏପରି ଘଟଣା ଯାହା ଵିଶ୍ୱଵ୍ୟାପୀ LGBTQ ଅଧିକାର ଆନ୍ଦୋଳନର ଆରମ୍ଭବିନ୍ଦୁ ଭାବେ ଗଣାଯାଏ। ଏହା ମାତ୍ର ଏକ ଦଙ୍ଗା ନଥିଲା ଵରଂ ଅନ୍ୟାୟ, ଦମନ ଓ ଵୈଷମ୍ୟ ଵିରୁଦ୍ଧରେ ଏକ ସମ୍ପ୍ରଦାୟର ସାହସୀ ପ୍ରତିଵାଦ ଥିଲା। ଏହି ଘଟଣା ସେହି ସମୟର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପୃଷ୍ଠଭୂମିକୁ ନେଇ ଆରମ୍ଭ ହୋଇଥିଲା । ଏକ ଛୋଟ Barରେ ଘଟିଥିଵା ଏକ ସାମାନ୍ୟ ଘଟଣା ଇତିହାସର ମୋଡ଼ ଵଦଳାଇ ଦେଇଥିଲା।

୧୯୬୦ ଦଶକର ଆମେରିକା ଏକ ପରିଵର୍ତ୍ତନଶୀଳ ସମୟରେ ଥିଲା। ନାଗରିକ ଅଧିକାର ଆନ୍ଦୋଳନ, ମହିଳା ଅଧିକାର, ଓ ଭିଏତନାମ ଯୁଦ୍ଧ ଵିରୋଧୀ ଆନ୍ଦୋଳନ ଜୋର ସୋର୍‌ରେ ଚାଲିଥିଲା । କିନ୍ତୁ ଏହି ସମୟରେ LGBTQ ସମ୍ପ୍ରଦାୟଙ୍କ ପାଇଁ ଜୀଵନ ଅତ୍ୟନ୍ତ କଠିନ ଥିଲା। ସମଲିଙ୍ଗୀ ସମ୍ପର୍କକୁ ସେତେବେଳର ଆମେରିକାରୈ ଅପରାଧ ଭାବେ ଗଣାଯାଉଥିଲା ଏଵଂ ଅଧିକାଂଶ ରାଜ୍ୟରେ ଏହା ଆଇନଗତ ଭାବେ ନିଷିଦ୍ଧ ଥିଲା। ସମାଜରେ LGBTQ ଵ୍ୟକ୍ତିମାନେ ଵୈଷମ୍ୟ, ଅପମାନ ଓ ହିଂସାର ଶିକାର ହେଉଥିଲେ।

ନିଉୟର୍କ ସହରରେ, LGBTQ ସମ୍ପ୍ରଦାୟର ଲୋକମାନେ ନିଜର ପରିଚୟ ଲୁଚାଇ ଜୀଵନଯାପନ କରୁଥିଲେ। ସେମାନଙ୍କ ପାଇଁ ନିରାପଦ ସ୍ଥାନ ବହୁତ ଅଳ୍ପ ଥିଲା। Gay Bar ଓ କ୍ଲଵଗୁଡ଼ିକ ଥିଲା ଏକମାତ୍ର ସ୍ଥାନ ଯେଉଁଠି ସେମାନେ ନିଜର ପ୍ରକୃତ ପରିଚୟକୁ ପ୍ରକାଶ କରିପାରୁଥିଲେ। କିନ୍ତୁ ଏହି Barଗୁଡ଼ିକ ମଧ୍ୟ ପୁଲିସର ନିରନ୍ତର ଚଢ଼ାଉର ଶିକାର ହେଉଥିଲା। ପୁଲିସ ପ୍ରାୟତଃ ଏହି Barଗୁଡ଼ିକ ଉପରେ ଚଢ଼ାଉ କରି ଲୋକଙ୍କୁ ଗିରଫ କରୁଥିଲା, ଅପମାନିତ କରୁଥିଲା ଏଵଂ ତାଙ୍କର ନାମ ଖଵରକାଗଜରେ ଛପାଇ ସେମାନଙ୍କ ଜୀଵନକୁ ଵିପଦରେ ପକାଉଥିଲା।


ଷ୍ଟୋନୱାଲ ଇନ୍ (Stonewall Inn) ଥିଲା ନିଉୟର୍କ ସହରର ଗ୍ରୀନୱିଚ୍ ଵିଲେଜ୍ ଅଞ୍ଚଳରେ ଅଵସ୍ଥିତ ଏକ ଛୋଟ Gay Bar । ଏହା ୧୯୬୬ ମସିହାରେ Gay Bar ଭାଵେ ଖୋଲାଯାଇଥିଲା ଏଵଂ ଏହା LGBTQ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଜନପ୍ରିୟ ସ୍ଥାନ ଥିଲା। ଏହି Barରେ Gay, Lesbian, Transgender ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନାଚୁଥିଲେ, ଗପସପ କରୁଥିଲେ ଓ ନିଜର ପରିଚୟକୁ ସ୍ୱାଧୀନ ଭାବେ ଉପଭୋଗ କରୁଥିଲେ। କିନ୍ତୁ ଏହି Barଟି ମାଫିଆ ଦ୍ୱାରା ପରିଚାଳିତ ହେଉଥିଲା ଯେଉଁମାନେ ଏହାକୁ ଏକ ଲାଭଜନକ ଵ୍ୟଵସାୟ ଭାଵେ ଚଳାଉଥିଲେ। Barଟି ଅନେକ ସମୟରେ ଅଵୈଧ ଭାବେ ମଦ ତଥା ଅନ୍ୟାନ୍ୟ ମାଦକଦ୍ରଵ୍ୟ ଵିକ୍ରି କରୁଥିଲା, ଯାହା ପୁଲିସର ଚଢ଼ାଉର ଏକ କାରଣ ଥିଲା।

ଷ୍ଟୋନୱାଲ ଇନ୍ ଏକ ସାଧାରଣ Bar ନଥିଲା। ଏହା ଥିଲା ଏକ ଆଶ୍ରୟସ୍ଥଳ, ଯେଉଁଠି ସମାଜ ଦ୍ୱାରା ଵିତାଡ଼ିତ ଲୋକେ ନିଜକୁ ସୁରକ୍ଷିତ ଅନୁଭଵ କରୁଥିଲେ। ଏହାର ଗ୍ରାହକଙ୍କ ମଧ୍ୟରେ ଥିଲେ ଟ୍ରାନ୍ସଜେଣ୍ଡର ମହିଳା, ଯୁଵକମାନେ, ଗୃହହୀନ ଯୁଵକ ଓ କଳାଲୋକେ, ଯେଉଁମାନେ ସମାଜରେ ଵିଶେଷ ଵୈଷମ୍ୟର ଶିକାର ହେଉଥିଲେ।

୧୯୬୯ ମସିହା ଜୁନ ମାସ ୨୮ ତାରିଖ, ଶୁକ୍ରଵାର ରାତି। ଷ୍ଟୋନୱାଲ ଇନ୍‌ରେ ସବୁଦିନ ପରି ଗୀତ, ନାଚ ଓ ହସଖୁସିର ଆସର ଜମିଥିଲା। ରାତି ପ୍ରାୟ ୧:୨୦ ମିନିଟରେ ପୁଲିସ Bar ଉପରେ ଚଢ଼ାଉ କରିଥିଲା। ଏହା କୌଣସି ନୂଆ କଥା ନଥିଲା। ପୁଲିସ ପ୍ରାୟତଃ ଏହି Bar ଉପରେ ଚଢ଼ାଉ କରୁଥିଲା, କିନ୍ତୁ ଏହି ରାତିରେ କିଛି ଅଲଗା ହେଲା।

ପୁଲିସ Barରେ ପଶି ଗ୍ରାହକଙ୍କୁ ଗିରଫ କରିଵା ଆରମ୍ଭ କଲା। ପୋଲିସମାନେ ଲୋକଙ୍କୁ ଅପମାନିତ କଲେ, ମହିଳା ଓ ଟ୍ରାନ୍ସଜେଣ୍ଡର ଵ୍ୟକ୍ତିଙ୍କୁ ଅଶାଳୀନ ଢଙ୍ଗରେ ତଲାସି କଲେ। ସାଧାରଣତଃ ଏହି ଚଢ଼ାଉ ସମୟରେ ଲୋକେ ଚୁପ୍‌ଚାପ୍ ପୁଲିସର କଥା ମାନୁଥିଲେ, କିନ୍ତୁ ଏହି ରାତିରେ ସ୍ଥିତି ବଦଳିଗଲା। 

Barର ଵାହାରେ ଏକ ଜନତା ଜମା ହେଵାକୁ ଲାଗିଲା। ଯେଉଁମାନଙ୍କୁ ପୁଲିସ ଵାହାରକୁ ଛାଡ଼ି ଦେଇଥିଲା, ସେମାନେ ଚଲିଯାଇ ନଥିଲେ। ଵରଂ ସେମାନେ ରାସ୍ତାରେ ଜମା ହୋଇ ପୁଲିସର କାର୍ଯ୍ୟକୁ ପ୍ରତିଵାଦ କରିଵା ଆରମ୍ଭ କରିଦେଲେ। କିଛି ଲୋକ ପୁଲିସକୁ ଵିଦ୍ରୂପ କଲେ, ଅନ୍ୟମାନେ ଚିତ୍କାର କରି କହିଲେ, "ଆମକୁ ଏକା ଛାଡ଼ିଦିଅ ଵା Leave Us Alone !"।
ପ୍ରକୃତ ଘଟଣା କ’ଣ ଥିଲା ଯାହା ଦଙ୍ଗାକୁ ଆରମ୍ଭ କଲା, ତାହା ସ୍ପଷ୍ଟ ନୁହେଁ। କିଛି ସାକ୍ଷୀଙ୍କ କହିଵା ଅନୁଯାୟୀ, ଜଣେ ଟ୍ରାନ୍ସଜେଣ୍ଡର ମହିଳା ଯାହାଙ୍କୁ ପୁଲିସ ଗିରଫ କରୁଥିଲା, ସେ ପ୍ରତିଵାଦ କରି ଜନତାକୁ ଉତ୍ତେଜିତ କରିଥିଲେ। ଅନ୍ୟ ଏକ ମତ ଅନୁଯାୟୀ, ଜଣେ ଲେସବିୟାନ ମହିଳାଙ୍କୁ ପୁଲିସ ମାଡ଼ ମାରିଥିଲା, ଯାହା ଜନତା ମଧ୍ୟରେ ଆକ୍ରୋଶର କାରଣ ହୋଇଥିଲା। ତେବେ ଏହା ଏକ ଛୋଟ ଘଟଣା ଥିଲା ଏକ ଵିଶାଳ ପ୍ରତିଵାଦରେ ପରିଣତ ହେଲା।
ଜନତା ପୁଲିସ ଉପରେ ପଥର, ଵୋତଲ ଓ ଅନ୍ୟାନ୍ୟ ଜିନିଷ ଫୋପାଡ଼ିଵା ଆରମ୍ଭ କଲେ। ପୁଲିସ ଅଧିକାରୀମାନେ, ଯେଉଁମାନେ ଏକ ସାଧାରଣ ଚଢ଼ାଉ ପାଇଁ ଆସିଥିଲେ, ଏହି ଅପ୍ରତ୍ୟାଶିତ ପ୍ରତିଵାଦରେ ହତଵାକ୍ ହୋଇଗଲେ। ସେମାନେ ଷ୍ଟୋନୱାଲ ଇନ୍ ଭିତରେ ନିଜକୁ ଵନ୍ଦ କରି ଦେଇଥିଲେ, କିନ୍ତୁ ଜନତା ଵାହାରେ ରହି ନାରାଵାଜି ଓ ପ୍ରତିଵାଦ ଜାରି ରଖିଥିଲେ।
ଏହି ରାତିରେ ପ୍ରତିଵାଦ ଏକ ପୂର୍ଣ୍ଣାଙ୍ଗ ଦଙ୍ଗାରେ ପରିଣତ ହେଲା। ଜନତା ପୁଲିସର ଗାଡ଼ି ଉପରେ ଆକ୍ରମଣ କଲେ, ମୋଟରଗାଡ଼ି ଓ ଅନ୍ୟ ଜିନିଷରେ ନିଆଁ ଲଗାଇ ଦେଲେ। ପୁଲିସ ଅଧିକ ପୋଲିସ ଵାହିନୀ ପଠାଇଥିଲା, କିନ୍ତୁ ପ୍ରତିଵାଦୀମାନେ ପଛକୁ ହଟି ନଥିଲେ। ଏହି ଦଙ୍ଗା ରାତିସାରା ଚାଲିଥିଲା ଓ ପରଦିନ ସକାଳେ ମଧ୍ୟ ଜାରି ରହିଥିଲା।
ପ୍ରଥମ ରାତିର ଦଙ୍ଗା କେଵଳ ଆରମ୍ଭ ଥିଲା। ପରଵର୍ତ୍ତୀ କିଛି ଦିନ ଧରି ଗ୍ରୀନୱିଚ୍ ଵିଲେଜରେ ପ୍ରତିଵାଦ ଓ ଦଙ୍ଗା ଜାରି ରହିଥିଲା। LGBTQ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ରାସ୍ତାରେ ଵିକ୍ଷୋଭ କରୁଥିଲେ। ସେମାନେ Gay Power ଏଵଂ "ଆମେ ଏକା ନୁହୁଁ" ଭଳି ନାରା ଦେଉଥିଲେ। ଏହି ପ୍ରତିଵାଦରେ ଅନେକ ଟ୍ରାନ୍ସଜେଣ୍ଡର ମହିଳା ଓ କଳା ଲୋକେ ନେତୃତ୍ୱ ନେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମାର୍ଶା ପି. ଜନସନ ଓ ସିଲଵିଆ ରିଭେରା ଭଳି ଵ୍ୟକ୍ତିତ୍ୱ ଅଗ୍ରଣୀ ଥିଲେ।

ଏହି ଦଙ୍ଗା କେଵଳ ଏକ ରାତିର ଘଟଣା ନଥିଲା। ଏହା ଏକ ଆନ୍ଦୋଳନର ଆରମ୍ଭ ଥିଲା। ଷ୍ଟୋନୱାଲ ଦଙ୍ଗା ପରେ LGBTQ ସମ୍ପ୍ରଦାୟରେ ଏକ ନୂଆ ସାହସ ଓ ଏକତାର ଭାଵନା ଜାଗି ଉଠିଥିଲା। ସେମାନେ ନିଜର ଅଧିକାର ପାଇଁ ଲଢ଼ିଵାକୁ ସ୍ଥିର କରିଥିଲେ।
ଷ୍ଟୋନୱାଲ ଦଙ୍ଗା ପରେ ଅନେକ LGBTQ ସଂଗଠନ ଗଠନ ହେଲା। ଗେ ଲିବରେସନ ଫ୍ରଣ୍ଟ (Gay Liberation Front) ଓ ଗେ ଆକ୍ଟିଭିଷ୍ଟ ଆଲାୟାନ୍ସ (Gay Activists Alliance) ଭଳି ସଂଗଠନଗୁଡ଼ିକ LGBTQ ଅଧିକାର ପାଇଁ ଲଢ଼େଇ ଆରମ୍ଭ କଲେ। ୧୯୭୦ ମସିହାରେ, ଷ୍ଟୋନୱାଲ ଦଙ୍ଗାର ପ୍ରଥମ ଵାର୍ଷିକୀ ଉପଲକ୍ଷେ, ନିଉୟର୍କରେ ପ୍ରଥମ ଗେ ପ୍ରାଇଡ ପରେଡ ଆୟୋଜିତ ହେଲା। ଏହା ପରେ ଵିଶ୍ୱର ଅନେକ ସହରରେ ପ୍ରାଇଡ ପରେଡ ଆରମ୍ଭ ହେଲା, ଯାହା LGBTQ ସମ୍ପ୍ରଦାୟର ଗୌରଵ ଓ ଏକତାର ପ୍ରତୀକ ହେଲା।
ଷ୍ଟୋନୱାଲ ଦଙ୍ଗା ଆମେରିକାରେ LGBTQ ଅଧିକାର ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା। ଏହା ପରେ ଅନେକ ଆଇନଗତ ଓ ସାମାଜିକ ପରିଵର୍ତ୍ତନ ହେଲା। ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମାନିଵା ଆଇନ ଧୀରେ ଧୀରେ ବଦଳିଗଲା, ଏଵଂ LGBTQ ଵ୍ୟକ୍ତିଙ୍କ ପାଇଁ ସମାଜରେ ଗ୍ରହଣୀୟତା ଵଢ଼ିଲା।

ଷ୍ଟୋନୱାଲ ଦଙ୍ଗାରେ ଅନେକ ଵ୍ୟକ୍ତି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମାର୍ଶା ପି. ଜନସନ, ଜଣେ ଟ୍ରାନ୍ସଜେଣ୍ଡର ମହିଳା, ଓ ସିଲଵିଆ ରିଭେରା, ଜଣେ ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ, ଏହି ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେମାନେ କେଵଳ ଷ୍ଟୋନୱାଲରେ ପ୍ରତିଵାଦ କରିନଥିଲେ ଵରଂ ପରେ ଟ୍ରାନ୍ସଜେଣ୍ଡର ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ। ଅନେକ ଅଜଣା ନାୟକ ମଧ୍ୟ ଏହି ଦଙ୍ଗାରେ ଅଂଶଗ୍ରହଣ କରିଥିଲେ। ସେମାନେ ଥିଲେ ସାଧାରଣ ଲୋକ, ଯେଉଁମାନେ ନିଜର ଅଧିକାର ପାଇଁ ସାହସର ସହିତ ଲଢ଼ିଥିଲେ।

ଷ୍ଟୋନୱାଲ ଦଙ୍ଗା ଏକ ସାମାଜିକ ଆନ୍ଦୋଳନର ଆରମ୍ଭ ମାତ୍ର ନୁହେଁ, ଏହା ଏକ ଉତ୍ସଵ ମଧ୍ୟ। ଏହା LGBTQ ସମ୍ପ୍ରଦାୟର ସାହସ, ଏକତା ଓ ଗୌରଵର ପ୍ରତୀକ। ପ୍ରତିଵର୍ଷ ଜୁନ ମାସରେ, ଵିଶ୍ୱଵ୍ୟାପୀ ପ୍ରାଇଡ ମାସ ଭାଵେ ପାଳନ କରାଯାଏ, ଯାହା ଷ୍ଟୋନୱାଲ ଦଙ୍ଗାର ସ୍ମୃତିକୁ ଜୀଵନ୍ତ ରଖିଥାଏ।

ଷ୍ଟୋନୱାଲ ଦଙ୍ଗା ଥିଲା ଏକ ସାଧାରଣ Barରେ ଆରମ୍ଭ ହୋଇଥିଵା ଏକ ଵିଦ୍ରୋହ, ଯାହା ଏକ ଵିଶ୍ୱଵ୍ୟାପୀ ଆନ୍ଦୋଳନରେ ପରିଣତ ହେଲା। ଏହା LGBTQ ସମ୍ପ୍ରଦାୟକୁ ନିଜର ଅଧିକାର ପାଇଁ ଲଢ଼ିଵାକୁ ପ୍ରେରଣା ଦେଇଥିଲା ଓ ସମାଜରେ ସମାନତା ଓ ଗ୍ରହଣୀୟତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା। ଆଜି ମଧ୍ୟ ଷ୍ଟୋନୱାଲର ସ୍ମୃତି ଲୋକଙ୍କୁ ଅନ୍ୟାୟ ଵିରୁଦ୍ଧରେ ଲଢ଼ିଵାକୁ ପ୍ରେରଣା ଦେଉଛି।


Sunday, October 26, 2025

କ’ଣ ଇଂଲଣ୍ଡ ଓ ୟୁରୋପରେ ଆଗେ ଜଣେ ଜଣେ ଚାଳିଶଟି ଲେଖାଏଁ ଵିଵାହ କରୁଥିଲେ ?

ଥରେ ଏକ ଭାଷଣରେ ରାଜୀଵ ଦିକ୍ଷୀତ ଇଂଲଣ୍ଡର ସଂସ୍କୃତିରେ ଵିଵାହ ଓ ଛାଡ଼ପତ୍ର ସମ୍ଵନ୍ଧରେ କହିଥିଲେ “इंग्लैंड की सभ्यता में एक सबसे खराब बात जो आपको कभी पसंद नहीं आएगी, वह यह है कि वहां एक स्त्री और एक पुरुष जिंदगी भर साथ नहीं रहते। वे एक-दूसरे को बदलते रहते हैं, जैसे हम कपड़े बदलते हैं। एक पुरुष की कई स्त्रियां हो सकती हैं, और एक स्त्री के कई पुरुष हो सकते हैं। मेरे कई दोस्त हैं इंग्लैंड और यूरोप में, जिनकी 40-40 शादियां हो चुकी हैं और वे 41वीं करने को भी तैयार हैं।”
ତେଵେ ରାଜୀଵ ଦକ୍ଷୀତଙ୍କ ଏହି ମନ୍ତଵ୍ୟ କେତେ ଦୂର ଯଥାର୍ଥ ଚାଲନ୍ତୁ ଏ ଵିଷୟରେ ଆଲୋଚନା କରି ଦେଖିଵା ! 

ରୋମାନ୍ କାଳ ପୂର୍ଵର ୟୁରୋପୀୟ ସଭ୍ୟତାଗୁଡ଼ିକରେ ଵିଵାହ ପ୍ରଥା ଵହୁତ ଵିଵିଧ ଓ ସାଂସ୍କୃତିକ ମୂଲ୍ୟଵୋଧ ଆଧାରିତ ଥିଲା। ଗ୍ରୀକ୍, କେଲ୍ଟିକ୍, ପ୍ରାଚୀନ ଜର୍ମାନ୍, ନୋର୍ସ୍ ଓ ସାକ୍ସନ୍ ସଂସ୍କୃତିଗୁଡ଼ିକରେ ଵିଵାହ କେଵଳ ଦୁଇ ଵ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କ ନୁହେଁ, ଵରଂ ପରିଵାର, ସମାଜ ଏଵଂ ଧର୍ମୀୟ ଵିଶ୍ୱାସର ଏକ ମହତ୍ୱପୂର୍ଣ୍ଣ ଅଂଶ ଥିଲା। ଏହି ସଭ୍ୟତାଗୁଡ଼ିକରେ ଵିଵାହ ପ୍ରଥା ପ୍ରାୟତଃ ପରିଵାର ଦ୍ୱାରା ନିର୍ଦ୍ଧାରିତ ହେଉଥିଲା ଯେଉଁଥିରେ ଅର୍ଥନୈତିକ, ସାମାଜିକ ଏଵଂ ରାଜନୈତିକ ଉଦ୍ଦେଶ୍ୟ ମୁଖ୍ୟ ଭୂମିକା ନେଉଥିଲା। ଉଦାହରଣ ସ୍ୱରୂପ, ପ୍ରାଚୀନ ଗ୍ରୀକ୍ ସମାଜରେ ଵିଵାହ ଏକ ଆଇନଗତ ଚୁକ୍ତି ଭାଵରେ ଦେଖାଯାଉଥିଲା, ଯେଉଁଥିରେ କନ୍ୟାର ପିତା ତାଙ୍କୁ ଵରର ହାତରେ ସମର୍ପଣ କରୁଥିଲେ। କେଲ୍ଟିକ୍ ସଂସ୍କୃତିରେ ମହିଳାମାନଙ୍କର ଅଧିକାର ଅଧିକ ଥିଲା ଏଵଂ ଵିଵାହ ଏକ ସମାନତାର ସମ୍ପର୍କ ଭାଵରେ ଵିଵେଚିତ ହେଉଥିଲା। ପ୍ରାଚୀନ ଜର୍ମାନ୍ ଜାତିଗୁଡ଼ିକରେ ଵିଵାହ ପ୍ରଥା ପ୍ରାୟତଃ କ୍ରୟ-ଵିକ୍ରୟ ଭଳି ଥିଲା, ଯେଉଁଥିରେ ଵର କନ୍ୟାର ପରିଵାରକୁ ଯୌତୁକ ଦେଉଥିଲେ। ନୋର୍ସ୍ ଏଵଂ ସାକ୍ସନ୍ ସମାଜରେ ଵିଵାହ ଧର୍ମୀୟ ଅନୁଷ୍ଠାନ ଏଵଂ ପରିଵାର ସମ୍ମାନର ସଂଯୋଗ ଥିଲା। ଏହି ପ୍ରଥାଗୁଡ଼ିକ ସମୟ ସହିତ ଵିକଶିତ ହୋଇଛି, କିନ୍ତୁ ପ୍ରାଚୀନ ପରମ୍ପରାର କେତେକ ଉପାଦାନ ଆଜି ଵି ଆଧୁନିକ ଵିଵାହ ରୀତିରେ ଦେଖାଯାଏ।

ପ୍ରାଚୀନ ଗ୍ରୀକ୍ ସଭ୍ୟତାରେ ଵିଵାହ ପ୍ରଥା ଵହୁତ ନିୟମିତ ଏଵଂ ସାମାଜିକ ଆଧାରିତ ଥିଲା। ଗ୍ରୀକ୍ ସମାଜରେ ଵିଵାହ ଏକ ଆଇନଗତ ଏଵଂ ଧର୍ମୀୟ ଅନୁଷ୍ଠାନ ଥିଲା ଯାହା ପ୍ରାୟତଃ ପରିଵାର ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। କନ୍ୟାମାନେ ସାଧାରଣତଃ ୧୪ ରୁ ୧୬ ଵର୍ଷ ଵୟସରେ ଵିଵାହ କରୁଥିଲେ, ଵରମାନେ ୩୦ ଵର୍ଷ ଵୟସ୍କ ର୍ଯ୍ୟନ୍ତ ହେଉଥିଲେ। ଵିଵାହ ପୂର୍ଵରୁ ଏକ ଯୌତୁକ ଦିଆଯାଉଥିଲା, ଯାହା କନ୍ୟାର ପିତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିଲା। ଵିଵାହ ଅନୁଷ୍ଠାନ ତିନି ଦିନ ଵ୍ୟାପି ଥିଲା: ପ୍ରୋଲିଆ (ପ୍ରସ୍ତୁତି ଦିଵସ), ଗାମୋସ୍ (ଵିଵାହ ଦିଵସ) ଏଵଂ ଏପୋଲିଆ (ପରଵର୍ତ୍ତୀ ଦିଵସ)। ପ୍ରୋଲିଆରେ କନ୍ୟା ଏଵଂ ଵର ଦେଵତାମାନଙ୍କୁ ଵଳିଦାନ ଦେଉଥିଲେ ଏଵଂ ପରିଵାର ଉପହାର ଵିନିମୟ କରୁଥିଲେ। ଗାମୋସ୍ ଦିନରେ କନ୍ୟାକୁ ଵରର ଘରକୁ ନିଆଯାଉଥିଲା, ଯେଉଁଥିରେ ଏକ ଶୋଭାଯାତ୍ରା ଏଵଂ ଭୋଜି ହେଉଥିଲା। ଏପୋଲିଆରେ ନୂଆ ଦମ୍ପତିଙ୍କୁ ଉପହାର ଦିଆଯାଉଥିଲା। ଗ୍ରୀକ୍ ଵିଵାହରେ ମହିଳାମାନଙ୍କର ଭୂମିକା ପ୍ରାୟତଃ ପରିଵାର ସଂରକ୍ଷଣ ଏଵଂ ସନ୍ତାନ ଉତ୍ପାଦନରେ ସୀମିତ ଥିଲା, କିନ୍ତୁ ସ୍ପାର୍ଟା ଭଳି କିଛି ନଗରରାଜ୍ୟରେ ମହିଳାମାନଙ୍କର ଅଧିକ ସ୍ୱାଧୀନତା ଥିଲା।

କେଲ୍ଟିକ୍ ସଂସ୍କୃତିରେ ଵିଵାହ ପ୍ରଥା ଅଧିକ ସମାନତାପୂର୍ଣ୍ଣ ଏଵଂ ପ୍ରକୃତି ସହିତ ଜଡ଼ିତ ଥିଲା। କେଲ୍ଟ୍‌ଲୋକମାନେ ପ୍ରାଚୀନ ଯୁରୋପରେ ଵାସ କରୁଥିଲେ ଏଵଂ ସେମାନଙ୍କର ଵିଵାହ ଅନୁଷ୍ଠାନ ପ୍ରାୟତଃ ଜଳାଶୟ ନିକଟରେ ହେଉଥିଲା, ଯାହା ଦେଵତାମାନଙ୍କର ଆଶୀର୍ଵାଦର ପ୍ରତୀକ ଥିଲା। ହ୍ୟାଣ୍ଡଫାଷ୍ଟିଙ୍ଗ୍ ଏକ ମୁଖ୍ୟ ରୀତି ଥିଲା, ଯେଉଁଥିରେ ଵର ଏଵଂ କନ୍ୟାଙ୍କ ହାତକୁ ରିଵନ୍ ଦ୍ୱାରା ଵାନ୍ଧାଯାଉଥିଲା, ଯାହା ସେମାନଙ୍କର ଏକତାର ପ୍ରତୀକ। କେଲ୍ଟ୍ ମହିଳାମାନେ ସ୍ୱାଧୀନ ଥିଲେ ଏଵଂ ସେମାନଙ୍କର ଵିଵାହରେ ସହମତି ଆଵଶ୍ୟକ ଥିଲା। ଵିଵାହରେ ଵହୁଵିଵାହ ଅନୁମୋଦିତ ଥିଲା ଏଵଂ ଆଇନରେ ତିନି ପ୍ରକାରର ପତ୍ନୀର ଵର୍ଗୀକରଣ ଥିଲା। ଵିଵାହ ଅନୁଷ୍ଠାନରେ ଵଳିଦାନ, ଆଶୀର୍ଵାଦ ଏଵଂ ପ୍ରାର୍ଥନା ଅନ୍ତର୍ଭୁକ୍ତ ଥିଲା। ଅତିଥିମାନେ ପାଣିରେ ପଥର ଫୋପାଡ଼ି ଇଚ୍ଛା ପ୍ରକାଶ କରୁଥିଲେ। ଏହି ପ୍ରଥାଗୁଡ଼ିକ ଆଜି ଵି ଆଇରିଶ୍ ଏଵଂ ସ୍କଟିଶ୍ ଵିଵାହରେ ଦେଖାଯାଏ।

ପ୍ରାଚୀନ ଜର୍ମାନ୍ ଜାତିଗୁଡ଼ିକରେ ଵିଵାହ ପ୍ରଥା ପ୍ରାୟତଃ ପରିଵାର ଦ୍ୱାରା ଆୟୋଜିତ ଥିଲା। ମହିଳାମାନେ ୧୭ ଵର୍ଷ ପରେ ଏଵଂ ପୁରୁଷମାନେ ୨୨ ଵର୍ଷ ପରେ ଵିଵାହ କରୁଥିଲେ। ଵିଵାହ ଦୁଇ ପ୍ରକାରର ଥିଲା: ଯୌତୁକ ଆଧାରିତ ଏଵଂ ପ୍ରେମ ଆଧାରିତ। ମହିଳାମାନେ ଦୁର୍ଵ୍ୟଵହାରର କ୍ଷେତ୍ରରେ ଵିଵାହ ଵିଚ୍ଛେଦ କରିପାରୁଥିଲେ। ଫ୍ରିଡେଲେହେ ନାମକ ଏକ ପ୍ରଥା ଥିଲା, ଯାହା ପ୍ରେମ ଵିଵାହକୁ ସୂଚିତ କରୁଥିଲା। ଵିଵାହରେ ବହୁଵିଵାହ ଅନୁମୋଦିତ ଥିଲା, କିନ୍ତୁ କନ୍ୟାମାନଙ୍କ ଶୁଦ୍ଧତା ଆଵଶ୍ୟକ ଥିଲା। ଏହି ପ୍ରଥାଗୁଡ଼ିକ ଜର୍ମାନ୍ ସମାଜର ସାମାଜିକ ଗଠନକୁ ପ୍ରତିଫଳିତ କରୁଥିଲା।

ନୋର୍ସ୍ କିମ୍ଵା ଵାଇକିଙ୍ଗ୍ ସଂସ୍କୃତିରେ ଵିଵାହ ଏକ ଚୁକ୍ତିଭିତ୍ତିକ ଵ୍ୟଵସ୍ଥା ଥିଲା। ଵିଵାହ ଶୁକ୍ରଵାରରେ ହେଉଥିଲା, ଯାହା ଫ୍ରିଗ୍ କିମ୍ଵା ଫ୍ରେୟା ଦେଵୀଙ୍କର ଦିନ ଥିଲା। ହ୍ୟାଣ୍ଡଫାଷ୍ଟିଙ୍ଗ୍, ତରୱାଲ ଅନୁଷ୍ଠାନ ଏଵଂ ମିଡ୍ ପାନୀୟ ଵିନିମୟ ମୁଖ୍ୟ ରୀତି ଥିଲା। ଵର ଏଵଂ କନ୍ୟା ଵିଵାହ ପୂର୍ଵରୁ ସ୍ନାନ କରୁଥିଲେ। ଵିଵାହରେ ଦେଵତାମାନଙ୍କୁ ଵଳିଦାନ ଦିଆଯାଉଥିଲା। ମହିଳାମାନେ ଵିଵାହ ଵିଚ୍ଛେଦ କରିପାରୁଥିଲେ ଏଵଂ ସମ୍ପତ୍ତି ଅଧିକାର ରଖୁଥିଲେ। ଏହି ପ୍ରଥାଗୁଡ଼ିକ ନୋର୍ସ୍ ସମାଜର ଯୋଦ୍ଧା ସଂସ୍କୃତିକୁ ପ୍ରତିଫଳିତ କରୁଥିଲା।

ସାକ୍ସନ୍ କିମ୍ଵା ଆଙ୍ଗ୍ଲୋ-ସାକ୍ସନ୍ ସଂସ୍କୃତିରେ ଵିଵାହ ପ୍ରଥା ପ୍ରାୟତଃ କ୍ରୟ ଆଧାରିତ ଥିଲା। ଵର କନ୍ୟାର ପରିଵାରକୁ ଯୌତୁକ ଦେଉଥିଲେ। ଵିଵାହ ଅନୁଷ୍ଠାନରେ ତରୱାଲ ଵିନିମୟ, ହାତ ଵନ୍ଧନ ଏଵଂ ଭୋଜି ଅନ୍ତର୍ଭୁକ୍ତ ଥିଲା। ମହିଳାମାନେ ଵିଵାହ ଵିଚ୍ଛେଦ କରିପାରୁଥିଲେ ଏଵଂ ସମ୍ପତ୍ତି ଅଧିକାର ରଖୁଥିଲେ। ଵିଵାହ ପୂର୍ଵରୁ ଦମ୍ପତି ସ୍ନାନ କରୁଥିଲେ ଏଵଂ ଵିଵାହ ଦିନରେ ଉପହାର ଵିନିମୟ ହେଉଥିଲା। ଏହି ପ୍ରଥାଗୁଡ଼ିକ ଆଙ୍ଗ୍ଲୋ-ସାକ୍ସନ୍ ଆଇନର ଅଂଶ ଥିଲା।

ଏହି ସଭ୍ୟତାଗୁଡ଼ିକର ଵିଵାହ ପ୍ରଥାର ଵିସ୍ତାର କରିଵାକୁ ଗଲେ, ଆମେ ଦେଖୁ ଯେ ସେମାନେ ସାମାଜିକ ଗଠନ, ଧର୍ମ ଏଵଂ ଅର୍ଥନୀତିର ପ୍ରତିଫଳନ ଥିଲେ। ପ୍ରାଚୀନ ଗ୍ରୀକ୍‌ରେ ଵିଵାହ ପୁରୁଷପ୍ରଧାନ ଥିଲା ଯେଉଁଥିରେ ମହିଳାମାନେ ପରିଵାରର ଅଂଶ ହୋଇଯାଉଥିଲେ। କନ୍ୟାର ପିତା ଵରକୁ ଚୟନ କରୁଥିଲେ, ଏଵଂ ଯୌତୁକ ଏକ ମହତ୍ୱପୂର୍ଣ୍ଣ ଅଂଶ ଥିଲା। ଵିଵାହ ଶୋଭାଯାତ୍ରାରେ କନ୍ୟାକୁ ଘୋଡ଼ାଗାଡ଼ିରେ ନିଆଯାଉଥିଲା ଏଵଂ ଵରଘରେ ଭୋଜି ହେଉଥିଲା। ଦେଵୀ ହେରାଙ୍କର ଆଶୀର୍ଵାଦ ଆଵଶ୍ୟକ ଥିଲା କାରଣ ସେ ଵିଵାହର ଦେଵୀ ଥିଲେ। ଶୀତକାଳୀନ ଵିଵାହ ଲୋକପ୍ରିୟ ଥିଲା କାରଣ ଏହା ହେରାଙ୍କର ପ୍ରିୟ ସମୟ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା। ଵିଵାହରେ ଵଳିଦାନ ଏଵଂ ନୃତ୍ୟ ଅନ୍ତର୍ଭୁକ୍ତ ଥିଲା। ଵିଵାହ ଵିଚ୍ଛେଦ ସମ୍ଭଵ ଥିଲା, କିନ୍ତୁ ପୁରୁଷମାନଙ୍କ ପାଇଁ ସହଜ ଥିଲା।

କେଲ୍ଟିକ୍ ଵିଵାହରେ ମହିଳାମାନଙ୍କର ସ୍ଥିତି ଉଚ୍ଚ ଥିଲା। ସେମାନେ ସମ୍ପତ୍ତି ରଖିପାରୁଥିଲେ ଏଵଂ ଵିଵାହ ଵିଚ୍ଛେଦରେ ଅଧିକାର ପାଇଥିଲେ। ଵିଵାହ ଅନୁଷ୍ଠାନରେ କାଇମ୍ ନାମକ ଏକ ପ୍ରାର୍ଥନା ଥିଲା, ଯାହା ସୁରକ୍ଷାର ପ୍ରତୀକ। ହ୍ୟାଣ୍ଡଫାଷ୍ଟିଙ୍ଗ୍ ରୀତି ଆଜି ବି ଲୋକପ୍ରିୟ, ଯେଉଁଠାରେ ହାତକୁ ବନ୍ଧାଯାଏ । ଵିଵାହରେ ମୁଦି ବିନିମୟ,ଵରକନ୍ୟା ମିଶି ଆଲୋକ ପ୍ରଜ୍ଵଳନ ଏଵଂ ଶପଥ ନେଵା ଅନ୍ତର୍ଭୁକ୍ତ ଥିଲା। କେଲ୍ଟ୍ ଲୋକମାନେ ପ୍ରକୃତି ଦେଵତାମାନଙ୍କୁ ଵିଶ୍ୱାସ କରୁଥିଲେ ତେଣୁ ଵିଵାହ ଵହିର୍ଭୂମିରେ ହେଉଥିଲା। ଵିଵାହ ପରେ ଦମ୍ପତି ଏକ ନୂଆ ଜୀଵନ ଆରମ୍ଭ କରୁଥିଲେ । 

ପ୍ରାଚୀନ ଜର୍ମାନ୍ ଜାତିଗୁଡ଼ିକରେ ଵିଵାହ ଏକ ସାମାଜିକ ଚୁକ୍ତି ଥିଲା। ପରିଵାରମାନେ ଵିଵାହ ନିର୍ଦ୍ଧାରଣ କରୁଥିଲେ ଏଵଂ ଯୌତୁକ ଦିଆଯାଉଥିଲା। ମହିଳାମାନେ ସ୍ୱାମୀର ସହାୟକ ଭାଵରେ ଵିଚାର୍ଯ୍ୟ ହେଉଥିଲେ କିନ୍ତୁ ସେମାନଙ୍କର ମଧ୍ୟ ସମାଜରେ ଅଧିକାର ଥିଲା। ଵିଵାହରେ ଵହୁଵିଵାହ ଅନୁମୋଦିତ ଥିଲା କିନ୍ତୁ କନ୍ୟାମାନଙ୍କର ଚରିତ୍ର ଶୁଦ୍ଧତା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଵିଵାହ ଅନୁଷ୍ଠାନରେ ଉପହାର ଵିନିମୟ ଏଵଂ ଭୋଜି ଦେଵାର ଵ୍ୟଵସ୍ଥା ପ୍ରଚଳିତ ଥିଲା। ଏହି ପ୍ରଥାଗୁଡ଼ିକ ଜର୍ମାନ୍ ଆଇନରେ ଲିପିଵଦ୍ଧ ଥିଲା। ଵିଵାହ ଵିଚ୍ଛେଦରେ ମହିଳାମାନେ ଯୌତୁକ ଫେରସ୍ତ ପାଉଥିଲେ।

ନୋର୍ସ (Norse) ଵିଵାହରେ ଧାର୍ମିକ ଅଂଶ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଥିଲା। ଦେଵତାମାନଙ୍କୁ (ଯଥା- ଓଡିନ୍ ଵା ଫ୍ରେୟା) ଆଶୀର୍ଵାଦ କାମନା କରି ବଳି ଦିଆଯାଉଥିଲା। ହ୍ୟାଣ୍ଡଫାଷ୍ଟିଙ୍ଗ୍ ରୀତିରେ ଵର ଓ କନ୍ୟାଙ୍କ ହାତକୁ ଏକ ପଟିରେ ବାନ୍ଧି ସେମାନେ ପରସ୍ପର ପ୍ରତି ଶପଥ ନେଉଥିଲେ। ଅସ୍ତ୍ର ଅନୁଷ୍ଠାନରେ ଵର କନ୍ୟାକୁ ସୁରକ୍ଷାର ପ୍ରତୀକ ଭାବେ ଖଣ୍ଡା ଵା ଅନ୍ୟ ଅସ୍ତ୍ର ପ୍ରଦାନ କରୁଥିଲେ। ମିଡ୍ ପାନୀୟ ଵିନିମୟ ଏକତା ଓ ପ୍ରେମର ପ୍ରତୀକ ଥିଲା। ଵିଵାହ ପରେ ଦମ୍ପତି ଏକ ହନିମୁନ୍ ଭଳି ସମୟ ବିତାଉଥିଲେ ଏଵଂ ଏହି ସମୟରେ ସେମାନେ ମିଡ୍ ପାନ କରି ସୁଖମୟ ଦାମ୍ପତ୍ୟ ଜୀଵନ ପାଇଁ ଆଶୀର୍ଵାଦ କାମନା କରୁଥିଲେ। ତତ୍କାଳୀନ ସମୟରେ ମହୁ (honey), ଜଳ ଓ ଖମୀର (yeast) ମିଶାଇ fermentation ପ୍ରକ୍ରିୟା ଦ୍ବାରା ଏକ ପ୍ରାଚୀନ ମଦ୍ୟପାନୀୟ ତିଆରି ହେଉଥିଲା ଯାହାର ନାଆଁ ଥିଲା ମିଡ୍। ନୋର୍ସ ସଂସ୍କୃତିରେ ଏହା ପଵିତ୍ର ଵିଵେଚିତ ହେଉଥିଲା ଏଵଂ ଧାର୍ମିକ ଅନୁଷ୍ଠାନ ତଥା ଉତ୍ସଵଗୁଡ଼ିକରେ ଵ୍ୟଵହୃତ ହେଉଥିଲା। ଵିଵାହରେ, ମିଡ୍ ଵିନିମୟ ଏକ ଗୁରୁତ୍ଵପୂର୍ଣ୍ଣ ରୀତି ଥିଲା ଏଵଂ ଵର ଓ କନ୍ୟା ଏକ ସାଧାରଣ ପାତ୍ରରୁ ମିଡ୍ ପାନ କରୁଥିଲେ। ଏହା ସେମାନଙ୍କ ମଧ୍ୟରେ ଏକତା, ପାରସ୍ପରିକ ପ୍ରତିବଦ୍ଧତା ଓ ପ୍ରେମର ପ୍ରତୀକ ଥିଲା। ଏହା ମଧ୍ୟ ଦେଵତାମାନଙ୍କୁ ସମ୍ମାନ ଜଣାଇଵା ଏଵଂ ସେମାନଙ୍କ ଆଶୀର୍ଵାଦ ଲାଭର ଏକ ଉପାୟ ଥିଲା ବୋଲି ସ୍ଥାନୀୟ ଲୋକଵିଶ୍ଵାସ ରହିଥିଲା । ବିବାହ ପରେ, ଦମ୍ପତି ଏକ ମାସ ପର୍ଯ୍ୟନ୍ତ (ଵା ଏକ "ମହୁ ଚନ୍ଦ୍ର") ମିଡ୍ ପାନ କରୁଥିଲେ, ଯାହା ସୁଖ ଓ ସମୃଦ୍ଧ ଦାମ୍ପତ୍ୟ ଜୀଵନର ପ୍ରତୀକ ଥିଲା। ଏହି ରୀତିରୁ "ହନିମୁନ" (honeymoon) ଶବ୍ଦଟି ଉତ୍ପନ୍ନ ହୋଇଥିଵା ଵିଶ୍ବାସ କରାଯାଏ, ଯେହେତୁ "honey" (ମହୁ) ଏଵଂ "moon" (ଚନ୍ଦ୍ର/ମାସ) ଏହି ପରମ୍ପରା ସହ ଜଡ଼ିତ।

ସାକ୍ସନ୍ ଵିଵାହରେ କ୍ରୟ ପ୍ରଥା ପ୍ରଚଳିତ ଥିଲା। ଵର କନ୍ୟାର ମୂଲ୍ୟ ଦେଉଥିଲେ। ଵିଵାହ ଅନୁଷ୍ଠାନରେ ହାଲୋଇଙ୍ଗ୍, ଯୌତୁକ ଵିନିମୟ ଏଵଂ ତରୱାଲ ଦାନ ଥିଲା। ମହିଳାମାନେ ଵିଵାହ ଵିଚ୍ଛେଦରେ ଅଧିକାର ରଖୁଥିଲେ। ଵିଵାହ ପରିଵାରର ସମ୍ମାନ ଵଢ଼ାଉଥିଲା।

ଏହି ପ୍ରଥାଗୁଡ଼ିକର ତୁଳନା କରିଵାକୁ ଗଲେ, ଆମେ ଦେଖୁ ଯେ ଗ୍ରୀକ୍ ଏଵଂ ଜର୍ମାନ୍ ସଂସ୍କୃତିରେ ପୁରୁଷପ୍ରଧାନତା ଅଧିକ ଥିଲାବେଳେ କେଲ୍ଟିକ୍ ଏଵଂ ନୋର୍ସ୍ ପରମ୍ପରାରେ ମହିଳାମାନଙ୍କର ସ୍ଥିତି ଉନ୍ନତ ଥିଲା। ସମସ୍ତ ୟୁରୋପୀୟ ପରମ୍ପରାରେ ଯୌତୁକ, ଵଳିଦାନ ଏଵଂ ଭୋଜି ସାଧାରଣ ଥିଲା। ଏହି ପ୍ରଥାଗୁଡ଼ିକ ଆଧୁନିକ ଵିଵାହର ଆଧାର ସ୍ଥାପନ କରିଛି।

ରୋମାନ ସଭ୍ୟତାରେ ଵିଵାହ (matrimonium) ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ରାଜନୈତିକ ପ୍ରତିଷ୍ଠାନ ଥିଲା। ରୋମାନ ସମାଜରେ ଵିଵାହ ମୁଖ୍ୟତଃ ପରିଵାରର ସମ୍ପତ୍ତି, ସାମାଜିକ ସ୍ଥିତି ଓ ରାଜନୈତିକ ସମ୍ପର୍କକୁ ସୁଦୃଢ଼ କରିଵା ପାଇଁ ଵ୍ୟଵହୃତ ହେଉଥିଲା। ରୋମାନ ଵିଵାହ ଦୁଇ ପ୍ରକାରରେ ଵିଭକ୍ତ ଥିଲା । 
1.cum manu 
ଏଥିରେ ସ୍ତ୍ରୀ ପୁରୁଷଙ୍କ ଅଧୀନତାରେ ଆସୁଥିଲେ
2.sine manu
ଏଥିରେ ସ୍ତ୍ରୀ ତାଙ୍କ ପିତାଙ୍କ ଅଧୀନରେ ରହୁଥିଲେ
ପରଵର୍ତ୍ତୀ କାଳରେ sine manu ଵିଵାହ ଅଧିକ ଲୋକପ୍ରିୟ ହୋଇଥିଲା, ଯାହା ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଅଧିକ ସ୍ୱାଧୀନତା ପ୍ରଦାନ କରୁଥିଲା।

ରୋମାନ ସମାଜରେ ଏକଵିଵାହ ମୁଖ୍ୟ ପ୍ରଥା ଥିଲା, ଏଵଂ ଵିଵାହ ଏକ ସ୍ଥାୟୀ ସମ୍ପର୍କ ଭାଵେ ଗଣା ହେଉଥିଲା। ତଥାପି, ଛାଡ଼ପତ୍ର (divortium) ରୋମାନ ଆଇନରେ ଅନୁମୋଦିତ ଥିଲା ଏଵଂ ଏହା ଉଭୟ ପୁରୁଷ ଓ ସ୍ତ୍ରୀ ପାଇଁ ସମ୍ଭଵ ଥିଲା। ଛାଡ଼ପତ୍ରର କାରଣ ମଧ୍ୟରେ ଵ୍ୟଭିଚାର, ଵନ୍ଧ୍ୟାତ୍ୱ ଵା ଅନ୍ୟାନ୍ୟ ସାମାଜିକ କାରଣ ଥାଇପାରେ। କିନ୍ତୁ ଛାଡ଼ପତ୍ର ସାଧାରଣ ନଥିଲା ଏଵଂ ଏହା ସାମାଜିକ ସମ୍ମାନ ଉପରେ ପ୍ରଭାଵ ପକାଇପାରୁଥିଲା। ରୋମାନ ସମାଜରେ ଦାମ୍ପତ୍ୟ ନୈତିକତା ସ୍ତ୍ରୀମାନଙ୍କ ପାଇଁ ଅଧିକ କଠୋର ଥିଲା, କାରଣ ସେମାନଙ୍କର ଵିଶ୍ୱସ୍ତତା ପରିଵାରର ସମ୍ମାନ ଓ ଵଂଶାନୁକ୍ରମ ସହ ଜଡ଼ିତ ଥିଲା। ପୁରୁଷମାନେ ଵିଵାହ ଵାହାରେ ସମ୍ପର୍କ ରଖିପାରୁଥିଲେ, କିନ୍ତୁ ଏହା ସାମାଜିକ ଭାଵେ ସମ୍ପୂର୍ଣ୍ଣ ଗ୍ରହଣୀୟ ନଥିଲା।

ରୋମାନ ସଭ୍ୟତାରେ ଵିଵାହର ସ୍ଥାୟୀତ୍ୱ ଓ ନୈତିକତା ଉପରେ ଗୁରୁତ୍ୱ ଦିଆଯାଉଥିଲା, ଯାହା ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟକୁ ଖଣ୍ଡନ କରେ। ତାଙ୍କର ଦାଵି ଯେ ୟୁରୋପୀୟ ସଂସ୍କୃତିରେ ଵିଵାହ ଅସ୍ଥିର ଓ ଅନୈତିକ, ରୋମାନ କାଳରେ ପ୍ରଯୁଜ୍ୟ ନୁହେଁ। ରୋମାନ ସମାଜରେ ଵିଵାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଚୁକ୍ତି ଥିଲା, ଏଵଂ ଛାଡ଼ପତ୍ର ଯଦିଓ ଅନୁମୋଦିତ ଥିଲା, ଏହା ଅସାଧାରଣ ଥିଲା।

ମଧ୍ୟଯୁଗୀୟ ୟୁରୋପରେ (ପ୍ରାୟ ୫୦୦-୧୫୦୦ ଖ୍ରୀଷ୍ଟାବ୍ଦ) ଵିଵାହ ପ୍ରଥା ଖ୍ରୀଷ୍ଟୀୟ ଧର୍ମର ପ୍ରଭାଵରେ ଗଢ଼ି ଉଠିଥିଲା। ଖ୍ରୀଷ୍ଟୀୟ ଚର୍ଚ୍ଚ ଵିଵାହକୁ ଏକ ପଵିତ୍ର ସଂସ୍କାର (sacrament) ଭାଵେ ଗ୍ରହଣ କରିଥିଲା, ଯାହା ଈଶ୍ୱରଙ୍କ ସମ୍ମୁଖରେ ଏକ ଅଵିଛେଦ୍ୟ ଵନ୍ଧନ ଥିଲା। ଏକଵିଵାହ ଏକମାତ୍ର ଗ୍ରହଣୀୟ ଵିଵାହ ପ୍ରଥା ଥିଲା ଏଵଂ ଛାଡ଼ପତ୍ର ଚର୍ଚ୍ଚର ନିୟମ ଅନୁସାରେ ପ୍ରାୟତଃ ନିଷିଦ୍ଧ ଥିଲା। କେଵଳ ଅତ୍ୟନ୍ତ ଵିରଳ କ୍ଷେତ୍ରରେ, ଯେପରିକି ଵ୍ୟଭିଚାର ଵା ଵିଵାହର ଅଵୈଧତା (annulment) ପ୍ରମାଣିତ ହେଲେ, ଵିଵାହ ଭାଙ୍ଗିଵା ସମ୍ଭଵ ହେଉଥିଲା।

ମଧ୍ୟଯୁଗୀୟ ସମାଜରେ ଵିଵାହ ମୁଖ୍ୟତଃ ପରିଵାର ଓ ସମ୍ପତ୍ତି ସମ୍ଵନ୍ଧୀୟ ଚୁକ୍ତି ଥିଲା, ଵିଶେଷତଃ ଉଚ୍ଚ ଶ୍ରେଣୀ ଓ ରାଜଵଂଶୀୟ ପରିଵାରମାନଙ୍କ ମଧ୍ୟରେ ଏଭଳି ଵିଵାହ ସମ୍ପର୍କ ଗଢ଼ିଉଠୁଥିଲା । ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟ ଵିଵାହ ଏକ ସ୍ଥାୟୀ ଵନ୍ଧନ ଭାଵେ ଗଣା ହେଉଥିଲା, ଏଵଂ ଦାମ୍ପତ୍ୟ ନୈତିକତା ଖ୍ରୀଷ୍ଟୀୟ ମୂଲ୍ୟଵୋଧ, ଯେପରିକି ଵିଶ୍ୱସ୍ତତା ଓ ପରିଵାରର ପଵିତ୍ରତା, ଉପରେ ଆଧାରିତ ଥିଲା। ଵିଵାହ ଵାହାରେ ସମ୍ପର୍କ ଵା ଵ୍ୟଭିଚାର ସାମାଜିକ ଓ ଧାର୍ମିକ ଦୃଷ୍ଟିରୁ ନିନ୍ଦନୀୟ ଥିଲା, ଏଵଂ ଏହା ପାଇଁ କଠୋର ଦଣ୍ଡର ଵ୍ୟଵସ୍ଥା ଥିଲା।

ମଧ୍ୟଯୁଗୀୟ ୟୁରୋପରେ ଵିଵାହର ସ୍ଥାୟୀତ୍ୱ ଓ ନୈତିକତା ଉପରେ ଗୁରୁତ୍ୱ ଦିଆଯାଉଥିଲା, ଯାହା ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟକୁ ଆହୁରି ଖଣ୍ଡନ କରେ। ତାଙ୍କର ଦାଵି ଯେ ୟୁରୋପୀୟ ସଂସ୍କୃତିରେ ଵିଵାହ ଅସ୍ଥିର ଓ ଅନୈତିକ, ମଧ୍ୟଯୁଗୀୟ କାଳରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଖ୍ରୀଷ୍ଟୀୟ ଚର୍ଚ୍ଚର ପ୍ରଭାଵରେ ଵିଵାହ ଏକ ପଵିତ୍ର ଓ ଅଵିଛେଦ୍ୟ ଵନ୍ଧନ ଭାଵେ ଗଣା ହେଉଥିଲା।

ଆଧୁନିକ ୟୁରୋପରେ (୧୬ତମ ଶତାବ୍ଦୀରୁ ଵର୍ତ୍ତମାନ ପର୍ଯ୍ୟନ୍ତ) ଵିଵାହ ପ୍ରଥା ଓ ଦାମ୍ପତ୍ୟ ନୈତିକତା ଵିଭିନ୍ନ ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ପରିଵର୍ତ୍ତନରେ ଵିକଶିତ ହୋଇଛି।

ପୁନର୍ଜାଗରଣ ଓ ସଂସ୍କାର ଯୁଗ (୧୬ତମ-୧୭ଶ ଶତାବ୍ଦୀ) ସମୟରେ ଵିଵାହକୁ ଅଧିକ ଵ୍ୟକ୍ତିଗତ ଓ ଭାଵନାତ୍ମକ ସମ୍ପର୍କ ଭାଵେ ଦେଖିଵାକୁ ଆରମ୍ଭ କରିଥିଲା। ପ୍ରୋଟେଷ୍ଟାଣ୍ଟ ସଂସ୍କାର ଵିଵାହକୁ ଏକ ଧାର୍ମିକ ସଂସ୍କାର ଭାଵେ ଗ୍ରହଣ କରିଵା ବଦଳରେ ଏହାକୁ ଏକ ସାମାଜିକ ଚୁକ୍ତି ଭାବେ ଗ୍ରହଣ କରିଥିଲା, ଯାହା ଛାଡ଼ପତ୍ରକୁ କିଛି କ୍ଷେତ୍ରରେ ଅନୁମୋଦନ କରିଥିଲା।

୧୮ଶ ଓ ୧୯ଶ ଶତାବ୍ଦୀରେ ଶିଳ୍ପ ଵିପ୍ଲଵ ଓ ଆଧୁନିକୀକରଣ ସହିତ ଵିଵାହ ପ୍ରଥାରେ ପରିଵର୍ତ୍ତନ ଆସିଥିଲା। ଵିଵାହ ଅଧିକାଂଶ ସମୟରେ ପ୍ରେମ ଓ ଵ୍ୟକ୍ତିଗତ ପସନ୍ଦ ଉପରେ ଆଧାରିତ ହେଵାକୁ ଆରମ୍ଭ କରିଥିଲା, ଯାହା ପୂର୍ଵରୁ ପରିଵାର ଓ ସମାଜ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। ଛାଡ଼ପତ୍ର ଆଇନ ମଧ୍ୟ ଅଧିକ ଉଦାର ହେଵାକୁ ଆରମ୍ଭ କରିଥିଲା, ଵିଶେଷତଃ ୨୦ଶ ଶତାବ୍ଦୀରେ ଏହାର ପ୍ରଭାବ ବଢ଼ିଥିଲା । ଇଂଲଣ୍ଡରେ ୧୯୬୯ ମସିହାରେ Divorce Reform Act ପାରିତ ହେଵା ଦ୍ୱାରା ଛାଡ଼ପତ୍ର ଅଧିକ ସହଜ ହୋଇଥିଲା।

ଆଧୁନିକ ୟୁରୋପରେ ଵିଵାହ ଏକ ଵ୍ୟକ୍ତିଗତ ପସନ୍ଦ ଓ ପ୍ରେମ ଆଧାରିତ ସମ୍ପର୍କ ଭାଵେ ଗଣା ହୁଏ ଏଵଂ ଛାଡ଼ପତ୍ର ଅଧିକ ଗ୍ରହଣୀୟ ହୋଇଛି। ତଥାପି, ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟ ଯେ ୟୁରୋପୀୟ ସମାଜରେ ଵିଵାହ କପଡ଼ା ବଦଳାଇଵା ପରି ଅସ୍ଥିର ଅତ୍ୟନ୍ତ ଅତ୍ୟୁକ୍ତିପୂର୍ଣ୍ଣ। Eurostat ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ୟୁରୋପୀୟ ସଂଘରେ crude divorce rate (ପ୍ରତି ୧୦୦୦ ଲୋକରେ ଛାଡ଼ପତ୍ର) ପ୍ରାୟ ୧.୬ ଥିଲା, ଯାହା ସୂଚାଇଥାଏ ଯେ ଅଧିକାଂଶ ଵିଵାହ ସ୍ଥାୟୀ ରହୁଛି, କିନ୍ତୁ per 100 marriages ମେଟ୍ରିକ୍‌ରେ ପ୍ରାୟ ୪୮-୫୦% ଵିଵାହ ଛାଡ଼ପତ୍ରରେ ଶେଷ ହୁଏ।" ତଥାପି ୟୁରୋପୀୟ ସମାଜରେ ଦାମ୍ପତ୍ୟ ନୈତିକତା ଵିଶ୍ୱସ୍ତତା, ପାରସ୍ପରିକ ସମ୍ମାନ ଓ ସମାନତା ଉପରେ ଆଧାରିତ। ଯିଏ ଯାହା ସହିତ ଇଚ୍ଛା କଲା ମୈଥୁନ କଲା ,ଯିଏ ଯାହା ସହିତ ଚାହିଁଲା ସଂସର୍ଗ କରି ସନ୍ତାନ ଉତ୍ପତ୍ତି କରାଇଲା ଏଭଳି ସରଳୀକରଣ ଚଳଚ୍ଚିତ୍ରରେ ବଢ଼େଇ ଚଢ଼େଇ ପ୍ରସ୍ତୁତ କରାଯାଏ କିନ୍ତୁ ଵାସ୍ତଵ ସମାଜ ବହୁତ ଭିନ୍ନ । 

ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟ ଯେ ୟୁରୋପୀୟ ସଂସ୍କୃତିରେ ଵିଵାହ ଅସ୍ଥିର ଏଵଂ ଏକ ଵ୍ୟକ୍ତିର ଜୀଵନରେ ୪୦-୪୦ଟି ଵିଵାହ ହୁଏ, ତାହା ଐତିହାସିକ ଓ ଆଧୁନିକ ତଥ୍ୟ ଆଧାରରେ ଭ୍ରାନ୍ତିମୂଳକ। ପ୍ରାଚୀନ ୟୁରୋପୀୟ ସଭ୍ୟତା, ରୋମାନ କାଳ ଓ ମଧ୍ୟଯୁଗୀୟ କାଳରେ ଵିଵାହ ଏକ ସ୍ଥାୟୀ ଓ ନୈତିକତା ଆଧାରିତ ସଂସ୍ଥା ଥିଲା। ଆଧୁନିକ ଯୁଗରେ ମଧ୍ୟ ଯଦିଓ ଛାଡ଼ପତ୍ର ଅଧିକ ଗ୍ରହଣୀୟ ହୋଇଛି, ଅଧିକାଂଶ ଵିଵାହ ସ୍ଥାୟୀ ରହୁଛି ଏଵଂ ଏକାଧିକ ଵିଵାହର ହାର ଅତ୍ୟନ୍ତ ଅଳ୍ପ ଅଟେ । ଇଂଲଣ୍ଡ ଓ ୟୁରୋପରେ ଏକାଧିକ ଵିଵାହ (serial marriages) ଅସାଧାରଣ ଏଵଂ ୪୦ଟି ଵିଵାହର ଦାଵି କୌଣସି ସାଂଖ୍ୟିକୀ ଵା ଐତିହାସିକ ତଥ୍ୟ ଦ୍ୱାରା ସମର୍ଥିତ ନୁହେଁ।

ଏହା ସହିତ, ୟୁରୋପୀୟ ସଂସ୍କୃତିକୁ ଅନୈତିକ ଭାଵେ ଚିତ୍ରଣ କରିଵା ଏକ ଅସମ୍ପୂର୍ଣ୍ଣ ଦୃଷ୍ଟିକୋଣ। ୟୁରୋପୀୟ ସମାଜରେ ଦାମ୍ପତ୍ୟ ନୈତିକତା ସମୟ ସହିତ ଵିକଶିତ ହୋଇଛି କିନ୍ତୁ ଏହା ଵିଶ୍ୱସ୍ତତା, ସମ୍ମାନ ଓ ସମାନତା ଉପରେ ଆଧାରିତ। ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟ ୟୁରୋପୀୟ ସଂସ୍କୃତିର ଏକ ଅତିଶୟୋକ୍ତିପୂର୍ଣ୍ଣ ଓ ଭ୍ରାନ୍ତିମୂଳକ ଚିତ୍ର ଉପସ୍ଥାପନ କରେ, ଯାହା ଐତିହାସିକ ଓ ଆଧୁନିକ ତଥ୍ୟ ଦ୍ୱାରା ଖଣ୍ଡିତ ହୁଏ। ନିଜ ଦେଶ,ସମାଜ ଓ ସଂସ୍କୃତିକୁ ଟେକିଵା ପାଇଁ ଅନ୍ୟର ଦେଶ,ସମାଜ ଓ ସଂସ୍କୃତିକୁ ହୀନ ନ୍ୟୂନ ପ୍ରମାଣ କରିଵାକୁ ଚେଷ୍ଟା କରିଵା ଠିକ୍ ନୁହେଁ। 

•••••••••••••••••••••••••••••••••
ତଥ୍ୟ ଉତ୍ସ:
1.Frier, Bruce W., and Thomas A. J. McGinn. A Casebook on Roman Family Law. Oxford University Press, 2004.

2.Shaw, Brent D. "Marriage and Family in Ancient Rome." Journal of Roman Studies, vol. 77, 1987, pp. 30-46.

3.Green, Monica H. The Trotula: A Medieval Compendium of Women's Medicine. University of Pennsylvania Press, 2001.

4.Duby, Georges. Love and Marriage in the Middle Ages. University of Chicago Press, 1994.

5.Tacitus. Germania. Translated by J. B. Rives, Oxford University Press, 1999.

6.Pomeroy, Sarah B. Goddesses, Whores, Wives, and Slaves: Women in Classical Antiquity. Schocken Books, 1995.

7.Ellis, Peter Berresford. The Celtic People: A History. Running Press, 2002.

8.Jesch, Judith. Women in the Viking Age. Boydell Press, 1991.

9.Eurostat. Marriage and Divorce Statistics. European Union, 2021.

10.Coontz, Stephanie. Marriage, a History: From Obedience to Intimacy, or How Love Conquered Marriage. Penguin Books, 2006.


Saturday, October 25, 2025

ଆଗକାଳ ଲୋକ ଆଜିକାଲିର ଲୋକଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଥିଲେ କି ?

ଆଜକୁ ପ୍ରାୟ ୨୩୦୦ ଵର୍ଷ ପୂର୍ଵେ ପ୍ରାଚୀନ ଗ୍ରୀକ ସଭ୍ୟତାର Alexandria(ଵର୍ତ୍ତମାନର ମିଶର)ରେ ଏରାଟୋସ୍ଥେନେସ୍ ନାମକ ଜଣେ ଗଣିତଜ୍ଞ ଓ ଜ୍ୟୋର୍ତିଵିଜ୍ଞାନୀ ହୋଇଥିଲେ। ସେ ଏକ ପୁସ୍ତକରେ ପଢ଼ିଥିଲେ ଯେ Syene (ବର୍ତ୍ତମାନର ଲିବିଆରେ ଅଵସ୍ଥିତ) ନାମକ ସହରରେ ୨୧ ଜୁନ୍ ଦିନ ମଧ୍ୟାହ୍ନ ୧୨ଟା ସମୟରେ ଯଦି ଏକ କାଠ ଖୁଣ୍ଟକୁ ସିଧା ଭାବେ ମାଟିରେ ପୋତାଯାଏ ତେବେ ତାହାର ଛାୟା ପଡ଼େ ନାହିଁ। ଅର୍ଥାତ୍ ସୂର୍ଯ୍ୟ ସେହି ଦିନ ସାଇନୀରେ ଠିକ୍ ମୁଣ୍ଡ ଉପରେ ( ଵା ଜେନିଥ୍‌ରେ) ଥାଏ। 
ଏରାଟୋସ୍ଥେନେସ୍ ଏହି ତଥ୍ୟର ସତ୍ୟାସତ୍ୟ ଜାଣିଵା ପାଇଁ ଏକ ପରୀକ୍ଷଣ କଲେ। ୨୧ ଜୁନ୍ ଦିନ ମଧ୍ୟାହ୍ନ ୧୨ଟାରେ ସେ Alexandriaରେ ଏକ ସିଧା କାଠ ଖୁଣ୍ଟ ମାଟିରେ ପୋତି ଦେଖିଲେ ଯେ ତାହାର ଛାୟା ପଡ଼ୁଛି। ଏହାର କାରଣ ଥିଲା Alexandriaରେ ସୂର୍ଯ୍ୟ ସେଦିନ ଠିକ୍ ମୁଣ୍ଡ ଉପରେ ନଥିଲା। ଏହି ପର୍ଯ୍ୟଵେକ୍ଷଣରୁ ସେ ବୁଝିଲେ ଯେ ପୃଥିଵୀ ସମତଳ ନୁହେଁ,ଵରଂ ଗୋଲାକାର, କାରଣ ଏକ ସମତଳ ପୃଷ୍ଠରେ ଏକ ସମୟରେ ଏକ ସ୍ଥାନରେ ଛାୟା ନ ପଡ଼ିଵା ଓ ଅନ୍ୟ ସ୍ଥାନରେ ଛାୟା ପଡ଼ିଵା ଅସମ୍ଭଵ। 

ଏହାପରେ ସେ ନାଵିକମାନଙ୍କ ସାହାଯ୍ୟରେ Alexandria ଓ Syene ମଧ୍ୟରେ ଦୂରତ୍ୱ ମାପିଲେ, ଯାହା ପ୍ରାୟ ୫,୦୦୦ ଷ୍ଟାଡିଆ (stadia) ଥିଲା। ଏକ ଷ୍ଟାଡିଆ ପ୍ରାୟ ୧୫୭.୫ ମିଟର, ଅର୍ଥାତ୍ ମୋଟ୍ ଦୂରତ୍ୱ ଆଧୁନିକ ଏକକରେ ପ୍ରାୟ ୮୦୦ କିଲୋମିଟର। Alexandriaରେ ଛାୟାର କୋଣ ୭.୨ ଡିଗ୍ରୀ ଥିଲା, ଆଉ Syeneରେ ସୂର୍ଯ୍ୟ ମୁଣ୍ଡ ଉପରେ ଥିଵାରୁ କୋଣ ୦ ଡିଗ୍ରୀ ଥିଲା। 

ଏରାଟୋସ୍ଥେନେସ୍ ଗଣନା କଲେ: ଯଦି ୭.୨ ଡିଗ୍ରୀ ଏକ ଏକକ ହୁଏ, ତେବେ ୩୬୦ ଡିଗ୍ରୀର ଏକ ବୃତ୍ତରେ ୫୦ଟି ଏକକ (୩୬୦ ÷ ୭.୨) ହେଵ। ଏକ ଏକକର ଦୂରତ୍ୱ ୫,୦୦୦ ଷ୍ଟାଡିଆ ହେଲେ, ମୋଟ ପୃଥିଵୀର ପରିଧି ହେଵ ୫,୦୦୦ × ୫୦ = ୨,୫୦,୦୦୦ ଷ୍ଟାଡିଆ, ଯାହା ଆଧୁନିକ ଏକକରେ ପ୍ରାୟ ୪୦,୦୦୦ କିଲୋମିଟର। ଏହା ଆଧୁନିକ ମାପ ସହ ଅତ୍ୟନ୍ତ ସମାନ। ଏହି ଗଣନା ତାଙ୍କର ଗାଣିତିକ ଓ ପର୍ଯ୍ୟଵେକ୍ଷଣ ଦକ୍ଷତାକୁ ପ୍ରମାଣ କରେ। ତେଣୁ ପୃଥିଵୀର ପରିଧି ପ୍ରଥମେ ମାପିଵାର ଶ୍ରେୟ ପ୍ରାଚୀନ ଗ୍ରୀକ ଗଣିତଜ୍ଞ ଓ ଜ୍ୟୋତିର୍ଵିଜ୍ଞାନୀ ଏରାଟୋସ୍ଥେନେସ୍ (Eratosthenes)ଙ୍କୁ ଦିଆଯାଏ। ଆଧୁନିକ ମାପରେ ପୃଥିଵୀର ପରିଧି ୪୦,୦୭୫ କିମି ଅଟେ ତେବେ ଏରାଟୋସ୍ଥେନେସ୍‌ଙ୍କ ଗଣନା ଏହାର ଅତ୍ୟନ୍ତ ନିକଟଵର୍ତ୍ତୀ ଥିଲା। ଏହା ଏରାଟୋସ୍ଥେନେସ୍‌ଙ୍କ ସମୟରେ ଏକ ଅସାଧାରଣ କୃତିତ୍ୱ ଥିଲା।
ଏହାର ଆଠଶହ ଵର୍ଷ ପରେ ଭାରତୀୟ ଜ୍ୟୋତିର୍ଵିଜ୍ଞାନୀ ଆର୍ଯ୍ୟଭଟ୍ଟ ତାଙ୍କ ଗ୍ରନ୍ଥ ଆର୍ଯ୍ୟଭଟୀୟମ୍‌ରେ ପୃଥିଵୀକୁ ଏକ ଗୋଲାକାର ଵସ୍ତୁ ଭାବେ ଵର୍ଣ୍ଣନା କରିଥିଲେ ଏଵଂ ଏହାର ଗତି ଓ ଅନ୍ୟାନ୍ୟ ଗ୍ରହମାନଙ୍କ ସହ ସମ୍ପର୍କ ଵିଷୟରେ ଆଲୋଚନା କରିଥିଲେ। ସେ ପୃଥିଵୀର ପରିଧିର ଏକ ଗଣନା ଦେଇଥିଲେ, ଯାହା ପ୍ରାୟ ୩୯,୯୬୮ କିଲୋମିଟର ଥିଲା। ଏହା ଆଧୁନିକ ମାପ (୪୦,୦୭୫ କିମି)ର ନିକଟଵର୍ତ୍ତୀ ଥିଲା। ଆର୍ଯ୍ୟଭଟ୍ଟଙ୍କ ଗଣନା ଏରାଟୋସ୍ଥେନେସ୍‌ଙ୍କ ପରେ ହୋଇଥିଲେ ବି ସ୍ଵାଧୀନ ଗଣନା ଥିଲା ଏଵଂ ଗ୍ରୀକ୍ ଗଣନା ଦ୍ଵାରା ପ୍ରଭାଵିତ ନଥିଲା ବୋଲି ଗଵେଷକମାନେ କୁହନ୍ତି । 

ନିଶ୍ଚିତ ଭାବରେ ଏରାଟୋସ୍ଥେନେସ୍ ଓ 
 ଆର୍ଯ୍ୟଭଟ୍ଟ ନିଜ ନିଜ ସମୟର ଶ୍ରେଷ୍ଠ ଗଵେଷକ ଥିଲେ କିନ୍ତୁ ମୁଁ ଦେଖୁଛି ଆଜିକାଲିର କିଛି ଅତି ଵିଦ୍ୱାନ ଲୋକେ ତାଙ୍କର ଓ ତାଙ୍କ କାର୍ଯ୍ୟର ଉଦାହରଣ ଦେଇ ମତ ରଖନ୍ତି ଯେ ଵର୍ତ୍ତମାନ ପିଢ଼ିର ଲୋକଙ୍କ ଅପେକ୍ଷା ସେତେବେଳେର ଲୋକ ଅଧିକ ବୁଦ୍ଧିମାନ ଥିଲେ ଵିଦ୍ୱାନ ଥିଲେ କିନ୍ତୁ ଏହା ପୂର୍ଣ୍ଣତଃ ସତ୍ୟ ନୁହେଁ।

ଆଜିର ଯୁବ ପିଢ଼ିର ବୁଦ୍ଧିମତ୍ତା ଓ ଯୋଗ୍ୟତାକୁ ପୂର୍ବ ପିଢ଼ି ସହ ତୁଳନା କଲେ, ଏହା ସ୍ପଷ୍ଟ ହୁଏ ଯେ ଆଧୁନିକକାଳର ଲୋକମାନେ ଅନେକ କ୍ଷେତ୍ରରେ ସମାନ ଵା ଅଧିକ ଦକ୍ଷ। 

ଫ୍ଲିନ୍ ପ୍ରଭାବ ଵା Flynn Effect ଏହାର ସମର୍ଥନ କରେ । ନ୍ୟୁଜିଲାଣ୍ଡର ମନୋଵିଜ୍ଞାନୀ ଜେମ୍ସ ଫ୍ଲିନଙ୍କ ଗଵେଷଣା ଅନୁଯାୟୀ ଵିଂଶ ଶତାବ୍ଦୀରେ ହାରାହାରି ମାନଵ IQ ପ୍ରତି ଦଶକରେ ପ୍ରାୟ ୩ ପଏଣ୍ଟ ବୃଦ୍ଧି ପାଇଛି। ଏହାର ଵିଭିନ୍ନ କାରଣ ରହିଛି । ଆଧୁନିକ ଶିକ୍ଷା ଵ୍ୟଵସ୍ଥା ଅଧିକ ଵିସ୍ତୃତ ଓ ସୁଲଭ ହୋଇଛି, ଯାହା ଯୁଵପିଢ଼ିକୁ ଜଟିଳ ସମସ୍ୟା ସମାଧାନ କରିଵାରେ ଦକ୍ଷ କରିଛି। ଉନ୍ନତ ସ୍ୱାସ୍ଥ୍ୟ ଓ ପୁଷ୍ଟି ମାନଵ ମସ୍ତିଷ୍କର ଵିକାଶରେ ସାହାଯ୍ୟ କରିଛି। ଇଣ୍ଟରନେଟ ଓ ଡିଜିଟାଲ ମାଧ୍ୟମ ଯୁଵପିଢ଼ିକୁ ଜ୍ଞାନର ଵିସ୍ତୃତ ପ୍ରଵେଶ ଦେଇଛି, ଯାହା ସେମାନଙ୍କ ବୌଦ୍ଧିକ କ୍ଷମତାକୁ ବୃଦ୍ଧି କରିଛି।ଏହି ପ୍ରଭାବ ଦର୍ଶାଏ ଯେ ଆଜିର ପିଢ଼ିର ହାରାହାରି IQ ପୂର୍ଵ ପିଢ଼ିଠାରୁ ଅଧିକ। ଆଜିର ଯୁଵଗୋଷ୍ଠୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), କୋଡିଂ, ଡାଟା ଵିଶ୍ଳେଷଣ ଓ ରୋବୋଟିକ୍ସ ଭଳି କ୍ଷେତ୍ରରେ ଅଗ୍ରଣୀ। ଉଦାହରଣ ସ୍ୱରୂପ, ଇସ୍ରୋର ଚନ୍ଦ୍ରଯାନ ଓ ନାସାର ମାର୍ସ ମିଶନରେ ଯୁଵ ଵୈଜ୍ଞାନିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପୂର୍ବ ପିଢ଼ି ପ୍ରାକୃତିକ ପର୍ଯ୍ୟଵେକ୍ଷଣ ଓ ସରଳ ଗଣିତ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜିର ଯୁଵପିଢ଼ି ଜଟିଳ ଅଲଗୋରିଦମ ଓ ସୁପରକମ୍ପ୍ୟୁଟର ଵ୍ୟଵହାର କରି ଅଧିକ ନିର୍ଭୁଲ୍ ଓ ଦ୍ରୁତ ଗଣନା କରୁଛନ୍ତି।

ଇଣ୍ଟରନେଟ ଓ ଡିଜିଟାଲ ପ୍ଲାଟଫର୍ମ ଯୋଗୁଁ ଆଜିର ଯୁଵଗୋଷ୍ଠୀ ପାଖରେ ଵିଜ୍ଞାନ, ଇତିହାସ ଓ ଖଗୋଳଵିଜ୍ଞାନ ସମ୍ପର୍କୀୟ ସୂଚନାର ଅପାର ଭଣ୍ଡାର ରହିଛି। ସାମାଜିକ ମାଧ୍ୟମ ଵ୍ୟଵହାର କରି ଯୁବପିଢ଼ି ଵିଜ୍ଞାନ ଓ ଖଗୋଳଵିଜ୍ଞାନ ସମ୍ପର୍କୀୟ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି, ଯାହା ପୂର୍ଵ ପିଢ଼ି ପାଇଁ ଅସମ୍ଭଵ ଥିଲା। ପୂର୍ଵ ପିଢ଼ି କୃଷି, ପଞ୍ଚାଙ୍ଗ ଓ ପ୍ରାକୃତିକ ଚକ୍ର ସହ ଜଡ଼ିତ ସମସ୍ୟାର ସମାଧାନ କରୁଥିଲେ। ଆଜିର ପିଢ଼ି ଜଳଵାୟୁ ପରିଵର୍ତ୍ତନ, ସାଇବର ସୁରକ୍ଷା ଓ ଵିଶ୍ୱାୟନ ଭଳି ଜଟିଳ ସମସ୍ୟାର ସମାଧାନ କରୁଛନ୍ତି। 
 ଆଧୁନିକ ମାନଵ ନଵୀକରଣୀୟ ଶକ୍ତି, ବାୟୋଟେକ୍ନୋଲୋଜି ଓ ସ୍ପେସ ଏକ୍ସପ୍ଲୋରେସନରେ ନୂତନ ଆଵିଷ୍କାର କରୁଛନ୍ତି, ଯାହା ପୂର୍ଵ ପିଢ଼ିଙ୍କର ସମୟରେ ଅକଳ୍ପନୀୟ ଥିଲା। ଆଜିର ମାନଵମାନେ ସାମାଜିକ ନ୍ୟାୟ, ପରିଵେଶ ସୁରକ୍ଷା ଓ ଵିଶ୍ୱଵ୍ୟାପୀ ସମସ୍ୟା ପ୍ରତି ଅଧିକ ସଚେତନ। ସେମାନେ ଵିଶ୍ୱବଵ୍ଯାପୀ ସମସ୍ୟାର ସମାଧାନ ପାଇଁ ଆନ୍ତର୍ଜାତିକ ସହଯୋଗ କରୁଛନ୍ତି, ଯାହା ପୂର୍ଵ ପିଢ଼ିର ସ୍ଥାନୀୟ ଦୃଷ୍ଟିକୋଣଠାରୁ ଭିନ୍ନ।

ପୂର୍ଵ ପିଢ଼ିର ମନୀଷୀମାନେ ନିଜ ସମୟରେ ଅସାଧାରଣ କାର୍ଯ୍ୟ କରିଥିଲେ, କିନ୍ତୁ ଆଜିର ପିଢ଼ି ମଧ୍ୟ ତାଙ୍କ ସମୟର ଚ୍ୟାଲେଞ୍ଜ ଅନୁଯାୟୀ ସମାନ ଵା ଅଧିକ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଫ୍ଲିନ୍ ପ୍ରଭାବ ଓ ଅନ୍ୟ ଵୈଜ୍ଞାନିକ ଗଵେଷଣା ଦର୍ଶାଏ ଯେ ଆଜିର ପିଢ଼ିର IQ ଓ ବୌଦ୍ଧିକ କ୍ଷମତା ପୂର୍ଵ ପିଢ଼ିଠାରୁ କମ୍ ନୁହେଁ। ସେମାନେ ନୂତନ ପ୍ରଯୁକ୍ତି, ଜ୍ଞାନର ସୁଲଭତା ଓ ଵିଶ୍ୱଵ୍ୟାପୀ ସହଯୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ପ୍ରାଚୀନ କାଳରେ ଯଦି ଏରାଟୋସ୍ଥେନେସ୍ ଓ ଆର୍ଯ୍ୟଭଟ୍ଟ ହୋଇଥିଲେ ଏ ଆଧୁନିକ ଯୁଗରେ ବି ଆଲବର୍ଟ ଆଇନଷ୍ଟାଇନ, ୱର୍ନର ହାଇଜେନବର୍ଗ, ଷ୍ଟିଫେନ ହକିଂ, ଏଡୱାର୍ଡ ଉଇଟେନ, ଲିସା ରାଣ୍ଡାଲ, ଜେନିଫର ଡାଉଡନା, ଡିମିସ୍ ହାସାବିସ, ରୋଜର ପେନରୋଜ ଓ ଗ୍ରୀଗୋରୀ ପର୍ଲମାନ
ଭଳି ଅଗଣିତ ଵିଦ୍ଵାନ ପ୍ରତ୍ୟେକ କ୍ଷେତ୍ରରେ ଜାତ ହୋଇଛନ୍ତି । 

ଡେମୋକ୍ରିଟସ୍,ଏରାଟୋସ୍ଥେନେସ୍ କିମ୍ବା ଆର୍ଯ୍ୟଭଟ୍ଟଙ୍କ ସମୟରେ ସମସ୍ତେ ଵିଦ୍ଵାନ ନଥିଲେ କି ଏ ଯୁଗରେ ମଧ୍ୟ ସମସ୍ତେ ଵିଦ୍ଵାନ ନୁହନ୍ତି । ଚାରି ଆଙ୍ଗୁଠି କେବେ ସମାନ ନଥିଲାତେଣୁ, ଆଜିର ପିଢ଼ିକୁ “କମ୍ ବୁଦ୍ଧିମାନ” ଵା “ଅପାରଗ” ବୋଲି କହିଵା ଅନୁଚିତ ଓ ଭିତ୍ତିହୀନ।

ତେବେ ଵର୍ତ୍ତମାନ ପିଢ଼ିକୁ ପୂର୍ଵ ପିଢ଼ିଠାରୁ କମ୍ ବୁଦ୍ଧିମାନ ବୋଲି ଦାବି କରିଵା ମନୋଵିଜ୍ଞାନ ଦୃଷ୍ଟିରୁ କେତେକ ପକ୍ଷପାତ (bias) ଓ ଭ୍ରାନ୍ତ ଧାରଣାରୁ ଉଦ୍ଭଵ ହୋଇଥାଏ। କିଛି ଲୋକେ nostalgia bias ଯୋଗୁଁ ଅତୀତକୁ ଆଦର୍ଶ ରୂପେ ଵିଚାର କରି ଵର୍ତ୍ତମାନକୁ ନ୍ୟୂନ ହୀନ ଚିତ୍ରଣ କରନ୍ତି। ଏଭଳି ଲୋକେ ଅତୀତର ସଫଳତାକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରନ୍ତି ଏଵଂ ଵର୍ତ୍ତମାନର ଜଟିଳତା ଓ ଅଗ୍ରଗତିକୁ ଅଣଦେଖା କରିଦିଅନ୍ତି । ଏହା ସହ, “ପତନଵାଦ” (declinism) ନାମକ ଏକ ମନୋଵୈଜ୍ଞାନିକ ପ୍ରଵୃତ୍ତି ମଧ୍ୟ କିଛି ଲୋକଙ୍କ ମନକୁ କଵଳିତ କରେ । “ପତନଵାଦ” ଦ୍ଵାରା ପ୍ରଭାଵିତ ଲୋକେ ମନେ କରନ୍ତି ଯେ ସମୟ ସହ ସମାଜ ଵା ବୁଦ୍ଧିମତ୍ତାରେ ହ୍ରାସ ଘଟୁଛି। ଏହି ଦୃଷ୍ଟିକୋଣ ଅନେକ ସମୟରେ ଅପର୍ଯ୍ୟାପ୍ତ ତଥ୍ୟ ଵା ଭ୍ରାନ୍ତ ଧାରଣା ଉପରେ ଆଧାରିତ ହୋଇଥାଏ।
ଏତଦ୍‌ଵ୍ୟତୀତ ଅତିସାଧାରଣୀକରଣ (overgeneralization) ଓ “ରୁଢ଼ିବଦ୍ଧତା” (stereotyping) ଭଳି ସଂଜ୍ଞାନାତ୍ମକ ପକ୍ଷପାତ (cognitive bias) ମଧ୍ୟ ଏହି ଦାବିରେ ପରିଲକ୍ଷିତ ହୁଏ। ଏକ ସମଗ୍ର ପିଢ଼ିକୁ ବିନା ପ୍ରମାଣରେ ନକାରାତ୍ମକ ଭାବେ ଚିତ୍ରଣ କରିଵ ଏକ ସରଳୀକୃତ ଓ ଭୁଲ୍ ନିଷ୍କର୍ଷ। 
ଅଧିକନ୍ତୁ, ଏହାକୁ “ପ୍ରସଙ୍ଗବଦ୍ଧତା” (framing) ଭାବେ ମଧ୍ୟ ଦେଖାଯାଇପାରେ, ଯେଉଁଠି ସୂଚନାକୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇ ପାଠକଙ୍କ ମନରେ ନକାରାତ୍ମକ ଭାବନା ଜାଗ୍ରତ କରାଯାଏ। ଏହା ଅନେକ ସମୟରେ ଭାବନାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଵାକୁ ଵା ପ୍ରେରଣା ଦେଵାକୁ ଉଦ୍ଦିଷ୍ଟ ହୋଇପାରେ। ଵୈଜ୍ଞାନିକ ଦୃଷ୍ଟିରୁ, IQ ଏକ ଜଟିଳ ମାପକ ଯାହା ପରିଵେଶ, ଶିକ୍ଷା, ଓ ସାମାଜିକ ପରିସ୍ଥିତି ଉପରେ ନିର୍ଭର କରେ। ଫ୍ଲିନ୍ ପ୍ରଭାବ ଦର୍ଶାଏ ଯେ ଆଧୁନିକ ଯୁଗରେ ହାରାହାରି IQ ବୃଦ୍ଧି ପାଇଛି, ଯାହା ଉନ୍ନତ ଶିକ୍ଷା, ପୁଷ୍ଟି ଓ ପ୍ରଯୁକ୍ତିର ସୁଲଭତା ଦ୍ୱାରା ସମ୍ଭଵ ହୋଇଛି। ତେଣୁ, ବର୍ତ୍ତମାନ ପିଢ଼ିକୁ କମ୍ ବୁଦ୍ଧିମାନ ବୋଲି ଦାବି କରିବା “ମିଥ୍ୟାସୂଚନା ପକ୍ଷପାତ (misinformation bias)ର ଏକ ଉଦାହରଣ, ଯାହା ତଥ୍ୟଗତ ଭାବେ ଭୁଲ୍ ଓ ମନୋଵୈଜ୍ଞାନିକ ପକ୍ଷପାତରୁ ଉଦ୍ଭବ।
ସଂକ୍ଷେପରେ କହିଵାକୁ ଗଲେ ଵର୍ତ୍ତମାନ ପିଢ଼ିର ବୌଦ୍ଧିକ କ୍ଷମତାକୁ ଅଵମୂଲ୍ୟାୟନ କରିଵା ଏକ ଅନୁଚିତ ଓ ଭ୍ରାନ୍ତ ଧାରଣା, ଯାହା ମନୋବିଜ୍ଞାନରେ ନଷ୍ଟାଲଜିଆ, ପତନଵାଦ, ଓ ରୁଢ଼ିବଦ୍ଧତା ଭଳି ପକ୍ଷପାତଦ୍ୱାରା ପ୍ରଭାଵିତ। ଆଜିର ଯୁବ ପିଢ଼ି ନିଜର ସମୟର ଚ୍ୟାଲେଞ୍ଜକୁ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଵିଶ୍ୱଵ୍ୟାପୀ ଜ୍ଞାନର ସହାୟତାରେ ସାମ୍ନା କରୁଛି । ଆଜିର ପିଢ଼ି ଅତୀତର ସଫଳତାକୁ ସମ୍ମାନ ଦେଵା ସହ ନିଜର ସ୍ୱତନ୍ତ୍ର ଯୋଗଦାନ ପ୍ରମାଣ କରୁଛି।


Wednesday, October 22, 2025

"Le Voyageur Imprudent" ଉପନ୍ୟାସର କାହାଣୀ: ସମୟର ଅଜଣା ଯାତ୍ରୀ

ଏକ ସମୟରେ, ଫ୍ରାନ୍ସର ଏକ ଛୋଟ ସହରରେ ପିଏରେ ନାମେ ଜଣେ ଯୁଵକ ରହୁଥିଲେ। ପିଏରେ ଥିଲେ ଖୁଵ୍‌ ଚତୁର ଓ କୌତୁହଳୀ। ସେ ଵିଜ୍ଞାନ ଓ ଅଜଣା ରହସ୍ୟ ଵିଷୟରେ ସବୁବେଳେ ଚିନ୍ତା କରୁଥିଲେ। ତାଙ୍କର ଜଣେ ଵୈଜ୍ଞାନିକ ସାଙ୍ଗ ଥିଲେ, ଡକ୍ଟର ମାଥିଉ। ମାଥିଉ ଥିଲେ ଏକ ଅଜଣା ଗଵେଷଣାରେ ନିୟୋଜିତ, ଯାହା ଥିଲା ସମୟ ଯାତ୍ରାର ଏକ ମେସିନ୍‌ ତିଆରି କରିଵା। ମାଥିଉ ଆଵିଷ୍କାର କରିଥିଲେ ଏକ ଅଜଣା ରସାୟନ, ଯାହା ମଣିଷକୁ ସମୟରେ ଆଗପଛ ଯାତ୍ରା କରାଇ ପାରୁଥିଲା। ଏହି ରସାୟନର ନାମ ଥିଲା "ନୋଏଲିଟ୍‌"।

ପିଏରେ ମାଥିଉଙ୍କ ସାଙ୍ଗରେ ତାଙ୍କ ଲାବୋରେଟୋରୀରେ କାମ କରୁଥିଲେ। ମାଥିଉ ତାଙ୍କୁ ନୋଏଲିଟ୍‌ ଵିଷୟରେ କହିଥିଲେ। ଏହା ଥିଲା ଏକ ଏମିତି ପଦାର୍ଥ, ଯାହାକୁ ଶରୀରରେ ପ୍ରୟୋଗ କଲେ ମଣିଷ ସମୟରେ ଯାତ୍ରା କରି ପାରୁଥିଲା। କିନ୍ତୁ ଏହା ଅତ୍ୟନ୍ତ ଵିପଜ୍ଜନକ ଦରଵ ଥିଲା, କାରଣ ଏହାର ପ୍ରଭାଵ କେତେ ସମୟ ରହିଵ କି କେମିତି କାମ କରିଵ, ତାହା ସମ୍ପୂର୍ଣ୍ଣ ଜଣା ନଥିଲା। ପିଏରେ ଏହି ଆଵିଷ୍କାରରେ ଵିଶେଷ ଉତ୍ସାହିତ ହେଲେ। ସେ ଭାବିଲେ, “ଯଦି ମୁଁ ଅତୀତକୁ ଯାଇ ପାରେ, ତେଵେ ମୁଁ ଇତିହାସରେ କ’ଣ ହେଉଛି ତାହା ନିଜ ଆଖିରେ ଦେଖି ପାରିବି।” 

କିନ୍ତୁ ମାଥିଉ ପିଏରେଙ୍କୁ ସତର୍କ କରିଥିଲେ, “ପିଏରେ, ସମୟ ଯାତ୍ରା ଏକ ଖେଳ ନୁହେଁ। ଅତୀତରେ କିଛି ବଦଳାଇଲେ ଭଵିଷ୍ୟତ ସମ୍ପୂର୍ଣ୍ଣ ବଦଳି ଯାଇପାରେ।” କିନ୍ତୁ ପିଏରେଙ୍କ କୌତୁହଳ ତାଙ୍କୁ ଅଟକାଇ ପାରିଲା ନାହିଁ। ସେ ନୋଏଲିଟ୍‌ ଵ୍ୟଵହାର କରି ଅତୀତକୁ ଯିଵାକୁ ନିଷ୍ପତ୍ତି ନେଲେ।

ପିଏରେ ନୋଏଲିଟ୍‌ର ଏକ ଛୋଟ ଡୋଜ୍‌ ନେଲେ ଓ ମନେ ମନେ ଏକ ସମୟ ଚିନ୍ତା କଲେ—୧୮ଶ ଶତାବ୍ଦୀ, ଯେତେଵେଳେ ଫରାସୀ ଵିପ୍ଲଵ ଆରମ୍ଭ ହୋଇନଥିଲା। ସେ ନିଜକୁ ଏକ ପୁରୁଣା ସହରରେ ପାଇଲେ, ଯେଉଁଠି ଲୋକମାନେ ଅଜଣା ପୋଷାକ ପିନ୍ଧି ଘୋଡ଼ାଗାଡ଼ିରେ ଯାଉଥିଲେ। ପିଏରେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେ ଚାରିଆଡ଼େ ଦେଖିଲେ ଏଵଂ ଲୋକମାନଙ୍କ ସାଙ୍ଗରେ କଥା ହେଵାକୁ ଚେଷ୍ଟା କଲେ। କିନ୍ତୁ କିଛି ସମୟ ମଧ୍ୟରେ ହିଁ ସେ ବୁଝିଗଲେ ଯେ ତାଙ୍କ ଆଧୁନିକ କଥାଵାର୍ତ୍ତା ଓ ପୋଷାକ ଲୋକମାନଙ୍କୁ ଅଜଣା ଲାଗୁଛି।

ସେ ଏକ ଛୋଟ ଗାଁରେ ପହଞ୍ଚିଲେ, ଯେଉଁଠି ସେ ଜଣେ ଯୁଵକଙ୍କୁ ଭେଟିଲେ, ଯାହାଙ୍କ ନାମ ଥିଲା ଜିନ୍‌। ଜିନ୍‌ ଥିଲେ ତାଙ୍କ ପୂର୍ଵଜ—ଅର୍ଥାତ୍‌ ପିଏରେଙ୍କ ଜେଜେଙ୍କ ଜେଜେ। ଜିନ୍‌ ଥିଲେ ଏକ ସାଧାରଣ ଚାଷୀ, କିନ୍ତୁ ବହୁତ ଉଦାର। ପିଏରେ ଜିନ୍‌ଙ୍କ ସାଙ୍ଗରେ କିଛି ସମୟ କାଟିଲେ ଏଵଂ ତାଙ୍କ ଜୀଵନ ଵିଷୟରେ ଜାଣିଲେ। ଜିନ୍‌ ତାଙ୍କୁ କହିଲେ ଯେ ସେ ଏକ ମହିଳାଙ୍କୁ ଵିଵାହ କରିଵାକୁ ଚାହୁଁଛନ୍ତି, କିନ୍ତୁ ଗାଁର ଜମିଦାର ଅନେକ ଅସୁଵିଧା ସୃଷ୍ଟି କରୁଛନ୍ତି।

ପିଏରେ ଭାବିଲେ, “ଯଦି ମୁଁ ଜିନ୍‌ଙ୍କୁ ସାହାଯ୍ୟ କରେ, ତେବେ ମୋ ପରିଵାରର ଭାଗ୍ୟ ଵଦଳି ଯାଇପାରେ।” ସେ ଜମିଦାରଙ୍କ ଵିରୁଦ୍ଧରେ ଜିନ୍‌ଙ୍କୁ ସାହାଯ୍ୟ କରିଵାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହି ସାହାଯ୍ୟ କରିଵା ପାଇଁ ସେ ଏକ ଵିପଜ୍ଜନକ ଯୋଜନା କଲେ। ସେ ଜମିଦାରଙ୍କ ଘରେ ଚୋରି କରିଵାକୁ ଯୋଜନା କଲେ, ଯାହା ଜିନ୍‌ଙ୍କୁ ଆର୍ଥିକ ସାହାଯ୍ୟ ଦେଇ ପାରିଵ।

ପିଏରେଙ୍କ ଯୋଜନା ସଫଳ ହେଲା, କିନ୍ତୁ ଏହାର ପରିଣାମ ଭୟଙ୍କର ହେଲା। ଜମିଦାରଙ୍କ ଘରେ ଚୋରି ହେଵା ପରେ ଗାଁରେ ଏକ ବଡ଼ ଧରଣର ଵିଵାଦ ଦେଖାଦେଲା। ଶେଷରେ ଜିନ୍‌ଙ୍କୁ ସନ୍ଦେହ କରାଗଲା ଆଉ ତାଙ୍କୁ ଧରି ଶାସ୍ତି ଦିଆଗଲା। ପିଏରେ ଵୁଝିଲେ ଯେ ତାଙ୍କ ହସ୍ତକ୍ଷେପ ଜିନ୍‌ଙ୍କ ଜୀଵନକୁ ଆହୁରି ଖରାପ କରିଦେଲା। ସେ ମନେ ମନେ ଭାବିଲେ, “ମୁଁ ଅତୀତକୁ ବଦଳାଇଵାକୁ ଚେଷ୍ଟା କଲି, କିନ୍ତୁ ଏହା ଆହୁରି ଖରାପ କରିଦେଲା।”

ପିଏରେ ଆଉ ଏକ ନୋଏଲିଟ୍‌ ଡୋଜ୍‌ ନେଇ ଆହୁରି ଅତୀତକୁ ଯାତ୍ରା କଲେ, ଯେଉଁଠି ସେ ଜିନ୍‌ଙ୍କୁ ୱଞ୍ଚାଇଵାକୁ ଚେଷ୍ଟା କରିଵେ। ଏଥର ସେ ଆହୁରି ପଛକୁ ଗଲେ—୧୭ଶ ଶତାବ୍ଦୀ। ଏଠାରେ ସେ ଜିନ୍‌ଙ୍କ ପୂର୍ଵଜଙ୍କୁ ଭେଟିଲେ, ଯାହାଙ୍କ ନାମ ଥିଲା ଫ୍ରାଙ୍କୋଇସ। ଫ୍ରାଙ୍କୋଇସ ଥିଲେ ଜିନ୍‌ଙ୍କ ଵାପା। ପିଏରେ ଭାବିଲେ, “ଯଦି ମୁଁ ଫ୍ରାଙ୍କୋଇସଙ୍କୁ କିଛି କରିଦେବି, ତେବେ ଜିନ୍‌ ଜନ୍ମ ନେବେ ନାହିଁ, ଆଉ ତାଙ୍କ ଯୋଗୁଁ ସମସ୍ୟା ମଧ୍ୟ ମୃଉ ହେଵ ନାହିଁ।”

ପିଏରେ ଏକ ଵିପଜ୍ଜନକ ନିଷ୍ପତ୍ତି ନେଲେ। ସେ ଫ୍ରାଙ୍କୋଇସଙ୍କୁ ମାରିଵାକୁ ଯୋଜନା କଲେ, ଯାହା ଜିନ୍‌ଙ୍କ ଜନ୍ମକୁ ଅଟକାଇ ଦେଵ । କିନ୍ତୁ ଯେତେଵେଳେ ସେ ଫ୍ରାଙ୍କୋଇସଙ୍କୁ ମାରିଵାକୁ ଚେଷ୍ଟା କଲେ, ତାଙ୍କ ମନରେ ଏକ ଅଜଣା ଭୟ ଜାଗିଲା। ସେ ଭାବିଲେ, “ଯଦି ମୁଁ ଫ୍ରାଙ୍କୋଇସଙ୍କୁ ମାରିଦେବି, ତେବେ ଜିନ୍‌‌ଙ୍କ ଜନ୍ମ ହେବ ନାହିଁ। ଜିନ୍‌ ଜନ୍ମ ନନେଲେ, ମୋ ପରିଵାରର କେହି ଜନ୍ମ ହେବେ ନାହିଁ। ଆଉ ମୁଁ ନିଜେ ମଧ୍ୟ ଜନ୍ମ ହେବି ନାହିଁ। ତେବେ ମୁଁ ଏଠାକୁ ଆସିଲି କିପରି?”

ଏହି ଚିନ୍ତା ତାଙ୍କ ମନକୁ ଗୁନ୍ଦଲେଇ ଦେଲା। ସେ ବୁଝିଲେ ଯେ ଅତୀତରେ କିଛି ବଦଳାଇଵା ଦ୍ବାରା ଏକ ଅଜଣା ଚକ୍ର ସୃଷ୍ଟି ହୁଏ, ଯାହା ତାଙ୍କ ନିଜର ଅସ୍ତିତ୍ୱ ଉପରେ ହିଁ ପ୍ରଶ୍ନଵାଚୀ ସୃଷ୍ଟି କରେ । ଏହାକୁ GrandFather Paradox କୁହାଯାଏ । ପିଏରେ ଶେଷରେ ଫ୍ରାଙ୍କୋଇସଙ୍କୁ ମାରିଵା ବନ୍ଦ କଲେ, କାରଣ ସେ ଏହାର ପରିଣାମ ପ୍ରତି ଭୟ କଲେ।

ଅତୀତରେ ବହୁତ ଅସୁବିଧା ଦେଖି ପିଏରେ ନିଷ୍ପତ୍ତି ନେଲେ ଯେ ସେ ଭଵିଷ୍ୟତକୁ ଯିଵେ। ସେ ନୋଏଲିଟ୍‌ର ଆଉ ଏକ ଡୋଜ୍‌ ନେଲେ ଓ ୩୦୦୦ ସାଲକୁ ଯାତ୍ରା କଲେ। ଭଵିଷ୍ୟତରେ ସେ ଏକ ଅଜଣା ଦୁନିଆ ଦେଖିଲେ, ଯେଉଁଠି ମଣିଷମାନେ ଆକାଶରେ ଉଡ଼ୁଥିଲେ, ରୋବୋଟ୍‌ମାନେ ସବୁକାମ କରୁଥିଲେ ଏଵଂ ପୃଥିଵୀ ଏକ ଅଜଣା ରୂପ ନେଇଥିଲା। କିନ୍ତୁ ଏହି ଦୁନିଆରେ ମଣିଷମାନେ ବହୁତ ଏକାକୀ ଥିଲେ ତଥା ଯନ୍ତ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।

ପିଏରେ ଏକ ଵୈଜ୍ଞାନିକଙ୍କୁ ଭେଟିଲେ, ଯିଏ ତାଙ୍କୁ କହିଲେ ଯେ ନୋଏଲିଟ୍‌ ଏକ ଵିପଜ୍ଜନକ ଆଵିଷ୍କାର ଥିଲା, ଯାହା ଅନେକ ସମୟରେ ଅସଙ୍ଗତି ସୃଷ୍ଟି କରିଥିଲା। ସେ ପିଏରେଙ୍କୁ ସତର୍କ କଲେ ଯେ ସେ ଯେଉଁ ସମୟରେ ଅଛନ୍ତି, ତାହା ତାଙ୍କ ମୂଳ ଟାଇମଲାଇନ୍‌ ନୁହେଁ। ପିଏରେଙ୍କ ଅତୀତରେ କରା ପରିଵର୍ତ୍ତନ ଏକ ନୂଆ ଟାଇମଲାଇନ୍‌ ସୃଷ୍ଟି କରିଛି।

ପିଏରେ ବୁଝିଲେ ଯେ ସେ ଅତୀତ ଓ ଭଵିଷ୍ୟତରେ ଅନେକ ଭୁଲ୍‌ କରିଛନ୍ତି। ସେ ନିଜ ମୂଳ ସମୟକୁ ଫେରିଵାକୁ ଚେଷ୍ଟା କଲେ, କିନ୍ତୁ ନୋଏଲିଟ୍‌ର ପ୍ରଭାଵ ଧୀରେ ଧୀରେ କମି ଯାଉଥିଲା। ସେ ଡକ୍ଟର ମାଥିଉଙ୍କ ସାଙ୍ଗରେ ଯୋଗାଯୋଗ କରିଵାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ମୂଳ ଟାଇମଲାଇନ୍‌ ବଦଳି ଯାଇଥିଲା।

ଶେଷରେ, ପିଏରେ ଏକ କଠିନ ନିଷ୍ପତ୍ତି ନେଲେ। ସେ ନୋଏଲିଟ୍‌ର ଵ୍ୟଵହାର ଵନ୍ଦ କରି ଏକ ନୂଆ ଜୀଵନ ଆରମ୍ଭ କଲେ। ସେ ଵୁଝିଲେ ଯେ ସମୟ ଏକ ଜଟିଳ ନିୟମରେ ଚାଲେ, ଯାହାକୁ ବଦଳାଇଵା ମଣିଷ ହାତରେ ନାହିଁ।
ଫରାସୀ ଲେଖକ René Barjavel ୧୯୪୩ରେ ତାଙ୍କ ଉପନ୍ୟାସ "Le Voyageur Imprudent" (The Imprudent Traveller)ର ଏହା ହେଉଛି ସଂକ୍ଷିପ୍ତ କାହାଣୀ । ଏହି ଉପନ୍ୟାସର ଏକ ଟେଲିଭିଜନ୍‌ ଆଧାରିତ ଅଡାପ୍ଟେସନ୍‌ (téléfilm) ୧୯୮୨ ମସିହାରେ ଫ୍ରାନ୍ସରେ ନିର୍ମିତ ହୋଇଥିଲା ଏଵଂ ପ୍ରଥମେ ୧୯୮୨ରେ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିଲା। 
୧୯୮୨ର ଟେଲିଭିଜନ୍‌ ଚଳଚ୍ଚିତ୍ର (Téléfilm) "Le Voyageur Imprudent"ରେ କାହାଣୀକୁ କିଛିଟା ପରିଵର୍ତ୍ତନ କରାଯାଇଥିଲା ଏଵଂ ପିଏରେଙ୍କୁ ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟର ଏକ ସୈନିକ ଭାବେ ଦର୍ଶାଯାଇଥିଲା। ଏହା ଉପନ୍ୟାସରୁ ଏକ ଭିନ୍ନ ଅଡାପ୍ଟେସନ୍‌ ଥିଲା, ଯେଉଁଥିରେ କାହାଣୀକୁ ସମୟୋପଯୋଗୀ କରିଵା ପାଇଁ ଏହି ପରିଵର୍ତ୍ତନ କରାଯାଇଥିଲା। ତେବେ Le Voyageur Imprudent ଉପନ୍ୟାସର କାହାଣୀ Grandfather Paradox ସମ୍ବନ୍ଧୀୟ ପ୍ରଶ୍ନ ଉପସ୍ଥାପନ କରିଥାଏ ।

Grandfather Paradox ସମୟ ଯାତ୍ରା (Time Travel) ସମ୍ବନ୍ଧୀୟ ଏକ ଦାର୍ଶନିକ ଓ ଵୈଜ୍ଞାନିକ ପରାଡକ୍ସ (Paradox)। ଏହା ଏକ ଏମିତି ପରିସ୍ଥିତିକୁ ବୁଝାଏ ଯେଉଁଠି ଜଣେ ଵ୍ୟକ୍ତି ଅତୀତକୁ ଯାତ୍ରା କରି ତାଙ୍କ ଜେଜେ କିମ୍ବା ଅଜା(Grandfather)ଙ୍କୁ ମାରିଦିଏ। ଯଦି ଜେଜେ/ଅଜା ମରିଯାଆନ୍ତି, ତେବେ ସେହି ଵ୍ୟକ୍ତିଙ୍କ ବାପା କିମ୍ବା ମା’ ଜନ୍ମ ନେବେ ନାହିଁ, ଆଉ ତାଙ୍କ ବାପା/ମା’ ଜନ୍ମ ନନେଲେ ସେ ନିଜେ ମଧ୍ୟ ଜନ୍ମ ହେବେ ନାହିଁ। କିନ୍ତୁ ଯଦି ସେ ଜନ୍ମ ହୋଇନଥାନ୍ତି, ତେବେ ସେ ଅତୀତକୁ ଯାଇ ଜେଜେ ଵା ଅଜାଙ୍କୁ ମାରିବେ କିପରି? ଏହା ଏକ ତାର୍କିକ ଚକ୍ର (Logical Loop) ସୃଷ୍ଟି କରେ, ଯାହା ସମୟ ଯାତ୍ରାର ସମ୍ଭାଵନା ଉପରେ ପ୍ରଶ୍ନ ଉଠାଏ।

Grandfather Paradox ପ୍ରଥମେ ୧୯୩୧ ମସିହାରେ Nathaniel Schachner ନାମକ ଜଣେ ଵିଜ୍ଞାନ କାଳ୍ପନିକ ଲେଖକଙ୍କ ଦ୍ୱାରା ତାଙ୍କର ଏକ କାଳ୍ପନିକ ଗଳ୍ପରେ ଉପସ୍ଥାପନ କରାଯାଇଥିଲା। ପରେ René Barjavel ନାମକ ଜଣେ ଫରାସୀ ଲେଖକ ୧୯୪୩ରେ ତାଙ୍କ ଉପନ୍ୟାସ "Le Voyageur Imprudent"(The Imprudent Traveller)ରେ ଏହି ପରାଡକ୍ସକୁ ଆହୁରି ସ୍ପଷ୍ଟ ଭାବେ ଵର୍ଣ୍ଣନା କରିଥିଲେ। ପ୍ରୋକ୍ତ କାହାଣୀଟି "Le Voyageur Imprudent"ର ମୁଖ୍ୟ କଥାଵସ୍ତୁ ଅଟେ ।

ପରେ ବୈଜ୍ଞାନିକ ଓ ଦାର୍ଶନିକମାନଙ୍କ ମଧ୍ୟରେ Grandfather Paradox ଏକ ଜନପ୍ରିୟ ଆଲୋଚନାର ଵିଷୟ ହୋଇଛି।
Grandfather Paradox ସମ୍ବନ୍ଧରେ ଉଭୟ ସପକ୍ଷଵାଦୀ ଓ ଵିପକ୍ଷଵାଦୀ ମତ ରହିଛି । ସପକ୍ଷଵାଦୀମାନେ କୁହନ୍ତି ଯେ ଅତୀତରେ କିଛି ବଦଳାଇଲେ ଭଵିଷ୍ୟତରେ ଏକ ଅସଙ୍ଗତି ଵା Inconsistency ସୃଷ୍ଟି ହେଵ। ଯେମିତି, ଜେଜେ ଵା ଅଜାଙ୍କୁ ମାରିଲେ ଯାତ୍ରୀ ନିଜେ ଅସ୍ତିତ୍ୱରେ ରହିଵ ନାହିଁ, ଯାହା ଏକ ତାର୍କିକ ଅସମ୍ଭଵତା। ଯଦି ସମୟ ଏକ ସରଳରେଖାରେ ଚାଲେ, ତେବେ ଅତୀତରେ କିଛି ବଦଳାଇବା ଦ୍ଵାରା ତାହା ସମ୍ପୂର୍ଣ୍ଣ ଭବିଷ୍ୟତକୁ ବଦଳାଇ ଦେଵ ଏଵଂ ଏହା ପରାଡକ୍ସ ସୃଷ୍ଟି କରେ। କେତେକ ଵିଜ୍ଞାନୀ କୁହନ୍ତି ଯେ ଏହି ପରାଡକ୍ସ ଦର୍ଶାଏ ଯେ ଅତୀତକୁ ଯାତ୍ରା କରିଵା ଵୈଜ୍ଞାନିକ ଦୃଷ୍ଟିକୋଣରୁ ଅସମ୍ଭଵ, କାରଣ ଏହା କାର୍ଯ୍ୟ-କାରଣ ନିୟମ ଵା Law of Causalityକୁ ଭାଙ୍ଗି ଦିଏ ।

ଅଵଶ୍ୟ କେତେକ ଵୈଜ୍ଞାନିକ ଓ ଦାର୍ଶନିକ କୁହନ୍ତି ଯେ ଅତୀତରେ କିଛି ବଦଳାଇଲେ ଏକ ନୂଆ ସମାନ୍ତରାଳ ଵିଶ୍ୱ ଵା Parallel Universe ସୃଷ୍ଟି ହୁଏ। ଅର୍ଥାତ୍‌, ଜେଜେ ଵା ଅଜାଙ୍କୁ ମାରିଲେ ଏକ ନୂଆ ଟାଇମଲାଇନ୍‌ ତିଆରି ହେଵ, କିନ୍ତୁ ମୂଳ ଟାଇମଲାଇନ୍‌ ଅପରିଵର୍ତ୍ତିତ ରହିଵ। ଏହା ପରାଡକ୍ସକୁ ନିଷ୍କ୍ରିୟ କରେ।

ନୋଭିକୋଵ୍‌ଙ୍କ ଆତ୍ମସଙ୍ଗତି ନୀତି ଵା Novikov’s Self-Consistency Principle ଉପସ୍ଥାପନ କରି ରୁଷୀୟ ଭୌତିକ ଵିଜ୍ଞାନୀ ଇଗୋର ନୋଭିକୋଵ୍ ପ୍ରସ୍ତାଵ ଦେଇଥିଲେ ଯେ ଅତୀତରେ କୌଣସି ଘଟଣା ଘଟିଵ ନାହିଁ ଯାହା ଭଵିଷ୍ୟତକୁ ଅସଙ୍ଗତ କରିଵ। ଅର୍ଥାତ୍‌, ଯଦି ଆପଣ ଅତୀତକୁ ଯାଆନ୍ତି, ତେବେ ଆପଣ ନିଜ ଜେଜେ ଵା ଅଜାଙ୍କୁ ମାରି ପାରିବେ ନାହିଁ, କାରଣ ସମୟର ନିୟମ ଏହାକୁ ଅଟକାଇ ଦେଵ । କେତେକ ଵୈଜ୍ଞାନିକ କୁହନ୍ତି ଯେ କ୍ୱାଣ୍ଟମ୍‌ ମେକାନିକ୍ସ ଅନୁସାରେ ସମୟ ଯାତ୍ରା ଏକ ଅନିଶ୍ଚିତ ଫଳାଫଳ (Probabilistic Outcome) ଦେଇପାରେ, ଯେଉଁଠି ପରାଡକ୍ସ ସୃଷ୍ଟି ହୁଏ ନାହିଁ। 

Grandfather Paradox ଓ ସମୟ ଯାତ୍ରା ଆଧାରିତ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି। 
ସମୟଯାତ୍ରା ସମ୍ବନ୍ଧୀୟ ସବୁଠାରୁ ଜଣାଶୁଣା ଚଳଚ୍ଚିତ୍ର ହେଲା Back to the Future (1985) ଏଵଂ ଏହାର ତିନୋଟି ଭାଗ ମୁକ୍ତିଲାଭ କରିଥିଲା । ଅନେକ ଚଳଚ୍ଚିତ୍ର ଓ ୱେବସିରିଜ୍ ଏହି ଚଳଚ୍ଚିତ୍ରର କାହାଣୀରୁ ପ୍ରଭାଵିତ ହୋଇ ପରେ ନିର୍ମିତ ହୋଇଛି । ଏହି ଚଳଚ୍ଚିତ୍ରରେ ମାର୍ଟି ମ୍ୟାକ୍‌ଫ୍ଲାଇ ଅତୀତକୁ ଯାଇ ତା’ର ପିତାମାତାଙ୍କ ଵିଵାହକୁ ବାଧା ଦେଵାର ଆଶଙ୍କା ସୃଷ୍ଟି କରେ, ଯାହା ତା’ର ନିଜର ଅସ୍ତିତ୍ୱକୁ ଵିପଦରେ ପକାଏ। ଏହା ପରାଡକ୍ସର ଏକ ଜନପ୍ରିୟ ଉଦାହରଣ।
ସେହିପରି ସମୟଯାତ୍ରା ସମ୍ବନ୍ଧୀୟ The Terminator (1984) ଚଳଚ୍ଚିତ୍ରରେ ଏକ ରୋବୋଟ୍‌ ଅତୀତକୁ ଯାଇ ଜନ୍‌ କନର୍‌ଙ୍କ ମା’ଙ୍କୁ ମାରିଵାକୁ ଚେଷ୍ଟା କରେ, ଯାହା ଜନ୍‌ଙ୍କ ଜନ୍ମକୁ ଅଟକାଇ ଦେଵ । ଏହା ମଧ୍ୟ ପରାଡକ୍ସର ଏକ ରୂପ। Looper (2012) ଚଳଚ୍ଚିତ୍ରରେ ସମୟ ଯାତ୍ରା ମାଧ୍ୟମରେ ନିଜର ଭଵିଷ୍ୟତ ସଂସ୍କରଣକୁ ମାରିବାର ଚେଷ୍ଟା ଦେଖାଯାଏ, ଯାହା ପରାଡକ୍ସର ଏକ ଭିନ୍ନ ରୂପ ଉପସ୍ଥାପନ କରେ। Predestination (2014) ଚଳଚ୍ଚିତ୍ର ସମୟ ଯାତ୍ରାର ଏକ ଜଟିଳ ଚକ୍ର ଦେଖାଏ ଯେଉଁଠି ପରାଡକ୍ସର ସମାଧାନ ଏକ ଆତ୍ମସଙ୍ଗତି ଚକ୍ର (Self-Consistent Loop) ମାଧ୍ୟମରେ ହୁଏ। Marvel Cinematic Universeର Avengers: Endgame (2019) ଚଳଚ୍ଚିତ୍ରରେ ସମୟ ଯାତ୍ରା ସମାନ୍ତରାଳ ଵିଶ୍ୱ ତତ୍ତ୍ୱ ଆଧାରରେ ବ୍ୟାଖ୍ୟା କରାଯାଇଛି ଯେଉଁଠି ଅତୀତରେ ପରିଵର୍ତ୍ତନ ନୂଆ ଟାଇମଲାଇନ୍‌ ସୃଷ୍ଟି କରେ।

Grandfather Paradox ସମୟ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ଓ ଵୈଜ୍ଞାନିକ ପ୍ରଶ୍ନ। ଏହା କାର୍ଯ୍ୟ-କାରଣ ନିୟମ, ସମୟର ପ୍ରକୃତି ଓ ଅସ୍ତିତ୍ୱ ଉପରେ ଆଲୋଚନା କରିଵାକୁ ଆହ୍ଵାନ କରେ। ସପକ୍ଷଵାଦୀମାନେ ଏହାକୁ ସମୟ ଯାତ୍ରାର ଅସମ୍ଭଵତାର ପ୍ରମାଣ ଭାବେ ଦେଖନ୍ତି ଆଉ ଵିପକ୍ଷବାଦୀମାନେ ସମାନ୍ତରାଳ ଵିଶ୍ୱ କିମ୍ବା ଆତ୍ମସଙ୍ଗତି ତତ୍ତ୍ୱ ମାଧ୍ୟମରେ ଏହାର ସମାଧାନ ସମ୍ଭଵ ବୋଲି କୁହନ୍ତି। ଏହି ପରାଡକ୍ସ ଵିଜ୍ଞାନ ଓ କାଳ୍ପନିକ ଗଳ୍ପରେ ଅନେକ ଆକର୍ଷଣୀୟ ଚଳଚ୍ଚିତ୍ର ଓ ଆଲୋଚନାର ଜନ୍ମ ଦେଇଛି।





Tuesday, October 21, 2025

ଅନଲାଇନ୍ ପ୍ରେମ

୬୫ ଵର୍ଷୀୟ ଅଵସରପ୍ରାପ୍ତ ପଣ୍ଡାବାବୁ ଫେସବୁକରେ ଜଣେ ସୁନ୍ଦରୀ ମହିଳାଙ୍କ ସହ ବନ୍ଧୁତ୍ୱ ଗଢ଼ି ଉଠିଥିଲା। ପ୍ରତିଦିନ ତାଙ୍କ ମନରେ ଯୌଵନର ଝଙ୍କାର ଜାଗି ଉଠୁଥିଲା। ମେସେଞ୍ଜର ଯୋଗେ ପଣ୍ଡାବାବୁ ସେ ମହିଳାଙ୍କୁ ଗୋଲାପ, ଚୁମ୍ବନ ଇମୋଜି ପଠାଇଵା ଆରମ୍ଭ କଲେ। କ୍ରମେ ଇନବକ୍ସରେ ଚାଟିଂ ଯହ ରୋମାଣ୍ଟିକ ହେଲା, ଫୋନ ନମ୍ବର ଆଦାନପ୍ରଦାନ ହେଲା ଏଵଂ ହ୍ୱାଟସଆପରେ କଥାଵାର୍ତ୍ତା ଆଗେଇ ଚାଲିଲା। 

ଦିନେ ମହିଳାଙ୍କ ଫୋନ ଆସିଲା, "ଶୀଘ୍ର ଆସ, ମୋ ସ୍ୱାମୀ ଘରେ ନାହାନ୍ତି।" ପଣ୍ଡାବାବୁ ଏତେ ଉତ୍ସାହିତ ହୋଇଗଲେ ଯେ କାଳ ଵିଳମ୍ବ ନକରି ସେଠାକୁ ଚାଲିଗଲେ । ମହିଳାଙ୍କ ଘରେ ପହଞ୍ଚି ପଣ୍ଡାବାବୁ ଯେମିତି 
ପ୍ରେମ ସାଗରରେ ପହଁରିବେ ବୋଲି ଭାବିଛନ୍ତି କବାଟର ଘଣ୍ଟି ବାଜି ଉଠିଲା । 

ମହିଳା ଜଣକ ପଣ୍ଡାବାବୁଙ୍କୁ କହିଲେ ତମେ ଘର ସଫାକାର୍ଯ୍ୟରେ ଲାଗିଯାଅ ନଚେତ୍ ସମସ୍ୟା ବଢ଼ିଵ। ପଣ୍ଡାବାବୁ ନାଚାର ହୋଇ ସେଇ କାମ କଲେ ‌। 
ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚି ପଣ୍ଡାବାବୁଙ୍କୁ ଦେଖି ପଚାରିଲେ, "ଏ କିଏ?" ମହିଳା କହିଲେ, "ହାଉସ କିପିଂ କମ୍ପାନୀରୁ ଆସିଛନ୍ତି।" 

ପଣ୍ଡାବାବୁ ଝାଡୁ, ଡଷ୍ଟର ଧରି ଘର ସଫା କଲେ। କାମ ଶେଷ ହେଵା ପରେ ଥକି ଯାଇ ବାହାରକୁ ଆସିଲେ। ପଣ୍ଡାବାବୁ ଘର ସଫା କରି ଫେରିଲା ବେଳେ ମହିଳାଙ୍କ ସ୍ବାମୀ ମହିଳାଙ୍କୁ ଘରସଫା ପାଇଁ କେତେ ଟଙ୍କା ଦେଵାକୁ ପଚାରିଵ ବୋଲି ପଚାରିଵାରୁ ମହିଳା କହିଲେ ଯେ ହାଉସ୍ କିପିଙ୍ଗ୍ କମ୍ପାନୀକୁ ସେ ଆଡଵାନ୍ସ ଦେଇ ସାରିଛନ୍ତି । ସେଇଠୁ ମହିଳାଙ୍କ ସ୍ବାମୀ ପଣ୍ଡାବାବୁଙ୍କୁ ଚାଆପାଣି ପାଇଁ ପଚାଶ ଟଙ୍କା ଧରେଇ ଦେଲେ । 

ପଣ୍ଡାବାବୁ ମନଦୁଃଖରେ ମହିଳାଙ୍କ ଘରୁ ଫେରୁଥାନ୍ତି ଏତିକିବେଳେ ତାଙ୍କ ବନ୍ଧୁ ଦାସବାବୁ ତାଙ୍କୁ ଦେଖି ହସି କହିଲେ, "ଘର ସଫା କାମ କରି ମଜ୍ଜା ଲାଗିଲା ତ ? ଗତ ଵର୍ଷ ମୋତେ ବି ଏହି ମହିଳା ସଫେଇ କାମରେ ଲଗେଇ ଥିଲା !" 

ପଣ୍ଡାବାବୁ ନିରାଶ ହୋଇ ଫେସବୁକରୁ ଦୂରେଇ ଗଲେ ଓ ଅନଲାଇନ ପ୍ରେମରେ ଠକାମିରେ ପଡ଼ିଥିଵାରୁ ପଶ୍ଚାତ୍ତାପ କଲେ।

Thursday, October 9, 2025

Closed-Mindedness କ’ଣ ? ଏହାର ପ୍ରକାର ଭେଦ କ’ଣ ?

ଜଣେ ବିଦ୍ଵାନ ରାଜଦରବାରରେ ତିନୋଟି ଖପୁରୀ ଆଣି ତାର ଗଳାଇ ପରୀକ୍ଷା କଲେ। ପ୍ରଥମ ଖପୁରୀରେ ତାରଟା ଗୋଟିଏ କାନ ବାଟେ ପଶି ଅନ୍ୟ କାନ ଦେଇ ବାହାରିଗଲା। ଦ୍ଵିତୀୟ ଖପୁରୀରେ ତାର ଗଳାଇଵାରୁ ଗୋଟିଏ କାନରେ ପଶି ମୁହଁ ପଟେ ବାହାରିଗଲା। ତୃତୀୟ ଖପୁରୀର ଗୋଟିଏ ପଟ କାନରେ ତାର ପଶିଲା ଯେ ଆଉ କୌଣସି ବାଟେ ବାହାରିଲା ନାହିଁ। ଵିଦ୍ୱାନ ଏହାର ଅର୍ଥ ବୁଝାଇ ଦେଵାକୁ ପଣ୍ଡିତ ମଣ୍ଡଳୀଙ୍କୁ ଅନୁରୋଧ କଲେ । ସବୁ ପଣ୍ଡିତ ଵିଫଳ ହେଲାପରେ କାଳିଦାସ କହିଲେ, "ପ୍ରଥମ ଖପୁରୀ ଅଧମ, ଦ୍ଵିତୀୟ ମଧ୍ୟମ, ଓ ତୃତୀୟ ଉତ୍ତମ।" ରାଜା ଏହାର କାରଣ ପଚାରିଲେ। କାଳିଦାସ ବୁଝାଇଲେ: ଅଧମ ଖପୁରୀ ଯୋଉ ଵ୍ୟକ୍ତିର ଥିଲା ସେ ନିଜ କାନ ବାଟେ ଜ୍ଞାନ ଶୁଣେ, କିନ୍ତୁ ଗ୍ରହଣ ନକରି ଭୁଲିଯାଉଥିଲା । ମଧ୍ୟମ ଖପୁରୀ ଯୋଉ ମଣିଷର ସେ ଜ୍ଞାନ ଶୁଣୁଥିଲା ଵା ଗ୍ରହଣ କରୁଥିଲା କିନ୍ତୁ ଆତ୍ମସାତ ନକରି ଅନ୍ୟକୁ କେଵଳ କହିଦେଇ ଭୁଲି ଯାଉଥିଲା ।  
ଉତ୍ତମ ଖପୁରୀ ଯୋଉ ଵ୍ୟକ୍ତିର ଥିଲା ସେ ଜ୍ଞାନ ଗ୍ରହଣ କରି ଆତ୍ମସାତ କରୁଥିଲା ଏଵଂ ଜୀଵନରେ ତହିଁର ପ୍ରୟୋଗ ମଧ୍ୟ କରୁଥିଲା । 
ତେବେ ମୁଁ କହୁଛି କାଳିଦାସ ଯୁଗର ସେ “ବିଦ୍ଵାନଙ୍କୁ ଚତୁର୍ଥ ପ୍ରକାରର ଖପୁରୀ ମିଳି ହିଁ ନଥିଲା। ଏ ଧରଣର ଖପୁରୀ ବହୁତ ଵିରଳ କାରଣ ତହିଁରେ କାନର କଣା ହିଁ ନଥାଏ । କଣା ଥିଲେ ତ ଖପୁରୀ ମଧ୍ୟରେ ତାର ଗଳାଇଵ ! ଏ ଖପୁରୀ ଯାହାର ସେ ଅଧମଠାରୁ ବି ହୀନ, କାରଣ ସେ ଜ୍ଞାନ ଆହରଣ କରିଵାକୁ ନୂଆ କଥା ଜାଣିଵାକୁ ଘୃଣା କରେ। ଏଭଳି ଲୋକ ଜ୍ଞାନ ଵା ଵିଜ୍ଞାନର କଥା ଶୁଣିଵାକୁ ଆଦୌ ରାଜି ହୁଏ ନାହିଁ, ସମ୍ପୂର୍ଣ୍ଣ ଅଜ୍ଞାନୀ ଓ ମୂର୍ଖ ହୋଇ ରହିଥାଏ।"

ଚତୁର୍ଥ ଖପୁରୀ ଯୁକ୍ତ ମଣିଷର ମାନସିକ ଅଵସ୍ଥା "Closed-Mindedness" ଜାତୀୟ ଅଟେ । ଏହି ମାନସିକ ଅଵସ୍ଥା ନୂତନ ଦୃଷ୍ଟିକୋଣ ଵା ଜ୍ଞାନକୁ ଗ୍ରହଣ କରିଵାର ଅନିଚ୍ଛା ସୃଷ୍ଟି କରେ ଯାହା ଫଳରେ ଵ୍ୟକ୍ତି ଜ୍ଞାନ ଵିଜ୍ଞାନର କଥା ଶୁଣିଵାକୁ ଆଦୌ ରାଜି ହୁଏ ନାହିଁ ଏଵଂ ଅଜ୍ଞାନୀ ରହିଯାଏ। ଏହା ଅଧମ ପ୍ରକାରଠାରୁ ବି ହୀନ କାରଣ ଏହି ଅଵସ୍ଥାରେ ଵ୍ୟକ୍ତି ନୂଆ କଥା ଜାଣିଵାର ସବୁ ପ୍ରଵେଶପଥ (ଲକ୍ଷଣାର୍ଥ : କାନ) ହିଁ ବନ୍ଦ କରିଦିଏ।

Closed-Mindedness ମନର ଏମିତି ଏକ ଅଵସ୍ଥା ଯାହାଦ୍ଵାରା ପ୍ରଭାଵିତ ବ୍ୟକ୍ତି ନୂଆ କଥା, ଧାରଣା, ମତ ଵା ଜ୍ଞାନକୁ ଶୁଣିଵାକୁ ଵା ଗ୍ରହଣ କରିଵାକୁ ଆଦୌ ରାଜି ହୁଏ ନାହିଁ। ସେ ନିଜର ପୁରୁଣା ଵିଶ୍ୱାସ, ଅଭ୍ୟାସ ଵା ଚିନ୍ତାଧାରାରେ ଏତେ ଅଟଳ ରହେ ଯେ କୌଣସି ନୂଆ ପରିଵର୍ତ୍ତନକୁ ଵିରୋଧ କରେ । ସରଳ ଭାଷାରେ କହିଵାକୁ ଗଲେ ଏହା ବନ୍ଦ ମନର ମାନସିକ ଅଵସ୍ଥା ଯେଉଁଥିରେ ନୂଆ କଥା ପଶିଵାର କୌଣସି ବାଟ ହିଁ ନଥାଏ। ଫଳରେ ଏଭଳି ଲୋକମାନେ ଅଜ୍ଞାନୀ ରହିଯାଆନ୍ତି ଏଵଂ ଜୀଵନରେ ସେମାନଙ୍କର ବୌଦ୍ଧିକ ଵିକାଶ ଆଶାନୁରୂପ ହୋଇପାରେନାହିଁ। ଏହା ବୁଦ୍ଧିଜୀବୀବିରୋଧିତାର ଏକ ମୁଖ୍ୟ ରୂପ, ଯେଉଁଠାରେ ଜ୍ଞାନ ଆହରଣର ସମ୍ଭାବନା ହିଁ ବନ୍ଦ ହୋଇଯାଏ।

ମନେ କରନ୍ତୁ ଜଣେ ଵୃଦ୍ଧ ଵ୍ୟକ୍ତି ସ୍ମାର୍ଟଫୋନ୍‌ ଵ୍ୟଵହାର କରିଵାକୁ ଆଦୌ ସହମତ ହେଉନାହାନ୍ତି। ସେ କହନ୍ତି, "ପୁରୁଣା ଫୋନ୍‌ ହିଁ ଭଲ, ନୂଆ ଜିନିଷ ଶିଖିଵା କ’ଣ ଦରକାର ?" ଵୃଦ୍ଧଙ୍କ ପରିଵାର ଲୋକେ ମୋବାଇଲ ରଖିଵାର ଲାଭ ସମ୍ବନ୍ଧରେ ତାଙ୍କୁ ଅନେକ ଥର ବୁଝାଇଛନ୍ତି କିନ୍ତୁ ସେ ଶୁଣିଵାକୁ ଆଦୌ ଚେଷ୍ଟା କରନ୍ତି ନାହିଁ ଵରଂ ବେଳେ ବେଳେ କ୍ରୋଧାନ୍ୱିତ ହୋଇଯାଆନ୍ତି। ଏହା Closed-Mindednessର ଏକ ସରଳ ଉଦାହରଣ – ନୂଆ ଜ୍ଞାନର ଦ୍ୱାର ବନ୍ଦ ରହିଵାରୁ ସେ ପଛରେ ପଡ଼ିଯାଆନ୍ତି। ଵିଭିନ୍ନ ପ୍ରକାରର Closed-Mindedness ରହିଛି । 

Religious Closed-Mindedness ଦ୍ଵାରା ପୀଡ଼ିତ ଵ୍ୟକ୍ତି ନିଜର ଧାର୍ମିକ ଵିଶ୍ୱାସରେ ଏତେ ଅଟଳ ରହେ ଯେ ଅନ୍ୟ ଧର୍ମ ଵା ଦୃଷ୍ଟିକୋଣକୁ ଶୁଣିଵାକୁ ଵା ବୁଝିଵାକୁ ରାଜି ହୁଅନ୍ତି ନାହିଁ। ସେ ନିଜର ଧର୍ମକୁ ଏକମାତ୍ର ସତ୍ୟ ମନେ କରେ। ପଠାଣ ଓ ଖିରସ୍ତାନୀମାନେ ଏଧରଣର ମାନସିକ ଅଵସ୍ଥା ଦ୍ଵାରା ବହୁଧା ପୀଡ଼ିତ ହୋଇଥାଆନ୍ତି। 

ଜଣେ ଵ୍ୟକ୍ତି ନିଜର ରାଜନୈତିକ ଦଳର ଵିଶ୍ୱାସରେ ଏତେ ଅଟଳ ଯେ ଵିରୋଧୀ ପକ୍ଷର କୌଣସି ଭଲ କଥାକୁ ଶୁଣିଵାକୁ ରାଜି ହୁଏ ନାହିଁ। ଉଦାହରଣ ସ୍ୱରୂପ, ସେ କହନ୍ତି, "ମୁଁ କେବେ ବି ତାଙ୍କର କଥା ଶୁଣିବି ନାହିଁ, ସେମାନେ ସବୁ ଭୁଲ୍‌।" ଏହାର ଫଳରେ ସେ ନୂଆ ଦୃଷ୍ଟିକୋଣ ଗ୍ରହଣ କରି ପାରନ୍ତି ନାହିଁ କି ସତ୍ୟର ପଥରେ ଚାଲିପାରନ୍ତି ନାହିଁ । ଭାରତରେ ଵର୍ତ୍ତମାନ ଵିରୋଧୀ ଦଳର ନେତା ଓ ସଦସ୍ୟମାନେ ଏହି ମାନସିକ ଅଵସ୍ଥା ଦ୍ଵାରା ବହୁଧା ପ୍ରଭାଵିତ । ଏହାକୁ Political Closed-Mindedness କୁହାଯାଏ । 

Scientific Closed-Mindedness ଦ୍ଵାରା ମଧ୍ୟ ଅନେକ ମନୁଷ୍ୟ ପୀଡ଼ିତ ଜଣାପଡ଼ନ୍ତି । ଏହି ମାନସିକ ଅଵସ୍ଥାରେ ପୀଡ଼ିତ ଵ୍ୟକ୍ତି ଵୈଜ୍ଞାନିକ ପ୍ରମାଣ ଵା ନୂଆ ଆଵିଷ୍କାରକୁ ପ୍ରତ୍ୟାଖ୍ୟାନ କରନ୍ତି କାରଣ ଏହା ତାଙ୍କର ପୂର୍ଵ ଵିଶ୍ୱାସ ଵା ଅଭ୍ୟାସକୁ ଵିରୋଧ କରେ। ଏମାନେ ଵୈଜ୍ଞାନିକ ତଥ୍ୟକୁ ଅଵିଶ୍ୱାସ କରନ୍ତି। ନୂଆ ନୂଆ ଡାକବାଜି ଉଦ୍ଭାଵନ ହେଵାରୁ ତତ୍କାଳୀନ ସମୟର ପଠାଣମାନେ ଏହାକୁ ସୈତାନର କଣ୍ଠସ୍ଵର ବୋଲି କହି ଵିରୋଧ କରିଥିଲେ । ଆଜି ଭାରତ ଭଳି ସହିଷ୍ଣୁ ହିନ୍ଦୁଙ୍କ ଦେଶରେ ଦିନକୁ ପାଞ୍ଚଥର ନମାଜ ଡାକବାଜି ଯୋଗେ ବାଜୁଛି । ଜୀଵାଶ୍ମଵିଜ୍ଞାନ ହେଉ ଵା ଵିଵର୍ତ୍ତନ ଵିଜ୍ଞାନ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯୋଉମାନେ ଆଧୁନିକ ଯୁଗରେ ଏତେ ଵୈଜ୍ଞାନିକ ଅନୁସନ୍ଧାନ ପରେ ମଧ୍ୟ ମାନନ୍ତି ନାହିଁ। Flat earther ହୁଅନ୍ତୁ ଵା ସାତ ଦିନରେ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି ବୋଲି ଗପୁଥିଵା ଧାର୍ମିକ ଅନ୍ଧ ହୁଅନ୍ତୁ ଵିଜ୍ଞାନକୁ ମାନୁନଥିଵା Scientific Closed-Mindednessର ଶିକାର ଲକ୍ଷ ଲକ୍ଷ ଲୋକ ମିଳିଯାଆନ୍ତି । 

ଏ ଧରଣର ଆଉ ଏକ ମାନସିକ ଅଵସ୍ଥା Social Closed-Mindedness ଅଟେ । ଏଥିରେ ପୀଡ଼ିତ ଵ୍ୟକ୍ତିମାନେ ଲୋକଙ୍କ ଵୟସ,ଜାତି, ଲିଙ୍ଗ, ସଂସ୍କୃତି ଵା ସାମାଜିକ ଅଵସ୍ଥା ଆଧାରରେ ସେମାନଙ୍କର ଯୋଗ୍ୟତା ଓ ସାମର୍ଥ୍ୟର ଆକଳନ କରି ଦିଅନ୍ତି ଏବଂ ସେମାନଙ୍କୁ ଛୋଟ ମଣି ତାଙ୍କ ମତକୁ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ଗୋଷ୍ଠୀ ଵା ସଂସ୍କୃତିକୁ ଶ୍ରେଷ୍ଠ ମନେ କରନ୍ତି। ଉଦାହରଣ ସ୍ବରୂପ ଜଣେ ଵ୍ୟକ୍ତି ଗାଁରୁ ଆସିଥିବା ଲୋକଙ୍କୁ “ଅଜ୍ଞାନୀ” ମନେ କରନ୍ତି ଏଵଂ ସେମାନଙ୍କର ଅଭିଜ୍ଞତା ଵା ମତକୁ ଶୁଣିଵାକୁ ଆଗ୍ରହୀ ହୁଅନ୍ତି ନାହିଁ। କୌଣସି ମହିଳା ଗାଡ଼ି ଚାଳନାରେ ଯେତେ ଦକ୍ଷ ହୋଇଥାଉ ସେ ଗାଡ଼ି ଚଳାଇ କାଳେ ଦୂର୍ଘଟଣା କରି ଦେଵ ବୋଲି ଏ ଧରଣର ଲୋକେ ସବୁବେଳେ ସନ୍ଦେହ କରିଥାନ୍ତି । ଅଳ୍ପ ଵୟସ୍କ ଵ୍ୟକ୍ତି ଯେତେ ସତ କହୁ ତା କଥାକୁ Social Closed-Mindedness ଦ୍ଵାରା ପୀଡ଼ିତ ଵୟସ୍କମାନେ ଶୁଣନ୍ତି ନାହିଁ। 

Personal Closed-Mindedness ଜାତୀୟ ଵ୍ୟକ୍ତି ବି ଅଛନ୍ତି ଏଵଂ ନିଜର ଵ୍ୟକ୍ତିଗତ ଅଭ୍ୟାସ, ଜୀଵନଶୈଳୀ ଵା ଚିନ୍ତାଧାରାରେ ଅଟଳ ରହନ୍ତି ତଥା ନୂଆ ପରିଵର୍ତ୍ତନକୁ ସହଜରେ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ଅଜ୍ଞାନତାକୁ ଅସ୍ୱୀକାର କରନ୍ତି। ଉଦାହରଣ ସ୍ୱରୂପ ଏ ମାନସିକ ଅଵସ୍ଥାଯୁକ୍ତ ଜଣେ ଵ୍ୟକ୍ତି ସ୍ମାର୍ଟଫୋନ୍‌ ବା ଇଣ୍ଟରନେଟକୁ “ଅନାଵଶ୍ୟକ” ମନେ କରନ୍ତି ଏଵଂ ପୁରୁଣା ଫୋନ୍‌ ଵ୍ୟଵହାର ଜାରି ରଖନ୍ତି । ନୂଆ ପ୍ରଯୁକ୍ତି ତାଙ୍କ ଜୀଵନକୁ ସରଳ କରିପାରେ କିନ୍ତୁ ସେ ସେଥିପ୍ରତି ଆଗ୍ରହୀ ହୋଇନଥାନ୍ତି । 

Cultural Closed-Mindedness ଜାତୀୟ ଲୋକେ ବି ଅଛନ୍ତି ଯୋଉମାନେ ନିଜର ସଂସ୍କୃତି ଵା ପରମ୍ପରାକୁ ହିଁ ପୃଥିଵୀରେ ଏକମାତ୍ର ଉପଯୁକ୍ତ ଓ ଯଥାର୍ଥ ମନେ କରନ୍ତି ଏଵଂ ଅନ୍ୟ ସଂସ୍କୃତିର ରୀତିନୀତିକୁ ବୁଝିଵାକୁ ଚେଷ୍ଟା କରନ୍ତି ନାହିଁ ଵରଂ ଆଵଶ୍ୟକ ହେଲେ ତହିଁର ଵିରୋଧ କରିଵାକୁ ପଛାନ୍ତି ନାହିଁ । ଉଦାହରଣ ସ୍ୱରୂପ ଆବ୍ରାହାମିକ ସମ୍ପ୍ରଦାୟ ଵିଶେଷତଃ ପଠାଣ ଓ ଖିରସ୍ଥାନୀମାନେ ନିଜ ଧର୍ମ ଓ ସଂସ୍କୃତିକୁ ହିଁ ଶ୍ରେଷ୍ଠ ବୋଲି ପ୍ରଚାର କରି ଅନ୍ୟର ଧର୍ମ ସଂସ୍କୃତିକୁ ନ୍ୟୂନ ହୀନ ଦର୍ଶାଇଵାକୁ ସର୍ଵଦା ଚେଷ୍ଟା କରିଥାନ୍ତି ।‌

Educational Closed-Mindedness ଦ୍ଵାରା ପ୍ରଭାଵିତ ଲୋକ ମଧ୍ୟ ଦେଖାଯାଆନ୍ତି । 
ଏହି ଜାତୀୟ ଵ୍ୟକ୍ତି ନୂଆ ଶିକ୍ଷଣ ପଦ୍ଧତି, ଜ୍ଞାନ ଵା ଶିକ୍ଷାର ଉତ୍ସକୁ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ପୁରୁଣା ଜ୍ଞାନକୁ ହିଁ ଶ୍ରେଷ୍ଠ ମନେ କରନ୍ତି। ଉଦାହରଣ ସ୍ୱରୂପ ଆଜି ବି ଅନେକ ଶିକ୍ଷକ ଅଛନ୍ତି ଯୋଉମାନେ ନୂଆ ଡିଜିଟାଲ୍‌ ଶିକ୍ଷଣ ପଦ୍ଧତିକୁ “ଅନୁପଯୋଗୀ” ମନେ କରନ୍ତି ଏଵଂ ପୁରୁଣା କଳାପଟା ପଦ୍ଧତିରେ ହିଁ ପଢ଼ାଇଵା ଜାରି ରଖନ୍ତି ‌। ନୂଆ ଶିକ୍ଷା ପଦ୍ଧତି ଛାତ୍ରଙ୍କ ପାଇଁ ଅଧିକ ସହାୟକ ହୋଇପାରେ କିନ୍ତୁ Educational Closed-Mindednessର ଶିକାର ଶିକ୍ଷକ ତାହା ହେଵାକୁ ଦିଅନ୍ତି ନାହିଁ ।

ଏହିପରି ଵିଭିନ୍ନ ଜାତୀୟ Closed-Mindednessର ଶିକାର ମଣିଷ ଅଛନ୍ତି। Closed-Mindedness ଜୀଵନର ଵିଭିନ୍ନ କ୍ଷେତ୍ରରେ ଅଜ୍ଞାନତା ଓ ଵିଭାଜନକୁ ବଢ଼ାଇଥାଏ। ଏହା ମାନଵଜାତିର ଉତ୍ତରୋତ୍ତର ଉନ୍ନତି ଦିଗରେ କଣ୍ଟା ଭଳି କାର୍ଯ୍ୟ କରେ ‌। ପ୍ରାଚୀନ କାଳରୁ ଏଯାଵତ୍ ନୂଆ କିଛି ଜାଣିଵା, ନୂଆ କିଛି କରିଵାର ନିରଵଚ୍ଛିନ୍ନ ପ୍ରୟାସ ଯୋଗୁଁ ମାନଵ ଜାତି ଆଜି Type i civilization ନହୋଇଥିଲେ ବି Type 0.7 civilization ନିଶ୍ଚୟ ହୋଇପାରିଛି । ଚିନ୍ତା କରନ୍ତୁ ଯଦି ସମସ୍ତ ମାନଵଜାତିରେ ନୂଆ କଥା, ଧାରଣା, ମତ ଵା ଜ୍ଞାନକୁ ଶୁଣିଵାକୁ ଵା ଗ୍ରହଣ କରିଵାକୁ ଆଦୌ ଚାହୁଁନଥିଵା Closed-Mindednes ଜାତୀୟ ମନୁଷ୍ୟଙ୍କ ସଂଖ୍ୟାଧିକ୍ୟ ହୋଇଗଲା ତେବେ କ’ଣ ହେଵ ? ମାନଵ ସମାଜ ପୁଣି ଜଙ୍ଗଲି ହୋଇଯିଵ ଏଵଂ ବାଘ ଭାଲୁ ଵାନରଙ୍କ ପରି ଅସଭ୍ୟ ହୋଇ ରହିଯିଵ । ଅତଃ Closed-Mindedness ଦ୍ଵାରା ପୀଡ଼ିତ ମାନଵମାନେ ମାନଵଜାତି ପାଇଁ ଅଟା ମଧ୍ୟରେ ଗୋଡ଼ି ସଦୃଶ ।‌ ମାନଵସମାଜରୁ Closed-Mindednessର ଵିନାଶରେ ମାନଵଜାତିର ମଙ୍ଗଳ ! 

Friday, October 3, 2025

“ପୃଥିଵୀର ପ୍ରାଚୀନ ଜୀଵନ ଓ ଜୈଵଵିଵିଧତାର ଯାତ୍ରା"

Queensland ସଂଗ୍ରହାଳୟର ସହଯୋଗୀ ପ୍ରାଧ୍ୟାପକ Dr. Andrew Rozefeldsଙ୍କୁ ଅତି ପ୍ରାଚୀନ କାଳର ଏକ ଅଦ୍ଭୁତ ଜୀଵାଶ୍ମ ମିଳିଥିଲା । ଜୀଵାଶ୍ମର ଆକାରରୁ ଏହା ଏକ କଙ୍କଡ଼ାବିଚ୍ଛା ବୋଲି ଜଣାଗଲା । ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ଵିଷୟ ଥିଲା ଯେ ଏହା ଆଜିର କଙ୍କଡ଼ାବିଚ୍ଛାଠାରୁ ଅନେକଗୁଣ ବଡ଼ ଅର୍ଥାତ୍ ୧ ମିଟରୁ ଅଧିକ ଲମ୍ବ ଏକ କଙ୍କଡ଼ାବିଛାର ଜୀଵାଶ୍ମ ଥିଲା ‌। ପରେ ଏହାର ଵୈଜ୍ଞାନିକ ନାମ Woodwardopterus freemanorum ରଖାଯାଇଥିଲା । 
ଏହି ଜୀଵାଶ୍ମ ପ୍ରାୟ ୨୫୨ ନିୟୁତ ଵର୍ଷ ପୁରୁଣା ଥିଲା ବୋଲି ଗଵେଷଣାରୁ ଜଣାଗଲା ଯାହା Late Permian Periodର ଶେଷ ଭାଗରେ ଅସ୍ତିତ୍ୱରେ ଥିଵା ଏକ ପ୍ରାଚୀନ ଜାତିର ଜୀଵାଶ୍ମ ଥିଲା। ପରଵର୍ତ୍ତୀକାଳରେ ସେହି ପ୍ରାଚୀନ ପ୍ରସ୍ତର ମଧ୍ୟସ୍ଥ ଅନ୍ୟ ଅଂଶଗୁଡ଼ିକରେ
ଵିଶାଳ କୀଟ ଏଵଂ ଅନ୍ୟାନ୍ୟ ଵିଶାଳ ଆର୍ଥ୍ରୋପୋଡ୍ସ୍ ଜାତିର ଜୀଵଙ୍କ ଜୀଵାଶ୍ମ ମଧ୍ୟ ମିଳିଥିଲା । କିନ୍ତୁ ଏହି ଜୀଵାଶ୍ମଗୁଡ଼ିକର ଵୟସ ନିର୍ଦ୍ଧାରଣ ପାଇଁ କାର୍ଵନ ଡେଟିଂ ଵଦଳରେ ରେଡିଓମେଟ୍ରିକ୍ ଡେଟିଂ ଵ୍ୟଵହାର କରାଯାଇଥିଲା ଯାହା ଅତିପ୍ରାଚୀନ ଜୀଵାଶ୍ମ ପାଇଁ ଅଧିକ ଉପଯୁକ୍ତ ହୋଇଥାଏ ।
         (Meganeuraର ଜୀଵାଶ୍ମ)
 ଏହି ଜୀଵାଶ୍ମଗୁଡ଼ିକ ଡାଇନୋସରଙ୍କ ଯୁଗ ଆରମ୍ଭ ହେଵା ପୂର୍ଵରୁ ଏକ ଅଜଣା ସମୟର ଥିଲା ଏଵଂ ସେହି ସମୟରେ ଵିଶାଳ ଆର୍ଥ୍ରୋପୋଡ୍ସ୍ ଜାତୀୟ ଜୀଵ ପୃଥିଵୀରେ ଆଧିପତ୍ୟ ଵିସ୍ତାର କରିଥିଲେ । ଏହାର ଆଵିଷ୍କାର ୧୯୯୦ ଦଶକରେ ନିକ୍ ଫ୍ରିମାନ୍‌ଙ୍କ ଦ୍ୱାରା କରାଯାଇଥିଲା ଏଵଂ ୨୦୧୩ରେ ମ୍ୟୁଜିଅମରେ ପହଞ୍ଚିଥିଲା ଯାହା ଜୀଵାଶ୍ମ ଅଧ୍ୟୟନର ଦୀର୍ଘ ପ୍ରକ୍ରିୟାକୁ ଦର୍ଶାଉଛି । ଏହା ଵ୍ୟତୀତ, Permian Periodରେ ଅନ୍ୟାନ୍ୟ ଵିଶାଳ ଆର୍ଥ୍ରୋପୋଡ୍ସ୍ ଯେପରିକି Pterygotus ଏଵଂ Jaekelopterus ମଧ୍ୟ ଥିଲେ ତଥା ଏମାନଙ୍କ ଆକାର ୨ ମିଟରରୁ ଅଧିକ ଥିଲା ଏଵଂ ଏମାନେ ଜଳଚର ଶିକାରୀ ଥିଲେ । ଏହି ଯୁଗରେ ପୃଥିଵୀର ଵାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କମିଵାକୁ ଆରମ୍ଭ କରିଥିଲା, କିନ୍ତୁ ତଥାପି ଏହି ଜୀଵମାନେ ଵିକଶିତ ହୋଇଥିଲେ । 
(Pterygotus model in the Czech National Museum, Prague)
ଆଜକୁ ପ୍ରାୟ ୬୫୦ ନିୟୁତ ଵର୍ଷ ପୂର୍ଵର ପୃଥିଵୀ ଆଜିର ପୃଥିଵୀଠାରୁ ଭିନ୍ନ ଏକ ଅଜଣା ରୂପରେ ଥିଲା । ସମସ୍ତ ମହାଦେଶ ଏକତ୍ର ମିଶି ଏକ ଵିଶାଳ ମହାଖଣ୍ଡ(Supercontinent) ଗଠନ ହୋଇଥିଲା, ଯାହାର ନାମ ରଖାଯାଇଛି Pannotia । 
(୬୦୦ରୁ ୪୬୫ ନିୟୁତ ଵର୍ଷ ତଳର ପୃଥିଵୀ)

ଏହା ପାଞ୍ଜିଆ ମହାଖଣ୍ଡ ଗଠନର ପୂର୍ଵରୁ ଭୂଚଳନ ଯୋଗୁଁ ଗଠିତ ହୋଇଥିଲା ଏଵଂ ପ୍ରାୟ ୬୫୦ରୁ ୫୦୦ ନିୟୁତ ଵର୍ଷ ପୂର୍ଵରୁ ଅସ୍ତିତ୍ୱରେ ଥିଲା । Pannotia ମହାଖଣ୍ଡ ଦକ୍ଷିଣ ଧ୍ରୁଵ ନିକଟରେ କେନ୍ଦ୍ରିତ ଥିଲା ଏଵଂ ଆଧୁନିକ ଆଫ୍ରିକା ଏହାର କେନ୍ଦ୍ରରେ ଥିଲା । ଏହି ମହାଖଣ୍ଡ Rodiniaର ଵିଭାଜନ ପରେ ଗଠନ ହୋଇଥିଲା ଏଵଂ ଏହାର ଅସ୍ତିତ୍ୱ ଵିଷୟରେ କିଛି ଵିଵାଦ ରହିଛି କିନ୍ତୁ ଏହା Ediacaran Periodରେ(୬୩୫ ନିୟୁତ-୫୪୧ ନିୟୁତ ଵର୍ଷ ପୂର୍ଵେ) ଭୂଗୋଳିକ ପରିଵର୍ତ୍ତନର ଏକ ମୁଖ୍ୟ ଅଂଶ ଥିଲା ବୋଲି ସାଧାରଣତଃ ଗ୍ରହଣ କରାଯାଏ। 

ଗଵେଷକ ଡାମିଆନ୍ ନାନ୍ସ (R.D. Nance) ତାଙ୍କର ୨୦୧୯ ପ୍ରବନ୍ଧ "Supercontinents and the case for Pannotia"ରେ ଲେଖିଛନ୍ତି 
"The existence of Pannotia serves to define the episodicity of the supercontinent cycle and provides a temporal framework for the tectonic, climatic, and biogeochemical events associated with its amalgamation and breakup.("ପାନୋଟିଆର ଅସ୍ତିତ୍ୱ ମହାଖଣ୍ଡ ଚକ୍ରର ଆଵର୍ତ୍ତନୀୟ ପ୍ରକୃତିକୁ ନିର୍ଦ୍ଧାରଣ କରେ ଏଵଂ ଏହାର ସଂଗଠନ ଓ ଵିଭାଜନ ସହିତ ଜଡ଼ିତ ଟେକ୍ଟନିକ୍, ଜଳଵାୟୁଗତ ଏବଂ ଜୈଵରସାୟନିକ ଘଟଣାଗୁଡ଼ିକ ପାଇଁ ଏକ ସମୟଗତ ଆଧାର ପ୍ରଦାନ କରେ।")

ଏହି ସମୟରେ ପୃଥିଵୀ ପାହାଡ଼ିଆ ଓ ଉଦ୍ଭିଦଶୂନ୍ଯ ଟାଙ୍ଗର ଭୂମି ଥିଲା,କୌଣସି ଜୀଵଜନ୍ତୁ କି ଗଛପତ୍ର ନଥିଲା । ଜୀଵମାନଙ୍କ ଵଞ୍ଚିଵା ପାଇଁ ପୃଥିଵୀରେ ଏକ ଵାୟୁମଣ୍ଡଳ ଥିଲା, କିନ୍ତୁ ଏହା ମିଥେନ୍, ଆମୋନିଆ, ଜଳଵାଷ୍ପ ଏଵଂ ନିଅନ୍ ପରି ଗ୍ୟାସରେ ପୂର୍ଣ୍ଣ ଥିଲା ଏଵଂ ସେ ସମୟର ଵାୟୁମଣ୍ଡଳରେ ଅମ୍ଳଜାନ ନଥିଲା । ଏହି କାରଣରୁ ସୂର୍ଯ୍ୟରୁ ଆସୁଥିଵା କ୍ଷତିକାରକ ଅତିବାଇଗଣୀ ରଶ୍ମି ସିଧାସଳଖ ପୃଥିଵୀରେ ପହଞ୍ଚୁଥିଲା, ଯାହା ଜୀଵନ ସୃଷ୍ଟିର ସମ୍ଭାଵନାକୁ ନଷ୍ଟ କରୁଥିଲା । Pannotia ମହାଖଣ୍ଡର ଵିଭାଜନ ପରେ Gondwana, Laurentia, Baltica ଏଵଂ Siberia ପରି ମହାଦେଶଗୁଡ଼ିକ ସୃଷ୍ଟି ହେଲା, ଯାହା ପରଵର୍ତ୍ତୀ ଜୀଵନ ଵିକାଶ ପାଇଁ ମଞ୍ଚ ପ୍ରସ୍ତୁତ କଲା । Pannotiaର ଅସ୍ତିତ୍ୱ ମହାଖଣ୍ଡ ଚକ୍ର(Supercontinent cycle)ର ଏକ ଅଂଶ ଥିଲା, ଯାହା ପ୍ରତ୍ୟେକ ୪୫୦-୬୦୦ ନିୟୁତ ଵର୍ଷରେ ହୁଏ । ଏହି ଚକ୍ରରେ ଟେକ୍ଟୋନିକ୍ ପ୍ଲେଟ୍ସ୍‌ର ଗତିଵିଧି ମୁଖ୍ୟ ଭୂମିକା ନିର୍ଵାହ କରେ, ମହାଦେଶଗୁଡ଼ିକୁ ମିଶାଏ ଏଵଂ ଵିଭାଜିତ କରେ । Pannotia ମହାଖଣ୍ଡର ଵିଭାଜନ କାରଣରୁ ନୂଆ ସମୁଦ୍ର ଗଠନ ହେଲା, ଯାହା ଜୀଵନର ଵିଵିଧତାକୁ ଵଢ଼ାଇଲା । ଏହି ସମୟରେ Ediacaran ଵାୟୋଟା ନାମକ ପ୍ରଥମ ଵହୁକୋଷୀ ଜୀଵମାନେ ଦେଖାଦେଲେ, ସେମାନେ ଡିସ୍କ୍ ଆକାରର ଥିଲେ ଏଵଂ ସମୁଦ୍ରରେ ଵାସ କରୁଥିଲେ । ଏହି ଜୀଵମାନେ କୌଣସି ହାଡ଼ ଵା ଖୋଳପାଯୁକ୍ତ ନଥିଲେ, କିନ୍ତୁ ସେମାନେ ଜୀଵନର ପ୍ରାଥମିକ ଜଟିଳ ରୂପ ମଧ୍ୟରେ ଅନ୍ୟତମ ଥିଲେ । ଗଵେଷକମାନେ ଏହି ଯୁଗର ଜୀଵାଶ୍ମ ଅଷ୍ଟ୍ରେଲିଆର Ediacara Hillsରୁ ପାଇଛନ୍ତି । Pannotia ମହାଖଣ୍ଡର ଅସ୍ତିତ୍ୱ ଵିଷୟରେ ଵିଵାଦ ଅଛି, କାରଣ କିଛି ଗଵେଷକ କହନ୍ତି ଯେ ଏହା ଏକ ପୂର୍ଣ୍ଣ ମହାଖଣ୍ଡ(Supercontinent) ନଥିଲା ଵରଂ କିଛି ମହାଦେଶର ସମୂହ ଥିଲା । କିନ୍ତୁ ଏହାର ପ୍ରଭାଵ ପରଵର୍ତ୍ତୀ ଯୁଗଗୁଡ଼ିକରେ ଦେଖାଯାଏ, ଯେପରିକି Cambrian ଯୁଗରେ ଜୀଵନର ଵିସ୍ଫୋରଣ । ଏହି ସମୟରେ ପୃଥିଵୀର ଜଳଵାୟୁ ଶୀତଯୁଗରେ ଥିଲା ଯାହା ମହାଦେଶର ଅଵସ୍ଥାନ ଯୋଗୁଁ ହୋଇଥିଲା । ଏହି ଶୀତଯୁଗ ଶେଷ ହେଵା ପରେ ଜୀଵନର ଵିକାଶ ତ୍ୱରାନ୍ୱିତ ହେଲା ।

ଜୀଵନ ସଵୁଵେଳେ ନିଜର ପଥ ଖୋଜି ବାହାର କରିଥାଏ । ଭୂମିରେ ଜୀଵନ ସମ୍ଭଵ ନଥିଲେ ମଧ୍ୟ ଜଳରେ ଜୀଵନ ଵିକାଶ ପାଇଵାକୁ ଲାଗିଲା । ପ୍ରାୟ ୩୭୦ କୋଟି ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଵା ଏହି ପ୍ରକ୍ରିୟାରେ ଜଳରେ କ୍ଲୋରୋଫିଲ ନ ଥାଇ ମଧ୍ୟ ଜୀଵନ ଏକକୋଷୀ ଜୀଵ ରୂପରେ ଆରମ୍ଭ ହେଲା, ଯାହା ପରେ ଜଟିଳ ରୂପ ଧାରଣ କଲା ।
(The Cyanobacteria Stalemate In Wisconsin's Lakes)

 ଏହି ଜୀଵମାନେ ଶକ୍ତି ଉତ୍ପାଦନ ପାଇଁ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ଵ୍ୟଵହାର କଲେ, ଯାହାର ଉପଜାତ ଦ୍ରଵ୍ୟ ରୂପେ ଥିଲା ଅମ୍ଳଜାନ୍ । Cyanobacteria ପରି ଏକକୋଷୀ ଜୀଵମାନେ ଏହି ପ୍ରକ୍ରିୟାର ମୁଖ୍ୟ ଭୂମିକା ନିର୍ଵାହ କଲେ ଫଳତଃ ପୃଥିଵୀର ଵାୟୁମଣ୍ଡଳକୁ ଅମ୍ଳଜାନରେ ପୂର୍ଣ୍ଣ ହେଵାକୁ ଲାଗିଲା । ଏହି ଘଟଣାକୁ Great Oxidation Event କୁହାଯାଏ ଏଵଂ ଏହା ଆଜକୁ ପ୍ରାୟ ୨୪୦ କୋଟି ଵର୍ଷ ପୂର୍ଵେ ଘଟିଥିଲା ତଥା ଅନେକ ଅଵାୟଵୀୟ(anaerobic) ଏକକୋଷୀ ଜୀଵଙ୍କ ଵିଲୁପ୍ତିର କାରଣ ହୋଇଥିଲା । ଜଳରେ ଜୀଵନର ଵିକାଶ ସହିତ ଅମ୍ଳଜାନର ମାତ୍ରା ଵୃଦ୍ଧି ପାଇଲା ଯାହା ଵାୟୁମଣ୍ଡଳରେ ମିଶି ଜୀଵନକୁ ଆଗେଇ ନେଲା । ଯେଉଁ ଏକକୋଷୀ ଜୀଵମାନେ ଅମ୍ଳଜାନ ବହୁଳ ନୂତନ ଵାୟୁମଣ୍ଡଳରେ ଅନୁକୂଳିତ ହୋଇଗଲେ ସେହି ଏକକୋଷୀ ଜୀଵମାନେ ପରଵର୍ତ୍ତୀ କାଳରେ ଵହୁକୋଷୀ ଜୀଵରେ ପରିଣତ ହେଲେ ଏଵଂ ପ୍ରାୟ ୫୪୧ ନିୟୁତ ଵର୍ଷ ପୂର୍ଵେ ପୃଥିଵୀ ଵିଭିନ୍ନ ଜୀଵଜନ୍ତୁରେ ପୂର୍ଣ୍ଣ ହେଲା, ଯଥା Arthropoda, Mollusca, Porifera ଇତ୍ୟାଦି । ଏହି ସମୟକୁ ଗଵେଷକମାନେ “Cambrian Explosion” ନାମ ଦେଇଥିଲେ ଏଵଂ ଏହି ସମୟରେ ଶିକାରୀ ଓ ଶିକାର ଉଭୟଙ୍କର ଜନ୍ମ ହୋଇଥିଲା ଫଳରେ ପୃଥିଵୀରେ ଏକ ଜାତୀୟ ପ୍ରାରମ୍ଭିକ ପର୍ଯ୍ୟାୟର ଖାଦ୍ୟଶୃଙ୍ଖଳା ଗଢ଼ି ଉଠିଥିଲା ।

 ପ୍ରସିଦ୍ଧ ଜୀଵାଶ୍ମଵିଜ୍ଞାନୀ(paleontologist) ଷ୍ଟିଫେନ୍ ଜେ ଗୁଲ୍ଡ୍ ଏହି ଘଟଣାକୁ ଵର୍ଣ୍ଣନା କରି ଥରେ କହିଥିଲେ, “Consider the magnitude of this … Taxonomists have described almost a million species of arthropods, and all fit into four major groups; one quarry in British Columbia, representing the first explosion of multicellular life, reveals more than twenty additional arthropod designs!” 
“Cambrian Explosion”ର କାରଣ ଅମ୍ଳଜାନର ମାତ୍ରାଧିକ ଵୃଦ୍ଧି, ଜେନେଟିକ୍ ପରିଵର୍ତ୍ତନ ଏଵଂ ପରିଵେଶଗତ ଚାପ ଥିଲା ଯାହା ଫଳରେ ଜୀଵନର ଵିଵିଧତା ସୃଷ୍ଟି ହେଲା । ଏହି Explosion ମାତ୍ର ୧୦-୨୫ ମିଲିଅନ୍ ଵର୍ଷ ମଧ୍ୟରେ ଘଟିଥିଲା ।ଏହି ସମୟରେ Hox ଜିନ୍ସ୍‌ର ଵିକାଶ ହୋଇଥିଲା ଯାହା ଶରୀରର ଯୋଜନାକୁ ନିୟନ୍ତ୍ରଣ କରି ଵିଭିନ୍ନ ଜୀଵର ରୂପ ସୃଷ୍ଟି କରିଥିଲା । ଫଳତଃ ପ୍ରଥମ ଖୋଳପା ଏଵଂ ହାଡ଼ ଥିଵା ଜୀଵମାନେ ଦେଖାଦେଲେ ଏଵଂ ଏହା ଶିକାର ଏଵଂ ରକ୍ଷା ପାଇଁ ଉପଯୋଗୀ ଥିଲା । Cambrian periodର Burgess Shale ଏଵଂ Chengjiang ଆଦି ଜୀଵାଶ୍ମଭୂମିରୁ ଏହି ଜୀଵମାନଙ୍କର ଅନେକ ଉଦାହରଣ ମିଳିଛି ଯାହା ଏହି ଯୁଗର ଜଟିଳତାକୁ ପ୍ରଦର୍ଶନ କରେ । Cambrian Explosion ଵିକାଶର ଏକ ଅଦ୍ଭୁତ ଉଦାହରଣ, ଯେଉଁଥିରେ ଜୀଵନର ଵିଭିନ୍ନ ରୂପ ଅଭୂତପୂର୍ଵ ବେଗରେ ଵିକଶିତ ହେଲା ।
          (Anomalocaris)
ଏହି ଘଟଣା ପରେ ଜୀଵନ ଧୀରେ ଧୀରେ ଜଳରୁ ସ୍ଥଳଭାଗକୁ ଵ୍ୟାପିଲା । Cambrian Explosion ଯୋଗୁଁ ପ୍ରଥମ ଇକୋସିଷ୍ଟମ୍ ଗଠନ ହେଲା ଏଵଂ ଏଥିରେ Anomalocaris ଭଳି ଶିକାରୀ ଜୀଵମାନେ ପ୍ରଭାଵଶାଳୀ ଥିଲେ । ଏହି ଜୀଵର ଆକାର ପ୍ରାୟ ୧ ମିଟର ଥିଲା ଏଵଂ ଏହା କାମ୍ଵ୍ରିଆନ୍ ସମୁଦ୍ରର ଶୀର୍ଷ ଶିକାରୀ ଥିଲା । ଏହାର ଅନ୍ୟାନ୍ୟ ଉଦାହରଣ ଯେପରିକି Opabinia ଏଵଂ Hallucigenia ଅଦ୍ଭୁତ ରୂପର ଥିଲେ ଏଵଂ ଆଧୁନିକ ଜୀଵ ଯଥାକ୍ରମେ tardigrades ଓ water bears ତଥା velvet worms ଓ onychophorans ଆଦିଙ୍କ ପ୍ରାଚୀନ ସମ୍ପର୍କୀୟ ଅଟନ୍ତି । 

Cambrian Explosion କାରଣରୁ ପୃଥିଵୀର ଜୈଵ ଵିଵିଧତା ଵଢ଼ିଲା ଏଵଂ ପରଵର୍ତ୍ତୀ ଯୁଗଗୁଡ଼ିକରେ ଅଧିକ ଵିକାଶିତ ହେଲା । ଏହି ଯୁଗରେ Haikouichthys, Myllokunmingia ଓ Zhongjianichthys ଭଳି ପ୍ରଥମ ମେରୁଦଣ୍ଡୀ(Vertebrates) ମଧ୍ୟ ଦେଖାଦେଲେ । ଏହି ପ୍ରାଚୀନ ମେରୁଦଣ୍ଡୀ ଜୀଵଙ୍କର ପରଵର୍ତ୍ତୀ ପିଢ଼ି ଉଭୟଚର(Amphibians) ହେଲେ ଏଵଂ ତାଙ୍କଠାରୁ ସରୀସୃପ(Reptiles) ଓ ପକ୍ଷୀ(Birds) ତଥା ଶେଷରେ ସ୍ତନ୍ୟପାୟୀ(Mammals)ମାନେ ଜାତ ହେଲେ । ଅର୍ଥାତ୍ Cambrian Explosionରେ ଜୈଵ ଵିଵିଧତା ଯୋଗୁଁ ଆଜି ଆମେ ମଣିଷମାନେ ଧରାପୃଷ୍ଠରେ ଅଛନ୍ତି। 

ତେବେ ଏହି ଜୈଵଵିଵିଧତା କ୍ଷେତ୍ରରେ ଅମ୍ଳଜାନର ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା । ପୃଥିଵୀର ପ୍ରାରମ୍ଭିକ ଵାୟୁମଣ୍ଡଳରେ ଅମ୍ଳଜାନ ନଥିଲା । ବହୁକାଳ ପରେ ଆଜକୁ ପ୍ରାୟ ୨.୭-୨.୪ ନିୟୁତ ଵର୍ଷ ପୂର୍ଵେ ଅମ୍ଳଜାନ ଗ୍ୟାସ୍ ସାୟାନୋବ୍ୟାକ୍ଟେରିଆଦ୍ୱାରା ଆଲୋକସଂଶ୍ଳେଷଣ ମାଧ୍ୟମରେ କୋଟି କୋଟି ଵର୍ଷ ଧରି ନିରନ୍ତର ଉତ୍ପାଦିତ ହେଲା । ଏହି ଅମ୍ଳଜାନ ଧୀରେ ଧୀରେ ଵାୟୁମଣ୍ଡଳରେ ଜମା ହେଵାକୁ ଲାଗିଲା। ଆଗେ ଅତି ବାଇଗଣୀ ରଶ୍ମି ବୁଲା ଷଣ୍ଢ ଭଳି ପୃଥିଵୀପୃଷ୍ଠକୁ ଚାଲି ଆସୁଥିଲା କିନ୍ତୁ ଵାୟୁମଣ୍ଡଳରେ ଅମ୍ଳଜାନ (O₂) ର ମାତ୍ରା ବୃଦ୍ଧି ପାଇବା ପରେ ଅତିବାଇଗଣୀ ରଶ୍ମି (Ultraviolet rays, UV)କୁ ଅମ୍ଳଜାନ ବାଧା ଦେଲା ‌। ଅତି ବାଇଗଣୀ ରଶ୍ମି କୋଉ ଛାଡ଼ିଵା ଜନ୍ତୁ ସେ ଅମ୍ଳଜାନ ଅଣୁ (O₂) କୁ ଦୁଇଟି ପରମାଣୁ ଅମ୍ଳଜାନ (O) ରେ ଭାଙ୍ଗି ଦେଲା ।‌ ଭାବିଥିଲା ଦିଗଡ଼ କରିଦେବି କଥା ଶେଷ । ହେଲେ ଅମ୍ଳଜାନ ଭିନ୍ନ ଖେଳ ଖେଳିଲା । ଗୋଟିଏ ଏକକ ଅମ୍ଳଜାନ ପରମାଣୁ (O) ଅନ୍ୟ ଏକ ଅମ୍ଳଜାନ ଅଣୁ(O₂) ସହ ମିଶି ଓଜୋନ (O₃) ଗଠନ କଲା । ଏହି ଓଜୋନ କ୍ରମଶଃ ଵାୟୁମଣ୍ଡଳର ସ୍ଟ୍ରାଟୋସ୍ଫିୟରରେ (ପ୍ରାୟ ୧୫-୩୫ କି.ମି. ଉଚ୍ଚତା) ଜମା ହେଵାକୁ ଲାଗିଲା ଫଳରେ ଓଜୋନ ସ୍ତର (ozone layer) ଗଠିତ ହେଲା । ସାୟନୋବ୍ୟାକ୍ଟ୍ରିଆ ନିରନ୍ତର ଅମ୍ଳଜାନ ଉତ୍ପାଦନ କଲା,ଅତି ବାଇଗଣୀ ରଶ୍ମି ନିରନ୍ତର ଅମ୍ଳଜାନ ଅଣୁ ଭାଙ୍ଗି ଚାଲିଲା ଏଵଂ ଅତି ବାଇଗଣୀ ରଶ୍ମି ଯୋଗୁଁ ଵିଭାଜିତ ଏକକ ଅମ୍ଳଜାନ ପରମାଣୁ ନିରଵଚ୍ଛିନ୍ନ ଭାବରେ ଅମ୍ଳଜାନ ଅଣୁ ସହିତ ମିଶିଵା ଯୋଗୁଁ ଓଜୋନ ଉତ୍ପାଦିତ ହୋଇ ଚାଲିଲା । ଅତି ବାଇଗଣୀ ରଶ୍ମି ଭାବିଥିଲା ମୁଁ ଅମ୍ଳଜାନ ଅଣୁକୁ ହାଣି ଦେଲେ ମୋତେ ପୃଥିଵୀପୃଷ୍ଟରେ ପହଞ୍ଚିଵାକୁ କେହି ଅଟକାଇ ପାରିବେ ନାହିଁ କିନ୍ତୁ ତାହାର ସେ କୃତ୍ୟ ଓଲଟା ତାହାରି ପାଇଁ ବୁମେରାଂ ସାଵ୍ୟସ୍ତ ହେଲା । ଓଜୋନ ସ୍ତର ଯୋଗୁଁ ଅତି ବାଇଗଣୀ ରଶ୍ମି ଆଉ ପୃଥିଵୀପୃଷ୍ଟରେ ସହଜରେ ପହଞ୍ଚି ପାରିଲା ନାହିଁ ।

ଓଜୋନ ସ୍ତର ଗଠନ ଯୋଗୁଁ ସ୍ଥଳଭାଗ ସୁରକ୍ଷିତ ହେଲା । ଫଳରେ ଏହି ସମୟରେ Arthropoda ଓ ଅନ୍ୟାନ୍ୟ ଜୀଵ ସ୍ଥଳଭାଗକୁ ଆସି ନୂଆ ଜଗତ ଗଢ଼ିଵାକୁ ଲାଗିଲେ । ଏକକୋଷୀ ଜୀଵ ଫଙ୍ଗସ୍, ଫଙ୍ଗସ୍‌ରୁ ଛୋଟ ଗଛ ଏଵଂ ଛୋଟ ଗଛରୁ ୧୦୦ ଫୁଟ ଉଚ୍ଚ ଵୃକ୍ଷରେ ପରିଣତ ହେଲେ । Devonian Period (ପ୍ରାୟ ୪୧୯ରୁ ୩୫୮ ମିଲିଅନ୍ ଵର୍ଷ ପୂର୍ଵେ)ରେ ଏହି ସମୟର ଗଛମାନେ ଭୂମିରେ ଵ୍ୟାପକ ଵଂଶଵିସ୍ତାର କଲେ ଫଳତଃ ଭୀଷଣ ଘନ ଜଙ୍ଗଲ ପୃଥିଵୀକୁ ଆଚ୍ଛାଦିତ କରିଦେଲା ।
Devonian କାଳରେ ପ୍ରଥମ ବୀଜଧାରୀ ଉଦ୍ଭିଦ ଦେଖାଦେଇ Carboniferous periodରେ କୋଇଲା ଗଠନର ଆଧାର ହେଲେ। ଉଦ୍ଭିଦ ଵୃଦ୍ଧି ଵାୟୁମଣ୍ଡଳରେ ଅଙ୍ଗାରକାମ୍ଳ ହ୍ରାସ କରି ଅମ୍ଳଜାନ ବଢ଼ାଇଲା ଓ କାର୍ବନ ସଞ୍ଚୟ ଦ୍ୱାରା କୋଇଲା ଜମା ହେଲା। ସେସମୟର ଜଙ୍ଗଲ କ୍ଲବମୋସ, ହର୍ସଟେଲ ଓ ଫର୍ନରେ ପୂର୍ଣ୍ଣ ଥିଲା। Devonian Periodରେ ଟେଟ୍ରାପୋଡ୍ ଵିକଶିତ ହୋଇ ମାଛରୁ ଉଭୟଚର ଜୀଵଙ୍କ ପରିଵର୍ତ୍ତନ ଦେଖାଗଲା। Archaeopteris ଭଳି ଗଛ ମାଟିକୁ ସ୍ଥିର କଲେ, ନଦୀ ଓ ତ୍ରିକୋଣଭୂମି ଗଠନ କରି ନୂଆ ଆଵାସସ୍ଥଳୀ ସୃଷ୍ଟି କଲେ। Devonian Periodର ଶେଷ ଆଡ଼କୁ Hangenberg Event ଜଳଚର ଜୀଵଙ୍କୁ ପ୍ରଭାଵିତ କଲା। ଉଦ୍ଭିଦ ଵୃଦ୍ଧି ଯୋଗୁଁ ଜଳଵାୟୁ ଥଣ୍ଡା ହେଲା ଏଵଂ ଏହା ପରଵର୍ତ୍ତୀ କାଳର ପରିଵେଶକୁ ପ୍ରଭାଵିତ କଲା।

Devonian Periodରେ ଗଛମାନେ ବହୁ ସଂଖ୍ୟାରେ ଵୃଦ୍ଧି ପାଉଥିଲେ, କିନ୍ତୁ ମରିଵା ପରେ କିମ୍ବା ଏହାର ଝଡ଼ିପଡ଼ୁଥିଵା ଶୁଖିଲା ଡାଳ ପତ୍ରାଦି ଆଜି ଭଳି ପଚି ସଢ଼ି ପାରୁନଥିଲା । ଗଛକୁ ଠାଣୁଆ ଓ ଶକ୍ତ କରୁଥିଵା Lignin ଯୌଗିକ
ସେସମୟରେ ପରିଵେଶରେ ଭାଙ୍ଗି ପାରୁଥିଵା ଜୀଵାଣୁ (microorganisms) କିମ୍ବା ଉଈ ଭଳି ଜୀଵ ନଥିଲେ । Devonian Periodରେ କିଛି ମୌଳିକ ଛତୁ ଥିଲେ ଯେଉଁମାନେ ମୃତ ଜୈଵ ପଦାର୍ଥରେ ବଢୁଥିଲେ କିନ୍ତୁ ଲିଗ୍ନିନ୍ ଭାଙ୍ଗି ଗଛର ପତ୍ର ଓ କାଠକୁ ପଚାଇ ସଢ଼ାଇଵାରେ ସକ୍ଷମ white-rot fungi ଭଳି ଛତୁ ସେତେବେଳେ ସୃଷ୍ଟି ହୋଇନଥିଲେ। ତେଣୁ ଗଛର ମୃତାଂଶମାନ ମାଟି ତଳେ ଚାପି ହୋଇ ହୋଇ ଉଚ୍ଚ ତାପ ଓ ଚାପ ଯୋଗୁଁ କୋଇଲାରେ ପରିଣତ ହେଲା । ଆଜି ଆମେ ଯେଉଁ କୋଇଲା ଵ୍ୟଵହାର କରୁଛୁ, ତାହା ଏହି ୩୬୦ ନିୟୁତ ଵର୍ଷ ପୂର୍ଵେ ମରିଥିଵା ଗଛର ଅଵଶେଷ । ୩୫୮ରୁ ୨୯୯ ନିୟୁତ ଵର୍ଷ ପୂର୍ଵର Carboniferous କାଳରେ ଏହି ପ୍ରକ୍ରିୟା ଚରମରେ ପହଞ୍ଚିଥିଲା । ପାଞ୍ଜିଆ ମହାଖଣ୍ଡ(Supercontinent)ର ଗଠନ ଜଳାଜଙ୍ଗଲ(Swamp Forest) ଵିକାଶରେ ସାହାଯ୍ୟ କଲା । ପାଞ୍ଜିଆର ଗଠନ ଏଵଂ କୋଇଲା ସୃଷ୍ଟି ମଧ୍ୟରେ ଏକ ସମ୍ପର୍କ ରହିଛି ବୋଲି ଭୂଵିଜ୍ଞାନୀମାନେ ଆଲୋଚନା କରିଛନ୍ତି। ପାଞ୍ଜିଆ ପ୍ରାୟ 300 ନିୟୁତ ବର୍ଷ ପୂର୍ଵେ ଏକ ମହାଖଣ୍ଡ ଥିଲା, ଏହାର ଅନୁକୂଳ ଜଳଵାୟୁ ଓ ଭୌଗୋଳିକ ଅଵସ୍ଥା ଯୋଗୁଁ ବୃହତ୍ ଜଳାଶୟ ଅଞ୍ଚଳ ସୃଷ୍ଟି ହୋଇଥିଲା, ଯାହା କାର୍ବନିଫେରସ୍ ପିରିୟଡ଼ରେ କୋଇଲା ଗଠନରେ ସହାୟକ ହୋଇଥିଲା।

କିଛି ଅଵଶେଷ କୋଇଲାରେ ପରିଣତ ହୋଇ ନ ଥିଲା ଏଵଂ ସେଗୁଡ଼ିକରୁ ଜଣାପଡ଼ିଥିଲା ଯେ ସେହି ସମୟରେ ପୃଥିଵୀରେ ଗୋଟିଏ ମାତ୍ର ଋତୁ ଥିଲା କାରଣ ସେସମୟରେ ଥିଵା ଗଛର ଅଵଶେଷରେ କୌଣସି ଵର୍ଷଚକ୍ର ଦେଖାଯାଇ ନ ଥିଲା । ଏହି ସମୟକାଳରେ ଵିଶାଳ କୀଟପତଙ୍ଗ ପୃଥିଵୀରେ ପ୍ରଭାଵ ଵିସ୍ତାର କରିଥିଲେ । ଉଦାହରଣ ସ୍ୱରୂପ, ମିଲିପେଡ଼ର ଆକାର ଘୋଡ଼ା ପରି ଵଡ଼ ଥିଲା, ଏଵଂ କଙ୍କିର ଆକାର କାଉ ପରି ଥିଲା । ଏମାନେ ଅନ୍ୟ ଛୋଟ ଜୀଵଙ୍କୁ ଶିକାର କରୁଥିଲେ । ଏହା ଵିକାଶର ନୀତି “Survival of the fittest”କୁ ପ୍ରତିଫଳିତ କରୁଥିଲା । ଏହି ଵିଶାଳ ଜୀଵମାନଙ୍କର ଆକାର ଅମ୍ଳଜାନର ଉଚ୍ଚ ମାତ୍ରା ଵା ପରିମାଣ ଯୋଗୁଁ ସମ୍ଭଵ ହୋଇଥିଲା, କାରଣ ସେମାନେ ଫୁସଫୁସ୍ ପରିଵର୍ତ୍ତେ ଚର୍ମରେ ଥିଵା ଛିଦ୍ର ମାଧ୍ୟମରେ ଶ୍ୱାସକ୍ରିୟା କରୁଥିଲେ । ଅର୍ଥାତ୍ ଯେତେ ଅଧିକ ଅମ୍ଳଜାନ ସେତେ ବଡ଼ ଚର୍ମ । ତେଣୁ ସେ କାଳରେ କୀଟପତଙ୍ଗ ବଡ଼ ବଡ଼ ଆକାରର ହେଉଥିଲେ ।‌ ଆଜି ବି କୀଟପତଙ୍ଗମାନେ ମୁଖ୍ୟତଃ ସେମାନଙ୍କ ଚର୍ମରେ ଥିଵା ଛିଦ୍ର ମାଧ୍ୟମରେ ନିଃଶ୍ୱାସ ନିଅନ୍ତି। ଏହି ଛିଦ୍ରଗୁଡ଼ିକୁ ସ୍ପାଇରାକଲ୍‌ (spiracles) କୁହାଯାଏ, ଯାହା ଏକ ନଳୀ ତନ୍ତ୍ର (tracheal system) ମାଧ୍ୟମରେ ଅମ୍ଳଜାନକୁ ଶରୀରର ବିଭିନ୍ନ ଅଂଶକୁ ପହଞ୍ଚାଇଥାଏ। କୀଟପତଙ୍ଗମାନଙ୍କର ଫୁସଫୁସ ନଥାଏ, ତେଣୁ ସେମାନେ ଏହି ତନ୍ତ୍ର ଉପରେ ନିର୍ଭର କରି ଜୀଵନଯାପନ କରନ୍ତି। 

୩୦୦ ନିୟୁତ ଵର୍ଷ ପୂର୍ଵେ ଅମ୍ଳଜାନର ମାତ୍ରା ଆଜିଠାରୁ ୫୦% ଅଧିକ ଥିଲା ଫଳତଃ ବଡ଼ ବଡ଼ ଆକାରର କୀଟ ପତଙ୍ଗ ହୋଇଯାଇଥିଲେ । 
             (Arthropleura)
ଏହି ସମୟରେ Meganeura ନାମକ କଙ୍କିର ପ୍ରାୟ ୭୦ ସେଣ୍ଟିମିଟର ଲମ୍ବା ପର ଥିଲା ଏଵଂ Arthropleura ନାମକ ତେଲୁଣୀ ପୋକ(millipede) ୨.୫ ମିଟର ଲମ୍ବା ହେଉଥିଲା । ଏହି ଜୀଵମାନେ ଜଙ୍ଗଲରେ ପ୍ରଭାବଶାଳୀ ଥିଲେ, କିନ୍ତୁ ସେମାନଙ୍କର ବଡ଼ ଆକାର ଅମ୍ଳଜାନର ପରିମାଣ ଉପରେ ନିର୍ଭର କରୁଥିଲା । ଏହି ଯୁଗରେ ଉଭୟଚର ଜୀଵଙ୍କଠାରୁ ଵିଵର୍ତ୍ତିତ ହୋଇ ପ୍ରଥମ ସରୀସୃପ(reptiles) ମଧ୍ୟ ଦେଖା ଦେଇଥିଲେ ଏଵଂ ସ୍ଥଳଭାଗରେ ଅଧିକ ଅନୁକୂଳିତ ହୋଇଥିଲେ । Carboniferous କାଳର ଜଳାଭୂମି(swamp) ବିଶାଳ କୋଇଲା ଭଣ୍ଡାର ସୃଷ୍ଟି କଲେ ଯାହା ଆଜିର ଶକ୍ତି ଉତ୍ସର ଆଧାର ।

 କିନ୍ତୁ, ଏହି ଵିଶାଳ ଜୀଵମାନଙ୍କର ଅନ୍ତ ମଧ୍ୟ ନିକଟତର ହେଇ ଆସୁଥିଲା । ପୃଥିଵୀରେ ଟେକ୍ଟୋନିକ ପ୍ଲେଟର ଗତିଵିଧି ଯୋଗୁଁ ଵିଭିନ୍ନ ସ୍ଥାନରେ ଆଗ୍ନେୟ ଉଦ୍ଗିରଣ ହେଵାକୁ ଲାଗିଲା । Siberian Trapsରୁ ନିର୍ଗତ ଵିଶାଳ ଆଗ୍ନେୟ ଉଦ୍ଗିରଣ ଅଙ୍ଗାରକାମ୍ଳ ଏଵଂ ସଲଫର୍ ଗ୍ୟାସ୍ ନିର୍ଗତ କଲା ଯାହା ଵିଶ୍ଵତାପନ(Global warming) ଓ ଅମ୍ଳୀୟ ଵର୍ଷା(Acid rain)ର କାରଣ ହେଲା । ଏଥିରୁ ନିର୍ଗତ ସଲଫ୍ୟୁରିକ ଗ୍ୟାସ ଵାୟୁମଣ୍ଡଳରେ ମିଶି ସଲଫ୍ୟୁରିକ ଅମ୍ଳ ଵର୍ଷା ହେଲା । ଫଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇଲା ଓ କାର୍ଵନର ମାତ୍ରା ଵୃଦ୍ଧି ପାଇଲା । ଏହି ଵିପର୍ଯ୍ୟୟ ଏତେ ଭୟଙ୍କର ଥିଲା ଯେ ପୃଥିଵୀର ୯୦-୯୬% ଜୀଵ ଜାତି ଵିଲୁପ୍ତ ହୋଇଗଲେ । ଏହି ଘଟଣାକୁ ‘Permian-Triassic Extinction Event’ ଵା ‘Great Dying’ ନାମ ଦିଆଯାଇଛି, ଯାହା ପର୍ମିଆନ୍-ଟ୍ରାଇଆସିକ୍ କାଳସୀମାରେ ଘଟିଥିଲା ।
 ଅମ୍ଳଜାନର ଅଭାଵରେ ଅନେକ ଵିଶାଳ ଜୀଵମାନେ ଵଞ୍ଚି ପାରିଲେ ନାହିଁ କିନ୍ତୁ ଛୋଟ ଜୀଵମାନେ ଅମ୍ଳଜାନ ବହୁଳ ସ୍ଥାନରେ ଆତ୍ମଗୋପନ କରି ତଥା ପରିଵେଶ ସହିତ ଅନୁକୂଳନ କରି ଵଞ୍ଚିଗଲେ । କଙ୍କି ଭଳି ଜୀଵ ନୂତନ ପରିଵେଶ ସହିତ ଖାପଖୁଆଇ ବଞ୍ଚିଗଲେ ‌। ଯୋଉ ଛୋଟ ଜୀଵମାନେ ବଞ୍ଚିଗଲେ ସେମାନେ ପରଵର୍ତ୍ତୀ ଜାତିମାନଙ୍କର ପୂର୍ଵଜ ହେଲେ । ତେବେ ପୃଥିଵୀରେ ଗୋଟିଏ ଵିଲୁପ୍ତି ଘଟଣା ଆଉ ଏକ ନୂଆ ଯୁଗର ସୂତ୍ରପାତ କରିଥିଵାର ଅନେକ ଐତିହାସିକ ଉଦାହରଣ ରହିଛି ।‌ପର୍ମିଆନ୍-ଟ୍ରାଇଆସିକ୍ ମହାଵିଲୁପ୍ତି ଡାଇନୋସରଙ୍କ ଯୁଗର ଆରମ୍ଭର ପଥ ପ୍ରଶସ୍ତ କଲା । ଏହି ଘଟଣାର ଅନ୍ୟ କାରଣଗୁଡ଼ିକ ଯେପରିକି ସମୁଦ୍ରରେ ଆନୋକ୍ସିଆ ଏଵଂ ମିଥେନ୍ର ମିଶ୍ରଣ ମଧ୍ୟ ମଧ୍ୟ ଥିଲା ଯାହା ଜଳଵାୟୁକୁ ଵିଶେଷ ଭାବେ ଦୂଷିତ କରିଥିଲା । ଏହି ଵିଲୁପ୍ତି ପରେ ଟ୍ରାଇଆସିକ୍ ଯୁଗରେ ଜୀଵନ ପୁନର୍ଜୀଵିତ ହେଲା ଏଵଂ ଡାଇନୋସରଙ୍କ ଯୁଗ ଆରମ୍ଭ ହେଲା ।

ଡାଇନୋସରଙ୍କ ଯୁଗ ପୂର୍ବରୁ ଘଟିଥିବା ଏହି ଘଟଣାଗୁଡ଼ିକ ଜୀଵନର ଅଦ୍ଭୁତ ଯାତ୍ରାକୁ ଚିତ୍ରଣ କରେ। ଏକକୋଷୀ ଜୀଵରୁ ଜଟିଳ ପ୍ରାଣୀଙ୍କ ଉଦ୍ଭବ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ସ୍ଥିତିସ୍ଥାପକତାର ନିଦର୍ଶନ। ବିପର୍ଯ୍ୟୟର ମୁହୂର୍ତ୍ତରେ ମଧ୍ୟ ଜୀଵନ ନିଜର ପଥ ଖୋଜି ଆଗେଇ ଚାଲିଛି, ଆଜିର ଜୈଵଵୈଚିତ୍ର୍ୟ ଏହି ପ୍ରାଚୀନ ସଂଘର୍ଷର ଫଳ। କିନ୍ତୁ ଆଜିର ଜଳଵାୟୁ ପରିଵର୍ତ୍ତନର ଏହି ପୁରାତନ ଵିପର୍ଯ୍ୟୟ ସହିତ ସାମଞ୍ଜସ୍ୟ ଦୃଶ୍ୟ ହୁଏ ।ଏହା ଆମକୁ ସତର୍କ କରେଇ ଦିଏ ଯେ ମଣିଷର କାର୍ଯ୍ୟ ପୃଥିଵୀର ସୁକ୍ଷ୍ମ ସନ୍ତୁଳନକୁ ନଷ୍ଟ କରିପାରେ। ତେଣୁ ଆମେ ସମସ୍ତେ ଏହି ପୃଥିଵୀର ରକ୍ଷଣାଵେକ୍ଷଣ ପାଇଁ ଦାୟିତ୍ୱ ନେଵା ଆଵଶ୍ୟକ ଯାହା ଦ୍ୱାରା ଆଗାମୀ ପିଢ଼ି ଏହି ଜୈଵଵୈଚିତ୍ର୍ୟର ସୌନ୍ଦର୍ଯ୍ୟ ଓ ସନ୍ତୁଳନକୁ ଉପଭୋଗ କରିପାରିବେ।

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...