Sunday, March 29, 2026

ବାପ ବିଭାଘର ଦେଖାଇଵା : କାହିଁକି ଏହା ଉତ୍କଟ ଅଶ୍ଳୀଳ ଓ ଅଶୋଭନୀୟ ଵାକ୍ୟାଂଶ ?

ଓଡ଼ିଶାର ଲୋକମାନଙ୍କ ଦୈନନ୍ଦିନ କଥୋପକଥନରେ, ଵିଶେଷକରି ରାଗ ଵା ଝଗଡ଼ା ସମୟରେ, “(ତୋତେ) ତୋ ବୋପା ବାହାଘର ଦେଖେଇ ଦେବି” ପରି ଉକ୍ତି ବହୁତ ଶୁଣିଵାକୁ ମିଳେ। ଏହା ଛଡ଼ା “ତାହାର ବୋପା ବାହାଘର ମନେପଡ଼ୁଛି” କିମ୍ବା “ଏକାଥରେ ବୋପା ବାହାଘର ମନେପଡିଯାଇଥିଵ ପୁଅର” ପରି ଅନେକ ଵାକ୍ୟ ମଧ୍ୟ ଵ୍ୟଵହୃତ ହୁଏ।

ଅନେକ ଓଡ଼ିଆ ଏହିପରି କଥାକୁ କେଵଳ କ୍ରୋଧର ଭାଷା ଭାବେ ଵ୍ୟଵହାର କରିଥାନ୍ତି, ଅନେକେ ସ୍ଵରଚିତ ସାହିତ୍ୟରେ ସୁଦ୍ଧା ଏହି ଵାକ୍ୟାଂଶର ପ୍ରୟୋଗ କରୁଥିଵାର ଦେଖାଯାଏ । କିନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ ତାହା ସମସ୍ତେ ହୃଦୟଙ୍ଗମ କରିନଥାନ୍ତି। ଯଦି ଏହାକୁ ଗାଳି ଭାବେ ଧରାଯାଏ, ତେବେ ଏହା ପ୍ରତିଵାଦିର ମାତାଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ଓ କଠୋର ଅଭିଵ୍ୟକ୍ତି ଅଟେ। 

 “ତୋତେ ବୋପା ବାହାଘର ଦେଖେଇ ଦେବି” ପରି ଉକ୍ତିର ଅର୍ଥକୁ ଗଭୀର ଭାବରେ ଵିଶ୍ଳେଷଣ କଲେ ଜଣାଯାଏ ଯେ ଏହା କେଵଳ ଏକ ସାଧାରଣ କ୍ରୋଧ ଵାକ୍ୟ ନୁହେଁ ଵରଂ ଏକ ଗୁପ୍ତ ଅର୍ଥଯୁକ୍ତ ସମ୍ବେଦନଶୀଳ ଅଭିଵ୍ୟକ୍ତି। ଏହାର ଠିକ୍ ଵ୍ୟାଖ୍ୟା ଆମକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପ୍ରାମାଣିକ ଶବ୍ଦକୋଷରୁ ମିଳିଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୃଷ୍ଠା ୫୫୨୦ରେ “ବାପର ବିଭାଘର ଦେଖାଇଵା” ଵାକ୍ୟକୁ ସ୍ପଷ୍ଟ ଭାବରେ ଗାଳି ଭାବେ ଚିହ୍ନଟ କରାଯାଇଛି।

ସେଠାରେ ଏହି ଉକ୍ତିର ଅର୍ଥ ଦିଆଯାଇଛି—“ଜନନୀର ମୃତ୍ୟୁ କାମନା ସୂଚକ ଗାଳି”। ଏହି ସଂକ୍ଷିପ୍ତ ଵ୍ୟାଖ୍ୟାଟି ପ୍ରକୃତରେ ଏକ ଗଭୀର ସାମାଜିକ ସତ୍ୟକୁ ଉଜାଗର କରେ। ଆଗେ ପାରମ୍ପରିକ ଓଡ଼ିଆ ସମାଜରେ ଜଣେ ପୁରୁଷଙ୍କର ପ୍ରଥମ ପତ୍ନୀ ଜୀଵିତ ଥିବାବେଳେ ଆଉଥରେ ଵିଵାହ କରିଵା ସାଧାରଣ ଘଟଣା ନଥିଲା। ସାଧାରଣତଃ ଦ୍ୱିତୀୟ ଵିଵାହ ପ୍ରଥମ ପତ୍ନୀର ମୃତ୍ୟୁ ପରେ ହେଉଥିଲା ।

ଏହି ସାମାଜିକ ପରିପ୍ରେକ୍ଷ୍ୟକୁ ଧ୍ୟାନରେ ରଖିଲେ, “ବାପାଙ୍କ ବାହାଘର ଦେଖିଵା” ମାନେ ହେଉଛି—ସେହି ସନ୍ତାନ ତାଙ୍କର ମା’ଙ୍କୁ ହାରାଇଛନ୍ତି ଏଵଂ ତା’ପରେ ବାପାଙ୍କର ଆଉଥରେ ଵିଵାହ ହେଉଛି। ଅର୍ଥାତ୍, ଯଦି କିଏ ଅଭିଶାପ ଦିଏ ଯେ "ତୋ ବୋପା ବାହାଘର ଦେଖେ" ତାହେଲେ ଏହାର ଅର୍ଥ ହେଵ ତୋହର ମାଆ ମରିଯାଉ ଏଵଂ ଯଦି କେହି କୁହେ ଯେ "ତୋତେ ତୋ ବୋପା ବାହାଘର ଦେଖାଇ ଦେବି" ତେବେ ଏହାର ଗୂଢ଼ ଅର୍ଥ ହେଵ "ତୋ ମାଆକୁ ମାରି ଦେବି" । 

ସିଧାସଳଖ ଭାବରେ ନ କୁହାଯାଇଥିଲେ ମଧ୍ୟ, ସାମାଜିକ ପରିପ୍ରେକ୍ଷ୍ୟ ଦ୍ୱାରା ଏହି ଅର୍ଥ ସ୍ପଷ୍ଟ ହୋଇଯାଏ। ତେଣୁ ଏହାକୁ ଜନନୀର ମୃତ୍ୟୁ କାମନା ସୂଚକ ଗାଳି ବୋଲି କୁହାଯାଏ।

ଵିଶେଷ କଥା ହେଉଛି, ଆଜିର ସମୟରେ ଅନେକେ ଏହିପରି ଉକ୍ତିକୁ ମାତ୍ର ରାଗର ଅଭିଵ୍ୟକ୍ତି ଭାବେ ଵ୍ୟଵହାର କରନ୍ତି, କିନ୍ତୁ ତାହାର ଗଭୀର ଓ କଠୋର ଅର୍ଥ ସମ୍ବନ୍ଧରେ ସଚେତନ ନୁହଁନ୍ତି। ଏହା ଭାଷାର ଏମନ୍ତ ଏକ ଦୃଷ୍ଟାନ୍ତ—ଯହିଁରେ ଶବ୍ଦ ରହିଯାଏ, କିନ୍ତୁ ତାହାର ମୂଳ ଅର୍ଥ ଧୀରେ ଧୀରେ ଲୋକମାନଙ୍କ ମନରୁ ଲୁଚିଯାଏ। 

ଏହାକୁ ଭାଷାଵିଜ୍ଞାନରେ Semantic Bleaching ବୋଲି କୁହାଯାଏ। ଏହି ପ୍ରକ୍ରିୟାରେ ଶବ୍ଦ କିମ୍ବା ଵାକ୍ୟର ମୂଳ ଅର୍ଥ ଧୀରେ ଧୀରେ କ୍ଷୀଣ ହୋଇଯାଏ, କିନ୍ତୁ ତାହାର ଵ୍ୟଵହାର ଚାଲିଥାଏ। ଅର୍ଥାତ୍, ଶବ୍ଦ ରହିଯାଏ, କିନ୍ତୁ ତାହାର ଗଭୀରତା ଓ ଭାବନାତ୍ମକ ଭାର ଆସ୍ତେଆସ୍ତେ ହ୍ରାସ ପାଏ।

“ତୋତେ ବୋପା ବାହାଘର ଦେଖେଇ ଦେବି” ପରି ଉକ୍ତିରେ ଏହି ପ୍ରକ୍ରିୟା ସ୍ପଷ୍ଟ ଭାବେ ଦେଖିଵାକୁ ମିଳେ। ପୂର୍ଵକାଳରେ ଏହା ଏକ ଅତ୍ୟନ୍ତ କଠୋର ଓ ସମ୍ବେଦନଶୀଳ ଗାଳି ଥିଲା, ଯାହାର ଅର୍ଥ ଜନନୀର ମୃତ୍ୟୁ କାମନା ସହ ଜଡି଼ତ ଥିଲା। କିନ୍ତୁ ସମୟ ସହିତ ଏହି ଗୁପ୍ତ ଓ ଭୟାଵହ ଅର୍ଥ ଲୋକମାନଙ୍କ ଚେତନାରୁ ଧୀରେ ଧୀରେ ଲୋପ ହୋଇଯାଇଛି।

ଆଜିର ପରିପ୍ରେକ୍ଷ୍ୟରେ ଅନେକ ଲୋକ ଏହି ଉକ୍ତିକୁ କେଵଳ ରାଗ ଵା ଅସନ୍ତୋଷର ସାଧାରଣ ଅଭିଵ୍ୟକ୍ତି ଭାବେ ଵ୍ୟଵହାର କରନ୍ତି। ତାହାର ପଛରେ ଥିଵା ଗଭୀର ଓ କଠୋର ଅର୍ଥ ସମ୍ବନ୍ଧରେ ସେମାନେ ସଚେତନ ନୁହଁନ୍ତି। ଏହିପରି ଭାବେ ଏକ ସମୟରେ ଯାହା ଅତ୍ୟନ୍ତ ଅପମାନଜନକ ଓ ଭାବନାତ୍ମକ ଭାବେ ଭାରୀ ଥିଲା, ସେହି ଉକ୍ତି ଆଜି ଦୈନନ୍ଦିନ କଥୋପକଥନରେ ପ୍ରାୟ କ୍ରୋଧ ପ୍ରକାଶ ହେତୁ ଵ୍ୟଵହୃତ ଏକ ସାଧାରଣ ଶବ୍ଦରେ ପରିଣତ ହୋଇଯାଇଛି।
ଭାଷାଵିଜ୍ଞାନରେ ଏହି Semantic Bleaching ପ୍ରକ୍ରିୟାଟିକୁ ଵିଶେଷ କରି semantic changeର ଗୋଟିଏ ଅଂଶ ଭାବେ ଦେଖାଯାଏ। ଏହାକୁ ପ୍ରଥମେ ଵ୍ୟଵସ୍ଥିତ ଭାବେ ଅଧ୍ୟୟନ କରିଥିଵା ଭାଷାଵିଜ୍ଞାନୀମାନଙ୍କ ମଧ୍ୟରେ Antoine Meillet ଓ Leonard Bloomfieldଙ୍କ ନାମ ଉଲ୍ଲେଖଯୋଗ୍ୟ। ସେମାନେ ଦେଖାଇଥିଲେ ଯେ, ନିରନ୍ତର ଵ୍ୟଵହାର ଯୋଗୁଁ ତଥା ସାମାଜିକ ପରିଵର୍ତ୍ତନର ପ୍ରଭାବରେ କେତେକ ଶବ୍ଦ ଵା ଵାକ୍ୟାଂଶର ମୂଳ ଅର୍ଥ ବଦଳେ,ଲୋପ ପାଇଥାଏ, ନୂତନ କିମ୍ବା ସାଧାରଣ ଅର୍ଥ ପ୍ରକାଶ ପାଇଥାଏ ।

ଏହା ସହିତ ଏହି ପ୍ରକ୍ରିୟାଟି Grammaticalization ସହ ମଧ୍ୟ ଜଡିତ। ଅନେକ ସମୟରେ ଶବ୍ଦ ନିଜର ମୂଳ ଅର୍ଥକୁ ହରାଇ କେଵଳ ଵ୍ୟାକରଣିକ କାମ କରିଵାକୁ ଲାଗେ। ଯଥା, ଇଂରାଜୀର “very” ଶବ୍ଦଟି ପୂର୍ଵରୁ “true” ଵା “real” ଅର୍ଥରେ ଵ୍ୟଵହୃତ ହେଥିଲା, କିନ୍ତୁ ଆଜି ଏହା କେଵଳ ଜୋର ଦେଵା ପାଇଁ ଵ୍ୟଵହୃତ ହୁଏ।

ଏହିପରି ଭାବେ semantic bleaching ଏକ ଵିଶାଳ ଭାଷାଗତ ପରିଵର୍ତ୍ତନର ଅଂଶ, ଯାହା ଆମକୁ ବୁଝାଏ ଯେ ଭାଷା କେଵଳ ଅର୍ଥ ଵ୍ୟକ୍ତ କରିଵାର ଉପକରଣ ନୁହେଁ ଵରଂ ସମୟ ସହିତ ନିଜକୁ ପୁନଃଗଠନ କରୁଥିଵା ଏକ ସଜୀଵ ପ୍ରଣାଳୀ। ତେଣୁ ଏହି ଉଦାହରଣଟି ଆମକୁ ସଚେତନ କରେ ଯେ, ଦୈନନ୍ଦିନ ଜୀଵନରେ ଆମେ ଯେଉଁ ଶବ୍ଦ ଵ୍ୟଵହାର କରୁଛୁ, ସେଗୁଡ଼ିକର ପଛରେ ଥିଵା ଇତିହାସ, ଭାବନା ଓ ଅର୍ଥକୁ ବୁଝିଵା କେତେ ଆଵଶ୍ୟକ।

ବୋପା ବାହାଘର କିମ୍ବା ବାପ ବିଭାଘର ଭଳି ଗାଳିଗୁଡ଼ିକ ପଛରେ ଥିଵା ଗୁପ୍ତ ରହସ୍ୟ ନଜାଣି ଅନେକେ ଏହି ପଦଗୁଡ଼ିକୁ ଵ୍ୟଵହାର କରିଦିଅନ୍ତି । ଶୁଣିଵା ଲୋକ ମଧ୍ୟ ତାହା ଶୁଣି ଗୁପ୍ତ ଅର୍ଥ ନବୁଝି ଯେତିକି ପ୍ରତିକ୍ରିୟା ପ୍ରକାଶ କରିଵା କଥା ସେତିକି କରେ ନାହିଁ । 

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି କୋଷଗ୍ରନ୍ଥରେ ଏଭଳି ପଦଗୁଡ଼ିକର ଉଲ୍ଲେଖରୁ ଅନେକ ଓଡ଼ିଆ ନିଶ୍ଚୟ ସଚେତନ ହୋଇପାରିବେ । ଏହି ଉଦ୍ଦେଶ୍ୟରେ ହେଉ ଵା ଗାଳି ଶବ୍ଦଗୁଡ଼ିକ ମଧ୍ୟ ଭାଷାର ଅଂଶ ମନେ କରି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ସେ ସମସ୍ତ ଶବ୍ଦ ଓ ପଦଗୁଡ଼ିକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯୋଡ଼ି ଯାଇଛନ୍ତି । 

ମାତ୍ର ତତ୍କାଳୀନ ଓ ତତ୍ ପରଵର୍ତ୍ତୀକାଳର କିଛି ତଥାକଥିତ ମହାପଣ୍ଡିତମାନେ ଏହି ଵିଶେଷ ଶବ୍ଦ ଓ ପଦଗୁଡ଼ିକ କୋଷଗ୍ରନ୍ଥରେ ଯୋଡ଼ା ଯିଵା କାହିଁକି ଆଵଶ୍ୟକ ତାହା ହୃଦୟଙ୍ଗମ ନକରି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ତୀଵ୍ର ସମାଲୋଚନା କରିଥିଲେ ଏମନ୍ତକି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ପାଳକୋଷ କହିଵାକୁ ମଧ୍ୟ ପଶ୍ଚାତପଦ ହୋଇନଥିଲେ । 

ଅସ୍ତୁ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଯାଏ ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆମକୁ କେଵଳ ଶବ୍ଦର ସରଳ ଅର୍ଥ ନୁହେଁ, ତାହା ପଛରେ ଥିଵା ସାମାଜିକ ଚିନ୍ତାଧାରା ଓ ସଂସ୍କୃତିକ ମୂଲ୍ୟବୋଧକୁ ମଧ୍ୟ ବୁଝାଇଦିଏ। ଏହା ଦ୍ୱାରା ଆମେ ସଚେତନ ହୋଇପାରୁ ଯେ, ଦୈନନ୍ଦିନ ଭାଷାରେ ଵ୍ୟଵହୃତ ଏକ ସାଧାରଣ ଲାଗୁଥିଵା ଵାକ୍ୟ ମଧ୍ୟ ପ୍ରକୃତରେ କେତେ ଗଭୀର ଓ ସମ୍ବେଦନଶୀଳ ଅର୍ଥ ଵହନ କରିପାରେ। 

No comments:

Post a Comment

ବାପ ବିଭାଘର ଦେଖାଇଵା : କାହିଁକି ଏହା ଉତ୍କଟ ଅଶ୍ଳୀଳ ଓ ଅଶୋଭନୀୟ ଵାକ୍ୟାଂଶ ?

ଓଡ଼ିଶାର ଲୋକମାନଙ୍କ ଦୈନନ୍ଦିନ କଥୋପକଥନରେ, ଵିଶେଷକରି ରାଗ ଵା ଝଗଡ଼ା ସମୟରେ, “(ତୋତେ) ତୋ ବୋପା ବାହାଘର ଦେଖେଇ ଦେବି” ପରି ଉକ୍ତି ବହୁତ ଶୁଣିଵାକୁ ମିଳେ। ଏହା ଛଡ଼ା...