My Blog List

Friday, September 13, 2019

★★★ପଝାରି ― ନୌଵାଣିଜ୍ଯ ସମ୍ବନ୍ଧୀୟ ନିଆରା ଓଡ଼ିଆ ଶବ୍ଦ★★★

ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ ।

ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ

★★★★★★★★★★★★★★★★★★
■ପୋତଯାତ୍ରୀ ଶବ୍ଦର ଅପଭ୍ରଂଶ ପଝାରି
★★★★★★★★★★★★★★★★★★

ଡ଼ଙ୍ଗାରେ ଚଢ଼ି ପାର ହେଉଥିବା ଯାତ୍ରା କରୁଥିଵା ନୌକାରୋହୀ ବ୍ଯକ୍ତିଗଣଙ୍କୁ ଓଡ଼ିଆ ଭାଷାରେ ପଝାରି କୁହାଯାଏ । ସମ୍ଭଵତଃ “ପୋତ-ଯାତ୍ରୀ” ଶବ୍ଦ ସମୟ ସହ ପଝାରିରେ ପରିଵର୍ତ୍ତିତ ହୋଇଅଛି ।

ଶାସ୍ତ୍ରୀୟ ‛ପୋତ’ ଶବ୍ଦର ଅନେକ ଅର୍ଥ ରହିଛି କିନ୍ତୁ ଏହା ସର୍ଵାଧିକ ବୋଇତ ଅର୍ଥରେ ହିଁ ଵ୍ଯଵହୃତ ହୋଇଥାଏ ।

ବୋଧହୁଏ ପୋତ ଶବ୍ଦରୁ କାଳକ୍ରମେ କେଵଳ ‛ପ’ ରହିଯାଇଥିଵା ଵେଳେ ଯାତ୍ରୀ ଶବ୍ଦରୁ ଅଵର୍ଗ୍ଯ ‛ଯ’
ଵର୍ଗ୍ଯ ‛ଜ’ ହୋଇ ମହାପ୍ରାଣ ‛ଝ’ ରେ ପରିବୃତ ହୋଇଛି ଏଵଂ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ କେଵଳ ରି ରହିଯାଇଛି ।

ପୋତଯାତ୍ରୀ>ପୋଯାତ୍ରୀ>ପୋଜାରି>ପଝାରି

ତେଵେ ଏହା କେଵଳ କଳିଙ୍ଗ ଦେଶରେ ହୋଇଛି କାରଣ କାଳିଙ୍ଗୀ ଲୋକେ ସହସ୍ରାଧିକ ଵର୍ଷ ପୂର୍ଵରୁ ନୌଯାତ୍ରା କରିଆସୁଛନ୍ତି । ଭାରତୀୟଙ୍କ ମଧ୍ୟରେ ସର୍ଵାଧିକ ସାହସିକ ଜାତି ଭାଵେ ତେଣୁ କଳିଙ୍ଗ ଦେଶୀୟ ଲୋକଙ୍କୁ ଗଣନା କରାଯାଏ ।

★★★★★★★★★★★★★★★★★★
■ପାଣିଯାତ୍ରୀ କିଂଵା ପୟଯାତ୍ରୀରୁ ପଝାରି ଶବ୍ଦ ସୃଷ୍ଟ
★★★★★★★★★★★★★★★★★★

ପାଣି ଯାତ୍ରୀରୁ ମଧ୍ୟ ଏ ଶବ୍ଦ ଆସିଥାଇପାରେ । ଓଡ଼ିଶାରେ ଲୋକେ water ପାଇଁ ନୀର,ବାରୀ,ଜଳ ଆଦି ଶବ୍ଦ ଅପେକ୍ଷା ‛ପାଣି’ ଶବ୍ଦର ବହୁଳ ଵ୍ଯଵହାର କରନ୍ତି । ସଂସ୍କୃତରେ ମଧ୍ୟ ‛ପୟ’ ଶବ୍ଦ ପାଣି ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ପାଣି ଵା ପୟରେ ଯାତ୍ରା କରୁଥିଵା ଲୋକଙ୍କୁ ପାଣିଯାତ୍ରୀ ଵା ପୟଯାତ୍ରୀ କୁହାଯାଉଥିଲା ଯାହା କାଳକ୍ରମେ ବଦଳିଯାଇ ପଝାରି ହୋଇଅଛି ।

ପାଣି ଵା ପୟ ଶବ୍ଦରୁ କେଵଳ ‛ପ’ ରହିଯାଇଥିଵା
ଦୁଇଟି ଶବ୍ଦ ଏଵେ ବି ଗଡ଼ଜାତରେ ଚଳୁଅଛି ଯାହା ଏ ମତକୁ ଆହୁରି ସୁଦୃଢ କରେ । ସେଇ ଦୁଇଗୋଟି ଶବ୍ଦ ହେଲା ―
୧)ପଝରିବା―ତରଳିଯିଵା(ଗଡ଼ଜାତ
ଏ ଶବ୍ଦରେ ସମ୍ଭଵତଃ ପ=ପାଣି
ଏଵଂ ଝରିଵା ଶବ୍ଦ ଵସ୍ତୁର ତରଳ ଅଵସ୍ଥା ଆଡ଼କୁ ଇଙ୍ଗିତ କରୁଅଛି ।
୨)ପଝ’ରେନ୍―ପାଣି ସର୍ଵଦା ଗଳିଵା(ସମ୍ବଲପୁରୀ)
ଏ ଶବ୍ଦ ‛ପାଣି ଝରିଵା’ କ୍ରିୟା କୁ ସ୍ପଷ୍ଟ ପ୍ରକାଶ କରୁଛି ।

ତେଵେ ଏତଦ୍ବ୍ୟତୀତ ଅନୁଗୋଳର କଥିତ ଓଡ଼ିଆ ଭାଷାରେ ପଝାରି ଶବ୍ଦ ସହ  ସମସାଦୃଶ୍ଯ ‛ପଝାର’ ବୋଲି ଆଉ ଗୋଟିଏ ଶବ୍ଦ ବି ରହିଛି  ଏଵଂ ଏହାର ଅର୍ଥ ସୁନା । ସେଇଭଳି ଅନୁଗୋଳରେ ଗାଈଙ୍କ ପାକୁଳି କରିଵା କ୍ରିୟାକୁ ପଝାକରିଵା କୁହାଯାଏ ଯାହା ଢେଙ୍କାନାଳରେ ‛ଚଭା କରିଵା’ ଭାଵେ ପ୍ରଚଳିତ ।

★★★★★★★★★★★★★★★★★★
■ବୋଇତଯାତ୍ରୀରୁ ବଝାରି ଶବ୍ଦ ସୃଷ୍ଟି ସମ୍ଭଵ
★★★★★★★★★★★★★★★★★★

ଆମେ ସମସ୍ତେ ଜାଣନ୍ତି ଯେ ଆଗେ କଳିଙ୍ଗୀମାନେ
ଜାହାଜ ଭଳି ଵୈଦେଶିକ ଓ ପୋତ ପରି ସଂସ୍କୃତନିଷ୍ଠ ଶବ୍ଦ ଅପେକ୍ଷା boat ଅର୍ଥରେ ବୋଇତ ଶବ୍ଦର ବହୁଳ ଵ୍ଯଵହାର କରୁଥିଲେ । ସାଧଵପୁଅ ନୌଵାଣିଜ୍ଯ କରୁଥିଲେ ଓ ଅନ୍ଵେଷଣକାରୀ କଳିଙ୍ଗୀଲୋକେ ଜଳଯାତ୍ରା କରି ସାଗରପାରି ନୂଆ ନୂଆ ଭୂଭାଗରେ ନଵ ସଭ୍ଯତା ସ୍ଥାପନ କରୁଥିଲେ । ସେତେଵେଳେ ଏହି ବୋଇତ ଶବ୍ଦ ଏତେ ଲୋକପ୍ରିୟ ଥିଲା ଯେ
କଵି ଜୟଦେଵ ଏ ଶବ୍ଦକୁ ସଂସ୍କୃତନିଷ୍ଠ କରି ବହିତ୍ର ଭାଵେ ଵ୍ଯଵହାର କରିଥିଲେ ଏଵଂ ଏ ଶବ୍ଦ ଭାଷା ଇଣ୍ଡୋନେସିଆରେ ସୁଦ୍ଧା ଵ୍ଯଵହାର ହେଉଥିଵାର ପ୍ରମାଣ ରହିଛି । ତେଣୁ ସମ୍ଭଵତଃ ପୋତ ନୁହେଁ ଵରଂ ବୋଇତ ଶବ୍ଦରୁ ପଝାରି ଶବ୍ଦ ଅପଭ୍ରଂଶ ହୋଇଥାଇପାରେ। ଵର୍ଗ୍ଯ ‛ବ’ ଵର୍ଣ୍ଣ ଟି ପଵର୍ଗରେ ଥିଵାରୁ ସ୍ଥଳଵିଶେଷରେ ପ,ଫ,ଭ ଏଵଂ ମ ରେ ରୂପାନ୍ତରିତ ହୋଇଥାଏ । ଏହି ସାଧାରଣ ଵର୍ଣ୍ଣଧର୍ମକୁ ଅନୁକରଣ କରି ବହୁତ ସମ୍ଭଵ ବୋଇତଯାତ୍ରୀରୁ
ବୋଯାତ୍ରୀ ହୋଇ ଶେଷକୁ ପଝାରି ହୋଇଥାଇପାରେ ।

●●●●●●●
●●●●●
●●●
●●
◆

ତେଵେ ଓଡ଼ିଆ ଭାଷାରେ ‛ପଝାରି’ ଶବ୍ଦ ଵ୍ଯଵହାରର ଅନେକ ଉଦାହରଣ ରହିଛି ।
ନନ୍ଦକିଶୋର ବଳ ତାଙ୍କ ‛ନିର୍ଝରିଣୀ’ ରେ ଏ ଶବ୍ଦର ଵ୍ଯଵହାର କରି ପଦେ ଲେଖିଛନ୍ତି―

“ପାହାଡ଼ିଆ ରାଗ ଛାଡ଼ି
ନାଉରିଆ କରୁଛି “ପଝାରି” ପାରି।”

ସେଇଭଳି ‛ଛ ମାଣ ଆଠଗୁଣ୍ଠ’ରେ
ଫକୀରମୋହନ ସେନାପତି ଏ ଶବ୍ଦର ଵ୍ଯଵହାର
କରିଥିଵା ଦୃଷ୍ଟିଗୋଚର ହୁଏ
ଯଥା―
“ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହାଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହିବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ “ପଝାରି” ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ...”

ଆପଣଙ୍କ ଅଞ୍ଚଳରେ ଏ ଶବ୍ଦ ଆଜି ବି ଚଳୁଛି କି ?
ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ଅନ୍ଯ କେଉଁଠି ଵ୍ଯଵହାର ହୋଇଥିଲେ ଜଣେଇଵାକୁ ଵିଶେଷ ଅନୁରୋଧ ରହିଲା।

ଦାଦନ

ଆଜିକାଲିରେ କିଛି ସରକାରୀ ଚାକିରିଆ ,ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ ଦାଦନ ଖଟେ ନାହିଁ ! କାହିଁକି ନା ଦାଦନ ଶବ୍ଦର ଅର୍ଥ ଦୃଷ୍ଟିରୁ ଏମନ୍ତ କହିଵା ସର୍ଵଦା ଅନୁଚିତ ହେଵ ।

ଦାଦନ ଶବ୍ଦର ନିମ୍ନଲିଖିତ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି:-

୧)କୌଣସି ପଦାର୍ଥ ପାଇବା ଆଶାରେ ଵା କାର୍ଯ୍ୟ ପାଇଵା ଆଶାରେ ଧନ ଆଗତୁରା ଦେଵା; ଅଗ୍ରିମ ଦାନ । ଏହାକୁ ଆଗେ ଲାଗଣ କୁହାଯାଉଥିଲା ।

୨)ଧନାଦି ଅଗ୍ରିମ ଦେଵାର ରୀତି

୩)ଧନ ଵା ଶସ୍ଯାଦି ସୁଧରେ ଖଟାଇଵା ଯାହାକୁ ଧାନ ଦେଢ଼ି ଲଗାଇଵା ମଧ୍ୟ କୁହାଯାଏ ।

୪)ଲାଭ ସହିତ ଧାନ ଵା ଶସ୍ଯାଦି ପାଇବା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇଵା

୫)ମୂଲିଆମାନେ ଭବିଷ୍ଯତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେଵା

ଦାଦନ ଶବ୍ଦଟି ମୂଳତଃ ଏକ ପାର୍ସୀ ଶବ୍ଦ ଏଵଂ ଏହା ସଂସ୍କୃତ ଦାନ,ଦଦାତି ତଥା ଓଡ଼ିଆ ଦେଵା ସହିତ ସମଦ୍ଧୃତ ବୋଲି ଭାଷାଵିତ୍ ମତ ଦିଅନ୍ତି ।

ଦାଦନ ଶବ୍ଦର ଅର୍ଥ ସ୍ପଷ୍ଟ କରେ ଯେ ଯଦି ଶ୍ରମିକକୁ ଆଗତୁରା 'କାଟ' ଟଙ୍କା ଦେଇ କାର୍ଯ୍ଯ କରାଯାଏ ତେଵେ କେଵଳ ତାହା ହିଁ ଦାଦନ ପଦଵାଚ୍ଯ ହେଵ ! ତେବେ ବାହାର ରାଜ୍ୟର ଅନେକ ସଂସ୍ଥା ରହିଛି ଯେଉଁଠି କାର୍ଯ୍ୟ କରିଵାର ମାସେ ରୁ ଦେଢ଼ ମାସ ପରେ ଯାଇ ଶ୍ରମିକଙ୍କୁ ବେତନ ମିଳେ । ସେମାନେ ସ୍ଵହସ୍ତରୁ ଅର୍ଥ ଵ୍ଯୟ କରି ବାହାରରାଜ୍ଯକୁ ଯାଆନ୍ତି । ସେଠାରେ ଏକମାସ କାଳ ଖଟିଲାପରେ ଯାଇ ତାଙ୍କୁ ଅର୍ଥ ମିଳେ । ସୁରତରେ ଶହ ଶହ ଓଡ଼ିଆ ରୁହନ୍ତି ସେମାନଙ୍କୁ କିଛି ଅଵିଵେକି ଦାଦନ କହିଦିଅନ୍ତି ।
ହେଲେ ଏଠାକାର ଲୁମ୍ସ,ଏମ୍ରୋଡରୀ,ହୀରା ଓ ଡାଇଂଗ୍ ପ୍ରିଟିଂଗ୍ ଆଦି ସମସ୍ତ ସଂସ୍ଥାରେ  ଆଗତୁରା ଟଙ୍କା ଦେଇ କାର୍ଯ୍ଯ କରାଯାଏ ନାହିଁ ! ଓଲଟା ସୁରତରେ କର୍ମଚାରୀ କାଳେ ଟଙ୍କା ମିଳିଲେ ଘରକୁ ନକହି ଚାଲି ନ ଯାଉ ଏ ଭୟରେ ଦଶ,ପନ୍ଦର କି ପଚିଶ୍ ରେ ପାରିଶ୍ରିମକ ଦିଆଯାଏ ! ଅର୍ଥାତ ଡିସେମ୍ବର ଦଶ ତାରିଖରେ ନଭେମ୍ବର ମାସର ପାରିଶ୍ରମିକ ମିଳେ ଓ ଚାଲୁ ମାସର ଟଙ୍କା ରଖାଯାଏ !

ତେଣୁ ସମସ୍ତ ଧନୀକ ଓ ଚାକିରିଆ ଓଡ଼ିଆଙ୍କୁ ଅନୁରୋଧ ନିଜ ଦରିଦ୍ର ଭାଇକୁ ଧନ କି ଚାକିରି ନଦେଲେ ନ ଦିଅନ୍ତୁ ପଛେ ତା'ର ଶ୍ରମଜୀବନକୁ ଉପହାସ କରନ୍ତୁ ନାହିଁ !

ଲାଭଃପରଂ ଗୋବଧଃ

ହରିହର ନାମକ ଜଣେ ପ୍ରସିଦ୍ଧ ଵୈଦ୍ଯ ଏକ ମୂର୍ଖ ରୋଗୀକୁ ଶୁଣ୍ଠି ଓ ଗୋକ୍ଷୁରର ପାଚନ ସେଵନ କରିବାକୁ କହିଲେ । ତେଵେ ସେ ଲୋକ ଗୋକ୍ଷୁରର ଅର୍ଥ 'ଗୋଖରା ନାମକ ଗୁଳ୍ମ' ନ ବୁଝି ଗୋଟିଏ ଗୋରୁ ଵଧ କରି ତା ଖୁରା ସଙ୍ଗେ ଶୁଣ୍ଠିର ପାଚନ କରି ଖାଇଲା ।




ଠିକ୍ ଔଷଧ ଖାଇଥିଲେ ଲୋକଟା ଭଲ ହୋଇଯାଇଥାନ୍ତା କିନ୍ତୁ ସେ ଆପଣା ମୂର୍ଖାଣ୍ଡିଆପଣ ଯୋଗୁଁ ଭଲ ହୋଇପାରିଲା ନାହିଁ । ରୋଗୀର ମୂର୍ଖପଣ ଯୋଗୁଁ ବୈଦ୍ଯଙ୍କ ଯଶୋହାନି ହେଲା ଓ ବୈଦ୍ଯଙ୍କୁ ଗୋବଧରୂପ ପାପରେ ଭାଗୀ ହେବାକୁ ହେଲା।

କିଛି ଦିନପରେ ଉକ୍ତ ବୈଦ୍ଯ ଏହା ଜାଣିପାରିଲେ ।ଦୁଃଖରେ ତାଙ୍କ ମୁଖରୁ ବାହାରିଗଲା

“ଶୁଣ୍ଠିର୍ଗୋକ୍ଷୁରୟୋର୍ବିଚାର୍ଯ୍ୟ ମନସା କଳ୍ମାଶନଂ ଯନ୍ମୟା ।
ଉକ୍ତଂ ତଦ୍'ବିପରୀ ତକଂ କୃତମହୋ ଗୋକ୍ଷୁରମାତ୍ରଂ ଦଦୌ ।।
ନାଥୋମୂର୍ଖଜନାଳୟେ ନ ଚ ସୁଖଂ ନୋବା ଯଶୋ ଲଭ୍ଯତେ ।
ସଦ୍' ଵୈଦ୍ଯେ କଵିଭୁପତୌ ହରିହରେ ଲାଭଃ ପରଂ ଗୋବଧଃ ।।”


ତେଵେ ଉକ୍ତ ଵୈଦ୍ଯ ବୋଲିଥିଵା ଏଇ ମାର୍ମିକ ପଦଟି ମଧ୍ୟରେ ଥିଵା ନିମ୍ନଲିଖିତ ଶ୍ଳୋକର ଶେଷ ପଦାଂଶ
'ଲାଭଃ ପରଂ ଗୋବଧଃ' କାଳାନ୍ତରରେ ଏକ ପ୍ରଵଚନରେ ପରିଵର୍ତ୍ତିତ ହୋଇଗଲା । ଯେଉଁ ସ୍ଥଳରେ କିଛିମାତ୍ର ଲାଭ ନ ହୋଇ ଓଲଟି ଶେଷକୁ ପାପଭାଗୀ ଵା କ୍ଷତିଗ୍ରସ୍ତ ହେଵାକୁ ହୁଏ, ସେ ସ୍ଥଳରେ ଏହି “ଲାଭଃପରଂ ଗୋଵଧଃ”  ପ୍ରବଚନ ବୋଲାଯାଏ ।

Wednesday, September 11, 2019

ପ୍ଲାଷ୍ଟିକ’ର  ଶାସ୍ତ୍ରୀୟ କିଂଵା ଦେଶଜ ଶବ୍ଦ ଅଛି କି ?

■■■■■■■■■■■■■■■■■■■■■■

■■■■■■■■■■■■■■■■■■■■■■

ପୃଥିଵୀର ଯେକୌଣସି ଭାଷାରେ ଏମିତି କୌଣସି ଶବ୍ଦ ନାହିଁ ଯାହାର ପ୍ରତିଶବ୍ଦ ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା, ଆମର ସ୍ଵାଭାଵିକ ରାଷ୍ଟ୍ରଭାଷା ସଂସ୍କୃତରେ ସୃଷ୍ଟି ହୋଇପାରୁନଥିଵ । ଵିଶ୍ଵରେ ଭାଷା ସମୃଦ୍ଧି ଆମ ଭଳିଆ ଆଉ କାହାର ହୋଇନାହିଁ ।

ତେଵେ ଆମପାଖରେ କଣ୍ ପ୍ଲାଷ୍ଟିକ ଭଳି ଆଧୁନିକ କୃତ୍ରିମ ଦ୍ରଵ୍ଯର ପ୍ରତିଶବ୍ଦ ଭାଵେ କିଛି ଭାରତୀୟ ଶବ୍ଦ ରହିଛି କି ?
ହଁ ନିଶ୍ଚୟ ରହିଛି !!!

ଆମ ରାୟଗଡା଼ର କଥିତ ଓଡ଼ିଆ ଶୈଳୀରେ ପ୍ଲାଷ୍ଟିକର ପ୍ରତିଶବ୍ଦ ଭାଵେ ‛ଅଭର’ ଶବ୍ଦ ଵ୍ୟଵହାର ହୋଇଥାଏ ! ଏ ଶବ୍ଦର ଉଲ୍ଲେଖ ଆମେ ଓଡ଼ିଆ ଭାଷା ପ୍ରତିଷ୍ଠାନର କଥିତ ଓଡ଼ିଆ ଶବ୍ଦକୋଷମରେ ପାଇଥାଆନ୍ତି । ପ୍ଲାଷ୍ଟିକ ଶବ୍ଦର ଅନ୍ୟ ଓଡ଼ିଆ କଥିତ ଶୈଳୀରେ ମଧ୍ୟ ଆହୁରି ଅନେକ ପ୍ରତିଶବ୍ଦ ଥାଇପାରେ ।

ତେଵେ ପ୍ଲାଷ୍ଟିକ ପାଇଁ କେତେକ ଶାସ୍ତ୍ରୀୟ ଭାରତୀୟ ମାନକ ଶବ୍ଦ ମଧ୍ୟ ରହିଛି
ଯଥା―
●ନମ୍ୟ
●ଅଭିଗଟ୍ୟ
●ଶିଥିଳ
●କୃତକ
●କଳ୍ପକ
●ସୁଘଟ୍ଯ
●ଆକାରଦ
●ସୁଖନମ୍ଯ

ସେଇଭଳି ତାମିଳରେ  ଦୁଇଗୋଟି ଶବ୍ଦ ପ୍ଲାଷ୍ଟିକ ପାଇଁ ଵ୍ଯଵହାର କରାଯାଏ―
■କୁଳୈ଼ମ
■ନେଳିମ୍

ପ୍ଲାଷ୍ଟିକ ଶବ୍ଦଟି ଲାଟିନ ଭାଷାର plasticus(“of molding”) ଶବ୍ଦରୁ ଆସିଅଛି ଏଵଂ ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ୍ ଭାଷାର πλαστικός(plastikós) ଓ
λάσσειν(plássein,“to mold, form”) ଆଦି ଶବ୍ଦ  ସହିତ ସମଦ୍ଧୃତ । ପ୍ଲାଷ୍ଟିକକୁ ସହଜରେ ଯେକୌଣସି ଆକାର ଦିଆଯାଇପାରେ ବୋଲି ସଂସ୍କୃତରେ ଏହାର ଗୁଣଵାଚକ ଅର୍ଥ ଆଧାରରେ ଆକାରଦ ଶବ୍ଦ ଵ୍ଯଵହାର ହୁଏ ପୁଣି ଏ ଵସ୍ତୁ ନମନୀୟ ତେଣୁ ଏହାର ‛ନମ୍ଯ’ ନାମ ରଖାଯାଇଛି ।
ପ୍ଲାଷ୍ଟିକ ରଵର ଭଳି ଏକ ଲତପତିଆ ପଦାର୍ଥ ତେଣୁ ଓଡ଼ିଆ ଭାଷାରେ ଲୋତରା,ଲତରା ଓ ଲୁତୁରା ଆଦି ଶବ୍ଦ ପ୍ଲାଷ୍ଟିକର ପ୍ରତିଶବ୍ଦ ଭାଵରେ ଵ୍ଯଵହୃତ ହୋଇପାରେ । ନମ୍ୟ,ଲୋତରା,ଲତପତ,ନତନତିଆ ଆଦି ଶବ୍ଦଗୁଡ଼ିକ ସମଦ୍ଧୃତ ଏଵଂ ଏ ସବୁ ଶବ୍ଦର ମୂଳ ଧାତୁ ହେଉଛି ନତ୍ ଧାତୁ । ଯେଉଁ ଵସ୍ତୁ ସାମାନ୍ୟ ବଳପ୍ରୟୋଗରେ ନଇଁଯାଏ,ଯେଉଁ ଦ୍ରଵ୍ଯ ଧାତୁଦ୍ଵ୍ଯ ଅପେକ୍ଷା କୋମଳ ତାହାକୁ ଲୋତରା,ଲତରା ଵା ଲୁତୁରା କୁହାଯାଏ । ତେଣୁ ଯେଉଁ ଭଳି ଭାଵେ ସଂସ୍କୃତରେ ନମ୍ଯ ଶବ୍ଦଟି ପ୍ଲାଷ୍ଟିକର ଗୁଣଧର୍ମ ଆଧାରରେ ଏହାର ପ୍ରତିଶବ୍ଦ ହୋଇଅଛି ସେହି ଧାରାରେ ଆମ ଲୋତରା/ଲତରା ଶବ୍ଦଟି ମଧ୍ୟ ପ୍ଲାଷ୍ଟିକର ଏକ ପ୍ରତିଶବ୍ଦ ହେଵାକୁ ଉପଯୁକ୍ତ । 

ପୃଥିଵୀର ଅଧିକାଂଶ ଭାଷାରେ ପ୍ଲାଷ୍ଟିକ ଶବ୍ଦଟି ସାମାନ୍ୟ ଆଞ୍ଚଳିକ ଭିନ୍ନତା ସହ ଚଳୁଅଛି ତେଵେ
କେତେକ ଭାଷାରେ ଏହାର ମୌଳିକ ପ୍ରତିଶବ୍ଦ ମଧ୍ୟ ପ୍ରଚଳିତ

ଯଥା―

●ଫିନିଶ୍―muovi
●ଜର୍ମାନ―Kunststoff
●ହଙ୍ଗେରୀୟ―műanyag
●ମାଣ୍ଡାରୀନ୍―塑料(sùliào)
●ହମଙ୍ଗ୍―yas
●ଭିଏତନାମୀ―Nhựa
●ହଉସା―roba
●ସୋମାଲୀ―caag
●ୟରୁବା―ṣiṣu
●ମାଉରୀ―kirihou

plastic surgeryରେ ପ୍ଲାଷ୍ଟିକ ଶବ୍ଦ ଵ୍ଯଵହାର ହୋଇଛି ତେଵେ ଏହି ଚିକିତ୍ସା ପଦ୍ଧତିକୁ
■ସୁରୂପ ଚିକିତ୍ସା

ଓ

■ସୁନମ୍ଯଶସ୍ତ୍ର ଚିକିତ୍ସା
କୁହାଯାଇଥାଏ । ସେହିପରି Plastic bag ପାଇଁ  ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି କଳ୍ପକସ୍ଯୂତ ।

ଆପଣଙ୍କ ଅଞ୍ଚଳରେ ପ୍ଲାଷ୍ଟିକ ପାଇଁ କୌଣସି ମୌଳିକ ଓଡ଼ିଆ ପ୍ରତିଶବ୍ଦ ଚଳୁଅଛି କି ? ପ୍ଲାଷ୍ଟିକର କୌଣସି ଭାରତୀୟ ପ୍ରତିଶବ୍ଦ ଜାଣିଥିଲେ ନିଶ୍ଚୟ ଜଣେଇଵାକୁ ଅନୁରୋଧ !!!

©ଶିଶିର ସାହୁ ମନୋଜ

Tuesday, September 10, 2019

କୋରାପୁଟ ର ଆତ୍ମମାମା

କନ୍ଧଜାତିର ପ୍ରସିଦ୍ଧ ଦେଵତା ହେଉଛନ୍ତି ଆତ୍ମାମାମା । ନାରାୟଣ ପାଟଣାର ଆତ୍ମା ପର୍ଵତ ସହିତ ତାଙ୍କର ଅଭିନ୍ନତା ଵିଶ୍ଵାସ କରାଯାଏ । ଲୋକ ଵିଶ୍ଵାସ ରହିଛି ଯେ ଆତ୍ମାମାମା ରାଗିଲେ ବର୍ଷା ହୁଏନି,ଫସଲରେ ପୋକ ଲାଗେ,ମହାମାରୀ ଵ୍ୟାପେ ଓ ମଣିଷ ଆଦି ଜୀବମାନେ ପୋକମାଛି ପରି ମରିହଜି ଯାଆନ୍ତି ।

ଜନସୃତି ଅଛି-
ଜୟପୁର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଧର୍ମପ୍ରାଣ ମହାରାଜା ଦ୍ଵିତୀୟ ଵିଶ୍ଵମ୍ଵର ଦେବ ୧୬୧୩ ରୁ ୧୬୫୨ ଯାଏଁ ଦୀର୍ଘ ୩୯ ଵର୍ଷ କାଳ ଜୟପୁର ରାଜ୍ୟ ଶାସନ କରି ହାଇଦ୍ରାବାଦ ନିଜାମଙ୍କ ଠାରୁ “ଝାଡ଼ଖଣ୍ଡ ବାଦସାହା” ଉପାଧି ଲାଭ କରିଥିଲେ । ରାଜାଙ୍କ ପ୍ରଥମପତ୍ନୀ ର ଅକାଳ ଵିୟୋଗ ପରେ ସେ ଏହି ନାରାୟଣ ପାଟଣା
ଅଞ୍ଚଳର ଜନୈକା କନ୍ଧକନ୍ୟା ଚମ୍ପାଵତୀକୁ ଵିଵାହ କରି ପ୍ରଜାମାନଙ୍କ ଉନ୍ନତି ପାଇଁ କୂପ ପୁଷ୍କରିଣୀ ଖୋଳାଇ,ଜଳସେଚନ ତଥା ଗମନାଗମନ ର  ସୁଵ୍ୟଵସ୍ଥା କରି ସମସ୍ତ ଆଦିବାସୀ ମୂଲକରେ ଦେଵତା ପାଲଟି ଯାଇଥିଲେ । ଅନ୍ୟ ପକ୍ଷରେ ଜଣେ ମହାରାଜା ହୋଇ ସୁଦ୍ଧା ଏକ କନ୍ଧକନ୍ୟାକୁ
ଵିଵାହ କରିଥିବା ହେତୁରୁ ସମଗ୍ର କନ୍ଧସମାଜ ତାଙ୍କୁ ଆତ୍ମାମାମା ଵା ଆପଣାର ଲୋକ ଭାବେ ଗ୍ରହଣ କରିନେଇଥିଲେ ।

ପ୍ରଵାଦ ରହିଛି ସେ ରାଜା ଦିନେ ଆକସ୍ମିକ ଭାବେ ଏହି ନାରାୟଣ ପାଟଣାର ପାର୍ଵତ୍ୟାଞ୍ଚଳରେ ବୁଲୁବୁଲୁ  କାହିଁ ଅଦୃଶ୍ୟ ହେଇଯାଇଥିଲେ ।
ରାଜାଙ୍କ ଅକାଳ ଵିୟୋଗ ପରେ ତାଙ୍କର ଆତ୍ମା ଏହି ପର୍ଵତରେ ରହିଥିବା ଵିଶ୍ଵାସ କରି ଏ ଅଞ୍ଚଳର କନ୍ଧ ସମ୍ପ୍ରଦାୟର ଲୋକମାନେ ଏ ପର୍ଵତକୁ ଆତ୍ମାମାମା ଵା ଆତ୍ମାପର୍ଵତ ନାମ ଦେଇ ଆତ୍ମା ମାନଙ୍କର ପୀଠ ଭାବରେ ପୂଜାର୍ଚ୍ଚନା କରିଆସୁଅଛନ୍ତି । ଆଜି ଆତ୍ମାମାମା ଵା ଆତ୍ମାପର୍ଵତ ନିଜର ଵିଶିଷ୍ଟତା ଯୋଗୁଁ ସମଗ୍ର କୋରାପୁଟ ଜିଲ୍ଲାରେ ପ୍ରସିଦ୍ଧ ହୋଇଛି ହେଲେ କାହିଁକି କେଜାଣି ଅନ୍ୟ ଅଞ୍ଚଳକୁ ତାହାର ମହିମା ପ୍ରସାରିତ ହୋଇପାରିନାହିଁ ।

(ସୌଜନ୍ୟ:-ଦେଶିଆ ଜ୍ଞାନକୋଷ,ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ)

Monday, September 9, 2019

ଗଡ଼ଘାଲି ଏକ ନିଆରା ଓଡ଼ିଆ ଶବ୍ଦ ଯାହା ଆଜି ଲୁପ୍ତପ୍ରାୟ

ଓଡ଼ିଆ ଭାଷାରେ ଲକ୍ଷ ଲକ୍ଷ ନିଆରା ଶବ୍ଦ ରହିଛି । ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ଲୁପ୍ତ ହେଵାକୁ ବସିଲାଣି । ସେଇଭଳି ଏକ ଲୁପ୍ତପ୍ରାୟ ଶବ୍ଦ ହେଉଛି ଗଡ଼ଘାଲି । ଗଡ଼ଘାଲି ଶବ୍ଦଟି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଵିଶେଷ ଭାଵରେ ପ୍ରୟୋଗ ହେଉଥିଲା ।
ମୁଣ୍ଡକୁ ଭୂମିରେ ଲଗାଇ ଯେଉଁ ସାଷ୍ଟାଙ୍ଗ ପ୍ରଣିପାତ କରାଯାଉଥିଲା ସେହି ସାଂସ୍କୃତିକ ଵିଧିକୁ ଓଡ଼ିଆ ଭାଷାରେ ଗଡ଼ଘାଲି କୁହାଯାଉଥିଲା । ଆଧୁନିକ ଯୁଗରେ ସାଷ୍ଟାଙ୍ଗ ପ୍ରଣିପାତ ପରମ୍ପରା ଆଉ ସେତେଟା ଲୋକପ୍ରିୟ ହୋଇ ନାହିଁ । ଆଜିକାଲି ହାୟ ହେଲୋର ଯୁଗ ଏଵେକାର ଅନେକ ଲୋକେ ଆଉ ନମସ୍କାର ସୁଦ୍ଧା କରିଵାକୁ କୁଣ୍ଠାବୋଧ କଲେଣି । ଏମିତିରେ ଏହି ନିଆରା ଓଡ଼ିଆ ଶବ୍ଦଟି ଜନସମାଜର କଥିତ ଭାଷାରୁ ନିଜର ଉପଯୋଗିତା ହରାଇ ଏକ ଅଲୋଡ଼ା ସାହିତ୍ୟିକ ଶବ୍ଦ ଭାଵରେ ପଡି଼ରହିଛି ।  
ଓଡ଼ିଆ ଭାଗଵତରେ ଆମେ ଏ ଶବ୍ଦର ଵ୍ୟଵହାର ହୋଇଥିଵା ଦେଖିଥାନ୍ତି
ଯଥା―
“ପାତା ସମୀପେ ଧେନୁ ଥୋଇ,
ଚରଣେ ଗଡ଼ଘାଲି ଶୋଇ।”

ଓଡ଼ିଆ ଭାଷାରେ ସାଷ୍ଟାଙ୍ଗ ପ୍ରଣିପାତକୁ ଦଣ୍ଡଵତ ମଧ୍ୟ କହିଥାନ୍ତି । ସାଷ୍ଟାଙ୍ଗ ପ୍ରଣିପାତ ଵେଳେ କେଉଁ କେଉଁ ଅଙ୍ଗ ଵ୍ଯଵହୃତ ତାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି ।

୧)ଏକ ମତ ଅନୁସାରେ ମୁଣ୍ଡ, ହାତ, ଗୋଡ଼ ହୃଦୟ, ଆଖି, ଜଙ୍ଘ, ବଚନ ଓ ମନଦ୍ବାରା ଭୂମିରେ ଲୋଟିଵା ପ୍ରକ୍ରିୟାକୁ ସାଷ୍ଟାଙ୍ଗ ପ୍ରଣିପାତ କୁହାଯାଏ । 

୨)କିଛି ଲୋକ କୁହନ୍ତି ଛାତି,ଦୁଇ ହାତ, ଦୁଇ ଆଣ୍ଠୁ ଓ ଦୁଇ ପାଦାଗ୍ରକୁ ଭୂମିରେ ଲଗେଇ  ଦଣ୍ଡଵତ ହୁଅନ୍ତି ।

୩) ମତାନ୍ତରରେ କପାଳ, ନାକ, ହାତ, ଛାତି, ପେଟ, ଜଂଘ, ଆଣ୍ଠୁ ଓ ଗୋଡ଼ ଆଙ୍ଗୁଠି ଅଗ ସ୍ପର୍ଶ କରି ଦଣ୍ଡଵତ ହୁଅନ୍ତି ।

୪)ଅନ୍ୟ ଏକ ମତାନୁଯାୟୀ ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ଜାନୁ, ପାଦ, ହସ୍ତ, ବକ୍ଷ, ଶିରଃ, ବୁଦ୍ଧି, ବଚନ ଓ ଦୃଷ୍ଟିକୁ ଏକାକାର କରି ପ୍ରଣିପାତ କରାଯାଏ ।

୫) କେହି କେହି କୁହନ୍ତି ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ଦୁଇ ହସ୍ତ; ହୃଦୟ, କପାଳ, ଦୁଇ ଚକ୍ଷୁ, ମନ ଓ ବଚନର ଵ୍ଯଵହାର ହୋଇଥାଏ ।

ଈଶ୍ଵରଙ୍କ ନିକଟରେ ଏହି ଧ୍ଯାନଯୋଗରେ ପଡି଼ରହିଵାକୁ
ଅଧିଆ ପଡି଼ଵା କୁହାଯାଏ । ଏହାକୁ ଅଷ୍ଠାଙ୍ଗ ପ୍ରଣାମ,ସାଷ୍ଟାମ ଓ ଭୂମିଷ୍ଠ ପ୍ରଣାମ ମଧ୍ୟ କୁହାଯାଏ ।

ଦୀପମାଳା; ସଜଳ ପଦ୍ମ, ଧୋତ ବସ୍ତ୍ର, ତୁଳସୀ ଵା ବିଲ୍ବଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ବାରା ଈଶ୍ଵର ଆରାଧନାକୁ ନିରାଜନ ଵା ନିରାଜନା ବୋଲାଯାଏ ।  ପୂର୍ଵକାଳରେ ଭଗଵାନଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତର ବହୁତ ମହତ୍ତ୍ଵ ରହିଥିଲା ।

ତେଵେ ଆଜିର ଆଧୁନିକ ସମାଜରେ ଵ୍ଯସ୍ତବହୁଳ ଜୀଵନଚର୍ଯ୍ୟା ମଧ୍ୟରେ ଅନେକ ଲୋକ ଈଶ୍ଵର ଆରାଧନା କରିଵାକୁ ସୁଦ୍ଧା ସମୟ ପାଆନ୍ତି ନାହିଁ । ଏଭଳି ଏକ ପରିଵର୍ତ୍ତନଶୀଳ କାଳଖଣ୍ଡରେ ଏ ଶବ୍ଦଗୁଡି଼କର  ଵ୍ୟଵହାର ତେଣୁ ଅନେକାଂଶରେ କମି କମି ଗଲାଣି ।

ନିଜ ସଂସ୍କୃତିର ଏହି ବହୁମୂଲ୍ୟ ଉପାଦାନକୁ ଛାଡ଼ିନଦେଇ ଚାଲନ୍ତୁ ମନ୍ଦିର ଦର୍ଶନ କାଳରେ ସଭିଏଁ ଶ୍ରୀଭଗଵାନଙ୍କ ନିକଟରେ ଦଣ୍ଡଵତ ହୋଇ ଏହି ପ୍ରାଚୀନ ପରମ୍ପରାକୁ ବଞ୍ଚେଇ ରଖିଵା ସହ ଆମ ସାହିତ୍ୟରେ ଗଡ଼ଘାଲି ଭଳି ନିଜସ୍ୱ ନିଆରା ଶବ୍ଦର ଵ୍ଯଵହାର ବଢେ଼ଇଵାର ପ୍ରୟାସ କରିଵା ।

©ଶିଶିର ସାହୁ ମନୋଜ

Thursday, September 5, 2019

ମହରମ୍

ମହରମ୍ [مَحْرَم‎(maḥram)] ଶବ୍ଦଟି ମୂଳତଃ ଏକ ଆରବିକ୍ ଶବ୍ଦ ଅଟେ ।  مَحْرَم‎ (maḥram) ଶବ୍ଦଟି   حَرَّمَ (ḩarām) ଶବ୍ଦରୁ ଆସିଅଛି ଏଵଂ ଏ ଶବ୍ଦର ମୂଳ ସେମେଟିକ୍ ଧାତୁରୂପ ହେଉଛି  ح ر م (ḥ-r-m) । مَحْرَم‎ (maḥram) ଶବ୍ଦଟି    حَرَّمَ (ḩarām)ର  passive participle ରୂପ ଅଟେ । ମୂଳ ସେମେଟିକ୍ ଧାତୁ  ح ر م (ḥ-r-m) ର ଅର୍ଥ ଥିଲା ନିଷେଧ କରିଵା( to forbid) ! ଆରବୀୟମାନେ ମହରମ୍ ମାସଯାକ ହସନ ଓ ହୁସେନ୍ ଙ୍କ ହତ୍ଯାର ସ୍ମୃତି ଉଦ୍ଦେଶ୍ୟରେ ଯୁଦ୍ଧାଦି ଅନେକ ଅତ୍ଯାଵଶ୍ଯକ କର୍ମ ନିଷେଧ କରିଥିଵା ହେତୁ  ପରମ୍ପରା,ଚଳଣିରୁ ପର୍ଵରେ ପରିଣତ ହୋଇଥିଵା ମହରମ୍ ର ଏଭଳି ନାମକରଣ ହୋଇଥିଲା । ଏହି
ହରାମ୍ ଶବ୍ଦଟି ନିମ୍ନୋକ୍ତ ଅର୍ଥରେ ପ୍ରୟୋଗ ହେଵାକୁ ଲାଗିଲା ―
୧)କୋରାନ୍ ଵିରୁଦ୍ଧ; ଶାସ୍ତ୍ର ନିଷିଦ୍ଧ (ପଦାର୍ଥ, ଖାଦ୍ଯ ବା କର୍ମ)
୨)ଅପବିତ୍ର (ଖାଦ୍ଯ ବା ପଦାର୍ଥ)
ଟଙ୍କା କରଜ ଦେଇ ସୁଧ ନେବା, ଜୀବକୁ ହଲାଲ୍ ନ କରି ଖାଇବାଆଦି ମୁସଲମାନ ଧର୍ମଶାସ୍ତ୍ର ଅନୁସାରେ ହାରାମ୍ ଅଟେ।
୩)ମୁସଲମାନଙ୍କ ଅସ୍ପୃଶ୍ଯ ଜନ୍ତୁ(ଶୂକର)
୪)ଧର୍ମଶାସ୍ତ୍ର ଅନୁସାରେ ନିଷିଦ୍ଧ ବସ୍ତୁ
୫)ବ୍ଯଭିଚାର
୬)ପାପ
୭)ଅଧର୍ମ

କୋରାନରେ
★ଯେଉଁ ଖାଦ୍ଯ ନିଷିଦ୍ଧ
(ଯଥା, ହଲାଲ୍ ହୋଇ ନ ଥିବା ଜୀବର ମାଂସ)
★ଯେଉଁ ଧନାର୍ଜନ ନିଷିଦ୍ଧ
(ଯଥା—ଋଣ ଦିଆଯାଇଥିବା ଧନ ପାଇଁ ସୁଧ ଗ୍ରହଣ)
★ଯେଉଁ କର୍ମ ନିଷିଦ୍ଧ (ଯଥା, ବ୍ଯଭିଚାର, ସୁରାପାନ)
★ଯେଉଁ ଦ୍ରବ୍ଯର ବ୍ଯବହାର ନିଷିଦ୍ଧ (ଯଥା, ମଦ୍ଯ), ★ଯେଉଁ ବସ୍ତୁ ବା ଜୀବ ଅପବିତ୍ର (ଯଥା—ଘୁଷୁରି)

ଓ ଯେଉଁ କର୍ମ ପାପଜନକ, ସେ ସବୁକୁ ହରାମ୍ ବୋଲାଯାଏ । ଏଇ ଶବ୍ଦରୁ ପରେ ହରେମ୍ ଶବ୍ଦର ଉତ୍ପତ୍ତି ହେଵା ସହ ତାହା ନକାରାତ୍ମକ ଅର୍ଥରେ ଵ୍ୟଵହାର ହେଵାକୁଲାଗିଲା ।  ଯେ ପରଠାରୁ ଯୋର୍ କରି ଛଡେ଼ଇନେଇଥିଵା ଦ୍ରବ୍ଯ,ସ୍ତ୍ରୀ,ଭୂମି,ଧନାଦିର ବ୍ଯବହାର ଅର୍ଜନ ବା ତତ୍ ଵ୍ଯଵହାରରେ ଅପକର୍ମ କରେ ତାକୁ ହରାମ୍ ଖୋର୍ ବୋଲାଯାଏ । ଏସବୁ କର୍ମକରିଵାକୁ କୋରାନ୍ ଏ ସରିଫ୍ ରେ ସ୍ପଷ୍ଟ ବାରଣ କରାଯାଇଛି ।

ମୁସଲମାନ ମାନେ ମହରମ୍ ମାସର ୭ମଦିବସଠାରୁ ୯ମ ଦିନ ପର୍ଯ୍ୟନ୍ତ ୩ଦିନ ପାଳିବା ଯାତ୍ରାର ନାମ ମହରମ୍। ଏହା କୋରାନ୍ ରେ ନାହିଁ। ମହମ୍ମଦଙ୍କ ମୃତ୍ଯୁର ୩୪ବର୍ଷ ପରେ ତାଙ୍କ କନ୍ଯା ଫାତିମା ଜୋହୋରାଙ୍କ ବଡ଼ ପୁଅ ଇମାମ୍ ହସନ୍ ଖଲିପା (ଧର୍ମଗୁରୁ) ପଦରେ ବସିବାର ଛଅମାସ ପରେ ଦାମସ୍କର ଶାସନକର୍ତ୍ତା 'ମାଭିଆ' ଖଲିପା ହେବାକୁ ଚାହିଁବାରୁ ବୃଥା ରକ୍ତପାତର ଆଶଙ୍କା ଦୂର କରିବା ପାଇଁ ହସନ୍ ତାଙ୍କୁ ଉକ୍ତ ଅଧିକାର ବା 'ଖିଲାଫତ୍' ଛାଡ଼ି ଦେଲେ। ତଥାପି ମାଭିଆଙ୍କ ପୁଅ ଦୁଷ୍ଟ ଏଜିଦ୍  ହସନଙ୍କୁ  ବିଷ ଖୁଆଇ ମାରିଦେଲା।

ଏଥିରେ ମଧ୍ଯ ସନ୍ତୁଷ୍ଟ ନ ହୋଇ ମାଭିଆର ସାନ ପୁଅ ହସନଙ୍କ ଭାଇ ହୋସେନଙ୍କୁ ଓ ତାଙ୍କର ୭୨ଜଣ ସଙ୍ଗୀକୁ ବିଶ୍ବାସରେ 'କୁଫା' ନାମ ସ୍ଥାନକୁ ଡ଼କାଇ ନେଇ ସେଠାରେ ତାଙ୍କୁ ନିରାହାର ରଖଖଇ ନିଷ୍ଠୁରଭାବରେ 'କତଲ୍' (ହତ୍ଯା) କଲା।

ଏହି ଦୂର୍ଘଟଣା ମହରମ୍ ମାସରେ ହୋଇ ଥିବାରୁ ମୁସଲମାନ ମାନେ ଏହାର ସ୍ମରଣାର୍ଥ ମହରମ୍ ପାଳନ୍ତି। ଏ ସମୟରେ ପ୍ରତ୍ଯେକ ମୁସଲମାନ ଶୋକ, ଦାନ ଓ ଶୋଷୀ ଭୋକୀଙ୍କୁ ପାନ ଭୋଜନ ଦେବା ବିଧାନ ପାଳିଥାନ୍ତି। ମୁସଲମାନ ମାନେ ବାହାର କରିବା ତାଜିଆ ଓ ତତ୍ସଂକ୍ରାନ୍ତୀୟ ଖେଳ ତାମସା ଧର୍ମବିରୁଦ୍ଧ । କିନ୍ତୁ କାଳକ୍ରମେ ଏ ଖେଦ— ପ୍ରକାଶକ ପରମ୍ପରାଟି ଯାତ୍ରା, ଉତ୍ସବ ଓ ପର୍ବରେ ପରିଣତ ହୋଇଅଛି।

କଥିତ ଅଛି ଯେ ତୈମୁର୍ଲଙ୍ଗ୍ ଭାରତବର୍ଷରେ ତାଙ୍କ ସୈନ୍ଯଙ୍କ ପାଳିତ (ଖ୍ରୀ.1398) ମହରମ୍ ଉପଲକ୍ଷରେ ତାଜିଆ ନିର୍ମାଣ କରି ତାଜିଆ ସହିତ ଶୋଭାଯାତ୍ରା କରିବା ପ୍ରଥମ ଆରମ୍ଭ କରିଥିଲେ ଓ ସେହି ସମୟରୁ ଏହା କ୍ରମଶଃ ସମଗ୍ର ଭାରତର ମୁସଲମାନଙ୍କ ମଧ୍ଯରେ ଚଳି ଆସୁଅଛି। ଯେଉଁ ଯୁଦ୍ଧର ସ୍ମରଣାର୍ଥ ମହରମ୍ ପାଳିତ ହୁଏ ତାହା ମୁସଲମାନୀ ମହରମ୍ ମାସର ୭ମ ଦିନ ଆରମ୍ଭ ହୋଇ ୯ମ ଦିନ ଶେଷ ହେଲା ଓ ହୋସେନ୍ ୯ମ ଦିନ ଆକବର କରବଲ୍ଲା ଶୋକପ୍ରକାଶର ଚିହ୍ନରୂପେ ମୁସଲମାନମାନେ ସବୁଜରଙ୍ଗର ପୋଷାକ ପିନ୍ଧନ୍ତି। ଶୋଭାଯାତ୍ରା ସହ ସେମାନେ ଯେଉଁ 'ତାଜିଆ' ବାହାର କରନ୍ତି ତାହା ହୋସେନଙ୍କ କଫନ୍ ବା ଶବ-ରଥର ପ୍ରତିକୃତି ଅଟେ। ମୁସଲମାନ୍ ମାନେ ଏହି ରଣଯାତ୍ରାର ସ୍ମରଣ ଚିହ୍ନସ୍ବରୂପ ହୋସେନଙ୍କ ପାପୁଲିର ପ୍ରତିରୂପ ପିତଳର 'ପାଞ୍ଜା' ବା କରତଳ ପରି ଗୋଟିଏ ରୂପକୁ କାଗଜ ଓ ଜରିରେ ନିର୍ମିତ ବିମାନରେ ରଖି ତହିଁ ସଙ୍ଗେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଯୁଦ୍ଧଯାତ୍ରା କରନ୍ତି।

ମହରମ୍ ମାସର—6ଷ୍ଠ ଦିନ—ଆଉଲିଆ ମାହାତମ୍—ପାଞ୍ଜାକୁ ତାଜିଆରେ ସ୍ଥାପନ କରି ଫାତିଆ (ପୂଜା) କରନ୍ତି।

7ମ ଦିନ—ଦୋପହରିଆ ମାହାତମ—ଫାତିମାଙ୍କ ପୁତ୍ର— ଶୋକ ସମାଚାର ସ୍ମାରକ ସ୍ବରୂପ ଦିନ ଦ୍ବିପ୍ରହର ବେଳେ— ଫାତିଆ କରନ୍ତି।

8ମ ଦିନ—ଗୁମ୍ସୁମ୍ ବା ବିଶ୍ରାମ—ଏ ଦିନ ଶତ୍ରୁ ଭୟରେ ଜଙ୍ଗଲ ମଧ୍ଯରେ ଗୋଟିଏ କୂଅ ଭିତରେ ହୋସେନ୍ ପଶି ରହିଥିବାରୁ ସେ ଦିନ କିଛି ଯାତ୍ରା କରାଯାଏ ନାହିଁ।

୯ମ ଦିନ—କତଲ୍—ଏ ଦିନ ମୁସଲମାନଙ୍କ ବିଭିନ୍ନ ଦଳମାନ ରାତିକୁ ତାଜିଆ ବାହାର କରି ନିଜ ନିଜ ଆଖକଡ଼ାରେ ଅସ୍ତ୍ର ଶସ୍ତ୍ରସଞ୍ଚାଳ ନ କରନ୍ତି। ଏହି ଦିନ ଯୁଦ୍ଧରେ ହୋସେନ୍ ଓ ତାଙ୍କ ପକ୍ଷମାନେ ନିହିତ ହୋଇଥିଲେ।

୧୦ମ ଦିନ—ଅଲ୍ବିଦା—ଏ ଦିନ ସକାଳେ ତାଜିଆକୁ ନେଇ ନଗର ୟାତ୍ରା କରି ଫେରି ବିଶ୍ରାମ କରନ୍ତି ଓ ପୁଣି ରାତିକୁ ତାଜିଆକୁ ନେଇ ନଦୀଆଦିରେ (କରବଲ୍ଲା ନାମକ ୟୁଦ୍ଧକ୍ଷେତ୍ର କଳ୍ପନା କରି ତହିଁରେ) ତାଜିଆକକୁ ବିସର୍ଜନ କରନ୍ତି।]

Wednesday, September 4, 2019

ତେରେଣ୍ଡା— ମାଛ ଫସିଵା କଥା କହିଦେଉଥିଵା ନିତାନ୍ତ ସାଧାରଣ କିନ୍ତୁ ଉପଯୋଗୀ ଉପକରଣ

ବନିଶୀ ସୂତାରେ ଲାଗିଥିବା କାଠି ବା ସୋଲଖଣ୍ଡ, ଯାହା ପାଣି ଉପରେ ଭାସେ ଓ ବନିଶୀ କଣ୍ଟାକୁ ମାଛ ଟାଣିଲେ ଏହା ପାଣି ଭିତରକୁ ବୁଡିଯାଏ ତାକୁ ତେରେଣ୍ଡା କୁହାଯାଏ । ଏହାକୁ ତରଣ୍ଡା, ତରଣ୍ଡୀ ମଧ୍ୟ କୁହନ୍ତି ।

ଆଗେ ଭାରତରେ ସାଧାରଣତଃ ମୟୂର ପକ୍ଷୀର ପକ୍ଷର ଅଂଶ ଓ ସୋଲ୍ଲର ଵ୍ଯଵହାର ତେରେଣ୍ଡା ଭାଵେ ହେଉଥିଲା । ତେଵେ ଆଜିକାଲି ଵିପଣୀକେନ୍ଦ୍ର ମାନଙ୍କରେ ନାନାପ୍ରକାରର ଆଧୁନିକ ତେରେଣ୍ଡା ମିଳୁଅଛି ।

ଯେଉଁ ଜଳାଶୟରେ ବଲସି ପକାଇବାକୁ ହୁଏ ସେ
ଜଳାଶୟର ଗଭୀରତାକୁ ଚାହିଁ ବନିସି ଡୋରିରେ ଅଗରୁ କିଛି ଦୂର ଛଡ଼ା କରି ତେରଣ୍ଡା ବନ୍ଧାଯାଏ, ମାଛ ବନସି ଥୋପ ଗିଳିଲେ ଏହା ବୁଡ଼ିଯାଏ। ତେଣୁ ମାଛ ଥୋପ ଧରି ଅଛି ବୋଲି ଜାଣି ଲୋକେ ବନସିକୁ ଉପରକୁ ଟାଣି ଆଣନ୍ତି। ମାଛ ଥୋପ ଧରିଵାର ସୂଚନା ପାଇଵା ପାଇଁ ହିଁ ତେରେଣ୍ଡାର ଵ୍ଯଵହାର ହୋଇଥାଏ । କେଉଁଠି କେଉଁଠି ଡଙ୍ଗା ଚଳାଇବା ସମୟରେ ବ୍ୟବହୃତ କାତକୁ ମଧ୍ୟ ତେରେଣ୍ଡା କୁହାଯାଏ । 

ଏ ଶବ୍ଦର ସଂସ୍କୃତ ସମଦ୍ଧୃତ ରୂପ ତରଣ୍ଡ ଓ ତରଣ୍ଡକ ଅଟେ । ତରଣ୍ଡ ଶବ୍ଦକୁ ତୃ ଧାତୁରୁ କରଣାର୍ଥେ ଅଣ୍ଡ ଯୁକ୍ତ କରିଣ ନିଷ୍ପନ୍ନ କରାଯାଇଛି । ଏ ଶବ୍ଦର କେତେକ ମୁଖ୍ୟ ଅର୍ଥ  ଯଥା—

✓ନୌକା/Boat
✓ଭେଳା/Raft
✓ତେରେଣ୍ଡା; ମାଛ ଧରିବା ବନିଶୀର ସୂତା ବା ଜାଲର ସୂତା ମଧ୍ଯରେ ଲାଗିଥିବା କାଠି ବା ସୋହ୍ଲ (ଯାହା ମାଛ ଧରିବା ସମଯରେ ପାଣିରେ ଭାସେ)
✓ଡଙ୍ଗା ବୋହିବା ଦଣ୍ଡ; କାତ

ତରଣ୍ଡ ଶବ୍ଦ ସହିତ ସମଦ୍ଧୃତ ଆଉ ଏକ ଦେଶଜ ଶବ୍ଦ ରହିଛି
ତାହା ହେଉଛି ‘ତରିଣ୍ଡା’ ।  ସମୁଦ୍ର ବା ନଦୀର ଗଭୀର ତଳ ଦେଶରେ ଲଙ୍ଗର ବାହୁକଦ୍ବାରା ଖଟା ଯାଇଥିବା ଭାସମାନ ପିମ୍ପା;ବୟା(Buoy)କୁ ତରିଣ୍ଡା କୁହାଯାଏ ।

ଆପଣଙ୍କ ଅଞ୍ଚଳରେ ଏହି ଶବ୍ଦଟି କିଂଵା ଏଇଭଳି କୌଣସି ଶବ୍ଦ ରହିଛି କି ? ଆପଣଙ୍କ ଅଞ୍ଚଳରେ ତେରେଣ୍ଡାକୁ କ'ଣ କୁହନ୍ତି ନିଶ୍ଚିତ ଜଣାନ୍ତୁ !!!

Sunday, September 1, 2019

ନୀ ଧାତୁରୁ ନୟନ ଶବ୍ଦ ଯାଏଁ

“ନେ + ଅନ = ନୟନ”
ଏହି ନୟନ ଶବ୍ଦ ଏହିପରି ଦ୍ଵନ୍ଦ୍ଵ ସମାସ ଦ୍ଵାରା ଠିକ୍ “ଜାୟା+ପତି = ଦମ୍ପତି” ଭଳି ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ତେଵେ କଳ୍ପଦ୍ରୁମ,ଵାଚସ୍ପତ୍ଯ ଓ ଶବ୍ଦସାଗର ଆଦି ଅଧିକାଂଶ ସଂସ୍କୃତ ଶବ୍ଦକୋଷରେ
ନୟନ ଶବ୍ଦର ନିରୁକ୍ତି ‛ନୀ ଧାତୁ+କରଣେ ଲ୍ଯୁଟ୍’
ଉଲ୍ଲେଖ ରହିଛି ।

ଭାରତର ଅଧିକାଂଶ ଭାଷାରେ ‛ନେ’ ଶବ୍ଦର ଏମିତି କୌଣସି ଅର୍ଥ ନାହିଁ ଯେଉଁ ଅର୍ଥ ଆଧାରରେ ‛ନେ’ ଶବ୍ଦ ସହ ଅନ ପ୍ରତ୍ଯୟ ଯୁକ୍ତ ହୋଇ ଚକ୍ଷୁର ଅର୍ଥପ୍ରକାଶ  ହେତୁ ନୟନ ଶବ୍ଦକୁ ସମାସ କରାଯାଇ ନିଷ୍ପନ ହୋଇପାରେ ।

■ସଂସ୍କୃତରେ  ୧ ସଂଖ୍ୟାର ଏକ ଶାସ୍ତ୍ରୀୟ ନାମ ‛ନେ’
ବୋଲି ଅମରକୋଷରେ କୁହାଯାଇଛି । ତେଵେ ନେପାଳ ଓ ଭାରତର ଏକ ତିଵେତ୍ତୀୟ ଭାଷା  ନେଓ୍ଵାରୀରେ ଦୁଇ ଅର୍ଥରେ  ‛ନେ’ ଶବ୍ଦର ଵ୍ଯଵହାର ହୋଇଥାଏ ।

■ହିନ୍ଦୀରେ ନେ ପ୍ରତ୍ଯୟ ରହିଛି ଯାହା ଆମର ‛ଟା’ ପ୍ରତ୍ଯୟ ଭଳି ପ୍ରୟୋଗ ହୁଏ
ଯଥା  “ରାମ୍ ନେ ରାଵଣ କୋ ମାରା”
ଆମେ କିନ୍ତୁ ଏ ସ୍ଥାନରେ କୌଣସି ପ୍ରତ୍ଯୟ ଵ୍ୟଵହାର ନକରି ମଧ୍ୟ କହିଥାଉ “ଶ୍ରୀରାମ (ହିଁ, ସେ,ଏ,ସେହି) ରାଵଣକୁ ମାରିଥିଲେ” !

■ଓଡ଼ିଆ ଭାଷାରେ ନେଵା ଶବ୍ଦର ଅନାଦାର୍ଥକ ଵ୍ୟଵହାର ନେ ଶବ୍ଦ ରହିଛି ପୁଣି ପଶ୍ଚିମ ଓଡ଼ିଶାର କଥିତ ଶୈଳୀରେ At; in ଅର୍ଥରେ ‛ନେ’ ଅଵ୍ଯୟର ଵ୍ଯଵହାର ହୋଇଥାଏ ।
ଯଥା—ହାତନେ=ହାତରେ
ଏହିସ୍ଥାନରେ ମାନକଓଡ଼ିଆଭାଷାରେ  ‛ରେ’ ଅଵ୍ଯୟର ପ୍ରୟୋଗ ହୋଇଥାଏ  ।

ତେଵେ ନୟନ ଶବ୍ଦରେ ସମାସ ହୋଇଥିଵ ବୋଲି
ଲୋକଙ୍କ ମନରେ ଭ୍ରମ ଉତ୍ପନ୍ନ ହେଵାର କାରଣ ହେଉଛି ଚକ୍ଷୁ ଅର୍ଥରେ ଵ୍ୟଵହାର କରାଯାଉଥିଵା ଅନ୍ୟ ଏକ ଶବ୍ଦ ନେତ୍ର ।

ନେତ୍ର ଶବ୍ଦ ମଧ୍ୟ ‛ନୀ ଧାତୁ’ରେ କରଣାର୍ଥେ ‛ତ୍ର’ ପ୍ରତ୍ଯୟ ଯୁକ୍ତ ହୋଇ ନିଷ୍ପନ୍ନ କରାଯାଇଛି । ତେଵେ ଏଠାରେ ‛ନେ’ ଶବ୍ଦ ସହ ‛ତ୍ର’ ଯୁକ୍ତ ହୋଇଥିଵା ସ୍ଥୂଳ ଦୃଶ୍ୟ ହେଉଥିଵା ହେତୁ କିଛି ଲୋକ ସେହି ନେ ଶବ୍ଦକୁ ଚକ୍ଷୁ ଅର୍ଥଜ ବୋଲି ଧରିନେଲେ ଏଵଂ ତାହା ସହ ଅନ ପ୍ରତ୍ୟୟକୁ ଯୋଡି଼ ଦ୍ଵନ୍ଦ୍ଵ ସମାସ ଦ୍ଵାରା ନିଷ୍ପନ୍ନ କରିଵାକୁ ଚେଷ୍ଟା କଲେ ।

ସେ ଯାହା ବି ହେଉ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦି ସମସ୍ତ ଶବ୍ଦକୋଷରେ ନୟନ ଶବ୍ଦ ସମାସ ଦ୍ଵାରା ସୃଷ୍ଟ ନୁହେଁ ଵରଂ ଧାତୁ ନିରୁକ୍ତି ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ ହୋଇଥିଵା ମତଵ୍ଯକ୍ତ କରାଯାଇଛି ।

ନୀଧାତୁର ଵିଭିନ୍ନ ଅର୍ଥରେ ଵ୍ଯଵହାର ରହିଛି
ଯଥା―
◆ନେଵା
◆ପାଇଵା
◆ଚାଳିତ ହେଵା;ସଞ୍ଚାଳନ କରିଵା
◆ନେତୃତ୍ୱ କରିଵା
◆ପହଞ୍ଚାଇଵା
◆ମାର୍ଗଦର୍ଶନ କରିଵା
◆ପ୍ରତ୍ଯକ୍ଷ କରିଵା
◆ଶାସନ କରିଵା
◆ସମୟ ଅତିଵାହିତ କରିଵା
◆ଅନ୍ଵେଷଣ କରିଵା
◆ଖୋଜାଖୋଜି କରିଵା
◆ଵିଵାହ କରିଵା
◆କୃତାର୍ଥ କରିଵା;ଆନନ୍ଦ ଦେଵା
ଇତ୍ୟାଦି ଇତ୍ୟାଦି...

ଏଠାରେ ନୀ ଧାତୁର ମାର୍ଗଦର୍ଶନ କରିଵା,ଖୋଜାଖୋଜି କରିଵା,ଆନନ୍ଦ ଦେଵା,ପ୍ରତ୍ଯକ୍ଷ କରିଵା,ପାଇଵା ଆଦି ଅଧିକାଂଶ ଅର୍ଥରେ ନୟନ ଶବ୍ଦକୁ ଚକ୍ଷୁ ଭାଵେ ନିଷ୍ପନ କରାଯାଇପାରେ । ଆଖି  ଦ୍ଵାରା ଆମେ ଅଧିକ ଆନନ୍ଦ ଅନୁଭଵ କରିପାରନ୍ତି ,ଯେକୌଣସି ପଦାର୍ଥ ଉଣ୍ଡିକି ପାଇପାରନ୍ତି,ଆଖି ନଥିଲେ କୌଣସି ଖୋଜାଖୋଜି ଅନ୍ଵେଷଣ କଷ୍ଟକର । ଆଖି ହିଁ ଆମର ସର୍ଵୋଚ୍ଚ ବନ୍ଧୁ ଯେ ଆମକୁ ମାର୍ଗଦର୍ଶନ ଦିଏ ସାରା ଜଗତକୁ ପ୍ରତ୍ଯକ୍ଷ କରାଏ ।

ନୟନ ଶବ୍ଦର  ଚକ୍ଷୁ ଵା ଆଖି ଅର୍ଥରେ ଵ୍ଯଵହାର ଲୋକପ୍ରିୟ ତେଵେ ଏ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା

■ପ୍ରମାଣ; ପ୍ରାପ୍ତି କରାଇବା
■ପଥ ପ୍ରଦର୍ଶକ
■କାଳଯାପନ
■ରାଜ୍ଯାଦିର ଶାସନ