Friday, September 13, 2019

ଦାଦନ

ଆଜିକାଲିରେ କିଛି ସରକାରୀ ଚାକିରିଆ ,ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ ଦାଦନ ଖଟେ ନାହିଁ ! କାହିଁକି ନା ଦାଦନ ଶବ୍ଦର ଅର୍ଥ ଦୃଷ୍ଟିରୁ ଏମନ୍ତ କହିଵା ସର୍ଵଦା ଅନୁଚିତ ହେଵ ।

ଦାଦନ ଶବ୍ଦର ନିମ୍ନଲିଖିତ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି:-

୧)କୌଣସି ପଦାର୍ଥ ପାଇବା ଆଶାରେ ଵା କାର୍ଯ୍ୟ ପାଇଵା ଆଶାରେ ଧନ ଆଗତୁରା ଦେଵା; ଅଗ୍ରିମ ଦାନ । ଏହାକୁ ଆଗେ ଲାଗଣ କୁହାଯାଉଥିଲା ।

୨)ଧନାଦି ଅଗ୍ରିମ ଦେଵାର ରୀତି

୩)ଧନ ଵା ଶସ୍ଯାଦି ସୁଧରେ ଖଟାଇଵା ଯାହାକୁ ଧାନ ଦେଢ଼ି ଲଗାଇଵା ମଧ୍ୟ କୁହାଯାଏ ।

୪)ଲାଭ ସହିତ ଧାନ ଵା ଶସ୍ଯାଦି ପାଇବା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇଵା

୫)ମୂଲିଆମାନେ ଭବିଷ୍ଯତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେଵା

ଦାଦନ ଶବ୍ଦଟି ମୂଳତଃ ଏକ ପାର୍ସୀ ଶବ୍ଦ ଏଵଂ ଏହା ସଂସ୍କୃତ ଦାନ,ଦଦାତି ତଥା ଓଡ଼ିଆ ଦେଵା ସହିତ ସମଦ୍ଧୃତ ବୋଲି ଭାଷାଵିତ୍ ମତ ଦିଅନ୍ତି ।

ଦାଦନ ଶବ୍ଦର ଅର୍ଥ ସ୍ପଷ୍ଟ କରେ ଯେ ଯଦି ଶ୍ରମିକକୁ ଆଗତୁରା 'କାଟ' ଟଙ୍କା ଦେଇ କାର୍ଯ୍ଯ କରାଯାଏ ତେଵେ କେଵଳ ତାହା ହିଁ ଦାଦନ ପଦଵାଚ୍ଯ ହେଵ ! ତେବେ ବାହାର ରାଜ୍ୟର ଅନେକ ସଂସ୍ଥା ରହିଛି ଯେଉଁଠି କାର୍ଯ୍ୟ କରିଵାର ମାସେ ରୁ ଦେଢ଼ ମାସ ପରେ ଯାଇ ଶ୍ରମିକଙ୍କୁ ବେତନ ମିଳେ । ସେମାନେ ସ୍ଵହସ୍ତରୁ ଅର୍ଥ ଵ୍ଯୟ କରି ବାହାରରାଜ୍ଯକୁ ଯାଆନ୍ତି । ସେଠାରେ ଏକମାସ କାଳ ଖଟିଲାପରେ ଯାଇ ତାଙ୍କୁ ଅର୍ଥ ମିଳେ । ସୁରତରେ ଶହ ଶହ ଓଡ଼ିଆ ରୁହନ୍ତି ସେମାନଙ୍କୁ କିଛି ଅଵିଵେକି ଦାଦନ କହିଦିଅନ୍ତି ।
ହେଲେ ଏଠାକାର ଲୁମ୍ସ,ଏମ୍ରୋଡରୀ,ହୀରା ଓ ଡାଇଂଗ୍ ପ୍ରିଟିଂଗ୍ ଆଦି ସମସ୍ତ ସଂସ୍ଥାରେ  ଆଗତୁରା ଟଙ୍କା ଦେଇ କାର୍ଯ୍ଯ କରାଯାଏ ନାହିଁ ! ଓଲଟା ସୁରତରେ କର୍ମଚାରୀ କାଳେ ଟଙ୍କା ମିଳିଲେ ଘରକୁ ନକହି ଚାଲି ନ ଯାଉ ଏ ଭୟରେ ଦଶ,ପନ୍ଦର କି ପଚିଶ୍ ରେ ପାରିଶ୍ରିମକ ଦିଆଯାଏ ! ଅର୍ଥାତ ଡିସେମ୍ବର ଦଶ ତାରିଖରେ ନଭେମ୍ବର ମାସର ପାରିଶ୍ରମିକ ମିଳେ ଓ ଚାଲୁ ମାସର ଟଙ୍କା ରଖାଯାଏ !

ତେଣୁ ସମସ୍ତ ଧନୀକ ଓ ଚାକିରିଆ ଓଡ଼ିଆଙ୍କୁ ଅନୁରୋଧ ନିଜ ଦରିଦ୍ର ଭାଇକୁ ଧନ କି ଚାକିରି ନଦେଲେ ନ ଦିଅନ୍ତୁ ପଛେ ତା'ର ଶ୍ରମଜୀବନକୁ ଉପହାସ କରନ୍ତୁ ନାହିଁ !

No comments:

Post a Comment

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସା...