Tuesday, September 17, 2019

‘ଇଏ’ ~ ଏକ ସାର୍ଵତ୍ରିକ ସର୍ଵନାମ

'ଇଏ' ସର୍ଵନାମଟି ଏକ ସାର୍ଵତ୍ରିକ ସର୍ଵନାମ  (universal pronoun) ଅଟେ । ସ୍ଥାନ, କାଳ, ପାତ୍ରର ନାମକୁ ଵାରଂଵାର ଉଚ୍ଚାରଣ ନ କରିଵାପାଇଁ କଥିତ ଭାଷାରେ ହିଁ 'ସର୍ଵନାମ'ର ସୃଷ୍ଟି ।

ସ୍ଥାନ ପାଇଁ : ସେଇଠି, ସେଣେ, ସେନେ, ଏଇଠି, ଏଣେ, ଇନେ ଇତ୍ୟାଦି

କାଳ ପାଇଁ : ସେହି ସମୟରେ, ସେତେଵେଳେ ଇତ୍ୟାଦି

ଵ୍ୟକ୍ତି ପାଇଁ : ମୁଁ, ମୁଇଁ, ତୁ, ତୁଇ, ତୁହି, ତୁମେ, ଆପଣ, ତୋର, ତୁମର, ଆପଣଙ୍କର, ତୋତେ, ତୋକେ, ତୁମକୁ, ତୁମକେ ଇତ୍ୟାଦି

କିନ୍ତୁ 'ଇଏ' ଏପରି ଏକ ସର୍ଵନାମ ଯାହା ସ୍ଥାନ, କାଳ, ପାତ୍ର ସଵୁ କ୍ଷେତ୍ରରେ ପ୍ରୟୋଗ ହୁଏ । ତେଣୁ ଏହା ଏକ ସାର୍ଵତ୍ରିକ ସର୍ଵନାମ କହିଲେ ଅତ୍ୟୁକ୍ତି ହେଵ ନାହିଁ ।

●●●●●●●●●●●●●●●●●●●●●●●●●●ସାର୍ଵତ୍ରିକ ସର୍ଵନାମ ‘ଇଏ’ ର ଓଡ଼ିଆ ଭାଷାରେ
ଵିଶେଷ ଵ୍ୟଵହାର...
●●●●●●●●●●●●●●●●●●●●●●●●●●

୧)ଵ୍ୟକ୍ତି,ଵସ୍ତୁ ଓ କାଳାଦିର ନାମ ମନେ ନ ପଡ଼ିଲେ ଵ୍ୟଵହାର ହୁଏ ‘ଇଏ’ ସର୍ଵନାମ
ଯଥା—ସେ ଇଏ ଟା କୁଆଡେ଼ ଗଲା

୨) କାହାକୁ ଵ୍ଯଙ୍ଗ୍ଯ ଵିଦୃପ କାଳରେ ‘ଇଏ’ ସର୍ଵନାମ ଵ୍ୟଵହାର ହୋଇଥାଏ
ଯଥା— ତୁ ଯୋଉ ଇଏଟା ମୋର କରିପକେଇବୁ ତା’ ମୁଁ ଜାଣେ ଯେ !

୩)ଘୃଣା ଦ୍ଵେଷାର୍ଥେ ମଧ୍ୟ ‘ଇଏ’ ର ଵ୍ୟଵହାର ହୁଏ
ଯଥା— ହରିବାବୁ ବଡ଼ ଇଏ ଲୋକ ହୋ !

୪)ଅଶ୍ଲୀଳ ଓ ଆଭ୍ଯାନ୍ତର ଅଙ୍ଗର ନାମକୁ ଶିଷ୍ଟାଚାର ହେତୁ ତୁଣ୍ଡରେ ନ ଧରିଵା ପାଇଁ ଵ୍ଯଵହୃତ ହୁଏ ‘ଇଏ’ ସର୍ଵନାମ ।
ଯଥା—ମୋର ଇଏରେ ଗୋଟେ ବଥ ହେଇଚି ।

୫) ସ୍ତ୍ରୀଲୋକଙ୍କ ଦ୍ଵାରା ନିଜ ସ୍ଵାମୀଙ୍କ ମାନ୍ଯାର୍ଥେ ମଧ୍ୟ ତାଙ୍କ ନାମ ନେଵା ପରିଵର୍ତ୍ତେ ‘ଇଏ’ ସର୍ଵନାମର ମଧ୍ୟ ଵ୍ୟଵହାର ହୋଇଥାଏ ।
ଯଥା—ଆମର ‘ଇଏ’ କାଲି ପୁରୀ ଯାଇଥିଲେ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆
ଭାରତର ଵିଭିନ୍ନ ଭାଷା ତଥା ଓଡ଼ିଶାର ନାନା ଭାଷା ଓ
ଶୈଳୀରେ ‛ଇଏ’ ସର୍ଵନାମ
◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

―ଵିଭିନ୍ନ ଓଡ଼ିଆ ଶୈଳୀରେ ‛ଇଏ’―

ମାନକ ଶାସ୍ତ୍ରୀୟ ଓଡ଼ିଆ ଭାଷା― ଇଏ
ଢେଙ୍କାନାଳ ଅନୁଗୋଳ ଶୈଳୀ ― ହେଟା
ଗଞ୍ଜାମୀ ଶୈଳୀ ― ଏତା
ସମ୍ବଲପୁରୀ ଶୈଳୀ ― ହେନ୍ତା
ଦେଶିଆ(କାଳିଙ୍ଗ୍ଯ ଭାଷା) ― ଏଦେକାଏ
ଝାରସୁଗୁଡା଼ ଶୈଳୀ ― ଇଇଟା
କଟକୀ ଶୈଳୀ ― ଏଇଯୋଉ

―ଅନ୍ୟ ଭାରତୀୟ ଭାଷାରେ ‛ଇଏ’―
ସଂସ୍କୃତ ― ଇଦଂ
ପ୍ରାକୃତ ―ଇହହ
ତାମିଳ ― ଇଦି
ତେଲୁଗୁ ― ଇଦି,ଇଦୁ
ହିନ୍ଦୀ ― ୟହ୍,ଵହ୍,ଵୋ,ଉ
ଭାରତୀୟ ପ୍ରଶାସନିକ ଭାଷା ଇଂରାଜୀରେ this thing...

ଓଡ଼ିଶାର ସମସ୍ତ ଜିଲ୍ଲାରେ ମାନକ ‘ଇଏ’ ସର୍ଵନାମ ପ୍ରଚଳିତ ରହିଛି ଏଵଂ ସ୍ଥଳ ଵିଶେଷରେ
ସିଏ(ପତିଙ୍କ ପ୍ରତି ପତ୍ନୀଙ୍କ ଵ୍ୟଵହାର),ଅମକା,ଅମୁକ,ସମୁକ,ଅମୁକେଇ,ଢିମକା,ଢମୁକେଇ ଆଦି ଶବ୍ଦର ମଧ୍ୟ ଵ୍ୟଵହାର ହୋଇଥାଏ ।

ଆପଣଙ୍କ କଥିତ ଶୈଳୀରେ ‘ଇଏ’ ସର୍ଵନାମର ଆଉ କିଛି ପ୍ରତିରୂପ ଚଳୁଥିଲେ ନିଶ୍ଚିତ ଜଣେଇଵାକୁ ଅନୁରୋଧ ।

●●●●●●●●●●●●●●●●●●●●●●●●●●
©ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଶିଶିର ସାହୁ ମନୋଜ
●●●●●●●●●●●●●●●●●●●●●●●●●●

No comments:

Post a Comment

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସା...