Monday, September 9, 2019

ଗଡ଼ଘାଲି ଏକ ନିଆରା ଓଡ଼ିଆ ଶବ୍ଦ ଯାହା ଆଜି ଲୁପ୍ତପ୍ରାୟ

ଓଡ଼ିଆ ଭାଷାରେ ଲକ୍ଷ ଲକ୍ଷ ନିଆରା ଶବ୍ଦ ରହିଛି । ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ଲୁପ୍ତ ହେଵାକୁ ବସିଲାଣି । ସେଇଭଳି ଏକ ଲୁପ୍ତପ୍ରାୟ ଶବ୍ଦ ହେଉଛି ଗଡ଼ଘାଲି । ଗଡ଼ଘାଲି ଶବ୍ଦଟି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଵିଶେଷ ଭାଵରେ ପ୍ରୟୋଗ ହେଉଥିଲା ।
ମୁଣ୍ଡକୁ ଭୂମିରେ ଲଗାଇ ଯେଉଁ ସାଷ୍ଟାଙ୍ଗ ପ୍ରଣିପାତ କରାଯାଉଥିଲା ସେହି ସାଂସ୍କୃତିକ ଵିଧିକୁ ଓଡ଼ିଆ ଭାଷାରେ ଗଡ଼ଘାଲି କୁହାଯାଉଥିଲା । ଆଧୁନିକ ଯୁଗରେ ସାଷ୍ଟାଙ୍ଗ ପ୍ରଣିପାତ ପରମ୍ପରା ଆଉ ସେତେଟା ଲୋକପ୍ରିୟ ହୋଇ ନାହିଁ । ଆଜିକାଲି ହାୟ ହେଲୋର ଯୁଗ ଏଵେକାର ଅନେକ ଲୋକେ ଆଉ ନମସ୍କାର ସୁଦ୍ଧା କରିଵାକୁ କୁଣ୍ଠାବୋଧ କଲେଣି । ଏମିତିରେ ଏହି ନିଆରା ଓଡ଼ିଆ ଶବ୍ଦଟି ଜନସମାଜର କଥିତ ଭାଷାରୁ ନିଜର ଉପଯୋଗିତା ହରାଇ ଏକ ଅଲୋଡ଼ା ସାହିତ୍ୟିକ ଶବ୍ଦ ଭାଵରେ ପଡି଼ରହିଛି ।  
ଓଡ଼ିଆ ଭାଗଵତରେ ଆମେ ଏ ଶବ୍ଦର ଵ୍ୟଵହାର ହୋଇଥିଵା ଦେଖିଥାନ୍ତି
ଯଥା―
“ପାତା ସମୀପେ ଧେନୁ ଥୋଇ,
ଚରଣେ ଗଡ଼ଘାଲି ଶୋଇ।”

ଓଡ଼ିଆ ଭାଷାରେ ସାଷ୍ଟାଙ୍ଗ ପ୍ରଣିପାତକୁ ଦଣ୍ଡଵତ ମଧ୍ୟ କହିଥାନ୍ତି । ସାଷ୍ଟାଙ୍ଗ ପ୍ରଣିପାତ ଵେଳେ କେଉଁ କେଉଁ ଅଙ୍ଗ ଵ୍ଯଵହୃତ ତାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି ।

୧)ଏକ ମତ ଅନୁସାରେ ମୁଣ୍ଡ, ହାତ, ଗୋଡ଼ ହୃଦୟ, ଆଖି, ଜଙ୍ଘ, ବଚନ ଓ ମନଦ୍ବାରା ଭୂମିରେ ଲୋଟିଵା ପ୍ରକ୍ରିୟାକୁ ସାଷ୍ଟାଙ୍ଗ ପ୍ରଣିପାତ କୁହାଯାଏ । 

୨)କିଛି ଲୋକ କୁହନ୍ତି ଛାତି,ଦୁଇ ହାତ, ଦୁଇ ଆଣ୍ଠୁ ଓ ଦୁଇ ପାଦାଗ୍ରକୁ ଭୂମିରେ ଲଗେଇ  ଦଣ୍ଡଵତ ହୁଅନ୍ତି ।

୩) ମତାନ୍ତରରେ କପାଳ, ନାକ, ହାତ, ଛାତି, ପେଟ, ଜଂଘ, ଆଣ୍ଠୁ ଓ ଗୋଡ଼ ଆଙ୍ଗୁଠି ଅଗ ସ୍ପର୍ଶ କରି ଦଣ୍ଡଵତ ହୁଅନ୍ତି ।

୪)ଅନ୍ୟ ଏକ ମତାନୁଯାୟୀ ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ଜାନୁ, ପାଦ, ହସ୍ତ, ବକ୍ଷ, ଶିରଃ, ବୁଦ୍ଧି, ବଚନ ଓ ଦୃଷ୍ଟିକୁ ଏକାକାର କରି ପ୍ରଣିପାତ କରାଯାଏ ।

୫) କେହି କେହି କୁହନ୍ତି ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ଦୁଇ ହସ୍ତ; ହୃଦୟ, କପାଳ, ଦୁଇ ଚକ୍ଷୁ, ମନ ଓ ବଚନର ଵ୍ଯଵହାର ହୋଇଥାଏ ।

ଈଶ୍ଵରଙ୍କ ନିକଟରେ ଏହି ଧ୍ଯାନଯୋଗରେ ପଡି଼ରହିଵାକୁ
ଅଧିଆ ପଡି଼ଵା କୁହାଯାଏ । ଏହାକୁ ଅଷ୍ଠାଙ୍ଗ ପ୍ରଣାମ,ସାଷ୍ଟାମ ଓ ଭୂମିଷ୍ଠ ପ୍ରଣାମ ମଧ୍ୟ କୁହାଯାଏ ।

ଦୀପମାଳା; ସଜଳ ପଦ୍ମ, ଧୋତ ବସ୍ତ୍ର, ତୁଳସୀ ଵା ବିଲ୍ବଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ବାରା ଈଶ୍ଵର ଆରାଧନାକୁ ନିରାଜନ ଵା ନିରାଜନା ବୋଲାଯାଏ ।  ପୂର୍ଵକାଳରେ ଭଗଵାନଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତର ବହୁତ ମହତ୍ତ୍ଵ ରହିଥିଲା ।

ତେଵେ ଆଜିର ଆଧୁନିକ ସମାଜରେ ଵ୍ଯସ୍ତବହୁଳ ଜୀଵନଚର୍ଯ୍ୟା ମଧ୍ୟରେ ଅନେକ ଲୋକ ଈଶ୍ଵର ଆରାଧନା କରିଵାକୁ ସୁଦ୍ଧା ସମୟ ପାଆନ୍ତି ନାହିଁ । ଏଭଳି ଏକ ପରିଵର୍ତ୍ତନଶୀଳ କାଳଖଣ୍ଡରେ ଏ ଶବ୍ଦଗୁଡି଼କର  ଵ୍ୟଵହାର ତେଣୁ ଅନେକାଂଶରେ କମି କମି ଗଲାଣି ।

ନିଜ ସଂସ୍କୃତିର ଏହି ବହୁମୂଲ୍ୟ ଉପାଦାନକୁ ଛାଡ଼ିନଦେଇ ଚାଲନ୍ତୁ ମନ୍ଦିର ଦର୍ଶନ କାଳରେ ସଭିଏଁ ଶ୍ରୀଭଗଵାନଙ୍କ ନିକଟରେ ଦଣ୍ଡଵତ ହୋଇ ଏହି ପ୍ରାଚୀନ ପରମ୍ପରାକୁ ବଞ୍ଚେଇ ରଖିଵା ସହ ଆମ ସାହିତ୍ୟରେ ଗଡ଼ଘାଲି ଭଳି ନିଜସ୍ୱ ନିଆରା ଶବ୍ଦର ଵ୍ଯଵହାର ବଢେ଼ଇଵାର ପ୍ରୟାସ କରିଵା ।

©ଶିଶିର ସାହୁ ମନୋଜ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...