My Blog List

Sunday, May 7, 2023

ୟୁରୋପୀୟମାନେ ଵାରଗୁଡି଼କର ନାମ କିିପରି ରଖିଥିଲେ ?


ସପ୍ତାହକ ସାତଦିନ ପୁଣି ସେଇ ସାତଦିନର ଆମ ଭାଷାରେ ଅନେକ ନାମ ବି ରହିଛି । 
ରଵିଵାରକୁ ଅର୍କଵାର,ଆଦିତ୍ଯଵାର,
ସୂର୍ଯ୍ଯଵାର,ସୂର୍ଯ୍ଯାୟଣଵାର,ଭାନୁଵାର,ଗଭାସ୍ତିଵାର ଓ ଭଟ୍ଟାରକଵାର କୁହାଯାଏ ।‌
ସୋମବାରକୁ ଚନ୍ଦ୍ରଵାର,ଚନ୍ଦ୍ରାୟଣଵାର ଓ ଶଶିଵାର କୁହାଯାଏ । ମଙ୍ଗଳଵାରକୁ 
ଅଙ୍କାରକଵାର,କୁଜଵାର,କୁଳଵାର ଓ ଭୌମଵାର କୁହାଯାଇଥାଏ । ବୁଧଵାରକୁ ପଣ୍ଡିତଵାର ତଥା ସୌମ୍ଯଵାର କହିଥାନ୍ତି । 
ଗୁରୁଵାରକୁ ବୃହସ୍ପତିଵାର,ଲକ୍ଷ୍ମୀଵାର,ମାଣବସାଵାର,ଅଙ୍ଗାରଵାର ଓ ବାକ୍ପତିଵାର ମଧ୍ୟ କୁହାଯାଇଥାଏ ।ଶୁକ୍ରଵାରର ଆଉ ଦୁଇଗୋଟି ନାମ ହେଲା ଅନୁକୁଳଵାର ଓ ଭୃଗୁଵାର । ସେହିପରି ଶନିଵାରକୁ କୃତାନ୍ତଵାର,ଶୌରିଵାର,ସୂର୍ଯ୍ଯସୂତଵାର,ଶନୈଶ୍ଚରଵାର ଓ ପଙ୍ଗୁଵାର କହିଥାନ୍ତି । ଭାରତୀୟ ଜ୍ୟୋତିଷଶାସ୍ତ୍ରାନୁସାରେ ରଵି,ମଙ୍ଗଳ,ବୃହସ୍ପତି ଓ ଶନି ପୁରୁଷଗୁଣଯୁକ୍ତ ଵାର ହୋଇଥିଵାବେଳେ ସୋମ,ବୁଧ ଓ ଶୁକ୍ର ସ୍ତ୍ରୀଗୁଣପ୍ରଧାନ ବାର ଏଵଂ ମଙ୍ଗଳ ଓ ଶୁକ୍ରକୁ କୁଳଵାର ଭାବେ ଵିଵେଚିତ କରାଯାଏ । 

ପୃଥିଵୀରେ ସୋମ,ମଙ୍ଗଳ,ବୁଧ,ଗୁରୁ,ଶୁକ୍ର,ଶନି ଓ ରଵି ଇତ୍ୟାଦି ସାତ ଦିନରେ ସାତଗୋଟି ଵାରର କଳ୍ପନା କରାଯାଇଛି। ପ୍ରାଚୀନ ଭାରତୀୟମାନେ ଖାଲି ଆଖିରେ ଦୃଶ୍ୟ ହେଉଥିଵା ପାଞ୍ଚୋଟି ଗ୍ରହ, ଗୋଟିଏ ଉପଗ୍ରହ ତଥା ଏକ ନକ୍ଷତ୍ରର ନାମକୁ ନେଇ ସାତଗୋଟି ଵାରର ନାମକରଣ କରିଥିଲେ ‌। ୟୁରୋପୀୟମାନେ ବି ଏହି ପ୍ରଣାଳୀରେ ସାତଗୋଟି ଵାରର ନାମକରଣ କରିଛନ୍ତି ‌। 

ସୋମଵାରକୁ ଇଂରାଜୀ ଭାଷାରେ Monday କୁହାଯାଏ ଏଵଂ ଏ ଶବ୍ଦରେ ଯେଉଁ mon ଅଛି ତାହା ଚନ୍ଦ୍ର ଅର୍ଥଜ moon ଶବ୍ଦ ସହିତ ସମୋଦ୍ଧୃତ ଅଟେ । ପ୍ରାଚୀନ ଇଂରାଜୀ ଭାଷାରେ ଏହି Monday ଶବ୍ଦଟି mōnandæġ (“ଚନ୍ଦ୍ରଙ୍କ ଦିନ”) ଏଵଂ ଇଂରାଜୀ ଯେଉଁ ପ୍ରାକ୍ ପଶ୍ଚିମ ଜର୍ମାନିକ ଭାଷାରୁ ସୃଷ୍ଟି ହୋଇଛି ତହିଁରେ ସୋମଵାରକୁ *mānini dag କୁହାଯାଉଥିଲା । ଜର୍ମାନିକ ଲୋକେ ଚନ୍ଦ୍ରର ଅଧିଷ୍ଠାତା ଦେଵଙ୍କୁ mānini,Máni ଓ Manan କହୁଥିଲେ ଏଵଂ ତାଙ୍କ ନାମରେ ସୋମଵାରର ନାମକରଣ କରିଥିଲେ ।‌ ଲାଟିନ ଭାଷାରେ ବି ଆଗେ ସୋମଵାରକୁ diēs Lūnae କୁ଼ହାଯାଉଥିଲା ଯହିଁରେ Lūnaeର ଅର୍ଥ ସୋମ ଵା ଚନ୍ଦ୍ର ଅଟଇ ।‌

ଇଂରାଜୀ ଭାଷାରେ ମଙ୍ଗଳଵାରକୁ Tuesday କୁହାଯାଏ ଏଵଂ ଏହାର ମଧ୍ୟଯୁଗୀୟ ରୂପ Tewesday ତଥା ପ୍ରାଚୀନ ଇଂରାଜୀ ରୂପ tīwesdæġ (“ମଙ୍ଗଳଵାର”) ଥିଲା ।‌ ପ୍ରାଚୀନ ଜର୍ମାନିକ୍ ଭାଷାରେ ମଙ୍ଗଳଵାରକୁ *Tīwas dag କୁ଼ହାଯାଉଥିଲା ଯାହାର ଆକ୍ଷରିକ ଅର୍ଥ “Tiwଙ୍କ ଦିନ ଅଟେ । Tiw ହେଉଛନ୍ତି ଜର୍ମାନିକ ଓ ନୋର୍ସ୍ ପୁରାଣଗାଥାର ଜଣେ ଦେଵତା Týr ଯେକି ମଙ୍ଗଳଗ୍ରହର ଅଧିଷ୍ଠାତା ଦେଵ ଅଟନ୍ତି ।‌ Týrଙ୍କୁ ଯୁଦ୍ଧର ଦେଵତା ବି ଅଭିହିତ କରାଯାଏ । Týrଙ୍କୁ ପ୍ରାଚୀନ ଇଂରାଜୀରେ Tiw କୁ଼ହାଯାଉଥିଲା ଯାହା ପରେ tue ହୋଇଅଛି । ମଜାକଥା ହେଲା ଏହି Tiw,Týr ଓ tue ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଆମ ଭାରତର ଦେଵ,ଦେଓ ଶବ୍ଦ ସହିତ ରହିଛି ଅର୍ଥାତ୍ ଏ ସମସ୍ତ ଶବ୍ଦର ଗୋଟିଏ ମୂଳ ଭାରୋପୀୟ ଶବ୍ଦରୂପ ବହୁତ ପୂର୍ଵେ ପ୍ରଚଳିତ ଥିଲା । ସେହିପରି ଲାଟିନ୍ ଭାଷାରେ ବି ମଙ୍ଗଳଵାରକୁ diēs Mārtis କୁ଼ହାଯାଉଥିଲା ଯହିଁରେ Mārtis ହେଉଛି ମଙ୍ଗଳ ଅର୍ଥରେ ଵ୍ୟଵହୃତ ହେଉଥିଵା mars ଶବ୍ଦର ଏକ ରୂପ ‌। 


ବୁଧଵାରକୁ ଇଂରାଜୀ ଭାଷାରେ Wednesday କୁହାଯାଏ ଏଵଂ ଏହି ଶବ୍ଦର ପ୍ରାଚୀନ ଇଂରାଜୀ ରୂପ wēdnesdæġ(wēdneଙ୍କ ଵାର ଵା ଦିନ) ଥିଲା । ଏହି Wednesdayରେ ଯେଉଁ wēdne ଅଛି ତାହା ପ୍ରାଚୀନ ଜର୍ମାନିକ୍ ଦେଵତା Woden ତଥା ନୋର୍ସ ଦେଵତା Odinଙ୍କର ପ୍ରାଚୀନ ଇଂରାଜୀ ନାମ ଅଟେ । ଅର୍ଥାତ୍ ଜର୍ମାନିକ ଲୋକେ ନିଜର ସର୍ଵପିତା ସର୍ଵୋଚ୍ଚ ଭଗଵାନ Woden ଵା Odin ଙ୍କ ନାମାନୁସାରେ ବୁଧଵାରର ନାମକରଣ କରିଥିଲେ । ଜର୍ମାନିକ ଦେଵତା Odin ଵା Wodenଙ୍କର ରୋମାନ୍ ଦେଵତା Mercuryଙ୍କ ସହିତ ଅନେକ ସମାନତା ରହିଛି ।‌ ଯେମିତିକି ରୋମାନମାନେ ଵିଶ୍ଵାସ କରନ୍ତି ଯେ Mercury ରୋମାନ୍ ଲିପିର ସୃଷ୍ଟିକର୍ତ୍ତା ସେହିପରି ଜର୍ମାନିକ ଲୋକେ ଵିଶ୍ଵାସ କରୁଥିଲେ ଯେ ଓଡି଼ନ୍ runic ଲିପିର ଉଦ୍ଭାଵକ । Mercury ଓ odin ଉଭୟଙ୍କୁ ଦାଢ଼ି ଦ୍ଵାରା ଚିତ୍ରିତ କରାଯାଏ ।‌ ଉଭୟ Mercury ଓ odin ନିଜ ଇଚ୍ଛା ଅନୁସାରେ ଵିଭିନ୍ନ ରୂପ ଧାରଣ କରିପାରନ୍ତି ଏଵଂ ସେମାନେ ମାୟାଵୀ ତଥା ଯାଦୁଵିଦ୍ୟାରେ ଧୁରନ୍ଧର ବୋଲି ଵିଭିନ୍ନ କାହାଣୀ ରହିଛି । Mercury ଓ odin ଉଭୟେ ଜ୍ଞାନ ଓ ବୁଦ୍ଧିର ଦେଵତା ।‌ ଦୁଇ ଦେଵତାଙ୍କ ଗୁଣ ମଧ୍ୟରେ ଏହିପରି ଆହୁରି ଅନେକ ସମାନତା ରହିଛି ।‌ ଅଵଶ୍ୟ ବୁଧ ଗ୍ରହର ନୋର୍ସ ଅଧିଷ୍ଠାତା ଦେଵ ହେଉଛନ୍ତି Loki କିନ୍ତୁ odinଙ୍କର ମରକ୍ୟୁରୀଙ୍କ ସହିତ ସାମଞ୍ଜସ୍ୟ ଥିଵାରୁ ତାଙ୍କ ନାମାନୁସାରେ ବୁଧଗ୍ରହର ଜର୍ମାନିକ ନାମକରଣ ହୋଇଥିଲା । Odin,hermes ଓ Mercuryଙ୍କ ପରି ଭାରତରେ ବୁଧଗ୍ରହର ଅଧିଷ୍ଠାତା ଦେଵତା 'ବୁଧ' ମଧ୍ୟ ଜ୍ଞାନୀ ଥିଵା ଜଣାଯାଏ । ବୁଧ ଶବ୍ଦକୁ ବୁଧ୍ ଧାତୁରୁ ଜାଣିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ଏଵଂ ବୁଧ ଶବ୍ଦର ଅନ୍ୟ ଏକ ଅର୍ଥ ଜ୍ଞାନୀ ଅଟେ । ତେବେ ଗ୍ରୀକ୍ ଦେଵତା ହର୍ମିସ୍ ଓ ରୋମାନ୍ ଦେଵତା ମରକ୍ୟୁରୀ 
ଉଭୟେ ବୁଧଗ୍ରହର ଅଧିଷ୍ଠାତା ଦେଵ ଅଟନ୍ତି ଏଵଂ ମରକ୍ୟୁରୀଙ୍କ ନାମାନୁସାରେ ଲାଟିନରେ ବୁଧଵାରର ନାମ diēs Mercuriī (“Mercuryଙ୍କ ଵାର”) ରଖାଯାଇଥିଲା । 

ଗୁରୁଵାରକୁ ଇଂରାଜୀ ଭାଷାରେ Thursday କୁହାଯାଏ ଏଵଂ ପ୍ରାଚୀନ ଇଂରାଜୀ ଭାଷାରେ ଏହା þurresdæġ (“Thurଙ୍କ ଦିନ") ରୂପରେ ପ୍ରଚଳିତ ଥିଲା । Thursday ଶବ୍ଦରେ ଯେଉଁ Thur ଶବ୍ଦ ଅଛି ତାହା ଜଣେ ପ୍ରାଚୀନ ଜର୍ମାନିକ୍ ଦେଵତାଙ୍କର ନାମ ଅଟେ । ପ୍ରାଚୀନ ଜର୍ମାନିକ୍ ଲୋକମାନଙ୍କର ଏହି ଦେଵତାଙ୍କର Thunor, Donar,thur ଓ thor ଆଦି ଅନେକ ନାମ ରହିଛି ଏଵଂ ସେ ଵିଜୁଳି ତଥା ବୃହସ୍ପତି ଗ୍ରହର ଅଧିଷ୍ଠାତା ଦେଵତା ଭାବରେ ଜଣାଶୁଣା । ଲାଟିନ ଭାଷାରେ ଗୁରୁଵାରକୁ diēs Jovis କୁ଼ହାଯାଉଥିଲା ଯାହାର ଆକ୍ଷରିକ ଅର୍ଥ Jovisଙ୍କ ଵାର ଵା ଦିନ ଅଟେ । ଜର୍ମାନିକ ଭଗଵାନ thorଙ୍କ ଭଳି Jovis ବି ବୃହସ୍ପତି ଗ୍ରହ ତଥା ଵିଜୁଳିର ରୋମାନ୍ ଅଧିଷ୍ଠାତା ଦେଵ ଅଟନ୍ତି । ପ୍ରକୃତରେ Jovis ନାମଟି ରୋମାନ୍ ଭଗଵାନ Jupiterଙ୍କର ଅନ୍ୟନାମ ଅଟେ । 

ଇଂରାଜୀ ଭାଷାରେ ଶୁକ୍ରଵାରକୁ Friday କୁହାଯାଏ ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ frīġedæġ(frīġeଙ୍କ ଦିନ) ଥିଲା ।
ଜର୍ମାନିକ ଲୋକେfrīġe, Frījā, Freyjaଓ Frigg ନାମରେ ଜନୈକା ଦେଵୀଙ୍କର ଆରାଧନା କରୁଥିଲେ ଏଵଂ ଏହି ଦେଵୀଙ୍କ ନାମାନୁସାରେ ଇଂରାଜୀ ଭାଷାରେ ଶୁକ୍ରଵାରର friday ନାମକରଣ କରାଯାଇଛି । ନୋର୍ସ ଦେଵୀ Freyja ଵା Frigg ପ୍ରେମ ତଥା ଶୁକ୍ର ଗ୍ରହର ଅଧିଷ୍ଠାତ୍ରୀ ଦେଵୀ ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ ଆମ ଭାରତୀୟ ପ୍ରିୟା(ପତ୍ନୀ) ଶବ୍ଦ ସହିତ ଜର୍ମାନିକ ଶବ୍ଦ Friggର ସଗୋତ୍ରୀୟ ସମ୍ପର୍କ ଅଛି । ତେବେ ଲାଟିନ ଭାଷାରେ ଶୁକ୍ରଵାରକୁ diēs Veneris(venusଙ୍କ ଦିନ) କୁ଼ହାଯାଉଥିଲା ଏଵଂ Veneris ହେଉଛି ରୋମାନ୍ ଦେଵୀ venusଙ୍କର ଅନ୍ୟନାମ । ନୋର୍ସ ଦେଵୀ Freyja ଵା Friggଙ୍କ ପରି ରୋମାନ୍ ଦେଵୀ Venus ମଧ୍ୟ ଶୁକ୍ରଗ୍ରହ,ସୌନ୍ଦର୍ଯ୍ୟ ଓ ପ୍ରେମର ଅଧିଷ୍ଠାତ୍ରୀ ଦେଵୀ ଅଟନ୍ତି । 

ଶନିଵାରକୁ ଇଂରାଜୀ ଭାଷାରେ Saturday କୁହାଯାଏ ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ sæternesdæġ (“sæterneଙ୍କ‌ ଦିନ”) ଅଟେ । sæterne ଶବ୍ଦଟି ରୋମାନ୍ ଶବ୍ଦ Sāturnusରୁ ଗୃହୀତ ହୋଇଛି । ସେହିପରି ଲାଟିନ୍ ଭାଷାରେ ଶନିଵାରକୁ dies Saturni କୁହାଯାଉଥିଲା । Saturn କୃଷି,ପ୍ରଳୟ,ସମୟ,ନଵସୃଷ୍ଟି,ଧନ,ମୁକ୍ତି ତଥା ଶନିଗ୍ରହର ରୋମାନ୍ ଅଧିଷ୍ଠାତା ଦେଵତା ଅଟନ୍ତି । ଏହି Saturnଙ୍କ ନାମାନୁସାରେ ଶନିଵାରର ଇଂରାଜୀ ନାମକରଣ କରାଯାଇଛି । 

ଇଂରାଜୀ ଭାଷାରେ ରଵିଵାରକୁ Sunday କୁହାଯାଏ ଏଵଂ ଏହା ସ୍ପଷ୍ଟ ଯେ sun ଵା ସୂର୍ଯ୍ୟଙ୍କ ନାମାନୁସାରେ ରଵିଵାରର ଇଂରାଜୀ ନାମକରଣ ହୋଇଥିଲା । ସାରା ପୃଥିଵୀର ଅନେକ ସଂସ୍କୃତିରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କୁ ପୁରୁଷ ଅଭିହିତ କରାଯାଇଥିଵା ବେଳେ ଜର୍ମାନିକ ଲୋକଗାଥାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ Máni ତଥା Sól ନାମରେ ମହିଳା ଭାବରେ ଵିଵେଚିତ କରାଯାଇଥିଲା । ଜର୍ମାନିକ ପୁରାଣଗାଥା ଅନୁସାରେ Máni ଓ Sól ଦୁଇ ଭଉଣୀ ଏଵଂ ଉଭୟେ ଏ ସଂସାରକୁ ଆଲୋକ ପ୍ରଦାନ କରୁଛନ୍ତି। ଏହି ଜର୍ମାନିକ୍ ଦେଵୀ Sólଙ୍କ ନାମାନୁସାରେ ରଵିଵାରର ଇଂରାଜୀ ନାମକରଣ Sunday ହୋଇଛି ‌। ପୂର୍ଵେ ଇଂରାଜୀ ଭାଷାରେ ସୂର୍ଯ୍ୟର ଅଧିଷ୍ଠାତ୍ରୀ ଦେଵୀ Sólଙ୍କୁ sonne ଓ sunne କୁହାଯାଉଥିଲା ଯାହା ପରଵର୍ତ୍ତୀ କାଳରେ sun ହୋଇଅଛି । ରୋମାନମାନେ ରଵିଵାରକୁ diēs Sōlis କହୁଥିଲେ । ରୋମାନ୍ Sōlis ଵା sol କିନ୍ତୁ  
ଜଣେ ରୋମ୍ ଦେଵ ଥିଲେ(ଗ୍ରୀକ୍ ଦେଵତା Apolo ସୂର୍ଯ୍ୟର ଅଧିଷ୍ଠାତା ଦେଵ ଅଟନ୍ତି)। ଏହି sol ଦେଵତାଙ୍କର ଏକ ପର୍ଵ ଆଜକୁ ଦି ସହସ୍ରାଧିକ ଵର୍ଷ ତଳେ ରୋମରେ ପାଳିତ ହେଉଥିଲା ଏଵଂ ପ୍ରକୃତରେ ତାହା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସହିତ ସମ୍ବନ୍ଧିତ ପର୍ଵ ଥିଲା । ପ୍ରାୟ ୨୦୦୦ ଵର୍ଷ ତଳେ ୨୫ ଡିସେମ୍ବରରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିଲା ଏଵଂ ସେହି ସମୟରେ ଭାରତରେ ମକର ସଂକ୍ରାନ୍ତି ମଧ୍ୟ ପାଳିତ ହେଉଥିଲା ।‌ ପ୍ରତି ଅଶି ଵର୍ଷରେ ସଂକ୍ରାନ୍ତି ଗୋଟିଏ ଗୋଟିଏ ଦିନ ଘୁଞ୍ଚି ଘୁଞ୍ଚି ଯାଏ ଫଳତଃ ଆଜି ୧୪-୧୫ ଜାନୁଆରୀରେ ମକର ସଂକ୍ରାନ୍ତି ପାଳିତ ହେଉଛି । ସେ ଯାହାହେଉ ରୋମାନ ଦେଵତା solଙ୍କର ସେହି ପର୍ଵକୁ ପରେ ଖ୍ରୀଷ୍ଟିଆନମାନେ ଜିଶୁଙ୍କ ଜନ୍ମଦିନ ଭାବେ Christmas ନାମରେ ପାଳନ କରୁଅଛନ୍ତି । 



ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଯେମିତି ଆମ ଭାରତରେ ସୌରମଣ୍ଡଳର ଦୃଶ୍ୟ ଗ୍ରହ ଉପଗ୍ରହ ଓ ସୂର୍ଯ୍ୟ ତଥା ଏଗୁଡ଼ିକର ଅଧିଷ୍ଠାତା ଦେଵତାଙ୍କ ନାମାନୁସାରେ ଵାରଗୁଡି଼କର ନାମକରଣ ହୋଇଛି ଠିକ୍ ସେହିପରି ୟୁରୋପୀୟମାନେ ମଧ୍ୟ ନିଜ ଵାରଗୁଡି଼କର ନାମକରଣ କରିଥିଲେ । ତେବେ ୟୁରୋପର ମୂଳ ସଂସ୍କୃତି ଆଜି ଲୋପ ପାଇଛି ଏଵଂ ସେହି ସଂସ୍କୃତିର ଶଵ ଏହି ଵାରଗୁଡି଼କର ନାମ ଭଳି କିଛି ସାଂସ୍କୃତିକ ଶବ୍ଦ ମଧ୍ୟରେ ପଡ଼ିରହିଛି ।‌ 

ଭାରତୀୟମାନେ ଏବେ ବି ନିଜ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ତେଣୁ ସେମାନେ ଭଲ ଭାବରେ ଜାଣନ୍ତି ଯେ କେଉଁ ଗ୍ରହ , ଉପଗ୍ରହ ଓ ନକ୍ଷତ୍ରର ଅଧିଷ୍ଠାତା ଦେଵତା କିଏ କିନ୍ତୁ ଅଧିକାଂଶ ୟୁରୋପୀୟ ନିଜ ମୂଳ ସଂସ୍କୃତିକୁ ତ୍ୟାଗକରିଦେଇ ଥିଵାରୁ ସେମାନେ ନିଜ ଭାଷାରେ ପ୍ରଚଳିତ ଵାରଗୁଡି଼କର ନାମ ପଛରେ ଥିଵା ସାଂସ୍କୃତିକ ପକ୍ଷଟି ଵିଷୟରେ ଜାଣିନଥାନ୍ତି । ଏହା ହିଁ ସଂସାରର ନିୟମ ,ପରର ସଂସ୍କୃତି ଗ୍ରହଣ କଲେ ନିଜର ସଂସ୍କୃତି ଲୋପ ପାଇଯାଏ !!!

Saturday, May 6, 2023

●ଲୋକଗାଥାର ନାୟକ : ଅଗସ୍ତ୍ୟ ନକ୍ଷତ୍ର●

ସ୍ପେନ ଦେଶର ଜଣେ ଜ୍ୟୋତିର୍ବିଜ୍ଞାନୀ ତଥା ଗଣିତଜ୍ଞ ଇବ୍ନ୍ ରସଦ୍ ୧୧୫୩ ମସିହାରେ ମାରାକେଶଠାରେ ‌ଗୋଟିଏ ଅତି ଉଜ୍ଜଳ ନକ୍ଷତ୍ରକୁ ଦେଖିଥିଲେ ଏଵଂ ନିଜ ଦେଶକୁ ଫେରିଵା ପଥରେ ଏହାର ଗତି ଉପରେ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏହି ତାରକାଟି ଇବ୍ନ୍ ରସଦ୍ ନିଜ ଜନ୍ମଭୂମି ସ୍ପେନର କର୍ଡୋବା(Córdoba) ପର୍ଯ୍ଯନ୍ତ ପହଞ୍ଚିଲାବେଳକୁ ରାତ୍ରି ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା । ଫଳତଃ ସେ ଏହି ପର୍ଯ୍ୟଵେକ୍ଷଣକୁ ଵ୍ୟଵହାର କରି ଆରିଷ୍ଟଟଲଙ୍କ ଦାବି ସପକ୍ଷରେ ଯୁକ୍ତି କରି କହିଥିଲେ ଯେ ପୃଥିଵୀ ସମତଳ ନୁହେଁ ଵରଂ ଗୋଲାକାର ଅଟେ । ଇବ୍ନ୍ ରସଦ୍ ଆଧୁନିକ ମରକ୍କୋ ଦେଶର ମାରାକେଶ ନଗରଠାରେ ଯେଉଁ ନକ୍ଷତ୍ରଟିକୁ ପ୍ରଥମେ ଦେଖିଥିଲେ ସେହି ନକ୍ଷତ୍ରଟି ଆମର ଅତି ପରିଚିତ ଦକ୍ଷିଣ ଆକାଶର ତାରକା 'ଅଗସ୍ତ୍ୟ' ଅଟେ । 'ଅଗସ୍ତ୍ୟ' ଦକ୍ଷିଣ ଗୋଲାର୍ଦ୍ଧର ତାରକା ହୋଇଥିଵାରୁ ଅତି ଉତ୍ତରରେ ଥିଵା ଦେଶଗୁଡି଼କରେ ଏହି ନକ୍ଷତ୍ର ଦୃଶ୍ୟ ହୁଏ ନାହିଁ । ଏହି କାରଣରୁ 
ଜ୍ୟୋତିର୍ଵିଜ୍ଞାନୀ ଇବ୍ନ୍ ରସଦ୍ ଏହି ଅଗସ୍ତ୍ୟ ତାରକାକୁ ସ୍ପେନରେ ଦେଖିପାରିନଥିଲେ ।

ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରେ ଦୃଶ୍ୟ ହେଉଥିଵା ୫୮ଟି ସବୁଠାରୁ ଉଜ୍ଵଳ ନକ୍ଷତ୍ରଗୁଡି଼କ ମଧ୍ୟରେ ଦ୍ଵିତୀୟ ଉଜ୍ଵଳତମ ତାରକା ଅଟେ । ଫଳରେ ଏହି ନକ୍ଷତ୍ର ସମ୍ବନ୍ଧରେ ଵିଭିନ୍ନ ଦେଶରେ ନାନା ଲୋକଗାଥା କାହାଣୀ ପ୍ରଚଳିତ ଅଛି । 

ନ୍ୟୁଜିଲାଣ୍ଡର ପ୍ରାଚୀନ ମାଓରୀ ଜନଜାତି ଅଗସ୍ତ୍ୟ ନକ୍ଷତ୍ରକୁ Atutahi କହୁଥିଲେ ଏଵଂ ଏହା ସେମାନଙ୍କ ପାଇଁ ସବୁଠାରୁ 'Tapu' ଵା ପଵିତ୍ର ନକ୍ଷତ୍ର ଥିଲା । ମାଓରୀ ଜନଜାତିର ଲୋକେ ଆଦ୍ରାଵଳି ନକ୍ଷତ୍ରପୁଞ୍ଜର ଅନ୍ୟତମ ତାରକା Rigel (Puanga) ତଥା ଅଗସ୍ତ୍ୟ ନକ୍ଷତ୍ରକୁ ପୂର୍ଵ ଆକାଶରେ ଦେଖିଲେ ଶୁଭ ଵିଚାର କରୁଥିଲେ । ଏହାପରେ ସେମାନେ 'କୁମାରା' ନାମକ ମାଟିଆଳୁ ଲଗାଇ ଚାଷକାର୍ଯ୍ୟ ଆରମ୍ଭ କରୁଥିଲେ । ମାଓରୀ ପୁରାଣଗାଥାରେ Atutahi ଵା ଅଗସ୍ତ୍ୟ ନକ୍ଷତ୍ର ସମ୍ପର୍କିତ ଦୁଇଗୋଟି କାହାଣୀ ରହିଛି । ଗୋଟିଏ କାହାଣୀ ଅନୁସାରେ ଜଙ୍ଗଲ ଓ ପକ୍ଷୀମାନଙ୍କର ଦେଵତା Tane ଯେତେବେଳେ ମହାକାଶରେ ତାରାଗୁଡ଼ିକୁ ନେଇ ନିଜର ଟୋକେଇ(Milky way ଛାୟାପଥ) ବୁଣୁଥିଲେ ସେତେବେଳେ ଏହି Atutahi ଵା ଅଗସ୍ତ୍ୟ ତାରକାଟି ତହିଁରୁ ବାହାରେ ବଳକା ରହିଯାଇଥିଲା । Atutahi ଵା ଅଗସ୍ତ୍ୟ ନକ୍ଷତ୍ରକୁ ନେଇ ମାଓରୀ ଜନଜାତୀୟ ଲୋକଙ୍କର ଅନ୍ୟ ଏକ କଥା ବି ଅଛି । ମାଓରୀ ଲୋକଗାଥା ଅନୁସାରେ Rangi ଓ Papa ହେଉଛନ୍ତି ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପ୍ରଥମ ଦମ୍ପତି । ଏହି ଦୁଇଜଣ ସମସ୍ତ ଜୀଵ, ନକ୍ଷତ୍ର ସୃଷ୍ଟି କରିଛନ୍ତି । ଯେତେବେଳେ ବଡ଼ଦେଵତା Rangi ଆକାଶରେ Milky way ଛାୟାପଥ ଗଢି଼ଲେ ସେ ସେତେବେଳେ ତହିଁରେ Atutahiକୁ ରହିଵାକୁ ନିର୍ଦ୍ଦଶ ଦେଲେ କିନ୍ତୁ ସେ ତାହା ଅଗ୍ରାହ୍ୟ କରିଦେଲେ ଫଳତଃ ସେଇ ଦିନଠାରୁ ତାକୁ ପରିଵାରରୁ ବାସନ୍ଦ କରିଦିଆଗଲା । 

ଆମେରିକାର ପଶ୍ଚିମରେ ଅଵସ୍ଥିତ ହୱାଇ ଦ୍ଵୀପର ଅଧିଵାସୀ ଅଗସ୍ତ୍ୟ ନକ୍ଷତ୍ରକୁ "Ke Alii-o-kona-i-ka-lewa" ନାମ ଦେଇଛନ୍ତି ଯାହାର ଆକ୍ଷରିକ ଅର୍ଥ "ଦକ୍ଷିଣାଞ୍ଚଳ(ସମୁଦ୍ର)ର ମୁଖିଆ" ଅଟେ ।‌ ହୱାଇ ଦ୍ଵୀପର ଲୋକକଥା ଅନୁସାରେ Hawai’iloa ବୋଲି ଜଣେ ସମୁଦ୍ର ଯାତ୍ରୀ ହୱାଇ ଦ୍ଵୀପରେ ବାଟବଣା ହୋଇ ପହଞ୍ଚିଥିଲେ ଏଵଂ ଏ ଦ୍ଵୀପକୁ ଵାସୋପଯୋଗୀ ଜାଣି ପୁଣି ନିଜ ଦେଶକୁ ଫରି ଯାଇ ନିଜ ପରିଵାରକୁ ଏଠାକୁ ନେଇ ଆସିଥିଲେ । ସେ ଯିଵା ଆସିଵା ସମୟରେ ଯେଉଁ ତାରକାର ସାହାଯ୍ୟ ନେଇଥିଲେ ସେଇ ତାରକାଟି ଅଗସ୍ତ୍ୟ ଥିଲା । ପରେ ହୱାଇ ଦ୍ଵୀପର ନାମକରଣ ଏହି Hawai’iloaଙ୍କ ନାମରେ ହୋଇଥିଲା । ପୋଲିନେସିଅନ୍ ଓ ଅଷ୍ଟ୍ରେଲିଆର ଆଦିମ ଅଧିଵାସୀମାନେ ମଧ୍ୟ ଅଗସ୍ତ୍ୟ ନକ୍ଷତ୍ରକୁ ସମୁଦ୍ର ଯାତ୍ରା ସମୟରେ ଦିଗ ନିର୍ଣ୍ଣୟ ପାଇଁ ଵ୍ୟଵହାର କରୁଥିଵା ଜଣାଯାଏ । 

ଅଷ୍ଟ୍ରେଲିଆର ପ୍ରାଚୀନ ଜନଜାତୀୟ ଲୋକେ ଅଗସ୍ତ୍ୟ ନକ୍ଷତ୍ରକୁ waa ତଥା war କହୁଥିଲେ ଯାହାର ଆକ୍ଷରିକ ଅର୍ଥ କୁଆ ଵା କାଉ ଅଟେ । ୟୁରୋପୀୟମାନେ Carina, puppies ଓ vela ତାରକାପୁଞ୍ଜଗୁଡ଼ିକୁ ଏକତ୍ର କରି Argo Navis ନାମ ଦେଇଥିଲେ କାରଣ ଏମାନଙ୍କୁ ଏକତ୍ର ଦେଖିଲେ ବଡ଼ ବୋଇତ ଭଳି ପ୍ରତିଭାତ ହୋଇଥାଏ । ତେବେ ଅଷ୍ଟ୍ରେଲିଆର ପ୍ରାଚୀନ ଜନଜାତୀୟ ଲୋକେ ଏହାକୁ ଏକ ବଡ଼ ପକ୍ଷୀ ବୋଲି ଅନୁମାନ କରିଥିଲେ ଏଵଂ ଏହାର ସବୁଠାରୁ ଉଜ୍ଵଳତମ ତାରକା ଅଗସ୍ତ୍ୟର ନାମ ତାଙ୍କ ଭାଷାରେ war ଵା waa ଦେଇଥିଲେ । ଅଷ୍ଟ୍ରେଲିଆର Pirt-Kopan-noot ଜନଜାତିର ଲୋକମାନଙ୍କର ଏକ ଜନସୃତି ଅନୁସାରେ waa(ଅଗସ୍ତ୍ୟ ଵା Argo Navis) ଜଣେ ରାଣୀ Gneeanggarଙ୍କୁ ଭଲ ପାଇ ବସିଲା (Sirius ଵା Canis major)କୁ ଭଲ ପାଇ ବସିଲା । ହେଲେ ସେ ରାଣୀ ଏଥିରେ ରାଜି ହେଲା ନାହିଁ ଏଵଂ ନିଜର ଛଅଜଣ ଅନୁଚର(କୃତିକାପୁଞ୍ଜ ଵା Pleides) ସହିତ ରହିଵାକୁ ଉଚିତ୍ ମଣିଲା । ଏହା ଦେଖି waa ଗୋଟିଏ ପୋକରେ ପରିଣତ ହୋଇଗଲା । ଯେତେବେଳେ ପୋକକୁ ଉତ୍ସୁକତା ଯୋଗୁଁ Gneeanggar ରାଣୀ ଦେଖିଵାକୁ ଗଲା waa ଏକ ଵିଶାଳ ପକ୍ଷୀରେ ପରିଵର୍ତ୍ତିତ ହୋଇ ତାକୁ ନିଜ ସହିତ ନେଇଗଲା । ସମ୍ଭଵତଃ ଅଷ୍ଟ୍ରେଲିଆର ଆଦିମ ଜନଜାତିମାନଙ୍କର ଏ କାହାଣୀରୁ ଅନୁମାନ କରାଯାଇପାରେ ଯେ ଆଗେ Sirius ଵା ପ୍ରଶ୍ଵା ନକ୍ଷତ୍ର କୃତ୍ତିକାପୁଞ୍ଜ ନିକଟରେ ଥିଲା କିନ୍ତୁ ପରେ ତାହା carina ନକ୍ଷତ୍ରପୁଞ୍ଜର ନିକଟତର ହୋଇଥିଲା । 

ଚୀନ ଦେଶରେ ଅଗସ୍ତ୍ୟ ନକ୍ଷତ୍ରକୁ 老人星(ବୃଦ୍ଧ ଲୋକର ତାରକା) ଵା 南極老人星(ଦକ୍ଷିଣ ଧ୍ରୁଵର ବୃଢ଼ା ଲୋକ) ଅଭିହିତ କରାଯାଏ । ଏ ଵିଷୟରେ ଚୀନ ଦେଶରେ ଏକ ଲୋକକଥା ପ୍ରଚଳିତ । ଚୀନ ଦେଶର ଉକ୍ତ ଲୋକକଥା ଅନୁସାରେ ବହୁତ ପୂର୍ଵେ Zhao Yen ନାମକ ଜଣେ କୃଶକାୟ ରୋଗିଣା କିଶୋର ଥିଲା ଯାହାର ୧୯ ଵର୍ଷ ମଧ୍ୟରେ ମୃତ୍ୟୁ ହୋଇଯିଵାର ଭଵିଷ୍ୟତଵାଣୀ ଜଣେ ସ୍ଥାନୀୟ ଜ୍ୟୋତିଷ କରିଥିଲେ ।‌ ତେଣୁ ଏଥିରୁ ରକ୍ଷା ପାଇଵା ପାଇଁ ସେହି ପତଳା ରୋଗିଣା କିଶୋର Zhao Yenକୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ଛଡ଼ା ଅନ୍ୟତ୍ର ଯିଵାକୁ ବାରଣ ହୋଇଥିଲା ।‌ ପୁଣି ତାକୁ ନିର୍ଦ୍ଦେଶ ଥିଲା ସେ ଯଦି କୁଆଡ଼େ ଯିଵ ତାହେଲେ ନିଜ ସହିତ ଏକ ମଦ୍ୟପାତ୍ର ଓ ପକ୍ଵମାଂସ ନେଇଯିଵ କାରଣ ତାହାର ଯୋଉ ଶାରୀରିକ ଅଵସ୍ଥା 
ଖାଦ୍ୟ ଵିନା ସେ ଗୋଟିଏ ଦିନ ବି ବଞ୍ଚିପାରିଵ ନାହିଁ । ସେ ଯୁଗରେ ବାଟଘାଟ ଆଜି ଭଳି ସୁରକ୍ଷିତ ନଥିଲା କି ସବୁଠିଁ ଭୋଜନାଳୟ ବି ନଥିଲା ।‌ କୌଣସି କାରଣରୁ ଦିନେ ସେ ତା ଘରଠାରୁ କିଛି ଦୂରରେ ଥିଵା ପଡି଼ଆକୁ ଯାଇଥିଲା ଏଵଂ ଗଲାବେଳେ ଜ୍ୟୋତିଷଙ୍କ ନିର୍ଦ୍ଦେଶାନୁସାରେ ଗୋଟିଏ ମଦ୍ୟପୂର୍ଣ୍ଣ ପାତ୍ର ତଥା ରନ୍ଧା ମାଂସ ନେଇ ଯାଇଥିଲା । ପଡି଼ଆରେ ପହଞ୍ଚିଵାକୁ ଖଣ୍ଡେ ଦୂର ଥିଲା କିନ୍ତୁ ଦୁର୍ଵଳ ରୋଗୀ Zhao Yen ବହୁତ ହାଲିଆ ହୋଇଯାଇଥିଲା ଏଵଂ ଖାଦ୍ୟ ଵିନା ତାହାର କୃଶକାୟ ଦୁର୍ଵଳ ଶରୀର ଧିରେ ଧିରେ ନିସ୍ତେଜ ଲାଗୁଥାଇ । ତେଣୁ ସେ ପଡି଼ଆରେ ପହଞ୍ଚି ପ୍ରଥମେ ଖାଇପିଇ ନିଜ କାର୍ଯ୍ୟ ସମ୍ପନ୍ନ କରିଵ ବୋଲି ମନରେ ଵିଚାର କରି କଷ୍ଟେମଷ୍ଟେ ଆଗେଇଗଲା । 
ପଡ଼ିଆରେ ପହଞ୍ଚି ସେ ଦେଖିଲା ଦୁଇଜଣ ଵୟସ୍କ ଲୋକ ସେଠାରେ ଏକ ଗଛ ମୂଳରେ ବସି ଚୀନ ଦେଶୀୟ checkers ଖେଳ ଖେଳୁଛନ୍ତି । ଗଛ ମୂଳରେ ବସିଥିଵା ଦୁଇଜଣ ଵୟସ୍କଙ୍କ ସମ୍ମୁଖରେ ସେ କେମିତି ଏକାକୀ ଖାଦ୍ୟ ଭକ୍ଷଣ କରିଵ ? ଏହା ତ ସେମାନଙ୍କ ପ୍ରତି ଘୋର ଅପମାନ ହେଵ ! ଏମନ୍ତ ବିଚାରି Zhao Yen ସେହି ଦୁଇଜଣ ବୃଦ୍ଧଙ୍କ ନିକଟକୁ ଗଲା ଏଵଂ ସେମାନଙ୍କୁ ମଦ୍ୟ ଓ ମାଂସ ଗ୍ରହଣ କରିଵାକୁ ଅନୁରୋଧ କଲା । ସେହି ଦୁଇଜଣ ବୃଦ୍ଧ ପ୍ରକୃତରେ ରାତ୍ରି ଆକାଶରେ ଦେଖାଯାଉଥିଵା ସପ୍ତର୍ଷିମଣ୍ଡଳର ଅଧିଷ୍ଠାତା ଦେଵ 'Beidou' ଓ ଧନୁରାଶିର ଛଅଗୋଟି ତାରକାକୁ ନେଇ କଳ୍ପିତ ଚୀନ ଦେଶୀୟ south dipper ନକ୍ଷତ୍ରପୁଞ୍ଜର ଅଧିଷ୍ଠାତା ଦେଵ 'Dǒu Xiù' ଥିଲେ । 

କିଶୋର Zhao Yenର ସଵିନୟ ଵଚନ ତଥା ଆନ୍ତରିକ ଅନୁରୋଧରେ ସନ୍ତୁଷ୍ଟ ହୋଇ ସେ ମନୁଷ୍ୟରୂପୀ ଦେଵଦ୍ଵୟ ଉକ୍ତ ଖାଦ୍ୟ ଗ୍ରହଣ କଲେ । ଏଣେ Zhao Yenର ଶରୀର ଖାଦ୍ୟ ଅଭାଵରୁ ଅସୁସ୍ଥ ହୋଇଗଲା କିନ୍ତୁ ସେ ଦୁଇଜଣ ବୃଦ୍ଧ ରୂପୀ ଦେଵତାମାନଙ୍କଠାରୁ ତାହା ଲୁଚାଇ ପଡ଼ିଆରେ ଯୋଉ କାମ କରିଵାକୁ ଆସିଥିଲା ସେ କାମରେ ଲାଗିପଡି଼ଲା । ହେଲେ କିଛି କ୍ଷଣ ପରେ ସେ ଶାରୀରିକ ଦୁର୍ଵଳତା ଯୋଗୁଁ ସଂଜ୍ଞା ହରାଇ ସେଠାରେ ପଡ଼ିଗଲା । ଦୁଇଜଣ ବୃଦ୍ଧ ରୂପୀ ଦେଵତା Zhao Yenର ଏଭଳି ଅଵସ୍ଥା ଦେଖି ତାକୁ ଟେକି ଆଣି ଗଛ ମୂଳରେ ଶୁଆଇ ଦେଲେ । କିଛି ସମୟ ପରସ୍ପର ସହିତ କଥାଵାର୍ତ୍ତା ହେଲାପରେ Zhao Yenକୁ ସେହି ଦେଵତାମାନେ ଦକ୍ଷିଣ ଗୋଲାର୍ଦ୍ଧର ଉଜ୍ଜ୍ୱଳ ନକ୍ଷତ୍ର ଅଗସ୍ତ୍ୟ କରିଦେଲେ । କିଶୋର Zhao Yen ଯିଏ ମାତ୍ର ୧୯ ଵର୍ଷରେ ମରି ଯାଇଥାନ୍ତା ସେ କୋଟି କୋଟି ଵର୍ଷ ଧରି ତାରକା ରୂପେ ପ୍ରତିଷ୍ଠିତ ହୋଇଗଲା ‌। ଚୀନ ଦେଶର ଏହି କାହାଣୀ ଦ୍ଵାରା ପ୍ରାଚୀନ ଚୀନର ଲୋକଙ୍କୁ ଵିନୟୀ,ଦୟାଳୁ ଏଵଂ ବୃଦ୍ଧମାନଙ୍କ ପ୍ରତି ସଦୟ ହେଵାର ଶିକ୍ଷା ପ୍ରଦାନ କରାଯାଉଥିଲା । 

ଗ୍ରୀକ୍ ଦେଶର ଲୋକେ ଅଗସ୍ତ୍ୟ ନକ୍ଷତ୍ରକୁ Canopus କହୁଥିଲେ ଅଵଶ୍ୟ ଗଵେଷକଙ୍କ ଅନୁସାରେ ଏହି ଶବ୍ଦଟି ମଶରୀୟ କିମ୍ବା ଆରବୀୟ ଭାଷା ମୂଳର ଶବ୍ଦ ହୋଇଥିଵା ସମ୍ଭଵ ଏଵଂ ଗ୍ରୀକମାନେ ଏହି ନାମକୁ ପରେ ଗ୍ରହଣ କରିଛନ୍ତି । ପ୍ରକୃତରେ ଗ୍ରୀସରୁ ଅଗସ୍ତ୍ୟ ନକ୍ଷତ୍ର ଦୃଶ୍ୟ ହୁଏନାହିଁ କିନ୍ତୁ ଉତ୍ତର ଆଫ୍ରିକାରେ ଏହି ନକ୍ଷତ୍ର ଦୃଶ୍ୟ ହୋଇଥାଏ । ଗ୍ରୀକ୍ ପୁରାଣଗାଥା ଅନୁସାରେ 
Atreus ଓ Aeropeଙ୍କ ପୁତ୍ର ତଥା 
Agamemnonଙ୍କର ଭାଇ Menelaus ଏକ ଗ୍ରୀକ୍ ନଗରରାଜ୍ୟ Myceneanର ରାଜା ଥିଲେ । ଏହି 
 Menelausଙ୍କ ପତ୍ନୀ Helenଙ୍କୁ ଟ୍ରୟନଗରର ରାଜପୁତ୍ର Paris ହରଣ କରିନେଵାରୁ ଗ୍ରୀକ ଦେଶର ସବୁ ନଗରରାଜ୍ୟର ରାଜାମାନେ ସମ୍ମିଳିତ ହୋଇ ଟ୍ରୟ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ ‌। ଟ୍ରୋଜାନ୍ ଯୁଦ୍ଧ ସମୟରେ Menelausଙ୍କର 
Canopus ଵା Canobus ବୋଲି ଜଣେ ଯୁଵ ନାଵିକ ଥିଲେ । ଟ୍ରୟଯୁଦ୍ଧ ପରେ  
 ଗ୍ରୀକ୍ ନଗରରାଜ୍ୟ Myceneanର ରାଜା Menelaus ନିଜ ଦେଶକୁ ଫେରୁଥିଵା ବେଳେ ମିଶରର ଏକ ବନ୍ଦରରେ କିଛି ଦିନ ପାଇଁ ଵିଶ୍ରାମ ନେଵାକୁ ଅଟକି ଯାଇଥିଲେ ‌। ତେବେ ତାଙ୍କ ନାଵିକ 
 Canopusଙ୍କୁ ଗୋଟିଏ ସର୍ପ ଦଂଶନ କରିଦେଲା ଫଳତଃ ତାଙ୍କର ମୃତ୍ୟୁ ଘଟିଥିଲା । ଯେଉଁ ବନ୍ଦର ନିକଟରେ Canopusଙ୍କର ମୃତ୍ୟୁ ହୋଇଥିଲା ସେହି ବନ୍ଦର ତଥା ତାଙ୍କ ମୃତ୍ୟୁ ସମୟରେ ଉଦୟ ହୋଇଥିଵା ଅଗସ୍ତ୍ୟ ତାରକାର ନାମକୁ Menelaus ନିଜ ମୃତ ନାଵିକର ନାମାନୁସାରେ Canopus ରଖିଥିଲେ ।‌ ଆମ୍ଭେମାନେ ଜାଣନ୍ତି ଯେ ଅଗସ୍ତ୍ୟ ନକ୍ଷତ୍ର ସନ୍ଧ୍ୟା ସମୟରେ ଦକ୍ଷିଣ ଆକାଶରେ ଉଦୟ ହୋଇଥାଏ ।

ଆରଵ ଦେଶରେ ଅଗସ୍ତ୍ୟ ନକ୍ଷତ୍ରକୁ ଆଗେ souhail କୁ଼ହାଯାଉଥିଲା ଏଵଂ ଆଜିକାଲି Wazn ଓ Haḍar ମଧ୍ୟ କୁହାଯାଉଛି ।‌ ଏକ ଆରବୀ ଲୋକକଥା ଅନୁସାରେ ବହୁତ ପୂର୍ଵେ ଆକାଶରେ ଦୁଇଜଣ ଭଉଣୀ Gomeisa (Canis minorର ତାରକା) ତଥା Sirius (Canis majorର ପ୍ରଶ୍ଵା ନକ୍ଷତ୍ର) ଓ ତାଙ୍କର ଏକ ସାନଭାଇ Canopus (ଅଗସ୍ତ୍ୟ) ତାରକା ଵିଦ୍ୟମାନ ଥିଲେ । ସେମାନେ ସବୁଦିନ ସୁଖରେ ଆକାଶରେ ମିଳିମିଶି ଵିଚରଣ କରୁଥିଲେ କିନ୍ତୁ ସାନଭାଇ souhail(Canopus/ଅଗସ୍ତ୍ୟ) ଦିନେ maiden Al Jauzah (Orion,ଆଦ୍ରାଵଳି ଵା କାଳପୁରୁଷ)କୁ ଦେଖି ସେହି ସୁନ୍ଦରୀ କନ୍ୟାର ରୂପରେ ମୋହିତ ହୋଇଗଲା । ବହୁ ଚେଷ୍ଟା ପରେ ସେହି କନ୍ୟାଟି souhailକୁ ବାହା ହେଵାକୁ ରାଜି ହେଲା କିନ୍ତୁ ବାହାଘର ପୂର୍ଵରୁ ଗୋଟିଏ ଅଘଟଣ ଘଟିଗଲା । କୌଣସି କାରଣରୁ souhail(ଅଗସ୍ତ୍ୟ ନକ୍ଷତ୍ର) ରାଗିଯାଇ maiden Al Jauzah(ଆଦ୍ରାଵଳି ଵା କାଳପୁରୁଷ) ଉପରକୁ ହାତ ଉଠାଇ ଦେଵାରୁ ତାହାର ମୃତ୍ୟୁ ହୋଇଗଲା ଫଳତଃ ଏହି ଘଟଣାରେ ମର୍ମାହତ ଓ ଦୁଃଖିତ ହୋଇ souhail ଵା ଅଗସ୍ତ୍ୟ ନକ୍ଷତ୍ର ସେ ସ୍ଥାନ ଛାଡ଼ି milkyway gallexy ରୂପ ନଦୀକୁ ପାର କରି ଦକ୍ଷିଣ ଦିଗକୁ ଚାଲିଗଲା । ସାନଭାଇକୁ ଉଣ୍ଡିଵାକୁ ତା ପଛରେ ତାହାର ବଡ଼ ଭଉଣୀ Sirius (ପ୍ରଶ୍ଵା) ବି ଦକ୍ଷିଣ ଦିଗକୁ ଗଲା ଏଵଂ ପଛରେ ରହିଗଲା ସାନ ଭଉଣୀ Gomeisa । ଦୁଇ ଭାଇଭଉଣୀଙ୍କୁ ହରାଇ Gomeisa ଆଖିରୁ ଲୁହ ଗଡ଼ାଇ ଧିରେ ଧିରେ କୃଶକାୟ ହୋଇଗଲା ଏଵଂ ଆକାଶରୁ ତାହାର ଉଜ୍ଜଳତା ହ୍ରାସ ଘଟିଲା । ଅନ୍ୟ ଏକ କଥା ଅନୁସାରେ souhail(ଅଗସ୍ତ୍ୟ ନକ୍ଷତ୍ର) ଯେତେବେଳେ ସୁନ୍ଦରୀ maiden Al Jauzah(ଆଦ୍ରାଵଳି)ର ରୂପରେ ମୋହିତ ହୋଇ ତାକୁ ଵିଵାହ ପ୍ରସ୍ତାଵ ଦେଲା ସେତେବେଳେ ସେ ସୁନ୍ଦରୀ କନ୍ୟାଟି ତାହା ଅଗ୍ରାହ୍ୟ କରିଦେଲା । souhail ତାକୁ ବାଧ୍ୟ କରିଵାରୁ ସୁନ୍ଦରୀ maiden Al Jauzah ଏଥିରେ କ୍ଷୁବ୍ଧ ହୋଇ ତାକୁ ଏମିତି ଏକ ଗୋଇଠା ମାରିଲା ଯେ ସେ ସିଧା ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଗଲା । 
ହଁ ! ଯେମିତି ଦେଶ ସେମିତି ସଂସ୍କୃତି ଆଉ ସେଇ ସଂସ୍କୃତି ଆଧାରରେ ସେହିପରି କାହାଣୀ !!! ସେ ଯାହା ହେଉ ଆରବ ଦେଶର souhail ସମ୍ବନ୍ଧୀୟ କାହାଣୀରୁ Sirius(ପ୍ରଶ୍ଵା) ଓ Canopus(ଅଗସ୍ତ୍ୟ) ନକ୍ଷତ୍ର ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା କଥା ଜଣାପଡ଼େ । 

ଭାରତରେ ବି ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣକୁ ଵା ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା ଵିଷୟରେ ପରୋକ୍ଷରେ ଗୋଟିଏ କାହାଣୀ ରହିଛି । ଭାରତରେ ପୂର୍ଵେ ଅଗସ୍ତି ଵା ଅଗସ୍ତ୍ୟ ବୋଲି ଜଣେ ଋଷି ଥିଲେ ଏଵଂ ଏହାଙ୍କ ସ୍ତ୍ରୀଙ୍କ ନାମ ଲୋପାମୁଦ୍ରା ଥିଲା । ଏ ବିନ୍ଧ୍ୟ ପର୍ଵତର ମନ୍ତ୍ରଗୁରୁ। ବିନ୍ଧ୍ୟ ପର୍ଵତ ଦିନକୁ ଦିନ ଉଚ୍ଚତାରେ ବଢ଼ୁଥିଵାର ଦେଖି ସୂର୍ଯ୍ୟଦେଵ ତାଙ୍କ ଗତି ରୁଦ୍ଧ ହେଵାର ଆଶଙ୍କା କରି ଅଗସ୍ତିଙ୍କ ଶରଣାଗତ ହେଲେ। ଅଗସ୍ତି ବିନ୍ଧ୍ୟ ପର୍ଵତ ନିକଟକୁ ଗଲେ। ଗୁରୁଙ୍କୁ ଦେଖି ବିନ୍ଧ୍ୟ ନମସ୍କାର କରି ମୁଣ୍ଡକୁ ତଳକୁ ନୁଆଇଁଵାରୁ ଅଗସ୍ତି ତାଙ୍କୁ କହିଲେ, "ମୁଁ ଦକ୍ଷିଣ ଦିଗକୁ ତୀର୍ଥଯାତ୍ରା କରି ଯାଉଛି, ତେଣୁ ଫେରି ଆସିଵା ପର୍ଯ୍ୟନ୍ତ ତୁମ୍ଭେ ଏହିପରି ନତମସ୍ତକ ହୋଇ ରହିଥାଅ।" ଅଗତ୍ୟା ବିନ୍ଧ୍ୟାଚଳ ଗୁରୁଙ୍କ ଆଦେଶରେ ତାଙ୍କ ଫେରିଵା ଅପେକ୍ଷାରେ ନତମସ୍ତକ ହୋଇ ରହିଲେ। ଅଗସ୍ତି ଆଉ ଦକ୍ଷିଣରୁ ଫେରି ଅଇଲେ ନାହିଁ; ଫଳତଃ ବିନ୍ଧ୍ୟ ପର୍ଵତ ଆଉ ନ ବଢ଼ି ସେହିପରି ନତମସ୍ତକ ହୋଇ ଆଜିପର୍ଯ୍ୟନ୍ତ ଅଛନ୍ତି। ଏହି ପୌରାଣିକ ଉପାଖ୍ୟାନକୁ କବି ଭକ୍ତଚରଣ ମଥୁରାମଙ୍ଗଳର ୨୯ଶ ଛାନ୍ଦରେ ଲେଖିଯାଇଛନ୍ତି । ଅନ୍ୟ ଏକ କଥା ଅନୁସାରେ ଯେତେବେଳେ ଶିଵ ପାର୍ଵତୀଙ୍କର ଵିଵାହ ହେଲା ସେତେବେଳେ ସେହି ଅଲୌକିକ ଵିଵାହକୁ ଦେଖିଵାକୁ ସାରା ଭାରତରୁ ଋଷିମୁନି ହିମାଳୟକୁ ଚାଲି ଆସିଲେ ଏଵଂ ସେଠାରେ ରହି ସାଧନା କରିଵାକୁ ଲାଗିଲେ ଫଳତଃ ଦକ୍ଷିଣ ଭାରତରେ ଜ୍ଞାନପ୍ରଦାତା ଋଷିମାନଙ୍କର ଅଭାଵ ଯୋଗୁଁ ସମାଜ କଳୁଷିତ ହେଵାକୁ ଲାଗିଲା । ଏହି ସମସ୍ୟାର ସମାଧାନ ପାଇଁ ଭଗଵାନ ଶିଵ ଅଗସ୍ତ୍ୟ ଋଷିଙ୍କୁ ଦକ୍ଷିଣ ଦିଗକୁ ଯାଇ ଲୋକଙ୍କୁ ଶିକ୍ଷିତ କରିଵାକୁ ନିର୍ଦ୍ଦେଶ ଦେଇଥିଲେ । ଅଗସ୍ତ୍ୟ ଋଷି ଦକ୍ଷିଣ ଦିଗକୁ ଯାଇ ବାତାପି ନାମକ ମେଷରୂପଧାରୀ ଦୈତ୍ୟକୁ ଖାଇ ଜୀର୍ଣ୍ଣ କରି ଦେଇଥିଲେ । କାବେରୀ ନଦୀକୁ ସେ ଦକ୍ଷିଣ ଭାରତରେ ପ୍ରଵାହିତ କରାଇଥିଲେ, ଅଗସ୍ତ୍ୟ ସଂହିତା ରଚନା କରିଥିଲେ,ଦକ୍ଷିଣ ଭାରତୀୟଙ୍କୁ ତାମିଲ ଵ୍ୟାକରଣ ଓ କାଲରିପଟ୍ଟୁ ଯୁଦ୍ଧକଳାର ଜ୍ଞାନ ପ୍ରଦାନ ଆଦି ଅନେକ ଜନହିତକର କାର୍ଯ୍ୟ କରିଥିଲେ ।
ଭାରତୀୟ ପୁରାଣଗ୍ରନ୍ଥ ଅନୁଯାୟୀ ଅଗସ୍ତି ଋଷି ଭାଦ୍ର ମାସର ପ୍ରଥମ ଦିଵସ ତିଥିରେ ଦକ୍ଷିଣ ଦିଗକୁ ଯାତ୍ରା କରି ଆଉ ଫେରି ଆସି ନଥିଲେ ତେଣୁ ଏ ଦିନ ଵା ଏହି ତିଥିରେ ଆଜି ବି ଭାରତରେ କୌଣସି ଶୁଭକାର୍ଯ୍ୟ ଉଦ୍ଦେଶ୍ୟରେ ଯାତ୍ରା ନିଷିଦ୍ଧ ଏଵଂ ଏହି ଦିନଟିକୁ "ଅଗସ୍ତ୍ୟ ଯାତ୍ରା ଦିଵସ" ଅଭିହିତ କରାଯାଏ । ଲକ୍ଷଣାର୍ଥ ଯେଉଁ ଯାତ୍ରାରୁ ଯାତ୍ରାକାରୀ ବାହୁଡ଼ି ଆସନ୍ତି ନାହିଁ ତାକୁ ମଧ୍ୟ ଅଗସ୍ତ୍ୟ ଯାତ୍ରା ବୋଲାଯାଏ । 

ପୁଣି ପୁରାଣ ଅନୁସାରେ ଅଗସ୍ତ୍ୟ ସମ୍ପୂର୍ଣ୍ଣ ସାଗରକୁ ପାନ କରିଦେଇଥିଲେ ଏଵଂ ଏହା ପରୋକ୍ଷରେ ଭାରତ ମହାସାଗର ପାର କରି ଦକ୍ଷିଣ ଗୋଲାର୍ଦ୍ଧକୁ ଅଗସ୍ତ୍ୟ ନକ୍ଷତ୍ର କ୍ରମଶଃ ଚାଲିଯାଇଥିଵା ଵିଷୟ କୁହାଯାଇଛି ବୋଲି କେତେକ ଗଵେଷକ ମତ ପୋଷଣ କରିଥାନ୍ତି । ଅତଃ ଅଗସ୍ତ୍ୟ ଋଷିଙ୍କ ଜୀଵନ କାହାଣୀ ସମ୍ବନ୍ଧୀୟ ଭାରତୀୟ ପୌରାଣିକ ଆଖ୍ୟାନ ମଧ୍ୟରେ ବି ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା ଵିଷୟରେ ପରୋକ୍ଷରେ କୁହାଯାଇଛି ବୋଲି ଵିଶ୍ଵାସ କରାଯାଏ । ସେ ଯାହା ହେଉ ଆଜକୁ ପ୍ରାୟ ୧୪୦୦୦ ଵର୍ଷ ତଳେ Canopus ଵା ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଥିଲା ଏଵଂ ପ୍ରାୟ ୨୧୦୦୦ ଖ୍ରୀଷ୍ଟପୂର୍ଵ ସମୟରେ ଏହା ଉତ୍ତର ଗୋଲାର୍ଦ୍ଧର ଉଜ୍ଜ୍ୱଳ ନକ୍ଷତ୍ର ଥିଲା । ତେଣୁ ଏ ଦୃଷ୍ଟିରୁ ଦେଖିଲେ ଅଗସ୍ତ୍ୟ ଓ ବିନ୍ଧ୍ୟ ଲୋକଗାଥାର ସମୟକାଳ ପ୍ରାୟ ୨୦୦୦୦ ଵର୍ଷ ପୁରାତନ ହୋଇଥିଵା ସମ୍ଭଵ । 

ଭାରତରେ Canopus ଵା ଅଗସ୍ତ୍ୟ ରାତ୍ରୀରେ ଦକ୍ଷିଣାକାଶରେ ଦେଖାଯାଏ । ଏହା ଶରତ୍କାଳରେ ଉଦିତ ହୁଏ; ଶରତ୍କାଳରେ ନଦ୍ୟାଦିର ଜଳ ନିର୍ମଳ ହେଵାରୁ ଅଗସ୍ତି ନକ୍ଷତ୍ରର ଉଦୟକୁ ଜଳର ନିର୍ମଳତାର କାରଣ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । ଅଗସ୍ତି ନକ୍ଷତ୍ରର ଉଦୟ ସଙ୍ଗେ ଶରତ ଋତୁର ଚିହ୍ନ ପ୍ରକାଶିତ ହୁଏ, ଆକାଶରୁ ମେଘ ଛାଡ଼ିଯାଏ, ନଦୀ ପୁଷ୍କରିଣୀର ଜଳ ନିର୍ମଳ ହୁଏ, ରାସ୍ତା ଘାଟରୁ କର୍ଦ୍ଦମ ଶୁଖିଯାଏ ଓ ଜଳଚର ପକ୍ଷୀମାନେ ଜଳାଶୟମାନଙ୍କରେ ଆସି ଚରନ୍ତି। ଏଥିଯୋଗୁଁ ଅଗସ୍ତ୍ୟୋଦୟ ଏହି ଶରତ ଋତୁର ଲକ୍ଷଣମାନଙ୍କ କାରଣ ବୋଲି ପୁରାଣକାରମାନେ ଵିଶ୍ୱାସ କରୁଥିଲେ । 

କଵି ରାଧାନାଥ 'ଚିଲିକା' ଖଣ୍ଡକାଵ୍ୟରେ ଅଗସ୍ତ୍ୟୋଦୟର ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...

“କଳୁଷିତ ବାରି କଳୁଷହାରକ, କାସାରେ କୁମୁଦ ହାସପ୍ରକାଶକ, ଦକ୍ଷିଣାଶାଵଧୂ ଅଵିତଂସ ମୋତି, ମହୋଜ୍ଜ୍ୱଳ କୁମ୍ଭସମୁଦ୍ଭଵଜ୍ୟୋତି, ଉଇଁଲେ ଆକାଶେ ଆସି ଦଳେ ଦଳେ, 
ପୂରନ୍ତି ଏ ଜଳ କଳ କୋଳାହଳେ।”

କ୍ରମେ ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଅଦ୍ଭୁତପୂର୍ଵ ଅଗ୍ରଗତି ହେଲା ଏଵଂ ଆମ୍ଭେମାନେ ଅଗସ୍ତ୍ୟ ନକ୍ଷତ୍ରକୁ ଆହୁରି ଭଲ ଭାବରେ ଜାଣିପାରିଲେ । ଵୈଜ୍ଞାନିକମାନେ ଅଗସ୍ତ୍ୟ ନକ୍ଷତ୍ର ଆମଠାରୁ ୩୧୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଥିଵା ଗାଣିତିକ ପଦ୍ଧତିରେ ଆକଳନ କରିଛନ୍ତି ଏଵଂ ଅଗସ୍ତ୍ୟ ନକ୍ଷତ୍ରର ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ଅନୁସନ୍ଧାନରୁ ଏହା
'A9'(spectral type A9)ପ୍ରକାରର ତାରକା ଅଟେ ବୋଲି ଜଣାପଡି଼ଛି ‌। ଅଗସ୍ତ୍ୟର ଆଧିକାରିକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ନାମ Alpha Carinae ରଖାଯାଇଛି । ପୃଥିଵୀରୁ ମହାକାଶ ଯାତ୍ରା ସମୟରେ ଦିଗ ନିର୍ଣ୍ଣୟ ପାଇଁ ଅଗସ୍ତ୍ୟ ନକ୍ଷତ୍ର ଉପଯୋଗୀ ହୋଇଥାଏ । ଅଗସ୍ତ୍ୟ ନକ୍ଷତ୍ର ସୂର୍ଯ୍ୟଙ୍କର ଆଲୋକ ଅପେକ୍ଷା ୧୦୦୦୦ ଗୁଣ ଅଧିକ ପ୍ରକାଶ ଉତ୍ପନ୍ନ କରିଥାଏ । ଏହା ସୂର୍ଯ୍ୟଙ୍କ ବ୍ୟାସାର୍ଦ୍ଧଠାରୁ ୭୧ଗୁଣ ବଡ଼ ଏଵଂ ଆଠଗୁଣ ଅଧିକ ଓଜନିଆ ଅଟେ । ୩,୭୦୦୦୦୦ ଵର୍ଷ ତଳେ ବି ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରେ ଦୃଶ୍ୟ ହେଉଥିଵା ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଥିଲା ଏଵଂ ୪,୮୦୦୦୦ ଵର୍ଷ ପର୍ଯ୍ଯନ୍ତ ବି ଏହିପରି ରହିଥିଵ । ଗୋଟିଏ ଲାଲଦାନଵ ନକ୍ଷତ୍ର ଭାବରେ ଅନେକ କୋଟି ଵର୍ଷ ରହିଵା ପରେ ଏବେ ଏହି ନକ୍ଷତ୍ର ତାହାର blue loop ସ୍ଥିତିରେ ପହଞ୍ଚି ସାରିଛି । ଏହି ସ୍ଥିତିରେ ନକ୍ଷତ୍ରରେ ଥିଵା ହିଲିଅମ୍ ପରମାଣୁ ଜଳି କାର୍ବନରେ ପରିଣତ ହୋଇଥାଏ । ଅନେକ ଵୈଜ୍ଞାନିକ କୁହନ୍ତି ଅଗସ୍ତ୍ୟ ନକ୍ଷତ୍ର ଭଵିଷ୍ୟତରେ ସୁପରନୋଵାରେ ପରିଣତ ହେଵା କଷ୍ଟସାଧ୍ୟ ଯେହେତୁ ଏହି ନକ୍ଷତ୍ରର ଆକାର ଅପେକ୍ଷାକୃତ ଛୋଟ ତେବେ ଏହା ଭଵିଷ୍ୟତରେ ଏକ ନିଅନ୍-ଅମ୍ଳଜାନ ଯୁକ୍ତ ଶୁଭ୍ର ଵାମନ ତାରକା କିମ୍ବା ଏକ planetary nebulaରେ ପରିଣତ ହେଵାର ସମ୍ଭାଵନା ଅଧିକ ବୋଲି ଅନୁମାନ କରାଯାଏ । 

ରାତ୍ରି ଆକାଶରେ ଅଗସ୍ତ୍ୟ ଵା Canopus ନକ୍ଷତ୍ରକୁ ପାଇଵା ପାଇଁ ସରମା(Procyon),ଆଦ୍ରା(Betelgeuse)ଓ ପ୍ରଶ୍ଵା(Sirius)କୁ ନେଇ ଏକ ତ୍ରିଭୁଜର କଳ୍ପନା କରି ତହିଁରେ ସରମା ଓ ଆଦ୍ରାକୁ ଯୋଡ଼ୁଥିଵା କାଳ୍ପନିକ ରେଖାର ଠିକ୍ ମଧ୍ୟ ଭାଗରୁ ଗୋଟିଏ ଗାର ଟାଣିଲେ ତାହା ପ୍ରଶ୍ଵାକୁ ଛେଦ କରିଵ । ସେହି ଗାରକୁ ପ୍ରଶ୍ଵାଠାରୁ ଆହୁରି ଲମ୍ବାଇ ଦେଲେ ଦକ୍ଷିଣ ଆକାଶରେ ଯେଉଁ ଉଜ୍ଜ୍ୱଳ ନକ୍ଷତ୍ର ପ୍ରାପ୍ତ ହୋଇଥାଏ ତାହା ଅଗସ୍ତ୍ୟ ନକ୍ଷତ୍ର ଅଟେ । ଭାରତରୁ ଏହି ନକ୍ଷତ୍ରଟି ପ୍ରାୟତଃ ସବୁଦିନ ଦକ୍ଷିଣ ଆକାଶରେ ଦିଗଵଳୟ ନିକଟରେ ସନ୍ଧ୍ୟା ସମୟରେ ଦେଖାଯାଏ ତେବେ ଶରତକାଳୀନ ରାତ୍ରି ଆକାଶରେ ଏହା ଆକାଶରେ ଅଧିକ ସମୟ ପାଇଁ ରହିଥାଏ । 

ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରୁ ଦେଖାଯାଉଥିଵା ଦ୍ଵିତୀୟ ସବୁଠାରୁ ଉଜ୍ଵଳତମ ତାରକା ଅଟେ ତେଣୁ ଏହି ନକ୍ଷତ୍ରକୁ ନେଇ ପ୍ରାଚୀନ ସଭ୍ୟତାଗୁଡି଼କରେ ନାନା ଲୋକଗାଥା ରହିଥିଲା । ଆରବ,ଚୀନ ଓ ଭାରତର ଲୋକେ ଏହାର ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯିଵା ସମ୍ବନ୍ଧରେ ନିଜ ଲୋକକଥାଗୁଡ଼ିକରେ ପରୋକ୍ଷରେ ଉଲ୍ଲେଖ କରିଛନ୍ତି ସେହିପରି ଗ୍ରୀକମାନେ ତାଙ୍କ ମୂଳ ଭୂଖଣ୍ଡରେ ଏହି ନକ୍ଷତ୍ରକୁ ଦେଖିପାରୁନଥିଲେ ବି ମିଶରରେ ଏହି ନକ୍ଷତ୍ରକୁ ଦେଖି ନିଜ ପ୍ରାଚୀନ ଗ୍ରନ୍ଥରେ ଏହାର ଉଲ୍ଲେଖ କରିଛନ୍ତି । ତେବେ ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଅଦ୍ଭୁତପୂର୍ଵ ଅଗ୍ରଗତି ଯୋଗୁଁ ଆଜି ଆମେ ଜାଣିଛନ୍ତି ଯେ ଅଗସ୍ତ୍ୟ ନକ୍ଷତ୍ର ଆମ ଗ୍ରହଠାରୁ ପ୍ରାୟ ୩୧୦ ଆଲୋକଵର୍ଷ ଦୂରରେ ଥିଲେ ବି ଏହାର ଆକାର ଓ ଆଲୋକ ପ୍ରଦାନର ପରିମାଣ ସୂର୍ଯ୍ୟଠାରୁ ବହୁଗୁଣ ଅଧିକ ହୋଇଥିଵାରୁ ଦୂରରେ ଥାଇ ମଧ୍ୟ ଏହା ରାତ୍ରି ଆକାଶରେ ଏତେ ଉଜ୍ଜ୍ୱଳ ଦେଖାଯାଇଥାଏ । ଫଳତଃ ଵିଶାଳ ନକ୍ଷତ୍ର ଅଗସ୍ତ୍ୟର ମହିମା ଆଗେ ଲୋକକଥାରେ ଵର୍ଣ୍ଣିତ ହେଉଥିଲା ଆଉ ଆଜି ଏହା ଵିଷୟରେ ଅନେକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ମିଳିଲାପରେ ମଧ୍ୟ ଏହାର ପ୍ରତିପତ୍ତି ଆହୁରି ଦ୍ଵିଗୁଣିତ ହୋଇଯାଇଛି ! 

••••••••••••••••••••••••••••••
             :ତଥ୍ୟ ଉତ୍ସ:
• "The development of Arabic science in Andalusia"(Vernet, Juan; Samsó, Julio -1996)
• Encyclopedia of the History of Arabic Science(Roshdi Rashed)
• Chinese Still Remember The Old Man Of The South Pole(rupa bhaty)
• ପୂର୍ଣ୍ଣଚନ୍ଦ୍ର ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)
•Star Names, their lore and meaning(Allen, Richard Hinckley)
•canopus : star-facts.com
•"Once and Future Celestial Kings". Sky and Telescope(Tomkin, Jocelyn-April 1998)
• The Morning Star Rises: an account of Polynesian astronomy(MW Makemson)
• Hawai‘iloa and the Discovery of Hawai‘i(Samuel M. Kamakau and Z. Kepelino)
•Astronomical Knowledge of the Maori Dominion Museum Monograph No. 3.(E. Best)
•••••••••••••••••••••••••••••

Thursday, May 4, 2023

କ'ଣ ପଵନ ଯୋଗୁଁ ବଡ଼ ବଡ଼ ଅଟ୍ଟାଳିକା ବି ଦୋହଲି ପାରେ ?

ଯେତେବେଳେ ବି ଭୂମିକମ୍ପ ହୁଏ, ଆମ୍ଭମାନଙ୍କର ଘର,କୋଠା ଆଦି କମ୍ପିଵା ଆରମ୍ଭ କରେ ଏଵଂ ସେତେବେଳେ କେମିତି ଗୃହ ଅଟ୍ଟାଳିକା ଆଦିରୁ ଆମେ ବାହାରକୁ ଚାଲିଯାଇ ନିଜକୁ ବଞ୍ଚାଇବୁ ସେହିକଥା ଵିଚାର କରିଥାଉ । ହଁ ଏହା ଏକ ଉତ୍ତମ କାର୍ଯ୍ୟ ଏଵଂ ଏହା ନିଶ୍ଚିତ ଭାବରେ କରିଵା ଉଚିତ୍ କାରଣ ଦିବଖରିକିଆ ଘର ହେଉ କି ଶହ ଶହ ଫୁଟ ଉଚ୍ଚରେ ଥିଵା କୋଠା ତହିଁର ଭୂକମ୍ପ ଜନିତ କମ୍ପନ ଯୋଗୁଁ ଆମର ଜୀଵନ ଚାଲିଯାଇପାରେ ‌। ତେବେ ଅନେକେ ଜାଣିନଥିବେ ଯେ ବଡ଼ ବଡ଼ କୋଠା ମଧ୍ୟ ପ୍ରତିଦିନ ପଵନରେ ହଲୁଥିଵା ଗଛ ପରି ଦୋହଲିଥାଏ । ଭୂମିକମ୍ପ ନୁହେଁ, ପଵନ ଯୋଗୁଁ ହଲିଥାଏ ।
 
ଯେକୌଣସି କୋଠାର ଉଚ୍ଚତା ବଢ଼ିଵା ସହିତ ତହିଁର ପଵନ ଯୋଗୁଁ ଦୋହଲିଵାର ହାର ମଧ୍ୟ ବୃଦ୍ଧି ପାଇଥାଏ | ଘଣ୍ଟା ପ୍ରତି ୫୦ ରୁ ୧୦୦ ମାଇଲ ବେଗରେ ପ୍ରଵାହିତ ପଵନରେ ହାରାହାରି ଉଚ୍ଚତା ଵିଶିଷ୍ଟ କୋଠା କିଛି ଇଞ୍ଚ ହଲିଯାଉଥିଵାବେଳେ ଗଗନଚୁମ୍ବୀ ଅଟ୍ଟାଳିକା ଅନେକ ଫୁଟ ପର୍ଯ୍ୟନ୍ତ ଦୋହଲିପାରେ । ପୃଥିଵୀର ଉଚ୍ଚତମ ଅଟ୍ଟାଳିକା ବୁର୍ଜ ଖଲିଫା ପ୍ରଵଳ ପଵନ ବୋହୁଥିଵା ଦିନରେ ଯେକୌଣସି ଦିଗକୁ ୬ ରୁ ୭ ଫୁଟ ପର୍ଯ୍ୟନ୍ତ ନୋଇଁ ଯାଇଥାଏ । 

କୋଠା, ଅଟ୍ଟାଳିକା ଇତ୍ୟାଦି ପଵନ ଯୋଗୁଁ ଦୋହଲିଵା ଏକ ଗମ୍ଭୀର ଵିଷୟ ଏବଂ ଆଧୁନିକ ସ୍ଥାପତ୍ୟକାରମାନେ ଏହି ସମସ୍ୟାର ଅନେକ ସମାଧାନ ଜାଣନ୍ତି । ଫଳତଃ,ସ୍ଥାପତ୍ୟକାରମାନେ ଗଗନଚୁମ୍ବୀ ଅଟ୍ଟାଳିକାଗୁଡି଼କୁ ଗଢି଼ଲା ବେଳେ ତାକୁ ସମତଳ ଓ ସିଧା ନକରି ବଙ୍କା ମୋଡ଼ାଯାଇଥିଵା ଗୃହ ଭଳି ଗଢି଼ଥାଆନ୍ତି । ଅନେକ ସ୍ଥାପତ୍ୟକାର ବଡ଼ ବଡ଼ ଅଟ୍ଟାଳିକାର ଜ୍ୟାମିତିକୁ ଗୋଜିଆ(tapered)କରିଥାଆନ୍ତି, ଅର୍ଥାତ୍ ଏହି ନିର୍ମାଣ ଶୈଳୀରେ ଅଟ୍ଟାଳିକାର ତଳ ଭାଗ ମୋଟା ଏଵଂ ଉପର ଆଡ଼କୁ କ୍ରମଶଃ ପତଳା ହୋଇ ହୋଇ ଯାଇଥାଏ । ଏହି ଶୈଳୀରେ ଅଟ୍ଟାଳିକାର ନିର୍ମାଣ ମଧ୍ୟ ପଵନର ଭାର ହ୍ରାସ କରିଵାର କୌଶଳ ଏଵଂ ଉଲ୍ଲେଖଯୋଗ୍ୟ ଯେ ଭାରତୀୟମାନେ ଵିଶେଷତଃ କଳିଙ୍ଗୀମାନେ ଏହା ଵିଷୟରେ ଜାଣିଥିଲେ ତେଣୁ ଆମ୍ଭ ଦେଶରେ ମନ୍ଦିରଗୁଡି଼କ ମଧ୍ୟ ଏହିପରି ନିର୍ମିତ ହୋଇଥାଏ । ଏତଦ୍‌ଵ୍ୟତୀତ, ଆଜିକାଲି ବଡ଼ ବଡ଼ ଅଟ୍ଟାଳିକାଗୁଡି଼କରେ ମଝିରେ ମଝିରେ ପଵନ ଯିଵା ଆସିଵା ପାଇଁ ଖୋଲା ଛାଡି଼ଦିଆଯାଇଥାଏ ଯାହାକୁ ଇଂରାଜୀ ଭାଷାରେ gapping hole କୁହାଯାଏ । ଅଟ୍ଟାଳିକା ମଧ୍ୟସ୍ଥ ଉକ୍ତ ଖୋଲା ସ୍ଥାନ ବାଟ ଦେଇ ଦୃତଗତିରେ ପ୍ରଵାହିତ ପଵନ ଗତି କରେ ଫଳତଃ ଉକ୍ତ ବଡ଼ କୋଠା ଉପରେ ଵାୟୁ ପ୍ରତିରୋଧ ଅନେକାଂଶରେ ଊଣା ହୋଇଯାଏ । ଏ ଵିଷୟକୁ ଉତ୍ତମ ଭାବରେ ବୁଝିଵା ପାଇଁ ଗୁଗଲରେ Twisted Design, Tapered Building ଓ Gapping Holes in Skyscraper ଲେଖି ଉଣ୍ଡିପାରନ୍ତି । 

ଏହାଛଡ଼ା, ଅତି ଦୃତ ପଵନ ଯୋଗୁଁ ଦୋହଲିଵାରୁ ରକ୍ଷା ପାଇଵା ପାଇଁ ବହୁତ ଉଚ୍ଚ ଅଟ୍ଟାଳିକାର ସବା ଉପର ମହଲାରେ Tuned Mass Damper ଲଗାଯାଇଥାଏ । ଏହି Mass Damperଗୁଡି଼କ ପ୍ରକୃତରେ ଲକ୍ଷ ଲକ୍ଷ କିଲୋ ଓଜନର ଧାତୁ ଗୋଲକ ଅଟେ, ଯାହା ଅଟ୍ଟାଳିକାର ଉପର ମହଲାରୁ ତଳକୁ ଓହଳାଯାଇଥାଏ । ବିଲଡିଂରେ ସ୍ଥାପିତ ଏକ ସ୍ମାର୍ଟ କମ୍ପ୍ୟୁଟର ପବନ ଅନୁଯାୟୀ ସୁମାରୀ କରି ଏହି damperର ଗତିକୁ ନିୟନ୍ତ୍ରଣ କରିଥାଏ ! ଉଦାହରଣ ସ୍ୱରୂପ, ଯଦି ଅଟ୍ଟାଳିକା ଭୀଷଣ ଵାୟୁ ପ୍ରଵାହ ଯୋଗୁଁ ଡାହାଣକୁ ଦୋହଲେ ତେବେ ଏହି ଧାତଵ ଗୋଲକଟି ସ୍ୱୟଂଚାଳିତ ଭାବରେ ବାମକୁ ଝୁଲିପଡ଼େ, ଏବଂ ସେହିପରି ଯଦି ଅଟ୍ଟାଳିକା ବାମକୁ ଝୁଲେ, ତାହେଲେ ଉକ୍ତ ଗୋଲକ ଡାହାଣକୁ ନୋଇଁ ଯାଏ । ଏହିପରି ଭାବରେ ଅଟ୍ଟାଳିକା ଦୋହଲିଵାର ଵିପରୀତ ଦିଗକୁ ଝୁଲିଵା ଯୋଗୁଁ ଧାତଵ ଗୋଲକ ତାହାର ଦୋହଲା ଗତିକୁ ହ୍ରାସ କରିଥାଏ । 
 
ଏହା ଥିଲା ଭୀଷଣ ବାୟୁପ୍ରଵାହ ଯୋଗୁଁ ବଡ଼ ବଡ଼ ଅଟ୍ଟାଳିକାକୁ ବଞ୍ଚାଇଵା ପଛର ଵିଜ୍ଞାନ। ଆମେ ସମସ୍ତେ ଏକ ସୁନ୍ଦର ଘରର ସ୍ୱପ୍ନ ଦେଖୁ ଏଵଂ ମହାନଗରଗୁଡ଼ିକରେ ଦ୍ରୁତ ଗତିରେ ହ୍ରାସ ହେଉଥିଵା ସ୍ଥାନ ତଥା ଭିଡ଼ ବୃଦ୍ଧି ହେତୁ ତହିଁଠାରୁ ଦୂରରେ ଏକ ଶାନ୍ତ ସ୍ଥାନରେ ରହିଵା ପାଇଁ ଅନେକେ ଗଗନଚୁମ୍ବୀ ଅଟ୍ଟାଳିକାଗୁଡି଼କୁ ଵସଵାସ ପାଇଁ ପସନ୍ଦ କରନ୍ତି । ଏକ ଉତ୍ତମ ଗଗନଚୁମ୍ବୀ ଅଟ୍ଟାଳିକା ମଧ୍ୟରେ ଖଣ୍ଡିଏ ଘର କିଣିଵା ପୂର୍ଵରୁ ଲୋକେ ସେଠାରେ ଵିଦ୍ୟୁତ୍, ଜଳ, ଗ୍ୟାସ୍, ସାଧାରଣ କ୍ଷେତ୍ର, ପାର୍କ, ଜିମ୍, ସୁରକ୍ଷା ଇତ୍ୟାଦିର ଵ୍ୟଵସ୍ଥା ଅଛି କି ନାହିଁ ସେ ଵିଷୟରେ ନିଜ ଏଜେଣ୍ଟ୍ ସହିତ ପ୍ରଥମେ ପରାମର୍ଶ କରିଥାନ୍ତି କିନ୍ତୁ ଗୃହନିର୍ମାଣ ସମ୍ବନ୍ଧୀୟ ଏହି ଵିଜ୍ଞାନ ଵିଷୟରେ ଅନେକେ ପରିଚିତ ନଥିଵାରୁ ଭୀଷଣ ଵାୟୁ ପ୍ରଵାହରେ ଅଟ୍ଟାଳିକା କମ୍ପିଵା ସଂକ୍ରାନ୍ତୀୟ କ’ଣ ପ୍ରତିରୋଧ ଵ୍ୟଵସ୍ଥା କରାଯାଇଛି ତାକୁ ନେଇ କୌଣସି ଅନୁସନ୍ଧାନ କି ପଚରାଉଚରା କରନ୍ତି ନାହିଁ । 
 
 

ଭାରତଵର୍ଷ ତଥା ଆଧୁନିକ ଭାରତର ରାଣୀ ଶାସିକା

ପୃଥିଵୀର ପ୍ରଥମ ଜ୍ଞାତ ମହିଳା ଶାସିକା ହେଉଛନ୍ତି 'କୁବାବା' ଯିଏ ଖ୍ରୀଷ୍ଟପୂର୍ଵ ୨୪୦୦ ସମୟକାଳରେ sumer(ଵର୍ତ୍ତମାନ ଇରାକରେ ସ୍ଥିତ ଭୂଭାଗ)ର ଶାସିକା ଥିଲେ । ଏହି ଶାସିକାଙ୍କର ବହୁତ ପରେ ବ୍ରିଟେନରେ ପ୍ରଥମ ବ୍ରିଟିଶ ମହିଳା ଶାସିକା ”କ୍ଵିନ୍ ମ୍ୟାରୀ ପ୍ରଥମ” (୧୫୫୩ରୁ ୧୫୫୮ ) ହୋଇଥିଲେ । ତେବେ ଭାରତର ପ୍ରଥମ ରାଣୀ ଶାସିକା କିଏ ବୋଲି ପଚାରିଲେ ଭାରତର ଅଧିକାଂଶ ଲୋକେ ରାଜିଆ ସୁଲତାନା(ଶାସନକାଳ:୧୨୩୬ରୁ ୧୨୪୦ )ଙ୍କ ନାମ ନିଅନ୍ତି । କିନ୍ତୁ ତାଙ୍କର ବହୁତ ପୂର୍ଵରୁ କାଶ୍ମୀରରେ ରାଣୀ ସୁଗନ୍ଧା(୯୦୪-୯୦୬) ଓ ରାଣୀ ଦିଧ୍ଧା 
 (୯୮୦-୧୦୦୩) ଶାସିକା ହୋଇଥିଲେ ।  
ଅନେକ ଭାରତୀୟ ହୁଏତ ଜାଣିନଥିବେ ଯେ ରାଜିଆ ସୁଲ୍ତାନା ଭାରତର ପ୍ରଥମ ମହିଳା ଶାସିକା ନୁହନ୍ତି ଵରଂ ତାଙ୍କ ପୂର୍ଵରୁ ଅଖଣ୍ଡ ଭାରତଵର୍ଷରେ ସତରଜଣ ରାଣୀ ଶାସିକା ହୋଇଥିଲେ ଏଵଂ ତନ୍ମଧ୍ୟରେ ସାତଜଣ ରାଣୀ ଉତ୍କଳ ଦେଶର ଶାସିକା ଥିଲେ ।

ସାତଵାହନ ରାଜବଂଶର ଜଣେ ରାଣୀ ନୟନିକା ଖ୍ରୀଷ୍ଟପୂର୍ଵ ୧୦୦ ବେଳକୁ ସାତଵାହନ ରାଜବଂଶର ରାଣୀ ଶାସିକା ହୋଇଥିଲେ । ସେ ସାତକର୍ଣୀ ପ୍ରଥମଙ୍କୁ ଵିଵାହ କରିଥିଲେ ଏଵଂ ତାଙ୍କ ପୁତ୍ର ସାତକର୍ଣୀ ଦ୍ଵିତୀୟ ନାବାଳକ ଥିଵାବେଳେ ଶାସନଭାର ଗ୍ରହଣ କରିଥିଲେ । ସେହିପରି ପ୍ରଭାଵତୀ ଗୁପ୍ତ ଚତୁର୍ଥ ଶତାବ୍ଦୀର ଗୁପ୍ତବଂଶୀୟ ରାଣୀ ଶାସିକା ଥିଲେ ଯିଏ ତାଙ୍କ ପିତା ଚନ୍ଦ୍ରଗୁପ୍ତ ଦ୍ଵିତୀୟଙ୍କ ମୃତ୍ୟୁ ପରେ ଶାସନ ଭାର ଗ୍ରହଣ କରିଥିଲେ । 

ଆଜି ଯଦି ଶ୍ରୀଲଙ୍କା ଭାରତର ଅଂଶ ହୋଇଥାନ୍ତା ତେବେ ଅନୁରାଧାପୁରର ରାଣୀ ଅନୁଲା(୪୭ରୁ ୪୨ ଖ୍ରୀଷ୍ଟପୂର୍ଵ) ଶିଵାଳୀ(ଖ୍ରୀଷ୍ଟପୂର୍ଵ ୩୫)ଙ୍କୁ ଭାରତଵର୍ଷର ପ୍ରଥମ ରାଣୀ ଶାସିକା ଅଭିହିତ କରାଯାଉଥାନ୍ତା । ଅସ୍ତୁ ଅଖଣ୍ଡ ଭାରତଵର୍ଷର ପ୍ରଥମ ରାଣୀ ଶାସିକା ଭାବେ ସିଂହଳୀ ରାଣୀ ଅନୁଲାଙ୍କୁ ଗ୍ରହଣ କରାଯାଇପାରେ । 

ସେହିପରି ବଙ୍ଗଳାଦେଶର ଵର୍ମା ଲାଗିଥିଵା କେତେକ ଅଂଶ ତଥା ଵର୍ମାର ଆରାକାନ୍ ଅଞ୍ଚଳରେ ତୃତୀୟ ଶତାବ୍ଦୀରେ ସ୍ଥାପିତ ଚନ୍ଦ୍ରା ବୌଦ୍ଧ ରାଜବଂଶର ଚାରିଜଣ ରାଣୀ କୁଵେରାମୀ (୩୩୪-୩୪୧),ଉମାଵୀରା (୩୪୧-୩୬୧),ନୀତିଚନ୍ଦ୍ରା(୫୨୦-୫୭୫) ଓ ପ୍ରୀତିଚନ୍ଦ୍ରା(୫୭୮-୫୯୦) ଶାସନ କରିଥିଲେ । ଏମାନେ ମଧ୍ୟ ଅଖଣ୍ଡ ଭାରତଵର୍ଷର ପ୍ରାରମ୍ଭିକ ପ୍ରାଚୀନ ଚାରି ରାଣୀ ଅଭିହିତ ହୋଇପାରନ୍ତି କିନ୍ତୁ ଦୁଃଖର ଵିଷୟ ଅଧୁନା ପାକିସ୍ତାନ ,ଶ୍ରୀଲଙ୍କା,ବଙ୍ଗଳାଦେଶ ତଥା ଵର୍ମା ଭାରତର ଅଂଶ ହୋଇନଥିଵାରୁ ଆଧୁନିକ ଭାରତ ଦେଶର ଭୂଭାଗ ମଧ୍ୟରେ ହୋଇଥିଵା ପ୍ରଥମ ମହିଳା ଶାସିକା ଭାବେ ରାଣୀ ନୟନିକାଙ୍କୁ ଗ୍ରହଣ କରାଯାଇପାରେ । ତେବେ ଗୌରଵର ଵିଷୟ ଯେ ଉତ୍କଳରେ ଜଣେ ଦୁଜଣ ନୁହେଁ ଵରଂ ସାତଜଣ ରାଣୀ ଶାସିକା ଦଶମ ଶତାବ୍ଦୀ ପୂର୍ଵରୁ ଶାସନ କରିଥିଲେ । 

ଭୌମକର ରାଜବଂଶର ସେହି ସାତଜଣ ରାଣୀ ହେଲେ ତ୍ରିଭୁଵନ ମହାଦେଵୀ ପ୍ରଥମ (୮୪୫-୮୫୦), ତ୍ରିଭୁଵନ ମହାଦେଵୀ ଦ୍ବିତୀୟ (୮୯୦-୮୯୬), ତ୍ରିଭୁଵନ ମହାଦେଵୀ ତୃତୀୟ (୮୯୬-୯୦୫),ଗୌରୀ ମହାଦେଵୀ(୯୧୦-୯୧୬), ଦଣ୍ଡୀ ମହାଦେଵୀ(୯୧୬-୯୩୬),ଵକୁଳା ମହାଦେଵୀ(୯୩୪-୯୪୦) ଓ ଧର୍ମା ମହାଦେଵୀ (୯୪୦-୯୫୦) । 

ଭୌମକର ରାଜବଂଶର ୧୨ଜଣ ରାଜା ଓ ୭ଜଣ ରାଣୀ ୭୩୬ ଖ୍ରୀଷ୍ଟାବ୍ଦରୁ ୯୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ ୨୧୪ ଵର୍ଷ ଧରି ଓଡ଼ିଶାରେ ଶାସନ କରିଥିଲେ । ଏହି ରାଜବଂଶର ଇତିହାସ କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟତଃ ଲୁଚି ରହିଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ୧୯୧୫ରେ ଢେଙ୍କାନାଳର ଏକ ଗ୍ରାମରୁ ଭୌମରାଣୀ ତ୍ରିଭୁଵନ ମହାଦେଈଙ୍କର ଗୋଟିଏ ତାମ୍ରପତ୍ର ମିଳିଲା । ତତ୍ପରେ କଟକ ଜିଲ୍ଲା ନେଉଳପୁର ଗ୍ରାମରୁ ଶୁଭକର ଦେଵଙ୍କର ତଥା ନିମାପଡ଼ା ଅଞ୍ଚଳର ଚୌରାଶି ଗ୍ରାମରୁ ଶିଵକର ଦେଵଙ୍କ ତାମ୍ରଶାସନ ପ୍ରାପ୍ତ ହୋଇଥିଲା । ଏହାପରେ ପରେ ଉଦୟଗିରିର ଗଣେଶ ଗୁମ୍ଫା ଓ ଧଉଳି ପାହାଡ଼ରୁ ଶାନ୍ତିକର ଦେଵଙ୍କ ତାମ୍ରଶାସନ ମିଳିଲା । ହିନ୍ଦୋଳରୁ ମଧ୍ୟ ଶୁଭକର ଦେଵଙ୍କର ଗୋଟିଏ ତାମ୍ରଶାସନକୁ ଗଵେଷକମାନେ ପାଇଲେ । ସେହିପରି ତାଳଚେରରୁ ଶୁଭକରଦେଵ,ଶାନ୍ତିକର ଦେଵ ଓ ଶିଵକର ଦେଵଙ୍କ ତାମ୍ରଶାସନ ସମୂହ ପ୍ରାପ୍ତ ହେଵାରୁ ଓଡ଼ିଶାର ଐତିହାସିକମାନେ ଭୌମକର ରାଜବଂଶ ଵିଷୟରେ ଅନେକ ନୂତନ ତଥ୍ୟ ଆଵିଷ୍କାର କରିପାରିଥିଲେ । ତେବେ ପ୍ରଥମେ ଐତିହାସିକ ପଣ୍ଡିତ ଵିନାୟକ ମିଶ୍ର ଏହି ସବୁ ତାମ୍ରଲେଖର ଅଧ୍ୟୟନ କରି ଭୌମକର ରାଜବଂଶ ଵିଷୟରେ ସୂଚନା ପ୍ରଦାନ କରିଥିଲେ । ତେବେ ଭୌମକର ରାଜବଂଶର ଉତ୍ପତ୍ତି ଵିଷୟରେ ତଥାପି ସଵିଶେଷ ତଥ୍ୟ ମିଳେନାହିଁ କିନ୍ତୁ ଗଵେଷକମାନେ ଅନୁମାନ କରନ୍ତି ଯେ ଭୁୟାଁ ଜମିଦାରବୃନ୍ଦ ଏହି ରାଜବଂଶର ପ୍ରତିଷ୍ଠାତା ଥିଲେ ଏଵଂ ଵର୍ତ୍ତମାନର ଭୂୟାଁମାନେ ଏହି ରାଜବଂଶର ଵର୍ତ୍ତମାନ ବଂଶଧର ହୋଇଥାଇପାରନ୍ତି ‌ । ଗଵେଷକ ଶ୍ରୀ ଵିନାୟକ ମିଶ୍ର ଓ ଶ୍ରୀ ଆର୍ ସି ମଜୁମଦାରଙ୍କ ଅନୁସାରେ ଭୌମମାନେ ପ୍ରକୃତରେ ମହେନ୍ଦ୍ରଗିରିର ମୂଳନିଵାସୀ ଭୁୟାଁ ଆର୍ଯ୍ୟ ଜନଜାତିର ଥିଲେ । ଏହି ଦୁଇଜଣ ଐତିହାସିକ ଵିଷ୍ଣୁପୁରାଣର ମହେନ୍ଦ୍ର ଭୌମଙ୍କୁ ଏହି ରାଜବଂଶର ଜନୈକ ରାଜପୁରୁଷ ଅଭିହିତ କରିଅଛନ୍ତି ।‌ ପଣ୍ଡିତ ଵିନାୟକ ମିଶ୍ରଙ୍କ ଅନୁସାରେ ଏହି ରାଜବଂଶର ଜନୈକ ରାଜାଙ୍କ ନାମ ଗୁହ ଵା ଗୁହା ଥିଲା ଯାହାଙ୍କର ନାମାନୁସାରେ ତୋଷଳର ରାଜଧାନୀର ନାମକରଣ ଗୁହଦେଵପାଟକ ଵା ଗୁହେଶ୍ଵରପାଟକ(ଆଧୁନିକ ଯାଜପୁର)ହୋଇଥିଲା । ତେବେ ଵାୟୁପୁରାଣ ଅନୁସାରେ ରାଜା ଗୁହଦେଵ ଚତୁର୍ଥ ଶତାବ୍ଦୀର ରାଜପୁରୁଷ ବୋଲି ଅନେକେ ଅନୁମାନ କରିଛନ୍ତି କିନ୍ତୁ ଭୌମକର ରାଜବଂଶ ସପ୍ତମ ଅଷ୍ଟମ ଶତାବ୍ଦୀର ହୋଇଥିଵାରୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରିନଥାନ୍ତି ‌। ପୁଣି ଵିନାୟକ ମିଶ୍ର ତାଙ୍କର ଗଵେଷଣା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯେହେତୁ ଦ୍ଵିତୀୟ ଶିଵକର ଦେଵ ତାଙ୍କର ତାମ୍ରଲେଖରେ ନିଜ ରାଜବଂଶକୁ ଉତ୍କଳଜାତିର ପ୍ରାଚୀନ ଭୌମବଂଶ ଉଲ୍ଲେଖ କରିଛନ୍ତି ତେଣୁ ସମ୍ଭଵତଃ ଭୌମମାନେ ପୁରାଣୋକ୍ତ ଉତ୍କଳ ବଂଶର ରାଜନ୍ୟବୃନ୍ଦ ହୋଇଥିଵା ସମ୍ଭଵ । 

ଗଵେଷକ ଓ୍ଵାଲ୍ଟର ସ୍ମିଥ୍ ନିଜର ପୁସ୍ତକ "ଦି ମୁକ୍ତେଶ୍ଵର ଟେମ୍ପଲ୍ ଅଫ୍ ଭୁବନେଶ୍ୱର"ରେ ଓଡ଼ିଶାର ଵିଭିନ୍ନ ରାଜବଂଶର ଉଲ୍ଲେଖ କାଳରେ ଭୌମକରମାନଙ୍କୁ ଭୂମିଜ ଜନଜାତି ସହିତ ସମ୍ବନ୍ଧିତ ହୋଇଥିଵା ମତପୋଷଣ କରିଛନ୍ତି। ସେହିପରି ଐତିହାସିକ ନଵୀନ କୁମାର ସାହୁ ତଥା ଜଗବନ୍ଧୁ ସିଂହଙ୍କ ପରି କିଛି ଗଵେଷକ ଭୌମକରମାନଙ୍କୁ ଭୁୟାଁ ଜନଜାତି ତଥା ଆସାମର ବୋଡୋ଼ ଭୂୟାଁ ଜନଜାତି ସହିତ ସମ୍ବନ୍ଧିତ ହୋଇଥିଵା ମତପ୍ରକାଶ କରିଥିଵା ଜଣାଯାଏ ‌। ବୋଡ଼ୋ ଭୂୟାଁମାନଙ୍କର ରାଜବଂଶରେ ପରିଵାରର ବଡ଼ପୁଅର ନାମ ଜେଜବାପାଙ୍କ ନାମାନୁସାରେ ନାମିତ ହୋଇଥାଏ ଏଵଂ ସମାନ ପ୍ରଥା ଭୌମକର ରାଜବଂଶରେ ମଧ୍ୟ ପ୍ରଚଳିତ ଥିଲା କିନ୍ତୁ ଭୌମକର ରାଜବଂଶରେ ଦ୍ଵିତୀୟ ରାଜପୁତ୍ରର ନାମ ସେମାନଙ୍କର ଜେଜେବାପାଙ୍କର ବାପାଙ୍କ ନାମାନୁସାରେ ନାମିତ କରାଯାଉଥିଲା ଏଵଂ ଏହି ପ୍ରଥା ବୋଡ଼ୋ ଭୂୟାଁମାନଙ୍କର ରାଜବଂଶରେ ପ୍ରଚଳିତ ନଥିଲା । ଏହି ତଥ୍ୟ ଆଧାରରେ ଅନେକ ଗଵେଷକ ପ୍ରୋକ୍ତ ମତକୁ ଗ୍ରହଣ କରନ୍ତି ନାହିଁ । ଭୌମକରମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ଅନ୍ୟ ଏକ ଐତିହାସିକ ମତ ମଧ୍ୟ ରହିଛି ଏଵଂ ଏହିମତ ଅନୁସାରେ ବଙ୍ଗ,ଆସାମ ଓ ଓଡ଼ିଶାର ଭୌମ, ଭୁୟାଁମାନେ କାମରୂପର ପ୍ରାକଜ୍ୟୋତିଷପୁରରେ ରାଜ୍ୟ ପ୍ରତିଷ୍ଠା କରିଥିଵା ଭଉମ ଶାସକ ନରକଙ୍କ ବଂଶଧର କିନ୍ତୁ ଏହି ମତ ସମ୍ବନ୍ଧରେ ଅଧିକ ଯୁକ୍ତିଯୁକ୍ତ ତଥ୍ୟ ମିଳେନାହିଁ । ସାରଳା ଦାସ ତାଙ୍କର ସାରଳା ମହାଭାରତରେ ଵିଷ୍ଣୁକରଙ୍କୁ ଭୌମରାଜବଂଶର ପ୍ରତିଷ୍ଠାତା ବୋଲି ଉଲ୍ଲେଖ କରିଥିଵା ଵିଶ୍ଵରୂପ ଦାସ ତାଙ୍କର ଦି ଭୌମକରଜ୍ : ବୁଦ୍ଧିଷ୍ଟ୍ କିଙ୍ଗ୍‌ସ୍ ଅଫ୍ ଓଡ଼ିଶା ଆଣ୍ଡ୍ ଦେୟାର୍ ଟାଇମ୍ ପୁସ୍ତକରୁ ଜଣାଯାଏ । ଏହି ପୁସ୍ତକରେ ଭୌମମାନେ ପ୍ରଥମେ ହର୍ଷଙ୍କର ସାମନ୍ତ ଭାବରେ ଓଡ଼ିଶାରେ ଶାସନ ଆରମ୍ଭ କରି ପରେ ଏକ ସ୍ଵତନ୍ତ୍ର ରାଜବଂଶ ରୂପେ ପ୍ରତିଷ୍ଠିତ ହୋଇଥିଵା କଥା ମଧ୍ୟ କୁହାଯାଇଛି । ମାତ୍ର ରାମପ୍ରସାଦ ମିଶ୍ର ନିଜର ପୁସ୍ତକ ସହଜଯାନ : ଏ ଷ୍ଟଡି ଅଫ୍ ତାନ୍ତ୍ରିକ୍ ବୁଦ୍ଧିଜିମ୍‌ରେ ଏହି ମତକୁ ପ୍ରମାଣ ଅଭାବ ଦର୍ଶାଇ ଖଣ୍ଡନ କରିଛନ୍ତି । 

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ପ୍ରବନ୍ଧ 'ଓଡ଼ିଶାର ନାରୀ ଶାସିକା'ରେ ଭୌମକର ରାଜବଂଶର ପ୍ରତିଷ୍ଠାତା ଲକ୍ଷ୍ମୀକର ଦେଵ ନିଜର ପରାକ୍ରମ ବଳରେ ଉତ୍କଳର ପ୍ରାଚୀନ ରାଜଧାନୀ ଯାଜପୁରରେ ନିଜର ରାଜଧାନୀ ସ୍ଥାପନ କରିଥିଲେ ଏଵଂ ଏହି ନଗରୀର ନୂତନ ନାମକରଣ ଗୁହଦେଵ ପାଟକ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ଏହି ପ୍ରବନ୍ଧରେ ଆଗକୁ ଲେଖିଛନ୍ତି ଯେ ଭୌମକର ରାଜବଂଶର ରାଜାମାନେ ପ୍ରଥମେ ତୋଷାଳୀ ରାଜ୍ୟରେ ଶାସନ କରୁଥିଲେ ଏଵଂ ପରେ ପରେ ଖିଜିଙ୍ଗ୍ ,ଯମଗର୍ତ୍ତ,କୋଦାଳକ,ଖିଞ୍ଜିଳି ଓ ଐରାଵତ ଆଦି ମଣ୍ଡଳ 
ରାଜ୍ୟର ଅଧିପତିମାନେ ସେମାନଙ୍କର ଅଧିନତା ସ୍ଵୀକାର କରି ମହାସାମନ୍ତ ରୂପେ ଶାସନ କରୁଥିଲେ । ଲକ୍ଷ୍ମୀକରଙ୍କ ପରେ ଭୌମକର ରାଜବଂଶର କ୍ଷେମଙ୍କର ଦେଵ ତୋଷାଳୀ ରାଜ୍ୟର ଶାସନଭାର ଗ୍ରହଣ କଲେ ‌। ତାଙ୍କ ପରେ ସେହି ବଂଶରେ ଶିଵକର ଦେଵ ବୋଲି ଜଣେ ପ୍ରତାପୀ ରାଜା କଙ୍ଗୋଦ ତଥା କଳିଙ୍ଗ ରାଜ୍ୟ ଜୟକରି ଉନ୍ନତ ସିଂହ ଉପାଧି ଧାରଣ କରିଥିଲେ । ଶିଵକରଙ୍କ ପରେ ଶୁଭକର ଦେଵ ତୋଷାଳୀର ଶାସକ ହେଲେ ଏଵଂ ଜଣେ ବୌଦ୍ଧସାଧକ ଭାବରେ ତାଙ୍କର ସୁଖ୍ୟାତି ରହିଥିଲା ‌। କିନ୍ତୁ ତାମ୍ରଶାସନରୁ ମିଳିଥିଵା ତଥ୍ୟ ଅନୁଯାୟୀ ଏହାଙ୍କର ରାଣୀ ମାଧଵୀ ଦେଵୀ ଶିଵ ଉପାସିକା ଥିଲେ । ଶୁଭାକର ଦେଵ ନିଜେ ମଧ୍ୟ ଦୁଇଶତ ବ୍ରାହ୍ମଣଙ୍କୁ ଭୂମିଦାନ କରିଥିଵା ତାଙ୍କର ଏକ ତାମ୍ରଶାସନରୁ ଜଣାପଡି଼ଛି । ଶୁଭାକର ଦେଵଙ୍କ ପରେ ଦ୍ଵିତୀୟ ଶିଵକର,ପ୍ରଥମ ଶାନ୍ତିକର, ଦ୍ଵିତୀୟ ଶୁଭାକର ଓ ତୃତୀୟ ଶୁଭାକର ପ୍ରମୁଖ ଚାରିଜଣ ଶାସକ ତୋଷାଳୀ ରାଜ୍ୟର ଶାସକ ହୋଇଥିଲେ ଏଵଂ ୮୪୫ ପର୍ଯ୍ଯନ୍ତ ଏହିପରି ଭାବେ ଭୌମକର ରାଜବଂଶର ରାଜ୍ୟ ଓଡ଼ିଶାରେ ସୁପ୍ରତିଷ୍ଠିତ ହୋଇଯାଇଥିଲା ।‌ ମାତ୍ର ତୃତୀୟ ଶୁଭାକର ଦେଵଙ୍କ ପୁତ୍ର ନାଵାଳକ ଥିଵା ସମୟରେ ଏକ ଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ‌ । ତୋଷଳ ରାଜ୍ୟର ଏହି ଵିପତ୍ତିକାଳରେ ଵାହ୍ୟ ଶତ୍ରୁମାନେ ସେ ରାଜ୍ୟ ଆକ୍ରମଣ କରିଵାକୁ ଷଡ଼ଯନ୍ତ୍ର କରିଵାକୁ ଲାଗିଲେ ‌। ରାଜ୍ୟ ରକ୍ଷା ପାଇଁ ରାଜମାତା ତ୍ରୀଭୁଵନ ମହାଦେଵୀ ୮୪୫ ଖ୍ରୀଷ୍ଟାବ୍ଦରେ ତୋଷଳ ସିଂହାସନ ଆରୋହଣ କରିଥିଲେ ‌। 

ଐତିହାସିକ ଦିନେଶ୍ ଚନ୍ଦ୍ର ସରକାର, ଭୌମ ସାମନ୍ତରାଜା ଶତ୍ରୁଭଞ୍ଜ ଦ୍ଵିତୀୟଙ୍କ ଦଶପଲ୍ଲା ତାମ୍ରଲେଖରେ ଥିଵା ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଆଧାରରେ ଭୌମକର ରାଜବଂଶର ପ୍ରତିଷ୍ଠା ସମୟକାଳ ୮୩୧ ଖ୍ରୀଷ୍ଟାବ୍ଦ ବୋଲି ଅନୁମାନ କରିଥିଲେ ତେବେ ଐତିହାସିକ ରିଜାର୍ଡ ଜି ସଲୋମନ୍ ତାଙ୍କର ପୁସ୍ତକ "ଇଣ୍ଡିଆନ୍ ଇପିଗ୍ରାଫି : ଏ ଗାଇଡ଼ ଟୁ ଦି ଷ୍ଟଡି ଅଫ୍ ଇନ୍ସକ୍ରିପସନ୍ସ୍ ଇନ୍ ସାନ୍ସକ୍ରିଟ୍,ପ୍ରାକ୍ରିତ୍ ଆଣ୍ଡ୍ ଅଦର୍ ଇଣ୍ଡୋ ଆର୍ୟାନ୍ ଲାଙ୍ଗୁଏଜ୍‌"ରେ ଏହି ମତକୁ ଆଂଶିକ ସମର୍ଥନ କରିଥିଲେ ହେଁ ଏହାକୁ ସମ୍ପୂର୍ଣ୍ଣ ଵିଶ୍ବାସଯୋଗ୍ୟ ନିର୍ଣ୍ଣାୟକ ମତ ଭାବେ ଗ୍ରହଣ କରିନାହାନ୍ତି ‌। ତେବେ ଐତିହାସିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ନିଜର ପୁସ୍ତକ 'କ୍ରୋନୋଲଜି ଅଫ୍ ଦ ଭୌମକରଜ୍ ଆଣ୍ଡ୍ ଦ ସୋମବଂଶୀଜ୍ ଅଫ୍ ଓଡ଼ିଶା'ରେ ୭୩୬ ଖ୍ରୀଷ୍ଟାବ୍ଦରେ ଭୌମକର ରାଜବଂଶ ପ୍ରଥମେ ଗୁହଦେଵପାଟକରେ ଶାସନ ଆରମ୍ଭ କରିଥିଵା କଥା ଅନେକ ଯୁକ୍ତି ଓ ପ୍ରମାଣ ଦ୍ଵାରା ପ୍ରକାଶ କରିଛନ୍ତି । 

ଏହି ତ୍ରିଭୁଵନ ମହାଦେଵୀ ପୂର୍ଵଭାରତ ତଥା କଳିଙ୍ଗ ଦେଶର ପ୍ରଥମ ମହିଳା ଶାସିକା ଅଟନ୍ତି । ଏହା କମ୍ ଗୌରଵର ଵିଷୟ ନୁହେଁ କିନ୍ତୁ ଓଡ଼ିଶାର ଏହି ଇତିହାସ ସର୍ଵଭାରତୀୟ ସ୍ତରରେ ସୁଚାରୁରୂପେ ପ୍ରଚାର ପ୍ରସାର ହୋଇପାରିନଥିଲା ଫଳତଃ ଆଜି ବି ଅନେକେ ରାଜିଆ ସୁଲ୍ତାନାଙ୍କୁ ଭାରତର ପ୍ରଥମ ମହିଳା ଶାସିକା ଅଭିହିତ କରିଥାନ୍ତି । 

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ପ୍ରବନ୍ଧ 'ଓଡ଼ିଶାର ନାରୀ ଶାସିକା'ରେ ଭୌମକର ରାଜବଂଶର ଶାସକ ଓ ଶାସିକମାନଙ୍କ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରିଛନ୍ତି । ତାଙ୍କ ଅନୁସାରେ ପ୍ରଥମ ତ୍ରିଭୁଵନ ମହାଦେଵୀ ଶାନ୍ତିକର ଦେଵଙ୍କ ମହାରାଣୀ ତଥା ଦାକ୍ଷିଣାତ୍ୟର ରାଜା ରାଜମଲ୍ଲଙ୍କ କନ୍ୟା ଥିଲେ । ତାଙ୍କର ଅନ୍ୟନାମ ଥିଲା ସିନ୍ଦଗୌରୀ ଓ ଗୋସ୍ଵାମିନୀ ଦେଵୀ । 
ସେ ରାଜ୍ୟର ଶାସନଭାର ଗ୍ରହଣ ପରେ 
ତ୍ରିଭୁଵନ ମହାଦେବୀ ନାମ ଧାରଣ କରିଥିଲେ ‌। ତାଙ୍କ ନାମ ସହିତ ପରେ ପରମ ଭଟ୍ଟାରିକା, ପରମେଶ୍ବରୀ ଓ ପରମ
ଵୈଷ୍ଣଵୀ ଆଦି ଉପାଧି ସଂଯୁକ୍ତ ହୋଇଥିଲା ‌। ଵାହ୍ୟଶତ୍ରୁମାନେ ନାରୀ ଶାସିକାଙ୍କୁ ରାଜ୍ୟଶାସନ କରିଵା ଦେଖି ତୋଷଳ ଉପରେ ଆକ୍ରମଣ କରିଦେଲେ କିନ୍ତୁ ଅଦମ୍ୟ ସାହସ ତଥା ଵିଚକ୍ଷଣ ବୁଦ୍ଧି ବଳରେ ତ୍ରିଭୁଵନ ମହାଦେଵୀ ଶତ୍ରୁମାନଙ୍କୁ ଦମନ କରି ସେ ଭୌମକର ବଂଶର ଯଶ ବୃଦ୍ଧି କରିଥିଲେ । ତ୍ରିଭୁଵନ ମହାଦେଵୀ ତାଙ୍କର ଜୀଵିତାଵସ୍ଥାରେ ହିଁ ସ୍ଵପୌତ୍ର ଦ୍ଵିତୀୟ ଶାନ୍ତିକର ଦେଵଙ୍କୁ ରାଜ୍ୟଶାସନ ଭାର ଦେଇ ନିଜର ଅଵଶିଷ୍ଟ ଜୀଵନ ନାରାୟଣଙ୍କ
ସେଵାରେ ନିୟୋଜିତ କରିଥିଲେ ।

ତ୍ରିଭୁଵନ ମହାଦେଵୀଙ୍କ ପରେ ଦ୍ଵିତୀୟ ଶାନ୍ତିକର ଦେଵ ୮୫୦ଖ୍ରୀଷ୍ଟାବ୍ଦ ଠାରୁ
୮୬୫ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଵାପରେ ତାଙ୍କର ଜ୍ୟେଷ୍ଠପୁତ୍ର ଚତୁର୍ଥ ଶୁଭାକର ଦେଵ ୮୬୫ ଖ୍ରୀଷ୍ଟାବ୍ଦରୁ ୮୮୫ ଖ୍ରୀଷ୍ଟାବ୍ଦ
ପର୍ଯ୍ୟନ୍ତ ତୋଷଳର ଶାସକ ହୋଇଥିଲେ । ଏହି ରାଜା ସୋମବଂଶୀ ଜନ୍ମେଜୟଙ୍କ କନ୍ୟା ପୃଥ୍ବୀ ମହାଦେଵୀଙ୍କୁ ଵିଵାହ କରିଥିଲେ । ଅଵଶ୍ୟ ଅନୁମାନ କରାଯାଏ ଯେ ଏହି ଵିଵାହ ରାଜନୈତିକ ଅଭିସନ୍ଧି ମୂଳକ ଥିଲା । ସୋମବଂଶୀମାନେ ତୋଷଳର ରାଜକାର୍ଯ୍ୟରେ ହସ୍ତକ୍ଷେପ କରିଵାରୁ ରାଜପରିଷଦଗଣ ତତ୍କାଳୀନ ଶାସିକା ଦ୍ଵିତୀୟ ତ୍ରିଭୁଵନ ମହାଦେଵୀ ଵା ପୃଥ୍ଵୀ ମହାଦେଵୀଙ୍କୁ ଗାଦିଚ୍ୟୁତ କରି ତାଙ୍କ ଯାଆ ତୃତୀୟ ଶିଵକର ଦେଵଙ୍କ ଵିଧଵା ରାଣୀ ତୃତୀୟ ତ୍ରିଭୁଵନ ଦେଵୀଙ୍କୁ ସିଂହାସନରେ ବସାଇଲେ । ସେତେବେଳେ ପୃଥ୍ବୀ ମହାଦେଵୀଙ୍କ ଭାଇ ସୋମବଂଶୀ ରାଜା ଯଯାତି ,ଶଙ୍କରଗଣଙ୍କ ସହିତ ଯୁଦ୍ଧରେ ଲିପ୍ତ ଥିଵାରୁ ତାଙ୍କ ଗାଦିଚ୍ୟୁତା ଭଉଣୀ ପୃଥ୍ଵୀ ମହାଦେଵୀଙ୍କୁ ସାହାଯ୍ୟ କରିପାରିଲେ ନାହିଁ । 

ତୃତୀୟ ତ୍ରିଭୁଵନ ମହାଦେବୀ ତୃତୀୟ ଶିଵକର ଦେଵଙ୍କ ମହାରାଣୀ ତଥା ପଶ୍ଚିମ ଗଙ୍ଗବଂଶୀୟ ରାଜା ରାଜମଲ୍ଲଙ୍କ କନ୍ୟା ଥିଲେ । ସେ ପରମ ଭଟ୍ଟାରିକା, ପରମେଶ୍ବରୀ ଓ ମହାରାଜାଧିରାଜ ଉପାଧି ଲାଭ କରିଥିଲେ । ସେ ଵିଷ୍ଣୁଙ୍କର ପରମ
ଉପାସିକା ଥିଲେ ଏଵଂ ବ୍ରାହ୍ମଣମାନଙ୍କୁ ବହୁ ଭୂମିଦାନ କରିଥିଵା ତାଙ୍କର ତାମ୍ରଶାସନରୁ ଜଣାପଡି଼ଛି । ନିଜର ତାମ୍ରପତ୍ରରେ ତାଙ୍କୁ କାତ୍ୟାୟିନୀଙ୍କ ସହିତ ତୁଳନା କରାଯାଇଛି । ତୃତୀୟ ତ୍ରିଭୁଵନ ମହାଦେଵୀଙ୍କ ରାଜତ୍ବକାଳ ୮୯୬ଖ୍ରୀଷ୍ଟାବ୍ଦରୁ ୯୦୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଥିଲା । ତାଙ୍କ ପରେ ତାଙ୍କର ଦୁଇପୁତ୍ର ତୃତୀୟ ଶାନ୍ତିକର ଦେଵ ଓ ପଞ୍ଚମ ଶୁଭାକର ଦେଵ ତୋଷଳର ରାଜା ହୋଇଥିଲେ କିନ୍ତୁ ଏ ଦୁଇଜଣଙ୍କ ରାଜତ୍ଵ
କାଳ ୯୦୫ଖ୍ରୀଷ୍ଟାବ୍ଦ ଠାରୁ ୯୦୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମାତ୍ର ଚାରିଵର୍ଷ ଥିଲା । 

 ପଞ୍ଚମ ଶୁଭାକର ଦେଵଙ୍କର ଦୁଇଜଣ ରାଣୀଥିଲେ । ତନ୍ମଧ୍ୟରୁ ଜ୍ୟେଷ୍ଠାରାଣୀ ଗୌରୀ ମହାଦେଵୀ ୯୧୦ରୁ ୯୧୬ ଖ୍ରୀଷ୍ଟାବ୍ଦ
ପର୍ଯ୍ୟନ୍ତ ତୋଷଳର ଶାସିକା ହୋଇଥିଲେ । ଗୌରୀ ମହାଦେଵୀଙ୍କ ପରେ ତାଙ୍କର କନ୍ୟା ଦଣ୍ଡୀ ମହାଦେଵୀ ୯୧୪ଖ୍ରୀଷ୍ଟାବ୍ଦରୁ ୯୩୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ବ କରିଥିଲେ । ଦଣ୍ଡୀ ମହାଦେଵୀଙ୍କର ଗଞ୍ଜାମ ତାମ୍ରଶାସନ,
କୁମରାଙ୍ଗ ତାମ୍ରଶାସନ,ଶାନ୍ତିରା ତାମ୍ରଶାସନ ଓ ପାଟଲିଙ୍ଗ ତାମ୍ରଶାସନରୁ ତାଙ୍କର ପରାକ୍ରମ ଓ ଦକ୍ଷ ଶାସନର ପରିଚୟ ମିଳିଥାଏ । ତାଙ୍କର ପରମ ମାହେଶ୍ବରୀ, ପରମଭଟ୍ଟାରିକା, ମହାରାଜାଧିରାଜ ଓ
ପରମେଶ୍ବରୀ ଆଦି ଉପାଧି ରହିଥିଲା । ସେ ଅତ୍ୟନ୍ତ ପ୍ରଭାଵଶାଳୀ ଓ ଦକ୍ଷ ପ୍ରଶାସିକା ଥିଲେ । ଏମନ୍ତକି ଭୌମ ରାଜ୍ୟକୁ ସୁଦୃଢ଼ କରିଵା ପାଇଁ ଏଵଂ ଶାସନ କ୍ଷେତ୍ରରେ ସମ୍ପୂର୍ଣ୍ଣ ମନୋନିଵସ ହେତୁକ 
ସେ ଆଜୀଵନ କୁମାରୀ ରହିଥିଲେ । 

ଦଣ୍ଡୀ ମହାଦେଵୀଙ୍କ ପରେ ତାଙ୍କ ଵିମାତା ଅର୍ଥାତ୍ ପଞ୍ଚମ ଶୁଭାକର ଦେଵଙ୍କ କନିଷ୍ଠା ରାଣୀ ବକୁଳ ମହାଦେଵୀ ୯୩୪ଖ୍ରୀଷ୍ଟାବ୍ଦରୁ ୯୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ତୋଷଳ ରାଜ୍ୟର ଶାସିକା ହୋଇଥିଲେ ଏଵଂ ୟେ ଥିଲେ 
ଭଞ୍ଜବଂଶୀୟ ରାଜକନ୍ୟା । ବକୁଳ
ମହାଦେଵୀଙ୍କ ପରେ ତାଙ୍କ ଯାଆ ଅର୍ଥାତ୍
ତୃତୀୟ ଶାନ୍ତିକର ଦେଵଙ୍କ ରାଣୀ ଧର୍ମା
ମହାଦେଵୀ ୯୪୦ ଖ୍ରୀଷ୍ଟାବ୍ଦ ଠାରୁ ୯୫୦
ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ ଏଵଂ ସେ ମଧ୍ୟ ବକୁଳ ମହାଦେଵୀଙ୍କ ପରୀ ଭଞ୍ଜବଂଶୀୟା ରାଜକନ୍ୟା ଥିଲେ । ଧର୍ମା ମହାଦେଵୀ ଦୁଇଟି ତାମ୍ରପତ୍ର ପ୍ରଦାନ
କରିଥିଲେ ଏଵଂ ତହିଁରୁ ଜଣାଯାଏ ଯେ ତାଙ୍କର ପରମ ଭଟ୍ଟାରିକା, ମହାରାଜାଧିରାଜ ଓ ପରମେଶ୍ବରୀ ଉପାଧି ରହିଥିଲା । ଐତିହାସିକମାନେ ଅନୁମାନ କରନ୍ତି ଯେ କ୍ରମାଗତ ଭାବରେ ଚାରିଜଣ ରାଣୀ ଶାସନ କରିଵା ପରେ କୌଣସି ଯୋଗ୍ୟ ଉତ୍ତରାଧିକାରୀ ନଥିଵାରୁ ଭୌମକର ରାଜବଂଶ ଦୁର୍ଵଳ ହୋଇପଡ଼ିଲା ଏଵଂ ଏହାର ସୁଯୋଗ ନେଇ ସୋମବଂଶୀମାନେ ତୋଷଳ ରାଜ୍ୟ ଅଧିକାର କରିନେଇଥିଲେ । ଐତିହାସିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଅନୁସାରେ ଭଞ୍ଜ ଓ ଖିଞ୍ଜିଳି ରାଜବଂଶ ନିଜର ଦୁଇଜଣ କନ୍ଯା ଵକୁଳା ମହାଦେଵୀ ଓ ଧର୍ମା ମହାଦେଵୀଙ୍କୁ ଭୌମକର ରାଜବଂଶରେ ଵିଵାହ ଦେଇ ସେମାନଙ୍କ ସାହାଯ୍ୟରେ ତୋଷଳ ରାଜ୍ୟର ଶାସନକୁ ନିୟନ୍ତ୍ରିତ କରିଵାକୁ ଚେଷ୍ଟା କରିଥିଲେ ଫଳତଃ ଭୌମ ରାଜବଂଶର ଶାସନ ଉପରୁ ତତ୍କାଳୀନ ତୋଷଳୀ ରାଜପରିଷଦଗଣଙ୍କର ଵିଶ୍ଵାସ ତୁଟିଗଲା । ଏହି ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସୋମବଂଶୀମାନେ ତୋଷଳ ରାଜ୍ୟକୁ ଅଧିକାର କରିନେଇଥିଲେ । 

ସାତଵାହନ ରାଣୀ ଶାସିକା ନୟନିକା, ଗୁପ୍ତବଂଶୀୟ ରାଣୀ ଶାସିକା ପ୍ରଭାଵତୀ ତଥା
ସପ୍ତମ ଶତାବ୍ଦୀରୁ ନଵମ ଶତାବ୍ଦୀ ଯାଏଁ ଉତ୍କଳର ଭୌମକର ରାଜବଂଶରେ ସାତଜଣ ରାଣୀ ଶାସିକା ଶାସନ କରିଥିଲେ ବି ଏ ଇତିହାସ ବହୁଦିନ ଧରି ଲୋକ ଆଗୋଚରରେ ରହିଯାଇଥିଵାରୁ ଭାରତର ପ୍ରଥମ ଶାସିକା ଭାବେ ରାଜିଆ ସୁଲ୍ତାନାଙ୍କୁ ଅଭିହିତ କରାଯାଉଥିଲା । କିନ୍ତୁ ଏହା ମଧ୍ୟ ସତ ଯେ ପ୍ରୋକ୍ତ ନୂତନ ଇତିହାସ ଵିଷୟରେ ଜଣାପଡ଼ିଲା ପରେ ମଧ୍ୟ ଭାରତର ବୁଦ୍ଧିଜୀଵୀମାନେ ଏହାର ସୂଚାରୁରୂପେ ସର୍ଵଭାରତୀୟ ସ୍ତରରେ ପ୍ରଚାର ପ୍ରସାର କରିପାରିନାହାନ୍ତି ଫଳତଃ ଆଜି ବି "ରାଜିଆ ସୁଲ୍ତାନା ଭାରତର ପ୍ରଥମ ମହିଳା ଶାସିକା" ଏହି ଭ୍ରମାତ୍ମକ ଇତିହାସ ପଢ଼ୁଛନ୍ତି ଓ ପଢ଼ାଉଛନ୍ତି ।‌
‌•••••••••••••••••••••••••••••
          - : ତଥ୍ୟ ଉତ୍ସ :-

• Kubaba : A. Philologisch Reallexikon der Assyriologie und vorderasiatischen Archäologie(J. D. Hawkins-1983)
• A guide to anuradhapur( Central Cultural Fund, Ministry of Cultural Affairs, Sri Lanka. 1981. p. 6.)
• Vaishali and the Indianization of Arakan(Noel F. Singer)
• Kalhana's Rajatarangini: a chronicle of the kings of Kasmir, Volume 1 (Stein, Mark Aurel -1989)
•ଓଡ଼ିଶାର ନାରୀ ଶାସିକା — ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର 
•ପ୍ରାଚୀନ ଉତ୍କଳ (ଶ୍ରୀ ଜଗବନ୍ଧୁ ସିଂ)
• The Bhauma-Karas: Buddhist Kings of Orissa and Their Times(Biswarup Das -1978)
• The Mukteśvara Temple in Bhubaneswar(Walter Smith -1994)
• Sahajayāna: A Study of Tantric Buddhism(Ramprasad Mishra -1991)
• Indian Epigraphy: A Guide to the Study of Inscriptions in Sanskrit, Prakrit, and the other Indo-Aryan Languages(Richard G. Salomon -1998)
• Chronology of the Bhauma-Karas and the Somavaṁs̀īs of Orissa. Modern(K. C. Panigrahi -1981)
•••••••••••••••••••••••••••••

Tuesday, May 2, 2023

"କେଲିଙ୍ଗ୍ ; ସାରା ଦକ୍ଷିଣ ପୂର୍ଵ ଏସିଆର ଲୋକେ ଆଗେ ଭାରତୀୟମାନଙ୍କୁ କଳିଙ୍ଗୀ ସମ୍ବୋଧନ କରୁଥିଲେ"


ଭାରତୀୟମାନଙ୍କୁ ପୂର୍ଵେ ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ କଳିଙ୍ଗୀ ସମ୍ବୋଧନ କରାଯାଉଥିଲା କାରଣ ଏହି ସବୁ ଦେଶରେ ମୁଖ୍ୟତଃ କଳିଙ୍ଗୀମାନେ ଉପନିଵେଶ ସ୍ଥାପନ କରିଥିଲେ ଏଵଂ ଵ୍ୟାପାର ମଧ୍ୟ କରୁଥିଲେ ।‌ ଫଳତଃ ଓଡ଼ିଶାର ମହାଵିଷୁଵ ପଣା ସଂକ୍ରାନ୍ତି ଏସବୁ ଅଞ୍ଚଳରେ ସାଂସ୍କୃତିକ ନଵଵର୍ଷ ରୂପେ ଆଜି ବି ପାଳିତ ହୋଇଥାଏ । ଓଡ଼ିଶାର ତତ୍କାଳୀନ ପାଲିଭାଷୀ ଲୋକେ ନିଜ ଭାଷାକୁ ଏସବୁ ଅଞ୍ଚଳରେ ପ୍ରଚଳିତ କରାଇଥିଵାରୁ ଆଜି ବି ସହସ୍ରାଧିକ ପାଲି ଶବ୍ଦ ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶର ଭାଷାରେ ଚଳୁଅଛି । ତେବେ ୟୁରୋପୀୟମାନଙ୍କ ଆଗମନ ତଥା ଭାରତ ଉପରେ ଅଧିକାର କରିଵାର କୁଚେଷ୍ଟା ପର୍ଯ୍ଯନ୍ତ କଳିଙ୍ଗର ନୌଵାଣିଜ୍ୟ ଅଵ୍ୟାହତ ରହିଥିଲା । ପରେ ଡଚ୍ ଓନ୍ଦଲାଜ୍ ଓ ପର୍ତ୍ତୁଗୀଜ୍‌ମାନେ ଜଳଭାଗରେ କଳିଙ୍ଗର ବୋଇତ ଲୁଣ୍ଠନ କଲେ ଏଵଂ ସ୍ଥଳଭାଗରେ ମୋଗଲ,ଅଫଗାନ୍ ତଥା ଵର୍ଗୀମାନେ ଅତ୍ୟାଚାର ଶୋଷଣରେ ଲୋକଙ୍କୁ ହନ୍ତସନ୍ତ କରିଵାକୁ ଲାଗିଲେ ଫଳତଃ ସେହି ନୌଵାଣିଜ୍ୟ ପରମ୍ପରା କେଵଳ ପର୍ଵ ଓ ଲୋକକଥା ମଧ୍ୟରେ ସୀମିତ ହୋଇ ରହିଗଲା । 

କିନ୍ତୁ ଭାରତୀୟମାନଙ୍କୁ ତଥାପି ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ଶହ ଶହ ଵର୍ଷ ଧରି କଳିଙ୍ଗୀ ହିଁ ସମ୍ବୋଧନ କରାଯାଉଥିଲା । ଫଳତଃ ଏହି ଦକ୍ଷିଣ ପୂର୍ଵ ଏସୀୟ ଅଞ୍ଚଳର ଵିଭିନ୍ନ ଭାଷାରେ ଭାରତୀୟଙ୍କୁ କଳିଙ୍ଗ,କଳିଙ୍ଗୀ ଶବ୍ଦ ମୂଳର ଶବ୍ଦ ଦ୍ଵାରା ସମ୍ବୋଧନ କରାଗଲା ଏଵଂ ଆଜି ବି କାଁ ଭାଁ ସମ୍ବୋଧନ କରାଯାଏ । 

Malayଭାଷୀ,ଭାଷା ଇଣ୍ଡୋନେସିଆ ଭାଷାଭାଷୀ ଭାରତୀୟଙ୍କୁ Keling ସମ୍ବୋଧନ କରନ୍ତି । ଚୀନରେ Min Nanଭାଷୀ ଭାରତୀୟଙ୍କୁ 吉靈/吉灵 (kiat-lêng) ସମ୍ବୋଧନ କରୁଥିଲେ ସେହିପରି Semai ଭାଷାଭାଷୀ ମଧ୍ୟ ଭାରତୀୟଙ୍କୁ Keléng ସମ୍ବୋଧନ କରୁଥିଵା ଜଣାଯାଏ । ଦକ୍ଷିଣ ପୂର୍ଵ ଏସିଆର Khmerଭାଷାଭାଷୀ ଭାରତୀୟଙ୍କୁ Kleng (ក្លិង្គ) ସମ୍ବୋଧନ କରୁଥିଲେ ଏମନ୍ତକି ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଇଣ୍ଡିଆ ଶବ୍ଦ ଲୋକପ୍ରିୟ ହେଵା ପୂର୍ଵରୁ ଏସିଆକୁ ଜମ୍ବୁଦ୍ବୀପ ତଥା ଭାରତକୁ Keling କୁହାଯାଉଥିଲା । ଆଜି ବି ଭାଷା ଇଣ୍ଡୋସିଆରେ ଭାରତୀୟ ଉପମହାଦ୍ଵୀପକୁ Benua Keling କୁହାଯାଇଥାଏ । ସବୁଠାରୁ ମଜାକଥା ହେଲା ଇଣ୍ଡୋନେସିଆରେ ୟୁରୋପୀୟମାନଙ୍କ ଶାସନ ସମୟରେ ରାମାୟଣର ନାୟକ ଭଗଵାନ ଶ୍ରୀରାମଙ୍କୁ Rama Keling କୁହାଯାଉଥିଲା । 

ୟୁରୋପୀୟ ଡଚ ଜାତିର ଲୋକମାନେ ପ୍ରଥମେ ପ୍ରଥମେ Malaccaରେ ଵସଵାସ କରୁଥିଵା ଭାରତୀୟମାନଙ୍କୁ "Clings" ଓ "Klingers" ସମ୍ବୋଧନ କରୁଥିଲେ । 
ପନ୍ଦରଶହରୁ ଷୋହଳଶହ ଶତାବ୍ଦୀର ଇଂରେଜମାନେ ମଧ୍ୟ କଳିଙ୍ଗତଟ(ତାମ୍ରଲିପ୍ତିଠାରୁ ଚିନାପାଟଣା ଵା ଚେନ୍ନାଇ ପର୍ଯ୍ଯନ୍ତ ଅଞ୍ଚଳ)ରୁ ଆସି ଦକ୍ଷିଣ ପୂର୍ଵ ଏସୀୟ ଦେଶମାନଙ୍କରେ ରହୁଥିଵା ଆଗନ୍ତୁକମାନଙ୍କୁ "Kling" ଭାବେ ଉଲ୍ଲେଖ କରିଥିଵାର ଅନେକ ପାଣ୍ଡୁଲିପି ମିଳିଥାଏ । 

John Crawfurd (1856)ଙ୍କ ଅନୁସାରେ ମାଳୟ ଓ ଜାଵାଦ୍ଵୀୟର ଲୋକମାନେ ସାଧାରଣତଃ ଭାରତୀୟମାନଙ୍କୁ ହିଁ "Kling" ସମ୍ବୋଧନ କରୁଥିଲେ । ଷୋହଳଶହ ଶତାବ୍ଦୀର ପର୍ତ୍ତୁଗୀଜ ଯାତ୍ରୀ Castanheda ତାଙ୍କର ଯାତ୍ରା ସମ୍ବନ୍ଧୀୟ ପାଣ୍ଡୁଲିପିରେ ଲେଖିଛନ୍ତି ଯେ Melaka ଅଞ୍ଚଳରେ ୧୫୨୮ରୁ ୧୫୩୮ ମଧ୍ୟରେ କଳିଙ୍ଗୀ ଵା ଭାରତୀୟମାନେ ଵସଵାସ କରୁଥିଲେ । 
ସେହିପରି Malaccaର ଉତ୍ତର ଭାଗରେ ରହୁଥିଵା ବେପାରୀମାନଙ୍କୁ Quelins ସମ୍ବୋଧନ କରାଯାଉଥିଲା । 

ଦକ୍ଷିଣ ଫିଲିପାଇନସରେ ଅଵସ୍ଥିତ Mindanaoansମାନଙ୍କୁ ଓ ସେମାନଙ୍କ ସ୍ଥାନୀୟ Butuan ରାଜାମାନଙ୍କୁ "Kiling" ସମ୍ବୋଧନ କରାଯାଉଥିଲା କାରଣ ଏହି ରାଜପରିଵାରର ଲୋକେ ନିଜକୁ ଭାରତୀୟ ଅଭିହିତ କରୁଥିଲେ । 

କାମ୍ବୋଡିଆରେ Kleng (ក្លិង្គ) ଶବ୍ଦଟି ଅଧୁନା ଭାରତୀୟମାନଙ୍କ ପ୍ରତି ଏକ ଅପମାନସୂଚକ ଶବ୍ଦ ରୂପେ ଵ୍ୟଵହୃତ ହେଉଥିଲେ ବି ପ୍ରାଚୀନ କାଳରେ କଳିଙ୍ଗ ସାମ୍ରାଜ୍ୟ ତଥା କଳିଙ୍ଗଵାସୀ ଅର୍ଥରେ ଏ ଶବ୍ଦ ପ୍ରୟୋଗ ହେଉଥିଲା । ଆଜି ବି କାମ୍ବୋଡିଆରେ ଭାରତୀୟମାନଙ୍କ ପରି ଦେଖାଯାଉଥିଵା ଲୋକ ଓ ଯେଉଁମାନେ ଭାରତୀୟ ମୂଳର ଵା ଯେଉଁମାନଙ୍କ ଗଢ଼ଣ ଓ ରୂପ ଭାରତୀୟଙ୍କ ପରି ଏଵଂ ଆଖି ବଡ଼ ବଡ଼ ହୋଇଥାଏ ସେମାନଙ୍କୁ Kleng ସମ୍ବୋଧନ କରାଯାଏ ।‌

ଥାଇଲାଣ୍ଡର ଥାଇଭାଷୀ ଭାରତୀୟ ତଥା ଭାରତୀୟମାନଙ୍କ ଭଳି ଦେଖିଯାଉଥିଵା ଲୋକଙ୍କୁ Khaek (แขก) କୁହନ୍ତି । ପୂର୍ଵେ ଏ ଶବ୍ଦ ଏକ ଆଦରସୂଚକ ଶବ୍ଦ ଥିଲା କିନ୍ତୁ ସମୟ ସହିତ ଏ ଶବ୍ଦ ମଧ୍ୟ ଧିରେ ଧିରେ ଏକ ଅପମାନସୂଚକ ଶବ୍ଦ ରୂପେ ପରିଗଣିତ ହେଵାକୁ ଲାଗିଲା । 

ସେହିପରି ଚୀନ ଦେଶରେ ମଧ୍ୟ ଭାରତୀୟ ଲୋକମାନଙ୍କୁ ପୂର୍ଵେ Keling-a,Ki-lêng-á, Keling-yan,gat-lìhng-yan ଓ Keling-kia ଆଦି ସମ୍ବୋଧନ କରାଯାଉଥିଲା । 

ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ସ୍ଥାନରେ ଭାରତୀୟମାନେ ଵିଶେଷକରି 'କଳିଙ୍ଗତଟ'ର ଲୋକମାନେ ଯେଉଁ ଯେଉଁ ସ୍ଥାନମାନଙ୍କରେ ଉପନିଵେଶ ସ୍ଥାପନ କରିଥିଲେ ଵସଵାସ ଓ ଶାସନ କରିଥିଲେ ସେସବୁ ସ୍ଥାନର ନାମ ମଧ୍ୟ କଳିଙ୍ଗ ଦେଶର ନାମାନୁସାରେ ନାମିତ ହୋଇଥିଵା ଜଣାଯାଏ । 

ମାଲେସିଆର ଵିଭିନ୍ନ ସ୍ଥାନର ନାମରେ Keling ଶବ୍ଦ ଥିଵା ଦେଖାଯାଏ ଉଦାହରଣ ସ୍ୱରୂପ Tanjong Keling,Kampong Keling ଓ Bukit Keling ଇତ୍ୟାଦି । ମାଲେସିଆର Penang ରାଜ୍ୟର ଜର୍ଜ ଟାଉନରେ Kapitan Keling Mosque ଓ Jalan Masjid Kapitan Keling (Pitt Street) ଅଵସ୍ଥିତ । ଅନେକ Penang Hokkien ସଡ଼କର ନାମରେ ବି keling ଥିଵା ଦେଖାଯାଏ ଯଥା : Kiet-leng-a Ban-san (Chowrasta Road) ଓ Kiet-leng-a Ke (King Street/Market Street) ଇତ୍ୟାଦି । Malaccaରେ Kampung Kling ନାମରେ ଏକ ମସଜିଦ ଅଵସ୍ଥିତ ଯହିଁରେ Kling ଶବ୍ଦ ରହିଛି । Singaporeରେ ଅଵସ୍ଥିତ Jurong Industrial Estateରେ ଏକ ସଡ଼କର ନାମ Tanjong Kling Road ରଖାଯାଇଛି ‌। ଜାଭା ଦ୍ଵୀପ, ଇଣ୍ଡୋସିଆରେ ଏକ ଜିଲ୍ଲାର ନାମ Keling ଏଵଂ ଏହା କଳିଙ୍ଗୀମାନଙ୍କ ଦ୍ଵାରା ସ୍ଥାପିତ ଷଷ୍ଠ ଶତାବ୍ଦୀର ସ୍ଥାନୀୟ Kalingga Kingdomର ସ୍ମୃତି ଵହନ କରୁଅଛି । 
ପୂର୍ଵ ଜାଭାର Surabaya ଅଞ୍ଚଳରେ Pacar Keling ବୋଲି ଏକ ସ୍ଥାନ ଅଛି ଯାହାର ଆକ୍ଷରିକ ଅର୍ଥ "Keling lover" ଅଟେ ‌। ଏହିପରି ଭାବେ ଦକ୍ଷିଣ ପୂର୍ଵ ଏସିଆରେ ଵିଭିନ୍ନ ସ୍ଥାନର ନାମରେ ମଧ୍ୟ କଳିଙ୍ଗୀ ଶବ୍ଦ ରହିଛି। 


ସହସ୍ରାଧିକ ଵର୍ଷ ଧରି ଦକ୍ଷିଣ ପୂର୍ଵ ଏସିଆରେ ଭାରତୀୟମାନଙ୍କୁ ସସମ୍ମାନ କଳିଙ୍ଗୀ ସମ୍ବୋଧନ କରାଯାଉଥିଲା କିନ୍ତୁ ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଵିଭିନ୍ନ ସାମାଜିକ-ରାଜନୈତିକ କାରଣ ଯୋଗୁଁ ଭାରତୀୟମାନଙ୍କୁ ଵିଶେଷତଃ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜଗୁଡି଼କରେ ଘୃଣା ଚକ୍ଷୁରେ ଦେଖାଗଲା ଏଵଂ ଏହି ସମୟରେ Keling ଏକ ଅପମାନସୂଚକ ଶବ୍ଦ ରୂପେ ଵିଦେଶୀ ଵିଶେଷତଃ ଭାରତୀୟ ଓ ଭାରତୀୟଙ୍କ ଭଳି ଦେଖାଯାଉଥିଵା ଲୋକଙ୍କ ପାଇଁ ଵ୍ୟଵହୃତ ହେଵାକୁ ଲାଗିଲା । ଏହି ଘୃଣା ଏତେ ଉଗ୍ର ରୂପ ଧାରଣ କଲା ଯେ ଭାରତୀୟ ଓ ଭାରତ ବଂଶୋଦ୍ଭଵମାନେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଆଉ ନିଜକୁ କରିଙ୍ଗୀ ଵା Keling ସମ୍ବୋଧନ କରାଯିଵାକୁ ପସନ୍ଦ କଲେ ନାହିଁ । ଯେଉଁ କଳିଙ୍ଗୀ ସମ୍ବୋଧନ ଆଗେ ଦକ୍ଷିଣ ପୂର୍ଵ ଏସିଆରେ ଏକ ଆଦରସୂଚକ ସମ୍ବୋଧନ ଥିଲା ତାହା ସେ ଅଞ୍ଚଳରେ ଭାରତୀୟ ତଥା ଚିନା ମଉଡ଼ାର ଲୋକଙ୍କ ମଧ୍ୟରେ ଜାତିଵାଦୀ ଵିଭେଦ ଯୋଗୁଁ ଏକ ଗାଳି ଵା ଅପମାନସୂଚକ ଶବ୍ଦରେ ପରିଣତ ହୋଇଯାଇଥିଲା । ଏହା ସମାଜକୁ ଅତିମାତ୍ରାରେ ପ୍ରଭାଵିତ କରିଥିଲା ଫଳସ୍ଵରୂପ "Cherita Jenaka" ପୁସ୍ତକର ୧୯୬୩ ସଂସ୍କରଣରେ ଭାରତୀୟଙ୍କୁ ପୂର୍ଵେ ଯେଉଁ orang Keling (Keling ଲୋକ) ଲେଖାଯାଉଥିଲା ତାକୁ ପରିଵର୍ତ୍ତିତ କରି orang India (Indian ଲୋକ ) କରିଦିଆଯାଇଥିଲା । କିନ୍ତୁ ଏମିତି କ'ଣ ହେଲା ଯେ ବିଂଶ ଶତାବ୍ଦୀଠାରୁ ଦକ୍ଷିଣ ପୂର୍ଵ ଏସିଆର ଲୋକମାନେ ଯେଉଁ କଳିଙ୍ଗୀ ସମ୍ବୋଧନକୁ ଆଦରାର୍ଥକ ପ୍ରୟୋଗ କରୁଥିଲେ ତାହା ଏକ ଘୃଣାଵାଚକ ଶବ୍ଦରେ ପରିଵର୍ତ୍ତିତ ହୋଇଗଲା ? 


ସମ୍ଭଵତଃ ଉତ୍ତର ଭାରତୀୟ ଲୋକେ ଓ ମୁସଲମାନଙ୍କର ଏସବୁ ଅଞ୍ଚଳରେ ଵସଵାସ ବୃଦ୍ଧି ପରେ ଜାତୀୟ ହିଂସା ଘଟିଵାରୁ ଏହି ଘୃଣାଭାଵ ବୃଦ୍ଧି ଘଟିଥିଲା ବୋଲି ଅନୁମାନ କରାଯାଇପାରେ କାରଣ କଳିଙ୍ଗତଟର ଲୋକେ ସହସ୍ରାଧିକ ଵର୍ଷ ପର୍ଯ୍ଯନ୍ତ ଏ ଅଞ୍ଚଳରେ ଵ୍ୟାପାର, ଵସଵାସ ଓ ଶାସନ କରିଵା ମଧ୍ୟରେ କେବେ ଭାରତୀୟଙ୍କ ପ୍ରତି ଏତାଦୃଶ ଜନ ଅସନ୍ତୋଷ ବୃଦ୍ଧି ଘଟିଥିଵା ଜଣାଯାଏ ନାହିଁ । 

କଳିଙ୍ଗ ନାମକୁ ବଙ୍ଗାଳୀ ,ତେଲେଙ୍ଗା ଓ ତାମିଳ ଲୋକେ ନିଜର ବୋଲି ଦାବୀ କରନ୍ତି କିନ୍ତୁ କଳିଙ୍ଗ ଓ କଳିଙ୍ଗୀ କହିଲେ ସାଧାରଣତଃ ଓଡ଼ିଶାଵାସୀଙ୍କୁ ବୁଝାଏ ଏଵଂ ଏହି କଳିଙ୍ଗ ନାମଟି ଅଖଣ୍ଡ ଓଡ଼ିଶାର ପୁରାଣ ପ୍ରସିଦ୍ଧ ଓ ଐତିହାସିକ ନାମ ଅଟଇ । ଏହି ନାମଟି କୌଣସି ଦୃଷ୍ଟିରୁ ଵା ଦିଗରୁ ସାଧାରଣ ନୁହେଁ ଵରଂ ଲକ୍ଷ ଲକ୍ଷ କଳିଙ୍ଗଵାସୀଙ୍କ ମନରେ ଦେହରେ ହଠାତ୍ ସ୍ଵାଭିମାନ ଓ ଶକ୍ତି ଵୃଦ୍ଧିକରିପାରୁଥିଵା ନାମଟିଏ । ପୁରାଣ ଶାସ୍ତ୍ରରେ ଏହି କଳିଙ୍ଗ ଦେଶକୁ କଳିଙ୍ଗରାଷ୍ଟ୍ର,କଳିଙ୍ଗଵିଷୟ ଓ ସର୍ଵକଳିଙ୍ଗ ନାମରେ ମଧ୍ୟ ଉଲ୍ଲେଖ କରାଯାଇଛି । କେତେକ ଗଵେଷକଙ୍କ ଅନୁସାରେ କଳିଙ୍ଗ ନାମଟି ମୂଳତଃ ଏକ ଜନଜାତୀୟ ମୂଳର ଶବ୍ଦ କୁଲି,କୁଳିଙ୍ଗର ଆଧୁନିକ ରୂପ । ସେମାନଙ୍କ ମତରେ ପୂର୍ଵେ ଏକ ଜାତୀୟ ଉତ୍କଳୀୟ ଚଷାଙ୍କୁ କଳିଙ୍ଗ କୁହାଯାଉଥିଲା । ଆଜି ବି କାଳିଙ୍ଗୀ ଓ କାଳିଞ୍ଜୀ ନାମରେ ଚଷାଜାତି ଚଷାଜାତି ଅଵିଭକ୍ତ ଗଞ୍ଜାମରେ ଦେଖାଯାଆନ୍ତି । ସମ୍ଭଵତଃ ପରେ ଗ୍ରନ୍ଥକାରମାନେ ଉକ୍ତ ମୂଳ କୁଈ ଶବ୍ଦକୁ ନେଇ ସଂସ୍କୃତର ଵୈଜ୍ଞାନିକ ଶବ୍ଦଗ୍ରହଣ ପଦ୍ଧତିଦ୍ଵାରା 'କଳି' ଶବ୍ଦ ସହ 'ଗମ୍ ଧାତୁ' ଯୁକ୍ତ କରି କଳିଙ୍ଗ ଶବ୍ଦ ନିଷ୍ପନ୍ନ କରିଅଛନ୍ତି । କଳିର ଏକ ଅର୍ଥ ଯୁଦ୍ଧ ଏଵଂ ଗମ୍ ଧାତୁର ଅର୍ଥ ଯିଵା,ପାଇଵା । ଯେଉଁ ଦେଶର ଲୋକେ ସଦା ଯୁଦ୍ଧ କରିଵାକୁ ଜଣାଶୁଣା ସେ ଜାତି କଳିଙ୍ଗୀଜାତି । ଏ ଵିଶ୍ଵରେ କୌଣସି ମାନଵଜାତି କଳିଙ୍ଗୀମାନଙ୍କ ପରି ସହସ୍ରାଧିକ ଯୁଦ୍ଧ କରି ଅନେକାଂଶରେ ଵିଜିତ ହୋଇଥିଵା ଜଣାଯାଏ ନାହିଁ । କଳିଙ୍ଗୀମାନଙ୍କ ଉଲ୍ଲେଖ ଏକ ଵୀରଜାତି ଭାବରେ ମହାଭାରତ ଗ୍ରନ୍ଥରେ ରହିଛି । ଛଅଶହ ଵର୍ଷ ଧରି ମୁସଲମାନ ତଥା ଦେଢ଼ଵର୍ଷ କାଳ ଇଂରେଜମାନଙ୍କ ଵିପକ୍ଷରେ ସଶସ୍ତ୍ର ଯୁଦ୍ଧ କରିଥିଵା ଏକମାତ୍ର ମହାଭାରତୀୟ ଜାତି ହେଉଛି କଳିଙ୍ଗୀ ଜାତି । କଳିଙ୍ଗୀମାନେ ଲୁଣ୍ଠନକାରୀ ଵର୍ଗୀମାନଙ୍କ ଆଗରେ ମଧ୍ୟ ନଇଁ ଯାଇନଥିଲେ ଵରଂ ଢେଙ୍କାନାଳ, ତାଳଚେର ଆଦି ଅଞ୍ଚଳରେ ସେମାନଙ୍କୁ ବାରମ୍ବାର ପରାସ୍ତ କରିଥିଲେ । ଏହି କଳିଙ୍ଗ ଦେଶର ଵିସ୍ତୃତି ପୃଥିଵୀର ସବୁ ଦେଶର ଆକାର ଭଳି ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ଥିଲା । ମହାଭାରତ କାଳରେ ଏହା ଆଗଙ୍ଗା ଗୋଦାଵରୀ ପରିଵ୍ୟାପ୍ତ ଥିଲା ପୁଣି ଖ୍ରୀଷ୍ଟପୂର୍ଵ ନଵମ ଶତାବ୍ଦୀରେ ସମ୍ରାଟ ଅଭିକଣ୍ଣୟୋ କରକଣ୍ଡୁଙ୍କ ଶାସନକାଳରେ କଳିଙ୍ଗତଟରେ ଵିସ୍ତୃତି ଲଭିଥିଲା । ସମ୍ରାଟ ଖାରବେଳଙ୍କ ସମୟରେ ଵର୍ତ୍ତମାନ ଭାରତର ଅଧିକାଂଶ ଭୂଭାଗ କଳିଙ୍ଗ ଦେଶର ଅଂଶ ଥିଲା । ସେହିପରି ଶତ୍ରୁଭଞ୍ଜଙ୍କ ଶାସନ ସମୟରେ ସମ୍ପୂର୍ଣ୍ଣ ପୂର୍ଵତଟଠାରୁ ଆଧୁନିକ ଉତ୍ତରପ୍ରଦେଶ ,ବିହାର ଓ ମଧ୍ୟପ୍ରଦେଶର ଅଧିକାଂଶ ଭୂଭାଗ କଳିଙ୍ଗ ଶାସନାଧୀନ ହୋଇଥିଲା। କେଶରୀ ବଂଶର ଶାସନକାଳରେ କଳିଙ୍ଗ ଓ ଉତ୍କଳ ଦୁଇ ଦେଶ ଭାବେ ଏ ଦେଶ ଶାସିତ ହେଉଥିଲା ପୁଣି ସମ୍ରାଟ ଅନନ୍ତ ଵର୍ମା, ନରସିଂହ ଦେଵ ଓ ଅନଙ୍ଗଭୀମ ଦେଵଙ୍କ ସମୟରେ କଳିଙ୍ଗ ଆଗଙ୍ଗା ଗୋଦାଵରୀ ପରିଵ୍ୟାପ୍ତ ହୋଇଥିଲା । କଳିଙ୍ଗର ଶେଷ ସମ୍ରାଟ୍ କପିଳେନ୍ଦ୍ର ଦେଵ ତ ଅର୍ଦ୍ଧାଧିକ ଭାରତକୁ କଳିଙ୍ଗ ଦେଶର ଶାସନାଧୀନ କରିଥିଲେ । ଭାରତରେ ସର୍ଵପ୍ରଥମେ ଅଷ୍ଟମ ଶତାବ୍ଦୀରେ ଆଗ ପଛ କରି ସାତ ଜଣ ମହିଳା ଶାସିକା ଓଡ଼ିଶାରେ ଶାସନ କରିଥିଲେ। ସେହିପରି 
 କଳିଙ୍ଗଵାସୀମାନେ ଶ୍ରୀଲଙ୍କା,ମାଳଦ୍ଵୀପ, ବ୍ରହ୍ମଦେଶ, ଫିଲିପାଇନସ, ଇଣ୍ଡୋନେସିଆ ଓ ମାଲେସିଆରେ ନିଜର ରାଜ୍ୟ ସ୍ଥାପନ କରି ଅଖଣ୍ଡ ଭାରତର ସ୍ଵପ୍ନକୁ ସାକାର କରିଥିଲେ । ହେଲେ ଏତେ ମହାନ ପ୍ରାଚୀନ ଐତିହ୍ୟ ଥାଇ ବି ସ୍ଵାଭିମାନହୀନ ହୋଇ ଆଜି କଳିଙ୍ଗୀମାନେ ସୁପ୍ତ ନିସ୍ତେଜ ଓ ମାନସିକ ପରାଧୀନ ହୋଇ ପଡି଼ରହିଛନ୍ତି ଦେଖିଲେ ଦୁଃଖ ଲାଗେ । ହନୁମାନ ଯେମିତି ନିଜ ଶକ୍ତିକୁ ଭୁଲିଯାଇଥିଲେ କଳିଙ୍ଗୀମାନେ ମଧ୍ୟ ନିଜ ଐତିହ୍ୟ ଇତିହାସକୁ ଭୁଲିଯାଇଛନ୍ତି ଆଉ ଯଦି କେହି ଜାମ୍ବଵାନ ଭଳି ସେମାନଙ୍କୁ ଆଜି ତାଙ୍କ ପ୍ରାଚୀନ ଇତିହାସ ଵିଷୟରେ ସଚେତନ କରିଵାକୁ ଚେଷ୍ଟା କରୁଛି ସେମାନଙ୍କୁ ତାଙ୍କେ "ଗଲାଣି ତ ଗଲା କଥା ଆଉ କି ଫେରିଵ ପୁରୁଣା ଅଵସ୍ଥା" ଗୀତ ଶୁଣାଇ ଵର୍ତ୍ତମାନରେ ବଞ୍ଚିଵାକୁ ଉପଦେଶ ଦେଇ ଦିଅନ୍ତି । ତେବେ ଯୋଉ ଜାତି ନିଜ ଇତିହାସ ଐତିହ୍ୟକୁ ଭୁଲିଯାଏ ସେ କେବେ ସ୍ବାଭିମାନୀ ହୋଇପାରେ ନାହିଁ କି ଉନ୍ନତି କରିପାରେ ନାହିଁ । ପୃଥିଵୀରେ ଏମିତି କୌଣସି ମାନଵଜାତି ନାହିଁ ଯେ ନିଜ ପ୍ରାଚୀନ ଐତିହ୍ୟ ଓ ଇତିହାସକୁ ନଷ୍ଟ କରି ଭୁଲିଯାଇ ପରର ହନୁକରଣରେ ମହାନ ହୋଇଛି, ସମୃଦ୍ଧ ହୋଇଅଛି । 



  

Sunday, April 30, 2023

•ଗୋଵର ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର•





ଆଜିକାଲି ଆଉ ଅଧିକାଂଶତଃ ଗୋଵର ଦ୍ଵାରା ଘର ଲିପା ହେଉନାହିଁ କାରଣ ଚାରିଆଡ଼େ ଏବେ କୋଠାଘର ହୋଇଗଲାଣି ତେବେ ଗ୍ରାମାଞ୍ଚଳରେ ଵିଶେଷ ପୂଜା ପର୍ଵ ପାର୍ଵଣ ପୂର୍ଵରୁ କାଁ ଭାଁ କେହି କେହି ଗୋଵର ଦ୍ଵାରା ଘର ଲିପୁଛନ୍ତି । ଆଗକାଳରେ ଗୋଵରରେ ଲିପାପୋଛାକୁ ନେଇ ଆମ ଭାଷାରେ ଅନେକ ଶବ୍ଦ ଚଳୁଥିଲା ହେଲେ ଏହି ପରମ୍ପରା ଧିରେ ଧିରେ ସମାଜରୁ ଅପସରି ଯାଉଥିଵାରୁ ସେ ଶବ୍ଦ ସବୁ ମଧ୍ୟ ଲୋପ ପାଇଯାଉଛି ।

କୌଣସି ଅପରିଷ୍କୃତ ସ୍ଥାନକୁ ଗୋଵର ଲଗାଇ ଲିପିଵାକୁ ଗୋଵର ଲଗାଇଵା କୁହାଯାଉଥିଲା ପୁଣି ଲକ୍ଷଣାର୍ଥ ଏ ଶବ୍ଦ କୌଣସି କାର୍ଯ୍ୟରେ ଭୁଲଭଟକା ରଖିଵା ଵା ତନ୍ତରମାଧିଆ କରି କାର୍ଯ୍ୟ କରିଵା ଅର୍ଥରେ ବି ଵ୍ଯଵହୃତ ହେଉଥିଲା । 

ଦୈନିକ କାର୍ଯ୍ୟ ସ୍ୱରୂପ ଵିଶେଷତଃ ପର୍ଵପର୍ଵାଣିରେ ଘରର ଦୁଆରମୁହଁ ପାଖ ଗୋଵରମିଶା ପାଣିରେ ଲିପିଵାକୁ କଟକାଞ୍ଚଳରେ ଚଉକା ଦେଵା କୁହାଯାଉଥିଲା । କେତେକ ଅଞ୍ଚଳରେ ପାକ ପୂର୍ଵରୁ ଚୂଲିର ଚାରିପାଖ ଗୋଵରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିଵାକୁ ମଧ୍ୟ ଲୋକେ ଚଉକା ଦେଵା କହୁଥିଲେ ।‌ ଉତ୍ତର ଓଡ଼ିଶାରେ ଗୋଵରରେ ଘର ଲିପିଵାକୁ ଛଁଚ୍ କୁହାଯାଉଥିଲା ।‌ ଉପକୂଳଵର୍ତ୍ତୀ ଓଡ଼ିଶାରେ ମାଟିଘରର ତଳରେ ମାଟିଗୋଵରପାଣି ଅଳ୍ପ ଅଳ୍ପ ଛିଞ୍ଚି କନାରେ ଲିପିଵାକୁ ଛିଞ୍ଚ ଦେଵା କୁହାଯାଉଥିଲା। ଏ ଶବ୍ଦ କେତେକ ଅଞ୍ଚଳରେ ଛୁଞ୍ଚ ଓ ଛୁଞ୍ଚ ଦେଵା ରୂପେ ବି ଚଳୁଥିଲା । ଵିଶେଷତଃ ସକାଳୁ ଗୋଵରପାଣିରେ ଅଗଣା ଆଦି ଲିପିଵାକୁ ଛୁଞ୍ଚ ଦେଵା କୁହାଯାଉଥିଲା । ସେହିପରି ଘର ଲିପିଵାର କନାକୁ ଆଗେ ଲୋକେ ମାଟି ଗୋଵରକନା, ଛିଞ୍ଚକନା ଓ ଛୁଞ୍ଚିକନା କହୁଥିଲେ ।‌ ପ୍ରତ୍ୟହ ସକାଳେ ଘର ଓ ଅଗଣାଆଦି ଲିପିଵାରେ ଵ୍ୟଵହୃତ ଗୋଵରପାଣିକୁ ଛୁଞ୍ଚପାଣି ଓ ନିତି ସକାଳେ ଘରଦ୍ୱାର ଲିପିଵା ପାଇଁ ଯେଉଁ ହାଣ୍ଡିରେ ମାଟିଗୋଵର ମିଶା ପାଣି ରଖାଯାଉଥିଲା ତାକୁ ଛୁଞ୍ଚହାଣ୍ଡି କହୁଥିଲେ ।‌

ମଧ୍ୟ ଗଡ଼ଜାତରେ ଲୋକେ ଗୋଵରରେ ଘର ଲିପିଵାକୁ ନିକା କହୁଥିଲେ ଏଵଂ ଆଜି ବି ଘର ଲିପିଵା , ସଜାଡି଼ଵା ଓ ବାଛିଵା ଅର୍ଥରେ ନିକେଇଵା ଶବ୍ଦ ଵ୍ୟଵହାର ହୋଇଥାଏ । 

ବାଲେଶ୍ଵରରେ ଆଗକାଳରେ ଲୋକମାନେ ଗୋଵର ଓ ପାଣିରେ ଘର ପୋଛିଵାକୁ ବୁରି ଦେଵା କହୁଥିଲେ । 

ଆଉ କେତେକ ଅଞ୍ଚଳରେ ଘରର ତଳକୁ ଓ କାନ୍ଥକୁ ଗୋଵର ଗୋଳା ପାଣିରେ ବୁଡ଼ା ହୋଇଥିଵା କନାପୁଡ଼ାରେ ଲିପିଵାକୁ ଲୁଣ୍ଡାଇଵା କୁହାଯାଉଥିଲା ।‌ଘର ଲିପିଵା ପାଇଁ ଵ୍ୟଵହୃତ ମାଟିଗୋଵରର ଏହି ଲୁଣ୍ଡାକୁ ସମ୍ବଲପୁରରେ ସର୍କା କହୁଥିଲେ । 

କୌଣସି ଫାଟକୁ ଗୋବର ବୋଳି ବନ୍ଦ କରିଵାକୁ ଗୋଵର ଲେସିଵା ଓ ଗୋଵର ଲଗାଇଵା କୁହାଯାଉଥିଲା । 
ପ୍ରତିଦିନ ସକାଳେ ଓଡ଼ିଶାର ସ୍ତ୍ରୀଲୋକମାନେ ଗାଈଗୁହାଳକୁ ପୋଛି ପରିଷ୍କାର କରୁଥିଲେ ଏଵଂ 
ଯେଉଁ ଟୋକେଇରେ ଗୁହାଳର ଗୋଵର ଓ ଅଳିଆ ପୂରାଇ ଵାହାରକୁ ଅର୍ଥାତ୍ ଖତଗଦା,ଗୋଵରଖାତ,ଗୋଵରଗଦା,ଗୋଵରଗାଡ଼ ଵା ଖତକୁଡ଼କୁ ନିଆଯାଉଥିଲା ତାକୁ ଗାଣ୍ଡୁଆ ଓ ଗୋଵରପୋଛା କହୁଥିଲେ । ଗୋଵର ପାଣିରେ ଲିପାପୋଛାକୁ ଅଧିକାଂଶ ଅଞ୍ଚଳରେ ଲିପିଵା ପୋଛିଵା କୁହାଯାଉଥିଲା ଯାହା ଆଜି ବି ଚଳୁଅଛି । 

କେଵଳ ଗାଈ ଗୋଵରରେ ଘର ଲିପା ଯାଉଥିଲା ଏଵଂ ଷଣ୍ଢ ଗୋଵର ଦ୍ୱାରା ଯଜ୍ଞ ଭୂମିଆଦି ଲିପିଵା ନିଷିଦ୍ଧ ଥିଵାରୁ “ଅଵ୍ୟଵହାର୍ଯ୍ୟ ପଦାର୍ଥ” ଅର୍ଥରେ ଲକ୍ଷଣାର୍ଥ "ଷଣ୍ଢଗୋଵର" ଶବ୍ଦ ବି ଵିଶେଷ ଵ୍ୟଵହାର ହେଉଥିଲା ।‌

ପ୍ରତିଦିନ ସକାଳେ ଗୃହର ଯେଉଁ ଯେଉଁ ଆଵଶ୍ୟକୀୟ କର୍ମ ଯଥା 
ଅଗଣାରେ ଗୋବର ପାଣି ଛିଞ୍ଚିଵା, ଘରଲିପିଵା, ଗତ କାଲିର ଅଇଁଠା ବାସନ ମାଜିଵା, ଦାଣ୍ଡ, ବାଡ଼ିଆଡ଼ ଓ ଅଗଣା ଓଳାଇଵା ଇତ୍ୟାଦି କରାଯାଉଥିଲା ତାକୁ ଓଡ଼ିଶାର ଲୋକେ 'ବାସୀ ଆଡ଼ତି' କହୁଥିଲେ । ରାନ୍ଧିବା ପୂର୍ଵରୁ ଚୁଲୀର ଚାରିପାଖ ଗୋଵରପାଣିରେ ଲିପି ପରିଷ୍କାର କରିଵାକୁ ଓଡ଼ିଆ ଲୋକେ ଚୂଲି ଚଉକା ଦେଵା କହୁଥିଲେ ।‌

ଆଜିକାଲି ତ ଅନେକ ସ୍ଥାନରେ ସିମେଣ୍ଟ ତିଆରି ଚଉରା କରାଯାଉଛି ତେବେ ଯୁଗ ଥିଲା ଉତ୍କଳର ସନାତନୀ ମହିଳାମାନେ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦେଉଥିଲେ ଆଉ କୁଳଵଧୂମାନେ ପ୍ରତିଦିନ ଏଵଂ ଵିଶେଷତଃ ଗୁରୁବାର, ଏକାଦଶୀ ଓ କାର୍ତ୍ତିକମାସରେ ସକାଳୁ ଉଠି ଗୋଵରପାଣିରେ ଚଉରାମୂଳକୁ ଲିପୁଥିଲେ । 


ଆଗକାଳରେ ଏମନ୍ତକି ନବେ ଦଶକ ପର୍ଯ୍ଯନ୍ତ ଓଡ଼ିଶାର ଅଧିକାଂଶ ଗ୍ରାମାଞ୍ଚଳରେ ସକାଳୁଁ ସ୍ତ୍ରୀଲୋକମାନେ ଅଗଣା ଓଳାଇ ଗୋଵରପାଣି ଛିଞ୍ଚୁଥିଲେ ଏଵଂ ତାକୁ ଛରା ଦେଵା ଓ ଛେରା ଦେଵା କହୁଥିଲେ ।‌ ଏହି ପ୍ରକିୟାକୁ ଛରା ଓ ଛେରା ମଧ୍ୟ କୁହାଯାଉଥିଲା ।‌ ସମ୍ବଲପୁର ଅଞ୍ଚଳରେ ଏହି ପରମ୍ପରାକୁ ଝୁଣ୍ଟି ଏଵଂ ସକାଳୁ ଦୁଆରେ ଗୋଵର ପାଣି ଛିଞ୍ଚିଵାକୁ ଝୁଣ୍ଟିଵା କହୁଥିଲେ । 

ଗୋଵର ମିଶା ପାଣି ଦ୍ଵାରା ଦାଣ୍ଡ ଆଗରେ ଠ ଆକାରର ଏକ ଗୋଲାଇ କରି ତହିଁରେ ଦେଵୀ ଦେଵତାଙ୍କୁ ପଣା ଦିଆଯାଉଥିଲା । ଆଜିକାଲି କେହି କେହି ଏହା ପରିଵର୍ତ୍ତେ ରଙ୍ଗ ମୁରୁଜ କରୁଛନ୍ତି । 

ଗୋଵର ଲିପାପୋଛା କରିଵାରେ ସର୍ଵାଧିକ ଯୋଗଦାନ ମହିଳାମାନଙ୍କର ଥିଲା ତେଣୁ ଯେଉଁ ସ୍ତ୍ରୀ ଅତିରିକ୍ତ ଭାବରେ ଆଚାର ନିଷ୍ଠା ପାଳନ କରୁଥିଲା ତାକୁ ଥଟ୍ଟା କରିଵାକୁ ଢଗ ପ୍ରଚଳିତ ହୋଇଥିଲା 

“ନିୟାମୀ ନାନୀ,ଦିହରେ ମାରୁଛି ଗୋଵର ପାଣି"

ଆଗକାଳରେ ଗୋଵର ପାଣିକୁ ଲିପିଵା ଛଡ଼ା ଅନ୍ୟ କାର୍ଯ୍ୟରେ ବି ଲଗାଯାଉଥିଲା ।‌ ଖଜୁରିପିଞ୍ଛକୁ ଗୋଵର ପାଣିରେ ବୁଡ଼ାଇ ତଦ୍ଦ୍ୱାରା ଧାନ ଗଛରେ ଗୋଵର ପାଣି ଛଟାଯାଉଥିଲା ଫଳତଃ ଗୋଵର ଧାନ ଗଛରେ ବୋଳି ହୋଇଯାଉଥିଲା ଏଵଂ ଗୋବର ଗନ୍ଧରେ ଗୋରୁ ଉକ୍ତ ଧାନ ଗଛକୁ ଖାଉନଥିଲେ । ଏହି ପ୍ରକ୍ରିୟାକୁ ପିଛଦେଵା ଓ ପିଞ୍ଛ ମାରିଵା ମଧ୍ୟ କୁହାଯାଉଥିଲା।

ଗୋବର ଓଦା ଥିଵା ଅବସ୍ଥାରେ ତାକୁ ଚକଟି ହାତରେ ପିଠା ପରି ବଳି ତାହା ଖରାରେ ଶୁଖିବା ପାଇଁ ଭୂମିରେ ବା କାନ୍ଥରେ ଥାପିଵାକୁ ଘଷିପାଡି଼ଵା ଵା ଘଷିପାରିଵା କୁହାଯାଉଥିଲା ଏଵଂ ଏହି କାର୍ଯ୍ୟ କରୁଥିଵା ଵ୍ୟକ୍ତିଙ୍କୁ ଘଷି ପରାଳି କହୁଥିଲେ । କରତଳ ଦ୍ୱାରା ଚାପି ଗୋଵରକୁ ଚକ୍ରାକାର କରି ଭୂମିରେ ଵା କାନ୍ଥରେ ଘସି ପାରିଵାକୁ ଚାପଡ଼ାଇଵା କୁହାଯାଉଥିଲା । କେତେକ ଅଞ୍ଚଳରେ ଘଷି କରିଵା ପାଇଁ ଗୋଵରକୁ ପିଠା ପରି ଭୂମିରେ ବସାଇଵାକୁ ତାରିଵା,ଥାପିଵା ବି କହୁଥିଲେ । 

ଯାଜପୁରରେ ଗାଈ ଵା ବଳଦ ଵିକ୍ରି କରିଵା ବେଳେ, ଵିକ୍ରେତା କ୍ରେତାକୁ ଟିକିଏ ମାଟିଗୋଵର ଓ କେରାଏ ଦୁବ ଘାସ ଦେଉଥିଲା ତାକୁ ଛୁତ ଦେଵା କୁହାଯାଉଥିଲା। 

ରସାୟନିକ ସାର ଵ୍ୟଵହାର ପୂର୍ଵରୁ ଗୋଵର ଥିଲା କୃଷିକ୍ଷେତ୍ରର ମୁଖ୍ୟ ଜୈଵିକ ଖତ । ଗୋଵରକୁ କିଏ ଖରସୀ କିଏ ଖତ ତ ଆଉ କିଏ ଗୁଵର କହୁଥିଲେ । ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ନାନା ନାମ ପ୍ରଚଳିତ ଥିଲା । କୃଷିକ୍ଷେତ୍ରକୁ ଖତଗଦାରୁ ଶଗଡ଼ରେ ଡୋଲି ଯୋଗେ ଗାଡ଼ି ଗାଡ଼ି ଗୋଵର ପକାଯାଉଥିଲା । ଗୋରୁ ମଇଁଷିଙ୍କ ଗୋଵର ଓ ମୂତକୁ ବିଲରେ ସାରରୂପେ ସମ୍ପାଦିଵା ଉଦ୍ଦେଶ୍ୟରେ ଗୋରୁ ଵା ମଇଁଷି ପଲଙ୍କୁ ନେଇ କ୍ଷେତ୍ରସ୍ୱାମୀଙ୍କ ବିଲରେ ରାତିରେ ଗଉଡ଼ ପକାଇଵା ପ୍ରକ୍ରିୟା ମଧ୍ୟ ହେଉଥିଲା ଯାହାକୁ ଆଗକାଳର ଲୋକେ ମଳେଇ କହୁଥିଲେ । 

କିନ୍ତୁ ନବେ ଦଶକ ପରେ ସବୁକିଛି ବଦଳି ଗଲା । ଆଧୁନିକ ଭାରତୀୟଙ୍କ ଘରେ ଘରେ ଟିଵି ଓ ପରେ ମୋଵାଇଲ ଆସିଗଲା । ସରକାରୀ ସାହାଯ୍ୟରୁ ଆଵାସ ଯୋଜନା ଦ୍ଵାରା ପକ୍କାଘର ମିଳିଲା କେହି କେହି ନିଜ ଉଦ୍ୟମରେ କୋଟାଘର କଲେ । ଲୋକେ କ୍ରମଶଃ ପଶ୍ଚିମ ସଭ୍ୟତା ଦ୍ଵାରା ପ୍ରଭାଵିତ ହେଲେ ଏଵଂ ବିଲରେ କାର୍ଯ୍ୟ କରିଵା ତଥା ଗୋପାଳନ ପ୍ରତି ଵିମୁଖ ହେଲେ । ମୁଖ୍ୟତଃ ପଶୁ ଖାଦ୍ୟ ଯୋଗାଡ଼ ନକରିପାରିଵାରୁ ନବେ ଦଶକ ପରେ ଧିରେ ଧିରେ ଗୋପାଳନ କମି କମି ଗଲା । ଇତି ମଧ୍ୟରେ ଗ୍ରାମାଞ୍ଚଳରେ ଟ୍ରାକ୍ଟର୍,ଧାନ କଟା ଯନ୍ତ୍ର ଓ ବେଙ୍ଗଳା ଯନ୍ତ୍ର ଇତ୍ୟାଦି ବହୁପ୍ରଚଳିତ ହୋଇଗଲା ଆଉ ସର୍ଵ ଶେଷରେ ରସାୟନିକ ସାର ତଥା କୀଟନାଶକର ବହୁଳ ଵ୍ୟଵହାର ଯୋଗୁଁ ଗାଈ,ବଳଦ ଆଉ ଗୋଵରର ଆଵଶ୍ୟକତା ରହିଲା ନାହିଁ ‌। 
ଗୋଵର ଦ୍ଵାରା ଲିପିଵା ଓ ଗୋଵରର ଅନ୍ୟାନ୍ୟ ଜଣାଶୁଣା ଵ୍ୟଵହାର ଆଜି ବହୁତ କମି ଯାଇଛି । ନୂଆ ଭୁଆସୁଣୀମାନେ ଆଉ ଗୁହାଳ ପୋଛୁନାହାନ୍ତି,ଗୋଵର ଲିପୁନାହାନ୍ତି କି କୃଷକମାନେ ଖଜୁରିପିଞ୍ଚରେ ଗୋଵର ପାଣି ଛିଞ୍ଚି ନିଜ ଧାନଗଛକୁ ସୁରକ୍ଷିତ କରୁନାହାନ୍ତି । କୃଷିକ୍ଷେତ୍ରରେ ଆଗ ଭଳି ଜୈଵିକ ଗୋଵର ଵା ଖତ ପକାଇ ତାକୁ ଉର୍ଵର କରାଯାଉନାହିଁ । 

ହଁ ପରମ୍ପରା ନାମରେ କୋଉଠି କେମିତି କେହି କେହି ମଧ୍ୟ ଵୟସ୍କା ଓ ଵୟସ୍କା ମହିଳାମାନେ ଗୋଵରରେ ଲିପାପୋଛା କରି ଦିଅନ୍ତି । ଆଉ କ'ଣ ଗୋଵରର ଦିନକାଳ ଫେରିଵ ନା ଗୋଵର ସମ୍ବନ୍ଧୀୟ ଏସବୁ ଓଡ଼ିଆ ଶବ୍ଦ ସମ୍ଭାର ଆଉ ବଞ୍ଚି ରହିପାରିଵ ?

Saturday, April 29, 2023

•“ସନ୍ତାନର ଉକ୍ତି” ଏକ ଅମର କୃତି•

ଉତ୍କଳ ଗୌରଵ ମଧୁସୂଦନ ଦାସଙ୍କର "ସନ୍ତାନର ଉକ୍ତି" କଵିତାଟି ପ୍ରକୃତରେ ଉତ୍କଳ ସନ୍ତାନର ଉକ୍ତି ଅଭିହିତ ହେଵା କଥା । ଏ କଵିତାରେ ଜଣେ "ଉତ୍କଳ ସନ୍ତାନ" ନିଜ ମାତୃଭୂମି ଓ ମାତୃଭାଷାର ଦୁଃସ୍ଥିତି ଦେଖି ଦୁଃଖ ପ୍ରକାଶ କରିଵା ସହିତ ଏହା ଵିପକ୍ଷରେ ସ୍ବରୋତ୍ତଳନ ପାଇଁ ଆହ୍ଵାନ ମଧ୍ୟ କରିଛି । କଵିତାର ଆରମ୍ଭରେ କଵି ନିଜ ମାତୃଭୂମି ଓ ମାତୃଭାଷାର ଦୁର୍ଦ୍ଦଶା ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...

“ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି ।”

ଏଠାରେ ମାଆ ବୋଇଲେ ପ୍ରକୃତରେ ମଧୁବାବୁ ଉତ୍କଳ ମାତା ଆଉ ଭାଇ ବୋଲେ ଓଡ଼ିଆ ସ୍ଵାଭିମାନୀ ଜାତିଭାଇଙ୍କ କଥା କହିଛନ୍ତି ।‌

ମଧୁବାବୁଙ୍କ ସମୟରେ ଓଡ଼ିଶା ତିନିଭାଗ ହୋଇ ତିନୋଟି ରାଜ୍ୟରେ ବାଣ୍ଟି ହୋଇ ରହିଥିଲା ସେତେବେଳେ ଓଡ଼ିଶା ଥାଇ ବି ତାହାର ଅସ୍ତିତ୍ବ ନଥିଲା । ସେତେବେଳେ ଓଡ଼ିଶାରେ ଓଡ଼ିଆମାନେ ଘରୁ ବାହାରିଲେ କାର୍ଯ୍ୟାଳୟରେ ହାଟରେ ବାଟରେ ଅଣଓଡ଼ିଆଙ୍କ ସହିତ ହିନ୍ଦୀ ବଙ୍ଗଳା ଇଂରାଜୀ ଭାଷାରେ କଥା ହେଵାକୁ ବାଧ୍ୟ ହେଉଥିଲେ । ଅଣଓଡ଼ିଆଙ୍କ ଭାଷାରେ ପାଠ ପଢ଼ୁଥିଲେ ଏଵଂ ଓଡ଼ିଆ ଭାଷାରେ ସମ୍ବାଦପତ୍ର କି ପୁସ୍ତକ ସେ ଯୁଗରେ ଛପୁନଥିଲା । ଓଡ଼ିଆ ଜାତି ଭାଷା ମାଟି ସଂସ୍କୃତି ପାଇଁ ସେ ଥିଲା ଅନ୍ଧାରୀ ଯୁଗ । 
ମଧୁବାବୁଙ୍କ ସମୟରେ ଓଡ଼ିଶାରେ ଓଡ଼ିଆ ଜାତି ଥାଇ ମଧ୍ୟ ନଥିଲା ଭଳି ଲାଗୁଥିଲା ଯେମିତି ଆଜି ଭୁବନେଶ୍ୱର କଟକ ଗଲେ ଲାଗୁଛି ତାହା ଓଡ଼ିଶାର ନୁହେଁ ଵରଂ ଉତ୍ତର ପ୍ରଦେଶ କି ବିହାରର ନଗର ! 

ସେଥିପାଇଁ ମଧୁବାବୁ ତାପରେ ଲେଖିଲେ ...

“ଖୋଜିଲି ଅରଣ୍ୟେ ଜନସମାଜରେ
ଖୋଜିଲି ବାରିଧି ତଟ,
ସର୍ଵତ୍ର ଦେଖିଲି ମାତା ପଦଚିହ୍ନ
 ନ ହେଲା ମାତାର ଭେଟ ।
ଭୁବନେଶ୍ବରରେ ପଦଚିହ୍ନ ପରେ
 ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
 ହିନ୍ଦୁ ଜାତି ମଥା-ମଣି ।”

ଅର୍ଥାତ୍ ପରାଧୀନ ଓଡ଼ିଶାରେ ଉତ୍କଳ ମାତାର ପଦଚିହ୍ନ ସ୍ଵରୂପ ତାହାର ଭାଷା ସଂସ୍କୃତି ଐତିହ୍ୟ ଭାସ୍କର୍ଯ୍ୟ ମନ୍ଦିର ତ ସର୍ଵତ୍ର ରହିଛି କିନ୍ତୁ ତାକୁ ନେଇ ଯୋଉ ଜାତୀୟତାବୋଧ ଓ ସ୍ଵାଭିମାନ ଟିକିକ ରହିଵା କଥା ତାହା ଓଡ଼ିଆଙ୍କ ପାଖରେ ନାହିଁ । ଶ୍ରୀମନ୍ଦିର ଅଛି ଶ୍ରୀଜଗନ୍ନାଥ ଅଛନ୍ତି କିନ୍ତୁ ସହସ୍ରାଧିକ ଵର୍ଷ ଧରି ଯେଉଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଆମ କାଳିଙ୍ଗ୍ୟ ଜାତୀୟବୋଧ ରୂପ ଦୁର୍ଗ ରହିଥିଲା ତାହା ଆଉ ନାହିଁ । 
ହଁ ସେହି ଜାତୀୟତାବୋଧର ଅଭାବ ଯୋଗୁଁ ତ ଓଡ଼ିଶାର ଲୋକେ ଆଜି ନିଜର ସହସ୍ରାଧିକ ଵୀର ପୂର୍ଵପୁରୁଷଙ୍କୁ ପାଶୋରି ପରର ବୋପା ଜେଜେବାପାଙ୍କର ଜୟ ଜୟ କାର କରନ୍ତି ‌। ସ୍ଵାଭିମାନହୀନ ଜାତିର ଲୋକମାନେ ଥାଇ ବି Necromancer ଭଳି ଜାତୀୟତାବୋଧ ରୂପ ଆତ୍ମା ଵିହୀନ Zombie ସଦୃଶ ହୋଇଥାନ୍ତି । ଏଥିଯୋଗୁଁ ତ କୁହାଯାଇଛି "ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି” କାରଣ କେହି ଜାତୀୟତାବୋଧ ଯୁକ୍ତ ଓଡ଼ିଆ ଭାଇ ଥିଲେ ତ ଡାକ ଶୁଣନ୍ତେ ? 

ପୁଣି ଦେଖାଯାଏ ଯେତେବେଳେ କୌଣସି ଗୃହ,ଦେଶ ଓ ସମାଜରେ ନାରୀର ସମ୍ମାନ ହୁଏନାହିଁ ତହିଁରେ ରହୁଥିଵା ଲୋକେ ଵିପଥଗାମୀ ହୁଅନ୍ତି, ନଷ୍ଟ ଚରିତ୍ର ହୁଅନ୍ତି, ହୀନ ଵିଚାର ପୋଷଣ କରି ପଶୁଵତ୍ ବଞ୍ଚୁରୁହନ୍ତି । ତେଣୁ ମଧୁବାବୁ ଲେଖିଲେ...

“ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
          ଧରା ହୁଏ ଵିଦାରଣ,
ଅପମାନ ହେତୁ ସୀତା ଦେଵୀଙ୍କର
          ମହୀହୃଦେ ଵାସସ୍ଥାନ ।
ଅପମାନ ହେତୁ ଜନନୀ ମୋହର
           ଉତ୍କଳ ଭୂମଧ୍ୟଵାସୀ
ଉତ୍କଳର ମାଟି ପଵିତ୍ର ହୋଇଛି
          ସ୍ବର୍ଗାଦପି ଗରୀୟସୀ ।”

ଆଜିର ଅଵକ୍ଷୟମୁଖୀ ସମାଜରେ ନିତି ନାରୀ ନିର୍ଯ୍ୟାତନାର ଶିକାର ହେଉଛି । ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ଭାରତରେ ୮୬ଜଣ ମହିଳା ଆଉ ଓଡ଼ିଶାରେ ୯ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଯୋଉ ଦେଶରେ ନାରୀର ସମ୍ମାନ ହୁଏନାହିଁ ସେ ଦେଶରେ ନାରୀ ସ୍ଵରୂପା "ସର୍ଵ ଦେଶମାତା"ର ସମ୍ମାନ କିଏ ଵା କାହିଁକି କରିଵାକୁ ଯିଵ ? ସନ୍ତାନର ଉକ୍ତି କଵିତାରେ ସମାଜକୁ ଦିଆଯାଇଥିଵା ନାରୀ ସମ୍ମାନ ସମ୍ବନ୍ଧୀୟ ଵାର୍ତ୍ତା ଵିଷୟରେ ବୁଝିଵାକୁ ହେଲେ ତତ୍କାଳୀନ ସମାଜରେ ନାରୀର ସ୍ଥିତି ଵିଷୟରେ ଜାଣିଵା ନିତାନ୍ତ ଆଵଶ୍ୟକ ! 

ମଧୁସୂଦନଙ୍କ ସମୟରେ ସତୀଦାହ ପ୍ରଥା ନାମରେ ନାରୀମାନଙ୍କୁ ଜିଅନ୍ତା ଜଳାଇ ଦିଆଯାଉଥିଲା । ଅତି ଅଳ୍ପ ଵୟସରେ ନାରୀମାନଙ୍କୁ ଵିଵାହ କରି ଦିଆଯାଉଥିଲା । ନାରୀମାନଙ୍କ ପାଇଁ ଆମ ସମାଜରେ ଶିକ୍ଷାଦାନ ଵ୍ୟଵସ୍ଥା ନଥିଲା । ମଧୁବାବୁଙ୍କ ସମୟର ଭାରତରେ ନାରୀମାନେ ନିର୍ଯ୍ୟାତନାର ଶୃଙ୍ଖଳରେ ଆବଦ୍ଧ ହୋଇ ରହିଥିଲେ । ସେଥିପାଇଁ ତ ମଧୁବାବୁ କହିଲେ ଯେ ମୁଁ ଶୁଣିଛି ଶାସ୍ତ୍ରରେ ଲେଖାଅଛି ସତୀ ଅପମାନରେ ଧରା ଵିଦାରଣ ହୋଇଯାଏ ଯେମିତି ସୀତାଙ୍କର ଅପମାନ ଯୋଗୁଁ ଏ ମହୀ ଫାଟିଯାଇଥିଲା ଏଵଂ ମାତା ସୀତା ଧରଣୀମାତାଙ୍କ କୋଳକୁ ଲେଉଟି ଯାଇଥିଲେ । ସେହିପରି ଉତ୍କଳ ମାତାଙ୍କର ଏହି ଉତ୍କଳଵାସୀ ସନ୍ତାନମାନେ ନିଜ ମାତାର ସୁରକ୍ଷା କରିଵାରେ ଵିଫଳ ହେଵାରୁ ସେ ମଧ୍ୟ ଭୂମିଗତା ହୋଇଛନ୍ତି । ତେବେ ସେ ମାତା ଏବେବି ଅଛନ୍ତି ଆଉ ତାଙ୍କ ଦର୍ଶନ କେମିତି ପାଇଵା ତାହା ମଧୁବାବୁ ଏମନ୍ତ ଲେଖି ଜଣାଇଛନ୍ତି 
          
“ଜନନୀର ଦେଖା କରିଵାରେ ଇଚ୍ଛା
          ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
          ତା ଧୂଳି ଲେପ ଵଦନେ ।
ଵୀରପ୍ରସଵିନୀ କୋଟି ସୁତ ମାତା
           ପାଇଵ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
         ସନ୍ତାନ କଲେ ରୋଦନ ।
କୋଟିଏ ସନ୍ତାନ ଗୋଟିଏ ସ୍ବରରେ
          'ଜନନୀ' 'ଜନନୀ' ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
          ଯେସନେ ଡାକେ ଚାତକ ।
ଧନ, ମାନ, ଜନ ଯାହା ଉପାର୍ଜନ
           କରିଅଛ ଧରାତଳେ,
ହରଷିତ ମନେ କରତଵ୍ୟ ଜ୍ଞାନେ
           ଆଣିଦିଅ ଯଜ୍ଞସ୍ଥଳେ ।
ଜାତି-ପ୍ରେମ-ବହ୍ନି ପ୍ରଜ୍ଜ୍ବଳିତ କର
            ସ୍ବାର୍ଥକୁ ଦିଅ ଆହୁତି,
'ସ୍ବାର୍ଥମେଧ ଯଜ୍ଞେ' ଚାରିଆଡ଼େ ନାଚ
            ଛାତିକୁ ମିଶାଇ ଛାତି ।
ଭୂମିକମ୍ପ ହେଵ ଧରଣୀ ଫାଟିଵ
            ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
           କର ସେହି ପଦପୂଜା ।”

ଅର୍ଥାତ୍ ଭୂମିଗତା ଉତ୍କଳମାତା ଵା ପରାଧୀନା ଉତ୍କଳଭୂମିର ପୂର୍ଵ ସ୍ଥିତି ଫେରାଇ ଆଣିଵାକୁ ଚାହୁଁଥିଲେ ପ୍ରଥମେ ଏହି ଉତ୍କଳଭୂମିକୁ ମାତା ମନେ କରି ତାଙ୍କର କାୟ ମନୋ ଵାକ୍ଯରେ ସମ୍ମାନ କରିଵା ଶିଖ ଏଵ ନିଜ ହୃଦୟରେ କାଳିଙ୍ଗ୍ୟ ଜାତୀୟତାବୋଧ ଜାତ କର । ତେବେ ଜଣେ ଵା ହାତଗଣତି ସନ୍ତାନ ଜାତୀୟତାଵାଦୀ ହୋଇଗଲେ ଚଳିଵ ନାହିଁ ସାରା କଳିଙ୍ଗଵାସୀ କାଳିଙ୍ଗ୍ୟ ଜାତୀୟତାବୋଧରେ ଉଦବୋଧ ହେଵା ଆଵଶ୍ୟକ ବୋଲି ମଧୁବାବୁ କହିଛନ୍ତି । ସାରା କଳିଙ୍ଗଵାସୀ ଯୋଉଦିନଠାରୁ ନିଜ ମାତୃଭୂମିକୁ ମାତା ମନେକରି ଏକ ସ୍ଵରରେ ଜନନୀ ଜନନୀ ଡାକିବେ ଅର୍ଥାତ୍ କାଳିଙ୍ଗ୍ୟ ସ୍ବାଭିମାନୀ ହେବେ ଏଵଂ ନିଜର ଧନ ଜ୍ଞାନ ଜନ ମାନ ସମ୍ମାନ କ୍ଷମତାର ଉପଯୋଗ ସେହି ଜନନୀ ସେଵାରେ ଲଗାଇବେ ସେହିଦିନଠାରୁ ଏ ଦେଶରେ ଜାତି ପ୍ରୀତି ଵହ୍ନି ପ୍ରଜ୍ଵଳିତ ହେଵ,ସ୍ଵାର୍ଥକୁ ସ୍ଵାର୍ଥମେଧ ଯଜ୍ଞରେ ବଳି ଦିଆଯିଵ ଆଉ ସେତେବେଳେ ହଁ ଠିକ୍ ସେତେବେଳେ ଯାଇ “ଭୂମିକମ୍ପ ହୋଇ ଧରଣୀ ଫାଟିଵ ଏଵଂ ଉତ୍କଳ ମାତା ସହସ୍ରଭୁଜା ରୂପେ” ଦେଖାଦେବେ ଅର୍ଥାତ୍ 
ପରାଧୀନ କଳିଙ୍ଗ ପୁଣି ନିଜର ଅସ୍ତିତ୍ବ ପୂର୍ଵ ଗୌରଵ ପୂର୍ଵ ସମ୍ମାନ ଫେରି ପାଇଵ । 

“ସନ୍ତାନର ଉକ୍ତି” କଵିତା ଓଡ଼ିଆ ଜାତିର ଏକ ଅମୂଲ୍ୟ ସମ୍ପଦ । ଏହାଠାରୁ ସୁନ୍ଦର ସରଳ ଶ୍ରେଷ୍ଠ ଜାତୀୟତାବୋଧକ ଉଦବୋଧନୀ କଵିତା ସାରା ଵିଶ୍ଵରେ ଵିରଳ । ଏହା ଏକ ଅଦ୍ୱିତୀୟ ଜାତୀୟତାଵାଦୀ କଵିତା ଏଵଂ କାଳିଙ୍ଗ୍ୟ ଜାତୀୟତାବୋଧକୁ ଜାଗ୍ରତ କରିଵା ପାଇଁ ଐଶ୍ଵରୀୟ ପ୍ରେରଣାରେ ମଧୁବାବୁଙ୍କ ଦ୍ଵାରା ରଚିତ ଏକ ଅମର ସୃଜନୀ ଅଟଇ ‌।

Thursday, April 27, 2023

କୁସୁମ ଗଛ ଓ ତାହାର ଵିଭିନ୍ନ ସଗୋତ୍ରୀୟ ଜାତିଭାଇ

ଚୈତ୍ର ଵୈଶାଖ ମାସରେ ନୂଆ ପତ୍ର କଅଁଳି କୁସୁମ ଗଛ ଲାଲ ପତ୍ରରେ ପୂର୍ଣ୍ଣ ହୋଇଯାଏ । ସେତେବେଳେ କୁସୁମ ଗଛ ଦୂରରୁ ଭାରି ସୁନ୍ଦର ଦିଶେ । ତାପରେ ସେ ଗଛରେ ଆମ୍ବର ବଉଳ ଭଳି ପେନ୍ଥା ପେନ୍ଥା ଫୁଲ ଧରେ । ଵର୍ଷା ଦିନରେ କୁସମ ଗଛରେ କୋଳି ପାଚେ ଏଵଂ ତାହା ଖଟାମିଠା ସ୍ୱାଦଯୁକ୍ତ ହୋଇଥାଏ । 



କୁସୁମ କୋଳିକୁ ଦେଖି ଅନେକଙ୍କ ମନରେ ପ୍ରଶ୍ନ ଆସେ
କୁସୁମ ଅର୍ଥ ତ 'ପୁଷ୍ପ' ଵା 'ଫୁଲ' ତାହେଲେ ସାରା ଭାରତରେ ଗୋଟିଏ ଫଳ ଵା କୋଳିକୁ ସମସ୍ତେ କୁସୁମ କାହିଁକି କହିଥାନ୍ତି ?

ପ୍ରକୃତରେ ଏହି ଫଳ ଵା କୋଳିର ସଂସ୍କୃତ ନାମ କୋଶାମ୍ର ଥିଲା ଯହିଁରୁ କୋଶାମ,କୁସୁମ,କୁସୁମ୍ବ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । 

"କୋଶେ ଇଵ ଆମ୍ର = କୋଶାମ୍ର" 

କୁସୁମର ଵିଭିନ୍ନ ଶାସ୍ତ୍ରୀୟ ନାମ ମଧ୍ୟ ରହିଛି ଯଥା : ଏ ଗଛରେ ଲକ୍ଷାକୀଟ(Kerriidae) ଓ ଲାଲ୍ ରଙ୍ଗର Pyrrhocoridae ଜାତୀୟ କୀଟ ଦେଖାଯାଉଥିଵାରୁ ଏହାକୁ କୃମିଵୃକ୍ଷ,ଲାକ୍ଷାଵୃକ୍ଷ ଓ ଜନ୍ତୁପାଦପ କୁହାଯାଏ ।ଏହାର ଡାଳ ଅତି ଟାଣ ଓ ଶକ୍ତ ହୋଇଥିଵାରୁ ଏହାକୁ ଘନସ୍କନ୍ଧ ମଧ୍ୟ କହିଥାନ୍ତି ।‌ ଏହାର କଅଁଳିଆ ପତ୍ର ସୁନ୍ଦର ରକ୍ତଵର୍ଣ୍ଣର ହେଉଥିଵା ହେତୁ ଏ ଗଛକୁ ସୁରକ୍ତକ ଓ ସୁକେଶକ ମଧ୍ୟ କୁହାଯାଏ । ସେହିପରି ଆମ୍ର ଭଳି ଖଟାମିଠା ସ୍ଵାଦ ଯୋଗୁଁ କୁସୁମ କୋଳିକୁ ଵନାମ୍ର, କ୍ଷୁଦ୍ରାମ୍ର,ରକ୍ତାମ୍ର ଓ କୋଶାମ୍ର କୁହାଯାଇଥାଏ । ଅତଏଵ୍ କୁସୁମ କୋଳିର କୁସୁମ ନାମଟି ପ୍ରକୃତରେ ଏକ ତଦ୍ଭଵ ଶବ୍ଦ ଏଵଂ ଏହାର ତତ୍ସମ ରୂପ କୋଶାମ୍ର ହୋଇଥିଲାବେଳେ ପୁଷ୍ପ ଅର୍ଥଜ କୁସୁମ ଶବ୍ଦଟି ଏକ ତତ୍ସମ ଶବ୍ଦ ଅଟଇ । 


ଭାରତୀୟ କୁସୁମର ଵୈଜ୍ଞାନିକ ନାମ schleichera oleosa
ଏଵଂ ଏହା ଏକ monotypic
ପାଦପ ଜାତି ଅର୍ଥାତ୍ କୁସୁମ ଗଛ ନିଜ schleichera ବଂଶ (Genus)ର ଏକମାତ୍ର ସନ୍ତାନ ଅଟଇ । ଭାରତୀୟ କୁସୁମ ସେଇ Sapindaceae ପାଦପ କୁଳ ଵା ପରିଵାରର ସଦସ୍ୟ ଯହିଁରେ ଚୀନ ଦେଶୀୟ ଲିଚୁ ଗଛ(Litchi chinensis) ବି ରହିଛି ଏଵଂ ମଜାକଥା ହେଲା ଏହା ମଧ୍ୟ କୁସୁମ ଭଳି ନିଜ Litchi ବଂଶର ଏକମାତ୍ର ସଦସ୍ୟ ଅଟେ । 
କିନ୍ତୁ ଲିଚୁ କୋଳି ଓ କୁସମ କୋଳି ମଧ୍ୟରେ ତଥାପି କେତେକ ପ୍ରଭେଦ ରହିଛି ଯଥା ପାଚିଲେ ଉଭୟ କୋଳିର ଉପର ଆଵରଣ ଭିନ୍ନ ଭିନ୍ନ ଦୃଶ୍ୟ ହୋଇଥାଏ କିନ୍ତୁ
ଏ ପୃଥିଵୀରେ ଆମ ଭାରତୀୟ କୁସୁମ କୋଳିର ଜଣେ ଦୂର ସମ୍ପର୍କୀୟ ଵିଦେଶୀ ଭାଇ ବି ଅଛି ଯାହା ଦେଖିଵାକୁ ଅନେକାଂଶରେ ଆମ କୁସୁମ କୋଳି ଭଳି ହୋଇଥାଏ । ସେହି ଵୈଦେଶିକ କୁସୁମ କୋଳି ମଧ୍ୟ ଆମ ଦେଶର କୁସୁମ ତଥା ଚୀନ ଦେଶୀୟ ଲିଚୁ କୋଳି ଭଳି ମୂଳତଃ Sapindaceae ଵା soapberry ପରିଵାରର ଗଛ ଏଵଂ ତାହାର ଵୈଜ୍ଞାନିକ ନାମ Melicoccus bijugatus ଅଟେ । 
ଏହି ଵିଦେଶୀ କୁସୁମ ଗଛଟି କିନ୍ତୁ ଭାରତୀୟ କୁସୁମଗଛ ଭଳି ତା ବଂଶର ଗୋଟିକିଆ ସନ୍ତାନ ନୁହେଁ ଵରଂ ଏହାର ଆହୁରି ଆଠ ଦଶଟି ଜାତି ଭାଇ ଅଛନ୍ତି ତେବେ ଆମେରିକା ଓ ଆମେରିକା ବାହାରେ ପ୍ରାୟତଃ ଆମେରକୀୟ କୁସୁମ Melicoccus bijugatus ହିଁ ଵିଶେଷ ଭାବେ ଦେଖାଯାଏ । ଏହି ଆମେରକୀୟ କୁସୁମ ଗଛର ଅନେକ ଆମେରକୀୟ ନାଆଁ ଅଛି ଯଥା Bajan ackee, genip, guinep, genipe, ginepa, kenèp, quenepa, quenepe, quenette, chenet, skinup, talpa jocote, mamón, limoncillo, canepa, skinip, kenepa, kinnip, huaya ଓ mamoncillo ଇତ୍ୟାଦି ଇତ୍ୟାଦି ।‌ ଏହି ଵୈଦେଶିକ କୁସୁମ କୋଳି ମଧ୍ୟ ଭାରତରେ ଆଣି ଲଗାଯାଇଛି ଏଵଂ କେଉଁଠି କେଉଁଠି ଏହି ଗଛ ଦେଖାଯାଇଥାଏ । ତେବେ ଆମେରିକୀୟ Melicoccus କୁସୁମ କୋଳି ପାଚିଲେ ତାହାର ଚୋପାର ରଙ୍ଗ ଭାରତୀୟ କୁସୁମ କୋଳି ପରି ବଦଳି ନଥାଏ ଵରଂ ସବୁଜ ରଙ୍ଗର ହୋଇଥାଏ । ପୁନଶ୍ଚ ଭାରତୀୟ କୁସୁମ କୋଳିର ପତ୍ର ଲମ୍ବା ଓ ପତଳା ହୋଇଥିଲା ବେଳେ ଆମେରକୀୟ କୁସୁମ କୋଳିର ପତ୍ର ସାମାନ୍ୟ ମୋଟ ଓ ଚିକ୍କଣ ହୋଇଥାଏ । 

କିନ୍ତୁ ଭଗଵାନଙ୍କ ଏ ସୃଷ୍ଟି ବଡ଼ ଵିଚିତ୍ର ସେ ଆଉ ଟିକେ କୌତୁହଳ ସୃଷ୍ଟି କରିଵା ପାଇଁ ସେହି କୁସୁମ ଓ ଲିଚୁ ପରିଵାର Sapindaceaeରେ ଆଉ ଏକ କୁସୁମ ସଦୃଶ ପାଦପ ବଂଶ ସୃଷ୍ଟି କରିଦେଇଛନ୍ତି ଯାହାର ନାମ 
Talisia ଏଵଂ ଏହି ବଂଶର ୫୨ରୁ ଅଧିକ ଜାତୀୟ ଗଛ ସାଧାରଣତଃ ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଏ । Talisia ଜାତୀୟ ଵିଭିନ୍ନ ପାଦପ ମଧ୍ୟରେ ଗୋଟିଏ ପାଦପ ଜାତି Talisia esculenta ତ ଯେକୌଣସି ଭାରତୀୟକୁ ଆଚମ୍ବିତ କରିପାରେ କାରଣ ଏହି ଦକ୍ଷିଣ ଆମେରିକୀୟ Talisia କୁସୁମ କୋଳି ପାଚିଲେ ଏହାର ଚୋପା ପୁରା ଭାରତୀୟ କୁସୁମ କୋଳି ଭଳି ଦେଖାଯାଇଥାଏ । 


ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଏ ସଂସାର ବଡ଼ ଵିଚିତ୍ର ଆଜ୍ଞା ! ସେହି Sapindaceae ପାଦପ କୁଳ ଵା ପରିଵାରର ଆଉ ଏକ ଚୀନ ଦେଶୀୟ ଗଛ ସହିତ ପରିଚିତ ହୁଅନ୍ତୁ ଯାହା ଦେଖିଵାକୁ ଆମ ଦେଶର କୁସୁମ କୋଳି ପରି ହିଁ ହୋଇଥାଏ । ଚୀନ ଦେଶୀୟ ସେହି କୁସୁମ କୋଳିର ଵୈଜ୍ଞାନିକ ନାଆଁ Dimocarpus longan ଓ ଏହାର କ୍ୟାଣ୍ଟୋନିଜ୍ ନାମ 龍眼 (lùhng-ngáahn) ଯାହାର ଆକ୍ଷରିକ ଅର୍ଥ ଡ୍ରାଗନର ଆଖି ଅଟେ । ଭାରତର ଉତ୍ତର ପୂର୍ଵ ଅଞୁ ଅଵଶ୍ୟ ଏହି Dimocarpus ବଂଶର Dimocarpus fumatus ଓ ଶ୍ରୀଲଙ୍କାରେ Dimocarpus gardneri ଜାତୀୟ ଗଛ ଦେଖାଯାଏ ।
 ଏହି Dimocarpus ଜାତୀୟ ଗଛର କୋଳି ଦେଖିଵାକୁ ପ୍ରାୟତଃ ଆମ ଭାରତର କୁସୁମ କୋଳି ପରି ହିଁ ହୋଇଥାଏ । ଵିଶେଷକରି ଚୀନ ଦେଶୀୟ କୁସୁମ କୋଳି Dimocarpus longan ଦେଖିଵାକୁ ପ୍ରାୟତଃ ଆମ ଦେଶର କୁସୁମ କୋଳି ଭଳି ହିଁ ହୋଇଥାଏ ।‌ ଉଭୟ କୋଳିକୁ ଏକାଠି ରଖିଦେଲେ କେହି ଜାଣିପାରିବେ ନାହିଁ ଏ ଉଭୟ କୋଳି ଭିନ୍ନ ଭିନ୍ନ ଗଛର ଅଟେ । 


କେବେ ଏମାନଙ୍କ ପୂର୍ଵଜ ଗୋଟିଏ ଥିଲେ ଯେତେବେଳେ ଭାରତ , ଆଫ୍ରିକା, ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ପରସ୍ପର ସହିତ ଯୋଡ଼ି ହୋଇ ରହିଥିଲା । ତେବେ ସମୟ ସହିତ ଭୂଚଳନ ଯୋଗୁଁ ଆଜି କାହିଁ କୋଉଠି ଆମେରିକା ତ ଆଉ କୋଉଠି ଭାରତ ପହଞ୍ଚି ଯାଇଛି । ଦୁଇ ଭୂଖଣ୍ଡ ମଧ୍ୟରେ ହଜାର ହଜାର ଯୋଜନର ଦୂରତା ଆସିଯାଇଛି । କିନ୍ତୁ କୋଟି କୋଟି ଵର୍ଷର ଵିଚ୍ଛେଦତା ଏଵଂ ସହସ୍ରାଧିକ କିମି ଦୂରତା ହୋଇ ମଧ୍ୟ ଦୁଇଗୋଟି ଭିନ୍ନ ଭିନ୍ନ ଭୂଖଣ୍ଡର ଵର୍ତ୍ତମାନ ସମ୍ପର୍କୀୟ ପାଦପମାନଙ୍କ ମଧ୍ୟରେ ଦୃଶ୍ୟ ହେଉଥିଵା ସଗୋତ୍ରୀୟ ସମ୍ପର୍କ ତତ୍ ଆଧାରିତ ସମାନତାକୁ ସମ୍ପୂର୍ଣ୍ଣ ଲୁଚାଇ ପାରିନାହିଁ । 

କୋଟି କୋଟି ଵର୍ଷର ଵିଚ୍ଛିନ୍ନତା ଓ ଦୂରତା ପରେ ବି ଆମେ ଭାରତୀୟ କୁସୁମ schleichera, ଚୀନ ଦେଶୀୟ ଲିଚୁ କୋଳି Litchi chinensis ଓ ଆମେରକୀୟ କୁସୁମ Melicoccus ତଥା Talisia ମଧ୍ୟରେ ଥିଵା ସଗୋତ୍ରୀୟ ସମ୍ପର୍କକୁ ଜାଣି ସେମାନଙ୍କୁ ଗୋଟିଏ ପାଦପ କୁଳ ଵା ପରିଵାର Sapindaceaeରେ ରଖିଛନ୍ତି 
।  

ମାତ୍ର ଆମ୍ଭେ ମନୁଷ୍ୟମାନେ ଏ ସଂସାରରେ ବଞ୍ଚି ଯାଇଥିଵା homo ଆଦିମାନଵ ବଂଶ (Genus)ର sapiens ନାମକ ଏକମାତ୍ର ମାନଵଜାତି(Species) ହୋଇ ବି ପରସ୍ପର ମଧ୍ୟରେ ଜାତି,ଦେଶ,ଧର୍ମ ଓ ଵର୍ଣ୍ଣ ଆଧାରରେ ଏତେ ମାତ୍ରାରେ ଵିଭାଜିତ ହୋଇ ରହିଛନ୍ତି ତାହା ବଡ଼ ଆଶ୍ଚର୍ଯ୍ୟଜନକ ଵିଷୟ !!!

Sunday, April 23, 2023

ସଂସାରର ସବୁଠାରୁ ବଡ଼ ଭୟ କ'ଣ ?

ମଣିଷ ନିଜର ରକ୍ଷା ହେତୁକ ମୁଖ୍ୟତଃ ଦୃଷ୍ଟିଶକ୍ତି ଉପରେ ନିର୍ଭରଶୀଳ । ଯେହେତୁ ଆଲୋକର ଅନୁପସ୍ଥିତି ଯୋଗୁଁ ଆମର ଦେଖିଵାର କ୍ଷମତା ଚାଲିଯାଏ, ତେଣୁ ଅନ୍ଧକାର ପ୍ରତି ଭୟ ଆମ ମନୁଷ୍ୟମାନଙ୍କର ଡିଏନଏରେ ପିଢ଼ି ପିଢ଼ି ଧରି ରହିଛି ଏଵଂ ଆଗକୁ ମଧ୍ୟ ରହିଥିଵ । ଅତୀତରେ, ଵନ୍ୟଜନ୍ତୁମାନଙ୍କ ମଧ୍ୟରେ ବାସ କରୁଥିଵା ମଣିଷମାନଙ୍କ ପାଇଁ ରାତ୍ରୀର ଅନ୍ଧକାର ସବୁଠାରୁ ଭୟଙ୍କର ଅନୁଭୂତି ଥିଲା, ସେଯୁଗର ମନୁଷ୍ୟମାନେ ସେମାନଙ୍କ ଚାରିପାଖରେ ନରଭକ୍ଷକ ଜୀଵମାନଙ୍କ ଉପସ୍ଥିତିକୁ ଜାଣିପାରୁନଥିଲେ ଏଵଂ ଜୀଵନ ଯିଵା ଭୟରେ ଆତଙ୍କିତ ହେଉଥିଲେ । ଏହି କାରଣରୁ ଲକ୍ଷ ଲକ୍ଷ ପିଢି଼ି ବିତିଯିଵା ପରେ ମଧ୍ୟ ପୃଥିଵୀର ପ୍ରତ୍ୟେକ ମନୁଷ୍ୟର ଡିଏନଏରେ ଅନ୍ଧାରକୁ ନେଇ କିଛି ଭୟ ନିଶ୍ଚୟ ରହିଛି । 

ଭୟ , ମାନଵ ଜୀଵନ ସଞ୍ଚାଳକ ତତ୍ତ୍ଵ । ସମସ୍ତେ କୌଣସି ନା କୌଣସି ଵସ୍ତୁ ଵା ଵିଷୟକୁ ନେଇ ଭୟ କରନ୍ତି, ଯେପରିକି ଅନ୍ଧକାର, ଭୟଙ୍କର ଶବ୍ଦ ଇତ୍ୟାଦି ... 

କିନ୍ତୁ ଅନ୍ଧକାର ଜଣେ ଅନ୍ଧକୁ ଭୟଭୀତ କରିପାରିଵ ନାହିଁ ସେହିଭଳି ଭୟଙ୍କର ଶବ୍ଦ ଏକ ଵଧିର ଵ୍ୟକ୍ତି ମନରେ ମଧ୍ୟ ଭୟ ସୃଷ୍ଟି କରିପାରେ ନାହିଁ । ସିଂହ ଏକ ପାଗଳକୁ ଆଦୌ ଭୟଭୀତ କରିପାରେ ନାହିଁ ।  
 
ତେବେ ଏହି ଜଗତରେ ଏପରି କୌଣସି ଭୟ ଅଛି କି ଯାହା ସଂସାରର ପ୍ରତ୍ୟେକ ଵ୍ୟକ୍ତିଙ୍କୁ ସମାନ ଭାବରେ ଭୟଭୀତ କରିପାରେ ? 

ଆସନ୍ତୁ ଆଜି ଭୟର ଭୟଙ୍କରୀ ଜଗତକୁ କିଛି କ୍ଷଣ ପାଇଁ ବୁଲି ଆସିଵା ! 
 
ଭୟ କ’ଣ ? ଯଦି ଦେଖାଯାଏ, ମୃତ୍ୟୁର ପ୍ରତ୍ୟେକ ସମ୍ଭାଵନା /ଆଶଙ୍କା ଜୀଵ ମନରେ ଭୟ ସଞ୍ଜାର କରିଥାଏ । ଆପଣ ସିଂହକୁ ଭୟ କରୁଛନ୍ତି କାରଣ ଆପଣଙ୍କ ମସ୍ତିଷ୍କ ଜାଣେ ଯେ ସିଂହ ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ ଏଵଂ ସେ ଆପଣଙ୍କୁ ସହଜରେ ମାରିପାରେ। ଆପଣ ଵିକୃତ ମୁଖ ଜୀଵ, ଅଦ୍ଭୁତ ସ୍ୱରକୁ ଭୟ କରନ୍ତି କାରଣ ଅନିଶ୍ଚିତତା ଆପଣଙ୍କର "Pattern Loving"ମନକୁ ଅସହଜ ଅଶାନ୍ତ କରିଦିଏ । ମସ୍ତିଷ୍କରେ "ଏମିଗଡଲା(amygdala)" ନାମକ ଏକ ଗ୍ରନ୍ଥି ଆମର ଭୟକୁ ନିୟନ୍ତ୍ରଣ କରିଥାଏ ଏଵଂ କୌଣସି ଵିପଦର ସମ୍ମୁଖୀନ ହେଲେ ଆମ ଭିତରେ ଭୟ ସଞ୍ଚାର କରି ଆମକୁ “ସଂଘର୍ଷ କିମ୍ବା ପଳାୟନ” ହେତୁ ସଚେତନ ଓ ପ୍ରେରିତ କରିଥାଏ । 

ଆପଣଙ୍କ ମନକୁ କୃତ୍ରିମ ରୂପେ ମଧ୍ୟ ଭୟଭୀତ କରାଯାଇପାରେ । ଧରାଯାଉ ଆପଣଙ୍କୁ ଦଶଗୋଟି ଚିତ୍ର ଦେଖାଗଲା ଏଵଂ ସେଥିରେ ଗୋଟାଏ କଣ୍ଢେଇର ଚିତ୍ର ମଧ୍ୟ ରଖାଗଲା । ତେବେ ଯେବେ ଯେବେ ଆପଣଙ୍କୁ କଣ୍ଢେଇର ଚିତ୍ର ଦେଖାଯାଉଥିଵ ଏଣେ ବିଜୁଳି ଦ୍ଵାରା ଆଘାତ ମଧ୍ୟ ଦିଆଯାଉଥିଵ । ଏଭଳି ଅନେକ ଥର କରାଗଲେ ଆପଣଙ୍କ ମସ୍ତିଷ୍କ ଏହି ନିଦର୍ଶ(pattern)କୁ ଶିଖି ଆପଣଙ୍କ ମନରେ କଣ୍ଢେଇ ପ୍ରତି ଭୟ ଵିକସିତ କରିଦେଵ । ଏହା ଅନେକ ପ୍ରୟୋଗ ଦ୍ଵାରା ପ୍ରମାଣିତ ହୋଇସାରିଛି । ଏମନ୍ତକି ଏକଥା ଆମ ଦେଶର ଲୋକକଥା ମଧ୍ୟରେ ବି ପରୋକ୍ଷରେ କଥିତ ହୋଇଛି ‌ । ଉକ୍ତ ଲୋକକଥା ଅନୁସାରେ ଜଣେ ରାଜା ଦେଶରେ ଘୋଷଣା କରିଦେଲେ ଯେ ଯିଏ ମୋ ଛେଳିକୁ ଚରେଇଵାକୁ ନେଇ ଖୁଆଇ ପିଆଇ ସନ୍ତୁଷ୍ଟ କରିଦେଵ ତାକୁ ମୁଁ ଅନେକ ସ୍ଵର୍ଣ୍ଣମୁଦ୍ରା ପୁରସ୍କାର ପ୍ରଦାନ କରିବି ‌ । ଅନେକ ଲୋକ ଚେଷ୍ଟା କରି ଏଥିରେ ଵିଫଳ ହେଲେ କାରଣ ଚରାଇ କରି ଫେରିଵା ପରେ ରାଜା ଛେଳିକୁ ଘାସ ପତ୍ର ଦେଲେ ସେ ତାକୁ ଖାଇଦେଉଥିଲା । ତହୁଁ ଜଣେ ଲୋକ ଗୋଟିଏ ଦିନ ରାଜାଙ୍କ ଛେଳିକୁ ନେଇ ଚରାଇଵାକୁ ଗଲା ଏଵଂ ଛେଳି ଯେବେ ଯେବେ କୌଣସି ଡାଳପତ୍ର କି ଘାସକୁ ଖାଇଵାକୁ ମୁହଁ ବଢ଼ାଇଲା ସେ ତାକୁ ବାଡ଼ିରେ ପ୍ରହାର କଲା । ଏହିପରି ଦିନଯାକ ମାଡ଼ ଖାଇ ଖାଇ ଵିଚାରୀ ଛେଳିଟି ଭୀଷଣ ଭାବରେ ଡରିଗଲା । ସନ୍ଧ୍ୟାରେ ଫେରିଵାରୁ ରାଜା ଯେତେବେଳେ ଛେଳି ଆଗରେ ଘାସ କି ଗଛପତ୍ର ଦେଖାଇଲେ ସେ ଭୟରେ ତାକୁ ଛୁଇଁଲା ନାହିଁ । ଅର୍ଥାତ୍ ଯେଉଁ ଘାସକୁ ଦେଖିଲେ ପୂର୍ଵେ ଛେଳିଟି ତାକୁ ଅବିଳମ୍ବେ ଖାଇଯାଉଥିଲା ପରଵର୍ତ୍ତୀ କାଳରେ ଘାସ ପ୍ରତି ତାହା ମନରେ କୃତ୍ରିମ ଭୟ ସୃଷ୍ଟି କଲାରୁ ସେ ତାକୁ ଛୁଇଁଲା ନାହିଁ ।

ତେବେ ଭୟ କ'ଣ ତା'ହେଲେ ମାନଵ ଆଦି ଜୀଵଙ୍କ ମନରେ ଉତ୍ପନ୍ନ ଏକ କାଳ୍ପନିକ ଭାଵ ମାତ୍ର ଅଟେ ? ଆଉ ଯଦି "ଏମିଗଡାଲା" ଜଣେ ଵ୍ୟକ୍ତିଙ୍କ ମସ୍ତିଷ୍କରେ ହିଁ ନଥାଏ ? ତେବେ ସେହି ଵ୍ୟକ୍ତି କ'ଣ ଭୟ ଅନୁଭଵ କରିବେ କି? 

ସୌଭାଗ୍ୟଵଶତଃ ପୃଥିଵୀରେ ଏମିତି କିଛି ଵ୍ୟକ୍ତି ବି ଅଛନ୍ତି ଯୋଉମାନଙ୍କର ଏମିଗଡାଲା କିଛି ଜେନେଟିକ୍ ଵ୍ୟାଧି ଦ୍ୱାରା ନଷ୍ଟ ହୋଇଯାଇଛି ଏଵଂ ଏହିଧରଣର ଵ୍ୟକ୍ତିମାନେ କୌଣସି ଭୟକୁ ଅନୁଭଵ କରନ୍ତି ନାହିଁ । ଆମ ପରି ସେମାନେ ମଧ୍ୟ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଏଵଂ ହୃଦବୋଧ କରିପାରନ୍ତି ଯେ ମୋର ହାତ ,ଦେହ କି ମୁଣ୍ଡରେ ଆଘାତ ଲାଗିଵା ମୋ ପାଇଁ କ୍ଷତିକାରକ କିନ୍ତୁ ସେମାନେ ସବୁ ଜାଣି ମଧ୍ୟ ତାଙ୍କ ମନରେ ଭୟ ଜାତ ହୁଏନାହିଁ କି ସେମାନେ ଭୟଭୀତ ହୁଅନ୍ତି ନାହିଁ । ଝାଳ ବୋହିଵା,ଦ୍ରୁତ ହୃଦସ୍ପନ୍ଦନ କିମ୍ବା ଭୟ ସହିତ ଜଡ଼ିତ କୌଣସି ରାସାୟନିକ କାର୍ଯ୍ୟକଳାପ ସେମାନଙ୍କ ଶରୀରରେ ଦେଖାଯାଏନାହିଁ । 
 
ଏହି କାରଣରୁ ଦୀର୍ଘ ଦିନ ଧରି ଵୈଜ୍ଞାନିକମାନଙ୍କର ଧାରଣା ଥିଲା ଯେ ଏ ଜଗତରେ ଏପରି କୌଣସି ଭୟ ନାହିଁ ଯାହା ପ୍ରତ୍ୟେକ ଵ୍ୟକ୍ତିଙ୍କୁ ସମାନ ଭାବରେ ଭୟଭୀତ କରିପାରେ, ଵିଶେଷକରି ସେହି ଵ୍ୟକ୍ତିମାନଙ୍କୁ ଯୋଉମାନଙ୍କ ପାଖରେ ଭୟର ଆଭାସ କରାଇପାରୁଥିଵା ଗ୍ରନ୍ଥି “ଏମିଗଡାଲା” ନାହିଁ ।

କିନ୍ତୁ ନା ... 
ତା’ପରେ ଦିନେ ଵୈଜ୍ଞାନିକ ସମାଜ ଆଉ ଏକ ଭୟ ସହିତ ପରିଚିତ ହେଲା ଯାହା ଏମିଗଡାଲା ନଥିଵା ଲୋକଙ୍କୁ ମଧ୍ୟ ସମାନ ଭାବରେ ଆତଙ୍କିତ କରିପାରେ ଏଵଂ ଏହା ନିଃସନ୍ଦେହ ସଂସାରର ସବୁଠାରୁ ବଡ଼ ଭୟ ଅଟେ । ସେ ଭୟଟି କ'ଣ ଆପଣ ଜାଣିଛନ୍ତି କି ବନ୍ଧୁଗଣ ... ? 

ପୃଥିଵୀରେ ମନୁଷ୍ୟମାନଙ୍କର ସବୁଠାରୁ ବଡ଼ ଭୟର ନାମ ହେଉଛି ... "ରକ୍ତରେ କାର୍ବନ-ଡାଇଅକ୍ସାଇଡର ପରିମାଣ ବଢ଼ିଯିଵା" ଅନ୍ୟ ଅର୍ଥରେ “ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ନ ମିଳିଵା” !!! 

ଏ ଵିଷୟରେ ପ୍ରୟୋଗ କରିଵାକୁ ଯାଇ ଵୈଜ୍ଞାନିକମାନେ ଯେତେବେଳେ ଏମିଗଡଲା ହରାଇ ସାରିଥିଵା ଵ୍ୟକ୍ତିମାନଙ୍କୁ ସଘନ କାର୍ବନ ଡାୟକ୍ସାଇଡ ମଧ୍ଯରେ କିଛି ସମୟ ନିଃଶ୍ୱାସ ପ୍ରଶ୍ଵାସ ନେଵାକୁ କହିଲେ ସେତେବେଳେ ଏମିଗଡଲା ନଥିଲେ ବି ଆତଙ୍କ ଓ ଭୟର ସେହି ଭାଵ ଓ ଲକ୍ଷଣ ସେମାନଙ୍କ ମୁଖମଣ୍ଡଳରେ ଦେଖାଗଲା ଓ ମନ ମଧ୍ୟରେ ଜାତ ହେଲା ଯାହା ସାଧାରଣ ଵ୍ୟକ୍ତିଙ୍କ ଭିତରେ ଭୟ ଉତ୍ପନ୍ନ ହେଲେ ଦେଖାଯାଇଥାଏ। ସମ୍ଭଵତଃ ଏମିତି ହେଵାର କାରଣ , ରକ୍ତରେ କାର୍ବନ-ଡାୟକ୍ସାଇଡର ମାତ୍ରା ମାପିଵା ତଥା ଶ୍ଵସନକୁ ସୁଚାରୂ ରୂପେ କାର୍ଯ୍ୟକ୍ଷମ କରାଇଵାର କାର୍ଯ୍ୟ ମସ୍ତିଷ୍କର ସେହି ପ୍ରାଚୀନ ଅଂଶ ଦ୍ଵାରା କରାଯାଉଛି ଯାହା ଵିଵର୍ତ୍ତନ( Evolution) ଇତିହାସରେ ସର୍ଵ ପ୍ରଥମେ ଏମିଗଡଲାଠାରୁ ବି ବହୁତ ପୂର୍ଵରୁ ସୃଷ୍ଟି ହୋଇଥିଲା । ସେହି ପ୍ରାଚୀନ ଗ୍ରନ୍ଥି ପର୍ଯ୍ୟାପ୍ତ ଅମ୍ଳଜାନ ନ ମିଳିଵା କାରଣରୁ ସ୍ଵତନ୍ତ୍ର ରୂପେ ଶରୀରରେ ଭୟର ସଞ୍ଚାର କରିଥାଏ । 

 
ତେଣୁ ସ୍ଥୂଳ ଭାବେ କୁହାଯାଇପାରେ ଯେ "ଶ୍ଵାସରୁଦ୍ଧ" ଏହି ସଂସାରର ସବୁଠାରୁ ଭୟଙ୍କର କଥା ଅଟେ । ଏହା ଯଥାର୍ଥ ମଧ୍ୟ କାରଣ ଆମେ ଖାଇଵା ବିନା ଅତି ଉଦଯୋଗ କରି ଦୁଇମାସ ପର୍ଯ୍ଯନ୍ତ ବଞ୍ଚିଯାଇପାରିଵା,ପାଣି ବିନା ବି ଏକ ସପ୍ତାହ ପର୍ଯ୍ୟନ୍ତ ଅତି କଷ୍ଟରେ ଜୀଵିତ ରହି ପାରିଵା କିନ୍ତୁ ଶ୍ଵାସକ୍ରିୟା ବିନା ଦୁଇ ମିନଟରୁ ଅଧିକ ସମୟ ବଞ୍ଚିପାରିଵା ନାହିଁ । ଶ୍ଵାସକ୍ରିୟା ବନ୍ଦ ହୋଇଗଲେ ଆମ ମସ୍ତିଷ୍କର କୋଷିକାମାନ ମରିଵାକୁ ଲାଗେ ଏଵଂ ବହୁତ ଶୀଘ୍ର ଆମର ମୃତ୍ୟୁ ହୋଇଯାଇଥାଏ ।  

ତେଣୁ ମୋଟ ଉପରେ କହିଵାକୁ ଗଲେ ... ଶ୍ୱାସକ୍ରିୟା ବନ୍ଦ ହୋଇଯିଵା ପ୍ରତ୍ୟେକ ମଣିଷର ସବୁଠାରୁ ବଡ଼ ଭୟ ଅଟଇ !!!

ଏଣୁ ଆତ୍ମହତ୍ୟା କରିଵା ଆଗରୁ ଶହେ ଥର ଭାଵନ୍ତୁ କ'ଣ ଆପଣ ମନୁଷ୍ୟର ସେ “ଆଦିମ ଭୀଷଣ ଭୟ”କୁ ସତରେ ଅନୁଭଵ କରିଵାକୁ ଚାହୁଁଛନ୍ତି କି ? 

ଜୀଵନ ଥିଲା ଯାଏଁ ଶ୍ଵାସକ୍ରାୟା ନିଜ ଇଚ୍ଛାରେ ବନ୍ଦ କରନ୍ତୁ ନାହିଁ କାରଣ ଏ ଜୀଵନ ଅମୂଲ୍ୟ ଓ ଵିରଳ !!!

(୨୦୧୭ରେ ମୁକ୍ତିଲାଭ କରିଥିଵା mind field ୱେବସିରିଜର Basic concepts ଉପରେ ଲେଖାଟି ଆଧାରିତ)
*******************
© ମୂଳ ଲେଖା :
झकझकिया ନାମରେ ଜଣାଶୁଣା ଵିଜ୍ଞାନ ଲେଖକ ଶ୍ରୀविजय सिंह ठकुरायଙ୍କର ଦୁଇ ଵର୍ଷ ତଳେ ପ୍ରକାଶିତ ଏକ ହିନ୍ଦୀ ଆଲେଖ୍ୟର ବର୍ଦ୍ଧିତ ଓଡ଼ିଆ ଭାଵାନୁଵାଦ । ଦୁଇ ଵର୍ଷ ତଳର ଏହି ଲେଖାଟି ପ୍ରାୟ ଦେଢ଼ ମାସ ତଳେ ଅନୁଵାଦ କରିଥିଲେ ବି କେତେକ କାରଣରୁ ଉପସ୍ଥାପନ କରିପାରିନଥିଲି । ମୂଳ ଲେଖାରେ ଛେଳି ଓ ଘାସ ସମ୍ବନ୍ଧୀୟ କାହାଣୀ ନଥିଲା ତାହା ଏ ଅକିଞ୍ଚନ ଯୋଡ଼ି ଦେଇଛି । 
*********************

Saturday, April 22, 2023

କଳିଙ୍ଗପୁତ୍ର କୌଣ୍ଡିନ୍ୟ

ଭାରତରେ ଅନେକ କୌଣ୍ଡିନ୍ୟ ହୋଇଛନ୍ତି । ଜଣେ କୌଣ୍ଡିନ୍ୟ ଋଷି ହୋଇଥିଲେ ଯାହାଙ୍କ ନାମରେ କୌଣ୍ଡିନ୍ୟ ଗୋତ୍ର ସୃଷ୍ଟି ହୋଇଛି । ବୁଦ୍ଧଙ୍କର ପ୍ରଥମ ପାଞ୍ଚଜଣ ଶିଷ୍ୟଙ୍କ ମଧ୍ୟରେ ଜଣକର ନାମ ଥିଲା କୌଣ୍ଡିନ୍ୟ । ସେହିପରି ପ୍ରଥମ ଶତାବ୍ଦୀରେ କାମ୍ବୋଡିଆର ଫୁନାନ ଅଞ୍ଚଳରେ ଜଣେ କଳିଙ୍ଗୀ ଶାସକ ଥିଲେ ଯାହାଙ୍କର ନାମ ବି ଥିଲା କୌଣ୍ଡିନ୍ୟ । ଅନେକ ଉତ୍ତର ଭାରତୀୟ ବୌଦ୍ଧ ଧର୍ମର କୌଣ୍ଡିନ୍ୟ ଓ କଳିଙ୍ଗୀ କୌଣ୍ଡିନ୍ୟଙ୍କୁ ଏକ ମନେ କରନ୍ତି କିନ୍ତୁ ଏହା ଠିକ୍ ନୁହେଁ । 

କଳିଙ୍ଗର କୌଣ୍ଡିନ୍ୟ ସମ୍ପୂର୍ଣ୍ଣ ଭିନ୍ନ ଵ୍ୟକ୍ତିତ୍ବ ଏଵଂ ଏହାଙ୍କ ଵିଷୟରେ ଏକ ଜନସୃତି ରହିଛି । 

ପ୍ରଥମ ଶତାବ୍ଦୀ ସମୟର ଘଟଣା,କଳିଙ୍ଗରୁ ଏକ ବୋଇତ ଦକ୍ଷିଣ ପୂର୍ଵ ଏସିଆର ସମୁଦ୍ର ମଧ୍ୟରେ ଯାଉଥିଵାବେଳେ ଫୁନାନର 
ନାଗ ବଂଶର ମୁଖ୍ୟଙ୍କ ଝିଅ ସୋମାଙ୍କ ନେତୃତ୍ୱରେ ସ୍ଥାନୀୟ ଜଳଦସ୍ୟୁମାନେ ତା’ ଉପରେ ଆକ୍ରମଣ କରିଥିଲେ। 

କଳିଙ୍ଗର ବୋଇତରେ ବେପାରୀ ଓ ପାଇକ ଉଭୟ ଯିଵାର ପରମ୍ପରା ଥିଲା । ଜଳଦସ୍ୟୁ ଆକ୍ରମଣର ଶିକାର ସେହି ବୋଇତରେ ପାଇକ ଵୀରଙ୍କ ମଧ୍ୟରେ କୌଣ୍ଡିନ୍ୟ ନାମରେ ଜଣେ ଯୋଦ୍ଧା ଥିଲେ । କୌଣ୍ଡିନ୍ୟଙ୍କ ନେତୃତ୍ୱରେ ପାଇକମାନେ ସଂଘର୍ଷ କରି ଜଳଦସ୍ୟମାନଙ୍କୁ ହରାଇଦେଲେ କିନ୍ତୁ ଭୀଷଣ ଆକ୍ରମଣ ଯୋଗୁଁ  କଳିଙ୍ଗର ବୋଇତଟି କ୍ଷତିଗ୍ରସ୍ତ ହୋଇଗଲା 
ଏଵଂ ତାକୁ ମରାମତି କରିଵା ପାଇଁ ସମୁଦ୍ର କୂଳକୁ ନିଆଯାଇଥିଲା । 

କଳିଙ୍ଗୀ ବୋଇତିଆଳମାନେ ଜଳଦସ୍ୟମାନଙ୍କର ଦ୍ୱିତୀୟ ଆକ୍ରମଣ ପାଇଁ ସତର୍କ ଥିଲେ କିନ୍ତୁ ରାଜକୁମାରୀ ସୋମା କୌଣ୍ଡିନ୍ୟାଙ୍କ ସାହସିକତାରେ ପ୍ରଭାଵିତ ହୋଇ ତାଙ୍କୁ ଵିଵାହ ପ୍ରସ୍ତାଵ ଦେଇଥିଲେ ଯାହାକୁ ସେ ଗ୍ରହଣ କରିଥିଲେ । ଫଳତଃ ଏହିପରି ଭାବରେ ଫୁନାନରେ ଏକ ରାଜବଂଶର ମୂଳଦୁଆ ପଡ଼ିଲା ଏଵଂ ଏହି ରାଜବଂଶ ଅନେକ ପିଢ଼ି ଧରି ଫନାନକୁ ଶାସନ ମଧ୍ୟ  କଲା। ଚୀନଦେଶର ଲୋକେ କୌଣ୍ଡିନ୍ୟଙ୍କୁ Hùntián (混塡)ନାମ ଦେଇଥିଲେ ସେହିପରି Khmerଭାଷୀ କୌଣ୍ଡିନ୍ୟଙ୍କୁ Preah Thong ( ព្រះថោង)‌ ଭାବେ ଜାଣନ୍ତି ।  ସେହିପରି ଭାରତୀୟମାନେ କୌଣ୍ଡିନ୍ୟଙ୍କ ପତ୍ନୀଙ୍କ ନାମ ସୋମା  ବୋଲି ଜାଣିଥିଵା ବେଳେ ଚୀନାମାନେ ତାଙ୍କୁ Liǔyè (柳葉), ଭିଏତନାମୀମାନେ Liễu Diệp (柳葉) ଓ  Khmerଭାଷାଭାଷୀମାନେ Neang Neak ନାମ ଦେଇଥିଲେ । 

କଳିଙ୍ଗପୁତ୍ର କୌଣ୍ଡିନ୍ୟ ଫୁନାନର ଵ୍ୟାଧପୁରରେ ନିଜର ରାଜଧାନୀ ସ୍ଥାପନା କରି ଅନେକ ଵର୍ଷ ଶାସନକରି ଥିଲେ । କୌଣ୍ଡିନ୍ୟଙ୍କର ଦେହାଵସାନର ଅନେକ ଵର୍ଷ ପରେ ୪୧୦ଖ୍ରୀଷ୍ଟାବ୍ଦରେ ସେହି ଵର୍ମନ ବଂଶରେ କୌଣ୍ଡିନ୍ୟ ଦ୍ବିତୀୟ ଏଵଂ  ୪୮୦ ଖ୍ରୀଷ୍ଟାବ୍ଦରେ ଜୟଵର୍ମନ କୌଣ୍ଡିନ୍ୟ ନାମରେ ଜଣେ ଶାସକ ଫୁନାନର ଶାସନ ଭାର ଗ୍ରହଣ କରିଥିଲେ । 

ଚୀନ ଦେଶରେ ଲିଖିତ ଥିଵା କାମ୍ବୋଡିଆ ସମ୍ବନ୍ଧୀୟ ପ୍ରାଚୀନ ଇତିହାସ ପୋଥିରୁ ଜଣାଯାଏ ଯେ  ରାଜା ଜୟଵର୍ମନ କୌଣ୍ଡିନ୍ୟ (ଖ୍ରୀ.ଅ. ୪୮୦-୫୧୪)ଙ୍କ ରାଜତ୍ୱ ସମୟରେ, ଫୁନାନ୍‌ର ପ୍ରଧାନ ଦେଵତା ‘ମହେଶ୍ୱର’ (ଶିଵ)ଙ୍କୁ ସ୍ଥାନୀୟ Mo-tan ପର୍ଵତର ଚୂଡ଼ାରେ ପୂଜା କରାଯାଉଥିଲା। ଏହି ‘ମୋଟାନ୍’ ଶବ୍ଦଟି ଚୀନ୍‌ଭାଷାରେ ‘ମହେନ୍ଦ୍ର’ର ରୂପାନ୍ତର, ତେଣୁ ଏଥିରୁ ଜଣାଯାଏ, ଓଡ଼ିଶାର ଯେଉଁ ମହେନ୍ଦ୍ର ପର୍ଵତ ଶିଖରରେ ଅତି ପ୍ରାଚୀନ କାଳରୁ ଶିଵ ପୂଜା କରାଯାଉଛି, ସେପରି ଏକ ପର୍ଵତର ନାମକରଣ କରି, ଦ୍ୱିତୀୟ କୌଣ୍ଡିନ୍ୟ ସେଠାରେ ଶିଵ ପୂଜା ମଧ୍ୟ ଆରମ୍ଭ କରିଥିଲେ। 

ଅନେକେ ପ୍ରଥମ ଶତାବ୍ଦୀର କଳିଙ୍ଗ ପୁତ୍ର କୌଣ୍ଡିନ୍ୟଙ୍କୁ କୌଣ୍ଡିନ୍ୟ ଗୋତ୍ର ଆଧାରରେ ବ୍ରାହ୍ମଣ ବୋଲି ମତ ଦିଅନ୍ତି । ତେବେ ଓଡ଼ିଶାରେ କ୍ଷତ୍ରିୟ ଖଣ୍ଡାୟତମାନଙ୍କ ମଧ୍ୟରେ ବି କୌଣ୍ଡିନ୍ୟ ଗୋତ୍ର ରହିଛି । ଲୋକକଥାର କାହାଣୀ ଦୃଷ୍ଟିରୁ ବହୁତ ସମ୍ଭଵ କୌଣ୍ଡିନ୍ୟ ଜଣେ ପାଇକ - ଖଣ୍ଡାୟତ ହୋଇଥିବେ ଯେ କଳିଙ୍ଗୀ ବୋଇତର ରକ୍ଷା ପାଇଁ ସେଥିରେ ଯାଇଥିଲେ ଏଵଂ ଜଳଦସ୍ୟମାନଙ୍କ ସହିତ ସଂଗ୍ରାମ କରିଥିଲେ । ପୁଣି ଆଗକାଳରେ ଓଡ଼ିଶାରେ ବ୍ରାହ୍ମଣ ବଂଶୋଦ୍ଭଵ ଵୀରମାନେ ସୁଦ୍ଧା ଯୁଦ୍ଧ କ୍ଷେତ୍ରରେ ନେତୃତ୍ୱ ନେଉଥିଵାର ଜଣାଯାଏ । ତେଣୁ କୌଣ୍ଡିନ୍ୟ ବ୍ରାହ୍ମଣ କି କ୍ଷତ୍ରିୟ ତାହା ସ୍ପଷ୍ଟ ହୋଇପାରେ ନାହିଁ । ଅନେକେ କୁହନ୍ତି ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ରରେ କୌଣ୍ଡିନ୍ୟ ଗୋତ୍ରର ଉଭୟ ବ୍ରାହ୍ମଣ ଓ ଖଣ୍ଡାୟତ ଵା କ୍ଷତ୍ରିୟ ଲୋକେ ଥିଵାରୁ ବହୁତ ସମ୍ଭଵ କୌଣ୍ଡିନ୍ୟ ଏହି କୌଣ୍ଡିନ୍ୟ ଗୋତ୍ରର ଲୋକ ହୋଇଥିବେ ।‌ କିନ୍ତୁ ନିଜ ଗୋତ୍ର ନାମରେ କେହି କାହିଁକି ନିଜର ନାମକରଣ କରିଵ ? ହୁଏତ ଅନ୍ୟମାନେ ଏଭଳି ନାମ ଦେଇଥିବେ !  ପୁନଶ୍ଚ ଭାରତରେ ଜଣେ ବୌଦ୍ଧ ଭିକ୍ଷୁ ଏଵଂ ଋଷିଙ୍କ ନାମ କୌଣ୍ଡିନ୍ୟ ଥିଲା ତେଣୁ ବହୁତ ସମ୍ଭଵ ଫୁନାନର କଳିଙ୍ଗୀ ବଂଶୋଦ୍ଭଵ ଶାସକ କୌଣ୍ଡିନ୍ୟଙ୍କର କୌଣ୍ଡିନ୍ୟ ନାମଟି ମଧ୍ୟ କୌଣସି ଗୋତ୍ର କି ଜାତିସୂଚକ ଶବ୍ଦ ନୁହେଁ ଵରଂ ସେହିପରି ଏକ ନାମ ହିଁ ଥିଲା । କୌଣ୍ଡିନ୍ୟ ଜଣେ ବ୍ରାହ୍ମଣ କି ଖଣ୍ଡାୟତ ଥିଲେ ତାହା ଅସ୍ପଷ୍ଟ କିନ୍ତୁ ସେ କଳିଙ୍ଗ ଦେଶର ପୁତ୍ର ଥିଲେ ଏଵଂ କାମ୍ବୋଡି଼ଆ ଯାଇ ସେଠାକାର ଫୁନାନରାଜ୍ୟର ଶାସକ ହୋଇପାରିଥିଲେ ଏହା ଛୋଟିଆ କଥା ନୁହେଁ ।

Monday, April 17, 2023

ପୃଥିଵୀରେ ଜୀଵନ ଅନେକ ସୌଭାଗ୍ୟର ଅଵଦାନ : ସୌଭାଗ୍ୟ ୧

ଆଗେ ପୃଥିଵୀଵାସୀ ଭାବୁଥିଲେ ସେମାନେ ହିଁ ବ୍ରହ୍ମାଣ୍ଡର କେନ୍ଦ୍ରଭାଗରେ ରହୁଛନ୍ତି ତଥା ଚନ୍ଦ୍ର, ସୂର୍ଯ୍ୟ, ବୃହସ୍ପତି ,ଶୁକ୍ର ଆଦି ଗ୍ରହ ଆଉ ତାରକା ଆଦି ସେମାନଙ୍କୁ ପ୍ରଦକ୍ଷିଣା କରୁଛନ୍ତି । ସେ ସମୟର ମନୁଷ୍ୟ ଏହାକୁ ନେଇ ସାହିତ୍ୟ ଲେଖିଲା , ଜ୍ୟୋତିର୍ଵିଜ୍ଞାନୀମାନେ ଜ୍ୟୋତିଷଶାସ୍ତ୍ରର ପ୍ରଣୟନ କଲେ । ତେବେ ଯୁଗ ସହିତ ନୂତନ ତଥ୍ୟ ଲାଭ ଯୋଗୁଁ ଅଵଧାରଣା ବଦଳିଲା । କ୍ରମେ ପୃଥିଵୀଵାସୀ ଜାଣିଲେ ଯେ ସୌରମଣ୍ଡଳର କେନ୍ଦ୍ର ହେଉଛନ୍ତି ସୂର୍ଯ୍ୟ । ହଁ ହଉ ସୌରଜଗତରେ ନହେଲା ନାହିଁ କିନ୍ତୁ Milky way galaxyର ମଧ୍ୟଭାଗରେ ତ ଆମ ସୌରଜଗତ ଥିଵା କଥା ଯେହେତୁ ଆମ ପୃଥିଵୀ ଚାରିପାଖରେ ସବୁ ତାରକା ପ୍ରଦକ୍ଷିଣା କରୁଛନ୍ତି । 



ସାତରୁ ଛଅ ନିୟୁତ ଵର୍ଷର ମାନଵ ଵିର୍ଵତ୍ତନକାଳ ମଧ୍ୟରେ ଏଇ ମାତ୍ର କିଛି ଵର୍ଷ ତଳେ ହିଁ ମାନଵମାନେ ଜାଣିପାରିଛନ୍ତି ଯେ ସେମାନେ ଯୋଉ Milky way ଛାୟାପଥରେ ରହୁଛନ୍ତି ସେ ଛାୟାପଥର ମଧ୍ୟଭାଗ ତାଙ୍କଠାରୁ ୨୬୦୦୦ରୁ ୨୭୦୦୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ । କିନ୍ତୁ ଏହା ମନୁଷ୍ୟମାନଙ୍କ ପାଇଁ ଵରଦାନ ସଦୃଶ କାରଣ ସେମାନେ ଆକାଶଗଙ୍ଗାର ଅପେକ୍ଷାକୃତ କମ୍ ଵିପଦଜନକ ସ୍ଥାନରେ ଅଛନ୍ତି । ଯଦି ଆମ ପୃଥିଵୀ ଆମରି ଆକାଶଗଙ୍ଗାର ମଧ୍ୟଭାଗର ଆଖ ପାଖରେ ଥାଆନ୍ତା ତେବେ ଏ ଗ୍ରହରେ ଜୀଵନ ସୃଷ୍ଟି କଷ୍ଟକର ହୋଇପଡ଼ନ୍ତା । ଯେକୌଣସି ଛାୟାପଥର ମଧ୍ୟଭାଗରେ ଗୁରୁତ୍ବାକର୍ଷଣ ଶକ୍ତିର ଭୀଷଣ ପ୍ରଭାଵ ରହିଥାଏ, ସେଠାରେ ଏକ ଵିଶାଳକାୟ କୃଷ୍ଣଵିଵର(blackhole) ଥାଏ ଏଵଂ ଏହି ସବୁ ଅଞ୍ଚଳରେ ସବୁବେଳେ Supernova explosion, gamma-ray bursts ଯୋଗୁଁ ପ୍ରଳୟଙ୍କରୀ ଵିତ୍ପାତ ଲାଗିରହିଥାଏ । ସେହିପରି ଆମରି ପୃଥିଵୀ ଗ୍ରହ ଯଦି ଆମ ଆକାଶଗଙ୍ଗାର ପୁରା ସୀମାନ୍ତରେ ଅଵସ୍ଥିତ ଥାଆନ୍ତା ଯଦି ତାହେଲେ ଵାହ୍ୟ ଆକାଶଗଙ୍ଗାଠାରୁ ଆସୁଥିଵା Rogue objects ,gamma-ray burstsର ଶିକାର ଶୀଘ୍ର ଓ ସହଜରେ ହୋଇଯାଆନ୍ତା ପୁଣି କୌଣସି ଅନ୍ୟ ଆକାଶଗଙ୍ଗାର ଗୁରୁତ୍ବାକର୍ଷଣ ଯୋଗୁଁ ନିଜ ଆକାଶଗଙ୍ଗାରୁ ଛିଟିକି ବ୍ରହ୍ମାଣ୍ଡରେ ସୃଷ୍ଟି ଧ୍ଵଂସ ପାଇଲା ପର୍ଯ୍ୟନ୍ତ ଏକ Rogue Planets ଵା ଅନାଥ ଗ୍ରହ ଭଳି ଘୂରି ବୁଲୁଥାନ୍ତା ।

ତେଣୁ ଆମ ଗ୍ରହ ପୃଥିଵୀର ଆକାଶଗଙ୍ଗାରେ ଏମିତି ଏକ ଅଳ୍ପ ଵିପଜ୍ଜନକ ସ୍ଥାନରେ ରହିଵା ହିଁ ଏ ଗ୍ରହର ପ୍ରଥମ ସୌଭାଗ୍ୟ ଯାହା ଫଳରେ ଏ ଗ୍ରହରେ ଜୀଵନ ସୃଷ୍ଟି ହୋଇ ଶହ ଶହ କୋଟି ଵର୍ଷ ଧରି ବଞ୍ଚି ରହିପାରିଛି !!!

ହଁ ଏଥିପାଇଁ ତ କୁହାଯାଏ ପୃଥିଵୀ ଏଵଂ ଏ ପୃଥିଵୀର ପ୍ରତ୍ୟେକଟି ଜୀଵନ ବହୁତ ମୂଲ୍ୟଵାନ ଓ ଵିରଳ !!!

ଆମ ଦେଶରେ ଵିଦେଶୀ ଗଛ -୧

ଆମେ ଅନେକ ଵୈଦେଶିକ ଫଳମୂଳ ଓ ପନିପରିଵା ଖାଇଥାଉ ।‌ ସେହିପରି କେତେକ ଵୈଦେଶିକ ଗଛ ମଧ୍ୟ ଆମ ବାଡି଼ରେ ଆପଣାଛାଏଁ ଉଠିଥାଏ କିନ୍ତୁ ଆମେ ସେ ଗଛମାନେ ମୂଳତଃ ଵୈଦେଶିକ ବୋଲି ଜାଣିନଥାଉ । ଏଭଳି କିଛି ଗଛକୁ ଚାଲନ୍ତୁ ଜାଣିଵା ...

ସପୁରୀପଣସ(Ananas comosus) ଦକ୍ଷିଣ ଆମେରିକା ମହାଦେଶର ଗଛ । ଏହାର ଏକ ପାଶ୍ଚାତ୍ୟ ନାମ Ananas ମୂଳତଃ ଏକ ଦକ୍ଷିଣ ଆମେରକୀୟ ଜନଜାତୀୟ ଭାଷା Tupi ଭାଷାରୁ ଗୃହୀତ ହୋଇଛି ‌। Tupi ଭାଷାରେ ସପୁରୀ ପଣସକୁ nanas କୁହାଯାଉଥିଲା ଯାହା ପର୍ତ୍ତୁଗୀଜ ଭାଷାରେ ananás ହେଇ ଅନ୍ୟାନ୍ୟ ୟୁରୋପୀୟ ଭାଷାରେ ପର୍ତ୍ତୁଗୀଜ ଭାଷା ଦେଇ ପ୍ରଚଳିତ ହେଲା । ୧୭ଶହ ଶତାବ୍ଦୀରେ ପ୍ରଥମେ ୟୁରୋପରେ ସପୁରୀପଣସ ପହଞ୍ଚିଥିଲା ଏଵଂ ତାପରେ ଏହା ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । 

ଗୋଲଆଳୁ ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶଦ୍ଵୟର ଗଛ । ଏହାର ଇଂରାଜୀ Potato ନାମ ଆମେରିକୀୟ ଜନଜାତୀୟ ଭାଷା Quechuaର 'papa' ('ଆଳୁ') ଓ ଜାମାଇକା ଦ୍ଵୀପର ସ୍ଥାନୀୟ ଭାଷା Taínoର batata ('ମିଠାଆଳୁ') ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି । ଗୋଲ ଆଳୁର ଚାଷ ପ୍ରଥମେ ଦକ୍ଷିଣ ଆମେରକୀୟ ଦେଶ ପେରୁରେ ୨୫୦୦ ଖ୍ରୀଷ୍ଟପୂର୍ଵ ସମୟରେ ହୋଇଥିଵାର ଐତିହାସିକ ପ୍ରମାଣ ମିଳିଛି ‌। 


ଆମେ ଯାହାକୁ ଚିନାବାଦାମ ଵା ଭୁଇଁଚଣା କହିଥାଉ ତାହା ପ୍ରକୃତରେ ଏକ ଦକ୍ଷିଣ ଆମେରକୀୟ ପାଦପ ଅଟେ । ଏହି ପାଦପଟି Fabaceae ପାଦପ କୁଳ ଵା ପରିଵାର(family)ର Arachis ବଂଶ(genus) ସହିତ ସମ୍ବନ୍ଧିତ ‌। ପ୍ରକୃତରେ ଆମେ ଯେଉଁ ଚିନାବାଦାମକୁ ଖାଆନ୍ତି ତାହା ଦୁଇଟି ଜଙ୍ଗଲୀ ଜାତି Arachis duranensis ଓ Arachis ipaensisର ସଙ୍କରଣରୁ ଜାତ ହୋଇଅଛି । ଚିନା ବାଦମ ଦକ୍ଷିଣ ଆମେରିକାର
ପେରୁ,ବୋଲିଭିଆ,ଆର୍ଜେଣ୍ଟିନା ଓ ବ୍ରାଜିଲ ଆଦି ଦେଶର ପାଦପ । 

ସାପେଟା ଵା ସାପଟା ଭାରତରେ ପ୍ରାୟତଃ ମିଳିଯାଏ କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଏହା ମୂଳତଃ ଏକ ଆମେରକୀୟ ପାଦପ ଅଟଇ । ସାପେଟା ମୂଳତଃ ମଧ୍ୟ ଆମେରିକାର ମେକ୍ସିକୋ ଆଦି ଦେଶ ତଥା west indies ଦ୍ଵୀପପୁଞ୍ଜଗୁଡି଼କର ସ୍ଥାନୀୟ ଫଳ ତେବେ ଏ ଅଞ୍ଚଳରେ ଵୈଦେଶିକ ୟୁରୋପୀୟମାନେ ଶାସନ କଲାପରେ ସାପେଟା ଗଛଟି ସହିତ ୟରେସିଆ ଓ ଆଫ୍ରିକାର ଲୋକେ ପରିଚିତ ହେଲେ ‌। ସାପେଟାର ଵୈଜ୍ଞାନିକ ନାମ Manilkara zapota ଏଵଂ ଏହାର ମୁଖ୍ୟ ଇଂରାଜୀ ନାମଟି 
sapote ଅଟେ । ଏହି ସାପେଟା ନାମଟି “ମଧ୍ୟ ଆମେରିକୀୟ ଜନଜାତୀୟ ଭାଷା” #Nahuan ଭାଷାର ଏକ ଶବ୍ଦ *ȼapotlର chapote, zapote ଓ sapote ଭଳି ଏକ ପରିଵର୍ତ୍ତିତ ଆଧୁନିକ ରୂପ ଅଟଇ । 

Morinda citrifolia ଗଛଟି ଭାରତରେ ନୋନୀ(Noni) ନାମରେ ଲୋକପ୍ରିୟ ହୋଇଗଲାଣି । ଅନେକେ ଏ ଗଛର ଉପକାରିତା ଵିଷୟରେ ଜାଣିଥିବେ ତେବେ ଅନେକଙ୍କୁ ଜଣାନଥିଵ ଯେ ଏହି ଗଛଟି ପ୍ରକୃତରେ ଦକ୍ଷିଣ ପୂର୍ଵ ଏସିଆ,ହାୱାଇ ତଥା ଅଷ୍ଟ୍ରେଲିଆ ଅଞ୍ଚଳର ପାଦପ ଅଟଇ । ଏହି ଫଳର ନୋନି ନାମଟି Austronesian ଭାଷାପରିଵାରର Hawaiian ଭାଷାରୁ ଇଂରାଜୀ ଭାଷାରେ ଗୃହୀତ ହୋଇଛି । ଅନେକ ଆଷ୍ଟ୍ରୋନେସୀୟ ଭାଷାରେ Noni ଶବ୍ଦ ସହିତ ସଗୋତ୍ରୀୟ ଶବ୍ଦ ସମାର୍ଥକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ Samoan ଭାଷାରେ ନୋନି ଫଳକୁ nonu କୁହାଯାଏ । ଉଭୟ ନୋନି(Morinda citrifolia) ଆଉ ଆଛୁ(Morinda tinctoria) Morinda ବଂଶ(ଜେନସ)ର ଗଛ କିନ୍ତୁ ସେମାନଙ୍କ ଜାତି(ସ୍ପିସିଜ୍) ଭିନ୍ନ ଭିନ୍ନ ! ଜାମୁ(Syzygium cumini) ଆଉ ଜାମୁରୋଳ(Syzygium samarangense) ଯେମିତି ଗୋଟିଏ Syzygium ବଂଶର ଅଲଗା ଅଲଗା ଜାତି ସେହିପରି କିନ୍ତୁ କିଛି ଲୋକ ଉଭୟଙ୍କୁ ଗୋଟିଏ ଭାବି ନିଅନ୍ତି । ପ୍ରଥମେ ଵିଦେଶୀମାନେ ଭାରତର ଆଛୁଗଛ(Morinda tinctoria) ସହିତ ପରିଚିତ ହୋଇଥିଲେ କାରଣ ଏ ଗଛ ବହୁ ପ୍ରାଚୀନ କାଳରୁ ଵସ୍ତ୍ର ରଙ୍ଗ ପାଇଁ ଵ୍ୟଵହୃତ ହୋଇଆସୁଛି । ଵିଦେଶୀମାନେ ଭାରତୀୟ ଆଚ୍ଛୁଗଛର ନାମ indian mulberry ଦେଇଥିଲେ । ପରେ ୟୁରୋପୀୟମାନେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ, ଅଷ୍ଟ୍ରେଲିଆ ନିକଟସ୍ଥ ଦ୍ଵୀପପୁଞ୍ଜ ତଥା ହୱାଇ ଦ୍ଵୀପରୁ ନୋନି ଗଛ(Morinda citrifolia) ସହିତ ପରିଚିତ ହେଲେ । ଆଚ୍ଛୁ ଓ ନୋନି ଗଛ ଗୋଟିଏ ବଂଶ ଓ ଭିନ୍ନ ଭିନ୍ନ ଜାତିର ଗଛ ହୋଇଥିଵାରୁ ଉଭୟ ଗଛ ମଧ୍ୟରେ କେତେକ ସମାନତା ଥିଵା ଦେଖାଯାଏ । ଵିଦେଶୀମାନେ ନୋନୀ ଗଛ ସହିତ ପରିଚିତ ହୋଇ ତାକୁ ମଧ୍ୟ ଭାରତୀୟ ଆଚ୍ଛୁ ଗଛର ଇଂରାଜୀ ନାମ indian mulberry ଦେଇ ଦେଲେ । 


ଲିଚୁ ଆଜିକାଲି ଭାରତରେ ମିଳୁଥିଵା ଅନ୍ୟତମ ଵୈଦେଶିକ ଫଳ । ଏହାର ଵୈଜ୍ଞାନିକ ନାମ 
Litchi chinensis ଏଵଂ ଇଂରାଜୀ ନାମ Lychee ଅଟେ । ଲିଚୁ ହେଉଛି Sapindaceae ପାଦପ କୁଳର ଗଛ ଏଵଂ ସେହି କୁଳର ଭାରତୀୟ ମୂଳର ପାଦପ ହେଉଛି Schleichera oleosa ଵା କୁସମ ଗଛ ‌। ଲିଚୁ ଶବ୍ଦଟି ମୂଳତଃ ଏକ Cantonese ଶବ୍ଦ 荔枝 (lai6 zi1)ରୁ ଗୃହୀତ ହୋଇଛି । 

ଆଜିକାଲି ଭାରତରେ କିୱି(kiwi) ନାମରେ ଗୋଟିଏ ଫଳ ମିଳୁଛି ଯାହାର ପଣା କରି ଭାରତୀୟ ନଗରଵାସୀ ଲୋକେ ପିନ କରୁଥିଵା ଦେଖାଯାଏ । ଭାରତରେ କେତେକ ଅଞ୍ଚଳରେ ଏହାର ଚାଷ ମଧ୍ୟ ଆରମ୍ଭ ହୋଇଛି । କିୱି କିନ୍ତୁ ପ୍ରକୃତରେ ଏକ ଚୀନ ଦେଶୀୟ ଫଳ ଅଟେ । ଏହା ଚୀନଦେଶର ମଧ୍ୟ ଓ ପୂର୍ଵାଞ୍ଚଳର ଫଳ ଏଵଂ ପ୍ରଥମେ ଚୀନରୁ ବିଂଶ ଶତାବ୍ଦୀରେ ନ୍ୟୁଜିଲାଣ୍ଡକୁ ଯାଇ ପ୍ରଥମେ ଚାଷ ହୋଇଥିଲା । ନ୍ୟୁଜିଲାଣ୍ଡରୁ ଏ ଫଳ ଆମେରିକା ଓ ୟୁରୋପରେ ଲୋକପ୍ରିୟ ହେଲା ଫଳତଃ ନ୍ୟୁଜିଲାଣ୍ଡଵାସୀଙ୍କ ଡାକନାମ kiwi ନାମରେ ଏ ଫଳକୁ ନାମିତ କରାଯାଇଛି । 


Friday, April 14, 2023

● ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ସନାତନୀ ନଵଵର୍ଷ : ମହାଵିଷୁଵ ପଣା ସଂକ୍ରାନ୍ତି●

ଅନେକେ ମହାଵିଷୁଵ ପଣା ସଂକ୍ରାନ୍ତିକୁ କେଵଳ "ଓଡ଼ିଆ ନଵଵର୍ଷ" ମନେ କରନ୍ତି କିନ୍ତୁ ପ୍ରକୃତରେ ଏହାକୁ “ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ” ଅଭିହିତ କରାଯାଏ ।‌ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଅନେକ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । ଭାରତରେ ମେଷ ସଂକ୍ରାନ୍ତିକୁ ନଵଵର୍ଷ ଭାବେ ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ  ପାଳିଥାନ୍ତି । ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷର ନାମ ମଧ୍ୟ ଭିନ୍ନ ଭିନ୍ନ ଅଟେ । 
ଵିଷୁଵ ସଂକ୍ରାନ୍ତିକୁ 'Buisu' ନାମରେ ତ୍ରୀପୁରାର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଉତ୍ତରାଖଣ୍ଡର କୁମାଉନ୍ ଅଞ୍ଚଳରେ ଏହା "ବିଖୁ ଵା ବିଖାଉତି" ନାମରେ ନଵଵର୍ଷ ରୂପେ ପାଳିତ ହୁଏ । ସୁଦୂର ଦକ୍ଷିଣ ଭାରତରେ କେରଳୀ ଓ ତୁଲୁମାନେ 'ଵିଷୁ', କୋଡ଼ଵାଭାଷୀ ଲୋକେ "ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି" ଓ ତାମିଲ ଭାଷାଭାଷୀ 'ପୁଥାଣ୍ଡୁ' 
ଭାବେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ରୂପରେ ପାଳିଥାନ୍ତି । 

ମେଷ ସଂକ୍ରାନ୍ତି ଦିନ ଆସାମ ଓ ମେଘାଳୟର ବୋଡ଼ୋ ଜନଜାତୀୟ ଲୋକଙ୍କ ପାରମ୍ପରିକ ନଵଵର୍ଷ Bwisagu ପାଳନ କରାଯାଉଥିଲାବେଳେ ଆସାମର ମୁଖ୍ୟ ଜନଜାତି ଅହୋମମାନଙ୍କ ଦ୍ବାରା ପାରମ୍ପରିକ ନଵଵର୍ଷ ରୂପରେ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ବିହୁ,ରଙ୍ଗୋଲୀ ବିହୁ ନାମରେ ପାଳିତ ହୋଇଥାଏ । ସେହିପରି ପଞ୍ଜାବ , ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ହରିଆଣାର ଲୋକମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵୈଶାଖୀ ନାମରେ ପାଳନ କରନ୍ତି ଏଵଂ ଏହା ଏହି ଅଞ୍ଚଳର ଲୋକଙ୍କର ଏହା ପାରମ୍ପରିକ ନଵଵର୍ଷ ଅଟଇ । ନେପାଳୀ ଓ ବିହାରର ମୈଥିଳୀଭାଷୀ ଲୋକଙ୍କର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଅଟେ । ମୈଥିଳୀଭାଷୀ ଜୁରଶୀତଳ ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନଵଵର୍ଷ ଭାବେ ପାଳନ କରନ୍ତି ‌। ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହେଉଥିଵା 'ପୋହେଲା ବୈଶାଖ' ହେଉଛି ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳରେ ଵସଵାସ କରୁଥିଵା ବଙ୍ଗାଳୀ ସନାତନୀମାନଙ୍କର ପାରମ୍ପରିକ ନଵଵର୍ଷ । 
ଏହି ପଣା ସଂକ୍ରାନ୍ତି ଦିନ ଅରୁଣାଚଳ ପ୍ରଦେଶର Khamti, Singpho, Khamyang ଓ Tangsa ଜନଜାତି ତଥା ଆସାମର Tai Phake, Tai Aiton ଓ Turung ଜନଜାତୀୟ ଲୋକେ ଯେଉଁ ପାରମ୍ପରିକ ନଵଵର୍ଷ ପାଳନ କରନ୍ତି ତାକୁ Sangken କୁହାଯାଏ । ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶରେ ଵସଵାସ କରୁଥିଵା 
ଚକମା ଜନଜାତିର ପାରମ୍ପରିକ ନଵଵର୍ଷ Bizhu/Bizu ବି ମେଷ ସଂକ୍ରାନ୍ତି ଦିନ ପାଳିତ ହୁଏ । 

କେଵଳ ଭାରତ ହିଁ ନୁହେଁ ଭାରତ ବାହାରେ ଭାରତୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଏଵଂ ପୂର୍ଵେ କଳିଙ୍ଗ ଦେଶର ଉପନିଵେଶ ଥିଵା ଅନେକ ଦେଶରେ ମଧ୍ଯ ମେଷ ସଂକ୍ରାନ୍ତିକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଯଥା—
ବର୍ମାର ପାରମ୍ପରିକ ନଵଵର୍ଷର ନାମ Thingyan,କାମ୍ଵୋଡି଼ଆର ପାରମ୍ପରିକ ନଵଵର୍ଷ Choul Chnam Thmey/ Moha Sangkran , ଶ୍ରୀଲଙ୍କାର ପାରମ୍ପରିକ ସିଂହଳୀ ନଵଵର୍ଷ Aluth Avurudda,ଲାଓସ୍ ଦେଶର ପାରମ୍ପରିକ ନଵଵର୍ଷ Pi Mai ,ଥାଇଲାଣ୍ଡର ପାରମ୍ପରିକ ନଵଵର୍ଷ Songkran, ପଶ୍ଚିମ ଚୀନରେ Dai ଆଦି କେତେକ ଜନଜାତିର ପାରମ୍ପରିକ ନଵଵର୍ଷ Pōshuǐ jié(ଚୀନରେ ଏହା Water-sprinkling festival ଭାବରେ ମଧ୍ୟ ଜଣାଶୁଣା) ଅଟେ । ନେପାଳରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନଠାରୁ ଵିକ୍ରମ ସମ୍ବଦ୍ ପଞ୍ଜିକାର ନୂତନ ଵର୍ଷ ଆରମ୍ଭ ହୁଏ ଏଵଂ ଏହି ଅଵସରରେ ବିଷ୍କା ଵା ବିଷ୍କାଟ୍ ଯାତ୍ରାର ଆୟୋଜନ କରାଯାଏ । ଏହାକୁ ନେପାଳର ରଥଯାତ୍ରା ମଧ୍ୟ କୁହାଯାଏ । 
ଉଲ୍ଲେଖଯୋଗ୍ୟ ଯେ ଏସବୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ମହାଵିଷୁଵ ପଣା ସଂକ୍ରାନ୍ତି ତିଥିରେ ହିଁ ପାଳନ କରାଯାଏ । ତେଣୁ ଯଥାର୍ଥରେ ଦକ୍ଷିଣ ଏସିଆର ଅନେକ ଦେଶର ପାରମ୍ପରିକ ନଵଵର୍ଷ ହୋଇଥିଵାରୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍‌କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ପାରମ୍ପରିକ ନଵଵର୍ଷ ମଧ୍ଯ କୁହାଯାଇଥାଏ । 

ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରକୃତ ସନାତନୀ ନଵଵର୍ଷ । ମେଷ ସଂକ୍ରାନ୍ତି ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
 ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।
 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । 
ଗୌତମ ବୁଦ୍ଧ ଏହିଦିନ ‘ଦିଵ୍ୟଜ୍ୟୋତି’ ପ୍ରାପ୍ତ ହୋଇଥିଵାରୁ ପ୍ରାୟ ସମସ୍ତ ବୌଦ୍ଧ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ଏକ ବଡ଼ ପର୍ଵ ଭାଵରେ ପାଳନ କରାଯାଏ । ପଞ୍ଜାଵରେ ବହୁପ୍ରଚୀନ କାଳରୁ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଵୈଶାଖୀ ଉତ୍ସଵ ପାଳିତ ହେଉଥିଲା । ୧୬୯୯ର ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ସିଖ୍‌ଗୁରୁ ଶ୍ରୀଗୋଵିନ୍ଦ ସିଂହ ଆନନ୍ଦପୁର ନିକଟରେ ଥିଵା କେଶଗଡ଼ ସାହିବଠାରେ ଖାଲସାପନ୍ଥ ପ୍ରତିଷ୍ଠା କରି ଶିଖ୍‌ମାନଙ୍କର ଧର୍ମଗୁରୁ ହୋଇଥିଲେ । ସେହି ଦିନଠାରୁ
ଶିଖ୍‌ମାନେ ଏହି ଦିଵସଟିକୁ ନଵଵର୍ଷ ଭାବେ ପାଳନ କରିଆସୁଛନ୍ତି । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଗୁରୁଦ୍ୱାରାମାନଙ୍କରେ କୀର୍ତ୍ତନ ଓ ଲଙ୍ଗର ଵ୍ୟଵସ୍ଥା ସହ ଵିଭିନ୍ନ ସ୍ଥାନରେ ନଗର କୀର୍ତ୍ତନ ଵା ଶୋଭାଯାତ୍ରା ଆୟୋଜନ କରାଯାଏ । ତା’ ସହିତ ପଞ୍ଜାଵର ଏହା ଅମଳ ଋତୁ ହୋଇଥିଵାରୁ ଏହି ଦିନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଶାକ୍ତ ଓ ଶୈଵ ପନ୍ଥର ଭକ୍ତମାନଙ୍କ ପାଇଁ ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଦିଵସ । ପ୍ରାୟ ସବୁ ଦେଵୀପୀଠରେ ଏହିଦିନ ଚଣ୍ଡୀପାଠ,
ହୋମ ଯଜ୍ଞ କରାଯାଇଥାଏ । ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସି ଦେଵୀଙ୍କୁ ଶାଢି଼, ଶଙ୍ଖା, ସିନ୍ଦୂର ଆଦି ଅର୍ପଣ କରି ଭୋଗ ଲଗାନ୍ତି ଓ ନୂତନ ଵର୍ଷରେ ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ଵୈଷ୍ଣଵମାନେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜନ ଓ ହନୁମାନ ଜୟନ୍ତୀ ପାଳନ କରିଥାନ୍ତି । ତେଣୁ ଏକାଧିକ ସନାତନୀ ପନ୍ଥଦ୍ଵାରା ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଉଥିଵାରୁ ଏହାକୁ "ସନାତନୀ ନଵଵର୍ଷ" ମଧ୍ୟ କୁହାଯାଏ । 

ନଵଵର୍ଷ ରୂପେ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ପାଳିତ ହେଉଥିଵା ଏହି ସଂକ୍ରାନ୍ତିର ଵିଭିନ୍ନ ଭାରତୀୟ ନାମ ମଧ୍ୟ ଅଛି । ଏହାକୁ କେଵଳ ଓଡ଼ିଶାରେ ହିଁ ମହାଵିଷୁଵ ସଂକ୍ରାନ୍ତି,ଵିଷୁଵ ସଂକ୍ରାନ୍ତି,ପଣା ସଂକ୍ରାନ୍ତି ,ଜଳ ସଂକ୍ରାନ୍ତି, ପ୍ରଥମ ସଂକ୍ରାନ୍ତି, ଠେକି ବସା ସଂକ୍ରାନ୍ତି,ବସୁନ୍ଧରା ଘଡ଼ିବସା ସଂକ୍ରାନ୍ତି ,ଚୈତ୍ର ସଂକ୍ରାନ୍ତି,ଛତୁଆ ସଂକ୍ରାନ୍ତି ଓ ଚଡ଼କ ସଂକ୍ରାନ୍ତି ଇତ୍ୟାଦି କୁହାଯାଏ। 
 
ମହାଵିଷୁଵ ପଣା ସଂକ୍ରାନ୍ତିର କଳିଙ୍ଗୀ ନୌଵାଣିଜ୍ୟ ପରମ୍ପରା ସହିତ ମଧ୍ୟ ସମ୍ପର୍କ ଅଛି । ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଵା ଯେଉଁ ସବୁ ଅଞ୍ଚଳରେ ପୂର୍ଵେ କଳିଙ୍ଗୀମାନଙ୍କର ସଂସ୍କୃତିର ସାଂସ୍କୃତିକ ସାମାଜିକ ରାଜନୈତିକ ପ୍ରଭାଵ ପଡି଼ଥିଲା ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି । ଆଗେ ସାଧଵମାନେ କାର୍ତ୍ତିକ ମାସ ଶେଷଦିନ ଦୂରଦେଶକୁ ବୋଇତ ଯାତ୍ରା କରୁଥିଲେ ଏଵଂ ମହା ଵିଷୁଵ ପଣା ସଂକ୍ରାନ୍ତି ପରଠାରୁ ରଜପର୍ଵ ପର୍ଯ୍ଯନ୍ତ ଵିଦେଶରୁ ବୋଇତ ଯୋଗେ ଫେରି ଆସୁଥିଲେ । ଆଗେ କାର୍ତ୍ତିକ ଅମାଵାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏଵଂ ପୀଠରେ ବୋଇତର ଵା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାଉଥିଲେ । ସମ୍ଭଵତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଏଵଂ ରଜରେ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରୁଥିଲେ । ସମ୍ଭଵତଃ ଏହା ବୋଇତ ଫେରି ଆସିଵା ସମୟରେ କରାଯାଉଥିଵା ବନ୍ଦାପନାର ସ୍ମାରକ । ବୋଇତ ଦ୍ଵାରା ଫେରି ଆସିଵା ପୂର୍ଵରୁ ସାଧଵମାନେ ଏହି ମହାଵିଷୁଵ ସଂକ୍ରାନ୍ତି ଦିନ କଳିଙ୍ଗର ଶ୍ରୀଲଙ୍କା ବ୍ରହ୍ମଦେଶ ଲାଓସ କାମ୍ବୋଡିଆ ଫିଲିପାଇନସ ଆଦି ଅଞ୍ଚଳରେ ପାରମ୍ପରିକ ପଣା ସଂକ୍ରାନ୍ତିକୁ ପାଳନ କରୁଥିଲେ ଯାହା ସେସବୁ ଅଞ୍ଚଳରେ ଆଜି ବି ବଞ୍ଚି ରହିଛି । ଓଡ଼ିଶାର ନୌଵାଣିଜ୍ୟ ପରମ୍ପରା ସହିତ ମେଷ ସଂକ୍ରାନ୍ତି ଵା ମହା ଵିଷୁଵ ପଣା ସଂକ୍ରାନ୍ତିର ଏକ ଵିଶିଷ୍ଟ ସମ୍ପର୍କ ରହିଛି । 
ସାଧଵମାନେ କାର୍ତ୍ତିକ ମାସରେ ନୌଵାଣିଜ୍ୟ କରିଵାକୁ ଦରିଆ ପାରି ଦେଶକୁ ଯାଇ ଵୈଶାଖ ମାସରେ ସ୍ଵଦେଶ ଫେରି ଆସୁଥିଲେ । ଫଳତଃ କେଵଳ ଓଡ଼ିଶା ନୁହେଁ ପୂର୍ଵେ ଯେଉଁ ଯେଉଁ ସ୍ଥାନରେ କଳିଙ୍ଗୀମାନଙ୍କର ଶାସନ ଓ ଉପନିଵେଶ ଥିଲା ସେହି ସେହି ସ୍ଥାନରେ ଵୈଶାଖ ମାସକୁ ମହତ୍ତ୍ୱପୂର୍ଣ୍ଣ ଵିଚାର କରାଯାଇଥିଲା । 
    
ତେବେ ଅନେକେ ହୁଏତ ଜାଣିନଥିବେ ଯେ ଆମର ଗୋଟିଏ ନୁହେଁ ଵରଂ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ଅଛି । ଆମ କଳିଙ୍ଗ ଦେଶୀୟ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ପାଳିତ ହେଵାର ପ୍ରଥା ରହିଛି । ଜଳ ଵିଷୁଵ ସଂକ୍ରାନ୍ତି ଓ
ମହା ଵିଷୁଵ ପଣା ସଂକ୍ରାନ୍ତି । ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ ମେଷ ସଂକ୍ରାନ୍ତି, ଚଡ଼କ ସଂକ୍ରାନ୍ତି,ଠେକିବସା ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । ଵୈଜ୍ଞାନିକମାନେ ପୃଥିଵୀ ମଧ୍ୟରେ କେତେକ କାଳ୍ପନିକ ରେଖା, ବିନ୍ଦୁ, ଵୃତ୍ତର କଳ୍ପନା କରିଛନ୍ତି ଏଵଂ ସେହି କଳ୍ପନାର ପ୍ରାଚୀନ ମୂଳ ଆଧାର ଭାରତୀୟ ଭୌଗୋଳିକ ଜ୍ଞାନ। କ୍ରାନ୍ତିଵୃତ୍ତ (Ecliptic) ଓ ନିରକ୍ଷଵୃତ୍ତ (Equator) ଏହି ଦୁଇଟି ଵୃତ୍ତ ଦୁଇଟି କାଳ୍ପନିକ ବିନ୍ଦୁ ସୃଷ୍ଟି କରିଥାନ୍ତି । ସେହି ଦୁଇ ବିନ୍ଦୁକୁ ମହାଵିଷୁଵ ଓ ଜଳଵିଷୁଵ ବିନ୍ଦୁ କୁହାଯାଏ । ଯେତେବେଳେ ମହାଵିଷୁଵ ବିନ୍ଦୁ ଉପରେ ସୌର କେନ୍ଦ୍ର ବିନ୍ଦୁ ସ୍ପର୍ଶ କରେ, ସେତେବେଳେ ମହାଵିଷୁଵ ସଂକ୍ରାନ୍ତି ହୁଏ । 

ମହାଵିଷୁଵ ପଣା ସଂକ୍ରାନ୍ତି ଓ ଦକ୍ଷିଣ ଏସିଆର ଜଳଵାୟୁ ମଧ୍ୟରେ ଗଭୀର ସମ୍ପର୍କ ଅଛି । ପ୍ରକୃତରେ ଏହି ପର୍ଵର କଳ୍ପନା ହିଁ ସ୍ଥାନୀୟ ଜଳଵାୟୁ ଆଧାରରେ ହୋଇଛି ‌। 
ସୌର ମେଷମାସରେ ପାଳିତ ହେଉଥିଵା ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି । ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ । ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ,ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 
ମହାଵିଷୁଵ ପଣା ସଂକ୍ରାନ୍ତି ଋତୁଚକ୍ରର ଠିକ୍ ଆରମ୍ଭରେ ପାଳିତ ହୁଏ ଅର୍ଥାତ୍ ଗ୍ରୀଷ୍ମଋତୁର ଆରମ୍ଭ ସହିତ ଆମର ନଵଵର୍ଷ ଆରମ୍ଭ ହୋଇଥାଏ । ଆମ୍ବ,ବେଲ ଭଳି ଭାରତୀୟ ଫଳ ଓ ପୁଷ୍ପରେ ଵନ ଉପଵନ ଭରିଯାଏ । 
ଵର୍ଷ ଆରମ୍ଭ ସହିତ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି । ତୁଳସୀ ଭଳି ପଵିତ୍ର ଵୃକ୍ଷ ପରେ ଠେକି ବସା ଯାଇ ଜଳଦାନ କରିଵା ସହ ଲୋକଙ୍କୁ ପଣା ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା ହେତୁ ଲକ୍ଷଣାର୍ଥ ଉପଦେଶ ଦେଵା ଭଳି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ ହେଉଛି ଆମ ମହା ଵିଷୁଵ ପଣା ସଂକ୍ରାନ୍ତି ! 
ମହାଵିଷୁଵ ପଣା ସଂକ୍ରାନ୍ତି ଦିନ କଳିଙ୍ଗ ଦେଶରେ ଵିଭିନ୍ନ ପର୍ଵପର୍ଵାଣୀ ପାଳିତ ହୋଇଥାଏ ଏଵଂ ଏଥିପାଇଁ ଏହା କଳିଙ୍ଗ ଦେଶର ଏକ ଅତି ଗୁରୁତ୍ବପୂର୍ଣ୍ଣ ପର୍ଵ ବୋଲି ସ୍ପଷ୍ଟ ଭାବରେ କୁହାଯାଇପାରେ ।

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା,ଚଡ଼କ ଯାତ୍ରା ଓ ଶକ୍ତିପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି), ଜଳଦାନ ଏକ ପ୍ରକାରେ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ । ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଏ ଓ ଵିଶେଷ ପୂଜାର ଆୟୋଜନ କରାଯାଏ । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼େ ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଏ । ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଏ । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଏ । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । ପଣା ସଂକ୍ରାନ୍ତି ପରଠାରୁ ରୌଦ୍ରତାପ ବୃଦ୍ଧି ପାଏ ତେଣୁ ଏହି ସଂକ୍ରାନ୍ତିରେ ଵୃକ୍ଷଜଗତ ଏଵଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିଵାରୁ ଏହାର ଅନ୍ୟ ନାମ ଜଳସଂକ୍ରାନ୍ତି ଅଟଇ ‌। 

ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ବାୟୁର ଗତି କ୍ରମଶଃ ପ୍ରଖର ହୁଏ ଏଵଂ ଏହି ଦିନଠାରୁ 'କାଳଵୈଶାଖୀ' ପ୍ରଵାହିତ ହୋଇଥାଏ । ହନୁମାନ ହେଉଛନ୍ତି ଵାୟୁପୁତ୍ର ତଥା ପୁରାଣର କଥା ଅନୁସାରେ ସେ ନିଜ ବାଳପଣରେ ସୂର୍ଯ୍ୟଙ୍କୁ ଗିଳିଦେଵାକୁ ଉଦ୍ୟତ ହୋଇଥିଲେ । ଅତଃ କଳିଙ୍ଗଵାସୀ ଗ୍ରୀଷ୍ମଋତୁର ଆରମ୍ଭରେ ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ମହାଵିଷୁଵ ପଣା ସଂକ୍ରାନ୍ତିରେ ହନୁମାନ ଜୟନ୍ତି ପାଳନ କରିଥାନ୍ତି । ଶ୍ରୀମନ୍ଦିର ରୀତିନୀତିରେ ତେଣୁ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଵିଶେଷ ଆରାଧନା କରାଯାଏ । ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେଵା ଏଵଂ ହନୁମାନ ଠାକୁର ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିଵା ଵିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାଵୀର ଓ ବାର ଭାଇ ମହାଵୀରମାନଙ୍କୁ ଆଜ୍ଞାମାଳ ଦେଵା ପରେ ଵିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ଵିଜେ କରାନ୍ତି । ହନୁମାନ ଵିମାନରେ ରହିଥିଵା ଅଵସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ଵିରାଜିତ ମହାଵୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା'ପରେ ଦରିଆ ମହାଵୀରଙ୍କୁ ଦେଵା ନିମନ୍ତେ ଯାଆନ୍ତି । ସେଠାରୁ ଫେରଲା ପରେ ମଠଠାରେ ଭୋଗ, ବନ୍ଦାପନା ହୁଏ । ତା'ପରେ ବାହୁଡ଼ା ଵିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି । ⁠ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିଵା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା'ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିଵା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପୁରୀର ଵିଭିନ୍ନ ଜାଗା ଆଖଡା଼ରେ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ନୂତନ ଭାବେ ପାରମ୍ପରିକ ଵସ୍ତ୍ରର ପରିଧାନ କରି ଜାଗା ଆଖଡାର ସଦସ୍ୟମାନେ ହନୁମାନଙ୍କର ଆଶୀର୍ଵାଦ ନେଵା ଦଣ୍ଡ ବୈଠକ ସହ କୁସ୍ତି କସରତ କରିଥାଆନ୍ତି । ସାଧାରଣତଃ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ପୁରୀର ପ୍ରସିଦ୍ଧ ସିଦ୍ଧ ମହାଵୀରଙ୍କର ସହ ପୁରୀ ନିକଟସ୍ଥ ଶିରୁଳି ମହାବୀର ପୀଠରେ ଭକ୍ତରଙ୍କ ପ୍ରଵଳ ସମାଗମ ହୋଇଥାଏ ।  
ଏହିପରି ଭାବେ ଶ୍ରୀମନ୍ଦିରରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଜୟନ୍ତୀ ପାଳିତ ହୋଇଥାଏ । 

ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ, ସନାତନୀମାନଙ୍କର ଏହି ଚାରିଗୋଟି ଧର୍ମ ମାସ ଅଟେ । ଏହି ଚାରି ମାସ ତଥା ଏହି ଚାରି ମାସର ପୂର୍ଣ୍ଣିମା ହିନ୍ଦୁଶାସ୍ତ୍ର ଅନୁସାରେ ପୁଣ୍ୟକାଳ। ଏହି ଚାରି ମାସର ଆଦ୍ୟ ଅକ୍ଷରଦ୍ୱାରା ଗଠିତ 'ଆ କା ମା ବୈ' ଶବ୍ଦ ମତ୍ସ୍ୟପୁରାଣରେ ଅଛି। 

"ଵିଷୁଵେ ଶତ ସାହସ୍ର ମାକାମାଵୈଫଳଂ ଲଭେତ୍”

ଅର୍ଥାତ୍ ଵିଷୁଵ(ଵୈଶାଖର ପଣା ସଂକ୍ରାନ୍ତି) ସଂକ୍ରାନ୍ତିରେ ଦାନପୁଣ୍ୟାଦି କଲେ ଶତ ସହସ୍ର 'ଆକାମାଵୈ' ଅର୍ଥାତ୍ ଉକ୍ତ ଚାରି ମାସ ଓ ଚାରି ପୂର୍ଣ୍ଣିମାରେ ଅନୁଷ୍ଠିତ ଦାନ ଓ ପୁଣ୍ୟର ଫଳ ଲାଭ ହୁଏ । ସେଥିପାଇଁ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଧାନ୍ୟଧେନୁ ଦାନ କଲେ ବହୁ ସୌଭାଗ୍ୟ, ସୁଖ ଓ ପୁଣ୍ୟଲାଭ ହୁଏ ବୋଲି ଭାରତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ପଣାସଂକ୍ରାନ୍ତିରେ ଵ୍ରତଧାରୀ ପାଟୁଆମାନଙ୍କର ଦେଵୀ ଆସ୍ଥାନ ନିକଟରେ ନିଆଁରେ ଚାଲିଵା ଓ ବାଦ୍ୟ ସହିତ ଗୀତ ବୋଲି ନାଚିଵା ପର୍ବକୁ ପଟୁଆଯାତ ,ଝାମଯାତ ଓ ଝାମୁଚଲା ଇତ୍ୟାଦି କୁହାଯାଏ । ଅଞ୍ଚଳ ଭେଦରେ ଝାମୁଯାତ ଓ ପାଟୁଆ ଯାତ ଭିନ୍ନ ଭିନ୍ନ ହୋଇଥାଏ ।‌ ଢେଙ୍କାନାଳ ଆଦି କେତେକ ଅଞ୍ଚଳରେ ଲମ୍ବାଗାତ ସହ ତହିଁର ଦୁଇପଟେ ଦୁଇଗୋଟି ଗୋଲାକାର ଗାତ ଖୋଳିଦିଆଯାଏ । ମଝି ଲମ୍ବାଗାତରେ ରଡ଼ନିଆଁ ଦିଆଯାଏ ଓ ଦୁଇପାଖରେ ଜଳ ରହିଥାଏ । ଵ୍ରତଧାରୀମାନେ ମାନସିକ କରିଥିଵା ପିଲାଙ୍କୁ ଧରି ଏଇ ରଡ଼ନିଆଁ ଉପରେ ଚାଲିଯାଆନ୍ତି । କେତେକ ଅଞ୍ଚଳର ପାଟୁଆ ଯାତ୍ରା ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ। ଅନ୍ଯ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ। ଵ୍ରତଧାରୀ ବ୍ଯକ୍ତି ଦୁଧପାଣି ଥିଵା ଗାତରେ ଗୋଡ଼ ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା ୭ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ। କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ। ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ଵ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି ।


ଦଣ୍ଡନାଚ ସହିତ ମହାଵିଷୁଵ ପଣା ସଂକ୍ରାନ୍ତିର ଗଭୀର ସମ୍ପର୍କ ରହିଛି । 
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ଏହା ଓଡ଼ିଶାର କଟକ, ଅନୁଗୋଳ, ଢେଙ୍କାନାଳ ଆଦି ଵିଭିନ୍ନ ଅଞ୍ଚଳରେ ପାଳିତ ହେଉଥିଲେ ବି ଗଞ୍ଜାମ ଜିଲ୍ଲାର ଏହା ଏକ ପ୍ରମୁଖ ଲୋକ ପର୍ଵ ଅଟେ। ଦଣ୍ଡନାଚ ଗ୍ରାମାଞ୍ଚଳରେ କାମନା ଦଣ୍ଡ ଭାବେ ପରିଚିତ ତଥା ଠାକୁରାଣୀଙ୍କ ଆସ୍ଥାନ ନିକଟସ୍ଥ ଯେଉଁ ତୋଟାରେ କାମନା ଦଣ୍ଡ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହୁଏ ସେହି ତୋଟାକୁ କାମନା ତୋଟା କୁହାଯାଏ। ଚୈତ୍ର ମାସ ଆରମ୍ଭରୁ ଵୈଶାଖ ମାସ ପ୍ରଥମ ଦିନ ପର୍ଯ୍ୟନ୍ତ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଦଣ୍ଡରେ ମିଶିଥିଵା ଭକ୍ତଙ୍କୁ ଦଣ୍ଡୁଆ ଵା ଭୋକ୍ତା କୁହନ୍ତି । ଦଣ୍ଡୁଆ ଵା ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିଵାରୁ ଏହି ନାଚକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ଯୋଗ ଦେଵା ଦ୍ୱାରା ମା'କାଳୀଙ୍କ ଅସୀମ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ଓଡ଼ିଶାରେ ଲୋକଵିଶ୍ୱାସ ପ୍ରଚଳିତ । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି ଏଵଂ ଏହି ୧୩ଜଣ ତେର ଵର୍ଷ ପାଇଁ ଅଂଶଗ୍ରହଣ କରିଵାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏଵଂ ତ୍ୟାଗର ଵିଧିଵିଧାନ ଅଛି । ଦଣ୍ଡୁଆ ଵା ଭୋକ୍ତାମାନେ ଷୋହଳ ପ୍ରକାରର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିଵା), ଶୁଦ୍ଧିକ୍ରିୟା, କୁଳଭୋଜି ଓ ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) । ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ ଏଵଂ ଦଣ୍ଡଯାତ ସମୟରେ ଦଣ୍ଡିଆ ଵା ଭୋକ୍ତାମାନଙ୍କ ପାଇଁ ରାଜସିକ ତଥା ତାମସିକ ଖାଦ୍ୟ ଭକ୍ଷଣ ନିଷେଧ ଅଟେ । ଭୋକ୍ତାମାନେ ଶିଵ, ପାର୍ଵତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିଵା ଵ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ଵଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତା/ଦଣ୍ଡୁଆମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ଵତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀଵନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିଵାକୁ ମିଳିଥାଏ । ଗଞ୍ଜାମ ଜିଲ୍ଲାର ଦଣ୍ଡନାଚରେ ଘୋଟଣା ନୃତ୍ୟ ଭଳି କେତେକ ସ୍ଵାତନ୍ତ୍ର୍ୟ ବି ରହିଛି । ଦଣ୍ଡନାଚରେ ଅତି ସରଳ ଗ୍ରାମୀଣ ଭାଷା ଵ୍ୟଵହାର କରାଯାଇଥାଏ । ଵିଷୁବ ସଂକ୍ରାନ୍ତି ଦିନ ଏହି ଦଣ୍ଡନାଚ ଶେଷ ହୁଏ ଏଵଂ ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ଵାଦ୍ୟଯନ୍ତ୍ର ବାଜୁଥିଵା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି । ମହାଵିଷୁଵ ସଂକ୍ରାନ୍ତି ମାସଯାକ ପାଳିତ ହେଉଥିଵା ଦଣ୍ଡନାଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଵସ ହୋଇଥିଵାରୁ ଏହି ଦିନ ଶେଷ ଦଣ୍ଡ ଠାକୁରାଣୀ ଆସ୍ଥାନ ନିକଟରେ ଧୁମ୍‌ଧାମରେ ଆୟୋଜିତ ହୋଇଥାଏ । 

ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଲୋକେ ପଣାସଂକ୍ରାନ୍ତିକୁ ଚଡ଼କପର୍ଵ ଵା ଚଡ଼କଯାତ୍ରା ନାମରେ ପାଳନ କରିଥାନ୍ତି । ପାଟୁଆନାଚ,ଦଣ୍ଡଯାତ ପରି ଚଡ଼କଯାତ୍ରାରେ ଭାଗ ନେଉଥିଵା ଭୋକ୍ତା ଵା ପାଟୁଆମାନେ ମଧ୍ୟ ଦେଵତାଙ୍କୁ ପ୍ରସନ୍ନ କରାଇଵାକୁ ନିଜକୁ ନାନା ରୂପେ ଦଣ୍ଡିତ କରିଥାନ୍ତି । ଚଡ଼କ ଯାତ ଅଵସରରେ ଉତ୍ତର ଓଡ଼ିଶାରେ ଗରମ ଝୁଣାକୁ ପାଟୁଆମାନଙ୍କ ପିଠିକୁ ଫୋପାଡି଼ ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ଵା ବାହୁଙ୍ଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ । ଦଣ୍ଡଯାତର ଦଣ୍ଡୁଆ ଵା ଭୋକ୍ତା ଆଉ ପାଟୁଆଯାତ ତଥା ଚଡ଼ ଯାତର ପାଟୁଆମାନେ ହିଁ ପ୍ରକୃତ ଅର୍ଥରେ
ଶୈଵ ଅଟନ୍ତି । ଶିଵ ପୂଜା ହିଁ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି
ପାଟୁଆ ଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଡଃ କୁଞ୍ଜବିହାରୀ ଦାଶ
ଲେଖିଛନ୍ତି— ”ବୌଦ୍ଧତନ୍ତ୍ରର ଆସ୍ଵାଦ ଲୋକେ ଭୁଲି ପାରିଲେ ନାହିଁ । ଏହା ଶୈଵଧର୍ମ ଭିତରେ ଶୈଵତନ୍ତ୍ରରେ ଦେଖାଦେଲା । ଶୈଵଧର୍ମର ନାଗା ସନ୍ନ୍ୟାସୀମାନେ ଶବ କଙ୍କାଳ ଉପରେ
ସାଧନା କଲେ । କେତେକ ଊର୍ଦ୍ଧବାହୁ, ଆକାଶମୁଖୀ ହୋଇ,କେତେକ ଵା ବୃକ୍ଷ ଶାଖାରେ ପଦ ଦୁଇ ବନ୍ଧନ କରି ଯଜ୍ଞକୁଣ୍ଡରେ ମୁଣ୍ଡ ଝୁଲାଇ ସାଧନା କରିଵାକୁ ଲାଗିଲେ । ଶିଵଙ୍କ ଅନୁଗ୍ରହ ଲାଭ ଏହି ସାଧନାର ଉଦ୍ଦେଶ୍ୟ । ଏହି ସଂପ୍ରଦାୟରୁ
ପାଟୁଆ, ଚଡ଼କ ପୂଜା ଓ ଦଣ୍ଡନାଟର ଜନ୍ମ । ଏହି ଅନୁସାରେ ଦେଖାଯାଏ ପାଟୁଆମାନେ ନାଚନ୍ତି ଓ ଗୀତ ଗାଆନ୍ତି। ଗୀତରେ
କେଵଳ ଶିଵପାର୍ବତୀଙ୍କର ସ୍ତୋତ୍ର ପାଠ କରାଯାଇଥାଏ । ସେମାନେ ଅଧିକାଂଶ ସମୟ ପ୍ରଚଣ୍ଡ ଖରାରେ ଓ ଅଗ୍ନି ମଧ୍ୟରେ
ଚାଲିଚାଲି ପିଠିରେ ବେତ୍ର ପ୍ରହାର କରି ଶିଵଙ୍କ ପ୍ରତି ନିଜର ଅଚଳାଭକ୍ତି ପ୍ରଦର୍ଶନ କରନ୍ତି । ଏହି ପାଟୁଆ ନାଟରେ ଵାଦ୍ୟ
ଭାଵରେ କେଵଳ ଢୋଲ ଵ୍ୟଵହାର କରାଯାଏ । ଏଥିରେ କିନ୍ତୁ ଅଭିନୟ ନଥାଏ । କେଵଳ ଭକ୍ତି ଭାବରେ ତନ୍ମୟ ନୃତ୍ୟ
ହିଁ ଏହାର ପ୍ରଧାନ କଥା ।” 

ଅସ୍ତୁ, ପାଟୁଆଯାତ,ଦଣ୍ଡନାଚ ତଥା ଚଡ଼କଯାତର ଵ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିଵାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ‌। ଜୀଵନ ଯେତେ ଦୁଃଖମୟ ହେଲେ ବି ସେହି ଦୁଃଖ ଶୋକକୁ ଈଶ୍ବରଙ୍କର ଦଣ୍ଡ ଵା ପରୀକ୍ଷା ମନେ କରି ସହ୍ୟ କରିନେଲେ ଜୀଵନ ଈଶ୍ଵରମୟ ହୋଇଯାଏ । ତେବେ କଳିଙ୍ଗର ପାରମ୍ପରିକ ଦଣ୍ଡନାଚ,ପାଟୁଆଯାତ ଓ ଚଡ଼କଯାତ୍ରାରେ ଏକ ପ୍ରମୁଖ ଦିଵସ ଭାବରେ ମହାଵିଷୁଵ ପଣା ସଂକ୍ରାନ୍ତି କଳିଙ୍ଗୀମାନଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ହୋଇଅଛି । 


ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆଗେ ମେଷ ସଂକ୍ରାନ୍ତି ଦିନ ଶିଶୁମାନଙ୍କ ପେଟରେ ଚଡ଼ୁ ଦେଵା ପ୍ରଥା ପ୍ରଚଳିତ ଥିଲା ଏଵଂ ଏହାକୁ ଲଛା କୁହାଯାଉଥିଲା । ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା । 

ସେହି ମହା ଵିଷୁଵ ପଣା ସଂକ୍ରାନ୍ତି ପୁଣି କଳିଙ୍ଗୀମାନଙ୍କ ପାଇଁ ହୋଇଯାଇଛି ପଣାପାଣିର ଏକ ଵୈଜ୍ଞାନିକ ଉତ୍ସଵ । 
ଵୈଶାଖମାସଠାରୁ ଗ୍ରୀଷ୍ମପ୍ରଵାହ ବୃଦ୍ଧି ପାଏ,ଵାୟୁର ବେଗ ବଢି଼ଯାଏ ଏଵଂ ଜଳାଭାଵ ଦେଖାଦିଏ । କଳିଙ୍ଗର ଲୋକେ ଏଥିରୁ ରକ୍ଷା ପାଇଵା ପାଇଁ ଗ୍ରୀଷ୍ମ ଦୁଇମାସ ଵୃକ୍ଷ ଓ ଜୀଵଙ୍କୁ ଜଳଦାନ କରନ୍ତି ତଥା ନିଜକୁ ଅଂଶୁଘାତରୁ ରକ୍ଷା କରିଵା ପାଇଁ ପଣାପାନ କରନ୍ତି । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇଵା ସହ ପାଚନ ଶକ୍ତି ମଧ୍ୟ ବଢ଼ିଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିଵାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ କରାଯାଏ । ଵୈଶାଖ ମାସର ପଣାସଂକ୍ରାନ୍ତି ଦିନ ଲୋକେ ବ୍ରାହ୍ମଣଙ୍କୁ ଛତା, ବିଞ୍ଚଣା, ଛତୁଆ ଓ ପଣା ଦାନ କରନ୍ତି। କଞ୍ଚା ଶସ୍ୟର ଚୂନାକୁ ଅଟା ଵା ଚୂନା କହନ୍ତି, ଭଜା ଶସ୍ୟର ଚୂନାକୁ ଛତୁ ଵା ଛତୁଆ କହନ୍ତି। ବୈଦ୍ୟଶାସ୍ତ୍ର ମତରେ ଯଵର ଛତୁ ଅଗ୍ନିଦୀପକ, ବଳକାରକ, ଲଘୁ, କଫପିତ୍ତନାଶକ, ଶୁକ୍ରବର୍ଦ୍ଧକ, ଶରୀରର ଉପଚୟକାରକ, ଭେଦକ, ତୃପ୍ତିକାରକ, ଶ୍ରାନ୍ତି, ବ୍ରଣ ଓ ନେତ୍ରରୋଗ ନାଶକ। ଏଥିପାଇଁ ତ ଭାରତରେ ଵୈଶାଖ ଶୁକ୍ଳପକ୍ଷରେ, ଵିଷୁଵ ସଂକ୍ରାନ୍ତି ଓ ଅକ୍ଷୟତୃତୀୟା ଦିନ ଯଵଚୂର୍ଣ୍ଣର ପିଣ୍ଡରେ ଶ୍ରାଦ୍ଧ କରାଯିଵାର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଅଛି । ପୃଥିଵୀରେ ପାରମ୍ପରିକ ପର୍ଵ ତ ଅନେକ ଅଛି କିନ୍ତୁ ଏତେ ସବୁ ଦେଶରେ ଵିଭିନ୍ନ ରୂପରେ ଗୋଟିଏ ପର୍ଵକୁ ଶୈଵ,ଶାକ୍ତ,ଶିଖ୍, ବୌଦ୍ଧ,ଵୈଷ୍ଣଵ ଆଦି ପନ୍ଥର ଲୋକେ ପାଳନ କରିଵା କ୍ଵଚିତ ଦେଖାଯାଏ । ସବୁଠାରୁ ବଡ଼ କଥା ହେଲା ମହାଵିଷୁଵ ପଣା ସଂକ୍ରାନ୍ତି ଦିନଟି କଳିଙ୍ଗ ଦେଶର ଜାତୀୟ ଦିଵସ ଭାବରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହିଁ ଆମର ପ୍ରକୃତ ପ୍ରାଚୀନ ନଵଵର୍ଷ ଯାହା ପ୍ରାୟ ଦୁଇ ସହସ୍ରାଧିକ ଵର୍ଷ ଧରି କଳିଙ୍ଗ ଦେଶର ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଆସୁଛି । ତେବେ ମହାଵିଷୁଵ ପଣା ସଂକ୍ରାନ୍ତି କେଵଳ କଳିଙ୍ଗର ହିଁ ନୁହେଁ ଭାରତର ଵିଭିନ୍ନ ଜନଜାତି ତଥା ଏସିଆର ଵିଭିନ୍ନ ଦେଶର ପାରମ୍ପରିକ ନଵଵର୍ଷ ରୂପରେ ଜଣାଶୁଣା ତେଣୁ ଏହା ଆଞ୍ଚଳିକ ନଵଵର୍ଷ ନୁହେଁ ଵରଂ ଏକ ଜାତୀୟ ତଥା ଅନ୍ତର୍ଜାତୀୟ ନଵଵର୍ଷ ଅଟେ । ମହାଵିଷୁଵ ପଣା ସଂକ୍ରାନ୍ତିର ଵ୍ୟାପକତା , ଵୈଜ୍ଞାନିକତା ଓ ଵିଶିଷ୍ଠତା ଏହାକୁ ଭାରତଵର୍ଷର ସବୁଠାରୁ ଶ୍ରେଷ୍ଠ ମହାନ ଉତ୍କୃଷ୍ଟ ସନାତନୀ ନଵଵର୍ଷ ଭାବେ ପ୍ରତିଷ୍ଠିତ କରିପାରିଛି ।