Monday, October 7, 2024

ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)

ଵିଦ୍ୟାଳୟରେ ପଢୁଥିଵା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାମକୃଷ୍ଣ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ଵିପନ୍ନରଉଦ୍ଧାର .....!!!!
ଏହି ପ୍ରବନ୍ଧଟିରେ ୧୯୩୭ ମସିହା ଫେବୃଆରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳଵର୍ତ୍ତୀ ଅଞ୍ଚଳରେ ହୋଇଥିଵା ଏକ ଵିମାନ ଦୁର୍ଘଟଣା ଵିଷୟରେ ଉଲ୍ଲେଖ ଅଛି । ଵିଶ୍ବ ଇତିହାସରେ ସେହି ଦୂର୍ଘଟଣାଟି 
"1937 Airlines of Australia Stinson crash" ନାମରେ ପରିଚିତ ।
ବ୍ରିସବେନରୁ ପାଞ୍ଚଜଣ ଯାତ୍ରୀଙ୍କୁ ନେଇ Stinson model A ପ୍ରକାରର ଏକ ଉଡ଼ାଜାହାଜ ସିଡନୀ ଅଭିମୁଖେ ଯାତ୍ରା କରୁଥିଵା ବେଳେ McPherson Range ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।
McPherson Range ଗିରିଶୃଙ୍ଖଳା Queensland ଏବଂ New South Wales 
ମଧ୍ୟରେ ଅଵସ୍ଥିତ ।
ଵିମାନରେ ମୋଟ ପାଞ୍ଚଜଣ ଯାତ୍ରୀ ତଥା ଦୁଇଜଣ ଵିମାନ ଚାଳକ ଥିଲେ । ଦୁଇଜଣ ଵିମାନଚାଳକଙ୍ଖ ସହ ଦୁଇଜଣ ଯାତ୍ରୀଙ୍କର ଦୂର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ଵର୍ତ୍ତିଯାଇଥିବା ବାକି ତିନିଜଣ ଗୁରୁତର ଆହତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ବ୍ରିଟିଶ୍ ନାଗରିକ ନିଜେ ଗୁରୁତର ଆହତ ହୋଇଥିଵା ସତ୍ତ୍ବେ ପାର୍ଵତ୍ଯାଞ୍ଚଳରୁ ସାହାଯ୍ୟ ଆଣିଵାକୁ ଯାଇ ବାଟରେ ହିଁ ମୃତ୍ୟୁ ମୁଖରେ ପଡିଥିଲେ । ନିଖୋଜ ଜାହାଜକୁ ଠାବକରିଵା ହେତୁ ତତ୍କାଳୀନ ସରକାର ୨୮ଟି ଉଡାଜାହାଜ ଅନୁସନ୍ଧାନ କାର୍ଯ୍ୟରେ ଲଗାଇ ମଧ୍ଯ ଵିଫଳ ହୋଇଥିଲେ ।

ଦୂର୍ଘଟଣାକୁ ପାଞ୍ଚଦିନ ହୋଇଯାଇଥିଲା ହେଲେ ଜାହାଜକୁ ତଥାପି ଠାବ କରିପାରିନଥିଲେ ସରକାର । 
ଏମିତି ସମୟରେ ଜଣେ ଅଷ୍ଟ୍ରେଲିଆନ୍ ବୁସମ୍ୟାନ୍ 
Alfonso Bernard O'Reilly (1903–1975) ଦୂର୍ଘଟଣାଗ୍ରସ୍ଥ ଉଡାଜାହାଜଟିକୁ ଖୋଜିଵା ପାଇଁ ଅଣ୍ଟା ଭିଡ଼ିଲେ ।
 ଦୁଇଦିନ ମଧ୍ୟରେ ସେ ଦୂର୍ଗମ ପର୍ଵତାଦିରେ ଖୋଜିି ଖୋଜି 
Lamington Nat ସାଇଟ୍‌ରେ ନିଖୋଜ ଵିମାନକୁ ଠାବ କଲେ । ସେତେବେଳକୁ
ଜୀଵିତ ଵ୍ୟକ୍ତିଦ୍ବୟ ମୂର୍ମୁଷୁପ୍ରାୟ ମୃତ୍ୟୁ ସହ ଲଢ଼ୁଥାନ୍ତି । ବର୍ଣ୍ଣାଢ଼ ଓରିଲି ତାଙ୍କୁ ଖାଦ୍ୟପେୟାଦି ଯୋଗାଇ ପୁଣି ପର୍ଵତ ତଳକୁ ଓହ୍ଲେଇଲେ । ନିକଟସ୍ଥ ଜନବସତିରେ ପହଞ୍ଚିଵା ମାତ୍ରେ ଘୋଡାଟିଏ ଯୋଗାଡ଼ କରି ପାଖ ସହରରେ ଜଣାଇଲାରୁ ଦୁଇଟି ଜୀଵନ ଵର୍ତ୍ତିଗଲା । ଓରିଲିଙ୍କ ଠାରୁ ସୁଚନା ପାଇ ୮୦ରୁ ଅଧିକ ସ୍ବେଚ୍ଛାକର୍ମୀ ପର୍ଵତ ଉପରକୁ ଯାଇ ଜୀଵିତ ଯାତ୍ରୀଦ୍ବୟଙ୍କୁ ରକ୍ଷା କରିଥିଲେ । ପୂର୍ଵେ ଵିଦ୍ୟାଳୟରେ ଏହି ଦୁର୍ଘଟଣା ସମ୍ବନ୍ଧୀୟ 
ଶ୍ରୀରାମକୃଷ୍ଣ ନନ୍ଦଙ୍କର ଯେଉଁ ପ୍ରବନ୍ଧଟି ପଢ଼ାଯାଉଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...


•ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)•

୧୯୩୭ ମସିହା ଫେବୃୟାରୀ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ପୂର୍ଵ ଉପକୂଳଵର୍ତ୍ତୀ ଅଞ୍ଚଳରେ ଗୋଟିଏ ଵିମାନ ଦୁର୍ଘଟଣା ଘଟିଥିଲା । ସେହି ଘଟଣାରେ ଦୁଇଟି ମହନୀୟ ଚରିତ୍ରର ଅପୂର୍ଵ ସାହସ ଓ ଅନୁପମ ମହତ୍ତ୍ଵ ପ୍ରକାଶ ପାଇଅଛି । କାଳକ୍ରମେ ଜଗତ ସେ ଵ୍ୟୋମବିପତ୍ତିକୁ ଭୁଲିଯିଵ , ମାତ୍ର ମାନଵିକତାର ସେ ଉଜ୍ଜ୍ଵଳ ଦୃଷ୍ଟାନ୍ତ ଦୁଇଟିକୁ ଭୁଲିପାରିଵନାହିଁ । 

ବ୍ରିସବେନ୍‌ରୁ ସାତଜଣ ଯାତ୍ରୀ ନେଇ ଉଡ଼ାଜାହାଜଟି ସେଦିନ ସିଡନି ଅଭିମୁଖରେ ବାହାରିଥିଲା , କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଵାରୁ କୌଣସି ଦୁର୍ଘଟଣା ଘଟିଥିଵା ଆଶଙ୍କା କରି ଅଠେଇଶଟି ଵିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ । ସମୁଦ୍ର କୂଳେକୂଳେ ପ୍ରାୟ ପଚାଶ ମାଇଲ ଵ୍ୟାପୀ ଅଞ୍ଚଳ ଅନୁସନ୍ଧାନ କରି ମଧ୍ୟ ସେ ନିଖୋଜ ଵିମାନର କୌଣସି ସମ୍ବାଦ ପାଇଲେ ନାହିଁ । ଯାତ୍ରୀମାନଙ୍କର ଆତ୍ମୀୟ ସ୍ୱଜନ ଓ ବନ୍ଧୁଵର୍ଗଙ୍କର ଗଭୀର ଉତ୍କଣ୍ଠା , ଘୋର ଵିଷାଦ ଓ ନୈରାଶ୍ୟରେ ପରିଣତ ହେଲା । ନିଉ ସାଉଥ୍ ୱେଲସ୍‌ର ଉତ୍ତର ସୀମାରେ ଜନଵସତିହୀନ ଏକ ରୁକ୍ଷ ମାଳଭୂମି ବହୁଦୂର ପର୍ଯ୍ୟନ୍ତ ଵିସ୍ତୃତ ରହିଅଛି । ନିଵିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳା ଭେଦକରି ସେଠାକୁ ଯିଵା ସାଧାରଣ ମନୁଷ୍ୟର ସାଧ୍ୟାତୀତ । ସେହିଠାରେ ବାର୍ଣ୍ଣାଡ଼ ଓରିଲି ନାମକ ଜଣେ ପଶୁପାଳକ ବାସ କରୁଥିଲେ । ସେ ରେଡ଼ିଓରୁ ଓ ସମ୍ବାଦପତ୍ରରୁ ଉଲ୍ଲେଖିତ ଵିମାନ ଦୁର୍ଘଟଣା ଵିଷୟ ଅବଗତ ହୋଇଥିଲେ । ତାଙ୍କର ଘର ନିକଟରେ ଵିମାନପଥ ଯାଇଥିଵାରୁ ସେ ଏ ସଂପର୍କରେ ଅଧିକ ଆଗ୍ରହୀ ହୋଇ ଵିଭିନ୍ନ ସୂତ୍ରରୁ ମଧ୍ୟ ସମ୍ବାଦ ସଂଗ୍ରହ କରୁଥିଲେ । ତାଙ୍କୁ ସେ ପାର୍ଵତ୍ୟ ଅଞ୍ଚଳର ଅନେକ ଵିଷୟ ଜଣାଥିଲା । ପର୍ଵତ ଶ୍ରେଣୀର ଉଚ୍ଚତା , ମେଘ ଓ ଵାୟୁ ସ୍ରୋତର ଅନିଶ୍ଚିତ ଗତି ଇତ୍ୟାଦି ଵିଷୟ ଵିଚାର କରି ସେ ଅନୁମାନ କଲେ ଯେ ପ୍ରବଳ ତୋଫାନର ଆଵର୍ତ୍ତରେ ପଡ଼ି ଵିମାନଟି – ହୁଏତ ସେଇ ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ କେଉଁଠି ଖସି ପଡ଼ିଥିଵ ଏଵଂ ପାହାଡ଼ ଦେହରେ ପିଟି ହୋଇ ଧ୍ୱଂସ ପାଇଯାଇଥିଵ । ଏହି ସିଦ୍ଧାନ୍ତରେ ଉପନୀତ ହୋଇ ସଙ୍ଗେ ସଙ୍ଗେ ସେ ଏକାକୀ ସେହି ନିଖୋଜ ଵିମାନର ଅନୁସନ୍ଧାନରେ ବାହାରି ପଡ଼ିଲେ । ପର୍ଵତର ପାଦ ଦେଶରୁ କିଛି ଦୂର ଯିଵା ଉତ୍ତାରେ ସେ ଦେଖିଲେ , ଆଉ ବାଟଘାଟର ଚିହ୍ନ ନାହିଁ । ବହୁ କଷ୍ଟରେ ନିଵିଡ଼ ବେତବଣ ଓ ଦୁର୍ଲଘ୍ୟ ଘାଟି ଭିତର ଦେଇ ସେ ପାଞ୍ଚ ମାଇଲ ପଥ ଅତିକ୍ରମ କଲେ । ତାପରେ ରାତ୍ରି ଉପସ୍ଥିତ ହେଲା । ଦେହରେ ଶୀତଵସ୍ତ୍ର ନାହିଁକି ସାଙ୍ଗରେ ସାଥୀ ନାହାନ୍ତି , ଚାରିଆଡ଼େ ଯେପରି ଶ୍ମଶାନର ଶୂନ୍ୟତା । ଏହିପରି ଅସହାୟ ଅଵସ୍ଥାରେ ପାହାଡ଼ ଉପରେ ସେ ଏକାକୀ ସେହି ଭୀଷଣ ରଜନୀ ଅତିଵାହିତ କଲେ । ସକାଳୁ ଓରିଲି ପୁନରାୟ ତାଙ୍କ ଲକ୍ଷ୍ୟ ଅଭିମୁଖେ ଵହିର୍ଗତ ହେଲେ । ଉଜ୍ଜ୍ଵଳ ଦିଵାଲୋକରେ ପର୍ଵତର ଗୋଟିଏ ଉଚ୍ଚ କାନ୍ଥି ଉପରୁ ବହୁଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା । ପଛକୁ ପଛ ଲାଗି ଅନେକ ଗିରିଶୃଙ୍ଗ ଧ୍ୟାନମଗ୍ନ ଋଷିପରି ଆକାଶକୁ ମୁଣ୍ଡ ଟେକି ରହିଥାନ୍ତି । ଵୃକ୍ଷଲତାର ଶ୍ୟାମ ସୌନ୍ଦର୍ଯ୍ୟ କ୍ରମେ ଗାଢ଼ରୁ ଗାଢ଼ତର ହୋଇ ଦୂରକୁ ଦେଖା ଯାଉଥାଏ । ସେ ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦେଖିଲେ କିଛି ଦୂର ଉଚ୍ଚରେ ପର୍ଵତର ସେହି ଶୁଦ୍ଧ ସବୁଜ ଆଚ୍ଛାଦନ ଉପରେ ଠାଏ ସତେକି ଗୋଟାଏ ବାଦାମୀ ରଙ୍ଗର ତାଳି ପଡ଼ିଅଛି । ସେଇଟା ଯେ ନିଶ୍ଚୟ ପୋଡ଼ିଯାଇଥିଵା ଗଛପତ୍ରର ଚିହ୍ନ , ଏ ଵିଷୟରେ ଓରିଲିଙ୍କର ସନ୍ଦେହ ରହିଲା ନାହିଁ । କିନ୍ତୁ ଵର୍ଷା ପାଗରେ ନିଆଁ ଲାଗିଲା କିପରି ? ତାଙ୍କର ଧ୍ରୁଵ ଵିଶ୍ଵାସ ହେଲା ହୁଏତ ଵିଦ୍ୟୁତ କିମ୍ବା ପେଟ୍ରୋଲ ନିଆଁରେ ଜଙ୍ଗଲର ସେ ଅଂଶଟା ପୋଡ଼ି ଯାଇଥିଵ । ଓରିଲି ସେହି ସ୍ଥାନଟିକୁ ନିଖୋଜ ଵିମାନର ସମାଧିସ୍ଥଳ ବୋଲି ଅନୁମାନ କରି ସେହି ଦିଗରେ ଅଗ୍ରସର ହେଲେ । ନିଵିଡ଼ ଅରଣ୍ୟ । ଅନାଦି କାଳରୁ ସେ ପାହାଡ଼ ଉପରେ କୌଣସି ମାନଵର ପାଦ ପଡ଼ିଅଛି କି ନାହିଁ ସନ୍ଦେହ । ଘଞ୍ଚ ତରୁଲତା ଓ କଣ୍ଟକାକୀର୍ଣ୍ଣ ଗୁଳ୍ମଜାଲ ତଳେ ଶଢ଼ା ପତ୍ରର ଗାଲିଚା । ଵିଷାକ୍ତ କୀଟ ମକ୍ଷିକାମାନଙ୍କର ଵିରକ୍ତିକର ଉପଦ୍ରଵ । ସ୍ଥାନେ ସ୍ଥାନେ ଵିଶାଳ ଶିଳାଖଣ୍ଡମାନ ପଥରୁଦ୍ଧ କରି ଉଭା ହୋଇଅଛି । କିନ୍ତୁ ଓରିଲି ଦୃଢ଼ପ୍ରତିଜ୍ଞ । ତାଙ୍କର ଅଙ୍ଗପ୍ରତ୍ୟଙ୍ଗ କଣ୍ଟାରେ ଚିରି ହୋଇ ରକ୍ତାକ୍ତ ହୋଇଗଲାଣି । କେଉଁଠି ବୁଦାତଳେ ଗୁରୁଣ୍ଡିଗୁରୁଣ୍ଡି ଯିଵାକୁ ପଡ଼ୁଛି । କେଉଁଠି ଵା ଦ୍ରାକ୍ଷାଲତାକୁ ଧରି ଝୁଲି ଝୁଲି ଶିଳାରୁ ଶିଳାକୁ ଡେଇଁ ପଡ଼ିଵାକୁ ହେଉଛି । ଝାଳ ଲାଗି ଦେହସାରା ପୋଡ଼ିଲାଣି । କିନ୍ତୁ ଵିଶ୍ରାମ ନ କରି ଉନ୍ମାଦଗ୍ରସ୍ତ ପରି ସେ ଅରଣ୍ୟର ସେହି ଦଗ୍‌ଧ ଅଂଶରେ ପହଞ୍ଚିଵାକୁ ଆଗେଇ ଚାଲିଛନ୍ତି । ନିମ୍ନମୁଖୀ ଜଳସ୍ରୋତ ଓ ଦୃଢ଼ପ୍ରତିଜ୍ଞ ସାଧକର କିଏ ଗତିରୋଧ କରିପାରିଵ ? ଆହୁରି ପ୍ରାୟ ଦୁଇ ହଜାର ଫୁଟ ବାକି ଅଛି , ହଠାତ୍ ଏକ ଅଦ୍ଭୁତ ମୂର୍ତ୍ତି ତାଙ୍କର ଦୃଷ୍ଟିପଥାରୂଢ଼ ହେଲା । ସେ ଚମକି ପଡ଼ି କିଛିକ୍ଷଣ ଚାହିଁ ରହିଲେ । ଦେଖିଲେ , ବଣର ଗୋଟିଏ ଉନ୍ମୁକ୍ତ ସ୍ଥାନରେ ଗୋଟାଏ ଗଛକୁ ଆଉଜି ଖଣ୍ଡେ ଶିଳା ଉପରେ ଜଣେ ମନୁଷ୍ୟ ବସିରହିଛି । ଏହି ଦୃଶ୍ୟରେ ସେ ଏତେଦୂର ଅଭିଭୂତ ହୋଇପଡ଼ିଲେ ଯେ ସଙ୍ଗେ ସଙ୍ଗେ ଲୋକଟିକୁ ଡାକ ପକାଇଲେ । କିନ୍ତୁ ତା’ଠାରୁ କୌଣସି ସଙ୍କେତ ଵା ଉତ୍ତର ପାଇଲେ ନାହିଁ । ପରେ ନିକଟକୁ ଯାଇ ଦେଖିଲେ , ସେହି ଲୋକର ଦେହରେ ଗୁରୁତର ଆଘାତର ଚିହ୍ନମାନ ରହିଛି ଏବଂ ତା’ର ପ୍ରାଣଵାୟୁ ବାହାରିଗଲାଣି । ଓରିଲିଙ୍କ ମନର ଭାବ ସହଜରେ ଅନୁମାନ କରାଯାଇପାରେ । ଵିସ୍ମୟ , ଆନନ୍ଦ , ଭୟ ଓ ଵିଷାଦ ତାଙ୍କ ହୃଦୟକୁ ଯୁଗପତ୍ ଅଧିକାର କଲା । ଲୋକଟିକୁ ଦେଖି ସେ ବୁଝିନେଲେ ଏ ସେହି ଵିମାନର ଜଣେ ହତଭାଗ୍ୟ ଯାତ୍ରୀ । ସେଠାରେ ଆଉ ଅଧିକ କାଳଵିଳମ୍ବ ନକରି ସେ ପୋଡ଼ିଯାଇଥିଵା ଗଛପତ୍ରକୁ ଲକ୍ଷ୍ୟ କରି ଚାଲିଲେ । ପୁଣି ସେହିପରି ଅକ୍ଳାନ୍ତ ଅଧ୍ୟଵସାୟ ଓ କ୍ଳେଶକର ସାଧନା । କିଛି ଦୂର ଅଗ୍ରସର ହୋଇ ସେ ଅରଣ୍ୟ ଜାତିମାନଙ୍କ ରୀତିକୁ ଅନୁକରଣ କରି ପାଟିରେ ସୁସୁକାଳି ବଜାଇଲେ । କେତେଥର ଏହି ଡାକ ଦେଲା ପରେ ଗୋଟାଏ ଦିଗରୁ କ୍ଷୀଣ ଉତ୍ତର ଆସୁଥିଵାର ତାଙ୍କୁ ଶୁଣାଗଲା । ଏ ନିଶ୍ଚୟ ମନୁଷ୍ୟର କଣ୍ଠସ୍ୱର ! ତାଙ୍କର ସର୍ଵାଙ୍ଗରେ ତଡ଼ିତ୍ ପ୍ରଵାହ ଖେଳିଗଲା । ସେ ପ୍ରଥମରୁ ଆଶଙ୍କା କରିଥିଲେ ଯେ ଵିମାନଟି ଖସିପଡ଼ିଵା ସଙ୍ଗେ ସଙ୍ଗେ ଆରୋହୀମାନେ ସମସ୍ତେ ପୋଡ଼ି ମରିଥିଵେ , କିନ୍ତୁ ତାଙ୍କର ଵର୍ତ୍ତମାନ ଧାରଣା ହେଲା ଯେପରି ଏକାଧିକ ଵ୍ୟକ୍ତି ଜୀଵିତ ଅଛନ୍ତି । କେତେକ ସମୟ ଉତ୍ତାରେ ଓରିଲି ଲକ୍ଷ୍ୟସ୍ଥଳରେ ପହଞ୍ଚି ଦେଖିଲେ ତାଙ୍କର ଅନୁମାନ ଠିକ୍ । ଗୋଟିଏ ପ୍ରକାଣ୍ଡ ଵୃକ୍ଷ ମୂଳରେ ଵିମାନଟା ଭାଙ୍ଗି ପଡ଼ିଛି । ଭସ୍ମୀଭୂତ ଵିମାନର କେତେକ ଅଂଶ ଇତସ୍ତତଃ ଵିକ୍ଷିପ୍ତ ଭାଵରେ ପଡ଼ିରହିଛି । ଚତୁର୍ଦ୍ଦିଗରେ କେଵଳ ଭସ୍ମ ଓ ଅଙ୍ଗାର । ସେଠାରୁ କିଛିଦୂରରେ ଦୁଇଜଣ ମନୁଷ୍ୟ ଶୋଇଥିଵାର ଦେଖି ଓରିଲି ସେଠାକୁ ଗଲେ । ଦେଖିଲେ , ଜୀଵନ୍ମୃତ ଅଵସ୍ଥାରେ ସେ ଦୁହେଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଓରିଲିଙ୍କୁ ଦେଖିଵାମାତ୍ରେ ସେମାନଙ୍କ ପିଣ୍ଡରେ ସତେ ଯେପରି ନଵଜୀଵନର ସଞ୍ଚାର ହେଲା । ସେ ଦୁଇଜଣ ସାଙ୍ଘାତିକ ଭାବରେ ଆହତହୋଇ ଅନାହାରରେ ମୃତ୍ୟୁ ସଙ୍ଗେ ସଂଗ୍ରାମ କରି ଏତେ ଦିନ ବଞ୍ଚି ରହିଥିଲେ , ମାତ୍ର ତାଙ୍କ ଶରୀରରେ ଜୀଵନୀଶକ୍ତି ନିଃଶେଷ ପ୍ରାୟ ହୋଇ ଆସିଥିଲା । ଅଵସନ୍ନ , ଅନାହାର କ୍ଳିଷ୍ଟ ଓ ଯନ୍ତ୍ରଣାରେ ଜର୍ଜରିତ ଏହି ଦୁଇଜଣ ଵ୍ୟକ୍ତି ଉତ୍ତୁଙ୍ଗ ପର୍ଵତ ଉପରେ , ଘୋର ଅରଣ୍ୟ ଭିତରେ ଶୀତ ଵର୍ଷା ସହି ନଅ ଦିନ କାଳ ନିଃସହାୟ ଅଵସ୍ଥାରେ କଟାଇଥିଲେ । ଓରିଲିଙ୍କ ଆକସ୍ମିକ ଆଵିର୍ଭାଵ ତାଙ୍କ ମୁମୂର୍ଷୁ ପ୍ରାଣରେ କି ଅପୂର୍ଵ ସାହସ ଓ ଭରସା ଦେଇଥିଵ ତାହା କେଵଳ ଅନୁଭଵର କଥା । ଓରିଲି ସଙ୍ଗେ ସଙ୍ଗେ ଚା ’ ଓ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଦେଲେ ଏଵଂ ସେମାନଙ୍କଠାରୁ ଦୁର୍ଘଟଣାର ସଵିଶେଷ ଵୃତ୍ତାନ୍ତ ଅଵଗତ ହେଲେ । ସାତଜଣ ଯାତ୍ରୀଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଅଵଶିଷ୍ଟ ଯେଉଁ ତିନିଜଣ ଜୀଵିତ ଥିଲେ , ସେମାନଙ୍କ ଭିତରୁ ଜଣେ ଇଂରେଜ ଯୁଵକ ଗୁରୁତର ଭାବରେ ଆହତ ହୋଇଥିଲେହେଁ ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ , କିନ୍ତୁ ଆଉ ସେ ଫେରି ନାହାନ୍ତି । ଓରିଲି ଦେଖିଲେ , ତୁରନ୍ତ ଚିକିତ୍ସା ଓ ସେଵାର ଵ୍ୟଵସ୍ଥା ନକଲେ , ସେ ଦୁଇଜଣଙ୍କୁ ବଞ୍ଚାଇ ପାରିଵା ଅସମ୍ଭଵ । ସୁତରାଂ ଵିଳମ୍ବ ନକରି ସେ ପୁଣି ସେହି ପାହାଡ଼ ଜଙ୍ଗଲପୂର୍ଣ୍ଣ ଦୁର୍ଗମ ପଥରେ ଫେରିଲେ । ସେତେବେଳେ ତାଙ୍କ ଶରୀରରେ ଦ୍ଵିଗୁଣ ଵିକ୍ରମ ଓ ମନରେ ଶତଗୁଣ ସାହସ ଜାତ ହୋଇ ତାଙ୍କୁ ସେ ଦୁର୍ଭେଦ୍ୟ ଅରଣ୍ୟରେ ବାଟ କଢ଼ାଇନେଲା । ପାହାଡ଼ତଳେ ଗୋଟିଏ ଛୋଟ ଗ୍ରାମରେ ପହଞ୍ଚି ସେଠାରୁ ଘୋଡ଼ାଟିଏ ମାଗିଆଣି ସେ ନିକଟତମ ସହର ଅଭିମୁଖରେ ପଵନପରି ଛୁଟିଲେ ଏଵଂ ସେଠାରେ ପହଞ୍ଚି ଉତ୍କଣ୍ଠିତ ଜଗତକୁ ତାଙ୍କର ପ୍ରଥମ ସମ୍ବାଦ ଜଣାଇଲେ । ଏହା ପରେପରେ ପ୍ରାୟ ଅଶୀଜଣ ସ୍ଵେଚ୍ଛାସେଵକ ସଙ୍ଗରେ ଡାକ୍ତର ଓ ଔଷଧପତ୍ର ନେଇ ଅତ୍ୟନ୍ତ ଆୟାସ ସହକାରେ ପର୍ଵତ ଉପରୁ ସେଇ ଦୁଇଜଣ ଆହତ ଵ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିଲେ । ଓରିଲିଙ୍କ ସାଧନା ସଫଳ ହେଲା । ଜଗତ ନିଶ୍ଚିତ ମୃତ୍ୟୁମୁଖରୁ ଦୁଇଟି ଜୀଵନ ଫେରିପାଇଲା ଏଵଂ ଦୁର୍ଘଟଣାର ଅଜ୍ଞାତ ରହସ୍ୟ ଏହି ପ୍ରକାରେ ଉଦ୍‌ଘାଟିତ ହେଲା । ଆଉ ସେ ଇଂରେଜ ଯୁଵକ ? ପାଦଚିହ୍ନରୁ ତାଙ୍କର ଅସାମାନ୍ୟ ତ୍ୟାଗ ଓ ଵୀରତ୍ଵର କାହାଣୀ ସଂଗୃହୀତ ହୋଇଅଛି । ମରଣକାଳେ ତାଙ୍କୁ କେହି ଦେଖିନାହିଁ । ଵନର ତରୁଲତା ଓ ପର୍ଵତର ଅଚଳ ଶିଳା ତାଙ୍କର ଶେଷଶ୍ୱାସର ସ୍ପର୍ଶ ଅନୁଭବ କରିଥିବେ । ସଙ୍ଗୀଦ୍ଵୟଙ୍କୁ ବଞ୍ଚାଇଵା ପାଇଁ ସେହି ଯୁଵକ ନିଜର ତୀଵ୍ର ଦାହଯନ୍ତ୍ରଣାକୁ ଭୃକ୍ଷେପ ନ କରି ସାହାଯ୍ୟ ଅନ୍ୱେଷଣରେ ବାହାରି ଯାଇଥିଲେ । ସେ ଲଣ୍ଡନ ସହରର ଜଣେ ଵ୍ୟଵସାୟୀ । ପର୍ଵତ ଉପରୁ ତିନିହଜାର ଫୁଟ ତଳକୁ ଓହ୍ଲାଇ ଜନବସତିକୁ ଆସିଵା କେଡ଼େ କଷ୍ଟସାଧ୍ୟ , ତାହା ତାଙ୍କୁ ଜଣା ନଥିଲା । ଗୋଟିଏ ଝରଣା ପାରହୋଇ , ଶୈବାଳଜଡ଼ିତ ପିଚ୍ଛିଳ ପ୍ରସ୍ତର ଉପରେ ପଡ଼ି ଉଠି , ଦ୍ରାକ୍ଷାଲତାକୁ ଆଶ୍ରୟ କରି ସେ ଚାଲିଥାନ୍ତି । ହଠାତ୍‌ ଗୋଟିଏ ସ୍ଥାନରେ ଗୋଡ଼ ଖସିଯିଵାରୁ ସେ ପଚିଶ ଫୁଟ ତଳକୁ ଗଳି ପଡ଼ିଲେ । କଠିନ ବନ୍ଧୁର ଶିଳାରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା , ଗୋଟିଏ ଆଖି ପଦାକୁ ବାହାରି ପଡ଼ିଲା , ହାତର କଚଟି ଭାଙ୍ଗିଗଲା ଏଵଂ ଯେଉଁ ଟିକକ ଜୀଵନୀ ଶକ୍ତି ଶେଷକୁ ରହିଥିଲା , ସେତକ ମଧ୍ୟ ଲୋପ ପାଇ ଆସିଲା । କିଛିକ୍ଷଣ ହତଜ୍ଞାନ ରହିଵା ପରେ ତାଙ୍କର ବୋଧହୁଏ ସଂଜ୍ଞା ଆସିଛି । ସେ ପୁଣି କିଛି ବାଟ କଷ୍ଟେ ମସ୍ତେ ଆଗେଇ ଯାଇଛନ୍ତି । ସେହିଠାରୁ ପାଦ ଆଉ ଚଳିନାହିଁ । ଗୋଟିଏ ଗଛମୂଳକୁ ଭରାଦେଇ ଵିଶ୍ରାମ ନେଇଛନ୍ତି । ଡବାର ସିଗାରେଟଟିଏ କାଢ଼ି ଅଧେ ଖାଇଛନ୍ତି , ଆଉ ଅଧିକ ହାତରେ ରହିଛି । ପାଟିକୁ ନେଵାକୁ ବଳ ପାଇନାହିଁ ସେତିକି । ତାଙ୍କୁ ଏଇ ଅଵସ୍ଥାରେ ଦୂରରୁ ଦେଖି ଜୀଵିତ ମନେକରି ଓରିଲି ଯେତେବେଳେ ଡାକ ଦେଲେ , ଉତ୍ତର ପାଆନ୍ତେ କୁଆଡୁ । ଵୀର ଯୁଵକ ! ମୃତ୍ୟୁ ତୁମକୁ ଅମର କରିଛି । ଵିଫଳତା ତୁମକୁ ଗୌରଵମଣ୍ଡିତ କରିଛି । ଅଷ୍ଟ୍ରେଲିଆର ସେ ଜନସଞ୍ଚାରହୀନ ପର୍ଵତ ଉପରେ , ଗହନ ଵୃକ୍ଷରାଜିର ଚନ୍ଦ୍ରାତପ ତଳେ , ଯେଉଁ ଶିଳା ଉପରେ ସେ ଇଂରେଜ ଯୁଵକଙ୍କର ପ୍ରାଣଵାୟୁ ବାହାରି ଯାଇଥିଲା , ସେହିଠାରେ ତାଙ୍କର ସମାଧି ନିର୍ମିତ ହେଲା । ସେ ସ୍ଥାନ ଆଜି ମାନଵଜାତିର ଏକ ତୀର୍ଥଭୂମି । 

Friday, October 4, 2024

ତିନୋଟି ଶ,ଷ ଓ ସ ର ଵ୍ୟଵହାର ଠିକ୍ କି ?

ବ୍ରାହ୍ମୀ ଲିପି ମୂଳର ଅଧିକାଂଶ ଭାରତୀୟ ଲିପିଗୁଡ଼ିକରେ
ତାଲଵ୍ୟ 'ଶ', ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଏହିପରି ତିନୋଟି ଶ,ଷ ଓ ସ ଅଛି । କେତୋଟି ମୁଖ୍ୟ ମୁଖ୍ୟ ଭାରତୀୟ ଲିପିରେ ତିନୋଟି ଯାକ 'ଶ','ଷ' ଓ 'ସ'ର ସ୍ଵରୂପ ନିମ୍ନରେ ପ୍ରଦତ୍ତ ହେଲା। 

•ଵିଭିନ୍ନ ଭାରତୀୟ ଲିପିରେ ତାଲଵ୍ୟ 'ଶ'ର ରୂପ...
-ବ୍ରାହ୍ମୀ = 𑀰
-ଓଡ଼ିଆ= ଶ
-ଦେଵନାଗରୀ = श
-କାମରୂପୀ = শ
-ଗୁରମୁଖୀ = ਸ਼
-ଗୁଜରାଟୀ = શ
-ତାମିଳ = ஶ
-ତେଲୁଗୁ= శ
-କନ୍ନଡ଼= ಶ
-ମଳୟାଳମ = ശ
-ତିବ୍ବତୀ = ཤ
-ସୌରାଷ୍ଟ୍ରୀ = ꢯ
-କୈଥୀ = 𑂬
-ମୈତୈ = ꫩ
-ଶାରଦା = 𑆯
-ନେୱା = 𑐱

•ଵିଭିନ୍ନ ଭାରତୀୟ ଲିପିରେ ମୂର୍ଦ୍ଧନ୍ୟ 'ଷ'ର ରୂପ...
-ବ୍ରାହ୍ମୀ= 𑀱
-ଓଡ଼ିଆ = ଷ
-ଦେଵନାଗରୀ = ष
-କାମରୂପୀ = ষ
-ଗୁଜରାଟୀ = ષ
-ତାମିଳ = ஷ
-ତେଲୁଗୁ = ష
-କନ୍ନଡ଼= ಷ
-ମଳୟାଳମ = ഷ
-ତିବ୍ବତୀ = ཥ
-ସୌରାଷ୍ଟ୍ରୀ = ꢰ
-କୈଥୀ = 𑂭
-ମୈତୈ = ꫪ
-ନେୱା = 𑐲
-ଶାରଦା = 𑆰

•ଵିଭିନ୍ନ ଭାରତୀୟ ଲିପିରେ ଦନ୍ତ୍ୟ 'ସ'ର ରୂପ...
-ବ୍ରାହ୍ମୀ = 𑀲
-ଓଡ଼ିଆ = ସ
-ଦେଵନାଗରୀ = स
-କାମରୂପୀ = স
-ଗୁରମୁଖୀ = ਸ
-ଗୁଜରାଟୀ= સ
-ତାମିଳ = ஸ
-ତେଲୁଗୁ = స
-କନ୍ନଡ଼ = ಸ
-ମଳୟାଳମ = സ
-ତିବ୍ବତୀ = ས
-ସୌରାଷ୍ଟ୍ରୀ = ꢱ
-କୈଥୀ = 𑂮
-ଶାରଦା = 𑆱

ରୋମାନ ଲିପିରେ 'ଶ'କୁ Śə ଵା Sha,ମୂର୍ଦ୍ଧନ୍ୟ 'ଷ'କୁ Ṣə ଵା Ssa ଓ ଦନ୍ତ୍ୟ 'ସ'କୁ Sə ଵା Sa ଲେଖାଯାଏ । ଅଶୋକଙ୍କ ବ୍ରାହ୍ମୀ ଶିଳାଲେଖରେ 'ଶ','ଷ' ଓ 'ସ'ର ବ୍ରାହ୍ମୀ ରୂପ ଵ୍ୟଵହାର ହୋଇଛି। ପୁଣି ତତ୍କାଳୀନ ସମୟରେ ୦୧୨୩୪୫୬୭୮୯ ଇତ୍ୟାଦି ଭାରତୀୟ ସଂଖ୍ୟା ଗଣନ ପଦ୍ଧତି ଥିଲେ ବି କେତେକ ନିର୍ଦ୍ଧିଷ୍ଟ ଗାଣିତିକ ସମୀକରଣ ପାଇଁ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ସଂଖ୍ୟା ଗଣନ ପଦ୍ଧତି କ୍ଷେତ୍ରରେ ତାଲଵ୍ୟ 'ଶ' ତଥା ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଵ୍ୟଵହାର କରାଯାଇଛି। 
ଯଥା: 
ଶ = ୭୦ 
ଶି = ୭୦୦୦
ଶୁ = ୭୦୦୦୦୦ 
ଶୃ = ୭୦୦୦୦୦୦୦
ଶୢ = ୭×୧୦୯
ଶେ = ୭×୧୦୧୧
ଶୈ = ୭×୧୦୧୩ 
ଶୋ = ୭×୧୦୧୫ 
ଶୌ = ୭×୧୦୧୭

ଷ = ୮୦
ଷି = ୮୦୦୦
ଷୁ = ୮୦୦୦୦୦
ଷୃ = ୮୦,୦୦୦,୦୦୦
ଷୢ = ୮×୧୦୯ 
ଷେ = ୮×୧୦୧୧
ଷୈ = ୮×୧୦୧୩ 
ଷୋ = ୮×୧୦୧୫ 
ଷୌ = ୮×୧୦୧୭ 

ସ = ୯୦ 
ସି = ୯,୦୦୦ 
ସୁ = ୯୦୦,୦୦୦ 
ସୃ = ୯୦,୦୦୦,୦୦୦
ସୢ = ୯×୧୦୯ 
ସେ = ୯×୧୦୧୧ 
ସୈ = ୯×୧୦୧୩ 
ସୋ = ୯×୧୦୧୫ 
ସୌ = ୯×୧୦୧୭ 

ଭାରତୀୟ ତାଲଵ୍ୟ 'ଶ'ର ବ୍ରାହ୍ମୀ ରୂପ 𑀰(ଶ) ଦେଖିଵାକୁ ତୀରମୁଣ୍ଡ ପରି ଏଵଂ ଏହି ଅକ୍ଷରର ସାମଞ୍ଜସ୍ୟ ଆରମାଇକ
Shin (šīn) ସହିତ ରହିଛି । ଫୋଏନିସିଅନ୍ šīn 𐤔,ହିବ୍ରୁ šīn ש‎, ଆରାମାଇକ šīn 𐡔, ସିରିଆକ୍ šīn ܫ ଓ Arabic sīn س‎ ଓ šīn ش‎‎‎ ସହିତ ଭାରତୀୟ ତାଲଵ୍ୟ 'ଶ'ର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ଅନୁମାନ କରନ୍ତି । 

ପାଶ୍ଚାତ୍ୟ ଗଵେଷକମାନଙ୍କ ଅନୁସାରେ ଫୋଏନିସିଅନ୍ sāmek 𐤎,ହିବ୍ରୁ sāmeḵ ס‎, ଆରମାଇକ୍ samek 𐡎, ସିରିଆକ୍ semkaṯ ܣ ,ମଗରେବୀ ଆରବିକ ṣād ص ,ଗ୍ରୀକ୍ xi (Ξ) ଓ ରୋମାନ X ସହିତ ଭାରତୀୟ ମୂର୍ଦ୍ଧନ୍ୟ 'ଷ'ର ଉଚ୍ଚାରଣଗତ ତଥା ଲିପି ତତ୍ତ୍ଵ ଭିତ୍ତିକ ସାମ୍ୟ ରହିଛି ।‌ ପୁଣି ସେଇ 
 ସୁମେଖ୍ ଅକ୍ଷର ସହିତ ଭାରତୀୟ ଦନ୍ତ୍ୟ ସ' ଅକ୍ଷରର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି । 
 
ମୋଟ ଉପରେ କହିଵାକୁ ଗଲେ ଆଜକୁ ପ୍ରାୟ ଦୁଇ ହଜାର ଵର୍ଷ ପୂର୍ଵେ ବି ଭାରତରେ ତିନୋଟି "ଶ,ଷ ଓ ସ" ଵ୍ୟଵହାର ଚଳୁଥିଲା । କୃଷ୍ଣ,ସରସ ଓ ଵିଶ୍ଵ ଭଳି ଶବ୍ଦଗୁଡ଼ିକୁ ମୁଖରେ ଉଚ୍ଚାରଣ କଲେ ଆପେ ଶ,ଷ ଓ ସ କ୍ଷେତ୍ରରେ ଭିନ୍ନ ଭିନ୍ନ ସ୍ଥାନକୁ ଜିଭ ଚାଲିଯାଏ । ଆମ ପ୍ରାଚୀନ ପୂର୍ଵଜ ଏହା ଜାଣିପାରି ଗୋଟିଏ ନୁହେଁ ଵରଂ ତିନୋଟି ଶ,ଷ ଓ ସ ଅକ୍ଷର ଲିଖନ ପରମ୍ପରା ପ୍ରଚଳନ କରାଇଥିଲେ । ଯୋଉମାନେ କୁହନ୍ତି ଆଗେ 'ଶ' ଓ 'ଷ' ନଥିଲା କେଵଳ 'ସ' ଥିଲା ସେମାନଙ୍କୁ ପ୍ରଶ୍ନ; ଯଦି 'ଶ' ଓ 'ଷ' ନଥିଲା ତାହେଲେ ଦୁଇ ହଜାର ଵର୍ଷ ତଳର ବ୍ରାହ୍ମୀ ଲିପିରେ କେମିତି 𑀰(ଶ) 𑀱(ଷ) ଓ 𑀲(ସ) ଏହି ତିନୋଟି ଭିନ୍ନ ଭିନ୍ନ ଅକ୍ଷର ଥିଲା ? 
ଆଜକୁ ପନ୍ଦରଶହ ଵର୍ଷ ତଳେ ଚତୁର୍ଥ - ପଞ୍ଚମ ଶତାବ୍ଦୀର ଆର୍ଯ୍ୟଭଟ୍ଟ କେମିତି 'ଶ'କୁ ୭୦,'ଷ'କୁ ୮୦ ଓ 'ସ'କୁ ୯୦ ଵଇଚଆର କରଇ ସ୍ଵତନ୍ତ୍ର ଗଣନ ପଦ୍ଧତି ଵ୍ୟଵହାର କରିଥିଲେ । ଓଡ଼ିଆ ଲିପିର ଶ,ଷ ଓ ସ ତଥଆ ଏହାର ପ୍ରାଚୀନ ବ୍ରାହ୍ମୀ ରୂପ 𑀰(ଶ),𑀱(ଷ) ଓ 𑀲(ସ)କୁ ମିଳାଇ ଦେଖିଲେ ହୃଦବୋଧ ହୁଏ ଯେ ହଜାର ହଜାର ଵର୍ଷ ଧରି ନିରନ୍ତର ଲିଖନ ଯୋଗୁଁ କାଳକ୍ରମେ ତିନୋଟି ଯାକ ଶ,ଷ ଓ ସ ର ସ୍ବରୂପ ଅନେକାଂଶରେ ପରିଵର୍ତ୍ତିତ ହୋଇଛି। ଲିପି ଵିଵର୍ତ୍ତନକୁ ନବୁଝି
ରୋମାନ ଲିପିରେ କେଵଳ 'S' ଅଛି ଆମେ ବି 'ଶ' ଆଉ 'ଷ'କୁ କାଟି କେଵଳ 'ସ'କୁ ରଖିବୁ ବୋଲି ଯୁକ୍ତି କରୁଥିଵା ଲୋକେ ବୁଝିଵା ଉଚିତ ଯେ ଇଂରାଜୀ ଭାଷାରେ ବି ଏ ଧରଣର ଉଚ୍ଚାରଣ ଭିନ୍ନତା ରହିଛି। ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ l ଇଂରାଜୀରେ cell, sail, shell, ratio ଇତ୍ୟାଦିରେ ଭିନ୍ନ ଭିନ୍ନ ସ ରହିଛି । ସେମାନେ କେବେ ସବୁ ମିଶାଇ S କରିଵାକୁ ଚିନ୍ତା କରନ୍ତି ନାହିଁ । ୟୁରୋପୀୟମାନେ ତିନୋଟି ଅକ୍ଷର କରିପାରିଲେ ନାହିଁ ବୋଲି ଆଜି ସେଇ ଦୁର୍ଭାଗ୍ୟ ଯୋଗୁଁ ଭିନ୍ନ ଭିନ୍ନ ଶବ୍ଦରେ ଵିଭିନ୍ନ ପ୍ରକାରର ଶ,ଷ,ସ ଉଚ୍ଚାରଣ ପାଇଁ S ସହିତ ଅନ୍ୟ alphabet ଯୋଡ଼ିଵାକୁ ବାଧ୍ୟ ହେଉଛନ୍ତି ପୁଣି କେତେକ କ୍ଷେତ୍ରରେ C ଓ ti ଭଳି ଭିନ୍ନ alphabet ମଧ୍ୟ ଵ୍ୟଵହାର କରୁଛନ୍ତି। ଏ ଦୃଷ୍ଟିରୁ ଦେଖିଲେ ଆମ ପୂର୍ଵଜ ତିନୋଟି ଭିନ୍ନ ଭିନ୍ନ ଶ,ଷ ଓ ସ ଅକ୍ଷର କରି ଭୁଲ୍ କରିଥିଲେ ନା ଆଜି ଯୋଉମାନେ ଶ ଓ ଷ କୁ କାଟି କେଵଳ ସ ରଖି ପିଲାଝିଲାଙ୍କ ପାଇଁ ଭାଷା ସରଳ କରିବୁ ବୋଲି ହେଣ୍ଡି ମାରୁଛନ୍ତି ସେମାନେ ଭୁଲ୍ କରୁଛନ୍ତି?

ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)

ଵିଦ୍ୟାଳୟରେ ପଢୁଥିଵା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାମକୃଷ୍ଣ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ଵିପନ୍ନରଉଦ୍ଧାର .....!!!! ଏହି ପ୍ରବନ୍ଧଟିରେ ୧୯୩୭ ...