Saturday, November 24, 2018

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା କରିବା ପାଇଁ ଏହି ଭଳି ପୁରୁଣା ପୁରୁଣା ପୁସ୍ତକର ଅଧ୍ଯୟନ କରିବାକୂ ହୋଇଥାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ଘରେ ଘରେ ପରିଚିତ ଏକ ଚଳଣି ଵିଷୟରେ ଜାଣିବାକୁ ଉଣ୍ଡିଲି ଏଵଂ

ଏହି ଵିଶାଳକାୟ ଶବ୍ଦଗ୍ରନ୍ଥର
ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା

→ଛାଡ଼ଖାଇ
→ସଭାଖାଈ(ସଵାଖାଇ,ସବାଖାଈ)

ଛାଡ଼ଖାଇ ଓ ସଭାଖାଈ ତଳେ ଦ୍ରଷ୍ଟଵ୍ୟ ପ୍ରାୟ ସମାନ । ସଭାଖାଈ ଶବ୍ଦଟି ଗଞ୍ଜାମ ଅଞ୍ଚଳର ତଥା ଏହା ସଵାଖାଇ ଶବ୍ଦ ସହିତ ସମଧୃତ ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି ।

★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ ତଳେ ଥିବା ଦ୍ରଷ୍ଟଵ୍ୟ:- 

“ହବିଷିଆଳିମାନେ କାର୍ତ୍ତିକମାସ ଯାକ ଵ୍ରତ କରିଥିବା ଯୋଗୁଁ ଯେଉଁ ଯେଉଁ ଖାଦ୍ଯ ଛାଡ଼ିଥାଆନ୍ତି. ତାହା 'ଛାଡ଼ଖାଇ' ଦିନ ଖାଆନ୍ତି ।”

★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ସଭାଖାଇ’ ଶବ୍ଦ ତଳେ ଥିବା ଦ୍ରଷ୍ଟଵ୍ୟ:-

‛ଛାଡ଼ଖାଇ; କାର୍ତ୍ତିକ ମାସରେ ହବିଷ୍ଯ (ନିରାମିଷ ଭୋଜନ) କରୁଥିବା ବ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ଯ ଵ୍ରତ ଉଦ୍ୟାପନ କରିବା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ଯ ଖାଇବା ରୂପକ ଉତ୍ସଵ’

ଏଠାରେ ଧ୍ୟାନ ଦେଲାଭଳିଆ ଦିଗ
ଯଥା:-

■→କାର୍ତ୍ତିକମାସ ଯାକ ଵ୍ରତ କରି ମାର୍ଗଶିର ମାସରେ ସେମାନେ ଏହି ମାସରେ ଛାଡ଼ କରିଥିବା ଖାଦ୍ୟ ଭକ୍ଷଣ କରିଥାନ୍ତି ।

■→ଏହି ଦିନ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସହିତ ସମସ୍ତ ପ୍ରକାରର ଖାଦ୍ୟ ଖାଅନ୍ତି ।

◆◆◆ଉଭୟ ଦ୍ରଷ୍ଟଵ୍ୟର ନିଷ୍କର୍ଷ―

■→ଉଭୟ ଦ୍ରଷ୍ଟଵ୍ୟରେ ଜାଣିଶୁଣି ହେଉ କି ଅନ୍ୟ କାରଣଵଶତଃ ମାଂସ କି ମାଛର ଉଲ୍ଲେଖ
କରାଯାଇନାହିଁ ।
■→ହବିଷିଆଳମାନେ  ତତକାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ  ବ୍ରାହ୍ମଣ ଆଦି ଉଚ୍ଚପରିବାରର ହେଉଥିବା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିବା ଜୀଵଙ୍କର ମାଂସଭକ୍ଷଣ କରିବାକୁ କୁଣ୍ଠାଵୋଧ କରୁନାହାନ୍ତି)

■→ସେତେବେଳେ ନୂଆଖାଈରେ ସବୁ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଯେମିତି ପର୍ଵ ପାଳନ ହେଉଥିଲା ତଦନୁରୂପ ଛାଡ଼ଖାଇ ଦିନ ବି ଏହି ଵ୍ରତର ଉଦ୍ୟାପନ  ବନ୍ଧୁଜନଙ୍କ ସହିତ ମିଳିମିଶି କରାଯାଉଥିଲା ଯାହା ଆଜିରେ ଆଉ ଅଧିକାଂଶ ସ୍ଥାନରେ ହେଉନାହିଁ ।

■→ ବହୁତ ସମ୍ଭଵ ଛାଡ଼ଖାଇ ଦିନ ନିରାମିଷ ଖାଦ୍ୟ ଭକ୍ଷଣ ଯାଏଁ ଲୋକମାନେ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଏ ପର୍ଵ ପାଳୁଥିବେ ଏଵଂ ପରଵର୍ତ୍ତୀକାଳରେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଆଧୁନିକତା ନାମରେ ‛ଅତି ମାଂସ ମତ୍ସ୍ୟ ଭକ୍ଷକ’ ହେଲାରୁ ସ୍ଵ ସ୍ଵ ଗୃହରେ ଆମିଷ କରି ଭକ୍ଷଣ କରିବା ଆରମ୍ଭ କରିଦେଇଥିବେ ।

ଏ ଵିଷୟରେ ଆପଣଙ୍କ ମତ କଣ୍ ?
ଆପଣଙ୍କ ବୟୋଜ୍ୟେଷ୍ଠ ମାନେ ଛାଡ଼ଖାଇ ଵିଷୟରେ କଣ ମତପ୍ରକାଶ କରନ୍ତି ?

Tuesday, November 20, 2018

ଢାଳ ଵା ଲୋଟା ର ଆକାର ପ୍ରକାର ଅନୁସାରେ ଚଳୁଥିବା ପ୍ରତିଶବ୍ଦ

ଢାଳ ତଥା ସେହି ଆକାରର ପାତ୍ର ଗୁଡି଼କର ଆକାର ପ୍ରକାର ଏଵଂ ଵ୍ୟଵହାର ଆଧାରରେ ନାନାଦି ନାମ ଚଳୁଅଛି ।

ତନ୍ମଧ୍ୟରୁ କିଛିର ନାମ ସହ ଅର୍ଥ ପ୍ରଦାନ କରାଗଲା- - -

●ଅବ୍ଖୂରା→ ଛୋଟ ଢାଳ; ସମସେଇ

●ଅମୃତୀ→ଛୋଟ ଢାଳ ବା ଜଳପାତ୍ର

●ଆଚମନୀ→ ଛୋଟଢାଳ; ଲୋଟି;

●ଅବଖୁରା→ଯହିଁରେ ଆଚମନ କରିବା ଭଳି ଅଳ୍ପ ପାଣି ରହେ;ଛୋଟ ଲୋଟି

●କକଟୀ→କଳସି; ଘଡ଼ି; ଲୋଟା;ଢାଳ

●ଗଡ଼ୁକ→ଜଳପାତ୍ର;ଢାଳ

●ଘଟି→ଲୋଟି; ଛୋଟଢାଳ

●ଘଟୀ→ଘଟାକୃତି ପିତ୍ତଳ ବା କାଂସ୍ଯ କ୍ଷୁଦ୍ର
ଜଳପାତ୍ର; ଲୋଟା;ଢାଳ

●ଚମୁ→ଏକଜାତୀୟ ପିତଳର ଛୋଟ ଢାଳ

●ଚମ୍ବୁ→ଛୋଟମୁହାଁଢାଳ

●ଝରି→ନଳ ଲାଗିଥିବାଢାଳ; ଗଡ଼ୁ

●ଝାରି→ ଝରି; ଗଡ଼ୁ;ଢାଳ

●ଟୋକଣା→ଢାଳ; ପିତଳନିର୍ମିତ ଜଳ ପାତ୍ର

●ଢଳା→ଛୋଟଢାଳ; ସାମସେଇ; ଝରି

●ନୋଟା→ଲୋଟା;ଢାଲ

●ବାତରାୟଣ→କରପାତ୍ର,ଲୋଟା

●ମୁତା→ସାନଢାଳ; ଲୋଟା

●ସାମସେଇ→ଅବଖୁରା; ଅତି ଛୋଟ ଢ଼ାଳ

ଏହା ଵ୍ୟତିତ
ଠେକି ଵା କଳସୀ ପାଇଁ
ଆହୁରି ଅନେକ ପ୍ରତିଶବ୍ଦ ଚଳୁଅଛି । ଏ ଧରଣର ଵାସନ ସାଧାରଣତଃ ଗାଈ ଦୁଗ୍ଧ ତଥା ପୂଜା ପାର୍ଵଣ ଆଦି କାର୍ଯ୍ୟରେ ଲାଗିଥାଏ ।
ଉଦାହରଣ ସ୍ୱରୂପ:-

→କର୍କ―କ୍ଷୁଦ୍ର କଳଶ;ଠେକି
→କୁଞ୍ଚା―ମାଟିର ଠେକି ଵା ଘଡ଼ି
→କୁମ୍ଭିକା―କ୍ଷୁଦ୍ର ଘଟ;ଠେକି; ଘଡ଼ି
→ଗୋଦୋହନୀ―ଗାଈ ଦୁହାଁ ଠେକି ବା ଭାଣ୍ଡ— →ଠେଁକି,ଠେଙ୍କି,ଠେକି; ମାଟିର ଛୋଟ ଘଡ଼ି— A →ଦୁହଣୀ— ଦୁଧ ଦୋହିଁ ବା ଠେକି
→ଦୋଅଣୀ―ଗାଈଦୁହାଁ ଠେକି
→ନିପାନ―ଦୁଧଠେକି; ଗୋଦୋହନ ପାତ୍ର

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

Monday, November 19, 2018

ଭାଇ ଓ ଭଉଣୀ ସମ୍ପର୍କ ଆଧାରିତ କିଛି ଵୈଜ୍ଞାନିକ ଭାରତୀୟ ଶବ୍ଦ


★ଇଂରାଜୀ ଭାଷାରେ ଭାଇ ଓ ଭଉଣୀ ପାଇଁ
ସାଧାରଣତଃ Brother ଓ Sister
ତଥା ସାଵତ ଭାଇ ଓ ଭ ଉଣୀଙ୍କ ପାଇଁ step ଶବ୍ଦ ଯୋଡ଼ି ଇଂରାଜୀ ଶବ୍ଦ ରହିଛି(step brother,step sister)
★ୟୁରୋପୀୟ ସଭ୍ୟତା ଦ୍ଵାରା ପ୍ରଭାଵିତ ଦେଶମାନଙ୍କରେ ଏକପତିବ୍ରତ କି ଏକପତ୍ନୀବ୍ରତ ବୋଲି କିଛି ନଥାଏ । ଏଠାରେ  ମହିଳା କିମ୍ବା ପୁରୁଷ ଆପଣା ଜୀଵନକାଳରେ ଅନେକ ପୁରୁଷ ସହିତ ଵିଵାହ କରିଥାଇ ପାରନ୍ତି । ଫଳତଃ
ସେମାନଙ୍କ ଔରସରୁ ଯଦି ସନ୍ତାନ ଜାତ ହେଲେ ତେବେ ସେମାନେ ଅନ୍ୟ ଆଗରେ  Half brother,half sister  ବୋଲି ପରିଚୟ ଦେବେ (ଏହି ଅର୍ଥରେ ଵୈମାତୃ,ଅନ୍ୟମାତୃଜ,ସାପତ୍ୟ,ସାପତ୍ନ୍ୟଜ ଆଦି ଶବ୍ଦ ଵ୍ୟଵହାର ହୁଏ) ।
★ଗାଆଁ ଭାଇ ଅର୍ଥରେ(ସାମାଜିକ ଭ୍ରାତୃଭାଵ ଆଧାରିତ) ଇଂରାଜୀରେ co-brother/co-sister ଶବ୍ଦ ଵ୍ୟଵହାର କରାଯାଏ
★ମାଉସୀ,ମାମୁଁ ଓ ପିଉସୀପୁଅ ଓ ଝିଅଙ୍କ ପାଇଁ cousin  ଶବ୍ଦ ଲଗେଇ cousin brother/cousin Sister ଶବ୍ଦ ଵ୍ୟଵହାର କରାଯାଏ ।
★ସେହିଭଳି ଗୋଟିଏ ମାତାଠାରୁ ଭିନ୍ନ ଭିନ୍ନ ପିତାଠାରୁ ଉତ୍ପନ୍ନ ସନ୍ତାନ ପରସ୍ପରକୁ uterine brother/uterine Sister କୁହାଯାଏ ।

ତେବେ ଏ ସବୁ ଶବ୍ଦଗୁଡ଼ିକରୁ ପାଶ୍ଚାତ୍ୟ ସଂସ୍କୃତିର ଢିଲାଢୁଲା,ଅପକ୍ଵ ଓ ଅସ୍ଥିର ପାରିଵାରିକ ସମ୍ପର୍କ ସ୍ପଷ୍ଟ ଦୃଶ୍ୟ ହୁଏ ।

ଏହି ଧାରାରେ ଯଦି ଭାଇ ଓ ଭଉଣୀଙ୍କ ସମ୍ପର୍କ ଓ ତତ୍ ଆଧାରିତ  ଶାସ୍ତ୍ରୀୟ ସଂସ୍କୃତ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଥିବା ଶବ୍ଦ ସମ୍ଭାରର ଏକ ସାମାନ୍ୟ ସୂଚୀ ବି ପ୍ରସ୍ତୁତ କରାଯାଏ ତେବେ ତାହା ମଧ୍ଯ ବହୁତ ଲମ୍ବା ହୋଇଯାଏ । ଏହା ଓଡ଼ିଆ ତଥା ସଂସ୍କୃତ ଭାଷାର ଵୈଜ୍ଞାନିକତାର ଅନ୍ୟତମ ପ୍ରମାଣ କହିଲେ ଅତ୍ୟୁକ୍ତି ହେବ ନାହିଁ

ନିମ୍ନରେ ସେଇଭଳି କିଛି ଶବ୍ଦର ସୂଚୀ ପ୍ରଦାନ କରାଗଲା ...

●ଅକନିଷ୍ଠ→
ଯେଉଁ ବ୍ଯକ୍ତିର ସାନ ଭାଇ ବା ଭଉଣୀ ନାହିଁ
(ସ୍ତ୍ରୀ-ଅକନିଷ୍ଠା)
●ଅଗ୍ରଜ,ଅଗ୍ର୍ୟ,ଅଗ୍ରେୟ→
ଜ୍ଯେଷ୍ଠ ଭ୍ରାତା; ବଡ଼ଭାଇ

●ଅଗ୍ରେଦିଧିଷୁ
→ଅଗ୍ରେ=ଆଗେ, ପୂର୍ବେ+ ଦିଧିଷୁ=ଦୁଇଥର ବିବାହିତା ସ୍ତ୍ରୀ
ଏ ଶବ୍ଦର ତିନୋଟି ଅର୍ଥ ରହିଛି
ଯଥା
【୧】ଯେଉଁ ପୁରୁଷ ପୂର୍ଵେ ଥରେ ଵିଵାହ କରି ବିଧବା ହୋଇଥିବା ସ୍ତ୍ରୀ କୁ ଵିଵାହ କରେ /ପ୍ରଥମ ସ୍ବାମୀଙ୍କ ମୃତ୍ଯୁ ପରେ ଦ୍ବିତୀୟ ଥର ଵିଵାହିତା ସ୍ତ୍ରୀର ସ୍ବାମୀ
【୨】ବଡ଼ ଭଉଣୀ ବିବାହ ନକରୁଣୁ ବିବାହ କରିବା ସାନ ଭଉଣୀ—
【୩】ପୁନର୍ବିବାହିତା ବିଧବା

●ଅତ୍ତା→
ବଡ଼ ଭଉଣୀ

●ଅନୁଜ→
କନିଷ୍ଠ, ସାନ ଭାଇ

●ଅନ୍ତରଭଉଣୀ→
(କ୍ଷତ୍ରିୟଙ୍କର)ସାବତ ଭଉଣୀ

●ଅନ୍ତିକା(ଵି)→
ଜୋଷ୍ଠଭଉଣୀ; ଅଗ୍ରଜା—

●ଅପତିଆଣି,ଅପର୍ତ୍ତିଆଣୀ(ଵିଣ.)
―ଯେଉଁ ପିଲାର ଉପର ଭାଇ ଵା ଭଉଣୀ ମରିଯାଇଥାନ୍ତି—

●ଅପା(ଵି)
―ବଡ଼ ଭଉଣୀ(ଦ୍ରା ତେଲୁଗୁ ଶବ୍ଦ ‛ଅପା’ ସହିତ ସହ ସମଧୃତ)

●ଅଵରଜ→
ସାନ ଭାଇ(ସ୍ତ୍ରୀ-ଅଵରାଜା)
ନିରୁକ୍ତି;ଅବର= ପରବର୍ତ୍ତୀ+ଜନ ଧାତୁ+କର୍ତ୍ତୃ. ଅ

●ଅର୍ତିକା(ଵି)→
―ବଡ଼ ଭଉଣୀ

●ଆକ୍ରନ୍ଦ→ଭାଇ

●ଉଠିଆସିଠିଆ→(ପଶ୍ଚିମ ଓଡି଼ଶା;ଗଡ଼ଜାତ) (ବିଣ.)—କୌଣସି ବ୍ଯକ୍ତିର ଜ୍ଯେଷ୍ଠ ଓ କନିଷ୍ଠ ଉଭୟ ଭାଇ

●ଉଠିଆଭାଇ(ପଶ୍ଚିମ ଓଡ଼ିଶା ଓ ଗଡ଼ଜାତ)
(ଵି.)—ଜ୍ଯେଷ୍ଠ ଭାଇ

●ପିଠିଆ ଭାଇ(ପଶ୍ଚିମ ଓଡ଼ିଶା ଓ ଗଡ଼ଜାତ)
(ଵି.)―ସାନ ଭାଇ

●ଏକୋଦର(ଵି.)(ସ୍ତ୍ରୀ―ଏକୋଦରା)
ସହୋଦର;ଏକ ମାତାର ଗର୍ଭୁଁ ଜାତ ଭାଇ

●କେଶଟ→ସଂ ଵିଶେଷ୍ୟ
                  -ଭାଇ

●କ୍ରମୋଢ଼ା(ଵିଣ)
=>କ୍ରମ+ଊଢ଼ା
―ବଡ଼ ଭଉଣୀମାନଙ୍କ ବିବାହ ପରେ ବିବାହିତା ସାନ ଭଉଣୀ

●ଘରଆଡ଼(ଆଡି଼ଆ) ଭାଇ―
ଦେଶଜ ଵି.―ଶାଳକ(ଵ୍ୟଙ୍ଗ ପ୍ରୟୋଗ)

●ଚୀରଭବନ୍ତୀ→
— ସ୍ତ୍ରୀଙ୍କ ବଡ଼ଭଉଣୀ; ଦେଢ଼ଶାଶୁ—

●ଜାମି;ଯାମୀ→ଭଉଣୀ
ଯମ ଓ ଜମୁନାଙ୍କ ଭାଇ ଭଉଣୀ ସ୍ନେହ ଆଦର ଯୋଗୁଁ ଵୈଦିକ ଯୁଗରୁ ଭାଇ ଦ୍ଵିତୀୟା ଵା ଯମ ଦ୍ଵିତୀୟା ପର୍ଵ ପାଳିତ ହୋଇ ଆସୁଥିବା ବେଳେ ଆଧୁନିକ ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ଏ ପର୍ଵ ର ଗୁରୁତ୍ୱ ହ୍ରାସ ହୋଇଛି । ତେବେ ସେ ଯାହା ହେଉ ଏକଦା ଯମ ଦ୍ଵିତୀୟା ଭାରତଵର୍ଷରେ ଏତେ ଲୋକପ୍ରିୟ ହୋଇଥିଲା ଯେ ଭଉଣୀ ପାଇଁ ଜାମି ଵା ଯାମୀ ଏକ ପର୍ଯ୍ୟାୟଵାଚକ ହୋଇଯାଇଥିଲା ବୋଲି ସହଜେ ଅନୁମାନ କରାଯାଇପାରେ ।

●ଦାଦା(ଵି)→
―ବଡ଼ ଭାଇ; ଜ୍ଯୋଷ୍ଠ ଭ୍ରାତା; ଭାଇନନା

●ଦାହକ ଭାଇ;ମଡ଼ାସାଙ୍ଗିଆ ଭାଇ
=ଶବକୁ ସତ୍କାର କରିବାକୁ ନେବା ବ୍ଯକ୍ତିଗଣ

●ଦିଦୀ
―ବଡ଼ଭଉଣୀ, ନାନୀ

●ଦିଧିଷୃ
― ଅଗ୍ରେଦିଧିଷୂ; ବଡ଼ଭଉଣୀ ଅଵିଵାହିତା ଥାଉ ଥାଉଁ ଯେଉଁ ସାନଭଉଣୀ ଵିଵାହ କରେ

●ଦେଈ
―ଭଉଣୀ

●ନଣଦ
―ସ୍ବାମୀ ଙ୍କ ଭଉଣୀ

●ନନା,ଭାଇନା,ନାନା,ନୀନା(ଵିପରୀତ-ନାନୀ)
―ବଡ଼ ଭାଇ

●ନାନା
―ବଡ଼ଭଉଣୀ; ନାନୀ— 2. Elder sister.

●ନାନୀ
―ବଡଭଉଣୀ

●ନେଦିଷ୍ଠୀ―ସଂ ଵିଶେଷଣ
―ସହୋଦର ଭାଇ

●ପରିଵିର୍ଣ୍ଣ,ପରିଵିତ୍ତ, ପରିଵିତ୍ତି(ସଂ. ଵି.)→
(ପରି=ପୂର୍ବରୁ+ବିଦ୍ ଧାତୁ+କର୍ମ. ତ)
—ଯେଉଁ ଅବିବାହିତ ବ୍ଯକ୍ତିର ସାନ ଭାଇ ବିବାହିତ ହୋଇଥାଏ

●ପରିଵିନ୍ଦକ,ପରିଵିିନ୍ଦତ୍ (ଵି.ପୁଂ.)→
(ପରି+ଵିଦ୍ ଧାତୁ+କର୍ତ୍ତୃ. ଅକ)
—ଯେଉଁ ବ୍ଯକ୍ତି ଆପଣାର ବଡ଼ ଭାଇ ବିବାହିତ ହେବା ପୂର୍ବରୁ ବିବାହ କରେ

●ପରିବେତ୍ତା(ଵି.ପୁଂ.)→
(ପରି=ପୂର୍ବରୁ+ଵିଦ୍ ଧାତୁ=ଲାଭ କରିବା+କର୍ତ୍ତୃ. ତୃ;1ମା.1ଵ.)
—ବଡ଼ ଭାଇ ଅବିବାହିତ ଥାଉଁ ଥାଉଁ ବିବାହିତ ସାନ ଭାଇ
[ଦ୍ରଷ୍ଟଵ୍ୟ—ବଡ଼ ଭାଇ ଦେଶାନ୍ତରଗାମୀ, ନପୁଂସକ, ପତିତ, ମୂକ, ବଧୀର, ଅନ୍ଧ, କୋଢ଼ି, ଵିଵାହ କରିବାକୁ ଅନିଚ୍ଛୁକ, ଵେଶ୍ଯାସକ୍ତ ଓ ଚିରରୋଗୀ ହେଲେ, କିମ୍ବା ଆପଣାର ଅନ୍ତର ଭାଇ ହୋଇଥିଲେ, କିମ୍ବା ସାନ ଭାଇକୁ ଵିଵାହ କରିବାକୁ ଅନୁମତି ଦେଲେ ବଡ଼ ଭାଇ ଵିଵାହିତ ନ ହୋଇ ସାନ ଭାଇ ଵିଵାହ କରିବାର ଶାସ୍ତ୍ରଵିଧି ଅଛି। ଅଵିଵାହିତ ବଡ଼ ଭାଇକୁ ପରିଵିର୍ଣ୍ଣ, ପରିଵିତ୍ତ, ପରିଵିିତ୍ତି ବୋଲାଯାଏ।ପୂ;ଭା]

●ପିଠିର→
―କନିଷ୍ଠ (ଭାଇଓ ଭଉଣୀ)

●ପିତୃବ୍ଯକନ୍ଯା
―ଖୁଡ଼ୁତାଝିଅଭଉଣୀ

●ପିତୃବ୍ଯପୁତ୍ର;ଖୁଡ଼ୁତା ପୁଅ ଭାଇ→
―ଦଦା,ଦଦେଇ ଵା କକା,କକେଇ ପୁଅ ଭାଇ

●ପିତୃଷ୍ବ ସେୟ-(ଵିଶେଷ୍ୟ)
(ସ୍ତ୍ରୀ―ପିତୃଷ୍ବ ସେୟା—ସ୍ତ୍ରୀ)
ନିରୁକ୍ତି;ପିତୃସ୍ବସୃ+ଅପତ୍ଯାର୍ଥେ ଏୟ
—ପୈତୃଷ୍ବସ୍ରୀୟ;ପିଉସୀପୁଅ ଭାଇ

●ପିତ୍ର୍ଯ→
―ବଡ଼ଭାଇ

●ପୂର୍ବଜା→
ବଡ଼ ଭଉଣୀ

●ବଳା→
ସାନ ଭଉଣୀ

●ବହିଣୀ,ବଇଣୀ,ବହିଣୀ,ବହିନ୍ ,ବହେଣୀ, ଭଗିନୀ,ବାଇ
―ଭଉଣୀ

●ବିମାତୃଜ→
— ବୈମାତୃ ଭାଇ,ବୈମାତ୍ରେୟଭାଇ; ସାବତ ଭୋଇ

●ଭଅ(ଇ,ଉ)ଣୀ ଜୋଇଁ(ଯ୍ଵାଇଁ)
―କୌଣସି ସ୍ତ୍ରୀର ସାନ ଭଉଣୀର ସ୍ବାମୀ
[ଦ୍ରଷ୍ଟଵ୍ୟ— ସାନ ଭଉଣୀଙ୍କୁ ବିଭା ହୋଇଥିବା ବ୍ଯକ୍ତିଙ୍କର ଆପଣାର ସ୍ତ୍ରୀର ବଡ଼ ଭଉଣୀ ଦେଢ଼ଶାଶୁ ଅଟନ୍ତିଓ ଓଡ଼ିଆ ସମାଜରେ ତାଙ୍କ ସଙ୍ଗେ ଥଟ୍ଟା କରିବା ବା କଥାବାର୍ତ୍ତା ହେବା ନିଷିଦ୍ଧ। ବଡ଼ ଭଉଣୀଙ୍କ ସ୍ବାମୀ ଆପଣାର ଭିଣେଇ ଓ ସ୍ତ୍ରୀର ସାନ ଭଉଣୀ ଆପଣାର ଶାଳୀ; ଶାଳୀ ଓ ଭିଣେଇଙ୍କ ମଧ୍ଯରେ ଥଟ୍ଟା ପରିହାସ ଚଳେ।ପୂ;ଭା]

●ଭଉଣ୍ଡୀ(ଵ୍ୟଙ୍ଗ୍ଯ)
—ଭଉଣୀ

●ଭାଇଆ,ଭାଇଆଳି(ଆ)→
ଜ୍ଞାତି; କୁଟୁମ୍ବୀ ଭାଇ

●ଭ୍ରତା,ଭ୍ରଥା,ଭ୍ରାତ,ଭ୍ରାଥ,ଭ୍ରାତଃ,ଭ୍ରାତୃ
—ଭାଇ—

●ଭ୍ରାତୃସ୍ଥାନୀୟ→
―ସମ୍ପର୍କରେ ଭାଇ

●ମଉଳାପୁଅ ଭାଇ
(ସଂ. ମାତୁଳ ପୁତ୍ର+ଭ୍ରାତ)
—ମାମୁଁ ପୁଅ ଭାଇ

●ମଡ଼ାକଢ଼ା ଭାଇ,ମଡ଼ାକାନ୍ଧିଆ ଭାଇ,ମଡ଼ାସାଙ୍ଗୀ ଭାଇ→
―ଦାହକ ଭାଇ;ଶବକୁ ସତ୍କାର କରିବାକୁ ନେବା ବ୍ଯକ୍ତିଗଣ

●ମାଲ ଭାଇ(ଵି)→
—ମୃତ୍ୟୁ ଉତ୍ତାରୁ ଶବ କାନ୍ଧଉଥିବା ଜ୍ଞାତି ଭାଇ

●ଯବିଷ୍ଠ―(ଵିଶେଷଣ)(ଯବିଷ୍ଠା—ସ୍ତ୍ରୀ)→
→ଯୁଵାନ୍+ ଅତିଶୟାର୍ଥେ. ଇଷ୍ଠ
―ଅତ୍ଯନ୍ତ ଯୁଵା,ସଵା ସାନ ଭାଇ; ସର୍ବକନିଷ୍ଠଭ୍ରାତା

●ଶାଳୀ(ସଂ. ଶ୍ଯାଳୀ)
—ଆପଣା ସ୍ତ୍ରୀଙ୍କ କନିଷ୍ଠା ଭଗ୍ନୀ; ଶାଳିକା
[ଦ୍ରଷ୍ଟଵ୍ୟ— ସ୍ତ୍ରୀଙ୍କ ବଡ଼ ଭଉଣୀଙ୍କୁ ଓଡ଼ିଆରେ ଦେଢ଼ଶାଶୁ ବୋଲାୟାଏ। ଶାଳୀଙ୍କ ସ୍ବାମୀ ସଢୁ ଅଟନ୍ତି; ଶଳୀଙ୍କ ପୁଅ ପୁତୁରା ଓ ତାଙ୍କ ଝିଅ ଝିଆରୀ ଅଟନ୍ତି; ଓଡ଼ିଆ ସାମାଜରେ ସ୍ତ୍ରୀଙ୍କ ବଡ଼ ଭଉଣୀ ଦେଢ଼ଶାଶୁ ଭଉଣୀଜୋଇଁଙ୍କର ପରିହାସସ୍ଥାନୀଯା ନୁହନ୍ତି; କେବଳ ସ୍ତ୍ରୀଙ୍କ ସାନ ଭଉଣୀ ଶାଳୀ ଭିଣେଇଙ୍କର ପରିହାସସ୍ଥାନୀୟା ଅଟନ୍ତି। ବଙ୍ଗୀୟ ସମାଜରେ ସ୍ତ୍ରୀଙ୍କର, କି ବଡ଼,କି ସାନ, ସବୁ ଭଉଣୀ ଶାଳୀ ଅଟନ୍ତି ଓ ଭିଣେଇଙ୍କର ପରିହାସସ୍ଥାନୀୟି ଅଟନ୍ତି। ପୂ;ଭା]

●ସକୁକ୍ଷୀ(ଵିଶେଷଣ)→
→ଏକମାତାଙ୍କ ଗର୍ଭରୁ ଉତ୍ପନ୍ନ ଭାଇଓ ଭଉଣୀ—
     ;Uterine

●ସଗର୍ଭ(ଵିଣ),ସଯୋନୀ(ଵି.)→
―ଏକମାତାଙ୍କ ଗର୍ଭରୁ ଉତ୍ପନ୍ନ ସନ୍ତାନ

●ସାଇ ଭାଇ→
―ନିଜର ସାଇରେ ବାସ କରୁଥିବା ଯୋଗୁଁ ଯେ ଆପଣାର ଭାଇ ସ୍ଥାନୀୟ

●ସାପତନ, ସାପତ୍ନ୍ଯ(ଵିଶେଷଣ)
—ସାବତ ଭାଇ ଓ ଭଉଣୀ
  

●ସୋଦର(ଵିଶେଷ୍ୟ)→
   ସ+ଉଦର
―ସହୋଦର

●ସ୍ତ୍ର୍ଯନୁଜ(ଵି.,ଵିଣ.)
→ଭଉଣୀ ପରେ ଜନ୍ମ ଲଭିଥିବା ଭାଇ

°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°

ସମସ୍ତ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରୁ ସଂଗ୍ରହ କରାଯାଇଛି ଏଵଂ ଏହା ଅପେକ୍ଷା ଆହୁରି ଅନେକ ଦେଶଜ ଓ ସଂସ୍କୃତ ଶବ୍ଦ ରହିଛି ।

ଲଙ୍କାମରିଚର କେତେକ ପର୍ଯ୍ୟାୟଵାଚକ ଶବ୍ଦ


ସାରା ଓଡ଼ିଶାରେ ଲଙ୍କାମରିଚ ତଥା ମରିଚ ଶବ୍ଦ ଭିନ୍ନ ଭିନ୍ନ ରୂପେ Red Pepper ଅର୍ଥରେ ଚଳୁଅଛି
ଯଥା
ନଂକମାରିଚ, ନକମାରିଚ,ନକାମରିଚ,ଲଙ୍କା,ନଂକା,ମିରଚା,ମିରିଚା ଇତ୍ୟାଦି

ତେବେ ଏହା ଛଡ଼ା ଲଙ୍କାମରିଚ ର ଆହୁରି ଅନେକ ସଂସ୍କୃତ ଓ ଦେଶୀୟ ପ୍ରତିଶବ୍ଦ ମଧ୍ଯ ରହିଛି ।
ତନ୍ମଧ୍ୟରୁ କିଛିର ଉଦାହରଣ ଏଠାରେ ଦିଆଗଲା―

●→ଆମିରି;ଦେଶଜ ଵିଶେଷ୍ୟ (ପୂ-ଭା―796)

●→କଟୁଵୀଜ;ସଂସ୍କୃତ ଵିଶେଷ୍ୟ(କଳ୍ପଦୃମ)

●→କଟୁବୀରା ସଂ ଵିଶେଷ୍ୟ;(ପୂ-ଭା―1244)  ନିରୁକ୍ତି :-କଟୁ+ବୀର+ସ୍ତ୍ରୀ. ଆ

●→କାଁଚ୍ମାରି(ପୂ-ଭା―1445) —
ପ୍ରାଦେ;(ଲରିଆ ଓଡ଼ିଆ)

●→ଝାଳ/ଝାଲ୍(ପୂ-ଭା―3099)
;ପ୍ରାଦେ(ମେଦିନୀପୁର)

●→ତୁଣ୍ଡପୋଡା଼;ଵିଶେଷ୍ୟ(ଢେଙ୍କାନାଳ)

●→ବଶିର(ପୂ-ଭା―5428)
ସଂ. ବିଶେଷ୍ୟ;ହିନ୍ଦୀ ଶବ୍ଦ ସାଗର

●→ମିରି(ପୂ-ଭା―6550)
ଵିଶେଷ୍ୟ;(ବସ୍ତର)

●→ଶୌଣ୍ଡୀ(ପୂ-ଭା―783);ସଂସ୍କୃତ ଵିଶେଷ୍ୟ
ନିରୁକ୍ତି=ଶୁଣ୍ଠା

Sunday, November 18, 2018

ଖୋଜିବା ତଲାସିବା ଶବ୍ଦର ଦେଶୀୟ ପ୍ରତିଶବ୍ଦ

ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି ।
ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି
ସେଇଭଳି ହୁଳିଆ,ତଲିସିବା,ସର୍ଚ୍ଚ କରିବା,ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ ଵ୍ୟଵହାର ହେଉଅଛି...

ତେବେ ସତରେ କଣ୍ ଓଡ଼ିଆ ଭାଷାରେ Search ଅର୍ଥ ପ୍ରକାଶ ପାଇଁ ଉପଯୁକ୍ତ ଶବ୍ଦ ନାହିଁ ?
ଏହି ଅର୍ଥ ଵହନ ହେତୁ ଉପଯୁକ୍ତ ଶବ୍ଦ ନାହିଁ ବୋଲି ଵୈଦେଶିକ ଶବ୍ଦ ଵ୍ୟଵହାର ହେଉଛି ?

ଉତ୍ତର ହେଲା―
ହଁ ଅଛି !!!  ...
କିନ୍ତୁ ଓଡ଼ିଆ ଲୋକେ ଵ୍ୟଵହାର ଛାଡି଼ଦେଇଛନ୍ତି ଅଥଵା ସାହିତ୍ୟ ମଧ୍ୟରେ ସୀମିତ ରଖିଛନ୍ତି ।

ତେବେ
ନିମ୍ନଲିଖିତ ଶବ୍ଦଗୁଡ଼ିକ ଆପଣ ଚାହିଁଲେ
‛ଖୋଜିବା’,‘ତଲିସିବା’,‛ସର୍ଚ୍ଚ କରିବା’,‛ତଦାରଖ’
‛ହୁଳିଆ’ ଆଦି ଵୈଦେଶିକ ଶବ୍ଦ ବଦଳରେ ଵ୍ୟଵହାର କରି ସାହିତ୍ୟ ସର୍ଜନା କରିପାରିବେ ଅଥଵା ଆପଣା କଥୋପକଥନକୁ ଆହୁରି ଶୁଦ୍ଧ କରିପାରିବେ.....

●୧―ଉଣ୍ଡିବା
ଏହାର ସମଧୃତ ଅନୁସନ୍ଧାନ ତଥା ତାମିଳ ର ଉଣ୍ଡୁ(ତା-ଲୁଚିବା)ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଉଣ୍ଡିବା ଶବ୍ଦର ମୁଖ୍ୟତଃ ―ଅଣ୍ଡାଳିବା ଵା ଦରାଣ୍ଡିବା,ଅନୁଧ୍ୟାନ କରିବା,ଠଉର୍ କରିବା; ଆଖିବୁଲାଇବା,ଛକାଛକରେ ଖୋଜିବା, ସୁବିଧା ସୁୟୋଗ ଖୋଜୁଥିବା,ଦୋଷ ତର୍କଣା କରିବା ବା ସନ୍ଧାନ କରିବା,ନୂଆ ବସ୍ତୁକୁ ପ୍ରଥମେ ଅନୁକୂଳ କରି ପିନ୍ଧିବା ତଥା ଦେଶକାଳପାତ୍ର ପ୍ରତି ଦୃଷ୍ଟି ରଖିବା ଆଦି ଅର୍ଥରେ ଵ୍ୟଵହାର କରାଯାଉଥିବାର ଉଲ୍ଲେଖ ଭାଷାକୋଷରେ ରହିଛି ।
ଉଣ୍ଡିବା ଶବ୍ଦ ସହ ସମଧୃତ ଆଉ କିଛି ଶବ୍ଦ
ଯଥା:-
【■】ଉଣ୍ଡାଉଣ୍ଡି କରିବା
→ ଅଭିପ୍ରେତ ପଦାର୍ଥକୁ ଗୋପନରେ ଠଉର କରିବା; ଆଖି ବୁଲାଇବା; ଠିକଣା କରିବା—1. →ଉତ୍ତମରୂପେ ଖୋଜିବା; ଅନୁସନ୍ଧାନ କରିବା
【■】ଓର ଉଣ୍ଡିବା
→ଛିଦ୍ର ଖୋଜିବା; ସୁବିଧା ଅନୁସନ୍ଧାନ କରିବା
【■】କଦର ଉଣ୍ଡିବା
→ଖଞ୍ଜ ବା ସୁବିଧା ଖୋଜିବା

●୨―ହେଜିବା

ଏ ଶବ୍ଦର ଆଠଗୋଟି ଅର୍ଥ ମଧ୍ୟରେ ଗୋଟାଏ ହେଉଛି ଉଣ୍ଡିବା ଵା ଖୋଜିବା
ଏହି ଅର୍ଥରେ ଭଞ୍ଜ ଲେଖିଲେ
“ଵିଷ୍ଣୁ ଅରି ପ୍ରଜ୍ଜ୍ବଳେ ଅର୍ଦ୍ଧଚନ୍ଦ୍ରର ଛଳେ
ଗୁପ୍ତ ‛ହେଜି’ ପ୍ରଯୋଗ କଲେ ସେ”—
     [ଵୈଦେହୀଶଵିଳାସ।]

●୩―ଶଙ୍ଖୁଳିବା
ଏ ଶବ୍ଦର ଗୋଟାଏ ଅର୍ଥ ହେଉଛି
ଖୋଜିବା ଵା  ଲୋଡ଼ିବା
ଜଗନ୍ନାଥ ଦାସଙ୍କ ଯୁଗରେ ଖୋଜିବା ଶବ୍ଦ ନଥିଲା ବୋଲି
ସେ ଭାଗଵତ ରୁ ପଦେ ଏମନ୍ତ ଲେଖିଲେ
“ତେଣୁ ସେ ସ୍ବାମୀକି ଶଙ୍ଖୁଳେ,
ତା ଯୋଗ୍ଯଵର ନାହିଁମିଳେ। ”

●୪―ଲୋଡ଼ିବା
ଆଵଶ୍ୟକ ଅର୍ଥରେ ଲୋଡା଼ ଓ ଲୋଡି଼ବା ଶବ୍ଦର ଵ୍ୟଵହାର ବହୁଳ ଭାବେ ଚଳୁଥିବା ବେଳେ
କୌଣସି ପଦାର୍ଥ ଖୋଜିବା ଅର୍ଥରେ ଏହାର ଵ୍ୟଵହାର ମଧ୍ଯ ରହିଛି ।
କଵିସୂର୍ଯ୍ୟ ସଙ୍ଗୀତର ଏକ ଉଦାହରଣ―
‛କିଶୋରି ! ଲୋଡ଼ିଲେ ଆଉ କେ ଦେବ ।’

●୫―ସନ୍ଧାନ,ସନ୍ଧିବା,ଅନୁସନ୍ଧାନ ଆଦି ଶବ୍ଦ
ଖୋଜିବା ଅର୍ଥରେ ଵ୍ୟଵହାର କରାଯାଇପାରେ ।
ସନ୍ଧାନ ଓ ଅନୁସନ୍ଧାନ ଭଳି ସନ୍ଧିବା ଶବ୍ଦଟି ଓଡ଼ିଆ ଭାଷାରେ ମଧ୍ଯ ଚଳୁଅଛି । ସନ୍ଧିବା ଶବ୍ଦର ଵିଶେଷ ଵ୍ୟଵହାର ଶର ସନ୍ଧାନ କରିବା ଅର୍ଥରେ ମଧ୍ଯ ହୋଇଛି
ଉଦାହରଣ ସ୍ୱରୂପ―
‛ବୀର ସାନୁଜକୁ ଶକ୍ତି ସନ୍ଧି।’
[ଭଞ୍ଜ. ବୈଦେହୀଶବିଳାସ। ]

【■】ସନ୍ଧାନ ଶବ୍ଦ ଆଉ ଟିକିଏ ରୂପବଦଳେଇ
ସାନ୍ଧିବା ହେଲା ଯାହାର ଗୋଟାଏ ଅର୍ଥ ‛ଛିଦ୍ରରେ କୌଣସି ବସ୍ତୁକୁ ପୁରାଇ ଖୋଜିବା’ ହୋଇଅଛି ।
【■】ସେଇଭଳି ଅନୁସନ୍ଧାନ ରୁ ଅନୁସନ୍ଧେୟ ହେଲା ଯହିଁର ଅର୍ଥ ‛ଯାହା ଅନୁସନ୍ଧାନର  ଯୋଗ୍ୟ’
【■】ତତ୍ତ୍ବାନୁସନ୍ଧାନ ଶବ୍ଦ ମଧ୍ଯ କୌଣସି ଵିଷୟରେ ତଥ୍ଯ ଖୋଜିବା ଅର୍ଥରେ ଵ୍ୟଵହାର କରାଯାଇପାରିବ

●୬―ଵିଚୟ,ଵିଚୟନ,ଵିଚିକି
ଆଦି ଶବ୍ଦର ଦୁଇଟି ମୁଖ୍ୟ ମଧ୍ୟରେ ଗୋଟାଏ ହେଉଛି  ଅନ୍ନେଷଣ କରିବା(ଆନ ଟି― ସଂଗ୍ରହକରଣ)

●୭―ସମ୍ପାଦିବାର ଅନେକ ଅର୍ଥ ମଧ୍ୟରେ ଗୋଟାଏ ଅର୍ଥ ଖୋଜିବା
ଏଵଂ ଏହି ଅର୍ଥ ଆଧାରରେ ଭଞ୍ଜ ଧାଡି଼ଏ ରଚିଯାଇଛନ୍ତି
“ବନ୍ଧୁ ଜୀବ ଯେ, ଅଳ୍ପକେ ଭଜେ, ମଳିନ ନ ସମ୍ପାଦ”

●୮―ହନ୍ଦାଳିବା ଓ ହନ୍ଦାରିବା
ଶବ୍ଦ ଦ୍ଵୟର ଏକ ଅର୍ଥ କୌଣସି ବସ୍ତୁ ନିମିତ୍ତ, କୌଣସି ସ୍ଥାନକୁ ତନ୍ନ ତନ୍ନ କରି ଖୋଜିବା ଵା ଅଣ୍ଡାଳିବା ଏଵଂ ଏ ଶବ୍ଦଗୁଡି଼କ ଆନ୍ଦୋଳନ ଶବ୍ଦ ସହ ସମଧୃତ ଅଟେ ...

●୯―ପରିସର୍ପ
ଏ ଶବ୍ଦଟି ଵୈଦେଶିକ ତଲାସୀ ଅର୍ଥରେ ଵ୍ୟଵହାର କରାଯାଇପାରିବ । ପ୍ରକୃତରେ ପୋଲିସ ଦୋଷୀ ଵିରୋଧରେ ଯେଉଁ ମୁଖ୍ୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ତନ୍ମଧ୍ୟରୁ ପାଞ୍ଚଟି ଅର୍ଥ ଏ ଶବ୍ଦ ବହନ କରିଥାଏ
ଯଥା:-
→କୌଣସି ବସ୍ତୁ ବା ବ୍ଯକ୍ତିକୁ ଖୋଜିବାକୁ ଯିବା
(ପୋଲିସ ଦୋଷୀ କୁ ଖୋଜିବୁଲେ)
→ପଶ୍ଚାଦ୍ଧାଵନ ହେବା
(ପୋଲିସ ପଳାଇଯାଉଥିବା ଦୋଷୀ ପଛରେ ଗୋଡାଏ)
→ବେଢ଼ିବା; ପରିବେଷ୍ଟନ
(ପୋଲିସ ଦୋଷୀ ଲୁଚିଥିବା ସ୍ଥାନକୁ ଘେରାଉ କରିଥାଏ)
→କୌଣସି ବ୍ଯକ୍ତିର ଠିକଣା ଜଣା ନ ଥିବା ସ୍ଥଳରେ ସେ ଯେଉଁ ବାଟରେ ଯାଇଅଛି ତହିଁରେ ପରିଲକ୍ଷିତ ଚିହ୍ନ, ଖୋଜ ଆଦି ଦ୍ବାରା ଉକ୍ତ ଵ୍ୟକ୍ତିକୁ ଖୋଜିବା
(ପୋଲିସ ପ୍ରମାଣ ଧରି ଦୋଷୀ ପଛରେ ପଡି଼ଥାଏ)
→ଭୂମିରେ ଘୁଷୁରି ଘୁଷୁରି ଯିବା
(ପୋଲିସ ଦୋଷୀକୁ ଧରିବାକୁ ଯେତେ କଷ୍ଟ ହେଉ ପଛେ ଲାଗିଥାଏ)

●୧୦―ଉଦ୍ଦେଶ କରିବା
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 981 ତମ ପୃଷ୍ଠାରେ ଏ ଶବ୍ଦ ତଳେ ତୃତୀୟ ଅର୍ଥ ଭାବେ ଖୋଜିବା ଲେଖାଅଛି ।
(ଏହାର ଆନ ଅର୍ଥ ଯଥା―ଲକ୍ଷ୍ଯ ରଖିବା,ଅପେକ୍ଷା କରିବା,ଖବରନେବା, ସଙ୍କେତଦ୍ବାରା ସୂଚନା କରିବା ଇତ୍ୟାଦି)

●୧୧―ଏଷଣା,ଅନ୍ବେଷଣ,ଅନ୍ବେଷିବା ଆଦି ସମଧୃତ ଶବ୍ଦ ଗୁଡି଼କ ମଧ୍ଯ ଖୋଜିବା ଅର୍ଥରେ ଵ୍ୟଵହୃତ ହୋଇଥାଏ । ସାଧାରଣତଃ ଖୋଜିବା ଅର୍ଥର ମୌଳିକ ଦେଶୀୟ ଶବ୍ଦର ଅଭାଵ ଯୋଗୁଁ ଅଧିକାଂଶ ଓଡ଼ିଆ ଏ ଶବ୍ଦ ଗୁଡି଼କର ବହୁଳ ଵ୍ୟଵହାର କରିଥାନ୍ତି ।

●୧୨―ପରିଷ୍ଟି
ଏ ଶବ୍ଦଟି “ସବୁଆଡ଼େ ଖୋଜିବା” ଅର୍ଥରେ ଵ୍ୟଵହାର କରାଯାଇଥାଏ ।

●୧୩―ଡଗର କରିବା
ଅଖଣ୍ଡ କଳିଙ୍ଗର ଵିଚ୍ଛିନ୍ନାଞ୍ଚଳ ସିଂହଭୂମି ଓ ଷଡୈକଳା ଖରସୁଆଁରେ ଖୋଜିବା ଵା ତଲିସିବା ଅର୍ଥରେ ଵ୍ୟଵହୃତ ଗୋଟାଏ ନିଆରା ଶବ୍ଦ
ଡଗର କରିବା

●୧୪―ଧୁନ୍ଦଳା,ଧୁନ୍ଦୁଲା,ଧୁନ୍ଧୁଳା,ଢୁଣ୍ଡବା,ଧୁଣ୍ଡା ଧୁଣ୍ଡି ଆଦି ଶବ୍ଦ ଗୁଡି଼କ ମଧ୍ଯ ଓଡ଼ିଆ ଭାଷାର କେତେକ ଶୈଳୀରେ ଖୋଜିବା ଅର୍ଥରେ ଚଳୁଅଛି । ଓଡ଼ିଆ ଭାଷାର ଏହି ଶବ୍ଦ ଗୁଡି଼କ
ସଂସ୍କୃତ ଭାଷାର ‛ଢୁଂଢନ’ ତଥା ହିନ୍ଦୀଭାଷାର ‛ढुंडना’ ସହିତ ସମଧୃତ ।
ଏ ସମସ୍ତ ଶବ୍ଦର ଭାରତୀୟ ନିରୁକ୍ତି ଶାସ୍ତ୍ରାନୁସାରେ  ଵୈଜ୍ଞାନିକ କ୍ଷୁଦ୍ରରୂପ
‛ଢୁଣ୍ଡ ଧାତୁ’ ବୋଲି ନିର୍ଣ୍ଣୟ ହୋଇଛି ।

●୧୫―ସିଂଗାରି/ସିଂଘାରୀ ହେବା―
ଏ ଶବ୍ଦ ଦ୍ଵୟର ଗୋଟାଏ ଅର୍ଥ―ରାଗାନ୍ବିତ ହୋଇ କୌଣସି ଅସତ୍କାର୍ଯ୍ୟ କରିବା ଉଦ୍ଦେଶ୍ଯରେ ବାଟ ଖୋଜିବା ଅଟେ

●୧୬―ରଞ୍ଜାଳି ହେବା
ବ୍ଯସ୍ତ ହୋଇ ଖୋଜିବା ଅର୍ଥରେ ‛ରଞ୍ଜାଳି ହେବା’ ଶବ୍ଦ ଵ୍ୟଵହାର କରାଯାଇପାରିବ ।

●୧୭―ଲମରା ବୁଲା
ଇଂରେଜ ଯୁଗରେ ଗଡ଼ଜାତର ଜଙ୍ଗଲରେ
ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିବା କୁ ଲମରା ବୁଲା କୁହାଯାଏ ।

●୧୮―କୌଣସି ପଦାର୍ଥ ଆଖିରେ ଦିଶୁନଥିଲେ ତାହାକୁ ଆନୁମାନିକ ଖୋଜିବା
ଦରଣ୍ଡା ଵା ଦରାଣ୍ଡିବା କୁହାଯାଏ ।
ସଂସ୍କୃତର ଢୁଣ୍ଡନ୍, ହିନ୍ଦୀର ଢୁଣ୍ଡନା ତଥା ଓଡ଼ିଆ ଭାଷାର ଢୁଣ୍ଡବା ଶବ୍ଦ ସହିତ ଏହା ସମଧୃତ ଅଟେ ।

●୧୯―ରନ୍ଥାଳି ହେବା
ଵା
ରନ୍ଥି ହେବା
ଏହାର ଅର୍ଥ ମଧ୍ଯ ଖୋଜି ହେବା; କୌଣସି ବସ୍ତୁ କେଉଁଠାରେ ଅଛି ତହିଁର ସ୍ଥିରତା ନ ପାଇ ଦରାଣ୍ଡି ହେବା(ଭାଷାକୋଷ)

●୨୦―ତତ୍ତ୍ବନେବା
ଏ କ୍ରିୟା ଶବ୍ଦ କୁ ତଲାସୀ,ତନଖିବା ଆଦି ବଦଳରେ ଵ୍ୟଵହାର କରାଯାଇପାରେ ଯେହେତୁ ଏହାର ତିନୋଟି ମଧ୍ୟରେ ଦୁଇଟି ଅର୍ଥ ପ୍ରୋକ୍ତ ଵୈଦେଶିକ  ଶବ୍ଦ ଦ୍ଵୟ ସହ ମିଶିଯାଏ

ଏହା ଵ୍ୟତିତ ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀରେ
ଖୋଜିବା ଅର୍ଥ ପ୍ରକାଶ ହେତୁ ଆହୁରି ଅନେକ
କ୍ରିୟା ଶବ୍ଦ ଚଳୁଥାଇପାରେ । ଏଠାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖୋଜିବା ଅର୍ଥରେ ଯୋଡା଼ ହୋଇଥିବା କେତେକ ଶବ୍ଦ ଉଲ୍ଲେଖ କରାଯାଇଛି ।

Friday, November 16, 2018

ଵିଦ୍ରୋହର କାରଣ

ୟୁରୋପର ଗୋଟାଏ ଅଞ୍ଚଳରେ କ୍ରିକେଟ ଛଡା଼ ସବୁପ୍ରକାରର ମନୋରଞ୍ଜନଧର୍ମୀ କାର୍ଯ୍ୟକଳାପ ପ୍ରତି ନିଷେଧାଜ୍ଞା ଲାଗିଯାଇଥାଏ ।
ତେଣୁ ଲୋକେ ଆଉ କିଛି ନପାଇ ଶେଷକୁ କ୍ରିକେଟ ଖେଳିବାକୁ ଲାଗିଲେ...
ଧୀରେ ଧୀରେ କ୍ରିକେଟ ଖେଳଟା ସମାଜର ଗୋଟାଏ ଅଙ୍ଗ ହୋଇଗଲା ଓ ସ୍ଥାନୀୟ ସଂସ୍କୃତିର ଵିଭିନ୍ନ ପର୍ଵରେ ମଧ୍ଯ ତାକୁ ସ୍ଥାନ ମିଳିଗଲା.....
ଏମିତିରେ ଜଣାନାହିଁ କେତେ ଯେ  ଵର୍ଷ ବିତିଯାଇଛି...
ଲୋକମାନେ କ୍ରିକେଟ ଖେଳରେ ଏତେ ଆନନ୍ଦ ଲାଭ କରିଛନ୍ତି ଯେ ଅନ୍ୟ ସମସ୍ତ କଥା ସଂପୂର୍ଣ୍ଣ ପାଶୋରି ଯାଇଛନ୍ତି...

ଏହାର ବହୁ ଵର୍ଷ ପରେ ସେ ଅଞ୍ଚଳରେ ଶାସନତନ୍ତ୍ର ବଦଳିଲା ।
ନଵ ଶାସକ କଳା-ସଂଗୀତ-ସଂସ୍କୃତିପ୍ରେମୀ  ଏଣୁ
ସମସ୍ତ ପ୍ରକାରର ମନୋରଞ୍ଜନଧର୍ମୀ କାର୍ଯ୍ୟକଳାପ ଉପରୁ କଟକଣା ଉଠାଇଦେଲେ ।  ସାରା ଦେଶରେ ଏ ଵିଷୟରେ ପ୍ରଚାର ପ୍ରସାର କରାଗଲେ ବି ଲୋକେ ସେଥିରେ କୌଣସି ପ୍ରକାରର ଉତ୍ସାହ ନଦେଖେଇ କେବଳ କ୍ରିକେଟ  ଖେଳରେ ମନୋନିଵେଶ କରିଲେ...

ସରକାରୀ କଳ ପ୍ରଚାର କରି କରି ନୟାନ୍ତ ହେଲାରୁ ଶେଷକୁ ଏକଥା ମୁଖ୍ୟ ଶାସକଙ୍କ ପାଖକୁ ଗଲା ।ମୁଖ୍ୟ ଶାସକ ସବୁ ଜାଣିବା ପରେ କ୍ରିକେଟ ଉପରେ କଟକଣା ଲାଗୁକରିବାକୁ ଆଦେଶ ଦେଲେ । ସରକାରୀ ଆଇନ ବଳରେ କ୍ରିକେଟ ଉପରେ ନିଷେଧାଦେଶ ଲାଗିଗଲା । କିନ୍ତୁ ସବୁଥିରୁ ବଞ୍ଚିତ ରହି ମଧ୍ଯ ଯେଉଁ ଜନତା କେବେ ଵିଦ୍ରୋହ କରିନଥିଲା ଏଇ ଗୋଟାଏ କଥା ଯୋଗୁଁ ଅସ୍ତ୍ର ଉଠେଇନେଲା ...
ଦେଶର ଵିଭିନ୍ନ ସ୍ଥାନରେ ମେଳି ହେଲା,ସରକାରୀ ଲୋକ ହଣାହେଲେ
ଶାସନତନ୍ତ୍ର ଓ ଆଇନ ବଦଳିଲାପରେ
ଲୋକେ ପୁଣି କ୍ରିକେଟ ଖେଳିବାକୁ ଲାଗିଲେ ....

@ଇତାଲୋ କାଲ୍ଵିନୋଙ୍କ ଏକ କାହାଣୀର ଅନୁକରଣରେ

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...