Thursday, June 18, 2020

ଓଡ଼ିଶା ଓ ଭାରତରେ ତେଲୁଣି ପୋକ

ଓଡ଼ିଶାରେ julus ଜାତୀୟ ପାଞ୍ଚ ଛଅପ୍ରକାର ପୋକ ଦେଖାଯାଆନ୍ତି ସେମାନଙ୍କୁ ସାମୁହିକଭାଵେ ତେଲୁଣି ପୋକ କୁହାଯାଏ । ତୈଳିନୀ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ତେଲୁଣି କିନ୍ତୁ ତେଲୁଣୀ ଲେଖାଗଲେ ଏ ଶବ୍ଦର ଅର୍ଥ ଆମ ଭାଷାରେ ତେଲିର ସ୍ତ୍ରୀଵାଚକ ହୁଏ । ସିଧା ଝାଙ୍କାଳିଆ ବୁଦା ଓ ପଲମକୁ ବି ଆମ ଭାଷାରେ ତେଲୁଣୀ କୁହାଯାଏ ।

ତେଲୁଣି ପୋକଙ୍କର ଦୁଇଟି ନିଶ ଥାଏ । ଏମାନଙ୍କର ଚୁଙ୍ଗଡ଼ି ମାଛର ଖୋଳପା ପରି ପଟି ପଟି କାତି ଥାଏ । ଏମାନେ ନାଲି, କୋଳଥିଆ ଓ ନାଲି ଉପରେ କଳା ଲମ୍ବା ଡ଼ୋରିଆ ପଡ଼ିଥିବା ରଙ୍ଗ ଦେଖାର ଦେଖଆନ୍ତି । କେତେକ ଜାତୀୟ ତେଲୁଣି ପୋକ କଳା ଓ ମାଟିଆ ରଙ୍ଗର ହେଉଥିଵା ଦେଖାଯାଏ ।

ଏମାନଙ୍କ ଉପରେ ଆଘାତ ଲାଗିଲେ ଏମାନେ କୁଣ୍ଡଳାକୃତି ହୋଇ ୟାଆନ୍ତି। ଏମାନଙ୍କର ଥରକେ ସହସ୍ର ସହସ୍ର ଛୁଆ ହୁଅନ୍ତି। ଏମାନେ ସାଧାରଣତଃ ନଡି଼ଆ ପାଣି ପାନାର୍ଥେ ଵ୍ଯଵହୃତ ନଳାକାର ମୋଟ ଓ ଚାରି ଆଙ୍ଗୁଳ ଲମ୍ବ ହୁଅନ୍ତି। କିନ୍ତୁ ପାର୍ଵତ୍ଯ ଦେଶରେ ଏମାନେ ଅଧ ଇଞ୍ଜ ଵ୍ଯାସଵିଶିଷ୍ଟ ଓ ୧୨ ଆଙ୍ଗୁଳ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରନ୍ତି ।

ଏମାନଙ୍କ ଦେହରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଅଛି। ପିଲାମାନେ ଭୁଲରେ ଏହି ପୋକକୁ ପାଟିରେ ପୁରାଇ ଦେଲେ ପାଟି ନାଲ ହୋଇ ଘା ହେଇଯାଏ । ତେଲୁଣି ପୋକ ଭୁଲରେ ମଣିଷର କାନ ମଧ୍ୟରେ ପଶିଗଲେ କାନ ପଚିଯିଵା ମଧ୍ୟ ଶୁଣାଯାଏ । 

ଓଡ଼ିଶାରେ ସାଧାରଣତଃ ଚାରି ପାଞ୍ଚ ପ୍ରକାରର ତେଲୁଣି ପୋକ ଦେଖାଯାଆନ୍ତି ଏଵଂ ଏକ ଫୁଟ ପର୍ଯ୍ୟନ୍ତ ବଢନ୍ତି ।ବ୍ଯାସ ଅଧ ଇଞ୍ଚ ହୋଇଥାଏ । ସାଧାରଣ ତେଲୁଣି ପୋକର ଵର୍ଣ୍ଣ କଳା ଓ ନାଲିଆ ମିଶା। ଅନ୍ୟ ଏକ ଜାତୀୟ ତେଲୁଣି ପୋକ କେଵଳ ନାଲି ହୋଇଥାଏ । ଏକ ଜାତୀୟ ତେଲୁଣି ପୋକ ସମ୍ପୂର୍ଣ୍ଣ କଳା ରଙ୍ଗର ହୋଇଥାଏ(ଗଉଡୁଣୀ ପୋକ ନୁହେଁ) । ଏକ ଜାତୀୟ ତେଲୁଣି ପୋକ କଳା ଓ ନାଲି ଡୋରିଆ ଯୁକ୍ତ ହେଲାଵେଳେ ଆଉ ଏକ ଜାତୀୟ ତେଲୁଣି ପୋକ ରିବିରିବିଆ କଳା ଓ ନାଲିଆ ଦାଗ ହୋଇଥାଆନ୍ତି ।

ଏ ପୋକକୁ ଇଂରାଜୀରେ galley worm ଓ Millipedes କୁହାଯାଏ । ଏମାନଙ୍କର ୧୨୦୦ରୁ ଅଧିକ ପ୍ରଜାତି ସାରା ଵିଶ୍ଵରେ ରହିଅଛି। କିଛି ତେଲୁଣି ପୋକ ହୋଇଥିଵାଵେଳେ ଆଉ କେତେକ ମାଂସାସୀ ହୋଇଥାଆନ୍ତି । ମୃତ ଜୀଵଙ୍କୁ ଖାଉଥିଵା ତେଲୁଣି ପୋକ ପ୍ରଜାତି ବି ରହିଛି । ମଣିଷ ଦେହରେ ଭୁଲଵଶତଃ ତେଲୁଣି ପୋକ ପସିଗଲେ ଏଇଭଳି ଭାବେ ଭୀଷଣ କ୍ଷତି ଘଟାନ୍ତି । ଆଗକାଳରେ ତେଲୁଣି ପୋକ ପସି ଲୋକେ ମରିଯାଉଥିଵାର ମଧ୍ୟ ଶୁଣାଯାଏ । ଏମାନଙ୍କ ଶରୀର ଅନେକ ଖଣ୍ଡକୁ ନେଇ ଗଠିତ ହୋଇଥାଏ ଓ ପ୍ରତ୍ଯେକ ଖଣ୍ଡରେ ଏକ ଯୋଡା଼ ପାଦ ଥାଏ ଓ ଏହି ଖଣ୍ଡର ସଂଖ୍ୟା ୧୦୦ରୁ ଅଧିକ ମଧ୍ୟ ହୋଇପାରେ ! 

ପ୍ରାୟ ଅନେକ ପଦଯୁକ୍ତ ହୁଅନ୍ତି ବୋଲି ଏମାନଙ୍କୁ ଶତପଦୀ ମଧ୍ୟ କୁହାଯାଏ । ତେଲୁଣି ପୋକ ନିଜ ରକ୍ଷା ହେତୁ ଏକ ପ୍ରକାରର ଗନ୍ଧଯୁକ୍ତ ରସାୟନ ଛାଡ଼ନ୍ତି ଯାହା ଅମ୍ଳୀୟ ପ୍ରକୃତିର ହୋଇଥାଏ । ଏହି ରସାୟନ ଯୋଗୁଁ ଶିକାରୀଙ୍କ ଉପରେ ତାହାର ହାନିକାରକ ପ୍ରଭାଵ ପଡି଼ଥାଏ । ତେଲୁଣି ପୋକ କେଞ୍ଚୁଅ ଵା ଜିଆଙ୍କ ପରି ମାଟି ଉର୍ଵର କରିଵାରେ ସାହାଯ୍ୟ କରିଥାନ୍ତି । କ୍ଷାରୀୟ ମାଟିକୁ ଚାଷୋପଯୋଗୀ କରିଵାରେ ଏମାନଙ୍କର ବଡ଼ ଯୋଗଦାନ ରହିଛି ତେଣୁ ଏମାନଙ୍କୁ କେଞ୍ଚୁଅଙ୍କ ପରି  ଧରିତ୍ରୀମିତ୍ର ଅଭିହିତ କରାଯାଏ । ତେଵେ କେତେକ ଜାତୀୟ ତେଲୁଣି ପୋକ ପର୍ଣ୍ଣଭୋଜୀ ହୋଇଥିଵା ହେତୁ ଶସ୍ଯକ୍ଷେତ୍ରରେ ହାନୀ ବି ଘଟାଇ ଥାଆନ୍ତି ।

ତେଲୁଣି ଵା ତୈଳିନୀ ପୋକକୁ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଵିଭିନ୍ନ ନାମରେ ଜଣାଯାଏ ।

ଯଥା–
୧)କେଞ୍ଚିଡୀ଼ ପୋକ(ଦେଓଗଡ଼)

କେଞ୍ଚୁଅ ପୋକ ଆକାର ଓ ପରି ହୋଇଥିଵା ହେତୁ ଏ ପୋକକୁ କେଞ୍ଚିଡୀ ପୋକ କୁହାଯାଏ

୨)ମଳା କେଚେଣ୍ଡି/କେଚେଣ୍ଡି ପୋକ(ବାଲେଶ୍ଵର)

କେଞ୍ଚୁଅ ଓ କେଞ୍ଚିଡୀ ଶବ୍ଦର ଅନ୍ୟ ଏକ ରୂପ କେଚେଣ୍ଡି ଅଟେ ।

୩)ଗମ୍ ପୋକ,ଗହ୍ମା ପୋକ,ଗହମ୍ ପୋକ(ଗଡ଼ଜାତ),ଗମା ପୋକ(ଢେଙ୍କାନାଳ)

ଗହ୍ମା ମାସ ଅର୍ଥାତ୍ ଶ୍ରାଵଣ ମାସରେ ସାଧାରଣତଃ ଏ ପୋକର ପ୍ରାଦୁର୍ଭାଵ ଅଧିକ ହେଉଥିଵା ହେତୁ ଏ ପୋକକୁ ଗହ୍ମା,ଗମ୍ ଓ ଗମା ପୋକ ଆଦି କୁହାଯାଇଥାଏ ।

୪)ଗୋମ୍ କୀଡା଼(ଭତ୍ରୀ ଓଡ଼ିଆ,ଵସ୍ତର)

ଓଡ଼ିଶାର ଶେଷ ସୀମାରେ ମଧ୍ୟ ଉତ୍କଳୀୟ ସଂସ୍କୃତିର ନିଦର୍ଶନ ସ୍ଵରୂପ ସେଇ ଗହ୍ମା ମାସର ନାମାନୁସାରେ ନାମିତ ଗହ୍ମାପୋକର ପରିଵର୍ତ୍ତିତ ନାମ ଗୋମ୍ କୀଡା଼ ଆଜି ବି ଭତ୍ରୀ ଭାଷାରେ ଚଳୁଅଛି ।

୫)ଚାରଣୀ ପୋକ(ଢେଙ୍କାନାଳ,କଟକ)

ଢେଙ୍କାନାଳ ଓ କଟକରେ ତେଲୁଣି ପୋକକୁ ଚାରଣୀ ପୋକ କହିଥାଆନ୍ତି । ସାଧାରଣତଃ ଲମ୍ବ ହୋଇ ଚାଲୁଥିଵା ଏ ଶତପଦୀ ଜୀଵ ଦେହରେ ହାତ ବଜେଇ ଦେଲେ ତାହା ହଟାତ୍ ପ୍ରତିକ୍ରିୟାଶୀଳ ହୋଇ ମୁଣ୍ଡଳାକାର ହୋଇ ରକ୍ଷାତ୍ମକ ହୁଏ । ସେତେଵେଳେ ଏହା ଠିକ୍ ଚାରଣୀ ପଇସା ଆକାରର ହେଉଥିଵା ହେତୁ ଏହାର ଏକ ନାମ ଚାରଣୀ ପୋକ ହୋଇଅଛି ।

୬)ନଳା ପୋକ(ଗଞ୍ଜାମ)
ଗଞ୍ଜାମରେ ତେଲୁଣି ପୋକକୁ ନଳାପୋକ କୁହାଯାଏ । ଏ ପୋକ ନଳ ଆକାରର ଏଵଂ ଶତପଦରେ ଚାଲିଲାଵେଳେ ନଳ ଭଳି ଦୃଶ୍ୟ ହୁଏ ବୋଲି ସମ୍ଭଵତଃ ଏଭଳି ନାମକରଣ ହୋଇଛି ।

୭)ଗେଣ୍ଡୁମଳା(ଦକ୍ଷିଣୀ ଓଡ଼ିଆ)
ମୁଣ୍ଡୁଳା ମାରିଵାକୁ ଓଡ଼ିଆ ଭାଷାରେ ମଳା କୁହାଯାଏ । ଓଡ଼ିଆଭାଷାରେ ଗଣ୍ଡୁପଦ,ଗଣ୍ଡୁପଦୀ ଓ ଗଡୁ଼ ଶବ୍ଦର ଅର୍ଥ ଜିଆ ଅଟେ ।  ସମ୍ଭଵତଃ ଏ ଶବ୍ଦ ଦକ୍ଷିଣ ଓଡ଼ିଶାରେ ଗେଣ୍ଡୁ ହୋଇଅଛି ଏଵଂ ଜିଆ ଆକାର ପ୍ରକାରର ଯୋଉ ଶତପଦୀ ଜୀଵ ଆଘାତ ପାଇଲେ ମଳା, ମନ୍ଦା ଵା ମୁଣ୍ଡଳା ମାରିଦିଏ ତାକୁ ଗେଣ୍ଡୁମାଳ କୁହାଯାଉଛି ।

୮)ପଇସା ପୋକ(ଅନୁଗୁଳ,ଗଡ଼ଜାତ)
ଏ ପୋକ ଆଘାତ ପାଇଲେ ପଇସା ଆକରର ହୋଇଯାଏ ବୋଲି ଏହାର ଏକ ନାମ ପଇସା ପୋକ ହୋଇଥିଵା ସହଜେ ଅନୁମେୟ ।

ସେଇଭଳି ଉତ୍ତର ଭାରତରେ ଏ ପୋକର ଵିଭିନ୍ନ ନାମ ପ୍ରଚଳିତ ।  ମଧ୍ଯପ୍ରଦେଶର ମାଳଵାଞ୍ଚଳରେ ଏ ପୋକ ରେଳ ଗାଡି଼ ଭଳି ଦେଖାଯାଏ ବୋଲି ଏହାକୁ ରେଲ୍ କୁହାଯାଏ । କେଉଁଠି କେଉଁଠି ରେଲ୍ ଗାଡୀ ଓ ଲୀଲୀ ଘୋଡି଼ ବି କୁହନ୍ତି ।

ତୈଳିନୀ ଓ ତେଲୁଣି ଶବ୍ଦ ସହ ସମଦ୍ଧୃତ ତେଲନ୍ ଶବ୍ଦ ଛତିଶଗଡ଼ ଅଞ୍ଚଳର ଲରିଆ ଭାଷାରେ ଚଳୁଅଛି । ନିମାଡ଼ରେ ତେଲୁଣି ପୋକକୁ ବାନିୟା କୁହାଯାଏ ।

ତେଵେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଏ ପୋକକୁ  ଗଜାଈ,ଗିଜାଈ,ଗିଝାଈ,ଗଜାଈ,ଗିଂଜାଇ, ଗୀଜ୍ ଗୀଜାଈ ଓ ଗୋଜର ଆଦି କୁହାଯାଏ। ଏ ସମସ୍ତ ଶବ୍ଦଗୁଡ଼ିକ ସମ୍ଭଵତଃ କୌଣସି ଏକ ମୂଳରୁ ଜାତ ହୋଇଥିଵେ ତେଣୁ ପାରସ୍ପରିକ ସାମ୍ଯତା ଦୃଶ୍ୟ ହୋଇଥାଏ । ସମ୍ଭଵତଃ ଏହା ଗଜରା ଶବ୍ଦ ସମଦ୍ଧୃତ ହୋଇଥିଵ କାରଣ ଏହା ଆଘାତ ପାଇଲେ ଯାକି ହୋଇଯାଏ  ଓ ସ୍ତ୍ରୀଙ୍କର ଖୋସାରେ ଗଜରା ଭଳି ଦୃଶ୍ୟ ହୁଏ ।

ତେଲୁଣି ପୋକକୁ ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ  ଧିନାଇଁ,ଗାୟ୍ ଗ୍ଵାଲନ୍,ଗ୍ଵାଲିନ୍,ଭୁଇଲୀ(ଭୋଜପୁରୀ),
ଗାଁଡଗୌଵାର(ଝାଡ଼ଖଣ୍ଡ) ଓ ଗଣଗୋଆର(ବିହାର) ଇତ୍ୟାଦି ମଧ୍ୟ କୁହାଯାଇଥାଏ ।

ଆପଣଙ୍କ ଅଞ୍ଚଳରେ ତେଲୁଣି ପୋକକୁ କ'ଣ କୁହନ୍ତି ଜାଣିଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...