Saturday, June 6, 2020

ଖୁଚା,ଖୁଁଚା ଓ ଖୁଚିଵା

ଓଡ଼ିଶାରେ ଗୋଟାଏ ଶବ୍ଦର ସ୍ଥାନ ଵିଶେଷରେ ଭିନ୍ନ ଭିନ୍ନ ହୋଇଥାଇପାରେ । ପଶ୍ଚିମ ଓଡ଼ିଶାରେ ଖୁଚା ଶବ୍ଦର ଵିଭିନ୍ନ ଅର୍ଥ ଏହାର ଜ୍ଵଳନ୍ତ ଉଦାହରଣ ।

ଖୁଚା ଶବ୍ଦର ଅର୍ଥ କେତେକ ଅଞ୍ଚଳରେ ଅର୍ଥ କଚ୍ଛା ଏଵଂ ବହୁତ ସମ୍ଭଵ ଏହା କଚ୍ଛା ଶବ୍ଦର ସମ୍ବଲପୁରୀ ରୂପ କିଂଵା
ଯେହେତୁ କଚ୍ଛା କ୍ଷେତ୍ରରେ ପିନ୍ଧିଵା ଵସ୍ତ୍ରର ଗୋଟିଏ କାନିକୁ ନାହି ପାଖରୁ ନେଇ ପୁଡ଼ା ତଳେ ଗଳାଇ ଅଣ୍ଟା ପଛରେ ଖୋସାଯାଏ ତେଣୁ କଚ୍ଛାକୁ କେତେକ ଅଞ୍ଚଳରେ ଖୁଚା କୁହାଯାଉଥିଵ ।

 ସୁନ୍ଦରଗଡ ଓ ବରଗଡ଼ରେ  ଫସଲ କ୍ଷେତର ଶୂନ୍ୟସ୍ଥାନ ରୋପଣ ପାଇଁ ନୂଆ ପଲ୍ହା ରୋପଣ କରାଯିଵାକୁ ଖୁଚା କୁହାଯାଏ,କେଉଁଠି କେଉଁଠି ଏ ଶବ୍ଦ ଖୁଁଚା ହୋଇ ଚଳୁଥିଵା ଜଣାଯାଏ । ଏ ଶବ୍ଦ ଓଡ଼ିଆ କ୍ରିୟା ଖୁଞ୍ଚିଵା ସହିତ ସମଦ୍ଧୃତ । ଦୁଇଟି ରୁଆ ମଧ୍ୟରେଥିଵା ଖାଲି ସ୍ଥାନରେ  ଅନ୍ୟ ଗୋଟିଏ ରୁଆ ଗୁଞ୍ଜି କରି ପୂରାଇଵା ଵା ଗୁଞ୍ଜିଵାକୁ ଖୁଞ୍ଚିଵା କୁହାଯାଏ ।
ସେହି ହେତୁରୁ କଳାହାଣ୍ଡିରେ ରୋଇଵା ଵା ରୋପଣ କରିଵା ଅର୍ଥରେ ଖୁଚିଵା ଶବ୍ଦଟି ଵ୍ଯଵହୃତ ହେଉଅଛି । 

ସେଇଭଳି କହୁଣୀମାଡ଼କୁ  ଖୁଚାଁ କୁହାଯାଏ । ସାଧାରଣତଃ କହୁଣୀ ଦ୍ଵାରା ଦିଆଯିଵା ଆଘାତ ସେତେ ପୀଡା଼ଦାୟକ ନୁହେଁ । ଢେଙ୍କାନାଳରେ ଏହାକୁ ଡିହ ମାରିଵା କୁହାଯାଏ କିନ୍ତୁ
ପୂର୍ଵାଞ୍ଚଳରେ ବାଡି଼ ଆଦିର ମୂଳଦ୍ବାରା ଆଘାତ କରିବାକୁ ଡିହ ମାରିଵା କୁହାଯାଏ ।

କହୁଣୀରେ ମାରିବାକୁ କହୁଣିଵା,କହୁଣିପସା ଇତ୍ୟାଦି ମଧ୍ୟ କୁହନ୍ତି ।  କହୁଣୀର ଗଣ୍ଠିକୁ ଖଡ଼୍କ କୁହାଯାଏ ଓ ଏହାର ମୂଳଧାତୁ ଅଟେ ଖୁଡ୍ ଧାତୁ ସହିତ  । ସମ୍ଭଵତଃ ଏ ଶବ୍ଦ ଖଙ଼୍କ ଵା ଖୁଡ୍ ଧାତୁ ସହିତ ସମଦ୍ଧୃତ ହୋଇଥାଇପାରେ ।

ସେହିପରି ମୁଥ ମାରିଵାକୁ ଖୁନ୍ଦା ମାରିଵା କୁହାଯାଏ ଯାହା ସଂସ୍କୃତ କୃନ୍ଦ ଧାତୁ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଖୁଚା ଶବ୍ଦଟି ଖୁନ୍ଦା ସହିତ ମଧ୍ୟ ସମଦ୍ଧୃତ ହୋଇଥାଇପାରେ କାରଣ ଖୁନ୍ଦା ଶବ୍ଦରେ ନ ଅଛି ଯାହାର "ଣ" ସହିତ ଧ୍ଵନିତତ୍ଵଗତ ସମ୍ପର୍କ ରହିଛି ଓ ଏହା "ଡ" ରେ ପରିଵୃତ୍ତ ହୋଇପାରେ ! କ'ଣ ଶବ୍ଦ ଏହି ନିୟମରେ କଳାହାଣ୍ଡିରେ କାଡା଼ ଓ କାଁଡେ଼ ହୁଏ ।

ଖୁଚା ଶବ୍ଦ ସହିତ ଲାଗିଵା ଶବ୍ଦ ମିଶିଲେ ତାହାର ଅର୍ଥ  ବୌଦ୍ଧ ଅଞ୍ଚଳରେ ବଦଳିଯାଏ । କଣ୍ଟାଳିଆ ଵସ୍ତୁରେ ଲାଗି ଵସ୍ତ୍ର ଚିରିଵାକୁ ଖୁଚା ଲାଗଵା କୁହାଯାଏ ।  ସାଧାରଣତଃ ଆମ ଗଡ଼ଜାତିଆ ବାଡ଼ କଣ୍ଟାଳିଆ ହୋଇଥାଏ । ସମ୍ଭଵତଃ ଏ ଶବ୍ଦର ସମ୍ବନ୍ଧ ଖୁଣ୍ଟ ଲାଗିଵା ସହିତ ରହିଛି କାରଣ ପଶ୍ଚିମ ଓଡ଼ିଶାରେ ବାଡ଼ ଦେଵାପାଇଁ ଯେଉଁ ଖୁଣ୍ଟ ଵ୍ଯଵହୃତ ହୁଏ ତାକୁ
ଖୁଁଚି କୁହାଯାଏ । କେଉଁଠି କେଉଁଠି ଆଖୁ ଗଛକୁ ଠିଆ ରଖିଵାପାଇଁ ଯେଉଁ ଖୁଣ୍ଟ ପୋତାଯାଏ ତାକୁ ବି ଖୁଁଚି କୁହନ୍ତି ।

ସେଇମିତି ଯଦି ଖୁଚା ସହିତ ଦେଵା ଶବ୍ଦ ଯୁକ୍ତ ହୁଏ ତେଵେ ତାହାର ଅର୍ଥ ଭିନ୍ନ ହୋଇଯାଏ ଵା  ବଦଳିଯାଏ । ଏ ଅଞ୍ଚଳରେ ଖୁଚାଦେଵା ଶବ୍ଦଟି ଉଲୁଗୁଣା ଦେଵା ଅର୍ଥରେ ଵ୍ଯଵହୃତ ହୋଇଥାଏ । ଗାଳି,ଗଞ୍ଜଣା ଓ ଖୁଣ୍ଟୁଣା ଦେଵାକୁ ଉଲଗୁଣା ଦେଵା କୁହନ୍ତି । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଉଲୁଗୁଣା ଵା ଉଲଗୁଣା ଶବ୍ଦର ଏଇ ତିନି ଅର୍ଥରେ ଵିଶେଷ ଵ୍ଯଵହାର ରହିଆସିଛି । ବହୁତ ସମ୍ଭଵ ଖୁଚା ଦେଵା ଶବ୍ଦଟି ତେଣୁ ଓଡ଼ିଆ ଖୁଣ୍ଟା ଦେଵା ସହିତ ସମଦ୍ଧୃତ ଅଟଇ ।

ଯଦି ଖୁଚା ଶବ୍ଦର ଏକ ଅର୍ଥ ଖୋସା ଅର୍ଥାତ୍ ଯାହା ଖୋସା ଯାଇଛି । ପଶ୍ଚିମ ଓଡ଼ିଶା ଓଡ଼ିଶାରେ ଏଇଥିପାଇଁ ଖୁଚିଵା/ଖୁଁଚିଵା କ୍ରିୟାଟି ଖୋସିବା; ଭିତରକୁ ମାଡ଼ି ଗୁଞ୍ଜିବା ଅର୍ଥରେ ଚଳୁଅଛି ଯାହା ଓଡ଼ିଆ ଖୋସିଵା କ୍ରିୟା ସହିତ ସମଦ୍ଧୃତ ଅଟେ ।

ମୋଟ ଉପରେ କହିଵାକୁ ଗଲେ ଆମ ରାଜ୍ୟରେ ଶବ୍ଦ ଯେତେ ଭିନ୍ନ ଦେଖାଗଲେହେଁ କୌଣସି ନା କୌଣସି ଦିଗରୁ ତାହାର ଶବ୍ଦ ସମ୍ପର୍କ ବାହାରି ହିଁ ଥାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...