Sunday, April 30, 2023

•ଗୋଵର ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର•





ଆଜିକାଲି ଆଉ ଅଧିକାଂଶତଃ ଗୋଵର ଦ୍ଵାରା ଘର ଲିପା ହେଉନାହିଁ କାରଣ ଚାରିଆଡ଼େ ଏବେ କୋଠାଘର ହୋଇଗଲାଣି ତେବେ ଗ୍ରାମାଞ୍ଚଳରେ ଵିଶେଷ ପୂଜା ପର୍ଵ ପାର୍ଵଣ ପୂର୍ଵରୁ କାଁ ଭାଁ କେହି କେହି ଗୋଵର ଦ୍ଵାରା ଘର ଲିପୁଛନ୍ତି । ଆଗକାଳରେ ଗୋଵରରେ ଲିପାପୋଛାକୁ ନେଇ ଆମ ଭାଷାରେ ଅନେକ ଶବ୍ଦ ଚଳୁଥିଲା ହେଲେ ଏହି ପରମ୍ପରା ଧିରେ ଧିରେ ସମାଜରୁ ଅପସରି ଯାଉଥିଵାରୁ ସେ ଶବ୍ଦ ସବୁ ମଧ୍ୟ ଲୋପ ପାଇଯାଉଛି ।

କୌଣସି ଅପରିଷ୍କୃତ ସ୍ଥାନକୁ ଗୋଵର ଲଗାଇ ଲିପିଵାକୁ ଗୋଵର ଲଗାଇଵା କୁହାଯାଉଥିଲା ପୁଣି ଲକ୍ଷଣାର୍ଥ ଏ ଶବ୍ଦ କୌଣସି କାର୍ଯ୍ୟରେ ଭୁଲଭଟକା ରଖିଵା ଵା ତନ୍ତରମାଧିଆ କରି କାର୍ଯ୍ୟ କରିଵା ଅର୍ଥରେ ବି ଵ୍ଯଵହୃତ ହେଉଥିଲା । 

ଦୈନିକ କାର୍ଯ୍ୟ ସ୍ୱରୂପ ଵିଶେଷତଃ ପର୍ଵପର୍ଵାଣିରେ ଘରର ଦୁଆରମୁହଁ ପାଖ ଗୋଵରମିଶା ପାଣିରେ ଲିପିଵାକୁ କଟକାଞ୍ଚଳରେ ଚଉକା ଦେଵା କୁହାଯାଉଥିଲା । କେତେକ ଅଞ୍ଚଳରେ ପାକ ପୂର୍ଵରୁ ଚୂଲିର ଚାରିପାଖ ଗୋଵରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିଵାକୁ ମଧ୍ୟ ଲୋକେ ଚଉକା ଦେଵା କହୁଥିଲେ ।‌ ଉତ୍ତର ଓଡ଼ିଶାରେ ଗୋଵରରେ ଘର ଲିପିଵାକୁ ଛଁଚ୍ କୁହାଯାଉଥିଲା ।‌ ଉପକୂଳଵର୍ତ୍ତୀ ଓଡ଼ିଶାରେ ମାଟିଘରର ତଳରେ ମାଟିଗୋଵରପାଣି ଅଳ୍ପ ଅଳ୍ପ ଛିଞ୍ଚି କନାରେ ଲିପିଵାକୁ ଛିଞ୍ଚ ଦେଵା କୁହାଯାଉଥିଲା। ଏ ଶବ୍ଦ କେତେକ ଅଞ୍ଚଳରେ ଛୁଞ୍ଚ ଓ ଛୁଞ୍ଚ ଦେଵା ରୂପେ ବି ଚଳୁଥିଲା । ଵିଶେଷତଃ ସକାଳୁ ଗୋଵରପାଣିରେ ଅଗଣା ଆଦି ଲିପିଵାକୁ ଛୁଞ୍ଚ ଦେଵା କୁହାଯାଉଥିଲା । ସେହିପରି ଘର ଲିପିଵାର କନାକୁ ଆଗେ ଲୋକେ ମାଟି ଗୋଵରକନା, ଛିଞ୍ଚକନା ଓ ଛୁଞ୍ଚିକନା କହୁଥିଲେ ।‌ ପ୍ରତ୍ୟହ ସକାଳେ ଘର ଓ ଅଗଣାଆଦି ଲିପିଵାରେ ଵ୍ୟଵହୃତ ଗୋଵରପାଣିକୁ ଛୁଞ୍ଚପାଣି ଓ ନିତି ସକାଳେ ଘରଦ୍ୱାର ଲିପିଵା ପାଇଁ ଯେଉଁ ହାଣ୍ଡିରେ ମାଟିଗୋଵର ମିଶା ପାଣି ରଖାଯାଉଥିଲା ତାକୁ ଛୁଞ୍ଚହାଣ୍ଡି କହୁଥିଲେ ।‌

ମଧ୍ୟ ଗଡ଼ଜାତରେ ଲୋକେ ଗୋଵରରେ ଘର ଲିପିଵାକୁ ନିକା କହୁଥିଲେ ଏଵଂ ଆଜି ବି ଘର ଲିପିଵା , ସଜାଡି଼ଵା ଓ ବାଛିଵା ଅର୍ଥରେ ନିକେଇଵା ଶବ୍ଦ ଵ୍ୟଵହାର ହୋଇଥାଏ । 

ବାଲେଶ୍ଵରରେ ଆଗକାଳରେ ଲୋକମାନେ ଗୋଵର ଓ ପାଣିରେ ଘର ପୋଛିଵାକୁ ବୁରି ଦେଵା କହୁଥିଲେ । 

ଆଉ କେତେକ ଅଞ୍ଚଳରେ ଘରର ତଳକୁ ଓ କାନ୍ଥକୁ ଗୋଵର ଗୋଳା ପାଣିରେ ବୁଡ଼ା ହୋଇଥିଵା କନାପୁଡ଼ାରେ ଲିପିଵାକୁ ଲୁଣ୍ଡାଇଵା କୁହାଯାଉଥିଲା ।‌ଘର ଲିପିଵା ପାଇଁ ଵ୍ୟଵହୃତ ମାଟିଗୋଵରର ଏହି ଲୁଣ୍ଡାକୁ ସମ୍ବଲପୁରରେ ସର୍କା କହୁଥିଲେ । 

କୌଣସି ଫାଟକୁ ଗୋବର ବୋଳି ବନ୍ଦ କରିଵାକୁ ଗୋଵର ଲେସିଵା ଓ ଗୋଵର ଲଗାଇଵା କୁହାଯାଉଥିଲା । 
ପ୍ରତିଦିନ ସକାଳେ ଓଡ଼ିଶାର ସ୍ତ୍ରୀଲୋକମାନେ ଗାଈଗୁହାଳକୁ ପୋଛି ପରିଷ୍କାର କରୁଥିଲେ ଏଵଂ 
ଯେଉଁ ଟୋକେଇରେ ଗୁହାଳର ଗୋଵର ଓ ଅଳିଆ ପୂରାଇ ଵାହାରକୁ ଅର୍ଥାତ୍ ଖତଗଦା,ଗୋଵରଖାତ,ଗୋଵରଗଦା,ଗୋଵରଗାଡ଼ ଵା ଖତକୁଡ଼କୁ ନିଆଯାଉଥିଲା ତାକୁ ଗାଣ୍ଡୁଆ ଓ ଗୋଵରପୋଛା କହୁଥିଲେ । ଗୋଵର ପାଣିରେ ଲିପାପୋଛାକୁ ଅଧିକାଂଶ ଅଞ୍ଚଳରେ ଲିପିଵା ପୋଛିଵା କୁହାଯାଉଥିଲା ଯାହା ଆଜି ବି ଚଳୁଅଛି । 

କେଵଳ ଗାଈ ଗୋଵରରେ ଘର ଲିପା ଯାଉଥିଲା ଏଵଂ ଷଣ୍ଢ ଗୋଵର ଦ୍ୱାରା ଯଜ୍ଞ ଭୂମିଆଦି ଲିପିଵା ନିଷିଦ୍ଧ ଥିଵାରୁ “ଅଵ୍ୟଵହାର୍ଯ୍ୟ ପଦାର୍ଥ” ଅର୍ଥରେ ଲକ୍ଷଣାର୍ଥ "ଷଣ୍ଢଗୋଵର" ଶବ୍ଦ ବି ଵିଶେଷ ଵ୍ୟଵହାର ହେଉଥିଲା ।‌

ପ୍ରତିଦିନ ସକାଳେ ଗୃହର ଯେଉଁ ଯେଉଁ ଆଵଶ୍ୟକୀୟ କର୍ମ ଯଥା 
ଅଗଣାରେ ଗୋବର ପାଣି ଛିଞ୍ଚିଵା, ଘରଲିପିଵା, ଗତ କାଲିର ଅଇଁଠା ବାସନ ମାଜିଵା, ଦାଣ୍ଡ, ବାଡ଼ିଆଡ଼ ଓ ଅଗଣା ଓଳାଇଵା ଇତ୍ୟାଦି କରାଯାଉଥିଲା ତାକୁ ଓଡ଼ିଶାର ଲୋକେ 'ବାସୀ ଆଡ଼ତି' କହୁଥିଲେ । ରାନ୍ଧିବା ପୂର୍ଵରୁ ଚୁଲୀର ଚାରିପାଖ ଗୋଵରପାଣିରେ ଲିପି ପରିଷ୍କାର କରିଵାକୁ ଓଡ଼ିଆ ଲୋକେ ଚୂଲି ଚଉକା ଦେଵା କହୁଥିଲେ ।‌

ଆଜିକାଲି ତ ଅନେକ ସ୍ଥାନରେ ସିମେଣ୍ଟ ତିଆରି ଚଉରା କରାଯାଉଛି ତେବେ ଯୁଗ ଥିଲା ଉତ୍କଳର ସନାତନୀ ମହିଳାମାନେ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦେଉଥିଲେ ଆଉ କୁଳଵଧୂମାନେ ପ୍ରତିଦିନ ଏଵଂ ଵିଶେଷତଃ ଗୁରୁବାର, ଏକାଦଶୀ ଓ କାର୍ତ୍ତିକମାସରେ ସକାଳୁ ଉଠି ଗୋଵରପାଣିରେ ଚଉରାମୂଳକୁ ଲିପୁଥିଲେ । 


ଆଗକାଳରେ ଏମନ୍ତକି ନବେ ଦଶକ ପର୍ଯ୍ଯନ୍ତ ଓଡ଼ିଶାର ଅଧିକାଂଶ ଗ୍ରାମାଞ୍ଚଳରେ ସକାଳୁଁ ସ୍ତ୍ରୀଲୋକମାନେ ଅଗଣା ଓଳାଇ ଗୋଵରପାଣି ଛିଞ୍ଚୁଥିଲେ ଏଵଂ ତାକୁ ଛରା ଦେଵା ଓ ଛେରା ଦେଵା କହୁଥିଲେ ।‌ ଏହି ପ୍ରକିୟାକୁ ଛରା ଓ ଛେରା ମଧ୍ୟ କୁହାଯାଉଥିଲା ।‌ ସମ୍ବଲପୁର ଅଞ୍ଚଳରେ ଏହି ପରମ୍ପରାକୁ ଝୁଣ୍ଟି ଏଵଂ ସକାଳୁ ଦୁଆରେ ଗୋଵର ପାଣି ଛିଞ୍ଚିଵାକୁ ଝୁଣ୍ଟିଵା କହୁଥିଲେ । 

ଗୋଵର ମିଶା ପାଣି ଦ୍ଵାରା ଦାଣ୍ଡ ଆଗରେ ଠ ଆକାରର ଏକ ଗୋଲାଇ କରି ତହିଁରେ ଦେଵୀ ଦେଵତାଙ୍କୁ ପଣା ଦିଆଯାଉଥିଲା । ଆଜିକାଲି କେହି କେହି ଏହା ପରିଵର୍ତ୍ତେ ରଙ୍ଗ ମୁରୁଜ କରୁଛନ୍ତି । 

ଗୋଵର ଲିପାପୋଛା କରିଵାରେ ସର୍ଵାଧିକ ଯୋଗଦାନ ମହିଳାମାନଙ୍କର ଥିଲା ତେଣୁ ଯେଉଁ ସ୍ତ୍ରୀ ଅତିରିକ୍ତ ଭାବରେ ଆଚାର ନିଷ୍ଠା ପାଳନ କରୁଥିଲା ତାକୁ ଥଟ୍ଟା କରିଵାକୁ ଢଗ ପ୍ରଚଳିତ ହୋଇଥିଲା 

“ନିୟାମୀ ନାନୀ,ଦିହରେ ମାରୁଛି ଗୋଵର ପାଣି"

ଆଗକାଳରେ ଗୋଵର ପାଣିକୁ ଲିପିଵା ଛଡ଼ା ଅନ୍ୟ କାର୍ଯ୍ୟରେ ବି ଲଗାଯାଉଥିଲା ।‌ ଖଜୁରିପିଞ୍ଛକୁ ଗୋଵର ପାଣିରେ ବୁଡ଼ାଇ ତଦ୍ଦ୍ୱାରା ଧାନ ଗଛରେ ଗୋଵର ପାଣି ଛଟାଯାଉଥିଲା ଫଳତଃ ଗୋଵର ଧାନ ଗଛରେ ବୋଳି ହୋଇଯାଉଥିଲା ଏଵଂ ଗୋବର ଗନ୍ଧରେ ଗୋରୁ ଉକ୍ତ ଧାନ ଗଛକୁ ଖାଉନଥିଲେ । ଏହି ପ୍ରକ୍ରିୟାକୁ ପିଛଦେଵା ଓ ପିଞ୍ଛ ମାରିଵା ମଧ୍ୟ କୁହାଯାଉଥିଲା।

ଗୋବର ଓଦା ଥିଵା ଅବସ୍ଥାରେ ତାକୁ ଚକଟି ହାତରେ ପିଠା ପରି ବଳି ତାହା ଖରାରେ ଶୁଖିବା ପାଇଁ ଭୂମିରେ ବା କାନ୍ଥରେ ଥାପିଵାକୁ ଘଷିପାଡି଼ଵା ଵା ଘଷିପାରିଵା କୁହାଯାଉଥିଲା ଏଵଂ ଏହି କାର୍ଯ୍ୟ କରୁଥିଵା ଵ୍ୟକ୍ତିଙ୍କୁ ଘଷି ପରାଳି କହୁଥିଲେ । କରତଳ ଦ୍ୱାରା ଚାପି ଗୋଵରକୁ ଚକ୍ରାକାର କରି ଭୂମିରେ ଵା କାନ୍ଥରେ ଘସି ପାରିଵାକୁ ଚାପଡ଼ାଇଵା କୁହାଯାଉଥିଲା । କେତେକ ଅଞ୍ଚଳରେ ଘଷି କରିଵା ପାଇଁ ଗୋଵରକୁ ପିଠା ପରି ଭୂମିରେ ବସାଇଵାକୁ ତାରିଵା,ଥାପିଵା ବି କହୁଥିଲେ । 

ଯାଜପୁରରେ ଗାଈ ଵା ବଳଦ ଵିକ୍ରି କରିଵା ବେଳେ, ଵିକ୍ରେତା କ୍ରେତାକୁ ଟିକିଏ ମାଟିଗୋଵର ଓ କେରାଏ ଦୁବ ଘାସ ଦେଉଥିଲା ତାକୁ ଛୁତ ଦେଵା କୁହାଯାଉଥିଲା। 

ରସାୟନିକ ସାର ଵ୍ୟଵହାର ପୂର୍ଵରୁ ଗୋଵର ଥିଲା କୃଷିକ୍ଷେତ୍ରର ମୁଖ୍ୟ ଜୈଵିକ ଖତ । ଗୋଵରକୁ କିଏ ଖରସୀ କିଏ ଖତ ତ ଆଉ କିଏ ଗୁଵର କହୁଥିଲେ । ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ନାନା ନାମ ପ୍ରଚଳିତ ଥିଲା । କୃଷିକ୍ଷେତ୍ରକୁ ଖତଗଦାରୁ ଶଗଡ଼ରେ ଡୋଲି ଯୋଗେ ଗାଡ଼ି ଗାଡ଼ି ଗୋଵର ପକାଯାଉଥିଲା । ଗୋରୁ ମଇଁଷିଙ୍କ ଗୋଵର ଓ ମୂତକୁ ବିଲରେ ସାରରୂପେ ସମ୍ପାଦିଵା ଉଦ୍ଦେଶ୍ୟରେ ଗୋରୁ ଵା ମଇଁଷି ପଲଙ୍କୁ ନେଇ କ୍ଷେତ୍ରସ୍ୱାମୀଙ୍କ ବିଲରେ ରାତିରେ ଗଉଡ଼ ପକାଇଵା ପ୍ରକ୍ରିୟା ମଧ୍ୟ ହେଉଥିଲା ଯାହାକୁ ଆଗକାଳର ଲୋକେ ମଳେଇ କହୁଥିଲେ । 

କିନ୍ତୁ ନବେ ଦଶକ ପରେ ସବୁକିଛି ବଦଳି ଗଲା । ଆଧୁନିକ ଭାରତୀୟଙ୍କ ଘରେ ଘରେ ଟିଵି ଓ ପରେ ମୋଵାଇଲ ଆସିଗଲା । ସରକାରୀ ସାହାଯ୍ୟରୁ ଆଵାସ ଯୋଜନା ଦ୍ଵାରା ପକ୍କାଘର ମିଳିଲା କେହି କେହି ନିଜ ଉଦ୍ୟମରେ କୋଟାଘର କଲେ । ଲୋକେ କ୍ରମଶଃ ପଶ୍ଚିମ ସଭ୍ୟତା ଦ୍ଵାରା ପ୍ରଭାଵିତ ହେଲେ ଏଵଂ ବିଲରେ କାର୍ଯ୍ୟ କରିଵା ତଥା ଗୋପାଳନ ପ୍ରତି ଵିମୁଖ ହେଲେ । ମୁଖ୍ୟତଃ ପଶୁ ଖାଦ୍ୟ ଯୋଗାଡ଼ ନକରିପାରିଵାରୁ ନବେ ଦଶକ ପରେ ଧିରେ ଧିରେ ଗୋପାଳନ କମି କମି ଗଲା । ଇତି ମଧ୍ୟରେ ଗ୍ରାମାଞ୍ଚଳରେ ଟ୍ରାକ୍ଟର୍,ଧାନ କଟା ଯନ୍ତ୍ର ଓ ବେଙ୍ଗଳା ଯନ୍ତ୍ର ଇତ୍ୟାଦି ବହୁପ୍ରଚଳିତ ହୋଇଗଲା ଆଉ ସର୍ଵ ଶେଷରେ ରସାୟନିକ ସାର ତଥା କୀଟନାଶକର ବହୁଳ ଵ୍ୟଵହାର ଯୋଗୁଁ ଗାଈ,ବଳଦ ଆଉ ଗୋଵରର ଆଵଶ୍ୟକତା ରହିଲା ନାହିଁ ‌। 
ଗୋଵର ଦ୍ଵାରା ଲିପିଵା ଓ ଗୋଵରର ଅନ୍ୟାନ୍ୟ ଜଣାଶୁଣା ଵ୍ୟଵହାର ଆଜି ବହୁତ କମି ଯାଇଛି । ନୂଆ ଭୁଆସୁଣୀମାନେ ଆଉ ଗୁହାଳ ପୋଛୁନାହାନ୍ତି,ଗୋଵର ଲିପୁନାହାନ୍ତି କି କୃଷକମାନେ ଖଜୁରିପିଞ୍ଚରେ ଗୋଵର ପାଣି ଛିଞ୍ଚି ନିଜ ଧାନଗଛକୁ ସୁରକ୍ଷିତ କରୁନାହାନ୍ତି । କୃଷିକ୍ଷେତ୍ରରେ ଆଗ ଭଳି ଜୈଵିକ ଗୋଵର ଵା ଖତ ପକାଇ ତାକୁ ଉର୍ଵର କରାଯାଉନାହିଁ । 

ହଁ ପରମ୍ପରା ନାମରେ କୋଉଠି କେମିତି କେହି କେହି ମଧ୍ୟ ଵୟସ୍କା ଓ ଵୟସ୍କା ମହିଳାମାନେ ଗୋଵରରେ ଲିପାପୋଛା କରି ଦିଅନ୍ତି । ଆଉ କ'ଣ ଗୋଵରର ଦିନକାଳ ଫେରିଵ ନା ଗୋଵର ସମ୍ବନ୍ଧୀୟ ଏସବୁ ଓଡ଼ିଆ ଶବ୍ଦ ସମ୍ଭାର ଆଉ ବଞ୍ଚି ରହିପାରିଵ ?

Saturday, April 29, 2023

•“ସନ୍ତାନର ଉକ୍ତି” ଏକ ଅମର କୃତି•

ଉତ୍କଳ ଗୌରଵ ମଧୁସୂଦନ ଦାସଙ୍କର "ସନ୍ତାନର ଉକ୍ତି" କଵିତାଟି ପ୍ରକୃତରେ ଉତ୍କଳ ସନ୍ତାନର ଉକ୍ତି ଅଭିହିତ ହେଵା କଥା । ଏ କଵିତାରେ ଜଣେ "ଉତ୍କଳ ସନ୍ତାନ" ନିଜ ମାତୃଭୂମି ଓ ମାତୃଭାଷାର ଦୁଃସ୍ଥିତି ଦେଖି ଦୁଃଖ ପ୍ରକାଶ କରିଵା ସହିତ ଏହା ଵିପକ୍ଷରେ ସ୍ବରୋତ୍ତଳନ ପାଇଁ ଆହ୍ଵାନ ମଧ୍ୟ କରିଛି । କଵିତାର ଆରମ୍ଭରେ କଵି ନିଜ ମାତୃଭୂମି ଓ ମାତୃଭାଷାର ଦୁର୍ଦ୍ଦଶା ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...

“ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି ।”

ଏଠାରେ ମାଆ ବୋଇଲେ ପ୍ରକୃତରେ ମଧୁବାବୁ ଉତ୍କଳ ମାତା ଆଉ ଭାଇ ବୋଲେ ଓଡ଼ିଆ ସ୍ଵାଭିମାନୀ ଜାତିଭାଇଙ୍କ କଥା କହିଛନ୍ତି ।‌

ମଧୁବାବୁଙ୍କ ସମୟରେ ଓଡ଼ିଶା ତିନିଭାଗ ହୋଇ ତିନୋଟି ରାଜ୍ୟରେ ବାଣ୍ଟି ହୋଇ ରହିଥିଲା ସେତେବେଳେ ଓଡ଼ିଶା ଥାଇ ବି ତାହାର ଅସ୍ତିତ୍ବ ନଥିଲା । ସେତେବେଳେ ଓଡ଼ିଶାରେ ଓଡ଼ିଆମାନେ ଘରୁ ବାହାରିଲେ କାର୍ଯ୍ୟାଳୟରେ ହାଟରେ ବାଟରେ ଅଣଓଡ଼ିଆଙ୍କ ସହିତ ହିନ୍ଦୀ ବଙ୍ଗଳା ଇଂରାଜୀ ଭାଷାରେ କଥା ହେଵାକୁ ବାଧ୍ୟ ହେଉଥିଲେ । ଅଣଓଡ଼ିଆଙ୍କ ଭାଷାରେ ପାଠ ପଢ଼ୁଥିଲେ ଏଵଂ ଓଡ଼ିଆ ଭାଷାରେ ସମ୍ବାଦପତ୍ର କି ପୁସ୍ତକ ସେ ଯୁଗରେ ଛପୁନଥିଲା । ଓଡ଼ିଆ ଜାତି ଭାଷା ମାଟି ସଂସ୍କୃତି ପାଇଁ ସେ ଥିଲା ଅନ୍ଧାରୀ ଯୁଗ । 
ମଧୁବାବୁଙ୍କ ସମୟରେ ଓଡ଼ିଶାରେ ଓଡ଼ିଆ ଜାତି ଥାଇ ମଧ୍ୟ ନଥିଲା ଭଳି ଲାଗୁଥିଲା ଯେମିତି ଆଜି ଭୁବନେଶ୍ୱର କଟକ ଗଲେ ଲାଗୁଛି ତାହା ଓଡ଼ିଶାର ନୁହେଁ ଵରଂ ଉତ୍ତର ପ୍ରଦେଶ କି ବିହାରର ନଗର ! 

ସେଥିପାଇଁ ମଧୁବାବୁ ତାପରେ ଲେଖିଲେ ...

“ଖୋଜିଲି ଅରଣ୍ୟେ ଜନସମାଜରେ
ଖୋଜିଲି ବାରିଧି ତଟ,
ସର୍ଵତ୍ର ଦେଖିଲି ମାତା ପଦଚିହ୍ନ
 ନ ହେଲା ମାତାର ଭେଟ ।
ଭୁବନେଶ୍ବରରେ ପଦଚିହ୍ନ ପରେ
 ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
 ହିନ୍ଦୁ ଜାତି ମଥା-ମଣି ।”

ଅର୍ଥାତ୍ ପରାଧୀନ ଓଡ଼ିଶାରେ ଉତ୍କଳ ମାତାର ପଦଚିହ୍ନ ସ୍ଵରୂପ ତାହାର ଭାଷା ସଂସ୍କୃତି ଐତିହ୍ୟ ଭାସ୍କର୍ଯ୍ୟ ମନ୍ଦିର ତ ସର୍ଵତ୍ର ରହିଛି କିନ୍ତୁ ତାକୁ ନେଇ ଯୋଉ ଜାତୀୟତାବୋଧ ଓ ସ୍ଵାଭିମାନ ଟିକିକ ରହିଵା କଥା ତାହା ଓଡ଼ିଆଙ୍କ ପାଖରେ ନାହିଁ । ଶ୍ରୀମନ୍ଦିର ଅଛି ଶ୍ରୀଜଗନ୍ନାଥ ଅଛନ୍ତି କିନ୍ତୁ ସହସ୍ରାଧିକ ଵର୍ଷ ଧରି ଯେଉଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଆମ କାଳିଙ୍ଗ୍ୟ ଜାତୀୟବୋଧ ରୂପ ଦୁର୍ଗ ରହିଥିଲା ତାହା ଆଉ ନାହିଁ । 
ହଁ ସେହି ଜାତୀୟତାବୋଧର ଅଭାବ ଯୋଗୁଁ ତ ଓଡ଼ିଶାର ଲୋକେ ଆଜି ନିଜର ସହସ୍ରାଧିକ ଵୀର ପୂର୍ଵପୁରୁଷଙ୍କୁ ପାଶୋରି ପରର ବୋପା ଜେଜେବାପାଙ୍କର ଜୟ ଜୟ କାର କରନ୍ତି ‌। ସ୍ଵାଭିମାନହୀନ ଜାତିର ଲୋକମାନେ ଥାଇ ବି Necromancer ଭଳି ଜାତୀୟତାବୋଧ ରୂପ ଆତ୍ମା ଵିହୀନ Zombie ସଦୃଶ ହୋଇଥାନ୍ତି । ଏଥିଯୋଗୁଁ ତ କୁହାଯାଇଛି "ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି” କାରଣ କେହି ଜାତୀୟତାବୋଧ ଯୁକ୍ତ ଓଡ଼ିଆ ଭାଇ ଥିଲେ ତ ଡାକ ଶୁଣନ୍ତେ ? 

ପୁଣି ଦେଖାଯାଏ ଯେତେବେଳେ କୌଣସି ଗୃହ,ଦେଶ ଓ ସମାଜରେ ନାରୀର ସମ୍ମାନ ହୁଏନାହିଁ ତହିଁରେ ରହୁଥିଵା ଲୋକେ ଵିପଥଗାମୀ ହୁଅନ୍ତି, ନଷ୍ଟ ଚରିତ୍ର ହୁଅନ୍ତି, ହୀନ ଵିଚାର ପୋଷଣ କରି ପଶୁଵତ୍ ବଞ୍ଚୁରୁହନ୍ତି । ତେଣୁ ମଧୁବାବୁ ଲେଖିଲେ...

“ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
          ଧରା ହୁଏ ଵିଦାରଣ,
ଅପମାନ ହେତୁ ସୀତା ଦେଵୀଙ୍କର
          ମହୀହୃଦେ ଵାସସ୍ଥାନ ।
ଅପମାନ ହେତୁ ଜନନୀ ମୋହର
           ଉତ୍କଳ ଭୂମଧ୍ୟଵାସୀ
ଉତ୍କଳର ମାଟି ପଵିତ୍ର ହୋଇଛି
          ସ୍ବର୍ଗାଦପି ଗରୀୟସୀ ।”

ଆଜିର ଅଵକ୍ଷୟମୁଖୀ ସମାଜରେ ନିତି ନାରୀ ନିର୍ଯ୍ୟାତନାର ଶିକାର ହେଉଛି । ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ଭାରତରେ ୮୬ଜଣ ମହିଳା ଆଉ ଓଡ଼ିଶାରେ ୯ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଯୋଉ ଦେଶରେ ନାରୀର ସମ୍ମାନ ହୁଏନାହିଁ ସେ ଦେଶରେ ନାରୀ ସ୍ଵରୂପା "ସର୍ଵ ଦେଶମାତା"ର ସମ୍ମାନ କିଏ ଵା କାହିଁକି କରିଵାକୁ ଯିଵ ? ସନ୍ତାନର ଉକ୍ତି କଵିତାରେ ସମାଜକୁ ଦିଆଯାଇଥିଵା ନାରୀ ସମ୍ମାନ ସମ୍ବନ୍ଧୀୟ ଵାର୍ତ୍ତା ଵିଷୟରେ ବୁଝିଵାକୁ ହେଲେ ତତ୍କାଳୀନ ସମାଜରେ ନାରୀର ସ୍ଥିତି ଵିଷୟରେ ଜାଣିଵା ନିତାନ୍ତ ଆଵଶ୍ୟକ ! 

ମଧୁସୂଦନଙ୍କ ସମୟରେ ସତୀଦାହ ପ୍ରଥା ନାମରେ ନାରୀମାନଙ୍କୁ ଜିଅନ୍ତା ଜଳାଇ ଦିଆଯାଉଥିଲା । ଅତି ଅଳ୍ପ ଵୟସରେ ନାରୀମାନଙ୍କୁ ଵିଵାହ କରି ଦିଆଯାଉଥିଲା । ନାରୀମାନଙ୍କ ପାଇଁ ଆମ ସମାଜରେ ଶିକ୍ଷାଦାନ ଵ୍ୟଵସ୍ଥା ନଥିଲା । ମଧୁବାବୁଙ୍କ ସମୟର ଭାରତରେ ନାରୀମାନେ ନିର୍ଯ୍ୟାତନାର ଶୃଙ୍ଖଳରେ ଆବଦ୍ଧ ହୋଇ ରହିଥିଲେ । ସେଥିପାଇଁ ତ ମଧୁବାବୁ କହିଲେ ଯେ ମୁଁ ଶୁଣିଛି ଶାସ୍ତ୍ରରେ ଲେଖାଅଛି ସତୀ ଅପମାନରେ ଧରା ଵିଦାରଣ ହୋଇଯାଏ ଯେମିତି ସୀତାଙ୍କର ଅପମାନ ଯୋଗୁଁ ଏ ମହୀ ଫାଟିଯାଇଥିଲା ଏଵଂ ମାତା ସୀତା ଧରଣୀମାତାଙ୍କ କୋଳକୁ ଲେଉଟି ଯାଇଥିଲେ । ସେହିପରି ଉତ୍କଳ ମାତାଙ୍କର ଏହି ଉତ୍କଳଵାସୀ ସନ୍ତାନମାନେ ନିଜ ମାତାର ସୁରକ୍ଷା କରିଵାରେ ଵିଫଳ ହେଵାରୁ ସେ ମଧ୍ୟ ଭୂମିଗତା ହୋଇଛନ୍ତି । ତେବେ ସେ ମାତା ଏବେବି ଅଛନ୍ତି ଆଉ ତାଙ୍କ ଦର୍ଶନ କେମିତି ପାଇଵା ତାହା ମଧୁବାବୁ ଏମନ୍ତ ଲେଖି ଜଣାଇଛନ୍ତି 
          
“ଜନନୀର ଦେଖା କରିଵାରେ ଇଚ୍ଛା
          ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
          ତା ଧୂଳି ଲେପ ଵଦନେ ।
ଵୀରପ୍ରସଵିନୀ କୋଟି ସୁତ ମାତା
           ପାଇଵ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
         ସନ୍ତାନ କଲେ ରୋଦନ ।
କୋଟିଏ ସନ୍ତାନ ଗୋଟିଏ ସ୍ବରରେ
          'ଜନନୀ' 'ଜନନୀ' ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
          ଯେସନେ ଡାକେ ଚାତକ ।
ଧନ, ମାନ, ଜନ ଯାହା ଉପାର୍ଜନ
           କରିଅଛ ଧରାତଳେ,
ହରଷିତ ମନେ କରତଵ୍ୟ ଜ୍ଞାନେ
           ଆଣିଦିଅ ଯଜ୍ଞସ୍ଥଳେ ।
ଜାତି-ପ୍ରେମ-ବହ୍ନି ପ୍ରଜ୍ଜ୍ବଳିତ କର
            ସ୍ବାର୍ଥକୁ ଦିଅ ଆହୁତି,
'ସ୍ବାର୍ଥମେଧ ଯଜ୍ଞେ' ଚାରିଆଡ଼େ ନାଚ
            ଛାତିକୁ ମିଶାଇ ଛାତି ।
ଭୂମିକମ୍ପ ହେଵ ଧରଣୀ ଫାଟିଵ
            ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
           କର ସେହି ପଦପୂଜା ।”

ଅର୍ଥାତ୍ ଭୂମିଗତା ଉତ୍କଳମାତା ଵା ପରାଧୀନା ଉତ୍କଳଭୂମିର ପୂର୍ଵ ସ୍ଥିତି ଫେରାଇ ଆଣିଵାକୁ ଚାହୁଁଥିଲେ ପ୍ରଥମେ ଏହି ଉତ୍କଳଭୂମିକୁ ମାତା ମନେ କରି ତାଙ୍କର କାୟ ମନୋ ଵାକ୍ଯରେ ସମ୍ମାନ କରିଵା ଶିଖ ଏଵ ନିଜ ହୃଦୟରେ କାଳିଙ୍ଗ୍ୟ ଜାତୀୟତାବୋଧ ଜାତ କର । ତେବେ ଜଣେ ଵା ହାତଗଣତି ସନ୍ତାନ ଜାତୀୟତାଵାଦୀ ହୋଇଗଲେ ଚଳିଵ ନାହିଁ ସାରା କଳିଙ୍ଗଵାସୀ କାଳିଙ୍ଗ୍ୟ ଜାତୀୟତାବୋଧରେ ଉଦବୋଧ ହେଵା ଆଵଶ୍ୟକ ବୋଲି ମଧୁବାବୁ କହିଛନ୍ତି । ସାରା କଳିଙ୍ଗଵାସୀ ଯୋଉଦିନଠାରୁ ନିଜ ମାତୃଭୂମିକୁ ମାତା ମନେକରି ଏକ ସ୍ଵରରେ ଜନନୀ ଜନନୀ ଡାକିବେ ଅର୍ଥାତ୍ କାଳିଙ୍ଗ୍ୟ ସ୍ବାଭିମାନୀ ହେବେ ଏଵଂ ନିଜର ଧନ ଜ୍ଞାନ ଜନ ମାନ ସମ୍ମାନ କ୍ଷମତାର ଉପଯୋଗ ସେହି ଜନନୀ ସେଵାରେ ଲଗାଇବେ ସେହିଦିନଠାରୁ ଏ ଦେଶରେ ଜାତି ପ୍ରୀତି ଵହ୍ନି ପ୍ରଜ୍ଵଳିତ ହେଵ,ସ୍ଵାର୍ଥକୁ ସ୍ଵାର୍ଥମେଧ ଯଜ୍ଞରେ ବଳି ଦିଆଯିଵ ଆଉ ସେତେବେଳେ ହଁ ଠିକ୍ ସେତେବେଳେ ଯାଇ “ଭୂମିକମ୍ପ ହୋଇ ଧରଣୀ ଫାଟିଵ ଏଵଂ ଉତ୍କଳ ମାତା ସହସ୍ରଭୁଜା ରୂପେ” ଦେଖାଦେବେ ଅର୍ଥାତ୍ 
ପରାଧୀନ କଳିଙ୍ଗ ପୁଣି ନିଜର ଅସ୍ତିତ୍ବ ପୂର୍ଵ ଗୌରଵ ପୂର୍ଵ ସମ୍ମାନ ଫେରି ପାଇଵ । 

“ସନ୍ତାନର ଉକ୍ତି” କଵିତା ଓଡ଼ିଆ ଜାତିର ଏକ ଅମୂଲ୍ୟ ସମ୍ପଦ । ଏହାଠାରୁ ସୁନ୍ଦର ସରଳ ଶ୍ରେଷ୍ଠ ଜାତୀୟତାବୋଧକ ଉଦବୋଧନୀ କଵିତା ସାରା ଵିଶ୍ଵରେ ଵିରଳ । ଏହା ଏକ ଅଦ୍ୱିତୀୟ ଜାତୀୟତାଵାଦୀ କଵିତା ଏଵଂ କାଳିଙ୍ଗ୍ୟ ଜାତୀୟତାବୋଧକୁ ଜାଗ୍ରତ କରିଵା ପାଇଁ ଐଶ୍ଵରୀୟ ପ୍ରେରଣାରେ ମଧୁବାବୁଙ୍କ ଦ୍ଵାରା ରଚିତ ଏକ ଅମର ସୃଜନୀ ଅଟଇ ‌।

Thursday, April 27, 2023

କୁସୁମ ଗଛ ଓ ତାହାର ଵିଭିନ୍ନ ସଗୋତ୍ରୀୟ ଜାତିଭାଇ

ଚୈତ୍ର ଵୈଶାଖ ମାସରେ ନୂଆ ପତ୍ର କଅଁଳି କୁସୁମ ଗଛ ଲାଲ ପତ୍ରରେ ପୂର୍ଣ୍ଣ ହୋଇଯାଏ । ସେତେବେଳେ କୁସୁମ ଗଛ ଦୂରରୁ ଭାରି ସୁନ୍ଦର ଦିଶେ । ତାପରେ ସେ ଗଛରେ ଆମ୍ବର ବଉଳ ଭଳି ପେନ୍ଥା ପେନ୍ଥା ଫୁଲ ଧରେ । ଵର୍ଷା ଦିନରେ କୁସମ ଗଛରେ କୋଳି ପାଚେ ଏଵଂ ତାହା ଖଟାମିଠା ସ୍ୱାଦଯୁକ୍ତ ହୋଇଥାଏ । 



କୁସୁମ କୋଳିକୁ ଦେଖି ଅନେକଙ୍କ ମନରେ ପ୍ରଶ୍ନ ଆସେ
କୁସୁମ ଅର୍ଥ ତ 'ପୁଷ୍ପ' ଵା 'ଫୁଲ' ତାହେଲେ ସାରା ଭାରତରେ ଗୋଟିଏ ଫଳ ଵା କୋଳିକୁ ସମସ୍ତେ କୁସୁମ କାହିଁକି କହିଥାନ୍ତି ?

ପ୍ରକୃତରେ ଏହି ଫଳ ଵା କୋଳିର ସଂସ୍କୃତ ନାମ କୋଶାମ୍ର ଥିଲା ଯହିଁରୁ କୋଶାମ,କୁସୁମ,କୁସୁମ୍ବ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । 

"କୋଶେ ଇଵ ଆମ୍ର = କୋଶାମ୍ର" 

କୁସୁମର ଵିଭିନ୍ନ ଶାସ୍ତ୍ରୀୟ ନାମ ମଧ୍ୟ ରହିଛି ଯଥା : ଏ ଗଛରେ ଲକ୍ଷାକୀଟ(Kerriidae) ଓ ଲାଲ୍ ରଙ୍ଗର Pyrrhocoridae ଜାତୀୟ କୀଟ ଦେଖାଯାଉଥିଵାରୁ ଏହାକୁ କୃମିଵୃକ୍ଷ,ଲାକ୍ଷାଵୃକ୍ଷ ଓ ଜନ୍ତୁପାଦପ କୁହାଯାଏ ।ଏହାର ଡାଳ ଅତି ଟାଣ ଓ ଶକ୍ତ ହୋଇଥିଵାରୁ ଏହାକୁ ଘନସ୍କନ୍ଧ ମଧ୍ୟ କହିଥାନ୍ତି ।‌ ଏହାର କଅଁଳିଆ ପତ୍ର ସୁନ୍ଦର ରକ୍ତଵର୍ଣ୍ଣର ହେଉଥିଵା ହେତୁ ଏ ଗଛକୁ ସୁରକ୍ତକ ଓ ସୁକେଶକ ମଧ୍ୟ କୁହାଯାଏ । ସେହିପରି ଆମ୍ର ଭଳି ଖଟାମିଠା ସ୍ଵାଦ ଯୋଗୁଁ କୁସୁମ କୋଳିକୁ ଵନାମ୍ର, କ୍ଷୁଦ୍ରାମ୍ର,ରକ୍ତାମ୍ର ଓ କୋଶାମ୍ର କୁହାଯାଇଥାଏ । ଅତଏଵ୍ କୁସୁମ କୋଳିର କୁସୁମ ନାମଟି ପ୍ରକୃତରେ ଏକ ତଦ୍ଭଵ ଶବ୍ଦ ଏଵଂ ଏହାର ତତ୍ସମ ରୂପ କୋଶାମ୍ର ହୋଇଥିଲାବେଳେ ପୁଷ୍ପ ଅର୍ଥଜ କୁସୁମ ଶବ୍ଦଟି ଏକ ତତ୍ସମ ଶବ୍ଦ ଅଟଇ । 


ଭାରତୀୟ କୁସୁମର ଵୈଜ୍ଞାନିକ ନାମ schleichera oleosa
ଏଵଂ ଏହା ଏକ monotypic
ପାଦପ ଜାତି ଅର୍ଥାତ୍ କୁସୁମ ଗଛ ନିଜ schleichera ବଂଶ (Genus)ର ଏକମାତ୍ର ସନ୍ତାନ ଅଟଇ । ଭାରତୀୟ କୁସୁମ ସେଇ Sapindaceae ପାଦପ କୁଳ ଵା ପରିଵାରର ସଦସ୍ୟ ଯହିଁରେ ଚୀନ ଦେଶୀୟ ଲିଚୁ ଗଛ(Litchi chinensis) ବି ରହିଛି ଏଵଂ ମଜାକଥା ହେଲା ଏହା ମଧ୍ୟ କୁସୁମ ଭଳି ନିଜ Litchi ବଂଶର ଏକମାତ୍ର ସଦସ୍ୟ ଅଟେ । 
କିନ୍ତୁ ଲିଚୁ କୋଳି ଓ କୁସମ କୋଳି ମଧ୍ୟରେ ତଥାପି କେତେକ ପ୍ରଭେଦ ରହିଛି ଯଥା ପାଚିଲେ ଉଭୟ କୋଳିର ଉପର ଆଵରଣ ଭିନ୍ନ ଭିନ୍ନ ଦୃଶ୍ୟ ହୋଇଥାଏ କିନ୍ତୁ
ଏ ପୃଥିଵୀରେ ଆମ ଭାରତୀୟ କୁସୁମ କୋଳିର ଜଣେ ଦୂର ସମ୍ପର୍କୀୟ ଵିଦେଶୀ ଭାଇ ବି ଅଛି ଯାହା ଦେଖିଵାକୁ ଅନେକାଂଶରେ ଆମ କୁସୁମ କୋଳି ଭଳି ହୋଇଥାଏ । ସେହି ଵୈଦେଶିକ କୁସୁମ କୋଳି ମଧ୍ୟ ଆମ ଦେଶର କୁସୁମ ତଥା ଚୀନ ଦେଶୀୟ ଲିଚୁ କୋଳି ଭଳି ମୂଳତଃ Sapindaceae ଵା soapberry ପରିଵାରର ଗଛ ଏଵଂ ତାହାର ଵୈଜ୍ଞାନିକ ନାମ Melicoccus bijugatus ଅଟେ । 
ଏହି ଵିଦେଶୀ କୁସୁମ ଗଛଟି କିନ୍ତୁ ଭାରତୀୟ କୁସୁମଗଛ ଭଳି ତା ବଂଶର ଗୋଟିକିଆ ସନ୍ତାନ ନୁହେଁ ଵରଂ ଏହାର ଆହୁରି ଆଠ ଦଶଟି ଜାତି ଭାଇ ଅଛନ୍ତି ତେବେ ଆମେରିକା ଓ ଆମେରିକା ବାହାରେ ପ୍ରାୟତଃ ଆମେରକୀୟ କୁସୁମ Melicoccus bijugatus ହିଁ ଵିଶେଷ ଭାବେ ଦେଖାଯାଏ । ଏହି ଆମେରକୀୟ କୁସୁମ ଗଛର ଅନେକ ଆମେରକୀୟ ନାଆଁ ଅଛି ଯଥା Bajan ackee, genip, guinep, genipe, ginepa, kenèp, quenepa, quenepe, quenette, chenet, skinup, talpa jocote, mamón, limoncillo, canepa, skinip, kenepa, kinnip, huaya ଓ mamoncillo ଇତ୍ୟାଦି ଇତ୍ୟାଦି ।‌ ଏହି ଵୈଦେଶିକ କୁସୁମ କୋଳି ମଧ୍ୟ ଭାରତରେ ଆଣି ଲଗାଯାଇଛି ଏଵଂ କେଉଁଠି କେଉଁଠି ଏହି ଗଛ ଦେଖାଯାଇଥାଏ । ତେବେ ଆମେରିକୀୟ Melicoccus କୁସୁମ କୋଳି ପାଚିଲେ ତାହାର ଚୋପାର ରଙ୍ଗ ଭାରତୀୟ କୁସୁମ କୋଳି ପରି ବଦଳି ନଥାଏ ଵରଂ ସବୁଜ ରଙ୍ଗର ହୋଇଥାଏ । ପୁନଶ୍ଚ ଭାରତୀୟ କୁସୁମ କୋଳିର ପତ୍ର ଲମ୍ବା ଓ ପତଳା ହୋଇଥିଲା ବେଳେ ଆମେରକୀୟ କୁସୁମ କୋଳିର ପତ୍ର ସାମାନ୍ୟ ମୋଟ ଓ ଚିକ୍କଣ ହୋଇଥାଏ । 

କିନ୍ତୁ ଭଗଵାନଙ୍କ ଏ ସୃଷ୍ଟି ବଡ଼ ଵିଚିତ୍ର ସେ ଆଉ ଟିକେ କୌତୁହଳ ସୃଷ୍ଟି କରିଵା ପାଇଁ ସେହି କୁସୁମ ଓ ଲିଚୁ ପରିଵାର Sapindaceaeରେ ଆଉ ଏକ କୁସୁମ ସଦୃଶ ପାଦପ ବଂଶ ସୃଷ୍ଟି କରିଦେଇଛନ୍ତି ଯାହାର ନାମ 
Talisia ଏଵଂ ଏହି ବଂଶର ୫୨ରୁ ଅଧିକ ଜାତୀୟ ଗଛ ସାଧାରଣତଃ ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଏ । Talisia ଜାତୀୟ ଵିଭିନ୍ନ ପାଦପ ମଧ୍ୟରେ ଗୋଟିଏ ପାଦପ ଜାତି Talisia esculenta ତ ଯେକୌଣସି ଭାରତୀୟକୁ ଆଚମ୍ବିତ କରିପାରେ କାରଣ ଏହି ଦକ୍ଷିଣ ଆମେରିକୀୟ Talisia କୁସୁମ କୋଳି ପାଚିଲେ ଏହାର ଚୋପା ପୁରା ଭାରତୀୟ କୁସୁମ କୋଳି ଭଳି ଦେଖାଯାଇଥାଏ । 


ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଏ ସଂସାର ବଡ଼ ଵିଚିତ୍ର ଆଜ୍ଞା ! ସେହି Sapindaceae ପାଦପ କୁଳ ଵା ପରିଵାରର ଆଉ ଏକ ଚୀନ ଦେଶୀୟ ଗଛ ସହିତ ପରିଚିତ ହୁଅନ୍ତୁ ଯାହା ଦେଖିଵାକୁ ଆମ ଦେଶର କୁସୁମ କୋଳି ପରି ହିଁ ହୋଇଥାଏ । ଚୀନ ଦେଶୀୟ ସେହି କୁସୁମ କୋଳିର ଵୈଜ୍ଞାନିକ ନାଆଁ Dimocarpus longan ଓ ଏହାର କ୍ୟାଣ୍ଟୋନିଜ୍ ନାମ 龍眼 (lùhng-ngáahn) ଯାହାର ଆକ୍ଷରିକ ଅର୍ଥ ଡ୍ରାଗନର ଆଖି ଅଟେ । ଭାରତର ଉତ୍ତର ପୂର୍ଵ ଅଞୁ ଅଵଶ୍ୟ ଏହି Dimocarpus ବଂଶର Dimocarpus fumatus ଓ ଶ୍ରୀଲଙ୍କାରେ Dimocarpus gardneri ଜାତୀୟ ଗଛ ଦେଖାଯାଏ ।
 ଏହି Dimocarpus ଜାତୀୟ ଗଛର କୋଳି ଦେଖିଵାକୁ ପ୍ରାୟତଃ ଆମ ଭାରତର କୁସୁମ କୋଳି ପରି ହିଁ ହୋଇଥାଏ । ଵିଶେଷକରି ଚୀନ ଦେଶୀୟ କୁସୁମ କୋଳି Dimocarpus longan ଦେଖିଵାକୁ ପ୍ରାୟତଃ ଆମ ଦେଶର କୁସୁମ କୋଳି ଭଳି ହିଁ ହୋଇଥାଏ ।‌ ଉଭୟ କୋଳିକୁ ଏକାଠି ରଖିଦେଲେ କେହି ଜାଣିପାରିବେ ନାହିଁ ଏ ଉଭୟ କୋଳି ଭିନ୍ନ ଭିନ୍ନ ଗଛର ଅଟେ । 


କେବେ ଏମାନଙ୍କ ପୂର୍ଵଜ ଗୋଟିଏ ଥିଲେ ଯେତେବେଳେ ଭାରତ , ଆଫ୍ରିକା, ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ପରସ୍ପର ସହିତ ଯୋଡ଼ି ହୋଇ ରହିଥିଲା । ତେବେ ସମୟ ସହିତ ଭୂଚଳନ ଯୋଗୁଁ ଆଜି କାହିଁ କୋଉଠି ଆମେରିକା ତ ଆଉ କୋଉଠି ଭାରତ ପହଞ୍ଚି ଯାଇଛି । ଦୁଇ ଭୂଖଣ୍ଡ ମଧ୍ୟରେ ହଜାର ହଜାର ଯୋଜନର ଦୂରତା ଆସିଯାଇଛି । କିନ୍ତୁ କୋଟି କୋଟି ଵର୍ଷର ଵିଚ୍ଛେଦତା ଏଵଂ ସହସ୍ରାଧିକ କିମି ଦୂରତା ହୋଇ ମଧ୍ୟ ଦୁଇଗୋଟି ଭିନ୍ନ ଭିନ୍ନ ଭୂଖଣ୍ଡର ଵର୍ତ୍ତମାନ ସମ୍ପର୍କୀୟ ପାଦପମାନଙ୍କ ମଧ୍ୟରେ ଦୃଶ୍ୟ ହେଉଥିଵା ସଗୋତ୍ରୀୟ ସମ୍ପର୍କ ତତ୍ ଆଧାରିତ ସମାନତାକୁ ସମ୍ପୂର୍ଣ୍ଣ ଲୁଚାଇ ପାରିନାହିଁ । 

କୋଟି କୋଟି ଵର୍ଷର ଵିଚ୍ଛିନ୍ନତା ଓ ଦୂରତା ପରେ ବି ଆମେ ଭାରତୀୟ କୁସୁମ schleichera, ଚୀନ ଦେଶୀୟ ଲିଚୁ କୋଳି Litchi chinensis ଓ ଆମେରକୀୟ କୁସୁମ Melicoccus ତଥା Talisia ମଧ୍ୟରେ ଥିଵା ସଗୋତ୍ରୀୟ ସମ୍ପର୍କକୁ ଜାଣି ସେମାନଙ୍କୁ ଗୋଟିଏ ପାଦପ କୁଳ ଵା ପରିଵାର Sapindaceaeରେ ରଖିଛନ୍ତି 
।  

ମାତ୍ର ଆମ୍ଭେ ମନୁଷ୍ୟମାନେ ଏ ସଂସାରରେ ବଞ୍ଚି ଯାଇଥିଵା homo ଆଦିମାନଵ ବଂଶ (Genus)ର sapiens ନାମକ ଏକମାତ୍ର ମାନଵଜାତି(Species) ହୋଇ ବି ପରସ୍ପର ମଧ୍ୟରେ ଜାତି,ଦେଶ,ଧର୍ମ ଓ ଵର୍ଣ୍ଣ ଆଧାରରେ ଏତେ ମାତ୍ରାରେ ଵିଭାଜିତ ହୋଇ ରହିଛନ୍ତି ତାହା ବଡ଼ ଆଶ୍ଚର୍ଯ୍ୟଜନକ ଵିଷୟ !!!

Sunday, April 23, 2023

ସଂସାରର ସବୁଠାରୁ ବଡ଼ ଭୟ କ'ଣ ?

ମଣିଷ ନିଜର ରକ୍ଷା ହେତୁକ ମୁଖ୍ୟତଃ ଦୃଷ୍ଟିଶକ୍ତି ଉପରେ ନିର୍ଭରଶୀଳ । ଯେହେତୁ ଆଲୋକର ଅନୁପସ୍ଥିତି ଯୋଗୁଁ ଆମର ଦେଖିଵାର କ୍ଷମତା ଚାଲିଯାଏ, ତେଣୁ ଅନ୍ଧକାର ପ୍ରତି ଭୟ ଆମ ମନୁଷ୍ୟମାନଙ୍କର ଡିଏନଏରେ ପିଢ଼ି ପିଢ଼ି ଧରି ରହିଛି ଏଵଂ ଆଗକୁ ମଧ୍ୟ ରହିଥିଵ । ଅତୀତରେ, ଵନ୍ୟଜନ୍ତୁମାନଙ୍କ ମଧ୍ୟରେ ବାସ କରୁଥିଵା ମଣିଷମାନଙ୍କ ପାଇଁ ରାତ୍ରୀର ଅନ୍ଧକାର ସବୁଠାରୁ ଭୟଙ୍କର ଅନୁଭୂତି ଥିଲା, ସେଯୁଗର ମନୁଷ୍ୟମାନେ ସେମାନଙ୍କ ଚାରିପାଖରେ ନରଭକ୍ଷକ ଜୀଵମାନଙ୍କ ଉପସ୍ଥିତିକୁ ଜାଣିପାରୁନଥିଲେ ଏଵଂ ଜୀଵନ ଯିଵା ଭୟରେ ଆତଙ୍କିତ ହେଉଥିଲେ । ଏହି କାରଣରୁ ଲକ୍ଷ ଲକ୍ଷ ପିଢି଼ି ବିତିଯିଵା ପରେ ମଧ୍ୟ ପୃଥିଵୀର ପ୍ରତ୍ୟେକ ମନୁଷ୍ୟର ଡିଏନଏରେ ଅନ୍ଧାରକୁ ନେଇ କିଛି ଭୟ ନିଶ୍ଚୟ ରହିଛି । 

ଭୟ , ମାନଵ ଜୀଵନ ସଞ୍ଚାଳକ ତତ୍ତ୍ଵ । ସମସ୍ତେ କୌଣସି ନା କୌଣସି ଵସ୍ତୁ ଵା ଵିଷୟକୁ ନେଇ ଭୟ କରନ୍ତି, ଯେପରିକି ଅନ୍ଧକାର, ଭୟଙ୍କର ଶବ୍ଦ ଇତ୍ୟାଦି ... 

କିନ୍ତୁ ଅନ୍ଧକାର ଜଣେ ଅନ୍ଧକୁ ଭୟଭୀତ କରିପାରିଵ ନାହିଁ ସେହିଭଳି ଭୟଙ୍କର ଶବ୍ଦ ଏକ ଵଧିର ଵ୍ୟକ୍ତି ମନରେ ମଧ୍ୟ ଭୟ ସୃଷ୍ଟି କରିପାରେ ନାହିଁ । ସିଂହ ଏକ ପାଗଳକୁ ଆଦୌ ଭୟଭୀତ କରିପାରେ ନାହିଁ ।  
 
ତେବେ ଏହି ଜଗତରେ ଏପରି କୌଣସି ଭୟ ଅଛି କି ଯାହା ସଂସାରର ପ୍ରତ୍ୟେକ ଵ୍ୟକ୍ତିଙ୍କୁ ସମାନ ଭାବରେ ଭୟଭୀତ କରିପାରେ ? 

ଆସନ୍ତୁ ଆଜି ଭୟର ଭୟଙ୍କରୀ ଜଗତକୁ କିଛି କ୍ଷଣ ପାଇଁ ବୁଲି ଆସିଵା ! 
 
ଭୟ କ’ଣ ? ଯଦି ଦେଖାଯାଏ, ମୃତ୍ୟୁର ପ୍ରତ୍ୟେକ ସମ୍ଭାଵନା /ଆଶଙ୍କା ଜୀଵ ମନରେ ଭୟ ସଞ୍ଜାର କରିଥାଏ । ଆପଣ ସିଂହକୁ ଭୟ କରୁଛନ୍ତି କାରଣ ଆପଣଙ୍କ ମସ୍ତିଷ୍କ ଜାଣେ ଯେ ସିଂହ ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ ଏଵଂ ସେ ଆପଣଙ୍କୁ ସହଜରେ ମାରିପାରେ। ଆପଣ ଵିକୃତ ମୁଖ ଜୀଵ, ଅଦ୍ଭୁତ ସ୍ୱରକୁ ଭୟ କରନ୍ତି କାରଣ ଅନିଶ୍ଚିତତା ଆପଣଙ୍କର "Pattern Loving"ମନକୁ ଅସହଜ ଅଶାନ୍ତ କରିଦିଏ । ମସ୍ତିଷ୍କରେ "ଏମିଗଡଲା(amygdala)" ନାମକ ଏକ ଗ୍ରନ୍ଥି ଆମର ଭୟକୁ ନିୟନ୍ତ୍ରଣ କରିଥାଏ ଏଵଂ କୌଣସି ଵିପଦର ସମ୍ମୁଖୀନ ହେଲେ ଆମ ଭିତରେ ଭୟ ସଞ୍ଚାର କରି ଆମକୁ “ସଂଘର୍ଷ କିମ୍ବା ପଳାୟନ” ହେତୁ ସଚେତନ ଓ ପ୍ରେରିତ କରିଥାଏ । 

ଆପଣଙ୍କ ମନକୁ କୃତ୍ରିମ ରୂପେ ମଧ୍ୟ ଭୟଭୀତ କରାଯାଇପାରେ । ଧରାଯାଉ ଆପଣଙ୍କୁ ଦଶଗୋଟି ଚିତ୍ର ଦେଖାଗଲା ଏଵଂ ସେଥିରେ ଗୋଟାଏ କଣ୍ଢେଇର ଚିତ୍ର ମଧ୍ୟ ରଖାଗଲା । ତେବେ ଯେବେ ଯେବେ ଆପଣଙ୍କୁ କଣ୍ଢେଇର ଚିତ୍ର ଦେଖାଯାଉଥିଵ ଏଣେ ବିଜୁଳି ଦ୍ଵାରା ଆଘାତ ମଧ୍ୟ ଦିଆଯାଉଥିଵ । ଏଭଳି ଅନେକ ଥର କରାଗଲେ ଆପଣଙ୍କ ମସ୍ତିଷ୍କ ଏହି ନିଦର୍ଶ(pattern)କୁ ଶିଖି ଆପଣଙ୍କ ମନରେ କଣ୍ଢେଇ ପ୍ରତି ଭୟ ଵିକସିତ କରିଦେଵ । ଏହା ଅନେକ ପ୍ରୟୋଗ ଦ୍ଵାରା ପ୍ରମାଣିତ ହୋଇସାରିଛି । ଏମନ୍ତକି ଏକଥା ଆମ ଦେଶର ଲୋକକଥା ମଧ୍ୟରେ ବି ପରୋକ୍ଷରେ କଥିତ ହୋଇଛି ‌ । ଉକ୍ତ ଲୋକକଥା ଅନୁସାରେ ଜଣେ ରାଜା ଦେଶରେ ଘୋଷଣା କରିଦେଲେ ଯେ ଯିଏ ମୋ ଛେଳିକୁ ଚରେଇଵାକୁ ନେଇ ଖୁଆଇ ପିଆଇ ସନ୍ତୁଷ୍ଟ କରିଦେଵ ତାକୁ ମୁଁ ଅନେକ ସ୍ଵର୍ଣ୍ଣମୁଦ୍ରା ପୁରସ୍କାର ପ୍ରଦାନ କରିବି ‌ । ଅନେକ ଲୋକ ଚେଷ୍ଟା କରି ଏଥିରେ ଵିଫଳ ହେଲେ କାରଣ ଚରାଇ କରି ଫେରିଵା ପରେ ରାଜା ଛେଳିକୁ ଘାସ ପତ୍ର ଦେଲେ ସେ ତାକୁ ଖାଇଦେଉଥିଲା । ତହୁଁ ଜଣେ ଲୋକ ଗୋଟିଏ ଦିନ ରାଜାଙ୍କ ଛେଳିକୁ ନେଇ ଚରାଇଵାକୁ ଗଲା ଏଵଂ ଛେଳି ଯେବେ ଯେବେ କୌଣସି ଡାଳପତ୍ର କି ଘାସକୁ ଖାଇଵାକୁ ମୁହଁ ବଢ଼ାଇଲା ସେ ତାକୁ ବାଡ଼ିରେ ପ୍ରହାର କଲା । ଏହିପରି ଦିନଯାକ ମାଡ଼ ଖାଇ ଖାଇ ଵିଚାରୀ ଛେଳିଟି ଭୀଷଣ ଭାବରେ ଡରିଗଲା । ସନ୍ଧ୍ୟାରେ ଫେରିଵାରୁ ରାଜା ଯେତେବେଳେ ଛେଳି ଆଗରେ ଘାସ କି ଗଛପତ୍ର ଦେଖାଇଲେ ସେ ଭୟରେ ତାକୁ ଛୁଇଁଲା ନାହିଁ । ଅର୍ଥାତ୍ ଯେଉଁ ଘାସକୁ ଦେଖିଲେ ପୂର୍ଵେ ଛେଳିଟି ତାକୁ ଅବିଳମ୍ବେ ଖାଇଯାଉଥିଲା ପରଵର୍ତ୍ତୀ କାଳରେ ଘାସ ପ୍ରତି ତାହା ମନରେ କୃତ୍ରିମ ଭୟ ସୃଷ୍ଟି କଲାରୁ ସେ ତାକୁ ଛୁଇଁଲା ନାହିଁ ।

ତେବେ ଭୟ କ'ଣ ତା'ହେଲେ ମାନଵ ଆଦି ଜୀଵଙ୍କ ମନରେ ଉତ୍ପନ୍ନ ଏକ କାଳ୍ପନିକ ଭାଵ ମାତ୍ର ଅଟେ ? ଆଉ ଯଦି "ଏମିଗଡାଲା" ଜଣେ ଵ୍ୟକ୍ତିଙ୍କ ମସ୍ତିଷ୍କରେ ହିଁ ନଥାଏ ? ତେବେ ସେହି ଵ୍ୟକ୍ତି କ'ଣ ଭୟ ଅନୁଭଵ କରିବେ କି? 

ସୌଭାଗ୍ୟଵଶତଃ ପୃଥିଵୀରେ ଏମିତି କିଛି ଵ୍ୟକ୍ତି ବି ଅଛନ୍ତି ଯୋଉମାନଙ୍କର ଏମିଗଡାଲା କିଛି ଜେନେଟିକ୍ ଵ୍ୟାଧି ଦ୍ୱାରା ନଷ୍ଟ ହୋଇଯାଇଛି ଏଵଂ ଏହିଧରଣର ଵ୍ୟକ୍ତିମାନେ କୌଣସି ଭୟକୁ ଅନୁଭଵ କରନ୍ତି ନାହିଁ । ଆମ ପରି ସେମାନେ ମଧ୍ୟ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଏଵଂ ହୃଦବୋଧ କରିପାରନ୍ତି ଯେ ମୋର ହାତ ,ଦେହ କି ମୁଣ୍ଡରେ ଆଘାତ ଲାଗିଵା ମୋ ପାଇଁ କ୍ଷତିକାରକ କିନ୍ତୁ ସେମାନେ ସବୁ ଜାଣି ମଧ୍ୟ ତାଙ୍କ ମନରେ ଭୟ ଜାତ ହୁଏନାହିଁ କି ସେମାନେ ଭୟଭୀତ ହୁଅନ୍ତି ନାହିଁ । ଝାଳ ବୋହିଵା,ଦ୍ରୁତ ହୃଦସ୍ପନ୍ଦନ କିମ୍ବା ଭୟ ସହିତ ଜଡ଼ିତ କୌଣସି ରାସାୟନିକ କାର୍ଯ୍ୟକଳାପ ସେମାନଙ୍କ ଶରୀରରେ ଦେଖାଯାଏନାହିଁ । 
 
ଏହି କାରଣରୁ ଦୀର୍ଘ ଦିନ ଧରି ଵୈଜ୍ଞାନିକମାନଙ୍କର ଧାରଣା ଥିଲା ଯେ ଏ ଜଗତରେ ଏପରି କୌଣସି ଭୟ ନାହିଁ ଯାହା ପ୍ରତ୍ୟେକ ଵ୍ୟକ୍ତିଙ୍କୁ ସମାନ ଭାବରେ ଭୟଭୀତ କରିପାରେ, ଵିଶେଷକରି ସେହି ଵ୍ୟକ୍ତିମାନଙ୍କୁ ଯୋଉମାନଙ୍କ ପାଖରେ ଭୟର ଆଭାସ କରାଇପାରୁଥିଵା ଗ୍ରନ୍ଥି “ଏମିଗଡାଲା” ନାହିଁ ।

କିନ୍ତୁ ନା ... 
ତା’ପରେ ଦିନେ ଵୈଜ୍ଞାନିକ ସମାଜ ଆଉ ଏକ ଭୟ ସହିତ ପରିଚିତ ହେଲା ଯାହା ଏମିଗଡାଲା ନଥିଵା ଲୋକଙ୍କୁ ମଧ୍ୟ ସମାନ ଭାବରେ ଆତଙ୍କିତ କରିପାରେ ଏଵଂ ଏହା ନିଃସନ୍ଦେହ ସଂସାରର ସବୁଠାରୁ ବଡ଼ ଭୟ ଅଟେ । ସେ ଭୟଟି କ'ଣ ଆପଣ ଜାଣିଛନ୍ତି କି ବନ୍ଧୁଗଣ ... ? 

ପୃଥିଵୀରେ ମନୁଷ୍ୟମାନଙ୍କର ସବୁଠାରୁ ବଡ଼ ଭୟର ନାମ ହେଉଛି ... "ରକ୍ତରେ କାର୍ବନ-ଡାଇଅକ୍ସାଇଡର ପରିମାଣ ବଢ଼ିଯିଵା" ଅନ୍ୟ ଅର୍ଥରେ “ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ନ ମିଳିଵା” !!! 

ଏ ଵିଷୟରେ ପ୍ରୟୋଗ କରିଵାକୁ ଯାଇ ଵୈଜ୍ଞାନିକମାନେ ଯେତେବେଳେ ଏମିଗଡଲା ହରାଇ ସାରିଥିଵା ଵ୍ୟକ୍ତିମାନଙ୍କୁ ସଘନ କାର୍ବନ ଡାୟକ୍ସାଇଡ ମଧ୍ଯରେ କିଛି ସମୟ ନିଃଶ୍ୱାସ ପ୍ରଶ୍ଵାସ ନେଵାକୁ କହିଲେ ସେତେବେଳେ ଏମିଗଡଲା ନଥିଲେ ବି ଆତଙ୍କ ଓ ଭୟର ସେହି ଭାଵ ଓ ଲକ୍ଷଣ ସେମାନଙ୍କ ମୁଖମଣ୍ଡଳରେ ଦେଖାଗଲା ଓ ମନ ମଧ୍ୟରେ ଜାତ ହେଲା ଯାହା ସାଧାରଣ ଵ୍ୟକ୍ତିଙ୍କ ଭିତରେ ଭୟ ଉତ୍ପନ୍ନ ହେଲେ ଦେଖାଯାଇଥାଏ। ସମ୍ଭଵତଃ ଏମିତି ହେଵାର କାରଣ , ରକ୍ତରେ କାର୍ବନ-ଡାୟକ୍ସାଇଡର ମାତ୍ରା ମାପିଵା ତଥା ଶ୍ଵସନକୁ ସୁଚାରୂ ରୂପେ କାର୍ଯ୍ୟକ୍ଷମ କରାଇଵାର କାର୍ଯ୍ୟ ମସ୍ତିଷ୍କର ସେହି ପ୍ରାଚୀନ ଅଂଶ ଦ୍ଵାରା କରାଯାଉଛି ଯାହା ଵିଵର୍ତ୍ତନ( Evolution) ଇତିହାସରେ ସର୍ଵ ପ୍ରଥମେ ଏମିଗଡଲାଠାରୁ ବି ବହୁତ ପୂର୍ଵରୁ ସୃଷ୍ଟି ହୋଇଥିଲା । ସେହି ପ୍ରାଚୀନ ଗ୍ରନ୍ଥି ପର୍ଯ୍ୟାପ୍ତ ଅମ୍ଳଜାନ ନ ମିଳିଵା କାରଣରୁ ସ୍ଵତନ୍ତ୍ର ରୂପେ ଶରୀରରେ ଭୟର ସଞ୍ଚାର କରିଥାଏ । 

 
ତେଣୁ ସ୍ଥୂଳ ଭାବେ କୁହାଯାଇପାରେ ଯେ "ଶ୍ଵାସରୁଦ୍ଧ" ଏହି ସଂସାରର ସବୁଠାରୁ ଭୟଙ୍କର କଥା ଅଟେ । ଏହା ଯଥାର୍ଥ ମଧ୍ୟ କାରଣ ଆମେ ଖାଇଵା ବିନା ଅତି ଉଦଯୋଗ କରି ଦୁଇମାସ ପର୍ଯ୍ଯନ୍ତ ବଞ୍ଚିଯାଇପାରିଵା,ପାଣି ବିନା ବି ଏକ ସପ୍ତାହ ପର୍ଯ୍ୟନ୍ତ ଅତି କଷ୍ଟରେ ଜୀଵିତ ରହି ପାରିଵା କିନ୍ତୁ ଶ୍ଵାସକ୍ରିୟା ବିନା ଦୁଇ ମିନଟରୁ ଅଧିକ ସମୟ ବଞ୍ଚିପାରିଵା ନାହିଁ । ଶ୍ଵାସକ୍ରିୟା ବନ୍ଦ ହୋଇଗଲେ ଆମ ମସ୍ତିଷ୍କର କୋଷିକାମାନ ମରିଵାକୁ ଲାଗେ ଏଵଂ ବହୁତ ଶୀଘ୍ର ଆମର ମୃତ୍ୟୁ ହୋଇଯାଇଥାଏ ।  

ତେଣୁ ମୋଟ ଉପରେ କହିଵାକୁ ଗଲେ ... ଶ୍ୱାସକ୍ରିୟା ବନ୍ଦ ହୋଇଯିଵା ପ୍ରତ୍ୟେକ ମଣିଷର ସବୁଠାରୁ ବଡ଼ ଭୟ ଅଟଇ !!!

ଏଣୁ ଆତ୍ମହତ୍ୟା କରିଵା ଆଗରୁ ଶହେ ଥର ଭାଵନ୍ତୁ କ'ଣ ଆପଣ ମନୁଷ୍ୟର ସେ “ଆଦିମ ଭୀଷଣ ଭୟ”କୁ ସତରେ ଅନୁଭଵ କରିଵାକୁ ଚାହୁଁଛନ୍ତି କି ? 

ଜୀଵନ ଥିଲା ଯାଏଁ ଶ୍ଵାସକ୍ରାୟା ନିଜ ଇଚ୍ଛାରେ ବନ୍ଦ କରନ୍ତୁ ନାହିଁ କାରଣ ଏ ଜୀଵନ ଅମୂଲ୍ୟ ଓ ଵିରଳ !!!

(୨୦୧୭ରେ ମୁକ୍ତିଲାଭ କରିଥିଵା mind field ୱେବସିରିଜର Basic concepts ଉପରେ ଲେଖାଟି ଆଧାରିତ)
*******************
© ମୂଳ ଲେଖା :
झकझकिया ନାମରେ ଜଣାଶୁଣା ଵିଜ୍ଞାନ ଲେଖକ ଶ୍ରୀविजय सिंह ठकुरायଙ୍କର ଦୁଇ ଵର୍ଷ ତଳେ ପ୍ରକାଶିତ ଏକ ହିନ୍ଦୀ ଆଲେଖ୍ୟର ବର୍ଦ୍ଧିତ ଓଡ଼ିଆ ଭାଵାନୁଵାଦ । ଦୁଇ ଵର୍ଷ ତଳର ଏହି ଲେଖାଟି ପ୍ରାୟ ଦେଢ଼ ମାସ ତଳେ ଅନୁଵାଦ କରିଥିଲେ ବି କେତେକ କାରଣରୁ ଉପସ୍ଥାପନ କରିପାରିନଥିଲି । ମୂଳ ଲେଖାରେ ଛେଳି ଓ ଘାସ ସମ୍ବନ୍ଧୀୟ କାହାଣୀ ନଥିଲା ତାହା ଏ ଅକିଞ୍ଚନ ଯୋଡ଼ି ଦେଇଛି । 
*********************

Saturday, April 22, 2023

କଳିଙ୍ଗପୁତ୍ର କୌଣ୍ଡିନ୍ୟ

ଭାରତରେ ଅନେକ କୌଣ୍ଡିନ୍ୟ ହୋଇଛନ୍ତି । ଜଣେ କୌଣ୍ଡିନ୍ୟ ଋଷି ହୋଇଥିଲେ ଯାହାଙ୍କ ନାମରେ କୌଣ୍ଡିନ୍ୟ ଗୋତ୍ର ସୃଷ୍ଟି ହୋଇଛି । ବୁଦ୍ଧଙ୍କର ପ୍ରଥମ ପାଞ୍ଚଜଣ ଶିଷ୍ୟଙ୍କ ମଧ୍ୟରେ ଜଣକର ନାମ ଥିଲା କୌଣ୍ଡିନ୍ୟ । ସେହିପରି ପ୍ରଥମ ଶତାବ୍ଦୀରେ କାମ୍ବୋଡିଆର ଫୁନାନ ଅଞ୍ଚଳରେ ଜଣେ କଳିଙ୍ଗୀ ଶାସକ ଥିଲେ ଯାହାଙ୍କର ନାମ ବି ଥିଲା କୌଣ୍ଡିନ୍ୟ । ଅନେକ ଉତ୍ତର ଭାରତୀୟ ବୌଦ୍ଧ ଧର୍ମର କୌଣ୍ଡିନ୍ୟ ଓ କଳିଙ୍ଗୀ କୌଣ୍ଡିନ୍ୟଙ୍କୁ ଏକ ମନେ କରନ୍ତି କିନ୍ତୁ ଏହା ଠିକ୍ ନୁହେଁ । 

କଳିଙ୍ଗର କୌଣ୍ଡିନ୍ୟ ସମ୍ପୂର୍ଣ୍ଣ ଭିନ୍ନ ଵ୍ୟକ୍ତିତ୍ବ ଏଵଂ ଏହାଙ୍କ ଵିଷୟରେ ଏକ ଜନସୃତି ରହିଛି । 

ପ୍ରଥମ ଶତାବ୍ଦୀ ସମୟର ଘଟଣା,କଳିଙ୍ଗରୁ ଏକ ବୋଇତ ଦକ୍ଷିଣ ପୂର୍ଵ ଏସିଆର ସମୁଦ୍ର ମଧ୍ୟରେ ଯାଉଥିଵାବେଳେ ଫୁନାନର 
ନାଗ ବଂଶର ମୁଖ୍ୟଙ୍କ ଝିଅ ସୋମାଙ୍କ ନେତୃତ୍ୱରେ ସ୍ଥାନୀୟ ଜଳଦସ୍ୟୁମାନେ ତା’ ଉପରେ ଆକ୍ରମଣ କରିଥିଲେ। 

କଳିଙ୍ଗର ବୋଇତରେ ବେପାରୀ ଓ ପାଇକ ଉଭୟ ଯିଵାର ପରମ୍ପରା ଥିଲା । ଜଳଦସ୍ୟୁ ଆକ୍ରମଣର ଶିକାର ସେହି ବୋଇତରେ ପାଇକ ଵୀରଙ୍କ ମଧ୍ୟରେ କୌଣ୍ଡିନ୍ୟ ନାମରେ ଜଣେ ଯୋଦ୍ଧା ଥିଲେ । କୌଣ୍ଡିନ୍ୟଙ୍କ ନେତୃତ୍ୱରେ ପାଇକମାନେ ସଂଘର୍ଷ କରି ଜଳଦସ୍ୟମାନଙ୍କୁ ହରାଇଦେଲେ କିନ୍ତୁ ଭୀଷଣ ଆକ୍ରମଣ ଯୋଗୁଁ  କଳିଙ୍ଗର ବୋଇତଟି କ୍ଷତିଗ୍ରସ୍ତ ହୋଇଗଲା 
ଏଵଂ ତାକୁ ମରାମତି କରିଵା ପାଇଁ ସମୁଦ୍ର କୂଳକୁ ନିଆଯାଇଥିଲା । 

କଳିଙ୍ଗୀ ବୋଇତିଆଳମାନେ ଜଳଦସ୍ୟମାନଙ୍କର ଦ୍ୱିତୀୟ ଆକ୍ରମଣ ପାଇଁ ସତର୍କ ଥିଲେ କିନ୍ତୁ ରାଜକୁମାରୀ ସୋମା କୌଣ୍ଡିନ୍ୟାଙ୍କ ସାହସିକତାରେ ପ୍ରଭାଵିତ ହୋଇ ତାଙ୍କୁ ଵିଵାହ ପ୍ରସ୍ତାଵ ଦେଇଥିଲେ ଯାହାକୁ ସେ ଗ୍ରହଣ କରିଥିଲେ । ଫଳତଃ ଏହିପରି ଭାବରେ ଫୁନାନରେ ଏକ ରାଜବଂଶର ମୂଳଦୁଆ ପଡ଼ିଲା ଏଵଂ ଏହି ରାଜବଂଶ ଅନେକ ପିଢ଼ି ଧରି ଫନାନକୁ ଶାସନ ମଧ୍ୟ  କଲା। ଚୀନଦେଶର ଲୋକେ କୌଣ୍ଡିନ୍ୟଙ୍କୁ Hùntián (混塡)ନାମ ଦେଇଥିଲେ ସେହିପରି Khmerଭାଷୀ କୌଣ୍ଡିନ୍ୟଙ୍କୁ Preah Thong ( ព្រះថោង)‌ ଭାବେ ଜାଣନ୍ତି ।  ସେହିପରି ଭାରତୀୟମାନେ କୌଣ୍ଡିନ୍ୟଙ୍କ ପତ୍ନୀଙ୍କ ନାମ ସୋମା  ବୋଲି ଜାଣିଥିଵା ବେଳେ ଚୀନାମାନେ ତାଙ୍କୁ Liǔyè (柳葉), ଭିଏତନାମୀମାନେ Liễu Diệp (柳葉) ଓ  Khmerଭାଷାଭାଷୀମାନେ Neang Neak ନାମ ଦେଇଥିଲେ । 

କଳିଙ୍ଗପୁତ୍ର କୌଣ୍ଡିନ୍ୟ ଫୁନାନର ଵ୍ୟାଧପୁରରେ ନିଜର ରାଜଧାନୀ ସ୍ଥାପନା କରି ଅନେକ ଵର୍ଷ ଶାସନକରି ଥିଲେ । କୌଣ୍ଡିନ୍ୟଙ୍କର ଦେହାଵସାନର ଅନେକ ଵର୍ଷ ପରେ ୪୧୦ଖ୍ରୀଷ୍ଟାବ୍ଦରେ ସେହି ଵର୍ମନ ବଂଶରେ କୌଣ୍ଡିନ୍ୟ ଦ୍ବିତୀୟ ଏଵଂ  ୪୮୦ ଖ୍ରୀଷ୍ଟାବ୍ଦରେ ଜୟଵର୍ମନ କୌଣ୍ଡିନ୍ୟ ନାମରେ ଜଣେ ଶାସକ ଫୁନାନର ଶାସନ ଭାର ଗ୍ରହଣ କରିଥିଲେ । 

ଚୀନ ଦେଶରେ ଲିଖିତ ଥିଵା କାମ୍ବୋଡିଆ ସମ୍ବନ୍ଧୀୟ ପ୍ରାଚୀନ ଇତିହାସ ପୋଥିରୁ ଜଣାଯାଏ ଯେ  ରାଜା ଜୟଵର୍ମନ କୌଣ୍ଡିନ୍ୟ (ଖ୍ରୀ.ଅ. ୪୮୦-୫୧୪)ଙ୍କ ରାଜତ୍ୱ ସମୟରେ, ଫୁନାନ୍‌ର ପ୍ରଧାନ ଦେଵତା ‘ମହେଶ୍ୱର’ (ଶିଵ)ଙ୍କୁ ସ୍ଥାନୀୟ Mo-tan ପର୍ଵତର ଚୂଡ଼ାରେ ପୂଜା କରାଯାଉଥିଲା। ଏହି ‘ମୋଟାନ୍’ ଶବ୍ଦଟି ଚୀନ୍‌ଭାଷାରେ ‘ମହେନ୍ଦ୍ର’ର ରୂପାନ୍ତର, ତେଣୁ ଏଥିରୁ ଜଣାଯାଏ, ଓଡ଼ିଶାର ଯେଉଁ ମହେନ୍ଦ୍ର ପର୍ଵତ ଶିଖରରେ ଅତି ପ୍ରାଚୀନ କାଳରୁ ଶିଵ ପୂଜା କରାଯାଉଛି, ସେପରି ଏକ ପର୍ଵତର ନାମକରଣ କରି, ଦ୍ୱିତୀୟ କୌଣ୍ଡିନ୍ୟ ସେଠାରେ ଶିଵ ପୂଜା ମଧ୍ୟ ଆରମ୍ଭ କରିଥିଲେ। 

ଅନେକେ ପ୍ରଥମ ଶତାବ୍ଦୀର କଳିଙ୍ଗ ପୁତ୍ର କୌଣ୍ଡିନ୍ୟଙ୍କୁ କୌଣ୍ଡିନ୍ୟ ଗୋତ୍ର ଆଧାରରେ ବ୍ରାହ୍ମଣ ବୋଲି ମତ ଦିଅନ୍ତି । ତେବେ ଓଡ଼ିଶାରେ କ୍ଷତ୍ରିୟ ଖଣ୍ଡାୟତମାନଙ୍କ ମଧ୍ୟରେ ବି କୌଣ୍ଡିନ୍ୟ ଗୋତ୍ର ରହିଛି । ଲୋକକଥାର କାହାଣୀ ଦୃଷ୍ଟିରୁ ବହୁତ ସମ୍ଭଵ କୌଣ୍ଡିନ୍ୟ ଜଣେ ପାଇକ - ଖଣ୍ଡାୟତ ହୋଇଥିବେ ଯେ କଳିଙ୍ଗୀ ବୋଇତର ରକ୍ଷା ପାଇଁ ସେଥିରେ ଯାଇଥିଲେ ଏଵଂ ଜଳଦସ୍ୟମାନଙ୍କ ସହିତ ସଂଗ୍ରାମ କରିଥିଲେ । ପୁଣି ଆଗକାଳରେ ଓଡ଼ିଶାରେ ବ୍ରାହ୍ମଣ ବଂଶୋଦ୍ଭଵ ଵୀରମାନେ ସୁଦ୍ଧା ଯୁଦ୍ଧ କ୍ଷେତ୍ରରେ ନେତୃତ୍ୱ ନେଉଥିଵାର ଜଣାଯାଏ । ତେଣୁ କୌଣ୍ଡିନ୍ୟ ବ୍ରାହ୍ମଣ କି କ୍ଷତ୍ରିୟ ତାହା ସ୍ପଷ୍ଟ ହୋଇପାରେ ନାହିଁ । ଅନେକେ କୁହନ୍ତି ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ରରେ କୌଣ୍ଡିନ୍ୟ ଗୋତ୍ରର ଉଭୟ ବ୍ରାହ୍ମଣ ଓ ଖଣ୍ଡାୟତ ଵା କ୍ଷତ୍ରିୟ ଲୋକେ ଥିଵାରୁ ବହୁତ ସମ୍ଭଵ କୌଣ୍ଡିନ୍ୟ ଏହି କୌଣ୍ଡିନ୍ୟ ଗୋତ୍ରର ଲୋକ ହୋଇଥିବେ ।‌ କିନ୍ତୁ ନିଜ ଗୋତ୍ର ନାମରେ କେହି କାହିଁକି ନିଜର ନାମକରଣ କରିଵ ? ହୁଏତ ଅନ୍ୟମାନେ ଏଭଳି ନାମ ଦେଇଥିବେ !  ପୁନଶ୍ଚ ଭାରତରେ ଜଣେ ବୌଦ୍ଧ ଭିକ୍ଷୁ ଏଵଂ ଋଷିଙ୍କ ନାମ କୌଣ୍ଡିନ୍ୟ ଥିଲା ତେଣୁ ବହୁତ ସମ୍ଭଵ ଫୁନାନର କଳିଙ୍ଗୀ ବଂଶୋଦ୍ଭଵ ଶାସକ କୌଣ୍ଡିନ୍ୟଙ୍କର କୌଣ୍ଡିନ୍ୟ ନାମଟି ମଧ୍ୟ କୌଣସି ଗୋତ୍ର କି ଜାତିସୂଚକ ଶବ୍ଦ ନୁହେଁ ଵରଂ ସେହିପରି ଏକ ନାମ ହିଁ ଥିଲା । କୌଣ୍ଡିନ୍ୟ ଜଣେ ବ୍ରାହ୍ମଣ କି ଖଣ୍ଡାୟତ ଥିଲେ ତାହା ଅସ୍ପଷ୍ଟ କିନ୍ତୁ ସେ କଳିଙ୍ଗ ଦେଶର ପୁତ୍ର ଥିଲେ ଏଵଂ କାମ୍ବୋଡି଼ଆ ଯାଇ ସେଠାକାର ଫୁନାନରାଜ୍ୟର ଶାସକ ହୋଇପାରିଥିଲେ ଏହା ଛୋଟିଆ କଥା ନୁହେଁ ।

Monday, April 17, 2023

ପୃଥିଵୀରେ ଜୀଵନ ଅନେକ ସୌଭାଗ୍ୟର ଅଵଦାନ : ସୌଭାଗ୍ୟ ୧

ଆଗେ ପୃଥିଵୀଵାସୀ ଭାବୁଥିଲେ ସେମାନେ ହିଁ ବ୍ରହ୍ମାଣ୍ଡର କେନ୍ଦ୍ରଭାଗରେ ରହୁଛନ୍ତି ତଥା ଚନ୍ଦ୍ର, ସୂର୍ଯ୍ୟ, ବୃହସ୍ପତି ,ଶୁକ୍ର ଆଦି ଗ୍ରହ ଆଉ ତାରକା ଆଦି ସେମାନଙ୍କୁ ପ୍ରଦକ୍ଷିଣା କରୁଛନ୍ତି । ସେ ସମୟର ମନୁଷ୍ୟ ଏହାକୁ ନେଇ ସାହିତ୍ୟ ଲେଖିଲା , ଜ୍ୟୋତିର୍ଵିଜ୍ଞାନୀମାନେ ଜ୍ୟୋତିଷଶାସ୍ତ୍ରର ପ୍ରଣୟନ କଲେ । ତେବେ ଯୁଗ ସହିତ ନୂତନ ତଥ୍ୟ ଲାଭ ଯୋଗୁଁ ଅଵଧାରଣା ବଦଳିଲା । କ୍ରମେ ପୃଥିଵୀଵାସୀ ଜାଣିଲେ ଯେ ସୌରମଣ୍ଡଳର କେନ୍ଦ୍ର ହେଉଛନ୍ତି ସୂର୍ଯ୍ୟ । ହଁ ହଉ ସୌରଜଗତରେ ନହେଲା ନାହିଁ କିନ୍ତୁ Milky way galaxyର ମଧ୍ୟଭାଗରେ ତ ଆମ ସୌରଜଗତ ଥିଵା କଥା ଯେହେତୁ ଆମ ପୃଥିଵୀ ଚାରିପାଖରେ ସବୁ ତାରକା ପ୍ରଦକ୍ଷିଣା କରୁଛନ୍ତି । 



ସାତରୁ ଛଅ ନିୟୁତ ଵର୍ଷର ମାନଵ ଵିର୍ଵତ୍ତନକାଳ ମଧ୍ୟରେ ଏଇ ମାତ୍ର କିଛି ଵର୍ଷ ତଳେ ହିଁ ମାନଵମାନେ ଜାଣିପାରିଛନ୍ତି ଯେ ସେମାନେ ଯୋଉ Milky way ଛାୟାପଥରେ ରହୁଛନ୍ତି ସେ ଛାୟାପଥର ମଧ୍ୟଭାଗ ତାଙ୍କଠାରୁ ୨୬୦୦୦ରୁ ୨୭୦୦୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ । କିନ୍ତୁ ଏହା ମନୁଷ୍ୟମାନଙ୍କ ପାଇଁ ଵରଦାନ ସଦୃଶ କାରଣ ସେମାନେ ଆକାଶଗଙ୍ଗାର ଅପେକ୍ଷାକୃତ କମ୍ ଵିପଦଜନକ ସ୍ଥାନରେ ଅଛନ୍ତି । ଯଦି ଆମ ପୃଥିଵୀ ଆମରି ଆକାଶଗଙ୍ଗାର ମଧ୍ୟଭାଗର ଆଖ ପାଖରେ ଥାଆନ୍ତା ତେବେ ଏ ଗ୍ରହରେ ଜୀଵନ ସୃଷ୍ଟି କଷ୍ଟକର ହୋଇପଡ଼ନ୍ତା । ଯେକୌଣସି ଛାୟାପଥର ମଧ୍ୟଭାଗରେ ଗୁରୁତ୍ବାକର୍ଷଣ ଶକ୍ତିର ଭୀଷଣ ପ୍ରଭାଵ ରହିଥାଏ, ସେଠାରେ ଏକ ଵିଶାଳକାୟ କୃଷ୍ଣଵିଵର(blackhole) ଥାଏ ଏଵଂ ଏହି ସବୁ ଅଞ୍ଚଳରେ ସବୁବେଳେ Supernova explosion, gamma-ray bursts ଯୋଗୁଁ ପ୍ରଳୟଙ୍କରୀ ଵିତ୍ପାତ ଲାଗିରହିଥାଏ । ସେହିପରି ଆମରି ପୃଥିଵୀ ଗ୍ରହ ଯଦି ଆମ ଆକାଶଗଙ୍ଗାର ପୁରା ସୀମାନ୍ତରେ ଅଵସ୍ଥିତ ଥାଆନ୍ତା ଯଦି ତାହେଲେ ଵାହ୍ୟ ଆକାଶଗଙ୍ଗାଠାରୁ ଆସୁଥିଵା Rogue objects ,gamma-ray burstsର ଶିକାର ଶୀଘ୍ର ଓ ସହଜରେ ହୋଇଯାଆନ୍ତା ପୁଣି କୌଣସି ଅନ୍ୟ ଆକାଶଗଙ୍ଗାର ଗୁରୁତ୍ବାକର୍ଷଣ ଯୋଗୁଁ ନିଜ ଆକାଶଗଙ୍ଗାରୁ ଛିଟିକି ବ୍ରହ୍ମାଣ୍ଡରେ ସୃଷ୍ଟି ଧ୍ଵଂସ ପାଇଲା ପର୍ଯ୍ୟନ୍ତ ଏକ Rogue Planets ଵା ଅନାଥ ଗ୍ରହ ଭଳି ଘୂରି ବୁଲୁଥାନ୍ତା ।

ତେଣୁ ଆମ ଗ୍ରହ ପୃଥିଵୀର ଆକାଶଗଙ୍ଗାରେ ଏମିତି ଏକ ଅଳ୍ପ ଵିପଜ୍ଜନକ ସ୍ଥାନରେ ରହିଵା ହିଁ ଏ ଗ୍ରହର ପ୍ରଥମ ସୌଭାଗ୍ୟ ଯାହା ଫଳରେ ଏ ଗ୍ରହରେ ଜୀଵନ ସୃଷ୍ଟି ହୋଇ ଶହ ଶହ କୋଟି ଵର୍ଷ ଧରି ବଞ୍ଚି ରହିପାରିଛି !!!

ହଁ ଏଥିପାଇଁ ତ କୁହାଯାଏ ପୃଥିଵୀ ଏଵଂ ଏ ପୃଥିଵୀର ପ୍ରତ୍ୟେକଟି ଜୀଵନ ବହୁତ ମୂଲ୍ୟଵାନ ଓ ଵିରଳ !!!

ଆମ ଦେଶରେ ଵିଦେଶୀ ଗଛ -୧

ଆମେ ଅନେକ ଵୈଦେଶିକ ଫଳମୂଳ ଓ ପନିପରିଵା ଖାଇଥାଉ ।‌ ସେହିପରି କେତେକ ଵୈଦେଶିକ ଗଛ ମଧ୍ୟ ଆମ ବାଡି଼ରେ ଆପଣାଛାଏଁ ଉଠିଥାଏ କିନ୍ତୁ ଆମେ ସେ ଗଛମାନେ ମୂଳତଃ ଵୈଦେଶିକ ବୋଲି ଜାଣିନଥାଉ । ଏଭଳି କିଛି ଗଛକୁ ଚାଲନ୍ତୁ ଜାଣିଵା ...

ସପୁରୀପଣସ(Ananas comosus) ଦକ୍ଷିଣ ଆମେରିକା ମହାଦେଶର ଗଛ । ଏହାର ଏକ ପାଶ୍ଚାତ୍ୟ ନାମ Ananas ମୂଳତଃ ଏକ ଦକ୍ଷିଣ ଆମେରକୀୟ ଜନଜାତୀୟ ଭାଷା Tupi ଭାଷାରୁ ଗୃହୀତ ହୋଇଛି ‌। Tupi ଭାଷାରେ ସପୁରୀ ପଣସକୁ nanas କୁହାଯାଉଥିଲା ଯାହା ପର୍ତ୍ତୁଗୀଜ ଭାଷାରେ ananás ହେଇ ଅନ୍ୟାନ୍ୟ ୟୁରୋପୀୟ ଭାଷାରେ ପର୍ତ୍ତୁଗୀଜ ଭାଷା ଦେଇ ପ୍ରଚଳିତ ହେଲା । ୧୭ଶହ ଶତାବ୍ଦୀରେ ପ୍ରଥମେ ୟୁରୋପରେ ସପୁରୀପଣସ ପହଞ୍ଚିଥିଲା ଏଵଂ ତାପରେ ଏହା ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । 

ଗୋଲଆଳୁ ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶଦ୍ଵୟର ଗଛ । ଏହାର ଇଂରାଜୀ Potato ନାମ ଆମେରିକୀୟ ଜନଜାତୀୟ ଭାଷା Quechuaର 'papa' ('ଆଳୁ') ଓ ଜାମାଇକା ଦ୍ଵୀପର ସ୍ଥାନୀୟ ଭାଷା Taínoର batata ('ମିଠାଆଳୁ') ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି । ଗୋଲ ଆଳୁର ଚାଷ ପ୍ରଥମେ ଦକ୍ଷିଣ ଆମେରକୀୟ ଦେଶ ପେରୁରେ ୨୫୦୦ ଖ୍ରୀଷ୍ଟପୂର୍ଵ ସମୟରେ ହୋଇଥିଵାର ଐତିହାସିକ ପ୍ରମାଣ ମିଳିଛି ‌। 


ଆମେ ଯାହାକୁ ଚିନାବାଦାମ ଵା ଭୁଇଁଚଣା କହିଥାଉ ତାହା ପ୍ରକୃତରେ ଏକ ଦକ୍ଷିଣ ଆମେରକୀୟ ପାଦପ ଅଟେ । ଏହି ପାଦପଟି Fabaceae ପାଦପ କୁଳ ଵା ପରିଵାର(family)ର Arachis ବଂଶ(genus) ସହିତ ସମ୍ବନ୍ଧିତ ‌। ପ୍ରକୃତରେ ଆମେ ଯେଉଁ ଚିନାବାଦାମକୁ ଖାଆନ୍ତି ତାହା ଦୁଇଟି ଜଙ୍ଗଲୀ ଜାତି Arachis duranensis ଓ Arachis ipaensisର ସଙ୍କରଣରୁ ଜାତ ହୋଇଅଛି । ଚିନା ବାଦମ ଦକ୍ଷିଣ ଆମେରିକାର
ପେରୁ,ବୋଲିଭିଆ,ଆର୍ଜେଣ୍ଟିନା ଓ ବ୍ରାଜିଲ ଆଦି ଦେଶର ପାଦପ । 

ସାପେଟା ଵା ସାପଟା ଭାରତରେ ପ୍ରାୟତଃ ମିଳିଯାଏ କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଏହା ମୂଳତଃ ଏକ ଆମେରକୀୟ ପାଦପ ଅଟଇ । ସାପେଟା ମୂଳତଃ ମଧ୍ୟ ଆମେରିକାର ମେକ୍ସିକୋ ଆଦି ଦେଶ ତଥା west indies ଦ୍ଵୀପପୁଞ୍ଜଗୁଡି଼କର ସ୍ଥାନୀୟ ଫଳ ତେବେ ଏ ଅଞ୍ଚଳରେ ଵୈଦେଶିକ ୟୁରୋପୀୟମାନେ ଶାସନ କଲାପରେ ସାପେଟା ଗଛଟି ସହିତ ୟରେସିଆ ଓ ଆଫ୍ରିକାର ଲୋକେ ପରିଚିତ ହେଲେ ‌। ସାପେଟାର ଵୈଜ୍ଞାନିକ ନାମ Manilkara zapota ଏଵଂ ଏହାର ମୁଖ୍ୟ ଇଂରାଜୀ ନାମଟି 
sapote ଅଟେ । ଏହି ସାପେଟା ନାମଟି “ମଧ୍ୟ ଆମେରିକୀୟ ଜନଜାତୀୟ ଭାଷା” #Nahuan ଭାଷାର ଏକ ଶବ୍ଦ *ȼapotlର chapote, zapote ଓ sapote ଭଳି ଏକ ପରିଵର୍ତ୍ତିତ ଆଧୁନିକ ରୂପ ଅଟଇ । 

Morinda citrifolia ଗଛଟି ଭାରତରେ ନୋନୀ(Noni) ନାମରେ ଲୋକପ୍ରିୟ ହୋଇଗଲାଣି । ଅନେକେ ଏ ଗଛର ଉପକାରିତା ଵିଷୟରେ ଜାଣିଥିବେ ତେବେ ଅନେକଙ୍କୁ ଜଣାନଥିଵ ଯେ ଏହି ଗଛଟି ପ୍ରକୃତରେ ଦକ୍ଷିଣ ପୂର୍ଵ ଏସିଆ,ହାୱାଇ ତଥା ଅଷ୍ଟ୍ରେଲିଆ ଅଞ୍ଚଳର ପାଦପ ଅଟଇ । ଏହି ଫଳର ନୋନି ନାମଟି Austronesian ଭାଷାପରିଵାରର Hawaiian ଭାଷାରୁ ଇଂରାଜୀ ଭାଷାରେ ଗୃହୀତ ହୋଇଛି । ଅନେକ ଆଷ୍ଟ୍ରୋନେସୀୟ ଭାଷାରେ Noni ଶବ୍ଦ ସହିତ ସଗୋତ୍ରୀୟ ଶବ୍ଦ ସମାର୍ଥକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ Samoan ଭାଷାରେ ନୋନି ଫଳକୁ nonu କୁହାଯାଏ । ଉଭୟ ନୋନି(Morinda citrifolia) ଆଉ ଆଛୁ(Morinda tinctoria) Morinda ବଂଶ(ଜେନସ)ର ଗଛ କିନ୍ତୁ ସେମାନଙ୍କ ଜାତି(ସ୍ପିସିଜ୍) ଭିନ୍ନ ଭିନ୍ନ ! ଜାମୁ(Syzygium cumini) ଆଉ ଜାମୁରୋଳ(Syzygium samarangense) ଯେମିତି ଗୋଟିଏ Syzygium ବଂଶର ଅଲଗା ଅଲଗା ଜାତି ସେହିପରି କିନ୍ତୁ କିଛି ଲୋକ ଉଭୟଙ୍କୁ ଗୋଟିଏ ଭାବି ନିଅନ୍ତି । ପ୍ରଥମେ ଵିଦେଶୀମାନେ ଭାରତର ଆଛୁଗଛ(Morinda tinctoria) ସହିତ ପରିଚିତ ହୋଇଥିଲେ କାରଣ ଏ ଗଛ ବହୁ ପ୍ରାଚୀନ କାଳରୁ ଵସ୍ତ୍ର ରଙ୍ଗ ପାଇଁ ଵ୍ୟଵହୃତ ହୋଇଆସୁଛି । ଵିଦେଶୀମାନେ ଭାରତୀୟ ଆଚ୍ଛୁଗଛର ନାମ indian mulberry ଦେଇଥିଲେ । ପରେ ୟୁରୋପୀୟମାନେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ, ଅଷ୍ଟ୍ରେଲିଆ ନିକଟସ୍ଥ ଦ୍ଵୀପପୁଞ୍ଜ ତଥା ହୱାଇ ଦ୍ଵୀପରୁ ନୋନି ଗଛ(Morinda citrifolia) ସହିତ ପରିଚିତ ହେଲେ । ଆଚ୍ଛୁ ଓ ନୋନି ଗଛ ଗୋଟିଏ ବଂଶ ଓ ଭିନ୍ନ ଭିନ୍ନ ଜାତିର ଗଛ ହୋଇଥିଵାରୁ ଉଭୟ ଗଛ ମଧ୍ୟରେ କେତେକ ସମାନତା ଥିଵା ଦେଖାଯାଏ । ଵିଦେଶୀମାନେ ନୋନୀ ଗଛ ସହିତ ପରିଚିତ ହୋଇ ତାକୁ ମଧ୍ୟ ଭାରତୀୟ ଆଚ୍ଛୁ ଗଛର ଇଂରାଜୀ ନାମ indian mulberry ଦେଇ ଦେଲେ । 


ଲିଚୁ ଆଜିକାଲି ଭାରତରେ ମିଳୁଥିଵା ଅନ୍ୟତମ ଵୈଦେଶିକ ଫଳ । ଏହାର ଵୈଜ୍ଞାନିକ ନାମ 
Litchi chinensis ଏଵଂ ଇଂରାଜୀ ନାମ Lychee ଅଟେ । ଲିଚୁ ହେଉଛି Sapindaceae ପାଦପ କୁଳର ଗଛ ଏଵଂ ସେହି କୁଳର ଭାରତୀୟ ମୂଳର ପାଦପ ହେଉଛି Schleichera oleosa ଵା କୁସମ ଗଛ ‌। ଲିଚୁ ଶବ୍ଦଟି ମୂଳତଃ ଏକ Cantonese ଶବ୍ଦ 荔枝 (lai6 zi1)ରୁ ଗୃହୀତ ହୋଇଛି । 

ଆଜିକାଲି ଭାରତରେ କିୱି(kiwi) ନାମରେ ଗୋଟିଏ ଫଳ ମିଳୁଛି ଯାହାର ପଣା କରି ଭାରତୀୟ ନଗରଵାସୀ ଲୋକେ ପିନ କରୁଥିଵା ଦେଖାଯାଏ । ଭାରତରେ କେତେକ ଅଞ୍ଚଳରେ ଏହାର ଚାଷ ମଧ୍ୟ ଆରମ୍ଭ ହୋଇଛି । କିୱି କିନ୍ତୁ ପ୍ରକୃତରେ ଏକ ଚୀନ ଦେଶୀୟ ଫଳ ଅଟେ । ଏହା ଚୀନଦେଶର ମଧ୍ୟ ଓ ପୂର୍ଵାଞ୍ଚଳର ଫଳ ଏଵଂ ପ୍ରଥମେ ଚୀନରୁ ବିଂଶ ଶତାବ୍ଦୀରେ ନ୍ୟୁଜିଲାଣ୍ଡକୁ ଯାଇ ପ୍ରଥମେ ଚାଷ ହୋଇଥିଲା । ନ୍ୟୁଜିଲାଣ୍ଡରୁ ଏ ଫଳ ଆମେରିକା ଓ ୟୁରୋପରେ ଲୋକପ୍ରିୟ ହେଲା ଫଳତଃ ନ୍ୟୁଜିଲାଣ୍ଡଵାସୀଙ୍କ ଡାକନାମ kiwi ନାମରେ ଏ ଫଳକୁ ନାମିତ କରାଯାଇଛି । 


Friday, April 14, 2023

● ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ସନାତନୀ ନଵଵର୍ଷ : ମହାଵିଷୁଵ ପଣା ସଂକ୍ରାନ୍ତି●

ଅନେକେ ମହାଵିଷୁଵ ପଣା ସଂକ୍ରାନ୍ତିକୁ କେଵଳ "ଓଡ଼ିଆ ନଵଵର୍ଷ" ମନେ କରନ୍ତି କିନ୍ତୁ ପ୍ରକୃତରେ ଏହାକୁ “ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ” ଅଭିହିତ କରାଯାଏ ।‌ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଅନେକ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । ଭାରତରେ ମେଷ ସଂକ୍ରାନ୍ତିକୁ ନଵଵର୍ଷ ଭାବେ ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ  ପାଳିଥାନ୍ତି । ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷର ନାମ ମଧ୍ୟ ଭିନ୍ନ ଭିନ୍ନ ଅଟେ । 
ଵିଷୁଵ ସଂକ୍ରାନ୍ତିକୁ 'Buisu' ନାମରେ ତ୍ରୀପୁରାର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଉତ୍ତରାଖଣ୍ଡର କୁମାଉନ୍ ଅଞ୍ଚଳରେ ଏହା "ବିଖୁ ଵା ବିଖାଉତି" ନାମରେ ନଵଵର୍ଷ ରୂପେ ପାଳିତ ହୁଏ । ସୁଦୂର ଦକ୍ଷିଣ ଭାରତରେ କେରଳୀ ଓ ତୁଲୁମାନେ 'ଵିଷୁ', କୋଡ଼ଵାଭାଷୀ ଲୋକେ "ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି" ଓ ତାମିଲ ଭାଷାଭାଷୀ 'ପୁଥାଣ୍ଡୁ' 
ଭାବେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ରୂପରେ ପାଳିଥାନ୍ତି । 

ମେଷ ସଂକ୍ରାନ୍ତି ଦିନ ଆସାମ ଓ ମେଘାଳୟର ବୋଡ଼ୋ ଜନଜାତୀୟ ଲୋକଙ୍କ ପାରମ୍ପରିକ ନଵଵର୍ଷ Bwisagu ପାଳନ କରାଯାଉଥିଲାବେଳେ ଆସାମର ମୁଖ୍ୟ ଜନଜାତି ଅହୋମମାନଙ୍କ ଦ୍ବାରା ପାରମ୍ପରିକ ନଵଵର୍ଷ ରୂପରେ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ବିହୁ,ରଙ୍ଗୋଲୀ ବିହୁ ନାମରେ ପାଳିତ ହୋଇଥାଏ । ସେହିପରି ପଞ୍ଜାବ , ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ହରିଆଣାର ଲୋକମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵୈଶାଖୀ ନାମରେ ପାଳନ କରନ୍ତି ଏଵଂ ଏହା ଏହି ଅଞ୍ଚଳର ଲୋକଙ୍କର ଏହା ପାରମ୍ପରିକ ନଵଵର୍ଷ ଅଟଇ । ନେପାଳୀ ଓ ବିହାରର ମୈଥିଳୀଭାଷୀ ଲୋକଙ୍କର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଅଟେ । ମୈଥିଳୀଭାଷୀ ଜୁରଶୀତଳ ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନଵଵର୍ଷ ଭାବେ ପାଳନ କରନ୍ତି ‌। ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହେଉଥିଵା 'ପୋହେଲା ବୈଶାଖ' ହେଉଛି ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳରେ ଵସଵାସ କରୁଥିଵା ବଙ୍ଗାଳୀ ସନାତନୀମାନଙ୍କର ପାରମ୍ପରିକ ନଵଵର୍ଷ । 
ଏହି ପଣା ସଂକ୍ରାନ୍ତି ଦିନ ଅରୁଣାଚଳ ପ୍ରଦେଶର Khamti, Singpho, Khamyang ଓ Tangsa ଜନଜାତି ତଥା ଆସାମର Tai Phake, Tai Aiton ଓ Turung ଜନଜାତୀୟ ଲୋକେ ଯେଉଁ ପାରମ୍ପରିକ ନଵଵର୍ଷ ପାଳନ କରନ୍ତି ତାକୁ Sangken କୁହାଯାଏ । ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶରେ ଵସଵାସ କରୁଥିଵା 
ଚକମା ଜନଜାତିର ପାରମ୍ପରିକ ନଵଵର୍ଷ Bizhu/Bizu ବି ମେଷ ସଂକ୍ରାନ୍ତି ଦିନ ପାଳିତ ହୁଏ । 

କେଵଳ ଭାରତ ହିଁ ନୁହେଁ ଭାରତ ବାହାରେ ଭାରତୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଏଵଂ ପୂର୍ଵେ କଳିଙ୍ଗ ଦେଶର ଉପନିଵେଶ ଥିଵା ଅନେକ ଦେଶରେ ମଧ୍ଯ ମେଷ ସଂକ୍ରାନ୍ତିକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଯଥା—
ବର୍ମାର ପାରମ୍ପରିକ ନଵଵର୍ଷର ନାମ Thingyan,କାମ୍ଵୋଡି଼ଆର ପାରମ୍ପରିକ ନଵଵର୍ଷ Choul Chnam Thmey/ Moha Sangkran , ଶ୍ରୀଲଙ୍କାର ପାରମ୍ପରିକ ସିଂହଳୀ ନଵଵର୍ଷ Aluth Avurudda,ଲାଓସ୍ ଦେଶର ପାରମ୍ପରିକ ନଵଵର୍ଷ Pi Mai ,ଥାଇଲାଣ୍ଡର ପାରମ୍ପରିକ ନଵଵର୍ଷ Songkran, ପଶ୍ଚିମ ଚୀନରେ Dai ଆଦି କେତେକ ଜନଜାତିର ପାରମ୍ପରିକ ନଵଵର୍ଷ Pōshuǐ jié(ଚୀନରେ ଏହା Water-sprinkling festival ଭାବରେ ମଧ୍ୟ ଜଣାଶୁଣା) ଅଟେ । ନେପାଳରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନଠାରୁ ଵିକ୍ରମ ସମ୍ବଦ୍ ପଞ୍ଜିକାର ନୂତନ ଵର୍ଷ ଆରମ୍ଭ ହୁଏ ଏଵଂ ଏହି ଅଵସରରେ ବିଷ୍କା ଵା ବିଷ୍କାଟ୍ ଯାତ୍ରାର ଆୟୋଜନ କରାଯାଏ । ଏହାକୁ ନେପାଳର ରଥଯାତ୍ରା ମଧ୍ୟ କୁହାଯାଏ । 
ଉଲ୍ଲେଖଯୋଗ୍ୟ ଯେ ଏସବୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ମହାଵିଷୁଵ ପଣା ସଂକ୍ରାନ୍ତି ତିଥିରେ ହିଁ ପାଳନ କରାଯାଏ । ତେଣୁ ଯଥାର୍ଥରେ ଦକ୍ଷିଣ ଏସିଆର ଅନେକ ଦେଶର ପାରମ୍ପରିକ ନଵଵର୍ଷ ହୋଇଥିଵାରୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍‌କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ପାରମ୍ପରିକ ନଵଵର୍ଷ ମଧ୍ଯ କୁହାଯାଇଥାଏ । 

ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରକୃତ ସନାତନୀ ନଵଵର୍ଷ । ମେଷ ସଂକ୍ରାନ୍ତି ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
 ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।
 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । 
ଗୌତମ ବୁଦ୍ଧ ଏହିଦିନ ‘ଦିଵ୍ୟଜ୍ୟୋତି’ ପ୍ରାପ୍ତ ହୋଇଥିଵାରୁ ପ୍ରାୟ ସମସ୍ତ ବୌଦ୍ଧ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ଏକ ବଡ଼ ପର୍ଵ ଭାଵରେ ପାଳନ କରାଯାଏ । ପଞ୍ଜାଵରେ ବହୁପ୍ରଚୀନ କାଳରୁ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଵୈଶାଖୀ ଉତ୍ସଵ ପାଳିତ ହେଉଥିଲା । ୧୬୯୯ର ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ସିଖ୍‌ଗୁରୁ ଶ୍ରୀଗୋଵିନ୍ଦ ସିଂହ ଆନନ୍ଦପୁର ନିକଟରେ ଥିଵା କେଶଗଡ଼ ସାହିବଠାରେ ଖାଲସାପନ୍ଥ ପ୍ରତିଷ୍ଠା କରି ଶିଖ୍‌ମାନଙ୍କର ଧର୍ମଗୁରୁ ହୋଇଥିଲେ । ସେହି ଦିନଠାରୁ
ଶିଖ୍‌ମାନେ ଏହି ଦିଵସଟିକୁ ନଵଵର୍ଷ ଭାବେ ପାଳନ କରିଆସୁଛନ୍ତି । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଗୁରୁଦ୍ୱାରାମାନଙ୍କରେ କୀର୍ତ୍ତନ ଓ ଲଙ୍ଗର ଵ୍ୟଵସ୍ଥା ସହ ଵିଭିନ୍ନ ସ୍ଥାନରେ ନଗର କୀର୍ତ୍ତନ ଵା ଶୋଭାଯାତ୍ରା ଆୟୋଜନ କରାଯାଏ । ତା’ ସହିତ ପଞ୍ଜାଵର ଏହା ଅମଳ ଋତୁ ହୋଇଥିଵାରୁ ଏହି ଦିନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଶାକ୍ତ ଓ ଶୈଵ ପନ୍ଥର ଭକ୍ତମାନଙ୍କ ପାଇଁ ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଦିଵସ । ପ୍ରାୟ ସବୁ ଦେଵୀପୀଠରେ ଏହିଦିନ ଚଣ୍ଡୀପାଠ,
ହୋମ ଯଜ୍ଞ କରାଯାଇଥାଏ । ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସି ଦେଵୀଙ୍କୁ ଶାଢି଼, ଶଙ୍ଖା, ସିନ୍ଦୂର ଆଦି ଅର୍ପଣ କରି ଭୋଗ ଲଗାନ୍ତି ଓ ନୂତନ ଵର୍ଷରେ ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ଵୈଷ୍ଣଵମାନେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜନ ଓ ହନୁମାନ ଜୟନ୍ତୀ ପାଳନ କରିଥାନ୍ତି । ତେଣୁ ଏକାଧିକ ସନାତନୀ ପନ୍ଥଦ୍ଵାରା ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଉଥିଵାରୁ ଏହାକୁ "ସନାତନୀ ନଵଵର୍ଷ" ମଧ୍ୟ କୁହାଯାଏ । 

ନଵଵର୍ଷ ରୂପେ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ପାଳିତ ହେଉଥିଵା ଏହି ସଂକ୍ରାନ୍ତିର ଵିଭିନ୍ନ ଭାରତୀୟ ନାମ ମଧ୍ୟ ଅଛି । ଏହାକୁ କେଵଳ ଓଡ଼ିଶାରେ ହିଁ ମହାଵିଷୁଵ ସଂକ୍ରାନ୍ତି,ଵିଷୁଵ ସଂକ୍ରାନ୍ତି,ପଣା ସଂକ୍ରାନ୍ତି ,ଜଳ ସଂକ୍ରାନ୍ତି, ପ୍ରଥମ ସଂକ୍ରାନ୍ତି, ଠେକି ବସା ସଂକ୍ରାନ୍ତି,ବସୁନ୍ଧରା ଘଡ଼ିବସା ସଂକ୍ରାନ୍ତି ,ଚୈତ୍ର ସଂକ୍ରାନ୍ତି,ଛତୁଆ ସଂକ୍ରାନ୍ତି ଓ ଚଡ଼କ ସଂକ୍ରାନ୍ତି ଇତ୍ୟାଦି କୁହାଯାଏ। 
 
ମହାଵିଷୁଵ ପଣା ସଂକ୍ରାନ୍ତିର କଳିଙ୍ଗୀ ନୌଵାଣିଜ୍ୟ ପରମ୍ପରା ସହିତ ମଧ୍ୟ ସମ୍ପର୍କ ଅଛି । ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଵା ଯେଉଁ ସବୁ ଅଞ୍ଚଳରେ ପୂର୍ଵେ କଳିଙ୍ଗୀମାନଙ୍କର ସଂସ୍କୃତିର ସାଂସ୍କୃତିକ ସାମାଜିକ ରାଜନୈତିକ ପ୍ରଭାଵ ପଡି଼ଥିଲା ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି । ଆଗେ ସାଧଵମାନେ କାର୍ତ୍ତିକ ମାସ ଶେଷଦିନ ଦୂରଦେଶକୁ ବୋଇତ ଯାତ୍ରା କରୁଥିଲେ ଏଵଂ ମହା ଵିଷୁଵ ପଣା ସଂକ୍ରାନ୍ତି ପରଠାରୁ ରଜପର୍ଵ ପର୍ଯ୍ଯନ୍ତ ଵିଦେଶରୁ ବୋଇତ ଯୋଗେ ଫେରି ଆସୁଥିଲେ । ଆଗେ କାର୍ତ୍ତିକ ଅମାଵାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏଵଂ ପୀଠରେ ବୋଇତର ଵା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାଉଥିଲେ । ସମ୍ଭଵତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଏଵଂ ରଜରେ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରୁଥିଲେ । ସମ୍ଭଵତଃ ଏହା ବୋଇତ ଫେରି ଆସିଵା ସମୟରେ କରାଯାଉଥିଵା ବନ୍ଦାପନାର ସ୍ମାରକ । ବୋଇତ ଦ୍ଵାରା ଫେରି ଆସିଵା ପୂର୍ଵରୁ ସାଧଵମାନେ ଏହି ମହାଵିଷୁଵ ସଂକ୍ରାନ୍ତି ଦିନ କଳିଙ୍ଗର ଶ୍ରୀଲଙ୍କା ବ୍ରହ୍ମଦେଶ ଲାଓସ କାମ୍ବୋଡିଆ ଫିଲିପାଇନସ ଆଦି ଅଞ୍ଚଳରେ ପାରମ୍ପରିକ ପଣା ସଂକ୍ରାନ୍ତିକୁ ପାଳନ କରୁଥିଲେ ଯାହା ସେସବୁ ଅଞ୍ଚଳରେ ଆଜି ବି ବଞ୍ଚି ରହିଛି । ଓଡ଼ିଶାର ନୌଵାଣିଜ୍ୟ ପରମ୍ପରା ସହିତ ମେଷ ସଂକ୍ରାନ୍ତି ଵା ମହା ଵିଷୁଵ ପଣା ସଂକ୍ରାନ୍ତିର ଏକ ଵିଶିଷ୍ଟ ସମ୍ପର୍କ ରହିଛି । 
ସାଧଵମାନେ କାର୍ତ୍ତିକ ମାସରେ ନୌଵାଣିଜ୍ୟ କରିଵାକୁ ଦରିଆ ପାରି ଦେଶକୁ ଯାଇ ଵୈଶାଖ ମାସରେ ସ୍ଵଦେଶ ଫେରି ଆସୁଥିଲେ । ଫଳତଃ କେଵଳ ଓଡ଼ିଶା ନୁହେଁ ପୂର୍ଵେ ଯେଉଁ ଯେଉଁ ସ୍ଥାନରେ କଳିଙ୍ଗୀମାନଙ୍କର ଶାସନ ଓ ଉପନିଵେଶ ଥିଲା ସେହି ସେହି ସ୍ଥାନରେ ଵୈଶାଖ ମାସକୁ ମହତ୍ତ୍ୱପୂର୍ଣ୍ଣ ଵିଚାର କରାଯାଇଥିଲା । 
    
ତେବେ ଅନେକେ ହୁଏତ ଜାଣିନଥିବେ ଯେ ଆମର ଗୋଟିଏ ନୁହେଁ ଵରଂ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ଅଛି । ଆମ କଳିଙ୍ଗ ଦେଶୀୟ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ପାଳିତ ହେଵାର ପ୍ରଥା ରହିଛି । ଜଳ ଵିଷୁଵ ସଂକ୍ରାନ୍ତି ଓ
ମହା ଵିଷୁଵ ପଣା ସଂକ୍ରାନ୍ତି । ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ ମେଷ ସଂକ୍ରାନ୍ତି, ଚଡ଼କ ସଂକ୍ରାନ୍ତି,ଠେକିବସା ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । ଵୈଜ୍ଞାନିକମାନେ ପୃଥିଵୀ ମଧ୍ୟରେ କେତେକ କାଳ୍ପନିକ ରେଖା, ବିନ୍ଦୁ, ଵୃତ୍ତର କଳ୍ପନା କରିଛନ୍ତି ଏଵଂ ସେହି କଳ୍ପନାର ପ୍ରାଚୀନ ମୂଳ ଆଧାର ଭାରତୀୟ ଭୌଗୋଳିକ ଜ୍ଞାନ। କ୍ରାନ୍ତିଵୃତ୍ତ (Ecliptic) ଓ ନିରକ୍ଷଵୃତ୍ତ (Equator) ଏହି ଦୁଇଟି ଵୃତ୍ତ ଦୁଇଟି କାଳ୍ପନିକ ବିନ୍ଦୁ ସୃଷ୍ଟି କରିଥାନ୍ତି । ସେହି ଦୁଇ ବିନ୍ଦୁକୁ ମହାଵିଷୁଵ ଓ ଜଳଵିଷୁଵ ବିନ୍ଦୁ କୁହାଯାଏ । ଯେତେବେଳେ ମହାଵିଷୁଵ ବିନ୍ଦୁ ଉପରେ ସୌର କେନ୍ଦ୍ର ବିନ୍ଦୁ ସ୍ପର୍ଶ କରେ, ସେତେବେଳେ ମହାଵିଷୁଵ ସଂକ୍ରାନ୍ତି ହୁଏ । 

ମହାଵିଷୁଵ ପଣା ସଂକ୍ରାନ୍ତି ଓ ଦକ୍ଷିଣ ଏସିଆର ଜଳଵାୟୁ ମଧ୍ୟରେ ଗଭୀର ସମ୍ପର୍କ ଅଛି । ପ୍ରକୃତରେ ଏହି ପର୍ଵର କଳ୍ପନା ହିଁ ସ୍ଥାନୀୟ ଜଳଵାୟୁ ଆଧାରରେ ହୋଇଛି ‌। 
ସୌର ମେଷମାସରେ ପାଳିତ ହେଉଥିଵା ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି । ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ । ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ,ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 
ମହାଵିଷୁଵ ପଣା ସଂକ୍ରାନ୍ତି ଋତୁଚକ୍ରର ଠିକ୍ ଆରମ୍ଭରେ ପାଳିତ ହୁଏ ଅର୍ଥାତ୍ ଗ୍ରୀଷ୍ମଋତୁର ଆରମ୍ଭ ସହିତ ଆମର ନଵଵର୍ଷ ଆରମ୍ଭ ହୋଇଥାଏ । ଆମ୍ବ,ବେଲ ଭଳି ଭାରତୀୟ ଫଳ ଓ ପୁଷ୍ପରେ ଵନ ଉପଵନ ଭରିଯାଏ । 
ଵର୍ଷ ଆରମ୍ଭ ସହିତ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି । ତୁଳସୀ ଭଳି ପଵିତ୍ର ଵୃକ୍ଷ ପରେ ଠେକି ବସା ଯାଇ ଜଳଦାନ କରିଵା ସହ ଲୋକଙ୍କୁ ପଣା ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା ହେତୁ ଲକ୍ଷଣାର୍ଥ ଉପଦେଶ ଦେଵା ଭଳି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ ହେଉଛି ଆମ ମହା ଵିଷୁଵ ପଣା ସଂକ୍ରାନ୍ତି ! 
ମହାଵିଷୁଵ ପଣା ସଂକ୍ରାନ୍ତି ଦିନ କଳିଙ୍ଗ ଦେଶରେ ଵିଭିନ୍ନ ପର୍ଵପର୍ଵାଣୀ ପାଳିତ ହୋଇଥାଏ ଏଵଂ ଏଥିପାଇଁ ଏହା କଳିଙ୍ଗ ଦେଶର ଏକ ଅତି ଗୁରୁତ୍ବପୂର୍ଣ୍ଣ ପର୍ଵ ବୋଲି ସ୍ପଷ୍ଟ ଭାବରେ କୁହାଯାଇପାରେ ।

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା,ଚଡ଼କ ଯାତ୍ରା ଓ ଶକ୍ତିପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି), ଜଳଦାନ ଏକ ପ୍ରକାରେ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ । ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଏ ଓ ଵିଶେଷ ପୂଜାର ଆୟୋଜନ କରାଯାଏ । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼େ ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଏ । ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଏ । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଏ । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । ପଣା ସଂକ୍ରାନ୍ତି ପରଠାରୁ ରୌଦ୍ରତାପ ବୃଦ୍ଧି ପାଏ ତେଣୁ ଏହି ସଂକ୍ରାନ୍ତିରେ ଵୃକ୍ଷଜଗତ ଏଵଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିଵାରୁ ଏହାର ଅନ୍ୟ ନାମ ଜଳସଂକ୍ରାନ୍ତି ଅଟଇ ‌। 

ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ବାୟୁର ଗତି କ୍ରମଶଃ ପ୍ରଖର ହୁଏ ଏଵଂ ଏହି ଦିନଠାରୁ 'କାଳଵୈଶାଖୀ' ପ୍ରଵାହିତ ହୋଇଥାଏ । ହନୁମାନ ହେଉଛନ୍ତି ଵାୟୁପୁତ୍ର ତଥା ପୁରାଣର କଥା ଅନୁସାରେ ସେ ନିଜ ବାଳପଣରେ ସୂର୍ଯ୍ୟଙ୍କୁ ଗିଳିଦେଵାକୁ ଉଦ୍ୟତ ହୋଇଥିଲେ । ଅତଃ କଳିଙ୍ଗଵାସୀ ଗ୍ରୀଷ୍ମଋତୁର ଆରମ୍ଭରେ ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ମହାଵିଷୁଵ ପଣା ସଂକ୍ରାନ୍ତିରେ ହନୁମାନ ଜୟନ୍ତି ପାଳନ କରିଥାନ୍ତି । ଶ୍ରୀମନ୍ଦିର ରୀତିନୀତିରେ ତେଣୁ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଵିଶେଷ ଆରାଧନା କରାଯାଏ । ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେଵା ଏଵଂ ହନୁମାନ ଠାକୁର ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିଵା ଵିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାଵୀର ଓ ବାର ଭାଇ ମହାଵୀରମାନଙ୍କୁ ଆଜ୍ଞାମାଳ ଦେଵା ପରେ ଵିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ଵିଜେ କରାନ୍ତି । ହନୁମାନ ଵିମାନରେ ରହିଥିଵା ଅଵସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ଵିରାଜିତ ମହାଵୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା'ପରେ ଦରିଆ ମହାଵୀରଙ୍କୁ ଦେଵା ନିମନ୍ତେ ଯାଆନ୍ତି । ସେଠାରୁ ଫେରଲା ପରେ ମଠଠାରେ ଭୋଗ, ବନ୍ଦାପନା ହୁଏ । ତା'ପରେ ବାହୁଡ଼ା ଵିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି । ⁠ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିଵା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା'ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିଵା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପୁରୀର ଵିଭିନ୍ନ ଜାଗା ଆଖଡା଼ରେ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ନୂତନ ଭାବେ ପାରମ୍ପରିକ ଵସ୍ତ୍ରର ପରିଧାନ କରି ଜାଗା ଆଖଡାର ସଦସ୍ୟମାନେ ହନୁମାନଙ୍କର ଆଶୀର୍ଵାଦ ନେଵା ଦଣ୍ଡ ବୈଠକ ସହ କୁସ୍ତି କସରତ କରିଥାଆନ୍ତି । ସାଧାରଣତଃ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ପୁରୀର ପ୍ରସିଦ୍ଧ ସିଦ୍ଧ ମହାଵୀରଙ୍କର ସହ ପୁରୀ ନିକଟସ୍ଥ ଶିରୁଳି ମହାବୀର ପୀଠରେ ଭକ୍ତରଙ୍କ ପ୍ରଵଳ ସମାଗମ ହୋଇଥାଏ ।  
ଏହିପରି ଭାବେ ଶ୍ରୀମନ୍ଦିରରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଜୟନ୍ତୀ ପାଳିତ ହୋଇଥାଏ । 

ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ, ସନାତନୀମାନଙ୍କର ଏହି ଚାରିଗୋଟି ଧର୍ମ ମାସ ଅଟେ । ଏହି ଚାରି ମାସ ତଥା ଏହି ଚାରି ମାସର ପୂର୍ଣ୍ଣିମା ହିନ୍ଦୁଶାସ୍ତ୍ର ଅନୁସାରେ ପୁଣ୍ୟକାଳ। ଏହି ଚାରି ମାସର ଆଦ୍ୟ ଅକ୍ଷରଦ୍ୱାରା ଗଠିତ 'ଆ କା ମା ବୈ' ଶବ୍ଦ ମତ୍ସ୍ୟପୁରାଣରେ ଅଛି। 

"ଵିଷୁଵେ ଶତ ସାହସ୍ର ମାକାମାଵୈଫଳଂ ଲଭେତ୍”

ଅର୍ଥାତ୍ ଵିଷୁଵ(ଵୈଶାଖର ପଣା ସଂକ୍ରାନ୍ତି) ସଂକ୍ରାନ୍ତିରେ ଦାନପୁଣ୍ୟାଦି କଲେ ଶତ ସହସ୍ର 'ଆକାମାଵୈ' ଅର୍ଥାତ୍ ଉକ୍ତ ଚାରି ମାସ ଓ ଚାରି ପୂର୍ଣ୍ଣିମାରେ ଅନୁଷ୍ଠିତ ଦାନ ଓ ପୁଣ୍ୟର ଫଳ ଲାଭ ହୁଏ । ସେଥିପାଇଁ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଧାନ୍ୟଧେନୁ ଦାନ କଲେ ବହୁ ସୌଭାଗ୍ୟ, ସୁଖ ଓ ପୁଣ୍ୟଲାଭ ହୁଏ ବୋଲି ଭାରତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ପଣାସଂକ୍ରାନ୍ତିରେ ଵ୍ରତଧାରୀ ପାଟୁଆମାନଙ୍କର ଦେଵୀ ଆସ୍ଥାନ ନିକଟରେ ନିଆଁରେ ଚାଲିଵା ଓ ବାଦ୍ୟ ସହିତ ଗୀତ ବୋଲି ନାଚିଵା ପର୍ବକୁ ପଟୁଆଯାତ ,ଝାମଯାତ ଓ ଝାମୁଚଲା ଇତ୍ୟାଦି କୁହାଯାଏ । ଅଞ୍ଚଳ ଭେଦରେ ଝାମୁଯାତ ଓ ପାଟୁଆ ଯାତ ଭିନ୍ନ ଭିନ୍ନ ହୋଇଥାଏ ।‌ ଢେଙ୍କାନାଳ ଆଦି କେତେକ ଅଞ୍ଚଳରେ ଲମ୍ବାଗାତ ସହ ତହିଁର ଦୁଇପଟେ ଦୁଇଗୋଟି ଗୋଲାକାର ଗାତ ଖୋଳିଦିଆଯାଏ । ମଝି ଲମ୍ବାଗାତରେ ରଡ଼ନିଆଁ ଦିଆଯାଏ ଓ ଦୁଇପାଖରେ ଜଳ ରହିଥାଏ । ଵ୍ରତଧାରୀମାନେ ମାନସିକ କରିଥିଵା ପିଲାଙ୍କୁ ଧରି ଏଇ ରଡ଼ନିଆଁ ଉପରେ ଚାଲିଯାଆନ୍ତି । କେତେକ ଅଞ୍ଚଳର ପାଟୁଆ ଯାତ୍ରା ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ। ଅନ୍ଯ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ। ଵ୍ରତଧାରୀ ବ୍ଯକ୍ତି ଦୁଧପାଣି ଥିଵା ଗାତରେ ଗୋଡ଼ ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା ୭ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ। କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ। ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ଵ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି ।


ଦଣ୍ଡନାଚ ସହିତ ମହାଵିଷୁଵ ପଣା ସଂକ୍ରାନ୍ତିର ଗଭୀର ସମ୍ପର୍କ ରହିଛି । 
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ଏହା ଓଡ଼ିଶାର କଟକ, ଅନୁଗୋଳ, ଢେଙ୍କାନାଳ ଆଦି ଵିଭିନ୍ନ ଅଞ୍ଚଳରେ ପାଳିତ ହେଉଥିଲେ ବି ଗଞ୍ଜାମ ଜିଲ୍ଲାର ଏହା ଏକ ପ୍ରମୁଖ ଲୋକ ପର୍ଵ ଅଟେ। ଦଣ୍ଡନାଚ ଗ୍ରାମାଞ୍ଚଳରେ କାମନା ଦଣ୍ଡ ଭାବେ ପରିଚିତ ତଥା ଠାକୁରାଣୀଙ୍କ ଆସ୍ଥାନ ନିକଟସ୍ଥ ଯେଉଁ ତୋଟାରେ କାମନା ଦଣ୍ଡ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହୁଏ ସେହି ତୋଟାକୁ କାମନା ତୋଟା କୁହାଯାଏ। ଚୈତ୍ର ମାସ ଆରମ୍ଭରୁ ଵୈଶାଖ ମାସ ପ୍ରଥମ ଦିନ ପର୍ଯ୍ୟନ୍ତ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଦଣ୍ଡରେ ମିଶିଥିଵା ଭକ୍ତଙ୍କୁ ଦଣ୍ଡୁଆ ଵା ଭୋକ୍ତା କୁହନ୍ତି । ଦଣ୍ଡୁଆ ଵା ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିଵାରୁ ଏହି ନାଚକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ଯୋଗ ଦେଵା ଦ୍ୱାରା ମା'କାଳୀଙ୍କ ଅସୀମ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ଓଡ଼ିଶାରେ ଲୋକଵିଶ୍ୱାସ ପ୍ରଚଳିତ । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି ଏଵଂ ଏହି ୧୩ଜଣ ତେର ଵର୍ଷ ପାଇଁ ଅଂଶଗ୍ରହଣ କରିଵାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏଵଂ ତ୍ୟାଗର ଵିଧିଵିଧାନ ଅଛି । ଦଣ୍ଡୁଆ ଵା ଭୋକ୍ତାମାନେ ଷୋହଳ ପ୍ରକାରର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିଵା), ଶୁଦ୍ଧିକ୍ରିୟା, କୁଳଭୋଜି ଓ ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) । ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ ଏଵଂ ଦଣ୍ଡଯାତ ସମୟରେ ଦଣ୍ଡିଆ ଵା ଭୋକ୍ତାମାନଙ୍କ ପାଇଁ ରାଜସିକ ତଥା ତାମସିକ ଖାଦ୍ୟ ଭକ୍ଷଣ ନିଷେଧ ଅଟେ । ଭୋକ୍ତାମାନେ ଶିଵ, ପାର୍ଵତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିଵା ଵ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ଵଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତା/ଦଣ୍ଡୁଆମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ଵତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀଵନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିଵାକୁ ମିଳିଥାଏ । ଗଞ୍ଜାମ ଜିଲ୍ଲାର ଦଣ୍ଡନାଚରେ ଘୋଟଣା ନୃତ୍ୟ ଭଳି କେତେକ ସ୍ଵାତନ୍ତ୍ର୍ୟ ବି ରହିଛି । ଦଣ୍ଡନାଚରେ ଅତି ସରଳ ଗ୍ରାମୀଣ ଭାଷା ଵ୍ୟଵହାର କରାଯାଇଥାଏ । ଵିଷୁବ ସଂକ୍ରାନ୍ତି ଦିନ ଏହି ଦଣ୍ଡନାଚ ଶେଷ ହୁଏ ଏଵଂ ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ଵାଦ୍ୟଯନ୍ତ୍ର ବାଜୁଥିଵା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି । ମହାଵିଷୁଵ ସଂକ୍ରାନ୍ତି ମାସଯାକ ପାଳିତ ହେଉଥିଵା ଦଣ୍ଡନାଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଵସ ହୋଇଥିଵାରୁ ଏହି ଦିନ ଶେଷ ଦଣ୍ଡ ଠାକୁରାଣୀ ଆସ୍ଥାନ ନିକଟରେ ଧୁମ୍‌ଧାମରେ ଆୟୋଜିତ ହୋଇଥାଏ । 

ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଲୋକେ ପଣାସଂକ୍ରାନ୍ତିକୁ ଚଡ଼କପର୍ଵ ଵା ଚଡ଼କଯାତ୍ରା ନାମରେ ପାଳନ କରିଥାନ୍ତି । ପାଟୁଆନାଚ,ଦଣ୍ଡଯାତ ପରି ଚଡ଼କଯାତ୍ରାରେ ଭାଗ ନେଉଥିଵା ଭୋକ୍ତା ଵା ପାଟୁଆମାନେ ମଧ୍ୟ ଦେଵତାଙ୍କୁ ପ୍ରସନ୍ନ କରାଇଵାକୁ ନିଜକୁ ନାନା ରୂପେ ଦଣ୍ଡିତ କରିଥାନ୍ତି । ଚଡ଼କ ଯାତ ଅଵସରରେ ଉତ୍ତର ଓଡ଼ିଶାରେ ଗରମ ଝୁଣାକୁ ପାଟୁଆମାନଙ୍କ ପିଠିକୁ ଫୋପାଡି଼ ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ଵା ବାହୁଙ୍ଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ । ଦଣ୍ଡଯାତର ଦଣ୍ଡୁଆ ଵା ଭୋକ୍ତା ଆଉ ପାଟୁଆଯାତ ତଥା ଚଡ଼ ଯାତର ପାଟୁଆମାନେ ହିଁ ପ୍ରକୃତ ଅର୍ଥରେ
ଶୈଵ ଅଟନ୍ତି । ଶିଵ ପୂଜା ହିଁ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି
ପାଟୁଆ ଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଡଃ କୁଞ୍ଜବିହାରୀ ଦାଶ
ଲେଖିଛନ୍ତି— ”ବୌଦ୍ଧତନ୍ତ୍ରର ଆସ୍ଵାଦ ଲୋକେ ଭୁଲି ପାରିଲେ ନାହିଁ । ଏହା ଶୈଵଧର୍ମ ଭିତରେ ଶୈଵତନ୍ତ୍ରରେ ଦେଖାଦେଲା । ଶୈଵଧର୍ମର ନାଗା ସନ୍ନ୍ୟାସୀମାନେ ଶବ କଙ୍କାଳ ଉପରେ
ସାଧନା କଲେ । କେତେକ ଊର୍ଦ୍ଧବାହୁ, ଆକାଶମୁଖୀ ହୋଇ,କେତେକ ଵା ବୃକ୍ଷ ଶାଖାରେ ପଦ ଦୁଇ ବନ୍ଧନ କରି ଯଜ୍ଞକୁଣ୍ଡରେ ମୁଣ୍ଡ ଝୁଲାଇ ସାଧନା କରିଵାକୁ ଲାଗିଲେ । ଶିଵଙ୍କ ଅନୁଗ୍ରହ ଲାଭ ଏହି ସାଧନାର ଉଦ୍ଦେଶ୍ୟ । ଏହି ସଂପ୍ରଦାୟରୁ
ପାଟୁଆ, ଚଡ଼କ ପୂଜା ଓ ଦଣ୍ଡନାଟର ଜନ୍ମ । ଏହି ଅନୁସାରେ ଦେଖାଯାଏ ପାଟୁଆମାନେ ନାଚନ୍ତି ଓ ଗୀତ ଗାଆନ୍ତି। ଗୀତରେ
କେଵଳ ଶିଵପାର୍ବତୀଙ୍କର ସ୍ତୋତ୍ର ପାଠ କରାଯାଇଥାଏ । ସେମାନେ ଅଧିକାଂଶ ସମୟ ପ୍ରଚଣ୍ଡ ଖରାରେ ଓ ଅଗ୍ନି ମଧ୍ୟରେ
ଚାଲିଚାଲି ପିଠିରେ ବେତ୍ର ପ୍ରହାର କରି ଶିଵଙ୍କ ପ୍ରତି ନିଜର ଅଚଳାଭକ୍ତି ପ୍ରଦର୍ଶନ କରନ୍ତି । ଏହି ପାଟୁଆ ନାଟରେ ଵାଦ୍ୟ
ଭାଵରେ କେଵଳ ଢୋଲ ଵ୍ୟଵହାର କରାଯାଏ । ଏଥିରେ କିନ୍ତୁ ଅଭିନୟ ନଥାଏ । କେଵଳ ଭକ୍ତି ଭାବରେ ତନ୍ମୟ ନୃତ୍ୟ
ହିଁ ଏହାର ପ୍ରଧାନ କଥା ।” 

ଅସ୍ତୁ, ପାଟୁଆଯାତ,ଦଣ୍ଡନାଚ ତଥା ଚଡ଼କଯାତର ଵ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିଵାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ‌। ଜୀଵନ ଯେତେ ଦୁଃଖମୟ ହେଲେ ବି ସେହି ଦୁଃଖ ଶୋକକୁ ଈଶ୍ବରଙ୍କର ଦଣ୍ଡ ଵା ପରୀକ୍ଷା ମନେ କରି ସହ୍ୟ କରିନେଲେ ଜୀଵନ ଈଶ୍ଵରମୟ ହୋଇଯାଏ । ତେବେ କଳିଙ୍ଗର ପାରମ୍ପରିକ ଦଣ୍ଡନାଚ,ପାଟୁଆଯାତ ଓ ଚଡ଼କଯାତ୍ରାରେ ଏକ ପ୍ରମୁଖ ଦିଵସ ଭାବରେ ମହାଵିଷୁଵ ପଣା ସଂକ୍ରାନ୍ତି କଳିଙ୍ଗୀମାନଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ହୋଇଅଛି । 


ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆଗେ ମେଷ ସଂକ୍ରାନ୍ତି ଦିନ ଶିଶୁମାନଙ୍କ ପେଟରେ ଚଡ଼ୁ ଦେଵା ପ୍ରଥା ପ୍ରଚଳିତ ଥିଲା ଏଵଂ ଏହାକୁ ଲଛା କୁହାଯାଉଥିଲା । ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା । 

ସେହି ମହା ଵିଷୁଵ ପଣା ସଂକ୍ରାନ୍ତି ପୁଣି କଳିଙ୍ଗୀମାନଙ୍କ ପାଇଁ ହୋଇଯାଇଛି ପଣାପାଣିର ଏକ ଵୈଜ୍ଞାନିକ ଉତ୍ସଵ । 
ଵୈଶାଖମାସଠାରୁ ଗ୍ରୀଷ୍ମପ୍ରଵାହ ବୃଦ୍ଧି ପାଏ,ଵାୟୁର ବେଗ ବଢି଼ଯାଏ ଏଵଂ ଜଳାଭାଵ ଦେଖାଦିଏ । କଳିଙ୍ଗର ଲୋକେ ଏଥିରୁ ରକ୍ଷା ପାଇଵା ପାଇଁ ଗ୍ରୀଷ୍ମ ଦୁଇମାସ ଵୃକ୍ଷ ଓ ଜୀଵଙ୍କୁ ଜଳଦାନ କରନ୍ତି ତଥା ନିଜକୁ ଅଂଶୁଘାତରୁ ରକ୍ଷା କରିଵା ପାଇଁ ପଣାପାନ କରନ୍ତି । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇଵା ସହ ପାଚନ ଶକ୍ତି ମଧ୍ୟ ବଢ଼ିଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିଵାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ କରାଯାଏ । ଵୈଶାଖ ମାସର ପଣାସଂକ୍ରାନ୍ତି ଦିନ ଲୋକେ ବ୍ରାହ୍ମଣଙ୍କୁ ଛତା, ବିଞ୍ଚଣା, ଛତୁଆ ଓ ପଣା ଦାନ କରନ୍ତି। କଞ୍ଚା ଶସ୍ୟର ଚୂନାକୁ ଅଟା ଵା ଚୂନା କହନ୍ତି, ଭଜା ଶସ୍ୟର ଚୂନାକୁ ଛତୁ ଵା ଛତୁଆ କହନ୍ତି। ବୈଦ୍ୟଶାସ୍ତ୍ର ମତରେ ଯଵର ଛତୁ ଅଗ୍ନିଦୀପକ, ବଳକାରକ, ଲଘୁ, କଫପିତ୍ତନାଶକ, ଶୁକ୍ରବର୍ଦ୍ଧକ, ଶରୀରର ଉପଚୟକାରକ, ଭେଦକ, ତୃପ୍ତିକାରକ, ଶ୍ରାନ୍ତି, ବ୍ରଣ ଓ ନେତ୍ରରୋଗ ନାଶକ। ଏଥିପାଇଁ ତ ଭାରତରେ ଵୈଶାଖ ଶୁକ୍ଳପକ୍ଷରେ, ଵିଷୁଵ ସଂକ୍ରାନ୍ତି ଓ ଅକ୍ଷୟତୃତୀୟା ଦିନ ଯଵଚୂର୍ଣ୍ଣର ପିଣ୍ଡରେ ଶ୍ରାଦ୍ଧ କରାଯିଵାର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଅଛି । ପୃଥିଵୀରେ ପାରମ୍ପରିକ ପର୍ଵ ତ ଅନେକ ଅଛି କିନ୍ତୁ ଏତେ ସବୁ ଦେଶରେ ଵିଭିନ୍ନ ରୂପରେ ଗୋଟିଏ ପର୍ଵକୁ ଶୈଵ,ଶାକ୍ତ,ଶିଖ୍, ବୌଦ୍ଧ,ଵୈଷ୍ଣଵ ଆଦି ପନ୍ଥର ଲୋକେ ପାଳନ କରିଵା କ୍ଵଚିତ ଦେଖାଯାଏ । ସବୁଠାରୁ ବଡ଼ କଥା ହେଲା ମହାଵିଷୁଵ ପଣା ସଂକ୍ରାନ୍ତି ଦିନଟି କଳିଙ୍ଗ ଦେଶର ଜାତୀୟ ଦିଵସ ଭାବରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହିଁ ଆମର ପ୍ରକୃତ ପ୍ରାଚୀନ ନଵଵର୍ଷ ଯାହା ପ୍ରାୟ ଦୁଇ ସହସ୍ରାଧିକ ଵର୍ଷ ଧରି କଳିଙ୍ଗ ଦେଶର ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଆସୁଛି । ତେବେ ମହାଵିଷୁଵ ପଣା ସଂକ୍ରାନ୍ତି କେଵଳ କଳିଙ୍ଗର ହିଁ ନୁହେଁ ଭାରତର ଵିଭିନ୍ନ ଜନଜାତି ତଥା ଏସିଆର ଵିଭିନ୍ନ ଦେଶର ପାରମ୍ପରିକ ନଵଵର୍ଷ ରୂପରେ ଜଣାଶୁଣା ତେଣୁ ଏହା ଆଞ୍ଚଳିକ ନଵଵର୍ଷ ନୁହେଁ ଵରଂ ଏକ ଜାତୀୟ ତଥା ଅନ୍ତର୍ଜାତୀୟ ନଵଵର୍ଷ ଅଟେ । ମହାଵିଷୁଵ ପଣା ସଂକ୍ରାନ୍ତିର ଵ୍ୟାପକତା , ଵୈଜ୍ଞାନିକତା ଓ ଵିଶିଷ୍ଠତା ଏହାକୁ ଭାରତଵର୍ଷର ସବୁଠାରୁ ଶ୍ରେଷ୍ଠ ମହାନ ଉତ୍କୃଷ୍ଟ ସନାତନୀ ନଵଵର୍ଷ ଭାବେ ପ୍ରତିଷ୍ଠିତ କରିପାରିଛି ।

Wednesday, April 12, 2023

କାହିଁକି ରାମଚରିତ ମାନସରେ ସୁଵନ ଶବ୍ଦ ଅପରିଵର୍ତ୍ତନୀୟ ?

ରାମଚରିତ ମାନସର ଗୋଟିଏ ପଦରେ ଏକ ନିର୍ଦ୍ଦିଷ୍ଟ ଶବ୍ଦକୁ ପରିଵର୍ତ୍ତିତ କରିଦେଵା ପାଇଁ ଜଣେ ବାବା ନିକଟରେ ଏକ ମନ୍ତଵ୍ୟ ଦେଇଥିଲେ । ସେହି ପଦଟି ହେଉଛି...

“ଶଙ୍କର ସୁଵନ କେସରୀ ନନ୍ଦନ, 
ତେଜ ପ୍ରତାପ ମହା ଜଗ ଵନ୍ଦନ”

ଏଠାରେ ଵ୍ୟଵହୃତ 'ସୁଵନ' ଶବ୍ଦର ଅର୍ଥ ପୁତ୍ର,ଅଂଶ ଓ ଅଵତାର ବୋଲି ଅନେକେ ମତଵ୍ୟକ୍ତ କରନ୍ତି । ହନୁମାନଙ୍କର ଜନ୍ମ ବୃତ୍ତାନ୍ତ ଵିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ତେବେ ତନ୍ମଧ୍ୟରୁ ଗୋଟିଏ କଥା ଅନୁସାରେ ମୋହିନୀ ରୂପୀ ଵିଷ୍ଣୁଙ୍କୁ ଦେଖି ଶିଵଙ୍କର ଯେଉଁ ରେତ ସ୍ଖଳିତ ହୋଇଥିଲା ତାହା ପଵନଦେଵଙ୍କ ଦ୍ଵାରା ଅଞ୍ଜନାଙ୍କୁ ପ୍ରାପ୍ତ ହୋଇଥିଲା । ଏ ଦୃଷ୍ଟିରୁ ହନୁମାନ ଶିଵଙ୍କର ପୁତ୍ର ଓ ଅଂଶ ହେଲେ ।‌ ତେଣୁ ରାମଚରିତ ମାନସରେ ହନୁମାନଙ୍କୁ “ଶଙ୍କର ସୁଵନ କେଶରୀ ନନ୍ଦନ” କୁହାଗଲା । 

ସୁଵନ ଶବ୍ଦଟି ଅଵଧି ଭାଷାର ଶବ୍ଦ କିନ୍ତୁ ଆଧୁନିକ ଅଵଧୀ ଶବ୍ଦକୋଷରେ ଏ ଶବ୍ଦ ଉଣ୍ଡିଲେ ମିଳେନାହିଁ କାରଣ ଵର୍ତ୍ତମାନର କଥିତ ଅଵଧୀ ଭାଷାରେ ଏ ଶବ୍ଦ ଚଳୁନାହିଁ । କିନ୍ତୁ ପ୍ରାଚୀନ କାଳରେ ଅଵଧୀ ଭାଷାରେ ଏ ଶବ୍ଦ ପ୍ରଚଳିତ ଥିଲା ସେଥିପାଇଁ ଏ ଶବ୍ଦ ତୁଳସୀ ଦାସ ଵ୍ୟଵହାର କରିଥିଲେ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଓଡ଼ିଆ ଭାଷାରେ ଵ୍ୟଵହୃତ ପ୍ରାଚୀନ ଶବ୍ଦଗୁଡି଼କୁ ଜାଣିଵାର ସୁଯୋଗ ମିଳେ କିନ୍ତୁ ଅଵଧୀ ଭାଷାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଲେକ୍ସିକନ୍ କେହି ସଂକଳନ କରିଥିଵା ଜଣାଯାଏ ନାହିଁ । ତେଣୁ ସୁଵନ ଓ ସୁଅନ୍ ଶବ୍ଦ ଵିଷୟରେ ଅନେକେ ଜାଣିପାରିନାହାନ୍ତି ‌ । ତେବେ "ହିନ୍ଦୀ ଶବ୍ଦ ସାଗର" କୋଷରେ ଏହି ସୁଵନ ଓ ଏହାର ଅନ୍ୟ ଏକ ରୂପ ସୁଅନ ଶବ୍ଦ ସ୍ଥାନିତ ହୋଇଅଛି। ସୁଵନ ଭଳି ସୁଅନ ଶବ୍ଦ ମଧ୍ୟ ଉତ୍ତର ଭାରତୀୟ ସାହିତ୍ୟରେ ପୁତ୍ର ଅର୍ଥରେ ଵ୍ୟଵହୃତ ହୋଇଅଛି । 
ଯଥା :

“ବହୁ ଦିନ ଧୌ କବ ଆଇହୈ ହ୍ଵୈହୈ ସୁଅନ ଵିଵାହ । 
ନିଜ ନୟନନ ହମ ଦେଖିହୈଂ ହେ ଵିଧି ୟହୁ ଉତ୍ସାହ ।”
(ସ୍ଵାମୀ ରାମକୃଷ୍ଣଙ୍କ ସାହିତ୍ୟରୁ) 

ତେବେ ଜନୈକ ଉତ୍ତର ଭାରତୀୟ ବାବା କହିଲେ "ଶଙ୍କର ସୁଵନ କେଶରୀ ନନ୍ଦନ" ଏ ପଦଟି ତ୍ରୁଟିପୂର୍ଣ୍ଣ ଵରଂ ଏହି ପଦରୁ ସୁଵନକୁ କାଟି 'ସ୍ଵୟଂ' କରିଦିଆଯାଉ । କିନ୍ତୁ ସେ ବାବା ସମ୍ଭଵତଃ ସୁଵନ ଓ ସୁଅନ ଶବ୍ଦର ନିରୁକ୍ତି ଇତିହାସ ଵିଷୟରେ ଜାଣିନଥିଵାରୁ ଏଭଳି ଅବାଞ୍ଛିତ ମତଟିଏ ଦେଇ ଦେଇଛନ୍ତି ବୋଲି ଅନୁମାନ କରାଯାଇପାରେ। 

ଅଵଧୀ ଭାଷାର ପୁତ୍ର ଅର୍ଥରେ ଵ୍ୟଵହୃତ 'ସୁଵନ' ତଥା 'ସୁଅନ' ଶବ୍ଦଦ୍ଵୟ ପ୍ରାଚୀନ ଶବ୍ଦ ଏଵଂ ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଏ ଉଭୟ ଶବ୍ଦର ଇଂରାଜୀ son ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । ହଁ ଆଧୁନିକ ପ୍ରାକ୍ ଭାରୋପୀୟ ଧାତୁରୂପ ନିର୍ଣ୍ଣୟ ପ୍ରଣାଳୀ ଦ୍ଵାରା ଏହା ସତ ଅଟେ ବୋଲି ପାଶ୍ଚାତ୍ୟ ଭାଷାଵିଦମାନଙ୍କର ଆକଳନରୁ ଜଣାପଡ଼ିଛି । 

ଆଜି ଆମେ ଜାଣୁ ଯେ ଇଂରାଜୀ ଭାଷାରେ Son ଶବ୍ଦର ଅର୍ଥ ପୁତ୍ର କିନ୍ତୁ ମଧ୍ୟଯୁଗୀୟ ଇଂରାଜୀ ଭାଷାରେ ଏହି ଶବ୍ଦକୁ sonn, sone, sun ଓ sune ଵିଭିନ୍ନ ରୂପେ ଲେଖାଯାଉଥିଲା । ସେହିପରି son ଶବ୍ଦର ପ୍ରାଚୀନ ଇଂରାଜୀ ରୂପ sunu (“son”) ଥିଲା ଏକ ପ୍ରାକ୍ ଜର୍ମାନିକ୍ ଶବ୍ଦ *sunuz (“son”)ରୁ ସୃଷ୍ଟି ହୋଇଛି । ଆଧୁନିକ ଭାଷାଵିଦମାନେ ଏହି son ଶବ୍ଦର ପ୍ରାକ୍ ଭାରୋପୀୟ ମୂଳ ଶବ୍ଦରୂପ *suHnús (“son”) ତଥା ମୂଳ ପ୍ରାକ୍ ଭାରୋପୀୟ ଧାତୁରୂପ *sewH- (“to bear; give birth”) ନିର୍ଣ୍ଣୟ କରିଛନ୍ତି । 


Son ଯେଉଁ ମୂଳ ଭାରୋପୀୟ ଶବ୍ଦ *suHnúsରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ମତଵ୍ୟକ୍ତ କରନ୍ତି ତହିଁରୁ ଅନ୍ୟ ଏକ ଦିଗରେ ଭାରତରେ ସୁଵନ ଓ ସୁଅନ୍ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି ‌। 

ତେବେ କେହି କେହି ପ୍ରଶ୍ନ କରିପାରନ୍ତି ଯଦି ମୂଳ ଭାରୋପୀୟ ଶବ୍ଦ *suHnúsରୁ ପୁତ୍ର ଅର୍ଥଜ ସୁଵନ ଓ ସୁଅନ ଶବ୍ଦ ଉତ୍ତର ଭାରତରେ ଅଵଧି ଭାଷାରେ ସୃଷ୍ଟି ହୋଇଛି ତାହେଲେ ସଗୋତ୍ରୀୟ ଭାଷା ହୋଇ ବି ଭାରତର ଦୁଇଗୋଟି ଵୈଜ୍ଞାନିକ ଶାସ୍ତ୍ରୀୟ ଭାଷା "ଓଡ଼ିଆ ତଥା ସଂସ୍କୃତ" ଭାଷାରେ ସେହିପରି ସମଗୋତ୍ରୀୟ ଶବ୍ଦ କାହିଁକି ନାହିଁ ? 

ହଁ ପ୍ରକୃତରେ ଏହିପରି ଦୁଇଗୋଟି ଶବ୍ଦ ଓଡ଼ିଆ ତଥା ସଂସ୍କୃତ ଭାଷାରେ ରହିଛି କିନ୍ତୁ ଉଭୟ ଶବ୍ଦର ପ୍ରୟୋଗ ବହୁତ ଅଳ୍ପ ଲୋକ କରିଛନ୍ତି ଓ କରୁଛନ୍ତି । ଏବେ ବି ହାତଗଣତି ଲୋକଙ୍କୁ ଓଡ଼ିଆ ତଥା ସଂସ୍କୃତ ଭାଷାରେ ପୁତ୍ର ଅର୍ଥରେ ପ୍ରଚଳିତ ସେହି ଶବ୍ଦ ଦୁଇଟି ଵିଷୟରେ ଜଣାଥିଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏକ ଓଡ଼ିଆ ଶବ୍ଦ ସୁନ ଵିଷୟରେ ତଥ୍ୟ ମିଳେ । ଏହାର ଦୁଇଗୋଟି ଅର୍ଥ ସେଠାରେ ଲେଖାଅଛି ଶୂନ୍ୟ ଓ ପୁତ୍ର ।‌

ପୀତାମ୍ବର ଦାସଙ୍କ ନୃସିଂହପୁରାଣରେ ”ଏତେ ବୋଲି କୋଠିକି କାଟିଲା ଇନ୍ଦ୍ରସୁନ” ପଦରେ ସୁନ ଶବ୍ଦଟି ପୁତ୍ର ଅର୍ଥରେ ପ୍ରୟୋଗ କରାଯାଇଛି ବୋଲି ଭାଷାକୋଷରେ ଲିଖିତ ହୋଇଅଛି । 

ସେହିପରି ପୁତ୍ର ଅର୍ଥଜ ସଂସ୍କୃତ ତତ୍ସମ ଶବ୍ଦଟି ହେଉଛି ସୂନୁ ଏଵଂ ଏହା ସାରଳା ମହାଭାରତ, ଓଡ଼ିଆ ଭାଗଵତ ଓ ଵୈଦେହୀଶ ଵିଳାସ ଆଦି କାଵ୍ୟରେ ଵ୍ୟଵହୃତ ହୋଇଅଛି । ସଂସ୍କୃତ ଭାଷାରେ କନ୍ୟା,ପୁତ୍ର,ଅନୁଜ, ସୂର୍ଯ୍ୟ ଓ ଅର୍କବୃକ୍ଷ ଅର୍ଥରେ ସୂନୁ ଶବ୍ଦ ଵ୍ୟଵହାର କରାଯାଏ । 

ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସ କାଵ୍ୟରେ ସୂନୁ ଶବ୍ଦ ଵ୍ୟଵହାର କରିଛନ୍ତି।

“ବାମା କାଳ ଭାନୁ ବାମା ପ୍ରସଵ ସୂନୁ ସୁଷମା ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା।
ଵରନ ଵସନ ଧରେ ନୀଳ ପୀତ ପରସ୍ପରେ ସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା।”


“ବୃନ୍ଦ ବୃନ୍ଦ ହୋଇ ତହିଁ ଜନନୀମାନେ। ବସୁଧାପତି ଦେଖିଲେ ସୂନୁ ସୁମନେ।”

ସେହିପରି ଓଡ଼ିଆ ଭାଗଵତରେ ବି ପୁତ୍ର ଅର୍ଥଜ ସୁନୁ ଆଦି କେତେକ ଶବ୍ଦ ଆଗପଛ ହୋଇ ଵ୍ୟଵହାର କରିଯାଇଛି 

“ହୃଦୀକ ତାହାର ନନ୍ଦନ । 
ତାହାର ତିନି ପୁତ୍ର ଜାଣ ॥
ଦେଵଵାହୁ ଯେ ଶତଧନୁ । 
ଆବର କୃତଵର୍ମା ସୂନୁ ॥
ଦେଵମୀଢ଼ ଯେ ଶୂର ସୁତ । 
ତା' ପତ୍ନୀ ମାରିଷା ଵିଖ୍ୟାତ ॥”

ଏମନ୍ତକି ଓଡ଼ିଶାର ସର୍ଵପ୍ରଥମ ମହାଭାରତ ଗ୍ରନ୍ଥ ସାରଳା ମହାଭାରତରେ ମଧ୍ୟ ସୂନୁ ଶବ୍ଦକୁ ସାରଳା ଦାସ ଵ୍ୟଵହାର କରିଥିଵା ଜଣାଯାଏ । 

“ସ୍କନ୍ଦ ଜନନୀ ନାମକୁ ବହିଲୁ ସେ ଦିନୁ ଦେଵଥାଟେ ସେନାପତି ହେଲା ତୋର ସୂନୁ । 
ତାରକ ଅସୁର ବଧ କଲା ତୋ କୁମର ଜନ୍ମେ ଜନ୍ମେ ମୁହିଂ ତୋର ଚରଣେ କିଙ୍କର ।”

ଓଡ଼ିଆ ତଥା ସଂସ୍କୃତ ଭାଷାରେ ପୂର୍ଵେ ସୁନ ଓ ସୂନୁ ଶବ୍ଦର ପୁତ୍ର ଅର୍ଥରେ ପ୍ରୟୋଗ ଥିଲା ସେହିପରି ଅଵଧୀ ତଥା ଅନ୍ୟାନ୍ୟ ଉତ୍ତର ଭାରତୀୟ ଭାଷାରେ ପୁତ୍ର ଅର୍ଥରେ ସୁଵନ ଓ ସୁଅନ ଶବ୍ଦ ଵ୍ୟଵହାର କରାଯାଉଥିଲା ‌। ପୁତ୍ର ଅର୍ଥରେ ପୂର୍ଵେ ପ୍ରଚଳିତ ଏ ସମସ୍ତ ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *suHnús(ପୁତ୍ର) ଅଟେ ଏଵଂ ଏସବୁ ଶବ୍ଦର‌ ସଗୋତ୍ରୀୟ ସମ୍ବନ୍ଧ ଇଂରାଜୀ-son,ଡାନିଶ୍ - søn,ଡଚ୍ - zoon, ଜର୍ମାନ୍ - Sohn, ଆଇସଲ୍ୟାଣ୍ଡିକ୍ - sonur , ଲିଥୁଆନିଆ - sūnus ,ନର୍ୱେଜିୟନ୍ - sønn,ପୋଲିଶ୍ - syn ଓ synek ,ରୁଷୀୟ ଭାଷା -сын(syn) ଓ сыно́к(synók) ଓ ପ୍ରାଚୀନ ଆଵେସ୍ତାନୀ ଭାଷାର 𐬵𐬎𐬥𐬎‎ (hunu) ଶବ୍ଦ ରହିଛି । 

ତେଣୁ ପ୍ରୋକ୍ତ ଆଲୋଚନାରେ ଆମେ ଜାଣିଲେ ଯେ କିପରି ଓଡ଼ିଆ ସୁନ ଓ ସଂସ୍କୃତ ସୂନୁ ତଥା ଅଵଧୀ ସୁଵନ ଆଉ ସୁଅନ ସହିତ ଇଂରାଜୀ son ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି । ଏ ସମସ୍ତ ଶବ୍ଦ କେମିତି ଏକ ମୂଳ ଭାରୋପୀୟ ଶବ୍ଦରୂପ *suHnús(ପୁତ୍ର)ରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ମତ ପ୍ରକାଶ କରିଛନ୍ତି ତାହା ମଧ୍ୟ ଆମେ ଏହି ଆଲେଖ୍ୟରୁ ଜାଣିପାରିଛନ୍ତି । 

ଅତଏଵ୍ ରାମଚରିତ ମାନସରେ ଵ୍ୟଵହୃତ 'ସୁଵନ' ତଥା ଅନ୍ୟାନ୍ୟ ଉତ୍ତର ଭାରତୀୟ ଗ୍ରନ୍ଥରେ ପ୍ରୟୋଗ କରାଯାଇଥିଵା 'ସୁଅନ' ଶବ୍ଦର ନିରୁକ୍ତି ଇତିହାସ ନଜାଣି ତାକୁ ପରିଵର୍ତ୍ତିତ କରି 'ସ୍ଵୟଂ' କରି ଦେଵାକୁ ମତ ଦେଵା ନିତାନ୍ତ ତ୍ରୁଟିପୂର୍ଣ୍ଣ ଓ ଅନ୍ୟାୟୋଚିତ କାର୍ଯ୍ୟ ନୁହେଁ କି ? 







Monday, April 10, 2023

ପାଞ୍ଚ ଗପୁଡ଼ି

୧୭୪୦ରୁ ୧୭୫୦ ସମୟର କଥା । ସେତେବେଳେ ଓଡ଼ିଶାର ଗାଆଁଗଣ୍ଡା ନଗର ଵନ କୋଉଠି ବି ଲୋକେ ସୁରକ୍ଷିତ ନଥିଲେ । ଓଡ଼ିଶାର ଧନ,ରତ୍ନ ଵିଦେଶୀ ଲୁଣ୍ଠନକାରୀମାନେ ଲୁଟିଚାଲିଥିଲେ , ସହସ୍ରାଧିକ ଲୋକ ମୃତ୍ୟୁବରଣ କରୁଥିଲେ ଏଵଂ ଅନେକ ନାରୀ ନିର୍ଯ୍ୟାତନାର ଶିକାର ହେଉଥିଲେ । ସେ ଯୁଗରେ ଓଡ଼ିଶାରୁ ଅନେକ ଲୋକ ଅନ୍ୟତ୍ର ଚାଲିଯିଵା ଶ୍ରେୟସ୍କର ମଣୁଥିଲେ । 

‌ଓଡ଼ିଶାରୁ ଏହିପରି ପାଞ୍ଚଜଣ ଲୋକ ଅନ୍ୟ ଅଞ୍ଚଳକୁ ଜଙ୍ଗଲ ବାଟ ଦେଇ ଚାଲିଯାଉଥାନ୍ତି । ସେଇ ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ଲୋକ ଜନ୍ମରୁ ଅନ୍ଧ ଥିଲା,ଜଣେ କାଲା ଥିଲା,ଦୁଇଟିଯାକ ପାଦ ହରାଇଥିଵା ଜଣେ ଲେଙ୍ଗେଡ଼ା ଥିଲା ଏଵଂ ଆଉ ଜଣେ ହସ୍ତହୀନ ନୁଲା ଵା କେମ୍ପା ଥିଲା । ଏଇ ଚାରିଜଣଙ୍କ ଵ୍ୟତୀତ ସେମାନଙ୍କ ସହିତ ଜଣେ କଙ୍କାଳସାର ଦରିଦ୍ର ଜନ ବି ଯାତ୍ରା କରୁଥିଲା । 


ସେମାନେ ବାଟରେ ଯାଉ ଯାଉ 
ହଠାତ୍ କାଲାଲୋକଟି ଶୁଣିଵାର ଅଭିନୟ କରି କହିଲା “ଦୂରରୁ ଘୋଡ଼ାମାନଙ୍କର ଟାପୁର ଶବ୍ଦ ଶୁଣାଯାଉଛି,ହୁଏତ ପଛରୁ ଵର୍ଗୀମାନେ ଗଡ଼ ଲୁଟିଵାକୁ ଆସୁଛନ୍ତି । ଭାଇମାନେ ଏ ଵର୍ଗୀ ବହୁତ ହିଂସ୍ର ,ଆମକୁ ହାଣିଦେବେ ଚାଲ ଵରଂ ସେ ଗଛ ମୂଳରେ ଲୁଚିଵା ।”

ଏହା ଶୁଣି ଆକାଶ ଆଡ଼କୁ ଅନାଇ ଅନ୍ଧ ବି କହିଲା "ଦେଖ ଭାଇମାନେ ଭଲରେ ଦେଖ 
କେତେ ଧୂଳି ଉଡ଼ୁଛି,ହାଁ ନିଶ୍ଚେଁ ଵର୍ଗୀମାନେ ପେଲି ମୁସାଣ୍ଡି ଆମ ଆଡ଼କୁ ମାଡି଼ ଆସୁଛନ୍ତି ।”

ଏହା ଶୁଣି ଅନ୍ଧ କାନ୍ଧରେ ବସିଥିଵା ଲେଙ୍ଗେଡ଼ା ଆଉ ଚୁପ୍ ହୋଇ ରହିପାରିଲା ନାହିଁ ଯୋର୍‌ରେ ଚିତ୍କାର କରି କହିଲା “ଚାଲ ଭାଇମାନେ ଏ ବାଟ ଛାଡ଼ି ଅନ୍ୟ ଆଡ଼େ ଦୌଡି଼ ପଳାଇଵା ନୋହିଲେ ଵର୍ଗୀ ହାତରେ ପଡ଼ି ମରିଵା ସାର ହେଵ” 

'ଆବେ, ଭୀରୁ ଭଳି ହଗିମୁତି ପଳାୟନ କରିଵାକୁ କହୁଛ ? ଆସନ୍ତୁ ସେ ଵର୍ଗୀମାନେ,ତାଙ୍କୁ ଏମିତି କର୍ଣ୍ଣମୂଳିଆ ଦେଵା ଯେ ତାଙ୍କ ଜ୍ଞାନ ହରି ତାତିଯିଵ” କେମ୍ପା ଉତ୍ତେଜିତ ହୋଇ କହିଲା ।

କାଲା,ଅନ୍ଧ, ଲେଙ୍ଗେଡ଼ା ଆଉ କେମ୍ପାଙ୍କ କଥା ଶୁଣି ଢକଢକିଆ ଦରିଦ୍ର ଜନଟି ଆଉ ରହିନପାରି ବୋଇଲା "ହଁ ହଁ ଆହୁରି ବଡ଼ ପାଟି କରି ଗପୁନା ଗପ , ଵର୍ଗୀମାନେ ଆସି ମୋଠୁଁ ସବୁ ଧନ ସମ୍ପତ୍ତି ଲୁଟିନନେଲା ଯାଏଁ ତେମେମାନେ ସେମିତି ଗପୁଥିଵ ନା କିସ ଵା 😏

(ହିନ୍ଦୀ ଜହ୍ନମାମୁଁ ପତ୍ରିକାର ୧୯୭୪ ଵର୍ଷ ଜୁଲାଇ ସଂଖ୍ୟାରେ ପ୍ରକାଶିତ ଗଳ୍ପର ବର୍ଦ୍ଧିତ ଓଡ଼ିଆ ଭାଵାନୁଵାଦ)

Friday, April 7, 2023

ଗଦବାମାନଙ୍କର କୃଷିଭିତ୍ତିକ ଘୋଟନା(ଘଟ୍‌ନା) ପର୍ଵ ଓ ଗଞ୍ଜାମର ଦଣ୍ଡନାଚରେ ଏହାର ସ୍ବରୂପ

ଦଣ୍ଡନାଚରେ ଵିଶେଷତଃ ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତିର ଵିଶେଷ ପ୍ରଭାଵ ପଡ଼ିଛି । ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତି ସହିତ ଜଡ଼ିତ ଘୋଟଣା ନାଚ ଓ ଗୀତ ପରିଵେଷଣ କରାଯାଏ ‌ । ଅନ୍ୟ ଅଞ୍ଚଳର ଦଣ୍ଡନାଚରେ ଏଭଳି ପରମ୍ପରା ପ୍ରଚଳିତ ଥିଵା ଜଣାଯାଏ ନାହିଁ । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଓ ଵ୍ୟଵହାର ଭିନ୍ନ ଭିନ୍ନ ହୋଇଥାଏ । ଯେଉଁ ଦଣ୍ଡରେ ଘୋଟିଵା କାର୍ଯ୍ୟ ହୁଏ ତାକୁ ପୂର୍ଵାଞ୍ଚଳରେ ଘୋଟଣା କୁହାଯାଏ । ଓଡ଼ିଶାର କେତେକ ଉପକୂଳଵର୍ତ୍ତୀ ଅଞ୍ଚଳରେ ପଥର ଚକିକୁ ଲୋକେ ଘୋଟଣା କହିଥାନ୍ତି ।‌ କେତେକ ଅଞ୍ଚଳରେ ଶିଳ ଆଦି ବାଟଣା ୟନ୍ତ୍ରକୁ ଘୋଟଣା କୁହାଯାଏ । ଭାଙ୍ଗ ବଟା ଯାଉଥିଵା ଶିଳକୁ କିଛି ଅଞ୍ଚଳରେ ଘୋଟଣା କୁହାଯାଏ । କିନ୍ତୁ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଭିନ୍ନ ଅଟେ । ଏ ଅଞ୍ଚଳରେ ଆଗେ “ବିଲକୁ ସ୍ତ୍ରୀଲୋକମାନେ ଘରୁ ଖାଦ୍ୟ ନେଇଯିଵା” ପ୍ରଥାକୁ ଘୋଟଣା କୁହାଯାଉଥିଲା ‌ । କଥିତ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ଘୋଟଣା ଶବ୍ଦର ଅର୍ଥ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଲକୁ ନିଆଯିଵା ଭାତ ବୋଲି ଉଲ୍ଲେଖ ରହିଛି । 


ଓଡ଼ିଆ ଘୋଟିଵା କ୍ରିୟାରୁ ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ବାଟିଵା,ଘାଣ୍ଟିଵା,ବେଢି଼ଵା,
ଘେରିଵା,ଘୋଡ଼ାଇଵା,ଢାଙ୍କିଵା,ଆଚ୍ଛାଦିଵା,ଵ୍ୟାପିଵା,ଆକ୍ରମଣ କରିଵା, ଆକ୍ରାନ୍ତ କରିଵା ଆଦି ଅର୍ଥରେ ଓଡ଼ିଆ ଭାଷାରେ ଘୋଟିଵା କ୍ରିୟା ଵ୍ୟଵହୃତ ହୋଇଥାଏ । ଘୋଟିଵା କ୍ରିୟାରୁ ଆଚ୍ଛାଦିଵା,ଘୋଡ଼ାଇଵା ଅର୍ଥ ଘେନି ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ପ୍ରକୃତରେ ବିଲକୁ ଖାଦ୍ୟ ନେଇ ଗଲାବେଳେ ଏହା ଉପରେ କାହାର କୁଦୃଷ୍ଟି ନପଡ଼ୁ ସେଥିପାଇଁ ମହିଳାମାନେ ତାକୁ ଯତ୍ନରେ ଘୋଡ଼ାଇ ନେଇଥାନ୍ତି । ସେଥିପାଇଁ ଏହାର ନାମକରଣ ଘୋଟଣା କରାଯାଇଛି । ଗଞ୍ଜାମରେ ଘୋଟଣା ଶବ୍ଦ ଏକ ବହୁପ୍ରଚଳିତ ଶବ୍ଦ ଥିଲା ତେଣୁ ସାହିତ୍ୟରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଇଛି। 

“କେଉଁଠାରେ ପୁଣି କନ୍ଧ ବାମାଗଣ,
ହୋଇଥାନ୍ତି ଠିଆ ଘୋଟଣା ଘେନିଣ।”
(ତାରିଣୀଚରଣ. ଋଷିକୁଲ୍ୟା।)

ଗଞ୍ଜାମଵାସୀ ଆଜି ବି ଧୂଳିଦଣ୍ଡ ସମୟରେ ଘୋଟଣା ନାଚ ଓ ଘୋଟଣା ଗୀତ ଗାଇଥାନ୍ତି ‌। ଗଞ୍ଜାମ ଜିଲ୍ଲାରେ ଧୂଳିଦଣ୍ଡ ସମୟରେ ଦେଵୀ ମାଆଙ୍କ ଭୂମି ଚାଷ କରିଵା ଵିଧି ସବୁ ଅଭିନୀତ ହୋଇଥାଏ ଏଵଂ ତନ୍ମଧ୍ୟରେ “ଚଷା ପାଇଁ ବିଲକୁ ଘୋଟଣା ନେଇ ଯିଵା”, ମନ୍ଦିର ନିର୍ମାଣ କରିଵା, ହଳ ଚଳାଇଵା, ଲୁଗା ବୁଣିଵା, ହଳଦୀ ବାଟିଵା, କୂଅ ଖୋଳିଵା ଓ ଶସ୍ୟ ଅମଳ କରିଵା ଇତ୍ୟାଦି ଦୃଶ୍ୟକୁ ଟାହିଟାପରା ଦ୍ବାରା ପରିଵେଷଣ କରାହୁଏ ଯାହା ଦେଖିଵାକୁ ଆମୋଦକର ହୋଇଥାଏ । ଢେଙ୍କାନାଳ ଆଦି ଓଡ଼ିଶାର ଅନ୍ୟ ଅଞ୍ଚଳର ଧୂଳିଦଣ୍ଡରେ ଦେଵୀଙ୍କର ଚାଷାଵାସ ଵିଷୟରେ ଵର୍ଣ୍ଣନା ଥିଲେ ବି ତହିଁରେ ଘୋଟଣା ନୃତ୍ୟ ଓ ଗୀତ ନଥାଏ । ଏହା ଗଞ୍ଜାମ ଜିଲ୍ଲାର ଦଣ୍ଡର ଏକ ମୌଳିକତା । ପୂର୍ଵକାଳରେ ଗଞ୍ଜାମ ଜିଲ୍ଲାର ଧୂଳିଦଣ୍ଡରେ ପୁରୁଷମାନେ ମାଇପି ବେଶ ଧାରଣ କରି ବିଲକୁ ଖାଦ୍ୟ ନେଇ ଯିଵାର ଅଭିନୟ କରୁଥିଲେ । କ୍ରମଶଃ ଏଥିରେ କିନ୍ନରମାନେ ଭାଗ ନେଵାକୁ ଲାଗିଲେ । ଆଜିକାଲି ଷାଠିଏ ସତୁରୀ ଭାଗ ଦଣ୍ଡନାଚର ଘୋଟଣା ନୃତ୍ୟ ଓ ଗୀତ ପାଇଁ କିନ୍ନରମାନଙ୍କୁ ଦଣ୍ଡନାଚ ସମୟରେ ଡକାଯାଉଛି । ଧୂଳିଦଣ୍ଡ ସମୟରେ କିନ୍ନରମାନଙ୍କୁ ଯୋଡି଼ଵାକୁ ନେଇ ଏକପ୍ରକାରର ପ୍ରତିଯୋଗିତା ଲାଗିରହିଛି । କେତେକ ପାରମ୍ପରିକ ଘୋଟଣା ଗୀତକୁ ଛାଡ଼ି ଦେଲେ ଅଧିକାଂଶ ଘୋଟଣା ଗୀତ ପୂର୍ଵରୁ ଲେଖା ହୋଇନଥାଏ ଵରଂ ଗାୟକ ଦ୍ଵାରା ରଚିତ ହୋଇଥାଏ ଏଵଂ ଗାୟନ ସମୟରେ ଶବ୍ଦ ମନେ ନପଡି଼ଲେ ପରିଵର୍ତ୍ତିତ ମଧ୍ୟ ହୋଇପାରେ । ଅଧୁନା କେତେକ ଅଞ୍ଚଳରେ ଅଶ୍ଳୀଳ ଶବ୍ଦଯୁକ୍ତ କେତେକ ଘୋଟଣା ଗୀତ ଗାୟନ ଯୋଗୁଁ ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ଵିତର୍କ ଆରମ୍ଭ ହୋଇଯାଇଥିଲା । 

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଠିକ୍ ଏହି ସମୟରେ ଗଦବା ଜନଜାତିର ଲୋକେ ଏକ କୃଷିଭିତ୍ତିକ ପର୍ଵ ପାଳନ କରିଥାନ୍ତି 
ଯାହାକୁ “ଘୋଟନା ଵା ଘଟ୍‌ନା ପରଵ୍” କୁହାଯାଏ । ଚଇତି ପର୍ଵ ଚୈତ୍ର ପୂର୍ଣ୍ଣିମାରେ ସମାପନ ପରେ ଗାଦବାମାନେ ଚାଷକର୍ମ ଆରମ୍ଭ କରନ୍ତି । ଵର୍ଷର ପ୍ରଥମ କୃଷି କର୍ମ ପାଇଁ ଜମିକୁ ହଳ କରିଵା ସକାଶେ ପୁରୁଷମାନେ ବାହାରି ଯାଆନ୍ତି । ଖାଇଵାବେଳ ହେଲେ ସ୍ତ୍ରୀମାନେ ଏହି ଅନ୍ନ ଵ୍ୟଞ୍ଜନାଦି ନେଇ ସେମାନଙ୍କୁ ଜମି(ବେଡ଼ା)ରେ ଖୁଆଇଥାନ୍ତି । ଏହି ଅନ୍ନ ଵ୍ୟଞ୍ଜନକୁ ‘ ଘଟନା’ କୁହାଯାଏ । ଘଟନା ପରଵ୍ ହେଉଛି ଗଦବାମାନଙ୍କ ବିହନ ବୁଣା ପର୍ଵ । ଏହି ପର୍ଵରେ ଗାଦବାମାନେ ଚୈତ୍ର ଶେଷ ଵା ଵୈଶାଖ ଆରମ୍ଭରେ ପ୍ରତିଘରୁ ବିହନ ସଂଗ୍ରହ କରି ଜମିରେ ବୁଣନ୍ତି । ବୁଣିଵା ପର୍ଵ ସରିଲା ପରେ ଘଟନା ପରଵ ଆରମ୍ଭ ହୁଏ । ଏହି ପରଵରେ ଘଟନା (ଘୋଟନା ଵା ଘୋଟଣା) ଖାଇଵା ପାଇଁ ସ୍ତ୍ରୀଲୋକମାନେ ଭାତ, ସାଦା ତିଅଣ, ମାଂସ ତରକାରୀ, ମାଛ ତରକାରୀ ଆଦି ସ୍ତ୍ରୀଲୋକମାନେ ଯେଝା ମତେ ରାନ୍ଧି ଜମିକୁ ଧରି ଯାଆନ୍ତି । ଏହାକୁ ଘୋଟଣାଖିଆ ‌ମଧ୍ୟ କୁହାଯାଏ । ହଳ କରିସାରିଵା ପରେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କୁ ସେହି ‘ଘଟନା’କୁ ଭାଗବାଣ୍ଟି ଖୁଆଇଥାନ୍ତି । ଲଙ୍ଗଳକୁ ମଧ୍ୟ ଧୂଙ୍ଗିଆଧୂପ (ଧୂଆଁପତ୍ର) ଦ୍ଵାରା ପୂଜା କରି ଘଟନା ପରଵ ଶେଷ କରନ୍ତି । ଘଟନା ପର୍ଵରେ ବିଲକୁ ଯାଇ ଗଦବାମାନେ ମାଂସ ଭୋଜନ କରନ୍ତି । 

ଦକ୍ଷିଣ ଓଡ଼ିଶାରେ ଵିଶେଷତଃ ଗଞ୍ଜାମରେ “ବିଲକୁ ନିଆଯିଵା ଖାଦ୍ୟ”କୁ ଘୋଟଣା କୁହାଯାଏ ଏଵଂ ଦଣ୍ଡନାଚ ସମୟରେ ବିଲକୁ ଘୋଟଣା ନେଇଯିଵା ପ୍ରଥାକୁ ଅଭିନୟ ଦ୍ଵାରା ପ୍ରଦର୍ଶିତ କରିଯାଏ । ଏହି ଅଵସରରେ ଘୋଟଣା ନାଚ ଓ ଘୋଟଣା ଗୀତର‌ ଆୟୋଜନ କରାଯାଇଥାଏ । ଗଦବାମାନେ ମଧ୍ୟ ଏହି ଚୈତ୍ର ମାସ ଶେଷ ଓ ଵୈଶାଖ ମାସ ଆରମ୍ଭ ସମୟରେ ନିଜର କୃଷିଭିତ୍ତିକ ଘୋଟନା ଵା ଘଟ୍‌ନା ପର୍ଵ ପାଳନ୍ତି ଏଵଂ ଏଥିରେ ଗଦବା ଚାଷୀ ବିଲକୁ ବିହନ ବୁଣିଵାକୁ ଗଲାରୁ ସେମାନଙ୍କ ସ୍ତ୍ରୀମାନେ ଯେଉଁ ମାଂସ ମାଛ ଆଦି ରାନ୍ଧି ବିଲକୁ ନେଇ ଯାଆନ୍ତି ତାକୁ ସେମାନେ ଭକ୍ଷଣ କରିଥାନ୍ତି । ଅର୍ଥାତ୍ ଏ ଉଭୟ ପରସ୍ପର ସମ୍ବନ୍ଧିତ ଏଵଂ ଗଞ୍ଜାମଵାସୀ ନିଜ ଦଣ୍ଡନାଚ ମଧ୍ୟରେ ଗଦବାମାନଙ୍କର ଜନଜାତୀୟ ପର୍ଵକୁ ମନେ ରଖିଵାକୁ ଓ ଏହାର ମହତ୍ତ୍ଵକୁ ସମସ୍ତଙ୍କୁ ଜଣାଇଦେଵାକୁ ଯୋଡ଼ିଅଛନ୍ତି । ଦକ୍ଷିଣ ଓଡ଼ିଶାରେ ଅନେକ ଜନଜାତୀୟ ଲୋକେ ଵସଵାସ କରୁଥିଵାରୁ ଏହି ପରମ୍ପରା ଦଣ୍ଡନାଚରେ ମଧ୍ୟ ସ୍ଥାନ ପାଇପାରିଛି ।

(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ଦେଶିଆ‌ ଜ୍ଞାନକୋଷ ; ସାହାଯ୍ୟ: ସନ୍ତୋଷ ପଟ୍ଟନାୟକ )

Monday, April 3, 2023

●୧୫୦୪ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଓ କଲମ୍ବସ ●

ଖ୍ରୀଷ୍ଟୋଫର୍ କଲମ୍ବସ୍ ୧୪୯୨ରେ ସମୁଦ୍ର ପଥରେ ଏସିଆ ମହାଦେଶକୁ ଉଣ୍ଡୁ ଉଣ୍ଡୁ ଭୁଲ୍‌ଵଶତଃ ଆମେରିକା ମହାଦେଶକୁ ପାଇଯାଇଥିଲେ ବୋଲି ସମସ୍ତଙ୍କୁ ଜଣାଥିଵ । ତେବେ ସେହି କଲମ୍ବସ୍ ୧୨ ମଇ ୧୫୦୨ ମସିହାରେ ସ୍ପେନରୁ New World 'ଆମେରିକା' ଅଭିମୁଖେ ତାଙ୍କର ଚତୁର୍ଥ ଯାତ୍ରା ଆରମ୍ଭ କରିଥିଲେ। ଏକଵର୍ଷ ପରେ ଜୁନ୍ ୨୫, ୧୫୦୩ରେ କଲମ୍ବସ୍ ଗୋଟିଏ ସାମୁଦ୍ରିକ ଦ୍ୱୀପରେ ଆଶ୍ରୟ ନେଵାକୁ ବାଧ୍ୟ ହୋଇଥିଲେ ଯାହା ଵର୍ତ୍ତମାନ ଆଧୁନିକ ଜଗତରେ ‘ଜାମାଇକା’ ନାମରେ ଜଣାଶୁଣା ।‌ ସାହାଯ୍ୟ ଲାଭ ପାଇଁ ଏକ ଦଳକୁ ପଠାଇଵା ପରେ କଲମ୍ବସ୍ ସ୍ଥାନୀୟ ଟାଇନୋ ଜନଜାତିଙ୍କ ସହ ବନ୍ଧୁତା ସ୍ଥାପନ କରିଵା ଏଵଂ ଖାଦ୍ୟ ଆଦି ଲାଭ କରିଵା ସହିତ ଅନ୍ୟାନ୍ୟ ସହାୟତା ପାଇଵା ପାଇଁ ଵ୍ୟଵସ୍ଥା କରିଥିଲେ । ପ୍ରଥମେ ପ୍ରଥମେ, ନିରୀହ ସ୍ଥାନୀୟ ଟାଇନୋ ଲୋକମାନେ ଏହି ୟୁରୋପୀୟ ନଵାଗତ ଅତିଥିମାନଙ୍କୁ ସବୁପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ । କିନ୍ତୁ ୮ ମାସ ପର୍ଯ୍ୟନ୍ତ ବାହାରୁ କୌଣସି ସାହାଯ୍ୟ ଆସିଲା ନାହିଁ । କ୍ରମେ ସ୍ଥାନୀୟ ଟାଇନୋ ଜନଜାତୀୟ ଲୋକେ ଦେଖିଲେ ଯେ ସେମାନେ ନିଜ ପାଇଁ ବି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୁଟାଇ ପାରୁନାହାନ୍ତି ତେଣୁ ସେମାନେ ୨୬ ଫେବୃଆରୀ ୧୯୦୪ରେ କଲମ୍ବସ୍ ଓ ତାଙ୍କର ୟୁରୋପୀୟ ଦଳକୁ ଖାଦ୍ୟ ଯୋଗାଇ ପାରିବେନି ବୋଲି ସଵିନୟ ମନା କରିଦେଲେ । 

ଧୂର୍ତ୍ତ କଲମ୍ବସଙ୍କ ପାଖରେ ଜଣେ ଜର୍ମାନ ଜ୍ୟୋତିର୍ଵିଜ୍ଞାନୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଥିଲା ଯେଉଁଥିରେ ଆଗାମୀ କିଛି ଵର୍ଷ ମଧ୍ୟରେ ଘଟିଵାକୁ ଯାଉଥିଵା କେତେକ ଖଗୋଳୀୟ ଘଟଣାର ଭଵିଷ୍ୟତଵାଣୀ ଲେଖାଯାଇଥିଲା । ସୌଭାଗ୍ୟଵଶତଃ ଏହି ପୁସ୍ତକଟିରେ ତିନିଦିନ ଭିତରେ ହେଵାକୁ ଯାଉଥିଵା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଵିଷୟରେ ମଧ୍ୟ ଉଲ୍ଲେଖ ଥିଲା । କଲମ୍ବସ୍‌ଙ୍କ ମୁଣ୍ଡକୁ ଏକ କୁବୁଦ୍ଧି ଯୁଟିଲା ଏଵଂ ସେ ଟାଇନୋ ଲୋକଙ୍କୁ ଡାକି ଘୋଷଣା କଲେ...
 
“ଯେହେତୁ ... ତୁମ୍ଭେମାନେ‌ ଈଶ୍ବରଙ୍କ ପ୍ରିୟ ପୁତ୍ର କଲମ୍ବସକୁ ଖାଦ୍ୟ ଦେଵାକୁ ମନା କରିଦେଇଛ ତେଣୁ ଆମର ଭଗଵାନ ... ଅର୍ଥାତ୍ ଖ୍ରୀଷ୍ଟିଆନମାନଙ୍କ ଭଗଵାନ... ତୁମ ଉପରେ ଅତ୍ୟଧିକ କୁପିତ ହୋଇ ଯାଇଛନ୍ତି ! ଆମ ଭଗଵାନ ତୁମର ଭଗଵାନ ‘Atabey(ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ)’ଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ତେଣୁ ତିନି ଦିନ ପରେ ଆମର ଭଗଵାନ ତାଙ୍କ କ୍ରୋଧର ରକ୍ତଵର୍ଣ୍ଣରେ ଚନ୍ଦ୍ରକୁ ରକ୍ତରଞ୍ଜିତ କରିବେ ଆଉ ତାପରେ ତୁମମାନଙ୍କ ଉପରେ ସେ ପରମେଶ୍ବର ପ୍ରତିଶୋଧ ନେଵା ଆରମ୍ଭ କରିଦେବେ ।”


ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ Atabey ଥିଲେ ଟାଇନୋ ଜନଜାତୀୟ ଲୋକଙ୍କ ମୁଖ୍ୟ ଦେଵତା ‌। ଟାଇନୋ'ମାନେ ନିଜକୁ Atabeyଙ୍କ ସନ୍ତାନ ସନ୍ତତି ମନେ କରୁଥିଲେ। ଟାଇନୋ ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ ଯେ ପୋଖରୀ,ହ୍ରଦ,ସମୁଦ୍ର ,ଜୁଆର ଓ ସମସ୍ତ ପ୍ରକାରର ଜୀଵଙ୍କ ଆତ୍ମାର ମୂଳ ସ୍ରୋତ ଓ ଶକ୍ତି ଉତ୍ସ ସ୍ବୟଂ Atabey ଅଟନ୍ତି । ଵିଜ୍ଞାନ ଦୃଷ୍ଟିରୁ ମଧ୍ୟ ଚନ୍ଦ୍ର ସହିତ ପୃଥିଵୀ ଜଳର ସମ୍ପର୍କ ଅଛି । ଚନ୍ଦ୍ର ଜଳକୁ ଆକର୍ଷଣ କରିଵା ଯୋଗୁଁ ଜୁଆର ସୃଷ୍ଟି ହୁଏ ପୁଣି ଚନ୍ଦ୍ର ପୃଥିଵୀ ସହିତ tidally locked ହୋଇଥିଵାରୁ ଏଵଂ ପୃଥିଵୀର ଘୂର୍ଣ୍ଣନକୁ ସନ୍ତୁଳିତ କରୁଥିଵାରୁ ପୃଥିଵୀରେ ଜୀଵଜଗତ ତିଷ୍ଠିପାରିଛି ।‌ ବୋଧହୁଏ ଏହାକୁ ଲକ୍ଷ୍ୟକରି ଟାଇନୋ ଜନଜାତିର ଲୋକେ Atabeyଙ୍କୁ ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ କଳ୍ପନା କରିଥିଲେ । Atabeyଙ୍କୁ ସୁନ୍ଦର,ସୁସ୍ଥ ସନ୍ତାନ ସନ୍ତତି ଲାଭ ପାଇଁ ତଥା ସୁଖ ଶାନ୍ତି ସମୃଦ୍ଧି ଲାଭ ହେତୁକ ଟାଇନୋ ଜନଜାତିର ଲୋକେ ଆରାଧନା କରୁଥିଲେ । 

 ଆଠ ମାସ କାଳ ଟାଇନୋ ଲୋକଙ୍କ ସହିତ ରହିଥିଵା ଯୋଗୁଁ କଲମ୍ବସଙ୍କୁ ଏସବୁ କଥା ଜଣାଥିଲା ତେଣୁ ସେ ସିଧା ଟାଇନୋ ଲୋକଙ୍କ ମୁଖ୍ୟ ଦେଵତାଙ୍କ ନାଆଁ ନେଇ ସେହି ସରଳ ସ୍ଥାନୀୟ ଲୋକଙ୍କୁ ଡରାଇଵାକୁ ଚେଷ୍ଟା କରିଥିଲେ । 

କଲମ୍ବସ୍‌ଙ୍କଠାରୁ ତିନିଦିନ ଚନ୍ଦ୍ର ରକ୍ତଵର୍ଣ୍ଣରେ ପରିଵର୍ତ୍ତିତ ହେଵା କଥା ଶୁଣିଵା ପରେ ସ୍ଥାନୀୟ ଲୋକ ଦ୍ୱନ୍ଦ୍ୱରେ ପଡ଼ିଗଲେ ଏଵଂ ମନେ ମନେ ଭୟଭୀତ ମଧ୍ୟ ହେଲେ । ବୋଧହୁଏ ସେମାନେ ଚନ୍ଦ୍ରର ଲାଲ୍ ରଙ୍ଗ ସହିତ Atabey ଦେଵତାଙ୍କ ରକ୍ତ ଓ ହତ୍ୟା ତଥା ଭଵିଷ୍ୟତରେ ହେଵାକୁ ଥିଵା ଦୁର୍ଗତିକୁ ନେଇ ଶଙ୍କିତ ହୋଇପଡ଼ିଥିଲେ । 

ସେ ଯାହା ହେଉ ତିନି ଦିନ ପରେ ୨୯ ଫେବୃଆରୀ ୧୫୦୪ରେ କଲମ୍ବସ୍ କହିଵା ଅନୁଯାୟୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେଲା ଓ ଚନ୍ଦ୍ର ରକ୍ତଵର୍ଣ୍ଣରେ ଆଚ୍ଛାଦିତ ହୋଇଗଲା । ସତେ ଯେପରି କେହି ଚନ୍ଦ୍ରକୁ ମାରି ରକ୍ତ ଯୁଡ଼ୁବୁଡ଼ୁ କରିଦେଇଛି ‌! ସ୍ଥାନୀୟ ଲୋକମାନେ ଏହା ଦେଖି ଅତ୍ୟନ୍ତ ଭୟଭୀତ ହୋଇ କଲମ୍ବସଙ୍କ ପାଦ ତଳେ ପଡି଼ଗଲେ ଏଵଂ ତାଙ୍କର ସବୁ ସର୍ତ୍ତରେ ରାଜି ହୋଇଗଲେ ।

 କିନ୍ତୁ ସେହିଦିନଠାରୁ ଜାମାଇକା ଓ ଏହାର ଆଖପାଖ ଅଞ୍ଚଳରେ ଵସଵାସ କରୁଥିଵା ସ୍ଥାନୀୟ ଅଧିଵାସୀମାନଙ୍କର ଦୁଷ୍କାଳ ଆରମ୍ଭ ହୋଇଗଲା । ସହସ୍ରାଧିକ ସ୍ଥାନୀୟ ଅଧିଵାସୀ ଦାସ ହେଲେ,ଶହ ଶହ ନାରୀ ବଳାତ୍କାରର ଶିକାର ହେଲେ ଓ ଅନେକ ଵିରୋଧ କରି ମୃତ୍ୟୁ ମୁଖରେ ପଡ଼ିଲେ । ସେମାନେ ଥିଲେ 'ଟାଇନୋ' ଜନଜାତି 
ଯୋଉମାନଙ୍କର ୟୁରୋପୀୟମାନେ ସେମାନଙ୍କର ଜାତି ଓସଂସ୍କୃତି ହିଁ ଲୋପ କରିଦେଇଥିଲେ ଏଵଂ ତାଙ୍କ ଦେଶକୁ ପରାଧୀନ କରି ଶତାଧିକ ଵର୍ଷ ପର୍ଯ୍ଯନ୍ତ ଶୋଷଣ କରିଥିଲେ। ଅଵଶ୍ୟ ଅଧୁନା ନଅ ହଜାର ପାଖାପାଖି ଲୋକ ନିଜକୁ ଟାଇନୋ ଜନଜାତି ମୂଳର ଲୋକ ବୋଲି ପରିଚୟ ଦେଉଛନ୍ତି ଏଵଂ କାରବିୟାନ୍ ଅଞ୍ଚଳରେ ଵସଵାସ କରୁଥିଵା ସ୍ଥାନୀୟ ଅଧିଵାସୀମାନେ ଏହି ଟାଇନୋ ଜନଜାତିର ଵର୍ତ୍ତମାନ ବଂଶଜ ବୋଲି ୨୦୧୮ର ଏକ DNA ସମ୍ବନ୍ଧୀୟ ଅନୁସନ୍ଧାନରୁ ଜଣାପଡି଼ଛି । ତେବେ ଆଧୁନିକ ଟାଇନୋ ବଂଶଜମାନେ ଵର୍ଣ୍ଣସଂକର କାରଣ ଆଫ୍ରିକୀୟ କଳାଲୋକ ତଥା ୟୁରୋପୀୟ ଗୋରାଲୋକଙ୍କ ସହିତ ଵିଜାତୀୟ ସାମାଜିକ ସମ୍ବନ୍ଧ ଯୋଗୁଁ ସେମାନଙ୍କର ମୂଳଜାତି ଓ ମୂଳ ସଂସ୍କୃତି ଲୋପ ହୋଇଯାଇଛି। ୟୁରୋପୀୟମାନଙ୍କ କୁକୃତ୍ୟ ଯୋଗୁଁ ଆଜି Taino ଭାଷା ମଧ୍ୟ ଲୁପ୍ତ ହୋଇଯାଇଅଛି ଏଵଂ ଏହି ଭାଷା ମୂଳର କେତେକ ଶବ୍ଦ ମାତ୍ର ବଞ୍ଚିଯାଇଛି । ହାଇତୀ,ବାହାମା,କ୍ୟୁବା ଓ ଜାମାଇକା ଭଳି କେତେ କାରିବିୟାନ୍ ଦେଶ ଓ ସ୍ଥାନର ନାମ ଏହି ଟାଇନୋ ଭାଷା ମୂଳର ସେହିପରି ଇଂରାଜୀ ଭାଷାରେ ପ୍ରଚଳିତ barbecue(ଏକ ଜାତୀୟ ରନ୍ଧନ ଶୈଳୀ), caiman(ଏକ ଜାତୀୟ କୁମ୍ଭୀର), canoe(ଏକ ଜାତୀୟ ଡଙ୍ଗା), cassava(Manihot esculenta; ଏକ ଜାତୀୟ କନ୍ଦ), cay(ଏକ ଜାତୀୟ ଛୋଟ ଶୈଵାଳ ଦ୍ଵୀପ), guava(ପିଜୁଳି), hammock(ଏକ ଜାତୀୟ ଝୁଲା), hurricane(ଆମେରିକାରେ ଦେଖାଯାଉଥିଵା ଵାତ୍ୟା ଵିଶେଷ), hutia(Capromys;ଏକ ଜାତୀୟ ମୂଷା), iguana(ଏକଜାତୀୟ ସରଟ), macana(ଏକ ଜାତୀୟ ଅସ୍ତ୍ର), maize(ମକା), manatee(Trichechus; ସମୁଦ୍ର ଗାଈ), mangrove(ହେନ୍ତାଳ), maroon(ବାଦାମୀ ଲାଲରଙ୍ଗ), potato(ଆଳୁ), savanna(ସାଭାନା),Papaya(ଅମୃତଭଣ୍ଡା) ଓ tobacco(ତମାଖୁ) ଇତ୍ୟାଦି ଶବ୍ଦ ମୂଳତଃ ଟାଇନୋ ଭାଷାରୁ ଗୃହୀତ ହୋଇଛି । 

ଜମାଇକା ଦ୍ଵୀପରେ ମୂଳତଃ ଟାଇନୋ ଜନଜାତିର ଲୋକମାନେ ଵସଵାସ କରୁଥିଲେ, ୧୪୯୪ ମସିହାରେ କ୍ରିଷ୍ଟୋଫର କଲମ୍ବସଙ୍କ ଆଗମନ ପରେ ଏହି ଦ୍ୱୀପ ସ୍ପେନିଶ ଶାସନ ଅଧୀନରେ ଆସିଥିଲା । ଅନେକ ଟାଇନୋ ଜନଜାତୀୟ ଲୋକଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ରୋଗରେ ମୃତ୍ୟୁଵରଣ କରିଥିଲେ । ଏହା ପରେ ସ୍ପାନିଶମାନେ ବହୁ ସଂଖ୍ୟକ ଆଫ୍ରିକୀୟ ଦାସଙ୍କୁ ଶ୍ରମିକ ଭାବରେ ଜାମାଇକାକୁ ଆଣିଥିଲେ । ଯେଉଁ ଟାଇନୋ ଜନଜାତୀୟ ଲୋକମାନେ ବଞ୍ଚିଯାଇଥିଲେ ସେମାନଙ୍କର ଗୋରା ଓ କଳାଲୋକଙ୍କ ସଂସର୍ଗରୁ ଆଧୁନିକ ବଂଶଧର ଜାତ ହୋଇଛନ୍ତି । ୧୬୫୫ ମସିହା ପର୍ଯ୍ୟନ୍ତ ଜାମାଇକା ଦ୍ୱୀପ ସ୍ପେନ୍ ଅଧୀନରେ ରହିଥିଲା, ଯେତେବେଳେ ଇଂଲଣ୍ଡ ଏହାକୁ ସ୍ପାନିଶ୍‌ମାନଙ୍କ ହରାଇ ଜିତିଲା ଏହାର ନାମ ବଦଳାଇ ଜାମାଇକା ରଖାଗଲା । ଜାମାଇକାକୁ ଟାଇନୋ ଜନଜାତିର ଲୋକେ Xaymaca କହୁଥିଲେ ଯାହାର ଆକ୍ଷରିକ ଅର୍ଥ ଜଳ ଓ କାଠର ଭୂମି । 

 ବ୍ରିଟିଶ ଔପନିବେଶିକ ଶାସନ ଅଧୀନରେ ଜାମାଇକା ଏକ ପ୍ରମୁଖ ଚୀନୀ ରପ୍ତାନିକାରୀ ଅଞ୍ଚଳ ପାଲଟିଥିଲା, ଯାହାର ଚାଷ ଏଠାକୁ ଅଣାଯାଇଥିଵା ଆଫ୍ରିକୀୟ ଦାସ ଏଵଂ ସେମାନଙ୍କର ବଂଶଧରଙ୍କ ଉପରେ ନିର୍ଭର କରୁଥିଲା । ୧୮୩୮ ମସିହାରେ ଇଂରେଜମାନେ ସମସ୍ତ ଦାସଙ୍କୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରିଥିଲେ ଏବଂ ସେହି ମୁକ୍ତ କଳାଲୋକଙ୍କ ମଧ୍ୟରେ ଅନେକେ ଗୋରାଲୋକଙ୍କ ଆଖୁ ଆଦିର ଖେତରେ କାମ କରିଵା ପରିଵର୍ତ୍ତେ ଜୀଵିକା ନିର୍ଵାହ ପାଇଁ ନିଜସ୍ବ କୃଷିକ୍ଷେତ୍ର ଓ ଫାର୍ମକୁ ବାଛିଥିଲେ । ୧୮୪୦ ଦଶକର ପ୍ରାରମ୍ଭରେ ଇଂରେଜମାନେ କୃଷିକ୍ଷେତ୍ରରେ କାମ କରିଵା ପାଇଁ ଚୀନ ଓ ଭାରତରୁ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଵ୍ୟଵହାର କରିବା ଆରମ୍ଭ କରିଥିଲେ ଯେଉଁମାନଙ୍କୁ ସେତେବେଳେ ଓଡ଼ିଶାରେ ଗିରମାଟିଆ ଓ ଦାଦନ କୁହାଯାଉଥିଲା । ତେବେ ପ୍ରାୟ ପାଞ୍ଚଶହ ଵର୍ଷ ୟୁରୋପୀୟମାନଙ୍କ ଦ୍ଵାରା ପରାଧୀନ ହେଲାପରେ ଜାମାଇକା ଦ୍ୱୀପ ୬ ଅଗଷ୍ଟ ୧୯୬୨ରେ ବ୍ରିଟେନଠାରୁ ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ସେହି ପାଞ୍ଚଶହ ଵର୍ଷ ମଧ୍ୟରେ ଜାମାଇକାର ମୂଳ ସଂସ୍କୃତି ଆଉ ଭାଷା ଲୁପ୍ତ ହୋଇସାରିଥିଲା । 

କଲମ୍ବସଙ୍କ ଭଳି ଅଯୋଗ୍ୟଙ୍କ ହାତରେ ଯଦି ଜ୍ଞାନ ଥାଏ ତେବେ ତାହା ଅନ୍ୟମାନଙ୍କ ପାଇଁ ଵିପଜ୍ଜନକ ହୋଇଯାଏ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଓ ଚନ୍ଦ୍ର ରକ୍ତଵର୍ଣ୍ଣରେ ପରିଵର୍ତ୍ତିତ ହେଵା ଵିଷୟ କଲମ୍ବସଙ୍କ ଭଳି ଧୂର୍ତ୍ତଙ୍କୁ ଜଣାଥିଵାରୁ ସିନା ସେ ସ୍ଥାନୀୟ ଟାଇନୋ ଜନଜାତିର ଲୋକଙ୍କୁ ଭୁଆଁ ବୁଲେଇଵାରେ ସକ୍ଷମ ହୋଇପାରିଲେ । 

କିନ୍ତୁ ଏବେବି ଗୋଟିଏ ପ୍ରଶ୍ନର ଉତ୍ତର ବାକି ରହିଗଲା । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ବେଳେ ବେଳେ ଚନ୍ଦ୍ର ଲାଲ ରଙ୍ଗର କାହିଁକି ଦେଖାଯାଏ ?

ଆସନ୍ତୁ ଏହା ପଛର ଵିଜ୍ଞାନକୁ ବୁଝିଵା !!!
  
ଯେଉଁ କାରଣରୁ ଆମର ଆକାଶ ଆମକୁ ନୀଳ ଆଉ ଉଦୟ-ଅସ୍ତ ହେଵା ସମୟରେ ସୂର୍ଯ୍ୟ ଲାଲ ରଙ୍ଗର ଦେଖାଯାଆନ୍ତି ସେହି କାରଣ ଯୋଗୁଁ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ବେଳେ ବେଳେ ରକ୍ତଵର୍ଣ୍ଣ ଦେଖାଯାଇଥାନ୍ତି ‌ 

ସରଳ ଶବ୍ଦରେ କହିଲେ...
ଆଲୋକ ଵିଭିନ୍ନ ପ୍ରକାରର wave ଵା ତରଙ୍ଗ ମଧ୍ୟରେ ଏକ ପ୍ରକାରର ତରଙ୍ଗ ଅଟେ ‌। ଯେତେବେଳେ କଣିକାର ଗତି Energy ଵା ଶକ୍ତିର ଗତି ସହିତ ସମକୋଣ ଵା ଲମ୍ଵଵତ୍ ହୋଇଥାଏ ସେତେବେଳେ ଉକ୍ତ ତରଙ୍ଗ ଆଲୋକରେ ପରିଵର୍ତ୍ତିତ ହୋଇଥାଏ ‌। ଏ ପ୍ରକାରର ତରଙ୍ଗକୁ transverse wave ଵା ଅନୁପ୍ରସ୍ଥ ତରଙ୍ଗ କୁହାଯାଏ । ଆଲୋକ ଏହି ଅନୁପ୍ରସ୍ଥ ତରଙ୍ଗ ଶ୍ରେଶୀର ତରଙ୍ଗ ଅଟଇ ।

 ଲାଲ୍ ତରଙ୍ଗ ସବୁଠାରୁ ଅଧିକ ମୋଟା ଵା ସ୍ଥୂଳ ଏଵଂ ନୀଳ ତରଙ୍ଗ ସର୍ଵାଧିକ ସୂକ୍ଷ୍ମ । ଯେତେବେଳେ ସୂର୍ଯ୍ୟାଲୋକ ଆମ ଵାୟୁମଣ୍ଡଳରେ ପ୍ରଵେଶ କରେ ସେତେବେଳେ ଅତି ସୂକ୍ଷ୍ମ ଅମ୍ଳଜାନ-ଯଵକ୍ଷାରଜାନର କଣିକା ସହ ଆଲୋକର ନୀଳ ତରଙ୍ଗ ବାଧାପ୍ରାପ୍ତ ହେଵାର ଯୋଗୁଁ ତାହା ବିଛୁରିତ ହୋଇ ଆମ ପାଖରେ ପହଞ୍ଚେ, ଫଳତଃ ଆକାଶ ନୀଳ ଦେଖାଯାଏ। 

ସେହିପରି ସୂର୍ଯଉଦୟ ଵା ଅସ୍ତ ସମୟରେ ସୂର୍ଯ୍ୟଙ୍କର ସ୍ଥିତି horizon ଵା ଦିଗ୍‌ବଳୟରେ ଥିଵାରୁ, ସେହି ସମୟରେ ଆଲୋକକୁ ଆମ ପାଖକୁ ପହଞ୍ଚିଵାକୁ ଆହୁରି ଅଧିକ ଵାୟୁକଣିକାକୁ ପାର କରିଵାକୁ ପଡ଼ିଥାଏ । ଅଧିକ କଣିକା ପାର କରିଵା ଅର୍ଥ ରଶ୍ମିର ଅଧିକ ଵିକିରଣ... ଏତେ ଵିକିରଣ ଯେ ଏହା ଆମ ଆଖିରେ ପହଞ୍ଚିଵା ପର୍ଯ୍ୟନ୍ତ ଆଲୋକରେ ଲାଲ ତରଙ୍ଗ ଵ୍ୟତୀତ ଆଉ କିଛି ବଞ୍ଚିଯାଇନଥାଏ ‌।ଏହି କାରଣରୁ ସୂର୍ଯ୍ୟ ଉଦୟ ଓ ଅସ୍ତ ହେଵକ ସମୟରେ ହଳଦିଆ-ଲାଲ ମିଶା ରଙ୍ଗର ଦେଖାଯାଇଥାଏ।

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ପୃଥିଵୀ ,ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ରହିଥାଏ। ସେହି ସମୟରେ ଚନ୍ଦ୍ରରେ ପହଞ୍ଚୁଥିଵା ସୂର୍ଯ୍ୟକିରଣକୁ ପ୍ରଥମେ ପୃଥିଵୀର ଵାୟୁମଣ୍ଡଳ ଦେଇ ଅତିକ୍ରମ କରି ପୁଣି ଏହି ବାୟୁମଣ୍ଡଳ ଦେଇ ଫେରିଵାକୁ ବି ପଡ଼ିଥାଏ। ଏହି ଦ୍ବିତୀୟ ଵିକିରଣ କାରଣରୁ ଚନ୍ଦ୍ରକୁ ଆଘାତ ଦେଇ ଆମ ଆଖି ପର୍ଯ୍ଯନ୍ତ ପହଞ୍ଚୁଥିଵା ଆଲୋକରେ ମୁଖ୍ୟତଃ ଲାଲ ତରଙ୍ଗ ରହିଯାଇଥାଏ, ଯେଉଁକାରଣରୁ ଚନ୍ଦ୍ର ଲାଲ ଦେଖାଯାଏ ।

ସତ କହିବାକୁ ଗଲେ, ୭୦୦ ନାନୋମିଟର ଆଲୋକ ଲାଲ ହୋଇଥାଏ କାରଣ ଆପଣଙ୍କ ଆଖିରେ ଥିଵା ଵିଶେଷ କୋଷଗୁଡ଼ିକ ଏହି ମୋଟାପଣର ଆଲୋକ ତରଙ୍ଗଦୈର୍ଘ୍ୟକୁ "ଲାଲ" ଭାବରେ ଧରିଵା ପାଇଁ ପ୍ରୋଗ୍ରାମ୍ କରାଯାଇଛି । ଵାସ୍ତଵରେ ନା ଆକାଶ ନୀଳ, ନା ସୂର୍ଯ୍ୟ ନା ଚନ୍ଦ୍ର ଲାଲ... ସମସ୍ତ ଖେଳ ଆପଣଙ୍କ ଇନ୍ଦ୍ରିୟର ଅଟେ । ଯଦି ଆପଣଙ୍କର ଇନ୍ଦ୍ରିୟରେ ଏ‌ହି ଵିଶେଷ ସାମର୍ଥ୍ୟ ନଥାନ୍ତା, ତେବେ ଏହି ଜଗତ ଆପଣଙ୍କୁ ସମ୍ପୂର୍ଣ୍ଣ ରଙ୍ଗହୀନ ଦେଖାଯାଆନ୍ତା । ରଙ୍ଗ କେଵଳ ମନୁଷ୍ୟ ଇନ୍ଦ୍ରିୟରୁ ସୃଷ୍ଟି ହୋଇଥିବା ଏକ ଭ୍ରମ । ଭିନ୍ନ ଭିନ୍ନ ଜୀଵଙ୍କୁ ସେମାନଙ୍କର ଆଖିରେ ଥିଵା ଵିଶେଷ କୋଷିକା ଯୋଗୁଁ ଵିଭିନ୍ନ ରଙ୍ଗ ଦେଖାଯାଏ । ଗୋଟିଏ ଜୀଵ କେଉଁ କେଉଁ ଓ କେତୋଟି ରଙ୍ଗକୁ ଦେଖିଵାକୁ ଯୋଗ୍ୟ ତାହା ଉକ୍ତ ଜୀଵର ଆଖି ମଧ୍ୟରେ ଥିଵା ରଙ୍ଗ-ସଂଵେଦନଶୀଳ ପିଗମେଣ୍ଟରେ ସଂଯୋଜନ ଓ ମସ୍ତିଷ୍କ ଦ୍ଵାରା ତତ୍ ଆଧାରିତ ପ୍ରସଂସ୍କରଣ ପର ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ କୁକୁର କେଵଳ ହଳଦିଆ ଓ ନୀଳ ରଙ୍ଗକୁ ଦେଖିପାରୁଥିଵାବେଳେ ମନୁଷ୍ୟମାନେ ଲାଲ,ନୀଳ ଓ ହଳଦିଆ ରଙ୍ଗ ଦେଖିପାରନ୍ତି । Mentis shrimp ଭଳି ସାମୁଦ୍ରିକ ଚିଙ୍ଗୁଡ଼ି ତ ବାରପ୍ରକାରର ରଙ୍ଗ ସହିତ ଅତିବାଇଗଣି ରଶ୍ମି (ultra violet Ray) ଓ ଧ୍ରୁଵୀକୃତ ଆଲୋକ (polarised light) ମଧ୍ୟ ଦେଖିପାରନ୍ତି । ତେଣୁ ଭଵିଷ୍ୟତରେ କେବେ ରକ୍ତଵର୍ଣ୍ଣର ଚନ୍ଦ୍ର ଦେଖିଲେ ମନେ ରଖିବେ... 
“ଆମେ ଲାଲ୍ ରଙ୍ଗର ଚନ୍ଦ୍ର ଦେଖୁଛନ୍ତି କାରଣ ଆମ୍ଭମାନେ ମନୁଷ୍ୟ” !!!

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...