ମର୍କଟ ଵା ଵାନର ଲେଖାଅଛି । ନିକଟରେ ଦୁଇ ପକ୍ଷଙ୍କ ମଧ୍ୟରେ 'ଶାଳାଵୃକ' ଶବ୍ଦର ମର୍କଟ ଵା ଵାନର ଅର୍ଥକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଘମାଘୋଟ ତର୍କ ଵିତର୍କ ହୋଇଗଲା । ଗୋଟିଏ ପକ୍ଷ ଏହି ଶାଳାଵୃକ ଶବ୍ଦଟି ଠିକ୍ କହୁଥିଵାବେଳେ ଆଉ ଗୋଟିଏ ପକ୍ଷ ଏହା ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଏକ ଭୁଲ୍ ଶବ୍ଦ ବୋଲି ମତ ଦେଇ ନିଜ ମତରେ ଅଟଳ ରହିଲା । ତେବେ ଏହି ଵିତର୍କର ସମାଧାନ କରିଵାକୁ ହେଲେ ପ୍ରଥମେ ଵୃକ ଓ ଶାଳା ଶବ୍ଦକୁ ଜାଣିଵାକୁ ହେଵ । ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଦେଖିଲେ
'ଵୃକ' ଏକ ଅତି ପ୍ରାଚୀନ ଭାରୋପୀୟ ଶବ୍ଦ ବୋଲି ସହଜେ ଗୃହୀତ ହୋଇସାରିଛି । ପ୍ରାଚୀନ ୟୁରେସିଆରେ ଏ ଶବ୍ଦର ମୂଳ ରୂପ wĺ̥kʷos ଥିଵା ଆଧୁନିକ ଭାଷାଵିଦମାନେ ଵିଭିନ୍ନ ଭାରୋପୀୟ ଭାଷାଗୁଡ଼ିକର ଅନୁଶୀଳନ ପରେ ଅନୁମାନ କରିଅଛନ୍ତି । ଏହାର ଅନ୍ୟତମ ଆନୁମାନିକ ରୂପ *lúkʷos ମଧ୍ୟ ଆଧୁନିକ ଭାଷାଵିଦମାନଙ୍କ ଦ୍ଵାରା ଗୃହୀତ ହୋଇଛି । wĺ̥kʷos ଓ *lúkʷosର ମୂଳ ଅର୍ଥ 'ଶୃଗାଳ' ଥିଲା ବୋଲି ଆଧୁନିକ ଭାଷାଵିଦମାନଙ୍କ ମତ । ପରେ ଵିଭିନ୍ନ ଭାଷାରେ ମୂଳ ଭାରୋପୀୟ ଶବ୍ଦ wĺ̥kʷos ଓ *lúkʷos ଶବ୍ଦରୁ ନାନା ଶବ୍ଦ ଵିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି । ଋକଵେଦରେ ଵୃକ ଶବ୍ଦଟି ଵିଶେଷତଃ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଇଛି । ପରଵର୍ତ୍ତୀ କାଳର ସଂସ୍କୃତ ତଥା ଦେଶୀୟ ସାହିତ୍ୟରେ 'ଵୃକ' ଶବ୍ଦ ଏହାର ସଂସ୍କୃତ ନିରୁକ୍ତି ଆଧାରରେ ନାନା ଅର୍ଥରେ ପ୍ରୟୋଗ କରାଗଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଂସ୍କୃତ ଵୃକ ଶବ୍ଦର ଦୁଇଗୋଟି ନିରୁକ୍ତି ମଧ୍ୟରେ ଗୋଟିଏ ହେଲା ଵୃକ୍ ଧାତୁ ଓ ଅନ୍ୟଟି ଵୃ ଧାତୁ । ଵୃକ୍ ଧାତୁରୁ ଗ୍ରହଣ କରିଵା,ନେଵା, ଅକ୍ତିଆର କରିଵା ଓ ବଳପୂର୍ଵକ ଛଡ଼ାଇ ନେଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ସେହିପରି ଵୃ ଧାତୁରୁ ଆଵରଣ କରିଵା,ବାଛିଵା, ପସନ୍ଦ କରିଵା,ପ୍ରାର୍ଥନା କରିଵା,ପୋଷଣ କରିଵା ଓ ସମର୍ଥନ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ । କେତେକ ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଯେ ଵୃକ୍ ଧାତୁର ମୂଳ ଅର୍ଥ ଥିଲା କନ୍ଦାଇଵା,ଦୁଃଖ ଦେଵା,କଷ୍ଟ ଦେଵା ପୁଣି ସେମାନେ ଵୃକ୍ ଧାତୁର ମୂଳ ପ୍ରାଚୀନ ରୂପ ଵ୍ରଶ୍ଚ୍ ଧାତୁ ବୋଲି ମଧ୍ୟ ଦେଇଥିଵା କଥା ଇଂରାଜୀ ୱିକ୍ସନରୀରୁ ଜଣାଯାଏ । ଵ୍ରଶ୍ଚ୍ ଧାତୁର ପ୍ରାଚୀନ ଅର୍ଥ ଥିଲା
ଭାଙ୍ଗିଵା,କାଟିଵା,ଗଛକୁ କାଟି ଵା ଭାଙ୍ଗି ପକାଇ ଦେଵା ଇତ୍ୟାଦି ।
ତେଣୁ ଵୈଦିକ ଭାଷାରେ ପ୍ରଥମେ ଦୁଃଖ ଦେଉଥିଵା ଜୀଵ 'ଶୃଗାଳ' ଅର୍ଥରେ ଵୃକ ଶବ୍ଦଟି ଵ୍ୟଵହାର ହେଲାପରେ ପରଵର୍ତ୍ତୀ କାଳର ସଂସ୍କୃତ ଭାଷାରେ ଵୃକ ଶବ୍ଦଟି
ହେଟା,ଲେଙ୍କଡ଼ା ବାଘ, ଗଧିଆ, କ୍ଷତ୍ରିୟ,ଵାୟସ ଵା କୁଆ,ଜଠରାନଳ,ଗନ୍ଧଵିରିଜା,ବଳିଆକୁକୁର,ଵଜ୍ର ଓ ଚୋର ଆଦି ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା ।
ସେହିପରି ଅନ୍ୟାନ୍ୟ ଭାରୋପୀୟ ଭାଷାଗୁଡ଼ିକରେ ମଧ୍ୟ ମୂଳ ଭାରୋପୀୟ ଶବ୍ଦ wĺ̥kʷos ଓ *lúkʷosରୁ ପରେ ଅନେକ ଭାଷାରେ ନୂତନ ଶବ୍ଦ ସୃଷ୍ଟି ହୋଇଛି ଏଵଂ ଶୃଗାଳ ତଥା ଅନ୍ୟାନ୍ୟ ଅର୍ଥରେ ପ୍ରୟୋଗ କରାଯାଇଛି । ଇରାନର ପ୍ରାଚୀନ ଆଵେସ୍ତାନୀ ଭାଷାରେ 𐬬𐬆𐬵𐬭𐬐𐬀 (vəhrka) ଶବ୍ଦ ସୃଷ୍ଟି ହେଲା ଏଵଂ ଶୃଗାଳ ଅର୍ଥରେ ଵ୍ୟଵହୃତ ହୋଇ ପରଵର୍ତ୍ତୀ କାଳରେ ପାର୍ସୀ ଭାଷାରେ گرگ (gorg) ହୋଇଅଛି । ପ୍ରାକ୍ ଆଲବାନିଆ ଭାଷାରେ ସେହି ମୂଳ ଶବ୍ଦରୁ *ulka ଶବ୍ଦ ଶୃଗାଳ ଅର୍ଥରେ ସୃଷ୍ଟି ହୋଇ ଆଜି ଆଧୁନିକ ଆଲବେନିଆ ଭାଷାରେ ujk ଓ ulk ରୂପେ ମୂଳ ଅର୍ଥ ଘେନି ପ୍ରଚଳିତ । ସେଇ ମୂଳ ଭାରୋପୀୟ ଶବ୍ଦରୁ ଅନ୍ୟ ଏକ ଦିଗରେ ପ୍ରାକ୍ ଆନାତୋଲୀୟ ଭାରୋପୀୟ ଭାଷା ହିଟାଇଟ୍ସରେ 𒉿𒀠𒆪𒉿𒀸 (wa-al-ku-wa-aš) ଶବ୍ଦ ନକାରାତ୍ମକ ଶକ୍ତି ତଥା Luwian ଭାଷାରେ 𔑪, 𒌨𒈤 (walwa/i) ଶବ୍ଦ ସିଂହ ଅର୍ଥରେ ଵ୍ୟଵହୃତ ହେଲା । ଏହି ଭାଷାଶାଖାର ଲିଡିଆନ୍ ଭାଷାରେ ମଧ୍ୟ 𐤥𐤠𐤩𐤥𐤤 (walwe) ଶବ୍ଦ ସିଂହ ଅର୍ଥରେ ଚଳୁଥିଵା ଜଣାଯାଏ । ଭାରୋପୀୟ ଭାଷା ପରିଵାରର ପ୍ରାକ୍ ବାଲ୍ଟୋ ସାଲ୍ବିକ୍ ଭାଷାଶାଖାରେ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟି *wilkás ହୋଇ ପରେ ଆଧୁନିକ ଲିଥୁଆନିଆରେ vil̃kas ହୋଇଛି ଏଵଂ ମୂଳ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଉଛି । ଅଉ ଏକ ଦିଗରେ ଭାରୋପୀୟ ଭାଷା ଶାଖା ପ୍ରାକ୍ କେଲଟିକ୍ ଭାଷାରେ ଶୃଗାଳ ଅର୍ଥଜ wĺ̥kʷos ଶବ୍ଦ *ulkos ହେଲା ଏଵଂ ମନ୍ଦ, ଦୁଷ୍ଟ ଅର୍ଥରେ ଵ୍ୟଵହାର କରାଗଲା ଫଳତଃ ଆଜି ଆଧୁନିକ କେଲଟିକ୍ ଭାଷା ଆଇରିଶରେ ଏହି ଶବ୍ଦଟି olc ତଥା Manx ଭାଷାରେ olk ହୋଇ ମନ୍ଦ,ଦୁଷ୍ଟ ଓ ଠକ ଆଦି ଅର୍ଥରେ ଵ୍ୟଵହୃତ ହେଉଅଛି । ଶୃଗାଳର ମନ୍ଦଗୁଣ ଆଧାରରେ ମୂଳ ଶବ୍ଦରୁ ଏଭଳି ଅର୍ଥ ଘେନି ଏ ଶବ୍ଦଗୁଡ଼ିକ ସୃଷ୍ଟି ହୋଇଛି ବୋଲି ଏଠାରେ ବୁଝିଵାକୁ ହେଵ । ପୁନଶ୍ଚ ଅନ୍ୟତମ ଲୋକପ୍ରିୟ ଭାରୋପୀୟ ଭାଷା ଶାଖା ଜର୍ମାନିକରେ ଶୃଗାଳ ଅର୍ଥଜ ପ୍ରାକ୍ ଭାରୋପୀୟ ମୂଳ ଶବ୍ଦ *wĺ̥kʷos କ୍ରମେ *wúlkʷos ହେଲା ଏଵଂ କାଳାନ୍ତରରେ ଏହି ଶବ୍ଦରୁ ଜର୍ମାନିକ୍ ଭାଷା ଇଂରାଜୀରେ wolf ତଥା ସ୍ବେଡିଶ୍ ଓ ଡାନିଶ୍ ଭାଷାରେ ulv ହୋଇଅଛି । ଭାରୋପୀୟ ଭାଷାପରିଵାରର ପୁରାତନ ଭାଷାଶାଖା ମଧ୍ୟରେ ଅନ୍ୟତମ ହେଲେନିକ୍ ଭାଷାଶାଖାର ଗ୍ରୀକ୍ ଭାଷା ସହିତ ଅନେକେ ପରିଚିତ ଥିବେ । ଶୃଗାଳ ଅର୍ଥଜ ମୂଳ ଭାରୋପୀୟ *wĺ̥kʷos ଶବ୍ଦଟି ହେଲେନିକ୍ ଭାଷା ଶାଖାରେ ଯାଇ ସାମାନ୍ୟ ପରିଵର୍ତ୍ତିତ ହୋଇ *lúkos ରୂପେ ଚଳିଵାକୁ ଲାଗିଲା ଯାହା ପରେ ଗ୍ରୀକ୍ ଭାଷାରେ λύκος (lúkos) ଓ λύκος (lýkos) ହୋଇଅଛି । ଗ୍ରୀସ୍ ଦେଶର ପଡ଼ିଶାରେ ପ୍ରାକ୍ ଇଟାଲିକ୍ ଭାରୋପୀୟ ଭାଷା ଶାଖାର ରୋମାନ୍ ଭାଷା ବୋଲାଯାଏ । ପ୍ରାଚୀନ କାଳରେ ଶୃଗାଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ମୂଳ ଭାରୋପୀୟ ଶବ୍ଦ *wĺ̥kʷos ରୋମରେ ଯାଇ ପ୍ରାକ୍ ଇଟାଲିକ୍ ଭାଷାରେ *lukʷos ହୋଇ ପରେ ଲାଟିନ ଭାଷାରେ lupus ହୋଇଛି ପୁଣି ଶୃଗାଳମାନଙ୍କର ଵୈଜ୍ଞାନିକ ନାମ ଭାବରେ ଏହି lupus ଶବ୍ଦ ଇଂରାଜୀ ଆଦି ଭାଷାରେ ମଧ୍ୟ ପ୍ରୟୋଗ କରାଯାଉଛି । ଭାରୋପୀୟ ଭାଷାପରିଵାରର ସବୁଠାରୁ ବଡ଼ ଭାଷାଶାଖା ଭାରୋଇରାନୀୟ ଭାଷାଶାଖାରେ ସେହିପରି ଶୃଗାଳ ଅର୍ଥଜ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟି ପ୍ରଥମେ *wŕ̥kas ହେଲା ଏଵଂ ପରେ ଏହି ଶବ୍ଦଟି ସଂସ୍କୃତ ଭାଷାରେ ଵୃକ ହୋଇଛି, ପାକିସ୍ତାନର ଗିଲଗିଟ୍ ବଲ୍ଟିସ୍ଥାନର ଦାର୍ଦିକ ଭାଷା shinaରେ उरुक ହୋଇଛି, ଉତ୍ତର ପୂର୍ଵ ଭାରତର ଭାରୋପୀୟ ଭାଷା ଚକମାରେ 𑄤𑄇𑄴 (wāk) ହୋଇଛି,ସିନ୍ଧୀ ଭାଷା କଚ୍ଛୀରେ વરુ (vəru) ହୋଇଛି,ପାଲିରେ ଵକ(vəkə ; ବଗ ପାଇଁ ବକ) ଓ ପ୍ରାକୃତରେ ଵୟ(vəyə) ହୋଇଅଛି ।
ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵିଚାର କଲେ ଵୃକ ଶବ୍ଦର ମୂଳ ଅର୍ଥ ଥିଲା ଶୃଗାଳ କିନ୍ତୁ ସଂସ୍କୃତ ଭାଷାରେ ନିରୁକ୍ତଶାସ୍ତ୍ର ଆଧାରରେ ଶବ୍ଦ ନିଷ୍ପନ୍ନ ପରମ୍ପରା ବହୁ ପ୍ରାଚୀନ । ସାରା ପୃଥିଵୀର ଭାରୋପୀୟ ଭାଷାଗୁଡ଼ିକରେ ମୂଳ ଭାରୋପୀୟ ଶବ୍ଦ wĺ̥kʷosଟିରୁ ଶୃଗାଳ ଅର୍ଥରେ ନାନା ରୂପରେ ଶବ୍ଦ ସୃଷ୍ଟି ହେଲା କିନ୍ତୁ ଶୃଗାଳ ଓ ସିଂହ(ହିଟାଇଟ୍ସ,ଲିଡିଆନ୍) ଆଦି ସୀମିତ ଅର୍ଥରେ ପ୍ରୟୋଗ କରାଗଲା । ତେବେ ଭାରତରେ ସଂସ୍କୃତ ଭାଷାରେ ଅତି ଉନ୍ନତମାନର ସାହିତ୍ୟ ସର୍ଜନା ହେଵା ଯୋଗୁଁ ଵୃକ ଭଳି ଅନେକ ପ୍ରାଚୀନ ଭାରୋପୀୟ ଶବ୍ଦଗୁଡ଼ିକର ଭିନ୍ନ ଅର୍ଥରେ ମଧ୍ୟ ଵ୍ୟଵହାର ଚଳିଵାକୁ ଲାଗିଲା । ସଂସ୍କୃତ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ପୂର୍ଵକ ନିରୁକ୍ତଶାସ୍ତ୍ର ପ୍ରଣୟନ ଯୋଗୁଁ ଏହା ସମ୍ଭଵ ହେଲା । ଅର୍ଥାତ୍ ଭାରତ ବାହାରେ ଭାରୋପୀୟ ଶବ୍ଦଗୁଡ଼ିକର ଅର୍ଥ ସୀମିତ ଥିଲାବେଳେ ତାକୁ ସଂସ୍କୃତ ନିରୁକ୍ତି ଆଧାରରେ ଭାରତୀୟମାନେ ନାନା ଅର୍ଥରେ ପ୍ରୟୋଗ କରି ସାହିତ୍ୟ ସର୍ଜନା କରିଲେ । ଏଥିପାଇଁ ସଂସ୍କୃତ ହୋଇଗଲା ଶାସ୍ତ୍ରୀୟ ଭାଷା । ସଂସ୍କୃତ ଭାଷାର ଏହି ନିରୁକ୍ତଶାସ୍ତ୍ର ଆଧାରରେ ହିଁ ଆଜକୁ ଦୁଇଶହ ତିନିଶହ ଵର୍ଷ ତଳେ ଆଧୁନିକ ଭାଷାଵିଦମାନେ ଗୋଟିଏ ଭାଷାପରିଵାରର ଵିଭିନ୍ନ ଭାଷାରେ ପ୍ରଚଳିତ ସମୋଦ୍ଧୃତ ଶବ୍ଦଗୁଡ଼ିକର ମୂଳ ପ୍ରାଚୀନ ରୂପ ନିର୍ଣ୍ଣୟ କରିଵାରେ ସଫଳ ହେଉଛନ୍ତି ।
ତେଣୁ ସଂସ୍କୃତ ଭାଷାରେ ଵୃକ ଶବ୍ଦଟି ଵୃକ୍ ଧାତୁରୁ ନିଷ୍ପନ୍ନ ହୋଇଥିଵାରୁ ଵୃକ୍ ଧାତୁର ଗ୍ରହଣ କରିଵା,ନେଵା, ଅକ୍ତିଆର କରିଵା,ଦୁଃଖ ଦେଵା ଓ ବଳପୂର୍ଵକ ଛଡ଼ାଇ ନେଵା ଅର୍ଥ ଘେନି ପରେ ଵୃକ ଶବ୍ଦର ଅର୍ଥ ହୋଇଗଲା କ୍ଷତ୍ରିୟ,ଵାୟସ,ଜଠରାନଳ,ଵଜ୍ର ଓ ଚୋର । ଵାୟସ ଵା କାକ ଚୋରେଇ ନେଵା ଵା ଛଡ଼ାଇ ନେଵା ପାଇଁ ଜଣାଶୁଣା। ଚୋର ମଧ୍ୟ ଅନ୍ୟ କାହା ଘରୁ ଦରଵ ନେଇଯାଏ ଓ ଲୋକଙ୍କର ଅର୍ଥାଭାଵ ଘଟାଇ ଦୁଃଖ ଦେଇଥାଏ । କ୍ଷତ୍ରିୟମାନେ ଵିଭିନ୍ନ ସ୍ଥାନ ଉପରେ ଚଢ଼ାଉକରି ତାକୁ ଅକ୍ତିଆର କରନ୍ତି,ଛଡ଼ାଇ ନିଅନ୍ତି ଏଵଂ ଏହି କାର୍ଯ୍ୟକଲାବେଳେ ଅନେକଙ୍କୁ ଦୁଃଖ ଦିଅନ୍ତି । ଜଠରାନଳ ମଧ୍ୟ ଵ୍ୟକ୍ତିକୁ କଷ୍ଟ ଦେଇଥାଏ । ପୃଥିଵୀ ଉପରେ ଵଜ୍ର ପଡ଼ିଲେ ସେଥିରେ କୌଣସି ଵ୍ୟକ୍ତିର ମୃତ୍ୟୁ ଘଟେ ଫଳତଃ ଵଜ୍ର ଵ୍ୟକ୍ତିଙ୍କ ଜୀଵନ ଛଡ଼ାଇ ନେଇ ତାହାର ପରିଵାରଜନଙ୍କ ଦୁଃଖର କାରଣ ହୋଇଥାଏ । ଅତଃ ଭାରତୀୟ ପାରମ୍ପରିକ ନିରୁକ୍ତଶାସ୍ତ୍ର ଅନୁସାରେ ଵୃକର ଚୋର,ଵଜ୍ର,ଵାୟସ ଓ କ୍ଷତ୍ରିୟ ଆଦି ଅର୍ଥ ଆଦୌ ଭୁଲ୍ ନୁହେଁ ।
ଏବେ ଶାଳା ଶବ୍ଦର ଅର୍ଥକୁ ବି ଜାଣିନେଵା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଶାଳା ଶବ୍ଦଟି ଆଳୟ ଵା ଗୃହ,ଗୃହୈକଦେଶ ଵା ଗୃହର ଅଂଶ(room),ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଵା ଉଦ୍ଦେଶ୍ୟରେ ଵ୍ୟଵହୃତ ଗୃହ,ଘରର ଶାହାଲା ଓ (ଗଛର)ବଡ଼ଡାଳ ଅର୍ଥରେ ପ୍ରୟୋଗ କରାଯାଇଥାଏ ।
ସଂସ୍କୃତ 'ଶାଳା' ଶବ୍ଦଟି ମଧ୍ୟ 'ଵୃକ' ଶବ୍ଦ ଭଳି ଏକ ପ୍ରାଚୀନ ଭାରୋପୀୟ ଶବ୍ଦ ଏଵଂ ଆଧୁନିକ ଭାଷାଵିଦମାନେ ଏହାର ମୂଳ ଭାରୋପୀୟ ଧାତୁରୂପ ḱel- (“ଆଵରଣ କରିଵା, ରକ୍ଷା କରିଵା”) ନିର୍ଣ୍ଣୟ କରିଛନ୍ତି । ଏହି ମୂଳ ଭାରୋପୀୟ ଧାତୁଶବ୍ଦରୁ ଅନ୍ୟ ଏକ ଦିଗରେ ଲାଟିନ ଭାଷାରେ cella (“room”) ହୋଇଛି ପୁଣି ଇଂରାଜୀ ଭାଷାରେ ଯାଇ cell ରୂପେ ଚଳୁଅଛି ସେହିପରି ପ୍ରାଚୀନ ଇଂରାଜୀ ଭାଷାର heall ତଥା ଆଧୁନିକ ଇଂରାଜୀ ଶବ୍ଦ hall ମଧ୍ୟ ଜର୍ମାନିକ ଭାଷାଶାଖା ଦେଇ ଏହି ମୂଳ ଭାରୋପୀୟ ଧାତୁଶବ୍ଦରୁ ସୃଷ୍ଟି ହୋଇଛି ।
ତେବେ ଭାରତର ପାରମ୍ପରିକ ଭାଷାଵିଦମାନେ ଶାଳା ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ପୋଷଣ କରିଛନ୍ତି ।
ଭାଷାଵିଦ Macdonellଙ୍କ ଅନୁସାରେ ଶାଳା ଶବ୍ଦର ମୂଳ ଧାତୁରୂପ ହେଉଛି √śṛ ଧାତୁ । ଭାଷାଵିଦ Monier Williamଙ୍କ ଅନୁଯାୟୀ
√ଶୃ(śṛ) ଧାତୁର ଅର୍ଥ ଦୁଃଖ ଦେଵା,କଷ୍ଟ ଦେଵା,ଆଘାତ ଦେଵା, ଓ ମାରିଵା ସେହିପରି
√ସୃ(sṛ) ଧାତୁର ଅର୍ଥ ଯିଵା ,ଗତି କରିଵା ।
ଆପ୍ଟେ ଆଦି ଭାଷାଵିଦମାନେ ଶାଳା ଶବ୍ଦଟି ଶାଳ୍ ଧାତୁ(ଗମନ କରିଵା) ଓ ଅଚ୍ ପ୍ରତ୍ୟୟ ଯୁକ୍ତ ହୋଇ ସୃଷ୍ଟି କରାଯାଇଛି ବୋଲି ଲେଖିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ କୁହାଯାଇଛି ଯେ ଶାଳ୍ ଧାତୁରୁ ଗମନ କରିଵା ଅର୍ଥରେ ଅ ଓ ଆ(ଅଚ୍) ଯୁକ୍ତ ହୋଇ ଶାଳା ଶବ୍ଦ ସୃଷ୍ଟି ହୋଇଛି । ଅର୍ଥାତ୍ ଯେଉଁଠାକୁ ଵିଶ୍ରାମାର୍ଥେ ଗମନ କରାଯାଏ ତାହା ଶାଳା ।
କିନ୍ତୁ ସଂସ୍କୃତ କଳ୍ପଦ୍ରୁମରେ ଶାଳା ଶବ୍ଦର ନିରୁକ୍ତି ଲେଖାଅଛି "√ଶୋ + “ବାହୁଳକାତ୍ ଶ୍ଯତେରପି କାଳନ୍ ।" । √ଶୋ(śo) ଧାତୁରୁ ତୀକ୍ଷ୍ଣ କରିଵା,କ୍ଷୁଦ୍ର କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।
ଜଣେ ଵ୍ୟକ୍ତି,ପରିଵାର ଵା କୁଟୁମ୍ବକୁ ଗୋଟିଏ ଥାନରେ ବାନ୍ଧି ରଖିପାରେ ବୋଲି ବୋଧହୁଏ ଏଭଳି ଏକ ନିରୁକ୍ତି କେହି ଵିଚାର କରିଛନ୍ତି ।
ସେ ଯାହାହେଉ ଯଦି √ଶୃ ଧାତୁର ଅର୍ଥ ଦୁଃଖ ଦେଵା,କଷ୍ଟ ଦେଵା,ଆଘାତ ଦେଵା, ଓ ମାରିଵା;√ସୃ ଧାତୁର ଅର୍ଥ ଯିଵା ,ଗତି କରିଵା ଏଵଂ ଶାଳ୍ ଧାତୁର ଗମନ କରିଵା ଆଦି ଅର୍ଥକୁ ମହତ୍ତ୍ଵ ଦିଆଯାଇ ଵିଚାର କରାଯାଏ ତେବେ ଶାଳାଵୃକ ଶବ୍ଦଟି କେମିତି ନିରୁକ୍ତି ଦୃଷ୍ଟିରୁ ମର୍କଟ ଵା ଵାନର ହେଵ ତାହା ସ୍ପଷ୍ଟ ହୋଇଯିଵ ।
ଵୃକ ଶବ୍ଦର ଗୋଟିଏ ଅର୍ଥ ଚୋର ଏଵଂ ଆମେ ସମସ୍ତେ ଜାଣନ୍ତି ଵାନରମାନେ ଖାଦ୍ୟ ପାଇଁ ଘରୁ ବାଡ଼ିରୁ ଫଳମୂଳ ଓ ଖାଦ୍ୟ ଚୋରାଇଥାଆନ୍ତି । ଅର୍ଥାତ୍ ଵାନରମାନେ ପେଟପାଟଣା ପାଇଁ ଚୋରି କରିଵାକୁ ବି ପଛାଇ ନଥାନ୍ତି । ସେହିପରି √ଵୃକ୍ ଧାତୁର ଅର୍ଥ ଦୁଃଖ ଦେଵା ତେଣୁ ଯେମିତି ଶୃଗାଳ ମନୁଷ୍ୟ ଘରେ ବାଡ଼ିରେ ପଶିଯାଇ ଛୋଟଛୁଆଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନଙ୍କୁ ଚୋରାଇ ନେଇ ଦୁଃଖ ଦିଏ ଠିକ୍ ସେହିପରି ଵାନରମାନେ ମଧ୍ୟ ମନୁଷ୍ୟମାନଙ୍କ ପିଲାଙ୍କୁ ଘରୁ ଉଠାଇ ନେଵାର ଦେଖାଯାଏ, ବେଳେବେଳେ ଵାନରମାନେ ମନୁଷ୍ୟମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି ଏଵଂ ଘର ଉପରେ ଡିଆଁ ଡେଇଁ କରି ଭଙ୍ଗାରୁଜା କରିଥାନ୍ତି । ଵାନରମାନେ ଗାଆଁ ନଗରରେ ପଶିଯାଇ ମନୁଷ୍ୟମାନଙ୍କ ଘର ବାଡ଼ିକୁ ନିଜ ଅକ୍ତିଆରକୁ ନେଇଯାଇ ଖଣ୍ଡପ୍ରଳୟ କରିପକାନ୍ତି । ଵାନରମାନେ ମନୁଷ୍ୟମାନଙ୍କ ଶାଳା(ଘର) ଭିତରକୁ ଓ ଶାଳା(ଘର) ଉପରେ ରହି ନାନା ଦୁଃଖ ଦିଅନ୍ତି ପୁଣି ଶାଳା(ଗଛର ବଡ଼ ଡାଳ) ଉପରେ ଵାସ କରନ୍ତି। ତେଣୁ ଵୃକ୍ ଧାତୁର ଅର୍ଥ ଘେନି ତଥା ଶାଳା ଶବ୍ଦର ବଡ଼ଡାଳ ଓ ଗୃହ ଆଦି ଅର୍ଥକୁ ଵିଚାର କରି ଦେଖିଲେ ନିରୁକ୍ତି ଦୃଷ୍ଟିରୁ ଵାନରକୁ ଶାଳାଵୃକ କୁହାଯିଵାରେ କୌଣସି ଦୋଷ ନାହିଁ ।
ଶାଳାଵୃକ ଶବ୍ଦର କୁକ୍କୁର,ବିଡ଼ାଳ, ଶୃଗାଳ,ହରିଣ ,ଶାଳିଆପତନି ଓ କୋକିଶିଆଳି ଆଦି ଅର୍ଥକୁ ଏହି ଆଧାରରେ ଵିଚାର କରାଯାଇପାରେ । ଶାଳାରେ(ଘରେ) ରହୁଥିଵା ଵୃକ ହେଲା କୁକୁର ଯାହାର ଵୈଜ୍ଞାନିକ ନାମ Canis familiaris ଅଟେ । ଘରେ(ଶାଳାରେ) ପଶି ଖାଦ୍ୟ ଚୋରି କରୁଥିଵା(ଵୃକ୍ ଧାତୁ) ଜୀଵ ମଧ୍ୟରେ ବିରାଡ଼ି ଅନ୍ୟତମ ପୁଣି ଏହା ଶାଳାରେ(ଗଛର ବଡ଼ଡାଳ,ଡାଳରେ) ଚଢ଼ିପାରିଵାର କ୍ଷମତା ମଧ୍ୟ ଲଭି ପାରିଛି । ବିରାଡ଼ିର ଵୈଜ୍ଞାନିକ ନାମ felis catus ଅଟେ । ହରିଣ ଜୀଵଟି ଶାଳା(ଶାଳା ଶବ୍ଦର ଵୃକ୍ଷର ଡାଳ ଅର୍ଥ )ରୁ ପତ୍ରାଦି ଛିଣ୍ଡାଇ(ଶୃ ଧାତୁର ଆଘାତ ଦେଵା) ଖାଇ ଜୀଵନଯାପନ କରେ ଏଵଂ ଲକ୍ଷଣାର୍ଥ ଵୃକ୍ଷକୁ ବଢ଼ିଵାରେ ବାଧା ଦେଇଥାଏ ଅର୍ଥାତ୍ ଵୃକ୍ଷର ଦୁଃଖର କାରଣ ହୋଇଥାଏ(ଵୃକ୍ ଧାତୁର ଦୁଃଖ ଦେଵା) । ଶାଳିଆପତନୀ ମଧ୍ୟ ବିରାଡ଼ି ପରି କିନ୍ତୁ ମନୁଷ୍ୟମାନଙ୍କ ଗୃହରେ ଅଳ୍ପ କିନ୍ତୁ ବାଡ଼ିର ଫଳଗଛରୁ ଫଳ ଚୋରେଇ ଖାଉଥିଵାର ଦେଖାଯାଏ । ସେହିପରି ଶୃଗାଳ (canis lupus) ଓ କୋକିଶିଆଳି(Canis indicus) ମାନେ ମନୁଷ୍ୟମାନଙ୍କ ଶାଳା(ଘର ଓ ବାଡ଼ି)ରୁ ଶିଶୁ ଓ ଗୃହପାଳିତ ଜୀଵଙ୍କୁ ଚୋରାଇ ନେଇ ମାରି ଖାଇଥାନ୍ତି । ଅତଃ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ହୁଏତ ମୂଳ ଭାରୋପୀୟ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଶାଳା ଓ ଵୃକ ଶବ୍ଦର ପ୍ରାରମ୍ଭିକ ଅର୍ଥ ଘେନି ଶାଳାଵୃକ ଶବ୍ଦର ହରିଣ, ଶାଳିଆପତନି, ବିରାଡ଼ି ଓ ଵାନର ଆଦି ଅର୍ଥଗୁଡ଼ିକ ଭ୍ରମାତ୍ମକ ଵିଚାର୍ଯ୍ୟ ଲାଗିପାରେ କିନ୍ତୁ ଭାରତୀୟ ନିରୁକ୍ତଶାସ୍ତ୍ର ଦୃଷ୍ଟିରୁ ଵିଚାର କଲେ ଏହି ସବୁ ଅର୍ଥଗୁଡ଼ିକ ଯୁକ୍ତିଯୁକ୍ତ ଵିଵେଚିତ ହୋଇଥାଏ ।
(ଦ୍ର : ଶବ୍ଦ ଵ୍ୟୁତ୍ପତ୍ତିର ଅର୍ଥ word etymology କିନ୍ତୁ ନିରୁକ୍ତିର ଅର୍ଥ ଭାରତୀୟ ନିରୁକ୍ତଶାସ୍ତ୍ର ଆଧାରିତ ଧାତୁପ୍ରତ୍ୟୟ ପ୍ରୟୋଗ ପୂର୍ଵକ ଗୋଟିଏ ଶବ୍ଦର କ୍ଷୁଦ୍ରରୂପ ନିର୍ଣ୍ଣୟ । )