ଏହି ଵାକ୍ୟଟି ହୁଏତ ଅଣଓଡ଼ିଆମାନେ ବୁଝିନପାରିପାରନ୍ତି କିନ୍ତୁ ଜଣେ ଓଡ଼ିଶାଵାସୀ ନିଶ୍ଚୟ ବୁଝିଯାଆନ୍ତି କାରଣ ଏହି ଵାକ୍ୟର ଭରି ରହିଛି ଜଗନ୍ନାଥ ସଂସ୍କୃତିର ଉପାଦାନ ଯାହା ନିଆରା ଓ ଅନନ୍ୟ । ଜ୍ଯୈଷ୍ଠ ପୂର୍ଣ୍ଣିମା ହିଁ ଜଗନ୍ନାଥ ଦେଶରେ ସ୍ନାନ ପୂର୍ଣ୍ଣିମା ଭାବେ ଖ୍ୟାତ । ଏହି ପୂର୍ଣ୍ଣିମା ଦିନ ଶ୍ରୀଵିଗ୍ରହଙ୍କର ସ୍ନାନ ମଣ୍ଡପରେ ସ୍ନାନ ଵିଧି ସମ୍ପାଦିତ ହୁଏ । ଶ୍ରୀକ୍ଷେତ୍ରରେ ଯେଉଁ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମାମାନଙ୍କର ଜ୍ଯୈଷ୍ଠ ପୂର୍ଣ୍ଣିମା ଦିନ ସ୍ନାନ କାର୍ଯ୍ୟ ସମ୍ପାଦନ କରାଯାଏ ତାକୁ ସ୍ନାନ ମଣ୍ଡପ କୁହାଯାଏ। ସେହିପରି ଜ୍ଯେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରର ସ୍ନାନ ମଣ୍ଡପରେ ଯେଉଁ ମହାସ୍ନାନ ଉତ୍ସଵ ଅନୁଷ୍ଠିତ ହୁଏ ତାହା ସ୍ନାନ ଯାତ୍ରା ନାମରେ ଜଣାଶୁଣା ।
ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ୧୮ ଗରା ଜଳରେ ଚକ୍ରରାଜ ଶ୍ରୀସୁଦର୍ଶନ, ୨୨ ଗରା ଜଳରେ ମା' ସୁଭଦ୍ରା,୩୩ ଗରା ଜଳରେ ପ୍ରଭୁ ଶ୍ରୀବଳଭଦ୍ର ,୩୫ ଗରା ଜଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ କରନ୍ତି । ଶ୍ରୀଵିଗ୍ରହଙ୍କ ଉପରେ ବହୁପରିମାଣରେ ପାଣି ଢଳାହେଵାଦ୍ୱାରା ତାଙ୍କ ଦେହରୁ ରଙ୍ଗ ଛାଡ଼ିଯାଏ; ଏଥିପାଇଁ ସ୍ନାନଯାତ୍ରା ପରେ ସେ ମୂର୍ତ୍ତିମାନଙ୍କୁ ପୁନର୍ଵାର ଚିତ୍ରିତ କରିଵାକୁ ୧୫ ଦିନ ଲାଗେ। ସେ ସମୟରେ ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରି ପାରନ୍ତି ନାହିଁ। ଉକ୍ତ ୧୫ ଦିନକୁ 'ଅଣସର' ବୋଲାଯାଏ। କାରଣ ସ୍ନାନାଧିକ୍ୟ ଯୋଗୁଁ ଜଗନ୍ନାଥଙ୍କୁ ଥଣ୍ଡା ଧରିଥିଵାରୁ ଯାତ୍ରୀଙ୍କୁ ଦର୍ଶନ ଦେଵାକୁ ତାଙ୍କୁ ଅନବସର ଵା ଅଣସର ହୁଏ ବୋଲି ବୋଲାଯାଏ। ଚିତ୍ର କାର୍ଯ୍ୟ ଶେଷ ହୋଇଗଲେ ଜଗନ୍ନାଥଙ୍କର 'ନଵଯୌବନ' ବେଶକୁ ଯାତ୍ରୀମାନେ ଦେଖନ୍ତି ଓ ତତ୍ପରେ ନଵଚିତ୍ରିତ ମୂର୍ତ୍ତିମାନଙ୍କୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥକୁ ନିଆଯାଇ ରଥଯାତ୍ରା କରାଯାଏ।
ଵସ୍ତୁତଃ ଆମ ପର୍ଵ ପର୍ଵାଣୀଗୁଡ଼ିକର ସାଂସ୍କୃତିକ ଐତିହାସିକ ଵୈଜ୍ଞାନିକ ଓ ଆଧ୍ୟାତ୍ମିକ ଆଦି ଵିଭିନ୍ନ ଦିଗ ରହିଛି ।
ଆଧ୍ୟାତ୍ମିକଵାଦୀ କୁହନ୍ତି ଯେ ସ୍ନାନଯାତ୍ରା ସମୟରେ ପର°ବ୍ରହ୍ମ ମାନଵୀୟ ଲୀଳା ଦ୍ବାରା ଜୀଵକୁ ଏହା ସୂଚେଇ ଦେଉଛନ୍ତି ଯେ ଶମ ଦମ ଆଦି ଷଟ୍ ସମ୍ପତ୍ତି ସ୍ଵରୁପ ଜଳରେ କାମ କ୍ରୋଧ ଲୋଭାଦି କଳୁଷ ରଙ୍ଗ ଧୋଇଦିଅ,ତେବେ ମୋର ପ୍ରିୟ ହୋଇଵ।ଏହି କ୍ରିୟା ସମୟରେ ଜ୍ଵର ରୂପ ଭବବାଧା ଆଦି ଆଘାତ ବି ସହି ଯା'।
ତେବେ ଏହି ସ୍ନାନଯାତ୍ରା ପଛରେ ରହିଛି ସମାଜକୁ ଏକ ସାଵଧାନୀ ଵାର୍ତ୍ତା । ଆଗକାଳରେ ଜ୍ଯୈଷ୍ଠ ମାସରେ ମୌସୁମୀ ପ୍ରଭାଵରେ ହଠାତ୍ ଵର୍ଷା ହେଵା ଯୋଗୁଁ ନାନା ମହାମାରୀ ରୋଗ ଵ୍ୟାପୁଥିଲା । ତେଣୁ ଗ୍ରାମାଞ୍ଚଳରେ ମହାମାରୀ ରୋଗରୁ ରକ୍ଷା ପାଇଵା ପାଇଁ ଦେଵୀ ଆସ୍ଥାନରେ ପୂଜାର୍ଚ୍ଚନା ହେଉଥିଲା ଏଵଂ ଆଜି ବି ଅନେକ ଗ୍ରାମରେ ଏହି ପ୍ରଥା ରହିଛି । ତେବେ ସମାଜକୁ ଶିକ୍ଷା ଦେଵାକୁ ପ୍ରତିଵର୍ଷ ଶ୍ରୀବିଗ୍ରହମାନେ ଜ୍ଯୈଷ୍ଠ ପୂର୍ଣ୍ଣମାରେ ସ୍ନାନ କରନ୍ତି ଓ ଜ୍ଵରରେ ପଡ଼ନ୍ତି । ପ୍ରକାରନ୍ତରେ କଳିଙ୍ଗ ଦେଶର ପ୍ରକୃତ ଅଧିପତି ଶ୍ରୀଜଗନ୍ନାଥ ତାଙ୍କ ଭ୍ରାତା ଭଗିନୀଙ୍କ ଦ୍ଵାରା ସମାଜକୁ ଶିକ୍ଷା ଦେଉଛନ୍ତି ଯେ ଜ୍ୟୈଷ୍ଠ ମାସରେ ଅପେକ୍ଷାକୃତ ସାଵଧନତାର ସହିତ ସ୍ନାନ କରି ନିଜକୁ ଜ୍ଵରାଦି ରୋଗରୁ ଦୂରେଇ ରଖନ୍ତୁ । ଆଜି ଅଵଶ୍ୟ ଅନେକେ ସ୍ଵଚ୍ଛ ଜଳରେ ସ୍ନାନ କରୁଛନ୍ତି ତଥାପି ଏବେବି କିଛି ଗ୍ରାମଵାସୀ ଵର୍ଷାଦିନରେ ସୁଦ୍ଧା ନଦୀ ଓ ପୋଖରୀରେ ଗାଧୋଉଛନ୍ତି । ଗ୍ରାମର ଜଳାଶୟଗୁଡ଼ିକ ସ୍ଵଚ୍ଛ ଜଳଯୁକ୍ତ ନହୋଇଥିଵାରୁ ସେଭଳି ଜଳ ରୋଗର ଵାହକ ହୋଇଥାଏ ।
ଆମ ପୂର୍ଵଜ ଏହା ଜାଣିଥିଲେ ତେଣୁ ସେମାନେ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ତିନିଠାକୁରଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ କରିଵାର ପରମ୍ପରା ଗଢ଼ିଥିଲେ । ଏହା ହିଁ ଆମ ମହାନ ଜଗନ୍ନାଥ ସଂସ୍କୃତିର ମହାନତା ।