ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷର ୧୩୩ତମ ପୃଷ୍ଠା ଅନୁସାରେ ଗୁନ୍ଦଲ ଶବ୍ଦର ଅର୍ଥ ଆଵିଳ, ଗୋଳିଆ, ଅପରିଷ୍କୃତ (ପାଣି) । ଗୁନ୍ଦଲ ଶବ୍ଦର ଏହି ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ରହିଛି । ଏହି ଗୁନ୍ଦଲ ଶବ୍ଦରୁ ଗୁନ୍ଦଲଵା କ୍ରିୟାଶବ୍ଦ ସୃଷ୍ଟି ହୋଇଛି ଓ ପାଣି ଗୋଳିଆ କରିଵା,କାଦୁଅ ପାଣି ଘଣ୍ଟା ଚକଟା କରିଵା ଓ ଆଵିଳ
କରିଵା ଅର୍ଥରେ ପ୍ରୟୋଗ ହେଉଛି । ଯିଏ ‘ଗୁନ୍ଦଲାଇ’ ଦିଏ ତାକୁ କୁହନ୍ତି ଗୁନ୍ଦଲିଆ । କାମ କରୁକରୁ ଭୁଲ୍ ହୋଇଯିଵା ଓ ସୂତାର ଖିଅ କୁଟିଳ ଵା ଆଡ଼ୁଆତାଡ଼ୁଆ ହୋଇଯିଵାକୁ ଗୁନ୍ଦଲି ଯିଵା କୁହନ୍ତି । ଗୁନ୍ଦଲ ଶବ୍ଦଟି ପୁଣି କେତେକ ଅଞ୍ଚଳରେ ଗୁନ୍ଦାଲ ରୂପେ ପ୍ରଚଳିତ ଥିଵାର ଜଣାଯାଏ। ଅଧୁନା କେହି କେହି ଗୁନ୍ଦଲେଇ ଶବ୍ଦଟିଏ ସମ୍ବଲପୁରୀ ଓଡ଼ିଆରେ ଦ୍ବନ୍ଦ ଵା ସମସ୍ୟା ଅର୍ଥରେ ଵ୍ୟଵହାର କରୁଛନ୍ତି । ତେବେ ଏହି କ୍ରିୟାଶବ୍ଦଟି ଗୁନ୍ଦ୍ଲ ଶବ୍ଦରୁ ସୃଷ୍ଟି ହୋଇଛି ଯାହାର ଅର୍ଥ ଗୋଳିଆ ଓ ଅପରିଷ୍କୃତ । ଵର୍ଷା ମାସେ ନଏଦ୍ (ନଦୀ) ପାଏନ୍ (ପାଣି) ଗୁନ୍ଦଲ୍ ହେସି (ହୁଏ)। ସେହିପରି ଯେତେବେଳେ କୌଣସି ଵିଷୟ ଗୋଳିଆ ହୋଇଯାଏ,ସୂତା ଗୋଳିଆ ହୋଇ ଗୁଡ଼େଇ ତୁଡ଼େଇ ହୋଇଯାଏ ଦ୍ଵନ୍ଦ୍ଵ ଉପୁଜେ । ତେଣୁ ଏହି ଆଧାରରେ ଦ୍ଵନ୍ଦ ଅର୍ଥରେ ଗୁନ୍ଦଲେଇ ହେଵା କ୍ରିୟା ଚଳିଵାକୁ ଲାଗିଲା । Bahri: Learners' Hindi-English dictionaryର ୧୪୦ତମ ପୃଷ୍ଠାରୁ ଜଣାଯାଏ ଯେ ହିନ୍ଦୀରେ ମଧ୍ୟ
गंदला ଶବ୍ଦର ଅର୍ଥ ଗୋଳିଆ ଅପରିଷ୍କାର ପାଣି । ପୁଣି ହିନ୍ଦୀ ଶବ୍ଦ ସାଗରର ୧୧୯୫ତମ ପୃଷ୍ଠାରେ गंदोलना ଶବ୍ଦ ବି ଅଛି ଯାହାର ଅର୍ଥ ଲେଖାଅଛି କୌଣସି ଦରଵ ଵିଶେଷତଃ ଜଳକୁ ଅପରିଷ୍କାର କରିଵା । Sir Ralph lily Turnerଙ୍କ ଵ୍ୟୁତ୍ପତ୍ତିକୋଷ A comparative dictionary of Indo-Aryan languagesର ୨୧୪ତମ ପୃଷ୍ଠାରେ ଓଡ଼ିଆ ଶବ୍ଦ ଗୁନ୍ଦଲେଇଵା ଓ ହିନ୍ଦୀ ଶବ୍ଦ ଗନ୍ଦଲେନା ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ଉଲ୍ଲେଖ ଅଛି । ଆଗେ ମୂଳ ଆର୍ଯ୍ୟଭାଷାରେ *gadda ବୋଲି ଏକ ଶବ୍ଦ 'sediment(ଜଳକଳ୍କ)' ଓ 'mud(କର୍ଦ୍ଦମ)' ଅର୍ଥରେ ଵ୍ୟଵହାର ହେଉଥିଲା ।
ପ୍ରାକୃତ ଭାଷାରେ ଏ ଶବ୍ଦ geḍḍa ହୋଇ କର୍ଦ୍ଦମ ଵା କାଦୁଅ ଅର୍ଥରେ ଚଳୁଥିଲା । ଏହି ଶବ୍ଦରୁ ବଙ୍ଗାଳୀ ଭାଷାରେ gād ଶବ୍ଦ ସୃଷ୍ଟି ହୋଇ 'dregs(କାଣ୍ଟି), lees(ମଇଳା), scum(ମଳ)' ଅର୍ଥରେ ଚଳିଅଛି । ଓଡ଼ିଆ ଭାଷାରେ gāda (ଗାଦ) ଶବ୍ଦ ମଧ୍ୟ ଏହି ଶବ୍ଦରୁ ହିଁ ସୃଷ୍ଟି ହୋଇଥିଲା ଓ 'sediment(ଜଳକଳ୍କ) ତଥା dregs(କାଣ୍ଟି)' ଅର୍ଥରେ ପ୍ରୟୋଗ ହେଉଅଛି। ଆଜି ବି ଉତ୍ତର ଓଡ଼ିଆଶୈଳୀରେ ତଥା ମେଦିନୀପୁରୀ ଓଡ଼ିଆରେ କାଣ୍ଟିକୁ ଲୋକେ ଗାଦ କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୨୧୯୩ତମ ପୃଷ୍ଠାରେ ଏହି ଗାଦ ଶବ୍ଦଟିର ଅର୍ଥ ତୈଳାଦିର କାଣ୍ଟି ଵା ମଳି ଉଲ୍ଲେଖ ଅଛି । ମଗହୀ ଆଦି ଭାଷାରେ gād ଶବ୍ଦଟି ଏହି ମୂଳରୁ 'low-lying land' ଵା ତଳିଆ ଭୂମି ଅର୍ଥରେ ସୃଷ୍ଟି ହୋଇ ଚଳୁଅଛି । ସାଧାରଣତଃ ତଳିଆ ଭୂମି କର୍ଦ୍ଦମମୟ ହୋଇଥାଏ ତେଣୁ ଏଭଳି ନାମକରଣ ହୋଇଥିଲା । ସେହିପରି ମୈଥିଳୀ ଭାଷାର gādi ଶବ୍ଦ ମଧ୍ୟ ଏହି ମୂଳ ଆର୍ଯ୍ୟ ଶବ୍ଦରୁ ସୃଷ୍ଟି ହୋଇଛି ଓ 'sediment of foul water'(ଅପରିଷ୍କାର ଜଳର କଳ୍କ) ଅର୍ଥରେ ଚଳୁଅଛି । ହିନ୍ଦୀ ଭାଷାର gād ଶବ୍ଦ ବି ଏଥିରୁ ସୃଷ୍ଟି ହୋଇ ଜଳକଳ୍କ ଓ ମଇଳା ଅର୍ଥରେ ପ୍ରୟୋଗ ହୁଏ । ସେହିପରି ମରାଠୀ ଭାଷାରେ ଏହି ମୂଳରୁ gādā ଶବ୍ଦ ସୃଷ୍ଟି ହୋଇଛି ଓ କାଦୁଅ ଅର୍ଥରେ ଚଳୁଅଛି । ତେବେ ମୂଳ ଆର୍ଯ୍ୟ gadda ଶବ୍ଦରେ ଲ,ଲା ଵା ଲୁ ପ୍ରତ୍ୟୟ ଲାଗି ପରଵର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ସୃଷ୍ଟି ହୋଇଛି ଗୁନ୍ଦଲ ଓ ଗୁନ୍ଦଲେଇଵା ଶବ୍ଦ । ମରାଠୀରେ ସୃଷ୍ଟି ହୋଇଛି ଆଵର୍ଜନା ଅର୍ଥଜ gadaḷ ଓ gādṇẽ,ହିନ୍ଦୀର gadlā ଆଉ ଗୁଜରାଟୀର gadlũ ଆଦି ଅନେକ ଶବ୍ଦ । ତେବେ ଓଡ଼ିଆ ଭାଷାରେ ଏ ଶବ୍ଦ ଆହୁରି ପରିଵର୍ତ୍ତିତ ହେଲା ଓ ଗୁନ୍ଦ୍ରାଇଵା ରୂପେ ଚଳିଵାକୁ ଲାଗିଲା । ମୂଳ ଅପରିଷ୍କାର ଅର୍ଥକୁ ବଞ୍ଚାଇ ରଖି ଗୁନ୍ଦ୍ରାଇଵା କ୍ରିୟାଟି ଅପରିଷ୍କାର ଓ ଗୋଳମାଳିଆ କରି ଲେଖିଵା ଵା ଗେନ୍ଦ୍ରାଇଵା ଅର୍ଥରେ ପ୍ରୟୋଗ କରାଯାଏ । ଖେଳ ଗୋଳିଵା ଅର୍ଥରେ ବି ଗୁନ୍ଦ୍ରା,ଗୁନ୍ଦ୍ରି ଓ ଗୁନ୍ଧୁରି ଭଳି ଶବ୍ଦ ଵ୍ୟଵହାର କରାଗଲା । ପୁଣି କଥାକୁ ଅପରିଷ୍କାର କରି ତହିଁରେ ମିଥ୍ୟା ମିଶାଇ କହିଵା ଅର୍ଥରେ ବି ଗୁନ୍ଦ୍ରାଇଵା ଶବ୍ଦ ଚଳିଲା ।
ତେବେ ସମାଜର ଜଣେ ସାଧାରଣ ଲୋକ ଗୁନ୍ଦଲେଇଵା ଓ ଗୁନ୍ଦ୍ରାଇଵା କ୍ରିୟା ମଧ୍ୟରେ ଥିଵା ସଗୋତ୍ରୀୟ ସମ୍ପର୍କ କାହୁଁ ଜାଣିଵ ? ସେ କେମିତି ଜାଣିଵ ଯେ ମୂଳ ଆର୍ଯ୍ୟ ଶବ୍ଦ gaddaରୁ ଉଭୟ ଶବ୍ଦ ସୃଷ୍ଟି ହୋଇଛି ଓ ଭିନ୍ନ ଭିନ୍ନ ଅର୍ଥରେ ଚଳୁଅଛି କିନ୍ତୁ ଉଭୟ ଶବ୍ଦ ମଧ୍ୟରେ ଆଜି ବି ପ୍ରକାଶ୍ୟ ହେଉ ଵା ଊହ୍ୟ ରୂପେ ଅପରିଷ୍କାର,ଗୋଳିଆ ଓ ମଇଳା ଆଦି ଅର୍ଥ ବଞ୍ଚି ରହିଛି ।
•(ଵି.ଦ୍ର:- ହିନ୍ଦୀ ଶବ୍ଦ ସାଗର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯଥାକ୍ରମେ ଗନ୍ଦଲା ଶବ୍ଦକୁ ପାର୍ସୀ ଗନ୍ଦା ଶବ୍ଦରୁ ସୃଷ୍ଟି ହୋଇଥିଵାର ମତ ରହିଛି ତେବେ ପାର୍ସୀ ଓ ହିନ୍ଦୀ ଆଦି ଭାଷାରେ ପ୍ରଚଳିତ ଥିଵା ଗନ୍ଦା ଶବ୍ଦଟି ମୂଳତଃ ସଂସ୍କୃତ ଭାଷାର ଗନ୍ଧ ଶବ୍ଦରୁ ସୃଷ୍ଟି ହୋଇଛି। କିନ୍ତୁ ସାର୍ ରାଲ୍ଫ ଲିଲି ଟର୍ନର ତାଙ୍କ ଵ୍ୟୁତ୍ପତ୍ତି କୋଷରେ ହିନ୍ଦୀ ଶବ୍ଦ ଗନ୍ଦଲାର ମୂଳ ଆର୍ଯ୍ୟ ରୂପ gadda ଉଲ୍ଲେଖ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାଣ୍ଟି ଅର୍ଥଜ ଗାଦ ଶବ୍ଦର ମୂଳ କର୍ଦ୍ଦମ ଓ ଏହାର ସଗୋତ୍ରୀୟ ହିନ୍ଦୀ ଓ ପାର୍ସୀରୂପ ଗର୍ଦ୍ଦା ବୋଲି ଉଲ୍ଲେଖ ଅଛି କିନ୍ତୁ ସାର୍ ରାଲ୍ଫ ଲିଲି ଟର୍ନର ତାଙ୍କ ଵ୍ୟୁତ୍ପତ୍ତି କୋଷରେ ଓଡ଼ିଆ ଶବ୍ଦ ଗାଦ'ର ମୂଳ ଆର୍ଯ୍ୟ ରୂପ gadda ହିଁ ଉଲ୍ଲେଖ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖେଳ ଗୋଳିଵା ଅର୍ଥଜ ଗୁନ୍ଦୁରି,ଗୁନ୍ଧୁରି ଇତ୍ୟାଦି ଶବ୍ଦଗୁଡ଼ିକର ମୂଳ ଗୁଦ୍ ଧାତୁ ବୋଲି ଉଲ୍ଲେଖ କରାଯାଇଛି କିନ୍ତୁ ଗୁଦ୍ ଧାତୁରୁ ଖେଳିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ ,ଖେଳ ଗୋଳିଵା ଅର୍ଥରେ ନୁହେଁ ତେଣୁ ଗୁନ୍ଦୁରି ଶବ୍ଦ ସହିତ ଵାହ୍ୟ ସାମ୍ୟ ଥିଲେ ମଧ୍ୟ ଏହାର କୌଣସି ସଗୋତ୍ରୀୟ ସମ୍ପର୍କ ନାହିଁ)•
•••••••••••••••••••••••••••••••••
ତଥ୍ୟ ଉତ୍ସ:
*ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)
*ହିନ୍ଦୀ ଶବ୍ଦ ସାଗର(ଶ୍ରୀ ଶ୍ୟାମସୁନ୍ଦର ଦାସ)
*ଶିକ୍ଷାର୍ଥୀ ହିନ୍ଦୀ ଅଙ୍ଗ୍ରେଜୀ ଶବ୍ଦକୋଷ/Learners' Hindi-English dictionary(ହରଦୀପ ବାହରୀ)
*A comparative dictionary of Indo-Aryan languages(Sir Ralph lily Turner)
*ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ(ପ୍ରଫୁଲ୍ଲ ତ୍ରିପାଠୀ)
•••••••••••••••••••••••••••••••