ଗ୍ରେଗୋରୀ ନିମିଟ୍ଜ୍ ନାମକ ଜଣେ ଵ୍ୟକ୍ତି ୨୦୦୦ ମସିହାରେ ଏକ ଏପରି ସ୍ଥାନର ପଞ୍ଜୀକରଣ କରାଇଥିଲେ, ଯେଉଁଠାରେ ବଜାର ମୂଲ୍ୟରେ ପ୍ରାୟ ୫ ଲକ୍ଷ ଖରବ ଟଙ୍କାର ପ୍ଲାଟିନମ୍ ରହିଛି। ଏହି ସ୍ଥାନଟି ପୃଥିଵୀର ନୁହେଁ, ଵରଂ ପୃଥିଵୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ଘୂରି ବୁଲୁଥିଵା ୪୩୩-ଇରୋସ୍ (433-EROS) ନାମକ ଏକ ଗ୍ରହାଣୁରେ ରହିଛି । ଏହି ଘଟଣାର ପ୍ରାୟ ୧୧ ମାସ ପରେ ନାସା (NASA) ଏହି ଗ୍ରହାଣୁ ଉପରେ ଏକ ସ୍ପେସ୍-ସଟଲ୍ ଅଵତରଣ କରାଇ ଇତିହାସ ସୃଷ୍ଟି କରିଥିଲା। ତାହା ଜାଣିପାରି ଗ୍ରେଗୋରୀ ନାସାକୁ "ତାଙ୍କ ଜମିରେ ଅନାଧିକୃତ ଅଵତରଣ" ଅଭିଯୋଗରେ ୨୦ ଡଲାରର ପାର୍କିଂ ଟିକେଟ୍ ପଠାଇ ଦେଇଥିଲେ।
କେଡ଼େ ହାସ୍ୟାସ୍ପଦ କଥା...!!!
କିନ୍ତୁ ନାସା ଏବଂ ଆମେରିକାର ଆଟର୍ନି ଜେନେରାଲ୍ ଗ୍ରେଗୋରୀଙ୍କ ଦାବିକୁ "ଆଉଟର୍ ସ୍ପେସ୍ ଟ୍ରିଟି" (Outer Space Treaty) ଆଧାରରେ ବେଆଇନ ଘୋଷଣା କରି ଖାରଜ କରି ଦେଇଥିଲେ। ଏହି ସନ୍ଧି ଅନୁସାରେ, କୌଣସି ଵ୍ୟକ୍ତି କିମ୍ବା ରାଷ୍ଟ୍ର ପୃଥିଵୀ ଵ୍ୟତୀତ ବ୍ରହ୍ମାଣ୍ଡର କୌଣସି ଗ୍ରହ, ଉପଗ୍ରହ, କିମ୍ବା ତାରା ଉପରେ ନିଜର ଏକଚାଟିଆ ପ୍ରଭୁତ୍ଵ ଦାବି କରିପାରିବେ ନାହିଁ।
"ବ୍ରହ୍ମାଣ୍ଡ ମାନବଜାତିର ସର୍ଵସାଧାରଣ ସମ୍ପତ୍ତି।"
୧୯୬୭ରେ ହୋଇଥିବା ଏହି ସନ୍ଧିରେ ବିଶ୍ୱର ପ୍ରାୟ ୧୩୦ଟି ଦେଶ ହସ୍ତାକ୍ଷର କରିଛନ୍ତି। ମଜା କଥା ହେଲା, ଏହି ସନ୍ଧିରେ "ମହାକାଶର ଵାଣିଜ୍ୟିକ ଉପଯୋଗ" ଵିଷୟରେ କିଛି ବି ଉଲ୍ଲେଖ ନାହିଁ। ଏହି କାରଣରୁ ଅନେକ ଘରୋଇ ସଂସ୍ଥା ଵ୍ୟକ୍ତିଗତ ମିଶନ ଜରିଆରେ ବ୍ରହ୍ମାଣ୍ଡରେ ଘୂରୁଥିଵା ଗ୍ରହାଣୁ ଓ ଉଲ୍କାପିଣ୍ଡରୁ ମୂଲ୍ୟଵାନ ଖଣିଜ ଉତ୍ଖନନ ଏଵଂ ଚନ୍ଦ୍ରମାରେ ଉପଲବ୍ଧ ନ୍ୟୁକ୍ଲିୟର୍ ଇନ୍ଧନର ଉନ୍ନତ ଵିକଳ୍ପ "ହିଲିୟମ୍-୩" ପାଇଵା ପାଇଁ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଗୁଡ଼ିକ ଉପରେ କାମ କରୁଛନ୍ତି।
ଏବେ ଧରନ୍ତୁ ଆପଣଙ୍କ ପାଖରେ ଅପାର ଧନସମ୍ପତ୍ତି ଅଛି। ଆପଣ ପୃଥିଵୀ ଛାଡ଼ି ଚନ୍ଦ୍ରମାକୁ ଯାଇ ସେଠାରେ ଏକ ସୁନ୍ଦର ଘର ତିଆରି କରି ରହିପାରିବେ। ତାହେଲେ ଆପଣଙ୍କୁ ଅଟକାଇବାର ଅଧିକାର କାହାର ଅଛି?
ସମ୍ପତ୍ତି ଓ ଶକ୍ତିର ସିଧାସଳଖ ସମ୍ପର୍କ ରହିଛି। ଦେଖାଯାଏ "ସମ୍ପତ୍ତିର ସ୍ୱାମୀତ୍ୱ" କେଵଳ ତେତେବେଳେ ସମ୍ଭଵ, ଯେତେବେଳେ କୌଣସି ଶକ୍ତିଶାଳୀ ସଂସ୍ଥା, ଯେମିତି କି "ରାଷ୍ଟ୍ର", ଆପଣଙ୍କ ସ୍ୱାମୀତ୍ୱ ଉପରେ ମୋହର ଲଗାଇ ଆଇନଗତ ମାନ୍ୟତା ଦିଏ। ସେହିପରି ଆପଣ ଚନ୍ଦ୍ରମାରେ ରହି ତାହାକୁ ନିଜର ସମ୍ପତ୍ତି ଘୋଷଣା କରିପାରନ୍ତି। ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ, କିନ୍ତୁ ଚନ୍ଦ୍ରମା ଉପରେ ଆପଣଙ୍କର ଅଧିକାର ସେତିକି ଦିନ ପର୍ଯ୍ୟନ୍ତ ରହିବ, ଯେତିକି ଦିନ ପର୍ଯ୍ୟନ୍ତ "ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ" କେହି ସେଠାରେ ପହଞ୍ଚି ନଥିବେ !!!
ପୁଣି ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି ଯେ, ଆମେ ମଣିଷମାନେ ବ୍ରହ୍ମାଣ୍ଡର କୌଣସି ଗ୍ରହର ପ୍ରଭୁତ୍ବ କରିଵାକୁ କିଏ ? ଆମର ଜନ୍ମ ତ ପୃଥିଵୀରେ ଉପଲବ୍ଧ ଉପାଦାନଗୁଡ଼ିକ ଦ୍ୱାରା ହୋଇଛି ତାହେଲେ ଆମକୁ ଏହି ଅଧିକାର କିଏ ଦେଇଛି ଯେ ଆମେ ବ୍ରହ୍ମାଣ୍ଡର ଅନ୍ୟ କୌଣସି ପିଣ୍ଡ ଉପରେ ନିଜର ସ୍ଵାମୀତ୍ବ ଦାବି କରିବୁ? ୪୫୦କୋଟି ଵର୍ଷ ଵୟସ୍କ ପୃଥିଵୀଗ୍ରହରେ ଆମେ ଏଇ ମାତ୍ର କିଛି ଵର୍ଷର ଜୀଵ । ତାହେଲେ ଆମକୁ ଏ ଗ୍ରହର କୌଣସି ଭୂମିଖଣ୍ଡକୁ କିଣା ବିକା କରିଵାର ଅଧିକାର ବି ଆମକୁ କିଏ ଦେଲା ? ଏକ ଭୂଭାଗ ଵିଶେଷକୁ କିଣା ବିକା ବେଳେ ଆମେ କ'ଣ ସେହି ଜମିରେ ରହୁଥିବା ପଶୁ, କୀଟପତଙ୍ଗଙ୍କ ଅନୁମତି ନେଉଛୁ?
ମନେ କରନ୍ତୁ ,ବ୍ରହ୍ମାଣ୍ଡରେ ଅତିବିକଶିତ ଓ ଅତିଵିଶାଳ ଅନେକ ପରଗ୍ରହୀ ସଭ୍ୟତା ରହୁଛନ୍ତି। ଯଦି ଆମରି ଆକାଶଗଙ୍ଗା Milky Wayର ସ୍ୱାମୀତ୍ୱ ତନ୍ମଧ୍ୟରେ କୌଣସି ଏକ ପରଗ୍ରହୀ ସଭ୍ୟତା ପୂର୍ଵରୁ କିଣି ରଖିଛି ତାହେଲେ କ'ଣ ହେଵ ?
ଯଦି କାଲିକୁ କୌଣସି ଏଲିୟନ୍ ସଭ୍ୟତା ଆସି ଆମ ସମ୍ପଦ ଉପରେ ନିଜର ପ୍ରଭୁତ୍ବ ଦାବି କରି ମଣିଷମାନଙ୍କୁ ପୃଥିଵୀ ଖାଲି କରିଦେବାକୁ ଆଦେଶ ଦିଏ, ତେବେ କ’ଣ ହେଵ?
ଆମେ ସେମାନଙ୍କର କିପରି ପ୍ରତିକାର କରିବୁ ?
ଆମେ ଆମର ଧର୍ମଗ୍ରନ୍ଥର କାହାଣୀଗୁଡ଼ିକୁ ପଢ଼ାଇ ସେମାନଙ୍କ ମନରେ ଵିଶ୍ୱାସ ଜନ୍ମାଇ ପାରିବୁ କି ଯେ ଆମେ ଈଶ୍ୱରଙ୍କ ପ୍ରିୟ ସନ୍ତାନ ଏଵଂ ଏହି ସମଗ୍ର ସଂସାର ଆମର ଉପଭୋଗ ପାଇଁ ସୃଷ୍ଟି ହୋଇଛି ?
କିମ୍ବା ଏମନ୍ତ ବି ହୋଇପାରେ ଯେ ସେହି ପରଗ୍ରହୀମାନେ ଆମ ସହ କଥାଵାର୍ତ୍ତା କରିଵାର ଆଵଶ୍ୟକତା ହିଁ ଅନୁଭଵ ନ କରିପାରନ୍ତି ଏଵଂ ବିନା ଚେତାବନୀରେ ମଣିଷମାନଙ୍କୁ ନାଶ କରିଵାର ଵ୍ୟଵସ୍ଥା କରିପାରନ୍ତି। ଠିକ୍ ଯେମିତି ଆମେ ମଣିଷମାନେ ଗୋଟିଏ ସ୍ଥାନରେ ଘର ତୋଳିଲା ବେଳେ ଉକ୍ତ ସ୍ଥାନରେ ରହୁଥିଵା ଗଛ,ଜୀଵଜନ୍ତୁ ଓ କୀଟପତଙ୍ଗ ଆଦିଙ୍କୁ ମାରି ତଡ଼ି ଦିଅନ୍ତି ହୁଏତ ଅତିଵିକଶିତ କୌଣସି ପରଗ୍ରହୀ ମଧ୍ୟ ଆମ ସହିତ ସେତେବେଳେ ସେହିପରି ଵ୍ୟଵହାର ପ୍ରଦର୍ଶନ କରିପାରନ୍ତି ।
ଏହି ପ୍ରଶ୍ନଗୁଡ଼ିକ ଯେତେ ଅଜଣା ଓ ଅଦ୍ଭୁତ, ସେତେ ଗମ୍ଭୀର ମଧ୍ୟ। ଯଦି ଆମକୁ ପ୍ରକୃତରେ ଏକ ପାଦ ଆଗକୁ ବଢ଼ାଇ ବ୍ରହ୍ମାଣ୍ଡର ନାୟକ ଭାବେ ପ୍ରତିଷ୍ଠିତ ହେଵାକୁ ହୁଏ, ତେବେ ଆଜି ନୁହେଁ ତ କାଲି... ଏହି ପ୍ରଶ୍ନଗୁଡ଼ିକ ଉପରେ ଵିଶ୍ୱର ସମସ୍ତ ରାଷ୍ଟ୍ରଙ୍କୁ ଚିନ୍ତନ କରିବାକୁ ହେଵ।
ମନେ ରଖନ୍ତୁ...
ଆମେ ବ୍ରହ୍ମାଣ୍ଡରେ ଏକାକୀ ବୁଦ୍ଧିମାନ ଜୀଵ ହୋଇଥିଲେ ଅଥଵା ମାନବ ସାମ୍ରାଜ୍ୟର ସୁରକ୍ଷା ପାଇଁ ଯଥେଷ୍ଟ ଶକ୍ତିଶାଳୀ ହୋଇଥିଲେ ହିଁ କେଵଳ ଏ ବ୍ରହ୍ମାଣ୍ଡର ସ୍ୱାମୀ ହୋଇପାରିଵା ଅନ୍ୟଥା ଆମର ଅସ୍ଥିତ୍ଵ ଏ ବ୍ରହ୍ମାଣ୍ଡର ଅତିଶକ୍ତିଶାଳୀ ପରଗ୍ରହୀ ଜାତିମାନଙ୍କ ଆଗରେ ଆମ ଘରେ ରହୁଥିଵା ପିମ୍ପୁଡ଼ି ପରି ତୁଚ୍ଛ ଓ ଅସାର ।
ପ୍ରକୃତରେ ଆମେ କେଵଳ ତେବେ ହିଁ ବ୍ରହ୍ମାଣ୍ଡର ପ୍ରକୃତ ଶାସକ ହୋଇପାରିବୁ, ଯଦି ଆମ ପାଖରେ ଶକ୍ତି ସହ ତାହା ଲାଗୁ କରିଵାର କ୍ଷମତା ବି ରହିଥିଵ । ନଚେତ୍ ଶୀଘ୍ର କିମ୍ବା ବିଳମ୍ବରେ, କେଉଁଠି ନା କେଉଁଠି କେହି ଆମର,ଆମ ଗ୍ରହର ଅଥଵା ଆମର ଆକାଶଗଙ୍ଗାର ଭାଗ୍ୟ ଲେଖି ସାରିଥିବେ ଆଉ ଆମେ କିଛି ନଜାଣିପାରି କୋଉଠି ଯାଗା କିଣି ଘର ତୋଳିଵା ସକାଶେ ସେଠାରେ ପୂର୍ଵରୁ ଵସଵାସ କରୁଥିଵା ଜୀଵଜନ୍ତୁ କୀଟପତଙ୍ଗ ମାରି ଖେଦି ଚାଲିଥିଵା ଗଛବୃଚ୍ଛକୁ ହାଣି ଚାଲିଥିଵା...
No comments:
Post a Comment