Monday, March 17, 2025

କ'ଣ ଅଵଧୀ निअर ଶବ୍ଦରୁ ଇଂରାଜୀ Near , ଶବ୍ଦ ସୃଷ୍ଟି ହୋଇଛି ?

ସୁଧାଂଶୁ ତ୍ରିଵେଦୀ ତାଙ୍କର ଅନେକ ସାକ୍ଷାତକାରରେ ରାମଚରିତ ମାନସର କିଷ୍କିନ୍ଧା କାଣ୍ଡରେ ଥିଵା ଏକ ଚୌପାଈ ପ୍ରାୟତଃ ବୋଲିଥାନ୍ତି । 


“बरषहिं जलद भूमि निअराएँ।
 जथा नवहिं बुध बिद्या पाएँ।
बूँद अघात सहहिं गिरि कैसे। 
खल के बचन संत सह जैसें॥२॥”

ତାପରେ ସେ କୁହନ୍ତି ଦେଖ ଏହି ଚୌପାଈରେ ‘ନିଅର’ ବୋଲି ଗୋଟିଏ ଶବ୍ଦ ଅଛି ତାହାର ଅର୍ଥ ନିକଟ । କେହି କହିପାରେ ରାମଚରିତ ମାନସରେ ଇଂରାଜୀ Near(ନିକଟ) ଶବ୍ଦଟି ଆସି ମିଶିଛି । କିନ୍ତୁ ତୁଳସୀ ଦାସଙ୍କ ସମୟରେ କ'ଣ ଅଯୋଧ୍ୟାରେ ଇଂରେଜମାନଙ୍କ ଶାସନ ଥିଲା ? ନା ! ନଥିଲା ! ତେଣୁ ଏହି ଅଵଧି 'ନିଅର' ଶବ୍ଦରୁ ଇଂରାଜୀ ଭାଷାରେ near ଶବ୍ଦ ଚଳିଅଛି ‌। 

ଶବ୍ଦ ଵ୍ୟୁତ୍ପତ୍ତି ଵିଜ୍ଞାନ ନଜାଣି ଯେତେବେଳେ ଲୋକେ ଦୁଇଟି ଶବ୍ଦ ମଧ୍ୟରେ କେଵଳ ଵାହ୍ୟ ସାମ୍ୟ ଦେଖି କୌଣସି ଗୋଟିଏ ଶବ୍ଦକୁ ଆଉ ଗୋଟିଏ ଶବ୍ଦର ବୋପା ଘୋଷଣା କରିଦିଅନ୍ତି ସେତେବେଳେ ଦେଶର ଭାଷାଵିତମାନେ ତହିଁର ସତ୍ୟାସତ୍ୟ ଜାଣି ସମାଜକୁ ଜଣାଇଵା ଉଚିତ୍। 

ତେବେ ଦୁଃଖର ଵିଷୟ ୧୪୦ କୋଟି ଜନସଂଖ୍ୟା ଵିଶିଷ୍ଟ ଭାରତରେ କେହି ବି ଏହି ଭ୍ରମାତ୍ମକ ଟିପ୍ପଣୀ ଵିପକ୍ଷରେ କୌଣସି ଯୁକ୍ତିଯୁକ୍ତ ମତ ପୋଷଣ କରୁନାହାନ୍ତି କି କେବେ କରିନାହାନ୍ତି। 

“(ଶବ୍ଦଵ୍ୟୁତ୍ପତ୍ତି ଵିଜ୍ଞାନକ୍ଷେତ୍ରରେ) ଦୁଇଟି ଶବ୍ଦମଧ୍ୟରେ ଵ୍ୟୁତ୍ପତ୍ତିକ ସମ୍ବନ୍ଧ ଥିଲେ ତାକୁ ସଗୋତ୍ରୀୟ ଵା phylogenetically linked ବୋଲି କୁହାଯାଏ । ଅଣଗୋତ୍ରୀୟ ଶବ୍ଦ ଗୁଡ଼ିକୁ କେଵଳ ବାହ୍ୟ ସାଦୃଶ୍ୟ ଆଧାରରେ ଯୋଡ଼ିଲେ ତାହାକୁ ପରିସଂଖ୍ୟାନ ଶାସ୍ତ୍ରରେ spurious association କହନ୍ତି । ଏପରି କରାଯାଉଥିଲେ ପାଠକ ନିଜେ ଵିଭ୍ରାନ୍ତ ହୁଅନ୍ତି ଓ ଅନ୍ୟକୁ ମଧ୍ଯ ଵିଭ୍ରାନ୍ତ କରିଥାନ୍ତି ।”


ସୁଧାଂଶୁ ତ୍ରିଵେଦୀ ଅଵଧୀ 'निअर' ଓ ଇଂରାଜୀ Near ମଧ୍ୟରେ ଵାହ୍ୟ ସାମ୍ୟ ଦେଖି ଉଭୟ ଶବ୍ଦକୁ ଏକ ମୂଳର ମନେ କରିଛନ୍ତି ଆଉ ନିଜେ ଭ୍ରମରେ ପଡ଼ି ଅନ୍ୟ ଲୋକମାନଙ୍କୁ ମଧ୍ୟ ଭ୍ରମରେ ପକେଇ ଦେଇଛନ୍ତି । 

ପ୍ରକୃତରେ ଅଵଧୀ निअर(ନିକଟ) ଓ ଇଂରାଜୀ Near(ନିକଟ)ର ଅର୍ଥ ସମାନ,ଉଭୟ ଶବ୍ଦର ଉଚ୍ଚାରଣରେ ମଧ୍ୟ କେତେକାଂଶରେ ସମାନତା ଅଛି କିନ୍ତୁ କୌଣସି ସଗୋତ୍ରୀୟ ସମ୍ପର୍କ ନାହିଁ । 

ଇଂରାଜୀ ଭାଷାରେ ପ୍ରଚଳିତ Near ଶବ୍ଦଟି ଗୋଟିଏ ଖାଣ୍ଟି ଇଂରାଜୀ ଶବ୍ଦ। ଏହାର ମଧ୍ୟଯୁଗୀୟ ଇଂରାଜୀ ରୂପ nere ଓ ner ତଥା ପ୍ରାଚୀନ ଇଂରାଜୀ ରୂପ nēar ଥିଲା । ଇଂରାଜୀ Near ଶବ୍ଦର ମୂଳ ପଶ୍ଚିମ ଜର୍ମାନିକ ରୂପ *nēhw (“near”) ଥିଲା ଯହିଁରୁ ଅନ୍ୟ ଦିଗରେ ଡଚ୍ ଭାଷାରେ naar (“to, towards”), ଜର୍ମାନ୍ ଭାଷାରେ näher (“nearer”),ଡାନିଶ୍ ଭାଷାରେ nær (“near, close”), ନରୱେଜିଅନ୍ ଭାଷାରେ nær (“near, close”) ଓ ସ୍ଵେଡିଶ୍ ଭାଷାରେ nära (“near, close”) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ପ୍ରୋକ୍ତ ସମସ୍ତ ଭାଷାମାନ ଭାରୋପୀୟ ଭାଷାପରିଵାରର ଜର୍ମାନିକ ଶାଖାର ସଦସ୍ୟ ତେଣୁ ଏଭଳି ଏକାର୍ଥବୋଧକ ସଗୋତ୍ରୀୟ ଶବ୍ଦ ଏକାଧିକ ଭାଷାରେ ଚଳିଵାରେ ଆଶ୍ଚର୍ଯ୍ୟ ହେଵାର କିଛି ନାହିଁ । ତେବେ ଭାଷାଵିତମାନେ ଏହି ଇଂରାଜୀ Near ଶବ୍ଦଟିର ମୂଳ ଭାରୋପୀୟ କ୍ଷୁଦ୍ରଶବ୍ଦରୂପ  
*h₂neḱ-(ପହଞ୍ଚିଵା,ଲଭିଵା) ନିର୍ଣ୍ଣୟ କରିଛନ୍ତି ।‌ ତେଣୁ ଏ ଦୃଷ୍ଟିରୁ ଅଵଧୀ ଭାଷାର निअर ନୁହେଁ ଵରଂ ସଂସ୍କୃତ ଭାଷାର ଆନଟ,ଆଷ୍ଟ,ଅଶ୍ନୋତି,ଅକ୍ଷ୍ ଧାତୁ ଓ ଅକ୍ଷତି ଇତ୍ୟାଦି ଶବ୍ଦଗୁଡ଼ିକ ସହିତ ଇଂରାଜୀ ଭାଷାରେ ପ୍ରଚଳିତ Near ଓ Nigh ଆଦି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । 


ତାହେଲେ ଅଵଧୀ ଭାଷାରେ ପ୍ରଚଳିତ निअर ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ କ'ଣ ? 

ଏହି ପ୍ରଶ୍ନର ଉତ୍ତର ଆଜକୁ ଷାଠିଏ ସତୁରୀ ଵର୍ଷ ପୂର୍ଵେ‌ ଭାଷାଵିତ Sir Ralph Lily Turner ତାଙ୍କ ଵ୍ୟୁତ୍ପତ୍ତି କୋଷ “A comparative dictionary of Indo-Aryan languages”ର ୪୦୯ତମ ପୃଷ୍ଠାରେ ଉଲ୍ଲେଖ କରିଯାଇଛନ୍ତି। ସାର୍ ଟର୍ନରଙ୍କ ଅନୁସାରେ ଅଵଧୀ ଭାଷାରେ ପ୍ରଚଳିତ निअर ଶବ୍ଦଟି ସଂସ୍କୃତ ଭାଷାର ନିକଟ ଶବ୍ଦ ମୂଳର ଦେଶଜ ଶବ୍ଦ ଅଟେ ।‌ ଏହି ଵ୍ୟୁତ୍ପତ୍ତିକୋଷ ଅନୁସାରେ ସଂସ୍କୃତ ଶବ୍ଦ ନିକଟ ପାଲି ଭାଷାରେ ନିକଟ୍ଠେ, ପ୍ରାକୃତ ଭାଷାରେ ଣିଅଡ଼, ଣିଅଲ ଓ ଣିଅଡିଅ ଓ ବୌଦ୍ଧ ସଂସ୍କୃତ ଶୈଳୀରେ nī́er ହୋଇ ଚଳୁଥିଲା । ପାକିସ୍ତାନ ଭାରତ ଓ ଆଫଗାନିସ୍ଥାନରେ ଅନେକ ଇଣ୍ଡିକ୍ ଭାଷା ଚଳୁଅଛି ଏଵଂ ଉକ୍ତ ଭାଷାମାନ ଦାର୍ଦିକ ଭାଷା ରୂପେ ପରିଚିତ ।‌ ଅନେକ ଦାର୍ଦିକ ଇଣ୍ଡିକ୍ ଭାଷାରେ ବି 'ନିକଟ' ଶବ୍ଦ ଯାଇ ନାନା ରୂପ ଘେନି ଚଳୁଅଛି । ଉଦାହରଣ ସ୍ୱରୂପ ଦାର୍ଦିକ ଭାଷା dameliରେ nyεiŕ ଓ nyäyᵃ,ଦରୱାଲୀ ଭାଷାରେ niō,
ଦାର୍ଦିକ ଭାଷା Pashaiରେ nyōṛṓ,ଦାର୍ଦିକ ଭାଷା Gawar-Batiରେ nyāṛɔ,ସାବୀଭାଷାରେ nyeṛo ଓ ପାଲୁଲା ଵା ଅସ୍ରାତୀ ଭାଷାରେ nihā́ṛa ଇତ୍ୟାଦି ଶବ୍ଦ ନିକଟ ଶବ୍ଦ ମୂଳର ଏଵଂ ସମାର୍ଥକ ‌ । ସବୁଠାରୁ ଜଣାଶୁଣା ଦାର୍ଦିକ ଭାଷା କଶ୍ମୀରୀରେ nyūrᵘ,nīrᷴ,nēri,nēṛē(ରାମଵାଣୀ ଉପଭାଷା),niōṛᵘ(Kashṭawāṛī ଉପଭାଷା) ଓ nēṛi(Pǒgulī ଶୈଳୀ) ଇତ୍ୟାଦି ଶବ୍ଦ 'ନିକଟ' ଅର୍ଥରେ ଚଳୁଅଛି । ସେହିପରି ପଶ୍ଚିମୀ ପଞ୍ଜାବୀ ଲହଣ୍ଡା ଭାଷାରେ ନିକଟ ଶବ୍ଦ ସହିତ ସଗୋତ୍ରୀୟ ଶବ୍ଦ neṛe ସମ ଅର୍ଥରେ ଚଳୁଥିଲାବେଳେ ପଞ୍ଜାବୀରେ neṛā(vicinity') ଓ neṛe(near) ଶବ୍ଦ ଚଳୁଅଛି । 

ପଶ୍ଚିମ ପାହାଡ଼ୀ ଭାଷାରେ nēṛō, ଓ nīṛ,କାମାୟୁନୀରେ neṛo , ନେପାଳୀରେ nira, ବଙ୍ଗାଳୀରେ niaḍi, ଓ niyaṛ,ମରାଠୀ ଓ ଭୋଜପୁରୀରେ niyar, ହିନ୍ଦୀରେ neṛe, nīṛe ଓ nīre ତଥା ଗୁଜରାଟୀରେ neṛε ଇତ୍ୟାଦି ଶବ୍ଦ 'ନିକଟ' ଶବ୍ଦ ସହିତ ସମୋଦ୍ଧୃତ ଓ ସମ ଅର୍ଥରେ ଵ୍ୟଵହୃତ ହୁଏ ବୋଲି ସାର୍ ରାଲ୍ଫ ଲିଲି ଟର୍ନରଙ୍କ ଵ୍ୟୁତ୍ପତ୍ତିକୋଷରୁ ଜଣାଯାଏ ।

ତେବେ ଏହି ଵ୍ୟୁତ୍ପତ୍ତିକୋଷ ଅନୁସାରେ ଓଡ଼ିଆ ଭାଷାରେ ବି ଗୋଟିଏ ଶବ୍ଦ 'ନିଆଡ଼' ଚଳୁଅଛି ଯାହା ଏହି ମୂଳର ଶବ୍ଦ ବୋଲି ଉଲ୍ଲେଖ ଅଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିଆଡ଼ ଶବ୍ଦର ସମ୍ମୁଖ,ନିରନ୍ତରାଳ,ପ୍ରତ୍ୟକ୍ଷ ଓ ନିକଟଵର୍ତ୍ତୀ ଆଦି ଅର୍ଥମାନ ଉଲ୍ଲେଖ କରାଯାଇଛି । ପୁଣି କଥିତ ଓଡ଼ିଆ ଶବ୍ଦକୋଷର ୬୬୯ତମ ପୃଷ୍ଠାରେ 
ନିଆତ ବୋଲି ଏକ ଶବ୍ଦ ନିକଟ ଅର୍ଥରେ ଅନୁଗୋଳ ଅଞ୍ଚଳରେ ଚଳୁଥିଵା ଲିଖିତ ହୋଇଅଛି । 

ତେଣୁ ମୋଟ ଉପରେ କହିଵାକୁ ଗଲେ ଇଂରାଜୀ Near ଶବ୍ଦ ସହିତ ସଂସ୍କୃତ ନିକଟ,ପ୍ରାକୃତ ଣିଅଡ଼ ଓ ଣିଅଲ,ଅଵଧୀ ନିଅର ତଥା ଓଡ଼ିଆ ନିଆଡ଼ ଇତ୍ୟାଦି ଶବ୍ଦଗୁଡ଼ିକର କୌଣସି ସମୋଦ୍ଧୃତଗତ ସମ୍ପର୍କ ନାହିଁ। 
ସୁଧାଂଶୁ ତ୍ରିଵେଦୀଙ୍କ ଭଳି ଵିଚକ୍ଷଣ ଵକ୍ତା ଓ ଜ୍ଞାନୀଙ୍କର ମଧ୍ୟ ଭୁଲ୍ ହୋଇପାରେ ଅତଃ ଯେତେ ବଡ଼ ଲୋକଙ୍କ ଵକ୍ତଵ୍ୟ ଵା ଆଲେଖ୍ୟ ହୋଇଥାଉ ଶବ୍ଦ ସମ୍ଭନ୍ଧୀୟ ଵ୍ୟୁତ୍ପତ୍ତି ମତଗୁଡ଼ିକୁ ଆଖି ବୁଜି ଗ୍ରହଣ ନକରି ତହିଁର ସତ୍ୟାସତ୍ୟ ପରଖିନେଵା ଆମ୍ଭମାନଙ୍କର କର୍ତ୍ତଵ୍ୟ ହେଵା ଉଚିତ ନୁହେଁ କି ? 


No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...