Wednesday, March 19, 2025

ଉତ୍ପ୍ଳାଵନର ସିଦ୍ଧାନ୍ତ

ଥରେ ଜଣେ ଵୈଜ୍ଞାନିକ ତାଙ୍କର ଜଣେ ସାଙ୍ଗ ସହିତ ପ୍ରସିଦ୍ଧ ତୀର୍ଥସ୍ଥଳକୁ ଗଲେ। ସେଠାରେ ଵୈଜ୍ଞାନିକଙ୍କ ସାଙ୍ଗଟା କୌଣସି କାରଣରୁ ରାଗିଗଲା ଆଉ ଵୈଜ୍ଞାନିକଙ୍କୁ କହିଲା - "ତୁମେ ଧର୍ମ, ସିଦ୍ଧି, ଚମତ୍କାର ଆଦି ମାନୁନାହଁ। ଆସ, ଆଜି ତୁମକୁ ସାକ୍ଷାତ୍ ଚମତ୍କାର ଦେଖାଇ ଆଣିବି।"

ତୀର୍ଥରେ ଗୋଟିଏ କୁଣ୍ଡ ଥିଲା, ଯେଉଁଠି ଫଳ ପକାଇଲେ ତାହା ବୁଡ଼େ ନାହିଁ। ଦୂର ଦୂରରୁ ଶ୍ରଦ୍ଧାଳୁମାନେ ଏହି ତଥାକଥିତ ଚମତ୍କାର ଦେଖିଵାକୁ ଆସୁଥିଲେ। ଵୈଜ୍ଞାନିକଙ୍କ ସାଙ୍ଗ ତାଙ୍କ ହାତ ଧରି ସେଠାରେ ଉପସ୍ଥିତ ଜଣେ ବାବାଙ୍କ ପାଖକୁ ନେଇଗଲା ଓ କହିଲା - "ଆମର ଏହି ମୂଢ଼ମତି ସାଙ୍ଗକୁ ସିଦ୍ଧିର ଶକ୍ତି ଦେଖାନ୍ତୁ। "ବାବାଜୀ "ଅଲେଖ ନିରଞ୍ଜନ" କହି ଵୈଜ୍ଞାନିକଙ୍କୁ ଗୋଟିଏ କମଳା ଦେଇକରି କୁଣ୍ଡରେ ପକାଇଵାକୁ କହିଲେ। କମଳାଟି ବୁଡ଼ିଲା ନାହିଁ, ପାଣି ଉପରେ ଭାସିଲା। ଵୈଜ୍ଞାନିକଙ୍କ ସାଙ୍ଗ ଗଡ଼ ଜିତିଲା ପରି ଅତି ଖୁସି ହୋଇଗଲା । ତହୁଁ ଵୈଜ୍ଞାନିକ କ'ଣ କଲେ ନା ଆଉ ଗୋଟିଏ କମଳା ଉଠାଇଲେ, ତାର ଚୋପା ଛଡ଼ାଇ ବାବାଜୀଙ୍କୁ ଦେଇ କହିଲେ - "ଏହାକୁ ଭସାନ୍ତୁ ତାହେଲେ ମାନିବି।" ଏଥର କିନ୍ତୁ କମଳାଟି ବୁଡ଼ିଗଲା। 

 ଵୈଜ୍ଞାନିକ କୁଟିଳ ହସ ହସି ବାବାଙ୍କ ଆଡ଼କୁ ଚାହିଁଲା ବେଳକୁ ତେଣେ ବାବା ରକ୍ତ ଚାଉଳ ଚୋବେଇଲେଣି ।

ତହୁଁ ଵୈଜ୍ଞାନିକ ସେଠି ଉତ୍ପ୍ଲାଵନର ସିଦ୍ଧାନ୍ତ ବୁଝାଇଵାକୁ ଆଗଭର ହୁଅନ୍ତେ ବାବାଜଣକ କ୍ରୁଦ୍ଧ ହୋଇ ଗର୍ଜି ଉଠିଲେ - "ଏହି ଵିଧର୍ମୀର ନକାରାତ୍ମକ ଶକ୍ତି କାରଣରୁ କୁଣ୍ଡରେ ଫଳ ବୁଡ଼ିଗଲା। ଏହି ଅସୁର ଏଠାରେ ଠିଆ ହେଵାର ଯୋଗ୍ୟ ନୁହେଁ।

"ତା’ପରେ ଆଉ କ'ଣ ହେଵ ?"
ଵୈଜ୍ଞାନିକ ତାଙ୍କ ଵିଜୟର ମୂଲ୍ୟ ଦୌଡ଼ି ଦୌଡ଼ି ପିଠିରେ ବାବାଙ୍କର ଚାରିପାହାର ଦଣ୍ଡମାଡ଼ ଖାଇ ଫେରିଲେ...!

••••••••••••••••••••••••••
ଉତ୍ପ୍ଳାବନର ସିଦ୍ଧାନ୍ତ (Principle of Buoyancy) , ଆର୍କିମିଡିସ୍‌ଙ୍କ ସିଦ୍ଧାନ୍ତ (Archimedes' Principle) ସହ ଜଡ଼ିତ ଏକ ଭୌତିକ ନିୟମ। ଏହି ସିଦ୍ଧାନ୍ତ ଅନୁସାରେ, ଯେକୌଣସି ଵସ୍ତୁ ଯଦି ଏକ ତରଳ (ତରଳ ପଦାର୍ଥ ଯଥା ଜଳ କିମ୍ବା ତେଲ) ଭିତରେ ଆଂଶିକ ଵା ସମ୍ପୂର୍ଣ୍ଣ ଭାବେ ନିମଜ୍ଜିତ ହୋଇଛି, ସେହି ଵସ୍ତୁ ଉପରକୁ ଏକ ଉତ୍ପ୍ଳାବନ ବଳ (buoyant force) ଅନୁଭଵ କରେ। ଏହି ବଳ ସେହି ତରଳର ଓଜନ ସହ ସମାନ ହୋଇଥାଏ, ଯାହାକୁ ଵସ୍ତୁଟି ବିସ୍ଥାପିତ (displace) କରିଥାଏ।ସରଳ ଭାଷାରେ, ଯେତେବେଳେ ଆମେ ଏକ ଵସ୍ତୁକୁ ପାଣିରେ ପକାଇଵା, ତାହା ଯେତିକି ଜଳକୁ ଵିସ୍ଥାପିତ କରେ ଉକ୍ତ ଜଳର ଓଜନ ହିଁ ଵସ୍ତୁଟିକୁ ଉପରକୁ ଉଠାଇଵାରେ ସାହାଯ୍ୟ କରେ। ଏହାକୁ ଉତ୍ପ୍ଳାବନ ବଳ କୁହାଯାଏ।ଉଦାହରଣ ସ୍ଵରୂପ ଯେତେବେଳେ ଆମେ ଜଳରେ ଏକ କାଠ ଖଣ୍ଡ ପକାଇଵା, ତାହା ଭାସିଵ କାରଣ ଉତ୍ପ୍ଳାବନ ବଳ ତାର ଓଜନଠାରୁ ଅଧିକ ହୋଇଥାଏ। କିନ୍ତୁ ଯଦି ଏକ ଲୁହା ଖଣ୍ଡ ପକାଯିଵ, ତାହା ବୁଡ଼ିଯିଵ କାରଣ ତାର ଓଜନ ଉତ୍ପ୍ଳାବନ ବଳଠାରୁ ବେଶି ହୋଇଥାଏ।ଏହି ସିଦ୍ଧାନ୍ତ ଜାହାଜ, ସବମେରିନ୍‌ ଓ ବେଲୁନ୍‌ ଆଦିର କାର୍ଯ୍ୟକାରିତା ବୁଝାଇଵାରେ ସାହାଯ୍ୟ କରେ। ମୋର ମନେ ପଡ଼ୁଛି ଆମେ ଵିଦ୍ୟାଳୟରେ ପଢ଼ିଲାବେଳେ ଆର୍କିମିଡିସ୍‌ଙ୍କ ୟୁରେକା କାହାଣୀ ସହିତ ଏହି ଉତ୍ପ୍ଳାଵନର ସିଦ୍ଧାନ୍ତ ପଢ଼ିଥିଲୁ । 

"ୟୁରେକା" (Eureka) ଗ୍ରୀକ୍ ଭାଷା ମୂଳର ଶବ୍ଦ। ଏହା ଗ୍ରୀକ୍ ଶବ୍ଦ "εὑρίσκω" (heuriskō)ରୁ ଆସିଛି ଏଵଂ ଏହାର ଅର୍ଥ "ମୁଁ ଖୋଜି ପାଇଲି" ଵା "ମୁଁ ଆଵିଷ୍କାର କଲି" ଅଟେ । ଏହି ଶବ୍ଦଟି ପ୍ରାୟତଃ ଆଵିଷ୍କାର କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ସତ୍ୟ ବୁଝିଵାର ଆନନ୍ଦ ଅଥଵା ଉତ୍ସାହ ପ୍ରକାଶ କରିଵା ପାଇଁ ଵ୍ୟଵହାର ହୁଏ।ଏହାର ଐତିହାସିକ ପ୍ରସିଦ୍ଧି ଗ୍ରୀକ୍ ଗଣିତଜ୍ଞ ତଥା ବୈଜ୍ଞାନିକ ଆର୍କିମିଡିସ୍‌ଙ୍କ ସହିତ ଜଡ଼ିତ। କିମ୍ବଦନ୍ତୀ ଅନୁସାରେ, ଆର୍କିମିଡିସ୍ ସ୍ନାନ କରୁଥିଵା ସମୟରେ ଜଳର ଉଚ୍ଛୋଳନ ଵା ଉତ୍ପ୍ଳାଵନ (buoyancy) ସୂତ୍ର ଆବିଷ୍କାର କରିଥିଲେ ଏଵଂ ଉତ୍ସାହରେ "ୟୁରେକା! ୟୁରେକା!" ବୋଲି ଚିତ୍କାର କରି ରାସ୍ତାରେ ଦୌଡ଼ିଥିଲେ। ତେବେ, ଏହି ଘଟଣାର ଐତିହାସିକ ସତ୍ୟତା ଉପରେ ଵିତର୍କ ରହିଛି।ସମୟ କ୍ରମେ, "ୟୁରେକା" ଶବ୍ଦଟି ବିଭିନ୍ନ ଭାଷାରେ ଏକ ସାର୍ଵଜନୀନ ଅଭିଵ୍ୟକ୍ତି ଭାବେ ଗୃହୀତ ହୋଇଯାଇଛି ଏଵଂ ଏହା କୌଣସି ନୂଆ ଆଵିଷ୍କାର କିମ୍ବା ସଫଳତାର ସଙ୍କେତ ଦେଇଥାଏ ।

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...