Wednesday, March 26, 2025

•ଭାରତ ତଥା ଚୀନ ଦେଶର ଖଗୋଳ ଵିଜ୍ଞାନର ଇତିହାସ ଓ ଭାରତୀୟ ଖଗୋଳ ଵିଜ୍ଞାନ କ୍ଷେତ୍ରରେ ଆଚାର୍ଯ୍ୟ ଲଗଧଙ୍କର ଅଵଦାନ•

କିଛି ବୁଦ୍ଧିଜୀଵୀ କୁହନ୍ତି,ଭାରତର ଖଗୋଳ ଵିଜ୍ଞାନ ସମ୍ପୂର୍ଣ୍ଣ ରୂପେ ଗ୍ରୀକ୍‌ମାନଙ୍କଠାରୁ ନକଲ କରାଯାଇଛି। କିନ୍ତୁ ପ୍ରକୃତରେ, ଏହା ସମ୍ପୂର୍ଣ୍ଣ ଭୁଲ୍‌। ଭାରତୀୟ ଖଗୋଳ ଵିଜ୍ଞାନର ଏକ ଗଭୀର ଓ ମୌଳିକ ଇତିହାସ ରହିଛି, ଯାହା ଅନ୍ୟ ସଭ୍ୟତାଙ୍କଠାରୁ ଅନେକାଂଶରେ ଭିନ୍ନ ଓ ସ୍ବତନ୍ତ୍ର। 

କେତେକ ଐତିହାସିକ ଓ ଜ୍ୟୋତିର୍ଵିଜ୍ଞାନ ଗଵେଷକଙ୍କ ମତରେ, ଭାରତରେ ଵର୍ତ୍ତମାନ ପ୍ରଚଳିତ ୧୨ ରାଶିଚକ୍ରର ଧାରଣା (ଯଥା ମେଷ, ଵୃଷ, ମିଥୁନ ଇତ୍ୟାଦି) ପ୍ରାଚୀନ ଗ୍ରୀକ୍‌ ଵା "ଯବନ" ସଂସ୍କୃତିରୁ ଆସିଥିଵାର ସମ୍ଭାଵନା ରହିଛି। ଏହାର ମୂଳ ମେସୋପଟାମିଆ ସଭ୍ୟତାରୁ ଆରମ୍ଭ ହୋଇ ଗ୍ରୀକ୍‌ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଭାରତରେ ପ୍ରଵେଶ କରିଥିଲା ବୋଲି ଵିଶେଷଜ୍ଞମାନେ ମତ ପ୍ରକାଶ କରନ୍ତି। ଖ୍ରୀଷ୍ଟପୂର୍ଵ ୪ର୍ଥ ଶତାବ୍ଦୀରେ ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣ ପରେ ଗ୍ରୀକ୍‌ ଓ ଭାରତୀୟ ସଂସ୍କୃତି ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ହୋଇଥିଲା, ଯାହା ଏହି ଧାରଣାର ସଞ୍ଚାରଣରେ ସହାୟକ ହୋଇଥାଇପାରେ। ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ୧୨ ରାଶିର ଵ୍ୟଵହାର "ଯବନଜାତକ" ନାମକ ଗ୍ରନ୍ଥରେ ଦେଖାଯାଏ ଏଵଂ ଏହା ଗ୍ରୀକ୍‌ ପ୍ରଭାଵରୁ ଲିଖିତ ବୋଲି କୁହାଯାଏ। ମହାନ୍‌ ଖଗୋଳଵିଦ୍‌ ବରାହମିହିର ମଧ୍ୟ ତାଙ୍କ ଗ୍ରନ୍ଥରେ ବାରରାଶି ସମ୍ବନ୍ଧୀୟ ଜ୍ଞାନର ଶ୍ରେୟ ସ୍ପଷ୍ଟ ଭାବେ ଯଵନମାନଙ୍କୁ ଦେଇଛନ୍ତି। 

ତେବେ, ଏହାର ଵିରୋଧୀ ମତ ମଧ୍ୟ ଅଛି। କେତେକ ପଣ୍ଡିତ ଓ ଗଵେଷକ ଵିଭିନ୍ନ ଯୁକ୍ତି ଦ୍ଵାରା ଏହାର ଖଣ୍ଡନ କରନ୍ତି । ଭାରତରେ ଜ୍ୟୋତିଷ ଶାସ୍ତ୍ରର ଏକ ସ୍ୱାଧୀନ ପରମ୍ପରା ଥିଲା, ଯାହା ଵୈଦିକ ଯୁଗରୁ ଆରମ୍ଭ ହୋଇଥିଲା। ଋଗ୍ଵେଦ ଓ ଅନ୍ୟାନ୍ୟ ଵୈଦିକ ଗ୍ରନ୍ଥରେ ନକ୍ଷତ୍ର ଓ ଗ୍ରହମାନଙ୍କ ଉଲ୍ଲେଖ ରହିଛି ତେଣୁ ଏହା ନିଶ୍ଚିତ ଯେ ଭାରତରେ ଏକ ମୌଳିକ ଜ୍ୟୋତିର୍ଵିଜ୍ଞାନ ଵିଦ୍ୟା ବହୁତ ପୂର୍ଵରୁ ଵିକଶିତ ହୋଇସାରିଥିଲା। ତେଣୁ କିଛି ଗଵେଷକ ମତ ଦିଅନ୍ତି ଯେ ହୁଏତ ଗ୍ରୀସରୁ ଭାରତକୁ ନୁହେଁ ଵରଂ ଭାରତରୁ ସୃଷ୍ଟି ହୋଇ ପରେ ଗ୍ରୀସ୍‌ଦେଶକୁ ଵ୍ୟାପିଥିଵାର ସମ୍ଭାଵନା ରହିଛି ‌। ଏହି ମତର ସମର୍ଥକମାନେ ଚୀନଦେଶର ଖଗୋଳୀୟ ରାଶି ଵ୍ୟଵସ୍ଥା (Chinese Zodiac)ର ଉଦାହରଣ ଦେଇ କୁହନ୍ତି ଯେ ଯଦି ଗ୍ରୀସ୍ ଅପେକ୍ଷା ଭାରତର ଅତି ନିକଟରେ ଅଵସ୍ଥିତ ଚୀନଦେଶରେ ଗୋଟିଏ ସ୍ଵତନ୍ତ୍ର ରାଶି ଵ୍ୟଵସ୍ଥା ରହିଥିଲା ତାହେଲେ ଭାରତରେ କାହିଁକି ପୂର୍ଵେ ସେହିପରି ରାଶି ଵ୍ୟଵସ୍ଥା ସୃଷ୍ଟି ହୋଇନଥିଵ ? 

ଏଠାରେ ଚୀନଦେଶୀୟ ରାଶିଚକ୍ର ଵ୍ୟଵସ୍ଥା ଵିଷୟରେ ଜାଣିନେଵା ଉଚିତ ହେଵ । ଚୀନୀୟ ରାଶିଚକ୍ର ମୂଳତଃ ପଶୁମାନଙ୍କ ଉପରେ ଆଧାରିତ ଏଵଂ ଏହା ସମୟ ଚକ୍ର ସହିତ ଜଡ଼ିତ। ଚୀନୀୟ ରାଶିଚକ୍ରରେ ମୋଟ ୧୨ଟି ରାଶି ରହିଛି ଏଵଂ ପ୍ରତ୍ୟେକ ରାଶି ଏକ ନିର୍ଦ୍ଦିଷ୍ଟ ପଶୁ ଦ୍ୱାରା ପ୍ରତିନିଧିତ୍ୱ ହୋଇଥାଏ । ଏହି ୧୨ଟି ରାଶି ଏକ ୧୨ ଵର୍ଷିଆ ଚକ୍ର ଅନୁସାରେ ଚଳେ । ତେଣୁ ପ୍ରତ୍ୟେକ ଵର୍ଷ ଏକ ନିର୍ଦ୍ଦିଷ୍ଟ ପଶୁ ସହିତ ଜଡ଼ିତ। ଏହି ପଶୁମାନେ ହେଲେ: ମୂଷା,ବଳଦ,ବାଘ,ଠେକୁଆ,ଡ୍ରାଗନ୍,ସାପ,ଘୋଡ଼ା,ଛେଳି,ମାଙ୍କଡ଼,କୁକୁଡ଼ା,କୁକୁର ଓ ଶୂକର ଵା ଘୁଷୁରି। ଏହି ଚକ୍ର ଏକ ନିର୍ଦ୍ଦିଷ୍ଟ କ୍ରମରେ ଚାଲେ ଏଵଂ ପ୍ରତ୍ୟେକ ପଶୁ ସହିତ ନିର୍ଦ୍ଦିଷ୍ଟ ଗୁଣ ତଥା ଭାଗ୍ୟ ଜଡ଼ିତ ବୋଲି ଚୀନଦେଶୀୟ ଲୋକଵିଶ୍ୱାସ ରହିଛି। ଉଦାହରଣ ସ୍ୱରୂପ ଚୀନ ଦେଶର ରାଶିଚକ୍ର ଅନୁସାରେ ୨୦୨୫ ହେଉଛି "ସାପର ଵର୍ଷ" (Year of the Snake) ।



ଚୀନୀୟ ରାଶିଚକ୍ରର ଉତ୍ପତ୍ତି ସମ୍ପର୍କିତ ଏକ ପ୍ରସିଦ୍ଧ କିମ୍ବଦନ୍ତୀ ରହିଛି ଯାହା "ମହାନ୍ ଦୌଡ଼" (The Great Race) ନାମରେ ଜଣାଶୁଣା । ପ୍ରୋକ୍ତ ୧୨ଟି ପଶୁଙ୍କୁ ରାଶିଚକ୍ରରେ କିପରି ସ୍ଥାନ ମିଳିଲା ଏଵଂ ସେମାନଙ୍କର କ୍ରମ କିପରି ନିର୍ଦ୍ଧାରିତ ହେଲା ତାହାର ଏକ ରୋଚକ ଵର୍ଣ୍ଣନା କିମ୍ବଦନ୍ତୀରେ ଶୁଣିଵାକୁ ମିଳିଥାଏ । ସେହି କିମ୍ବଦନ୍ତୀଟି ସଂକ୍ଷେପରେ ନିମ୍ନରେ ପ୍ରଦତ୍ତ ହେଲା ‌ । 



ଅନେକ ଶତାବ୍ଦୀ ପୂର୍ଵେ, ଚୀନୀୟ ପୌରାଣିକ କଥାରେ ସ୍ୱର୍ଗର ଶାସକ ଭାବେ ଵିଵେଚିତ ଜେଡ୍ ସମ୍ରାଟ (Jade Emperor) ସ୍ଥିର କଲେ ଯେ ସେ ଏକ ପାଞ୍ଜିକା ସୃଷ୍ଟି କରିବେ, ଯାହା ପ୍ରତ୍ୟେକ ଵର୍ଷକୁ ଏକ ନିର୍ଦ୍ଦିଷ୍ଟ ପଶୁ ଦ୍ୱାରା ଚିହ୍ନିତ କରିଵ। ଏହି ପଶୁମାନଙ୍କୁ ନିର୍ଵାଚନ କରିଵା ପାଇଁ ସେ ଏକ ମହାନ୍ ଦୌଡ଼ର ଆୟୋଜନ କଲେ। ସମସ୍ତ ପଶୁଙ୍କୁ ନିମନ୍ତ୍ରଣ କରାଗଲା, କିନ୍ତୁ କେଵଳ ୧୨ଟି ପଶୁ ହିଁ ଏହି ଦୌଡ଼ରେ କୃତକାର୍ଯ୍ୟ ହୋଇ ପାରିବେ ବୋଲି ମଧ୍ୟ ଜଣାଇ ଦିଆଗଲା । ନିୟମ ଥିଲା ଯେ ପଶୁମାନେ ଏକ ବଡ଼ ନଦୀ ପାର କରି ଜେଡ୍ ସମ୍ରାଟଙ୍କ ରାଜପ୍ରାସାଦରେ ପହଞ୍ଚିଵେ ଏଵଂ ଯେଉଁ କ୍ରମରେ ସେମାନେ ପହଞ୍ଚିଵେ ସେହି କ୍ରମରେ ସେମାନଙ୍କୁ ରାଶିଚକ୍ରରେ ସ୍ଥାନ ମିଳିଵ। ମୂଷା ଅତ୍ୟନ୍ତ ଚତୁର ଥିଲା। ସେ ଜାଣିଥିଲା ଯେ ନିଜେ ନଦୀ ପାର ହେଵା କଷ୍ଟକର, ତେଣୁ ସେ ବଳଦକୁ କହିଲା, "ତୁମେ ମୋତେ ତୁମ ପିଠିରେ ବସାଇ ନଦୀ ପାର କରିଦିଅ, ମୁଁ ତୁମର ଗୀତ ଗାଇ ମନୋରଞ୍ଜନ କରିବି।" ବଳଦ ରାଜି ହେଲା। ନଦୀ ପାର ହେଵା ପରେ, ଠିକ୍ ସମ୍ରାଟଙ୍କ ପାଖରେ ପହଞ୍ଚିଵା ଆଗରୁ, ମୂଷା ବଳଦର ପିଠିରୁ ଡେଇଁ ପଡ଼ି ଦୌଡ଼ି ଯାଇ ପ୍ରଥମ ସ୍ଥାନ ଲଭିଲା। ଏହିପରି ମୂଷା ରାଶିଚକ୍ରର ପ୍ରଥମ ପଶୁ ହେଲା।ବଳଦ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ଥିଲା। ସେ ମୂଷାକୁ ନିଜ ପିଠିରେ ବସାଇ ନଦୀ ପାର କଲା, କିନ୍ତୁ ମୂଷାର ଚାଲାକି ଯୋଗୁଁ ଦ୍ୱିତୀୟ ସ୍ଥାନରେ ରହିଗଲା। ବାଘ ନିଜର ଶକ୍ତି ଓ ସାହସ ସହିତ ନଦୀର ସ୍ରୋତ ଵିରୁଦ୍ଧରେ ପହଁରି ତୃତୀୟ ସ୍ଥାନରେ ପହଞ୍ଚିଲା। ତା’ର ଦୃଢ଼ତା ତାକୁ ଏହି ସ୍ଥାନ ଦେଇଥିଲା। ଠେକୁଆ ନିଜେ ପହଁରି ପାରିଵ ନାହିଁ ବୋଲି ଜାଣିଥିଲା। ତେଣୁ ସେ ଏକ ଭାସମାନ କାଠ ଖଣ୍ଡରେ ଚଢ଼ି ନଦୀ ପାର ହେଲା ଏଵଂ ଶେଷରେ ନିଜର ଚଞ୍ଚଳତା ଯୋଗୁଁ ଚତୁର୍ଥ ସ୍ଥାନ ଲଭିଲା । କେତେକ ସଂସ୍କରଣରେ କୁହାଯାଏ ଯେ ସେ ଡେଇଁ ଡେଇଁ ପଥର ଉପରେ ଚଢ଼ି ନଦୀ ପାର ହୋଇଥିଲା। ଡ୍ରାଗନ୍ ଉଡ଼ିପାରୁଥିଲା, ତେଣୁ ସେ ସହଜରେ ପ୍ରଥମ ହୋଇପାରିଥାନ୍ତା। କିନ୍ତୁ ବାଟରେ ଏକ ଗାଁରେ ଲୋକମାନେ ଖରାରେ ପୀଡ଼ିତ ଥିଲେ ତେଣୁ ସେମାନଙ୍କ ପାଇଁ ମେଘମାଳାରୁ ଵର୍ଷା ଆଣିଵାକୁ ଯାଇ ତାହାର ମଠ ହୋଇଗଲା ଆଉ ଡ୍ରାଗନର ଏହି ଦୟାଳୁତା ଯୋଗୁଁ ସେ ପଞ୍ଚମ ସ୍ଥାନରେ ପହଞ୍ଚିଲା। ସାପ ଚତୁର ଓ ଲୁଚିଵାରେ ପାରଙ୍ଗମ ଥିଲା। ସାପ ଘୋଡ଼ାର ଖୁରାରେ ଲୁଚି ନଦୀ ପାର ହେଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସାପ ଡେଇଁ ପଡ଼ି ଘୋଡ଼ାକୁ ଆଶ୍ଚର୍ଯ୍ୟ କରି ଷଷ୍ଠ ସ୍ଥାନ ଲାଭକଲା। ଘୋଡ଼ା ଦ୍ରୁତ ଗତିରେ ଦୌଡ଼ି ନଦୀ ପାର ହେଉଥିଲା, କିନ୍ତୁ ସାପର ଚାଲାକି ଯୋଗୁଁ ସେ ସପ୍ତମ ସ୍ଥାନରେ ରହିଗଲା। ଛେଳି, ମାଙ୍କଡ଼ ଓ କୁକୁଡ଼ା ଏକାଠି ମିଶି ଏକ ଭେଳା ତିଆରି କରି ନଦୀ ପାର ହେଲେ। ଛେଳି ନମ୍ରତାର ସହିତ ନିଜର ସାଙ୍ଗମାନଙ୍କୁ ସାହାଯ୍ୟ କଲା ଏବଂ ଅଷ୍ଟମ ସ୍ଥାନ ପାଇଲା। ମାଙ୍କଡ଼ ଚଞ୍ଚଳ ଓ ବୁଦ୍ଧିମାନ ଥିଲା। ସେ ଭେଳାରେ ସାଙ୍ଗମାନଙ୍କ ସହିତ ଆସି ନଵମ ସ୍ଥାନରେ ପହଞ୍ଚିଲା। କୁକୁଡ଼ା ଭେଳା ତିଆରିରେ ନେତୃତ୍ୱ ନେଇଥିଲା ଏଵଂ ତା’ର ସେହି ପରିଶ୍ରମ ଯୋଗୁଁ ସେ ଦଶମ ସ୍ଥାନ ପାଇଲା। କୁକୁର ସନ୍ତରଣରେ ପାରଙ୍ଗମ ଥିଲା, କିନ୍ତୁ ସେ ନଦୀରେ ଖେଳିଵାରେ ମଜ୍ଜିଯିଵାରୁ ତା'ର ଵିଳମ୍ବ ହେଲା ତେଣୁ ସେ ଏକାଦଶ ସ୍ଥାନରେ ପହଞ୍ଚିଲା। ଶୂକର ଧୀର ଓ ଆଳସ୍ୟପରାୟଣ ଥିଲା। ସେ ଦୌଡ଼ ଆରମ୍ଭ କରି ମଝିରେ ଭୋକ ଲାଗିଵାରୁ ଖାଇଵାକୁ ଅଟକି ଯାଇଥିଲା ଏଵଂ କିଛି ସମୟ ସେ ପଙ୍କରେ ଲୋଟି ଵିଶ୍ରାମ କରିଥିଲା । ଶେଷରେ ଉଠି ଦୌଡ଼ି ଘୁଷୁରି ଦ୍ୱାଦଶ ତଥା ଶେଷ ସ୍ଥାନ ହାସଲ କଲା।
କୁହାଯାଏ ଯେ ବିଲେଇ (Cat) ମଧ୍ୟ ଏହି ଦୌଡ଼ରେ ଭାଗ ନେଵାକୁ ଚାହୁଁଥିଲା। ବିଲେଇ ଓ ମୂଷା ପରସ୍ପରର ବନ୍ଧୁ ଥିଲେ। ବିଲେଇ ମୂଷାକୁ କହିଥିଲା, "ମୋତେ ସକାଳୁ ଉଠାଇ ଦେବୁ, ଆମେ ଏକାଠି ଦୌଡ଼ିଵା।" କିନ୍ତୁ ମୂଷା ଚାଲାକି କରି ବିଲେଇକୁ ଉଠାଇ ନଥିଲା ଓ ଏକାକୀ ଦୌଡ଼ିଥିଲା। ବିଲେଇ ଯେତେବେଳେ ଉଠିଲା ସେତେବେଳକୁ ଦୌଡ଼ ଶେଷ ହୋଇସାରିଥିଲା। ଏହି କାରଣରୁ ବିଲେଇ ରାଶିଚକ୍ରରେ ସ୍ଥାନ ପାଇଲା ନାହିଁ ଏଵଂ ମୂଷା ସହିତ ଚିରକାଳ ଶତ୍ରୁତା ରଖି ଘୃଣା କରିଵାକୁ ଲାଗିଲା। 



ଏହି କିମ୍ବଦନ୍ତୀ ମାଧ୍ୟମରେ ଚୀନୀୟ ରାଶିଚକ୍ରର ୧୨ଟି ପଶୁ ଏଵଂ ସେମାନଙ୍କର କ୍ରମ ନିର୍ଦ୍ଧାରିତ ହୋଇଥିଲା। ପ୍ରତ୍ୟେକ ପଶୁର ଚରିତ୍ର—ଯେମିତିକି ମୂଷାର ଚତୁରତା, ବଳଦର ଶକ୍ତି, ଡ୍ରାଗନ୍‌ର ଦୟାଳୁତା ଇତ୍ୟାଦି ଏହି କାହାଣୀରେ ପ୍ରତିଫଳିତ ହୋଇଛି। ଏହା ଚୀନୀୟ ସଂସ୍କୃତିରେ ଏକ ଜନପ୍ରିୟ ଉପାଖ୍ୟାନ ଭାବେ ଆଜି ମଧ୍ୟ ପ୍ରଚଳିତ ଅଛି।

ତେବେ ଚୀନୀୟ ରାଶିଚକ୍ରର ଉତ୍ପତ୍ତି ନିର୍ଦ୍ଦିଷ୍ଟ ଭାବେ କେବେ ହୋଇଥିଲା ତାହା ସ୍ପଷ୍ଟ ନୁହେଁ କିନ୍ତୁ ଏହାର ଵିକାଶକ୍ରମ 
ଶାଙ୍ଗ ରାଜବଂଶ(୧୬୦୦ ଖ୍ରୀଷ୍ଟପୂର୍ଵ) ସମୟରୁ ଆରମ୍ଭ ହୋଇଥିଵା ଜଣାଯାଏ । ଏହି ସମୟରେ ହାଡ଼ ଓ କଚ୍ଛପ ଆଦିଙ୍କ ଖୋଳପାରେ ଖୋଦିତ ଲେଖା (Oracle Bones) ମାଧ୍ୟମରେ ଖଗୋଳୀୟ ଘଟଣା ଯେପରିକି ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରଗ୍ରହଣର ପ୍ରାଚୀନତମ ଲିପିଵଦ୍ଧ ତଥ୍ୟ ମିଳିଛି। ଅର୍ଥାତ୍ ଅନ୍ତତଃ ୧୬୦୦ ଖ୍ରୀଷ୍ଟପୂର୍ଵ ଵା ତହିଁର ବହୁତ ପୂର୍ଵରୁ ଚୀନାମାନେ ଆକାଶର ନିରୀକ୍ଷଣ କରୁଥିଲେ ଏଵଂ ଏହାକୁ ଧାର୍ମିକ ତଥା ରାଜନୈତିକ ଉଦ୍ଦେଶ୍ୟରେ ଵ୍ୟଵହାର କରୁଥିଲେ। ଝୋଉ ରାଜବଂଶ (Zhou Dynasty, ଖ୍ରୀ.ପୂ. ୧୦୪୬–୨୫୬) ସମୟରେ ଚୀନାମାନେ ଏକ ପାଞ୍ଜିକା ଵିକଶିତ କରିଥିଲେ, ଯାହା ଚନ୍ଦ୍ର ଓ ସୌର ଚକ୍ର ଉପରେ ଆଧାରିତ ଥିଲା। ଏହା ଖଗୋଳୀୟ ଗଣନା ସେମାନଙ୍କର ଦକ୍ଷତାକୁ ପ୍ରତିଫଳିତ କରେ ।

ପରଵର୍ତ୍ତୀ ସମୟରେ, ଖ୍ରୀଷ୍ଟପୂର୍ଵ ୪ର୍ଥ ଶତାବ୍ଦୀରେ, ଚୀନା ଖଗୋଳ ଵିଜ୍ଞାନୀମାନେ ତାରାମାନଙ୍କର ସୂଚୀ (Star Catalogues) ତିଆରି କରିଵା ଆରମ୍ଭ କରିଥିଲେ। ଶି ଶେନ (Shi Shen) ନାମକ ଜଣେ ଖଗୋଳ ଵିଜ୍ଞାନୀ ପ୍ରାୟ ୧୩୫ଟି ତାରାଙ୍କର ଏକ ସୂଚୀ ପ୍ରସ୍ତୁତ କରିଥିଲେ, ଯାହା ଵିଶ୍ୱର ପ୍ରାଚୀନତମ ତାରକା ସୂଚୀଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ଵିଵେଚିତ ହୋଇଥାଏ ।

ତହୁଁ ହାନ୍ ରାଜବଂଶ (Han Dynasty, ଖ୍ରୀ.ପୂ. ୨୦୬–ଖ୍ରୀ.ଷ୍ଟ. ୨୨୦) ସମୟରେ ଖଗୋଳ ଵିଜ୍ଞାନ ଆହୁରି ଅଗ୍ରଗତି ଲାଭ କଲା। ଏହି ସମୟରେ ସୂର୍ଯ୍ୟଘଡ଼ି (Sundials), ଆର୍ମିଲାରୀ ସ୍ଫିୟର (Armillary Sphere) ଏବଂ ଅନ୍ୟାନ୍ୟ ଉପକରଣ ଵ୍ୟଵହାର କରାଯାଉଥିଲା। ଏହା ସହିତ ସୁପରନୋଭା (Supernova) ପରି ଅସାଧାରଣ ଖଗୋଳୀୟ ଘଟଣାର ପ୍ରଥମ ଲିଖିତ ଵିଵରଣୀ ମଧ୍ୟ ଚୀନରୁ ମିଳିଛି । ଯେପରିକି ଖ୍ରୀ.ଷ୍ଟ. ୧୮୫ରେ ଚୀନା ଖଗୋଳଵିଜ୍ଞାନୀମାନେ ଏକ ସୁପରନୋଵାର ନିରୀକ୍ଷଣ କରିଥିଲେ । ଏହା ଵିଶ୍ଵ ଇତିହାସରେ ସୁପରନୋଵାର ପ୍ରଥମ ଉଲ୍ଲେଖ ବୋଲି ମତପୋଷଣ କରାଯାଏ । 

 ହାନ୍ ରାଜବଂଶ (Han Dynasty, ଖ୍ରୀ.ପୂ. ୨୦୬–ଖ୍ରୀ.ଷ୍ଟ. ୨୨୦) ସମୟ ବେଳକୁ ଚୀନଦେଶରେ ଖଗୋଳ ଵିଜ୍ଞାନ ସମ୍ପୂର୍ଣ୍ଣ ରୂପେ ପ୍ରତିଷ୍ଠିତ ହୋଇଥିଲା ବୋଲି ଐତିହାସିକମାନେ ମତପ୍ରକାଶ କରନ୍ତି। ତେବେ, ଏହାର ମୂଳ ଏହାଠାରୁ ଅଧିକ ପ୍ରାଚୀନ ହୋଇପାରେ, ଯାହା ଝୋଉ ରାଜବଂଶ (Zhou Dynasty, ଖ୍ରୀ.ପୂ. ୧୦୪୬–୨୫୬) କିମ୍ବା ତା’ଠାରୁ ପୂର୍ଵରୁ ଆରମ୍ଭ ହୋଇଥାଇପାରେ। କିନ୍ତୁ ଚୀନୀୟ ରାଶିଚକ୍ର କେଵଳ ପଶୁମାନଙ୍କ ଉପରେ ଆଧାରିତ ନୁହେଁ; ଏହା ଖଗୋଳ ଵିଜ୍ଞାନ ଏଵଂ ଚୀନୀୟ ଦର୍ଶନ ସହିତ ଜଡ଼ିତ। ଏହା "ପଞ୍ଚ ତତ୍ତ୍ୱ" (Five Elements: କାଠ, ଅଗ୍ନି, ମାଟି, ଧାତୁ, ଜଳ) ଏଵଂ "ଯିନ୍-ଯାଙ୍ଗ" (Yin-Yang) ସହିତ ମିଶ୍ରିତ ହୋଇ ଏକ ୬୦ ଵର୍ଷିଆ ଚକ୍ର ସୃଷ୍ଟି କରେ। ପ୍ରତ୍ୟେକ ପଶୁ ଓ ତତ୍ତ୍ୱର ସଂଯୋଗ ଵ୍ୟକ୍ତିଙ୍କ ଭାଗ୍ୟ ଓ ଚରିତ୍ର ନିର୍ଦ୍ଧାରଣ କରେ ବୋଲି ଵିଶ୍ୱାସ କରାଯାଏ। ଚୀନରେ ହାନ୍ ରାଜବଂଶ ସମୟରେ ଏହି ସମୟରେ ରାଶିଚକ୍ର ଜନପ୍ରିୟ ହେଲା ଏଵଂ ଏହା ସମୟ ଗଣନା, ଜ୍ୟୋତିଷ ଶାସ୍ତ୍ର ଓ ସାମାଜିକ ରୀତିନୀତିରେ ଵ୍ୟଵହୃତ ହେଲା। ଚୀନୀୟ ରାଶିଚକ୍ର ପରଵର୍ତ୍ତୀ ସମୟରେ ପୂର୍ଵ ଏସିଆର ଅନ୍ୟ ଦେଶ ଯେମିତି ଜାପାନ, କୋରିଆ ଓ ଭିଏତନାମରେ ମଧ୍ୟ ସ୍ଥାନୀୟ ପରିଵର୍ତ୍ତନ ସହିତ ଗ୍ରହଣ କରାଗଲା । 

ତେବେ ସବୁଠାରୁ ବଡ଼ କଥା ହେଲା ଚୀନାମାନେ ଗ୍ରୀକ୍ ସଂସ୍କୃତି ସହିତ ସେତେ ପରିଚିତ ହେଇନଥିଲେ କି ଗ୍ରୀକ୍ ସଂସ୍କୃତିର ପ୍ରଭାଵ ଚୀନା ସଂସ୍କୃତି ଉପରେ ପଡ଼ିନଥିଲା । ତଥାପି ସେମାନେ ବାରଗୋଟି ରାଶିର କଳ୍ପନା କରିପାରିଥିଲେ । ସେ ସମୟରେ ଭାରତୀୟମାନେ ବି ଅନେକ ନୂତନ ଆଵିଷ୍କାର ଓ ଉଦ୍ଭାଵନ କରିଥିଲେ । 
 ସେହିପରି କେଵଳ ଚୀନ ହିଁ ନୁହେଁ ଗ୍ରୀକ୍ ସଂସ୍କୃତିର ପ୍ରଭାଵ ଵର୍ହିଭୁତ ପ୍ରାଚୀନ ଆଜଟେକ୍ସ,ଇନକା ଓ ମାୟା ସଭ୍ୟତା, ପ୍ରାଚୀନ ଅଷ୍ଟ୍ରେଲୀୟ ଆଦିଵାସୀ ସଭ୍ୟତା ତଥା ଆଫ୍ରିକାର ଵିଭିନ୍ନ ସଭ୍ୟତାରେ ମଧ୍ୟ ସ୍ଵତନ୍ତ୍ର ଭାବେ ରାଶିଚକ୍ରର କଳ୍ପନା କରାଯାଇଥିଲା । ତେଣୁ ଭାରତରେ ମଧ୍ୟ ବହୁତ ସମ୍ଭଵ ସ୍ଵତନ୍ତ୍ର ରାଶିଚକ୍ରର କଳ୍ପନା କରାଯାଇଥିଵ ଏଵଂ ପରେ ସେମାନେ ଗ୍ରୀକ୍ ଦେଶୀୟ ସଂସ୍କୃତି ସହିତ ପରିଚିତ ହୋଇ ତହିଁରେ କେତେକ ପରିଵର୍ତ୍ତନ କରିଥିବେ ଯାହା ପରେ ଗ୍ରୀକ୍‌ମାନେ ମଧ୍ୟ ଭାରତରୁ ଗ୍ରହଣ କରିଥିବେ । ଅଵଶ୍ୟ ଏହି ଵିଷୟରେ ଆଜି ପର୍ଯ୍ୟନ୍ତ ଗଵେଷଣା ଚାଲିଛି ତେଣୁ ସମ୍ପୂର୍ଣ୍ଣ ତଥ୍ୟ ନମିଳିଵା ଯାଏଁ କିଏ କାହାଠାରୁ ରାଶିଚକ୍ର ପଦ୍ଧତି ପ୍ରଥମେ ଗ୍ରହଣ କରିଥିଲା ତାହା ସ୍ପଷ୍ଟଭାବେ କହିପାରିଵା କଷ୍ଟକର ‌ । 

ଅସ୍ତୁ,ଭାରତୀୟ ଖଗୋଳ ଵିଜ୍ଞାନର ମୂଳ ସ୍ତମ୍ଭ ହେଉଛି ୨୭ ନକ୍ଷତ୍ର ଆଧାରିତ କ୍ୟାଲେଣ୍ଡର ଓ ଗଣନା ପଦ୍ଧତି ଏଵଂ ଏହା ପୃଥିଵୀର ପ୍ରାଚୀନତମ ଖଗୋଳ ଵିଜ୍ଞାନ ପଦ୍ଧତି ଅଟେ । ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ଵିକଶିତ ହୋଇଥିଲା ଏଵଂ ହଜାର ହଜାର ଵର୍ଷ ଧରି ଏହାର ଉପଯୋଗ ହୋଇଆସୁଛି। ତେବେ ଏହା କେତେ ପୁରୁଣା ତହିଁର ଠିକ୍‌ ଉତ୍ତର ଦେଵା କାଠିକର ପାଠ, କିନ୍ତୁ ଆମେ କିଛି ପ୍ରମାଣ ଆଧାରରେ ଏହା ଅନ୍ତତଃ କେତେ ହଜାର ଵର୍ଷ ପୁରାତନ ଖଗୋଳୀୟ ପରମ୍ପରା ତାହା ଅନୁମାନ କରିପାରିଵା । 

ଆମ ପାଖରେ ଥିଵା ସବୁଠାରୁ ପ୍ରାଚୀନ ଖଗୋଳୀୟ ଗ୍ରନ୍ଥ ହେଉଛି ଆଚାର୍ଯ୍ୟ ଲଗଧଙ୍କ ଦ୍ବାରା ରଚିତ "ଵେଦାଙ୍ଗ ଜ୍ୟୋତିଷ"। ଏହି ଗ୍ରନ୍ଥରେ ଆଚାର୍ଯ୍ୟ ଲଗଧ ଲେଖିଛନ୍ତି ଯେ ଉତ୍ତରାୟଣ ସମୟରେ ସୂର୍ଯ୍ୟ "ଧନିଷ୍ଠା ନକ୍ଷତ୍ର"ରେ ଥାଆନ୍ତି। ଏହା ଏକ ପୁରାତନ ଅଵସ୍ଥାକୁ ସୂଚାଏ। ପୃଥିଵୀର ଅୟନ-ଚଳନ (Precession) ଯୋଗୁଁ ଆକାଶରେ ନକ୍ଷତ୍ରମାନଙ୍କର ସ୍ଥାନ ପ୍ରତି ୭୨ ଵର୍ଷରେ ଏକ ଡିଗ୍ରୀ ଖସିଯାଏ। ଆଜିକାଲି ଉତ୍ତରାୟଣ "ମୂଳ ନକ୍ଷତ୍ର"ରେ ହୋଇଥାଏ(ମୂଳ ନକ୍ଷତ୍ର ଵୃଶ୍ଚିକ ତାରାମଣ୍ଡଳ ଵା Scorpius Constellationର ଅଂଶ ,ଵିଶେଷତଃ ଏହାର "ନାହୁଡ଼" ଅଂଶଵିଶେଷ, ଯେଉଁଠି Lambda Scorpii ଓ ଅନ୍ୟ ତାରା ରହିଛନ୍ତି)।

ଅତଏଵ ଏହି ପରିଵର୍ତ୍ତନକୁ ଗଣନା କଲେ ଜଣାପଡ଼େ ଯେ "ଵେଦାଙ୍ଗ ଜ୍ୟୋତିଷ"ରେ ଵର୍ଣ୍ଣିତ ଖଗୋଳୀୟ ଅଵସ୍ଥା ଆଜିଠାରୁ ପ୍ରାୟ ୩୩୦୦ରୁ ୩୪୦୦ ଵର୍ଷ ପୂର୍ଵେ, ଅର୍ଥାତ୍‌ ୧୩୦୦-୧୪୦୦ ଖ୍ରୀଷ୍ଟପୂର୍ଵରେ ଘଟିଥିଲା। ତେବେ ଏହା କୌଣସି ରାତାରାତି ଘଟିଥିଵା ଆଵିଷ୍କାର ନୁହେଁ।ତାରାମାନଙ୍କର ଗତି ବୁଝିଵା ପାଇଁ ଅନେକ ପିଢ଼ିର ପରିଶ୍ରମ ଲାଗିଥାଏ। ତେଣୁ ଅନୁମାନ କରାଯାଇପାରେ ଯେ ଭାରତରେ ଖଗୋଳ ଵିଜ୍ଞାନର ଵିକାଶ ୪ରୁ ୫ ହଜାର ବର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଆଚାର୍ଯ୍ୟ ଲଗଧଙ୍କ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ୨୧ ଜୁନ୍‌ରେ ଦିନ ହେଉଛି ୧୪ ଘଣ୍ଟା ୨୪ ମିନିଟ୍‌ ଓ ରାତି ୯ ଘଣ୍ଟା ୩୬ ମିନିଟ୍‌। ଏହା କେଵଳ ୩୫.୪୨ ଡିଗ୍ରୀ ଅକ୍ଷାଂଶରେ ହିଁ ସମ୍ଭଵ, ଅନ୍ୟତ୍ର ନୁହେଁ। ଅତଃ ଏହି ତଥ୍ୟ ସୂଚାଏ ଯେ ଵେଦେଙ୍ଗ ଜ୍ୟୋତିଷ ଗ୍ରନ୍ଥର ରଚୟିତା ନିଶ୍ଚୟ ଭାରତର ଲେହ୍‌-ଲଦାଖ ଅଞ୍ଚଳ ନିକଟରେ ରହୁଥିଲେ। ଏହି ଅଞ୍ଚଳର ଉଚ୍ଚ ପାର୍ଵତ୍ୟ ଭୂମି ଓ ସ୍ପଷ୍ଟ ଆକାଶ ଖଗୋଳ ପର୍ଯ୍ୟଵେକ୍ଷଣ ପାଇଁ ଆଜି ବି ଏକ ଉତ୍ତମ ସ୍ଥାନ ।ଏହାଛଡ଼ା, ଭାରତୀୟ ଖଗୋଳ ଵିଜ୍ଞାନରେ ଗ୍ରହଗତି, ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରଗ୍ରହଣର ଗଣନା ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ ଭାବେ କରାଯାଉଥିଲା। ଋଗ୍‌ଵେଦରେ ମଧ୍ୟ ନକ୍ଷତ୍ର ଓ ଗ୍ରହମାନଙ୍କର ଉଲ୍ଲେଖ ମିଳେ, ଯାହା ଏହାର ପ୍ରାଚୀନତାକୁ ଆହୁରି ପ୍ରମାଣିତ କରେ। ତେଣୁ ଏହା କହିଵା ଭୁଲ୍‌ ହେଵ ଯେ ଭାରତୀୟ ଖଗୋଳ ବିଜ୍ଞାନ କେଵଳ ଗ୍ରୀକ୍‌ମାନଙ୍କଠାରୁ ନକଲ ହୋଇଛି। ଏହା ଏକ ସ୍ବାଧୀନ ଓ ସମୃଦ୍ଧ ପରମ୍ପରା, ଯାହା ହଜାର ହଜାର ଵର୍ଷ ଧରି ଭାରତରେ ଵିକଶିତ ହୋଇଆସିଛି।

ତେବେ ଵେଦାଙ୍ଗ ଜ୍ୟୋତିଷର ରଚୟିତା ଆଚାର୍ଯ୍ୟ ଲଗଧ କିଏ ତାଙ୍କ ଵିଷୟରେ ମଧ୍ୟ ଏଠାରେ ଜାଣିନେଵା ଉଚିତ ହେଵ । ପ୍ରକୃତରେ ଆଚାର୍ଯ୍ୟ ଲଗଧ ଭାରତୀୟ ଖଗୋଳ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରର ଇତିହାସରେ ଏକ ଅମର ନାମ। ତାଙ୍କ ଦ୍ୱାରା ରଚିତ "ଵେଦାଙ୍ଗ ଜ୍ୟୋତିଷ" ଭାରତର ସବୁଠାରୁ ପ୍ରାଚୀନ ଖଗୋଳୀୟ ଗ୍ରନ୍ଥ ଭାବେ ପରିଚିତ, ଯାହା ଵେଦ ସହିତ ଜଡ଼ିତ ଜ୍ୟୋତିଷ ଵିଜ୍ଞାନର ଏକ ଅଙ୍ଗ ରୂପେ ଵିକଶିତ ହୋଇଥିଲା। ଏହି ଗ୍ରନ୍ଥ ମାଧ୍ୟମରେ ଆଚାର୍ଯ୍ୟ ଲଗଧ ନକ୍ଷତ୍ର, ଗ୍ରହଗତି ଓ ସମୟ ଗଣନାର ଏକ ସୂକ୍ଷ୍ମ ପଦ୍ଧତି ପ୍ରତିଷ୍ଠା କରିଥିଲେ, ଯାହା ଭାରତୀୟ ସଂସ୍କୃତିରେ ଧାର୍ମିକ ଓ ଵ୍ୟଵହାରିକ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା।

ଅଵଶ୍ୟ ଆଚାର୍ଯ୍ୟ ଲଗଧଙ୍କ ଜୀଵନ ବିଷୟରେ ପୂର୍ଣ୍ଣାଙ୍ଗ ଐତିହାସିକ ତଥ୍ୟ ଉପଲବ୍ଧ ନାହିଁ। ତଥାପି, ତାଙ୍କ ଗ୍ରନ୍ଥ "ବେଦାଙ୍ଗ ଜ୍ୟୋତିଷ"ରୁ ମିଳିଥିଵା ପ୍ରମାଣ ଆଧାରରେ ଅନୁମାନ କରାଯାଏ ଯେ ସେ ସମ୍ଭଵତଃ ଖ୍ରୀଷ୍ଟପୂର୍ଵ ୧୪୦୦ରୁ ୧୩୦୦ ମଧ୍ୟରେ ଜୀଵିତ ଥିଲେ। ଆଚାର୍ଯ୍ୟ ଲଗଧ ଵୈଦିକ ଯୁଗରେ ଏକ ପ୍ରମୁଖ ଵିଦ୍ୱାନ ଥିଲେ।

ଆଚାର୍ଯ୍ୟ ଲଗଧଙ୍କ "ଵେଦାଙ୍ଗ ଜ୍ୟୋତିଷ" ଏକ ଅତି ସଂକ୍ଷିପ୍ତ ଗ୍ରନ୍ଥ ଏଵଂ ଏଥିରେ ମାତ୍ର ୩୬ଟି ଶ୍ଳୋକ ମଧ୍ୟରେ ଖଗୋଳ ଓ ସମୟ ଗଣନାର ମୂଳ ନିୟମ ଵର୍ଣ୍ଣନା କରାଯାଇଛି। ଵୈଦିକ ଯଜ୍ଞ ଓ ଧାର୍ମିକ ଅନୁଷ୍ଠାନ ପାଇଁ ଠିକ୍‌ ସମୟ ନିର୍ଣ୍ଣୟ କରିଵା ଏହି ଗ୍ରନ୍ଥ ରଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଵେଦାଙ୍ଗ ଜ୍ୟୋତିଷ ଗ୍ରନ୍ଥରେ, ଭାରତୀୟ ପରମ୍ପରା ମଧ୍ୟରେ ପ୍ରଚଳିତ ୨୭ ନକ୍ଷତ୍ରର ଏକ ସ୍ବତନ୍ତ୍ର ସୂଚୀ ରହିଛି, ଯାହା ଚନ୍ଦ୍ରମାର ଗତି ଉପରେ ଆଧାରିତ। ଲଗଧ ଏହାକୁ ସୁଚାରୁ ରୂପେ ଵ୍ୟଵହାର କରିଥିଲେ। ଦିନ ଓ ରାତିର ଅଵଧି, ଋତୁ ଚକ୍ର ଓ ମାସିକ ଗଣନାର ନିୟମ ମଧ୍ୟ ଏଥିରେ ଦିଆଯାଇଛି। ପୁଣି ସୂର୍ଯ୍ୟ ଓ ଚନ୍ଦ୍ରମାର ଗତି ଅନୁସାରେ ସଂକ୍ରାନ୍ତି ଓ ଗ୍ରହଣ ଗଣନାର ଆଧାର ଏଥିରେ ରହିଛି।

ଆଚାର୍ଯ୍ୟ ଲଗଧଙ୍କ ଵେଦାଙ୍ଗ ଜ୍ୟୋତିଷ ଭାରତୀୟ ସଂସ୍କୃତି ଓ ଧର୍ମର ଏକ ଅଵିଚ୍ଛେଦ୍ୟ ଅଂଶ ହୋଇପଡ଼ିଥିଲା। ତାଙ୍କ ନକ୍ଷତ୍ର ଆଧାରିତ ଗଣନା ପରଵର୍ତ୍ତୀ ଖଗୋଳଵିଦ୍‌ମାନଙ୍କ ପାଇଁ ଆଧାର ସ୍ତମ୍ଭ ପାଲଟିଥିଲା। ଆର୍ଯ୍ୟଭଟ୍ଟ, ବରାହମିହିର ଓ ଭାସ୍କରାଚାର୍ଯ୍ୟ ପରି ମହାନ୍‌ ଵିଜ୍ଞାନୀମାନେ ଲଗଧଙ୍କ କାର୍ଯ୍ୟକୁ ଆଗକୁ ନେଇ ଯାଇଥିଲେ। ଏହାଛଡ଼ା, "ଵେଦାଙ୍ଗ ଜ୍ୟୋତିଷ" ଋଗ୍‌ଵେଦ ଓ ଯର୍ଦୁଵେଦର ସମୟ ନିର୍ଣ୍ଣୟରେ ମଧ୍ୟ ସହାୟକ ହୋଇଥିଲା, ଯାହା ଏହାର ଵୈଦିକ ସମୟରେ ପ୍ରତିଷ୍ଠାକୁ ସୂଚାଏ।

ଆଚାର୍ଯ୍ୟ ଲଗଧ କେଵଳ ମାତ୍ର ଖଗୋଳଵିଦ୍‌ ନଥିଲେ; ସେ ଥିଲେ ଏକ ଦୂରଦର୍ଶୀ ଋଷି, ଯିଏ ତାରାମାନଙ୍କ ଗତି ମାଧ୍ୟମରେ ସମୟର ରହସ୍ୟ ଉନ୍ମୋଚନ କରିଥିଲେ। ତାଙ୍କ କାର୍ଯ୍ୟ ଆଜି ମଧ୍ୟ ଭାରତୀୟ ଖଗୋଳ ଵିଜ୍ଞାନର ମୌଳିକତା ଓ ଗଭୀରତାକୁ ପ୍ରତିଫଳିତ କରେ। ତାଙ୍କ ଅଵଦାନ ଭାରତର ଵୈଜ୍ଞାନିକ ଐତିହ୍ୟର ଏକ ଅମୂଲ୍ୟ ରତ୍ନ ରୂପେ ସଂରକ୍ଷିତ ହୋଇ ରହିଛି ଏଵଂ ଯେତେଦିନ ପର୍ଯ୍ୟନ୍ତ ଭାରତଵର୍ଷରେ ସନାତନ ସଂସ୍କୃତି ତଥା ସନାତନୀ ସମାଜ ରହିଥିଵ ଆଚାର୍ଯ୍ୟ ଲଗଧ ଓ ତାଙ୍କ କୃତି ଅମର ହୋଇ ରହିଥିଵ ।

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...