ଵିଦିଶା ନାମକ ଏକ ନଗରୀ ଥିଲା। ସେଠାରେ ରାଜାଙ୍କ ଦରବାରରେ କର୍କଟଶାସ୍ତ୍ରୀ ନାମକ ଜଣେ ଜ୍ୟୋତିଷୀ ଥିଲେ। ସେ ଦାବି କରୁଥିଲେ ଯେ ଦେଵୀଙ୍କର ତାଙ୍କ ଉପରେ ଵିଶେଷ କୃପା ଅଛି ଅତଃ ସେ ଯେକୌଣସି ଘଟଣା କିମ୍ବା ଅପରାଧର ସତ୍ୟ ତଥ୍ୟ ଜାଣିପାରନ୍ତି। ଏହି ଆଧାରରେ ସେ ରାଜାଙ୍କ ଵିଶ୍ୱାସପାତ୍ର ହୋଇ କର୍କଟଶାସ୍ତ୍ରୀ ଦରବାରରେ ଏକ ଵିଶେଷ ସ୍ଥାନ ପାଇଥିଲେ। ଯେତେବେଳେ ନ୍ୟାୟ ଵିଚାର ହେଉଥିଲା, ରାଜା କର୍କଟଶାସ୍ତ୍ରୀଙ୍କୁ ନ୍ୟାୟାଧୀଶ ଭାବେ ନିଯୁକ୍ତ କରୁଥିଲେ। ମଣିଷଙ୍କ ତୁଳନାରେ ଦେଵୀଙ୍କ ନିଷ୍ପତ୍ତି ଶ୍ରେଷ୍ଠ ବୋଲି ରାଜା ଓ ଅନ୍ୟମାନେ ଵିଶ୍ୱାସ କରୁଥିଲେ। କିନ୍ତୁ କର୍କଟଶାସ୍ତ୍ରୀ ଦେଵୀଙ୍କ ନାମରେ ଉତ୍କୋଚ (ଲାଞ୍ଚ) ନେଇ ଭିନ୍ନ ନିଷ୍ପତ୍ତି ଦେଉଥିଲେ।
କର୍କଟଶାସ୍ତ୍ରୀଙ୍କ ଦେଵୀ ଅନୁଗ୍ରହ ଅସତ୍ୟ ଏଵଂ ଯିଏ ଶାସ୍ତ୍ରୀଙ୍କୁ ଅଧିକ ଉତ୍କୋଚ ଦେଉଥିଲା ସେ ତାହାର ପକ୍ଷରେ ନିଷ୍ପତ୍ତି ଦେଉଥିଲେ ବୋଲି ଏକ ଗୁଜବ ପ୍ରଚାର ହେଲା । ଏକଥା ରାଜାଙ୍କ ପାଖରେ ପହଞ୍ଚିଗଲା । ସତ୍ୟତା ଜାଣିଵା ପାଇଁ ରାଜା ମନ୍ତ୍ରୀଙ୍କୁ ପଚାରିଲେ। ମନ୍ତ୍ରୀ ଏକ ଉପାୟ ପ୍ରସ୍ତାବ ଦେଲେ। ରାଜା କର୍କଟଶାସ୍ତ୍ରୀଙ୍କୁ ଡାକି କହିଲେ, "ଶାସ୍ତ୍ରୀ ମହାଶୟ ଶୁଣନ୍ତୁ ! ଆମ ଦରବାରରେ ନିଯୁକ୍ତ ଶ୍ରୀପତି ତାଙ୍କ ସହକର୍ମୀଙ୍କ ଵିରୁଦ୍ଧରେ ଉତ୍କୋଚର ଅଭିଯୋଗ ଲଗାଇ ନ୍ୟାୟ ନିଷ୍ପତ୍ତି ପରୀକ୍ଷା କରୁଛନ୍ତି। କାରଣାନ୍ତରରେ ମୁଁ ତାଙ୍କ ନାମ ପ୍ରକାଶ କରୁନାହିଁ। ଆପଣ ଶ୍ରୀପତିଙ୍କ ଅଭିଯୋଗର ସତ୍ୟତା ଵିଷୟରେ ଦେଵୀଙ୍କଠାରୁ ଜାଣି କାଲି ଦରବାରରେ ଆସି କୁହନ୍ତୁ। ନ୍ୟାୟ ନିଷ୍ପତ୍ତି ପରେ ମୁଁ ତାଙ୍କ ନାମ ପ୍ରକାଶ କରିବି।"
ସେହି ରାତିରେ ଶ୍ରୀପତି କର୍କଟଶାସ୍ତ୍ରୀଙ୍କ ଘରକୁ ଯାଇ ପ୍ରାର୍ଥନା କଲେ, "ଆର୍ଯ୍ୟ! ମୁଁ ମୋ ସହକର୍ମୀଙ୍କ ଵିରୁଦ୍ଧରେ ଉତ୍କୋଚର ଅଭିଯୋଗ ଲଗାଇଛି। ଯଦି ଏହି ଅଭିଯୋଗ ମିଛ ହୁଏ, ତେବେ ରାଜା ମୋତେ ଦଣ୍ଡ ଦେବେ। ତେଣୁ ମୋହର ଏହି ଘୋର ଵିପତ୍ତିକାଳରେ ଆପଣ ମୋତେ ସାହାଯ୍ୟ କରିଵା ହୁଅନ୍ତୁ।" ଏହା କହି ଶ୍ରୀପତି ହଜାରେ ରୌପ୍ୟ ମୁଦ୍ରା ମଧ୍ୟ ଦେଲେ। ପରଦିନ ଦରବାରରେ ରାଜା ଶ୍ରୀପତିଙ୍କ ଅଭିଯୋଗ ଵିଷୟରେ ପଚାରିଵାରୁ କର୍କଟଶାସ୍ତ୍ରୀ ରାଜାଙ୍କ ଛାମୁରେ ଦେଵୀଙ୍କ ନାମ ନେଇ ଧ୍ୟାନ କରି କହିଲେ, "ଜୟ ଦେଵୀ ! ମହାରାଜ, ଶ୍ରୀପତିଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ।"
ତାହା ଶୁଣି ରାଜା ସିପାହୀମାନଙ୍କୁ ଆଦେଶ ଦେଲେ, "କର୍କଟ ଶାସ୍ତ୍ରୀଙ୍କୁ ବନ୍ଦୀ କର।"
ଶାସ୍ତ୍ରୀ ଭୟରେ ଥରି ଉଠି କହିଲେ, "ମହାରାଜ! ମୋତେ କେଉଁ ଅପରାଧରେ ବନ୍ଦୀ କରାଯାଉଛି?"
ରାଜା ଉତ୍ତର ଦେଲେ, "ଶ୍ରୀପତି ଯେଉଁ ଵ୍ୟକ୍ତିଙ୍କ ଉପରେ ଉତ୍କୋଚ ନେଵାର ଅଭିଯୋଗ କରିଛନ୍ତି, ସେ ଆପଣ ନିଜେ।"
No comments:
Post a Comment