ଅନେକ ଶତାବ୍ଦୀ ପୂର୍ଵେ, ଯେରୁଜେଲମର ଧୂଳିମୟ ପଥରେ ଯୀଶୁ ଖ୍ରୀଷ୍ଟ ନିଜର ଭାରୀ କ୍ରୁଶ ବୋହି ଗୋଲଗୋଥା ଆଡ଼େ ଚାଲିଥିଲେ। ତାଙ୍କ ଦେହ ରକ୍ତ
ଯୁଡ଼ୁବୁଡ଼ୁ ହୋଇଯାଇଥିଲା, ପାଦ ଥକିଯାଇଥିଵା ଯୋଗୁଁ ମନ୍ଥର ହୋଇ ପଡ଼ୁଥିଲା। ସେ ଏକ ମୁହୂର୍ତ୍ତ ପାଇଁ ଏକ ଜୋତା ମିସ୍ତ୍ରୀଙ୍କ ଦୋକାନ ପାଖରେ ଅଟକି ଵିଶ୍ରାମ ନେଵାକୁ ଚେଷ୍ଟା କଲେ। ଜୋତା ମିସ୍ତ୍ରୀ କାର୍ଟାଫିଲସ୍ ଯୀଶୁଙ୍କ ଦୁର୍ଦଶା ଦେଖି କ୍ରୋଧରେ ଜଳି ଉଠିଲା। ସେ ଚିତ୍କାର କଲା, “ହେ ଯୀଶୁ, ଶୀଘ୍ର ଚାଲ! ଏତେ ଧୀରେ ସୁସ୍ଥେ କାହିଁକି ଚାଲୁଛ ? ଆଗକୁ ଯାଆ ଏଠି ବସି ମୋତେ ରଗାଅ ନାହିଁ !”
ଯୀଶୁ ତାଙ୍କ ଆଡ଼େ ଗଭୀର ନୟନରେ ଚାହିଁ କହିଲେ, “ମୁଁ ଵିଶ୍ରାମ ନେବି, କିନ୍ତୁ ତୁମେ ଶେଷ ଦିନ ପର୍ଯ୍ୟନ୍ତ ଏହି ପୃଥିଵୀରେ ଭ୍ରମଣ କରିଵ।” ଏହି ଵାକ୍ୟ ଯୋଗୁଁ କାର୍ଟାଫିଲସ୍ ଅମର ହୋଇଗଲେ କିନ୍ତୁ ଏହା ଥିଲା ଏକ ଅଭିଶାପ। ସେ ଅନନ୍ତ କାଳ ପାଇଁ ପୃଥିଵୀରେ ଏକ ସ୍ଥାୟୀ ଘର ବିନା ଭ୍ରମଣ କରିଵାକୁ ଵାଧ୍ୟ ହେଲେ। କୁହାଯାଏ, ପ୍ରତି ଶତାବ୍ଦୀରେ ସେ ପୁଣି ତିରିଶ ଵର୍ଷର ଯୁଵକ ହୁଅନ୍ତି, କିନ୍ତୁ ତାଙ୍କ ମନ ଅନୁତାପ ଓ ଦୁଃଖରେ ଭରି ରହେ।
କାଳକ୍ରମେ, କାର୍ଟାଫିଲସ୍ ଖ୍ରୀଷ୍ଟୀୟ ଧର୍ମ ଗ୍ରହଣ କଲେ ଓ ଏକ ସାଧୁ ଜୀଵନ ବାଛି ଲୋକଙ୍କୁ ଧର୍ମର ଵାଣୀ ଶୁଣାଇଵାକୁ ଲାଗିଲେ। ଆର୍ମେନିଆର ପାହାଡ଼ିଆ ରାସ୍ତାରୁ ଆରମ୍ଭ କରି ଇଂଲଣ୍ଡର ସେଣ୍ଟ ଆଲବାନ୍ସ ଆବୀ ଏଵଂ ଇଟାଲୀର ଫୋର୍ଲି ପର୍ଯ୍ୟନ୍ତ ସେ ଦେଖା ଦେଇଥିଵାର କଥା ଲୋକେ କହିଲେ। କେତେଜଣ ତାଙ୍କୁ ମାଲକସ୍ ନାମରେ ଜାଣିଲେ, ଯିଏ ଯୀଶୁଙ୍କୁ ଥପଡ଼ା ମାରିଥିଵା ଜଣେ ସୈନିକ ଥିଲେ ଵୋଲି ବାଇବେଲରେ ଉଲ୍ଲେଖ ଅଛି (ଯୋହନ ୧୮:୧୦)। ତାଙ୍କ କାହାଣୀ ଲୋକମୁଖରେ ପିଢ଼ି ପିଢ଼ି ଧରି ବଞ୍ଚି ରହିଲା ଆଉ ଖ୍ରୀଷ୍ଟୀୟ ଧର୍ମର ସତ୍ୟତାର ପ୍ରମାଣ ଭାଵେ ଏହାକୁ ଗ୍ରହଣ କରାଗଲା।
ତେବେ “Wandering jews” ସମ୍ବନ୍ଧୀୟ ଏହି କିମ୍ଵଦନ୍ତୀର ମୂଳ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଧାରଣ କରାଯାଇ ନାହିଁ କିନ୍ତୁ ଏହା ମଧ୍ୟଯୁଗୀୟ ଖ୍ରୀଷ୍ଟୀୟ ଲୋକକଥାରୁ ଉତ୍ପନ୍ନ ହୋଇଥିଵା ଵିଶ୍ଵାସ କରାଯାଏ। ଏହାର ପ୍ରାରମ୍ଭିକ ସଂସ୍କରଣ କ୍ରୁସେଡ୍ ସମୟରେ ପଶ୍ଚିମ ଵିଶ୍ଵକୁ ଆସିଥିଵା ମୌଖିକ ପରମ୍ପରା ଓ ଲୋକକଥାରୁ ଉତ୍ପନ୍ନ ହୋଇଥାଇପାରେ। ଏହାର ପ୍ରଥମ ଲିଖିତ ଉଲ୍ଲେଖ ୧୨୨୩ ମସିହାରେ ବୋଲୋଗ୍ନାରୁ ମିଳିଥାଏ । ଏକ ଲାଟିନ କ୍ରୋନିକଲ "Ignoti Monachi Cisterciensis S. Mariae de Ferraria Chronica" ଜଣେ ଈହୁଦୀଙ୍କ କଥା ଵର୍ଣ୍ଣନା କରେ ଯିଏ ଆର୍ମେନିଆରେ ଯୀଶୁଙ୍କୁ ଅପମାନ କରିଥିଲେ ଓ ତାଙ୍କୁ ଶାପ ମିଳିଥିଲା।
ଏତଦ୍ ଵ୍ୟତୀତ, ୧୨୨୮ ମସିହାରେ ରୋଜର୍ ଅଫ୍ ଓ୍ଵେଣ୍ଡୋଭର୍ଙ୍କ "Flores Historiarum"ର ଏକ ସଂସ୍କରଣ ଵର୍ଣ୍ଣନା ଅନୁସାରେ,ଆର୍ମେନିଆର ଜଣେ ଆର୍ଚବିଶପ ଇଂଲଣ୍ଡର ସେଣ୍ଟ ଆଲବାନ୍ସ ଆବୀରେ କାର୍ଟାଫିଲସ୍ଙ୍କ କାହାଣୀ କହିଥିଲେ। ଏହି କାହାଣୀ ପରଵର୍ତ୍ତୀକାଳରେ ମାଥିଉ ପାରିସ୍ଙ୍କ "Chronica Majora"ରେ ମଧ୍ୟ ସ୍ଥାନ ପାଇଥିଲା। ଏହା ପରେ ଫ୍ରାନ୍ସ, ଇଟାଲୀ ଓ ଅନ୍ୟ ଯୁରୋପୀୟ ଦେଶମାନଙ୍କରେ ଏହି କିମ୍ଵଦନ୍ତୀ ଵିଭିନ୍ନ ରୂପରେ ପ୍ରଚଳିତ ହେଲା। ୧୨୪୩ରେ ଫିଲିପ୍ ମୌସ୍କେସ୍ଙ୍କ କ୍ରୋନିକଲରେ ଏହା ତୁର୍ନାଇରେ ଵର୍ଣ୍ଣିତ ହେଲା ଏଵଂ ୧୩ଶ ଶତାବ୍ଦୀରେ ଗୁଇଡୋ ବୋନାଟି ଫୋର୍ଲିରେ Wandering jews ଵା କାର୍ଟାଫିଲସ୍ଙ୍କୁ ଦେଖିଥିଵା ଉଲ୍ଲେଖ କଲେ।
ବାଇବେଲରେ ଏହି Wandering jews କିମ୍ଵଦନ୍ତୀର ସିଧାସଳଖ ଉଲ୍ଲେଖ ନାହିଁ କିନ୍ତୁ କେତେକ ପଦ ଏହାର ମୂଳ ବୋଲି ଖିରସ୍ତାନୀ ଧର୍ମଵିଶ୍ଵାସୀ ମାନନ୍ତି । ମାଥିଉ ୧୬:୨୮ରେ ଯୀଶୁ କହିଛନ୍ତି, “ମୁଁ ତୁମକୁ ସତ୍ୟ କହୁଛି, ଏଠାରେ ଠିଆ ହୋଇଥିଵା କେତେଜଣ ସେପର୍ଯ୍ୟନ୍ତ ମୃତ୍ୟୁର ସ୍ଵାଦ ଚାଖି ପାରିବେ ନାହିଁ ଯେପର୍ଯ୍ୟନ୍ତ ସେମାନେ ମନୁଷ୍ୟପୁତ୍ରଙ୍କୁ ତାଙ୍କ ରାଜ୍ୟରେ ଆସୁଥିଵା ନ ଦେଖନ୍ତି।” ସେହିପରି, ଯୋହନ ୨୧:୨୦-୨୩ରେ ଯୀଶୁଙ୍କ ପ୍ରିୟ ଶିଷ୍ୟ (ଯୋହନ) ଵିଷୟରେ ଏକ ଭୁଲ ଧାରଣା ଵର୍ଣ୍ଣିତ ହୋଇଛି, ଯେଉଁଠି ଲୋକେ ଭାଵୁଥିଲେ ସେ ଯୀଶୁଙ୍କ ପୁନରାଗମନ ପର୍ଯ୍ୟନ୍ତ ମରିଵେ ନାହିଁ। ଏହା ଵ୍ୟତୀତ, ଯୋହନ ୧୮:୧୦ରେ ମାଲକସ୍ ନାମକ ଜଣେ ସୈନିକଙ୍କ କାନକୁ ପିଟର କାଟି ଦେଇଥିଵା ଓ ଯୋହନ ୧୮:୧୯-୨୩ରେ ଯୀଶୁଙ୍କୁ ଥପଡ଼ା ମାରିଥିଵା ଜଣେ ସୈନିକଙ୍କ ଉଲ୍ଲେଖ ଇତ୍ୟାଦି ତତ୍ତ୍ବ ଆଧାରରେ ପରେ ଏହି କିମ୍ଵଦନ୍ତୀଟି ଗଢ଼ି ଉଠିଥିଵା ଅନୁମାନ କରାଯାଇପାରେ ।
ପ୍ରାରମ୍ଭିକ ଖ୍ରୀଷ୍ଟୀୟ ଯୁଗରୁ (ଦ୍ଵିତୀୟ ଶତାବ୍ଦୀ) ଈହୁଦୀମାନଙ୍କୁ “ନୂଆ କେନ୍” ଭାଵେ ତୁଳନା କରାଯାଉଥିଲା ଏଵଂ ସେମାନଙ୍କୁ ପୃଥିଵୀରେ ଯାଯାବର ଓ ନିର୍ଵାସିତ ଭାଵେ ଚିତ୍ରଣ କରାଗଲା (ଟର୍ଟୁଲିଆନ, ଖ୍ରୀ.ଅ. ୨୦୦)। ଚତୁର୍ଥ ଶତାବ୍ଦୀରେ ଆଉରେଲିଅସ୍ ପ୍ରୁଡେଣ୍ଟିଅସ୍ କ୍ଲେମେନ୍ସ ଲେଖିଥିଲେ ଯେ ଈହୁଦୀମାନେ ଯୀଶୁଙ୍କୁ ହତ୍ୟା କରିଥିଵାରୁ ନିରନ୍ତର ନିର୍ଵାସନରେ ଭ୍ରମଣ କରୁଛନ୍ତି। ଷଷ୍ଠ ଶତାବ୍ଦୀରେ ଜୋହାନେସ ମୋସ୍କୋସ୍ ଏକ ଏଥିଓପିଆନ୍ ଵ୍ୟକ୍ତିଙ୍କ କାହାଣୀ ଲେଖିଥିଲେ, ଯିଏ ଯୀଶୁଙ୍କୁ ଆଘାତ କରିଥିଵାରୁ ଅନନ୍ତ ଦୁଃଖରେ ଭ୍ରମଣ କରୁଥିଲେ।
“Wandering jews” କିମ୍ଵଦନ୍ତୀ ମଧ୍ୟଯୁଗୀୟ ଯୁରୋପରେ ଈହୁଦୀ-ଵିରୋଧୀ ଭାଵନାକୁ ପ୍ରୋତ୍ସାହିତ କରିଵାରେ ଵ୍ୟଵହୃତ ହୋଇଥିଲା। ଏହି କାହାଣୀ ଈହୁଦୀମାନଙ୍କୁ ଯୀଶୁଙ୍କ ହତ୍ୟା ପାଇଁ ଦାୟୀ କରି ସେମାନଙ୍କୁ “ଶାପିତ” ଓ “ନିର୍ଵାସିତ” ଭାଵେ ଚିତ୍ରଣ କରୁଥିଲା। ଏହା ଖ୍ରୀଷ୍ଟୀୟ ସମାଜରେ ଈହୁଦୀମାନଙ୍କ ପ୍ରତି ଅନାଦର ଓ ଵିଦ୍ଵେଷକୁ ଆହୁରି ଵଢ଼ାଇଥିଲା।
ମଧ୍ୟଯୁଗୀୟ ଯୁରୋପରେ ଈହୁଦୀମାନଙ୍କୁ ଅନେକ ଦେଶରୁ ନିର୍ଵାସିତ କରାଯାଉଥିଲା ଏଵଂ ସେମାନଙ୍କୁ “ଯାଯାବର” ଭାଵେ ଚିତ୍ରଣ କରାଯାଉଥିଲା। Wandering jews କିମ୍ଵଦନ୍ତୀ ଏହି ଵାସ୍ତଵତାକୁ ଧାର୍ମିକ ଶାପ ସହ ଯୋଡ଼ି ଈହୁଦୀମାନଙ୍କୁ ଏକ ସାମୂହିକ ଅପରାଧୀ ଭାଵେ ଦେଖାଇଥିଲା।
୧୮ଶ ଶତାବ୍ଦୀ ସୁଦ୍ଧା ଏହି କିମ୍ଵଦନ୍ତୀ ଈହୁଦୀ ସମ୍ପ୍ରଦାୟର ସାମୂହିକ ନିର୍ଵାସନ ଓ ଦୁଃଖର ପ୍ରତୀକ ଭାଵେ ଵ୍ୟଵହୃତ ହେଲା। ସାହିତ୍ୟ, ଚିତ୍ରକଳା (ଉ- ସାମୁଏଲ ହିର୍ସଜେନଵର୍ଗଙ୍କ ୧୮୯୯ର ଚିତ୍ର) ଓ ଲୋକକଥାରେ ଏହା ଈହୁଦୀମାନଙ୍କୁ ଏକ “ଅଭିଶପ୍ତ” ଜାତି ଭାଵେ ଚିତ୍ରଣ କରୁଥିଲା। ଏହା ଅନେକ ସମୟରେ ଈହୁଦୀ-ଵିରୋଧୀ ପ୍ରଚାରକୁ ଵଢ଼ାଇଥିଲା ଯାହା ସାମାଜିକ ଓ ରାଜନୈତିକ ଵୈଷମ୍ୟକୁ ଆହୁରି ଗଭୀର କରିଥିଲା। ଅଵଶ୍ୟ ଆଧୁନିକ ଯୁଗରେ ଏହି କିମ୍ଵଦନ୍ତୀର ଈହୁଦୀ-ଵିରୋଧୀ ଦିଗକୁ ଅନେକ ପଣ୍ଡିତ ଓ ସମାଜଵିତ୍ ସମାଲୋଚନା କରିଛନ୍ତି। ତଥାପି ଖ୍ରୀଷ୍ଟିଆନମାନଙ୍କ ଦ୍ଵାରା ଈହୁଦୀମାନଙ୍କର ଅନେକ ଜନସଂହାରର ଵିଭିନ୍ନ କାରଣ ମଧ୍ୟରେ ଏହା ଗୋଟିଏ କାରଣ ଥିଲା । କେହି କେହି ଗଵେଷକ କୁହନ୍ତି ଯେ ମଧ୍ୟଯୁଗୀୟ ୟୁରୋପୀୟ ଖ୍ରୀଷ୍ଟିଆନମାନେ Wandering jew କାହାଣୀଟି ଆବ୍ରାହମିକ ଲୋକଗାଥାର Cain ଚରିତ୍ରରୁ ପ୍ରେରିତ ହୋଇ ଗଢ଼ିଥିଵାର ଅନୁମାନ କରାଯାଏ ।
ବାଇବେଲର ପ୍ରଥମ ପୁସ୍ତକ ଵା ଓଲ୍ଡ୍ ଟେଷ୍ଟାମେଣ୍ଟ୍ର ଜେନେସିସରେ ଵର୍ଣ୍ଣିତ କୈନ୍(Cain) ଓ ହାବେଲଙ୍କ କାହାଣୀ ମାନଵ ଇତିହାସର ପ୍ରଥମ ଦୁଃଖଦ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ଅବ୍ରାହାମିକ ଧର୍ମଵିଶ୍ଵାସୀମାନେ ମାନନ୍ତି । ଏହା ଆଦମ ଓ ହବାଙ୍କ ପୁତ୍ର କୈନଙ୍କ ଜୀଵନରେ ଘଟିଥିଵା ଈର୍ଷା, କ୍ରୋଧ ଓ ହିଂସାର କାହାଣୀ।
ଆଦମ ଓ ହବା ସୃଷ୍ଟି ସର୍ଜନା ପରେ ଈଡେନ ଉଦ୍ୟାନରୁ ବାହାରି ଏକ ନୂଆ ଜୀଵନ ଆରମ୍ଭ କରିଥିଲେ। ସେମାନଙ୍କର ପ୍ରଥମ ପୁତ୍ର ଥିଲେ କୈନ୍ ଯିଏ ଜଣେ କୃଷକ ହେଲେ ତଥା ଦ୍ୱିତୀୟ ପୁତ୍ର ହାବେଲ ମେଷପାଳକ ହେଲେ। ଦୁଇ ଭାଇ ନିଷ୍ଠା ସହକାରେ କାମ କରୁଥିଲେ, କିନ୍ତୁ ସେମାନଙ୍କ ମନରେ ଈଶ୍ୱରଙ୍କ ପ୍ରତି ଭକ୍ତି ଥିଲା। ଦିନେ ସେମାନେ ଈଶ୍ୱରଙ୍କୁ ଉତ୍ସର୍ଗ ଦେଵାକୁ ଭକ୍ତି ଭାଵ ଘେନି ସହ ନିଜର ଉପହାର ଆଣିଲେ। କୈନ୍ ତା’ର କ୍ଷେତ୍ରରୁ କିଛି ଶସ୍ୟ ଓ ଫଳ ଆଣିଥିଲା ଆଉ ହାବେଲ ତା’ର ମେଣ୍ଢାପଲରୁ ସବୁଠାରୁ ଉତ୍ତମ ମେଷଶାଵକମାନଙ୍କୁ ବାଛି ଉତ୍ସର୍ଗ କଲା।
ଈଶ୍ୱର ହାବେଲଙ୍କ ଉପହାରକୁ ଗ୍ରହଣ କଲେ, କିନ୍ତୁ କୈନଙ୍କ ଉପହାରକୁ ଅଗ୍ରାହ୍ୟ କରିଦେଲେ । ଏହାର କାରଣ ସମ୍ଭଵତଃ କୈନଙ୍କ ମନରେ ଥିଵା ଅନିଷ୍ଠା ଵା ଅହଂକାର ଥିଲା, ଯାହା ତା’ର ଉପହାରକୁ ଅଶୁଦ୍ଧ କରିଥିଲା। ଏହି ଅସ୍ୱୀକୃତି କୈନଙ୍କ ମନରେ ଈର୍ଷା ଓ କ୍ରୋଧର ନିଆଁ ଜାଳିଦେଲା। ତା’ର ମୁହଁ ମଳିନ ପଡ଼ିଗଲା ଏଵଂ ହୃଦୟରେ ହିଂସାର ବୀଜ ଅଙ୍କୁରିତ ହେଲା ।
ଈଶ୍ୱର କୈନଙ୍କୁ ଚେତାବନୀ ଦେଇ କହିଲେ, “ତୁମେ କାହିଁକି ଅଯଥା କ୍ରୋଧ କରୁଛ? ଯଦି ତୁମେ ସତ୍ୟ ଓ ନିଷ୍ଠାର ସହ କାମ କର, ତୁମ ଉପହାର ଗ୍ରହଣ ହେଵ। କିନ୍ତୁ ତୁମ ହୃଦୟରେ ପାପ ଲୁକ୍କାୟିତ ଅଛି, ତୁମେ ତାକୁ ନିୟନ୍ତ୍ରଣ କରିବା ଦରକାର।” କିନ୍ତୁ କୈନ ଈଶ୍ୱରଙ୍କ ଉପଦେଶକୁ ମାନିଲା ନାହିଁ। ତା’ର ମନରେ ହାବେଲ ପ୍ରତି ଦ୍ୱେଷ ବଢ଼ିଲା।
ଦିନେ, କୈନ ହାବେଲଙ୍କୁ ତା ଖେତକୁ ଡାକିଲା। ସେଠାରେ, କ୍ରୋଧ ଓ ଈର୍ଷାରେ ଅନ୍ଧ ହୋଇ, ସେ ତା’ର ଭାଇ ହାବେଲକୁ ଆଘାତ କରି ହତ୍ୟା କଲା। ପୃଥିଵୀରେ ପ୍ରଥମ ରକ୍ତପାତ ଘଟିଲା ଏଵଂ ହାବେଲଙ୍କ ନିରୀହ ପ୍ରାଣଵାୟୁ ଉଡ଼ିଗଲା।
ସେଇଠୁ ଈଶ୍ୱର କୈନଙ୍କୁ ପଚାରିଲେ, “ତୁମ ଭାଇ ହାବେଲ ଏବେ କେଉଁଠି?” କାଇନ ମିଛରେ ଉତ୍ତର ଦେଲା, “ମୁଁ ଜାଣେ ନାହିଁ, ମୁଁ କ’ଣ ମୋ ଭାଇର ଜଗୁଆଳି?” କିନ୍ତୁ ଈଶ୍ୱର ସବୁ ଜାଣିଥିଲେ। ସେ କହିଲେ, “ତୁମ ଭାଇର ରକ୍ତ ମାଟିରୁ ମୋତେ ଚିତ୍କାର କରି ସବୁ କଥା କହୁଛି। ତୁମେ ଅଭିଶପ୍ତ ହେଲ, ଏହି ମାଟି ତୁମକୁ ଆଉ ଫଳ ଦେଵ ନାହିଁ। ତୁମେ ଏକ ଯାଯାବର ହେଵ ଏଵଂ ଅନନ୍ତ କାଳ ଯାଏଁ ଏ ପୃଥିଵୀରେ ଘୂରି ବୁଲୁଥିଵ।”
“When you work the ground, it will no longer yield its crops for you. You will be a restless wanderer on the earth.”(ଜେନେସିସ ୪:୧୨)
କୈନ ଦୁଃଖରେ କାନ୍ଦି କହିଲା, “ମୋ ଦଣ୍ଡ ଅସହ୍ୟ। ମୁଁ ଯଦି ଯାଯାଵର ହୋଇ ପୃଥିଵୀ ସାରା ଘୂରି ବୁଲିବି ଯେ କେହି ଦେଖି ମୋତେ ମାରିଦେଵ।” ଈଶ୍ୱର ତାକୁ ସୁରକ୍ଷା ଦେଇ ଏକ ଚିହ୍ନ ଦେଲେ, ଯାହା ତାକୁ ଅନ୍ୟମାନଙ୍କଠାରୁ ରକ୍ଷା କଲା। କୈନ ନୋଦ ନାମକ ଦେଶକୁ ଚାଲିଗଲା, ସେଠାରେ ସେ ଏକ ନୂଆ ଜୀବନ ଆରମ୍ଭ କଲା, କିନ୍ତୁ ତା’ର ପାପର ଛାୟା ତାକୁ ଛାଡ଼ିଲା ନାହିଁ ।
ତେବେ କୈନଙ୍କର ନିଜ ଭାଇ ସହିତ ଵିଵାଦ ଏଵଂ ଅନନ୍ତ ଭ୍ରମଣ ରୂପ ଅଭିଶାପ କାହାଣୀ ଦୁଇଟି ପ୍ରାଚୀନ ସଂସ୍କୃତିର ଦୁଇଗୋଟି ପୁରାଣଗାଥା ସହିତ ସାମଞ୍ଜସ୍ୟ ରହିଛି । ଗୋଟିଏ କାହାଣୀ ମେସୋପୋଟାମିଆର ଏଵଂ ଆରଟି ଭାରତଵର୍ଷର ଅଟେ । ମେସେପୋଟାମିଆର ପ୍ରାଚୀନ ଲୋକଗାଥାଟିକୁ ନିମ୍ନରେ ସଂକ୍ଷେପରେ ଉଲ୍ଲେଖ କରାଗଲା :
ବହୁଵର୍ଷ ପୂର୍ଵେ ଦେଵତାମାନଙ୍କର ମୁଖ୍ୟ ଦେଵତା Enlil ପୃଥିଵୀରେ ମଣିଷମାନଙ୍କୁ ସୃଷ୍ଟି କରି ସେମାନଙ୍କ ଜୀଵନକୁ ପର୍ଯ୍ୟଵେକ୍ଷଣ କଲେ । ସେ ଦେଖିଲେ ଯେ ଦୁଇ ଭାଇ, Emesh ନାମକ ଗୋପାଳକ ଓ Enten ନାମକ କୃଷକ ମିଳିମିଶି ଚଳୁଥିଲେ। Emesh ତା’ର ମେଣ୍ଢାମାନଙ୍କୁ ବଡ଼ ଯତ୍ନରେ ରଖୁଥିଲା। ତା’ର ପଶୁମାନେ ଦୁଧ, ପଶମ ଓ ମାଂସ ଦେଉଥିଲେ, ଯାହା ଗାଁର ଲୋକଙ୍କ ପାଇଁ ଅମୂଲ୍ୟ ଥିଲା। ଅନ୍ୟପଟେ,Enten ତା’ର ଖେତରେ କଠିନ ପରିଶ୍ରମ କରୁଥିଲା। ସେ ଶସ୍ୟ, ଫଳ ଓ ପନିପରିବା ଉତ୍ପାଦନ କରୁଥିଲା ଏଵଂ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା।
ଦିନେ Enlil ଦେଵତା ନିଷ୍ପତ୍ତି ନେଲେ ଯେ ସେ ଏହି ଦୁଇ ଭାଇଙ୍କ ମଧ୍ୟରୁ ଜଣକୁ ଉଚ୍ଚ ସମ୍ମାନ ଦେବେ। ସେ ଦୁହିଁଙ୍କୁ ତାଙ୍କ ସମ୍ମୁଖରେ ନିଜ ନିଜ ନିଜର ଉପହାର ପ୍ରଦାନ କରିଵାକୁ କହିଲେ। Emesh ତା’ର ସୁସ୍ଥ ଓ ହୃଷ୍ଟପୁଷ୍ଟ ମେଣ୍ଢାର ଦୁଧ ଓ ପଶମ ଆଣି Enlilଙ୍କୁ ଉତ୍ସର୍ଗ କଲା। Enten ତା’ର ଖେତରୁ ସତେଜ ଶସ୍ୟ, ଫଳ ଓ ପନିପରିବା ଆଣି ଦେଵତାଙ୍କୁ ଅର୍ପଣ କଲା।
Enlil ଦୁହିଁଙ୍କ ଉପହାରକୁ ଗଭୀର ଦୃଷ୍ଟିରେ ଦେଖିଲେ। ସେ Entenର ଶସ୍ୟ ଓ ଫଳକୁ ଅଧିକ ମୂଲ୍ୟଵାନ ବୋଲି ଵିଚାର କଲେ, କାରଣ ଏହା ମଣିଷ ଜାତିର ମୂଳ ଖାଦ୍ୟ ଥିଲା। Emeshର ଉପହାର ମଧ୍ୟ ଉତ୍ତମ ଥିଲା, କିନ୍ତୁ Enlil,Entenକୁ କୃଷିର ଦେଵତା ଭାବେ ମନୋନୀତ କଲେ। ଏହି ନିଷ୍ପତ୍ତି Emeshର ହୃଦୟକୁ ଆଘାତ ଦେଲା। ସେ ଈର୍ଷା ଓ କ୍ରୋଧରେ ଜର୍ଜରିତ ହେଲା, କିନ୍ତୁ ଦେଵତାଙ୍କ ନିଷ୍ପତ୍ତି ଅକାଟ୍ୟ ତେଣୁ ମାନି ନେଲା। ଏହି କାହାଣୀ ମେସୋପୋଟାମିଆରେ କୃଷିର ଗୁରୁତ୍ୱ ଓ ଗୋପାଳକ ଓ କୃଷକଙ୍କ ମଧ୍ୟରେ ଥିଵା ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରତିଫଳିତ କରେ।
ବାଇବେଲର Cain ଓ Abelଙ୍କ କାହାଣୀ ଏଵଂ ମେସୋପୋଟାମିଆର Emesh ଓ Entenଙ୍କ କାହାଣୀ ମଧ୍ୟରେ କେତେକ ସାମଞ୍ଜସ୍ୟ ଦେଖାଯାଏ। ଦୁଇ କାହାଣୀରେ ମୁଖ୍ୟ ଵିଷୟଵସ୍ତୁ ହେଉଛି ଦୁଇ ଭାଇଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ଦେଵତାଙ୍କ ନିକଟରେ ଉପହାର ଅର୍ପଣ। Cain, ଜଣେ କୃଷକ, ତା’ର ଶସ୍ୟରୁ ଉପହାର ଦେଇଥିଲେ, ଆଉ Abel, ଜଣେ ଗୋପାଳକ, ତା’ର ପଶୁମାନଙ୍କୁ ଉତ୍ସର୍ଗ କରିଥିଲେ। ଈଶ୍ୱର Abelଙ୍କ ଉପହାରକୁ ଗ୍ରହଣ କଲେ, କିନ୍ତୁ Cainଙ୍କୁ ପ୍ରତ୍ୟାଖ୍ୟାନ କଲେ, ଯାହା ଈର୍ଷା ଓ ହତ୍ୟାକାଣ୍ଡରେ ପରିଣତ ହେଲା।
ମେସୋପୋଟାମିଆର କାହାଣୀରେ Enten(କୃଷକ) ଓ Emesh (ଗୋପାଳକ) ମଧ୍ୟରେ ସମାନ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଏ, କିନ୍ତୁ ଏଠାରେ ଦେଵତା Enlil କୃଷକଙ୍କୁ ପସନ୍ଦ କରନ୍ତି। ଦୁଇ କାହାଣୀରେ ଦେଵତାଙ୍କ ପସନ୍ଦ ଓ ପ୍ରତ୍ୟାଖ୍ୟାନ ଦ୍ୱାରା ଉତ୍ପନ୍ନ ଈର୍ଷା ଓ ସାମାଜିକ ପେଶା (କୃଷି ବନାମ ପଶୁପାଳନ) ମଧ୍ୟରେ ତୁଳନା ଏକ ମୁଖ୍ୟ ଵିଷୟ। ବାଇବେଲ କାହାଣୀରେ ହିଂସା ଓ ନୈତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଏଵଂ ମେସୋପୋଟାମିଆର କାହାଣୀରେ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ଅଧିକ ମହତ୍ତ୍ଵ ଦିଆଯାଇଛି। ମେସୋପୋଟାମିଆର ସଭ୍ୟତା ଅବ୍ରାହାମିକ ଧର୍ମ ପରମ୍ପରା ସୃଷ୍ଟି ହେଵାର ପୂର୍ଵରୁ ଥିଲା ଏଵଂ ସେ ସମୟରେ କୃଷି ହିଁ ସମାଜର ମୁଖ୍ୟ ଅଙ୍ଗ ଥିଲା । ଆବ୍ରାହାମିକ ଧର୍ମପରମ୍ପରା ଶୁଷ୍କ ମରୁଭୂମି ଅଞ୍ଚଳରେ ଗଢ଼ି ଉଠିଥିଲା ଯେଉଁଠି କୃଷି ପରିଵର୍ତ୍ତେ ମାଂସ ଓ ଦୁଗ୍ଧ ହେତୁକ ପଶୁପାଳନ ସମାଜର ମୁଖ୍ୟ ଅଙ୍ଗ ଥିଲା । ତେଣୁ ବହୁତ ସମ୍ଭଵ ମେସୋପୋଟାମିଆର Enten(କୃଷକ) ଓ Emesh (ଗୋପାଳକ)ଙ୍କ କାହାଣୀ ଯେତେବେଳେ ଆବ୍ରାହାମିକ ଧର୍ମପରମ୍ପରାରେ ସ୍ଥାନ ପାଇଥିଵ ସେତେବେଳେ ଏଥିରେ ପରିଵର୍ତ୍ତନ ଘଟିଥିଵ । ତେବେ ଏଠାରେ ପ୍ରଶ୍ନ ଉଠେ Enten(କୃଷକ) ଓ Emesh (ଗୋପାଳକ)ଙ୍କ କାହାଣୀରେ ତ ହତ୍ୟା ଓ ଅଭିଶାପ ଭଳି ଉପାଦାନ ନଥିଲା ତାହେଲେ ବାଇବେଲର Cain ଓ Abelଙ୍କ କାହାଣୀରେ ଏହି ଦୁଇଗୋଟି ଉପାଦାନ କୁଆଡ଼ୁ ଆସିଲା ?
ଏହାର ଉତ୍ତର ଆମକୁ ମହାଭାରତ ଗ୍ରନ୍ଥରେ ଜଣେ ଗୁରୁତ୍ଵପୂର୍ଣ୍ଣ ଚରିତ୍ର "ଅଶ୍ବତ୍ଥାମା"ଙ୍କ ଜୀଵନୀରୁ ମିଳିଥାଏ ।
ଭାରତୀୟ ମହାକାବ୍ୟ ମହାଭାରତରେ ଅଶ୍ଵତ୍ଥାମା ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଓ କୌରବ ସୈନ୍ୟର ଜଣେ ଶକ୍ତିଶାଳୀ ଯୋଦ୍ଧା। ଧ୍ୟାନମଗ୍ନ ଦ୍ରୋଣ ସନ୍ତାନ ଲାଭ କରିଵା ପାଇଁ ତାଙ୍କ ପୂର୍ଵପୁରୁଷଙ୍କ ଆଜ୍ଞାନୁସାରେ ଵିଵାହ କରିଥିଲେ।
“ଶାରଦ୍ଵତୀଂ ତତୋ ଭାର୍ୟାଂ କୃପୀଂ ଦ୍ରୋଣୋଽନ୍ଵଵିନ୍ଦତ୍।
ଅଗ୍ରିହୋତ୍ରେ ଚ ଧର୍ମେ ଚ ଦମେ ଚ ସତତଂ ରତାମ୍॥(ଆଦିପର୍ଵ-ମହାଭାରତ)”
ତା’ପରେ ଦ୍ରୋଣାଚାର୍ଯ୍ୟ ଶରଦ୍ଵାନଙ୍କ କନ୍ୟା କୃପୀଙ୍କୁ ନିଜ ପତ୍ନୀ ରୂପେ ଗ୍ରହଣ କଲେ। କୃପୀ ଅଗ୍ନିହୋତ୍ର, ଧର୍ମ ଓ ଆତ୍ମସଂଯମରେ ସର୍ଵଦା ନିମଗ୍ନ ଥିଲେ। ଦ୍ରୋଣାଚାର୍ଯ୍ୟ ଓ କୃପୀ ସନ୍ତାନ ପ୍ରାପ୍ତି ପାଇଁ ତପସ୍ୟା କରୁଥିଲେ।ସେମାନେ ଭଗଵାନ ଶିବଙ୍କୁ ଆରାଧନା କଲେ ଏଵଂ ସେମାନଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗଵାନ ଶିଵ ସେମାନଙ୍କୁ ଏକ ତେଜସ୍ଵୀ ପୁତ୍ରର ଵରଦାନ ଦେଇଥିଲେ। ଏହି ବରଦାନର ଫଳସ୍ଵରୂପ, ଅଶ୍ଵତ୍ଥାମାର ଜନ୍ମ ହେଲା।
“ଅଲଭତ ଗୌତମୀ ପୁତ୍ରମଶ୍ଵତ୍ଥାମାନମେଵ ଚ।
ସ ଜାତ ମାତ୍ରୋ ଵ୍ୟନଦଦ୍ୟଥୈଵୋଚ୍ଚୈଃ ଶ୍ରଵା ହୟଃ॥
ତଚ୍ଛୁତ୍ଵାନ୍ତର୍ହିତଂ ଭୂତମନ୍ତରିକ୍ଷସ୍ଥମବ୍ରଵୀତ୍।
ଅଶ୍ଵସ୍ୟେଵାସ୍ୟ ଯତ୍ ସ୍ଥାମ ନଦତଃ ପ୍ରଦିଶୋ ଗତମ୍॥
ଅଶ୍ଵତ୍ଥାମୈଵ ବାଲ୍ତୋଽୟଂ ତସ୍ମାନ୍ନାମ୍ନା ଭଵିଷ୍ୟତି।
ସୁତେନ ତେନ ସୁପ୍ରୀତୋ ଭରଦ୍ଵାଜସ୍ତତୋଽଭଵତ୍॥”
ଗୌତମୀ (କୃପୀ) ଅଶ୍ଵତ୍ଥାମା ନାମକ ପୁତ୍ର ପ୍ରାପ୍ତ ହେଲେ। ସେ ଜନ୍ମ ମାତ୍ରେ ଉଚ୍ଚୈଃଶ୍ରଵା ଅଶ୍ଵର ସମାନ ଘୋର ଶବ୍ଦ କଲେ । ତାହା ଶୁଣି ଆକାଶଵାଣୀ ହେଲା — “ଏହି ବାଳକର ଶବ୍ଦ ଅଶ୍ଵର ସମାନ ସମସ୍ତ ଦିଗକୁ ପ୍ରସାରିତ ହେଲା। ଏହି ବାଳକର ନାମ ଅଶ୍ଵତ୍ଥାମା ହେଵ।” ଏହି ପୁତ୍ର ପ୍ରାପ୍ତିରେ ଭରଦ୍ଵାଜ (ଦ୍ରୋଣ) ଅତ୍ୟନ୍ତ ପ୍ରୀତ ହେଲେ। ଅଶ୍ଵତ୍ଥାମାଙ୍କର ଜନ୍ମ ଏକ ଵିଶେଷ ଘଟଣା ଥିଲା। ଯେତେବେଳେ ସେ ଜନ୍ମ ହେଲେ, ତାଙ୍କ ମସ୍ତକରେ ଏକ ମଣି ଥିଲା, ଯାହା ତାଙ୍କୁ ଅମରତ୍ଵ ପ୍ରଦାନ ସହିତ ଅଜେୟ କରୁଥିଲା। ଏହି ମଣି ତାଙ୍କୁ କ୍ଷୁଧା, ତୃଷ୍ଣା, ଥକ୍କା ଏଵଂ ରୋଗରୁ ରକ୍ଷା କରୁଥିଲା। ଅଶ୍ଵତ୍ଥାମାର ଜନ୍ମ ସମୟରେ, ତାଙ୍କ ମୁଖରୁ ଅଶ୍ଵର ହିଂହିଂ ଶବ୍ଦ ପରି ଏକ ଶବ୍ଦ ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ତାଙ୍କର ନାମ ଅଶ୍ଵତ୍ଥାମା ରଖାଗଲା ।
ଅଶ୍ଵତ୍ଥାମାଙ୍କ ପିତା ଦ୍ରୋଣାଚାର୍ଯ୍ୟ ପାଣ୍ଡଵ ଓ କୌରଵଙ୍କ ଗୁରୁ ଥିଲେ। ତେବେ ଆରମ୍ଭରୁ ହିଁ ଅଶ୍ବତ୍ଥାମା ପାଣ୍ଡଵମାନଙ୍କୁ ଘୃଣା କରୁଥିଲେ । ଅଶ୍ଵତ୍ଥାମା ପାଣ୍ଡଵଙ୍କ ମଧ୍ୟରେ ଅର୍ଜୁନଙ୍କ ପ୍ରତି ଵିଶେଷ ଭାବେ ଈର୍ଷାଭାବ ରଖିଥିଲେ। ଅର୍ଜୁନ ଦ୍ରୋଣାଚାର୍ଯ୍ୟଙ୍କ ପ୍ରିୟ ଶିଷ୍ୟ ଥିଲେ ଏଵଂ ଦ୍ରୋଣ ତାଙ୍କୁ ଅନ୍ୟ ଶିଷ୍ୟମାନଙ୍କ ତୁଳନାରେ ଅଧିକ ଗୁରୁତ୍ଵ ଦେଉଥିଲେ। ଏହା ଅଶ୍ଵତ୍ଥାମାଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା, କାରଣ ସେ ନିଜେ ଦ୍ରୋଣଙ୍କ ପୁତ୍ର ହୋଇ ମଧ୍ୟ ଅର୍ଜୁନଙ୍କ ତୁଳନାରେ କମ ଗୁରୁତ୍ଵ ପାଉଥିଵା ଅନୁଭବ କରୁଥିଲେ। ଅର୍ଜୁନଙ୍କ ଅସ୍ତ୍ରଵିଦ୍ୟାରେ ଅସାଧାରଣ ଦକ୍ଷତା ଏଵଂ ଦ୍ରୋଣଙ୍କ ପ୍ରଶଂସା ଅଶ୍ଵତ୍ଥାମାଙ୍କ ଈର୍ଷାକୁ ଆହୁରି ବଢ଼ାଇଥିଲା। ଏଥିଯୋଗୁଁ ଅଶ୍ବତ୍ଥାମା କ୍ରମେ ଦୁର୍ଯ୍ୟୋଧନର ବନ୍ଧୁ ହେଲେ ଏଵଂ ସମୟ ସହ ଏହି ବନ୍ଧୁତା ଆହୁରି ନିବିଡ଼ ହେଲା । ଦ୍ରୋଣାଚାର୍ଯ୍ୟ ହସ୍ତିନାପୁରରେ କୌରଵ ରାଜସଭାରେ ଗୁରୁ ଥିଲେ ଏଵଂ କୌରଵଙ୍କଠାରୁ ସମ୍ମାନ ଓ ସମର୍ଥନ ପାଉଥିଲେ। ତାଙ୍କର ନିଷ୍ଠା ମୁଖ୍ୟତଃ କୌରଵଙ୍କ ପ୍ରତି ଥିଲା, ଯାହା ଅଶ୍ଵତ୍ଥାମାଙ୍କ ଉପରେ ପ୍ରଭାବ ପକାଇଥିଲା। ପିତାଙ୍କ ନିଷ୍ଠା ଓ କୌରଵଙ୍କ ସହ ସମ୍ପର୍କ ଅଶ୍ଵତ୍ଥାମାଙ୍କୁ କୌରଵ ପକ୍ଷରେ ରହିଵାକୁ ପ୍ରେରିତ କରିଥିଲା। ମହାଭାରତ ଯୁଦ୍ଧ ସମୟରେ ଦ୍ରୋଣାଚାର୍ଯ୍ୟ କୌରଵଙ୍କ ସେନାପତି ଭାବେ ଯୋଗ ଦେଇଥିଲେ, ଯାହା ଅଶ୍ଵତ୍ଥାମାଙ୍କୁ ମଧ୍ୟ କୌରଵ ପକ୍ଷରେ ଯୁଦ୍ଧ କରିଵାକୁ ବାଧ୍ୟ କରିଥିଲା। କୁରୁକ୍ଷେତ୍ର ଯୁଦ୍ଧରେ କୌରଵମାନଙ୍କ ପରାଜୟ ପରେ, ଅଶ୍ଵତ୍ଥାମା ପାଣ୍ଡଵ ଶିବିରରେ ରାତ୍ରିକାଳୀନ ଆକ୍ରମଣ କରି ପାଞ୍ଚ ଦ୍ରୌପଦୀଙ୍କ ପାଞ୍ଚପୁତ୍ରଙ୍କ ସମେତ ଅନେକଙ୍କୁ ହତ୍ୟା କଲେ। ଏହା ସହିତ ସେ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁର ପତ୍ନୀ ଉତ୍ତରାର ଗର୍ଭସ୍ଥ ଶିଶୁଙ୍କୁ (ଯିଏ ପରେ ପରୀକ୍ଷିତ ହେଲେ) ବ୍ରହ୍ମାସ୍ତ୍ର ଦ୍ୱାରା ଆକ୍ରମଣ କଲେ। ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ଏକ ଭୟଙ୍କର ଅଭିଶାପ ଦେଇଥିଲେ ।
ତ୍ଵାଂ ତୁ କାପୁରୁଷଂ ପାପଂ ଵିଦୁଃ ସର୍ଵେ ମନୀଷିଣଃ।
ଅସକୃତ୍ପାପକର୍ମାଣଂ ବାଳଜୀଵିତଘାତକମ୍॥
ସମସ୍ତେ ମନୀଷୀମାନେ ତୁମକୁ ଭୀରୁ, ପାପୀ, ବାରମ୍ବାର ପାପକର୍ମ କରୁଥିଵା ଏଵଂ ବାଳକମାନଙ୍କର ଜୀଵନ ନାଶକାରୀ ବୋଲି ଜାଣନ୍ତି।
ତସ୍ମାତ୍ ତ୍ଵମସ୍ୟ ପାପସ୍ୟ କର୍ମଣଃ ଫଳମାପ୍ନୁହି।
ତ୍ରୀଣି ଵର୍ଷସହସ୍ରାଣି ଚରିଷ୍ୟସି ମହୀମିମାମ୍॥
ତେଣୁ ତୁମେ ଏହି ପାପକର୍ମର ଫଳ ଭୋଗ କର। ତୁମେ ତିନି ହଜାର ଵର୍ଷ ପର୍ଯ୍ୟନ୍ତ ଏହି ପୃଥିଵୀରେ ଭ୍ରମଣ କରିଵ।
ଅପ୍ରାପ୍ନୁଵନ୍ କ୍ଵଚିତ୍ କାଞ୍ଚିତ୍ ସଂଵିଦଂ ଜାତୁ କେନଚିତ୍।
ନିର୍ଜନାନସହାୟସ୍ତ୍ଵଂ ଦେଶାନ୍ ପ୍ରଵିଚରିଷ୍ୟସି॥
ତୁମେ କେବେ କୌଣସି ସ୍ଥାନରେ କାହା ସହିତ ମଧ୍ୟ କଥାଵାର୍ତ୍ତା କରିଵାର ସୁଖ ପାଇଵ ନାହିଁ। ଏକାକୀ ଓ ସାହାଯ୍ୟହୀନ ହୋଇ ତୁମେ ନିର୍ଜନ ସ୍ଥାନମାନଙ୍କରେ ଭ୍ରମଣ କରିଵ।
ଭଵିତ୍ରୀ ନ ହି ତେ କ୍ଷୁଦ୍ର ଜନମଧ୍ୟେଷୁ ସଂସ୍ଥିତିଃ।
ପୂଯଶୋଣିତଗନ୍ଧୀ ଚ ଦୁର୍ଗକାନ୍ତାରସଂଶ୍ରୟଃ॥
ଵିଚରିଷ୍ୟସି ପାପାତ୍ମନ୍ ସର୍ଵଵ୍ୟାଧିସମନ୍ଵିତଃ।
ହେ ନୀଚ ! ତୁମେ ଜନସମାଜରେ ରହି ପାରିଵ ନାହିଁ। ତୁମ ଶରୀରରୁ ପୂଯ ଓ ରକ୍ତର ଦୁର୍ଗନ୍ଧ ନିର୍ଗତ ହେଵ; ତେଣୁ ତୁମକୁ ଦୁର୍ଗମ ଓ ଜଙ୍ଗଲପ୍ରଦେଶରେ ଆଶ୍ରୟ ନେଵାକୁ ପଡ଼ିଵ। ହେ ପାପାତ୍ମା ! ତୁମେ ସମସ୍ତ ରୋଗରେ ପୀଡ଼ିତ ହୋଇ ଇତସ୍ତତଃ ଭ୍ରମଣ କରିଵ।
(ମହାଭାରତ,ସୌପ୍ତିକ ପର୍ଵ, ଐଷୀକ ଉପପର୍ଵ,ଷୋଡ଼ଶ ଅଧ୍ୟାୟ)
ଏହାପରେ ଶ୍ରୀକୃଷ୍ଣ କହିଲେ ହେ ଅଶ୍ଵତ୍ଥାମା ତୁମେ ଯୋଉ ପିଲାକୁ ତାହାର ମାଆର ଗର୍ଭରେ ହତ୍ୟା କରିଵାକୁ ଚେଷ୍ଟା କରିଛ ତାକୁ ମୁଁ ବଞ୍ଚେଇ ଦେବି । ସେତେବେଳେ ତମେ ମୋର ତପ ଓ ସତ୍ୟର ପ୍ରଭାଵ ଦେଖିଵ । ସେହି ବାଳକ କୌରଵବଂଶଙ୍କ ପରିକ୍ଷୀଣ ହେଲାପରେ ଜାତ ହେଵାରୁ ତାହାର ନାମ ପରିକ୍ଷିତ ହେଵ । ସେ ହିଁ ଭାରତଵର୍ଷର ସମ୍ରାଟ ହେଵ । ଵ୍ୟାସ ମଧ୍ୟ ଦ୍ରୋଣପୁତ୍ରଙ୍କୁ ଭର୍ତ୍ସନା କଲେ । ଫଳତଃ ଅଶ୍ବତ୍ଥାମା ନିଜର ଭୁଲ୍ ବୁଝିପାରିଲେ ।
“ପ୍ରଦାୟାଥ ମଣି ଦ୍ରୌଣିଃ ପାଣ୍ଡଵାନାଂ ମହାତ୍ମନାମ୍।
ଜଗାମ ଵିମନାସ୍ତେଷାଂ ସର୍ଵେଷାଂ ପଶ୍ୟତାଂ ଵନମ୍॥”
ତହୁଁ ଦ୍ରୋଣପୁତ୍ର ଅଶ୍ଵତ୍ଥାମା ମହାତ୍ମା ପାଣ୍ଡଵମାନଙ୍କୁ ମଣି ଦେଇ ଉଦାସ ମନରେ, ସେମାନଙ୍କ ସମସ୍ତଙ୍କୁ ଦେଖି ଦେଖି ଵନକୁ ଚାଲିଗଲେ।
ଏହାପରେ ପାଣ୍ଡଵ ଓ ଶ୍ରୀକୃଷ୍ଣ, ଦ୍ରୌପଦୀଙ୍କ ନିକଟକୁ ଗଲେ ଏଵଂ ଭୀମସେନ ଆଗକୁ ଅଗ୍ରସର ହୋଇ ଅଶ୍ବତ୍ଥାମା ପ୍ରଦତ୍ତ ମଣିକୁ ଦ୍ରୌପଦୀଙ୍କୁ ଦେଇଥିଲେ । ତତ୍ପରେ ଅଶ୍ଵତ୍ଥାମାଙ୍କ ମଣି ଦ୍ରୌପଦୀ ଯୁଧିଷ୍ଠିରଙ୍କୁ ପ୍ରଦାନ କଲେ ।
ତଂ ଗୃହୀତ୍ଵା ତତୋ ରାଜା ଶିରସ୍ୟେଵାକରୋତ୍ ତଦା।
ଗୁରୋରୁଚ୍ଛିଷ୍ଟମିତ୍ୟେଵ ଦ୍ରୌପଦ୍ୟା ଵଚନାଦପି॥
ତା’ପରେ ରାଜା ଯୁଧିଷ୍ଠିର ସେହି ମଣି ଗ୍ରହଣ କରି ଦ୍ରୌପଦୀଙ୍କ କଥା ଅନୁସାରେ ତାହାକୁ ନିଜ ମସ୍ତକରେ ଧାରଣ କଲେ।
ତତୋ ଦିଵ୍ୟଂ ମଣିଵରଂ ଶିରସା ଧାରୟନ୍ ପ୍ରଭୁଃ।
ଶୁଶୁଭେ ସ ତଦା ରାଜା ସଚନ୍ଦ୍ର ଇଵ ପର୍ଵତଃ॥
ସେହି ଦିଵ୍ୟ ଓ ଉତ୍ତମ ମଣିକୁ ମସ୍ତକରେ ଧାରଣ କରି ଶକ୍ତିଶାଳୀ ରାଜା ଯୁଧିଷ୍ଠିର ଚନ୍ଦ୍ରୋଦୟର ଶୋଭା ସହିତ ଉଦୟାଚଳ ପର୍ଵତ ପରି ଶୋଭାୟମାନ ହେଲେ। ଏହି ଗାଥା ମହାଭାରତର ସୌପ୍ତିକ ପର୍ଵର ଐଷୀକ ଉପପର୍ଵ ମଧ୍ୟରେ ଵର୍ଣ୍ଣିତ ହୋଇଛି ।
ତେବେ “Wandering Jew,” କୈନ ଓ ହାବେଲ, ଏମେଶ ଓ ଏନଟେନ, ଏବଂ ଅଶ୍ୱତ୍ଥାମାର କାହାଣୀ ମଧ୍ୟରେ ଅନେକ ସାମଞ୍ଜସ୍ୟ ଓ ପାର୍ଥକ୍ୟ ରହିଛି । ପ୍ରତ୍ୟେକ କାହାଣୀରେ ଐଶ୍ୱରିକ ହସ୍ତକ୍ଷେପ ଦ୍ୱାରା ଦୋଷୀଙ୍କୁ ଅଭିଶାପ ଵା ଦଣ୍ଡ ମିଳିଛି। “Wandering Jew”ରେ କାର୍ଟାଫିଲସ୍ ଯୀଶୁଙ୍କ ଅପମାନ ପାଇଁ ଅନନ୍ତ ଭ୍ରମଣର ଶାପ ପାଆନ୍ତି। ଜେନେସିସରେ କୈନ ହାବେଲଙ୍କୁ ହତ୍ୟା କରିଵା ଯୋଗୁଁ ଯାଯାବର ହେଵାକୁ ଶାପିତ ହୁଅନ୍ତି (ଜେନେସିସ ୪:୧୨)। ମହାଭାରତରେ ଅଶ୍ୱତ୍ଥାମା ଦ୍ରୌପଦୀଙ୍କ ପୁତ୍ରମାନଙ୍କୁ ହତ୍ୟା ଓ ଗର୍ଭସ୍ଥ ଶିଶୁଙ୍କୁ ଆକ୍ରମଣ ପାଇଁ ଶ୍ରୀକୃଷ୍ଣଙ୍କଠାରୁ ୩,୦୦୦ ଵର୍ଷ ଭ୍ରମଣର ଶାପ ପାଆନ୍ତି। ଏମେଶ ଓ ଏନଟେନର କାହାଣୀରେ ଅଵଶ୍ୟ ଅଭିଶାପ ନାହିଁ, କିନ୍ତୁ ଏନଲିଲଙ୍କ ନ୍ୟାୟ ଏମେଶଙ୍କୁ ଈର୍ଷାରେ ପୀଡ଼ିତ କରେ।
କୈନ ଓ ହାବେଲ, ଏମେଶ ଓ ଏନଟେନ ତଥା ଅଶ୍ୱତ୍ଥାମାର କାହାଣୀରେ ଭାଇ ଭାଇ ମଧ୍ୟରେ କଳହର କାହାଣୀ ରହିଛି । କୈନ ଓ ହାବେଲ ଦୁଇ ଭାଇଙ୍କ ମଧ୍ୟରେ କଳହ ହେଲାରୁ କୈନ ,ହାବେଲଙ୍କୁ ମାରିଦେଲେ । ଏମେଶ ଓ ଏନଟେନଙ୍କ ମଧ୍ୟରେ ମଧ୍ୟରେ ବି କଳି ହୋଇଥିଲା କିନ୍ତୁ ଦେଵତା Enlilଙ୍କ ହସ୍ତକ୍ଷେପ ଯୋଗୁଁ ତାହା ସାଙ୍ଗ ହୋଇଯାଇଥିଲା । ସେହିପରି ମହାଭାରତ ମହାକାଵ୍ୟରେ ମଧ୍ୟ ଗୋଟିଏ ବଂଶର ପାଣ୍ଡଵ ଓ କୌରଵ ଭାଇମାନଙ୍କ ମଧ୍ୟରେ ଵିଵାଦ କ୍ରମଶଃ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଥିଲା ।
ସମସ୍ତ କାହାଣୀରେ ଈର୍ଷା ଵା ପ୍ରତିଦ୍ୱନ୍ଦ୍ୱିତା ଦ୍ୱାରା ସଂଘର୍ଷ ଦର୍ଶାଯାଇଛି । କୈନ ହାବେଲଙ୍କ ଗ୍ରହଣୀୟ ଉପହାର ପାଇଁ ଈର୍ଷା କରି ହତ୍ୟା କରନ୍ତି। ଏମେଶ ଏନଟେନଙ୍କ ଦୈଵୀ ଅନୁଗ୍ରହ ପାଇଁ ଈର୍ଷା କରନ୍ତି, ଯଦିଓ ଏ ଗାଥାରେ ହିଂସା ନାହିଁ। ଅଶ୍ୱତ୍ଥାମା ଅର୍ଜୁନଙ୍କ ପ୍ରତି ଦ୍ରୋଣଙ୍କ ପକ୍ଷପାତ ଯୋଗୁଁ ଈର୍ଷା କରି କୌରଵ ପକ୍ଷ ନିଅନ୍ତି। “Wandering Jew” ଈହୁଦୀମାନଙ୍କ ପ୍ରତି ସାମାଜିକ ଈର୍ଷା ଓ ଅପଵାଦକୁ ପ୍ରତିଫଳିତ କରେ।
ପ୍ରତ୍ୟେକ କାହାଣୀ ନୈତିକ ଶିକ୍ଷା ଦିଏ। “Wandering Jew” ଈହୁଦୀମାନଙ୍କୁ ଯୀଶୁଙ୍କ ହତ୍ୟା ପାଇଁ ଦାୟୀ କରି ମଧ୍ୟଯୁଗୀୟ ଈହୁଦୀ-ଵିରୋଧୀ ଭାବନାକୁ ପ୍ରୋତ୍ସାହିତ କରେ। କୈନ ଓ ହାବେଲ ଈର୍ଷା ଓ ଅଵାଧ୍ୟତାର ଧ୍ୱଂସାତ୍ମକ ପରିଣାମ ଦର୍ଶାଏ। ଏମେଶ ଓ ଏନଟେନ ମେସୋପୋଟାମିଆରେ କୃଷିର ମହତ୍ତ୍ୱ ପ୍ରତିପାଦନ କରେ। ଅଶ୍ୱତ୍ଥାମାର କାହାଣୀ ଯୁଦ୍ଧରେ ପ୍ରତିହିଂସା ଓ ଅଧର୍ମର ଫଳାଫଳକୁ ପ୍ରକାଶ କରେ।
“Wandering Jew” ଓ ଅଶ୍ୱତ୍ଥାମା ଶାରୀରିକ ଓ ଆଧ୍ୟାତ୍ମିକ ଯନ୍ତ୍ରଣା ସହିତ ଅନନ୍ତ ଵା ଦୀର୍ଘକାଳୀନ ଭ୍ରମଣର ଅଭିଶାପ ପାଆନ୍ତି, କୈନଙ୍କ ଅଭିଶାପରେ ଭ୍ରମଣ ସହ କୃଷି ବନ୍ଧ୍ୟାତା ଓ ସୁରକ୍ଷା ଚିହ୍ନ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଶ୍ଵତ୍ଥାମାଙ୍କ ମସ୍ତକରୁ ମଣି ଚାଲିଗଲାପରେ ତାଙ୍କ ମସ୍ତକରେ ମଧ୍ୟ ଏକ ଚିହ୍ନ ରହିଯାଇଥିଵା କଥା ଭାରତୀୟ ପୁରାଣ ଗାଥାରେ ଉଲ୍ଲେଖ କରାଯାଇଛି । କେଵଳ ଏମେଶ ଓ ଏନଟେନରେ ଅଭିଶାପ ନାହିଁ ।
“Wandering Jew” ମଧ୍ୟଯୁଗୀୟ ଖ୍ରୀଷ୍ଟୀୟ ୟୁରୋପରୁ ଉତ୍ପନ୍ନ, ଈହୁଦୀ-ବିରୋଧୀ ଭାବନାକୁ ପ୍ରତିଫଳିତ କରେ। କୈନ ଓ ହାବେଲ ଆବ୍ରାହାମିକ ନୈତିକତା ଉପରେ ଗୁରୁତ୍ୱ ଦିଅନ୍ତି। ଏମେଶ ଓ ଏନଟେନ ମେସୋପୋଟାମିଆର ଅର୍ଥନୈତିକ ମୂଲ୍ୟବୋଧକୁ ଦର୍ଶାଇଥାଏ। ଅଶ୍ୱତ୍ଥାମାଙ୍କ ଜୀଵନଗାଥା ଭାରତୀୟ ମହାକାଵ୍ୟ ପରମ୍ପରାରେ ଧର୍ମ ଓ କର୍ମଫଳ ଉପରେ ଆଲୋକପାତ କରେ।
“Wandering Jew” ଖ୍ରୀଷ୍ଟୀୟ ଧର୍ମ ଗ୍ରହଣ କରି ମୁକ୍ତି ଖୋଜେ। କୈନ ସୁରକ୍ଷା ପାଆନ୍ତି, କିନ୍ତୁ ତାଙ୍କର ମୁକ୍ତି ଅସ୍ପଷ୍ଟ। ଏମେଶ ଏନଲିଲଙ୍କ ନିଷ୍ପତ୍ତି ମାନି ନିଅନ୍ତି। ଅଶ୍ୱତ୍ଥାମା ମଣି ତ୍ୟାଗ କରି ଅନୁତାପରେ ଭ୍ରମଣ କରନ୍ତି।
କୈନଙ୍କ କାହାଣୀ ହତ୍ୟାରେ ଶେଷ ହୁଏ, ଯାହା ଏମେଶ ଓ ଏନଟେନରେ ନାହିଁ। ଅଶ୍ୱତ୍ଥାମାର ଗଣହତ୍ୟା ଓ ଗର୍ଭସ୍ଥ ଶିଶୁ ଆକ୍ରମଣ ଅତ୍ୟନ୍ତ ହିଂସାତ୍ମକ। “Wandering Jew”ରେ ଅପମାନ ମୌଖିକ। ସମାଧାନରେ କୈନ ନୂଆ ଜୀଵନ ଆରମ୍ଭ କରନ୍ତି, ଏମେଶ ଵିଧିର ଵିଧାନକୁ ମାନି ନିଅନ୍ତି, ଅଶ୍ୱତ୍ଥାମା ଭ୍ରମଣ କରନ୍ତି ଏଵଂ “Wandering Jew” ପ୍ରାୟଶ୍ଚିତ ଖୋଜି ପାଆନ୍ତି ।
ଏହି କାହାଣୀଗୁଡ଼ିକ ଐଶ୍ୱରିକ ନ୍ୟାୟ ଓ ଦ୍ୱନ୍ଦ୍ୱରେ ସମାନ, କିନ୍ତୁ ସାଂସ୍କୃତିକ ଦୃଷ୍ଟିକୋଣ, ଦଣ୍ଡର ପ୍ରକୃତି ଓ ନୈତିକ ଗୁରୁତ୍ୱରେ ଭିନ୍ନ, ଯାହା ସେମାନଙ୍କର ପରମ୍ପରାର ଅନନ୍ୟ ଧାର୍ମିକ ଓ ସାମାଜିକ ଅଗ୍ରାଧିକାରକୁ ପ୍ରତିଫଳିତ କରେ।
ଇଂରେଜ ଶାସନ ଯୁଗରେ ତତ୍କାଳୀନ ଇତିହାସଵିଦ୍ ଓ ପ୍ରତ୍ନତତ୍ତ୍ୱଵିଦ୍ମାନେ ମହାଭାରତ ଯୁଦ୍ଧ ଯଦି ହୋଇଥାଏ ତେବେ ତାହା ଖ୍ରୀଷ୍ଟପୂର୍ଵ ୧୮୦୦-୧୫୦୦ ମଧ୍ୟରେ ହୋଇଥିଵାର ଅନୁମାନ ସେ ସମୟର ଜ୍ଞାନ ଅନୁସାରେ କରିଥିଲେ । ଆଧୁନିକ ଯୁଗରେ ଡକ୍ଟର ନରହରି ଆଚାର ଭଳି ଵିଦ୍ଵାନମାନେ ମହାଭାରତ ଯୁଦ୍ଧ ଖ୍ରୀଷ୍ଟପୂର୍ଵ ୩୦୬୭ରେ ହୋଇଥିଵାର ଅନୁମାନ କରିଛନ୍ତି। ତାଙ୍କ ଅନୁସାରେ, ଏହି ସମୟ ମହାଭାରତରେ ଵର୍ଣ୍ଣିତ ଗ୍ରହସ୍ଥିତି ଓ ଖଗୋଳୀୟ ଘଟଣାଗୁଡ଼ିକ ସହ ସମ୍ପୂର୍ଣ୍ଣ ମେଳ ଖାଏ। ଡକ୍ଟର ନରହରୀ, ମହାଭାରତର ଉଦ୍ୟୋଗ ପର୍ଵ ଓ ଭୀଷ୍ମ ପର୍ଵରେ ଵର୍ଣ୍ଣିତ ଗ୍ରହସ୍ଥିତି, ଚନ୍ଦ୍ର ଓ ସୌର ଗ୍ରହଣ ଏଵଂ ଅନ୍ୟାନ୍ୟ ଖଗୋଳୀୟ ଘଟଣାକୁ ଵିଶ୍ଳେଷଣ କରିଛନ୍ତି। ସେ SkyMap Pro, Red Shift, ଓ Cybersky ଭଳି ପ୍ଲାନେଟାରିୟମ ସଫ୍ଟୱେୟାର ଵ୍ୟଵହାର କରି ପ୍ରାଚୀନ ଆକାଶର ଅନୁକରଣ କରି ଦେଖାଇଛନ୍ତି ଯେ ଖ୍ରୀଷ୍ଟପୂର୍ଵ ୩୦୬୭ର ନଭେମ୍ବର ୨୫ରେ ଏକ ଚନ୍ଦ୍ର ଗ୍ରହଣ ଓ ଏକ ସୌର ଗ୍ରହଣ ଘଟିଥିଲା, ଯାହା ମହାଭାରତର ଵର୍ଣ୍ଣନା ସହ ମେଳ ଖାଏ। ଡକ୍ଟର ନରହରୀ ଆଚାରଙ୍କ ଗଵେଷଣା ଅନୁସାରେ ମହାଭାରତରେ ଵର୍ଣ୍ଣିତ ଦ୍ୱାରକାର ନିମଜ୍ଜନ (ସମୁଦ୍ରରେ ବୁଡ଼ିଯିବା) ଖ୍ରୀଷ୍ଟପୂର୍ଵ ୩୦୩୧ରେ ଘଟିଥାଇପାରେ ଏଵଂ ତାହା Burckle Crater impact ଭଳି ଭୂତାତ୍ତ୍ୱିକ ଘଟଣା ସହ ଜଡ଼ିତ ହୋଇପାରେ। ତେଣୁ ମହାଭାରତର ସମୟକାଳ ପାଖାପାଖି ୫୦୦୦ରୁ ୩୫୦୦ ଵର୍ଷ କରାଯାଇପାରେ ।
ଇହୁଦୀ ଓ ଖ୍ରୀଷ୍ଟିୟାନ ପରମ୍ପରା ଅନୁସାରେ, ଜେନେସିସ୍ ମୋଶେ (Moses) ଦ୍ୱାରା ଲେଖାଯାଇଥିଲା ଏଵଂ ସେ ଖ୍ରୀଷ୍ଟପୂର୍ଵ ୧୫ଶ ଶତାବ୍ଦୀର (ପ୍ରାୟ ୧୪୪୦-୧୪୦୦ ବିସି) ଲୋକ ଥିଲେ ବୋଲି ଅନୁମାନ କରାଯାଏ। ଏହି ମତ ଅନୁସାରେ, ମୋଶେ ଈଶ୍ୱରଙ୍କ ପ୍ରେରଣାରେ ତୋରାର ପାଞ୍ଚଟି ପୁସ୍ତକ (ଜେନେସିସ୍, ଏକ୍ସୋଡସ୍, ଲେଭିଟିକସ୍, ନମ୍ବର୍ସ, ଓ ଡ୍ୟୁଟେରୋନୋମି) ରଚନା କରିଥିଲେ। ଆଧୁନିକ ବାଇବେଲ ଗଵେଷକମାନେ Documentary Hypothesis ଅନୁସାରେ, ଜେନେସିସ୍ ଏକାଧିକ ରଚୟିତାଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ଵ ୧୦୦୦-୫୦୦ ମଧ୍ୟରେ ରଚିତ ଓ ସଂକଳିତ ହୋଇଥିଲା ବୋଲି ମତ ଦିଅନ୍ତି। ଆବ୍ରାହାମିକ ସଂସ୍କୃତି ଅପେକ୍ଷା ଭାରତୀୟ ସଂସ୍କୃତି ଓ ମେସୋପୋଟାମିଆ ସଂସ୍କୃତି ଅଧିକ ପୁରାତନ । ଅନୁମାନ କରାଯାଇପାରେ ଯେ ଭାରତୀୟ ମହାକାଵ୍ୟରେ ଥିଵା ଅଶ୍ଵତ୍ଥାମାଙ୍କ ଜୀଵନୀ ତଥା ମେସୋପୋଟାମିଆର ପ୍ରାଚୀନ ଲୋକଗାଥାରୁ ପ୍ରଭାଵିତ ହୋଇ ପରେ ବାଇବେଲର ଜେନେସିସ୍ରେ କୈନ୍ ଓ ଆବେଲଙ୍କ ଗାଥା ଯୋଡ଼ା ଯାଇଥିଵ ।
No comments:
Post a Comment