ପ୍ରାଚୀନ କାଳରୁ ଏଯାଵତ୍ ଋଗ୍ଵେଦର ମଣ୍ଡଳ ୪, ସୂକ୍ତ ୫୮,ମନ୍ତ୍ର ୩ର ଅନେକ ଭାଷ୍ୟ ରହିଛି । ଉକ୍ତ ମନ୍ତ୍ରଟି ହେଲା :
“ଚତ୍ୱାରିଶୃଙ୍ଗା ତ୍ରୟୋଽସ୍ୟ ପାଦା ଦ୍ୱେଶୀର୍ଷେ ସପ୍ତହସ୍ତାସୋଽସ୍ୟ।
ତ୍ରିଧାବଦ୍ଧୋ ଵୃଷଭୋ ରୋରଵୀତି ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ।।”
ଅର୍ଥାତ୍"ଚର୍ତୁଶୃଙ୍ଗ, ତ୍ରିପାଦ, ଦ୍ବିମୁଣ୍ଡ, ସପ୍ତହସ୍ତ; ତ୍ରିଧାବନ୍ଧନଯୁକ୍ତ ଵୃଷଭ ଗର୍ଜନ କରୁଛନ୍ତି । ଏହି ମହାନ୍ ଦେଵତା ମନୁଷ୍ୟଙ୍କ ମଧ୍ୟରେ (ଵା ମନୁଷ୍ୟଲୋକରେ) ପ୍ରଵେଶ କରିଛନ୍ତି।"
ସାୟଣାଚାର୍ଯ୍ୟଙ୍କ ଭାଷ୍ୟ ଅନୁସାରେ ଏହି ମନ୍ତ୍ରରେ କୁହାଯାଇଛି ଯେ ଚାରି ଶୃଙ୍ଗ ଅର୍ଥାତ୍ ଚାରି ଵେଦ(ଋଗ୍, ଯଜୁର୍, ସାମ, ଅଥର୍ଵ),ତିନି ପାଦ ଅର୍ଥାତ୍ ତିନି ସଵନ(ସକାଳ, ମଧ୍ୟାହ୍ନ, ସନ୍ଧ୍ୟା ଯଜ୍ଞ),ଦୁଇ ଶୀର୍ଷ(ବ୍ରହ୍ମୋଦନ ଓ ପ୍ରଵର୍ଗ୍ୟ ଅନୁଷ୍ଠାନ ଯଜ୍ଞର ଦୁଇ ପ୍ରଧାନ କର୍ମ), ସାତ ହସ୍ତ(ସାତ ଛନ୍ଦ ଵୈଦିକ ମନ୍ତ୍ରର ସାତ ପ୍ରକାର ମାପ), ତ୍ରିଧା ବଦ୍ଧ(ମନ୍ତ୍ର, କଳ୍ପ ଓ ବ୍ରାହ୍ମଣ - ଯଜ୍ଞର ତିନି ପ୍ରକାର ଵିଧି) ଯୁକ୍ତ ଵୃଷଭ(ଵର୍ଷଣକାରୀ ଵା ଫଳ ବର୍ଷଣ କରୁଥିଵା) ରୋରଵୀତି(ଗର୍ଜନ କରି) ଅର୍ଥାତ୍ ଯଜ୍ଞରେ ମନ୍ତ୍ରୋଚ୍ଚାରଣର ଧ୍ୱନି କରି ଅଗ୍ନିରୂପୀ ମହାନ୍ ଦେଵତା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଵେଶ କରିଛନ୍ତି।
ଏହି ଭାଷ୍ୟକୁ ଉକ୍ତ ମନ୍ତ୍ରର ପ୍ରକୃତ ଅର୍ଥ ବୋଲି ଅନେକେ ଵିଶ୍ଵାସ କରନ୍ତି । ତେଣୁ ଏହାକୁ ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ପାରମ୍ପରିକ ଅର୍ଥ ରୂପେ ମହତ୍ତ୍ୱ ଦିଆଯାଏ । କିନ୍ତୁ ଵୈଦିକ ଜ୍ଞାନ ଉପରେ ଅଧ୍ୟୟନ କରୁଥିଵା ଵିଦ୍ଵାନମାନେ କୁହନ୍ତି ଯେ ଵେଦରେ ପ୍ରତ୍ୟେକ ମନ୍ତ୍ରର ଏକାଧିକ ଅର୍ଥ ରହୁଥିଲା ଏଵଂ ତତ୍କାଳୀନ ଗୁରୁମାନେ ଆପଣାର ଶିଷ୍ୟମାନଙ୍କୁ ସେହି ମନ୍ତ୍ରମାନ ଶିଖାଇ ତହିଁର ଏକାଧିକ ଗୁପ୍ତ ଅର୍ଥ ଜଣାଉଥିଲେ । ସମୟ ବଦଳିଲା, ଭାରତୀୟ ଉପମହାଦେଶ ଵିଦେଶୀଙ୍କ ଦ୍ଵାରା ଏକ ହଜାର ଵର୍ଷ ଧରି ପରାଧୀନ ରହିଲା ତେଣୁ ସେହି ପ୍ରାଚୀନ ଜ୍ଞାନ ଲୋପ ପାଇଗଲା । ତେବେ ପ୍ରାଚୀନ କାଳରେ କେହି କେହି ପଣ୍ଡିତ ଵୈଦିକ ମନ୍ତବ୍ୟଗୁଡି଼କର ଏକାଧିକ ଭାଷ୍ୟ ଲେଖି ଯାଇଛନ୍ତି ତେଣୁ ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ମଧ୍ୟ ଅନେକ ଭାଷ୍ୟ ରହିଛି ।
ଅତଏଵ୍ ପ୍ରୋକ୍ତ ମନ୍ତ୍ରର ମଧ୍ୟ ଏକାଧିକ ଭାଷ୍ୟ ରହିଛି। ସୂର୍ଯ୍ୟ (ଆଦିତ୍ୟ) ଆଧାରିତ ଭାଷ୍ୟ ଅନୁସାରେ —ଚାରି ଶୃଙ୍ଗ ଅର୍ଥାତ୍ ଚାରି ଦିଗ (ପୂର୍ଵ, ପଶ୍ଚିମ, ଉତ୍ତର, ଦକ୍ଷିଣ),ତିନି ପାଦ ଅର୍ଥାତ୍ ତିନି ସମୟ(ସକାଳ, ମଧ୍ୟାହ୍ନ, ସନ୍ଧ୍ୟା) ଦୁଇ ଶୀର୍ଷ ଅର୍ଥାତ୍(ଦିନ ଓ ରାତ୍ରି), ସାତ ହସ୍ତ ଅର୍ଥାତ୍ ସୂର୍ଯ୍ୟଙ୍କ ସାତ କିରଣ ଵା ସାତ ଅଶ୍ୱ ଵା ସାତରଙ୍ଗ(ଲାଲ, ନାରଙ୍ଗୀ, ହଳଦିଆ, ସବୁଜ, ନୀଳ,ଘନନୀଳ, ବାଇଗଣୀ), ତ୍ରିଧା ବଦ୍ଧ ଅର୍ଥାତ୍ ତିନି ଲୋକ(ପୃଥିଵୀ, ଅନ୍ତରୀକ୍ଷ, ସ୍ୱର୍ଗ)ରେ ଆବଦ୍ଧ ଵୃଷଭ ଅର୍ଥାତ୍ ଶକ୍ତିଦାୟୀ ସୂର୍ଯ୍ୟ ରୋରଵୀତି ଅର୍ଥାତ୍ ଗର୍ଜନ ସହିତ ବ୍ରହ୍ମାଣ୍ଡୀୟ ଶକ୍ତିର ପ୍ରକାଶ କରି ସୂର୍ଯ୍ୟରୂପୀ ମହାନ୍ ଦେଵତା ମନୁଷ୍ୟଲୋକ ମର୍ତ୍ତ୍ୟ ମଧ୍ୟରେ ପ୍ରଵେଶ କରିଛନ୍ତି।
ସମୟ,କାଳ ଵା ସମ୍ବତ୍ସର ଉପରେ ଆଧାରିତ ଅନ୍ୟ ଏକ ଭାଷ୍ୟ ଅନୁସାରେ ଏହି ମନ୍ତ୍ରରେ କୁହାଯାଇଛି ଯେ ଚାରି ଶୃଙ୍ଗ ଅର୍ଥାତ୍ ଚାରି ଯୁଗ(ସତ୍ୟ, ତ୍ରେତା, ଦ୍ୱାପର, କଳି), ତିନି ପାଦ ଅର୍ଥାତ୍ ତିନି କାଳ(ଅତୀତ,ଵର୍ତ୍ତମାନ, ଭବିଷ୍ୟତ୍), ଦୁଇ ଶୀର୍ଷ ଅର୍ଥାତ୍ ସୃଷ୍ଟି ଓ ଵିନାଶର ଦ୍ୱନ୍ଦ୍ୱ, ସାତ ହସ୍ତ ଅର୍ଥାତ୍ ସାତ ଦିନର ସପ୍ତାହ ଵା ସାତ ଗ୍ରହର ପ୍ରଭାଵ, ତ୍ରିଧା ବଦ୍ଧ ଅର୍ଥାତ୍ ସମୟର ତିନି ଵିଭାଗ ଦିନ, ରାତ୍ରି, ମାସରେ ବନ୍ଧା ଵୃଷଭ ଅର୍ଥାତ୍ ନିରନ୍ତର ଗତିଶୀଳ ସମୟ ରୋରଵୀତି ଅର୍ଥାତ୍ ଗର୍ଜନ କରି ଚକ୍ରମୟ ଧ୍ୱନି ସୃଷ୍ଟି କରି ସମୟରୂପୀ ସେହି ମହାନ୍ ଦେଵତା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଵେଶ କରିଛନ୍ତି।
ଏହି ମନ୍ତ୍ରର ବ୍ରହ୍ମାଣ୍ଡୀୟ ପୁରୁଷ (ଦିଵ୍ୟପୁରୁଷ) ଆଧାରିତ ଭାଷ୍ୟ ଶ୍ରୀ ଅରବିନ୍ଦଙ୍କ ଦ୍ଵାରା କରାଯାଇଥିଲା । ତାଙ୍କ ମତରେ ଏହି ମନ୍ତ୍ରରେ କୁହାଯାଇଛି ଯେ ଚାରି ଶୃଙ୍ଗ ଅର୍ଥାତ୍ ଅନନ୍ତ ଅସ୍ତିତ୍ୱ, ଚେତନା, ଆନନ୍ଦ ଓ ସତ୍ୟ, ତିନି ପାଦ ଅର୍ଥାତ୍ ମାନସିକ, ପ୍ରାଣଶକ୍ତି ଓ ଶାରୀରିକ ସ୍ତର, ଦୁଇ ଶୀର୍ଷ ଅର୍ଥାତ୍ ଆତ୍ମା ଓ ପ୍ରକୃତିର ଦ୍ୱୈତ ଚେତନା, ସାତ ହସ୍ତ ଅର୍ଥାତ୍ ଅସ୍ତିତ୍ୱର ସାତ ପ୍ରାକୃତିକ ନୀତି, ତ୍ରିଧା ବଦ୍ଧ ଅର୍ଥାତ୍ ମନ, ପ୍ରାଣ ଓ ଶରୀରରେ ବନ୍ଧା ଯୁକ୍ତ ଵୃଷଭ ଅର୍ଥାତ୍ ଦିଵ୍ୟ ଶକ୍ତି ରୋରବୀତି ଅର୍ଥାତ୍ ଗର୍ଜନ କରି ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରି ଦିଵ୍ୟ ପୁରୁଷରୂପୀ ମହାନ୍ ଦେଵତା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି।
ଋଗ୍ବେଦର ଏହି ମନ୍ତ୍ରକୁ ଗଣିତ ଦୃଷ୍ଟିରୁ ମଧ୍ୟ କେହି କେହି ଵ୍ୟାଖ୍ୟା କରି କୁହନ୍ତି ଯେ ଚାରୋଟି ଶିଙ୍ଗ ଅର୍ଥାତ୍ ଗଣିତର ଚାରିଟି ମୌଳିକ ଶାଖା—ଅଙ୍କଗଣିତ, ଜ୍ୟାମିତି, ବୀଜଗଣିତ ଓ ସଂଖ୍ୟାତତ୍ତ୍ୱ ଅଟେ । ତିନୋଟି ପାଦ ତ୍ରିଭୁଜର ତିନୋଟି ପାର୍ଶ୍ୱ ଵା ତିନୋଟି ମାତ୍ରା (ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା)କୁ ସୂଚାଏ। ଦୁଇଟି ମୁଣ୍ଡ ସମୀକରଣର ଦୁଇ ପାର୍ଶ୍ୱ ଵା ସମ ଓ ଵିଷମ ସଂଖ୍ୟାର ଦ୍ୱୈତତାକୁ ନିର୍ଦ୍ଦେଶ କରେ। ସାତୋଟି ହାତ ସାତ ପ୍ରକାରର ଗାଣିତିକ ପ୍ରକ୍ରିୟା—ଯୋଗ, ଵିୟୋଗ, ଗୁଣନ, ଭାଗ, ଘାତ, ବର୍ଗମୂଳ, ଓ ଅନୁପାତ—କୁ ପ୍ରତିନିଧିତ୍ୱ କରେ। ତିନି ପ୍ରକାରେ ବନ୍ଧା ତିନୋଟି ଗାଣିତିକ ସମ୍ପର୍କ—ସମାନତା, ଅନୁପାତ, ଓ ଜ୍ୟାମିତିକ ମାପ—କୁ ବୁଝାଏ। "ଷଣ୍ଢ ପରି ଗର୍ଜନ" ଗାଣିତିକ ଗଣନାର ଶକ୍ତି ଓ ଯଥାର୍ଥତାକୁ ପ୍ରକାଶ କରେ, ଏଵଂ "ଗଣିତ ରୂପୀ ମହାନ ଦେଵତା ମର୍ତ୍ୟାଂ ପ୍ରଵେଶ" ଗଣିତର ସାର୍ଵଜନୀନତା ଓ ଦୈନନ୍ଦିନ ଜୀଵନରେ ଏହାର ପ୍ରୟୋଗକୁ ସୂଚାଇଥାଏ।
ଋଗ୍ବେଦର ଏହି ମନ୍ତ୍ରର ଶରୀର ଵିଜ୍ଞାନ ଦୃଷ୍ଟିରୁ ମଧ୍ୟ ବ୍ୟାଖ୍ୟା କରାଯାଇଛି । ଏଠାରେ ଚାରୋଟି ଶୃଙ୍ଗ ଶରୀରର ଚାରି ପ୍ରଧାନ ପ୍ରଣାଳୀ(ସଂଚାଳନ, ପାଚନ, ଶ୍ୱାସକ୍ରିୟା, ଓ ନାଡ଼ୀ ତନ୍ତ୍ର) ଅଟେ । ତିନୋଟି ପାଦ ଶରୀରର ତିନି ପ୍ରଧାନ ଶକ୍ତି କ୍ଷେତ୍ର(ମନ, ପ୍ରାଣ, ଓ ଶାରୀରିକ ଶକ୍ତି)କୁ ସୂଚାଏ। ଦୁଇଟି ଶୀର୍ଷ ମସ୍ତିଷ୍କର ଵାମ ଓ ଦକ୍ଷିଣ ଗୋଲାର୍ଦ୍ଧର ଦ୍ୱୈତତାକୁ ନିର୍ଦ୍ଦେଶ କରେ। ସାତୋଟି ହସ୍ତ ଶରୀରର ସାତ ଚକ୍ର(ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞା, ସହସ୍ରାର)କୁ ପ୍ରତିନିଧିତ୍ୱ କରେ। "ତିନି ପ୍ରକାରେ ବନ୍ଧା" ଶରୀରର ତିନି ପ୍ରଧାନ ଶକ୍ତି ପ୍ରଵାହ(ଇଡା, ପିଙ୍ଗଳା, ଓ ସୁଷୁମ୍ନା ନାଡ଼ୀ)କୁ ବୁଝାଏ। "ଵୃଷଭ ରୋରଵୀତି" ଜୀଵନ ଶକ୍ତି ଵା ମେଟାବୋଲିଜିମ୍ର ଶକ୍ତିମୟ ସଂଚାରଣର ଗର୍ଜନକୁ ପ୍ରକାଶ କରେ। "ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ" ଜୈଵିକ ଶକ୍ତିର ଶରୀରରେ ପ୍ରଵେଶ ଓ ଜୀଵନ ପ୍ରକ୍ରିୟାକୁ ଚାଳନା କରିଵାକୁ ସୂଚାଇଥାଏ।
କେହି କେହି ମଧ୍ୟ ଋଗ୍ଵେଦରେ ଥିଵା ପ୍ରୋକ୍ତ ମନ୍ତ୍ରର ବ୍ରହ୍ମାଣ୍ଡୀୟ ଜ୍ଞାନ ଦୃଷ୍ଟିରୁ ଵ୍ୟାଖ୍ୟା କରିଥାନ୍ତି । ଚାରୋଟି ଶୃଙ୍ଗ, ବ୍ରହ୍ମାଣ୍ଡର ଚାରି ମୌଳିକ ବଳ(ଗୁରୁତ୍ୱାକର୍ଷଣ, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍, ଦୁର୍ଵଳ ପାରମାଣଵିକ ଓ ଶକ୍ତିଶାଳୀ ପାରମାଣଵିକ) ଅଟେ । ତିନୋଟି ପାଦ, ମହାକାଶର ତିନି ମୌଳିକ ଅଵସ୍ଥା(ପଦାର୍ଥ, ଶକ୍ତି, ଓ ଶୂନ୍ୟତା)କୁ ସୂଚାଏ। ଦୁଇଟି ଶୀର୍ଷ, ଦୃଶ୍ୟମାନ ବ୍ରହ୍ମାଣ୍ଡ ଓ ଅଦୃଶ୍ୟ ଡାର୍କ ମ୍ୟାଟର୍ ତଥା ଡାର୍କ ଏନର୍ଜିର ଦ୍ୱୈତତାକୁ ନିର୍ଦ୍ଦେଶ କରେ। ସାତୋଟି ହସ୍ତ ସୂର୍ଯ୍ୟକିରଣର ଦୃଶ୍ୟମାନ ସ୍ପେକ୍ଟ୍ରମର ସାତ ରଙ୍ଗ(ଲାଲ, ନାରଙ୍ଗୀ, ହଳଦିଆ, ସବୁଜ, ନୀଳ, ଘନନୀଳ, ବାଇଗଣୀ)କୁ ପ୍ରତିନିଧିତ୍ୱ କରେ। "ତିନି ପ୍ରକାରେ ବନ୍ଧା" ଅର୍ଥାତ୍ ମହାକାଶରେ ଶକ୍ତିର ତିନି ପ୍ରକାର ପ୍ରକାଶ(ତାପ, ଆଲୋକ, ଓ ଵିକିରଣ)କୁ ବୁଝାଏ। "ଵୃଷଭ ରୋରଵୀତି" ସୂର୍ଯ୍ୟ ଵା ବ୍ରହ୍ମାଣ୍ଡୀୟ ଶକ୍ତିର ଵିକିରଣ ଓ ସଂଚାରଣର ଗର୍ଜନକୁ ପ୍ରକାଶ କରେ। "ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ" ବ୍ରହ୍ମାଣ୍ଡୀୟ ଶକ୍ତିର ପୃଥିଵୀରେ ପ୍ରଵେଶ ଓ ଜୀଵନ ସମ୍ଭଵ କରିଵାକୁ ସୂଚାଇଥାଏ।
ତେବେ ଏହି ସବୁ ଭାଷ୍ଯ ଓ ଵ୍ୟାଖ୍ୟା ଛଡ଼ା ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ଭାଷା ଵା ଵ୍ୟାକରଣ ସମ୍ବନ୍ଧୀୟ ଅନ୍ୟ ଏକ ଜଣାଶୁଣା ଭାଷ୍ୟ ମଧ୍ୟ ରହିଛି । କେହି କେହି କୁହନ୍ତି ପତଞ୍ଜଳିଙ୍କର ମହାଭାଷ୍ୟରେ ପ୍ରୋକ୍ତ ଵୈଦିକ ମନ୍ତ୍ର ଓ ତହିଁର ଭାଷ୍ୟ ଉଲ୍ଲେଖ ଅଛି । ତେଣୁ ଭାଷା ଓ ଵ୍ୟାକରଣ ସମ୍ବନ୍ଧୀୟ ଏହି ଭାଷ୍ୟକୁ ଚାଲନ୍ତୁ ଵିସ୍ତାର କରି ଜାଣିଵା !
ଭାଷା ଵା ଵ୍ୟାକରଣ ଦୃଷ୍ଟିରୁ ଦେଖିଲେ
ଚତ୍ୱାରି ଶୃଙ୍ଗା (ଚାରି ଶୃଙ୍ଗ) ଭାଷାର ଚାରିଟି ମୌଳିକ ଅଙ୍ଗ(ନାମ, ଅଖ୍ୟାତ, ନିପାତ ଓ ଉପସର୍ଗ)କୁ ସୂଚାଏ । ଏହି ଚାରି ଅଙ୍ଗ ଭାଷାର ଵ୍ୟାକରଣିକ ଗଠନର ମୂଳାଧାର।
ସଂଜ୍ଞା ଶବ୍ଦକୁ ନାମ କୁହାଯାଏ ଯାହା କୌଣସି ଵ୍ୟକ୍ତି, ସ୍ଥାନ,ଵସ୍ତୁ ଵା ଭାଵକୁ ପ୍ରକାଶ କରେ। ଉଦାହରଣ ସ୍ୱରୂପ, “ନଦୀ”, “ରାମ” ଇତ୍ୟାଦି। ଅଖ୍ୟାତ ହିଁ କ୍ରିୟାପଦ, ଯାହା କାର୍ଯ୍ୟ, ଅଵସ୍ଥା ଵା ଘଟଣାକୁ ସୂଚାଏ, ଯେପରି “ଗଚ୍ଛତି” ଵା “ଯାଉଛି”। ସଂସ୍କୃତ "ଚ" ତଥା ଓଡ଼ିଆ "ଵା" ଭଳି ଅଵ୍ୟୟ ଶବ୍ଦଗୁଡ଼ିକୁ ନିପାତ କୁହାଯାଏ । ଅଵ୍ୟୟଵାକ୍ୟରେ ସମ୍ପର୍କକୁ ସୁଦୃଢ଼ କରେ। “ପ୍ର” ଵା “ସମ୍”
ଆଦି ଉପସର୍ଗ କ୍ରିୟା ଵା ଶବ୍ଦରେ ଯୋଗ ହୋଇ ଅର୍ଥରେ ପରିଵର୍ତ୍ତନ ଘଟାଇଥାଏ । ଏହି ଚାରି ଅଙ୍ଗ ଭାଷାର ମୌଳିକ ଗଠନକୁ ସୁନିର୍ଦ୍ଦିଷ୍ଟ କରେ, ଯାହା ଵିନା ବାକ୍ୟ ଗଠନ ଅସମ୍ଭଵ। ଭାଷାରେ "ତ୍ରୟୋଽସ୍ୟ ପାଦା" ଵା "ତିନି ପାଦ" ହେଲା "ଅତୀତ, ଵର୍ତ୍ତମାନ ଓ ଭଵିଷ୍ୟତ" । ଭାଷାରେ ଵାକ୍ଯଗଠନ ସମୟର ଏହି ତିନି ଆୟାମକୁ ନେଇ ଚାଳିତ ହୁଏ । ଏହା ମନୁଷ୍ୟକୁ ଅତୀତର ଅନୁଭବ, ଵର୍ତ୍ତମାନର ଚେତନା ଓ ଭଵିଷ୍ୟତର କଳ୍ପନାକୁ ଏକତ୍ରିତ କରିଵାରେ ସହାୟତା କରେ। ରାମ ଯାଉଥିଲା,ରାମ ଯାଉଅଛି,ରାମ ଯିଵ ଆଦି ପଦରେ ତିନିକାଳ ରହିଛି ।
ସେହିପରି ଭାଷାର ଦୁଇଟି ମୌଳିକ ଉଦ୍ଦେଶ୍ୟ : "କାର୍ଯ୍ୟ ଓ ଅର୍ଥ" ଦ୍ୱେ ଶୀର୍ଷେ ଵା ଦୁଇ ଶିର ପରି ହୋଇଥାଏ । ଭାଷା କେଵଳ ଅର୍ଥ ପ୍ରକାଶ କରେ ନାହିଁ, ଏହା କାର୍ଯ୍ୟକୁ ମଧ୍ୟ ପ୍ରେରଣା ଦିଏ। ଉଦାହରଣ ସ୍ୱରୂପ, “ଜଳଂ ପିଵ” ଏକ ନିର୍ଦ୍ଦେଶ (କାର୍ଯ୍ୟ) ହେଉଛି, ଯେଉଁଠି ଅର୍ଥ ହେଉଛି ପାଣି ପିଇଵାର ଭାଵ। ଏହି ଦୁଇଟି ଦିଗ ଭାଷାର ସାମାଜିକ ଓ ବୌଦ୍ଧିକ ମହତ୍ତ୍ୱକୁ ପ୍ରକାଶ କରେ।
ଭାଷାରେ ସପ୍ତହସ୍ତା ଵା ସାତହାତ
ସପ୍ତ ଵିଭକ୍ତି "ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ" ଅଟେ । ଏହି ଵିଭକ୍ତିଗୁଡ଼ିକ ଵାକ୍ୟରେ ଶବ୍ଦମାନଙ୍କର ସମ୍ପର୍କ ଓ ଅର୍ଥକୁ ସୁନିର୍ଦ୍ଦିଷ୍ଟ କରେ। ଉଦାହରଣ ସ୍ୱରୂପ, “ରାମଃ ଗଚ୍ଛତି(ରାମ ଯାଉଅଛି)”ରେ ପ୍ରଥମା ଵିଭକ୍ତି କର୍ତ୍ତାକୁ ସୂଚାଏ, ଆଉ “ରାମାୟ(ରାମର)” ଚତୁର୍ଥୀ ଵିଭକ୍ତି ସମ୍ପର୍କକୁ ପ୍ରକାଶ କରିଥାଏ।
"ତ୍ରିଧାବଦ୍ଧୋ ଵୃଷଭୋ ରୋରଵୀତି" ଭାଷାର ଉଚ୍ଚାରଣର ତିନିଟି ସ୍ଥାନକୁ ସୂଚାଏ "ଵକ୍ଷ (ଛାତି), କଣ୍ଠ ଓ ମୂର୍ଦ୍ଧା (ମୁଣ୍ଡ)" । ଏହି ତିନି ସ୍ଥାନରୁ ଧ୍ୱନି ଉତ୍ପନ୍ନ ହୁଏ, ଯାହା ଭାଷାର ଧ୍ୱନିଗତ ରୂପକୁ ସୃଷ୍ଟି କରେ। ଆଧୁନିକ ଧ୍ୱନିତତ୍ତ୍ୱରେ ମଧ୍ୟ ଏହି ସ୍ଥାନଗୁଡ଼ିକୁ ଧ୍ୱନି ଉତ୍ପାଦନର ମୂଳ ସ୍ଥାନ ରୂପେ ଗ୍ରହଣ କରାଯାଇଛି।
"ମହୋ ଦେଵୋ ମର୍ତ୍ୟାଂ ଆଵିଵେଶ" ପଦ
ଭାଷାକୁ ଏକ ମହାନ ଦୈଵୀ ଶକ୍ତି ରୂପେ ଵର୍ଣ୍ଣନା କରେ ଯାହା ମନୁଷ୍ୟ ମଧ୍ୟରେ ଵା ମନୁଷ୍ୟଲୋକରେ ପ୍ରଵେଶ କରି ସେମାନଙ୍କୁ ଜ୍ଞାନ, ଚେତନା ଓ ସମ୍ପର୍କର ମାଧ୍ୟମ ପ୍ରଦାନ କରେ। ଏହା ଭାଷାର ଅଧ୍ୟାତ୍ମିକ ମହତ୍ତ୍ୱକୁ ସୂଚାଏ ଯାହା ମନୁଷ୍ୟକୁ ଈଶ୍ୱରୀୟ ଚେତନା ସହ ସଂଯୋଗ କରେ।
ଭାଷାକୁ ଏକ ଵୃଷଭ (ବଳଦ) ରୂପେ କଳ୍ପନା କରି ପ୍ରୋକ୍ତ ଭାଷ୍ୟ ଲେଖାଯାଇଥିଲା । ଭାଷା ଓ ଵ୍ୟାକରଣ ପରିପ୍ରେକ୍ଷୀରେ ଏହି ଵୃଷଭ ଶକ୍ତି, ସୃଜନଶୀଳତା ଓ ଜ୍ଞାନର ପ୍ରତୀକ। ଏହା ମନୁଷ୍ୟର ମନକୁ ଆଲୋକିତ କରେ ଏଵଂ ତାହାର ଚିନ୍ତନକୁ ଅନନ୍ତ ସମ୍ଭାଵନାର ଦିଗରେ ନେଇଯାଏ। ତେଣୁ ଏ ଭାଷ୍ୟ ଦୃଷ୍ଟିରୁ ଦେଖିଲେ ଭାଷା କେଵଳ ଭାଵ ପ୍ରକାଶର ମାଧ୍ୟମ ନୁହେଁ ଵରଂ ଏକ ଦୈଵୀ ଶକ୍ତି ଯାହା ମନୁଷ୍ୟ ଜାତିର ସମଗ୍ର ଚେତନାକୁ ପରିଚାଳନା କରେ। ପୃଥିଵୀରେ ଅନ୍ୟ ସମସ୍ତ ପ୍ରାଚୀନ ସଭ୍ୟତାଗୁଡ଼ିକର ଯେତେ ଗ୍ରନ୍ଥ ଅଛି ତହିଁର ଅଧ୍ୟୟନ କରନ୍ତୁ କିନ୍ତୁ କୋଉଠି ବି ଏଭଳି ଏକ ପଦ ପାଇବେ ନାହିଁ ଯହିଁର ଵିଭିନ୍ନ ଜ୍ଞାନ ଵିଜ୍ଞାନ ଆଧାରରେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରାଯାଇପାରୁଥିଵ । ଯଦି ଆମେ ପୃଥିଵୀର ଅନ୍ୟ ପ୍ରାଚୀନ ଗ୍ରନ୍ଥମାନଙ୍କୁ ପରୀକ୍ଷା କରୁ, ତେବେ ଋଗ୍ଵେଦର ଏହି ଶ୍ଲୋକର ଶ୍ରେଷ୍ଠତ୍ୱ ଓ ଅନନ୍ୟତା ସ୍ପଷ୍ଟ ହୁଏ। ସମ୍ଭଵତଃ ପ୍ରାଚୀନ କାଳରେ ଋଷିମୁନିଙ୍କ ଦ୍ଵାରା ଗୋଟିଏ ଗୋଟିଏ ମନ୍ତ୍ରରେ ଏକାଧିକ ଜ୍ଞାନ ଵିଜ୍ଞାନର କଥାକୁ ଗୁପ୍ତରେ ଲେଖାଯାଇଥିଲା। ଗୁରୁମାନେ ମନ୍ତ୍ରଗୁଡ଼ିକୁ ଶିଷ୍ୟଙ୍କୁ ଘୋଷାଇ ତହିଁର ଗୂଢ଼ ଗୁପ୍ତ ଅର୍ଥ ସେମାନଙ୍କୁ ଜଣାଉଥିଲେ । ଵିଦେଶୀମାନେ ଯେତେବେଳେ ଵେଦ ସହିତ ପରିଚିତ ହେଲେ ସେମାନେ ଏହାର ଵାହ୍ୟ ଅର୍ଥକୁ ବୁଝି ତାକୁ ତତ୍କାଳୀନ ସମୟରେ ରଚିତ "ମେଷପାଳକର ଗୀତ" ଆଖ୍ୟା ଦେଲେ । ଆଜି ବି ଆମ ସମାଜରେ କିଛି ମୂର୍ଖ ୨୦୦ ଵର୍ଷ ୪୦୦ ଵର୍ଷ ତଳର ପାଶ୍ଚାତ୍ୟ ଦେଶଵାସୀଙ୍କ ଏହି ପଦ ବୋଲି "ଵେଦ ଓ ଵୈଦିକ ଜ୍ଞାନ"ର ଅପମାନ କରିଵାକୁ ଚେଷ୍ଟା କରନ୍ତି । କିନ୍ତୁ ପ୍ରକୃତରେ କ’ଣ ସୂର୍ଯ୍ୟଙ୍କୁ ଢେଲା ମାରି ହୁଏ ? ପଥର ମାରିଵା ଲୋକ ସିନା ଶେଷରେ ଅପଦସ୍ତ ହୁଏ । ପ୍ରୋକ୍ତ ଋଗ୍ଵେଦୀୟ ମନ୍ତ୍ରର ଭିନ୍ନ ଭିନ୍ନ ଭାଷ୍ୟ ସ୍ପଷ୍ଟ କରେ ଯେ ଵେଦ ସ୍ଵୟଂ ଜ୍ଞାନର ସୂର୍ଯ୍ୟ ପରି ଏହାକୁ "ମେଷପାଳକର ଗୀତ" ବୋଲି କହିଵାର କୌଣସି ଔଚିତ୍ୟତା ହିଁ ନାହିଁ ।
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଋଗ୍ବେଦୀୟ ମନ୍ତ୍ରଗୁଡ଼ିକ ଗଡ୍ଡରିଆ ଵା ମେଷପାଳକର ଗୀତ ନୁହେଁ। ଏ ମନ୍ତ୍ରଗୁଡ଼ିକ ପ୍ରାଚୀନ ସଂସ୍କୃତରେ ରଚିତ ଧାର୍ମିକ, ଦାର୍ଶନିକ ଓ ଆଧ୍ୟାତ୍ମିକ ସ୍ତୁତି ଯାହା ଵୈଦିକ ଯୁଗର ଋଷିମାନଙ୍କ ଦ୍ବାରା ରଚିତ। ଏହା ଦେଵତାଙ୍କୁ (ଯେପରିକି ଇନ୍ଦ୍ର, ଅଗ୍ନି, ବରୁଣ) ସମ୍ବୋଧନ କରି ପ୍ରାର୍ଥନା, ସ୍ତୁତି ଓ ଯଜ୍ଞାନୁଷ୍ଠାନ ପାଇଁ ଉଦ୍ଦିଷ୍ଟ। ଏହାର ଭାଷା ଓ ଵିଷୟଵସ୍ତୁ ଅତ୍ୟନ୍ତ ଗଭୀର ଏଵଂ ସାଂକେତିକ ଯାହା ପ୍ରକୃତି, ବ୍ରହ୍ମାଣ୍ଡ ଓ ମାନଵ ଜୀଵନର ଦାର୍ଶନିକ ପ୍ରଶ୍ନକୁ ସମ୍ବୋଧନ କରେ। ଗଡ୍ଡରିଆ ଵା ମେଷପାଳକଙ୍କ ଗୀତ ସାଧାରଣତଃ ଲୋକସାହିତ୍ୟର ଅଂଶ ଯାହା ଦୈନନ୍ଦିନ ଜୀଵନ, ପ୍ରେମ ଵା ପ୍ରକୃତିର ସରଳ ଵର୍ଣ୍ଣନା ଉପରେ ଆଧାରିତ। ଋଗ୍ବେଦୀୟ ମନ୍ତ୍ର ଏହାଠାରୁ ବହୁତ ଭିନ୍ନ ତଥା ଅତି ଉନ୍ନତ । ତେଣୁ ଋଗ୍ଵେଦୀୟ ମନ୍ତ୍ରଗୁଡ଼ିକୁ ମେଷପାଳକର ଗୀତ କହିଵା ଭାରତୀୟ ସଂସ୍କୃତି ସଭ୍ୟତାର ଅପମାନ ଅଟେ ।
No comments:
Post a Comment