୧୦ ସେପ୍ଟେମ୍ବର ୨୦୨୫ ଦିନ ସମ୍ଭଵତଃ ମାନଵ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାରର ପ୍ରଥମ ପୃଷ୍ଠା ଲେଖାଯାଇଛି। କୌଣସି ସାଧାରଣ ଵ୍ୟକ୍ତି ନୁହେଁ ଵରଂ ଵିଶ୍ୱର ଅଗ୍ରଣୀ ମହାକାଶ ଗଵେଷଣା ସଂସ୍ଥା "ନାସା" ନିଜେ ଘୋଷଣା କରିଛି ଯେ ମଙ୍ଗଳ ଗ୍ରହରେ "ପରଗ୍ରହୀ ଜୀଵନ"ର ସଙ୍କେତ ମିଳିଛି। ଏହି ଖବର ମାନଵଜାତିର ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଚିନ୍ତାଧାରାକୁ ବଦଳାଇ ଦେଇପାରେ ଏଵଂ ଆମ ଜ୍ଞାନର ସୀମାକୁ ଆହୁରି ଵିସ୍ତାର କରିପାରେ। ମଙ୍ଗଳରେ ଥିଵା ନାସାର "ପର୍ସିଭିଅରେନ୍ସ ରୋଭର" ୨୦୨୧ ମସିହାରେ ମଙ୍ଗଳରେ ଅଵତରଣ କରିଥିଲା ଏଵଂ ଜେଜେରୋ କ୍ରେଟର ନାମକ ଏକ ପ୍ରାଚୀନ ହ୍ରଦ ଅଞ୍ଚଳରେ ଗଵେଷଣା କରୁଛି। ଏହି ରୋଭର କିଛି ପଥରର ନମୁନା ସଂଗ୍ରହ କରି ତା’ର ଵିଶ୍ଳେଷଣ କରିଛି। ମଙ୍ଗଳ ଗ୍ରହର ସେହି ପଥରଗୁଡ଼ିକରେ ଆୟରନ-ସଲଫାଇଡ୍ ଓ ହାଇଡ୍ରେଟେଡ୍ ଆୟରନ ଫସଫେଟ୍ ନାମକ ଖଣିଜ ମିଳିଛି। ନାସା ଅନୁସାରେ ଏହି ଖଣିଜଗୁଡ଼ିକ "ବାୟୋସିଗ୍ନେଚର" ଵା ଜୀବନର ସଙ୍କେତ। ଏହି ଖଣିଜଗୁଡ଼ିକ କେଵଳ ଜୀଵନ୍ତ ପ୍ରାଣୀ ହିଁ ସୃଷ୍ଟି କରିପାରନ୍ତି ଯେତେବେଳେ ସେମାନେ ମେଟାବୋଲିଜମ ପ୍ରକ୍ରିୟାରେ ରସାୟନିକ ପ୍ରତିକ୍ରିୟା (ରିଡକ୍ସନ ଓ ଅକ୍ସିଡେସନ) ମାଧ୍ୟମରେ ଶକ୍ତି ଉତ୍ପାଦନ କରନ୍ତି। ଯଦିଓ ଏପରି ଖଣିଜ ଅଜୈଵିକ ପ୍ରାକୃତିକ ପ୍ରକ୍ରିୟା ଦ୍ୱାରା ମଧ୍ୟ ତିଆରି ହୋଇପାରେ ତେବେ ନାସା ଏକ ଵର୍ଷ ଧରି ଏହି ତଥ୍ୟର ଗଭୀର ଅଧ୍ୟୟନ କରି ନିଶ୍ଚିତ କରିଛି ଯେ ମଙ୍ଗଳରେ ଏହି ଖଣିଜଗୁଡ଼ିକ ଜୀଵନ ଯୋଗୁଁ ସମ୍ଭଵ ହୋଇଛି। ଏହି ପରିସ୍ଥିତିରେ ଅଜୈଵିକ ପ୍ରକ୍ରିୟା ସମ୍ଭଵ ନୁହେଁ କାରଣ ମଙ୍ଗଳରେ ଏପରି ଖଣିଜ ସୃଷ୍ଟି କରିଵା ପାଇଁ ଆବଶ୍ୟକ ପରିଵେଶ ଵା ରାସାୟନିକ ଅଵସ୍ଥା ନାହିଁ। ଏହି ଆଵିଷ୍କାର ମଙ୍ଗଳରେ ଅତୀତରେ ସୂକ୍ଷ୍ମ ଜୀଵନର ସମ୍ଭାଵନାକୁ ଆହୁରି ଦୃଢ଼ କରୁଛି।
ଵୈଜ୍ଞାନିକମାନେ ଜାଣିଛନ୍ତି ଯେ ପ୍ରାୟ ତିନି ବିଲିୟନ ଵର୍ଷ ପୂର୍ଵେ ମଙ୍ଗଳ ଗ୍ରହରେ ଜଳମୟ ପରିଵେଶ ଥିଲା। ସେଠାରେ ହ୍ରଦ, ନଦୀ, ସମୁଦ୍ର ଓ ଵାୟୁମଣ୍ଡଳ ଥିଲା, ଯାହା ଜୀଵନ ପାଇଁ ଅନୁକୂଳ ଥିଲା। ପର୍ସିଭିଅରେନ୍ସ ଗବେଷଣା କରୁଥିଵା ମଙ୍ଗଳଗ୍ରହର ଜେଜେରୋ କ୍ରେଟର ଏକ ପ୍ରାଚୀନ ନଦୀର ତ୍ରିକୋଣଭୂମି ଅଞ୍ଚଳ ଥିଲା ଯେଉଁଠାରେ ଜଳ ଓ ଖଣିଜ ପଦାର୍ଥ ଏକତ୍ର ହୋଇଥିଲା। ଏହି ପରିଵେଶ ପୃଥିଵୀରେ ଜୀଵନର ଉତ୍ପତ୍ତି ପାଇଁ ଯେପରି ପରିସ୍ଥିତି ଥିଲା, ସେହିପରି ମଙ୍ଗଳରେ ମଧ୍ୟ ଥିଲା। ଯଦି ସୌରମଣ୍ଡଳର ଗଠନର ଏତେ ଅଳ୍ପ ସମୟ ମଧ୍ୟରେ ମଙ୍ଗଳରେ ସୂକ୍ଷ୍ମ ଜୀଵନ (ଯେପରି ବ୍ୟାକ୍ଟେରିଆ) ଉତ୍ପନ୍ନ ହୋଇଥାଏ, ତେବେ ଏଥିରୁ ଅନୁମାନ କରାଯାଇପାରେ ଯେ ଜୀଵନ ବ୍ରହ୍ମାଣ୍ଡରେ ଏକ ଦୁର୍ଲଭ ଘଟଣା ନୁହେଁ। ଯେଉଁଠାରେ ଜୀଵନ ପାଇଁ ଆଵଶ୍ୟକ ପରିସ୍ଥିତି—ଯେପରି ଜଳ, ଉପଯୁକ୍ତ ତାପମାତ୍ରା ଓ ରାସାୟନିକ ପଦାର୍ଥ—ମିଳେ, ସେଠାରେ ଜୀଵନର ଉତ୍ପତ୍ତି ଏକ ସାଧାରଣ ନିୟମ ହୋଇଯାଏ ।
ଆମ ଆକାଶଗଙ୍ଗାରେ ଜୀଵନ ଯୋଗ୍ୟ ଗ୍ରହମାନଙ୍କର ସଂଖ୍ୟା ଅନୁମାନ କରାଯାଇଛି। ଆମ ଚାରିପାଖରେ, ମାତ୍ର ୧୦୦ ପ୍ରକାଶଵର୍ଷ ବ୍ୟାସାର୍ଦ୍ଧ ମଧ୍ୟରେ ଜୀଵନଯୋଗ୍ୟ ହଜାର ହଜାର ଗ୍ରହ ଅଛି । ପୃଥିବୀ ପରି ଜୀଵନଯୋଗ୍ୟ ଯେଉଁ ଗ୍ରହଗୁଡ଼ିକରେ ଉପଯୁକ୍ତ ତାପମାତ୍ରା, ଜଳ ଓ ଵାୟୁମଣ୍ଡଳ ରହିଛି, ସେ ଗ୍ରହଗୁଡ଼ିକୁ "ହାବିଟେବଲ୍ ଜୋନ" ଵା ଜୀଵନ ଯୋଗ୍ୟ ଅଞ୍ଚଳ ମଧ୍ୟରେ ଗଣାଯାଏ। ଆମ ଆକାଶଗଙ୍ଗାରେ ଏପରି ଗ୍ରହଗୁଡ଼ିକର ସଂଖ୍ୟା କୋଟି କୋଟିରେ ହୋଇପାରେ। ଯଦି ମଙ୍ଗଳ ପରି ଏକ ନିକଟଵର୍ତ୍ତୀ ଗ୍ରହରେ ଜୀଵନର ସଙ୍କେତ ମିଳୁଛି ତେବେ ବ୍ରହ୍ମାଣ୍ଡରେ ଜୀଵନ ଅନେକ ସ୍ଥାନରେ ଵିଦ୍ୟମାନ ହୋଇପାରେ।
ତେବେ, ଏହାକୁ ପୂର୍ଣ୍ଣତଃ ନିଶ୍ଚିତ କରିଵା ପାଇଁ ଆହୁରି ଅଧିକ ପ୍ରମାଣ ଆଵଶ୍ୟକ। ଏହି ଦାବି ଅତ୍ୟନ୍ତ ଅସାଧାରଣ, ତେଣୁ ଵୈଜ୍ଞାନିକମାନେ ଅତ୍ୟନ୍ତ ସତର୍କ। ସେମାନେ କହୁଛନ୍ତି ଯେ ମଙ୍ଗଳରୁ ସେହି ପଥର ନମୁନାଗୁଡ଼ିକୁ ପୃଥିଵୀକୁ ଆଣି ଅତ୍ୟାଧୁନିକ ପରୀକ୍ଷାଗାରରେ ଵିସ୍ତୃତ ପରୀକ୍ଷଣ କରାଯାଇ ପାରିଲେ ହିଁ ଏହା ଚୂଡ଼ାନ୍ତ ଭାବେ ପ୍ରମାଣିତ ହୋଇପାରିବ। ନାସା ଏବେ ଏକ "ମାର୍ସ ସାମ୍ପଲ ରିଟର୍ନ" ମିଶନ ଉପରେ କାମ କରୁଛି, ଯାହା ମଙ୍ଗଳରୁ ନମୁନା ସଂଗ୍ରହ କରି ପୃଥିଵୀକୁ ଆଣିଵ। ଏହି ମିଶନ ୨୦୩୦ ଦଶକରେ ସଫଳ ହେଵାର ସମ୍ଭାବନା ରହିଛି। ଏହା ହେଲେ ଆମେ ମଙ୍ଗଳରେ ଜୀଵନର ଅସ୍ତିତ୍ୱ ଵିଷୟରେ ଆହୁରି ନିଶ୍ଚିତ ହୋଇପାରିଵା ।
ତେବେ ମଙ୍ଗଳରେ ଜୀଵନର ପ୍ରମାଣ ମିଳିଵା ସଂକ୍ରାନ୍ତୀୟ ନାସାର ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆମକୁ ବ୍ରହ୍ମାଣ୍ଡରେ ଜୀଵନର ସମ୍ଭାଵନା ଵିଷୟରେ ନୂଆ ଦିଗଦର୍ଶନ ଦେଇଛି । ଏହା ଆମକୁ ଏକ ମୌଳିକ ନିୟମ ମନେ ପକାଇ ଦେଉଛି: "Either One or Infinity"। ଅର୍ଥାତ୍, ଯଦି କୌଣସି ଘଟଣା ଗୋଟିଏ ଥର ହୋଇପାରେ, ତେବେ ସେହି ଘଟଣା ଦୁଇଥର ଵା ଅନନ୍ତ ଥର ମଧ୍ୟ ହୋଇପାରେ। ପୃଥିଵୀରେ ଜୀଵନ ଅଛି, ଏହା ଆମେ ଜାଣୁ। ଯଦି ମଙ୍ଗଳରେ ମଧ୍ୟ ଜୀଵନର ପ୍ରମାଣ ମିଳେ, ତେବେ ଏହା ସାଵ୍ୟସ୍ତ କରିଵ ଯେ ବ୍ରହ୍ମାଣ୍ଡରେ ଜୀଵନ ଏକ ଵିରଳ ଘଟଣା ନୁହେଁ। ଏହା ଅନେକ ସ୍ଥାନରେ, ଅନେକ ରୂପରେ ଵିଦ୍ୟମାନ ହୋଇପାରେ। ଏହି ଆଵିଷ୍କାର ଆମକୁ ଆହୁରି ଅନେକ ପ୍ରଶ୍ନ ଉଠାଇଵାକୁ ପ୍ରେରଣା ଦେଉଛି। ମଙ୍ଗଳରେ ଜୀଵନ ଥିଲେ, ତାହା କେଉଁ ରୂପରେ ଥିଲା? ସୂକ୍ଷ୍ମ ବ୍ୟାକ୍ଟେରିଆ ପରି କିମ୍ବା ଅନ୍ୟ କୌଣସି ରୂପରେ ଥିଲା ? ଏହା କେତେ ସମୟ ପୂର୍ଵେ ଵିଦ୍ୟମାନ ଥିଲା, ଆଉ ଏବେ ମଧ୍ୟ କ’ଣ ସେଠାରେ ଜୀଵନ ଅଛି କି ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ଆମକୁ ଆହୁରି ଧୈର୍ଯ୍ୟ ସହକାରେ ଗଵେଷଣା କରିଵାକୁ ହେଵ। କିନ୍ତୁ ଏଠାରେ ଏକ ପ୍ରଶ୍ନ ଆସେ ଆମେ ଏଲିଏନ୍ ଜୀଵନ ଖୋଜିଵା ସମୟରେ କାହିଁକି କେଵଳ ଜଳ, ଵାୟୁ ଓ କାର୍ବନକୁ ହିଁ ଗୁରୁତ୍ୱ ଦେଉଛୁ? ଜୀଵନ କ’ଣ ଏହାଠାରୁ ଭିନ୍ନ, ଅନ୍ୟ କୌଣସି ଜୈଵିକ ଵ୍ୟଵସ୍ଥା ଉପରେ ଆଧାରିତ ହୋଇପାରିଵ ନାହିଁ ?
ହଁ, ଜୀଵନ ଅନ୍ୟ ଜୈଵିକ ଵ୍ୟଵସ୍ଥା ଉପରେ ମଧ୍ୟ ଆଧାରିତ ହୋଇପାରେ। ଆମେ ଯେତେବେଳେ ଅନ୍ୟ ଗ୍ରହରେ ଜୀଵନର ଅନୁସନ୍ଧାନ କରୁଛୁ, ଆମେ ଏହା ଭାବୁଛୁ ଯେ ଜୀଵନ, ଯେକୌଣସି ରୂପରେ ହେଉନା କାହିଁକି, ନିଶ୍ଚିତ ଭାବେ ଶକ୍ତି ଵ୍ୟଵହାର କରି କିଛି ଜୈଵିକ କାର୍ଯ୍ୟ କରୁଥିଵ। ଏହି ଶକ୍ତି ଵ୍ୟଵହାର ପ୍ରକ୍ରିୟାକୁ ଆମେ "ମେଟାବୋଲିଜମ" ବୋଲି କହୁଛୁ। ଏହା ଜୀଵନର ମୌଳିକ ଲକ୍ଷଣ। ଜୀଵନର ଅନେକ ରୂପ ଵା "ରେସିପି" ହୋଇପାରେ, ଏଵଂ ଆମେ ସେହି ସବୁ ସମ୍ଭାଵନାକୁ ଖୋଜୁଛୁ।
ହେଲେ ଆମେ ଜଳ, ଅକ୍ସିଜେନ ଓ କାର୍ବନକୁ କାହିଁକି ଏତେ ଗୁରୁତ୍ୱ ଦେଉଛୁ? କାରଣ ରସାୟନ ଵିଜ୍ଞାନର ନିୟମ ଅନୁସାରେ, ଏହି ଜିନିଷଗୁଡ଼ିକ ଜୀଵନ ପାଇଁ ଅତ୍ୟନ୍ତ ଉପଯୁକ୍ତ। ଜଳ ଏକ ଦ୍ରାବକ ଭାବେ କାମ କରେ, ଯାହା ରସାୟନିକ ପ୍ରତିକ୍ରିୟା ପାଇଁ ଏକ ମାଧ୍ୟମ ପ୍ରଦାନ କରେ। ଅକ୍ସିଜେନ ଶକ୍ତି ଉତ୍ପାଦନ ପାଇଁ ଅତ୍ୟନ୍ତ ଆଵଶ୍ୟକ ଵିଶେଷତଃ ବଡ଼ ଓ ଜଟିଳ ଜୀଵମାନଙ୍କ ପାଇଁ, ଯେଉଁମାନେ ଅଧିକ ଶକ୍ତି ଆଵଶ୍ୟକ କରନ୍ତି। କାର୍ବନ ଏକ ଏପରି ମୌଳିକ, ଯାହା ଅନେକ ପ୍ରକାରର ଅଣୁ ତିଆରି କରି ଜୈଵ ଵିଵିଧତା ସୃଷ୍ଟି କରିପାରେ।
ଉଦାହରଣ ସ୍ୱରୂପ, ପୃଥିଵୀରେ ଜୀଵନକୁ ଦେଖନ୍ତୁ। ପ୍ରାୟ ୨୦%ରୁ ୩୦% DNA ସମାନତା ଥିଵା ମଶା ଓ ମଣିଷ ଦୁହେଁ ଏକ ସମାନ ଅତି ପ୍ରାଚୀନ ପୂର୍ଵଜଠାରୁ ସୃଷ୍ଟି ହୋଇଛନ୍ତି ଏଵଂ ଏହା କାର୍ବନ, ଜଳ ଓ ଅକ୍ସିଜେନର ଵ୍ୟଵହାର ଦ୍ୱାରା ହିଁ ସମ୍ଭଵ ହୋଇଛି। ପିରିୟଡିକ୍ ଟେବୁଲ (ମୌଳିକ ତାଲିକା) ଅଧ୍ୟୟନ କଲେ ଜଣାପଡ଼େ ଯେ କେଵଳ କିଛି ନିର୍ଦ୍ଦିଷ୍ଟ ମୌଳିକ, ଯେପରି କାର୍ବନ, ଅକ୍ସିଜେନ, ହାଇଡ୍ରୋଜେନ ଓ ନାଇଟ୍ରୋଜେନ, ଜୀଵନର ଜଟିଳ ଗଠନ ପାଇଁ ଉପଯୁକ୍ତ। ଅନ୍ୟ ମୌଳିକଗୁଡ଼ିକ ଏତେ ନମନୀୟ ନୁହଁନ୍ତି ଵା ଏତେ ଶକ୍ତି ଉତ୍ପାଦନ କରିପାରନ୍ତି ନାହିଁ।
ତେଣୁ, ଯଦିଓ ଆମେ ଅନ୍ୟ ପ୍ରକାରର ଜୀଵନର ସମ୍ଭାଵନାକୁ ଅସ୍ୱୀକାର କରୁନାହୁଁ, କିନ୍ତୁ ଜଳ, ଅକ୍ସିଜେନ ଓ କାର୍ବନ ଆଧାରିତ ଜୀଵନ ଖୋଜିବା ସବୁଠାରୁ ସମ୍ଭାଵ୍ୟ ଓ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଯୁକ୍ତିଯୁକ୍ତ। ଏହା ଛଡ଼ା, ଅନ୍ୟ ରୂପରେ ଜୀଵନ ଥାଇପାରେ, ଯେପରି ସିଲିକନ ଆଧାରିତ ଜୀଵନ, କିନ୍ତୁ ଏହା ଅଧିକ ଜଟିଳ ଓ କମ୍ ସମ୍ଭାଵନା ଯୁକ୍ତ କାରଣ ସିଲିକନ କାର୍ବନ ପରି ଏତେ ଵିଵିଧ ଅଣୁ ତିଆରି କରିପାରେ ନାହିଁ। ମୋଟ ଉପରେ କହିଵାକୁ ଗଲେ, ଜୀଵନ ଖୋଜିଵା ପାଇଁ ଆମେ ସେହି ଜିନିଷଗୁଡ଼ିକୁ ପ୍ରାଥମିକତା ଦେଉଛୁ ଯାହା ଜୀଵନ ପାଇଁ ସବୁଠାରୁ ଅଧିକ ସହାୟକ। ତେବେ ମଙ୍ଗଳ ଗ୍ରହରେ ଜୀଵନର ସମ୍ଭାଵନା ଵିଷୟରେ ଵୈଜ୍ଞାନିକ ଓ କାଳ୍ପନିକ (Fiction) ଚିନ୍ତାଧାରାର ଏକ ଦୀର୍ଘ ଇତିହାସ ରହିଛି। ଏହି ଧାରଣା ଵିଭିନ୍ନ ସମୟରେ ଵିଭିନ୍ନ ରୂପରେ ପ୍ରକାଶ ପାଇଛି।
୧୬୫୬ରେ ଜର୍ମାନ୍ ଵିଜ୍ଞାନୀ ଆଥାନାସିୟସ୍ କିର୍ଚର୍ (Athanasius Kircher) ତାଙ୍କର "Itinerarium Exstaticum" ପୁସ୍ତକରେ ମଙ୍ଗଳ ଗ୍ରହକୁ ଏକ ଅଗ୍ନିମୟ ଵା ଜ୍ୱଳନ୍ତ ଵାୟୁମଣ୍ଡଳ ଵା ପରିଵେଶ ଵିଶିଷ୍ଟ ଗ୍ରହ ଭାବେ ଵର୍ଣ୍ଣନା କରିଥିଲେ। ଅର୍ଥାତ୍ ସେ ମଙ୍ଗଳକୁ ଏକ ଏପରି ଗ୍ରହ ଭାବେ କଳ୍ପନା କରିଥିଲେ ଯାହାର ପୃଷ୍ଠ ଵା ଵାୟୁମଣ୍ଡଳ ଅଗ୍ନି ଵା ଉତ୍ତପ୍ତ ପଦାର୍ଥ ଦ୍ୱାରା ଗଠିତ, ଯେପରିକି ଜ୍ୱାଳାମୁଖୀ ଵା ଅତ୍ୟଧିକ ଉତ୍ତାପ ଯୁକ୍ତ ଏକ ଅଞ୍ଚଳ। ତାଙ୍କ ସମୟରେ ଵୈଜ୍ଞାନିକ ଜ୍ଞାନ ସୀମିତ ଥିଵାରୁ ଏହା ଏକ କାଳ୍ପନିକ ଓ ଦାର୍ଶନିକ ଵର୍ଣ୍ଣନା ଥିଲା ଯାହା ଆଧୁନିକ ଵୈଜ୍ଞାନିକ ତଥ୍ୟ ଅନୁଯାୟୀ ମଙ୍ଗଳର ପୃଷ୍ଠରେ ଶୀତଳ ଓ ଶୁଷ୍କ ପରିଵେଶ ଥିଵା ସତ୍ତ୍ୱେ ଅଗ୍ନିମୟ ଵା ଜ୍ୱଳନ୍ତ ଚିତ୍ରଣ ଉପରେ ଆଧାରିତ ଥିଲା। ଏହି ପୁସ୍ତକ ଏକ କାଳ୍ପନିକ ଯାତ୍ରାର ଵର୍ଣ୍ଣନା ଯେଉଁଥିରେ ଲେଖକ ନିଜକୁ ଆକାଶରେ ଉଡ଼ାଇଵାର ସ୍ୱପ୍ନ ଦେଖନ୍ତି ଏଵଂ ଗ୍ରହଗୁଡ଼ିକୁ ବୁଲି ଦେଖନ୍ତି। ମଙ୍ଗଳକୁ ସେ ଏକ ଜ୍ୱଳନ୍ତ ଗ୍ରହ ଭାବେ ଚିତ୍ରଣ କରିଥିଲେ ଯେଉଁଠାରେ ଅଗ୍ନିର ନଦୀ ପ୍ରଵାହିତ ହୁଏ ଏଵଂ ଭୂମି ସର୍ଵତ୍ର କମ୍ପିତ ହୁଏ। ଯଦିଓ ଏଥିରେ ଜୀଵନର ସ୍ପଷ୍ଟ ଉଲ୍ଲେଖ ନଥିଲା, କିନ୍ତୁ ଏହା ମଙ୍ଗଳକୁ ଏକ ରହସ୍ୟମୟ ଓ ଭୟଙ୍କର ସ୍ଥାନ ଭାବେ ପ୍ରଦର୍ଶନ କରିଥିଲା। ଏହି ଵର୍ଣ୍ଣନା ସେହି ସମୟର ଖ୍ରୀଷ୍ଟଧର୍ମୀ ଚିନ୍ତାଧାରାରୁ ପ୍ରଭାଵିତ ଥିଲା ଯେଉଁଠାରେ ଗ୍ରହଗୁଡ଼ିକୁ ଦିଵ୍ୟ କିମ୍ବା ନରକୀୟ ସ୍ଥାନ ରୂପେ ଵିଚାର କରାଯାଉଥିଲା। କିର୍ଚରଙ୍କ ଏହି କାର୍ଯ୍ୟ ମଙ୍ଗଳକୁ କାଳ୍ପନିକ ସାହିତ୍ୟରେ ପ୍ରଥମ ଥର ଏକ ରୋଚକ ଵିଷୟ କରିଥିଲା ଏଵଂ ଏହା ପରଵର୍ତ୍ତୀ ଲେଖକମାନଙ୍କୁ ପ୍ରଭାଵିତ କରିଥିଲା। ଏହା ଵୈଜ୍ଞାନିକ ଦୃଷ୍ଟିକୋଣରୁ ନୁହେଁ ଵରଂ ଧାର୍ମିକ ଓ ସ୍ୱପ୍ନମୟ ଚିନ୍ତାଧାରାରୁ ଆସିଥିଲା । ସେହି ସମୟରେ ଟେଲିସ୍କୋପ୍ ନୂତନ ଥିଲା ଏଵଂ ଗ୍ରହଗୁଡ଼ିକର ଚିତ୍ରଣ ବେଶୀ କାଳ୍ପନିକ ଥିଲା। ଏହି ପୁସ୍ତକରୁ ଆରମ୍ଭ ହୋଇ ମଙ୍ଗଳ ଏକ ରହସ୍ୟର ପ୍ରତୀକ ହୋଇପଡ଼ିଥିଲା।
୧୬୮୬ରେ ଫରାସୀୟ ଲେଖକ ବର୍ନାର୍ଡ୍ ଲେ ବୋଭିୟେ ଡେ ଫଣ୍ଟେନେଲ୍ (Bernard Le Bovier de Fontenelle) ତାଙ୍କର "Conversations on the Plurality of Worlds" ପୁସ୍ତକରେ ମଙ୍ଗଳକୁ ଏକ ସାଧାରଣ ଗ୍ରହ ଭାବେ ଉଲ୍ଲେଖ କରିଥିଲେ। ଏହା ଏକ ସଂଵାଦ ରୂପରେ ଲେଖା, ଯେଉଁଥିରେ ଜଣେ ମହିଳା ଓ ଜଣେ ଖଗୋଳବିଦ୍ ମହାକାଶ ଵିଷୟରେ ଆଲୋଚନା କରନ୍ତି। ଫଣ୍ଟେନେଲ୍ ମଙ୍ଗଳକୁ ପୃଥିଵୀର ସମାନ ଭାବେ ଵର୍ଣ୍ଣନା କରି କହିଥିଲେ ଯେ ମଙ୍ଗଳରେ ଜୀଵନ ଥିଵାର ସମ୍ଭାଵନା ଅଛି, କିନ୍ତୁ ଏହା ଏତେ ସାଧାରଣ ଯେ ରୋଚକ ନୁହେଁ। ସେ ମଙ୍ଗଳରେ ମଣିଷ ପରି ଜୀଵନ ଧାରଣା କରିଥିଲେ । ଏହି ପୁସ୍ତକ ଗଳିଲିଓର ଆଵିଷ୍କାରଗୁଡ଼ିକରୁ ପ୍ରଭାଵିତ ଥିଲା ଏଵଂ ବହୁଗ୍ରହୀୟ ଜୀଵନର ଧାରଣାକୁ ଜନପ୍ରିୟ କରିଥିଲା। ଏହି ପୁସ୍ତକରେ ମଙ୍ଗଳକୁ ପ୍ରଥମ ଥର ପାଇଁ ଏକ ଵାସଯୋଗ୍ୟ ଗ୍ରହ ଭାବେ ଵିଚାର କରାଯାଉଥିଲା । ଫଣ୍ଟେନେଲ୍ଙ୍କ ଏହି ପୁସ୍ତକ ଫ୍ରାନ୍ସରେ ବହୁତ ଜନପ୍ରିୟ ହୋଇଥିଲା ଏଵଂ ଯୁରୋପୀୟ ସାହିତ୍ୟରେ ବହୁଗ୍ରହୀୟ ଚିନ୍ତାଧାରାକୁ ପ୍ରସାର କରିଥିଲା। ଏହା ମଙ୍ଗଳରେ ଜୀଵନର ଧାରଣାକୁ ଏକ ସରଳ ଓ ଵୈଜ୍ଞାନିକ ଆଲୋଚନାରେ ଆଣିଥିଲା ଯାହା ପୂର୍ଵରୁ କେଵଳ ଧାର୍ମିକ ଥିଲା।
୧୭୫୫ରେ ଜଣେ ଅଜ୍ଞାତ ଲେଖକଙ୍କ ଦ୍ଵାରା ପ୍ରକାଶିତ "A Voyage to the World in the Centre of the Earth" ପୁସ୍ତକରେ ମଙ୍ଗଳକୁ ଏକ ସ୍ୱର୍ଗୀୟ ସ୍ଥାନ ଭାଵେ ଚିତ୍ରଣ କରାଯାଇଥିଲା। ଏହି କାଳ୍ପନିକ ଯାତ୍ରାରେ ଲେଖକ ମଙ୍ଗଳକୁ ଏକ ଧାର୍ମିକ ପ୍ରତୀକ ଭାଵେ ଵର୍ଣ୍ଣନା କରିଥିଲେ ଯେଉଁଠାରେ ପୃଥିଵୀର ଐତିହାସିକ ଵ୍ୟକ୍ତିମାନେ ଯେପରି “ଆଲେକ୍ଜାଣ୍ଡର୍ ଦ ଗ୍ରେଟ୍” ପୁନର୍ଜୀଵନ ପାଇ ସୁଖରେ ରହୁଛନ୍ତି। ଏହା ମଙ୍ଗଳରେ ଜୀଵନକୁ ଏକ ପୁନର୍ଜନ୍ମର ସ୍ଥାନ ଭାଵେ ଦର୍ଶାଇଥିଲା ଯେଉଁଠାରେ ମଣିଷମାନେ ତାଙ୍କର ପୂର୍ଵଜନ୍ମର କର୍ମଫଳ ଅନୁସାରେ ଵାସ କରନ୍ତି। ଏହି ଧାରଣା ସେହି ସମୟର ଧାର୍ମିକ ଚିନ୍ତାଧାରାରୁ ଆସିଥିଲା କାରଣ ସେତେବେଳର ଧାର୍ମିକ ଵିଶ୍ଵାସ ଅନୁସାରେ ଗ୍ରହମାନ ଆଧ୍ୟାତ୍ମିକ ଲୋକରେ ଵିଭାଜିତ ଥିଲା। ପୁସ୍ତକରେ ମଙ୍ଗଳର ବାସିନ୍ଦାମାନଙ୍କୁ ଦିଵ୍ୟ ଓ ନୈତିକ ଭାଵେ ଚିତ୍ରଣ କରାଯାଇଥିଲା । ଏହି କାଳ୍ପନିକ ସାହିତ୍ୟ ମଧ୍ୟରେ ମଙ୍ଗଳକୁ ଏକ ଆଦର୍ଶ ସମାଜର ସ୍ଥାନ ବୋଲି କଳ୍ପନା କରାଯାଇଥିଲା ଫଳତଃ ପରଵର୍ତ୍ତୀ ଉଟୋପିୟାନ୍ କାର୍ଯ୍ୟଗୁଡ଼ିକ ଏଥିରୁ ପ୍ରଭାଵିତ ହୋଇଥିଲା। ଏହି ପୁସ୍ତକ ସେହି ଯୁଗର ପ୍ରଥମ ଇଂରାଜୀ କାର୍ଯ୍ୟ ଭାଵେ ଗଣ୍ୟ ହୁଏ ଯାହା ମଙ୍ଗଳରେ ଜୀଵନର ଧାରଣାକୁ ଧାର୍ମିକ ରୂପରେ ଉପସ୍ଥାପନ କରିଥିଲା। ଫଳତଃ ଆସନ୍ତା ଶତାବ୍ଦୀଗୁଡ଼ିକରେ ମଙ୍ଗଳ ଏକ ପୁନର୍ଜନ୍ମର ପ୍ରତୀକ ହୋଇପଡ଼ିଥିଲା ଯାହା ଊନଵିଂଶ ଶତାବ୍ଦିରେ ଵୈଜ୍ଞାନିକ ଚିନ୍ତାଧାରାରେ ପରିଣତ ହୋଇଥିଲା।
ପରଵର୍ତ୍ତୀ କାଳରେ ୧୭୫୮ ମସିହାରେ ସ୍ୱୀଡିସ୍ ମନୀଷୀ ଇମାନୁୟେଲ୍ ସ୍ୱେଡେନ୍ଵର୍ଗ (Emanuel Swedenborg) ତାଙ୍କର "De Telluribus in Mundo Nostro Solari" ପୁସ୍ତକରେ ମଙ୍ଗଳକୁ ଏକ ନୈତିକ ଓ ସତ୍ୟଵାଦୀ ଜୀଵନର ସ୍ଥାନ ଭାଵେ ଵର୍ଣ୍ଣନା କରିଥିଲେ। ଏହା ଏକ ଧାର୍ମିକ ଦର୍ଶନଶାସ୍ତ୍ରୀୟ କାର୍ଯ୍ୟ ଯେଉଁଥିରେ ସ୍ୱେଡେନ୍ଵର୍ଗ ନିଜର ଆଧ୍ୟାତ୍ମିକ ଅନୁଭଵରୁ ଗ୍ରହମାନଙ୍କର ଵର୍ଣ୍ଣନା କରିଛନ୍ତି। ମଙ୍ଗଳରେ ରହୁଥିଵା ଜୀଵମାନେ ସତ୍ୟଵାଦୀ, ନୈତିକ ଏଵଂ ଧାର୍ମିକ ଭାବେ ଉନ୍ନତ ବୋଲି ସେ କହିଥିଲେ। ଏହି ଵର୍ଣ୍ଣନା ମଙ୍ଗଳକୁ ଏକ ଆଦର୍ଶ ସମାଜର ପ୍ରତୀକ କରିଥିଲା ଯେଉଁଠାରେ ଜୀଵମାନେ ପୃଥିଵୀର ମନୁଷ୍ୟଙ୍କ ଵିପରୀତ ସରଳ ଓ ନିର୍ଦୋଷ। ସ୍ୱେଡେନ୍ଵର୍ଗର ଏହି ଚିନ୍ତାଧାରା ତାଙ୍କର ମୈସ୍ଟିକିଜମ୍ ଵା ମୋହାନ୍ୱେଶୀ ଅନୁଭଵରୁ ଆସିଥିଲା ଯାହା ସେ ଆକାଶକୁ ଦେଖିଵା ସମୟରେ ପାଇଥିଵା ଵୋଲି ଦାଵି କରିଥିଲେ। ଏହି ପୁସ୍ତକ ଲାଟିନ୍ ଭାଷାରେ ଲେଖା ଥିଲା ଏଵଂ ୧୯ଶ ଶତାବ୍ଦୀରେ ଇଂରାଜୀରେ ଅନୁଵାଦ ହୋଇଥିଲା। ଏହା ଵହୁଗ୍ରହୀୟ ଜୀଵନର ଧାରଣାକୁ ଏକ ନୂତନ ଧାର୍ମିକ ଦୃଷ୍ଟିକୋଣରୁ ଉପସ୍ଥାପନ କରିଥିଲା ଏଵଂ କ୍ରମଶଃ ଵୈଜ୍ଞାନିକ ଆଲୋଚନାରେ ମିଶିଯାଇଥିଲା। ସ୍ୱେଡେନ୍ଵର୍ଗର ଏହି କାର୍ଯ୍ୟ ମଙ୍ଗଳକୁ ଏକ ନୈତିକ ଆଦର୍ଶର ସ୍ଥାନ କରିଥିଲା।
୧୭୬୫ ମସିହାରେ ଫରାସୀୟ ଲେଖିକା ମାରୀ-ଆନ୍ ଡେ ରୋଉମିୟେ-ରୋଵର୍ଟଙ୍କ ଉପନ୍ୟାସ "Voyage de Milord Céton dans les sept planètes" (୧୭୬୫)ର କାଳ୍ପନିକ କାହାଣୀ ଅନୁସାରେ ମୁଖ୍ୟ ଚରିତ୍ର ଲର୍ଡ୍ ସେଟନ୍ ସୌରମଣ୍ଡଳର ସପ୍ତଗ୍ରହରେ (ସେହି ସମୟରେ ପରିଚିତ ସାତୋଟି ଗ୍ରହ) ଯାତ୍ରା କରନ୍ତି। ଏହି ଯାତ୍ରାରେ ସେ ମଙ୍ଗଳ ଗ୍ରହରେ ପହଞ୍ଚନ୍ତି ଯାହାକୁ ଲେଖିକା ଏକ ଶାନ୍ତିପୂର୍ଣ୍ଣ ଓ ଧ୍ୟାନମଗ୍ନ ସ୍ଥାନ ଭାବେ ଚିତ୍ରଣ କରିଛନ୍ତି। ମଙ୍ଗଳରେ, ଲର୍ଡ୍ ସେଟନ୍ ଏକ ଅଜ୍ଞାତ ସମାଜ ଦେଖନ୍ତି । ପୃଥିଵୀରେ ଯୁଦ୍ଧ କରିଥିଵା ସୈନିକମାନେ ଏହି ସମାଜରେ ପୁନର୍ଜନ୍ମ ପାଇଛନ୍ତି। ଏହି ପୁନର୍ଜନ୍ମ ପାଇଥିଵା ସୈନିକମାନେ ପୃଥିବୀରେ ଯୁଦ୍ଧର କ୍ଷୟକ୍ଷତି ଓ ଦୁଃଖରୁ ଶିକ୍ଷା ନେଇ ମଙ୍ଗଳରେ ଶାନ୍ତିପୂର୍ଣ୍ଣ ଜୀଵନ ଯାପନ କରୁଥିଲେ। ଲେଖିକା ମଙ୍ଗଳକୁ ଏକ ନୈତିକ ଶିକ୍ଷାର ସ୍ଥାନ ଭାବେ ଦର୍ଶାଇଛନ୍ତି ଯେଉଁଠାରେ ଯୋଦ୍ଧାମାନେ ଯୁଦ୍ଧର ଭୟାଵହତା ବୁଝି ଶାନ୍ତିପ୍ରିୟ ଓ ଯୁଦ୍ଧଵିରକ୍ତ ହୋଇପଡ଼ିଛନ୍ତି ।
ଏହାର ଅନେକ ଵର୍ଷ ପରେ ୧୮୩୯ ମସିହାରେ ଜଣେ ଅଜ୍ଞାତ ଲେଖକଙ୍କ "A Fantastical Excursion into the Planets" ପୁସ୍ତକ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକରେ ମଙ୍ଗଳକୁ ରୋମାନ୍ ଦେଵତାମାନଙ୍କ ମଧ୍ୟରେ ଵିଭକ୍ତ ଏକ ସ୍ଥାନ ଭାଵେ ଚିତ୍ରଣ କରାଯାଇଥିଲା। ଏହି କାଳ୍ପନିକ ଗଳ୍ପରେ ମଙ୍ଗଳର ଏକ ଭାଗ ମାର୍ସ୍ (ଯୁଦ୍ଧର ଦେଵତା) ଏଵଂ ଅନ୍ୟ ଭାଗ ଭଲ୍କାନ୍ (ଅଗ୍ନିର ଦେଵତା) ଦ୍ୱାରା ନିୟନ୍ତ୍ରିତ ଵୋଲି କହାଯାଇଥିଲା। ଏହା ମଙ୍ଗଳରେ ଜୀଵନକୁ ପୁରାଣାଧାରିତ ଭାଵେ ଦର୍ଶାଇଥିଲା ଯେଉଁଠାରେ ଵାସକରୁଥିଵା ଦେଵତାମାନେ ମାନଵ ସମାଜକୁ ନିୟନ୍ତ୍ରଣ କରନ୍ତି। ଏହି ଧାରଣା ସେହି ସମୟର ମିଥକୀୟ ଚିନ୍ତାଧାରାରୁ ଆସିଥିଲା ଏଵଂ ତହିଁରେ ତତ୍କାଳୀନ ଆଧୁନିକ ଵୈଜ୍ଞାନିକ ଜ୍ଞାନର ମିଶ୍ରଣ ହୋଇଥିଲା।
ତେବେ ମଙ୍ଗଳଗ୍ରହରେ ଜୀଵନ ସମ୍ବନ୍ଧୀୟ ଏତେ ସବୁ କଳ୍ପନା ଜଳ୍ପନା ମଧ୍ୟରେ ୧୮୭୧ ମସିହାରେ ଆମେରିକୀୟ ଖଗୋଳଵିଦ୍ ଇଲାୟସ୍ କଲ୍ଵର୍ଟ (Elias Colbert) ତାଙ୍କର "Star-studies: What we know of the universe outside the Earth" ପୁସ୍ତକରେ ମଙ୍ଗଳକୁ ଏକ ଉନ୍ନତ ଵୁଦ୍ଧିମାନ୍ ସଭ୍ୟତାର ସ୍ଥାନ ଭାଵେ ଵର୍ଣ୍ଣନା କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ ମଙ୍ଗଳ ପୃଥିଵୀଠାରୁ ପୁରୁଣା ହୋଇଥିଵାରୁ ଏଠାରେ ମାନଵ ପରି ବୁଦ୍ଧିମାନ ଜୀଵମାନେ ରହିଥାଇପାରନ୍ତି ଏଵଂ ସେମାନେ ମାନଵଙ୍କ ଅପେକ୍ଷା ଅଧିକ ଵୁଦ୍ଧିମାନ୍ ମଧ୍ୟ ହୋଇଥାଇପାରନ୍ତି । ଏହି ଧାରଣା ମଙ୍ଗଳର ତାପମାତ୍ରାର ଵିଭିନ୍ନତାକୁ ଏକ ଉଦ୍ଭାଵନୀ ଉତ୍ତେଜନା ଭାଵେ ଦେଖିଥିଲା। ଏହା ଵୈଜ୍ଞାନିକ ଚିନ୍ତାଧାରାରେ ମଙ୍ଗଳରେ ଜୀଵନର ସମ୍ଭାଵନାକୁ ପ୍ରଥମ ଥର ଵୈଜ୍ଞାନିକ ଯୁକ୍ତିରେ ଆଣିଥିଲା। କଲ୍ଵର୍ଟଙ୍କ ଏହି କାର୍ଯ୍ୟ ସେହି ସମୟର ଖଗୋଳ ଅଧ୍ୟୟନରୁ ପ୍ରଭାଵିତ ଥିଲା ଏଵଂ ଗ୍ରହଗୁଡ଼ିକର ଵୟସ ଓ ପରିଵେଶକୁ ଵିଚାର କରିଥିଲା।
କିନ୍ତୁ ମଙ୍ଗଳ ଗ୍ରହରେ ଜୀଵନ ସମ୍ବନ୍ଧୀୟ କଳ୍ପନାର ଅନ୍ତ ହୋଇ ନଥିଲା । ୧୮୭୩ ମସିହାରେ ଆଉ ଜଣେ ଅଜ୍ଞାତ ଲେଖକଙ୍କ ଉପନ୍ୟାସ "A Narrative of the Travels and Adventures of Paul Aermont among the Planets"ରେ ମଙ୍ଗଳକୁ ପୃଥିଵୀର ସଂସ୍କୃତିର ସମାନ ଏକ ଗ୍ରହ ଭାଵେ ଵର୍ଣ୍ଣନା କରାଯାଇଥିଲା। ଏହି ଗଳ୍ପରେ Paul Aermont ଅନ୍ୟ ଗ୍ରହଗୁଡ଼ିକର ଯାତ୍ରା କରନ୍ତି ଏଵଂ ମଙ୍ଗଳରେ ସେ ଏକ ସମାନ ସମାଜ ଦେଖନ୍ତି ଯେଉଁଠାରେ ଜୀଵନ ପୃଥିଵୀର ପରି ସ୍ଥାପିତ ହୋଇଛି।
ସେହି ଵର୍ଷ ଫରାସୀୟ ଖଗୋଳବିଦ୍ କ୍ୟାମିଲ୍ ଫ୍ଲାମାରିୟନ୍ (Camille Flammarion) ତାଙ୍କର "La Pluralité des mondes habités" ପୁସ୍ତକରେ ମଙ୍ଗଳକୁ ଏକ ପ୍ରାଚୀନ ଗ୍ରହ ଭାବେ ବର୍ଣ୍ଣନା କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ ମଙ୍ଗଳର ସୂର୍ଯ୍ୟରୁ ଦୂରଵର୍ତ୍ତୀ ଅଵସ୍ଥାନ ଏଵଂ ଏହାର ନିମ୍ନ ତାପମାତ୍ରା ଏହାକୁ ପୃଥିଵୀଠାରୁ ଅଧିକ ପୁରୁଣା ଗ୍ରହ ରୂପେ ପ୍ରମାଣ କରେ । ଫ୍ଲାମାରିୟନ୍ ମଙ୍ଗଳରେ ବୁଦ୍ଧିମାନ୍ ଜୀଵମାନଙ୍କ ସମ୍ଭାଵନା ଉପରେ ଆଲୋକପାତ କରିଥିଲେ ଏଵଂ ସେମାନେ ପୃଥିବୀର ମଣିଷଙ୍କ ଅପେକ୍ଷା ଅଧିକ ଵୈଜ୍ଞାନିକ ଓ ନୈତିକ ହୋଇପାରନ୍ତି ବୋଲି ଅନୁମାନ କରିଥିଲେ । ଏହି ପୁସ୍ତକ ବହୁଗ୍ରହୀୟ ଜୀଵନର ଧାରଣାକୁ ଜନପ୍ରିୟ କରିଥିଲା ଏଵଂ ମଙ୍ଗଳକୁ ଏକ ଉନ୍ନତ ବାସସ୍ଥାନ ଭାବେ ଚିତ୍ରଣ କରିଥିଲା। ସେହି ସମୟରେ ଟେଲିସ୍କୋପ୍ ପର୍ଯ୍ୟଵେକ୍ଷଣରୁ ମଙ୍ଗଳର ଧୁସର ପ୍ୟାଚ୍ଗୁଡ଼ିକୁ ଦେଖାଯାଉଥିଲା ଯାହାକୁ ସେ ସମ୍ଭାଵ୍ୟ ବନଜମି ଵା ସଭ୍ୟତାର ଚିହ୍ନ ଭାବେ ଭାବିଥିଲେ। ଏହା ଵୈଜ୍ଞାନିକ ସମୁଦାୟରେ ମଙ୍ଗଳରେ ଜୀଵନର ଆଲୋଚନାକୁ ଆରମ୍ଭ କରିଥିଲା ।
ଏହାର କିଛି ଵର୍ଷ ପରେ ଇଟାଲୀୟ ଖଗୋଳଵିଦ୍ ଜିଓଭାନ୍ନୀ ସ୍କିୟାପାରେଲି (Giovanni Schiaparelli) ୧୮୭୭ରେ ତାଙ୍କର "La Vie Merveilleuse" ପୁସ୍ତକରେ ମଙ୍ଗଳରେ "କାନାଲି" (canali) ନାମକ ରେଖାଗୁଡ଼ିକୁ ଟେଲିସ୍କୋପ ସାହାଯ୍ୟରେ ଆଵିଷ୍କାର କରିଥିଲେ। ଏହି ରେଖାଗୁଡ଼ିକୁ ସେ ମଙ୍ଗଳରେ ସ୍ଥାୟୀ ଜଳରାଶି ଓ କ୍ଷେତ୍ରଫଳ ସହ ସମ୍ପର୍କିତ କରିଥିଲେ। "କାନାଲି" ଶବ୍ଦଟି ଇଂରାଜୀରେ "କାନାଲ୍" (canals) ଭାବେ ଅନୁଵାଦ ହୋଇ ଜନପ୍ରିୟ ହେଲା ଏଵଂ ମଙ୍ଗଳରେ ଜୀଵନର ସମ୍ଭଵନାକୁ ଉତ୍ଥାପନ କଲା। ଏହି ରେଖାଗୁଡ଼ିକୁ ପ୍ରାକୃତିକ ନଦୀ ଵା କୃଷି ସମ୍ବନ୍ଧୀୟ ରଚନା ଭାବେ ସେତେବେଳେ ଅନୁମାନ କରାଯାଇଥିଲା ।
ବ୍ରିଟିଶ୍ ଲେଖକ ପର୍ସୀ ଗ୍ରେଗ୍ (Percy Greg) ୧୮୮୦ରେ ତାଙ୍କର "Across the Zodiac" ଉପନ୍ୟାସରେ ମଙ୍ଗଳରେ ଵାସ କରୁଥିଵା ଏକ ଉନ୍ନତ ସଭ୍ୟତାର ଵର୍ଣ୍ଣନା କରିଥିଲେ। ଏହା ଵୈଜ୍ଞାନିକ କାଳ୍ପନିକତାର (ସାଇନ୍ସ୍ ଫିକ୍ସନ୍) ପ୍ରଥମ ଉଦାହରଣ ଭାବେ ଗଣ୍ୟ ହୋଇଥାଏ । ଗଳ୍ପରେ ଏକ ବ୍ରିଟିଶ୍ ଯୁଵକ ମଙ୍ଗଳକୁ ଯାଇ ସେଠାର ସମାଜ, ଧର୍ମ ଓ ରାଜନୈତିକ ଵ୍ୟଵସ୍ଥା ଅନୁଭଵ କରନ୍ତି। ମଙ୍ଗଳୀୟ ସଭ୍ୟତାକୁ ସେ ଏକ ଉତ୍କୃଷ୍ଟ ଓ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଦର୍ଶାଇଥିଲେ, ଯେଉଁଠାରେ ଵୈଜ୍ଞାନିକ ଅଗ୍ରଗତି ସର୍ଵୋପରି। ଏହି ଉପନ୍ୟାସ ସ୍କିୟାପାରେଲିଙ୍କ କାନାଲ୍ଗୁଡ଼ିକରୁ ପ୍ରଭାଵିତ ହୋଇ ଲେଖାଯାଇଥିଲା ।
ୱା.ଏସ୍. ଲାଚ୍-ସ୍ଜିର୍ମା (W.S. Lach-Szyrma) ୧୮୮୩ରେ ତାଙ୍କର "Aleriel, or A Voyage to Other Worlds" ଉପନ୍ୟାସରେ ମଙ୍ଗଳଗ୍ରହର ଏକ ଯାତ୍ରୀଙ୍କ ମାଧ୍ୟମରେ ମଙ୍ଗଳର ସମାଜକୁ ଵର୍ଣ୍ଣନା କରିଥିଲେ। ଏହା ମଙ୍ଗଳରେ ଜୀବନର ଧାରଣାକୁ ଆହୁରି ଜନପ୍ରିୟ କରିଥିଲା। ଗଳ୍ପରେ ଏକ ଏଞ୍ଜେଲ୍ ଆଲେରିୟେଲ୍ ଵିଭିନ୍ନ ଗ୍ରହରେ ଯାଇ ସେମାନଙ୍କର ଜୀଵନ ଅଧ୍ୟୟନ କରନ୍ତି ଏଵଂ ମଙ୍ଗଳରେ ସେ ଏକ ଉନ୍ନତ ସଭ୍ୟତା ଦେଖନ୍ତି ଯେଉଁଠାରେ ଜୀଵମାନେ ଶାନ୍ତିପୂର୍ଣ୍ଣ ଓ ଵୈଜ୍ଞାନିକ। ଏହି ଉପନ୍ୟାସ ଧାର୍ମିକ ଓ ଵୈଜ୍ଞାନିକ ଚିନ୍ତାଧାରାର ମିଶ୍ରଣରେ ଲେଖା ଏଵଂ ଏଥିରେ ସ୍କିୟାପାରେଲିଙ୍କ କାନାଲ୍ଗୁଡ଼ିକୁ କୃଷି ସମ୍ବନ୍ଧୀୟ ରଚନା ଭାବେ ଚିତ୍ରଣ କରଯାଇଥିଲା।
ଏକ ଦଶନ୍ଧିରୁ ଅଧିକ କାଳ ପରେ ଆମେରିକୀୟ ଖଗୋଳଵିଦ୍ ପର୍ସିଵାଲ୍ ଲୋୱେଲ୍ (Percival Lowell) ୧୮୯୫ରେ ତାଙ୍କର "Mars" ପୁସ୍ତକରେ ସ୍କିୟାପାରେଲିଙ୍କ କାନାଲ୍ଗୁଡ଼ିକୁ ମଙ୍ଗଳରେ ବୁଦ୍ଧିମାନ୍ ଜୀଵନର ରଚନା ଭାବେ ଵର୍ଣ୍ଣନା କରିଥିଲେ। ସେ ଦାବି କରିଥିଲେ ଯେ ମଙ୍ଗଳରେ ଏକ ପ୍ରାଚୀନ ସଭ୍ୟତା ରହିଥିଲା ଏଵଂ ଏହି ସଭ୍ୟତା ବିଶାଳ କାନାଲ୍ଗୁଡ଼ିକ ନିର୍ମାଣ କରିଥିଲା। ଏହା ଵୈଜ୍ଞାନିକ ସମୁଦାୟରେ ମଙ୍ଗଳରେ ଜୀଵନର ଧାରଣାକୁ ଜନପ୍ରିୟ କରିଥିଲା। ଲୋୱେଲ୍ ଆଜିଜ୍ୟୋ ଅବ୍ଜର୍ଭେଟୋରୀରୁ ପର୍ଯ୍ୟବେକ୍ଷଣ କରି ମଙ୍ଗଳର ମାନଚିତ୍ର ତିଆରି କରିଥିଲେ ଏଵଂ ଉକ୍ତ ମାନଚିତ୍ରରେ ୮୦୦ରୁ ଅଧିକ କାନାଲ୍ ଚିହ୍ନିତ ହୋଇଥିଲା। ସେ ମଙ୍ଗଳୀୟ ସଭ୍ୟତାକୁ ଏକ ଵିପତ୍ତିଗ୍ରସ୍ତ ରାଜ୍ୟ ଭାବେ ଚିତ୍ରଣ କରିଥିଲେ ଯେଉଁଠାରେ ଜଳ ଅଭାବରୁ ସେମାନେ ବଡ଼ ବଡ଼ ଇଞ୍ଜିନିୟରିଙ୍ଗ୍ କାର୍ଯ୍ୟ କରିଛନ୍ତି। ଏହି ଧାରଣା ସେତେବେଳେ ଵିଵାଦୀୟ ହୋଇଥିଲା କିନ୍ତୁ ଏହା ମଙ୍ଗଳକୁ ଵିଶ୍ୱର ଏକ ରହସ୍ୟମୟ କେନ୍ଦ୍ର କରିଥିଲା। ଲୋୱେଲ୍ଙ୍କ କାର୍ଯ୍ୟ ଆମେରିକୀୟ ଵିଜ୍ଞାନରେ ଏକ ନୂତନ ଯୁଗ ଆରମ୍ଭ କରିଥିଲା।
ଖଗୋଳଵିଦ୍ ପର୍ସିଵାଲ୍ ଲୋୱେଲ୍ଙ୍କ ପୁସ୍ତକ 'Mars'ରେ ମଙ୍ଗଳଗ୍ରହରେ ଶକ୍ତିଶାଳୀ ବୁଦ୍ଧିମାନ ଜୀଵ ୮୦୦ ବଡ଼ ବଡ଼ କେନାଲ୍ ଖୋଳିଛନ୍ତି ବୋଲି ପଢ଼ିଲାପରେ ପୃଥିଵୀରେ ଲୋକେ ମଙ୍ଗଳଗ୍ରହର ସେହି ଶକ୍ତିଶାଳୀ ଜୀଵଙ୍କ ପ୍ରତି ଆଶଙ୍କିତ ଭୟଭୀତ ହେଲେ । କିଛି ଲେଖକ ଏହି ଆଶଙ୍କା ଓ ଭୟକୁ ପୁଞ୍ଜି କରି କାହାଣୀ ଓ ଉପନ୍ୟାସ ଲେଖିଵା ଆରମ୍ଭ କରି ଦେଲେ ।
ଏଚ୍.ଜି. ୱେଲ୍ସ୍ (H.G. Wells) ୧୮୯୮ରେ ତାଙ୍କର "The War of the Worlds" ଉପନ୍ୟାସରେ ମଙ୍ଗଳୀୟ ଜୀଵନକୁ ଆକ୍ରମଣକାରୀ ଭାବେ ଚିତ୍ରଣ କରିଥିଲେ। ଏହି ଉପନ୍ୟାସ ଲୋୱେଲ୍ଙ୍କ ଧାରଣାରୁ ପ୍ରଭାଵିତ ହୋଇ ମଙ୍ଗଳୀୟ ଜୀଵନକୁ ଵିଶ୍ୱଵ୍ୟାପୀ ଜନପ୍ରିୟ କରିଥିଲା। ୱେଲ୍ସ୍ଙ୍କ ଉପନ୍ୟାସରେ ଵର୍ଣ୍ଣିତ ହୋଇଛି ଯେ ମଙ୍ଗଳୀୟ ଟ୍ରାଇପୋଡ୍ଗୁଡ଼ିକ ପୃଥିଵୀ ଉପରେ ଆକ୍ରମଣ କରିଛନ୍ତି ଏଵଂ ମାନଵ ସଭ୍ୟତା ଏହା ସହିତ ଯୁଝିଵାକୁ ବାଧ୍ୟ ହୋଇଛି । The War of the Worlds ଉପନ୍ୟାସ ମାନଵ ସଭ୍ୟତାର ଦୁର୍ଵଳତା ଉପରେ ମଧ୍ୟ ଆଲୋକପାତ କରିଥିଲା। ଏହା ସାଇନ୍ସ୍ ଫିକ୍ସନ୍ର ଏକ ମାଇଲ୍ଷ୍ଟୋନ୍, ଯାହା ମଙ୍ଗଳକୁ ଭୟଙ୍କର କରିଥିଲା। ୱେଲ୍ସ୍ଙ୍କ ଉପନ୍ୟାସର କାହାଣୀରୁ ପ୍ରେରିତ ହୋଇ ପରେ War of the Worlds ନାମରେ ଏକାଧିକ Hollywood ଚଳଚ୍ଚିତ୍ର ନିର୍ମିତ ହୋଇଅଛି । ସେହି ଵର୍ଷ ଆମେରିକୀୟ ଲେଖକ ଗାରେଟ୍ ପି. ସର୍ଭିସ୍ (Garrett P. Serviss) ତାଙ୍କର "Edison's Conquest of Mars" ଉପନ୍ୟାସ ପ୍ରକାଶ କରିଥିଲେ ଯହିଁରେ ଓ୍ଵେଲ୍ସଙ୍କ The War of the Worlds ଉପନ୍ୟାସରେ ହୋଇଥିଵା ମଙ୍ଗଳ ଆକ୍ରମଣର ପ୍ରତିକାରାତ୍ମକ କାହାଣୀ ଵର୍ଣ୍ଣନା କରାଯାଇଥିଲା । ଉପନ୍ୟାସର କାହାଣୀ ଅନୁସାରେ ଥମାସ୍ ଆଲ୍ଵା ଏଡିସନ୍ ମଙ୍ଗଳକୁ ଆକ୍ରମଣ କରି ମଙ୍ଗଳୀୟ ସଭ୍ୟତାକୁ ନଷ୍ଟ କରନ୍ତି।
ଏହାର ଵର୍ଷେ ପରେ ଆମେରିକୀୟ ଆଧ୍ୟାତ୍ମିକ ଲେଖିକା ମାରିୟା ଏମ୍. କିଙ୍ଗ୍ (Maria M. King) ୧୮୯୯ରେ ତାଙ୍କର "Journeys to the Planet Mars or Our Mission to Ento" ପୁସ୍ତକରେ ମଙ୍ଗଳକୁ (ଯାହାକୁ ସେ "ଏଣ୍ଟୋ" କୁହନ୍ତି) ଏକ ଆଧ୍ୟାତ୍ମିକ ସ୍ଥାନ ଭାବେ ଵର୍ଣ୍ଣନା କରିଥିଲେ। ଏହା ଏକ ଟ୍ରାନ୍ସ୍ମିଡିୟମ୍ ଵ୍ୟକ୍ତିଗତ ଅନୁଭଵ ଯେଉଁଠାରେ ସ୍ପିରିଟ୍ଗୁଡ଼ିକ ମଙ୍ଗଳରେ ରହୁଥିଵା ଜୀଵନର ଵର୍ଣ୍ଣନା ଦିଅନ୍ତି। ମଙ୍ଗଳୀୟ ସଭ୍ୟତାକୁ ସେ ଏକ ଉନ୍ନତ ଓ ଧାର୍ମିକ ରାଜ୍ୟ ଭାବେ ଦର୍ଶାଇଥିଲେ।
ରୁଷୀୟ ଲେଖକ ଆଲେକ୍ସାଣ୍ଡର୍ ବୋଗ୍ଦାନୋଵ୍ (Alexander Bogdanov) ୧୯୦୮ରେ ତାଙ୍କର “କ୍ରମ୍ମନାୟା ସ୍ବେଜ୍ଦା(ଲାଲ୍ ତାରା)” ଉପନ୍ୟାସରେ ମଙ୍ଗଳକୁ ଏକ ସୋସିୟାଲିଷ୍ଟ୍ ଉଟୋପିୟା ଭାବେ ଚିତ୍ରଣ କରିଥିଲେ। ଉପନ୍ୟାସର କାହାଣୀ ଅନୁସାରେ ଜଣେ ରୁଷୀୟ କ୍ରାନ୍ତିକାରୀ ମଙ୍ଗଳକୁ ଯାଇ ସେଠାକାର ସମାନତାବାଦୀ ସମାଜ ଅନୁଭଵ କରନ୍ତି। ବୋଗ୍ଦାନୋଵ୍ ନିଜ ଉପନ୍ୟାସରେ ମଙ୍ଗଳୀୟ ଜୀଵନକୁ ବୈଜ୍ଞାନିକ ଓ ରାଜନୈତିକ ଉନ୍ନତ ଭାବେ ଦର୍ଶାଇଥିଲେ। ଏହା ମଙ୍ଗଳରେ ଜୀଵନର ଧାରଣାକୁ ମାର୍କ୍ସଵାଦୀ ଦୃଷ୍ଟିକୋଣରୁ ଉପସ୍ଥାପନ କରିଥିଲା।
ଏପଟେ ପର୍ସିଵାଲ୍ ଲୋୱେଲ୍ ୧୯୦୫ରେ ତାଙ୍କର "Mars and Its Canals" ପୁସ୍ତକରେ ମଙ୍ଗଳରେ ବୁଦ୍ଧିମାନ୍ ସଭ୍ୟତାର ଧାରଣାକୁ ଆହୁରି ଵିସ୍ତାରିତ କରିଥିଲେ। ଏହା ଵୈଜ୍ଞାନିକ ସାହିତ୍ୟରେ ମଙ୍ଗଳରେ ଜୀଵନର ଧାରଣାକୁ ଆହୁରି ଜନପ୍ରିୟ କରିଥିଲା।
କିନ୍ତୁ ଆଲ୍ଫ୍ରେଡ୍ ରସେଲ୍ ୱାଲାସ୍ (Alfred Russel Wallace) ୧୯୦୭ରେ ତାଙ୍କର "Is Mars Habitable?" ପୁସ୍ତକରେ ଲୋୱେଲ୍ଙ୍କ ଧାରଣାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ ମଙ୍ଗଳରେ ଜୀଵନ ପାଇଁ ଆଵଶ୍ୟକ ପରିସ୍ଥିତି ଅସମ୍ଭଵ। ଏହା ସେତେବେଳେ ଵୈଜ୍ଞାନିକ ମହଲରେ ଵିଵାଦ ସୃଷ୍ଟି କରିଥିଲା। ଅଵଶ୍ୟ ପରଵର୍ଷ ୧୯୦୮ରେ ଏହାର ଉତ୍ତରରେ ଲୋୱେଲ୍ "Mars as the Abode of Life"ରେ ମଙ୍ଗଳରେ ଜୀଵନର ସମର୍ଥନ କରିଥିଲେ।
ଏହି ସବୁ ଵିଵାଦ ମଧ୍ୟରେ ଏଡଗାର ରାଇସ ବରୋଜଙ୍କ "A Princess of Mars" (୧୯୧୨) ଉପନ୍ୟାସ ପ୍ରକାଶ ପାଇଥିଲା ।
ଏହି ଉପନ୍ୟାସର ନାୟକ ଜନ କାର୍ଟର, ଜଣେ ଆମେରିକୀୟ ସୈନିକ, ରହସ୍ୟମୟ ଭାବେ ମଙ୍ଗଳଗ୍ରହ (ବାର୍ସୁମ)ରେ ପହଞ୍ଚିଯାଏ। ସେଠାରେ ସେ ମଙ୍ଗଳଵାସୀଙ୍କ ମଧ୍ୟରେ ଥିବା ଯୁଦ୍ଧ ଓ ସଂଘର୍ଷରେ ଜଡ଼ିତ ହୁଏ। ସେ ହେଲିୟମର ରାଜକୁମାରୀ ଡେଜା ଥୋରିସଙ୍କୁ ଭେଟେ ଓ ତାଙ୍କ ପ୍ରେମରେ ପଡ଼ିଯାଏ। କାର୍ଟର ନିଜର ଵୀରତ୍ଵ ଓ ବୁଦ୍ଧି ବଳରେ ଥାର୍କ ଓ ଜୋଡାଙ୍ଗାନ ଆଦି ଵିଭିନ୍ନ ଜାତିର ମଙ୍ଗଳଵାସୀଙ୍କୁ ମିଳିତ କରି ଶାନ୍ତି ପ୍ରତିଷ୍ଠା କରିଵାକୁ ଚେଷ୍ଟା କରେ ଓ ଡେଜାଙ୍କ ଜୀଵ ରକ୍ଷା କରେ। ଏଡଗାର ରାଇସ ବରୋଜଙ୍କ "A Princess of Mars" ଉପନ୍ୟାସ ଅଵଲମ୍ବନରେ ପରେ ଦୁଇଟି ଚଳଚ୍ଚିତ୍ର ନିର୍ମିତ ହୋଇଛି। ପ୍ରଥମଟି, "Princess of Mars" (୨୦୦୯), ଦି ଆସାଇଲମ ଦ୍ଵାରା ନିର୍ମିତ ଏକ ଡାଇରେକ୍ଟ-ଟୁ-ଡିଭିଡି ଚଳଚ୍ଚିତ୍ର। ଦ୍ଵିତୀୟଟି, "John Carter" (୨୦୧୨), ଓ୍ଵାଲ୍ଟ ଡିଜନୀ ପିକଚର୍ସ ଦ୍ଵାରା ନିର୍ମିତ ଏକ ବଡ଼ ବଜେଟ୍ର ଚଳଚ୍ଚିତ୍ର।
Science fiction କାହାଣୀରୁ ସମୟେ ସମୟେ ଵୈଜ୍ଞାନିକମାନେ ମଧ୍ୟ ପ୍ରଭାଵିତ ହୁଅନ୍ତି । ମଙ୍ଗଳ ସମ୍ବନ୍ଧୀୟ ଏତେ ସବୁ କାଳ୍ପନିକ କାହାଣୀ ପଢ଼ି ପଢ଼ି ଅନେକେ ସେ ଗ୍ରହରେ ଜୀଵନ ଅଛି କି ନାହିଁ ତାହା ଜାଣିଵାକୁ ଚେଷ୍ଟା ଆରମ୍ଭ କରିଥିଲେ । ୧୯୨୪ରେ, ମଙ୍ଗଳଗ୍ରହ ପୃଥିଵୀରୁ ମାତ୍ର ୫୬ ମିଲିୟନ କିଲୋମିଟର ଦୂରରେ ଅଵସ୍ଥିତ ଥିଲା । ଏହା ମଙ୍ଗଳରୁ ଜୀଵନ ସଙ୍କେତ ଖୋଜିଵା ପାଇଁ ଏକ ଅନୁକୂଳ ସମୟ ଥିଲା। ଯୁକ୍ତରାଷ୍ଟ୍ରର ନୌସେନା ଓ ଅନ୍ୟାନ୍ୟ ଵୈଜ୍ଞାନିକ ସଂସ୍ଥା ଏହି ସୁଯୋଗରେ ରେଡିଓ ସଙ୍କେତ ଗ୍ରହଣ କରିଵାକୁ ଚେଷ୍ଟା କରିଥିଲେ। ଏହି ଉଦ୍ୟମ ପର୍ସିଵାଲ ଲୋୱେଲଙ୍କ ମଙ୍ଗଳରେ କେନାଲ ଓ ବୁଦ୍ଧିମାନ ଜୀଵନ ସମ୍ପର୍କୀୟ ତତ୍ତ୍ଵଦ୍ଵାରା ପ୍ରେରିତ ହୋଇଥିଲା। ଵିଶେଷକରି ଅଗଷ୍ଟ ୨୧-୨୩, ୧୯୨୪ରେ, ଯୁଆର୍ମି ରେଡିଓ ଷ୍ଟେସନଗୁଡ଼ିକ ଦ୍ଵାରା ମଙ୍ଗଳରୁ ସମ୍ଭାଵ୍ୟ ରେଡିଓ ସଙ୍କେତ ଲାଭ କରିଵାକୁ ଚେଷ୍ଟା କରାଯାଇଥିଲା । ଯଦିଓ କୌଣସି ନିର୍ଦ୍ଦିଷ୍ଟ ସଙ୍କେତ ମିଳିନଥିଲା, ଏହି ଘଟଣା ମଙ୍ଗଳଗ୍ରହରେ ଜୀଵନର ଧାରଣାକୁ ଜନମାନସରେ ଆହୁରି ଜନପ୍ରିୟ ଓ ଵାସ୍ତଵଵାଦୀ କରିଥିଲା। ଏହା ଵୈଜ୍ଞାନିକ ଓ ଜନସାଧାରଣଙ୍କ ମଧ୍ୟରେ ମଙ୍ଗଳ ସମ୍ପର୍କୀୟ କଳ୍ପନା ଓ ଗଵେଷଣାକୁ ପ୍ରେରଣା ଯୋଗାଇଥିଲା।
ପରଵର୍ତ୍ତୀ ଦଶନ୍ଧିର ୧୯୩୪ ମସିହାରେ ଷ୍ଟାନଲେ ଜି. ୱେନବାମଙ୍କ "A Martian Odyssey" (୧୯୩୪) ପ୍ରକାଶିତ ହୋଇଥିଲା ଏହି ଵୈଜ୍ଞାନିକ କଳ୍ପଵିଜ୍ଞାନ କାହାଣୀର ନାୟକ ଡିକ୍ ଜାର୍ଵିସ, ଜଣେ ମହାକାଶଚାରୀ, ମଙ୍ଗଳଗ୍ରହରେ ଅଵତରଣ କରି ଏକ ଦୁର୍ଘଟନାରେ ଏକାକୀ ହୋଇଯାଏ। ସେ ମଙ୍ଗଳରେ ଵିଭିନ୍ନ ଵିଚିତ୍ର ଓ ବୁଦ୍ଧିମାନ ଜୀଵଙ୍କୁ ଭେଟେ, ଯେପରିକି ଟ୍ୱେଲ, ଏକ ପକ୍ଷୀପରି ଜୀଵ ଯିଏ ତାଙ୍କ ସହ ବନ୍ଧୁତା କରେ। ଜାର୍ଵିସ ମଙ୍ଗଳର ଅଜଣା ପରିଵେଶରେ ଭ୍ରମଣ କରି ଅଦ୍ଭୁତ ଜୀଵ ଓ ସଭ୍ୟତା, ଯେପରିକି ଯାନ୍ତ୍ରିକ ଜୀଵ ଓ ସ୍ଫଟିକ ପ୍ରାଣୀ, ଆଵିଷ୍କାର କରେ। ଏହି କାହାଣୀ ମଙ୍ଗଳଗ୍ରହରେ ଜୀଵନର ଏକ ନୂତନ, ଅଣମାନଵୀୟ ଓ ଵିଵିଧ ଦୃଷ୍ଟିକୋଣ ଉପସ୍ଥାପନ କରି ଵୈଜ୍ଞାନିକ କଳ୍ପନାକୁ ପ୍ରେରିତ କରିଥିଲା।
ସେହିପରି ଫ୍ରାଙ୍କ୍ କେ. କେଲି (Frank K. Kelly) ୧୯୩୪ରେ "Famine on Mars"ରେ ମଙ୍ଗଳୀୟ ଦୁର୍ଭିକ୍ଷ ସମ୍ବନ୍ଧୀୟ କାହାଣୀ ଲେଖିଥିଲେ। ଗ୍ରେଟ୍ ଡିପ୍ରେସନ୍ର ପ୍ରଭାଵରେ ରଚିତ ଏହି କାହାଣୀରେ ମଙ୍ଗଳୀୟ ଉପନିଵେଶରେ ଖାଦ୍ୟ ସଙ୍କଟ ଏଵଂ ସେଥିଯୋଗୁଁ ସମାଜରେ ଦେଖା ଦେଇଥିଵା ସଂଘର୍ଷ ଏଥିରେ ପ୍ରତିଫଳିତ ହୋଇଛି । ମଙ୍ଗଳରେ ମାନଵ ଵସତି ସ୍ଥାପନ ହେଵା ପରେ, ଅପର୍ଯ୍ୟାପ୍ତ ସମ୍ବଳ ଓ ପରିଵେଶ ଅସୁଵିଧା ହେତୁ ଖାଦ୍ୟ ଉତ୍ପାଦନ ଵ୍ୟାହତ ହୁଏ। ଏହା ସାମାଜିକ ଅସମାନତା ଓ ଵିଦ୍ରୋହର ସୃଷ୍ଟି କରେ। କାହାଣୀଟି ମାନଵ ସଭ୍ୟତାର ସ୍ଥିତିସ୍ଥାପକତା ଓ ଅନ୍ୟ ଗ୍ରହରେ ବଞ୍ଚିଵାର ଚ୍ୟାଲେଞ୍ଜକୁ ପ୍ରତିଫଳିତ କରେ। ଗ୍ରେଟ୍ ଡିପ୍ରେସନ୍ର ଅର୍ଥନୈତିକ ଓ ସାମାଜିକ ସଙ୍କଟ ଏହାର ପୃଷ୍ଠଭୂମିରେ ଦେଖାଯାଏ ।
ଚାରି ଵର୍ଷ ପରେ ୧୯୩୮ ଅକ୍ଟୋବର ୩୦ରେ ଓର୍ସନ୍ ୱେଲ୍ସ୍ଙ୍କ "The War of the Worlds" ରେଡିଓ ନାଟକ CBS ରେଡିୟୋ ନେଟୱାର୍କ ମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ଏଚ୍.ଜି. ୱେଲ୍ସ୍ଙ୍କ ୧୮୯୮ର ଉପନ୍ୟାସର ଏହା ଏକ ନାଟକୀୟ ରୂପାନ୍ତର ଥିଲା । ଏହି ପ୍ରସାରଣ, ମର୍କ୍ୟୁରୀ ଥିଏଟର ଅନ୍ ଦି ଏୟାର୍ର ଅଂଶ ଭାବେ, ଏକ ଵିଜ୍ଞାନ କାହାଣୀ ନାଟକ ରୂପେ ଉପସ୍ଥାପିତ ହୋଇଥିଲା ଏଵଂ ଏଥିରେ ମଙ୍ଗଳ ଗ୍ରହରୁ ଏଲିଅନ୍ ଆକ୍ରମଣର ଏକ କାଳ୍ପନିକ ଚିତ୍ରଣ କରାଯାଇଥିଲା। ଏହାର ଵାସ୍ତଵଧର୍ମୀ ଉପସ୍ଥାପନା ଓ ଅଭିନଵ ଶୈଳୀ ଯୋଗୁଁ ଏହା ଅନେକ ଶ୍ରୋତାଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଥିଲା। ଏହି ରେଡିଓ ନାଟକଟି ଏକ ନକଲ ସମାଚାର ପ୍ରସାରଣ ଶୈଳୀରେ ରଚିତ ହୋଇଥିଲା, ଯେଉଁଠାରେ ଘଟଣାଗୁଡ଼ିକ ନ୍ୟୁଜର୍ସିରେ ମଙ୍ଗଳୀୟ ଆକ୍ରମଣ ଭାବେ ବର୍ଣ୍ଣନା କରାଯାଇଥିଲା। ପ୍ରୋଗ୍ରାମ ଆରମ୍ଭରେ ଏକ ସଙ୍ଗୀତ ପ୍ରଦର୍ଶନର ଛଳନା କରାଯାଇଥିଲା, ଯାହା ହଠାତ୍ "ବ୍ରେକିଂ ନିଉଜ୍" ରିପୋର୍ଟ ଦ୍ୱାରା ବାଧାପ୍ରାପ୍ତ ହୋଇଥିଲା। ଏହି ରିପୋର୍ଟଗୁଡ଼ିକ ମଙ୍ଗଳ ଗ୍ରହରୁ ଅଜଣା ଵସ୍ତୁର ଅଵତରଣ, ଏଲିଅନ୍ଙ୍କ ଆକ୍ରମଣ, ଓ ସୈନ୍ୟଵାହିନୀର ପ୍ରତିକ୍ରିୟାକୁ ଵର୍ଣ୍ଣନା କରୁଥିଲା। ଓର୍ସନ୍ ୱେଲ୍ସ୍ଙ୍କ ନିର୍ଦ୍ଦେଶନା ଓ ଅଭିନୟ ସାଙ୍ଗକୁ ଵାସ୍ତଵଧର୍ମୀ ଧ୍ୱନି ପ୍ରଭାଵ ଓ ରିପୋର୍ଟରଙ୍କ ଆତଙ୍କିତ ସ୍ୱର, ଶ୍ରୋତାଙ୍କୁ ଏହା ଵାସ୍ତଵ ଘଟଣା ବୋଲି ଵିଶ୍ୱାସ କରାଇଥିଲା। ଏହି ପ୍ରସାରଣର ପ୍ରଭାବ ଅତ୍ୟନ୍ତ ଗଭୀର ଥିଲା। ଅନେକ ଶ୍ରୋତା, ପ୍ରୋଗ୍ରାମର ଆରମ୍ଭରେ ଘୋଷଣା ଶୁଣି ନଥିଲେ ଯେ ଏହା ଏକ କାଳ୍ପନିକ ନାଟକ ତେଣୁ ସେମାନେ ଏହାକୁ ସତ୍ୟ ବୋଲି ଭାବିଥିଲେ। ସେତେବେଳେ ରେଡିଓ ଥିଲା ସମାଚାରର ଏକ ପ୍ରାଥମିକ ମାଧ୍ୟମ ଏଵଂ ଦ୍ୱିତୀୟ ଵିଶ୍ୱଯୁଦ୍ଧର ପୂର୍ଵଵର୍ତ୍ତୀ ଉତ୍ତେଜନା ଯୋଗୁଁ ଲୋକମାନେ ଅଜଣା ଆକ୍ରମଣ ଵିଷୟରେ ଜାଣି ସହଜରେ ଭୟଭୀତ ହୋଇଥିଲେ। ଫଳସ୍ୱରୂପ, ନ୍ୟୁଜର୍ସି ଓ ନ୍ୟୁୟର୍କରେ ଅନେକ ଶ୍ରୋତା ଆତଙ୍କିତ ହୋଇ ପଡ଼ିଥିଲେ। କେହି କେହି ଘର ଛାଡ଼ି ପଳାୟନ କରିଥିଲେ , କିଛି ଲୋକ ଭୟରେ ପୋଲିସ ଓ ଗଣମାଧ୍ୟମକୁ ଫୋନ୍ କରିଥିଲେ, ଆଉ କିଛି ଲୋକ ଆତ୍ମରକ୍ଷା ପାଇଁ ଅସ୍ତ୍ର ଖୋଜିଥିଲେ। ଖବରକାଗଜରେ ଏହା ଏକ "ଆତଙ୍କର ରାତ୍ରି" ଭାବେ ଵର୍ଣ୍ଣନା କରାଯାଇଥିଲା ।
ଲୋକଙ୍କ ପ୍ରତିକ୍ରିୟା ମିଶ୍ରିତ ଥିଲା। କେହି କେହି ଏହାକୁ ଏକ ନାଟକ ବୋଲି ବୁଝିଥିଲେ ଓ ମଜା ନେଇଥିଲେ, କିନ୍ତୁ ଅନେକେ ଏହାର ଵାସ୍ତଵଧର୍ମୀ ଉପସ୍ଥାପନାରେ ଭୟଭୀତ ହୋଇଥିଲେ। ଏହି ଘଟଣା ଗଣମାଧ୍ୟମର ଶକ୍ତି ଓ ଦାୟିତ୍ୱ ଉପରେ ଏକ ବଡ଼ ଵିତର୍କ ସୃଷ୍ଟି କରିଥିଲା। ଓର୍ସନ୍ ୱେଲ୍ସ୍ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷମା ମାଗିଥିଲେ, କିନ୍ତୁ ଏହା ତାଙ୍କ କ୍ୟାରିୟରକୁ ଆହୁରି ପ୍ରସିଦ୍ଧ କରିଥିଲା। ଏହି ପ୍ରସାରଣ ଆଧୁନିକ ଗଣମାଧ୍ୟମ ଇତିହାସରେ ଏକ ମାଇଲଖୁଣ୍ଟ ହୋଇ ରହିଛି, ଯାହା ଗଣମାଧ୍ୟମର ପ୍ରଭାଵ ଓ ଶ୍ରୋତାଙ୍କ ମାନସିକତା ଉପରେ ଆଲୋକପାତ କରେ।
ପାଞ୍ଚ ଵର୍ଷ ପରେ "ସ୍ପେସ୍ ଓପେରାର ରାଣୀ" ଭାବେ ପରିଚିତ “ଲୀଘ୍ ବ୍ରାକେଟ୍”, ୧୯୪୩ରେ ତାଙ୍କ ମଙ୍ଗଳୀୟ ଗଳ୍ପଗୁଡ଼ିକରେ ଏକ ରୋମାଣ୍ଟିକ୍ ଓ ସାହସିକ ଵିଶ୍ୱ ସୃଷ୍ଟି କରିଥିଲେ। ତାଙ୍କର "The Citadel of Lost Ships ଗଳ୍ପ " ଏଡଗାର ରାଇସ୍ ବରୋଜ୍ଙ୍କ ବାର୍ସୁମ୍ଠାରୁ ପ୍ରେରିତ ଯହିଁରେ ମଙ୍ଗଳ ଗ୍ରହକୁ ଏକ ମିଥକୀୟ, ସମୁଦ୍ର-ଘେରା ସଭ୍ୟତା ଭାବେ ଚିତ୍ରଣ କରାଯାଇଛି। ଏହି ଗଳ୍ପଗୁଡ଼ିକ ପ୍ଲାନେଟ୍ ଷ୍ଟୋରିଜ୍ରେ ପ୍ରକାଶିତ ହୋଇଥିଲା । ବ୍ରାକେଟ୍ ନିଜ ମଙ୍ଗଳ ସମ୍ବନ୍ଧୀୟ ଗଳ୍ପଗୁଡ଼ିକରେ ମରୁଭୂମି ଗ୍ରହରେ ସାହସିକ ନାୟକ ଓ ଶକ୍ତିଶାଳୀ ନାୟିକାଙ୍କ ମାଧ୍ୟମରେ ଜଟିଳ ସାମାଜିକ ଓ ରାଜନୈତିକ ଥିମ୍ ଉପସ୍ଥାପନ କରିଥିଲେ। "The Citadel of Lost Ships" ରେ ପୃଥିଵୀର ଵାଣିଜ୍ୟ ସାମ୍ରାଜ୍ୟ ଵିସ୍ତାର ଓ ଏହାର ଏଲିଅନ୍ ସଂସ୍କୃତି ଉପରେ ପ୍ରଭାଵକୁ ଦର୍ଶାଯାଇଛି। ବ୍ରାକେଟ୍ଙ୍କ ମଙ୍ଗଳ ଏକ ରୋମାଣ୍ଟିକ୍ ଓ ଦୁଃଖପୂର୍ଣ୍ଣ ଵିଶ୍ୱ ଯେଉଁଠାରେ ପ୍ରାଚୀନ ସଭ୍ୟତାର ଅଵଶେଷ ଓ ନାୟକୋଚିତ ସଂଘର୍ଷ ମିଶି ଏକ ମହାକାଵ୍ୟମୟ ଚିତ୍ର ସୃଷ୍ଟି କରେ। ତାଙ୍କ ନାୟକମାନେ, ଯେପରିକି ଏରିକ୍ ଜନ୍ ଷ୍ଟାର୍କ, ସାହସୀ ଓ ଆଦିମ, କିନ୍ତୁ ସଂଵେଦନଶୀଳ, ଯେଉଁମାନେ ମଙ୍ଗଳର ଶୁଷ୍କ ନିମ୍ନଭୂମିରେ ଵିପଦ ଓ ରୋମାନ୍ସର ସମ୍ମୁଖୀନ ହୁଅନ୍ତି। ବ୍ରାକେଟ୍ଙ୍କ ଶୈଳୀ ଫିଲ୍ମ ନୋୟାର ଓ ହାର୍ଡ-ବୋଇଲ୍ଡ ଡିଟେକ୍ଟିଭ୍ ଗଳ୍ପରୁ ପ୍ରଭାଵିତ ଯାହା ତାଙ୍କ କାହାଣୀଗୁଡ଼ିକୁ ଗଭୀରତା ଓ ଆଵେଗ ପ୍ରଦାନ କରେ। ଏହି ଗଳ୍ପଗୁଡ଼ିକ ସେତେବେଳର ସାମ୍ରାଜ୍ୟଵାଦ ଓ ସଂସ୍କୃତିଗତ ସଂଘର୍ଷ ଆଦି ସାମାଜିକ ପ୍ରସଙ୍ଗକୁ ଆଧାର କରି ଲିଖିତ ହୋଇଥିଲା ।
ଏହାପରେ ରବର୍ଟ୍ ଏ. ହେନ୍ଲେନ୍ଙ୍କର ୧୯୪୯ରେ "Red Planet" ନାମକ ଏକ ଵିଜ୍ଞାନ କାହାଣୀ ପ୍ରକାଶ ପାଇଥିଲା ଯାହା ମଙ୍ଗଳ ଗ୍ରହରେ ଵାଲ୍ୟକାଳୀନ ସାହସିକତା ଓ ସଂଗ୍ରାମକୁ ଚିତ୍ରଣ କରେ। ଏହି ଉପନ୍ୟାସ, ଯୁଵପାଠକଙ୍କ ପାଇଁ ରଚିତ,ଦୁଇ କିଶୋର, ଜିମ୍ ମାର୍ଲୋ ଓ ଫ୍ରାଙ୍କ୍ ସଟନ୍ଙ୍କ କାହାଣୀ ଵର୍ଣ୍ଣନା କରେ, ଯେଉଁମାନେ ମଙ୍ଗଳର ଏକ ଉପନିଵେଶରେ ବାସ କରନ୍ତି। ସେମାନଙ୍କ ସାଙ୍ଗରେ ଥାଏ ୱିଲିସ୍, ଏକ ବୁଦ୍ଧିମାନ ମଙ୍ଗଳୀୟ ଜୀଵ ଯାହା ସେମାନଙ୍କର ଏକ ପୋଷା ପ୍ରାଣୀ ଥିଲା ।
କାହାଣୀରେ ମଙ୍ଗଳର ଉପନିଵେଶ ପୃଥିଵୀର ଏକ ଶୋଷଣକାରୀ କମ୍ପାନୀ ଦ୍ୱାରା ନିୟନ୍ତ୍ରିତ। ଏହି କମ୍ପାନୀ କଠୋର ନିୟମ ଲାଗୁ କରେ, ଫଳତଃ ଉପନିଵେଶବାସୀଙ୍କ ସ୍ୱାଧୀନତା ପ୍ରଭାଵିତ ହୁଏ । ଜିମ୍ ଓ ଫ୍ରାଙ୍କ୍ ଯେତେବେଳେ ଜାଣନ୍ତି ଯେ କମ୍ପାନୀ ଉପନିଵେଶର ଜଳଵାୟୁ ନିୟନ୍ତ୍ରଣ ଵ୍ୟଵସ୍ଥା ବନ୍ଦ କରି ସମସ୍ତଙ୍କୁ ଵିପଦରେ ପକାଇଵାକୁ ଯୋଜନା କରୁଛି ସେତେବେଳେ ସେମାନେ ଏହି ଅନ୍ୟାୟର ଵିରୋଧ କରନ୍ତି । ୱିଲିସ୍ର ସହାୟତାରେ ସେମାନେ ମଙ୍ଗଳୀୟ ଆଦିଵାସୀଙ୍କ ସହ ଯୋଗାଯୋଗ କରନ୍ତି ଯେଉଁମାନେ ଏକ ପ୍ରାଚୀନ ଓ ରହସ୍ୟମୟ ସଭ୍ୟତାର ଅଂଶ। ଏହି ମୈତ୍ରୀ ମାଧ୍ୟମରେ ସେମାନେ ଵିଦ୍ରୋହ ଆରମ୍ଭ କରନ୍ତି ଏଵଂ ଏହା ଉପନିବେଶର ସ୍ୱାଧୀନତା ପାଇଁ ଏକ ସଂଗ୍ରାମରେ ପରିଣତ ହୁଏ। ଆମେରିକାରେ ୟୁରୋପୀୟଙ୍କ ଉପନିଵେଶ ସ୍ଥାପନ ସମୟରେ ଅନେକ ୟୁରୋପୀୟ ଜାତିଙ୍କ ମଧ୍ୟରେ ହୋଇଥିଵା ସଂଘର୍ଷ ଓ ତହିଁରେ ଆମେରିକୀୟ ମୂଳ ଆଦିଵାସୀ ରେଡ୍ ଇଣ୍ଡିଆନଙ୍କ ଯୋଗଦାନ ସମ୍ବନ୍ଧୀୟ ଇତିହାସରୁ ସମ୍ଭଵତଃ ଏହି କାହାଣୀ ପ୍ରଭାଵିତ ହୋଇଛି । ହେନ୍ଲେନ୍ଙ୍କ ଏହି ଗଳ୍ପରେ ଵ୍ୟକ୍ତିଗତ ସ୍ୱାଧୀନତା, ସାମାଜିକ ନ୍ୟାୟ ଓ ଯୁଵକମାନଙ୍କର ଦାୟିତ୍ୱବୋଧକୁ ଚିତ୍ରଣ କରାଯାଇଛି । ମଙ୍ଗଳର ଶୁଷ୍କ, ଲାଲ ପରିଵେଶ ଓ ଏହାର ଆଦିଵାସୀ ଜୀଵନ ଗଳ୍ପରେ ଏକ ରୋମାଞ୍ଚକର ପୃଷ୍ଠଭୂମି ପ୍ରଦାନ କରେ। ଏହା ଯୁଵପାଠକଙ୍କୁ ସାହସ ଓ ନୈତିକତାର ଶିକ୍ଷା ଦେଇଥାଏ ଯାହା ହେନ୍ଲେନ୍ଙ୍କ ଜୁଭେନାଇଲ୍ ଉପନ୍ୟାସଗୁଡ଼ିକର ଵୈଶିଷ୍ଟ୍ୟ।
ପର ଵର୍ଷ “ରେ ବ୍ରାଡ଼ବୁରି”ଙ୍କ "The Martian Chronicles" (୧୯୫୦) ଵିଜ୍ଞାନ କାହାଣୀ ସଂକଳନ ପ୍ରକାଶିତ ହୋଇଥିଲା । ଏହାର କାହାଣୀ ୧୯୯୯ରୁ ୨୦୨୬ ମଧ୍ୟରେ ଘଟେ । ପୃଥିଵୀରୁ ମାନବ ଅଭିଯାନ ମଙ୍ଗଳରେ ପହଞ୍ଚେ। ପ୍ରାରମ୍ଭିକ ଗଳ୍ପଗୁଡ଼ିକରେ ମଙ୍ଗଳୀୟମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଓ ଟେଲିପାଥିକ୍ ସଭ୍ୟତା ଭାବେ ଦର୍ଶାଯାଇଛି ଯେଉଁମାନେ ମାନଵ ଅଭିଯାତ୍ରୀଙ୍କୁ ପ୍ରତିରୋଧ କରିଥିଲେ । ତେବେ ପୃଥିଵୀରୁ ଆସିଥିଵା ରୋଗ ଦ୍ୱାରା ସେମାନେ ନିଶ୍ଚିହ୍ନ ହୁଅନ୍ତି। ଅଷ୍ଟ୍ରେଲିଆ ଓ ଆମେରିକାରେ ଗୋରା ଲୋକଙ୍କ ଉପନିଵେଶ ସ୍ଥାପନ ସମୟରେ ବି ସ୍ଥାନୀୟ ଆଦିଵାସୀଙ୍କ ସହିତ ଏହିପରି ଘଟିତ ହୋଇଥିଲା । ତେବେ କାହାଣୀ ସଂକଳନର କଥାଵସ୍ତୁ ଅନୁସାରେ ଏହା ପରେ ମାନଵ ଉପନିଵେଶଵାଦୀମାନେ ମଙ୍ଗଳକୁ ପୃଥିଵୀର ଏକ ପ୍ରତିଛବିରେ ରୂପାନ୍ତରିତ କରିଵାକୁ ଚେଷ୍ଟା କରନ୍ତି କିନ୍ତୁ ସେମାନଙ୍କ ସ୍ୱପ୍ନ ପୃଥିଵୀରେ ପାରମାଣଵିକ ଯୁଦ୍ଧ ଯୋଗୁଁ ଭାଙ୍ଗିଯାଏ। ଅନେକ ଉପନିଵେଶଵାସୀ ପୃଥିଵୀକୁ ଫେରନ୍ତି କିନ୍ତୁ କେତେକ ମଙ୍ଗଳରେ ରହି ନୂଆ ଜୀଵନ ଆରମ୍ଭ କରନ୍ତି ଏଵଂ ଯେଉଁମାନେ ନିଜକୁ "ମଙ୍ଗଳୀୟ" ଭାବେ ଗ୍ରହଣ କରନ୍ତି। ବ୍ରାଡ଼ବୁରିଙ୍କ ଶୈଳୀ କାଵ୍ୟିକ ଓ ଆଵେଗପୂର୍ଣ୍ଣ ଫଳରେ ମଙ୍ଗଳର ଶୁଷ୍କ, ରହସ୍ୟମୟ ପରିଵେଶକୁ ଜୀବନ୍ତ କରିଦିଏ । ଗଳ୍ପଗୁଡ଼ିକ ମାନଵ ପ୍ରକୃତିର ଦୁର୍ଵଳତା,ଲୋଭ,ଭୟ ଓ ଧ୍ୱଂସକାରୀ ପ୍ରଵୃତ୍ତି ସହିତ ଆଶା ଓ ପୁନର୍ଜନ୍ମର ଥିମ୍କୁ ମିଶାଇ ଦେଇଛି। କାହାଣୀ ସଂକଳନର "Ylla" ଓ "The Million-Year Picnic" ପରି ଗଳ୍ପ ମଙ୍ଗଳୀୟ ସଭ୍ୟତାର ଦୁଃଖଦ ଅନ୍ତ ଓ ମାନଵ ସଭ୍ୟତାର ନୂଆ ଆରମ୍ଭକୁ ପ୍ରକାଶ କରେ। ଏହା ସାମ୍ରାଜ୍ୟଵାଦ ଓ ପରିଵେଶ ଧ୍ୱଂସର ସମାଲୋଚନା କରେ ଏଵଂ ଶୀତଳ ଯୁଦ୍ଧ ଯୁଗର ଆଶଙ୍କାକୁ ପ୍ରତିଫଳିତ କରେ। ଉଚ୍ଚମାନର ସାହିତ୍ୟ ହୋଇଥିଵାରୁ ବ୍ରାଡ଼ବୁରିଙ୍କ ଵିଜ୍ଞାନ କାହାଣୀଗୁଡ଼ିକ ଆଜି ମଧ୍ୟ ପାଠକଙ୍କୁ ଆକର୍ଷିତ କରେ।
୧୯୫୧ରେ ବ୍ରିଟିଶ୍ ଲେଖକ ଆର୍ଥର୍ ସି. କ୍ଲାର୍କ୍ (Arthur C. Clarke)ଙ୍କର "The Sands of Mars" ଉପନ୍ୟାସ ପ୍ରକାଶ ପାଇଥିଲା। ସେ ଏଥିରେ ମଙ୍ଗଳରେ ସ୍ୱାଧୀନ ଜୀଵନର ଏକ ନୂତନ ଚିତ୍ରଣ କରିଥିଲେ। ଏହି ଗଳ୍ପରେ ମଙ୍ଗଳରେ ଅକ୍ସିଜେନ୍ ଉତ୍ପାଦନ କରୁଥିଵା ଉଦ୍ଭିଦ ଓ ମାର୍ସୁପିୟାଳ୍ ପରି ଜୀଵନର ଉଲ୍ଲେଖ ରହିଛି। ଏହା ମଣିଷ ସଂଗଠନର ସମ୍ଭାଵନାକୁ ଚିତ୍ରଣ କରି ମଙ୍ଗଳକୁ ଏକ ଵାସଯୋଗ୍ୟ ଗ୍ରହ ଭାବେ ଉପସ୍ଥାପିତ କରିଥିଲା ଯାହା ଵୈଜ୍ଞାନିକ କାଳ୍ପନିକତାରେ ଏକ ନୂଆ ମୂଳ୍ୟବୋଧ ଯୋଡ଼ିଥିଲା। ଏହି କାର୍ଯ୍ୟ ମଙ୍ଗଳୀୟ ଜୀଵନକୁ ଆକ୍ରମଣକାରୀ ନୁହେଁ ଵରଂ ସହଜସତ୍ତ୍ୱା ଭାବେ ଚିତ୍ରଣ କରି ପାଠକଙ୍କରେ ଆକର୍ଷଣ ସୃଷ୍ଟି କରିଥିଲା।
୧୯୫୨ରେ ପ୍ରସିଦ୍ଧ ଵିଜ୍ଞାନ ଲେଖକ ଆଇଜ୍ୟାକ୍ ଆସିମୋଭ୍ (Isaac Asimov)ଙ୍କର "David Starr, Space Ranger" ଉପନ୍ୟାସ ପ୍ରକାଶିତ ହେଲା । ଏଥିରେ ଲେଖକ ମଙ୍ଗଳୀୟ ସଭ୍ୟତାକୁ ଏକ ଉନ୍ନତ ଓ ସହଯୋଗୀ ରୂପରେ ଚିତ୍ରଣ କରିଥିଲେ। ଏହା ମଙ୍ଗଳରୁ ପୃଥିଵୀକୁ ପ୍ରଯୁକ୍ତିଗତ ସାହାଯ୍ୟ ପ୍ରଦାନ କରୁଥିଵା ଗୋଟିଏ ବୁଦ୍ଧିମାନ୍ ଜୀଵନର କାହାଣୀ ଏଵଂ ଏଥିରେ ମଙ୍ଗଳରେ ଜୀଵନର ସମ୍ଭାଵାନାକୁ ସକାରାତ୍ମକ ଭାବେ ଉପସ୍ଥାପନ କରାଯାଇଥିଲା।
୧୯୫୬ରେ ରେକ୍ସ୍ ଗର୍ଡନ୍ଙ୍କ ଉପନ୍ୟାସ "No Man Friday" ପ୍ରକାଶିତ ହେଲା ଯାହା ମଙ୍ଗଳ ଗ୍ରହରେ ଜଣେ ମଣିଷ ଵିମାନଚାଳକର ଅଭିଜ୍ଞତାକୁ ନେଇ ରଚିତ। ଏହି କାହାଣୀରେ ଜଣେ ଵିମାନଚାଳକ ଦୁର୍ଘଟଣା ଯୋଗୁଁ ମଙ୍ଗଳରେ ଅଵତରଣ କରି ଏକ ଶାନ୍ତିପ୍ରିୟ ମଙ୍ଗଳୀୟ ସଭ୍ୟତା ସହ ସମ୍ପର୍କ ସ୍ଥାପନ କରେ। ଏହି ସଭ୍ୟତା ଉନ୍ନତ ଓ ନୈତିକତାରେ ପରିପୂର୍ଣ୍ଣ । ଵିମାନଚାଳକ ମଙ୍ଗଳରେ ଏକାକୀ ଜୀଵନ ଯାପନ କରେ, ମାତ୍ର ଶୀଘ୍ର ତାହାର ମଙ୍ଗଳୀୟ ଜୀଵଙ୍କ ସହ ଭେଟ ହୁଏ। ଏହି ଜୀଵମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶାନ୍ତିପୂର୍ଣ୍ଣ ଜୀଵନଶୈଳୀ ପାଇଁ ଜଣାଶୁଣା। ସେମାନଙ୍କ ସହ ସମ୍ପର୍କ ଗଢ଼ିଵା ପରେ ଏହା ଜାଣିପାରି ଵିମାନଚାଳକ ମଣିଷର ସଂଘର୍ଷପୂର୍ଣ୍ଣ ଅତୀତକୁ ଗୋପନ ରଖେ, କାରଣ ସେ ଭୟ କରେ ଯେ ଏହା ମଙ୍ଗଳୀୟମାନଙ୍କ ମଣିଷ ପ୍ରତି ଦୃଷ୍ଟିକୋଣକୁ ପ୍ରଭାଵିତ କରିପାରେ। ଉପନ୍ୟାସଟି ମଙ୍ଗଳୀୟ ଜୀଵନକୁ ଏକ ନୈତିକ ଦୃଷ୍ଟିକୋଣରୁ ଚିତ୍ରଣ କରେ ଯେଉଁଠି ମଣିଷର ଆଗ୍ରାସୀ ପ୍ରକୃତି ଓ ମଙ୍ଗଳୀୟମାନଙ୍କ ଶାନ୍ତିପୂର୍ଣ୍ଣ ସଂସ୍କୃତି ମଧ୍ୟରେ ଵୈପରୀତ୍ୟ ଉପସ୍ଥାପନ କରାଯାଇଛି। ଏହା ମାନଵ ସଭ୍ୟତାର ନୈତିକ ଦୁର୍ଵଳତା ଓ ଅନ୍ୟ ଗ୍ରହର ସମ୍ଭାଵ୍ୟ ସଭ୍ୟତା ସହ ସହଅଵସ୍ଥାନର ଆଵଶ୍ୟକତା ଉପରେ ଆଲୋଚନା କରେ। ।
୧୯୬୧ରେ ରବର୍ଟ୍ ଏ. ହେନ୍ଲେନ୍ଙ୍କ ଉପନ୍ୟାସ "Stranger in a Strange Land" ପ୍ରକାଶିତ ହେଲା। ଏହି କାହାଣୀ ମଙ୍ଗଳୀୟ ସଭ୍ୟତାରେ ପାଳିତ ଏକ ମଣିଷ, ଭାଲେଣ୍ଟାଇନ୍ ମାଇକେଲ୍ ସ୍ମିଥ୍ଙ୍କୁ କେନ୍ଦ୍ର କରି ରଚିତ। ମଙ୍ଗଳୀୟ ସଂସ୍କୃତିରେ ବଢ଼ିଥିଵା ସ୍ମିଥ୍ ପୃଥିଵୀକୁ ଫେରି ମଙ୍ଗଳୀୟ ଆଦର୍ଶଗୁଡ଼ିକୁ ପ୍ରଚାର କରେ ଯାହା ଧାର୍ମିକ ଓ ସାମାଜିକ ଦୃଷ୍ଟିକୋଣରୁ ମଙ୍ଗଳୀୟ ଜୀଵନକୁ ଏକ ଆଧ୍ୟାତ୍ମିକ ଅଭିମୁଖ ପ୍ରଦାନ କରେ । ସେ ଏକ ପ୍ରଵାଦୀ ଭାବେ ଉଭା ହୋଇ ମାନବୀୟ ମୂଲ୍ୟବୋଧ ଓ ସଂସ୍କୃତିକୁ ପ୍ରଶ୍ନ କରେ। ଏହି ଉପନ୍ୟାସ ହିପ୍ପୀ ଯୁଗରେ ଜନପ୍ରିୟତା ଲାଭ କରି ମଙ୍ଗଳୀୟ ଜୀଵନକୁ ଏକ ଆଧ୍ୟାତ୍ମିକ ପ୍ରତୀକ ଭାବେ ପରିଣତ କଲା। ଏହା ସାଇନ୍ସ୍ ଫିକ୍ସନ୍ରେ ମଙ୍ଗଳର ଧାରଣାକୁ ନୂଆ ଦିଗ ଦେଇଛି।
ତେବେ ୧୯୬୨ ମସିହାରେ ମଙ୍ଗଳ ସମ୍ବନ୍ଧୀୟ ଵୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ ହେଲା । କିନ୍ତୁ ଏ ଦିଗରେ ପ୍ରଥମ ପ୍ରୟାସ ଵିଫଳ ହୋଇଥିଲା । ସୋଭିୟେତ୍ ସଂଘର ପ୍ରଥମ ମଙ୍ଗଳ ମିଶନ୍ 'Mars-1' ମଙ୍ଗଳ ଗ୍ରହରେ ପହଞ୍ଚିଵା ପୂର୍ଵରୁ ଯୋଗାଯୋଗ ହଜିଯାଇଥିଲା। କିନ୍ତୁ ଏହି ମିଶନ୍ ଵୈଜ୍ଞାନିକମାନଙ୍କୁ ମଙ୍ଗଳର ଵାୟୁମଣ୍ଡଳ ଓ ପୃଷ୍ଠଭୂମି ଵିଷୟରେ ପ୍ରଥମ ଡାଟା ପ୍ରଦାନ କରିଥିଲା । ସେ ଡାଟା ନକାରାତ୍ମକ ଥିଲା ତେଣୁ ମଙ୍ଗଳରେ ଜୀଵନର ସମ୍ଭାଵନାକୁ ନେଇ ପ୍ରଶ୍ନଵାଚୀ ସୃଷ୍ଟି ହୋଇଥିଲା।
ଏହି ଵୈଜ୍ଞାନିକ ଅନୁସନ୍ଧାନ ପରେ ସମ୍ଭଵତଃ ଏଥିରୁ ପ୍ରେରିତ ହୋଇ ୱାଲ୍ଟର୍ ଟେଭିସ୍ଙ୍କ ଉପନ୍ୟାସ "The Man Who Fell to Earth" ୧୯୬୩ରେ ପ୍ରକାଶ ପାଇଥିଲା । ଏହି ଉପନ୍ୟାସର କାହାଣୀ ଅନୁସାରେ ଏକ ମଙ୍ଗଳୀୟ ଜୀଵ ଥୋମାସ ଜେରୋମ ନିଉଟନ୍ ମଙ୍ଗଳ ଗ୍ରହରେ ନ୍ୟୁକ୍ଲିୟର୍ ଯୁଦ୍ଧରେ ଧ୍ୱଂସ ହୋଇଯାଇଥିଵା ତାଙ୍କ ସଭ୍ୟତାର ଶେଷ ଅଵଶେଷ ରକ୍ଷା କରିଵା ପାଇଁ ପୃଥିଵୀରେ ପହଞ୍ଚିଥାଏ। ମଙ୍ଗଳରେ ଜଳ ଓ ସମ୍ବଳର ଅଭାବ ତାଙ୍କ ଜାତିକୁ ଵିପଦ ଆଡ଼କୁ ଠେଲି ଦେଇଛି। ନିଉଟନ୍ ଏକ ମାନଵ ରୂପ ଧାରଣ କରି ପୃଥିଵୀରେ ଆସିଥାନ୍ତି, ତାଙ୍କ ଲକ୍ଷ୍ୟ ହେଉଛି ଜଳ ପରିଵହନ କରି ମଙ୍ଗଳକୁ ପୁନର୍ଜନ୍ମ ଦେଵା। ସେ ତାଙ୍କର ଉନ୍ନତ ଜ୍ଞାନକୌଶଳ ଵ୍ୟଵହାର କରି ଏକ ଵିଶାଳ ଵ୍ୟଵସାୟ ସାମ୍ରାଜ୍ୟ ଗଢ଼ିଥାନ୍ତି ଯାହାଦ୍ୱାରା ସେ ଧନସମ୍ପଦ ଓ ଶକ୍ତି ଅର୍ଜନ କରନ୍ତି।
କିନ୍ତୁ ପୃଥିଵୀର ମାନଵ ସମାଜରେ ନିଉଟନ୍ ନିଜକୁ ଅଜଣା ଓ ଏକାକୀ ଅନୁଭଵ କରନ୍ତି। ସେ ମଦ, ମାନଵୀୟ ସମ୍ପର୍କ ଓ ପାର୍ଥିଵ ଜୀଵନର ଜଟିଳତାରେ ଜଡ଼ିତ ହୋଇପଡ଼ନ୍ତି। ତାଙ୍କର ଅମାନଵିକ ଚେହେରା ଓ ଆଚରଣ ସରକାରୀ ସଂସ୍ଥାଗୁଡ଼ିକର ସନ୍ଦେହ ଜନ୍ମାଇଥାଏ। ଜଣେ ସାଧାରଣ ମାନଵୀ— ବେଟୀ ଜୋ,ଜଣେ ଵୈଜ୍ଞାନିକ— ଓ ବ୍ରାଇସ, ତାଙ୍କ ଜୀଵନରେ ପ୍ରଵେଶ କରନ୍ତି, କିନ୍ତୁ ତାଙ୍କ ପରିଚୟ ପ୍ରକାଶ ପାଇଵା ପରେ ସମ୍ପର୍କ ଜଟିଳ ହୋଇପଡେ। ନିଉଟନ୍ଙ୍କ ଯୋଜନା ଧୀରେ ଧୀରେ ଵିଫଳ ହୁଏ, କାରଣ ମାନଵୀୟ ଦୁର୍ଵଳତା ଓ ସରକାରୀ ହସ୍ତକ୍ଷେପ ତାଙ୍କୁ ଅଟକାଇ ଦିଏ। ତାଙ୍କୁ ବନ୍ଦୀ କରାଯାଏ ଓ ତାଙ୍କ ଅମାନଵିକ ପରିଚୟ ଧରାପଡ଼ିଯାଏ। ଶେଷରେ, ସେ ଏକ ଦୁଃଖାନ୍ତ ଅଵସ୍ଥାରେ ରହିଯାନ୍ତି—ଏକ ଅଜଣା ଗ୍ରହରେ ଏକାକୀ, ତାଙ୍କ ମିଶନ ଅସମ୍ପୂର୍ଣ୍ଣ ରହିଯାଏ।
ସେହିଵର୍ଷ ରଜର୍ ଜେଲାନିଙ୍କ କ୍ଷୁଦ୍ରଗଳ୍ପ "A Rose for Ecclesiastes" (୧୯୬୩) ମଧ୍ୟ ପ୍ରକାଶ ପାଇଥିଲା । ଏହି କ୍ଷୁଦ୍ରଗଳ୍ପର ନାୟକ ଗାଲିଙ୍ଗର, ଜଣେ କଵି ଓ ଭାଷାଵିତ୍, ମଙ୍ଗଳ ଗ୍ରହରେ ପହଞ୍ଚି ସେଠାକାର ନଷ୍ଟପ୍ରାୟ ସଭ୍ୟତାର ସଂସ୍କୃତି ଅଧ୍ୟୟନ କରନ୍ତି। ମଙ୍ଗଳୀୟମାନେ, ଏକ ପ୍ରାଚୀନ ଓ ଶୋଚନୀୟ ଜାତି, ଜନସଂଖ୍ୟା ହ୍ରାସ ଓ ନିରାଶାରେ ଜର୍ଜରିତ। ସେମାନଙ୍କର ଧର୍ମ ଓ ଭଵିଷ୍ୟବାଣୀ ସେମାନଙ୍କୁ ଏକ ମୃତପ୍ରାୟ ଅଵସ୍ଥାରେ ରଖିଛି। ଗାଲିଙ୍ଗର ମଙ୍ଗଳୀୟ ସଂସ୍କୃତିରେ ଗଭୀର ଭାବେ ଜଡ଼ିତ ହୁଅନ୍ତି ଏଵଂ ବ୍ରାଏଲି ନାମକ ଜଣେ ମଙ୍ଗଳୀୟ ନର୍ତ୍ତକୀ ସହ ପ୍ରେମରେ ପଡ଼ନ୍ତି। ସେ ମଙ୍ଗଳୀୟ ଧାର୍ମିକ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କରି ଜାଣନ୍ତି ଯେ ସେମାନଙ୍କ ଭଵିଷ୍ୟବାଣୀ ଅନୁଯାୟୀ ସେମାନେ ଵିନାଶର ଦ୍ଵାରଦେଶରେ ପହଞ୍ଚିଛନ୍ତି। ଗାଲିଙ୍ଗର ପୃଥିଵୀର ସାହିତ୍ୟ, ଵିଶେଷତଃ ବାଇବେଲ ଓ Ecclesiastesର ପ୍ରେରଣାରେ ମଙ୍ଗଳୀୟମାନଙ୍କୁ ନୂଆ ଆଶା ଦେଵାକୁ ଚେଷ୍ଟା କରନ୍ତି। ସେ ସେମାନଙ୍କ ଧର୍ମକୁ ପୁନର୍ଵ୍ୟାଖ୍ୟା କରି ଜୀଵନ ଓ ପ୍ରଜନନର ଆଵଶ୍ୟକତା ବୁଝାନ୍ତି। କିନ୍ତୁ ଏହି ପ୍ରଭାଵ ଦୁଃଖାନ୍ତ ହୁଏ। ବ୍ରାଏଲିଙ୍କ ଗର୍ଭଧାରଣ ସତ୍ତ୍ୱେ, ମଙ୍ଗଳୀୟମାନଙ୍କର ନିରାଶାଜନକ ମାନସିକତା ଓ ସାଂସ୍କୃତିକ ଜଡ଼ତା ସମ୍ପୂର୍ଣ୍ଣ ପରିଵର୍ତ୍ତନକୁ ଅଟକାଇ ଦିଏ। ଗାଲିଙ୍ଗର ନିଜର ଅସ୍ମିତା ଓ ପ୍ରେମରେ ହତାଶ ହୋଇ ପୃଥିଵୀକୁ ଫେରନ୍ତି, ମଙ୍ଗଳୀୟ ସଭ୍ୟତାକୁ ଏକ ଦୁଃଖମୟ ଅନ୍ତ ଆଡ଼କୁ ଛାଡ଼ି। ଏହି ଗଳ୍ପ ଧର୍ମ, ସଂସ୍କୃତି ଓ ମାନଵୀୟ ପ୍ରଭାଵର ଜଟିଳତାକୁ ଉନ୍ମୋଚନ କରେ।
ଏହି ସବୁ କାଳ୍ପନିକ ଵିଜ୍ଞାନ କାହାଣୀ ମଧ୍ୟରେ ୧୯୬୫ ମସିହାରେ ଵୈଜ୍ଞାନିକ ଅନୁସନ୍ଧାନରେ ନୂତନ ପର୍ଯ୍ୟାୟ ଆରମ୍ଭ ହେଲା । ନାସାର "Mariner 4" ମଙ୍ଗଳର ପ୍ରଥମ ସଫଳ ଫ୍ଲାଇବାଏ ଫୋଟୋଗ୍ରାଫ୍ ପଠାଇଥିଲା, ଯାହା ମଙ୍ଗଳର ଶୁଷ୍କ ଓ କ୍ରେଟରଯୁକ୍ତ ପୃଷ୍ଠଭୂମି ଦର୍ଶାଇଥିଲା। ଏହା ମଙ୍ଗଳରେ ବହୁକୋଷୀୟ ଜୀଵନର ସମ୍ଭାଵନାକୁ ହ୍ରାସ କରି ବ୍ୟାକ୍ଟେରିୟା ପରି ଏକକୋଷୀୟ ଜୀଵନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା। ଏହି ଆଵିଷ୍କାର ବୈଜ୍ଞାନିକମାନଙ୍କୁ ମଙ୍ଗଳର ଵାୟୁମଣ୍ଡଳର ନିମ୍ନ ଚାପ ଓ ଚୁମ୍ବକୀୟ କ୍ଷେତ୍ରର ଅଭାଵ ଵିଷୟରେ ସଚେତନ କରିଥିଲା। ଏଥିରୁ ଏତିକି ସ୍ପଷ୍ଟ ହୋଇଗଲା ଯେ ମଙ୍ଗଳରେ ବଡ଼ ଜୀଵଙ୍କ ଅସ୍ତିତ୍ବ ହିଁ ନାହିଁ। ଏହାପରେ ୧୯୭୧-୧୯୭୨ରେ ସୋଭିୟେତ୍ ସଂଘର "Mars-2" ଓ "Mars-3" ମିଶନ୍ଗୁଡ଼ିକ ମଙ୍ଗଳର ପୃଷ୍ଠଭୂମିର ଶିଳା, ମାଟିର ଘନତ୍ୱ ଓ ତାପ ସଂଚାଳନ କ୍ଷମତା (Thermal Conductivity) ଵିଷୟରେ ଡାଟା ପଠାଇଥିଲେ। ମଙ୍ଗଳର ଉତ୍ତର ମେରୁ ଅଞ୍ଚଳରେ ତାପମାତ୍ରା -୧୧୦° ସେଲସିୟସ୍ ଥିଵା ତଥା ଅତି ନିମ୍ନ ଜଳଵାଷ୍ପ ପରିମାଣ ରହିଥିଵା କଥା ଜଣାପଡ଼ିଲା । ଏଭଳି ଭୀଷଣ ପରିସ୍ଥିତିରେ ଜୀଵନ ତିଷ୍ଠି ରହିଵାର ସମ୍ଭାଵନା ଅତି କମ୍ ବୋଲି ସ୍ପଷ୍ଟ ହୋଇଗଲା।
୧୯୭୬ରେ ନାସାର "Viking 1" ଓ "Viking 2" ଲ୍ୟାଣ୍ଡର୍ ମଙ୍ଗଳରେ ଅଵତରଣ କରି ଜୀଵନର ଚିହ୍ନ ଖୋଜିଵା ପାଇଁ ପରୀକ୍ଷା ଆରମ୍ଭ କରିଥିଲେ। "Labeled Release" ପରୀକ୍ଷାରେ “14CO₂”ର ବୃଦ୍ଧି ଦେଖାଯାଇଥିଲା, ଯାହା ଜୈବଵିକ କାର୍ଯ୍ୟକଳାପର ସଙ୍କେତ ହୋଇପାରେ। କିନ୍ତୁ, ଗ୍ୟାସ୍ କ୍ରୋମାଟୋଗ୍ରାଫି-ମାସ୍ ସ୍ପେକ୍ଟ୍ରୋମିଟର କୌଣସି ଜୈଵିକ ଯୌଗ ଚିହ୍ନିନଥିଲା। ଏହି ମିଶ୍ରିତ ଫଳାଫଳ ଵୈଜ୍ଞାନିକମାନଙ୍କ ମଧ୍ୟରେ ଦୀର୍ଘ ଵିତର୍କର କାରଣ ହୋଇଥିଲା।
ଏହାର ଏକ ଵର୍ଷ ପରେ ଆଇଆନ୍ ୱାଟସନ୍ଙ୍କ ଉପନ୍ୟାସ "The Martian Inca" (୧୯୭୭) ପ୍ରକାଶ ପାଇଥିଲା । ମଙ୍ଗଳ ଗ୍ରହରେ ମାଇକ୍ରୋବାଇଆଲ୍ ଜୀଵନର ଆବିଷ୍କାର ଓ ମାନଵ ସମାଜ ସହ ତାହାର ଜଟିଳ ସମ୍ପର୍କକୁ ଏଥିରେ ଚିତ୍ରଣ କରାଯାଇଛି । ବାଇକିଙ୍ଗ୍ ମିଶନ୍ର ପ୍ରଭାଵରେ ରଚିତ ଏହି ଉପନ୍ୟାସର କାହାଣୀରେ ମଙ୍ଗଳୀୟ ଜୀଵନର ଧାରଣାକୁ ଵାସ୍ତଵଵାଦୀ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା ।
କାହାଣୀରେ ଏକ ସୋଭିଏତ୍ ଅଭିଯାନ ମଙ୍ଗଳରୁ ମାଟି ନମୁନା ସଂଗ୍ରହ କରେ ଯେଉଁଥିରେ ମାଇକ୍ରୋବାଇଆଲ୍ ଜୀବନ ମିଳିଥାଏ। ଏହି ନମୁନା ପୃଥିଵୀକୁ ଅଣାଯାଉଥିଵାବେଳେ ଏକ ଦୁର୍ଘଟଣାରେ ମଙ୍ଗଳୀୟ ମାଇକ୍ରୋବ ପୃଥିଵୀର ଵାୟୁମଣ୍ଡଳରେ ମୁକ୍ତ ହୁଏ। ଏହା ଦକ୍ଷିଣ ଆମେରିକାର ଆଣ୍ଡିଜ୍ ଅଞ୍ଚଳର ଇନ୍କା ସଂସ୍କୃତିର ଲୋକଙ୍କୁ ସଂକ୍ରମିତ କରେ। ଏହି ମାଇକ୍ରୋବ ମାନଵ ଶରୀରରେ ପ୍ରଵେଶ କରି ସେମାନଙ୍କର ଚେତନା ଓ ଆଚରଣକୁ ପରିଵର୍ତ୍ତନ କରେ ଯାହା ଏକ ଅଜଣା ମଙ୍ଗଳୀୟ ବୁଦ୍ଧିମତ୍ତାର ସଙ୍କେତ ଦିଏ।
ଗଳ୍ପର ନାୟକ, ଜଣେ ଆମେରିକୀୟ ଵୈଜ୍ଞାନିକ ଯିଏ ଏହି ଘଟଣାର ତଦନ୍ତ କରେ ଏଵଂ ଇନ୍କା ଲୋକଙ୍କ ମଧ୍ୟରେ ଅଜଣା ଶକ୍ତିର ପ୍ରଭାଵ ଦେଖିଥାଏ। ମଙ୍ଗଳୀୟ ଅଣୁଜୀଵ ମାନଵ ମନରେ ଏକ ଆଧ୍ୟାତ୍ମିକ ଓ ଦାର୍ଶନିକ ଜାଗରଣ ସୃଷ୍ଟି କରେ, ଯାହା ଇନ୍କା ସଂସ୍କୃତିର ପୁରାତନ ଵିଶ୍ୱାସ ସହ ମିଶିଯାଏ। ଏହା ମାନଵଜାତିର ଅସ୍ତିତ୍ୱ ଓ ଅନ୍ୟ ଗ୍ରହର ଜୀଵନ ସହ ସମ୍ପର୍କ ଉପରେ ଗଭୀର ପ୍ରଶ୍ନ ଉଠାଇଥାଏ। ଉପନ୍ୟାସଟି ଵୈଜ୍ଞାନିକ ଆଵିଷ୍କାର, ସାଂସ୍କୃତିକ ପରିଵର୍ତ୍ତନ ଓ ମାନଵୀୟ ଚେତନାରେ ଅଜଣା ଶକ୍ତିର ପ୍ରଭାଵକୁ ନେଇ ଏକ ରୋମାଞ୍ଚକର ଓ ଚିନ୍ତାଉଦ୍ରେକକାରୀ କାହାଣୀ ଉପସ୍ଥାପନ କରେ। ଏହା ମଙ୍ଗଳରେ ଜୀଵନର ସମ୍ଭାଵନାକୁ ଵାସ୍ତଵାଦୀ ଓ ରହସ୍ୟମୟ ଢଙ୍ଗରେ ଚିତ୍ରଣ କରିଥାଏ।
ସେହି ଵର୍ଷ ୧୯୭୭ ମସିହାରେ ଜନ୍ ୱାର୍ଲିଙ୍କ କ୍ଷୁଦ୍ରଗଳ୍ପ "In the Hall of the Martian Kings" ମଧ୍ୟ ପ୍ରକାଶ ପାଇଥିଲା ଏଵଂ ଏଥିରେ ମଙ୍ଗଳ ଗ୍ରହର ଏକ ରହସ୍ୟମୟ ଓ କାଳ୍ପନିକ ଦୁନିଆକୁ ଚିତ୍ରଣ କରାଯାଇଛି। ଏହି କାହାଣୀରେ ମଙ୍ଗଳରେ ଅନୁସନ୍ଧାନ କରୁଥିଵା ମାନଵ ଅଭିଯାତ୍ରୀମାନେ ଏକ ପ୍ରାଚୀନ ସଭ୍ୟତାର ଅଵଶେଷ ଆଵିଷ୍କାର କରନ୍ତି । ମଙ୍ଗଳର ବୁଦ୍ଧିମାନ ଜୀଵମାନେ ଶୀତନିଦ୍ରା ଵା ହିବର୍ନେଶନ୍ରେ ରହିଥିଵାର ସେମାନେ ଆଵିଷ୍କାର କରିଥିଲେ। ଏହି ଜୀଵମାନେ ମଙ୍ଗଳର ପୂର୍ଵତନ ସଭ୍ୟତାର ଅଂଶ, ଯାହାର ଜ୍ଞାନ ଓ ପ୍ରଯୁକ୍ତି ମାନଵ ବୁଦ୍ଧିଜୀଵୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଭିଯାତ୍ରୀମାନେ ମଙ୍ଗଳର ଏକ ଵିରାଟ ସଭାଗାରରେ ପହଞ୍ଚନ୍ତି ଏଵଂ ତାହା ଏକ ପୁରାତନ ମଙ୍ଗଳୀୟ ସଂସ୍କୃତିର ମହାନତାର ସାକ୍ଷୀ। ଏହି ସଭାଗାରରେ ଶୀତନିଦ୍ରାରେ ଥିଵା ଜୀଵମାନେ ଶତାବ୍ଦୀ ଧରି ସୁପ୍ତ ଅବସ୍ଥାରେ ଅଛନ୍ତି,ସତେ ଅବା ସେମାନେ କୌଣସି ଅଜଣା ଭଵିଷ୍ୟତର ଅପେକ୍ଷାରେ ଶୋଇ ରହିଛନ୍ତି। ଏହି ଆଵିଷ୍କାର ମଙ୍ଗଳର ଇତିହାସକୁ ନୂଆ ଦୃଷ୍ଟିକୋଣରେ ଉପସ୍ଥାପନ କରେ, ଯେଉଁଠି ଏକ ଜୀଵନ୍ତ ସଭ୍ୟତା ପରିଵେଶଗତ ଵିପର୍ଯ୍ୟୟ ଵା ଅନ୍ୟ କାରଣରୁ ନିଷ୍କ୍ରିୟ ହୋଇପଡ଼ିଛି। କାହାଣୀଟି ମାନଵ ଅଭିଯାତ୍ରୀଙ୍କ ମଧ୍ୟରେ ନୈତିକ ଓ ଦାର୍ଶନିକ ପ୍ରଶ୍ନ ଉଠାଏ: ଏହି ଜୀଵମାନଙ୍କୁ ଜାଗ୍ରତ କରାଯିଵା ଉଚିତ କି? ଏହା ସେମାନଙ୍କ ସଭ୍ୟତାକୁ ପୁନର୍ଜନ୍ମ ଦେଵ, ନା ମାନଵ ହସ୍ତକ୍ଷେପ ଏକ ନୂଆ ଵିପଦ ସୃଷ୍ଟି କରିଵ ? ମଙ୍ଗଳୀୟ ଜୀଵମାନଙ୍କର ପ୍ରଯୁକ୍ତି ଓ ଜ୍ଞାନ ମାନଵଜାତି ପାଇଁ ଏକ ସମ୍ଭାଵନା ହୋଇପାରେ, କିନ୍ତୁ ଏହା ଅଜ୍ଞାତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ୱାର୍ଲିଙ୍କ କାହାଣୀ ମଙ୍ଗଳର ରହସ୍ୟମୟ ଅତୀତକୁ ଜୀଵନ୍ତ କରେ । ଏ କାହାଣୀରେ ଵିଜ୍ଞାନ, କଳ୍ପନା ଓ ମାନଵୀୟ ଜିଜ୍ଞାସା ଏକାଠି ମିଶି ଏକ ଅନୁପମ ଆଖ୍ୟାନ ସୃଷ୍ଟି କରେ। ଏହା ଆମକୁ ଅନ୍ୟ ଗ୍ରହର ସଭ୍ୟତା ଓ ମାନଵ ଅନୁସନ୍ଧାନର ସୀମା ଵିଷୟରେ ଚିନ୍ତା କରିଵାକୁ ବାଧ୍ୟ କରେ।
୧୯୮୦ ଦଶକରେ ଖଗୋଳଵିଦ୍ମାନେ ମଙ୍ଗଳର ଵାୟୁମଣ୍ଡଳରେ ମିଥେନ୍ ଗ୍ୟାସର ଉପସ୍ଥିତି ଆଵିଷ୍କାର କରିଥିଲେ, ଯାହା ମଙ୍ଗଳ ଗ୍ରହ ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଥିଲା। ମିଥେନ୍ ପୃଥିବୀରେ ପ୍ରାୟତଃ ଜୈଵିକ ପ୍ରକ୍ରିୟା (ଯଥା,ଅଣୁଜୀଵ ଓ ଜୀଵଜନ୍ତୁଙ୍କ ଜୈଵିକ କାର୍ଯ୍ୟକଳାପ) କିମ୍ବା ଭୂ-ଭୌତିକ ପ୍ରକ୍ରିୟା (ଯଥା, ଆଗ୍ନେୟଗିରି କିମ୍ବା ଭୂତାପୀୟ କାର୍ଯ୍ୟକଳାପ) ମାଧ୍ୟମରେ ଉତ୍ପନ୍ନ ହୁଏ। ମଙ୍ଗଳରେ ମିଥେନ୍ର ଉପସ୍ଥିତି ଜୈଵିକ ଉତ୍ସରୁ ଆସିଥାଇପାରେ ବୋଲି ଧାରଣା କରାଯାଇ ମଙ୍ଗଳରେ ଜୀଵନର ସମ୍ଭାଵନା ସମ୍ବନ୍ଧୀୟ ଆଶା ବଢ଼ାଇଥିଲା। ଏହି ଆଵିଷ୍କାର ମଙ୍ଗଳ ଅଭିଯାନଗୁଡ଼ିକୁ ନୂଆ ଦିଗଦର୍ଶନ ଦେଇଥିଲା ଏଵଂ ଏହାର ଉତ୍ସ ଅନୁସନ୍ଧାନ ପାଇଁ ଅଧିକ ଗଵେଷଣାର ଆହ୍ୱାନ ଦେଇଥିଲା। ଏହି ଘଟଣାର ପରିଣାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ମିଥେନ୍ର ଉପସ୍ଥିତି ମଙ୍ଗଳରେ ଜୀଵନର ସମ୍ଭାଵନାକୁ ନେଇ ଵୈଜ୍ଞାନିକ ମହଲରେ ଉତ୍ସାହ ସୃଷ୍ଟି କରିଥିଲା, କାରଣ ଏହା ଜୀଵାଣୁ ଜନିତ ଜୀବଜନ୍ତୁଙ୍କ ଅସ୍ତିତ୍ୱର ସୂଚନା ଦେଇପାରେ। ଏହା ଫଳରେ ନାସାର କ୍ୟୁରିଓସିଟି ରୋଭର ଏବଂ ଇଉରୋପୀୟ ମହାକାଶ ସଂସ୍ଥାର ମାର୍ସ ଏକ୍ସପ୍ରେସ ଭଳି ଅଭିଯାନଗୁଡ଼ିକ ମିଥେନ୍ର ମାପ ଏଵଂ ଉତ୍ସ ଅନୁସନ୍ଧାନ ପାଇଁ ନିୟୋଜିତ ହୋଇଥିଲେ। କ୍ୟୁରିଓସିଟି ରୋଭର ୨୦୧୩ରେ ମଙ୍ଗଳରେ ମିଥେନ୍ର ଅସ୍ଥାୟୀ ଵୃଦ୍ଧି ଲକ୍ଷ୍ୟ କରିଥିଲା, ଯାହା ଏହାର ସମୟୋପଯୋଗୀ ଉତ୍ସର ସମ୍ଭାଵନାକୁ ଇଙ୍ଗିତ କରିଥିଲା। ତଥାପି, ମିଥେନ୍ର ଉତ୍ସ ଜୈଵିକ ନା ଭୂ-ଭୌତିକ ତାହା ନିର୍ଣ୍ଣୟ କରିଵା ଏକ ଜଟିଳ ପ୍ରକ୍ରିୟା ହୋଇ ରହିଛି। ଏହି ଆଵିଷ୍କାର ମଙ୍ଗଳରେ ଜୀଵନ ଅନୁସନ୍ଧାନ ପାଇଁ ଅଧିକ ଉନ୍ନତ ଯନ୍ତ୍ରପାତି ଏଵଂ ଅଭିଯାନର ଆଵଶ୍ୟକତାକୁ ତ୍ୱରାନ୍ୱିତ କରିଛି, ଯାହା ଭଵିଷ୍ୟତ ଗବେଷଣା ପାଇଁ ନୂଆ ଦ୍ୱାର ଉନ୍ମୋଚନ କରିଛି।
ନବେ ଦଶକରେ କିମ୍ ଷ୍ଟାନଲେ ରବିନସନ୍ (Kim Stanley Robinson) ତାଙ୍କର "Red Mars" (୧୯୯୨), "Green Mars" (୧୯୯୩) ଓ "Blue Mars" (୧୯୯୬) ଉପନ୍ୟାସ ଟ୍ରାଇଲୋଜିରେ ମଙ୍ଗଳ ସଂଗଠନର ସମ୍ପୂର୍ଣ୍ଣ ଇତିହାସ ଵର୍ଣ୍ଣନା କରିଥିଲେ। ଏହା ଟେରାଫର୍ମିଙ୍ଗ୍, ରାଜନୈତିକ ସଂଘର୍ଷ ଓ ମଙ୍ଗଳୀୟ ସମାଜର ଉଦୟ ଚିତ୍ରଣ କରି ମଙ୍ଗଳରେ ଜୀଵନର ଧାରଣାକୁ ଏକ ଵିସ୍ତୃତ ମାତ୍ରା ଦେଇଥିଲା। ଏହି ଶୃଙ୍ଖଳା ସାଇନ୍ସ୍ ଫିକ୍ସନ୍ରେ ଏକ ମାଇଲ୍ଷ୍ଟୋନ୍ ଭାବେ ଗଣ୍ୟ ହୁଏ।
୧୯୯୬ ମସିହାରେ ନାସାର ଵୈଜ୍ଞାନିକ ଡେଵିଡ୍ ଏସ୍. ମ୍ୟାକେ ଏଵଂ ତାଙ୍କ ଦଳ ମଙ୍ଗଳୀୟ ଉଲ୍କାପିଣ୍ଡ ‘ଏଏଲ୍ଏଚ୍୮୪୦୦୧’ରେ ପ୍ରାଚୀନ ମଙ୍ଗଳୀୟ ଜୀଵାଣୁର ସମ୍ଭାଵ୍ୟ ପ୍ରମାଣ ଆଵିଷ୍କାର କରିଥିଲେ। ଏହି ଉଲ୍କାପିଣ୍ଡ ୧୯୮୪ରେ ଆଣ୍ଟାର୍କଟିକାର ଆଲାନ୍ ହିଲ୍ସରେ ମିଳିଥିଲା ଏଵଂ ଏହା ମଙ୍ଗଳରୁ ଆସିଥିଲା ବୋଲି ନିର୍ଣ୍ଣୟ ହୋଇଥିଲା। ମ୍ୟାକେଙ୍କ ଦଳ ଉଲ୍କାପିଣ୍ଡର କାର୍ବୋନେଟ୍ ଗ୍ଲୋବ୍ୟୁଲ୍ଗୁଡ଼ିକରେ ସୂକ୍ଷ୍ମ ରଚନା ଯାହା ପୃଥିଵୀର ବ୍ୟାକ୍ଟେରିୟା ଜୀଵାଶ୍ମ ସଦୃଶ, ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍ (ପିଏଏଚ୍ଏସ୍), ମ୍ୟାଗ୍ନେଟାଇଟ୍ କ୍ରିଷ୍ଟାଲ୍ ଏଵଂ ରାସାୟନିକ ଅସ୍ୱାଭାଵିକତା ଚିହ୍ନଟ କରିଥିଲେ। ଏହି ଵୈଶିଷ୍ଟ୍ୟଗୁଡ଼ିକ ପ୍ରାୟ ୩.୯ ବିଲିୟନ୍ ଵର୍ଷ ପୂର୍ଵର ମଙ୍ଗଳରେ ଜୈଵିକ ପ୍ରକ୍ରିୟାର ସଙ୍କେତ ଦେଉଥିଲା ବୋଲି ସେମାନେ ଦାବି କରିଥିଲେ । ଏହି ଆଵିଷ୍କାର ଵିଶ୍ୱଵ୍ୟାପୀ ଉତ୍ସାହ ସୃଷ୍ଟି କରିଥିଲା। ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏହା ଉପରେ ଏକ ଵିଵୃତ୍ତି ଦେଇଥିଲେ ଫଳରେ ମଙ୍ଗଳରେ ପ୍ରାଚୀନ ଜୀଵନର ସମ୍ଭାଵନାକୁ ନେଇ ଵୈଜ୍ଞାନିକ ଏଵଂ ଜନସାଧାରଣଙ୍କ ମଧ୍ୟରେ ଏହା ଚର୍ଚ୍ଚିତ ହୋଇଥିଲା । ଏହି ଆଵିଷ୍କାର ମଙ୍ଗଳ ଅଭିଯାନଗୁଡ଼ିକୁ ନୂଆ ଦିଗଦର୍ଶନ ଦେଇଥିଲା ଏଵଂ ଜୀଵନ ଅନୁସନ୍ଧାନ ପାଇଁ ଅଧିକ ଗଵେଷଣାର ଆହ୍ୱାନ ଦେଇଥିଲା। ତେବେ ପରଵର୍ତ୍ତୀ ଅନୁସନ୍ଧାନରେ ଏହି ପ୍ରମାଣଗୁଡ଼ିକର ଜୈଵିକ ଉତ୍ସ ଉପରେ ଵିଵାଦ ଦେଖା ଦେଇଥିଲା। ଅନେକ ଵୈଜ୍ଞାନିକମାନେ ଯୁକ୍ତି ଦର୍ଶାଇଥିଲେ ଯେ ଏହି ଵୈଶିଷ୍ଟ୍ୟଗୁଡ଼ିକ ଅଜୈବିକ ପ୍ରକ୍ରିୟା (ଯଥା, ଭୂତାପୀୟ କାର୍ଯ୍ୟକଳାପ କିମ୍ବା ପୃଥିଵୀରେ ଦୂଷଣ) ମାଧ୍ୟମରେ ହୋଇଥାଇପାରେ। ଉଦାହରଣ ସ୍ୱରୂପ, ମ୍ୟାଗ୍ନେଟାଇଟ୍ କ୍ରିଷ୍ଟାଲ୍ଗୁଡ଼ିକ ଜୈଵିକ ନୁହେଁ ଵରଂ ଉଚ୍ଚ ତାପମାତ୍ରାରେ ଗଠିତ ହୋଇଥାଇପାରେ ବୋଲି ଅଧ୍ୟୟନ ଦର୍ଶାଇଥିଲା। ଵିଵାଦ ସତ୍ତ୍ୱେ, ଏହି ଘଟଣା ମଙ୍ଗଳ ଗଵେଷଣାରେ ଏକ ମାଇଲଷ୍ଟୋନ୍ ହୋଇ ରହିଛି।
ସେହି ଵର୍ଷ ରବର୍ଟ୍ ଜୁବ୍ରିନ୍ଙ୍କ ପୁସ୍ତକ "The Case for Mars" (୧୯୯୬) ମଧ୍ୟ ମୁକ୍ତିଲାଭ କରିଥିଲା। ଏ ପୁସ୍ତକ ମଙ୍ଗଳରେ ମାନଵ ସଂଗଠନର ଏକ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଉପସ୍ଥାପନ କରିଥିଲା ଯାହା ଵୈଜ୍ଞାନିକ ସତ୍ୟତା ଓ କାଳ୍ପନିକ ଦୃଷ୍ଟିକୋଣର ଏକ ଅନୁପମ ମିଶ୍ରଣ ଥିଲା। ଏହି ପୁସ୍ତକ ମଙ୍ଗଳରେ ମାନଵ ସଭ୍ୟତା ସ୍ଥାପନର ସମ୍ଭାଵନାକୁ ଵାସ୍ତଵଵାଦୀ ଢଙ୍ଗରେ ଚିତ୍ରଣ କରିଥିଲା। ଜୁବ୍ରିନ୍ଙ୍କ ପରିକଳ୍ପନା ଅନୁଯାୟୀ, ‘ମାର୍ସ ଡାଇରେକ୍ଟ’ ନାମକ ଏକ ଯୋଜନା ମାଧ୍ୟମରେ ମଙ୍ଗଳରେ ଅଳ୍ପ ଖରଚରେ ମାନଵ ଉପସ୍ଥିତି ସ୍ଥାପନ କରାଯାଇପାରିଵ। ଏହି ଯୋଜନାରେ ମଙ୍ଗଳରେ ସ୍ଥାନୀୟ ସମ୍ବଳର ଵ୍ୟଵହାର, ଯଥା ମିଥେନ୍ ଇନ୍ଧନ ଉତ୍ପାଦନ ଏଵଂ ଜଳର ଉପଲବ୍ଧତା, ମାନଵ ଵସତି ପାଇଁ ଅତ୍ୟାଵଶ୍ୟକୀୟ ଥିଲା।
ଜୁବ୍ରିନ୍ କାଳ୍ପନିକ ଭାବେ ମଙ୍ଗଳୀୟ ସଭ୍ୟତାର ଏକ ଚିତ୍ର ଅଙ୍କନ କରିଥିଲେ, ଯେଉଁଠି ମଣିଷ ମଙ୍ଗଳର କଠୋର ପରିଵେଶରେ ଵସତି ସ୍ଥାପନ କରି ଜୀଵନ ଧାରଣ କରୁଛନ୍ତି। ସେ ଵର୍ଣ୍ଣନା କରିଥିଲେ ଯେ କିପରି ଗୋଲାକାର ଆଵାସ ଗୃହ, ସୌରଶକ୍ତି ଏଵଂ କୃଷି ମାଧ୍ୟମରେ ମଙ୍ଗଳରେ ସ୍ୱୟଂସମ୍ପୂର୍ଣ୍ଣ ସମାଜ ଗଢ଼ି ଉଠିପାରେ। ଏହା ମଙ୍ଗଳକୁ ମାନଵ ଅନୁସନ୍ଧାନର ପରଵର୍ତ୍ତୀ ସୀମା ଭାବେ ଚିତ୍ରଣ କରିଥିଲା। ଏହି ଦୃଷ୍ଟିକୋଣ ଵୈଜ୍ଞାନିକ ମହଲକୁ ଉତ୍ସାହିତ କରିଥିଲା ଏଵଂ ମଙ୍ଗଳ ଅଭିଯାନରେ ନୂଆ ଆଗ୍ରହ ସୃଷ୍ଟି କରିଥିଲା।
ଏହାର ପ୍ରଭାବ ପରେ ଏଲୋନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭଳି ସଂସ୍ଥାଙ୍କ ମଙ୍ଗଳ ଯୋଜନାରେ ପ୍ରତିଫଳିତ ହୋଇଥିଲା ।
୧୯୯୭ରେ ନାସାର "Mars Pathfinder" ମଙ୍ଗଳରେ ଲ୍ୟାଣ୍ଡ୍ ହୋଇ ସୋଜର୍ନର୍ ରୋଵର୍ ମାଧ୍ୟମରେ ମାଟିର ରାସାୟନିକ ଵିଶ୍ଳେଷଣ କରିଥିଲା। ଏହା ପୃଷ୍ଠଭୂମିର ରଚନା ଵିଷୟରେ ତଥ୍ୟ ପ୍ରଦାନ କରି ପ୍ରାଚୀନ ଜଳର ସମ୍ଭାଵନା ସୂଚନା ଦେଇଥିଲା, ଯାହା ଜୀଵନ ପାଇଁ ଆଵଶ୍ୟକ।
ବିଂଶ ଶତାବ୍ଦୀରେ ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହେଇଥିଲା ।ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ପ୍ରଥମ ଚଳଚ୍ଚିତ୍ର ଥିଲା "A Trip to Mars"(Himmelskibet), ଯାହା ୧୯୧୮ରେ ଡେନମାର୍କରେ ମୁକ୍ତିଲାଭ କରିଥିଲା। ଏହା ଏକ ନିଃଶବ୍ଦ ଚଳଚ୍ଚିତ୍ର (silent film) ଥିଲା, ଯେଉଁଥିରେ ମଙ୍ଗଳ ଗ୍ରହକୁ ଯାତ୍ରା ଏଵଂ ସେଠାରେ ଏକ ଶାନ୍ତିପୂର୍ଣ୍ଣ ସଭ୍ୟତାର ଆଵିଷ୍କାର ଚିତ୍ରିତ ହୋଇଥିଲା।
ଏହାପରେ ମଙ୍ଗଳଗ୍ରହ ସମ୍ବନ୍ଧୀୟ ଅନେକ ଚଳଚ୍ଚିତ୍ର ନିର୍ମିତ ହେଇଥିଲା ତନ୍ମଧ୍ୟରେ A Message from Mars (1913),A Trip to Mars (1918),The Man from M.A.R.S. (1922),Aelita (1924),Trip to Mars (1924),Our Heavenly Bodies (1925),Felix the Cat Flirts With Fate (1926),Astronomeous (1928),Just Imagine (1930),Mars (1930),Up to Mars (1930),Sky Larks (1934),Flash Gordon's Trip to Mars (1938),The Purple Monster Strikes (1945),Rocketship X-M (1950),Flight to Mars (1951),Zombies of the Stratosphere (1952),Invaders from Mars (1953),The War of the Worlds (1953),Conquest of Space (1955),It! The Terror from Beyond Space (1958),The Angry Red Planet (1959),The Day Mars Invaded Earth (1963),Robinson Crusoe on Mars (1964),Santa Claus Conquers the Martians (1964),The Wizard of Mars (1965),Mars Needs Women (1967),Mission Mars (1968),Total Recall (1990),Spaced Invaders (1990),Martians Go Home (1990),Mars Attacks! (1996),Special Report: Journey to Mars (1996),Mars (1997), Escape from Mars (1999) ଓ My Favorite Martian (1999) ଆଦି ଚଳଚ୍ଚିତ୍ର ଉଲ୍ଲେଖଯୋଗ୍ୟ ।
ବିଂଶ ଶତାବ୍ଦୀର ପଚାଶ ଦଶକରୁ ମଙ୍ଗଳ ଗ୍ରହକୁ ଅନେକ ଅଭିଯାନ ମଧ୍ୟ ପଠା ଯାଇଥିଲା । ତନ୍ମଧ୍ୟରେ କିଛି ସଫଳ ଆଉ କିଛି ଅସଫଳ ହୋଇଥିଲା । ସୋଭିଏତ୍ ରୁଷ ଓ ରୁଷିଆ ଦ୍ଵାରା Mars 1960A (୧୯୬୦, ଅସଫଳ),Mars 1960B (୧୯୬୦, ଅସଫଳ),Sputnik 22 (୧୯୬୨, ଅସଫଳ),Mars 1 (୧୯୬୨, ଅସଫଳ),Sputnik 24 (୧୯୬୨, ଅସଫଳ),Zond 2 (୧୯୬୪, ଅସଫଳ),Mars 1969A (୧୯୬୯, ଅସଫଳ),Mars 1969B (୧୯୬୯, ଅସଫଳ),Cosmos 419 (୧୯୭୧, ଅସଫଳ),Mars 2 (୧୯୭୧, ଆଂଶିକ ସଫଳ),Mars 3 (୧୯୭୧, ଆଂଶିକ ସଫଳ),Mars 4 (୧୯୭୩, ଆଂଶିକ ସଫଳ),Mars 5 (୧୯୭୩, ଆଂଶିକ ସଫଳ),Mars 6 (୧୯୭୩, ଆଂଶିକ ସଫଳ),Mars 7 (୧୯୭୩, ଅସଫଳ),Phobos 1 (୧୯୮୮, ଅସଫଳ),Phobos 2 (୧୯୮୮, ଆଂଶିକ ସଫଳ) ଓ Mars 96 (୧୯୯୬, ଅସଫଳ) ଆଦି ମହାକାଶ ଯାନ ପଠାଯାଇଥିଲା । ଯୁକ୍ତରାଜ୍ୟ ଆମେରିକା(USA) ଦ୍ଵାରା Mariner 3 (୧୯୬୪, ଅସଫଳ),Mariner 4 (୧୯୬୪, ସଫଳ),Mariner 6 (୧୯୬୯, ସଫଳ),Mariner 7 (୧୯୬୯, ସଫଳ),Mariner 8 (୧୯୭୧, ଅସଫଳ),Mariner 9 (୧୯୭୧, ସଫଳ),Viking 1 (୧୯୭୫, ସଫଳ),Viking 2 (୧୯୭୫, ସଫଳ),Mars Observer (୧୯୯୨, ଅସଫଳ),Mars Global Surveyor (୧୯୯୬, ସଫଳ),Mars Pathfinder / Sojourner (୧୯୯୬, ସଫଳ),Mars Climate Orbiter (୧୯୯୮, ଅସଫଳ),Mars Polar Lander (୧୯୯୯, ଅସଫଳ) ଓ Deep Space 2 (୧୯୯୯, ଅସଫଳ) ଆଦି ଅଭିଯାନ ପଠାଯାଇଥିଲା । ଯୁକ୍ତରାଜ୍ୟ ଆମେରିକା ଓ ସୋଭିଏତ ସଂଘ ଛଡ଼ା କେଵଳ ଜାପାନ ହିଁ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ୧୯୯୮ ମସିହାରେ Nozomi ମହାକାଶ ଯାନକୁ ମଙ୍ଗଳ ପଠାଇଥିଲା କିନ୍ତୁ ତାହା ଅସଫଳ ହୋଇଥିଲା ।
ବିଂଶ ଶତାବ୍ଦୀରେ ମଙ୍ଗଳ ଗ୍ରହ ସମ୍ବନ୍ଧରେ ଏତେ କଳ୍ପନା ଜଳ୍ପନା ତଥା ଆଲୋଚନା ହେଲା ଯେ ଅନେକ ଅଭିଯାନ ପଠାଗଲା କିନ୍ତୁ ସେତେବେଳେ ଆଜି ଭଳି ଉନ୍ନତ ଯନ୍ତ୍ରପାତି ନଥିଵାରୁ ଆଶାନୁରୂପ ସଫଳତା ମିଳିନଥିଲା । ଏକବିଂଶ ଶତାବ୍ଦୀରେ ମନୁଷ୍ୟମାନେ ମଙ୍ଗଳ ଗ୍ରହ ସମ୍ବନ୍ଧରେ ଆହୁରି ଅଧିକ ଗଵେଷଣା କରିଵା ପାଇଁ ଚେଷ୍ଟା ଆରମ୍ଭ କରିଦେଲେ ଏଵଂ ଅନେକାଂଶରେ ସଫଳ ମଧ୍ୟ ହେଲେ ।
ମଙ୍ଗଳ ଗ୍ରହ ପାଇଁ ଅଭିଯାନ ପଠାଇଵାରେ ଏବେବି ଯୁକ୍ତରାଜ୍ୟ ଆମେରିକା ଵିଶ୍ଵରେ ଅଗ୍ରଣୀ ଭୂମିକା ନେଇଛି ଏଵଂ ଏକବିଂଶ ଶତାବ୍ଦୀରେ ଏପର୍ଯ୍ୟନ୍ତ 2001 Mars Odyssey (୨୦୦୧, ସଫଳ),Spirit (୨୦୦୩, ସଫଳ),Opportunity (୨୦୦୩, ସଫଳ),Mars Reconnaissance Orbiter (୨୦୦୫, ସଫଳ),Phoenix (୨୦୦୭, ସଫଳ),Mars Science Laboratory / Curiosity (୨୦୧୧, ସଫଳ),MAVEN (୨୦୧୩, ସଫଳ),InSight (୨୦୧୮, ସଫଳ),Perseverance / Ingenuity (୨୦୨୦, ସଫଳ) ଓ EscaPADE (୨୦୨୫, ଚାଲୁଛି) ଆଦି ଅଭିଯାନ ପଠାଇ ସାରିଛି । ୟୁରୋପୀୟ ୟୁନିୟନ ମଧ୍ୟ ଏକବିଂଶ ଶତାବ୍ଦୀରେ Mars Express (୨୦୦୩, ସଫଳ),ExoMars Trace Gas Orbiter (୨୦୧୬, ସଫଳ) ଓ Schiaparelli EDM (୨୦୧୬, ଅସଫଳ) ଆଦି ଅଭିଯାନ ମଙ୍ଗଳଗ୍ରହକୁ ପଠାଇଥିଲା । ଏକକ ଦେଶ ଭାବରେ ଏକବିଂଶ ଶତାବ୍ଦୀର ଆରମ୍ଭରେ ବ୍ରିଟେନ Beagle 2 (୨୦୦୩) ଅଭିଯାନ ପଠାଇଥିଲା କିନ୍ତୁ ଅସଫଳ ହୋଇଥିଲା । ଏକକ ଦେଶ ଭାବେ ପ୍ରଥମ ପ୍ରୟାସରେ ଭାରତର Mars Orbiter Mission ଵା Mangalyaan ୨୦୧୩ ମସିହାରେ ସଫଳ ହେଲା । ଏହାପରେ ୨୦୨୦ରେ ଚୀନର Tianwen-1 / Zhurong ମଙ୍ଗଳ ମହାକାଶ ଅଭିଯାନ ମଧ୍ୟ ସଫଳ ହୋଇଥିଲା । ସେହି ଵର୍ଷ ସଂଯୁକ୍ତ ଆରବ ଏମିରେଟ୍ସର Hope ମଙ୍ଗଳ ଅଭିଯାନ ମଧ୍ୟ ସଫଳ ହୋଇଥିଲା ।
ତେବେ ମଙ୍ଗଳଗ୍ରହ ସମ୍ବନ୍ଧୀୟ ଗଵେଷଣା କ୍ଷେତ୍ରରେ ଯୁକ୍ତରାଜ୍ୟ ଆମେରିକାକୁ ଏପର୍ଯ୍ୟନ୍ତ ସର୍ଵାଧିକ ସଫଳତା ପ୍ରାପ୍ତ ହୋଇଅଛି ।
୨୦୦୧ରେ ନାସାର "ମାର୍ସ ଅଡିସି" ମିଶନ୍ ମଙ୍ଗଳ ଗ୍ରହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାର କରିଥିଲା। ମିଶନ୍ରେ ଵ୍ୟଵହୃତ “ଗାମା-ରେ ସ୍ପେକ୍ଟ୍ରୋମିଟର” ମାଧ୍ୟମରେ ମଙ୍ଗଳର ନିକଟଵର୍ତ୍ତୀ ସ୍ତରରେ ହାଇଡ୍ରୋଜେନ୍ର ଵିତରଣ ଚିହ୍ନଟ ହୋଇଥିଲା। ଏହି ହାଇଡ୍ରୋଜେନ୍ ଜଳ(ବରଫ)ର ଉପସ୍ଥିତିର ସୂଚନା ଦେଇଥିଲା, ଯାହା ମଙ୍ଗଳରେ ଜୀଵନର ସମ୍ଭାଵନାକୁ ବଢ଼ାଇଥିଲା। ଏହି ଆଵିଷ୍କାର ଵୈଜ୍ଞାନିକମାନଙ୍କୁ ମଙ୍ଗଳର ଭୂତଳ ଓ ଜଳଵାୟୁ ଇତିହାସ ଵିଷୟରେ ଅଧିକ ଅଧ୍ୟୟନ କରିଵାକୁ ପ୍ରେରଣା ଦେଇଥିଲା। ଜଳ କଠିନ ରୂପରେ ଉପସ୍ଥିତି ମଙ୍ଗଳରେ ଅତୀତରେ ତରଳ ଜଳର ସମ୍ଭାଵନାକୁ ସୂଚାଇଥାଏ, ଯାହା ଜୀଵନ ପାଇଁ ଅନୁକୂଳ ପରିବେଶର ସଙ୍କେତ ଦିଏ। ମାର୍ସ ଅଡିସି ମିଶନ୍ର ଏହି ତଥ୍ୟ ପରଵର୍ତ୍ତୀ ମିଶନ୍ଗୁଡ଼ିକ ପାଇଁ ମଙ୍ଗଳର ଧାତୁ ଓ ଜୈଵିକ ସମ୍ଭାଵନା ଅନୁସନ୍ଧାନରେ ମୂଲ୍ୟଵାନ ସୂଚନା ଯୋଗାଇଥିଲା।
୨୦୦୩ରେ ନାସାର ଗୋଡ୍ଡାର୍ଡ୍ ସ୍ପେସ୍ ଫ୍ଲାଇଟ୍ ସେନ୍ଟର୍ ମଙ୍ଗଳର ଵାୟୁମଣ୍ଡଳରେ ମିଥେନ୍ର ସନ୍ନିକଟ ଉପସ୍ଥିତି ରିପୋର୍ଟ୍ କରିଥିଲା ଏଵଂ ଏହା ଜୈଵିକ କିମ୍ବା ଭୂ-ଭୌତିକ ଉତ୍ସର ସମ୍ଭାଵନା ସୂଚନା ଦେଇଥିଲା।
୨୦୦୪ରେ ନାସାର "Spirit" ଓ "Opportunity" ରୋଵର୍ଗୁଡ଼ିକ ମଙ୍ଗଳରେ ଲ୍ୟାଣ୍ଡ୍ ହୋଇ ପ୍ରାଚୀନ ଜଳ ସମ୍ପର୍କିତ ଵିଶାଳ ସିଲିକା ସ୍ତର (୯୦% ସିଲିକା) ଆଵିଷ୍କାର କରିଥିଲେ, ଯାହା ହଟ୍ ସ୍ପ୍ରିଙ୍ଗ୍ ପରି ପରିଵେଶର ସୂଚନା ଦେଇ ଅଣୁଜୀଵ ସମ୍ବନ୍ଧୀୟ ଜୀଵନର ସମ୍ଭାବନା ଉନ୍ନୟନ କରିଥିଲା। ୨୦୦୫ରେ "Mars Express" ଅର୍ବିଟର୍ର "Planetary Fourier Spectrometer" ମଙ୍ଗଳରେ ଫର୍ମାଲ୍ଡିହାଇଡ୍ର ସନ୍ନିକଟ ପରିମାଣ ଆଵିଷ୍କାର କରିଥିଲା ଯାହା ମିଥେନ୍ ଅକ୍ସିଡେସନ୍ର ଉପଜ ବୋଲି ଧାରଣା କରାଯାଉଥିଲା ଏଵଂ ଏହା ମଧ୍ୟ ଅଣୁଜୀଵ ସମ୍ବନ୍ଧୀୟ ଜୀଵନ ଯୋଗୁଁ ସମ୍ଭଵ ହୋଇଛି ବୋଲି ସେତେବେଳେ ଅନୁମାନ କରାଯାଇଥିଲା ।
ଇତି ମଧ୍ୟରେ ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ଅନେକ ଚଳଚ୍ଚିତ୍ର ମଧ୍ୟ ବଡ଼ ପରଦାରେ ଦେଖିଵାକୁ ମିଳିଥିଲା ଯଥା : Mission to Mars (୨୦୦୦),Red Planet (୨୦୦୦),Doom (୨୦୦୫) ଓ Planet Terror (୨୦୦୭) ଇତ୍ୟାଦି।
୨୦୦୮ରେ ରେଡ୍ ଷ୍ଟାର୍ ଆନ୍ଥୋଲୋଜିଷ୍ଟ୍ ଜର୍ଜ୍ ଆର୍.ଆର୍. ମାର୍ଟିନ୍ ଓ ଗାର୍ଡନର୍ ଡୋଜୋଇସ୍ ସମ୍ପାଦିତ "Old Mars" ଆନ୍ଥୋଲୋଜି ମଙ୍ଗଳ ଗ୍ରହ ଉପରେ ରୋମାଣ୍ଟିକ କାଳ୍ପନିକ ଗଳ୍ପଗୁଡ଼ିକୁ ସଂଗ୍ରହ କରିଥିଲା। ଏହି ଗଳ୍ପଗୁଡ଼ିକ ପୁରାତନ ଵୈଜ୍ଞାନିକ କଳ୍ପନାର ମଙ୍ଗଳକୁ ପୁନର୍ଜନ୍ମ ଦେଇଥିଲା । ଏହିସବୁ ଗଳ୍ପଗୁଡ଼ିକରେ ମଙ୍ଗଳ ଏକ ରହସ୍ୟମୟ ଓ ଜୀଵନଯୋଗ୍ୟ ଗ୍ରହ ଭାବେ ଚିତ୍ରିତ ହୋଇଥିଲା। ଏହା ଲୋକଙ୍କ ମନରେ ମଙ୍ଗଳ ସମ୍ପର୍କିତ ପୁରୁଣା ଧାରଣାକୁ ପୁନଃ ଜାତ କରିଥିଲା। ଏହି ସଂକଳନ ଵୈଜ୍ଞାନିକ ଅନୁସନ୍ଧାନ ସହ ସାହିତ୍ୟିକ କଳ୍ପନାକୁ ମିଶାଇ ମଙ୍ଗଳର ରୋମାଞ୍ଚକର ଚିତ୍ର ଆଙ୍କିଥିଲା।
"Mars Science Laboratory" ଅଧୀନରେ Curiosity ରୋଵର୍ ୨୦୧୧ରେ ଲଞ୍ଚ୍ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ମଙ୍ଗଳର ପୂର୍ଵ ଓ ଵର୍ତ୍ତମାନର ଵାସଯୋଗ୍ୟତା ଅନୁସନ୍ଧାନ କରିଵା । ଏହି ରୋଵର ଅତ୍ୟାଧୁନିକ ଉପକରଣ ସହ ମଙ୍ଗଳର ମାଟି, ଶିଳା ଓ ଵାୟୁମଣ୍ଡଳର ଅଧ୍ୟୟନ ପାଇଁ ପ୍ରସ୍ତୁତ ହୋଇଥିଲା। Curiosity ମଙ୍ଗଳରେ ଜୀଵନର ସମ୍ଭାଵନା ଖୋଜିଵା ସହ ଗ୍ରହର ଭୂତାତ୍ତ୍ୱିକ ଇତିହାସ ବୁଝିଵାକୁ ଚେଷ୍ଟା କରିଥିଲା। ଏହାର ଲଞ୍ଚ୍ ମଙ୍ଗଳ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟର ସୂଚନା ଦେଇଥିଲା ।
ପରଵର୍ଷ ୨୦୧୨ରେ Curiosity ରୋଵର୍ ମଙ୍ଗଳର Gale Craterରେ ସଫଳତାର ସହ ଅଵତରଣ କରିଥିଲା। ଏହା ମଙ୍ଗଳର ଵାସଯୋଗ୍ୟତା ଓ ଜୈଵିକ ଚିହ୍ନ (ବାଇଓସିଗ୍ନେଚର୍) ଖୋଜିଵା ପାଇଁ କାମ ଆରମ୍ଭ କରିଥିଲା। ଏହାର ଅତ୍ୟାଧୁନିକ ଉପକରଣ ମାଟି ଓ ଶିଳା ଅଧ୍ୟୟନ କରି ଗ୍ରହର ପୁରାତନ ଇତିହାସ ଵିଷୟରେ ତଥ୍ୟ ସଂଗ୍ରହ କରିଥିଲା। Gale Craterକୁ ଵୈଜ୍ଞାନିକମାନେ ଏକ ପ୍ରାଚୀନ ଜଳାଶୟ ସ୍ଥାନ ଭାବେ ଚିହ୍ନଟ କରିଥିଲେ। Curiosityର ଅଵତରଣ ମଙ୍ଗଳ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
୨୦୧୩ରେ Curiosity ମଙ୍ଗଳର Gale Craterରେ ମାଟି ଓ ଶିଳା ଅଧ୍ୟୟନ କରି ଜୀବନ ପାଇଁ ଆଵଶ୍ୟକ ରାସାୟନିକ ଉପାଦାନ ଯଥା ସଲ୍ଫର୍, ନାଇଟ୍ରୋଜେନ୍, ହାଇଡ୍ରୋଜେନ୍, ଅକ୍ସିଜେନ୍, ଫସ୍ଫରସ୍ ଓ ସମ୍ଭଵତଃ କାର୍ବନ୍ ଆଵିଷ୍କାର କରିଥିଲା। ଏହା ସହ ଏହା ପ୍ରାଚୀନ ମିଠା ଜଳାଶୟର ଅସ୍ତିତ୍ୱ ନିଶ୍ଚିତ କରିଥିଲା, ଯାହା ଅଣୁଜୀଵ ସମ୍ବନ୍ଧୀୟ ଜୀଵନ ପାଇଁ ଉପଯୁକ୍ତ ପରିଵେଶ ସୂଚାଇଥିଲା। ଏହି ଆଵିଷ୍କାର ମଙ୍ଗଳରେ ଜୀଵନର ସମ୍ଭାଵନାକୁ ଆହୁରି ଶକ୍ତିଶାଳୀ କରିଥିଲା।
୨୦୧୪ରେ Curiosity ମଙ୍ଗଳର ଵାୟୁମଣ୍ଡଳରେ ମିଥେନ୍ ଗ୍ୟାସର ମାତ୍ରା ୧୦ ଗୁଣ ବୃଦ୍ଧି (ସାଧାରଣତଃ ୭ ପାର୍ଟ୍ସ୍ ପର୍ ବିଲିୟନ୍) ଆଵିଷ୍କାର କରିଥିଲା। ଏହା ସହ "Cumberland" ଶିଳାରେ କ୍ଲୋରୋବେଞ୍ଜିନ୍ର ନିମ୍ନ ମାତ୍ରା ମିଳିଥିଲା। ମିଥେନ୍ ଜୈଵିକ ଵା ଭୂ-ଭୌତିକ ଉତ୍ସରୁ ଆସିପାରେ ଯାହା ଜୀଵନର ସମ୍ଭାଵନାକୁ ସୂଚାଇଥିଲା। ଏହି ଆଵିଷ୍କାର ଵୈଜ୍ଞାନିକମାନଙ୍କୁ ମଙ୍ଗଳରେ ଜୈଵିକ ପ୍ରକ୍ରିୟା ଅନୁସନ୍ଧାନ ପାଇଁ ଆଗ୍ରହୀ କରିଥିଲା।
ଭାରତର ମଙ୍ଗଳଯାନ (Mars Orbiter Mission) ୨୦୧୩ରେ ଲଞ୍ଚ୍ ହୋଇ ୨୦୧୪ରେ ମଙ୍ଗଳର କକ୍ଷରେ ପହଞ୍ଚିଥିଲା। ଇସରୋ (ISRO) ଦ୍ୱାରା ପରିଚାଳିତ ଏହି ମିଶନ ଭାରତକୁ ପ୍ରଥମ ପ୍ରୟାସରେ ମଙ୍ଗଳରେ ପହଞ୍ଚିଵାରେ ପ୍ରଥମ ସଫଳ ଦେଶ କରିଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ମଙ୍ଗଳର ଵାୟୁମଣ୍ଡଳ, ଭୂପୃଷ୍ଠ ଓ ମିଥେନ୍ ଗ୍ୟାସର ଅସ୍ତିତ୍ୱ ଅଧ୍ୟୟନ କରିଵା। ମଙ୍ଗଳଯାନର କ୍ୟାମେରା ଉଚ୍ଚ-ଗୁଣବତ୍ତା ଫଟୋ ପ୍ରେରଣ କରିଥିଲା, ଯାହା ମଙ୍ଗଳର ଭୂତତ୍ତ୍ୱ ଓ ପାଣିପାଗ ଵିଷୟରେ ନୂଆ ତଥ୍ୟ ଦେଇଥିଲା। ଏହି ମିଶନ ଭାରତର ମହାକାଶ ଗଵେଷଣାରେ ଏକ ଐତିହାସିକ ସଫଳତା ଥିଲା।
୨୦୧୫ରେ Curiosityର SAM (Sample Analysis at Mars) ଉପକରଣ ମଙ୍ଗଳର ମାଟିରେ ନାଇଟ୍ରେଟ୍ ଆଵିଷ୍କାର କରିଥିଲା। ନାଇଟ୍ରେଟ୍ ଜୀଵନ ପାଇଁ ଆଵଶ୍ୟକ ଏକ ରାସାୟନିକ ଉପାଦାନ ଯାହା ପ୍ରାଚୀନ ମଙ୍ଗଳରେ ଜୀଵନ ସମ୍ଭଵ ଥିଵାର ସୂଚନା ଦେଇଥିଲା। ଏହି ଆଵିଷ୍କାର ମଙ୍ଗଳର ପୁରାତନ ପରିଵେଶ ଵିଷୟରେ ନୂଆ ତଥ୍ୟ ଯୋଗାଇଥିଲା। ଏହା ଵୈଜ୍ଞାନିକମାନଙ୍କୁ ମଙ୍ଗଳରେ ଜୈଵିକ ପ୍ରକ୍ରିୟାର ସମ୍ଭାବନା ଅନୁସନ୍ଧାନ ପାଇଁ ପ୍ରେରଣା ଦେଇଥିଲା।
୨୦୧୬ରେ "ExoMars Trace Gas Orbiter" ଲଞ୍ଚ୍ ହୋଇଥିଲା, ଯାହା ୨୦୧୮ରେ ମଙ୍ଗଳର ଵାୟୁମଣ୍ଡଳରେ ମିଥେନ୍ ଓ ଅନ୍ୟାନ୍ୟ ଗ୍ୟାସର ମ୍ୟାପିଙ୍ଗ୍ ଆରମ୍ଭ କରିଥିଲା। ମିଥେନ୍ର ଉତ୍ସ ଚିହ୍ନଟ କରିଵା ଏହାର ଲକ୍ଷ୍ୟ ଥିଲା । ଏହି ମିଶନ ମଙ୍ଗଳରେ ଜୀଵନର ସମ୍ଭାଵନା ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
୨୦୧୭ରେ Curiosity ୩ ବିଲିୟନ୍ ଵର୍ଷ ପୁରୁଣା ସେଡିମେଣ୍ଟେରୀ ଶିଳାରେ ଜୈବିକ ଅଣୁ ଆଵିଷ୍କାର କରିଥିଲା। ଏହି ଜୈଵିକଅଣୁଗୁଡ଼ିକ "ଜୀଵନର ମୂଳ ଉପାଦାନ"ଗୁଡ଼ିକର ଉପସ୍ଥିତି ଦର୍ଶାଇଥିଲା। ତେବେ ପର୍କ୍ଲୋରେଟ୍ ନାମକ ରାସାୟନିକ ପଦାର୍ଥ ଆଲଟ୍ରାଵାୟୋଲେଟ୍ ଆଲୋକରେ ବ୍ୟାକ୍ଟେରିଆ ନଷ୍ଟ କରିପାରେ ବୋଲି ମଧ୍ୟ ଜଣାପଡ଼ିଥିଲା। ଏହା ମଙ୍ଗଳର ପୃଷ୍ଠଭୂମି ଅଵାସଯୋଗ୍ୟ ହେଵାର ସୂଚନା ଦେଇଥିଲା । ୨୦୧୮ରେ ନାସା Curiosity ମାଧ୍ୟମରେ ମଙ୍ଗଳର ଵାୟୁମଣ୍ଡଳରେ ମିଥେନ୍ ମାତ୍ରାର ଋତୁଗତ ପରିଵର୍ତ୍ତନ ଘୋଷଣା କରିଥିଲା। ଏହା ସହ ମଙ୍ଗଳଗ୍ରହର ଦକ୍ଷିଣ ମେରୁ ତଳେ ତଳେ ୧.୫ କି.ମି. ଗଭୀରରେ ଏକ ଉପହିମାୟହ୍ରଦ ଵା Subglacial Lake ଆଵିଷ୍କାର ହୋଇଥିଲା, ଯାହାକୁ ମଙ୍ଗଳର ପ୍ରଥମ ସ୍ଥିର ଜଳଭାଗ ବୋଲି କୁହାଯାଇଥିଲା। ତେବେ ପରଵର୍ତ୍ତୀ ଅଧ୍ୟୟନରେ ଏହା ତରଳ ଅବସ୍ଥାରେ ଅଛି କି ନାହିଁ ସେ ସମ୍ବନ୍ଧରେ ପ୍ରଶ୍ନଵାଚୀ ସୃଷ୍ଟି ହୋଇଥିଲା।
୨୦୧୯ରେ ExoMars Trace Gas Orbiter ମଙ୍ଗଳର ଵାୟୁମଣ୍ଡଳରେ ମିଥେନ୍ ମାତ୍ରା ନିର୍ଣ୍ଣୟ କରିବାରେ ଅସମର୍ଥ ହୋଇଥିଲା (<୦.୦୫ ପିପିବି)। ଏହା Curiosityର ପୂର୍ଵ ମିଥେନ୍ ଆଵିଷ୍କାର ଉପରେ ପ୍ରଶ୍ନ ଉଠାଇଥିଲା। ଏହି ନିମ୍ନ ମିଥେନ୍ ମାତ୍ରା ଜୈଵିକ ମିଥେନ୍ ଉତ୍ପାଦନର ଥିଓରିକୁ ପ୍ରଭାଵିତ କରିଥିଲା, କିନ୍ତୁ ଅନୁସନ୍ଧାନ ଜାରି ରହିଥିଲା।
୨୦୨୦ରେ ଜ୍ୟାକବ୍ ହାଇନ୍ଜ୍ଙ୍କ ଦଳ ମଙ୍ଗଳର ପର୍କ୍ଲୋରେଟ୍ ବ୍ରାଇନ୍ରେ ଫଙ୍ଗାଇ ଗ୍ରୋଥ୍ର ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଏହା ମଙ୍ଗଳର କଠିନ ପରିଵେଶରେ ଜୀଵନର ସମ୍ଭାଵନାକୁ ଆହୁରି ବଢ଼ାଇଥିଲା। ଏହି ଆଵିଷ୍କାର ଵୈଜ୍ଞାନିକମାନଙ୍କୁ ମଙ୍ଗଳରେ ମାଇକ୍ରୋବାଇୟାଲ୍ ଜୀଵନର ଅନୁସନ୍ଧାନ ପାଇଁ ନୂଆ ଦିଗ ଦେଇଥିଲା।
୨୦୨୧ରେ ନାସାର Perseverance ରୋଵର Jezero Craterରେ ଅଵତରଣ କରିଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ମଙ୍ଗଳରେ ପ୍ରାଚୀନ ଜୀଵନର ଚିହ୍ନ ଖୋଜିଵା ଏଵଂ ମାଟି ତଥା ଶିଳା ନମୁନା ସଂଗ୍ରହ କରିବା। Jezero Crater ଏକ ପୁରାତନ ଜଳାଶୟ ସ୍ଥାନ ଭାବରେ ଚିହ୍ନିତ ହୋଇଥିଲା। Perseveranceର ଅତ୍ୟାଧୁନିକ ଉପକରଣ ମଙ୍ଗଳର ଭୂତାତ୍ତ୍ୱିକ ଓ ଜୈଵିକ ଇତିହାସ ଅଧ୍ୟୟନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା।
୨୦୨୪ରେ ଡେଵିଡ୍ ଜି. ବର୍ଟ୍ଙ୍କ ଦଳ Gale Craterରେ କାର୍ବୋନେଟ୍-ଡିରାଇଵ୍ଡ୍ CO2ରେ ଉଚ୍ଚ କାର୍ବନ୍ ଓ ଅକ୍ସିଜେନ୍ ଆଇସୋଟୋପ୍ ଆଵିଷ୍କାର କରିଥିଲା। ଏହା ମଙ୍ଗଳର ଅଵାସଯୋଗ୍ୟତା ରୂପାନ୍ତର ଵିଷୟରେ ନୂଆ ତଥ୍ୟ ଦେଇଥିଲା। ଏହି ଆଵିଷ୍କାର ମଙ୍ଗଳର ପୁରାତନ ପରିଵେଶ ଓ ଜୀଵନର ସମ୍ଭାଵନାକୁ ଆହୁରି ବୁଝିଵାରେ ସାହାଯ୍ୟ କରିଥିଲା।
୨୦୨୪ରେ Perseverance Jezero Craterରେ "Cheyava Falls" ନାମକ ଏକ ଲାଲ୍ ଶିଳାରେ ଲେପାର୍ଡ୍ ଷ୍ପଟ୍ଗୁଡ଼ିକ ଆଵିଷ୍କାର କରିଥିଲା। ଏହି ଷ୍ପଟ୍ଗୁଡ଼ିକ ପ୍ରାଚୀନ ଅଣୁଜୀଵ ସମ୍ବନ୍ଧୀୟ ଜୀଵନର ସମ୍ଭାଵ୍ୟ ଜୈଵିକଚିହ୍ନ(Biosignature) ବୋଲି ଵର୍ଣ୍ଣନା କରାଯାଇଥିଲା। ଏହା ମଙ୍ଗଳରେ ଜୀଵନର ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
୨୦୧୦ରୁ ୨୦୨୫ ମଧ୍ୟରେ ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ଅନେକ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା। ତନ୍ମଧ୍ୟରେ Mars Needs Moms (2011),John Carter (2012),The Last Days on Mars (2013),The Martian (2015),Martian Land (2015),Approaching the Unknown (2016),The Space Between Us(2017),Life(2017),2036 Origin Unknown (2018),Ad Astra(2019),Stowaway (2021),Settlers (2021),Moonshot (2022),Mars Express (2023) ଓ Mars Has Eyes (2024) ଆଦି ଚଳଚ୍ଚିତ୍ର ଉଲ୍ଲେଖଯୋଗ୍ୟ ଅଟେ ।
ଶେଷରେ ୨୦୨୫ରେ ନାସା ଘୋଷଣା କରିଥିଲା ଯେ Perseverance "Sapphire Canyon" ଶିଳାରୁ ସଂଗ୍ରହିତ ନମୁନାରେ ୩.୫ ବିଲିୟନ୍ ଵର୍ଷ ପୁରୁଣା ମାଇକ୍ରୋବାଲ୍ ଜୀଵନର ସ୍ପଷ୍ଟ ଚିହ୍ନ ମିଳିଛି। ଏହି ଆଵିଷ୍କାର ଵୈଜ୍ଞାନିକ ସମୁଦାୟକୁ ମଙ୍ଗଳରେ ଜୀଵନର ଅସ୍ତିତ୍ୱ ଅନୁସନ୍ଧାନ ପାଇଁ ଆହୁରି ଉତ୍ସାହିତ କରିଛି।
No comments:
Post a Comment