My Blog List

Saturday, July 11, 2026

ଶିଵାପିଥିକସ୍: ଭାରତର ହଜିଯାଇଥିଵା ଏକ ମହାଵାନରର ସଂକ୍ଷିପ୍ତ ଇତିହାସ(Sivapithecus: A Brief History of India's Lost Great Ape)

ଊନଵିଂଶ ଶତାବ୍ଦୀର ଶେଷ ଆଡ଼କୁ, ଅଵିଭକ୍ତ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଥିଵା ଶିଵାଲିକ୍ ପାର୍ଵତ୍ୟାଞ୍ଚଳ କେଵଳ ଏକ ଶୁଷ୍କ ଓ ପଥରୁଆ ପାହାଡ଼ିଆ ଅଞ୍ଚଳ ଭାବେ ଜଣାଯାଉଥିଲା। କିନ୍ତୁ ଭୂତତ୍ତ୍ୱଵିତ୍ ଓ ପ୍ରକୃତିପ୍ରେମୀମାନଙ୍କ ପାଇଁ ଏହି ମାଟି ଏକ ପ୍ରାଚୀନ ରହସ୍ୟର ଭଣ୍ଡାର ଥିଲା। ଏହି ସମୟରେ ଜୀଵାଶ୍ମ ଵିଜ୍ଞାନୀମାନେ ପୃଥିଵୀର ଵିଵର୍ତ୍ତନ ଇତିହାସ ଖୋଜିଵା ପାଇଁ ଶିଵାଲିକ୍ ପାହାଡ଼ର ପଥର ସ୍ତରଗୁଡ଼ିକୁ ଅନୁଧ୍ୟାନ କରୁଥିଲେ।


ଜୀଵାଶ୍ମ ଵିଜ୍ଞାନର ଏକ ସରଳ ନିୟମ ହେଉଛି—ଜୀଵାଶ୍ମ ପ୍ରାୟତଃ ଆଗ୍ନେୟଗିରିର ଲାଭାରୁ ତିଆରି ପଥର ଵା Igneous Rocksରେ ମିଳେନାହିଁ, କାରଣ ସେଠାରେ ଅତ୍ୟଧିକ ଉତ୍ତାପରେ ସବୁ ଜଳିଯାଏ। ଏହା ସବୁବେଳେ ଅବସାଦୀ ପଥର ଵା Sedimentary Rocksରେ ମିଳିଥାଏ। ଭୂତତ୍ତ୍ୱଵିତ୍‌ମାନେ ଜାଣିଥିଲେ ଯେ ଶିଵାଲିକ୍ ପାହାଡ଼ଗୁଡ଼ିକ ମୂଳତଃ ପ୍ରାଚୀନ ନଦୀଗୁଡ଼ିକ ଦ୍ୱାରା ବୋହି ଆସିଥିବା ବାଲି, କାଦୁଅ ଓ ଗୋଡ଼ି ଜମା ହୋଇ ତିଆରି ହୋଇଛି। ଯେତେବେଳେ କୌଣସି ଜୀଵ ମରେ, ନଦୀର ବାଲି ଓ କାଦୁଅ ସେମାନଙ୍କୁ ସଙ୍ଗେ ସଙ୍ଗେ ପୋତି ଦିଏ, ଯାହା ଫଳରେ ଲକ୍ଷ ଲକ୍ଷ ଵର୍ଷ ପରେ ତାହା ଜୀଵାଶ୍ମରେ ପରିଣତ ହୁଏ। ଏହି ପ୍ରକାରର ପଥର ସ୍ତର ଦେଖି ଵୈଜ୍ଞାନିକମାନେ ନିଶ୍ଚିତ ହୋଇଥିଲେ ଯେ ଏଠାରେ ପ୍ରାଚୀନ ଜୀଵଙ୍କ ସାକ୍ଷୀ ମିଳିପାରିଵ।


ସେହି ସମୟରେ ୟୁରୋପରେ ଚାର୍ଲ୍ସ ଲାଇଲ୍‌ଙ୍କ ଭୂତତ୍ତ୍ୱ ଵିଜ୍ଞାନର ନିୟମ ଖୁବ୍ ପ୍ରସିଦ୍ଧ ହୋଇଥିଲା। ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ଜଳଵାୟୁ ଓ ଭୂଗୋଳର ପରିଵର୍ତ୍ତନକୁ ବୁଝିଵାକୁ ହେଲେ ପୃଥିଵୀର ଯେଉଁ ଅଞ୍ଚଳରେ ହିମାଳୟ ପରି ନୂଆ ପର୍ଵତ ତିଆରି ହୋଇଛି ଵା ହେଉଛି  ସେଠାରେ ଖନନ କରିଵାକୁ ହେଵ। ଏହି ଵୈଜ୍ଞାନିକ ଜିଜ୍ଞାସା ଯୋଗୁଁ "Geological Survey of India"ର ଗଵେଷକମାନେ ନିର୍ଦ୍ଦିଷ୍ଟ ଭାବେ ଶିଵାଲିକ୍ ଶ୍ରେଣୀକୁ ନିଜର ଗଵେଷଣାର କେନ୍ଦ୍ରବିନ୍ଦୁ କରିଥିଲେ।


ହିମାଳୟର ସବୁଠାରୁ ବାହାର ପାର୍ଶ୍ୱ ଵା ପାଦଦେଶରେ ଶିଵାଲିକ୍ ପାର୍ଵତ୍ୟାଞ୍ଚଳ ରହିଛି । ଯେତେବେଳେ ହିମାଳୟର ଉତ୍ଥାନ ହେଉଥିଲା, ସେତେବେଳେ ଭୂଗର୍ଭରେ ଲୁଚି ରହିଥିଵା ପ୍ରାଚୀନ ପଥର ସ୍ତରଗୁଡ଼ିକ ଉପରକୁ ଟେକି ହୋଇ ଆସିଲା। ତା’ପରେ ପ୍ରଚୁର ଵର୍ଷା ଓ ନଦୀର ସ୍ରୋତ ଯୋଗୁଁ ସେହି ପାହାଡ଼ଗୁଡ଼ିକର ଉପର ମାଟି ଧୋଇହୋଇ ଭିତରେ ଥିଵା ପ୍ରାଚୀନ ସ୍ତରଗୁଡ଼ିକ ବାହାରକୁ ଦେଖାଗଲା। ଏହି ପ୍ରାକୃତିକ କ୍ଷୟ ଯୋଗୁଁ ଅନେକ ସମୟରେ ପଥର ତଳେ ଦବି ରହିଥିଵା ପ୍ରାଚୀନ ପଶୁମାନଙ୍କର ବଡ଼ ବଡ଼ ହାଡ଼ ଆପେ ଆପେ ମାଟି ଉପରକୁ ବାହାରି ପଡ଼ୁଥିଲା, ଯାହା ସହଜରେ ଵୈଜ୍ଞାନିକମାନଙ୍କ ନଜରରେ ପଡ଼ିଥିଲା।


ତେବେ ଵୈଜ୍ଞାନିକମାନେ ଶିଵାଲିକ୍ ପର୍ଵତମାଳାରେ ପହଞ୍ଚିବା ପୂର୍ଵରୁ ସେହି ଅଞ୍ଚଳର ପାର୍ଵତ୍ୟ ସମୁଦାୟ ଓ ଗ୍ରାମଵାସୀମାନେ ପ୍ରାୟତଃ ପାହାଡ଼ ଖୋଳିଵା ବେଳେ ଵା ଵର୍ଷା ଦିନେ ମାଟି ଧୋଇଯିଵା ପରେ ଵିଶାଳକାୟ ଜୀଵଙ୍କର ଦାନ୍ତ ଓ ହାଡ଼ ପାଉଥିଲେ। ସେମାନେ ସେଗୁଡ଼ିକୁ କୌଣସି ପ୍ରାଚୀନ ଦୈତ୍ୟ, ରାକ୍ଷସ କିମ୍ବା ମହାଭାରତର 'ଭୀମ' ଵା 'ଘଟୋତ୍କଚ'ଙ୍କ ଭଳି ମହାବୀରମାନଙ୍କର ଅସ୍ଥି ବୋଲି ଭାବି ପୂଜା କରୁଥିଲେ କିମ୍ବା ନିଜ ପାଖରେ ରଖୁଥିଲେ।

ଊନବିଂଶ ଶତାବ୍ଦୀରେ ଯେତେବେଳେ ହ୍ୟୁ ଫାଲକନର ଓ ପ୍ରୋଟଲି କଟଲେଙ୍କ ଭଳି ବ୍ରିଟିଶ ଅଧିକାରୀ ଓ ଭୂତତ୍ତ୍ୱଵିତ୍‌ମାନେ ସେହି ଅଞ୍ଚଳ ଭ୍ରମଣ କଲେ ସେତେବେଳେ ସେମାନେ ସ୍ଥାନୀୟ ଲୋକଙ୍କ ମୁହଁରୁ ଏହି 'ରାକ୍ଷସ ହାଡ଼' ଵିଷୟରେ ଶୁଣିଵାକୁ ପାଇଲେ। ଯେତେବେଳେ ଵୈଜ୍ଞାନିକମାନେ ସେହି ହାଡ଼ଗୁଡ଼ିକୁ ଦେଖିଲେ, ସେମାନେ ବୁଝିଗଲେ ଯେ ଏଗୁଡ଼ିକ କୌଣସି ପୁରାଣ କାହାଣୀର ମହାଵୀର କିମ୍ବା ଦୈତ୍ୟ ନୁହେଁ ଵରଂ ଲକ୍ଷ ଲକ୍ଷ ଵର୍ଷ ପୂର୍ଵର ଵିଲୁପ୍ତ ହାତୀ Gomphotheres ଓ Mastodons ଭଳି ଗଣ୍ଡା ତଥା ପ୍ରାଚୀନ ମହାଵାନରମାନଙ୍କର ପ୍ରକୃତ ଜୀଵାଶ୍ମ ଅଟେ ।


ତେବେ ୧୮୭୯ ମସିହାରେ ବ୍ରିଟିଶ ଜୀଵାଶ୍ମ ଵିଜ୍ଞାନୀ ରିଚାର୍ଡ଼ ଲାଇଡେକର୍‌ ଶିଵାଲିକ୍ ଅଞ୍ଚଳରୁ କିଛି ଆଶ୍ଚର୍ଯ୍ୟଜନକ ଜୀଵାଶ୍ମ ପାଇଲେ। ସେଗୁଡ଼ିକ ମଧ୍ୟରେ ଥିଲା ଏକ ପ୍ରାଚୀନ ଜୀଵର ଉପର ହନୁ ହାଡ଼ ଏଵଂ କିଛି ଦାନ୍ତ। ପ୍ରଥମେ ଦେଖିଲେ ମନେହେଵ ଏହା କୌଣସି ସାଧାରଣ ଵାନରର ଦାନ୍ତ, କିନ୍ତୁ ସେଗୁଡ଼ିକୁ ଗଭୀର ଭାବେ ନିରୀକ୍ଷଣ କରିଵା ପରେ ଜଣାପଡ଼ିଲା ଯେ ଏହାର ଗଠନ ସାଧାରଣ ମାଙ୍କଡ଼ଠାରୁ ବହୁତ ଭିନ୍ନ ଏଵଂ ଏଥିରେ Great Apes ଵା ମହାଵାନରର ଲକ୍ଷଣ ରହିଛି। ୧୮୭୯ ମସିହାରେ ରିଚାର୍ଡ ଲାଇଡେକର ଏହି ଜୀଵାଶ୍ମର ଆଧାରରେ Sivapithecus indicus ନାମ ପ୍ରସ୍ତାଵ କଲେ। ଭାରତୀୟ ସଂସ୍କୃତି ଓ ହିମାଳୟ ସହ ଜଡ଼ିତ ଭଗଵାନ ଶିବଙ୍କ ନାମ ଅନୁସାରେ ଏହି ପ୍ରାଚୀନ ଜୀଵର ବଂଶଗତ ନାମ "Sivapithecus" ରଖାଗଲା, ଯାହାର ଅର୍ଥ  "ଶିଵଙ୍କ ଵାନର" ଅଟେ। କିନ୍ତୁ ଏହି କାହାଣୀ ଏତିକିରେ ସରିଯାଇନଥିଲା। ପ୍ରକୃତ ଆଲୋଡ଼ନ ୧୯୩୦ ଦଶକରେ ଦେଖାଗଲା, ଯେତେବେଳେ ୟେଲ୍ ଵିଶ୍ୱଵିଦ୍ୟାଳୟର ଜଣେ ଯୁଵ ଗଵେଷକ ଜି. ଏଡୱାର୍ଡ ଲୁଇସ୍,ଶିଵାଲିକ୍ ପାହାଡ଼ରୁ ଆଉ ଏକ ଛୋଟ ଜୀଵାଶ୍ମ ପାଇଲେ, ଯାହାକୁ ସେ "Ramapithecus" ବୋଲି ନାମିତ କଲେ। 


ଏହାପରେ ଦୀର୍ଘ ଦଶନ୍ଧି ଧରି ଵୈଜ୍ଞାନିକ ମହଲରେ ଏହାକୁ ନେଇ ଵିତର୍କ ଚାଲିଲା ଯେ ରାମାପିଥିକସ୍ ହିଁ ମଣିଷର ସିଧାସଳଖ ପ୍ରଥମ ପୂର୍ଵପୁରୁଷ। କିନ୍ତୁ ପରଵର୍ତ୍ତୀ ସମୟରେ, ଵିଶେଷତଃ ୧୯୭୦ ଓ ୧୯୮୦ ଦଶକରେ ପ୍ରସିଦ୍ଧ ଜୀଵାଶ୍ମ ଵିଜ୍ଞାନୀ ଡେଵିଡ୍ ପିଲ୍‌ବିମ୍ ଏଵଂ ତାଙ୍କ ଦଳ ପାକିସ୍ତାନର ପୋଟହାର ମାଳଭୂମିରେ ଗଵେଷଣା ଆରମ୍ଭ କଲେ । 

ଉଲ୍ଲେଖଯୋଗ୍ୟ ଯେ ପୋଟହାର ମାଳଭୂମି ଶିଵାଲିକ୍ ପାର୍ଵତ୍ୟାଞ୍ଚଳର ଅଂଶ ଅଟେ ।  ପୋଟହାର୍ ମାଳଭୂମି ଅଞ୍ଚଳରେ ଵ୍ୟାପକ ଖନନ କରି ଶିଵାପିଥିକସ୍‌ର ଏକ ପ୍ରାୟ ସମ୍ପୂର୍ଣ୍ଣ ମୁହଁର ଜୀବାଶ୍ମ ଆଵିଷ୍କାର କଲେ ଯାହାର ନାମ GSP 15000 ରଖାଗଲା । ଏହି ଆଵିଷ୍କାର ଵିଶ୍ୱ ଵିଜ୍ଞାନ ଜଗତର ପୂର୍ଵ ଧାରଣାଗୁଡ଼ିକୁ ବଦଳାଇ ଦେଲା। ଵର୍ତ୍ତମାନର ପ୍ରମୁଖ ଵୈଜ୍ଞାନିକ ମତ ଅନୁସାରେ, ରାମାପିଥିକସ୍‌କୁ ଆଉ ଏକ ପୃଥକ୍ ବଂଶ ଭାବେ ଗ୍ରହଣ କରାଯାଏ ନାହିଁ ଵରଂ ଏହାକୁ ଶିଵାପିଥିକସ୍‌ର ହିଁ ଅଂଶ ବୋଲି ଧରାଯାଏ। କିଛି ଗଵେଷକଙ୍କ ମତରେ ଏହି ଆକାରର ପାର୍ଥକ୍ୟ ସମ୍ଭଵତଃ ଏକା ଶିଵାପିଥିକସ୍ ଜାତିର ପୁରୁଷ ଓ ମହିଳା ମଧ୍ୟରେ ଥିଵା ଶାରୀରିକ ଭିନ୍ନତା ଯୋଗୁଁ ହୋଇଥାଇପାରେ। ସବୁଠାରୁ ବଡ଼ କଥା ହେଲା, ଏହି ଜୀଵାଶ୍ମର ଅଧ୍ୟୟନରୁ ଜଣାପଡ଼ିଲା ଯେ ମୁହଁର ଗଠନରେ ଏହାର ଏସିଆର "ଓରାଙ୍ଗୁଟାନ୍" ସହ ଉଲ୍ଲେଖନୀୟ ସାଦୃଶ୍ୟ ରହିଛି । ଵର୍ତ୍ତମାନର ଅଧିକାଂଶ ଗଵେଷକ କେତେକ ଦୃଢ଼ ପ୍ରମାଣ ଆଧାରରେ ମନେ କରନ୍ତି ଯେ ଶିଵାପିଥିକସ୍ ହେଉଛି ଆଧୁନିକ ଓରାଙ୍ଗୁଟାନ୍ ବଂଶ (Ponginae)ର ଏକ ପ୍ରାଚୀନ ସଦସ୍ୟ କିମ୍ବା ଅତି ନିକଟ ସମ୍ପର୍କୀୟ, ମଣିଷର ପ୍ରତ୍ୟକ୍ଷ ପୂର୍ଵଜ ନୁହେଁ। ଏହିପରି ଭାବେ, ଶିଵାଲିକ୍‌ର ଶୁଷ୍କ ପାହାଡ଼ ତଳୁ ମିଳିଥିଵା ସେହି କେତେକ ଦାନ୍ତ ଓ ହାଡ଼ର ଖଣ୍ଡ ପୃଥିଵୀର ପ୍ରାଇମେଟ୍ ଵିଵର୍ତ୍ତନର ଇତିହାସକୁ ଏକ ନୂଆ ଦିଗ ଦେଇଥିଲା।


କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଏହି ଶିଵାପିଥିକସ୍ ମହାଵାନରମାନେ ଭାରତକୁ କୁଆଡ଼ୁ ଆସିଥିଲେ ଏଵଂ ଭାରତରେ କାହିଁକି ଲୁପ୍ତ ହୋଇଗଲେ ପୁଣି ସେମାନଙ୍କର ଵର୍ତ୍ତମାନ ବଂଶଧରମାନେ କିମ୍ବା ନିକଟ ସମ୍ପର୍କୀୟମାନେ ଭାରତର ବହୁତ ଦୂରରେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜକୁ କେମିତି ଯାଇ ଓରାଙ୍ଗ‌ଓଟାଙ୍ଗ୍ ମହାଵାନର ହେଲେ ? 


ଏହି ସବୁ ପ୍ରଶ୍ନର ଉତ୍ତର ଲୁଚିଛି ପ୍ରାଚୀନ ଇତିହାସରେ ଯାହା ପ୍ରତ୍ନତତ୍ତ୍ଵଵିଦମାନେ ପ୍ରାଚୀନ ପ୍ରସ୍ତରର ସ୍ତରଗୁଡ଼ିକର ଗର୍ଭରେ ଲୁଚି ରହିଥିଵା ଜୀଵାଶ୍ମରୁ ଆଵିଷ୍କାର କରିଛନ୍ତି। ଲକ୍ଷ ଲକ୍ଷ ଵର୍ଷ ତଳର ପଥର ସ୍ତରକୁ ଖୋଦନ କରି ସେଥିରୁ ମିଳିଥିଵା ଶିଵାପିଥିକସ୍‌ର ଦାନ୍ତ ଓ ଖପୁରିର ଗଠନକୁ ଆଧୁନିକ ମହାଵାନରଙ୍କ ସହ ତୁଳନା କରାଯାଇ ଏହି ସମ୍ପର୍କ ଵିଷୟରେ ଜଣାପଡ଼ିଛି। ପ୍ରାଚୀନ ପଥର ଓ ଜୀଵାଶ୍ମଗୁଡ଼ିକର ଵୈଜ୍ଞାନିକ ଉପାୟରେ ଵୟସ ନିରୂପଣ କରି ଵିଜ୍ଞାନୀମାନେ ଶିଵାପିଥିକସ୍‌ମାନଙ୍କର ଭାରତ ଆଗମନ ଓ ଵିଲୁପ୍ତିର ଠିକ୍ ସମୟକାଳ ଜାଣିପାରିଛନ୍ତି।ସେହି ସମୟର ପଥରର ରସାୟନିକ ସଂରଚନାରୁ ପ୍ରାଚୀନ ଜଳଵାୟୁ ପରିବର୍ତ୍ତନ ଏଵଂ ଘଞ୍ଚ ଜଙ୍ଗଲ ନଷ୍ଟ ହୋଇ ଘାସପଡ଼ିଆ ସୃଷ୍ଟି ହେଵାର ସ୍ପଷ୍ଟ ପ୍ରମାଣ ପାଇଛନ୍ତି।

ପୃଥିବୀର ପ୍ରାଚୀନ ଭୂଗୋଳ ଏଵଂ ସମୁଦ୍ର ପତନର ହ୍ରାସ-ବୃଦ୍ଧିର ଗଵେଷଣାରୁ ସେମାନେ କେଉଁ ସ୍ଥଳପଥ ଦେଇ ଦ୍ୱୀପପୁଞ୍ଜକୁ ଗଲେ, ତାର ରହସ୍ୟ ଉନ୍ମୋଚନ କରିଛନ୍ତି ।‌ ତାହେଲେ ସେତେବେଳେ କ'ଣ ହୋଇଥିଲା ବୋଲି ଗଵେଷକମାନେ କୁହନ୍ତି? 


ଆଜି ଆମେ ଭାରତୀୟ ଉପମହାଦ୍ୱୀପକୁ ଯେଉଁ ଭୌଗୋଳିକ ରୂପରେ ଦେଖୁଛୁ, ଆଜକୁ ପ୍ରାୟ ୧ କୋଟି ୭୦ ଲକ୍ଷ ଵର୍ଷ ପୂର୍ଵେ ପ୍ରାରମ୍ଭିକ Miocene ଯୁଗରେ ପୃଥିଵୀର ମାନଚିତ୍ର ସେପରି ନଥିଲା। ଵର୍ତ୍ତମାନର ଵୈଜ୍ଞାନିକ ପ୍ରମାଣ ଅନୁସାରେ, ମାନବ ଓ ମହାଵାନର ଵା Great Apesମାନଙ୍କର ପ୍ରାରମ୍ଭିକ ଵିଵର୍ତ୍ତନ ଆଫ୍ରିକାରେ ହିଁ ହୋଇଥିଲା। ସେହି ସମୟରେ ଆଫ୍ରିକାର ଉଷ୍ମ ଓ ଆଦ୍ର ପରିଵେଶରେ ପ୍ରାଇମେଟ୍‌ମାନଙ୍କର ଵିଵର୍ତ୍ତନ ଅତି ଦ୍ରୁତ ଗତିରେ ଚାଲିଥିଲା। ସେଠାରେ ଵାସ କରୁଥିଵା କେତେକ ଆଦିମ Anthropoid ଜୀଵଙ୍କୁ ଆଧୁନିକ ଗ୍ରେଟ୍ ଏପ୍ସମାନଙ୍କର ପ୍ରାରମ୍ଭିକ ବଂଶର ସଦସ୍ୟ ବୋଲି ଧରାଯାଏ।

ତେବେ ପ୍ରଶ୍ନ ଉଠେ, ଆଫ୍ରିକାରେ ଥିଵା ଏହି ଜୀଵମାନଙ୍କର ବଂଶଧରମାନେ ଏସିଆ ଵା ଭାରତ ପର୍ଯ୍ୟନ୍ତ ଵିସ୍ତାରିତ ହେଲେ କେମିତି? ପ୍ରକୃତରେ ଏହି ମହାଦ୍ୱୀପାନ୍ତର ପ୍ରସାରଣ ପଛରେ ଥିଲା ପୃଥିଵୀର ଭୂଗର୍ଭୀୟ ଅସ୍ଥିରତା ଏଵଂ ଜଳବାୟୁର ଏକ ମହାଜାଗତିକ ଖେଳ।


Miocene ଯୁଗର ପ୍ରାରମ୍ଭରେ, ଆଜକୁ ପ୍ରାୟ ୧ କୋଟି ୮୦ ଲକ୍ଷରୁ ୧ କୋଟି ୭୦ ଲକ୍ଷ ଵର୍ଷ ପୂର୍ଵେ ଆଫ୍ରିକୀୟ ଆରବୀୟ ପ୍ଲେଟ୍ ଧୀରେ ଧୀରେ ଉତ୍ତଗ ଦିଗକୁ ଗତି କରି ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେଲା। ଏହି ଭୂଗର୍ଭୀୟ ଘଟଣା ଯୋଗୁଁ "Gomphotherium ସ୍ଥଳ-ସେତୁ ସୃଷ୍ଟି ହେଲା। ଏହା ପୂର୍ଵରୁ ଆଫ୍ରିକା ଏବଂ ଏସିଆ ମଧ୍ୟରେ ଟେଥିସ୍ ସମୁଦ୍ରର ଏକ ଅଂଶ ଵ୍ୟଵଧାନ ସୃଷ୍ଟି କରଉଥିଲା ଏଵଂ ତାହା ପ୍ରାଇମେଟ୍‌ମାନଙ୍କ ଯାତ୍ରା ପାଇଁ ବାଧା ଥିଲା।


ଏହି ଦୁଇଟି ଵିଶାଳ ଭୂଖଣ୍ଡର ମିଳନ ଯୋଗୁଁ ଆଧୁନିକ ମଧ୍ୟ-ପ୍ରାଚ୍ୟ ଦେଇ ଏକ ସ୍ଥଳପଥ ଉନ୍ମୁକ୍ତ ହେଲା। ଗଵେଷକମାନେ ମନେ କରନ୍ତି ଯେ ତତ୍କାଳୀନ ଉଷ୍ମ ଜଳଵାୟୁ ଯୋଗୁଁ ଏହି ସ୍ଥଳପଥ ଅଞ୍ଚଳରେ ଏକ ସମ୍ଭାଵ୍ୟ ଵନ୍ୟ ସଂଯୋଗ ପଥ ଵା Forest Corridor ଗଢ଼ିଉଠିଥିଲା, ଯାହା ଜୀଵମାନଙ୍କକୁ ଆଗକୁ ବଢ଼ିଵାରେ ସାହାଯ୍ୟ କଲା।


ଗଛରେ ରହୁଥିଵା ପ୍ରାଇମେଟ୍‌ମାନେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଯାତ୍ରା ଵା ପ୍ରଵାସ କରନ୍ତି ନାହିଁ। ସେମାନେ କେଵଳ ନିଜର ଵାସସ୍ଥାନର ପ୍ରାକୃତିକ ସମ୍ପ୍ରସାରଣ ଏଵଂ ଖାଦ୍ୟର ସନ୍ଧାନରେ ଧୀରେ ଧୀରେ ଆଗକୁ ବଢ଼ୁଥିଲେ।

ଆଧୁନିକ ଯୁଗରେ ବି ତାହା ଘଟୁଥିଵାର ଆମେ ଲକ୍ଷ୍ୟ କରୁଛନ୍ତି । ଉଦାହରଣ ସ୍ୱରୂପ ଜଙ୍ଗଲ ହ୍ରାସ ଯୋଗୁଁ ହନୁମାଙ୍କଡ଼ ଓ ପାତିମାଙ୍କଡ଼ ଆଜି ଗ୍ରାମାଞ୍ଚଳରେ ଵାସ କରୁଛନ୍ତି । 


ଵୈଜ୍ଞାନିକମାନଙ୍କ ଅନୁମାନ ଅନୁସାରେ, ଆଫ୍ରିକାରୁ ଏସିଆକୁ ପ୍ରାଚୀନ ମହାଵାନରମାନଙ୍କର ଏହି ଵିସ୍ତାର ପ୍ରାୟ ୧.୭ ରୁ ୧.୬ କୋଟି ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଏହି ସମୟରେ ଶିଵାପିଥିକସ୍‌ର ସମ୍ଭାଵ୍ୟ ପୂର୍ଵଜ ଵା ନିକଟ ସମ୍ପର୍କୀୟ Kenyapithecus କିମ୍ବା Griphopithecus ଭଳି ଜୀଵମାନେ ଏହି ଵନ୍ୟ ସଂଯୋଗ ପଥ ଦେଇ ଧୀରେ ଧୀରେ ଏସିଆ ଆଡ଼କୁ ଅଗ୍ରସର ହୋଇଥିଲେ।


ପିଢ଼ି ପିଢ଼ି ଧରି, ପ୍ରାୟ ଲକ୍ଷ ଲକ୍ଷ ଵର୍ଷର ସମୟକାଳ ମଧ୍ୟରେ ଏହି ପ୍ରାଇମେଟ୍‌ମାନେ ପୂର୍ଵ ଆଫ୍ରିକାରୁ ବାହାରି ଆରବ ପ୍ରଦେଶ ଓ ଇରାନୀୟ ମାଳଭୂମିର ଅନୁକୂଳ ପରିଵେଶ ଦେଇ ଶେଷରେ ଭାରତୀୟ ଉପମହାଦ୍ୱୀପର ପଶ୍ଚିମ ଦ୍ୱାରରେ ପହଞ୍ଚିଲେ।


ଆଜକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଵର୍ଷ ପୂର୍ଵର ସମୟ ସୁଦ୍ଧା ସେମାନେ ଭାରତୀୟ ଉପମହାଦ୍ୱୀପରେ ସଫଳତାର ସହ ସ୍ଥାପିତ ହୋଇସାରିଥିଲେ, କାରଣ ଏହି ସମୟରୁ ହିଁ ଆମକୁ ଶିଵାପିଥିକସ୍‌ର ସ୍ପଷ୍ଟ ଜୀଵାଶ୍ମ ମିଳିଵା ଆରମ୍ଭ ହୁଏ। ସେହି ସମୟରେ ଭାରତୀୟ ପ୍ଲେଟ୍ ଏସିଆ ସହ ଧକ୍କା ହେଵା ଫଳରେ ଉତ୍ତରରେ ହିମାଳୟ ସୃଷ୍ଟି ହେଉଥିଲା ଏଵଂ ଏହାର ପାଦଦେଶରେ ଥିଵା ଶିଵାଲିକ୍ ଅଞ୍ଚଳରେ ଏକ ଵିଶାଳ, ଘନ କ୍ରାନ୍ତୀୟ ଵର୍ଷାଵନ ଵା Subtropical Rainforest  ଗଢ଼ିଉଠିଥିଲା।


ଏହି ନୂଆ ଓ ସମୃଦ୍ଧ ପରିଵେଶରେ ପ୍ରାକୃତିକ ଚୟନର ପ୍ରକ୍ରିୟା ଅତି ପ୍ରଭାଵଶାଳୀ ଭାବେ କାମ କଲା। ବଦଳୁଥିଵା ପରିଵେଶରେ ଉପଲବ୍ଧ ଶକ୍ତ ଫଳ ଵା ବାଦାମ ଜାତୀୟ ଖାଦ୍ୟ ଖାଇଵା ପାଇଁ ଯେଉଁ ଜୀଵମାନଙ୍କର ଦାନ୍ତରେ ମୋଟା ଏନାମେଲ୍ ଥିଲା ସେମାନେ ଜୀଵନ ସଂଗ୍ରାମରେ ଅଧିକ ସଫଳ ହେଲେ ଏଵଂ ସେମାନଙ୍କର ବଂଶ ବୃଦ୍ଧି ପାଇଲା। ଏହି ଵିଵର୍ତ୍ତନର ପରିଣାମ ସ୍ୱରୂପ ଭାରତୀୟ ଉପମହାଦ୍ୱୀପରେ ଶିଵାପିଥିକସ୍ ବଂଶର ପ୍ରତିନିଧିମାନଙ୍କର ଉଦ୍ଭଵ ଓ ଵିକାଶ ହୋଇଥିଲା। 


ଜୀଵାଶ୍ମରୁ ମିଳିଥିଵା ହାଡ଼ର ଗଠନକୁ ଆଧାର କରି ମାନଵ ଵିଜ୍ଞାନୀମାନେ ଶିଵାପିଥିକସ୍‌ର ଏକ ଆନୁମାନିକ ଶାରୀରିକ ରୂପ ପ୍ରସ୍ତୁତ କରିଛନ୍ତି। ଏମାନଙ୍କର ସାମଗ୍ରିକ ଶରୀରିକ ଆକାର ଆଧୁନିକ ଚିମ୍ପାଞ୍ଜି କିମ୍ବା ଛୋଟ ଓରାଙ୍ଗୁଟାନ୍ ସହ ପ୍ରାୟ ସମାନ ଥିଲା। ଯେହେତୁ ଏହି ବଂଶର ଜାତିଗୁଡ଼ିକ ମଧ୍ୟରେ ଉଲ୍ଲେଖନୀୟ ଲିଙ୍ଗୀୟ ଦ୍ୱିରୂପତା ଵା Sexual Dimorphismର ପ୍ରମାଣ ମିଳେ, ତେଣୁ ସେମାନଙ୍କ ଓଜନରେ ଲିଙ୍ଗଭେଦ ଆଧାରିତ ବଡ଼ ପାର୍ଥକ୍ୟ ଥିଲା। ଗଵେଷଣା ଅନୁସାରେ, ମାଈ ଶିଵାପିଥିକସ୍‌ର ଓଜନ ପ୍ରାୟ ୨୫ ରୁ ୩୫ କିଲୋଗ୍ରାମ ଥିଵାବେଳେ ଅଣ୍ଡିର ଶିଵାପିଥିକସ୍‌ମାନଙ୍କ ଓଜନ ପ୍ରାୟ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥିଵାର ଅନୁମାନ କରାଯାଏ।


ଶିଵାପିଥିକସ୍‌ମାନଙ୍କର ସବୁଠାରୁ ବଡ଼ ଵୈଶିଷ୍ଟ୍ୟ ଥିଲା ଏମାନଙ୍କର ମୁଣ୍ଡ ଓ ମୁହଁର ଗଠନ। ପାକିସ୍ତାନରୁ ମିଳିଥିଵା ପ୍ରସିଦ୍ଧ ଜୀବାଶ୍ମ "GSP 15000"ର ଅଧ୍ୟୟନରୁ ମୁହଁର ଗଠନରେ ଓରାଙ୍ଗୁଟାନ୍ ସହ ଉଲ୍ଲେଖନୀୟ ସାଦୃଶ୍ୟ ଦେଖାଯାଏ। ଏମାନଙ୍କର ଆଖିର କୋଟର (Orbits) ଗୁଡ଼ିକ ଆଧୁନିକ ମଣିଷ ଵା ଗରିଲ୍ଲାଙ୍କ ଭଳି ଗୋଲାକାର ନହୋଇ, ଉପର-ତଳକୁ ଲମ୍ବା ଵା ଅଣ୍ଡାକୃତି ଥିଲା। ଦୁଇ ଆଖି ମଧ୍ୟରେ ଥିଵା ହାଡ଼ର ଦୂରତା ଅତି ସଂକୀର୍ଣ୍ଣ ଥିଲା। ଯଦି ପାର୍ଶ୍ୱଦୃଶ୍ୟରୁ ଦେଖାଯାଏ, ତେବେ ଏମାନଙ୍କର ମୁହଁର ମଝି ଅଂଶ ସାମାନ୍ୟ ଅବଵଳ ଥିଲା ଏବଂ ପାଟିଟି ଆଗକୁ ବାହାରିଥିଲା, ଯାହାର ଆଧୁନିକ ଓରାଙ୍ଗୁଟାନ୍‌ର ଶରୀରଗଠନ ସହିତ ସାମଞ୍ଜସ୍ୟ ରହିଛି ।


ଶିଵାପିଥିକସ୍‌ର ଅଧ୍ୟୟନ ଵିଵର୍ତ୍ତନ ଵିଜ୍ଞାନୀମାନଙ୍କ ପାଇଁ 'ମୋଜାଇକ୍ ଵିଵର୍ତ୍ତନ'ର ଏକ ଶ୍ରେଷ୍ଠ ଉଦାହରଣ। ଏହି ପ୍ରକ୍ରିୟା ଅନୁସାରେ ଗୋଟିଏ ଜୀଵର ଶରୀରର ସମସ୍ତ ଅଙ୍ଗ ଏକ ସମାନ୍ତରାଳ ଗତିରେ ବଦଳେ ନାହିଁ ଵରଂ ଵିଭିନ୍ନ ଅଙ୍ଗର ଵିଵର୍ତ୍ତନ ଭିନ୍ନ ଭିନ୍ନ ସମୟ ଓ ବେଗରେ ହୋଇଥାଏ।


ଶିଵାପିଥିକସ୍‌ର ମୁହଁର ଗଠନ ଓରାଙ୍ଗୁଟାନ୍ ଭଳି ଥିଲେ ମଧ୍ୟ, ଯେତେବେଳେ ସେମାନଙ୍କର କାନ୍ଧ ଓ ହାତ-ଗୋଡ଼ର ଅସ୍ଥି ଅଂଶ ମିଳିଲା, ସେତେବେଳେ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଲା। ଆଧୁନିକ ଓରାଙ୍ଗୁଟାନ୍‌ମାନେ ଗଛର ଡାଳରୁ ହାତରେ ଝୁଲି ଝୁଲି ଗତି କରିଵା ପାଇଁ  ସମ୍ପୂର୍ଣ୍ଣ ଅନୁକୂଳିତ ତେଣୁ ସେମାନଙ୍କର କାନ୍ଧର ଗଣ୍ଠି ଅତି ନମନୀୟ ଏଵଂ ହାତ ଲମ୍ବା ହୋଇଥାଏ। କିନ୍ତୁ ଶିଵାପିଥିକସ୍‌ର କାନ୍ଧ ଓ କୋଣିଆ ଗଣ୍ଠିର ଗଠନରୁ ଜଣାଯାଏ ଯେ ସେମାନଙ୍କର ଚଳପ୍ରଚଳ ଶୈଳୀ ଓରାଙ୍ଗୁଟାନ୍ ଭଳି ଝୁଲିଵା ପ୍ରକାରର ନଥିଲା। ସେମାନେ ସମ୍ଭଵତଃ ଚାରି ଗୋଡ଼ ଵ୍ୟଵହାର କରି ଗଛର ମୋଟା ଡାଳ ଉପରେ ଚାଲୁଥିଲେ । ଏହି ଆଵିଷ୍କାର ପ୍ରମାଣିତ କରେ ଯେ Ponginae ଉପବଂଶର ଵିଵର୍ତ୍ତନ ଇତିହାସରେ ପ୍ରଥମେ 'ମୁହଁର ଗଠନ' ଓରାଙ୍ଗୁଟାନ୍ ସଦୃଶ ହୋଇଥିଲା ଏଵଂ ଗଛରେ ଝୁଲିଵାର ଶାରୀରିକ ଦକ୍ଷତା ତାହାର ପରଵର୍ତ୍ତୀ ପର୍ଯ୍ୟାୟରେ ଵିକଶିତ ହୋଇଥିଲା।


ମିଓସିନ୍ ଯୁଗର ଶିଵାଲିକ୍ ଅଞ୍ଚଳ ଜୈଵ ଵିଵିଧତାରେ ପରିପୂର୍ଣ୍ଣ ଏକ ସମୃଦ୍ଧ କ୍ରାନ୍ତୀୟ ଆଦ୍ର ଜଙ୍ଗଲ ଥିଲା। ଏହି ପରିଵେଶରେ ଶିଵାପିଥିକସ୍‌ର ଦୈନନ୍ଦିନ ଜୀଵନ ଓ ଆହାର ଶୈଳୀ ସମ୍ପର୍କରେ ସେମାନଙ୍କର ଦାନ୍ତରୁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ମିଳେ। ଏମାନଙ୍କର ଦାନ୍ତର ଏନାମେଲ୍ ଅତି ମୋଟା ଥିଲା ଏଵଂ ହନୁ ହାଡ଼ର ଗଠନ ଶକ୍ତ ଥିଲା। ପ୍ରାକୃତିକ ଚୟନର ଫଳରେ ଏହି ପ୍ରକାର ଗଠନ ଥିଵା ପ୍ରାଇମେଟ୍ ଜୀଵମାନେ ଶୁଷ୍କ କିମ୍ବା ଋତୁଭିତ୍ତିକ ପରିଵର୍ତ୍ତନ ସମୟରେ ଜଙ୍ଗଲର କଠିନ ଉଦ୍ଭିଦ ଅଂଶ, ଶକ୍ତ ମଞ୍ଜି ଓ କନ୍ଦମୂଳ ଚୋଵାଇଵାରେ ଅଧିକ ସଫଳ ହୋଇଥିଲେ। ତେବେ ସେମାନଙ୍କର ପ୍ରମୁଖ ଖାଦ୍ୟରେ ଵିଭିନ୍ନ ପ୍ରକାରର ଫଳ, ମଞ୍ଜି, କଠିନ ଉଦ୍ଭିଦ ଅଂଶ ଏଵଂ କେବେ କେବେ ପତ୍ର ମଧ୍ୟ ଥିଲା।

ଶିଵାପିଥିକସ୍‌ମାନେ ଜୀଵନର ଅଧିକାଂଶ ସମୟ ଗଛ ଉପରେ ବିତାଉଥିଵା ଵୃକ୍ଷଵାସୀ(Arboreal) ପ୍ରାଣୀ ଥିଲେ, ଯଦିଓ ଆଵଶ୍ୟକତା ପଡ଼ିଲେ ଭୂମିକୁ ମଧ୍ୟ ଆସୁଥିଵାର ସମ୍ଭାଵନା ରହିଛି। ସେହି ସମୟର ଶିଵାଲିକ୍ ଜଙ୍ଗଲରେ Machairodonts ବିରାଡ଼ୀ ଜାତୀୟ ପ୍ରାଚୀନ ମାଂସାସୀ ପ୍ରାଣୀ ମଧ୍ୟ ସକ୍ରିୟ ଥିଲେ। ଏଭଳି ପରିଵେଶରେ ଗଛ ଉପରେ ଅଧିକ ସମୟ ରହିଵା ଶିବାପିଥିକସ୍‌କୁ ସେହି ଶିକାରୀ ପ୍ରାଣୀମାନଙ୍କଠାରୁ ତୁଳନାମୂଳକ ସୁରକ୍ଷା ଦେଉଥିଵାର ସମ୍ଭାବନା ରହିଛି।


ମିଓସିନ୍ ଯୁଗର ଶେଷ ଆଡ଼କୁ ଆଜକୁ ପ୍ରାୟ ୮୦ ଲକ୍ଷରୁ ୭୦ ଲକ୍ଷ ଵର୍ଷ ପୂର୍ଵେ ଭାରତୀୟ ଉପମହାଦ୍ୱୀପରେ ଏକ ଵିଶାଳ ଭୌଗୋଳିକ ପରିଵର୍ତ୍ତନ ଘଟିଵାକୁ ଲାଗିଲା। ଭାରତୀୟ ପ୍ଲେଟ୍ ଏସିଆ ସହ କ୍ରମାଗତ ଭାବେ ଧକ୍କା ହେଵା ଫଳରେ ହିମାଳୟ ପର୍ଵତମାଳାର ଉଚ୍ଚତା ହଠାତ୍ ବହୁତ ବଢ଼ିଗଲା। ଏହି ଉତ୍ଥାନ ସାରା ଏସିଆ ମହାଦ୍ୱୀପର ଜଳଵାୟୁ ଓ ମୌସୁମୀ ଚକ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଲା। ହିମାଳୟ ଏତେ ଉଚ୍ଚ ହୋଇଗଲା ଯେ ଏହା ତିବ୍ଦତ ଓ ଉତ୍ତର ଦିଗରୁ ଆସୁଥିଵା ଶୀତଳ, ଶୁଷ୍କ ବାୟୁକୁ ଅଟକାଇବା ସହ ଭାରତୀୟ ମୌସୁମୀ ଵାୟୁର ଗତିପଥରେ ବାଧା ସୃଷ୍ଟି କଲା। ଏହାର ପରିଣାମ ସ୍ୱରୂପ ଶିଵାଲିକ୍ ଏଵଂ ତାହାର ଆଖପାଖ ଅଞ୍ଚଳରେ ଵୃଷ୍ଟିପାତର ପରିମାଣ ଧୀରେ ଧୀରେ କମିଵାକୁ ଲାଗିଲା। ଵର୍ଷସାରା ହେଉଥିଵା ଵର୍ଷା ବଦଳରେ କେଵଳ କିଛି ନିର୍ଦ୍ଦିଷ୍ଟ ମାସରେ ମୌସୁମୀ ଵର୍ଷା ହେଲା, ଯାହା ଫଳରେ ବାକି ସମୟ ପରିଵେଶ ଅତ୍ୟନ୍ତ ଶୁଷ୍କ ଓ ଥଣ୍ଡା ରହିଲା। ଶିଵାପିଥିକସ୍ ଵାସ କରୁଥିଵା ସେହି ପ୍ରାଚୀନ, ସଦାସର୍ଵଦା ଓଦାଳିଆ ଓ ଘନ କ୍ରାନ୍ତୀୟ ଜଙ୍ଗଲଗୁଡ଼ିକ ଏହି ଶୁଷ୍କତା ସହ୍ୟ କରିପାରିଲେ ନାହିଁ।


ଏହି ଜଙ୍ଗଲ ନଷ୍ଟ ହେବାର ସବୁଠାରୁ ବଡ଼ ଵୈଜ୍ଞାନିକ ପ୍ରମାଣ ସେହି ସମୟର ପ୍ରାଗୈତିହାସିକ ମୃତ୍ତିକା ଏଵଂ ପ୍ରାଣୀମାନଙ୍କ ଜୀଵାଶ୍ମର ଦାନ୍ତରୁ ମିଳିଥାଏ । ରସାୟନ ଵିଜ୍ଞାନର ସ୍ଥିର କାର୍ବନ ଆଇସୋଟୋପ୍ ଵିଶ୍ଳେଷଣରୁ ଜଣାପଡ଼େ ଯେ ପ୍ରାୟ ୭୫ ଲକ୍ଷ ଵର୍ଷ ପୂର୍ଵେ ଭାରତୀୟ ଉପମହାଦ୍ୱୀପର ଉଦ୍ଭିଦ ଜଗତରେ ଏକ ମହାପରିଵର୍ତ୍ତନ ଘଟିଥିଲା।


ଘନ ଜଙ୍ଗଲର ବଡ଼ ଗଛମାନେ କାର୍ବନ ଗ୍ରହଣ ପାଇଁ C₃ Pathway ଵ୍ୟଵହାର କରନ୍ତି, କିନ୍ତୁ ଶୁଷ୍କ ଓ ଖୋଲା ପରିଵେଶରେ ବଢ଼ୁଥିଵା ପ୍ରାନ୍ତୀୟ ଘାସମାନେ C₄ Pathway ଵ୍ୟଵହାର କରନ୍ତି। ଵୈଜ୍ଞାନିକମାନେ ଦେଖିଲେ ଯେ Miocene ଯୁଗର ଶେଷ ଆଡ଼କୁ ଶିଵାଲିକ୍ ସ୍ତରରେ ହଠାତ୍ ¹³C ଆଇସୋଟୋପ୍‌ର ମାତ୍ରା ପ୍ରଚୁର ଭାବେ ବଢ଼ିଗଲା। ଏହା ସହିତ ସେହି ସମୟର ପଥରରୁ ମିଳିଥିଵା ଜୀଵାଶ୍ମ ପରାଗ ରେଣୁରୁ ଜଙ୍ଗଲର ଗଛର ପରାଗ ସରିଗଲା ଏଵଂ କେଵଳ ଘାସ ଵଂଶ "Poaceae"ର ପରାଗ ଦେଖିଵାକୁ ମିଳିଲା। ଏହା ସ୍ପଷ୍ଟ ପ୍ରମାଣିତ କରେ ଯେ ଶିଵାପିଥିକସ୍‌ର ସେହି ସବୁଜ ସ୍ୱର୍ଗ ଧୀରେ ଧୀରେ ନଷ୍ଟ ହୋଇ ଏକ ଖୋଲା ତୃଣଭୂମି ଵା ସାଭାନାରେ ପରିଣତ ହୋଇଯାଇଥିଲା।


ଜଙ୍ଗଲ ସଙ୍କୁଚିତ ହେଵା ସହିତ ଶିଵାପିଥିକସ୍‌ ପାଇଁ ଵାସସ୍ଥାନ ଓ ଆହାରର ଘୋର ସଙ୍କଟ ଦେଖାଦେଲା। ଯେଉଁ ଜୀଵମାନେ ଗଛର ଫଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ, ସେମାନଙ୍କ ପାଇଁ ଏହି ଖଣ୍ଡ-ଵିଖଣ୍ଡିତ ଘାସଭୂମିରେ ବଞ୍ଚିଵା କଷ୍ଟକର ହୋଇପଡ଼ିଲା। ଏହି ସମୟରେ ଏହି ଵଂଶର ଦୁଇଟି ଭିନ୍ନ ପରିଣତି ଦେଖିଵାକୁ ମିଳିଥିଲା । 


ଜଳଵାୟୁ ବଦଳିଵା ସହିତ କ୍ରାନ୍ତୀୟ ଆଦ୍ର ଜଙ୍ଗଲଗୁଡ଼ିକ ଭାରତୀୟ ଉପମହାଦ୍ୱୀପରୁ ସଙ୍କୁଚିତ ହୋଇ ଧୀରେ ଧୀରେ ଦକ୍ଷିଣ ଓ ଦକ୍ଷିଣ-ପୂର୍ଵ ଏସିଆ (ଆଧୁନିକ ମାଲେସିଆ, ଇଣ୍ଡୋନେସିଆ, ସୁମାତ୍ରା ଓ ବୋର୍ଣ୍ଣିଓ ଅଞ୍ଚଳ) ଆଡ଼କୁ ଚାଲିଗଲା। ଗଵେଷକମାନଙ୍କ ମତରେ, ଶିଵାପିଥିକସ୍ ଵଂଶର (Ponginae ଉପବଂଶର) କେତେକ ଗୋଷ୍ଠୀ ଅନୁକୂଳ ପରିଵେଶ ସନ୍ଧାନରେ ସେହି ସବୁଜ ଜଙ୍ଗଲ ସହିତ ଦକ୍ଷିଣ-ପୂର୍ଵ ଏସିଆ ଆଡ଼କୁ ସ୍ଥାନାନ୍ତରିତ ହୋଇଥିଲେ। ସେହି ସ୍ଥାନାନ୍ତରିତ ଶାଖାରୁ ହିଁ ପରଵର୍ତ୍ତୀ ସମୟରେ Khoratpithecus ଏଵଂ ଶେଷରେ ଆଧୁନିକ ଓରାଙ୍ଗୁଟାନ୍(Pongo)ଙ୍କର ଵିଵର୍ତ୍ତନ ହୋଇଥିଲା।


ଭାରତୀୟ ଉପମହାଦ୍ୱୀପରେ ରହିଯାଇଥିଵା ଶିବାପିଥିକସ୍‌ର ଅଵଶିଷ୍ଟ ପ୍ରତିନିଧିମାନେ ବଦଳୁଥିଵା ଶୁଷ୍କ ପରିବେଶ ଓ ଖୋଲା ଘାସଭୂମି ସହ ନିଜକୁ ଖାପଖୁଆଇ ପାରିଲେ ନାହିଁ। ଏହି ସମୟରେ ଜୀଵଜନ୍ତୁଙ୍କ ପ୍ରକାରରେ ମଧ୍ୟ ଏକ ବଡ଼ ପରିଵର୍ତ୍ତନ ଘଟିଲା। ଘାସଭୂମିରେ ରହିପାରୁଥିଵା ଏବଂ ଶୁଷ୍କ ଘାସ ଚୋବାଇ ପାରୁଥିଵା ଆଧୁନିକ ଘୋଡ଼ାର ପୂର୍ଵପୁରୁଷ - 'Hipparion' ଏଵଂ ଅଞ୍ଚଳର ଅନ୍ୟାନ୍ୟ ଛୋଟ ମାଙ୍କଡ଼(ବବୁନ୍ ଵା ଲଙ୍ଗୁର ଜାତୀୟ ପ୍ରାଇମେଟ୍‌ଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏହି ନୂଆ ଜୀଵମାନେ ସୀମିତ ସମ୍ପଦ ପାଇଁ ଶିଵାପିଥିକସ୍ ସହ ପ୍ରତିଯୋଗିତା ବଢ଼ାଇଦେଲେ । ପରିଣାମସ୍ୱରୂପ, ପ୍ରାୟ ୭୦ ଲକ୍ଷ ଵର୍ଷ ପୂର୍ଵେ ଶିଵାପିଥିକସ୍‌ର ଶେଷ ସଦସ୍ୟ ମଧ୍ୟ ଭାରତୀୟ ମାଟିରୁ ସମ୍ପୂର୍ଣ୍ଣ ଭାବେ ଵିଲୁପ୍ତ ହୋଇଗଲେ।

ଏହି ପରିପ୍ରେକ୍ଷୀରେ, ଭାରତର ଅନେକ ଲୋକଙ୍କ ମନରେ ଏକ ସାଧାରଣ ଭୁଲ୍ ଧାରଣା ରହିଥାଏ ଯେ ଶିଵାପିଥିକସ୍‌ ହେଉଛି ଭାରତୀୟ ମନୁଷ୍ୟ ଵା ମାନଵ ଜାତିର ପ୍ରତ୍ୟକ୍ଷ ପୂର୍ଵପୁରୁଷ। କିନ୍ତୁ ଵିଜ୍ଞାନ ଓ ଜୀଵାଶ୍ମର ସ୍ପଷ୍ଟ ପ୍ରମାଣ ଆଗରେ ଏହି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍ ପ୍ରମାଣିତ ହୁଏ।

ପ୍ରଥମତଃ, ସମୟକାଳର ଏକ ଵିରାଟ ଵ୍ୟଵଧାନ ଏହି ଦୁଇ ଵଂଶ ମଧ୍ୟରେ ପ୍ରାଚୀର ଭଳି ଠିଆ ହୋଇଛି। ଆମେ ଜାଣୁ ଯେ ପ୍ରାୟ ୭୦ ଲକ୍ଷ ଵର୍ଷ ପୂର୍ଵେ ଶିଵାପିଥିକସ୍‌ର ଶେଷ ସଦସ୍ୟ ମଧ୍ୟ ଭାରତୀୟ ମାଟିରୁ ସମ୍ପୂର୍ଣ୍ଣ ଭାବେ ଵିଲୁପ୍ତ ହୋଇଯାଇଥିଲେ। ଅପରପକ୍ଷରେ, ଆଧୁନିକ ମାନଵ ବଂଶ ଵା Homo lineageର ଵିକାଶ ଏହାର ବହୁ ସମୟ ପରେ ଆଫ୍ରିକା ଭୂଖଣ୍ଡରେ ଆରମ୍ଭ ହୋଇଥିଲା। ଶିଵାପିଥିକସ୍‌ମାନଙ୍କର ଵିଲୁପ୍ତିର ପ୍ରାୟ ୫୦ରୁ ୫୫ ଲକ୍ଷ ଵର୍ଷ ପରେ ଅର୍ଥାତ୍ ଆଜକୁ ପ୍ରାୟ ୧୦ରୁ ୧୫ ଲକ୍ଷ ଵର୍ଷ ତଳେ 

ଆଦିମ ମାନଵ Homo erectusମାନେ ଭାରତୀୟ ଉପମହାଦ୍ୱୀପରେ ପହଞ୍ଚିଥିଲେ। ସେହିପରି ଆଜକୁ ମାତ୍ର ୬୦ରୁ ୭୦ ହଜାର ଵର୍ଷ ତଳେ ଆମ Homo sapiensଙ୍କ ପୂର୍ଵଜ 

ଆଫ୍ରିକାରୁ ଭାରତକୁ ଆସିଥିଲେ। 

ତେଣୁ,Sivapithecus ଓ Homo ଏହି ଦୁଇ ଜୀଵଙ୍କ ମଧ୍ୟରେ କୌଣସି ସାଂସ୍କୃତିକ କିମ୍ବା ଵଂଶଗତ ସିଧାସଳଖ ଉତ୍ସ ନାହିଁ। ଦ୍ଵିତୀୟତଃ, ଜୈଵିକ ଗଠନର ଗଭୀର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଶିଵାପିଥିକସ୍ ମାନଵ ବଂଶର ନୁହେଁ ଵରଂ ଏସିଆର ମହାଵାନର ଓରାଙ୍ଗୁଟାନ୍ ଵଂଶର ଏକ ପ୍ରାଚୀନ ଶାଖା। ତେଣୁ, ଶିଵାପିଥିକସ୍‌କୁ ଭାରତୀୟ ମାନଵର ପୂର୍ଵପୁରୁଷ ଭାବିଵା କେଵଳ ଏକ ଆଵେଗିକ ଭ୍ରମ ଅଟୈ ଵୈଜ୍ଞାନିକ ସତ୍ୟ ନୁହେଁ।


ପୃଥିଵୀର ସାମଗ୍ରିକ ଇତିହାସ ହେଉଛି ପରିଵର୍ତ୍ତନର ଏକ ଅନନ୍ତ ଓ ନୀରଵ କାହାଣୀ। ଯେଉଁ ମାଟି ଉପରେ ଆଜି ଆମେ ସଭ୍ୟତାର ଅହଂକାର ଏଵଂ  ସ୍ମୃତିର ସଜଳ ସ୍ଵାକ୍ଷର ନେଇ ଠିଆ ହୋଇଛୁ, ସେହି ମାଟି ଦିନେ ଆଉ କାହାର ସାମ୍ରାଜ୍ୟ ଥିଲା ଏଵଂ ଆଉ କାହାର କୋଳାହଳରେ କମ୍ପିତ ହେଉଥିଲା। ସମୟର ଅଦୃଶ୍ୟ ସ୍ରୋତରେ ଜୀଵନର ଏମିତି କେତେ ରଙ୍ଗ ଆସିଛି ଏଵଂ କେତେ ଶୂନ୍ୟରେ ମିଳେଇ ଯାଇଛି, ତାହାର ନିର୍ଭୁଲ ହିସାବ କେଵଳ ପଥରର ଅନ୍ଧାରୀ ସ୍ତରଗୁଡ଼ିକ ହିଁ ସାଇତି ରଖିଛନ୍ତି।

ପ୍ରକୃତି କାହାକୁ ଚିରସ୍ଥାୟୀ କରେନାହିଁ; ତା’ ପାଇଁ ପ୍ରାସାଦର ପରିଧି ଓ ଅରଣ୍ୟର ସୀମା ସବୁ ସମାନ। ଵିଵର୍ତ୍ତନର ଏହି ଵିଶାଳ ରଙ୍ଗମଞ୍ଚରେ ଆମେ ମନୁଷ୍ୟମାନେ କେଵଳ ଏକ କ୍ଷଣସ୍ଥାୟୀ ଅଧ୍ୟାୟ ମାତ୍ର, ସମଗ୍ର ବହିଟି ନୁହଁ। ମାଟି ତଳୁ ମିଳୁଥିଵା ପ୍ରାଚୀନ ଜୀଵନର ଏହି ନିଶ୍ଚଳ ଅଵଶେଷଗୁଡ଼ିକ ଆମକୁ ଅହରହ ମନେ ପକାଇ ଦିଅନ୍ତି ଯେ, ସୃଷ୍ଟିରେ କୌଣସି ଶକ୍ତି କିମ୍ବା ଵଂଶ ଅମର ନୁହେଁ। ଯିଏ ଦିନେ ନିଜ ପରିଵେଶର ସର୍ଵେସର୍ଵା ଥିଲା, ସେ ମଧ୍ୟ ସମୟର ଚକ୍ରରେ ଦିନେ ଧୂଳି ହୋଇଯାଏ। ବୋଧହୁଏ, ଏହି ଅନିତ୍ୟତା ଓ କ୍ରମାଗତ ରୂପାନ୍ତର ହିଁ ସଂସାରର ସବୁଠାରୁ ବଡ଼ ସତ୍ୟ ଏଵଂ ପ୍ରକୃତିର ସବୁଠାରୁ ସୁନ୍ଦର ଵୈଚିତ୍ର୍ୟ।

No comments:

Post a Comment