Friday, January 10, 2020

ଖିରିସାଣି ଓ କିରସାନୀ ଗୋଟିଏ ଶବ୍ଦ ନା ଭିନ୍ନ ଭିନ୍ନ ?

ଯୁଗ ସହ ତାଳ ଦେଇ ସମାଜ ଓ ସଭ୍ଯତାରେ ପରିଵର୍ତ୍ତନ ଦେଖାଯାଏ । ସମାଜ ସହ ବଦଳେ ଉକ୍ତ ସମାଜରେ ପ୍ରଚଳିତ ଭାଷା ଓ ତହିଁର ଶବ୍ଦ ତଥା ତାହାର ଵ୍ଯଵହାର ।

ଆଜକୁ ପ୍ରାୟ ୧୦୦ ଵର୍ଷ ତଳେ ଭାରତରେ ଘୋଡ଼ା ମାନଙ୍କର ବହୁତ ଆଵଶ୍ଯକତା ଥିଲା କିନ୍ତୁ ସମୟ ସହ ଗାଡି଼ମଟର ତାହାର ସ୍ଥାନ ଅଧିକାର କରିନେଇଛି । ଆଜି ଘୋଡ଼ା ସହିତ ତତ୍ ସମ୍ବନ୍ଧିତ ଶବ୍ଦ ମଧ୍ୟ ଵ୍ଯଵହାର ହେଵା ବନ୍ଦ ହୋଇଯାଇଛି ।

ତେଵେ ସାରଳାଯୁଗରେ ସମାଜରେ  ଗାଈଗୋରୁଙ୍କ ଭଳି  ଘୋଡ଼ା ମଧ୍ଯ ଏକ ଅତ୍ୟାଵଶ୍ୟକ ଜୀଵ ଥିଲା । ଘୋଡ଼ା ଦ୍ଵାରା ଦୂରଦେଶକୁ ଯାତ୍ରା ସମ୍ଭଵ ହୋଇପାରୁଥିଲା, ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଘୋଡ଼ାର ଵ୍ଯଵହାର ହେଉଥିଲା । ସେତେଵେଳେ ଘୋଡ଼ାର ହସକୁ ତତ୍କାଳୀନ ଓଡ଼ିଆ ଲୋକେ  ଖିରିସାଣି କହୁଥିଲେ । ଘୋଡା଼ର ଏଭଳି ହସ ପାଇଁ ଆମ ଶାସ୍ତ୍ରୀୟ ଭାଷାରେ ଅନେକ ଶବ୍ଦ ରହିଛି ।






✓ଅଶ୍ଵହାସ
✓ଘୋଡା଼ହସା
✓ହ୍ରେଷାରବ
✓ଅଶ୍ଵଘୋଷ
✓ସ୍ଥାମ
✓ଅଵଚ୍ଛୁରିତକ
✓ରେଷ
✓ଉଚ୍ଚୈର୍ଘୋଷ
✓ଜୋହୂତ୍ର
✓କନିକ୍ରଦ
✓ହ୍ରେଷିନ
✓ହ୍ଲେଷା
✓ହ୍ରେଷା
✓ହେଷା
✓କୁହକାରାଵ
✓ଅଵକ୍ରନ୍ଦ
✓କ୍ରନ୍ଦହେଷିନ
✓କ୍ରନ୍ଦ୍ଯ
✓ଆଶୁହେଷସ
✓ଉଚ୍ଚୈଃଶ୍ରଵସ

ଘୋଡା଼ର ଏଭଳି ହିଁ ହିଁ ଵା  ହେଁ ହେଁ ଶବ୍ଦକୁ ଇଂରାଜୀରେ Neigh କୁହାଯାଏ ।

ସାରଳା ମହାଭାରତ ଓ ଅନ୍ୟାନ୍ୟ ପ୍ରାଚୀନ ସାହିତ୍ୟରେ ଆମେ ଖିରିସାଣି ଶବ୍ଦର ଵ୍ଯଵହାର ଥିଵା ଦେଖିଥାଉ ‌ । ସାରଳା ମହାଭାରତରେ ଯୁଦ୍ଧକାଳୀନ ଵର୍ଣ୍ଣନା ସମୟରେ କଵି ଖିରିସାଣି ଶବ୍ଦର ଵ୍ଯଵହାରରେ ଲେଖିଛନ୍ତି...

“ହସ୍ତୀଙ୍କର ଘଣ୍ଟାରବ ଗର୍ଜନର ବାଣୀ
କ୍ଷତ୍ରିର ଟଙ୍କାର ଅଶ୍ବଙ୍କର ଖିରିସାଣି”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖିରିସାଣି ଶବ୍ଦଟି ଶାସ୍ତ୍ରୀୟ ହ୍ରେଷ୍ର ଓ ହ୍ରେଷଣ ଶବ୍ଦ ସହ ସମଦ୍ଧୃତ ବୋଲି ଉଲ୍ଲେଖ କରାଯାଇଛି ।

ସେହିଭଳି କଵିବର ରାଧାନାଥ ରାୟ ତାଙ୍କ ମହାଯାତ୍ରା କାଵ୍ଯରେ  ଘୋଡା଼ର ହସ ପ୍ରକାଶ ଅର୍ଥରେ ହ୍ରେଷାରବ ଶବ୍ଦକୁ ଉପଯୁକ୍ତ ମଣି ଲେଖିଛନ୍ତି

“ଚକ୍ରର ଘର୍ଘରେ ବାଜି
ରାଜି ହ୍ରେଷାରବେ”

ପୁଣି ଅନ୍ଯ ଏକ ସ୍ଥାନରେ ସଂସ୍କୃତ ଶବ୍ଦକୁ ଓଡ଼ିଆ କ୍ରିୟାର ରୂପ ଦେଇ ହ୍ରେଷିଵା ଶବ୍ଦର ମଧ୍ୟ ଵ୍ଯଵହାର ହୋଇ ପଦେ ଲେଖିଛନ୍ତି...

“ହ୍ରେଷିଲେ ତୁରଙ୍ଗେ ଗଜେ
ଗର୍ଜିଲେ ଭୈରଵେ”

ଓଡ଼ିଆ ଭାଷାରେ ଖରିସାଣି ଛଡ଼ା ହ୍ରେଷ୍ରା ସହିତ ସମଦ୍ଧୃତ ଆଉ କେତେକ ଦେଶଜ ଶବ୍ଦ ମଧ୍ୟ ରହିଛି ।
ଯଥା—

୧)ଭେରେଷା—
ଏ ଶବ୍ଦର ଅର୍ଥ ଭାଣ୍ଡ ଵା ନିର୍ଲ୍ଲଜ୍ଜ । ଯେଉଁ ଲୋକ ନିର୍ଲ୍ଲଜ ଭାବରେ ବଡ଼ ପାଟି କରି ହସେ ଓ କଥା କହେ ତାହାକୁ ଭେରେଷା କୁହାଯାଏ ।

୨)ହେରସା/ହେରେସା—
ଭେରେଷା ସହିତ ସମର୍ଥକ ଓ ସମଦ୍ଧୃତ ।

୩)ହେରେସେଇଵା/ହେରେଷେଇ ହେଵା
ହେଁ ହେଁ ହୋଇ ନିର୍ଲଜ୍ଜ ଭାବରେ ହସିଵା
ହେଁ ହେଁ ଫେଁଫେଁ ହେଵାକୁ ହେରେଷେଇଵା କୁହାଯାଏ

ଖିରିସାଣି ପରି ଗଡ଼ଜାତରେ ହିନହିନାଇଵା କ୍ରିୟା ଶବ୍ଦ ଚଳୁଥିଲା  ଯାହାର ଶାସ୍ତ୍ରୀୟ ମାନକ ହିଣିହିଣେଇଵା ଅଟେ । ଏ ଶବ୍ଦଟି ଏକ ଧ୍ଵନ୍ଯାନୁକରଣ ଶବ୍ଦ ଓ ମୂଳତଃ ପ୍ରାକୃତ ଭାଷାରୁ ଯାଇ ଓଡ଼ିଆ,ବଙ୍ଗାଳୀ ଓ ହିନ୍ଦୀ ଇତ୍ୟାଦି ଭାଷାରେ ଚଳୁଅଛି । ଏହାର ଉପକୂଳ ଓଡ଼ିଶାରେ ମଧ୍ୟ ଵିଭିନ୍ନ ସମଦ୍ଧୃତ ରୂପ ଚଳୁଥିଵାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖରୁ ଜଣାଯାଏ । ଯଥା—

✓ହିଁହିୟା —ଯେଉଁ ବ୍ଯକ୍ତି ସବୁଵେଳେ ହିଁ ହିଁ ହୋଇ ହସୁଥାଏ
✓ହିଁହେଁଈ/ହେଁହେଁଈ— ପ୍ରାୟତଃ ହିଁ ହିଁ ହେଁ ହେଁ ହେଇ ହସୁଥିଵା ସ୍ତ୍ରୀଲୋକ

✓ହେଁହେଁଇଁଆଁ— ଅତି ହସକୁରା ଵ୍ଯକ୍ତି

✓ହେଁହେଁୟାଁ—ଯେଉଁ ଵ୍ଯକ୍ତି ଉଚ୍ଚହାସ୍ଯ କରେ

ଖିରିସାଣି ଓ କିର୍'ସାନୀ ଶବ୍ଦ ମଧ୍ୟରେ ଵାହ୍ୟ ସାମଞ୍ଜସ୍ୟତା ଦେଖି କେହି କେହି ଏ ଉଭୟ ଶବ୍ଦକୁ ଏକ ଭାଵିପାରନ୍ତି କିନ୍ତୁ ପ୍ରକୃତରେ କିର୍ସାନୀ ବଣ୍ଡା ଵା ରେମୋ ଜନଜାତୀୟ ଲୋକଙ୍କ ଏକ ଗୋତ୍ର ଵିଶେଷ । ବାହାର ଲୋକେ ମୁଖ୍ଯତଃ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଅଧିବାସୀ ରେମୋ ଜନଜାତୀୟ ଲୋକଙ୍କୁ ବଣ୍ଡା ନାମ ଦେଇଛନ୍ତି । ଏମାନେ ମୁଣ୍ଡାଭାଷା ପରିବାର ଗୋଷ୍ଠୀର ଅଟନ୍ତି । ବଣ୍ଡା ଜନଜାତି ଗୋଷ୍ଠୀ ଗୋତ୍ରଭେଦରେ ମୁଖ୍ୟତଃ ନଅ ଭାଗରେ ଵିଭକ୍ତ ।

(କ)ବଡ଼ନାୟକ
(ଖ)ଶିଶା
(ଗ)ମୁଦୁଲି
(ଘ)ଚାଲାନ
(ଙ)ଧାଙ୍ଗଡ଼ାମାଝି
(ଚ)କିର୍'ସାନୀ
(ଛ)ଝିଗିଡ଼ି
(ଜ)ହୋର
(ଝ)ମାନ୍ଦ୍ରା  ।

ଶେଷ ତିନୋଟି ଗୋତ୍ର ଅର୍ଵାଚୀନ । ବଣ୍ଡାସମାଜରେ ଯେଉଁ ଗୋତ୍ରୀ ଲୋକେ ନିଜ ସାମ୍ରାଜ୍ଯ ରକ୍ଷା ହେତୁ ଶତ୍ରୁ ସହ ସମ୍ମୁଖ ସମରରେ ଲିପ୍ତ ରହୁଥିଲେ ସେମାନଙ୍କୁ କିର୍'ସାନୀ କୁହାଯାଉଥିଲା । ଅଧୁନା କିର'ସାନୀ ଏକ ସଂଜ୍ଞାରେ ପରିଣତ ହୋଇଛି ।

କେହି କେହି ଭାବିପାରନ୍ତି କିର୍'ସାନୀ ଶବ୍ଦ କିଶାନ୍ ଶବ୍ଦରୁ ଆସିଥାଇପାରେ କିନ୍ତୁ ପ୍ରକୃତରେ ଏହାର ମୂଳ ବଣ୍ଡାଶବ୍ଦ କିର୍ ଅଟେ ଯାହାର ମୁଖ୍ୟ ଅର୍ଥ ଯୁଦ୍ଧ, ଝଗଡ଼ା  ଅଟଇ ।

ସମୟ ସହ ଆମ ସମାଜରେ ଅନେକ ପରିଵର୍ତ୍ତନ ଘଟିଯାଇଛି । ଯାନ ଵାହନ ଚଳାଚଳ ପରେ ମଟର,କାର୍,ବସ୍,ଅଟୋ, ଟ୍ୟାକ୍ସି,ଜିପ୍,ଟ୍ରେକର ଇତ୍ୟାଦି ଵୈଦେଶିକ ଶବ୍ଦ ବହୁ ପ୍ରଚଳିତ ହୋଇଯାଇଛି । ଘୋଡା଼ର ଵ୍ଯଵହାର ବହୁମାତ୍ରାରେ
ହ୍ରାସପାଇଵାରୁ ଦେଶରେ ସେମାନଙ୍କର ସଂଖ୍ୟା ମଧ୍ୟ ଅନେକାଂଶରେ କମିଯାଇଛି । ଘୋଡ଼ା ସହିତ ତା ସହ ସମ୍ବନ୍ଧିତ ଶବ୍ଦ ମଧ୍ୟ ଆଜି କେଵଳ ଅଭିଧାନରେ ହିଁ ମୁର୍ମୂଷୁ ଅଵସ୍ଥାରେ ପଡ଼ିରହିଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...