Wednesday, January 1, 2020

ହେପି ନିଉ ଇଅର

ଵିଶ୍ଵ ନିଶା ନଵଵର୍ଷର ଅନେକାନେକ ଶୁଭକାମନା । ଏ ନଵଵର୍ଷ ମନୁଷ୍ୟକୁ ନିଶା ଦାନ ଦିଏ । ମଣିଷକୁ ନିଶାବଳରେ ଭଲପାଇଵା ଶିଖାଉଥିଵା ଏକମାତ୍ର ନଵଵର୍ଷ ହେଉଛି ଆଜିର ଏଇ ନଵଵର୍ଷ । ଆଜିର ନଵଵର୍ଷରେ ନିଶା ଖୁନ୍ଦିଖୁନ୍ଦି ଭରିରହିଛି । ହେଲେ କେମିତି ? ନିମ୍ନରେ କିଛି ମୁଖ୍ୟ ମୁଖ୍ୟ କାରଣ ପ୍ରଦାନ କରାଗଲା...

୧)ନିଶାକାଳରେ ପାଳିତ ହୁଏ

→ଏହା ଵିଶ୍ଵର ଏକମାତ୍ର ନଵଵର୍ଷ ଯାହା ରାତିଅଧିଆ ନିଶାକାଳରେ ଅର୍ଦ୍ଧରାତ୍ରରେ ପାଳିତ ହୁଏ । ସଂସାରଯାକର ଲୋକଙ୍କ ନଵଵର୍ଷ ସକାଳ ହେଲେ ଆରମ୍ଭ ହୁଏ କିନ୍ତୁ ଗ୍ରେଗେରୀୟ ନଵଵର୍ଷ କେଵଳ ନିଶାକାଳରେ ପ୍ରାରମ୍ଭ ହୋଇଥାଏ । ସମ୍ଭଵତଃ ଏ ନଵଵର୍ଷଟି ନିଶାକାଳରେ ଗୁମ୍ପା ମଧ୍ୟରେ ରହି ପ୍ରାଚୀନ ୟୁରୋପୀୟ ଜନସମାଜ ପାଳୁଥିଵେ । ଆହା ! ସେ ଵିଚରାମାନଙ୍କୁ ଗୁମ୍ଫା ଭିତରେ  ମଦ ଓ ମାଂସ ଛଡା଼ ଆଉ କଣ୍ ଵା ମିଳିଥିଵ ?

୨)ନିଶାଜଳ ଵା ମଦ୍ଯ,ଜୀଵନ୍ତ ଓ ମୃତ ମାଂସର ଆସରରେ ପାଳିତ ହୁଏ

→ଯେତେଵେଳେ ରାତିଅଧିଆ ଗ୍ରେଗେରୀୟ ନଵଵର୍ଷ ଆସେ ସାରା ଵିଶ୍ଵ ଉତ୍ସଵମୁଖର ହୋଇଯାଏ । ମଦ- ମାଂସର ମନମୋହକ ସୁଵାସରେ ଗଗନପଵନ ମହକିଯାଏ । ମଦ ମାଂସ ଵିନା ଏହି ନଵଵର୍ଷର କଳ୍ପନା ସୁଦ୍ଧା କଷ୍ଟସାଧ୍ୟ ।

୩)ଉତ୍ସଵପାଳନର ନିଶାର ନିଶାରେ ପ୍ରଗଳ୍ଭ କରାଏ

→ଗ୍ରେଗେରୀୟ ନଵଵର୍ଷର ରୀତିନୀତି ଵାକି ଅନେକ ନଵଵର୍ଷ ତୁଳନାରେ ବହୁତ ସହଜ । ଏ ନୂଆଵର୍ଷଟା ଛୋଟରୁ ବଡ଼,ପଣ୍ଡିତରୁ ମୂର୍ଖ,ଭଲଲୋକଙ୍କ ଠାରୁ ପ୍ରଗଳ୍ଭଜନଙ୍କ ଯାଏଁ ସମସ୍ତେ ସହଜରେ ପାଳିପାରନ୍ତି । ଏଭଳି ଏକ ସହଜିଆ ପର୍ଵ ତେଣୁ ଚୀନ, ଭାରତ ଭଳି ପ୍ରାଚୀନ ସଭ୍ଯତାର ଵର୍ତ୍ତମାନ ଦାୟାଦମାନଙ୍କୁ ପାଗଲା କରିପକେଇଛି । ଗ୍ରେଗେରୀୟ ନଵଵର୍ଷରେ ସେଇ  ନିଶା,ମାଦକତା ନଥିଲେ ତାହା ଏତେଟା ଜନାଦୃତ କେଭେଁ ହୋଇପାରନଥାନ୍ତା । ଜଗତଟା ଯାକର ଲୋକେ ଏହି ନୂଆଵର୍ଷର ନିଶାରେ ଏତେ ମଦମତ୍ତ ଯେ ନିଜ ନିଜର ନଵଵର୍ଷ ଛାଡ଼ି ଏହାର ପ୍ରେମରେ ପଡି଼ଯାଇଛନ୍ତି । ଆଜିର ଭାରତଵର୍ଷରେ ଦଶ ଦଶୁଟା ନଵଵର୍ଷ ଥାଉ ଥାଉ ଲୋକେ ଯେଉଁ ରାତିଅଧିଆ ଡିଜେ ବଜେଇ ବାଣ ଫୁଟେଇ ନାଚୁଛନ୍ତି ତାହା ଏହି ନଵଵର୍ଷର ମହାନତା ପ୍ରକଟ କରିଥାଏ ।

୪)ଗ୍ରେଗେରୀୟ ନଵଵର୍ଷ ଅନୁକରଣ କରିଵାର ନିଶାରେ ପକାଇଦିଏ ।

→ନବେ ଦଶକର ଛୁଆମାନେ ଏହି ନିଶାରେ ମାତ୍ରାଧିକ ପ୍ରଭାଵିତ ଥିଲେ । ଵର୍ଷଯାକ କେଵଳ ପାଠପୁଢୁଥିଵା ପିଲାଏ ଏହିଦିନ ଗ୍ରିଟିଙ୍ଘସ୍ କାର୍ଡ ପଛରେ ନିଜର କଵିପଣ ପ୍ରକଟିତ କରୁଥିଲେ । ଜଣକମନରୁ ପଦେ ଦିପଦ ବାହାରିଗଲା

“ଚାରି ନଣନ୍ଦରେ ଜଣେ ଦିଅର
ସାଙ୍ଗକୁ ମୋର ହାପି ନିଉ ଇଅର”
😂😂😂

ହେଇ ଚାହୁଁ ଚାହୁଁ ସେଇ ପଦିଏ କଥାକୁ ଆଉ ଚାରି ପାଞ୍ଚ ଜଣ ଦେଖାଦେଖି ହେଇ ଗ୍ରିଟିଙ୍ଘସ୍ କାର୍ଡ ପଛରେ ଲେଖିଦେଇଥିଵେ । ବୋଧହୁଏ ଗ୍ରିଟିଙ୍ଘସ୍ କାର୍ଡ ହିଁ ୮୦-୯୦ ଦଶକର ପିଲାଙ୍କୁ ନକଲ କରିଵାର ନିଶାର ନିଶାରେ କିମିଆଁ କରିଦେଇଥିଲା । ସେଇଥିପାଇଁ ତ ଆମ ଶିକ୍ଷା ଵ୍ଯଵସ୍ଥାରେ #copy ରୂପକ ସୌନ୍ଦର୍ଯ୍ୟ ଵୃଦ୍ଧି ହୋଇଥିଲା ।

୫)ଗ୍ରେଗେରୀୟ ନଵଵର୍ଷ ନିଶାର ପାର୍ଶ୍ବପ୍ରତିକ୍ରିୟା ବି ଭିନ୍ନ ଭିନ୍ନ ନଵଵର୍ଷ ପାଳନ କରିଵାକୁ ପ୍ରେରିତ କରେ...

→ହଁ ଆଜ୍ଞା ! ଗ୍ରେଗେରୀୟ ନଵଵର୍ଷର ନିଶାର ପାର୍ଶ୍ବପ୍ରତିକ୍ରିୟା ବି ରହିଛି । ଭାରତରେ କିଛି ଲୋକଙ୍କ ମଧ୍ୟରେ ଏହି ପାର୍ଶ୍ଵପ୍ରତିକ୍ରିୟା ବହୁତ ଉଗ୍ର ହୋଇଥାଏ । ଫଳତଃ ଯେଉଁ ଭାରତୀୟମାନେ ଵର୍ଷଯାକ ଦିନାଙ୍କକୁ ତାରିଖ ଓ ପଞ୍ଜିକାକୁ କ୍ଯାଲେଣ୍ଡର କୁହନ୍ତି ସେଇମାନେ ହିଁ ଏହି ଦିନ ତଥାକଥିତ ହିନ୍ଦୁ ନଵଵର୍ଷର ଜ୍ଞାନ ବଣ୍ଟନ କରୁଥିଵାର ଦୃଷ୍ଟିଗୋଚର ହୋଇଥାନ୍ତି ।
ଚୈତ୍ର ଶୁକ୍ଳ ପ୍ରତିପଦାଟା ମାସର ମଧ୍ୟଭାଗ ହୋଇ ବି ସେମାନେ ଏହି ଦିନକୁ ହିନ୍ଦୁ ନଵଵର୍ଷ ଭାଵେ ଘୋଷଣା କରନ୍ତି । ପଞ୍ଜାବୀ, ଓଡ଼ିଆ, ବଙ୍ଗାଳି, ମୈଥିଳୀ,ମଲୟାଲମୀ,କନ୍ନଡ,ତୁଲୁ,ତାମିଲ୍ ଓ ଅହମିୟା ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତି ଏଵଂ ଶ୍ରୀଲଙ୍କା, କାମ୍ବୋଡିଆ, ଥାଇଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ,ବ୍ରହ୍ମଦେଶ ଓ ଫିଲିପିନ୍ସ ଇତ୍ୟାଦି ଏସିଆର ଅଧିକାଂଶ ସନାତନୀ ସଂସ୍କୃତି ପ୍ରଭାଵିତ ଅଞ୍ଚଳରେ ମହାଵିଷୁଵ ପଣାସଂକ୍ରାନ୍ତିକୁ ସାଂସ୍କୃତିକ ନଵଵର୍ଷ ଭାଵେ ପାଳନ କରାଯାଏ । ତେଵେ ଗ୍ରେଗେରୀୟ ନଵଵର୍ଷର ପାର୍ଶ୍ଵପ୍ରତିକ୍ରିୟା ଏତେ ଉତ୍କଟ ଯେ ସେମାନଙ୍କୁ ତାହା ଦିଶେନାହିଁ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ହଁ ଏଇ ଗ୍ରେଗେରୀୟ ନଵଵର୍ଷରେ ପ୍ରକୃତରେ ବହୁପରିଣାମରେ ନିଶା ଭରିରହିଛି । ତାହେଲେ ଚାଲନ୍ତୁ ଆମେ ବି ଏହି ଉତ୍ସଵ ରୂପ ମଦ୍ଯର ମଦରେ ଝୁମିଵା ନାଚିଵା ଆଉ କହିଵା

“ହ୍ଵାଇ ଟେନ୍ସ ଡିଅର
ପିଅ ଟିକେ ବିଅର
ହେପି ନିଉ ଇଅର”
🤣🤣🤣😝😛😜

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...