Wednesday, January 15, 2020

ଜନନୀ ଉତ୍କଳ ଭାଷା(ରାଗ—ଭୈରଵ ଝୁଲା)



ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା ।
ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା ।
ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ,
ଜନନି ଗୋ ! କୃପା କରି କରୁ ତୁହି ଵିତରଣ ।
ଜ୍ଞାନ,ଵିଦ୍ଯା,ସୁଖ,ଭାଗ୍ଯ
ଯାହା କିଛି ମନୁଷ୍ୟତ୍ଵ
ଜନନି ! ପ୍ରସାଦେ ତଵ,ଅନୁଭଵେଁ ସାରତତ୍ତ୍ଵ ।

ଵିଦ୍ଯାହୀନ,ଶକ୍ତିହୀନ,ଦୀନହୀନ,ଅକିଞ୍ଚନ
ଆହା ମା !
କି ଦେଇ ମୁହିଁ ବନ୍ଦିବି ଗୋ ତୋ ଚରଣ ?

ଆତ୍ମଶକ୍ତି ଅନୁସାରେ କରୁଛି ମା ତୋ ବନ୍ଦନା,
ନ ବୁଝିଲି ପାଷଣ୍ଡ ମୁଁ ଏହା ଏକ ଵିଡ଼ମ୍ବନା ।

ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।

ଏତିକି ପ୍ରାଥନା ମାତଃ ! କରୁଅଛି ବାରେ ବାରେ,
ଜୀଵନ ଅନ୍ତିମ କାଳ ଗତ ହେଉ ତୋ ସେଵାରେ ।

◆◆◆◆◆◆◆◆◆◆◆◆◆◆◆◆◆◆◆◆◆◆

ଵି:ଦ୍ର―
ଏଠାରେ କଵିଙ୍କର ଜନନୀ “ଉତ୍କଳ ଭାଷା” ଆମ୍ଭ କଳିଙ୍ଗଦେଶର ରାଷ୍ଟ୍ରଭାଷା ଓଡ଼ିଆ ଅଟେ । ଓଡ଼ିଆ ଭାଷାର ଅନେକ ନାମ ମଧ୍ୟରେ ଏକ ନାମ ଉତ୍କଳ ଭାଷା ଅଟଇ । ଯଥାର୍ଥରେ କଵି ଉତ୍କଳଭାଷାକୁ ମାତା ମାନ୍ଯ କରି ତାଙ୍କର ଆଵାହନ କରୁଛନ୍ତି । ନିଜର ପ୍ରିୟ ମାତାଙ୍କୁ ପାଖରେ ପାଇଲେ ସେ ତାଙ୍କର ପୁଷ୍ପ ଦ୍ଵାରା ପୂଜା କରିଵେ ଏହା କଵିଙ୍କ ମନର ଇଛା । କଵି ଲେଖକଙ୍କ କ୍ଷେତ୍ରରେ ପୁଷ୍ପ ହେଉଛି ଗଳ୍ପ, କଵିତା,ପ୍ରବନ୍ଧ,ଉପନ୍ୟାସ, ଏକାଙ୍ଗିକା ଇତ୍ୟାଦି ସାହିତ୍ୟ ସମ୍ବନ୍ଧୀୟ ଉପାଦାନ ଯହିଁ ବଳରେ ଗୋଟିଏ ଭାଷା ସାହିତ୍ୟ କ୍ଷେତ୍ରରେ ପରିପୃଷ୍ଟ ହୋଇଥାଏ ।

ଵ୍ଯାସକଵି ସେଥିପାଇଁ ଲେଖିଲେ―
“ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।”

ଏଠାରେ ପ୍ରକୃତରେ କଵି କହୁଛନ୍ତି ଯେ 
ସାହିତ୍ୟ ସର୍ଜନା ରୂପ ଭକ୍ତି ଓ ଗଳ୍ପ, କଵିତା, ଉପନ୍ୟାସ ଇତ୍ୟାଦି ପୁଷ୍ପ ପ୍ରଦାନ କରି ହେ ଭାଷାମାତା ମୁଁ ଚରଣ ସେଵିବି ତେଣିକି ତାହା ପାଠକ ସମାଜରେ ଵରଂ ଆଦୃତ ନହେଉ ,କିନ୍ତୁ ଆଜୀଵନ ଲେଖିଚାଲିଵି । 

କୌଣସି ଭାଷାକୁ ମାତା ଜ୍ଞାନ କରି ଏଭଳି ବନ୍ଦନା ସାରା ଵିଶ୍ଵରେ ଵିରଳ ଅଟେ । ସେଇଥିପାଇଁ ତ କୁହାଯାଏ ଯେ ସହସ୍ର ଵର୍ଷରେ ଜଣେ ଵ୍ଯାସକଵି 
ଧରାପୃଷ୍ଠରେ ଅଵତରଣ କରନ୍ତି । ଆଜି ପୁଣି ଓଡ଼ିଆ ଭାଷା ପାଇଁ ହିନ୍ଦୀ ସଂକଟ ହୋଇ ଦେଖା ଦେଇଛି । ଆଉ ଜଣେ ଵ୍ଯାସକଵି ଲୋଡୁଛନ୍ତି ଉତ୍କଳଭାଷାମାତା ! 
ହେ ଅମର ଆତ୍ମା !  ପୁଣିଥରେ ଅଵତାର ନିଅନ୍ତନି କଳିଙ୍ଗୋତ୍କଳେ ? 

🙏🙏🙏

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...