ଧ୍ବନ୍ୟନୁକରଣ କ'ଣ ?
କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।
ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ Onomatopoeia ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ ।
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ ।
ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...
ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି ।
ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି ।
ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?
କୁକୁଡ଼ାର କକ୍ କକ୍ ଶବ୍ଦ ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।
ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି ।
ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ । ଅହମିଆରେ ବିଲେଇକୁ বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ । ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ 貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫 (māo), 貓兒/ 猫儿 (māor) କୁହାଯାଏ । ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି । ପୁନଶ୍ଚ ଛେଳି ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି । ମୁଣ୍ଡା ଭାଷାରୁ ମେରିମ୍ ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।
ଇଂରାଜୀରେ କେତେକ ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ ।
ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି ।
ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:
ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ?
ହଁ ଅଛି ! ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି ।
ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା ।
🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି
🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।
“ଉଦୁମୁ ଦୁମା, ତାଳ ଗୋଟମା,
ନୂଆ ପାହୁରାଣୀ ପିତଳସମା,
ହରଚଣ୍ଡିଙ୍କର ଭାଇ ମଲା,
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
କି ମାଡ଼ ମାଇଲୁ ଭାଇ
ଚାରିକୁଣିଆ ବସା ॥”
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି
🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି
🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି
🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ।
🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ ।
🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା ସ୍ପଷ୍ଟ ।
🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ ।
🟠ଖିଖି
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।
🟠ଘୁମୁରା
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି ।
🟠ଚଡ଼କ/ଚଡ଼ଚଡ଼ି
ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି ।
🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି ।
🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ ।
🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।
🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ
🟠ଭଡ଼କା
ଭଡ଼କା ଅନ୍ୟତମ ଓଡ଼ିଆ ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ।
🟠ମୁଡୁ଼କି
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି ।
🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ ।
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ ।
🟠ଶକେଇବା
ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି ।
🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି ।
🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ
🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି ।
🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ । କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ ।
🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ ହୋଇଥାଏ ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି ।
🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ।
ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି । ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ ।
ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ । ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।